Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ମଧ୍ୟପର୍ବ - ପ୍ରଥମ ଖଣ୍ଡ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ରଜଚକ୍ର

୨।

ପାଣ୍ଡବମାନଙ୍କର ନିୟମ

୩।

ଅର୍ଜୁନ ବନବାସ

୪।

ଅର୍ଜୁନର ଅକ୍ଷୟତୂଣୀର ଓ ପାଶୁପତ ଅସ୍ତ୍ରଲାଭ

୫।

ବିଷ୍ଣୁଙ୍କର ନବଗୁଞ୍ଜର ରୂପ

୬।

ଖାଣ୍ଡବବନ ଦହନ

୭।

ଇନ୍ଦ୍ର ଅର୍ଜୁନ ଯୁଦ୍ଧ

୮।

ଶୋଷକ ଶରଣ

୯।

ଇନ୍ଦ୍ର ଅର୍ଜୁନ ଯୁଦ୍ଧ ଓ ଇନ୍ଦ୍ରଙ୍କର ପରାଜୟ

୧୦।

ମନ୍ଦପାଳ ଋଷିଙ୍କ ଚରିତ ଓ ତାଙ୍କର ଅଗ୍ନିସ୍ତୁତି

୧୧।

ଅର୍ଜୁନଙ୍କର ବରଲାଭ

୧୨।

ଚିତ୍ରାଙ୍କୁର ଶରଣ ଓ ବୈରାଜ ରାଜା ମିଳନ

୧୩।

ଚିତ୍ରାଙ୍ଗଦା ପରିଣୟ

୧୪।

ଶତଧନୁ ଶରଣ

୧୫।

ରୈବତକ ଯଜ୍ଞ ଓ ଗୋସିଂହ ଦୈତ୍ୟ ବଧ

୧୬।

ସୁଭଦ୍ରା ହରଣ

୧୭।

ସୁଭଦ୍ରା ପରିଣୟ

୧୮।

ପୁଷ୍ୟାଭିଷେକ

୧୯।

ସୁଗନ୍ଧିକା ହରଣ

୨୦।

କୁଣ୍ଡଳୀ ଦୈତ୍ୟ ବଧ

୨୧।

କୌରଦ ପାଣ୍ଡବଙ୍କର ହସ୍ତିନା ପ୍ରବେଶ

୨୨।

ନୀଳେନ୍ଦ୍ରୀ ହରଣ

୨୩।

କୋଦାଳ ସେନ ବଧ

୨୪।

ଚନ୍ଦ୍ରାବତୀ ହରଣ

 

ରଜଚକ୍ର

ବଇବସତୁ ମନୁ ଅଗସ୍ତିଙ୍କି କଲେ ପାଦ ପୂଜା

ପାଦାଅର୍ଘ୍ୟ ଦିଲେ ଯେ ମନୁ ମହାରାଜା |୧|

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ନବନତ ଯୋଗାଡ଼ ବସନ ରତ୍ନମାନ ସାଧ୍ୟ |୨|

ଆଦ୍ୟପର୍ବ କହିଲ ମୁନି ଦିବ୍ୟ ରସ ବାଣୀ

ଶରୀର ନିର୍ମଳ ହୋଇଲା ତବ ମୁଖୁଂ ଶୁଣି |୩|

ଯେବେ କେବଣ ଚରିତ ପୁଣ କଲେକ ପାଣ୍ଡବେ

କହିବା ହେ ମହାମୁନି କଥାର ପ୍ରସ୍ତାବେ |୪|

ପଞ୍ଚୁ ପୁରୁଷକୁ ୟେକଇ ଯୁବତୀ

ସାଂସାରିକା ଧର୍ମେ ହେଲା ତାଙ୍କ କିସ ରୀତି |୫|

ୟେହା ମୋତେ ସଞ୍ଚପି କହିବା ତପବନ୍ତ

ପାପମାନ ମୋର ହୋଇବ କ୍ଷୟାନ୍ତ |୬|

କଥୟନ୍ତି ଅଗସ୍ତି ପଣ୍ଡିତ ମହାଗ୍ୟାଂତା

ଶୁଣ ସାବଧାନେ ମଧ୍ୟ ପର୍ବର ଯେ କଥା |୭|

ବଦୟନ୍ତି ଅଗସ୍ତି ଯେ ପଣ୍ଡିତ ମାରତଣ୍ଡ

ଶୁଣସି ସାବଧାନେ ଆଦିପର୍ବ ଉତ୍ତାରେ ମଧ୍ୟଖଣ୍ଡ |୮|

ହସ୍ତିନା ରାଜ୍ୟରେ ଯେ ଈଶାନ ଭାଗ କତି

ଭିନ୍ନେ ନବର କରି ବିଜେ କରାଇଲେ ଦ୍ରୋପତୀ |୯|

କୋଇନ୍ତାଙ୍କୁ ହିଂ ଭିନ୍ନ ନବର ସେହୁ ଲାଗେ

ପଞ୍ଚୁଭ୍ରାଥେ ରହିଥାନ୍ତି ଦ୍ରିଯୋଧନ ସଙ୍ଗେ |୧୦|

ମକର ମାସ ଶୁକ୍ଳପକ୍ଷ ଦଶମୀର ତିଥି

ରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି |୧୧|

ବାଳବ ନାମେ କରଣ ଶୁଭ ନାମେ ଯୋଗ

ମକର ସଙ୍କରାନ୍ତିକି ଚଉବିଂଶ ଦିନ ଭୋଗ |୧୨|

ସେଦିନ ପାଞ୍ଚାଳୀ ହୋଇଲେ ପ୍ରଥମ ରଜବତୀ

ପୁଷ୍ପବତୀ ଉଚ୍ଛବ ନବରେ କରାବନ୍ତି |୧୩|

କୁଙ୍କୁମ କସ୍ତୁରୀ ତହିଂ ମଣ୍ଡିତ କରି ପାଣି

ମାରନ୍ତି ପିଚିକାରୀ ପରିହାସ୍ୟେ ବିଳାସୁଣୀ |୧୪|

ଆସ୍ତାନେ ବିଜେ କଲେ ଧୌମ୍ୟ ପୁରୋହିତ

ପ୍ରୋହିତଙ୍କୁ ଦେଖି ଉଠିଲେ ଧର୍ମସୁତ |୧୫|

ଆଶ୍ରୀବାଦ କଲ୍ୟାଣ କରନ୍ତି ପୁରୋହିତ

କର ଯୁଗଳ ଯୋଡ଼ିଣ ପଚାରନ୍ତି ଧର୍ମସୁତ |୧୬|

ସ୍ଵାମୀ ଆଜ ରଜବତୀ ହୋଇଲେ ଦ୍ରୋପଦ ଦୋହିତ

ୟେଥିର ଚରିତ ଦେବ କହିବାକ ତପବନ୍ତ |୧୭|

ତୁମ୍ଭ ତହୁଂ ମୋତେ କେ ମିଳିବ ଭାଗ୍ୟବନ୍ତା

ତୁମ୍ଭେ ମହାମୁନି ଆହେ ଅଟ ସର୍ବ ଗ୍ୟାଂତା |୧୮|

ୟେଥିର ସଂଶୟ ଫେଡ଼ି କହ ବ୍ରହ୍ମବେତ୍ତା

ଯଉଂ ଯଉଂ ଯୋଗ ଲଗ୍ନେ ହୋୟେ ଯଉଂ କଥା |୧୯|

ଶୁଣି ଧୌମ୍ୟ ପୁରୋହିତେ ମନରେ ହରଷ

ଅଣ୍ଟାରୁ ଖଡ଼ି କାଢ଼ି କୋଠି କାଟି କରନ୍ତି ପ୍ରକାଶ |୨୦|

ଅଷ୍ଟ ଗୋଟି କୋଠି ମଧ୍ୟେଂ ଗୃହ ଯେ ଶୋଭନ

ଯୁଝେଷ୍ଠିଙ୍କ ମୁଖ ଚାହିଂ ବୋଲନ୍ତି ମହାମୁନ୍ୟ |୨୧|

ସପତାଙ୍ଗ ପାଞ୍ଜିକି ଫେଡ଼ିଣ ପୁରୋହିତ

ରଜଚକ୍ର କୋଷ୍ଠି ପାଡ଼ନ୍ତି ପଣ୍ଡିତ |୨୨|

ଯେବଣ ଯେବଣ ବିଧି ୟେଥକୁ ନିର୍ମିତ

ବିଧିମତ କରି ୟେବେ ଶୁଣ ଧର୍ମସୁତ |୨୩|

ଧର୍ମ ଦେବତାଙ୍କ ହସ୍ତେ ନଟୀକାଳ ଫଳ

ସୁବର୍ଣ୍ଣ ସ୍ଥାଳୀରେ ରଖି ଅରୁଆ ତଣ୍ଡୁଳ |୨୪|

ରଖିଣ ଧର୍ମସୁତ ବସିଲେ ତୁରିତ

କହନ୍ତି ଯେ ରଜଚକ୍ର ଧୌମ୍ୟ ପୁରୋହିତ |୨୫|

ବାର ତିଥି ନକ୍ଷତ୍ର ଚନ୍ଦ୍ର ଯୋଗ କରଣ ରବି ଅଂଶ

ସକଳ କଥା ବିଚାରି କହନ୍ତି ବିଶେଷ |୨୬|

ପ୍ରଥମରେ ସାତ ବାରଙ୍କର ଦୋଷାଦୋଷ

କହିବା ହେ ଶୁଦ୍ଧାଶୁଦ୍ଧ ଶୁଣ ଧର୍ମଶିଷ |୨୭|

ଆଦିତ୍ୟ ବାରେ ଯେବେ ହୋଅଇ ରଜବତୀ

ସ୍ଵାମୀକି ରୋଗ ପୀଡ଼ା ସନ୍ତାନ ନ ହୋଅନ୍ତି |୨୮|

ସୋମବାରେ ଯେଉଂ ସ୍ତିରୀ ହୋଅଇ ରଜବତୀ

ସେ ସ୍ତିରୀ ସ୍ଵାମୀରେ ସଦା ହୋଅଇ ଭଗତି |୨୯|

ମଙ୍ଗଳବାରେ ଯେବେ ହୋଅଇ ରଜକାରୀ

ବିଧବା ହୋଅଇ ଅଳପେ ହୋଅଇ ଅନାଚାରୀ |୩୦|

ବୁଧବାରେ ଯେବେ ହୋଅନ୍ତି ରଜବତୀ

ସ୍ଵାମୀରେ ସଉଭାଗୀ ସେ ହୁଅନ୍ତି ଯୁବତୀ |୩୧|

ଗୁରୁବାରେ ଯେବଣ ନାରୀ ହୋଅଇ ରଜବତୀ

ଧନ ସନ୍ତାନ ହୋଅଇ ଲକ୍ଷ୍ମୀରେ ପ୍ରିୟବତୀ |୩୨|

ଶୁକ୍ରବାରେ ଯେବେ ହୋଅଇ ରଜକାରୀ

ବହୁତ ପୁତ୍ର ହୋଅଇ ନୋହେ ଅନାଚାରୀ |୩୩|

ଯେବଣ ନାରୀ ପୁଷ୍ପବତୀ ହୋଅନ୍ତି ଶନିବାରେ

ପୁତ୍ର ସନ୍ତାନ ନାଶ ଯାଇ ୟେକ ସମ୍ଵତ୍ସରେ |୩୪|

ମକର ମାସ ଶୁକ୍ଳ ଦଶମୀ ଗୁରୁବାର ରୋହିଣୀ

ମାହେନ୍ଦ୍ର ଯୋଗ ହୋଇଲା ପଣ୍ଡିତ ମାନେ ବଖାଣି |୩୫|

ବାର ତାର ଚନ୍ଦ୍ର ହୋଇଲା ପବିତ୍ର

ତିଥିଚକ୍ର ପୁଣ ଯେ ପାଡ଼ିଲେ ଗ୍ରହପୁତ୍ର |୩୬|

ପ୍ରତିପଦା ଦିନ ଯେବେ ହୋଅନ୍ତି ରଜବତୀ

ଅତିହିଂ ପାତକୀ ସେ ଛୁଇଂ ତ ନ ଯୋଗାନ୍ତି |୩୭|

ଦୁତୀୟା ଦିନ ଯେବେ ହୋଅଇ ରଜକାରୀ

ପୁତ୍ର ପଉତ୍ରୀ ହୋୟେ ୟେକା ସ୍ଵାମୀରେ ଦିନ ହରି |୩୮|

ତୃତୀୟ ଦିନ ଯେବେ ହୋଅନ୍ତି ରଜବତୀ

ଅନେକ ସମ୍ଫ୍ରଧି ହୋୟେ ପୁତ୍ର ପଉତ୍ରୀ ପ୍ରାପତି |୩୯|

ଚଉଠୀ ଦିନ ଯେବେ ହୋଅଇ ରଜବତୀ

ସେ ସ୍ତିରୀକି ଛୁଇଂଲେ ଦୋଷ ବିଷୁଳୀପାତି |୪୦|

ପଞ୍ଚମୀ ତିଥିରେ ଯେବେ ହୋଅଇ ରଜବତୀ ପ୍ରିୟା

ସେ ସ୍ତିରୀ ପ୍ରତକ୍ଷେ ଯେ ଅଟଇ ସତଶ୍ରିୟା |୪୧|

ଷଷ୍ଠୀ ଦିନ ଯେବେ ହୋଅନ୍ତି ରଜଗ୍ରାହୀ

ସେ ସ୍ତିରୀ ଦୁର୍ଭାଗୀ ବଡ଼ ଯେ କଳୋହୀ |୪୨|

ସପ୍ତମୀ ଦିନ ଯେବେ ରଜବତୀ ହୋଅଇ ମାନିନୀ

ସେ ସ୍ତିରୀକି ଘେନି ଘର କଲେ ନୋହି ଧନ, ସନ୍ତାନ ହାନି |୪୩|

ଅଷ୍ଟମୀ ଦିନ ଯେବେ ହୋଅଇ ରଜବତୀ

ପତି ପୁତ୍ର ଦୋହିତା ତାର ବହୁତ ରୋଗରେ ପଡ଼ନ୍ତି |୪୪|

ନବମୀ ତିଥିରେ ଯେବେ ହୋଅଇ ରଜକାରୀ

ସ୍ଵାମୀ ନାଶ ଯାଇ ବିଧବା ହୋୟେ ନାରୀ |୪୫|

ଦଶମୀ ତିଥିରେ ଯେବେ ହୋଅନ୍ତି ରଜବତୀ

ଧନ ଜନେ ହୋୟେ ସୁଖୀ ବୋଲନ୍ତି ମହାଯତି |୪୬|

ଯେବଣ ସ୍ତିରୀ ହୋଅଇ ରଜବତୀ ୟେକାଦଶୀ ଦିନେ

ସ୍ଵାମୀ ଥାଉଂ ଆନ ପୁରୁଷ ଇଚ୍ଛଇ ତାର ମନେ |୪୭|

ଦ୍ଵାଦଶୀ ଦିନରେ ଯେ ହୋଅନ୍ତି ପୁଷ୍ପବତୀ

ସେ ସ୍ତିରୀକି ଛୁଇଂଲେ ସ୍ତିରୀ ହତ୍ୟା ଦୋଷ ପାନ୍ତି |୪୮|

ଯେବଣ ସ୍ତିରୀ ତ୍ରୟୋଦଶୀ ଦିନ ହୋଅନ୍ତି ରଜକାରୀ

ପତିରେ ସଉଭାଗୀ ଲକ୍ଷ୍ମୀରେ ବଲ୍ଲଭୀ ସେହୁ ନାରୀ |୪୯|

ଯେବଣ ସ୍ତିରୀ ପାକାସ୍ପର୍ଶୀ ହୋଅନ୍ତି ଚତୃଦଶୀ

ବହୁତ ପାତକୀ ସେ କୁଟୁମ୍ଵେ ହୋନ୍ତି ତ୍ରାସି |୫୦|

ଯେବଣ ସ୍ତିରୀ ରଜବତୀ ଅମାବଇ ଦିନ

ସେ ସ୍ତିରୀ ଧରି ଘର କଲେ ନୋହଇ ସନ୍ତାନ |୫୧|

ପୂର୍ଣ୍ଣମୀ ଦିନ ଯେବଣ ସ୍ତିରୀ ରଜବତୀ

ଧନ ସନ୍ତାନ ହୋଇବ ଦେଖିବ ପୁତ୍ର ନାତି |୫୨|

ଧୌମ୍ୟ ପ୍ରୋହିତେ କହିଲେ ରଜଚକ୍ର କଥା

ଦଶମୀରେ ହୋଇଲା ଯେ ନିର୍ଦ୍ଦୋଷୀ ଦ୍ରୋପଦ ଦୋହିତା |୫୩|

ପୁଣି ନକ୍ଷତ୍ରଚକ୍ର ପାଡିଲେ ପୁରୋହିତେ

ଯେବଣ ନକ୍ଷତ୍ରେ ରଜବତୀ ହୋଇଲା ହୋଅଇ ଯେମନ୍ତେ |୫୪|

ଅଶ୍ଵିନୀ ରୋହିଣୀ ପୁଷ୍ୟା ଉତ୍ତରା ଫାଲଗୁନୀ

ହସ୍ତା ସ୍ଵାତୀ ଅନୁରାଧା ଧନିଷ୍ଠା ୟେତେ ପୁଣ୍ୟ ମାନି |୫୫|

ଶ୍ରବଣା ଚିତ୍ରା ଉତ୍ତରଭୋଦୁଅ ସମ୍ପାଦି

ମୃଗଶିରା ପୁନର୍ବସୁ ଯେ ଶତଭିଷା ଆଦି |୫୬|

ବିଶାଖା ମୂଳା ରେବତୀ ଉତ୍ତରାଷାଢ଼ାରେ

ରଜବତୀ ହେଲେ ସ୍ତିରୀ ସୁଖ ଭୋଗ କରେ |୫୭|

ୟେତେ ନକ୍ଷତ୍ରେ ଯେବଣ ସ୍ତିରୀ ହୋଅନ୍ତି ରଜବତୀ

ଇହଲୋକ ସୁଖ ପାଇ ତାର ଅନ୍ତେ ସଦଗତି |୫୮|

ଅଶ୍ଲେଷା ତିନି ପୂର୍ବା ଦ୍ଵିଜା ଆର୍ଦ୍ରା ମଘା ଜ୍ୟେଷ୍ଠା ନକ୍ଷତ୍ରରେ

ରଜବତୀ ହୋଇଲେ ସ୍ତିରୀ ବହୁତ ଦୁଃଖ ଭୋଗ କରେ |୫୯|

ଶୁଭ ନକ୍ଷତ୍ର ଯୋଗେ ନାହିଂ ପାପକର୍ମ

ରୋହିଣୀ ନକ୍ଷତ୍ରେ ହୋଇଲା ଅନେକ ଧର୍ମ |୬୦|

ଯୁଝେଷ୍ଠି ବୋଇଲେ ନକ୍ଷତ୍ର ଚକ୍ରେ ଯେବେ ନାହିଂ ପାପଗ୍ରହ

ଯୋଗଚକ୍ର ୟେବେ ବିଚାରିଣ କହ |୬୧|

ଯୋଗଚକ୍ର ପୁଣ ପାଡ଼ିଲେ ପ୍ରୋହିତେ

ସମସ୍ତ ଗୁଣ ଗୁଣି ବିଚାରନ୍ତି ଦିନ ଅର୍ଥେ |୬୨|

ଆୟୁଷ୍ମାନ ସୌଭାଗ୍ୟ ପ୍ରୀତି ସିଦ୍ଧି ବୃଦ୍ଧି ଶୋଭନ ସୁକର୍ମ

ବରୀୟାନ ଶୁକ୍ଲ ଶିବ ସାଧ୍ୟ ଶୁଭ ଧ୍ରୁବ ହର୍ଷଣ ଇନ୍ଦ୍ର ବ୍ରହ୍ମ |୬୩|

ୟେଥେ ଯେବେ ହୁଅନ୍ତି ରଜବତୀ

ଧନ ସନ୍ତାନ ଅନେକ ହୋଅଇ ସଉଭାଗ୍ୟବନ୍ତୀ |୬୪|

ଧୃତି ଅତି ଗଣ୍ଡ ଶୂଳ ବିଷ୍କୁମ୍ଭ ବ୍ୟତିପାତ ଧ୍ରୁବ ଯୋଗ

ଦୋଚାରୀ ହୁଅନ୍ତି ନାରୀ ଯେବେ ହୋଅଇ ରାଜଯୋଗ |୬୫|

ପରିଘ ବ୍ୟାଘାତ ଗଣ୍ଡ ବିଷ୍ଟି ବଜ୍ର ବଇଧୃତି

ସନ୍ତାନ ହାନି ହୋଅଇ ୟେଥେ ହେଲେ ରଜବତୀ |୬୬|

ଦୁତୀୟରେ ଗୁରୁ ଚନ୍ଦ୍ରମା ସପତମେ

ଶନିଶ୍ଚର ନବମେ ରାହୁ କେତୁ ୟେକାଦଶମେ |୬୭|

ତୃତୀୟେ ରବି ବୁଧ ଦଶମରେ ଅଛଇ ମଙ୍ଗଳ

କହିଲେ ପ୍ରୋହିତେ ସର୍ବ ଶୁଭ ଅନକୂଳ |୬୮|

ୟେମନ୍ତେ ବିଚାରି ଅନକୂଳ ଘେନିଲେ ଗ୍ରହପୁତ୍ରେ

ଉଚ୍ଛବ ବିଧାନ ଯେ କରନ୍ତି ଦିନା ସାତେ |୬୯|

ରଜବତୀ ହୋଅନ୍ତି ଯେବଣ ଯୁବତୀ

ଚାଣ୍ଡାଳ ଛୁଇଂଲା ଦୋଷ ଯେ ପ୍ରଥମ ଦିନ ଲଭନ୍ତି |୭୦|

ଛୁଇଂଲା ମାତ୍ରକେ ସେହି ବେଗେ ସ୍ନାନ କରି

ତେବେ ସେ ଦିନର ଦୋଷ ଯାୟେ ଅପହରି |୭୧|

ଦୁତୀୟ ଦିନରେ ଯେବଣ ପୁରୁଷ ଛୁଅଂନ୍ତି

ସମ୍ଵଚ୍ଛର ପରିଯନ୍ତେ ପିତୃଲୋକେ ତର୍ପଣ ନ ପାବନ୍ତି |୭୨|

ଅଶୁଦ୍ଧ ସ୍ତିରୀକି ଛୁଅଂଇ ଯେବେ ତୃତୀୟ ଦିବସେ

ଲିଙ୍ଗ ଭଗ୍ନ ଦୋଷ ସେ ଲଭନ୍ତି ପୁରୁଷେ |୭୩|

ପାକାପରଶ ସ୍ତିରୀ ଯେ ଛୁଅଂଇ ଚତୁର୍ଥ ଦିନେ

ତାହାର ଅନ୍ନଜଳ ନ ପାଆନ୍ତି ଦେବତା ପିତୃଗଣେ |୭୪|

ପଞ୍ଚମ ଦିନରେ କରିବ ଶୁଦ୍ଧ ସ୍ରାହାନ

ପାକଶାଳେ ପିତୃଲୋକେ ନୋହିବେ ଯୋଗ୍ୟମାନ |୭୫|

ଷଷ୍ଠମ ଦିନରେ ଯେ ପଞ୍ଚଗବ୍ୟ କୁଙ୍କୁମ ଲେପି

ନଦୀରେ ସ୍ରାହାନ କରିବ ଅଦ୍ୟାପି |୭୬|

ଘଟି କୁଙ୍କୁମ ଚନ୍ଦନ ନାନା ଦ୍ରବ୍ୟମାନ

ସପତମ ଦିନରେ ହୋଇବ ଶୁଦ୍ଧିସ୍ନାନ |୭୭|

ସପତମ ଦିନ ରାତ୍ରେ ଯେ ମିଳିବ ସ୍ଵାମୀ ପାଶ

ୟେତେ ଗ୍ୟାଂନ ଥିଲେ ଖଣ୍ଡଇ ପାପଗ୍ରହ ଦୋଷ |୭୮|

ଯାହା ସେ ବିଚାରିଲେ ଧୌମ୍ୟ ପ୍ରୋହିତେ ପୁରାଣେ

ମୁହିଂ ତାହା ବଞ୍ଚାଇଲି ଠାକୁରାଣୀଙ୍କ ଆଗ୍ୟାଂ ପରମାଣେ |୭୯|

ବିଚାର କଲେ ୟେଥେ ୟେତେ ଦୋଷ ଅଛି

ଅନ୍ୟାୟ ପଣ କଲେ ଧର୍ମହିଂ ନ ଗଚ୍ଛି |୮୦|

ବଡ଼ାଇ ଦୁଲଭ ୟେ ସାଂସାରିକା ଧର୍ମ

ଜାଣୁ ଜାଣୁ ପ୍ରାଣୀମାନେ ହୋଉଛନ୍ତି ଭ୍ରମ |୮୧|

ପୁରାଣ ଉକତେ ଯେତେ କରୁଅଛି କର୍ମ

କେତେ ଅନିର୍ଯାପ କରି କହିବି ମୁଂ ମାନୁଷ ଯୋନିରେ ହୋଇ ଜନ୍ମ |୮୨|

କିଞ୍ଚିତ ଆଗ୍ୟାଂ ମୋତେ ଦିଲେ ଜଗତମାତା

ସାରୋଳା ଦାସ କହିଲେ ୟେ ରଜଚକ୍ରର ବାରତା |୮୩|

ନ ପଢ଼ିଲି ଅକ୍ଷର ନୋହଇ ଶାହାସ୍ର ବାଦୀ

ପଣ୍ଡିତ ଜନଙ୍କ ତୁଲେ ନ ବସିଲି ସମ୍ପାଦି |୮୪|

କୁଥାନ ବାସୀ ମୁଂ ନୋହିଲି ବିପ୍ରଗୋଷ୍ଠୀ

କଣକଳ୍ପ ବୁଦ୍ଧି ମୁହିଂ ବୟସ ଅଳପଟି |୮୫|

ପଣ୍ଡିତଜନମାନଙ୍କୁ ମୁଂ ମାଗଇ ବିନୟେ

ମୁକତିକି ଇଚ୍ଛା ମୋର ନାରାୟଣଙ୍କୁ ତଲୟେ |୮୬|

ଧୌମ୍ୟ ପ୍ରୋହିତେ ବୋଇଲେ ଯାହା ଶାସ୍ତ୍ର ଯୋଗେ

ମୁହିଂ ତାହା ବଞ୍ଚାଇଲି ଶାହାସ୍ର ପୁରାଣ ମାର୍ଗେ |୮୭|

 

ପାଣ୍ଡବମାନଙ୍କର ନିୟମ

ମକର ମାସ ଶୁକଳ ୟେକାଦଶୀ ତିଥି

ପଣ୍ଡିତବାର ମୃଗଶିରା ନକ୍ଷତ୍ର ଯୁଗତି |୧|

ଦ୍ରୋପତୀ ଶୁଦ୍ଧ ସ୍ରାହାନ ମୁକତି ସେହି ଦିବସେ

ପୁଷ୍ପବତୀ ବନ୍ଦାପନା ଉଚ୍ଛବ କରାଇଲେ ଧର୍ମ ଶିଷେ |୨|

ବିଜୟେ ପଞ୍ଚୁ ପାଣ୍ଡବେ ୟେକଇ ଆସନେ

ଦ୍ରୋପତୀ ଅର୍ଘ୍ୟ ଦିଲେ ଧୌମ୍ୟ ପୁରୋହିତେ

ଦୁତୀୟେ ଅର୍ଘ୍ୟ ଦିଲେ ବାମଦେବ ପଣ୍ଡିତେ |୪|

ତୃତୀୟେ ଅର୍ଘ୍ୟ ଦିଲେ ଯେ ଗାନ୍ଧାରୀ

ମୁଖରେ ଅନ୍ଧ ପଟଳ ରାଧେବ କର ଧରି |୫|

ଯୁଝେଷ୍ଠି ବୋଇଲେ ମା ଗୋ ଅନ୍ଧପଟଳ ଦଣ୍ଡକେ ଉପେଖ

ମହାଯିଘ୍ନସେନୀ ଦ୍ରୋପତୀଙ୍କ ମୁଖପଦ୍ମ ଦେଖ |୬|

ଗାନ୍ଧାରୀ ବୋଇଲେ ବାବୁ ଅନେକ କାଳର ପତିବ୍ରତ

ବ୍ରତ କରି ଉପେଖିଲେ ଧର୍ମ ହୋଅଇକି ପ୍ରାପତ ? |୭|

ୟେଥକୁ କଟାଳ ବାବୁ ନ କର ମୋତେ କିଛି

ହୃଦୟରୁ ଚଛୁ ମୋର ସକଳ ଦେଖୁଛି |୮|

ଚଛୁ ଥିଲେ ଯାହା ଦେଖି ତାହା ମୋତେ ପ୍ରତକ୍ଷେ ଦୃଶ୍ୟ

ୟେମନ୍ତେ ଦିଶଇ ମୋତେ ଭୂତ ଯେ ଭବିଷ୍ୟ |୯|

ୟେତେ ବୋଲି ଗାନ୍ଧାରୀ ଶ୍ରୀହସ୍ତେ ଅର୍ଘ୍ୟ ଘେନି

ପ୍ରଥମେ ଯୁଝେଷ୍ଠି, ଦୃତୀୟେ ଭୀମ ତୃତୀୟେ ଫାଲଗୁନି |୧୦|

ଚତୁର୍ଥେ ବନ୍ଦାଇଲେ ନକୁଳ ସହଦେବ ବେନି ଭାଇ

ତଦନ୍ତେ ଦ୍ରୋପତୀ ଶିରେ ଅର୍ଘ୍ୟ ଦିଲେ ନେଇ |୧୧|

ଜୟ ଜୟ ମଙ୍ଗଳ ଯେ ସାଧୁ ଧୁନି ତୋଳି

ସୁଲକ୍ଷଣୀ କୋଟିୟେ କନ୍ୟା ଦିଅନ୍ତି ହୁଳହୁଳି |୧୨|

ବ୍ରାହ୍ମଣମାନେ ଯେ କରନ୍ତି ବେଦ ଧୁନି

ଆଶିଷ ବାଞ୍ଛା ଯେ କଲେ ସକଳ ସିଦ୍ଧ ମୁନି |୧୩|

କୋଟିୟେ ସୁବର୍ଣ୍ଣ ଯେ ହୋଇଲାକ ଦାନ

କୋଟିୟେ ଦିଲେ ଶ୍ରୀଫଳ ରଙ୍ଗ ଯେ ବସନ |୧୪|

କୋଟିୟେକ ଧେନୁ ବତ୍ସା ଦିଲକେ ଅଷ୍ଟରତ୍ନ ଜତାଉରେ

ପୁଷ୍ପବନ୍ତୀ ଆହୂତି ଦିଲକେ ଧୌମ୍ୟ ପ୍ରୋହିତେ ସେ ଠାବରେ |୧୫|

ପୂର୍ଣ୍ଣାଚୂଳ ଆହୂତି ଅନ୍ତେ ହୋମ ଘୃତ ଆପ୍ୟାନ କଲେ ପଞ୍ଚୁବୀରେ

ଦ୍ରୋପତୀ ସହିତେ ଆପ୍ୟାନ କଲେ ସକଳେ ତତକାଳେ |୧୬|

ଦେବାଦେବୀ ହୋଇ ଭୁଞ୍ଜାଇଲେ ଚରୁ ଅନ୍ନ

ସମସ୍ତେ ଭକ୍ଷଣ ସାରିଲେ ସୁଖରେ ବିଦୁଜନମାନ |୧୭|

ଚଳିଲେ କନ୍ୟାମାନେ ବନ୍ଦାପନା ସାରି

ଋଷି ବିପ୍ରମାନେ ସକଳ ଆଶିଷ ଉଂକାରି |୧୮|

ପୁତ୍ର ପୌତ୍ରୀ ପ୍ରାପତ ହୋଉ ଗୋ ତୋତେ ମାତ

ଯାହା ବାଞ୍ଛା କରିବୁ ତାହା ତୋତେ ହୋଉ ପରାପତ |୧୯|

ଉଚ୍ଛବ ସାରି ଗଲେ ଯେ ଯାହା ଭୁବନ

ନିତ୍ୟକର୍ମ ବିଧାନ ମୁଁଣୋହିଂ କଲେକ ପଞ୍ଚୁଜନ |୨୦|

ଦ୍ରୋପତୀ ମୁଣୋହି କଲେ ଭାନୁବତୀର ମେଳେ

ଆପଣା ମନ୍ଦିରେ ଦେବୀ ବିଜୟେ ନିଶା କାଳେ |୨୧|

ୟେକାନ୍ତ ହୋଇଣ ବସିଲେ ପଞ୍ଚୁଭାଇ

ଯୁଝେଷ୍ଠି ପୁଚ୍ଛା କଲେ ଚାରି ଭାଇଙ୍କ ମୁଖ ଚାହିଂ |୨୨|

ବାବୁ ପାକାପ୍ରଶନ ଯେବେ ହୋଅନ୍ତି ଯୁବତୀ

ତହାଙ୍କୁ ଛୁଇଂ ନ ଯୋଗାଇ ଯେ ସପତ ଦିନ ସପ୍ତ ରାତି |୨୩|

ରଜମୁକ୍ତ ଉତ୍ତାରେ ଶୁଦ୍ଧ ସ୍ରାହାନ କଲେ

ପୁରୁଷ ଯେବେ ଶୃଙ୍ଗାର ନ କରେ ତାର ତୁଲେ |୨୪|

ତାର ତହୁଂ ବହେ ଯେତେକ ଶୋଣିତମାନ

ପିତୃ ଲୋକମାନେ ତାହା କରନ୍ତି ଆପ୍ୟାନ |୨୫|

ୟେସନେକ ବେଭାର ବାବୁ ଅଛଇଂ ଶାସ୍ର ଯୋଗେ

ଦ୍ରୋପତୀକି ତ୍ରିପୁତି କରିବା କେଉଂଣ ବାଗେ |୨୬|

କରପତ୍ର ଯୋଡିଣ ବୋଲଇ ଫାଲଗୁନି

ପାଞ୍ଚାଳ ପୁରକୁ ବିଜେ କର ତୁମ୍ଭେ ଆଜ ରୟଣୀ |୨୭|

ୟେତେ କହି ଚାରି ଭାଇ ଗଲେ ଯେ ଯାହା ଆସ୍ତାନକୁ

ଯୁଝେଷ୍ଠି ଦେବ ବିଜୟେ କଲେ ଦ୍ରୋପତୀ ପୁରକୁ |୨୮|

ଅନ୍ତେଶ୍ଵରେ ବିଜୟେ କଲେ ରାତ୍ରକାଳେ

ଅନେକ ହାସ୍ୟ ରସ କ୍ରୀଡ଼ାରଙ୍ଗ ବେଳେ |୨୯|

ଶୃଙ୍ଗାର କରନ୍ତେଣ ପ୍ରସର ହେଲା ରାତି

ବଢ଼ିଲା ରତିରଙ୍ଗ ହୋଇଲା ପାହାନ୍ତି |୩୦|

ନିତ୍ୟକର୍ମ ବିଧାନେ ବିଜୟେ ଧର୍ମସୁତେ

ସ୍ନାହାନ ନିତ୍ୟକର୍ମ ସାରିଲେ ତୁରିତେ |୩୧|

ବିଜୟେ କଲେ ସ୍ଵାମୀ ଦିବ୍ୟ ଯେ ଆସନେ

ଦ୍ରଶନ କଲେ ଆସି ଚାରିଭ୍ରାଥମାନେ |୩୨|

ଆରକେ ରାତ୍ରେଣ ଯେ ବିଜୟେ ଭୀମସେନ

ପାଞ୍ଚାଳୀର ସଙ୍ଗେ କ୍ରୀଡ଼ା ରସର ବିଧାନ |୩୩|

କ୍ରୀଡ଼ାରସ କରନ୍ତେ ପ୍ରସର ହେଲା ରାତି

ସ୍ନାନ ନିତ୍ୟ କର୍ମ ସାରି ଚଳିଲେ ମାରୁତି |୩୪|

ତୃତୀୟ ରାତ୍ରରେ ବିଜେ କଲେ ଫାଲଗୁନି

ଅନେକ ପୀରତି ତାଙ୍କୁ କଲେ ଯିଘ୍ନସେନୀ |୩୫|

ଆଉମାନଙ୍କୁ ଯେ ବଡ଼ ନାହିଂ ପ୍ରୀତି ରଙ୍ଗ

ଅର୍ଜ୍ଜୁନକୁ ନିପୁଣରେ ସମର୍ପିଲେ ଅଙ୍ଗ |୩୬|

ବୋଇଲେ ଦ୍ରୋପତୀ ତୁ ମୋହର ପ୍ରାଣର ବଲ୍ଲଭ

ତୁ ମୋହର ନିଜ ପତି ଅଟୁ ନା ସୁଲଭ |୩୭|

ହାସ୍ୟରସ କରନ୍ତେ ଯେ ହୋଇଲା ପ୍ରଭାତ

ନିତ୍ୟକର୍ମ ବିଧାନେ ଚଳିଲେ ବୀର ପାର୍ଥ |୩୮|

ଚତୁର୍ଥ ଦିବସରେ ନକୁଳ ବିଜେ କରି

କ୍ରୀଡ଼ା ରଙ୍ଗ କରନ୍ତେ ଯେ ପାହିଲା ଶର୍ବରୀ |୩୯|

ନିତ୍ୟ କର୍ମ ସାରିଣ ଯେ ନକୁଳ ଚଳିଲେ

ପଞ୍ଚଦିନ ରାତ୍ରେ ସହଦେବ ବିଜେ କଲେ |୪୦|

ଦ୍ରୌପତୀର ସଙ୍ଗତେ କରନ୍ତି କ୍ରୀଡ଼ାରସ

ରାତ୍ର ପାହି ଦିବସ ଯେ ହୋଇଲା ପ୍ରକାଶ |୪୧|

ନିତ୍ୟ କର୍ମ ବିଧାନ ସାରିଣ ମନ୍ତ୍ରୀବର

ପ୍ରବେଶ ହୋଇଲା ଯାଇଂ ଯୁଝେଷ୍ଠି ଛାମୁର |୪୨|

ୟେହିମତେ ପ୍ରତିଦିନ ପଣ୍ଡୁର କୁମରେ

ପଞ୍ଚରାତ୍ରେ ବିଜୟେ କରନ୍ତି ପଞ୍ଚବୀରେ |୪୩|

ଅନ୍ତେଶ୍ଵର ପୁର ଭିତରେ ଯେ ଥାଆନ୍ତି ଦ୍ରୋପତୀ

ଅଗ୍ନିର ଭିତରେ ସେ ଶରୀର ପଖାଳନ୍ତି |୪୪|

ଦୋହରା ଅଗ୍ନିଶାଳେ ଦୋହରା ଅଗ୍ନି ଥାଇ

ଜଣକ ଶୃଙ୍ଗାର ଅନ୍ତେ ଅଗ୍ନିରେ ପଶଇ |୪୫|

ସେ କାୟା ଅଗ୍ନିରେ ଦହ୍ୟ କରି ଯିଘ୍ନସେନୀ

ପୁଣି ଅଗ୍ନିରୁ ବାହାର ଆନ କାୟା ଘେନି |୪୬|

ତେବେ ସେ ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗଭୋଗ

ନୋହିଲେ ସେ ନ ଛୁଅଂଇ ଧର୍ମରାଜ ଅଙ୍ଗ |୪୭|

ସତୀର ମହିମା ତୁ ଶୁଣ ହୋ ନୃପତି

ତନୁ ଶୁଦ୍ଧ କରିବାକୁ ଅଗ୍ନିରେ ପଶନ୍ତି |୪୮|

ମାସେକେ ସତୀ ଯେ ହୁଅଇ ରଜବତୀ

ଶୁଦ୍ଧସ୍ରାହାନ ସାରି ଅଙ୍ଗ ଭୋଗ ଦିଅଇ ପଞ୍ଚୁପତି |୪୯|

ପୁଣି ସେହୁ କାୟା ଦହନ କରଇ ଅଗ୍ନି କୁଣ୍ଡେ

ମାସେକେ ଅଗ୍ନିରୁ ଉପୁଜାଇ ଆନ ପିଣ୍ଡେ |୫୦|

ତେବେ ସେ ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗଭୋଗ

ୟେମନ୍ତେ ମାହେଶ୍ଵରୀ କରଇ ରତିରଙ୍ଗ |୫୧|

ମନୁ ପୁଚ୍ଛା କଲେ ହେ ଅଗସ୍ତି ମହାତମା

ଦ୍ରୋପତୀର କହିଲ ତ ଅନେକ ମହିମା |୫୨|

ମାସକେ ଦହନ କରଇ ନିଜ କାୟେ

ପୁଣି ସେ ଅଗ୍ନିରୁ ଉତପତ୍ତି କରଇ କାୟେ |୫୩|

ସତୀର କୁଳକୁ ୟେତ ବଡ଼ାଇ ଦୁଲଭ କଥା

ସତ୍ୟ ଯୁଗେ ଶୁଣିଲା ନାହିଂ ତ ୟେସନ ବାରତା |୫୪|

ବଦନ୍ତି ଅଗସ୍ତି ଶୁଣ ହୋ ମନୁରାୟେ

ପ୍ରତକ୍ଷେ ନିରଞ୍ଜନ ସେ ଧର୍ମର ତନୟେ |୫୫|

ଯୁଝେଷ୍ଠି ଦେବକଇଂ ସେ ଅଙ୍ଗଭୋଗ ଦେଇଂ

ଆଉମାନେ ଶୃଙ୍ଗାର ନ ଛାଡ଼ନ୍ତି କେହି |୫୬|

ତାହାଙ୍କୁ ହିଂ ଅଙ୍ଗଭୋଗ ଦିଅଇ ପାଞ୍ଚାଳୀ

ୟେହି ଦେହ କେସନେ ଯୁଝେଷ୍ଠି ଦେବଙ୍କୁ ଦେବ ବୋଲି ଭାଳି |୫୭|

ସେ ଚାରିହେଂ ଶୃଙ୍ଗାର କରନ୍ତି ମୋତେ ଗ୍ୟାନ ଭ୍ରଷ୍ଟେ

ଯୁଝେଷ୍ଠିଙ୍କି କେସନେ ଭୋଗ କରାଇବି ୟେହାଙ୍କ ଉତ୍ତିଷ୍ଟେ |୫୮|

ୟେସନ ବିଚାରି ଦେବୀ ଦହିଜ କରାଇ ଅଙ୍ଗ

ନବତନ ଶରୀର ଯୁଝେଷ୍ଠିଙ୍କି ଦିଅଇ ଅଙ୍ଗ ଭୋଗ |୫୯|

ସ୍ଵାହା ସ୍ଵଧା ଅଟନ୍ତି ଯେ ୟେହାଙ୍କର ଭଗ୍ନୀ

ଜଳସ୍ନାନ ପ୍ରାୟକେ ମଣନ୍ତି ବହନି |୬୦|

ମାସକେ ପାଞ୍ଚବେଳ ଅଙ୍ଗ କରଇ ଦହନ

ପୁଣ ପୁଣ ନବତନ ଶରୀର କରଇ ଉତପନ |୬୧|

ୟେହା ଶୁଣି ସାନନ୍ଦ ଯେ ହୋଇଲା ଯୁଗପତି

ଅନେକ ପୂଜା ଯେ କଲା ପଣ୍ଡିତ ଅଗସ୍ତି |୬୨|

ସାଧୁ ସାଧୁ ମହାତମା ପଣ୍ଡିତ ମହାଗ୍ୟାଂତା

ତୋହୋରେ ସେ ବିଚାର ହୋଅଇ ୟେହୁ କଥା |୬୩|

ଶୁଣିମା ୟେହୁ ମଧ୍ୟପର୍ବ ଅମୃତ ରସବାଣୀ

ଶରୀର ନିର୍ମଳ ହୋଉ ମୋର ତବ ମୁଖୁଂ ଶୁଣି |୬୪|

ବଦନ୍ତି ଅଗସ୍ତି ଘଟ ଋଷିର ବଳା

ମନୁ କଳ୍ପାନ୍ତରେ ଯାହାର ତେଜ ଅନର୍ଗଳା |୬୫|

ଭୀମସେନର ଅଟଇ ଦୁଷ୍ଟ ଯେ ପ୍ରକୃତି

ଆହାରେ ସାଂଗ୍ରାମେ ଶୃଙ୍ଗାରେ ଅଟଇ ଅତ୍ରିପୁତି |୬୬|

ନିତ୍ୟେହେଂ ସେ ବିଜୟେ କରଇ ଦ୍ରୋପତୀ ପୁରକୁ

ଭାବେଣ ପାଞ୍ଚାଳୀ ଯେ ଭଣ୍ଡାଇ ତାହାକୁ |୬୭|

ବେଳ କାଳ ଯୋଗ କିଛି ହିଂ ନ ଜାଣଇଂ

ଗାଢ଼େ ଧରି ଶୃଙ୍ଗାର ସେ ବଳାତ୍‌କାରେ କରଇ |୬୮|

ଘୁଞ୍ଚଇ ଅପର୍ଣ୍ଣା ସେ ଶୃଙ୍ଗାରେ ଅସହଣୀ

ଭୀମସେନକୁ ଦେଖି ଭୟ କରଇ ଠାକୁରାଣୀ |୬୯|

ଯେତେବେଳେ ଭୀମସେନ ଅନର୍ଯାପେ ଆସଇ

ଭୟେଣ ଯିଘ୍ନସେନୀ ଅଗ୍ନିରେ ପଶଇ |୭୦|

ଲୋଡ଼ି ନ ପାଇ ଯେ ଭୀମସେନ ଆସଇ ବାହୁଡ଼ି

ନ ଦେଖି ବ୍ରିକୋଦର ପୁରେ ପୁରେ ଲୋଡ଼ି |୭୧|

ଯୁଝେଷ୍ଠି ଅରଜୁନ ନକୁଳ ସହଦେବେ

ସମସ୍ତେ ଦ୍ରୋପତୀଙ୍କି ଲୋଡ଼ନ୍ତି ପାଣ୍ଡବେ |୭୨|

ଅନ୍ତେଶ୍ଵର ପୁରେ ପଶି ଲୋଡ଼ି ନ ପାଇ ଯିଘ୍ନସେନୀ

ଅଗ୍ନିକି ଚାହିଂ ରୋଦନ କରଇ ବୀର ଯେ ପାବନି |୭୩|

ଅଗ୍ନିରୁ ଜାତ ତୁ ହୋଇଲୁ ମହାଦେବୀ

ପାଞ୍ଚ କରି ଆର୍ଦ୍ଦୋଳି ସହି ନ ପାରୁ ହୋଇଲୁ ପରାଭବି |୭୪|

ଅନେକ ରୋଦନ ସେ କରଇ ଧନୁର୍ଜୟେ

ଅଗ୍ନିରୁ ବିକାଶିଲା ଦେବୀଙ୍କର କାୟେ |୭୫|

ଦେଖିଣ ତ୍ରାସ ଯେ କଲେକ ପଞ୍ଚୁବୀରେ

ଚାରିହେଂ ବିନୋୟି ହୋଇଲେ ଦ୍ରୋପତୀ ଛାମୁରେ |୭୬|

ଦ୍ରୋପତୀ ବୋଇଲେ ମୁଂ ହୋଇଲି ବିମୁଖ

ୟେକା ଭୀମସେନ ମୋତେ ଦିଲା ମହା ଦୁଖ |୭୭|

ଅଗ୍ନିରେ ଗୋପ୍ୟ ହୋଇଲି ମୁଂ ଭୀମସେନ ଡରେ

ୟେହାର ଆର୍ଦ୍ଦୋଳି ସହିବ କେବଣ ସ୍ତିରୀ ଛାରେ |୭୮|

ଶତଶିଂଗ ପର୍ବତ ଯାହାର ପାଦ ଘାତେ ଚୂନା

ମୁହିଂ କାହିଂ ସହିବି ଛାର ଅବଳା ସ୍ତିରୀ ମାତ୍ର ସିନା |୭୯|

ସ୍ତିରୀଙ୍କର ରତି ସୁଖ ଶୁଦ୍ଧ ସ୍ନାନ ଅନ୍ତେ

ପୁରୁଷ ବିଜେ କରିବ ତିନିଦିନ ପରିଯନ୍ତେ |୮୦|

ମାସକେ ତିନିବେଳ ଯେ ହୋଇବ ଶୃଙ୍ଗାର

ତେବେ ସେ ବଳ ବପୁ ଥାଇ ନା ଶରୀର |୮୧|

ଅନିର୍ଯାପ ଶୃଙ୍ଗାରରେ ଆୟିଷ ହୋୟେ ହାନି

ଯତନେ ନାଶ ଯାନ୍ତି ଯେ ନ ଜାଣି ଅଗ୍ୟାନୀ |୮୨|

ଯୁଝେଷ୍ଠି ବୋଇଲେ ୟେବେ ପାଞ୍ଚଙ୍କରି ନିୟମ ଆମ୍ଭର

ପାଞ୍ଚେହେଂ ପାଞ୍ଚବେଳ ଯିବା ମାସକେ ନିକର |୮୩|

ଯାହାର ପାଳି ପଡ଼ିବ ଯେବଣ ଦିନର

ଦ୍ଵାରରେ ସନ୍ତକ ଥୋଇ ପଶିବ ଭିତର |୮୪|

ଯେ ଅବା ଗ୍ୟାନ ଭ୍ରଷ୍ଟେ ଭିତରେ ପଶିବ

ସନ୍ତକ ଦେଖିଲେ ସେ ବାହୁଡ଼ି ଆସିବ |୮୫|

ୟେକର ଶୃଙ୍ଗାର ଯେବେ ଆରକେ ଦେଖଇ

ଦ୍ଵାଦଶ ବରଷ ସେ ବନକଇଂ ଯାଇ |୮୬|

ଯୁଝେଷ୍ଠି ବୋଇଲେ ପାଣ୍ଡୋଇ ମୋହୋର

ଭୀମସେନ ବୋଇଲେ ମୋହୋର ଗଦା ଶହସ୍ର |୮୭|

ଅର୍ଜ୍ଜୁନ ବୋଇଲେ ମୋର ଗାଣ୍ଡିମ ଧନୁ ଥିବ

ନକୁଳ ବୋଇଲେ ମୋର କୋନ୍ତ ଯେ ରହିବ |୮୮|

ସହଦେବ ବୋଇଲେ ମୋର ଖଡଗ ଯେ ଥିବ

ୟେସନେକ ସନ୍ତକ କଲେ ପଞ୍ଚୁ ଯେ ପାଣ୍ଡବ |୮୯|

ୟେସନେକ ନିୟମ କଲେ ପଞ୍ଚୁବୀରେ

ପାଞ୍ଚେହେଂ ହାଥ ଭରିଲେ ଜଳର ଭିତରେ |୯୦|

ମାସକେ ବେଳେ ଲେଖାୟେଂ ଦ୍ରୋପତୀ ପୁରକୁ ଯିବା

ଆରେକ ଦିନେ ଗଲେ ବାର ବରଷ ବନବାସ କରିବା |୯୧|

ୟେସନେକ ନିୟମ କଲେ ଯେ ପଞ୍ଚୁଭାଇ

ଆରେକ ଦିନ ନ ଯିବ ଦ୍ରୋପତୀ ପୁରକଇଂ |୯୨|

ୟେସନେକ ନିୟମ ପାଞ୍ଚେହେଂ ପ୍ରତିପାଳି

ୟେଥକୁ ମଧ୍ୟସ୍ଥ ହେଲେ ଦେବୀ ଯେ ପାଞ୍ଚାଳୀ |୯୩|

ୟେସନେକ ପାଳି ପଡ଼ଇ ମାସକେ ୟେକ ଦିନେ

ଦୃଢ଼ କରି ପାଳି ଥାନ୍ତି ପାଞ୍ଚେ ହେଂ ୟେକ ମନେ |୯୪|

ଯେ ଯାହାର ନିୟମ ପାଳିଲେ ପଞ୍ଚ ଭ୍ରାଥେ

ୟେହିମତେ ଗଲା ପାଞ୍ଚ ବରଷ ପରିଯନ୍ତେ |୯୫|

 

ଅର୍ଜୁନ ବନବାସ

ବଦୟନ୍ତି ଅଗସ୍ତି ଶୁଣ ହେ ଯୁଗପତି

ବୈଶାଖ ମାସ କୃଷ୍ଣ ପକ୍ଷ ଦୁତୀୟା ଯେ ତିଥି |୧|

ଶଉରିବାର ବିଶାଖା ନକ୍ଷତ୍ର ସେ ଦିନ

ଯୁଝେଷ୍ଠି ବିଜେ କଲେ ଦ୍ରୋପତୀ ଭୁବନ |୨|

ଦ୍ଵାରେ ସନ୍ତକ ଯେ ରଖି ଗଲେକ ପାଣ୍ଡୋଇ ଦୁଇଗୋଟି

ଅନ୍ତେଶ୍ଵରେ ବିଜେ କଲେ ଧର୍ମରାଜ ଯୁଝେଷ୍ଠି |୩|

ବଶ୍ୟାନର ଅଗ୍ନି ଯେ ବ୍ରାହ୍ମଣ ରୂପ ହୋଇ

ଅର୍ଜୁନର ସନ୍ନିଧ୍ୟେ ବିଜୟେ କଲେ ଯାଇଂ |୪|

ବେଦ ଧୁନି କରି ବୋଇଲେ କିରୀଟୀକି

ତୁ ମୋହର ଛାମୁକୁ ହକାରି ଆଣ ଯୁଝେଷ୍ଠିଙ୍କି |୫|

ୟେହିକ୍ଷଣି ଧାତିକାରେ ଯିବୁ ହୋ ଅରଜୁନ

ଛଡ଼ ନିଶ୍ଵାସ ମଧ୍ୟେ ରାଇ ଆଣିବୁ ମୋହୋର ସନ୍ନିଧାନ |୬|

କ୍ଷଣକର ମଧ୍ୟେ ଯୁଝେଷ୍ଠିଙ୍କି ଆଣିବୁ ମୋର କତି

ନୋହିଲେ ଭସ୍ମ ମୁଂ କରିବି ସବୁନ୍ତି |୭|

ଯୁଝେଷ୍ଠି ଦ୍ରୋପତୀ ପାଣ୍ଡବ କୌରବ

ମୋହୋର ଶାପ ଦିଲେ ସମସ୍ତେ ନାଶଯିବ |୮|

ବ୍ରାହ୍ମଣର ତହୁଂ ୟେସନେକ ନିଷ୍ଠୁର ବଚନ ପାଥ ଶୁଣି

ମୁହିଂ ଯେବେ ନ ଯିବି ଯୁଝେଷ୍ଠି ଦେବଙ୍କୁ ଆଣି |୯|

ମଧୁ ପିଙ୍ଗଳ ବ୍ରାହ୍ମଣ ୟେ ଅଟଇ ମହାତେଜ

ଶାପ ଦିଲେ ବଂଶ ଯାକ ହୋଇବ ଦହିଜ୍ୟ |୧୦|

ଗଲେ ମୁହିଂ ଏକା ଜଣେ ସିନା ଯିବଇଂ ବନବାସ

ବ୍ରାହ୍ମଣଙ୍କୁ ରୁହାଇ ପାଥ ଅନ୍ତେଶ୍ଵର ଭିତରେ ପ୍ରବେଶ |୧୧|

ମୋଚ ଦୁଇଗୋଟି ଦ୍ଵାରେ ସନ୍ତକ ଯେ ଥୋଇ

ଭିତର ପୁରେ ଯୁଝେଷ୍ଠି ପ୍ରବେଶ ହୋଇଥିଲେ ଯାଇଁ |୧୨|

ଅଗ୍ନି ଦେବତା ଯେ ମାୟାରେ ଶ୍ଵାନକେ ହୋଇ

ମୋଚ ଦୁଇଗୋଟି ଅନ୍ତରୀଛେ ନେଇ |୧୩|

ବିଶେଷେ ସନ୍ତକ ନ ଦେଖିଲା ଦ୍ଵାରେ

ଧସାଇ ଅର୍ଜୁନ ଯେ ପଶିଲା ଭିତରେ |୧୪|

ଯୁଝେଷ୍ଠି ଦ୍ରୋପତୀଙ୍କର ରତିରଙ୍ଗ ବେଳେ

ହେଠବୁଡ଼ା ରତି ରଙ୍ଗ କାମ ରସ ଭୋଳେ |୧୫|

ଭିତରେ ପଶିଲା ଯାଇଂ ବୀର ଫାଲଗୁନୀ

ରସ ଭଗ୍ନ ହୋଇଲା ସଂକୋଚ ପାଇଲେ ବେନି |୧୬|

ଉଲଙ୍ଗ ହୋଇ ଦେବୀ କେଶବାସ ସମ୍ଭାଳି ନୁଆରିଲେ

ସଙ୍କୋଚେ ଲୋଚି ହୋଇ ଗୃହ କବାଟ କୋଣେ ଆଉଜିଲେ |୧୭|

ଦିବସହୁଂ ଅଧିକ ଉଜ୍ଜଳ ହୋଇ ଜଳୁଛି ମାଣିକ୍ୟ ଦୀପମାନ

ଛାମୁରେ ହେଠମାଥ ହୋଇ ଉଭା ଫାଲଗୁନ୍ୟ |୧୮|

ବସ୍ର ସମ୍ଭାଳି ଯେ ବୋଲନ୍ତି ଯୁଝେଷ୍ଠି

କିମ୍ପାଇଂ ୟେଡ଼େ କୃତ୍ୟ କଲୁ ରେ ଭାଇଗୋଟି |୧୯|

ଭୀମାର ଭୟେ ଆମ୍ଭେ ସିନା କଲଇଂ ୟେଡ଼େ କୃତ୍ୟ

କିମ୍ପାଇଂ ହତଗ୍ୟାନ କର୍ମ କଲୁ ରେ ବୀର ପାଥ |୨୦|

ବାବୁ ଅପାର ଦୋଷ ହୁଅଇ ଶୃଙ୍ଗାର ଭଗ୍ନ କଲେ

ଯେତେକ ପାତକ ହୁଅଇ ପୁଣ ଲିଙ୍ଗ ଯେ ଭାଞ୍ଜିଲେ |୨୧|

ଲିଙ୍ଗ ଭଗ୍ନ ବ୍ରହ୍ମହତ୍ୟା କଲା ସରି ଦୋଷ

ପର ଶୃଙ୍ଗାର ଭାଞ୍ଜିଲେ ହୋଇ ତେତେ ଦୋଷ |୨୨|

ଅର୍ଜୁନ ବୋଇଲେ ଦେବ ଆନ ନ ଧର ମନେ

ୟେକା ମୁହିଂ ଜଣେ ସିନା ଯିବଇଂ ଘୋର ବନେ |୨୩|

ବହନ ହୋଇ ୟେବେ ବିଜେ କରିବା ଦେବ ସ୍ଵାମୀ

ବ୍ରାହ୍ମଣେକ ଆସିଅଛି ହୋଇଣ ବଡ଼ ତମୀ |୨୪|

ମୋତେ ବୋଇଲେ ଯୁଝେଷ୍ଠିଙ୍କି ବେଗେ ନୁଆଣିଲେ

ପୁର ତୋର ଦହନ ହୋଇବ ମୋର ପିଠି ଦେଇ ଗଲେ |୨୫|

ସ୍ଵାମୀ ନିଷ୍ଠୁର ବଚନ ଯହୁଂ ବୋଇଲେ ଦିଜବର

ତେଣୁ କରି ଭୋ ଦେବ ମୁହିଂ ଅଇଲି ଅତି ଖର |୨୬|

ଆବର ବିଶେଷେ ସନ୍ତକ ଯେ ଦ୍ଵାରେ ନାହିଂ

ବିଚାରିଲି ରମଣ ସମୟ ନୋହେ ୟେହି |୨୭|

ଯୁଝେଷ୍ଠି ବୋଇଲେ ମୋଚ ଯୋଡ଼ି ନେଲା ହାଦେ ଶ୍ଵାନ

ରାଗେଣ କୋପିତ ସ୍ଵାମୀ ଧର୍ମର ନନ୍ଦନ |୨୮|

ଆରେ ଆରେ ଶ୍ଵାନ ଚାଣ୍ଡାଳ ପାପିଷ୍ଠ ମନ୍ଦଜାତି

ଆରେ ତୋହୋର ହେତୁ ୟେସନେକ ଫଳଶ୍ରୁତି |୨୯|

ତୋହୋର ନ ନେଇ ଥିଲେ ମୋଚ ଦ୍ଵାରେ ଥାନ୍ତା

ସନ୍ତକ ଦେଖିଲେ ଅର୍ଜୁନ କିମ୍ପା ଭିତରେ ପଶନ୍ତା |୩୦|

ପ୍ରତକ୍ଷେ ଶୃଙ୍ଗାର ମୋର ଦେଖିଲାକ ଭାଇ

ରସଭଗ୍ନ ହୋଇଲା ମୋର ଆକୁଳ ପଞ୍ଚଭୂତ ଦେହୀ |୩୧|

ତେଣୁ କରି ଶାପ ଘେନସି ମୋହୋର

ଅନୀତି ଭାବରୁ ଶୃଙ୍ଗାର ହୋଇବ ତୋହୋର |୩୨|

ଯେ ତୋହୋର ରମଣୀ ତାହାର ତୁଲେ ଶୃଙ୍ଗାର କରନ୍ତେ

ରହିବ ଇନ୍ଦ୍ରି ତୋହୋର ଯୋନିରସ କୋରନ୍ତେ |୩୩|

ତୋହୋର ରମଣ ରେ ଦେଖନ୍ତୁ ଜଗତ

ଦାଣ୍ଡ ହାଟ ମଣ୍ଡୋପ ସବୁଠାରେ କର ରତ |୩୪|

ମାର ମାର ବୋଲି ସମସ୍ତେ ବୋଲିବେ

ପାଣ୍ଡବଙ୍କ ଶାପ ୟେ ସମସ୍ତେ ବିଚାରିବେ |୩୫|

ୟେମନ୍ତେ ରତି ତୋର ଦେଖିବ ସଂସାର

ଭାଇକି ବିଚ୍ଛେଦ ଯେବେ କଲୁ ରେ ମୋହୋର |୩୬|

ୟେତେ ବୋଲି ଭିତରୁ ଯେ ବାହାର ହୋଇଲେ

ମାୟା ବ୍ରାହ୍ମଣଙ୍କୁ ସେ ଦେଖି ନୁଆରିଲେ |୩୭|

ମାୟା ବ୍ରାହ୍ମଣ ସେ ଗଲେ ଅନ୍ତର୍ଦ୍ଧାନେ

ଲୋଡ଼ି ନ ପାଇଲେ ତାକୁ ପଣ୍ଡୁର ନନ୍ଦନେ |୩୮|

ଅର୍ଜୁନ ବୋଇଲେ ସ୍ଵାମୀ ଆମ୍ଭେ କଲାଉଂ ନିୟମ

ତେଣୁ କରି କଷଣ ସେ କଲେ ଦେବଧର୍ମ |୩୯|

ସ୍ଵାମୀ କଷଣରୁ ଯେବେ ଉତ୍ତରନ୍ତି ପ୍ରାଣୀ

ସର୍ବସିଦ୍ଧ ବୋଲି ପ୍ରତକ୍ଷେ ତାହା ଜାଣି |୪୦|

ସ୍ଵାମୀ ମୁହିଂ ଯାଉଅଛି ୟେବେ ଗହନ ଅରଣ୍ୟ ଭ୍ରମି

ସୁଚିତ୍ତେ ବିଜେ କରିଥିବାକ ଦେବ ସ୍ଵାମୀ |୪୧|

ଯୁଝେଷ୍ଠି ଦେବେ ବୋଇଲେ ବାବୁ କିଞ୍ଚିତ ୟେହୁ କଥା

ଅଳପ କଥାକୁ କାହିଂ ବହୁତ ଅବସ୍ଥା |୪୨|

ୟେଥକୁ ଭ୍ରାନ୍ତି ବାବୁ ତୁ କିଛି ନ କର ମନେ

ଅର୍ଜୁନ ବୋଇଲେ ନର୍କ ଗତି ହୋଇବ ନା ଦେବ ସତ୍ୟ
ଯେ ଲଘଂନେ |୪୩|

ଦ୍ରୋପତୀ ବିକଳ ହୋଇଲେ ୟେହା ଶୁଣି

ମୋତେ ଛାଡ଼ି କାହିଂକି ତୁମେ ଯିବ ହେ ପ୍ରାଣ ମଣି |୪୪|

ତୁହି ସ୍ଵାମୀ ସେ ଲାଖ ବିନ୍ଧିଲୁ ଯୁଗତେ

ଆପଣେ ୟେକାୟେଂ ପ୍ରଦାନ ନୋହି ୟେହାନ୍ତ ଦିଲୁ ମୋତେ |୪୫|

ମୁହିଂ ବଲ୍ଲଭୀ ତୁହି ସେ ମୋର ପ୍ରାଣନାଥ

କ୍ଷଣେ ନ ଦେଖିଲେ ମୃଚ୍ଛି ନ ପାରଇ ସଙ୍ଘାତ |୪୬|

ନିରାଶ ହୋଇ ତୁ ବନବାସ କଲେ

ମୋତେହେଂ ଭୋ ସ୍ଵାମୀ ନିଅ ତୋର ତୁଲେ |୪୭|

ତ୍ରେତୟା ଯୁଗରେ ଯେ ଶ୍ରୀରାମ ବନଗାମୀ

ସୀତାକଇଂ ସଙ୍ଗତେ ନେଲେ ରଘୁନାଥ ସ୍ଵାମୀ |୪୮|

ସେ ସେ ପରମ ସାଧବୀ ଯେ ଖଟିଲେ ଶ୍ରୀରାମଙ୍କୁ

ପତ୍ନୀ ଭ୍ରଷ୍ଟ ନୋହିଲେ ସିନା ଯୋଗାଇ ତୀର୍ଥକୁ |୪୯|

ଭାରିଯା ସଙ୍ଗେ ଥିଲେ ସେ ପ୍ରାପତ ହୋଅଇ ଧର୍ମ

ନାନା ତୀର୍ଥେ ପିତୃକାର୍ଯ୍ୟ ଯେତେ ଶ୍ରେଷ୍ଠ କର୍ମ |୫୦|

ମୁହିଂତ ଆନମାନଙ୍କୁ ନ ଜାଣଇଂ ଫାଲଗୁନି

ତୋହୋର ନିମନ୍ତେ ମୋତେ ଜାତ କଲେ ବ୍ୟାସ ମହାମୁନି |୫୧|

ସତ୍ୟ ଯୁଗେ ବନବାସ କଲେ ନଳ ଯେ ନୃପତି

ସେ ପୁଣି ସଙ୍ଗତେ ନେଲେ ଦମୟନ୍ତୀ |୫୨|

ଧର୍ମକଇଂ ଇଚ୍ଛା ଯେବେ ପ୍ରାଣବନ୍ଧୁ

ସ୍ତିରୀ ପୁରୁଷ ୟେକ ଆତ୍ମା ମୋତେ କିମ୍ପା ନିନ୍ଦୁ |୫୩|

ଯୁଝେଷ୍ଠି ବୋଇଲେ ଶୁଣ ଗୋ ଦ୍ରୋପତୀ

ସତେହେଂ ଅର୍ଜୁନ ବନବାସ ଯିବ କି ମନେ କରୁ ଭ୍ରାନ୍ତି |୫୪|

ଅର୍ଜୁନ ବଦନ ଚାହିଂ ବୋଲନ୍ତି ଦେବ ଧର୍ମେ

କେବଣ ମହାତ୍ମା ବଚନେ ପଶିଲୁ ତୁ ମତି ଭ୍ରମେ |୫୫|

କଷଣ କଲାକ ତୋତେ ମାୟା ଦ୍ଵିଜବର

କାମ ଅର୍ଥେ ପଶିଲୁ କି ଦ୍ରୋପତୀର ପୁର |୫୬|

ସ୍ଵାମୀର ବଚନ ଶୁଣି ବୋଲନ୍ତି ବୀର ଫାଲଗୁନି

ଯୁଝେଷ୍ଠିଙ୍କି ବଞ୍ଚାଇ ସେ ଯୋଡ଼ିଲେ ବେନି ପାଣି |୫୭|

ଅର୍ଜୁନ ବୋଲଇ ଶୁଣିମା ଦେବରାୟେ

ସତ୍ୟେଣ ସଂସାର ଯେ ହୋଉଛି ଉଦୟେ |୫୮|

ସତ୍ୟ ଭଗ୍ନ ପ୍ରାଣୀ ନ ବ୍ରତନ୍ତି କଦାଚିତେ

ଆପଣାର କଲା କୃତ ମୁହିଂ ଲଘିଂମି କେମନ୍ତେ |୫୯|

ଦ୍ରୋପତୀଙ୍କି ତିଆରିଣ ବୀର ଫାଲଗୁନି

ତୁମ୍ଭେ ଯେ ସୀତୟା କଥା କହିଲ ଯିଘ୍ନସେନୀ |୬୦|

ସୀତୟା ଗଲେ ଯେ ଶ୍ରୀରାମଙ୍କ ତୁଲେ

କାଳେ ପ୍ରମାଦ ପଡ଼ିଲାଟି ବଞ୍ଚି ତ ନ ପାରିଲେ |୬୧|

ହରି ନେଲା ରାବଣ ଯେ ଜନକ କୁମାରୀ

ଯେତେକ କଷ୍ଟ ପାଇଲେ ସେ କହି ତ କି ପାରି |୬୨|

ନଳ ଦମୟନ୍ତୀଙ୍କର କହିଲ ଯେ ରୀତି

କାଳେ ବେନିଜନଙ୍କର ହୋଇଲା ବିପତ୍ତି |୬୩|

ୟେମାନ ମନେ ଗୋ ନ ଧରିବା ଦ୍ରଉପତୀ

ୟେକା ହୋଇ ବନକୁ ମୁଂ ଯିବଇଂ ରେ ସତୀ |୬୪|

ତୁମ୍ଭେମାନେ କେହି ଯେ ନୋହିବ ବିରସ

ମୁହିଂ କିଞ୍ଚିତ ପରାୟେ ମଣଇଂ ଦ୍ଵାଦଶ ବରଷ ବନବାସ |୬୫|

ଯୁଝେଷ୍ଠି ବୋଇଲେ ବାବୁ ଯଦି ଯିବୁ ବନ

ଦୂରେ ନ ଥିବୁଟି ମହାଘୋର ବନ ଜାଣ |୬୬|

ଭୋ ଦେବ ବହୁତ ଧୂରକୁ କିମ୍ପା ମୁହିଂ ଯିବି

ୟେହି ନିକଟେ ଥାଇ ମୁଂ ସତ୍ୟ ବଞ୍ଚାଇବି |୬୭|

ମୋତେ ପରମାଦ ତ ନାହିଂ ଘୋର ବନେ

ଶୁଭେ ପାର ହୋଇବି ଶ୍ରୀଜଗନ୍ନାଥଙ୍କ ପରସନ୍ନେ |୬୮|

ୟେଥି କଇଂ ମନେ କିଛି ନ କରିବା ଚିନ୍ତା

ଅର୍ଜୁନକୁ କୋଳ କରି ରୁବନ୍ତି କୋଇନ୍ତା |୬୯|

ବାବୁ ତୋହର ମୁହିଂ ଅପାଦ ଘେନି ଯାଇଂ ରେ ପାଥ

ତୋତେ ନ ଦେଖିଲେ ମୋର ଜୀବନ ଅସୁଆର୍ଥ |୭୦|

ତୁହି ସେ କୁଳମଣ୍ଡଣ ହସ୍ତିନା ଭୁବନକୁ

ଶ୍ରୀଜଗନ୍ନାଥ ଦେବଙ୍କର ତୁ ଅଟୁ କଳାବୁକୁ |୭୧|

ବାବୁ ମାସେ ବରଷେ ନୁହେଂ ଦ୍ଵାଦଶ ବରଷ ପରିଯନ୍ତେ

ମୁହିଂ ଏତେ କାଳ ତୋତେ ନ ଦେଖିଲେ ବ୍ରତିବି କେମନ୍ତେ |୭୨|

କହୁଂ କହୁଂ କୋଇନ୍ତାୟେ ପଡ଼ିଲେକ ଢ଼ଳି

କୋଳ କରି ଦ୍ରୋପତୀ ତାଙ୍କୁ ଧଇଲେକ ତୋଳି |୭୩|

ହା ହା ସ୍ଵାମୀ ମୋତେ କେଣେ ଛାଡ଼ି ଗଲ ପଣ୍ଡୁ

ସ୍ଵାମୀର ବିହୁନେ ଯେ ବଞ୍ଚଇ ତାର ଜୀବନ ପୋଡ଼ୁ ପୋଡ଼ୁ |୭୪|

ଭ୍ରଥାର ବିହୁନେ ବ୍ରତଇ ଯେବଣ ନାରୀ

ଅନେକ ପାତକୀ ସେ ଯେ ହୋଅନ୍ତି ଦୋଚାରୀ |୭୫|

ସ୍ଵାମୀ ତୋତେ ଛାଡ଼ି ମୁହିଂ ଯେ ହୋଇଲି ବଡ଼ ଦୁଖୀ

ୟେ ଶରୀର ଧଇଲି ମୁଂ ୟେକା ସହଦେବକଇ ଦେଖି |୭୬|

କରପତ୍ର ଯୋଡ଼ିଣ ସେ ସମାର୍ଜଇ ପାଥ

ତୁମ୍ଭେ କିମ୍ପେ ଅସାଷ୍ଟମ ହୋଉଛ ଗୋ ମାତ |୭୭|

ତୁମ୍ଭେ କିମ୍ପେ ଅନେକ ଗୋ ହୋଉଛ ବିମୁଖ

ମୁହିଂ ତ ବନବାସକୁ ଯେ ମଣଇଂ ବଡ଼ସୁଖ |୭୮|

ମାତାଙ୍କର ଚରଣ ତଳେ ଅର୍ଜୁନ ପରିଣାମି

ମୁହିଂ ବନ ଯିବି ମୋତେ ଆଗ୍ୟାଂ ଦେବା ସ୍ଵାମୀ |୭୯|

ଉଠିଣ କୋଳ କରି ଧଇଲେ ଯୁଝେଷ୍ଠି

ବାବୁ ମୁହିଂ ନିୟମ କରାଇଲି ଅର୍ଣ୍ଣ ମୋହର ଉପରେ ଅରିଷ୍ଟି |୮୦|

ଯଦ୍ୟପି ବନବାସ ଯିବୁ ସର୍ବସାଚୀ

ବରଷକେ ବାହୁଡ଼ିଲେ ନାହିଂ କିଛି ବାଚି |୮୧|

ଅର୍ଜୁନ ବୋଇଲେ ବାବୁ ବୁଝିଲି ନି ୟେହୁ କଥା

ଯାଉଅଛି ବନବାସକୁ ଗୋ ଆଗ୍ୟାଂ ଦେବାକୁ ମୋତେ ମାତା |୮୨|

ଅର୍ଜୁନକଇଂ କୋଳ କରି ଧଇଲେ ବ୍ରିକୋଦର

ଦ୍ଵାଦଶ ବରଷ ପୂରିଲେ ବାବୁ ବନରୁ ବାହୁଡ଼ |୮୩|

ଭଲ ତୀର୍ଥ ଗୋଟିକରେ ସଙ୍କଳ୍ପ ତୁ କରି

ନିୟମ ବଞ୍ଚାଇ ବାବୁ ଆସରେ ବାହୁଡ଼ି |୮୪|

ଭୀଷ୍ମ ଦ୍ରୋଣ ବିଦୁର କର୍ଣ୍ଣ ଆବର ଭୂରିସର୍ବା

ଶଲ୍ୟ ଶକୁନି କୃପ ଅଶ୍ଵସ୍ତମା କୁରୁରାଜ ଦେବା |୮୫|

ଅର୍ଜୁନ ବନବାସ ଯିବାର ବାରତ ଯେ ଶୁଣି ଆସି

ସମସ୍ତେ ସମାର୍ଜନ୍ତି ଅର୍ଜୁନକୁ ନିବେଶି |୮୬|

ଭୀଷ୍ମ ବୋଇଲେ ୟେ କଥା ହୋଇଲା କେମନ୍ତେ

ଅର୍ଜୁନ ବୋଇଲା ବ୍ରାହ୍ମଣେକ ଅଇଲା ଅଦଭୁତ |୮୭|

ବୋଇଲା ବଡ଼ ସନ୍ଦେଶ କଥାୟେ ଯୁଝେଷ୍ଠିଙ୍କି ଆଣ ବେଗେ ରାଇ

ୟେହିକ୍ଷଣି ଯିବି ମୁହିଂ ବାରତା ଜଣାଇଂ |୮୮|

ବୋଇଲା ଯୁଝେଷ୍ଠି ଦେବଙ୍କୁ ତୁ ବହନେ ରାଇ ନୁଆଣିଲେ

ପୁର ତୋ ଦହନ ହୋଇବ ମୋର ପିଠିଆଇ ଗଲେ |୮୯|

ୟେସନେକ ଶୁଣି ମୁହିଂ ଆଶ୍ରିଯ୍ୟ ହୋଇଲି

ଅନ୍ତେଶ୍ଵରପୁରେ ଧାତିକାରେ ପଶିଲି |୯୦|

ଯୁଝେଷ୍ଠି ଅଛନ୍ତି କୃଷ୍ଣା ସଙ୍ଗତେ ୟେକାନ୍ତେ

ଦୁହିଂଙ୍କରି ରମଣ ଦେଖିଲି ବେନି ନେତ୍ରେ |୯୧|

ଯୁଝେଷ୍ଠିଙ୍କ କୋଳେ ଯେବେ ଦ୍ରୋପତୀ ଦେବୀ ଥାଇଂ

ଆମ୍ଭର ପରମ ଗୁରୁ ସେ ଅଟନ୍ତି ମହାମାୟୀ |୯୨|

ଗୁରୁପତ୍ନୀ ରତି ଯୋଗ ମୁଂ ଦେଖିଲି ନୟନେ

ରସ ଭଗ୍ନ ହୋଇଲା ବିକୃତ ପଞ୍ଚୁମନେ |୯୩|

ପର ଶୃଙ୍ଗାର ଯେବଣ ଜନ ଭଗ୍ନ କରି

ଲଭଇ ପାତକ ସେ ଲିଙ୍ଗ ଭଗ୍ନ ଦୋଷ ସରି |୯୪|

ୟେତେକ ପାତକ ଦେବ ଅରଜିଲି ମୁହିଂ

ଖଣ୍ଡିବି ସର୍ବ ପାତକ ନାନା ତୀର୍ଥେ ଯାଇଂ |୯୫|

ବିଦୁରେ ପୁଚ୍ଛା କଲେ ମନ୍ତ୍ରୀ ସହଦେବଙ୍କୁ

ତୁହି ଜାଣୁ ଟିକି ବାବୁ ସେ ଅଦଭୁତ ବ୍ରାହ୍ମଣଙ୍କୁ |୯୬|

ଅର୍ଜୁନେ ପଠିଆଇ ସେ ଅଦଭୁତ କେଣେ ଗଲା

କହ ବାବୁ ସହଦେବ ସେ ବ୍ରାହ୍ଣଣ କେବଣ ହୋଇଲା |୯୭|

କରସ୍ଥଳକୁ ଚାହିଂ କହଇ ମହାମନ୍ତ୍ରୀ

ଅଗ୍ନି ଦେବତା ଅଇଲେ ଧରିଣ ଗୋପ୍ୟାନ ମୂରତି |୯୮|

ବଶ୍ୟାନର ଦେବତାକଇ ହୋଇଲା ଲୁଦୁବୁଦୁ ବ୍ୟାଧି

ଅର୍ଜୁନ ବନ ଗଲେ ସେ ପାଇବ ମଉଷଧି |୯୯|

ତେଣୁ କରି ଗୋପ୍ୟାନ ରୂପେ କଲେକ ଗବନ

ତାହା ଜାଣି ନ ପାରିଲେ ଠାକୁର ଅରଜୁନ |୧୦୦|

ଅଗ୍ନି ଦେବତାଙ୍କର ନିମନ୍ତେ ହୋଇଅଛି ବନବାସ

ତିନିଯୁଗ ହୋଇଲାନି ଅଗ୍ନି କରିଛନ୍ତି ଆଶ |୧୦୧ |

ମନ୍ଦ ଅଗ୍ନି ହୋଇଅଛି ସେ ସତ୍ୟ ଯୁଗହୁଂ

କଉରୋବେ ଆଶ୍ରିଯ୍ୟ ହୋଇଲେ ସହଦେବ କହୁଂ କହୁଂ |୧୦୨|

ୟେସନେକ ବିଚାରି ଅଛି ଯେବେ ଅଗ୍ନି ଦେବତାର

ଅର୍ଜୁନକଇ ପ୍ରମାଦ କି ଅଛି ବନସ୍ତର |୧୦୩|

କେହୁ ନ ବାର ତୁମ୍ଭେ ୟେ ଯାଉ ଘୋର ବନ

ଅଗ୍ନିଙ୍କର ଆଷ୍ୟ କାମାର୍ଥ ୟେ ପୂରୋଉ ଫାଲଗୁନ୍ୟ |୧୦୪|

ଦ୍ରିଯୋଧନ କୋଳ କରି ଧଇଲେ ଅର୍ଜୁନକୁ

ବାବୁ ଆରୋଗ୍ୟ ପାଦ ଖଣ୍ଡନ ହୋଉ ତୁକୁ |୧୦୫|

ଅତି ଗହନ ବନକୁ ନ ଯିବୁଟି ପାଥ

ଦେଶାଉରେ ମୁଖେ ଆମ୍ଭେ ପାଉଥିବୁଟି ବାରତ |୧୦୬|

ମୀନମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାର

ସ୍ଵାତୀ ନକ୍ଷତ୍ରକୁ ତୁଳା ଭୋଗ୍ୟ ସେ ଦିନର |୧୦୭|

ଚଉବିଂଶ ଦଣ୍ଡ ଚିତ୍ରା ନକ୍ଷତ୍ର ଭୋଗ ଥିଲା

ବୁଧର ବେଳେ ପାଥ ବାହାର ହୋଇଲା |୧୦୮|

ସ୍ଵାତୀ ଗୁରୁବାର ଅମୃତ ଯୋଗ ଅଟଇ

ସପତାଙ୍ଗ ଗଣିତାରେ ଯେ ଅନର୍ଥ ଫିଟଇ |୧୦୯|

ମାତା ଗୁରୁ ସୋଦରଙ୍କୁ ନମସ୍କାର କରି

ଦ୍ରିଯୋଧନ ମୁଖ ଚାହିଂ ଅର୍ଜୁନ ତିଆରି |୧୧୦|

ସ୍ଵାମୀ ତୁହି ପଣ୍ଡିତ କୁଳଶ୍ରେଷ୍ଠ ମହା ଭାଗ୍ୟବନ୍ତା

ଯଦ୍ୟପି ଯୁଝେଷ୍ଠି ଜ୍ୟେଷ୍ଠ ତୁହି ସମସ୍ତ ପାଳନ୍ତା |୧୧୧|

ସ୍ଵାମୀ ମୁହିଂ ଯେ ଯାଉଅଛି ଘୋର ଗହନ ବନକୁ

ଭାଇନ୍ତ କଥା ଦେବ ଲାଗଇଟି ତୁକୁ |୧୧୨|

ସ୍ଵାମୀ ଯଦ୍ୟପି ଦୋଷ ତୁମ୍ଭଙ୍କୁ କରିବେ ଭୀମସେନ

ମୋହୋର ଆସିବା ଯାୟେ ତାହା ନ ଧରିବ ମନ |୧୧୩|

ଯଦ୍ୟପି ଭାଇଙ୍କି ମୋର କୋପ କରିବ ଅନମିତେ

ସମସ୍ତେ ନାଶ ଯିବଟି ମୋହୋର କୋପନ୍ତେ |୧୧୪|

ୟେତେକ ତିଆରି ଯେ ବାହାର ଫାଲଗୁନି

ଦ୍ଵିଜବର ମାନେ କରନ୍ତି ଯେ ବେଦଧୁନି |୧୧୫|

କୋଇନ୍ତାଙ୍କୁ ଦ୍ରୋପତୀଙ୍କି ସମର୍ପି ଧନୁର୍ଜୟେ

ଦ୍ରୋପତୀକି ଦୟା କରିଥିବଟି ଗୋ ମାୟେ |୧୧୬|

ଅନେକ ସାନନ୍ଦ ସେ ଅର୍ଜୁନ ତିଆରି ବୋଲି

ତୀର୍ଥେ ପାତକ ଦହନ କରି ମାଗୋ ମୁଂ ବାହୁଡ଼ିବି କାଲି |୧୧୭|

ସବୁଙ୍କୁଇ ଦଇନି କରଇ ୟେ ବାସବର ସୁତ

ଜଣେ ଜଣେ ସମ୍ଵୋଧି ଚଳଇ ବୀର ପାର୍ଥ |୧୧୮|

ନଗ୍ର ତେଜି ଅର୍ଜୁନ ପଶିଲା ଘୋର ବନେ

ଗଙ୍ଗା କୂଳୁଂ ବାହୁଡ଼ିଲେ ପଣ୍ଡୁଙ୍କର ଚାରି ନାନେ |୧୧୯|

ହସ୍ତିନା ନବରେ ଆସି ହୋଇଲେ ପରବେଶ

ଅର୍ଜୁନକୁ ନ ଦେଖି ସବୁରି ମନରେ ବିରସ |୧୨୦|

ମହାଘୋର ଅରଣ୍ୟେ ପଶିଲା ଫାଲଗୁନି

କରଇ ବନ କ୍ରୀଡ଼ା ସେ କିରାତ ରୂପ ଘେନି |୧୨୧|

ମଥାରେ ମଜୂର ଝାଲି କଣ୍ଠେଣ ଗୁଞ୍ଜାରର ମାଳି

ଗୋପୀ ଚନ୍ଦନ ଚିତା ସର୍ବାଙ୍ଗେଣ ବୋଳି |୧୨୨|

ଧାମଣା କାଠର ଧନୁ କଣ୍ଟା ବାୟେଶଂର ଗୁଣ

ଫିରିକି ନାରାଜ ଯେ ପୂରୋଇ ବେନି ତ୍ରୋଣ |୧୨୩|

ପରଶୁ କୋଠାର ଯେ ପରିହରଣ ଝାଲି

କରେଣ ମୁଦୁଗର ଘେନି ଛଛନ୍ଦେ କରଇ କେଳି |୧୨୪|

କିରାତ ରୂପ ଧରି ବନେ ବିହଡ଼ଇ ସର୍ବସାଚୀ

ମାରଇ ବନଜୀବ ନାରାଜ ଘେନି ପ୍ରାଞ୍ଚି |୧୨୫|

ଭାର୍ଗବୀ ବୋଲିଣ ଯେ ୟେକଇ ନଦୀ ଗୋଟାୟେ

ଭଇରବୀ ଗଙ୍ଗାରୁ ସେ ଯେ ଉତ୍ତର ମୂର୍ତ୍ତି ହୋଇ ବହେ |୧୨୬|

ତୀର୍ଥ ସ୍ଥାନ ବୋଲି ତହିଂ ରହିଲା ଫାଲଗୁନି

ସୁବିଧାନ ଭୂମି ଦେଖି ବଞ୍ଚିଲେ ମାସ ତିନି |୧୨୭। ।।୩୦୬।।

 

ଅର୍ଜୁନର ଅକ୍ଷୟତୂଣୀର ଓ ପାଶୁପତ ଅସ୍ତ୍ରଲାଭ

ଶୁଣ ହୋ ଚଇତନ କକଡ଼ା ମାସ କୃଷ୍ଣପକ୍ଷ ଦୁତୀୟା ଯେ ଅଟଇ ଭୃଗୁବାର

ଶ୍ରବଣା ନକ୍ଷତ୍ର ଅର୍ଜୁନକୁ ଅଟଇ କ୍ଷେମ ତାର |୧|

ସେ ଦିନ ଅର୍ଜୁନ ପ୍ରବେଶ କାଶୀନଦୀ ତୀରେ

ପଶିଲା ହର ଉଦ୍ୟାନ ନିର୍ଝର କନ୍ଦରେ |୨|

କପିଳାସ କନ୍ଦରୁ ବିଜୟେ ହର ଯେ ପାର୍ବତୀ

ବନ କ୍ରୀଡ଼ା ରଙ୍ଗେ ବିହଡ଼ନ୍ତି ପଶୁପତି |୩|

ଶିରଣେ ଶୀତାଶୁଂ ଯେ ଅଙ୍ଗେଣ ଲେପନ ବିଭୂତି

ପ୍ରତକ୍ଷେ ବିଶ୍ଵନାଥ ତପୋଧନ ବ୍ରତୀ |୪|

ପିଙ୍ଗଳ ରୋମାବଳୀ ବିକଟାଳ ଯୁଗତେ

କଷା କଉପୀନ ସେ ପିନ୍ଧିଛନ୍ତି ଗାତ୍ରେ |୫|

କର୍ଣ୍ଣରେ ତମ୍ଵା ମୁଦୁରା ମଜୂର ପୁଚ୍ଛ ବାହୀ ବେନି ହସ୍ତେ

କଷା ବସନ ଗୋଟିୟେ ପିନ୍ଧିଣ ଅଛନ୍ତି ଜଗତମାତେ |୬|

ୟେସନେକ ସରୂପ ଧରିଣ ଦେବ ସ୍ଵାମୀ

ଉମା ମହେଶ୍ଵର ଯେ ଭ୍ରମନ୍ତି ବନଗାମୀ |୭|

କାଶୀ ନଦୀ ତୀରେ ବିଜୟେ ଧୃଜଟୀ

ଭାଣ୍ଡୀର ବୃକ୍ଷ ତଳେ ଯାଇଂ ପାଡ଼ିଲେ କର୍ପଟୀ |୮|

ପାର୍ବତୀ ଜାନୁରେ ହର ସୀମାସ୍ଥାନ ଦେଇ

ଦକ୍ଷିଣକୁ ଶିର କରି ଶୁତିଲେ ବିଶ୍ଵନାଥ ଗୋସାଇଂ |୯|

କେଶ କୁରୁଳି ଦେବୀ ମାରୁଛନ୍ତି କୃମି

ନିର୍ଭରେ ଶୋଇଲେ ଦେବ ମାଡ଼ିଲାକ ଘୃମି |୧୦|

ଗଣ୍ଡା ଗୋଟିୟେ ଦେବ ସଙ୍ଗେତ ଥିଲେ ଆଣି

କାଶୀନଦୀ ଭିତରେ ପଶି ସେ ଯେ ପିଉଥିଲା ପାଣି |୧୧|

ଅର୍ଜୁନ ବସିଅଛନ୍ତି ଶିଂଶୁପା ବୃକ୍ଷ ତଳେ

କାଶୀନଦୀ ତୀରେ ପଛିମ ଭାଗ କୂଳେ |୧୨|

ଗଣ୍ଡା ପାଣି ପିଅନ୍ତେ ଦେଖିଲା ବୀର ପାଥ

ଅର୍ପୂବ ଜୀବ ଦେଖି ଧନୁ ଧଇଲା ବାମ ହାଥ |୧୩|

ଦକ୍ଷିଣ ଭୁଜେ ବୀର ନାରାଜେକ ସନ୍ଧି

ଗଣ୍ଡାର ଉପରକୁ ସେ କିଞ୍ଚିତ ଭାବେ ବିନ୍ଧି |୧୪|

ପାଣି ଖାଇ କରି ଗଣ୍ଡା ଯାଆନ୍ତେଣ ଲେଉଟି

ପଡ଼ିଣ ନାରାଜ ଗଣ୍ଡାର ବାମ ଅଙ୍ଗ ଫୁଟି |୧୫|

ଶରଘାତ ହୋଇଣ ଯେ ପଳାଇଲା ଗଣ୍ଡା ଜୀବ

ଶର ବିଘାତେଣ ସେ ଛାଡ଼ିଲା ଘୋର ରାବ |୧୬|

ସଦାଶିବ ଛାମୁରେ ପଡ଼ି ହୋଇଲା ପ୍ରାଣତ୍ୟାଗ

ଉମା ବୋଇଲେ ସ୍ଵାମୀ ତୁମ୍ଭେ ଉଠ ବେଗ ବେଗ |୧୭|

କିୟେଟି ହାଦେ ମାଇଲା ମୋହୋର ଗଣ୍ଡା ଗୋଟି

ପ୍ରାଣତ୍ୟାଜ ହୋଇଲା ଦେବ ନାରାଜ ଅଛି ଫୁଟି |୧୮|

ଧାତିକାରେ ଉଠିଲେ ତହୁଂ ବିଶ୍ଵନାଥେ

ଗଣ୍ଡାର ହତ ଦେଖିଣ ଦେବ ଡାକନ୍ତି କୋପଚିତ୍ତେ |୧୯|

କେ ରେ ମୋହୋର ପୋଷିଲା ଗଣ୍ଡା ଗୋଟି ପ୍ରାଣତ୍ୟାଜ କଲା

ଶିର ସମ୍ପଦ ଆଷ୍ୟ ତା’ ର ଆଜହୁଂ ସରିଲା |୨୦|

ଯଦ୍ୟପି ଆଜ ତାକୁ ମୁଂ ଦେଖିବି ନୟନେ

ମାରି ବିଶାବଳି ଦେବି ଆଜ ୟେହି ସ୍ଥାନେ |୨୧|

ଗଣ୍ଡାକୁ ମାରିଣ ଯେ ଅର୍ଜୁନ ଆସଇ ଧାଇଂ

ଈଶ୍ଵର କୋପ କଲେ ଅର୍ଜୁନ ମୁଖ ଚାହିଂ |୨୨|

ଆରେ ଆରେ ଶବରା ବୋଲି ଡାକିଲେ ସଦାଶିବ

ଅନମିତେ ମୋହୋର କିମୌ ନାଶିଲୁ ଗଣ୍ଡାଜୀବ |୨୩|

ବିପରୀତ ବୁଦ୍ଧି ତୋର ନାଶଯିବା ବେଳେ

ପ୍ରତଗ୍ୟାଂ କରି ଅର୍ଜୁନକୁ କଟାଳିଲେ ସୁଢଳେ |୨୪|

ବୃକ୍ଷରୁ ଡାଳକେ ଭାଞ୍ଜିଣ ସେ ଯେ ଅନ୍ତରୀଛେ ବୁଲାଇ

ଅର୍ଜୁନର ଉପରକୁ ହର ଆସୁଛନ୍ତି ଧାଇଂ |୨୫|

ନାସା ଅଗ୍ରେ କର ଦେଇଣ ବୀର ଅର୍ଜ୍ଜୁନ ହସି

ଅକାରଣେ ବାଇ ତୋତେ କେ କଲା ରେ ତପୁସୀ |୨୬|

ମରିବାର ପାଇଂ ଲୋଡୁ ତୁ କିମ୍ପା ରେ ତପଧନୀ

ପଳା ଯା’ ୟେ ବନସ୍ତରୁ ଭାରିଯା ଗୋଟି ଘେନି |୨୭|

ଯେତେ ଘଞ୍ଚାଳ ମୋତେ କଲୁନି ରେ ଅଭାବ

ମରଣକୁ ଇଚ୍ଛାକଲୁ ଲୋଡ଼ିଲୁ ନିଜ ଠାବ |୨୮|

ତୋହୋର ମରନ୍ତେଣ କିଛୁ କାର୍ଯ୍ୟ ନେହିବ

ୟା ପ୍ରାୟେ ସୁନ୍ଦରୀ ଭାରିଯା ଗୋଟି ବିଧବା ହୋଇବ |୨୯|

ୟେହାର ବିକଳେ ମୁହିଂରେ ନ ମାରଇଂ ତୋତେ

ଯେତେକ ଝିଂଘାସ ଗାଳି ଦେଲୁଣି ତୁ ମୋତେ |୩୦|

ଅର୍ଜ୍ଜୁନ ପ୍ରତଗ୍ୟାଂ ଅପାର ଦର୍ପ ଶୁଣି

ସନ୍ନିଧ୍ୟେ କଟାଳିଲେ ଦେବ ଶୂଳପାଣି |୩୧|

ହତ୍ୟା ନ ଘେନିମା ନିମନ୍ତେ ଯେ ବିଚାରଇ ଅର୍ଜ୍ଜୁନ

ସାମାନ୍ୟ ଲୋକକୁ କେସନେ ସମରେ କରିବି ନିଧନ |୩୨|

ତପଧନ ହୋଇ ଯେ ତୁ ଅଟୁ ନିରିମାକ୍ଷୀ

ତୋତେ ମାରନ୍ତେ ଆନ ନୋହନ୍ତା କେହୁ ରଖି |୩୩|

ସଦାଶିବଙ୍କର କଟାଳ ଦେଖି ବାସବର ତନୁ

ଈଶ୍ଵରଙ୍କ ଗଳାରେ ଲାଇଲା ନେଇ ଧନୁ |୩୪|

ଦକ୍ଷିଣ ଭୁଜଣେ ଧରି ଅନ୍ତରୀଛେ ତୋଳି

ଧନୁ ହୁଳ ଗଳାରେ ଲଗାଇ ଅନ୍ତରୀକ୍ଷେ ବୁଲାଇଲା କପାଳୀ |୩୫|

ଯେସନେକ କୁରାଳ ବୁଲାଇ ଚକ୍ର ଧରି

ସଦାଶିବ ନାଥଙ୍କୁ ଯେ ବୁଲାଇ ସେହିମତି କରି |୩୬|

ମୁଖରୁ ରୁଧିର ଯେ ବହଇ ବିଶ୍ଵନାଥ

ପରମ ଯୋଗେଶ୍ଵର ପୁରୁଷ ଛାଡ଼ିଲେ କୋପ ଚିତ୍ତ |୩୭|

ବର ମାଗ କିରାତ ରେ ହୋଇଲୁ ତ୍ରିପୁତି

ଆଶ୍ରିଯ ହୋଇ ଅର୍ଜୁନ ରୁହାଇଲା ତତକ୍ଷଣାନ୍ତି |୩୮|

ଗଳାରୁ ଧନୁ କାଢ଼ିଣ ପକାଇଲା ଭୂମି

ବର ମାଗ ବର ମାଗ ବୋଲନ୍ତି ଦେବସ୍ଵାମୀ |୩୯|

କରତାଳି ମାରିଣ ଯେ ହସିଲେ ପାର୍ବତୀ

ସ୍ଵାମୀ ୟେସନେକ ବିପରୀତ ତୁମ୍ଭେ ଅଟ ହୋ ପଶୁପତି |୪୦|

ସାଂଗ୍ରାମେ ହାରିଣ ଦେବ ହୋଇଲ ଅପରାଧି

ମାଡ଼ ଖାଇ କେବଣ ଦେବତା ବର ଯେ ପ୍ରାସାଦି |୪୧|

ଈଶ୍ଵରେ ବୋଇଲେ ସାଧୁ ସାଧୁରେ ଶବର

ମୋତେ ଜିଣିମାକୁ କ୍ଷେମ ପ୍ରତଗ୍ୟାଂ ତୋହୋର |୪୨|

ଯାହା ମାଗିବୁ ତାହା ଦେବଇଂ ଅବଶ୍ୟ

ଶତ୍ରୁତା ପଣେ ଜିଣି ତୁ ପାଇଲୁ ବଡ ଯଶ |୪୩|

ପୁଣ ପୁଣ ବର ସେ ଯେ ଯାଚନ୍ତି ଦେବରାଜ

ଶୁଣିଣ ବାସେବି ଯେ ହୋଇଲା ଆଶ୍ରିଯ |୪୪|

ତୁମେ କେବଣ ପୁରୁଷ ମୁହିଂ ବର ମାଗିବି କେମନ୍ତେ

ସରୂପ ବର୍ଣ୍ଣ ଚିହ୍ନ ଦେଖାଇବ ମୋତେ |୪୫|

ଅର୍ଜ୍ଜୁନ କହନ୍ତେ ତାହା ପାର୍ବତୀ ଶୁଣିଲେ

ଯୋଗବଳେ ଦେବୀ ପୁଣ ମନରେ ଜାଣିଲେ |୪୬|

କିରାତ ନୋହଇ ୟେ ଅଟଇ ପାଣ୍ଡବ ଫାଲଗୁନି

ମନେ ମନେ ଉଷତ ହୋଇଲା ଗୋସାମଣୀ |୪୭|

ପାର୍ବତୀ ବୋଇଲେ ରେ ତୁ ଶୁଣ ଧନୁର୍ଜୟେ

ସରୂପେ ଭେଟିଲୁ ତୁ ବିଶ୍ଵନାଥ ଦେବରାୟେ |୪୮|

ବନକ୍ରୀଡ଼ା କରି ଆମ୍ଭେ ଅଇଲୁ ହର ଯେ ପାର୍ବତୀ

ସୁକ୍ଷଣେ ଭେଟିଲୁ ତୁ ଦେବ ପଶୁପତି |୪୯|

ୟେହା ଶୁଣି ଅର୍ଜୁନ ଶହସ୍ର ପକାଇ

ସଦାଶିବ ଚରଣେ ସୁତିଲା ଦଣ୍ଡଲାଇ |୫୦|

ସ୍ଵାମୀ ଅଗ୍ୟାନେ ହୋଇଲି ମୁଂ ତୋହୋରେ ଦୋରେହୋ

ଅପରାଧି ହୋଇଲଇଂ ବର ମାଗିବଇଂ ମୁଂ କାହା |୫୧|

ପାର୍ବତୀ ବୋଇଲେ ତୁ ନ ଭାଳ ୟେମନ୍ତ

ଶତ୍ରୁତା ପଣେ ତୁ ଯେ ତୋଷିଲୁ ବିଶ୍ଵନାଥ |୫୨|

ଆରେ ସାଂଗ୍ରାମେ ମଛଳ ୟେ ଭଗତିମଛଳ

ଶରଣମଛଳ ୟେ ଯେ ସଦାମତି ଭୋଳ |୫୩|

ଶୁଣ ହୋ ଧନୁର୍ଜୟେ ବୋଲନ୍ତି ଜଗତମାତା

ତୋତେ କହିବା ୟେ ସ୍ଵାମୀର ଅପୂର୍ବ ରସକଥା |୫୪|

ବାବୁ ବଇତରଣୀ ନଦୀ ତୀରେ ଶିବ ନାମେ ନଗ୍ରୀ

ଶିବଦାସ ବୋଲି ବ୍ରାହ୍ମଣେକ କୃଷିକାରୀ |୫୫|

ନିର୍ମଳ ବୋଲି କରି ତାର ପୁତ୍ର ଯେ ଗୋଟିଏ

ବାଳ କାଳେ ରଖଇ ସେ ଗୋଧନ ପଲିୟେ |୫୬|

ବାବୁ ସେ ନଦୀ କୂଳେ ଅଛଇ ମଣ୍ଡଳେଶ୍ଵର ନାମେ ଲିଙ୍ଗ

ଅଭୋଗ ଦେବତା ତାଙ୍କୁ ନାହିଂ ଭୋଗ ରାଗ |୫୭|

ସେ ପୁତ୍ର ଗୋଟି ତହିଂ ଗୋରୁ ରଖଇ ୟେକା

ସେ ଲିଙ୍ଗ ଉପରେ ନେଇ ନିତ୍ୟେ ଲଦଇ ଶତେଟେକା |୫୮|

ୟେହିମତି ପ୍ରତିଦିନ ମାରଇ ସେ ଲିଙ୍ଗର ଉପରେ

ଭ୍ରାନ୍ତି ନ କରଇ ସେ ହୋଇଲାନି ସମ୍ଵତ୍ସରେ |୫୯|

କୁମ୍ଭମାସ କୃଷ୍ଣପକ୍ଷ ଅମାବଇ ଚନ୍ଦ୍ରବାର

ଶତଭିଷା ନକ୍ଷତ୍ର ଯେ ଅଟଇ ସେ ଦିନର |୬୦|

ନାଗ ନାମେ କରଣ ଯେ ଶିବ ନାମେ ଯୋଗ

କୁମ୍ଭ ସଙ୍କରାନ୍ତିକି ଯେ ଚାରିଦିନ ଭୋଗ |୬୧|

ସେଦିନ ସେ ବାଳୁତ ଥିଲା କୃଷି ଖେତେ

ଭୁଞ୍ଜି ବସିଲା ସେ ଚଷାଙ୍କ ସଙ୍ଗତେ |୬୨|

ଥୋକାୟେ ଅନ୍ନ ସେ ଭୁଞ୍ଜିଲା ବାଳୁତ

ମନରେ ପଡିଲା ସେ ଛାଡ଼ିଲା ଭୁଞ୍ଜିଲାର ଭାତ |୬୩|

ଟେକା ଗୁଡାୟେ ଯେ ଅଣ୍ଟିରେ ପୂରୋଇ

ଉତିଷ୍ଟ ହାଥେ ସେ ଆସୁଅଛି ଧାଇଂ |୬୪|

ଅପୂଜା ଲିଙ୍ଗର ସନ୍ନିଧ୍ୟେ ସେ ହେଇଲା ପରବେଶ

ଟେକାମାନ ନେଇ ଲଦଇ ବାଳଶିଷ |୬୫|

ଈଶ୍ଵର ଚରିତ ହୋ ଶୁଣ ବୀର ପାଥ

ସେ ଲିଙ୍ଗରେ ବିଜୟେ କଲେ ୟେହି ବିଶ୍ଵନାଥ |୬୬|

ପଞ୍ଚଇ ବଦନ ତାଙ୍କର ଯେ ପଞ୍ଚଦଶ ନୟନ

ତୋଷେଣ ବାଳୁତକୁ ପ୍ରସନ୍ନ ହୋଇଲେ ତ୍ରିଲୋଚନ |୬୭|

ବର ମାଗ ବୋଲି ଯେ ବୋଇଲେ ପଶୁପତି

ତଲୟ ଭାବ ଘେନି ମୋତେ କଲୁରେ ତ୍ରିପୁତି |୬୮|

ଦେଖିଣ କୁମର ମଣି ପ୍ରଳମ୍ଵିତ କଲା

ଉଠି କରଯୋଡ଼ି ବଚନ ବୋଇଲା |୬୯|

ବାଳୁତ ବୋଲଇ ଭୋ ବିଶ୍ଵନାଥ ମୋତେ ପ୍ରସନ୍ନ ହୋଇବା

ୟେ ଭରଥ ଖଣ୍ଡେ ମୋତେ ଚାଷ ବୃତ୍ତି ଦେବା |୭୦|

ସେ ବାଳୁତ ନନ୍ଦନ କିଛିହିଂ ନ ଜାଣଇଂ ଆନ

ସଦିଭାବେ ମାଗିଲା ସେ କୃଷି ଚଷାଙ୍କର ବିଧାନ |୭୧|

ଶୁଣ ହୋ ଅର୍ଜୁନ ବଦୟନ୍ତି ଦେବୀ ଉମା

ସେ ଯାହା ମାଗିଲାଟି ତାକୁ ପ୍ରସନ୍ନ ହୋଇଲା ୟେହି ମହାତମା |୭୨|

ସେ ବାଳୁତ ନନ୍ଦନ ଯାହା ମାଗିଲା କର ପ୍ରସାରି

ତେଣୁ ସେ ବ୍ରାହ୍ମଣେ ଯେ ହୋଇଲେ କୃଷିକାରୀ |୭୩|

ସେ ବ୍ରାହ୍ମଣର ହୋଇଲା ଶତେକ ସନ୍ତତି

ବେଦମନ୍ତ୍ର ଅପ୍ରାପତ ସେ ହୋଇଲେ ଚାଷ କର୍ମେ ବ୍ରତି |୭୪|

ପାର୍ବତୀ ବୋଇଲେ ବାବୁ ଶୁଣ ତୁ ଅର୍ଜୁନ

ଟେକା ଲଦି ସେ ବୃତ୍ତି ଅର୍ଜିଲାଟି ଅଣ୍ଡିରା ବ୍ରାହ୍ମଣ |୭୫|

ୟେମନ୍ତେ ହୋଇ ପ୍ରସନ୍ନ ହୋଇଲେଟି ୟେହି ମହାତମା

ଭଗତ ମଚ୍ଛଳଟି ୟେ ପୁରୁଷଙ୍କ ଉତ୍ତମା |୭୬|

ମନେଣ ବିରସ ତୁ ନୋହ ଫାଲଗୁନ୍ୟ

ଅନେକ ସାନନ୍ଦେ ବର ତୋତେ ଯାଚନ୍ତି ତ୍ରିଲୋଚନ |୭୭|

ଗଉରା ବଚନେ ଅର୍ଜୁନ ଅନେକ ପରିଣାମି

ବହୁତ ଅପ୍ରାଧି ମୁଂ ମୋତେ କ୍ଷମା କରିବା ଦେବସ୍ଵାମୀ |୭୮|

ପାର୍ବତୀ ବୋଇଲେ ସ୍ଵାମୀ ଯେବେ ଦେବ ବର

ଅଶଉଚେ ବର ଦିଲେ ପ୍ରାପତ ନୋହଇ ଦେବ ହର |୭୯|

ନଦୀରେ ସ୍ନାହାନ କରି ଆସ ଦେବ କାଶୀ

ଶଉଚବନ୍ତ ହୋଇ ଅର୍ଜୁନକୁ ବର ଯେ ଦେଅସି |୮୦|

ପାର୍ବତୀଙ୍କ ବଚନେ ହର ସ୍ନାହାନ କରି ଗଲେ

ଅର୍ଜୁନଙ୍କୁ ରାଇ ଦେବୀ ଗଉରା ପଚାରିଲେ |୮୧|

କହ ବାବୁ କିସ ବର ମାଗିବୁ ସଦାନନ୍ଦ ଦେବଙ୍କୁ

ସରୂପ ବଚନ ତୁ କହନି ଆମ୍ଭଙ୍କୁ |୮୨|

ଅର୍ଜୁନ ବୋଇଲେ ମା ଗୋ ମୁଂ ତ ଅଜ୍ଞାନ

ମାଗିତ ସଙ୍କୋଚ କରଇ ଭଗତି ବିହୀନ |୮୩|

ପାର୍ବତୀ ବୋଇଲେ ସେ ଭୋଳାନାଥ ବିଶ୍ୱେଶ୍ଵର

ବାବୁ ଯେହିକ୍ଷଣି ଦେବେ ତୋତେ ଅଲୋକିତ ବର |୮୪|

ବାବୁ ତ୍ରିପୁରହିଂ ଧ୍ଵଂସ କଲେ ଯେବଣହିଂ କାଳେ

ଶହସ୍ରେ ଭେଦ ନୋହିଲା ଷାଠି ସହସ୍ର ବରଷ ରୋଳେ |୮୫|

ହରିହର ପବନ ବଶ୍ୟାନର ବହନି

ନାରାଜ ଗୋଟିୟେ ହୋଇଲେ ଦିଗପାଳମାନନ୍ତ ଘେନି |୮୬|

ସେ ଶହସ୍ର ଘେନି ହର ନାଶିଲେ ତ୍ରିପୁର

ସଦାଶିବ ନାଥଙ୍କୁ ମାଗ ତୁ ରେ ସେ ପାଶୁପତ୍ର ଶର |୮୭|

ସେ ଶହସ୍ର ବାବୁରେ ଯେବେ ଥିବ ତୋହୋର ହସ୍ତେ

ସାଂଗ୍ରାମେ ସରି ତୋତେ ବ୍ରହ୍ମା ମହେଶ୍ଵର ଶଚୀପତେ |୮୮|

ସ୍ନାହାନ ସାରି ଆସି ବିଜୟେ ଶୂଳପାଣି

ବୋଇଲେ ବର ମାଗ ତୁହିରେ ପାଣ୍ଡବ ବୀରମଣି |୮୯|

ବାସେବି ବୋଇଲା ଯେ ପରସ୍ତାବ ବାକ୍ୟେ

ମୁଂ ଯାହା ମାଗିବି ଦେବ ଦୁସହ ଅଶକ୍ୟେ |୯୦|

ଈଶ୍ଵରେ ବୋଇଲେ ମାଗ ଯେ ତୋହୋର ଇଚ୍ଛା

ପ୍ରସନ୍ନ ହୋଇଲି ଯେ ପୂରୁ ତୋର ମନବାଞ୍ଛା |୯୧|

ଅର୍ଜୁନ ବୋଇଲେ ଦେବ ଯେବଣ ଶରେ ନାଶିଲ ତ୍ରିପୁର

ସେହି ଶହସ୍ର ଗୋଟି ମୋତେ ଦେବାକ ବିଶ୍ଵେଶ୍ଵର |୯୨|

ଶୁଣିଣ ସଦାଶିବ ବିରସ କଲେ ମତି

ପ୍ରସନ୍ନ ହୋଇଂଣ ମହା ଶହସ୍ର ଦିଲକେ ପଶୁପତି |୯୩|

ଈଶ୍ଵରେ ବୋଇଲେ ଗିରିଜା ମୁଖ ଚାହିଂ

ତୁମ୍ଭେ ନ କହିଲେ ଅର୍ଜୁନର ୟେଡ଼େ ଜ୍ଞାନ କାହିଂ |୯୪|

ପାର୍ବତୀ ବୋଇଲେ ସେ ଅଟଇ ମହାଭିଗ୍ୟଂ

ନାରାୟଣର ଦୁତୀ ଆତ୍ମା ସେ ଅଟଇ ସର୍ବଗ୍ୟଂ |୯୫|

ଈଶ୍ଵର ବିଚାରିଲେ ପାର୍ବତୀ ଅପ୍ରାଂଜୟେ କଲାକ ମୁକୁ

ପାର୍ବତୀର ଶହସ୍ରମାନ ଦିଆଇବି ଅର୍ଜୁନକୁ |୯୬|

ଈଶ୍ଵରେ ବୋଇଲେ ତୁମ୍ଭେ ଶୁଣ ଦେବୀ ଉମା

ଅର୍ଜୁନ ଆମ୍ଭର ପୁତ୍ର ହୋଇଲାଟି ରେ ବାମା |୯୭|

ତୁମ୍ଭେ ଗୋ ପ୍ରସନ୍ନ ହୋଇବ ନା ଅର୍ଜୁନକୁ

କିଛୁ ବର ଦେବୀ ଦିଅ ଗୋ ୟେହାକୁ |୯୮|

ପାର୍ବତୀ ବୋଇଲେ ବର ମାଗ ହୋ ଫାଲଗୁନି

ସଦାଶିବ ବୋଇଲେ ଗୋ ହେମବନ୍ତର ନନ୍ଦିନୀ |୯୯|

ତୁମ୍ଭେ ସ୍ନାହାନ କରି ଆସସି ନଦୀର

ଶଉଚବନ୍ତ ହୋଇ ଅର୍ଜୁନକୁ ଦିଅ ବର |୧୦୦|

ଶୁଣିଣ ପାର୍ବତୀ ଗଲେ ସ୍ନାହାନ କରି

ଅର୍ଜୁନକୁ ଚାହିଂଣ ସଦାନନ୍ଦ ତିଆରି |୧୦୧|

କିସ ବର ମାଗିବୁ ତୁ କହସି ଅରଜୁନ

ଅର୍ଜୁନ ବୋଇଲା ସ୍ଵାମୀ ମୁଂ ଯେ ଅଟଇ ଅଗ୍ୟାନ |୧୦୨|

ସଦାଶିବ ବୋଇଲେ ଶୁଣସି ଧନୁର୍ଜୟେ

ସତ୍ୟଯୁଗେ ଅବତାର ହୋଇଲେ ଦୁର୍ଗା ରୂପେ ମହାମାୟେ |୧୦୩|

ସହସ୍ର ଭୁଜେ ପାଞ୍ଚଶତ ଧନୁ ଘେନି

ଅବିକ୍ଷଣେ ବିନ୍ଧିଲେ ସେ ଦିବା ଯେ ରୟେଣୀ |୧୦୪|

ଅକ୍ଷୟେ ତ୍ରୋଣ ଦେବୀ ଶରୀରୁ କଲେ ଜାତ

ରାତ୍ର ଦିବସ ବିନ୍ଧିଲେ ନ ସରଇ ଶହସ୍ରନ୍ତ |୧୦୫|

ଚଉବିଂଶ ବରଷ ପରିଯନ୍ତେ ମୟେଂଷାର ସଙ୍ଗତେ ଯୁଦ୍ଧ ଯେ ହୋଇଲା

ସେହି ତ୍ରୋଣୁଂ ନାରାଜ ଗୋଟିୟେ ନ ସରିଲା |୧୦୬|

ଈଶ୍ଵରେ କହିଲେ ଯେ ଅର୍ଜୁନର ଆଗ

ପାର୍ବତୀ ଦେବୀଙ୍କୁ ତୁ ଅକ୍ଷୟ ତ୍ରୋଣ ମାଗ |୧୦୭|

ୟେସନେକ କହି କରି ଅର୍ଜୁନକୁ ତିଆରି

ସ୍ନାହାନ କରି ଆସି ବିଜୟେ ଶାକାମ୍ଵରୀ |୧୦୮|

ପାର୍ବତୀ ବୋଇଲେ ବର ମାଗରେ ଅର୍ଜୁନ

ଯେ ତୋହୋର ମନବାଞ୍ଛା ପ୍ରାପତ ହୋଉ ପୁଣ |୧୦୯|

କରପତ୍ର ଯୋଡ଼ି ଯେ ବୋଲଇ ଫାଲଗୁନି

ପ୍ରସନ୍ନ ହୋଇ ମୋତେ ଦେବା ଅକ୍ଷୟେ ତ୍ରୋଣ ବେନି |୧୧୦|

ପାର୍ବତୀ ବିଚାରିଲେ ଅର୍ଜୁନ ବଚନ ଶୁଣି

ଅର୍ଜୁନର ଜ୍ଞାନ କାହିଂ ତୁମ୍ଭେ କହିଲ ଶୂଳପାଣି |୧୧୧|

ବାମଦେବ ବୋଇଲେ ସେ ଅଟଇ ମହାଗ୍ୟାଂତା

ସମସ୍ତ ଜାଣଇଂ ସେ କ୍ଷତ୍ରିୟ ମହାବଳବନ୍ତା |୧୧୨|

ମୁହିଂ ନ କହିଲି ଯେ ମୋହୋର ଦୋଷ

ତୁମ୍ଭେ ଅନମିତେ କିମ୍ପେ ଆମ୍ଭଙ୍କୁ କର ରୋଷ |୧୧୩|

ପାର୍ବତୀ ବୋଇଲେ ଦେବ ତୁମ୍ଭେ ମନ୍ଦ କୃତ୍ୟ କଲ

ଆପଣାର ଛତ୍ରୀବୃତ୍ତ ପରକୁ ଦିଆଇଲ |୧୧୪|

ଅର୍ଜୁନକଇଂ ନ କହିଲ ବୋଲି ଯେ ବୋଲଇ ତ୍ରିପୁରାରି

ଶତେ ଈଶ୍ଵର ହୋଇଲେ ଅର୍ଜୁନକୁ ନୋହିବେ ସମସରି |୧୧୫|

ଅକ୍ଷୟ ତ୍ରୋଣ ବେନି ଯେ ଘେନିଣ ଜଗତମାତ

ସାନନ୍ଦେ ନେଇ ଦିଲେ ଦେବୀ ଅର୍ଜୁନର ହାଥ |୧୧୬|

ବାବୁ ସବୁ ଦେବତାଙ୍କର ଶହସ୍ରମାନ ଅଛି ୟେଥି

ୟେ ତିନି ଜଗତେ ଜଗତଜିଣନ୍ତା ତୁ ହୋଇଲୁ ସୁତକୋନ୍ତୀ |୧୧୭|

ଅର୍ଜୁନ ବୋଇଲା ଭୋ ମାତ ୟେ ଶହସ୍ରନ୍ତ ସମ୍ଭାଳିବି

ୟେ ଶହସ୍ରକୁ ଯେ ନିନ୍ଦିବ ତାହାକୁ ପ୍ରାଣେ ନାଶ କରିବି |୧୧୮|

ଯଦ୍ୟପି ପ୍ରାଣେ ତାକୁ ନ ପାରିବି ମାରି

ଅଗ୍ନି ଜାଳି ମରିବି ସତ୍ୟ ସତ୍ୟ ମୋହୋରି |୧୧୯|

ମୃତୁ ସଞ୍ଜୀବନୀ ମନ୍ତ୍ରେ ଗଣ୍ଡାକୁ ଜୀଆଇଂଲେ

ତୁ ଆମ୍ଭର ପୁତ୍ର ହେଲୁ ବୋଲି ସର୍ବସାଚୀ ନାମ ଦିଲେ |୧୨୦|

ୟେସନେକ ବର ଦେଇଣ ଦେବ ତ୍ରିଲୋଚନ

ଶଙ୍କର ଗିରିଜା ତହୁଂ ହୋଇଲେ ଅନ୍ତର୍ଦ୍ଧାନ |୧୨୧|

ବିଜୟେ ସଦାଶିବ କପିଳାସ ଭୁବନେ

ବାସବର ନନ୍ଦନ ବିହଡ଼ଇ ଘୋର ବନେ |୧୨୨|

ଶ୍ରୀ ଜଗନ୍ନାଥଙ୍କର ପଦ୍ମପାଦେ ସେବି

ବଦୟନ୍ତି ଗ୍ରନ୍ଥ ଯେ ସାରୋଳ ଦାସ କବି |୧୨୩|

 

Unknown

ବିଷ୍ଣୁଙ୍କର ନବଗୁଞ୍ଜର ରୂପ

ଅର୍ଜୁନର ବନବାସ ବାରତା ଦେବ ଶୁଣି

ଦ୍ଵାରକାରୁଂ ହସ୍ତିନାକୁ ବିଜୟ କଲେଜ ଚକ୍ରପାଣି |୧|

ଶୁଣ ହୋ ବଇବସତୁ ମନୁ ବଦୟନ୍ତି ଅଗସ୍ତି

ଚଇତ୍ର ମାସ କୃଷ୍ଣ ପକ୍ଷ ଯେ ତ୍ରୟୋଦଶୀ ତିଥି |୨|

ଶତଭିଷା ନକ୍ଷତ୍ର ସେ ଦିନରେ କୁମ୍ଭରେ ଅଛି ଶଶୀ

ଗରୁଡ଼ ଚଢ଼ି ହସ୍ତିନାକୁ ବିଜୟେ ହୃଷିକେଶୀ |୩|

ଆସ୍ତାନେ ବିଜୟେ କରିଅଛନ୍ତି ପଣ୍ଡୁସୁତ

ବିଜୟେ କଲେ ଆସି ଶଙ୍ଖଚକ୍ର ହାଥ |୪|

ଗରୁଡ଼ ପିଠିରୁ ଉତୁରି ନାରାୟଣ

ପ୍ରଳମ୍ଵ କଲେ ଦେବ ଯୁଝେଷ୍ଠିଙ୍କ ଚରଣ |୫|

କଲ୍ୟାଣ କରିଣ ଯେ ବୋଲନ୍ତି ଧର୍ମସୁତ

ଆହେ ନକୁଳ ତୁମ୍ଭେ ତୋଳ ପଦ୍ମନେତ୍ର |୬|

ମାଦ୍ରୀ ନନ୍ଦନ ୟେ ପ୍ରଳମ୍ଵ ଆସି କରି

କୋଳାଗ୍ରତ କରି ଧଇଲେ ଦେବ ହରି |୭|

ଆସ୍ତାନେ ତେଜ୍ୟା କରିଣ ଧର୍ମରାଜ ସୁତ

ଗରୁଡ଼ ପାଦେ ଯୁଝେଷ୍ଠି କଲେକ ପ୍ରଣପତ୍ୟ |୮|

କଲ୍ୟାଣ କରନ୍ତି ଆପଣେ ପକ୍ଷୀବର

ୟେକାଙ୍ଗ କ୍ଷତ୍ରୀବର ହୋଅ ଧର୍ମର କୁମର |୯|

ଗରୁଡ଼ଙ୍କ କଲ୍ୟାଣେ ଆନନ୍ଦ ନୃପବର

କୃଷ୍ଣଙ୍କୁ ଘେନି ବିଜେ ଆସ୍ତାନ ଉପର |୧୦|

ଚାରିଭ୍ରାଥ ଘେନି ସେନା ସେନାପତି

ରଥୀ ମହାରଥୀ ଯେ ସମସ୍ତେ ଅଛନ୍ତି |୧୧|

ବୀର ମହାବୀର ରଣରାଜ ପୁତ୍ର

ବଳୀ ମହାବଳୀ ତହିଂ ଅଛନ୍ତି ସମସ୍ତ |୧୨|

ଆସ୍ତାନେ ବିଜେ କରି ଦେବ ଚକ୍ରଧର

ଯୁଝେଷ୍ଠିଙ୍କ ମୁଖ ଚାହିଂ ପ୍ରଭୁ କହନ୍ତି ଉତ୍ତର |୧୩|

ଦେବ ସମସ୍ତେ ଅଛନ୍ତି ତ ନାହିଂ ବାର ପାଥ

ଶୁଣି ମଉନ ହୋଇଲେ ଧର୍ମରାଜ ସୁତ |୧୪|

ଶୋକେ ଗଦ ଗଦ ହୋଇ ବୋଇଲେ କୋଇନ୍ତା ଦେବୀ

ବାବୁ ଅର୍ଜୁନ ଗଲା ଯେ ବନବାସ ସେବି |୧୫|

କୋଇନ୍ତାଙ୍କ ମୁଖୁଂ ୟେସନେକ ବାଣୀ ଶୁଣି

ମନରେ ବିସ୍ମୟ ତହୁଂ ହୋଇଲେ କମ୍ଵୁପାଣି |୧୬|

ଯୁଝେଷ୍ଠିଙ୍କ ମୁଖକୁ ତହୁଂ ଚାହିଂଣ ଯଦୁମଣି

ପଚାରନ୍ତି କିମର୍ଥେ ବନକୁ ଗଲା ମୋର ଫାଲଗୁନି |୧୭|

ଗୋବିନ୍ଦ ପଚାରନ୍ତେଣ ତହୁଂ ଯୁଝେଷ୍ଠି କହନ୍ତି

ୟେଥିର ଚରିତ କହୁ ସହଦେବ ମନ୍ତ୍ରୀ |୧୮|

ଯୁଝେଷ୍ଠିଙ୍କ ମୁଖୁଂ ୟେସନେକ ବାକ୍ୟ ଶୁଣି

ସହଦେବ ମୁଖକୁ ଚାହିଂ ବଦୟନ୍ତି ଚକ୍ରପାଣି |୧୯|

ଅର୍ଜୁନ କି ନିମନ୍ତେ ଗଲା ବନବାସ

ୟେଥିରେ ଚରିତ ମୁକୁଂ ତଦନ୍ତ କରି କହିବା ସନ୍ଦେଶ |୨୦|

ସହଦେବ ବୋଇଲେ ତୁମ୍ଭେ ଶୁଣ ଯଦୁମଣି

ୟେକାନ୍ତ ସ୍ଥାନକୁ ଆମ୍ଭେ ଚାଲ ଯିବା ପୁଣି |୨୧|

ୟେସନେକ ବଚନ ଣୁଣି ଦେବ ଚକ୍ରପାଣି

ଅନ୍ତର ହେଇଲେ ମନ୍ତ୍ରୀ ସହଦେବ ଘେନି |୨୨|

ଗୋବିନ୍ଦେ ପୁଚ୍ଛାକଲେ ଯେ ସହଦେବଙ୍କୁ

କେବଣ ଠାବରେ ହୋ ଭେଟିବା ଅର୍ଜୁନକୁ |୨୩|

କି ହୋ ମନ୍ତ୍ରୀବର ୟେ ଅଟଇ କିସ ଅର୍ଥ

ସଭାରେ ତ ନ ଦେଖିଲୁଂ ବୀରବର ପାଥ |୨୪|

ଠାକୁରଙ୍କୁ ପଚାରିଲୁଂ ଯେ ସେ ନ କହିଲେ ମୋତେ

ତେଣୁ ହେ ସହଦେବ ମୁଂ ପଚାରଇଂ ତୋତେ |୨୫|

ଶ୍ରୀକୃଷ୍ଣଙ୍କ ଅବଧାନ ଶୁଣିଣ ମନ୍ତ୍ରୀବର

କରପତ୍ର ଯୋଡ଼ିଣ ଯେ କହଇ ଉତ୍ତର |୨୬|

ଗୁପତ କରିଣ ଯେ କହଇ ମନ୍ତ୍ରୀମଣି

ସାବଧାନେ ଶୁଣିମା ଦେବ ଶଙ୍ଖଚକ୍ରପାଣି |୨୭|

ପାଞ୍ଚଭାଇ ଆମ୍ଭେ ନିୟମ କରିଥିଲୁ

ଅଗ୍ନିକି ସାକ୍ଷ କରି ଯେ ୟେମନ୍ତେ କହିଲୁ |୨୮|

ୟେକର ଶୃଙ୍ଗାର ଯେବେ ଆରକେ ଦେଖିବ

ଦ୍ଵାଦଶ ବରଷ ସେ ବନବାସ ଯିବ |୨୯|

ଦଇବର ଯୋଗେ ଠାକୁରଙ୍କ ସଙ୍ଗେ

ଦ୍ରୋପଦ ଦୋହିତାୟେ ବିଜୟେ ରତି ରଙ୍ଗେ |୩୦|

ୟେମନ୍ତର ସମୟେ ଅଗ୍ନି ଦେବତାୟେ

ବ୍ରାହ୍ମଣ ସରୂପ ଧରି ଦ୍ଵାରେ ଆସି ହୋୟେ |୩୧|

ଅର୍ଜୁନକୁ ବୋଇଲେ ତୁ ଯୁଝେଷ୍ଠି ଦେବଙ୍କୁ କହସି ଯାଇଂ

ଦ୍ଵାରେଣ ବିଦୁଜନ ୟେକ ଅଛନ୍ତି ଉଭା ହୋଇ |୩୨|

ୟେମନ୍ତ ବୋଲିଣ ଯେ ଘେନିଣ ତାଙ୍କୁ ଆସ

ଗୁପତ କଥାୟେ ଆମ୍ଭେ କହିବୁ ବିଶ୍ଵାସ |୩୩|

ଯେବେ ବିଳମ୍ୱ ତୁ କରିବୁ ହୋ ପାଥ

ଭସ୍ମ ହୋଇବ ନଗ୍ର ହୋଇବ ଧୂମାନ୍ତ |୩୪|

ମାୟା ନ ଜାଣି ପାଥ ଭିତରକୁ ଗଲେ

ଯୁଝେଷ୍ଠି ଦ୍ରୋପତୀଙ୍କର ଶୃଙ୍ଗାର ଦେଖିଲେ |୩୫|

ଅଗ୍ନି ଦେବତାୟେ ତହୁଂ ହୋଇଲେ ଅନ୍ତର୍ଦ୍ଧାନ

ସତ୍ୟ ପାଳି ବନକୁ ଗଲେକ ଅରଜୁନ |୩୬|

ଅନେକ ବନସ୍ତ ବୁଲି ଅନେକ ଦତ୍ୟ ମାରି

ହର ଉଦ୍ୟାନ ବନେ ଜିଣିଲେ ତ୍ରିପୁରାରି |୩୭|

ଅର୍ଜୁନ ଈଶ୍ଵରଙ୍କୁ ଜିଣିଲେ ହର ଉଦ୍ୟାନ ବନେ

ପଶୁପତ୍ର ଅକ୍ଷୟେ ତ୍ରୋଣ ଦିଲେ ଶସ୍ରମାନେ |୩୮|

ଈଶ୍ଵର ଦେବତାୟେ ଦିଲେ ବୀର ଫାଲଗୁନି

ପ୍ରସନ୍ନ ହୋଇ ବର ଦିଲେ ହର ପାର୍ବତୀ ବେନି |୩୯|

ବର ଦେଇଣ ହର ଯେ ଗଲେ କପିଳାସ

ଅର୍ଜୁନ ରହିଲେ କାଶୀନଦୀ ପଛିମର ଦେଶ |୪୦|

ବିପ୍ର ପ୍ରସାଦ ବୋଲି ୟେକା ନଦୀ ଗୋଟିୟେ

ତହିଂ ରହିଲେ ଯେ ବୀର ଧନୁର୍ଜୟେ |୪୧|

ଘୋର ବନ ବୁଲିଣ ପାଳି ସତ୍ୟବ୍ରତ

ୟେବେ ବିଜେ କରିଅଛନ୍ତି ମଣିଭଦ୍ରା ପର୍ବତ |୪୨|

ଚଉବିଂଶ ନଳ ତହିଂ ଅଛନ୍ତି ଅଗ୍ର ବୃକ୍ଷ

ମର୍କତ- ଶୀଳା ଉପରେ ବିଜୟେ ବିବତ୍ସ |୪୩|

ୟେବେ ବୀରବର ମହାଗୁଣ କରି

ଆଡ଼େକ ଅଗ୍ର ବୃକ୍ଷେ ବାନ୍ଧି ଆର ଆଡ଼ ଧରି |୪୪|

ଆଡ଼କେ ଲଗାଇଣ ଅଛି ବେଣୁ ବୃକ୍ଷେ

ଗୁଣ ମାଜୁଛନ୍ତି ତହିଂ ପାଣ୍ଡବ ବିବତ୍ସେ |୪୫|

ନିମଗ୍ନ ହୋଇଣ ତହିଂ ବୀର ଅଛି

ସାବଧାନ ହୋଇଂ ଶୁଣିମା ଶ୍ରୀବତ୍ସି |୪୬|

ଚାରି ବରଷ ଛଡ଼ ମାସ ହୋଇଲା ତେର ଦିନ

ଆଜକୁ ବନବାସ କଲେକ ଅରଜୁନ |୪୭|

ହସିଣ ଶ୍ରୀହରି ଯେ ମନେ ବିଚାରିଲେ

ଦ୍ରହସିତ ହୋଇ ସେ ଆନନ୍ଦ ହୋଇଲେ |୪୮|

ଶ୍ରୀହରି ବୋଲନ୍ତି ଶୁଣ ହେ ମନ୍ତ୍ରୀବର

କି କାର୍ଯ୍ୟେ କପଟ କଲେ ଦେବ ବଶ୍ୟାନର |୪୯|

ମନ୍ତ୍ରୀ ବୋଇଲେ ସେ ଶ୍ଵେତ ରାଜା ଯାଗ୍ୟଂକାଳେ

ଶତ ବରଷ ସେ ଅଗ୍ନିରେ ହୋମ କଲେ |୫୦|

ଲୋଭେ ବଶ୍ୟାନର ଖାଇଲେ ଅନେକ ଘୃତ

ଲୁଦୁବୁଦୁ ବ୍ୟାଧି ହୋଇଲା ପଦ୍ମଲୋହିତ ନେତ୍ର |୫୧|

ଦେବଙ୍କୁ ତୋଳାଇଲେ ସ୍ଵାହାଦେବୀର ପତି

ଖାଣ୍ଡବ ବନୁ ମଉଷଧି ମାଗିଲେ ନ ଦିଲେ ସୁରପତି |୫୨|

ବନବାସ ଯହୁଂ କଲେକ ଅରଜୁନ

ବ୍ରାହ୍ମଣ ରୂପ ଧରି ମାଗିବେ ସେହୁ ଦାନ |୫୩|

ତେଣୁ କରି ପିତା ସଙ୍ଗେ ବିବାଦ ଆଚରିବେ

ଅଗ୍ନି ଦେବତାଙ୍କୁ ଅର୍ଜୁନ ମଉଷୋଧି ଦେବେ |୫୪|

ତେବେ ସେ ବହନିଙ୍କର ନିବ୍ୟାଧି ହୋଇବ

ସାବଧାନ ହୋଇଣ ଶୁଣ ଲକ୍ଷ୍ମୀଙ୍କ ବଲ୍ଲଭ |୫୫|

ଶୁଣିଣ ଆସ୍ତାନ ତେଜିଣ ଦେବରାୟେ

ଯୁଝେଷ୍ଠି ଠାକୁରଙ୍କର ଚରଣେ ବିନୟେ |୫୬|

ଆଗ୍ୟାଂ ହେଉ ଦେବ ମୁହିଂ ଯିବି ଦ୍ଵାରାବତୀ

ଯେବେ ମୋହୋର ସଖା ଅର୍ଜୁନ ନାହିଂ ୟେଥି |୫୭|

ଯୁଝେଷ୍ଠି ବୋଇଲେ ମୁଣୋହିଂ ସାରି କରି

ତଦ ଅନ୍ତେ ବିଜୟେ କର ଚକ୍ରଧାରୀ |୫୮|

ଗୋବିନ୍ଦ ବୋଇଲେ ଦେବ ଆକଟ କଥା ଅଛି

ରହି ନ ପାରିବି ବଦୟନ୍ତି ଶ୍ରୀବଚ୍ଛି |୫୯|

ଯୁଝେଷ୍ଠି ବୋଇଲେ ତୁ ଣୁଣିମା ଚକ୍ରଧାରୀ

ଅର୍ଜୁନକୁ ସମାର୍ଜନା କରି ଆଣିମା ଦେବ ହରି |୬୦|

ତୁ ଦେବ ସୟଳ ଜନ ସଂସାର ହିତକାରୀ

ମୁହିଂ ତୋତେ କିସ କହିବି ତିଆରି |୬୧|

ଗତ ପଥ ମୁହିଂ ତୋର ଥିବି ଉପଲେସି

ଶୁଭ ଯୋଗେ ମୋତେ ଭେଟ ଅର୍ଜୁନକୁ ଘେନିଆସି |୬୨|

ବିନୟ ଭାବ ହୋଇ ବଦୟନ୍ତି ଅଚ୍ୟୁତ

ଆସିବାର ପାଇଂ ମୁଂ ଯେ ବୋଲିବି ବହୁତ |୬୩|

ପ୍ରତଗ୍ୟାଂ ସାଚ୍ଚା ସେ କଇଚ୍ଛା ଜଗଜ୍ଜେଠୀ

ନ ପୁଣ ନୁଆସଇ ମୁଂ ନ ପାରଇ ଭେଟି ହେଟି |୬୪|

ଧର୍ମସୁତ ବୋଇଲେ ବିଜୟେ କର ହରି

ମୁହିଂ ଯେ ଅରଷିତ ମୋତେ ଥିବ ଦୟା କରି |୬୫|

ଗୋବିନ୍ଦେ ବୋଇଲେ ମୁଂ ଅଟଇ ତୁମ୍ଭ ଭୃତ୍ୟ

ଯହିଂକି ଅବଧାନ ମୁଂ ଯେ ତହିଂକି ଆଗତ |୬୬|

ୟେତେ ବୋଲି ଦେବ ଯେ ପ୍ରଳମ୍ଵିତ କଲେ

ଭୀମ ନକୁଳଙ୍କୁ କୋଳାଗ୍ରତ ହେଲେ |୬୭|

ପହଣ୍ଡେ ପାଣ୍ଡବଙ୍କୁ ନ ଦିଲେ ଗୋଡ଼ାଇ

ଗରୁଡ଼ ପିଠିରେ ବିଜୟେ କମଳାର ସାଇଂ |୬୮|

ଆଗ୍ୟାଂ ଦିଲେ ତୁ ଶୁଣ ହୋ ବିନତାକୁମର

ମଣିଭଦ୍ରା ପର୍ବତକୁ ବେଗେ ବିଜେ କର |୬୯|

ସେଠାକୁ ସତୁରି ଯୋଜନ ସେ ମଣିଭଦ୍ରା ପର୍ବତ ଅଟଇ ଦୂର

ଦୃଷ୍ଟିରେ ଦେଖିଲା ପ୍ରାୟେକ ତିନି ନିଶ୍ଵାସରେ ତହିଂ ଯାଇଂ ହୋଇଲା ପଛୀବର |୭୦|

ଯେତେ ରୂପେ କହିଥିଲେ ମନ୍ତ୍ରୀ ଚୂଡ଼ାମଣି

ପ୍ରତକ୍ଷେ କରି ତାହା ଦେଖିଲେ ଚକ୍ରପାଣି |୭୧|

ଧନ୍ୟ ତୁହି ସହଦେବ ବୋଲନ୍ତି ଚକ୍ରଧର

ଦୃଷ୍ଟିରେ ଦେଖିଲା ପ୍ରାୟେ କରି କହିଲୁ ମନ୍ତ୍ରୀବର |୭୨|

ମନେ ମନେ ବିଚାରି କରନ୍ତି ପଦ୍ମନେତ୍ର

କଷଣ କରିବା ଆଜ ବୀରବର ପାଥ |୭୩|

ଗରୁଡ଼କୁ ଦେବରାଜ ଶୂନ୍ୟରେ ରୁହାଇ

ଅର୍ଜୁନର ନିକଟେ ବିଜେ କଲେ ଦେବ ଯାଇଂ |୭୪|

ବିଚିତ୍ର ମୂରତିୟେ ଧରିଲେ ଚକ୍ରଧର

କି ଅବା କହିବା ସେହି ରୂପ ପଟାନ୍ତର |୭୫|

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେକଇ ଶରୀରେ ଦେବ ଧିଇଲେ ଯେ ନବମୃତ୍ତି |୭୬|

କୁକୁଡ଼ାର ମୁଣ୍ଡଗୋଟି ଅତୀଅ ସୁନ୍ଦର ଦିଶଇ

ବୃଷଭର ଚୂଳ ଯେ ମଜୁରର କଣ୍ଠ ବିରାଜଇ |୭୭|

ଅହିବର ପୁଚ୍ଛା ମଝା ସିଙ୍ଘକଟି ପ୍ରାୟେ

ବ୍ୟାଘ୍ରର ଚରଣ ଗୋଟି ଅତୀୟ ଶୋଭା ପାୟେ |୭୮|

ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର

ଆବର ପାଦ ଗୋଟି ଅଟଇ କରିବର |୭୯|

ଆଗ ପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ

ସେ କରେ ପଦ୍ମପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ |୮୦|

ଗୁଣ ଯେ ମାଜୁଅଛି ପାଣ୍ଡବ ଅରଜୁନ

ଛାମୁରେ ନୃତ୍ୟ କରି ଡିଅଂନ୍ତି ନାରାୟଣ |୮୧|

ଶୁଖିଲା ପତ୍ରଙ୍କର ଉପରେ ନାଚନ୍ତି କୁଦନ୍ତି

ଖର ଖର ଶବଦେ ସେ ପତ୍ରେ ପତ୍ରେ ବାଜନ୍ତି |୮୨|

ତହିଂକି ତଲୟେ ପୁଣ ଯେ ନ କରଇ ପାଥ

ଯେସନେକ ବ୍ରହ୍ମଗ୍ୟାନୀ ବ୍ରହ୍ମରେ ଯୁଗତ |୮୩|

ସେ ଯେହ୍ନେ ନ ଜାଣଇଂ ନୃପତି ବିଜେ କଲେ

ଦୃଷ୍ଟି ନ କରଇ ଘୋର ଶବଦ ଶୁଭିଲେ |୮୪|

ସେହି ମତି ଦୃଷ୍ଟି ପାଥର ଗୁଣରେ ଅଛି ମନ

ମାୟା ସରୂପକୁ ସେହୁ ନ ଚାହେଂ ନୟନ |୮୫|

ଯତନେ ଡିଅଂନ୍ତି କମଳାର ସାଇଂ

ଶୁଖିଲା ଲତା ଭିତରେ ପଶନ୍ତି ଦେବ ଯାଇଂ |୮୬|

ପୁଣ ନୃତ୍ୟ କରନ୍ତି ମାରନ୍ତି ଆଡ଼ଚିରା

ହଲାବନ୍ତି ଶ୍ରୀମୁଖ ଝଲକନ୍ତି ଚନ୍ଦ୍ରତାରା |୮୭|

ଡିଅଂନ୍ତି ଉକୁସନ୍ତି ଭୂମିରଣେ ଲୋଟନ୍ତି

ଚଉଷଠି ତାଳ ଯେହ୍ନେ ନୃତ୍ୟ ରଙ୍ଗେ ଦିଅନ୍ତି |୮୮|

ୟେହେନେକ ନୃତ୍ୟ ଯେ କରନ୍ତି ବାସୁଦେବ

ଗୁଣ ଛାଡ଼ି ଦୃଷ୍ଟି ତହୁଂ ଦିଲୋକ ପାଣ୍ଡବ |୮୯|

ଦେଖଇ ଧନୁର୍ଜୟେ ଅପୂର୍ବ ଦିବ୍ୟ ମୂରତି

ୟେକା ଦେହେ ନବ ସରୂପ ୟେକଇ ମୂରତି |୯୦|

ଦେଖିଣ ପାଣ୍ଡବ ଯେ ଚକିତ ହୋଇ ଚାହିଂ

ମନେ ବିଚାରଇ ୟେତ ଅପୂର୍ବ ଅଟଇ |୯୧|

ୟେକ ଦେହରେ ତ ନବ ଗୋଟି ରୂପ

ମୁହିଂ ତ ପୃଥିବୀରେ ଦେଖିଲା ନାହିଂ ୟେସନେକ ସରୂପ |୯୨|

ମୋହୋର ନ ଦେଖିଲା ହୋଇ ୟେମନ୍ତେ କାହିଂ ନାହିଂ ବନ

ବୁଲିଅଛି ମୁହିଂ ଯେ ଅନେକ ଅରଣ୍ୟ |୯୩|

ଶତଶିଂଗ ପରବତ ବାରୁଣାବନ୍ତ ଗିରି

ବଡ଼ତୁମ୍ଵର ପର୍ବତ ହେମ ସାରସିଧ୍ୟ ଗିରି |୯୪|

କାମ୍ୟକ ନାମେ ପର୍ବତ ଶରଣ ଚାରଲତା

ମନ୍ଦର ହର ଅରଣ୍ୟ ଯେ ପାରେଶି ସରିତା |୯୫|

କପାଳି ନାମେ ଅରଣ୍ୟ ତୁରଙ୍ଗ ପର୍ବତ

ଶଙ୍ଖ ନାମେ ବନ କାଳଞ୍ଚି ଗିରିଶେତ |୯୬|

ବଉଦ ନାମେ ଲତା ଯେ ମହୀନ୍ଦ୍ର ନାମେ ଗିରି

କୋଟିୟେ ଲିଙ୍ଗ ଘେନି ତହିଂ ବିଜୟେ ତ୍ରିପୁରାରି |୯୭|

ମନ୍ଦରଗିରି ବିଂଝଗିରି ଶ୍ଵେତଗିରି ଜିଣି

ମେରୁ ପଶ୍ଚିମ ଭାଗ ହୟାନ୍ତ ବନ ଘେନି |୯୮|

ସର୍ବାଲକ୍ଷ ପର୍ବତ ଯେ କପିଳାସ ଗିରି

ହର ଉଦ୍ୟାନ ବନ ଯେ ଅରଣ୍ୟ ନାଗାନ୍ତରୀ |୯୯|

ସୁକ ସୁଧବି ପର୍ବତ ଯେ କାଳ କୁନ୍ଦବନ

ବାରଙ୍ଗି ପର୍ବତ ଯେ କୁଣ୍ଡଳୀ ଅରଣ୍ୟ |୧୦୦|

କୋଳହଳ ଲତା ସୁରମେଳ ବନ

ଭାରବୀ ନାମେ ପର୍ବତ ମନୋହର ଅରଣ୍ୟ |୧୦୧|

ଚନ୍ଦ୍ରଗିରି ନିକଟେ ମଳୟ ନାମେ ଗିରି

ଯହିଂରେ ଅହିମାନେ ଅଛନ୍ତି ବାସ କରି |୧୦୨|

ଗନ୍ଧମାର୍ଦ୍ଦନ ଗିରି ପୁଞ୍ଜ ହୟ ମୁଖ

ବଙ୍କାଳ ପର୍ବତ ଆବର ଶୋଲ ଗିରି ଶିଖ |୧୦୩|

ୟେହି ରୂପେ ଅଛି ଯେ ଅଠର ଲକ୍ଷ ଗିରି

ୟେତେ ୟେତେ ପର୍ବତ ମୁଂ ଆସିଛି ବୁଲି କରି |୧୦୪|

ୟେ ପର୍ବତ ଲତାରେ ଜୀବ ଜନ୍ତୁ ଦେଖିଅଛି ଯେତେ

ସକଳ ଜୀବ ଜନ୍ତୁ ଦେଖିଅଛି ଦୃଷ୍ଟି ପଥେ |୧୦୫|

ୟେମନ୍ତେ ସରୂପ ଜୀବ ମୋର ଦେଖିଲା ତ ନାହିଂ

ମାୟା ସରୂପ ପ୍ରାୟେ ଦିଶୁଅଛି ମୋତେ ୟେହି |୧୦୬|

ମାୟା ରୂପ ଅବା କମଳାର କାନ୍ତ

ମୋତେ କଷଣ କରିବାକୁ ଅବା ଅଇଲେ ପଦ୍ମନେତ୍ର |୧୦୭|

ୟେହାର ପାଦ ତଳେ ଶୋଇବି ଗଡ଼ଘାଲି

ଆନ ଜୀବ ହୋଇଲେ ୟେ ନିଶ୍ଚେ ଯିବ ଜଳି |୧୦୮|

ୟେତେକ ବିଚାରି ମନେ ପାଣ୍ଡବ ଅର୍ଜୁନ

ଗଡ଼ଘାଲି ସୁତିଲା ସେ ଶ୍ରୀହରି ଚରଣ |୧୦୯|

ପାଦ ତଳେ ପଡ଼ି ତୁସ୍ତି କରଇ ବୀର

ଜୟ ତୁ ଅନାଦି ଯେ ଅବ୍ୟୟ ନିରାକର |୧୧୦|

ତୁ ଦେବ ଦିବ୍ୟ ମୂରତି ରୂପ ଧରି ପାରୁ

ଅନାଦି ଅବତାର ତୁ ବାଞ୍ଛା କଳ୍ପତରୁ |୧୧୧|

ତୋହୋର ଆଗ୍ୟାଂରେ ଚତୁର୍ଦ୍ଦଶ ପୁର

ବ୍ରହ୍ମା ରୁଦ୍ର ଇନ୍ଦ୍ର ଯେ ତୋହୋର ପରିଚାର |୧୧୨|

ସଚରାଚର ଜନେ ସର୍ବେ ତୋର ଭୃତ୍ୟ

ଜୀବ ଅଜୀବରେ ପୂରି ତୁ ସମ୍ଭୂତ |୧୧୩|

ତୋହୋର ବିହୁନେ ୟେ ସଚରାଚର ନାସ୍ତି

ଅନାହତ ପୁରୁଷ ତୁ ଅଣାକାର ଜ୍ୟୋତି |୧୧୪|

ଯାହାର ମାୟାରେଟି ଭୁଲିଲେ ତ୍ରିଲୋଚନ

ମୋ ଛାର ମାନବ ମୋତେ କିଂକେ ତୋ କଷଣ |୧୧୫|

ତୁସ୍ତି ସାରି କର ଯୋଡ଼ି ଉଭା ହୋଇଲେ ଅରଜୁନ

ନବୀନ ମୂରତି ଯେ ହୋଇଲା ଭଗବାନ |୧୧୬|

ନବଘନ ରୂପ କଟିରେ ପୀତାମ୍ଵର

ପଦ୍ମଦଳ ଲୋଚନ ଯେ ଅରୁଣ ଅଧର |୧୧୭|

ଶ୍ରୀବଚ୍ଛ ଲକ୍ଷଣ କଣ୍ଠେ କଉସ୍ତୁଭ ମଣି

ବଇଜୟନ୍ତୀ ମାଳା ଯେ ମୁକୁତାର ଶ୍ରେଣୀ |୧୧୮|

ମର୍କତରେ କୁଣ୍ଡଳ ସୂର୍ଯ୍ୟର ସିତ କର

ନବରତ୍ନ ପାଦକେ ଯେ ବିବିଧ ମଣିହାର |୧୧୯|

ସପତ ଶିଖା ମୁକୁଟ ଶିରରେ ଶୋଭାବନ

ଶଙ୍ଖ ଚକ୍ର କରେ ଶୋଭା ଜଗତମୋହନ |୧୨୦|

ଦେଖିଣ ଧନୁର୍ଜୟେ ପୁଣିହିଂ ଗଡ଼ଘାଲି

କୋଳେ ଧରି ଦେବ ଦିବ୍ୟ ବାକ୍ୟ ବୋଲି |୧୨୧|

ଅର୍ଜୁନକୁ ଘେନିଣ ମର୍କତ ଶିଳା ପରେ

ବସିଣ ପଚାରନ୍ତି ତହିଂ ଠାକୁର ଚକ୍ରଧରେ |୧୨୨|

ଧନ୍ୟ ଧନ୍ୟ ଧନୁର୍ଜୟେ ଚିହ୍ନିଲୁ ତୁ ମୋତେ

ତୁ ମୋହୋର ପ୍ରାଣ ଯେ ଅଟୁ ପଞ୍ଚୁ ଭୂତେ |୧୨୩|

ତେଣୁ କରି ୟେ ରୂପ ତୁ ଚିହ୍ନିଲୁ ମୋହୋର

ୟେତେକ ବୋଲି ଦେବ ପୁଣିହିଂ କଲେ କୋଳ |୧୨୪|

ଅର୍ଜୁନକୁ ଚାହିଂ ପୁଚ୍ଛନ୍ତି ପୀତବାସ

କି କାର୍ଯ୍ୟେ ଧନୁର୍ଜୟେ କଲୁ ରେ ବନବାସ |୧୨୫|

ଶ୍ରୀହରି ପଚାରନ୍ତେ ହସିଲେ ଅରଜୁନ

ସାବଧାନ ହୋଇ ତୁମ୍ଭେ ଶୁଣିମା ଭଗବାନ |୧୨୬|

ଦ୍ରୋପତୀ ଦେବୀଙ୍କର ରମଣ ରସ ବିଧି

ଯାହା ସେ ପାଞ୍ଚ ଭାଇ ଆମ୍ଭେ ଅଛୁଂଟି ସମ୍ପାଦି |୧୨୭|

ୟେକର ରମଣ ଯେବେ ଆରକେ ଦେଖଇ

ଦ୍ଵାଦଶ ବରଷ ଯେ ବନବାସ ଯାଇଂ |୧୨୮|

ୟେମନ୍ତେ ସମୟେ ବ୍ରାହ୍ମଣେକ ଆସି

ଦ୍ଵାରେଣ ବହୁତ କହିଲେ ନିବେଶି |୧୨୯|

ମୋତେ ବୋଇଲେ ବେଗେ ଯୁଝେଷ୍ଠିଙ୍କି ଆଣ

ନୋହିଲେ ସମସ୍ତ ଭସ୍ମ ଯିବ ମୋହୋର କ୍ରୋଧେଣ |୧୩୦|

ଗୁପତ କଥାୟେ ମୁଂ ତାହାଙ୍କୁ କହିବି

ବେଗେଣ ଘେନି ଆସ ପାଣ୍ଡବ ବାସବି |୧୩୧|

ତାହାଙ୍କ ଆଗ୍ୟାଂରେ ମୁଂ ଭିତରକୁ ଗଲି

ଯୁଝେଷ୍ଠି ପାଞ୍ଚାଳୀଙ୍କର ୟେକାନ୍ତ ଦେଖିଲି |୧୩୨|

ଲେଉଟି ଦ୍ଵାରେ ମୁଂ ହୋଅନ୍ତି ଚକ୍ରଧର

ସେଠାରୁ ବ୍ରାହ୍ମଣ ଯେ କେଣେ ହୋଇଲେ ଅନ୍ତର |୧୩୩|

ସେ ନ୍ୟାୟୁଂ ବନବାସ ହୋଇଅଛି ମୋହୋର

ବନରେ କଷଣ ବହୁତ ହୋଇଲା ଦୋମୋଦର |୧୩୪|

ଅର୍ଜୁନଠାରୁ ଶୁଣି ସନ୍ତୋଷ ଭଗବାନ

ସହଦେବ ମନ୍ତ୍ରୀ କହିଥିଲେ ତାହାଙ୍କୁ ଯେତେକ ବିଧାନ |୧୩୫|

ଆଗ୍ୟାଂ ଦିଲେ ତାହାଙ୍କୁ କମଳାର ପତି

ଚାଲ ବାବୁ ୟେବେ ଯିବା ଦ୍ଵାରାବତୀ |୧୩୬|

ଶୁଣି ଅର୍ଜୁନ ବୋଇଲେ ଯୋଡ଼ି ବେନି କରପତ୍ର

ସତ୍ୟ କରି ଅରଣ୍ୟକୁ ଅଇଲି ପଦ୍ମନେତ୍ର |୧୩୭|

ଚାରି ବରଷ ଛଡ଼ମାସ ହୋଇଲାନି ତେର ଦିନ

ୟେତେ ଦିନ ସେ ବିହରିଲି ଯେ ଅରଣ୍ୟ |୧୩୮|

ଆଉ ସାତ ବରଷ ପାଞ୍ଚମାସ ସତର ଦିନ ଗଲେ

କରିବଇଂ ଦରଶନ ଦ୍ଵାରବତୀ ପୁରେ |୧୩୯|

ଶ୍ରୀହରି ଅର୍ଜୁନ ଦୋହେଂ ତହିଂ କରନ୍ତେ ବିଚାର

ମନ୍ଦ ମନ୍ଦ ହସି ଯେ କହନ୍ତି ଚକ୍ରଧର |୧୪୦|

ଆଜ ଯେ ଚଇତ୍ର ଶୁକଳ ପକ୍ଷ ତ୍ରୟୋଦଶୀ

ମହା ମହା ବାରୁଣୀ ଯୋଗ ଯେ ଗଙ୍ଗାରେ ପଡ଼ିଅଛି |୧୪୧|

ଯେବେ ଥାଆନ୍ତାଇଂ ଆମ୍ଭେ ପୁର ଦ୍ଵାରାବତୀ

ଗଙ୍ଗାରେ ସ୍ନାହାନ କରନ୍ତାଇଂ ହୋ ପଣ୍ଡୁର ସନ୍ତତି |୧୪୨|

ଅର୍ଜୁନ ବୋଇଲେ ହରି ଆସନ୍ତୁ ସୁରେଶ୍ଵରୀ

ୟେଠାରେ ସ୍ନାହାନ କର ତୁମ୍ଭେ ଚକ୍ରଧାରୀ |୧୪୩|

ହସି ପଚାରନ୍ତେ ଯେ କମଳାର ପତି

କି ରୂପେ ଆସିବି ୟେଥେଂ ଧବଳ ମୂରତି |୧୪୪|

ଅର୍ଜୁନ ବୋଇଲେ ଯାହାର ପାଦରୁ ସମ୍ଭୁତ

ତାହଙ୍କୁ ୟେ କଥା କି ଅଟଇ ବିଚିତ୍ର |୧୪୫|

ଶ୍ରୀହରି ବୋଇଲେ ସେ ଅଟନ୍ତି ଅନେକ ଦୂରେ

ଭଗୀରଥ ଆଣିଥିଲେ ସେ ଅଇଲେ ପୃଥୀରେ |୧୪୬|

ଆନ କେ ତାହାଙ୍କୁ ହୋ ଆଣିମ ଅରଜୁନ

ୟେହା ଶୁଣି ବୋଇଲେ ସେ ପାଣ୍ଡୁର ନନ୍ଦନ |୧୪୭|

ଭୋ ଦେବ ତୁମ୍ଭର ଆଗ୍ୟାଂ ପରମାଣେ

ଆସିବେ ଗଙ୍ଗାଦେବୀ କର ଅବଧାନେ |୧୪୮|

ଶୁଣିଣ ହସିଲେ ଯେ କମଳାର ବର

ଭଗୀରଥ ପ୍ରାୟେ ଭାଗ୍ୟଥିବ ଯେ ଯାହାର |୧୪୯|

ତପସ୍ୟା ବଳେ ଆଣିଲେ ଭଗୀରଥ ରାୟେ

ତୁମ୍ଭେ ଅବା ଆଣି ପାରିବ ହେ ଧନୁର୍ଜୟେ |୧୫୦|

ଶୁଣିଣ ବୀବବର ଆଗ୍ୟାଂ ଘେନି

ଧନୁ ଧରି ନାରାଜ ବସାଇଲେ ଆଣି |୧୫୧|

ଅରକ୍ଷ ବୋଲି ପିଚାଶ ୟେକ ଜନ

ଧନୁର୍ବେଦ ତାହାଠାରୁ ପଢ଼ିଲେ ଅର୍ଜୁନ |୧୫୨|

ସେ କାଳେ ସୁରତ ରଙ୍ଗ ବୋଲି ୟେକ ଶର

ଅର୍ଜୁନକୁ ଅନୁଗ୍ରହେ ଦେଇଥିଲା ବର |୧୫୩|

ମନ୍ତ୍ର ସୁମରିଣ ବିନ୍ଧିଲାକ ବୀରମଣି

ବୋଇଲା ଘେନି ଆସିବୁ ବରୁଣ ପାଟରାଣୀ |୧୫୪|

ସେ ଅଘନାଶୀନି ୟେଥେଂ ଆସି କରନ୍ତୁ ବିଜୟେ

ତୁମ୍ଭେ ଆଗେ ଥିବ ପଛେ ଥିବ ମାୟେ |୧୫୫|

ଆଗ୍ୟାଂରେ ନାରାଜ ଯେ ଚଳିଲା ତତକ୍ଷଣ

ନିଶ୍ଵାସକେ ଚଳିଲା ସେ ତିନି ସହସ୍ର ଯୁଣ |୧୫୬|

ଦେବୀଙ୍କର ଛାମୁରେ ଯାଇଂ କର ଯୋଡ଼ିଣ କହି

ହରି ଅରଜୁନ ମୋତେ ପେଷିଲେ ମହାମାୟି |୧୫୭|

ତୁମ୍ଭଙ୍କୁ ନେମାକୁ ଶ୍ରୀହରିଙ୍କ ଅବଧାନ

ମଣିଭଦ୍ରା ପର୍ବତେ ଅଛନ୍ତି ଶ୍ରୀହରି ଅରଜୁନ |୧୫୮|

ଶୁଣିଣ ଶର ବାଣୀ ମାତା ହୃଦରେ କଲେ ଲୟ

ଜାଣିଲେ ଶରଧା କରିଅଛନ୍ତି ଦେବରାୟେ |୧୫୯|

ହରି ଅର୍ଜୁନ ଯେ ଅଛନ୍ତି ୟେକ ସ୍ଥାନ

ନ ଗଲେ ହାଦେ ବଳ ମୋତେ ଘେନି ଯିବ ବାଣ |୧୬୦|

ୟେତେ ବିଚାରିଣ ତହୁଂ ଧବଳାଙ୍ଗୀ ମୂରତି

ମନେ ମନେ ଗୁଣି ସେ ହୋଇଲେ ତ୍ରିପୁତି |୧୬୧|

ତୁମ୍ଭେ ଆଗ ହୋଇ ବାଟ କଢାଅ ହୋ ବାଣ

ତୁମ୍ଭର ପଛେ ପଛେ ଆମ୍ଭର ପୟାଣ |୧୬୨|

ଆଗ୍ୟାଂୟେ ତୁରିତେ ଆଗ ହୋଇଲାକ ଶର

ଯେସନେ ବିଚିତ୍ର କି ଶୋଭା ଅହିବର |୧୬୩|

ସଙ୍ଗେ ପରିବାରୀ ଘନଲତା ହେମଲତା

ଶର ପଛେ ବିଜେ କଲେ ଜଗତର ମାତା |୧୬୪|

ପାତାଳ ଭେଦ ହୋଇ ବିଜୟେ କଲେ ଯହୁଂ

ମଣିଭଦ୍ରା ପର୍ବତେ ପ୍ରବେଶ ହୋଇଲେ ତହୁଂ |୧୬୫|

ଶ୍ଵେତ କଳ୍ପ ନାମେ ତହିଂ ଅଛଇ ବୃକ୍ଷବର

ସେ ବୃକ୍ଷ କ୍ରୋଟ ମଧ୍ୟୁଂ ଦେବୀ ହୋଇଲେ ବାହାର |୧୬୬|

ହରି ଅର୍ଜୁନ ତାହା ଦେଖନ୍ତି ଉଭାରି

ଶର ପଛେ ବିଜେ କରିଅଛନ୍ତି ମାହେଶ୍ଵରୀ |୧୬୭|

ଗୋବିନ୍ଦଙ୍କ ପାଦେ ଦେବୀ ହୋଇଲେ ଭଗତି

ଅନ୍ତର୍ଗତେ ତାହା ଜାଣିଲେ ଶିରୀପତି |୧୬୮|

ଶର ତତକ୍ଷଣେ ନିଜ ରୂପ ହୋଇ

ରଖିଲେ ତ୍ରୋଣରେ ତାହା ବାସବ ତନୟି |୧୬୯|

ଗଙ୍ଗାକର ଚରଣେ ପଡିଲେ ବୀର ପାଥ

ପାଦେ ପଡ଼ିଣ କଲେ କୋଟିଏ ଦଣ୍ଡବତ |୧୭୦|

ସାନନ୍ଦ ହୋଇଣ ତହିଂ ଶଙ୍ଖଚକ୍ରଧର

ପାଥକୁ ଘେନିଣ ସ୍ନାହାନ କରିଲେ ତତପର |୧୭୧|

ଗରୁଡ଼ ଯେ ସ୍ନାହାନ ସାରିଲେ ତାହାଙ୍କର ତୁଲେ

ସନ୍ଧ୍ୟା ତର୍ପଣେ ଯେ ଦେବ ପିତୃଙ୍କୁ ଜଳ ଦିଲେ |୧୭୨|

ନଦୀର ନାମ ବୀର ତୁରଙ୍ଗ ସେ ଦିଅନ୍ତି

ଦେବାଙ୍ଗ ପାଟେକ ଯେ ବାନ୍ଧିଲେ ଶିରୀପତି |୧୭୩|

ବୋଇଲେ ସୁରଭି ତୁମ୍ଭେ ଆମ୍ଭ ଆଗ୍ୟାଂ ଶୁଣ

ମହା ମହା ବାରୁଣୀ ଯେ ପଡ଼ିବ ଯେବଣ ଦିନ |୧୭୪|

ସତ୍ୟ ତ୍ରେତୟା ଦ୍ଵାପର କଳି ଯୁଗ ଚାରି

ୟେ ଶର ଆଗେ ଥିବ ଅହିରୂପ ଧରି |୧୭୫|

ମେଳେଚ୍ଛଙ୍କୁ ମୁକତି ହୋଇବାର ନିମନ୍ତେ

ଅବଶ୍ୟ ବିଜେ ଦେବୀ କରିବୁଂ ଶର ପଥେ |୧୭୬|

ଶୁଣି ମାହେଶ୍ଵରୀ ଯେ ଅବଧାନ ପୁଣି

ପାଦରେ ପ୍ରଳମ୍ଵିତ କଲେକ ସୁଲକ୍ଷଣୀ |୧୭୭|

ଭୋ ପ୍ରଭୁ ତୁମ୍ଭର ଆଗ୍ୟାଂ ଯେଉଂରୂପେ

ପାଳିବଇଂ ତୁମ୍ଭ ଆଗ୍ୟାଂ କଳପ କଳପେ |୧୭୮|

ପଦ୍ମ ପାଦେ ପଡ଼ି ଦେବୀ କଲେକ ବିଜୟେ

ଆପଣା ନିଜ ଗୃହେ ପ୍ରବେଶ ଯାଇ ହୋୟେ |୧୭୯|

 

ଖାଣ୍ଡବ ବନ ଦହନ

ୟେଥୁ ଅନନ୍ତରେ ଶୁଣିମା ରସବାଣୀ

ଅର୍ଜୁନକୁ ଚାହିଂ ସେ ଯେ ବୋଲନ୍ତି ଚକ୍ରପାଣି |୧|

କେଉଂଣ ଚରିତ ତୁ ଭିଆଇଲୁ ଫାଲଗୁନି

ଶତ୍ରୁ ମୁଖେ ଭାଇନ୍ତ ଦେଇ ହୋଇଲୁ ବନଗାମୀ |୨|

ଅର୍ଜୁନ ବୋଇଲେ ଦେବ ବଡ଼ାଇ ଦୁଲ୍ଲଭ

କଉତୁକେ ଜିଣିଲି ମୁହିଂ ଦେବ ସଦାଶିବ |୩|

ୟେ ଶହସ୍ରମାନ ମୋତେ ଦିଲେ ଯେ ହର ପାର୍ବତୀ

ହସ୍ତିନାରେ ଥିଲେ ଯେ କାହୁଂ ୟେହାନ୍ତ ପାଆନ୍ତି |୪|

ଗୋବିନ୍ଦ ବୋଇଲେ ତୁ ତ ନିଶ୍ଚିନ୍ତ ହୋଇଲୁ

ଆମ୍ଭନ୍ତ ପାଶୋରିଣ ତୁହି କେମନ୍ତେ ରହିଲୁ |୫|

ୟେହା ଶୁଣି ବୋଇଲେ ସର୍ବସାଚୀ

ସତ୍ୟ ଲଙ୍ଘିଲେ ପ୍ରାଣୀଙ୍କି ମୁକତି କାହିଂ ଅଛି |୬|

ଆମ୍ଭେ ଯାହା କହିଲୁ ତାହା ଲଙ୍ଘିବୁ କେମନ୍ତେ

ବ୍ରତ ପୂରିଲେ ଦ୍ରଶନ କରିବୁ ଯୁଝେଷ୍ଠି ପାଦଗତେ |୭|

ଶ୍ରୀକୃଷ୍ଣ ଅର୍ଜୁନ କଥା ହୁଅନ୍ତେଣ ବେନି

ବ୍ରାହ୍ମଣେକ ଆସୁଅଛି ଅର୍ଘ୍ୟ ପାତ୍ର ଘେନି |୮|

ଲୁଦୁବୁଦୁ ବ୍ୟାଧି ଶରୀର ଯେ ଦିଶଇ ପିଳୋହି

ମହାରୋଗୀ ଶରୀର ଯେ ଦୁର୍ବଳ ଅଛି ହୋଇ |୯|

ଖଣ୍ଡେ ଦୂର ଆସଇ ବସଇ ଲୋଚି ହୋଇଂ

ଅଶକତ ଶରୀର ଚାଲି ନପାରଇ ସେହି |୧୦|

ଦଦରା ଛତା କାନ୍ଧେ ପିନ୍ଧିଛି ଛିଦ୍ର ଧୋତି

କପାଳେ ଊର୍ଦ୍ଧ୍ଵ ପୁଣ୍ଡ୍ରି କାଖେ ପିଢ଼ା ପୋଥି

ମଳିନ ଉତ୍ତରୀ କାନ୍ଧେ ଛିଣ୍ଡା ପଇତା ଗୋଟି |୧୧|

ଦ୍ଵାଦଶ ଲକ୍ଷଣ ଚିତା ମଳିନ ବିକାଶି

ଦରିଦ୍ର ଅଶକତ ବିପ୍ର ଅତୀୟ ଭିକ୍ଷାଶୀ |୧୨|

ପର୍ବତ ଉପରକୁ ନ ପାରଇ ଉଠି

ପାଞ୍ଚ ପହଣ୍ଡ ଯାଇ ବିପ୍ର ବସଇ ଯେ ଫୁଟି |୧୩|

ଶ୍ରୀହରି ଅରଜୁନ ବେନି କଥା ହେଉଥିଲେ

ଅଶକତ ବିପ୍ରକୁ ଦେଖି ନିରେଖି ଚାହିଂଲେ |୧୪|

ଅର୍ଜୁନ ବେଇଲେ ସ୍ଵାମୀ ୟେ ଦ୍ଵାପର ଯୁଗେ

ୟେଡେ ବଡ଼ ଦରିଦ୍ର ଦେଖିଲା ନାହିଂ ମଧ୍ୟେ ସ୍ଵର୍ଗେ |୧୫|

ଶରୀର ଅଶକତ ଦ୍ଵିଜ ନ ପାରଇ ଚାଲି

ରୋଗ ପ୍ରବଳ ଦେହ ବିପ୍ର ନ ପାରଇ କଥା ବୋଲି |୧୬|

ୟେ ମହା କଷ୍ଟ ୟେ ବ୍ରାହ୍ମଣ ଜଣଙ୍କୁ

କି ଦେଇ ତୋଷିବା ସ୍ଵାମୀ ଆମ୍ଭେ ୟେ ବିପ୍ରବରକୁ |୧୭|

କର ପ୍ରସାରି ଯାଇଂ ଉଭା ହେଇଲେ ଛାମୁରେ

ବେଦ ଧୁନି ଶବଦ ଯେ କରଇ ସୁସ୍ଵରେ |୧୮|

ଅର୍ଜୁନ ବୋଇଲେ ଦେବ କେଉଂଣ କାରଣେ

ବେଦ ଆଧ୍ୟାନ କର ଛାମୁରେ କେସନେ |୧୯|

ୟେସନେକ ବାକ୍ୟ ଯେହୁଂ କହିଲେ ଇନ୍ଦ୍ରବାଳେ

ଶୁଣିଣ ବ୍ରାହ୍ମଣ ଯେ ବୋଲଇ ବିକଳେ |୨୦|

ବୋଲଇ ଦ୍ଵିଜବର ତୁମ୍ଭେ କ୍ଷତ୍ରିୟ ପରମ ଯୋଗୀ

ମୁହିଂ ଦରିଦ୍ର ବ୍ରାହ୍ମଣ ଆବର ହୋଇଲି ବଡ଼ ରୋଗୀ |୨୧|

ଦରିଦ୍ରେ ଦେବା ଦାନ ଅଟଇ ଅନେକ ମହାପୁଣ୍ୟ

ଅପୂଜା ଲିଙ୍ଗ ଯେହୁ କରଇ ପୂଜନ |୨୨|

ରୋଗୀଜନଙ୍କୁ ଉଦ୍ଧାରଇ ଯେଉଂଣ ବଦ୍ୟକାରୀ

ଶିର ଚ୍ଛେଦନ କାଳେ ଯେ ପ୍ରାଣୀଙ୍କି ରକ୍ଷା କରି |୨୩|

ଅପ୍ରତିଷ୍ଠା ଜଳକୁ ଯେ କରଇ ପ୍ରତିଷ୍ଠା

ଅଯୋଗ୍ୟ ଲୋକଙ୍କୁ ଯେ କରଇ ସଙ୍ଗୋଷ୍ଟା |୨୪|

ଅକାରଣ ଲୋକଙ୍କୁ ଯେ କାରଣ କରଇ

ପର ଦୁଖେ କାତର ଯେ ପୁଣ୍ୟ ଆତ୍ମା ଦେହୀ |୨୫|

ଅମୂର୍ତ୍ତ ଦେବତାଙ୍କୁ ଯେ କରଇ ମୂର୍ତ୍ତିବନ୍ତା

ସେହି ସେ ମହାତ୍ମା ଅଟଇ ଧର୍ମ ଯେ ଦେବତା |୨୬|

ତୁମ୍ଭନ୍ତ ବାଭିୟେ ମୁଂ ନ ପାରିଲି ଚିହ୍ନି

ୟେକ ମୂର୍ତ୍ତି ପ୍ରାୟେ ତୁମ୍ଭେ ଦିଶୁଅଛ ବେନି |୨୭|

ମୁହିଂ ଦରିଦ୍ର ବ୍ରାହ୍ମଣ ଅଟଇ ବଡ଼ ରୋଗୀ

ମୋତେ କାରଣ କଲେ ବହୁତ ଧର୍ମ ଭୋଗି |୨୮|

ଅର୍ଜୁନ ବୋଇଲେ ତୁମ୍ଭେ ଅଶକତ ଦ୍ଵିଜବର

ଆମ୍ଭେ ବେନି ଗୋଟି ଭାଇ ଅଟୁଂ ବନଚର |୨୯|

ବ୍ରାହ୍ମଣ ବୋଇଲେ ମୁହିଂ ଦରିଦ୍ର ଅବା ବୋଲି

ତୁମ୍ଭର ତହିଂକି ଧନ ଦ୍ରବ୍ୟ ବସ୍ରମାନ ମାଗି ତ ନ ଅଇଲି |୩୦|

ରୋଗ ପ୍ରବଳେ ଅଶକତ ମୋର କାୟେ

ୟେହାକୁ ଭଲ କଲେ ଅଛିନି ମୋର ଜୀଇଂବା ଉପାୟେ |୩୧|

ବଡ଼ ଲୋକର ପୁତ୍ର ମୁଂ ଅଟଇ ବଡ଼ ଜଣ

ୟେକାଦଶ ବେଦେ ମୁଂ ଅଟଇ ବ୍ରାହ୍ମଣ |୩୨|

ଦାନେଣ ଶୂରବନ୍ତା ମୁଂ ମନ୍ତ୍ରେଣ ଶୁଚିବନ୍ତା

ବଞ୍ଚିତ ନ ଗଲା ମୋର କପାଳର ଘଟିତା |୩୩|

କ୍ରୋଧେଣ ବ୍ରାହ୍ମଣ ବୋଲଇ ଗଦ ଗଦ ବାଣୀ

ବେଦ ଆଧ୍ୟାନ କଲା ବିପ୍ର କୁଳମଣି |୩୪|

ୟେକ ଲୟେ କରି ଶୁଣଇ କ୍ଷତ୍ରୀ ଶିରୋମଣି

ଅର୍ଜୁନ ବୋଇଲେ ମୋହୋର ଶରୀର କମ୍ପଇ ୟେ
ତୋହୋର ବେଦ ଧୁନି ଶୁଣି |୩୫|

କିସ ଦାନ ତୁମ୍ଭେ ମାଗିବ ମାଗନି ପଣ୍ଡାୟେ

କେମନ୍ତେ ନିର୍ମଳ ହୋଇବ ତୁମ୍ଭର ନିଜ କାୟେ |୩୬|

ଶଙ୍ଖ ଗୋଟି କାଢ଼ି କମଣ୍ଡଳୁଂ ପୂରୋଇଲେ ପାଣି

ପାଥର ହସ୍ତରେ ବ୍ରାହ୍ମଣ ବେଗେ ଦିଲେ ଆଣି |୩୭|

ଆହେ ସଂକଳ୍ପ କଲେ ସେ ଦାନ ଦେଇ ପାରି

ଅଣ ସଂକଳ୍ପ ଦାନ ଦିଲେ ସେ କାହିଂକି ନୁହେଂ ସରି |୩୮|

ଡାହାଣ ବ୍ରତେକ ଶଙ୍ଖେ ପୂରୋଇ ଜଳତିଳ

ଦ୍ଵିଜବର ଦିଲା ନେଇ ପାଥର କରସ୍ଥଳ |୩୯|

ଉପର ହାଥେ କରି ଘେନଇଂ ସର୍ବସାଚୀ

ବେଦ ଆଧ୍ୟାନ କରି ବିପ୍ର ତଳ ହସ୍ତ ପାତି ଅଛି |୪୦|

ବାକ୍ୟ ମନ୍ତ୍ର ପଢାଇ ପାତିଲା ତଳେ ହସ୍ତ

ପାଣି ଛଡ଼ାଇଲା ସେ ବ୍ରାହ୍ମଣ କର ପାତ୍ର |୪୧|

ସତ୍ୟ ସତ୍ୟ ବାକ୍ୟ କରାଇ ସତ୍ୟ ଭାବେ

ଛାଡ଼ିଲେ ସତ୍ୟ କରିଣ କ୍ଷତ୍ରିୟ ପାଣ୍ଡବେ |୪୨|

ବ୍ରହ୍ମଣ ସାକ୍ଷୀ କରଇ ଚନ୍ଦ୍ର ସୂର୍ଯ୍ୟଙ୍କୁ

ବ୍ରାହ୍ମଣ ସାକ୍ଷୀ କରଇ ପବନ ଦେବତାଙ୍କୁ |୪୩|

ବ୍ରାହ୍ମଣ ସାକ୍ଷୀ କରଇ ସନକାଦି ଆବର ଦଶ ବିଶ୍ଵେଦେବା

ମୁହିଂ ଯେ ଦାନ ମାଗୁଅଛି ତୁମ୍ଭେ ସାକ୍ଷୀ ହୋଇଥିବା |୪୪|

ଗୋବିନ୍ଦେ ବୋଇଲେ ଆମ୍ଭେ ହୋଇଲୁନି ସାକ୍ଷୀ

ମାଗ ହୋ ପଣ୍ଡାୟେ ସାକ୍ଷୀରେ କିସ ଅଛି |୪୫|

ମହାବାକ୍ୟ ଉଚ୍ଚାରି ବିପ୍ର କରଇ ବେଦଧୁନି

ସ୍ଵର୍ଗ ମଞ୍ଚ ପାତାଳ କମ୍ପିଲା ଭୁବନ ତିନି |୪୬|

ବ୍ରାହ୍ମଣେ ବୋଇଲା ତୁ ଶୁଣ ହୋ ଅରଜୁନ

ମୋତେ ଦାନ ଦେବୁଂ ଖାଣ୍ଡବ ନାମେ ବନ |୪୭|

ମୋତେ ରୋଗ ପ୍ରବଳ ଯେ ଲୁଦୁବୁଦୁ ବ୍ୟାଧି

ଖାଣ୍ଡବ ବନରୁ ମୁହିଂ ଖାଇବି ମଉଷୋଧି |୪୮|

ଅର୍ଜୁନ ବୋଇଲେ ମଉଷୋଧି ଖଣ୍ଡି ଛାର

ୟେତେ ସାକ୍ଷୀ କରାଇଲୁ ବଚନ କଷ୍ଠୋର |୪୯|

ଦରିଦ୍ର ଅବସ୍ତା ଯେତେବେଳେ ହୋଅନ୍ତି ପ୍ରାଣୀ

ଦାତବ୍ୟ ଲୋକଙ୍କୁ ନିଷ୍ଠୁର କରନ୍ତି ସେ ପୁଣି |୫୦|

ବ୍ରାହ୍ମଣର ନିଷ୍ଠୁର ବଚନ ଶୁଣିଲା ବିବଚ୍ଛ

ଅର୍ଜୁନ ଚାହିଂଲା ଯେ ନାରାୟଣଙ୍କ ମୁଖ |୫୧|

ଦେଖିଲ ଟିକି ଭୋ ସ୍ଵାମୀ ଭିକ୍ଷୁକର ଚରିତ

ୟେତେକ ଛାରକୁ ୟେହାର ୟେତେକ ଆସକତ |୫୨|

ଶ୍ରୀଜଗନ୍ନାଥ ବୋଇଲେ ଶୁଣ ହୋ ଫାଲଗୁନି

ତୃତୀୟ ବ୍ରାହ୍ମଣ ଅଟଇ ହାଦେ ବଶ୍ୟାନର ଅଗ୍ନି |୫୩|

ୟେହାଙ୍କର ହେତୁ ତୋତେ ବନବାସ

ତିନି ଯୁଗ ହୋଇଲାନି ୟେ କରିଛନ୍ତି ତୋତେ ଆଶ |୫୪|

ଗୋବିନ୍ଦଙ୍କ ମୁଖରୁ ଶୁଣି ୟେସନ ବଚନ

କରପତ୍ର ଯୋଡ଼ିଣ ପଚାରଇ ଅରଜୁନ |୫୫|

ଅଗ୍ନି ଦଇବତ ବୋଲି କେମନ୍ତେ ଜାଣିଲ ଗୋସାଇଂ

ୟେଥିର ଚରିତ ମୋତେ କହିବା ବୁଝାଇ |୫୬|

ଶ୍ରୀହରି ବୋଇଲେ ସହଦେବ ଯେ କହିଲା

ୟେହି ଅଗ୍ନିଙ୍କର ସକାଶୁଂ ତୋତେ ବନବାସ ହୋଇଲା |୫୭|

ୟେହି ଅଗ୍ନି ଦେବତା ଯେ ମାୟାରୂପ ହୋଇ

ଯୁଝେଷ୍ଠିଙ୍କି ଆଣ ବୋଲି ତୋତେ କଟାଳିଲେ ଯାଇଂ |୫୮|

ମାୟା ନ ଜାଣି ତୁ ଅନ୍ତପୁରେ ପଶନ୍ତେଣ

ୟେଣେ ଅଗ୍ନି ଦେବତା ଅନ୍ତର୍ଦ୍ଧାନ ହୋଇଲେକ ପୁଣ |୫୯|

ସତ୍ୟବାଦୀ ପୁରୁଷ ତୁ ବନକୁ ଅଇଲୁ

କଇଚ୍ଛାବନ୍ତ ପଣେଣ ତୁ ବନରେ ଭ୍ରମିଲୁ |୬୦|

ଗୋବିନ୍ଦଙ୍କ ମୁଖ ଚାହିଂ ଅର୍ଜୁନ ବୋଲଇ

ଅଗ୍ନି ଦେବତାଙ୍କୁ ୟେ ବ୍ୟାଧି ହେଲା କାହିଂ |୬୧|

ୟେହା ସଞ୍ଚପିଣ ମୋତେ କହ ଜନାର୍ଦ୍ଦନ

ତେବେ ସିନା ଭ୍ରାନ୍ତି ମନରୁ ମୋର ଫିଟିବ ବହନ |୬୨|

ଅର୍ଜୁନ ପଚାରନ୍ତେ ଶ୍ରୀହରି କହନ୍ତି

ଶ୍ରୀରଙ୍ଗ ଅଧରେ ମନ୍ଦ ମନ୍ଦ ଯେ ହସନ୍ତି |୬୩|

ଆହୋ ଭାବାନୀ ନାମେଣ ଯେ ୟେକଇ ସତ୍ୟ ଯୁଗେ

ଅପାର ଘୃତ ଖାଇଲେ ଶ୍ଵେତ ରାଜାର ଯଜ୍ଞେ |୬୪|

ଅନେକ ଘୃତ ଖାଇ ତହିଂ ୟେ ହୋଇଲା ମନ୍ଦାଅଗ୍ନି

ଲଦୁବୁଦୁ ବ୍ୟାଧି ହୋଇଲା ବସିଲେ ଯୁଗ ତିନି |୬୫|

ନାରାୟଣଙ୍କ ବଚନେ ପ୍ରଣପତ୍ୟ ବୀର ପାଥ

ଅଟ କି ଗୋସାଇଂ ତୁମ୍ଭେ ଅଗ୍ନି ଦଇବତ |୬୬|

ବୋଲନ୍ତି ଦ୍ଵିଜବର ଆମ୍ଭେ ଦୋହୋରା ଅଗ୍ନି ଅଟୁଂ

ଅପାଦ ଶାନ୍ତି ନିମନ୍ତେ ଆମ୍ଭେ ବିନୟ ଭାବେ ଖଟୁଂ |୬୭|

ଅର୍ଜୁନ ବୋଇଲେ ତୁମ୍ଭେ ଅନାଦି ସିଦ୍ଧ ଯୋଗୀ

କେଉଂଣ ପାତକେ ତୁମ୍ଭେ ହୋଇଲ ୟେଡ଼େ ରୋଗୀ |୬୮|

ଶୁଣ ହୋ ବୀର ପାଥ ବୋଲନ୍ତି ବଶ୍ୟାନର

ସତ୍ୟ ଯୁଗେ ଶ୍ଵେତ ବୋଲି ୟେକଇ ନୃପବର |୬୯|

ଦେବଯଜ୍ଞ କରିବାକୁ କଲାକ ସଂକଳ୍ପ

ମହାଯଜ୍ଞ କଲେ ଖଣ୍ଡଇ ମହାପାପ |୭୦|

ମହାଯଜ୍ଞ ନିମନ୍ତେ ପିତାର ତହିଂକି ଗଲା ରାୟେ ବେଗେ

ବିନୟ ଭାବ ହୋଇ ପ୍ରୋହିତ ଜଣେ ମାଗେ |୭୧|

ଭୋ ଦେବ ବିଧାତା ମୋତେ ପ୍ରସନ୍ନ ହୋଇବା

ଦେବଯଜ୍ଞ କରିବି ମୋତେ ପ୍ରୋହିତ ଜଣେ ଦେବା |୭୨|

ବଶିଷ୍ଠ ଥିଲେ ସେ ଯେ ପିତାମହଙ୍କ ଅଗ୍ରତେ

ଅଇଲେ ପିତାୟେ ବୋଇଲେ ଶ୍ଵେତରାଜାର ଯଜ୍ଞ କର ଯା’ ଉଚିତେ |୭୩|

ବଶିଷ୍ଠ ଅଇଲେ ଶ୍ଵେତ ରାଜାଙ୍କୁ ଘେନି

ଆମ୍ଭନ୍ତ ବରଣ କଲା କାଳାନଳ ଅଗ୍ନି |୭୪|

ଆବର୍ତ୍ତକ ସମ୍ଵର୍ତ୍ତକ ଦ୍ରୋଣ ପୁଷ୍କର ଶ୍ରୋହା ପ୍ରୋକ୍ଷଣୀ

ଯୋଗ୍ୟଂ କୁଣ୍ଡେ ବରଷନ୍ତି ଶଗଡ଼ ତୁମ୍ଵ ଜାଣି |୭୫|

ଘୃତ ସଞ୍ଚା ସମିଧି ଭିଆଅ ଯାଗ୍ୟଂ ସରି କରି

ଯାଗ୍ୟେଂ ଯାଗନିକ ମୁଂ ହୋଇଲି ତୋହୋରି |୭୬|

ବଶିଷ୍ଠଙ୍କ ବଚନେ ଚଳିଲେ ରାଜଦେବା

ଘୃତ ସମୁଦ୍ରକୁ କରିଲା ଦ୍ଵାଦଶ ବରଷ ସେବା |୭୭|

ପ୍ରସନ୍ନ ହୋଇଣ ବୋଇଲେ ରତ୍ନାକର

ମାଗ ଶ୍ଵେତ ରାଜା ହୋ କିସ ଆଧ୍ୟାନ ତୋହୋର |୭୮|

ଭୋ ଦେବ ରତ୍ନାକର ମୁଂ କରିବି ଦେବଯାଗ୍ୟଂ

ବଶିଷ୍ଠ ପ୍ରୋହିତେ ମୋତେ କଲେ ରାଗ |୭୯|

ମୁହିଂ ଯାଗ କରିବି ଦେବ ଚଉବିଂଶ ବରଷ ପରିଯନ୍ତେ

ବଶିଷ୍ଠଙ୍କ ପ୍ରୋକ୍ଷଣୀ ପୂରୋଇ ଘୃତ ଦେଉଥିବୁ ନିତ୍ୟେ |୮୦|

ଘୃତ ସମୁଦ୍ର ବୋଇଲା ତୋତେ ଯେତେକ ଅଣ୍ଟଇ

ଦେଉଥିବି ତେତେ କାଳ ବଶିଷ୍ଠ ନିଅଇ |୮୧|

ଘୃତ ସମୁଦ୍ରକୁ ରାଜା ସନମତ କରାଇ

ବଶିଷ୍ଠ ପ୍ରୋହିତଙ୍କୁ ବରିଲା ମାଳା ଦେଇ |୮୨|

ଆକାଶ ଗଙ୍ଗା କୂଳେ ଭୂମିକି ଚିରିଲେ ଶୂଳେ

ତହିଂର ଉପରେ ବୁଣିଲେ ମାଘୀ ତିଳେ |୮୩|

କାର୍ତ୍ତିକର ଅନ୍ତେ ସେ ମାର୍ଗଶିର ମାସ

ମାର୍ଗଶିର ଅନ୍ତେ ପୁଷ ପରବେଶ |୮୪|

ପୁଷ ମାସ ଯାଇଂ ଯେ ମାଘ ମାସ ପଶିଲା

ତିଳ ଝଡ଼ିଣ ଯେ ଭୂମିରେ ପଡ଼ିଲା |୮୫|

ଲାଙ୍ଗଳରେ ଭୂମି ଚଷାଇଲାକ ସତ୍ଵର

ଯାଗଶାଳ ତୋଳାଇଲା ଶ୍ଵେତ ନୃପବର |୮୬|

ଜଟୀ ହଟୀ ବଟୀ ଯେ ଆବର ପର୍କଟୀ

ୟେ ଚାରି ବୃକ୍ଷ ହୋଇଲେ ଯେ ଦ୍ଵାର ଅଡ଼ା ଚାରି ଗୋଟି |୮୭|

ବାମଦେବ ଉଦ୍ଦାଳକ ସୁମନ୍ତ ଉତ୍ତଙ୍ଗ

ୟେ ଚାରିହେଂ ବରଣ ହୋଇଲେ ଚାରି ଦିଗ |୮୮|

ବ୍ରହ୍ମା ବରଣ ହୋଇଲେ ସୁଦେବ ବ୍ରାହ୍ମଣ

ଆଚାର୍ଯ୍ୟ ବରଣ ହୋଇଲେ ଭାରଦ୍ଵାଦଶ ସୁମନ୍ତେଣ |୮୯|

ବଶିଷ୍ଠ ପ୍ରୋହିତ ଯାଗନିକ ହୋଇଲେ

ତ୍ରିଦଣ୍ଡ ଘେନି ଯାଗ୍ୟଂ କୁଣ୍ଡ ନିର୍ଭା କଲେ |୯୦|

ମକର ମାସ କୃଷ୍ଣ ପକ୍ଷ ତୃତୀୟା ଯେ ତିଥି

ଅର୍କବାର ଦିନ ମଘା ନକ୍ଷତ୍ର ପାହାନ୍ତି |୯୧|

ବବ ନାମେ କରଣ ପ୍ରୀତି ନାମେ ଯୋଗ

ମକର ସଙ୍କରାନ୍ତିକି ତୃତୀୟ ଦିନ ଭୋଗ |୯୨|

ଶ୍ଵେତ ମହାରାଜାର ଅଶ୍ଳେଷା କକଡ଼ାରାଶି

ଦୁତୀୟେ ଦିବସେ ସମ୍ପଦ ତାର ଯୋଗ ଅଛି |୯୩|

ତାର ବାର ନକ୍ଷତ୍ର ଯୋଗ ଶୁଭ ଅନକୂଳେ

ସେଦିନ ଯାଗଶାଳେ ବସିଲେ ମାହେନ୍ଦ୍ର ଯୋଗ ବଳେ |୯୪|

ପ୍ରାଣ ଅପାନ ଯେ ସ୍ଵାହା ମହାମନ୍ତ୍ରେ

ଅଗ୍ନି ଆରୋପଣ କରାଇଲେକ ପ୍ରୋହିତେ |୯୫|

ମେଘନ୍ତ ସୁମରଣା କଲେ ବଶିଷ୍ଠ ମହାଋଷି

ଘୃତ ସମୁଦ୍ରୁଂ ଆଣି ଯାଗ୍ୟଂ କୁଣ୍ଡେ ବରଷି |୯୬|

ଶଗଡ଼ ତୁମ୍ଵ ଆକାରେ ବରଷନ୍ତି ଚାରି ଧାର

ବିଶ୍ରାମ ନାହିଂ ରାତ୍ର ଦିବସ ଅଷ୍ଟ ଯେ ପ୍ରହର |୯୭|

ଆମ୍ଭେ ବ୍ରାହ୍ମଣ ଅଟୁଂ ଦରିଦ୍ର ମନ୍ଦ ଜାତି

ଘୃତ ପାଇଲେ ହୋଉଂ ଅନେକ ତ୍ରିପୁତି |୯୮|

ବାବୁ ୟେମନ୍ତେ ଚଉବିଂଶ ବରଷ ପରିଯନ୍ତେ ମହାଯାଗ୍ୟଂ କଲା

ଆବର୍ତ୍ତକ ସମ୍ଵର୍ତ୍ତକ ରାତ୍ର ଦିବସ ବରଷିଲା |୯୯|

ଲୋଭେଣ ଖାଇଲୁଂ ଆମ୍ଭେ ଅନେକ ଯେ ଘୃତ

କାଳେ ପାର କରି ନୁଆରିଲୁଂ ହୋଇଲୁ ୟେମନ୍ତେ |୧୦୦|

ମନ୍ଦାଅଗ୍ନି ହୋଇଲୁଂ ଲୁଦୁବୁଦୁ ଯେ ହୋଇଲୁଂ

ଅତିହିଂ ଲୋଭ କରି ଶରୀର ନାଶକଲୁଂ |୧୦୧|

ବାବୁ ବାସବ ଦେବତାଙ୍କୁ ମାଗିଲୁ ମଉଷଧି

ରାଗେଣ ମୁକୁହିଂ ନ ଦିଲା ଜମ୍ଭୋଭେଦୀ |୧୦୨|

ବ୍ରହ୍ମା ଈଶ୍ଵରେ ଯେ ବୋଇଲେ ମୋର ପାଇଂ

କାହାରିହିଂ ବଚନ ନ କଲା ସୁରସାଇଂ |୧୦୩|

ବାବୁ ଦେବ ଦାନବ ଯେ ସବୁରି ଗର୍ଭେ ଥାଉଂ

ଯେ ଯାହା ଆଧାର କରଇ ସମସ୍ତ ଆମ୍ଭେ ଦହୁଂ |୧୦୪|

ଆମ୍ଭେ ଯେତେବେଳୁଂ ହୋଇଲୁଂ ମନ୍ଦାଅଗ୍ନି

ଲୁଦୁବୁଦୁ ହୋଇ ବସିଲେନି ବ୍ରହ୍ମାଣ୍ଡ ଖଣ୍ଡ ତିନି |୧୦୫|

ଆମ୍ଭଙ୍କୁ ତୁ ଯେବେ ଉଦ୍ଧରି ଧରିବୁଂ ଧନୁର୍ଜୟେ

ବାହୁଡ଼ି ସଂସାର ହୋଇବ ତେଜମୟେ |୧୦୬|

ୟେକା ଜଣେ ତାରିଲେ ସଂସାର ହେଇବ ରକ୍ଷା

ଯାବତ ଚନ୍ଦ୍ର ଅର୍କେ ରହୁ ତୋର କଇଚ୍ଛା |୧୦୭|

ସତ୍ୟଯୁଗ ସତର ଲକ୍ଷ ଅଠାଇଶି ସହସ୍ର ବରଷ

ତ୍ରେତା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ |୧୦୮|

ଦ୍ଵାପର ଯୁଗ ଆଠଲକ୍ଷ ଚଉଷଠୀ ସହସ୍ର ବରଷ ଭୋଗ

ପାର କରି ନ ପାରିଲୁଂ ଆମ୍ଭେ ମନ୍ଦାଅଗ୍ନି ପିଳୋହି ରୋଗ |୧୦୯|

ଉଦ୍ଧର ଅର୍ଜୁନ ମୋତେ ମୁହିଂ ତିନି ଯୁଗର ରୋଗୀ

ଆମ୍ଭର ଆଷ୍ୟ ଘେନି ତୁ ବ୍ରତ ଚାଲିଯିବା ବେଗି |୧୧୦|

ୟେତେ ବୋଲି ଅଗ୍ନି ଦେବତା ଅନେକ କାର୍ପୁଣ୍ୟ

ଉଦ୍ଧରି ଧର ସର୍ବସାଚୀ ତୁ ପଣ୍ଡୁକୁଳ ଧନ୍ୟ |୧୧୧|

ଅର୍ଜୁନ ବୋଇଲେ ଦେବ ଉଠ ଉଠ ବେଗେ ହରି

ଖାଣ୍ଡବ ବନଯାୟେଂ ଯିବାଟି ବିଜେ କରି |୧୧୨|

ଜଗନ୍ନାଥେ ବୋଇଲେ ଆମ୍ଭେ ନ ଥାଉଂ ତୋର ତୁଲେ

ଇନ୍ଦ୍ର ଅପଖ୍ୟାତି ଦେବ ନା ଆମ୍ଭନ୍ତ ଦେଖିଲେ |୧୧୩|

ସେ ବାସବ ଦେବତା ତୋହୋର ତାତ ତୁ ତାହାର ସୁତ

ତୁମ୍ଭକଇଂ ସହିବ ସେ ଦେବ ପୁରୁହୁତ |୧୧୪|

ଆମ୍ଭଙ୍କୁ ଦେଖିଲେ ସେ କୋପ କରିବ ସୁରପତି

ତୋତେ କିଛି ନ ବୋଲି ଆମ୍ଭନ୍ତ ସେ ଦେବ ଅପଖ୍ୟାତି |୧୧୫|

ଭଲା ଆମ୍ଭେ ତୁକୁ ନେମାକୁ ଅଇଲୁ ହସ୍ତିନାକୁ

ଅଗ୍ନି ଦେବତା କଷଣ କଲାକ ତୁକୁ |୧୧୬|

ବେଳକୁ ବେଳ ତୁହି ପ୍ରମାଦେ ପଶିଲୁ

ହର ଉଦ୍ୟାନ ବନେ ହରକୁ ଜିଣିଲୁ |୧୧୭|

ଖାଣ୍ଡବ ବନ ଦହନେ ତୋତେ ନ ସହିବେ ସୁରଦେବା

ଇନ୍ଦ୍ରରେ ବିବାଦୀ ତୁ ହୋଉଛୁଂଟି ରେ ବାବା |୧୧୮|

ୟେତେ କହି ଖଗେଶ୍ଵର ପିଠିରେ କଲେ ବିଜେ

ଦ୍ଵାରିକାପୁରକୁ ସେ ବିଜୟେ ଦେବରାଜେ |୧୧୯|

ଅର୍ଜୁନ ବୋଇଲେ ଦେବ ଶୁଣିମା ବଶ୍ୟାନର

ଖାଣ୍ଡବ ବନ ଦହନେ କୋପ କରିବେ ସୁନାଶୀର |୧୨୦|

ଅଗ୍ନି ଦେବତା ବୋଇଲେ ତାର ଆକାଶର ସମ୍ପ୍ରଧି

ଅନେକ ସଂଗ୍ରାମେ ସେ କରିବେ ଜମ୍ଭୋଭେଦୀ |୧୨୧|

ଅର୍ଜୁନ ବୋଇଲେ କେମନ୍ତ ଯେ କରିବଇଂ ମୁହିଂ

ଅମରାଧିନାଥ ଜିଣିମାକୁ ମୋର ଶହସ୍ର ନାହିଂ |୧୨୨|

ଅଗ୍ନି ଦେବତା ବୋଇଲେ ତୁ ରହିଥାଅ ୟେଥ

ତ୍ରୈଲୋକ୍ୟ ଜିଣିମାକୁ ତୋତେ ଦେବଇଂ ଶହସ୍ରନ୍ତ |୧୨୩|

ଅର୍ଜୁନକୁ ରୁହାଇ ଯେ ଚଳିଲେ ବହନି

ପାତାଳ ବୈକୁଣ୍ଠେ ବିଜେ କଲେ ସେହି ରୂପ ଘେନି |୧୨୪|

ନାରାୟଣ ବୋଇଲେ ତୁ ଶୁଣ ବଶ୍ୟାନର

ଲୁଦୁବୁଦୁ ବ୍ୟାଧି ତୋହୋର ନିହାୟେଂ ହୋଉଂ ପାର |୧୨୫|

ଅଗ୍ନି ଦେବତା ବୋଇଲେ ମୁଂ ତୁମ୍ଭରେ ଖଣ୍ଡିବି ବ୍ୟାଧି

ନାରାୟଣ ଶହସ୍ର ମୋତେ ଦେବୁଂ ମନଭେଦୀ |୧୨୬|

ନନ୍ଦିଘୋଷ ରଥ ଆବର ଗାଣ୍ଡିବ ଯେ ଧନୁ

ୟେତେକ ଦିଲେ ମୁଂ ତରିବି ପାପ କର୍ମୁଂ |୧୨୭|

ଶଙ୍ଖ ଶ୍ଵେତ ଗୋକ୍ଷୀର କାମପାଳ ଅଶ୍ଵଚାରି

ୟେ ଚାରି ଅଶ୍ଵ ରଥ ଦେବ ସଜ କରି |୧୨୮|

ଶୁଣିଣ ସାନନ୍ଦ ଯେ ବୋଇଲେ ଅନାଦି

ଆମ୍ଭେ ୟେମାନ ଦିଲେ ଯେବେ ତୁଟିବ ତୋର ବ୍ୟାଧି |୧୨୯|

ମୁଂ ୟେଣେ ମୁକତ ହୋଇବି ଶୁଣସି ଅନନ୍ତ

ମୋତେ ୟେବେ ଦୟା କରିବୁ ଦାସବତ୍ସଳ ଭଗବନ୍ତ |୧୩୦|

ଯେହା ଶୁଣିଣ ସନ୍ତୋଷ ଯେ ହୋଇଲେ ଯୋଗେଶ୍ଵର

ସେ ଶହସ୍ର ମାନନ୍ତ ଯେ ଦିଲେ ଦାମୋଦର |୧୩୧|

ଘେନିଣ ଅଗ୍ନି ଦେବତାୟେ ବୈକୁଣ୍ଠୁଂ ବାହାର

ପାତାଳକୁ ଚଳନ୍ତି ହୋଇଣ ଉଦବେଗ ମନର |୧୩୨|

ବାସୁକୀ ଭୁବନେ ଯାଇଂ ହୋଇଲେ ପରବେଶ

ଦେଖିଣ ନାଗରାଜା ହୋଇଲେ ଅନେକ ସନ୍ତୋଷ |୧୩୩|

ଆହୋ ଅଗ୍ନି ଦେବତା ତୋତେ ପଡ଼ିଲା ଲୁଦୁବୁଦୁ ବ୍ୟାଧି

ୟେଥୁଂ ତରିବାକୁ ତୁହି ପୁଣ ନ କଲୁ କିମ୍ପେ ବୁଦ୍ଧି |୧୩୪|

ଅଗ୍ନି ବୋଇଲେ ମୁଂ ଯେଣେ ମୁକତ ହୋଇବି ଶୁଣସି ଅନନ୍ତ

ତ ତହୁଂ ମୋତେ ଦେବୁ ନାଗଫାଶ ଶହସ୍ରନ୍ତ |୧୩୫|

ଅମୃତା ଶହସ୍ର ମୋତେ ଦେବୁ ଭାରାଭର

ତୋଷେ ନାଗରାଜା ଯେ ଦିଲେ ବେନି ଶର |୧୩୬|

ସେ ଶହସ୍ର ରଥେ ନେଇ ଥୋଇଲା କାଳାନଳ

ପାତାଳୁଂ ବାହାର ହୋଇଲେ ଭେଟିଲେ ଆଦିତ୍ୟ ମଣ୍ଡଳ |୧୩୭|

ଆଦିତ୍ୟ ଦେବତାଙ୍କୁ ବଚନ ସମ୍ପାଦି

ଆରୋଗ୍ୟ ହୋଇବାକୁ ମୁଂ କରୁଅଛି ବୁଦ୍ଧି |୧୩୮|

ସୂର୍ଯ୍ୟାବ୍ରତେକ ଚକ୍ର ମୋତେ ଦିଅସି ଦିନକର

ପ୍ରସନ୍ନ ହୋଇ ଅଗ୍ନି ଦେବତାଙ୍କୁ ଦିଲେ କରତାର |୧୩୯|

ଚନ୍ଦ୍ର ଦେବତାଙ୍କୁ ମାଗିଲେ ଯେ ହେମଶର ଚନ୍ଦ୍ରାବଳୀ ଗଦା

ତ୍ରୈଲୋକ୍ୟେ ଅଗ୍ନି ଅଟନ୍ତି ବଚନ ସଂସିଦ୍ଧା |୧୪୦|

ତହୁଂ ଯଶୋବନ୍ତୀ ପୁରେ ଯାଇଂ ଅଗ୍ନି ପ୍ରବେଶ ହୋଇଲେ

ବ୍ରହ୍ମ ଶକତି ବ୍ରହ୍ମ ଶର ପିତାଙ୍କୁ ମାଗିଲେ |୧୪୧|

ଅଗ୍ନିଙ୍କର ବଚନ କେ ମେଣ୍ଟିବ ତ୍ରୈଲୋକ୍ୟେ

ଶକତି ବ୍ରହ୍ମ ଶର ଦିଲେ ଅଗ୍ନିଙ୍କର ବାକ୍ୟେ |୧୪୨|

ସେ ଶହସ୍ର ମାନନ୍ତ ଦେବ ନନ୍ଦିଘୋଷ ରଥରେ ପୂରୋଇ

ବାରସ୍ଵତୀ ପୁରେ ଭେଟିଲେ ସୁରସାଇଂ |୧୪୩|

ଇନ୍ଦ୍ର ବୋଇଲେ ଅଗ୍ନି ଅତିହିଂ ଲୋଭ କଲୁ

ତିନି ଯୁଗ ହୋଇଲା ବ୍ୟାଧି ପାରି କରି ନ ପାରିଲୁ |୧୪୪|

ଅଗ୍ନି ଦେବତା ବୋଇଲେ ହୋ ପୁରନ୍ଦର ମୋତେ ତୋହୋର ଦୟା କଲେ

ତୁଟିବ ବ୍ୟାଧି ମୋହୋର ତୋର ବଜ୍ର ଶକତି ଦିଲେ |୧୪୫|

ଇନ୍ଦ୍ରାଶର ଦେବୁ ମୋତେ ଆବର ମେଘାଶର

ପୁଷ୍ୟେକ ବିମାନ ମୋତେ ଦେବୁ ପୁରନ୍ଦର |୧୪୬|

ଅଗ୍ନିଙ୍କ ବଚନେ ସାନନ୍ଦ ଦେବ ସୁରପତି

ଦିଲେ ଇନ୍ଦ୍ରା ଶହସ୍ର ମେଘା ଶହସ୍ର ବଜ୍ର ଯେ ଶକତି |୧୪୭|

ସେ ଶହସ୍ରମାନ ନନ୍ଦିଘୋଷ ରଥରେଣ ଥୋଇ

ପୁଷ୍ୟେକ ବିମାନ ଗୋଟି ଦିଲେକ ସୁରସାଇଂ |୧୪୮|

ବିଶ୍ଵେଦେବାଙ୍କୁ ମାଗିଲେ ଅମୋହ ଶକତି

ସାନନ୍ଦେ ପ୍ରପାତ ସେ କଲେକ ବହତି |୧୪୯|

ବିଦ୍ୟାଧର ପୁରୁଷଙ୍କୁ ମାଗିଲେ ନୀଳବାଣ ଭୁଜବାଣ

ତାହା ନେଇ ଥୋଇଲେ ନନ୍ଦିଘୋଷ ରଥେଣ |୧୫୦|

ଯମ ଦେବତାଙ୍କୁ ମାଗିଲେ କାଳଚକ୍ର ଫାଶି

ମୋହୋର ରୋଗ ଆରୋଗ୍ୟ ହୋଇଲେ ବାହୁଡ଼ାଇ ନିଅସି |୧୫୧|

କାଳଚକ୍ର କାଳ ଫାଶି ଦିଲେ ନାଶ କର

ଘେନି ଅଗ୍ନି ଦେବତା ଥୋଇଲେ ନନ୍ଦିଘୋଷ ରଥର |୧୫୨|

ପବନ ଦେବତାଙ୍କୁ ମାଗିଲେ ପବନା ଶର

ଆବର ମାଗିଲେ ଯେ ଅଭୟେ ମୁଦୁଗର |୧୫୩|

ଶୁଣି ମରୁତ ଦେବତାୟେ ଯେ ଦିଲେ ଶହସ୍ର ବେନି

ତଳ ହସ୍ତ କରି ଅଗ୍ନି ଦେବତା ତାହା ଘେନି |୧୫୪|

ବୃହସ୍ପତିଙ୍କି ମାଗିଲେ ଜୀବନ୍ୟାସ ଶର

ତୋଷେଣ ପଣ୍ଡିତେ ଦିଲେ ଅଗ୍ନି ଦେବତାଙ୍କ କର |୧୫୫|

ହିରଣ୍ୟ ଦେବତାଙ୍କୁ ମାଗିଲେ ନୀଳଚକ୍ର ଗଦା ବଜ୍ରାବଳୀ

ଅଗ୍ନିଙ୍କର ହାଥେ ସେ ଶର ଦିଲେ ସେହୁ ଗଲେ ଚଳି |୧୫୬|

ଆବର୍ତ୍ତକ ସମ୍ଵର୍ତ୍ତକ ଦ୍ରୋଣ ଯେ ପୁଷ୍କର

ୟେ ଚାରି ମେଘକୁ ମାଗିଲେ ବଶ୍ୟାନର |୧୫୭|

ବୋଇଲେ ମୋତେ ଦେବ ଦିଅ ନିର୍ଘାତ ବଜ୍ରବାଣ

ବଜ୍ର ଶର ଆବର ଦେବ ଅଗ୍ନି ଶରମାନ |୧୫୮|

ବହନି ଦେବତାଙ୍କୁ ଦିଲେ ମେଘମାନେ

ରଥରେ ଥୋଇଲେ ଯେ ଅଗ୍ନି ତୋଷ ମନେ |୧୫୯|

କୁବେର ଦେବତା ପୁରେ ଯାଇଂ ପ୍ରବେଶ ହୋଇଲେ

ରତ୍ନାବଳୀ ଗଦା ଅଜଙ୍ଗ ଧନୁକୁ ମାଗିଲେ |୧୬୦|

ରତ୍ନ କୁଣ୍ଡଳ ରତ୍ନ ମୁକୁଟ ଶିରକୁ ସୀମନ୍ଥିନୀ

କର୍ଣ୍ଣକୁ କର୍ଣ୍ଣାଞ୍ଚଳ ହୃଦକୁ ରତ୍ନ ପଦକ ମାଗିଲେ ଦେବ ଅଗ୍ନି |୧୬୧|

ବାହୁକୁ ବାହୁଟି ତାଡ଼ତୋଡ଼ର ଜଗଦ୍ଦଳା

ବିଦ ମୁଦି କଙ୍କଣ ଗଳାକୁ ରତ୍ନମାଳା |୧୬୨|

ରତ୍ନ ମେଖଳି ରତ୍ନ ନୂପୁର ରତ୍ନ ଯୋଗାଡ଼ମାନ

ଅଗ୍ନି ଦେବତାଙ୍କୁ କୁବେର ଦିଲେ ତୋଷମନ |୧୬୩|

ଈଶ୍ଵର ଦେବତାଙ୍କୁ ମାଗିଲେ ଯେ ଶୂଳ ଶକ୍ତି ଶର

ପଶୁପତ୍ର ଅନଙ୍ଗ ଶର ଖଟ୍ଵାଙ୍ଗ ପ୍ରଶୁଧର |୧୬୪|

ପିନାକୀ ସାରଙ୍ଗ ଯେ ଦୁତୀୟ ବଳ ଧେନୁ

ମାଗିଲେ ଅଗ୍ନି ଦେବତାୟେ ଦିଲେ ପଞ୍ଚୁମନୁ |୧୬୫|

ଯାଇଂଣ ବରୁଣ ଦେବତା ପୁରେଣ ପଶିଲେ

ଶ୍ଵେତ ଶଙ୍ଖ ଗୋକ୍ଷୀର କାମପାଳ ଚାରି ଅଶ୍ଵନ୍ତ ମାଗିଲେ |୧୬୬|

ଜଳଧର ଚକ୍ର ଯେ ଆବର ଜଳ ଫାଶି

ଆରୋଗ୍ୟ ହୋଇଲେ ବାହୁଡ଼ାଇ ଦିଅସି |୧୬୭|

ଅଗ୍ନି ଦେବତାଙ୍କ ଶରୀର ଆରୋଗ୍ୟ ନିମନ୍ତେ

ଶହସ୍ର ଦେଇ କଳପି ଅଶ୍ଵ ସମର୍ପିଲେ ଜଳନାଥେ |୧୬୮|

ଶହସ୍ର ଭେଦ ନୋହଇ ଯେବଣ ଅଶ୍ଵଙ୍କର କାୟେ

କାମରୂପୀ ଅଟନ୍ତି ଯେ ସେହୁ ଚାରି ହୟେ |୧୬୯|

ନିମିଷେକ ଗମି ପାରନ୍ତି ସମସ୍ତ ଭୁବନ

ପ୍ରଳୟ କାଳେ ସେ ଯେ ନୁହନ୍ତି ନିଧନ |୧୭୦|

ୟେ ପୃଥୀ ଯେତେବେଳେ ପ୍ରଳୟ ହୋଇଯାଇଂ

ତେବେ ସେ ଅଶ୍ଵଙ୍କୁ ରାତ୍ର ଦିବସେକ ହୋଅଇ |୧୭୧|

ବରୁଣଙ୍କୁ ମାଗି ତା ଆଣିଲେ ବଶ୍ୟାନରେ

ଚାରି ଅଶ୍ଵନ୍ତ ନେଇ ଯୋଚିଲେ ନନ୍ଦିଘୋଷ ରଥରେ |୧୭୨ |

ରତ୍ନାକର ଭୁବନୁଂ ଯେ ବାହାର ହୋଇଲେ

ହେମବନ୍ତ ରାଜାଙ୍କୁ ଯେ ପର୍ବତା ଶହସ୍ର ମାଗିଲେ |୧୭୩|

ଅଗ୍ନି ଦେବତାଙ୍କର ଶରୀର ଆରୋଗ୍ୟ ନିମନ୍ତେ

ମାଗିଲାକୁ ଦେବତାୟେ ଦିଲେ ତୋଷ ଚିତ୍ତେ |୧୭୪|

ଶ୍ରା ଦୁର୍ଗାଙ୍କୁ ମାଗିଲେ ଯେ ଅଭେଦ ବିଭୂତି

ଯେଉଂଣ ବିଭୂତି ଲାଗିଲେ ଶହସ୍ରମାନ ନ ଭେଦନ୍ତି |୧୭୫|

ଆର୍ଦ୍ରବଳେ ଧନୁ ଯେ କୁଣ୍ଡଳୀ ଚକ୍ର ଶର

ସ୍ତମ୍ଭନ ମୋହନ ବିଦ୍ୟା ଦିଲେ ବାମ କର |୧୭୬|

ନନ୍ଦିଘୋଷ ରଥେ ସମସ୍ତ ଶହସ୍ର ଘେନି

ଶିବ ପର୍ବତର ଉପରେ ଭେଟିଲେ ଫାଲଗୁନି |୧୭୭|

ସମସ୍ତ ଶହସ୍ରମାନ ଆଣିଲୁ ହୋ ପାଥ

ୟେ ସମସ୍ତ ଶହସ୍ରମାନ ତୋତେ ହୋଉ ଯେ ପ୍ରାପତ |୧୭୮|

ହରଷ ବଚନେ ବୋଇଲେ ବୀର ପାଥ

ଅଗ୍ନି ଅରଜୁନ ବେନି ଆରୋହିଲେ ନନ୍ଦିଘୋଷ ରଥ |୧୭୯|

ଅଗ୍ନି ଦେବତା ସାରଥୀ ଅର୍ଜୁନ ହେଲେ ରଥୀ

ଖାଣ୍ଡବ ବନ ସନ୍ନିଧ୍ୟେ ଯାଇଂ ବିଜୟେ ତଡତି |୧୮୦|

ପାଦୁକା ଗଙ୍ଗା ବୋଲି ୟେକ ନଦୀ ଗୋଟି

ଖାଣ୍ଡବ ବନ ବେଢି ସେ ମେଖଳି ଧାର ଫୁଟି |୧୮୧|

ସେ ନଦୀ ଗୋଟି ଯେ ଖଣା ଖାଣ୍ଡବ ବନକୁ

ଅଶୀ ସାଗର କୁମ୍ଭ ବୁଡ଼ଇ ସେ ପାଣି ଦେବାକୁ |୧୮୨|

ସୁବର୍ଣ୍ଣ ପାଚେରୀ ଗୋଟି ଚଉବିଂଶ ଯୋଜନ ଉଚ୍ଛର୍ଗ

କମଳ ଶିଳା ମାନଙ୍କ ଉପରେ ଅଛି ସ୍ଵର୍ଗ |୧୮୩|

ପାଚେରୀ ଚାରି ଦ୍ଵାରେ ଯେ ଚାରୋଟି ଜଗତୀ

ଶତେ ତାଳ ଉଚ୍ଛର୍ଗ ଯେ ଚାରି ଯୋଜନ ପ୍ରତି |୧୮୪|

ସୁବର୍ଣ୍ଣର କଳସ ବସଇ ତହିଂର ଉପର

ଝଲକନ୍ତି ମୁକୁତା ରତ୍ନମାନ ଯେ ତହିଂରେ |୧୮୫|

ସହସ୍ରେକ ନବଶତ ଯୋଜନ ଖାଣ୍ଡବ ବନ ତୋଟା

ଚାରି ଚାରି କାଠି ବିସ୍ତାର ୟେକଇ ବୃକ୍ଷ ଗୋଟା |୧୮୬|

ଅଶୀ ମର୍ଭୁତ ଯେ ତୋଟାଳ ଖଟନ୍ତି

ବୃକ୍ଷକେ ଜଣେ ଜଣେ ପାଣି ଦେଉଛନ୍ତି |୧୮୭|

ଅର୍ଜୁନଙ୍କୁ ଘେନି ବଶ୍ୟାନର ବହତି

ରଥ ରୁହାଇଲେ ଉତ୍ତର ଦ୍ଵାର ଜଗତୀ |୧୮୮|

ଦେଖିଲେ ବୃକ୍ଷଙ୍କର ମୂଳକୁ ଦୃଷ୍ଟି କରି

ଚାରି ଚାରି ଦଣ୍ଡ ବୃକ୍ଷଙ୍କ ଚଉଂରି |୧୮୯|

ସୁବର୍ଣ୍ଣର ବନ୍ଧାଇଲା ଅଛି ଚଉକତି

ପୁଷ୍ୟଙ୍କର ତେଜରେ ତହିଂ ନାହିଂ ଦିବାରାତି |୧୯୦|

ଅନୁବ୍ରତେ ବହଇ ମଳୟ ସମୀର

ମଉଷଧିଙ୍କର ତେଜ ଲାଗି ଶତେ ଯୋଜନ ଜୀବେ ଅମର |୧୯୧|

ପୁଷ୍ୟେ ବିକାଶନ୍ତି କନକ ପୁଷ୍ୟେ ପ୍ରାୟେ

ଜୀବଙ୍କର ଶରୀର ଦିଶଇ ରସାଣିଲା ସୁବର୍ଣ୍ଣ ପରାୟେ |୧୯୨|

ୟେସନେକ ମହିମା ସେ ଖାଣ୍ଡବ ବନ ତୋଟା

ଶତେ ଶତେ ଯୋଜନ ୟେକା ବୃକ୍ଷ ଗୋଟା |୧୯୩|

ବିଚାରଇ ଫାଲଗୁନି ଆପଣା ହୃଦଗତେ

ୟେ ଆକାଶର ସମ୍ପ୍ରଧି ମୁଂ ଧଂସିବି କେମନ୍ତେ |୧୯୪|

କରପତ୍ର ଯୋଡ଼ିଣ ଯେ ବୋଲଇ ଫାଲଗୁନି

କେବଣ ମଉଷଧିରେ ତୁଟିବ ତୁମ୍ଭର ମନ୍ଦାଅଗ୍ନି |୧୯୫|

ଚିହ୍ନଇ ଦିଅ ମୋତେ ଆଣଇଂ ମୁହିଂ ତାହା କାଟି

ଭକ୍ଷିଣ ଆରୋଗ୍ୟ ହୋଉ ତୁମ୍ଭର ଶରୀର ଗୋଟି |୧୯୬|

ଅଗ୍ନି ବୋଇଲେ ତୁ ସଂକଳ୍ପ କଲୁ ଯେତେବେଳେ

ତୋଟାଯାକ ମାଗିଲି ଯେ ତହିଂକି ସାକ୍ଷୀ ଦିଗପାଳେ |୧୯୭|

ବୃକ୍ଷନ୍ତ ଚଢେଇ କୀଟ ପତଙ୍ଗ ଆଦି କରି

ସବୁନ୍ତି ଭକ୍ଷିବି ମୁହିଂ ମୋତେ ଥିବୁ ତୁ ଆବୁରି |୧୯୮|

ତେବେ ସେ ତ୍ରିପୁତି ମୁହିଂ ହୋଇବି ଫାଲଗୁନି

ଉଣେଇଶ-ଶତଯୋଜନ ମୁଂ ଭକ୍ଷିବି ଖାଣ୍ଡବ ବନ ଘେନି |୧୯୯|

ସମସ୍ତ ଭକ୍ଷିବି ମୁହିଂ ହୋଇବୁ ତୁ ସଖା

ତୋହୋର ବଚନ ପାଥ ପାଷାଣର ରେଖା |୨୦୦|

ତୁ ହୋ ଭାରୋଇ ମଲ୍ଲ ମୋତେ ଦିଲୁ ସତ୍ୟ କରି

ମୁହିଂ ତ୍ରିପୁତି ହେଇବି ତୋହୋରେଣ କରି |୨୦୧|

ଅର୍ଜୁନ ବୋଇଲେ ହୋ ଭକ୍ଷ ଯା ବଶ୍ୟାନର

ଅଗ୍ନି ବୋଇଲେ ବସା ମୋତେ ତୋହୋର ଧନୁଶର |୨୦୨|

ନାରାଜ କରି ମୋତେ ପେଷସି ଫାଲଗୁନି

ମୁହିଂ ଦହନ କରିବି ସିନା ତୋହୋର ତେଜ ଘେନି |୨୦୩|

ଅର୍ଜୁନ ନାରାଜ କରି ବସାଇଲେ ଧନୁରେ

ଅଗ୍ନି ଶହସ୍ର ହୋଇ ବସିଲେ ବଶ୍ୟାନରେ |୨୦୪|

ଅଗ୍ନି ବୋଇଲେ ବାବୁରେ ଯାଉଅଛି ମୁହିଂ

ମେଘ ବରଷନ୍ତି କି ବାସବ ଆଗ୍ୟାଂ ପାଇ |୨୦୫|

ଆନକୁ ଭୟ ମୋର ନାହିଂ କଦାଚିତେ

ଜଳହିଂ ସେ ଦର୍ପ ମୋହୋର ଗଞ୍ଜଇ ତୁରିତେ |୨୦୬|

ତାହାତହୁଂ ଦୃଢ଼ କରି ଥିବୁଟି ମୋତେ ରଖି

ସୁଖେ ମଉଷଧି ମାନ ଯେହ୍ନେ ପାରଇ ମୁଂ ଭକ୍ଷି |୨୦୭|

ପଚ୍ଛୀଜନ୍ତୁ ମାନେ ଯେହ୍ନେ ଉଡ଼ି ନ ଯାନ୍ତି ଗଗନ ମାର୍ଗେ

ତାହାଙ୍କୁ ନାରାଜମାନ ବିନ୍ଧୁଥିବୁଟି ବେଗେଂ ବେଗେଂ |୨୦୮|

କୀଟ ପତଙ୍ଗ ଯେ ପିମ୍ପୁଡ଼ି ଆଦି କରି

କେହି ଗୋଟିୟେ ୟେଥୁଂ ନ ଯିବେଟି ଉବୁରି |୨୦୯|

ତେବେ ସେ ଦିଲା ଧର୍ମ ହୋଇବଟି ତୋହୋର

ତିନି ଯୁଗର ବ୍ୟାଧି ତୁଟିବ ମୋହୋର |୨୧୦|

ୟେତେ ଦୃଢ଼ କରାଇ ଅର୍ଜୁନକୁ ଦେବ ବଶ୍ୟାନର

ଜଗତୀରେ ଥାଇ ଅର୍ଜୁନ ବିନ୍ଧଇ ରୋଷଭର |୨୧୧|

ତୋଟାରେଣ ପଡ଼ି ଅଗ୍ନି ଦେବତାୟେ କ୍ଷେପି

ବ୍ୟାପିଲେ କାଳାନଳ ଅଭୟେ କାମରୂପୀ |୨୧୨|

ଅନେକ କାଳରୁ ଶୁଖିଲା ପତ୍ର ଅଛି ତହିଂ ପଡ଼ି

ଲାଗିଲା ଅନଳ ଦେବତା ମହାତେଜ ମୃତ୍ତି ଧରି |୨୧୩|

ମହାକାଳ ଅନଳ ତହିଂରେ ବିକାଶିଲା ତେଜମୃତ୍ତି

ତୋଟାଳମାନେ ମାଡ଼ି ପଡ଼ିଲେକ ଝା଼ଡ଼ି |୨୧୪|

ବାମ୍ଫୀରୁ ପାଣି ଆଣି ପୂରୋଇଲେ ରତ୍ନ ଘଟେ

ଅଗ୍ନିର ଉପରକୁ ଫିଙ୍ଗି ଦିଅନ୍ତି ବଳିଷ୍ଠେ |୨୧୫|

ଅଗ୍ନି ଡାକ ଦିଲେ ମୋତେ ରଖ ରଖ ହୋ ସର୍ବସାଚୀ

ତୋହୋର ଓପ୍ରୋଧ କଲେ ଆନ କେହୁ ପାରଇ ରଖି |୨୧୬|

ଦଶ ମର୍ଭୁତେ ଯେ ଅଛନ୍ତି ତୋଟାଳେ

ଜଣକେ ଦଶ ନାରାଜ ବିନ୍ଧିଲେ ବାସବର ବାଳେ |୨୧୭|

ପଡ଼ିଲା ନାରାଜ ଧାତିକାରେ ମନଭେଦୀ

ତୋଟାଳମାନଙ୍କ ଭୁଜ ପକାଇଲା ଛେଦି |୨୧୮|

ହାର କୁଣ୍ଡଳମାନ ବିରାଜଇ ସର୍ବ କାୟେ

ଦିଶିଲେ ରକ୍ଷପାଳେ ମୁଣ୍ଡା ବୃକ୍ଷ ପ୍ରାୟେ |୨୧୯|

ଅଗ୍ନି ଦେବତାୟେ ପଡ଼ିଲେ ବେଗେ ମାଡ଼ି

ପଳାଇ ନ ପାରିଲେ ସମସ୍ତେ ମଲେ ପୋଡ଼ି |୨୨୦|

ଯେ ଅବା ପଳାଇ ଲୋଡ଼ନ୍ତି ନିସତେ

ଅଗ୍ନିରେ ପଡ଼ଇ ସେ ପାଥର ଶରଘାତେ |୨୨୧|

ଦଶ ମର୍ଭୁତ ତହିଂ ଯେ ଥିଲେ ତୋଟାଳ ମାନ

ଜଣେହେଂ କେହି ନ ଉବୁରି ହୋଇଲେ ଦହନ |୨୨୨|

ତୋଟାର ଧୂମ ଯେ ଉଠିଲା ଗଗନେ

ସୁଗନ୍ଧ ଆମୋଦର ଆକାଶ ଭୁବନେ |୨୨୩|

ନାରଦେ ବିଜେ କଲେ ତୋଟାର ସନ୍ନିଧାନେ

ଦେଖିଲେ ଜଗତୀରେ ବିଜେ ପାଣ୍ଡବ ଅରଜୁନେ |୨୨୪|

ନାରଦଙ୍କୁ ଦେଖି ପାଦ ଆସ୍ତାନ ତେଜି ଉଠି

ପ୍ରଣପତ୍ୟ ହୋଇ ସୁତିଲା ଭୂମିରେଣ ଲୋଟି |୨୨୫|

ନାରଦ ବୋଇଲେ ତୁ ଯେ ବାସବର ବାଳ

ଆକାଶର ସମ୍ପଦ କରୁଛୁ ନାରଖାର |୨୨୬|

ଇନ୍ଦ୍ର ଦେବତାର ଯେ ଅଟଇ ଖାଣ୍ଡବ ନାମେ ବନ

ଅନେକ ମଉଷଧି ଅଛି ୟେ ହୋଉଛି ଦହନ |୨୨୭|

ଅର୍ଜୁନ ବୋଇଲେ ମୁଂ ଅଟଇ କିସ ଦୋଷୀ

ଦିଗପାଳ ହୋଇଂ ଅଗ୍ନି ଦେବତାୟେ ନାଶି |୨୨୮|

ୟେତେକ ବଚନ ଶୁଣି ଚଳିଲେ କଳହ ପ୍ରିୟା

ଅମରେ ଭୁବନେ ଯାଇଂ ଭେଟିଲେ ସୁରନାହା |୨୨୯|

ତ୍ରିଦଶ୍ୟ ଦେବତାୟେ ବସିଣ ଅଛନ୍ତି ଆସ୍ତାନେ

ଅମର ବିଳାସୁଣୀ ଖଟନ୍ତି ଭରହରଷ ମନେ |୨୩୦|

ୟେମନ୍ତର ସମୟେ ଆମୋଦଇ ଗନ୍ଧ

ଆସ୍ତାନେ ଥାଇଂଣ ଯେ ବୋଲଇ ଦେବ ଇନ୍ଦ୍ର |୨୩୧|

ଅପୂର୍ବ ବାସ ତ ଆମୋଦଇ ଆକାଶେ

ଶରୀର ତ ପଲ୍ଲବିତ ହୋଉଛି ଦିବ୍ୟ ବାସେ |୨୩୨|

ନାରଦେ ବୋଇଲେ ହୋ ଶୁଣିମା ସୁନାଶୀର

ଖାଣ୍ଡବ ବନ ଦହନ ଗଲାକ ତୋହୋର |୨୩୩|

ଅଗ୍ନି ଦେବତା ଦହନ କରୁଅଛି ତୋହୋର ଯେ ତୋଟା

ଶୁଣିଣ କୋପାନଳ ହୋଇଲେ ସୁରଶ୍ରେଷ୍ଠା |୨୩୪|

ଆସ୍ତାନୁଂ ଡେଇଂ ଯେ ପଡ଼ିଲେ ସୁରରାଜ

ଧାଅଂରେ ନନ୍ଦନେ ମୋର ଏୌରାବତ ବେଗେ ସାଜ |୨୩୫|

ବିଦ୍ୟାଧର ରାଇ ବୋଇଲେ ସୁରଦେବା

ଧାଅଂରେ ସମସ୍ତେ ବହନ ଅଗ୍ନି ଲିଭା |୨୩୬|

ଆରେ ତୋଟାଳେ ଯେ ଅଛନ୍ତି ଦଶ ମର୍ଭୁତେ

ତାହାଙ୍କର ଥାଆନ୍ତେ କିମ୍ପେ ଅଗ୍ନି ଅପ୍ରମିତେ |୨୩୭|

ବାବୁ ଧାଅଂରେ ଅଙ୍ଗାରପନଙ୍ଗ ଜୟସେନ ଚିତ୍ରସେନ

ସେହି ଅଗ୍ନିରେ ବାନ୍ଧି ପକାଅ ତୋଟାଳମାନ |୨୩୮|

ବାସବ ଦେବତା ଆଗ୍ୟାଂ ପାଇଣ କୁମରେ

ଧାମନ୍ତି ବାହନ ଚଢି ସମସ୍ତ ବିଦ୍ୟାଧରେ |୨୩୯|

ଅନେକ ଶହସ୍ର ଧରିଅଛନ୍ତି କରଗତେ

ଚଉଷଠି କୋଟି ଯେ ବାସବର ସୁତେ |୨୪୦|

ଗର୍ନ୍ଧବ ବିଦ୍ୟାଧରନ୍ତ କି ଅବା ପ୍ରଶଂସି

କାମଦେବର ସାଦୃଶେ ତେଜ ପରକାଶି |୨୪୧|

ଅଷ୍ଟରତ୍ନ ଅଳଙ୍କାର ବିରାଜଇ କାୟେ

ଦିଶନ୍ତି ବିଦ୍ୟାଧର ଅମରାଧିନାଥ ପ୍ରାୟେ |୨୪୨|

ଅଶୀପଦ୍ମ ସେନା ଘେନିଣ କୁମାର ଚିତ୍ରସେନ

ଚାରିଦିଗେ ଧାଇଂଲେ ଦିଗପାଳ ପୁତ୍ରମାନ |୨୪୩|

ମଉଷଧି ଆପ୍ୟାନେ ଅନଳ ତେଜ ରେଖା

ବ୍ରହ୍ମାଣ୍ଡେ ବ୍ୟାପିଲା ବହନିର ତେଜଶିଖା |୨୪୪|

ଗଙ୍ଗାକୂଳ ଦେଇଣ ଯେ ଧାଇଂଲେ କୁମରେ

ଦକ୍ଷିଣ ଭାଗ କତି ପଶିଲେ ତୋଟାରେ |୨୪୫|

ଗଙ୍ଗାରୁ ପାଣି ପୂରୋଇଂ ରତ୍ନ ଘଟେ

ପକାନ୍ତି ଅଗ୍ନିରେ ଯେ ମହା ମହା ବଳିଷ୍ଠେ |୨୪୬|

ରଖ ହୋ ଅର୍ଜୁନ ବୋଲି ଡାକିଲେ ବଶ୍ୟାନରେ

ଅର୍ଜୁନ ଶୁଣିଲା ତା ଥାଇଂ ଜଗତୀ ଉପରେ |୨୪୭|

ପବନା ଶହସ୍ରେକ ପେଷିଲା ଫାଲଗୁନି

ଉଡ଼ିଣ ବିଦ୍ୟାଧରେ ପଡ଼ିଲେ ଯୋଜନ ତିନି |୨୪୮|

ବାସବ ଦେବତାଙ୍କୁ ନାରଦ କହିଲେ

ପୁତ୍ରମାନେ ତୋହୋର ସମସ୍ତ ନାଶ ଗଲେ |୨୪୯|

ସୁଖେଣ ଅଗ୍ନି ଦହନ କରାଇ ଖାଣ୍ଡବ ଯେ ବନ

ଚାରି ମେଘନ୍ତ ରାଇ ଆଗ୍ୟାଂ ଦିଲେକ ମଘବାନ |୨୫୦|

ଆବର୍ତ୍ତେକ ସଂବର୍ତ୍ତେକ ଦ୍ରୋଣ ଯେ ପୁଷ୍କର

ଚାରି ମେଘେ ଯାଇଂ ବରଷିବ ଖାଣ୍ଡବ ବନ ତୋଟାର |୨୫୧|

ଆଗ୍ୟାଂ ପାଇଣ ମେଘ ମାନେ ଉଠିଲେକ ଗଳଗାଜି

ସମୁଦ୍ରୁଂ ପାଣି ତୋଳି ଆଣିଲେ ଦଣ୍ଡ ସାଜି |୨୫୨|

ଜମ୍ଵୁପଟଳ ପ୍ରାୟେକ ଉଠିଲେ ଚଉକତି

ଗର୍ଜନ ନାଦ କରି ମେଘେ ବରଷନ୍ତି |୨୫୩|

ଅଗ୍ନି ଡାକ ଦିଲେ ରଖ ହୋ ସର୍ବସାଚୀ

ମେଘେ ବରଷିଲେ ମୋହୋର କାର୍ଯ୍ୟ ନୋହିଲାକ କିଛି |୨୫୪|

ବଶ୍ୟାନରଙ୍କର ୟେସନେକ ବଚନ ଶୁଣିଣ ବୀର ଫାଲଗୁନି

କୋପଣେ ବୀର ପେଷିଲା ମନଭେଦୀ ନାରାଜ ଘେନି |୨୫୫|

ଅବିଚ୍ଛନେ ନାରାଜ ବିନ୍ଧିଲା ମହାବୀରା

ଖାଣ୍ଡବ ବନଯାକ ସବୁ କଲା ଶର ପୀଡା |୨୫୬|

ଉଣେଇଶ ସହସ୍ର ଯୋଜନ ସେ ଖାଣ୍ଡବ ନାମେ ବନ

ଶରେ ଶରେ ପୀଡ଼ା କରି ଛାଇଲା ଅରଜୁନ |୨୫୭|

ବେନି ତାଳ ବହଳ ଯେ ହୋଇଲା ଶରପୀଡ଼ା

ବରଷନ୍ତି ମେଘମାନେ ନ ଗଳନ୍ତି ଜଳଧାରା |୨୫୮|

ଉଣେଇଶ ସହସ୍ର ଯୋଜନ ଅଟଇ ଯେଉଂଣ ବନ

ବରଷନ୍ତି ମେଘମାନେ କରନ୍ତି ଗରଜନ |୨୫୯|

ୟେକାର୍ଣ୍ଣବ ହୋଇ ତହିଂ ବ୍ୟାପିଲେକ ସ୍ଵର୍ଗ

ପଞ୍ଚାଶତ ଯୋଜନ ଯେ ଶର ପୀଡ଼ାର ଉର୍ଚ୍ଛଗ |୨୬୦|

ଅଗ୍ନିର ତେଜ ଲାଗିଣ ସମସ୍ତ ତେଜ ବିନାଶଇ

ତୋଟାର ପାଚେରୀ ତହିଂକି ହେଇଛି ଗଡ଼ଖାଇ |୨୬୧|

ଯିବାକୁ ଜୀବଜନ୍ତୁ ତହିଂ ନୁହନ୍ତି ବାହାର

ଚଉକତି ବିରୋଧ କଲା ପଣ୍ଡୁର କୁମର |୨୬୨|

ବ୍ୟାଘ୍ର ଭଲ୍ଲୁକ ହାଥୀ ଘୋଡ଼ା ମଇଂଷି ଗଣ୍ଡା ଶାର୍ଦ୍ଦୋଳ

ପଳାଇ ନୁଆରିଲେ ୟେ ଜନ୍ତୁୟେ ଭକ୍ଷିଲା ଅନଳ |୨୬୩|

ମୃଗ ହରିଣ ବାହୁଟିଆ ଆଦି କରି

କୋକି ଭଲ୍ଲୁକ ଶୟେମ୍ଵର ବଳିଆ ତିତିରୀ |୨୬୪|

ବରେହା ଓଟ ଖୁରାଣ୍ଟି ଆବର ଖରିଆ

ଜମ୍ଵୁକୀ ଠେକୁଆ ଯେ କଟାଶ ଶାଳେହା |୨୬୫|

ଅନେକ ଶଶାମାନ ପାତିମର୍କଟ କୁମ୍ଭାଟୁଆ ମାର୍ଜାରୀ

ସୁରୁସୁରିଆ ଗୋଧି ମଜୁର କାକ ବକ ଆଦି କରି |୨୬୬|

ମର୍ପ ମଣ୍ଡୁକୀ ମୂଷିକ ଯେ କାଠପୋକ

ପଚ୍ଛୀଜନ୍ତୁମାନେ ତହିଂ ଅଛନ୍ତି ଅନେକ |୨୬୭|

ଶାରୀ ଶୁଆ କଙ୍କି ନେପାଳୀ ମୂଷା ପାଣିକୁଆ

କୁମ୍ଭାରିଆ ପୁଣ ବଣି କୋଠାର କାଠୋରିଆ |୨୬୮|

ବରକୋଳିଆ ଅନ୍ଧାରୁଆ ଦଳଫିମ୍ପା

ବଶ୍ୟାନର ସମସ୍ତ ଖାଉଛନ୍ତି ୟେକା |୨୬୯|

କାଦୁଆ ଚକୁଆ ଚକୋଇ ଚଢେଇ ଝିଙ୍କ ଯେ ମୟୂର

ବଡ ଝିଙ୍କ କେଶର-ପାଣ୍ଡିଆ ସାତଭାଇଆ କଙ୍କ |୨୭୦|

କୁକୁଟ ହରିହରିଆଳୀ ଆବର ପ୍ରଶୁତୂଳା

କେଶିଲା ଆମ୍ଵଲା ଗୁଞ୍ଜର ବାଦୁରୀ ଅମଳା |୨୭୧|

ଅୟେଂଳା – ଲାଡ଼ି ସମୁଦ୍ର- ନାଭ – ଦିଆ

ତେଜି ଜଳତରଙ୍ଗ ହେମକଣ୍ଠି ହସରାଳି ଗୋବରିୟା |୨୭୨|

କଟ୍ର କଟ୍ରା ସୁତରୁଣା ରାଜଝିଙ୍କ

ଗୁଣ୍ଡୁରି ଆଦି ଓଇଭାର କାଠଗୁମ୍ଫା କରତ ପୋକ |୨୭୩|

ଝଣ୍ଡା ଡାହୁକ ଅଥାରିଆ ଦଦୟିଆ ସୋରଡ଼ପାରିଆ

ବକ ଧୋଇୟା କୋଇୟା କୋଇଲି ଘାସୁରିଆ |୨୭୪|

ପାଂଜୋରୀ ପାରେୟା ହଂସ କରକଟ୍ରୀ ତ୍ରିକୂଟ ପାତି ଶୂଆ

ତାଳଚେରୀ ଶିକୋର ତେରେଣ୍ଠି କୋଳେୟା |୨୭୫|

କପୋତ- କପୋତୀ ଯେ କଳା ବଢିଣା

ଗୁଣ୍ଡୁରି – ଚିତି ତାଳକୋଳିଆ ଅୟେଂଳା ଲେଣ୍ଡି ବାଲୁଆ |୨୭୬|

ସାଙ୍ଗି ସାରଙ୍ଗୀ ଜତିଆ ଗୋଖୁଣ୍ଡିଆ କାମକା

କାମପାଳ ଫଳାନିଶା ପଖିଆ ଘୁରିୟା |୨୭୮|

ତେଣ୍ଟୁଆ – ତେଣ୍ଟେଇ ବାୟା ଚଟକିୟା କାର୍ତ୍ତିକୀ

ପଙ୍କଖାଇ ଚଢେଇ ଗଙ୍ଗାଇ ଡୁବାଇ ଆଦି ଯେତେ ପଶୁପକ୍ଷୀ |୨୭୯|

ଗରୁଡ଼ ପକ୍ଷୀ ଶଶାପକ୍ଷୀ ଗଜ ବିହଙ୍ଗମ ଆଦି କରି

ଖାଣ୍ଡବ ବନ ଦହନେ କେହି ନ ଗଲେ ଉବୁରି |୨୮୦|

ଦ୍ଵାର ବାଟେ ଯାଉଅଛି ପଚ୍ଛୀ ଗୋଟିୟେ

ଅଗ୍ନି ଡାକ ଦିଅନ୍ତି ବାବୁ ଗଲାଟି ଧନୁର୍ଜ୍ଜୟେ |୨୮୧|

ସେ ପଛୀକି ନାରାଜ ବିନ୍ଧଇ ଫାଲଗୁନି

ନେଇ ପକାଇଲେ କାଳାନଳ ଅଗ୍ନି |୨୮୨|

ଅବିକ୍ଷଣେ ନାରାଜ ଯେ ବିନ୍ଧଇ ସର୍ବସାଚୀ

ଅଗ୍ନି ଦେବତାଙ୍କର ଯେ ତ୍ରିପୁତି ମନବାଞ୍ଛି |୨୮୩|

ରାତ୍ର ଦିବସେ ବରଷିଲେ ମେଘମାନେ

ସମୋଦ୍ର ପ୍ରାୟେକ ହୋଇଲା ଜଳ – ଉଦ୍ୟାନେ |୨୮୪|

ନାନା ବୃକ୍ଷେ ହଦନ ହୋଉଛନ୍ତି ସମସ୍ତ

ବାହୁଡ଼ି ଯେ ମେଘମାନ କହିଲେ ଇନ୍ଦ୍ରଙ୍କ ଅଗ୍ରତ |୨୮୫|

ସ୍ଵାମୀ ଅଗ୍ନି ଦେବତାଙ୍କର ଦୋଷ ନାହିଂ କିଛି

ବୀରବର ଗୋଟିୟେ ଖାଣ୍ଡବ ବନ ଦହନ କରୁଅଛି |୨୮୬|

ଆମ୍ଭେ ବୃଷ୍ଟି ଗାଢ଼େଂ କଲୁଂ ଯେତେବେଳେ

ତୋଟାଯାକ ଶରପୀଟା କଲା ସେ ଗଗନ ମଣ୍ଡଳେ |୨୮୭|

ଦେବେ ଦାନବେ ତାହାର ଦେବ ଅସଂଖ୍ୟ ମହିମା

କି ସେ ନାରାୟଣ ସଦାଶିବ ବ୍ରହ୍ମା |୨୮୮|

ଇନ୍ଦ୍ର ଦେବତାୟେ ବୋଇଲେ କାହାର ମୁଂ ନୁହଇ ବଇରି

ୟେହି ଖାଣ୍ଡବ ବନ ତ ସବୁଙ୍କରି ହିତକାରୀ |୨୮୯|

ୟେତେକ ବିଚାରିଣ ଯେ ଦେବ ପୁରୁହୂତେ

ଶ୍ରୀଭୁଜେ ଅଜଙ୍ଗ ଧନୁ ଧରି ବିଜୟେ ଐରାବତେ |୨୯୦|

ଅମରଗଣମାନ ଘେନିଣ ସସ୍ରଯୋନି

ଅବଶ୍ୟ ମାରିବି ଯଦି ହୁଅନ୍ତି ଦିଗପାଳ ତିନି |୨୯୧|

ଅନେକ ମଉଷଧି ଅଗ୍ନି ଦେବତା ଆପ୍ୟାନ ଯେ କରି

ମନ୍ଦାଅଗ୍ନି ଲୁଦୁବୁଦୁ ବ୍ୟାଧି ଭଲ ହୋଇଲା ତାହାରି |୨୯୨|

ଅବିଚ୍ଛନ୍ନେ ରୂପ ଯେ ସହସ୍ରଧାର ରେଖା

ତିନି ଲକ୍ଷ ଯୋଜନ କୁ ବିକାଶଇ ଅଗ୍ନିଙ୍କର ଶିଖା |୨୯୩|

ଶରପୀଡ଼ା ଗୋଟା ଯେ ଆକାଶେ ଲାଗିଥିଲା

ମହାଅନଳ ଜାଳାରେ ଦହିଯ୍ୟ ହୋଇଲା |୨୯୪|

ତିନି ଲକ୍ଷ ଯୋଜନ ପରିଯନ୍ତେ ମହାଅନଳ ତେଜ

ସନ୍ନିଧକୁ ଯାଇ ନୁଆରିଲେ ଦେବରାଜ |୨୯୫|

ଅର୍ଜୁନ ବିଜେ କରି ଅଛନ୍ତି ଦକ୍ଷିଣ ଜଗତୀ

ଆକାଶେ ଥାଇଣ ତାହା ଦେଖିଲେ ସୁରପତି |୨୯୬|

ବାସବର ପୁତ୍ରମାନେ ପବନେ ଉଡୁଥିଲେ

ମଉଷଧି ଗନ୍ଧ ପାଇ ଚେତନା ପାଇଲେ |୨୯୭|

ପିତାର ସନ୍ନିଧେ ଯାଇଂ ହୋଇଲେ ପରବେଶ

ସ୍ଵାମୀ ୟେକା ଅର୍ଜୁନ ତୋର ତୋଟା କଲା ନାଶ |୨୯୮|

ବାସବ ବୋଇଲେ ହୋ ଜାଣି ତ ନୁଆରିଲି

ଅର୍ଜୁନ ଅବା ନ ଜାଣଇଂ ମୋହୋର ତୋଟା ବୋଲି |୨୯୯|

କେତୁ ମହାକେତୁ ପ୍ରଚଣ୍ଡ ବଳୀ ବୃଦ୍ଧାଶ୍ରବା

ୟେ ଚାରିନ୍ତ ରାଇ ଆଗ୍ୟାଂ ଦିଲେ ସୁରଦେବା |୩୦୦|

ଆରେ ଆରେ ତୁମ୍ଭେ ଅର୍ଜୁନର ଆଗରେ କହ ଯାଇଂ

ବୋଲିବ ପିତାର ତୋଟା ତୋର ଦହୁଛୁ କିସ ପାଇଂ |୩୦୧|

ବାସବର ଆଗ୍ୟାଂୟେ ସେ ବିଦ୍ୟାଧର ଚାରି

ଦକ୍ଷିଣ ଭାଗେ ଯାଇଂ ଅର୍ଜୁନକୁ ପୁଚ୍ଛା କରି |୩୦୨|

ବାବୁ ତୁ କିମ୍ପାଇରେ ଦହୁଅଛୁ ୟେ ଖାଣ୍ଡବ ବନ

ଆପଣେ ବିଜୟେ କରିଅଛନ୍ତି ମଘବାନ |୩୦୩|

ଅଗ୍ନି ଦେବତା ଅଟନ୍ତି ଯେ ଅଶାନ୍ତି ଅତ୍ରିପୁତି

ତୁ ଆଡ଼େହୁଅ ଆମ୍ଭେ ନିବାଉଂ ଅଗ୍ନି ଜ୍ୟୋତି |୩୦୪|

ବୋଲଇ ଫାଲଗୁନି ବାହୁଡ଼ନ୍ତୁ ପୁରୁହୂତେ

ମୋତେ ଦାନ ମାଗିଲା ଯେ ଅଗ୍ନି ଦଇବତେ |୩୦୫|

ୟେଥିରେ ପାଇଂ ସେ ମୋତେ ନ ବୋଲନ୍ତି ଦେବରାଜ

ନାସ୍ତି କଲେ ୟେଥି ପାଇବେ ବଡ଼ ଲାଜ |୩୦୬|

ୟେହା ଶୁଣି ବିଦ୍ୟାଧରେ ବୋଇଲେ ତୁ ଇନ୍ଦ୍ରରେ ବିବାଦୀ

ପୁତ୍ର ହୋଇ ନାଶ କରୁଅଛୁଂ ପିତାର ସମ୍ପ୍ରଧି |୩୦୭|

ଯଦ୍ୟପି କୋପ ତୋତେ କରିବେ ଦେବରାଜ

ୟେହିକ୍ଷଣି ଅର୍ଜୁନ ତୁ ଯେ ହୋଇବୁ ପ୍ରାଣତ୍ୟାଜ |୩୦୮|

ଅର୍ଜୁନ ବୋଇଲେ ତୁମ୍ଭେ ବେଳୁଂ ବେଳ କରୁଅଛ ଅଭାବ

ମୋହୋର ଦୋଷ ନାହିଂ ଟି ତୁମ୍ଭେ ଅଗ୍ନିପାନ ହୋଇବ |୩୦୯|

ମୁହିଂ ତୁମ୍ଭନ୍ତୁ ନ ଚିହ୍ନଇ ତୁମ୍ଭେ ପିତାର ହୁଅ କି କି

ଅଗ୍ନି ଦେବତା ମାଗିଲେ ମୁଂ ତୁମ୍ଭନ୍ତୁ ନ ପାରଇ ରଖି |୩୧୦|

ଶୁଣିଣ କୋପ କଲେ ବାସବ କୁମରେ

ମାନବ ଛାର ହୋଇତୁ ୟେଡ଼େ ଗର୍ବ କହୁ ରେ |୩୧୧|

କରେଣ ପରିଘ ଶହସ୍ରନ୍ତ କୋପେଣ ବୁଲାଇ

ଅର୍ଜୁନ ଉପରକୁ ପଡ଼ିଲେ ବେଗେ ଧାଇଂ |୩୧୨|

ଦେଖିଣ ହସନ୍ତି ଯେ ପାଣ୍ଡବ ଫାଲଗୁନି

କୋପେଣ ବିନ୍ଧିଲା ଯେ ଲାଘବ ଶସ୍ର ଘେନି |୩୧୩|

କାଳାନ୍ତକ ଶର ଯେ ଭେଦିଲେ ଦେହେ ଯାଇଂ

ଚାରି କୁମରେ ବାସବଙ୍କର ପଡ଼ିଲେ ନିମଞ୍ଜାଇ |୩୧୪|

ବାସବ ଅଗ୍ରତେ ଯାଇଂ ନାରଦେ କହିଲେ

ଅର୍ଜୁନ କୋପରେ ତୋହୋର ଚାରି ପୁତ୍ର ନାଶ ଗଲେ |୩୧୫|

ଶୁଣିଣ ବିଷାଦ ଯେ ହେଲେ ଦେବ ଆଖଣ୍ଡଳ

ଆଜ ରେ ପାଣ୍ଡବା ତୋହୋର ପୂରୋଇବି କାଳ |୩୧୬|

ଚମ୍ପାଇ ଚଳାଇଲା ଯେ ଅଇରାବ୍ରତ ନାଗ

ଅର୍ଜୁନ କତିରେ ଯାଇଂ ପ୍ରବେଶ ଅତି ବେଗ |୩୧୭|

ନନ୍ଦିଘୋଷ ରଥରୁ ଓହ୍ଲାଇ ଧର୍ନୁଜୟେ

ବାସବଙ୍କର ଚରଣେ ଭଗତି ବିନୟେ |୩୧୮|

ବାଞ୍ଛା ପ୍ରାପତ ହୋଉ ସର୍ବ କାର୍ଯ୍ୟ ହୋଉ ସିଦ୍ଧି

ଯାହା ବାଞ୍ଛା କରୁ ପ୍ରାପତ ବୋଲଇ ଜମ୍ଭୋଭେଦୀ |୩୧୯|

ଇନ୍ଦ୍ର କଲ୍ୟାଣ କଲେ ଅର୍ଜୁନକୁ ବହନ

ବାବୁ କିମ୍ପେ ଦହନ କରୁଛୁଂ ମୋହୋର ଖାଣ୍ଡବ ବନ |୩୨୦|

ବାବୁ ସତ୍ୟ ଯୁଗେ ବିଷ୍ଣୁ ପାଇଲେ ପ୍ରାଭବ

ଶବରୀନାରାୟଣ ହୋଇଲେ ଆଦିଦେବ |୩୨୧|

ଆକାଶଗଙ୍ଗା କୂଳେ ରଞ୍ଚିଲେ ମଧୁବନ

ୟେଥିରେ ରୋପିଲେ ଆଣି ଅପୂର୍ବ ବୃକ୍ଷମାନ |୩୨୨|

ବାବୁ ୟେହାନ୍ତ ଦହନ କରାଉଛୁଂ କେମନ୍ତେ

ତ୍ରିଦଶ ଦେବତାୟେ କୋପ କରିବେଟି ତୋତେ |୩୨୩|

ଆକାଶଗଙ୍ଗା କୂଳେ ଯେ ଖାଣ୍ଡବ ନାମେ ବନ

ଦେବତାଙ୍କ ତୀର୍ଥ ଯାତ୍ରା ଉଚ୍ଛବ ୟେହୁ ସ୍ଥାନ |୩୨୪|

ଅର୍ଜୁନ ବୋଇଲେ ଦେବ ଶୁଣ ସହସ୍ରାକ୍ଷ

ଅଗ୍ନି ଦେବତା ମୋତେ କରାଇଲେ ଦାନ ବାକ୍ୟ |୩୨୫|

କପଟେ ମାଗିଲେ ମୋତେ ବ୍ରାହ୍ମଣ ରୂପ ଧରି

କିସ ମାଗିବ ବୋଲି ମୁଂ ଜାଣି ସତ୍ୟ କଲି |୩୨୬|

ତଳ ହାଥେ ମାଗିଲେ ମୁଂ ଉପର ହାଥେ ଦାନ ଦିଲି

ୟେମନ୍ତ ବୋଲିଣ ଯେ ସତ୍ୟ ମୁହିଂ କଲି |୩୨୭|

ସତ୍ୟ କରାଇ ମୋତେ ମାଗିଲେ ଖାଣ୍ଡବ ବନ

ମୁହିଂ ନ ଜାଣଇ ୟେ ତୁମ୍ଭର ମଧୁବନ |୩୨୮|

କଷ୍ଟି ଦିଜବର ବୋଲି ସତ୍ୟ ମୁହିଂ କଲି

ଅଗ୍ନିଙ୍କର ଚରିତ ମୁହିଂ ଜାଣି ତ ନୁଆରିଲି |୩୨୯|

ବାସବ ବୋଇଲେ ତୁ ଯେବେ ସତ୍ୟ କଲୁ ବାଳ

ଖାଣ୍ଡବ ବନ ତୋତେ ମାଗିଲା ଅନଳ |୩୩୦|

ବାବୁ ବ୍ରାହ୍ମଣେ ହୋଇଲେ ୟେ ଅତୀୟ ବଡ଼ ଲୋଭୀ

ଯେ ୟେହାକୁ ଆହାର ଦିଅଇ ସେ ତାହାକୁ ପରାଭବି |୩୩୧|

ବାବୁ ଖାଇଲେ ଅତ୍ରିପୁତି ଦିଲେଣ ନ ସୁଝି

ପୃଥୀଯାକ ପାଇଲେ ସେ ଶାନ୍ତି ଯେ ନ ଭଜି |୩୩୨|

ବାବୁ ଧର୍ମେ ଅର୍ଥେ ଶ୍ଵେତ ରାଜା ଦେବ ଯାଗ୍ୟଂ କଲା

ଘୃତ ସମୋଦ୍ରଯାକ ଆଣି ଯାଗ୍ୟଂ କୁଣ୍ଡେ ବରଷିଲା |୩୩୩|

ଶତେକ ଯୋଜନ ଦୀର୍ଘ କୁଣ୍ଡର ସାରିକ୍ଷ

ପ୍ରତି ଶତେ ଯୋଜନ ଯେ ଅଟଇ ପ୍ରତକ୍ଷ |୩୩୪|

ଗଭୀର ଶତେ ଯୋଜନ ଯେ ଅଟଇ ପ୍ରମାଣ

ଯାଗ କୁଣ୍ଡ ୟେପରି ଯେ ଅଟଇ ଭିଆଣ |୩୩୫|

ମେଘନ୍ତ ଶ୍ରୋହା ପ୍ରୋକ୍ଷଣୀ କରି ବିଶିଷ୍ଟ ବରଷିଲା

ଲୋଭେଣ ଚାଣ୍ଡାଳ ମୋଢା ସମସ୍ତ ଭକ୍ଷିଲା |୩୩୬|

ଘୃତ ସମୋଦ୍ରଯାକ ଭକ୍ଷିଲା ସେ ଅଟେ ୟେଡ଼େ ଲୋଭୀ

ମନ୍ଦାଅଗ୍ନି ହୋଇଣ ସେ ବସିଲା ପରାଭବି |୩୩୭|

ମୋତେ ଆସିଣ ମାଗିଲା ଯେ ଅଗ୍ନିରାଜ ମଉଷଧି

ରାଗଣେ ବୋଇଲି ତୋର ନ ତୁଟଇ କିନା ବ୍ୟାଧି |୩୩୮|

ବ୍ରହ୍ମାଙ୍କ ବାବୁ ୟେ ସତ୍ୟଯୁଗେ ତୋଳାଇ ସେ ଯେ ଆଣିଲା ମୋର ତହିଂ

ତେବେ ବି ଖଣ୍ଡିୟେ ମଉଷଧି ନ ଦିଲଇଂ ମୁହିଂ |୩୩୯|

ତ୍ରେତୟା ଯୁଗେ ତୋଳାଇ ଆଣିଲା ଈଶ୍ଵରଙ୍କୁ

ତଥାପି ମଉଷଧି ନ ଦିଲଇଂ ତାହାକୁ |୩୪୦|

ଦ୍ଵାପରେ ଆଦିତ୍ୟ ଦେବତାଙ୍କୁ ତୋଳାଇ ଆଣିଲା

ତାହାଙ୍କ ବଚନ ମେଣ୍ଟିଲି ସେ ବାହୁଡ଼ିଣ ଗଲା |୩୪୧|

ଚନ୍ଦ୍ର ବରୁଣ କୁବେର ବୃହସ୍ପତି ଆଦି କରି

ଲାଜ ପାଇ ୟେମାନେ ଗଲେ କ ବାହୁଡ଼ି |୩୪୨|

ବାବୁ ୟେଡ଼େ କାଳେ ଆସି ତୋତେ ପାଇଲା ଭରସା

ପୁଣି ତୋତେ ଦାନ ମାଗି ପୂରୋଇଲା ମନୀଷା |୩୪୩|

ଇନ୍ଦ୍ର ଅର୍ଜୁନର କଥା ହୁଅନ୍ତେଣ ତହିଂ

ପଛୀମାନେ ପଳାବନ୍ତି କୋଳହଳ ହୋଇଂ |୩୪୪|

ଅଗ୍ନି ଡାକ ଦିଲେ ଶୁଣ ହୋ ସର୍ବସାଚୀ

ସତ୍ୟ ଅନ୍ତର ହୋଉଅଛିଟି ପଳାଉଛନ୍ତି ପଛୀ |୩୪୫|

ୟେକ କୀଟ ପତଙ୍ଗ ଗୋଟିୟେ ଯେବେ ଅନ୍ତର ହୋଇଯାଇଂ

ଦିଲାର ଧର୍ମ ତୋତେ ପ୍ରାପତ ନୋହଇ |୩୪୬|

ତୁହି ସେ ପାର୍ଥିବ ଭାରଥେ ଭାରୋଇ ମଲ୍ଲ

ପାଷାଣ ରେଖ ହୋଇବନା ୟେ ତୋହୋର ବୋଲ |୩୪୭|

ଅଗ୍ନିଦେବତାଙ୍କର ବିନୟ ବଚନ ଶୁଣି

ବିନ୍ଧିଲା ନାରାଜ ପାଥ ଗାଣ୍ଡୀମ ଧନୁ ଟାଣି |୩୪୮|

ଅନେକ ପଛୀ ଯେ ପଳାଇ ଯାଉଥିଲେ

ଅର୍ଜୁନର ଶରାଘାତରେ ସମସ୍ତେ ଅଗ୍ନିରେ ପଡ଼ିଲେ |୩୪୯|

ଇନ୍ଦ୍ର ବୋଇଲେ ତୁ ଦିଲୁ ଖାଇଲାତ ଅଗ୍ନି

ସଂକଳ୍ପ ପୂରିଲାତ ୟେବେ ଯାଅ ତୁ ଫାଲଗୁନି |୩୫୦|

ମୁହିଂ ଅଗ୍ନିଙ୍କି ଲିଭାଇବି ଶୁଣ ହୋ ଅରଜୁନ

ବାରଶତ ଯୋଜନ ତୋଟା ହୋଇଲାନି ଦହନ |୩୫୧|

ବୋଲଇ ଫାଲଗୁନି ଶୁଣିଲଟି କି ତାତ

ଚଢେଇ ଛାର ଗୋଟିକି ବୋଲଇ ୟେମନ୍ତ |୩୫୨|

ଭୋ ଅମରାଧିନାଥ ଚରଣେ ତୋର ସେବା

କଥା ନ ରୁହାଅ ସ୍ଵାମୀ ବାହୁଡ଼ି ୟେଥେଂ ଯିବା |୩୫୩|

ଐରାବତ ପିଠିରୁ ଉତୁରିଲେ ସୁନାଶୀର

ଅର୍ଜୁନ ହାତ ଧରି ପଶିଲେ ଖାଣ୍ଡବ ବନ ଭିତର |୩୫୪|

ବାବୁ ଯେବଣ ଯେବଣ ପଦାର୍ଥମାନ ହେଉଛି ଦହିଜ

ତାହା ତୋତେ ଚିହ୍ନାଇ ଦେବା ରେ ଆତ୍ମଜ |୩୫୫|

ଖାଣ୍ଡବ ବନରେ ଯେ ପଶିଲେ ଅମରାଧି

ପ୍ରଥମେ ଅର୍ଜୁନକୁ ଦେଖାଇଲେ ବିଷଲ୍ୟକରଣୀ ମଉଷଧି |୩୫୬|

ବାବୁ ରାମ ରାବଣ ଯୁଦ୍ଧ ହୋଇଲା ତ୍ରେତୟା ଯୁଗରେ

ଲକ୍ଷ୍ମଣକୁ ରାବଣ ମାଇଲା ବ୍ରହ୍ମଶକ୍ତି ଶରେ |୩୫୭|

ପଚିଶ ଯୂଥପତି ପଞ୍ଚଶପଦ୍ମ ସେନା

ଅଷ୍ଟାଦଶ ପଦ୍ମ ବାନର ପଡ଼ିଲେ ସନ୍ୟ ଅକଳନା |୩୫୮|

ବାବୁ ପତ୍ର ଗୋଟିୟେ ଆସି ୟେଥୁଂ ହନୁମନ୍ତ ନେଲେ

ପବନ ଆଡ଼େ ପତ୍ର ଗଳିଲେ ସମସ୍ତେ ଜୀବନ ପାଇଲେ |୩୫୯|

ବାବୁ ଲକ୍ଷେ ଶିର ରାବଣ ଯେ ଉପୁଜିଲା

ଶୂଳ ଶକତି ଘେନି ସେ ଲକ୍ଷ୍ମଣକୁ ମାଇଲା |୩୬୦|

ଅନେକ ରୁକ୍ଷ ହରିବଳ ଘେନି ପଡ଼ିଲା ଲକ୍ଷ୍ମଣ

ହନୁମନ୍ତ ପଶିଲା ଆସି ୟେହି ତୋଟାୟେଣ |୩୬୧|

ବିଷଲ୍ୟକରଣୀ ମଉଷଧି ୟେହି ବୃକ୍ଷ ଗୋଟି

ତାର ମୂଳୁଂ ହନୁ ନେଲା ଶିକଡ଼ ପାଣି ଫୁଟି |୩୬୨|

କୋମଣ୍ଡଳୁଂ ପାଣି ନେଇ ସିଞ୍ଚିଲା ତଡ଼ତି

ପଞ୍ଚାଶ କାଠି ସନ୍ୟ ଘେନି ଲକ୍ଷ୍ମଣ ଉଠି ବ୍ରତି |୩୬୩|

ବାବୁ ପ୍ରଳୟ ଅନ୍ତେ ରାବାୟଣେକ ହୋଇଲା

ଅହିବ୍ରତେକ ଶିର ହୋଇ ରାବଣେକ ଉପୁଜିଲା |୩୬୪|

ଲକ୍ଷ୍ମଣକୁ ମଆଲା ଯେ ଅମୋହ ଶକତି

ସେ ଶର ବାଜି ଲକ୍ଷ୍ମଣ ଯେ ପଡ଼ିଲାକ କ୍ଷିତି |୩୬୫|

ମଉଷଧି ନେମାକୁ ହନୁ ୟେଥକୁ ଅଇଲା

ୟେହୁ ମଉଷଧି ନିଅନ୍ତେ ଲକ୍ଷ୍ମଣ ବ୍ରତିଲା |୩୬୬|

ଆବର ଆସୁ ବାବୁ ଦୋଖାଇ ବାସୁ ବୃକ୍ଷ ଗୋଟିୟେ

ମୃତୁସଞ୍ଜୀବନୀୟେ ବୃକ୍ଷର ନାମ ହୋୟେ |୩୬୭|

ବାବୁ ହନୁମନ୍ତ ୟେଥୁ ପୁଷ୍ୟ ଗୋଟିୟେକ ନେଲା

ସବୁଙ୍କର ନାଶାପୁଟେ ନେଇଣ ସୁଂଘାଇଲା |୩୬୮|

ସେ ରାମର ବଳ ସବୁହିଂ ଜୀଇଂଲେ

ରାମର ଆଗ୍ୟାଂରେ ହନୁମନ୍ତ ପୁଷ୍ୟ ଥୋଇଗଲେ |୩୬୯|

ସେହିମତି ଅଛି ସେ ଯେ ଅମଳାନ ପୁଷ୍ୟ ଗୋଟି

ଗନ୍ଧ ଆମୋଦନ୍ତେ ସମସ୍ତେହେଂ ସନ୍ୟ ବ୍ରତି ଉଠି |୩୭୦|

ବାବୁ ପ୍ରଳୟ ଅନ୍ତରେ ରାବାୟଣେକ ହୋଇଲା

ସହଶ୍ରେ ଶିର ହୋଇ ରାବଣେକ ଉପୁଜିଲା |୩୭୧|

ରାବଣେକ ହୋଇ କରଇ ଅନୀତି

ଶ୍ରୀରାମ ସୀତା ଲକ୍ଷ୍ମଣ ମଞ୍ଚେଣ ଉତପତି |୩୭୨|

ସହଶ୍ରେ ଶିର ରାବଣ ପୁଣ ହରିନେଲା ସୀତା

ରାବଣ ତୁଲେ ଯୁଦ୍ଧ କଲେ ଲକ୍ଷ୍ଣଣ ରଘୁନାଥା |୩୭୩|

ରାବଣ ଲକ୍ଷ୍ଣଣକୁ ମାଇଲା ବ୍ରହ୍ମଶକତି

ବାନର ବଳ ପଡ଼ିଲେ ଯୋଜନେକ ପ୍ରତି |୩୭୪|

ପୁଣି ହନୁମନ୍ତ ମଉଷଧି ନେମାକୁ ଅଇଲା ୟେଥକୁ

ଶ୍ରୀରାମର ଦୂତ ବୋଲି ଚିହ୍ନିଥାଉ ତାଙ୍କୁ |୩୭୫|

ଆବର ଦେଖାଇଲେ ସାମାନ୍ୟ ବୃକ୍ଷ ଗୋଟି

ପ୍ରାଣତାରଣ ବୋଲି ୟେ ବୃକ୍ଷ ନାମ ହେଟି |୩୭୬|

ବାବୁ ହନୁମନ୍ତ ୟେଥୁଂ ଛେଲି ଖଣ୍ଡିୟେ ନେଲା

ବାଟି ଲଗାବନ୍ତେ ଲକ୍ଷ୍ମଣ ଉଠିଣ ବସିଲା |୩୭୭|

ୟେ ମଉଷଧିମାନଙ୍କର ୟେସନ ମହିମା

ଯେତେ ଦୂରେ ପବନ ଲାଗଇ ରୋଗ ବ୍ୟାଧି ନ ପାରଇ ସିନା |୩୭୮|

ବାବୁ ବୃଦ୍ଧନାଶେନୀ ବୋଲି ୟେକ ବୃକ୍ଷ ଗୋଟିୟେ

ପାଚିଲା କେଶ କଞ୍ଚା ହୋଅଇ ୟେଥୁଂ ପିଇଲେ ପାଣି ଫୁଟିୟେ |୩୭୯|

ବାବୁ ରୋଗ ନାଶିନୀ ବୋଲି ୟେ ବୃକ୍ଷ ମଉଷଧି

ୟେଥୁଂ ପାଣି ପିଇଲେ ତୁଟଇ ବାତପିତ ଶଳିସମା ନାନା ବ୍ୟାଧି |୩୮୦|

ବାବୁ ଯୁଗନାଶନ ବୋଲି ୟେହୁ ବୃକ୍ଷ ଗୋଟି

ସ୍ନାହାନ କରି ପାଣି ପିଇବ ପାଣି ଫୁଟି |୩୮୧|

ଶରୀର ନୋହିବ ୟେ ପକ୍ଵ ଗଳିତଇ

ୟେକା ଯୋଗେ ପାନ କଲେ ଚାରିଯୁଗେ ବ୍ରତଇ |୩୮୨|

ବାବୁ ୟେ ବୃକ୍ଷ ଗୋଟି ଯେ ସନ୍ତାନ ଉଦ୍ୟାନ

ୟେଥୁଂ ଫଳ ଗୋଟିୟେ ଭକ୍ଷିବ ତୁଳ ସଂକରାନ୍ତି ଦିନ |୩୮୩|

କାମଦେବ ପ୍ରାୟେ ଉପୁଜିବ ପୁତ୍ର

ଅପୁତ୍ରିକ ଜନ୍ମ ଫିଟଇ ଜନ୍ମ ସାତ |୩୮୪|

ବାବୁ କ୍ଳେଶନାଶନ ୟେକ ବୃକ୍ଷ ଗୋଟି

ଶରୀରେ ଲେପନ କରିବ ୟେଥିରେ ମୂଳ ବାଟି |୩୮୫|

ଜନ୍ମେ ଜନ୍ମେ ନୋହଇ ସେ ଗର୍ଭ କଷ୍ଟି

ୟେଥିର ପାଣି ପିଇଲେ ହୁଅଇ ପୁତ୍ର ଗୋଟି |୩୮୬|

ଗଳିତ କୋଷ୍ଠ ବ୍ୟାଧି ଯାୟେ ୟେହାର ପ୍ରସାଦେ ଫିଟି

ନାନା ରୋଗ ନାଶଇ ୟେଥିରେ ଖାଇଲେ ବକଳ ଗୋଟି |୩୮୭|

କଣୟବିନ୍ଦୁ ବୋଲି ୟେକଇ ବୃକ୍ଷ ଗୋଟି

ଶତେ ଭାର ନିତ୍ୟେ ତହିଂ କନକ ପୁଷ୍ୟ ଫୁଟି |୩୮୮|

ବାବୁ ଅନଳ ଅମୃତ ବୋଲି ବୃକ୍ଷଙ୍କର ନାମ

ଅନେଳ ନ ପୋଡଇ ୟେହା ଶରୀରେ କଲେ ଲେପନ |୩୮୯|

ବାବୁ ବାଳତରୁଣ ବୋଲି କରି ୟେକ ବୃକ୍ଷ ଗୋଟିୟେ

ଅକ୍ଷୟ ତୃତୀୟା ଦିନ ଭକ୍ଷିବ ପତ୍ର ଗୋଟିୟେ |୩୯୦|

ମନୁର ପରିଯନ୍ତେ ଶରୀର ଗୋଟି ଥାଇ

ପଚିଶ ବରଷ ପ୍ରାୟେ ସେ ପୁରୁଷ ଦିଶଇ |୩୯୧|

ବାବୁ ମୋହନ ବୋଲି କରି ୟେକ ଲତା ଗୋଟି

କ୍ଷୀର ଖଣ୍ଡିୟେ ୟେଥୁଂ କପାଳେ ଦେବା ଫୁଟି |୩୯୨|

ଗମନ୍ତେ ଶୁଭଯୋଗ ଚାଲନ୍ତେଣ ସୋହଇ

ଦେବ ଦାନବନ୍ତ ଆଦି କରି ସମସ୍ତ ମୋହି ପାଇ |୩୯୩|

ବାବୁ ବିନ୍ଦୁଧାରଣ ବୋଲି କରି ୟେକ ବୃକ୍ଷ ଗୋଟି

ଶିଖଡ଼ ଖଣ୍ଡିୟେ ୟେଥୁଂ କରିବା ବିଦ ଗୋଟି |୩୯୪|

ସହସ୍ରେ ଯୁବତୀ ବାବୁ ରମଣ କରିବ

ସେ ପୁରୁଷ ତହୁଂ ଅମୋହ ରେତ ନ ଖସିବ |୩୯୫|

ବାବୁ ୟେ ବୃକ୍ଷ ଗୋଟି ଯେ କାମିନୀବସନ୍ତ

ସ୍ତିରୀଜନମାନଙ୍କୁ ୟେ ବଡ଼ାଇ ପଦାର୍ଥ |୩୯୬|

ୟେଥିରୁଂ କ୍ଷୀର ଟୋପିୟେ ନାରୀ ଲଗାଇବେ କପାଳେ

ଯୁବା ପୁରୁଷକୁ ବଶ କରିବ ବୃଦ୍ଧକାଳେ |୩୯୭|

ବାବୁ ଉଦ୍ଦାଳେକ ବୋଲି ଯେ ୟେକ ବୃକ୍ଷ ଗୋଟିୟେ

ରାତ୍ରକାଳେ ଫୁଟଇ ୟେକା ପୁଷ୍ୟ ଗୋଟିୟେ |୩୯୮|

ସେ ପୁଷ୍ୟ ଦିଶଇ ଯେ ବାଳ ଅର୍କ ପ୍ରାୟେ

ରାତ୍ରକାଳେ ଦିଶଇ ଦିବସର ପ୍ରାୟେ |୩୯୯|

ଅର୍ଜୁନର ହାଥ ଧରି ଦେଖାନ୍ତି ଆଖଣ୍ଡଳ

ଦେବତାୟେ ତପ କରନ୍ତି ୟେ ଅମଳାନ ବୃକ୍ଷର ତଳ |୪୦୦|

ବାବୁ ସିଦ୍ଧକଳ୍ପ ବୋଲି ୟେକ ବୃକ୍ଷ ଗୋଟିୟେ

ତୁଳ ସଂକରାନ୍ତି ଦିନ ୟେଥୁଂ ପିଇବା ପାଣି ଫୁଟିୟେ |୪୦୧|

ସମ୍ଵକ୍ଷର ପରିଯନ୍ତେ ନ ଲାଗଇ କ୍ଷୁଧା

ଭୋକ ଶୋକ ମୂତ୍ର ମଳ ବ୍ୟାଧି ନ ଲାଗଇ ବାଧା |୪୦୨|

ଆରେ ବାବୁ ଅର୍ଜୁନ ଦହନ କରାଇଲୁ ୟେହୁ ବନ

ଦେବତାଙ୍କର ଅଶ୍ରଦ୍ଧା ତୋତେ ହୋଇବ ଅର୍ଜୁନ |୪୦୩|

ବାବୁ ଯେତେକ ଦହନ ହୋଇବାର ତ ହୋଇଲା

ଅଗ୍ନି ଦେବତାଙ୍କର ମନ୍ଦାଅଗ୍ନି ପାରଗଲା |୪୦୪|

ତୁ ୟେବେ ୟେଥୁଂ ଅନ୍ତର ହୋଇ ଯାଅ ଫାଲଗୁନି

ମୁହିଂ ଲିଭାଇବି ଆଉ ବନ ନ ଧସୁଂ ବହନି |୪୦୫|

ବାବୁରେ ଅଶୀ ଲକ୍ଷ ବୃକ୍ଷ ୟେଥି ଅଛଇ ଚନ୍ଦନ

ତିନି ମର୍ଭୁତ ଅଛଇ ଅଗର ହାଦେ ପୁଣ |୪୦୬|

ବାବୁ କସ୍ତୁରୀ ଜୁଆଦ ଅନେକ ଛନ୍ତି ଜୀବ

ୟେମାନ ଅଛି ରେ ବାବୁ ଜାଣ ଦଶ ଖର୍ବ |୪୦୭|

ଅର୍ଜୁନ ପ୍ରଣପତ୍ୟ ହୋଇଲା ବାସବର ବୋଲ ଶୁଣି

ସ୍ଵାମୀ ବଧିର ଶୁଣଇ କି କମ୍ଵୁରସ ବାଣୀ |୪୦୮|

ଭୋ ଦେବ ମୋହୋର ବେଳେ ନୁହଇ କିଛି କାର୍ଯ୍ୟ

ଅଗ୍ନି ଦେବତାଙ୍କୁ ଯାଇଂ ତୁସ୍ତି କରିବା ଦେବରାଜ |୪୦୯|

ଅର୍ଜୁନକୁ ଘେନି ଯେ ଚଳନ୍ତି ମଘବା

ଦେଖିଲେ ଅଗ୍ନିର ତେଜ ଦିଶଇ ଦିବ୍ୟ ପ୍ରଭା |୪୧୦|

ଅନେକ ମଉଷଧି ଅନେକ ପଦାର୍ଥ ଖାଇ

କାଳାନଳ ବହନି ଯେ ପଡୁଅଛି ଧାଇଂ |୪୧୧|

ଅଗ୍ନିର ତେଜ ଯହୁଂ ଅନେକ ଦେଖିଲେ

ଇନ୍ଦ୍ର ଦେବତା ପ୍ରଣପତ୍ୟ ହୋଇଣ ସୁତିଲେ |୪୧୨|

ଜୟ ତୁ ଜୟ ତୁ ବଶ୍ୟାନର କାଳାନଳ ଅନଳ

ଜୟ ତୁ ଜୟ ତୁ ଦେବ ମହା ପିଙ୍ଗଳ ଜାଳ |୪୧୩|

ଜୟ ତୁ ଜୟ ତୁ ଦେବ ମହା ଭୀଷ୍ମରୂପୀ

ଜୟ ତୁ ଜୟ ତୁ ଦେବ ମହା ବିଶ୍ଵବ୍ୟାପୀ |୪୧୪|

ଜୟ ତୁ ଜୟ ତୁ ଦେବ ମହା ଜ୍ୟୋତି ଅନଳ

ଜୟ ତୁ ଜୟ ତୁ ଦେବ ଦହନ ସୟଳ |୪୧୫|

ଜୟ ତୁ ଜୟ ତୁ ଦେବ ଅଶାନ୍ତି ଅମୂର୍ତ୍ତି

ଜୟ ତୁ ଜୟ ତୁ ଦେବ ଉପନ ହସ୍ତ ଜ୍ୟୋତି |୪୧୬|

ଜୟ ତୁ ଜୟ ତୁ ବଶ୍ୟାନର ଅଟୁ କାମରୂପୀ

ଜୟ ତୁ ଜୟ ତୁ ନୁହସି ବଡ କୋପୀ |୪୧୭|

ଜୟ ତୁ ଜୟ ତୁ ଦେବ ସକଳ ପୁରେ ପଶୁ

ଥାପିତ ଦ୍ରବ୍ୟନ୍ତ ତୁହି ସେ କରୁ ଧୂଳି ପାଶୁଂ |୪୧୮|

ଦେବ ଦାନବେ ଯେ ମାନବ ଆଦି କରି

ତୋହୋର ଉତିଷ୍ଠ ଦେବ ଆହାର ସବୁଙ୍କରି |୪୧୯|

ଆଦି କର୍ମେଣ ଯେ ଥାପିତ ଦେବ ତୁହି

ଯେ ତୋତେ ଥାପଇ ତାହାକୁ ତୁହି ମୋହି |୪୨୦|

ଦକ୍ଷ ଯାଗ୍ୟଂ କଲା ଦେଖିଲା ତୋହୋର ତେଜ ମୃତ୍ତି

ଡରେଣ ସ୍ଵାହା ସ୍ଵଧା କନ୍ୟା ତୋତେ ଦିଲା ପ୍ରଜାପତି |୪୨୧|

ୟେମନ୍ତେ ପାର ଯେ ନ ଗଲା ଯାଗ୍ୟଂକାଳେ

ଉମାର ଝିଂଘାସେ ଯେ ଧଂସିଲୁ ସୁଢ଼ଳେ |୪୨୨|

କୋପେଣ ପ୍ରଜାପତି ଯେ ଦିଲା ତୋତେ ଶାପ୍ୟ

ଯାଅ ତୁ ଖାର ପାଉଂଶରେ ହୋଇଥାଅ ଗୋପ୍ୟ |୪୨୩|

ଚିତା ଅନଳେ ତୁହି ସେ ପ୍ରାଣ ତେଜ

ଅଖାଇଜ ଖାଇଜ ସବୁ କର ତୁ ଦହିଜ୍ୟ |୪୨୪|

ସ୍ଵାହା ସ୍ଵଧା ବାକ୍ୟମାନ ସମାଧି ଜପମନ୍ତ୍ର

ୟେ କଥାମାନ ତୁହି ବିଚାରୁ ତଦନ୍ତ |୪୨୫|

ବଶ୍ୟାନର ନାଥ ତୁ ଅଭୟେ ଦୋହୋରା

ସମସ୍ତ ଦହନ ନାଥ ତୁହି ସେ ୟେକ ଶୂରା |୪୨୬|

ଶୁଭ ଅଶୁଭେ ଅଭୟ ମଙ୍ଗଳ ତୁହି ନାଥା

ଗ୍ୟାନ ଧ୍ୟାନ ଦେବ ସକଳ ତୁହି ଚିନ୍ତା |୪୨୭|

ଆଦି ଅନାଦି ତୁ ଅକ୍ଷୟାନ୍ତ ପୁରୁଷ

ସକଳ ଦହିଜ କରୁ ସକଳ ଗର୍ଭେ ବାସ |୪୨୮|

ପରମ ବ୍ରହ୍ମ ତୁ ଅଟୁସି ଅନାଦି

ସକଳ ଦର୍ପ ଧଂସିବାକୁ ତୁହି ସେ ଅଟୁ ଆଦି |୪୨୯|

ଅପାର ଆହାରେଣ ଦି’ ଗୁଣ ତୋର ଜ୍ୟୋତି

ଅନୁବ୍ରତେ ଭୋଜନେ ଅଶାନ୍ତି ଅତ୍ରିପୁତି |୪୩୦|

ସ୍ଵାହାର ବଲ୍ଲଭ ତୁ ସ୍ଵଧାର ପ୍ରାଣଗୁରୁ

ବଦନ୍ତି ସାରୋଳ ଦାସ ବଶ୍ୟାନର ଦୟାକରୁ |୪୩୧|

ଅନେକ ତୁସ୍ତି ଯେ କଲେ ଆଖଣ୍ଡଳେ

ପ୍ରଣପତ୍ୟ ହୋଇଲେ ଅଗ୍ନିର ପାଦତଳେ |୪୩୨|। ୧୦୩୯ ।|

 

ଇନ୍ଦ୍ର ଅର୍ଜୁନ ଯୁଦ୍ଧ

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ସେ କାଳାନଳ ଦେବତା ନୋହିଲାକ ଶାନ୍ତି |୧|

ଦିଗୁଣ ତେଜେ ବ୍ୟାପିଲା ସେ ମଉଷଧିର ଆପ୍ୟାନେ

ଭୟ କରି ଘୁଞ୍ଚି ପଳାଇଲେ ମଘବାନେ |୨|

ଅଗ୍ନିରୁ ଅଶାନ୍ତି ଦେଖି କୋପ କଲେ ମଘବାନ

ବ୍ରହ୍ମ ଦଇବତ ପୁରୁଷ ହୋଇ ତୋର ଅଶାନ୍ତି ୟେସନ |୩|

ମୋହୋର ବିନୟ ଯେବେ ନ ଘେନିଲୁ ଭଗତି

ଆବର କାହା ବୋଲେ ତୁହି ହୋଇବୁ ଶାନ୍ତ ମୂର୍ତ୍ତି |୪|

ମୋହୋର ଶାପ୍ୟ ତୋତେ ପ୍ରତକ୍ଷେଣ ହୋଉ

ଦାରିଦ୍ର୍ୟ ପଣେ ତୋର ସର୍ବଦା ଦିନ ଯାଉ |୫|

ୟେଡ଼େ ବୋଲି ବାହୁଡ଼ିଲେ ଦେବ ପୁରନ୍ଦର

ଅର୍ଜୁନର ମୁଖ ଚାହିଂ ବୋଲନ୍ତି କୋପଭର |୬|

ଆରେ ଆରେ ଅଗ୍ନି ଛାରବେଳେ କି ମୋହୋର ତୋଟା ହୋୟେ ଧଂସି

ତିନି ଯୁଗ ହୋଇଲା ଲୁଦୁବୁଦୁ ବ୍ୟାଧି ହୋଇଅଛି ବସି |୭|

ଆରେ ତୁ ଯେ ଯଥାର୍ଥେ ଅଟୁନା ମୋହୋର ବଇରି

ତୁ ସେ ନାଶକଲୁ ମୋର ଆକାଶର ଶିରୀ |୮|

ୟେହିକ୍ଷଣି ତୁ ରେ ଆଡ଼େ ହୋଇଗଲେ

ନିମିଷକେ ଅଗ୍ନି ଲିଭାଇବି ମେଘନ୍ତ ବୋଇଲେ |୯|

ତୋହୋର ମୁଖ ଚାହିଂ ସରିଲା ମୋର ବୁଦ୍ଧି

କହୁଂ କହୁଂ କୋପ ଯେ ବଢିଲା ଜମ୍ଭୋଭେଦୀ |୧୦|

ଆରେ ପୁତ୍ର ହୋଇ ୟେଡ଼େ ବଡ଼ ଦୁଷ୍ଟପଣ କଲେ

ପାତକ ନ ଲାଗଇ ସେ ପୁତ୍ରନ୍ତ ନାଶ କଲେ |୧୧|

ବାସବର ବଚନେ ବୋଲଇ ଧର୍ନୁଜୟେ

ବୁଦ୍ଧି ହରାଇଲେ ତାତ ଆବର କିସ ଯେ ଉପାୟେ |୧୨|

କୋପେଣ କାଳାନଳ ହେଲେ ଦେବ ଆଖଣ୍ଡଳ

ଆଜ ରେ ପାଣ୍ଡବା ତୋର ପୂରିଲାନି କାଳ |୧୩|

ହସ୍ତେଣ ଘେନିଛନ୍ତି ବଜ୍ର ମୁଦୁଗର

ରାଗେଣ ନେଇ ପିଟିଲେ ପାଥର ଉପର |୧୪|

ଶତ୍ରୁପଣ ଯେବେ ତୁହି କଲୁରେ ଫାଲଗୁନି

ତୋତେ ନାଶ କଲେ ସେ ନିଭାଇବି ବହନି |୧୫|

ଅଗ୍ନି ଦେବତାୟେ ଅର୍ଜୁନକୁ ଦେଇଛନ୍ତି ବଜ୍ର ମୁଦୁଗର ଗୋଟି

ବାସବର ବଜ୍ର ଅର୍ଜୁନର ଦେହେ ପଡ଼ିଗଲା ତୁଟି |୧୬|

କୋପେଣ ପ୍ରଜ୍ଵଳିତ ହୋଇ ଅମରାଧିନାଥେ

ତକ୍ଷଣେ ଅଜଙ୍ଗ ଧନୁ ଇନ୍ଦ୍ର ଯେ ଧଇଲେ ବାମ ହାଥେ |୧୭|

ଲକ୍ଷେକ ନାରାଜ ବାସବ ଗୁଣରେ ବସାଇ

ଅର୍ଜୁନ ଉପରକୁ ଦେବ ବିନ୍ଧିଲେ ନିଠାଇ |୧୮|

ଅବିଚ୍ଛନ୍ନେ ବାଣ ଯେ ପଡ଼ଇ ଅର୍ଜୁନ ଉପର

ବଜ୍ରଘୋଟ ସ୍ନେହାରେ ପଡି ସମସ୍ତେ ହୋଇଲେ ଚୂର |୧୯|

ଅର୍ଜୁନ ନାମ ଧରି ଡାକ ଦିଲେ ବଶ୍ୟାନରେ

ବାବୁ ସର୍ପମାନେ ପଶୁଛନ୍ତି ବିମ୍ଵର ଭିତରେ |୨୦|

ଇନ୍ଦ୍ରେଣ ସମର ଯେ କରଇ ଫାଲଗୁନି

ଭୂମିକି ବିନ୍ଧିଲା ବୀର ନାରାଜ ଲକ୍ଷେ ତିନି |୨୧|

ସର୍ପ ମଣ୍ଡୁକୀ ଇନ୍ଦୁରେ ଯେ ବିମ୍ଵରେ ପଶୁଥିଲେ

ଅର୍ଜୁନ ଶରଘାତେ ଅଗ୍ନିରେଣ ସମସ୍ତେ ଛିଡ଼ିଣ ପଡିଲେ |୨୨|

ଅନିର୍ଯ୍ୟାପ ଶହସ୍ର ମାଇଲେ ପୁରନ୍ଦର

ଅର୍ଜୁନ ବୋଇଲା ତାତ ନ କର ସମର |୨୩|

ପିତା ପୁତ୍ରେ କି ସମର ବେଳେକ ଯାଅ ଘୁଞ୍ଚି

ତୋଟା ଧଂସ ଗଲାନି ଆବର କିସ କାର୍ଯ୍ୟ ଅଛି |୨୪|

ବାସବ ବୋଇଲେ ରେ ତୋତେ ନାଶ କଲେ

ଖାଣ୍ଡବ ବନର ଦୁଖ ପାଶୋରିବି ଭଲେ |୨୫|

ଆକ୍ରେଷିଣ ଧନୁ ଧଇଲେ ମଘବା

ପରଶୁ କୋଠାର ଯେ ମାଇଲେ ଇନ୍ଦ୍ରଦେବା |୨୬|

ଅର୍ଜୁନ ସାକ୍ଷୀ କରଇ ଦଶଦିଗପାଳମାନଙ୍କୁ

ପିତା ବଧ ଦୋଷ ହାଦେ ନ ଲାଗଇଟି ମୁକୁ |୨୭|

ୟେତେକ ବୋଲିଣ ସେ ଯେ ବାସବର ବଳା

ଗାଣ୍ଡୀମ ଧନୁ ଧରିଣ ସେ ତେଜ ଅନର୍ଗଳା |୨୮|

ମୋହନା ଶର ତାକୁ ଦେଇଅଛନ୍ତି ବହନି

ଆକ୍ରେଷି ବିନ୍ଧିଲା ତାହା ସେ ବୀର ଫାଲଗୁନି |୨୯|

ବାସବର ତୁଲେ ଅନେକ ଗର୍ନ୍ଧବ ଯେ ଥିଲେ

ମୋହନା ଶରଘାତେ ସମସ୍ତେ ନିମଜ୍ଜିଲେ |୩୦|

ପଡ଼ିଲେ ଗନ୍ଧର୍ବବଳ ଗଙ୍ଗାକୂଳ ମାଡ଼ି

ତାହା ଦେଖି ବାସବ ଦେବତା ବିନ୍ଧିଲେ ଓପ୍ରୋଧ ଛାଡ଼ି |୩୧|

କୃତାନ୍ତେକ ଶର ଘେନିଣ ଦେବରାୟେ

ମହା ଭୀଷ୍ମ ରୂପେ ଭେଦିଲେ ଯେ ଅର୍ଜୁନର କାୟେ |୩୨|

କାଳମେଘ ପ୍ରାୟେ ଦିଶନ୍ତି ସସ୍ରଯୋନି

ବ୍ରହ୍ମାଣ୍ଡେ ଅନ୍ଧାର ହୋଇଲା ସେ କାଳକୃତାନ୍ତକ ତେଜମୂର୍ତ୍ତି ଘେନି |୩୩|

ଦେଖିଣ ବିଚାର କରଇ ବୀର ଫାଲଗୁନି

ସାଧୁ ମହିମା ତାତ ତୁମ୍ଭର ଅଟଇ ଧନି ଧନି |୩୪|

ସୂର୍ଯ୍ୟାବ୍ରତେକ ଶର ମାଇଲା ସର୍ବସାଚୀ

ବାସବର ଶରୀର ବିକୋତିଲା ବିବତ୍ସି |୩୫|

ବାସବ ଦେବତାକୁ ତ୍ରାସ ଲାଗିଲା ତାହା ଦେଖି

ପୃଥୀଭେଦି ଶର ମାଇଲା ବାସବ ଓପ୍ରୋଧ ଉପେଖି |୩୬|

ୟେକା ଶହସ୍ର ଭେଦିଲା ଶୂନ୍ୟ ଭୁବନଯାକେ

ଅର୍ଜୁନହିଂ ସାମରଥ ରହିବାକୁ ୟେକେ |୩୭|

କୋପେଣ ନାରାଜ ଯେ ବିନ୍ଧଇ ଅର୍ଜୁନ

ପଶୁପତ୍ର ଶର ପାଥ କଲାକ ସନ୍ଧାନ |୩୮|

ଉଡ଼ଇ ନାରାଜ ଯେ ବିଜୁଳି ତେଜ ଜାଣି

ବାସବର ଶରମାନ ଛେଦଇ ବୀର ମଣି |୩୯|

ଦେଖିଣ ପ୍ରଜ୍ଵଳିତ ହୋଇଲେ ମଘବା

ନିର୍ଘାତ ବାଣ ମାଇଲେ ସୁରରାଜ ଦେବା |୪୦|

କ୍ଷଣେକ ବିଶ୍ରାମ ନାହିଂ ହୋଇଲା ସମର

ପିତା ପୁତ୍ର ସମର ଯେ ହୋଇଲା ମହାଘୋର |୪୧|

ବାସବ ଦେବତା ଯହୁଂ ଦୋଖିଲେ ସମର ଅବିଶ୍ରାମ

ତ୍ରିପଣ୍ଡ ଗଳିତ ଯେ ବହଇ ମହାଘୃମ |୪୨|

ପିତାର ଶ୍ରମ ଦେଖିଣ ଅଙ୍ଗାରପନ୍ନଙ୍ଗ

ଶତସହସ୍ରବଳ ଧନୁ ଧରି ଉଭା ଅର୍ଜୁନର ଆଗ |୪୩|

ଆରେ ରେ ପାଣ୍ଡବା ବୋଲି ଉଚ୍ଚସ୍ଵରେ ଡାକି

ଅର୍ଜୁନର ପ୍ରାଣତ୍ୟାଜ ହେଉଅଛି ତୁମ୍ଭେ ଦିଗପାଳମାନେ
ହୋଇଥାଅ ସାଖି |୪୪|

ସହସ୍ରେ ନାରାଜ ପୂରୋଇ ତେଜ ଅନର୍ଗଳ ଜାଣି

ଅର୍ଜୁନକୁ ନିରୋଧିଲା ବାସବ କୁମରମଣି |୪୫|

ନାରାଜ ପୂରାବନ୍ତେଣ ତହିଂ ଦେଖଇ ସର୍ବସାଚୀ

ଆକାଶ ସମ୍ପ୍ରଧି ସରିବ ମୋତେ ତ୍ରଇଲୋକ୍ୟେ ହୋଇବ ବାଚି |୪୬|

ପଶୁପତ୍ର ଶର ଈଶ୍ଵରଙ୍କର ଦିଲା

ଯେବଣ ଶର ଘେନି ଦେବ ଅନ୍ଧକେ ବିଧଂସିଲା |୪୭|

ସେ ଶର ଘେନିଣ ପେଷଇ ଫାଲଗୁନି

ଅଙ୍ଗାରପନ୍ନଙ୍ଗ ପଡିଲା ଅସାଷ୍ଟମ କାୟ ଘେନି |୪୮|

ଅଙ୍ଗାରପନ୍ନଙ୍ଗ ହତ ଶୁଭିଲା ସ୍ଵର୍ଗେ ବାଣୀ

ମହାନାଗ ଆରୋହି ବିଜେ କଲେ ବଜ୍ରପାଣି |୪୯|

ଅର୍ଜୁନକୁ ଶହସ୍ର ବିନ୍ଧିଲେ ମଘବାନ

କରପତ୍ର ଯୋଡ଼ି ବୋଲଇ କୁମର ଜୟସେନ |୫୦|

ଜୟସେନ ବୋଇଲା ସ୍ଵାମୀ ସାଂଗ୍ରାମେ ଆସି ପଡ଼ିଲା ସନ୍ଦେହ

ଅଗ୍ନିଙ୍କର ନିମନ୍ତେ ଅର୍ଜୁନ ଛାଡ଼ିଲାକ ମୋହ |୫୧|

କ୍ଷଣେକ ସାଂଗ୍ରାମ ଦେବ କରିବାକ ଘୁଞ୍ଚି

ଜୟସେନ ସାଂଗ୍ରାମ ଆବୋରିଲା ସର୍ବସାଚୀ |୫୨|

ୟେଣେ ବଶ୍ୟାନର ହାକ ଦିଅନ୍ତି ଶୁଣ ହୋ ଫାଲଗୁନି

ମଣିନାଗ ପଳାଉଛି ତାହାର ବଂଶଯାକ ଘେନି |୫୩|

ଣୁଣିକରି ନାରାଜ ବିନ୍ଧିଲା ବୀର ପାଥ

ଅଗ୍ନିରେ ଛେଦି ପକାଇଲେ ସେ ନାଗମାନନ୍ତ |୫୪|

କଦ୍ରୂର ନନ୍ଦନ ଜାଣ ଅଟଇ ଉଡ଼ଙ୍ଗ

ଉଡ଼ଙ୍ଗର ନନ୍ଦନ ଯେ ଅଟଇ ମଣିନାଗ |୫୫|

ୟେହାର ନନ୍ଦନ ଯେ ସାଦ୍ରୋଳ ଉଡ଼ଙ୍ଗ

ସାଦ୍ରୋଳ ନନ୍ଦନ ନିରାଳ ମହାନାଗ |୫୬|

ବିରାଳର ନନ୍ଦନ ଯେ ସର୍ପ କୁରାଳାଙ୍ଗ

କୁରାଳାଙ୍ଗର ନନ୍ଦନ ଅଟଇ ମଳଙ୍ଗ |୫୭|

ୟେହାର ନନ୍ଦନ ସର୍ପ କୁଳାକ୍ଷ

କୁଳାକ୍ଷର ନନ୍ଦନ ଅଟଇ ବିଡ଼ାଳାକ୍ଷ |୫୮|

ୟେହାର ନନ୍ଦନ ଯେ ସର୍ପ ଆର୍ଦ୍ରାବଳୀ

ମହାପ୍ରତାପୀ ସେ ଆର୍ଦ୍ରାବଳୀ କୁଣ୍ଡଳୀ |୫୯|

ୟେହାର ନନ୍ଦନ ଯେ ତକ୍ଷକ ନାମେ ଅହି

ତକ୍ଷକର ନନ୍ଦନ ଯେ କମଳାଉର ଅଟଇ |୬୦|

ତାହାର ନନ୍ଦନ ଯେ କୃତାନ୍ତେକ କାଳୀ

କୁଳୀକ ନନ୍ଦନ ଶୋଷକ ନାମେ ବଳୀ |୬୧|

ଉଡ଼ଙ୍ଗ ବଂଶ ଗରୁଡ଼ ଭୟେ ପଳାଇଲେ

ଖାଣ୍ଡବ ବନେ ବାସବଙ୍କୁ ଆଶ୍ରେ କରି ରହିଲେ |୬୨|

ଅନେକ କାଳ ସେ ବନ ଆଶ୍ରେ କରି

ରହିଲେ ମହାସର୍ପେ ବନନ୍ତ ଆବୋରି |୬୩|

ଖାଣ୍ଡବ ବନ ଦହନ୍ତେ ପଳାଉଥିଲେ ଉଡ଼ି

ଅର୍ଜୁନର ଶରାଘାତେ ସମସ୍ତେ ପଡିଲେ ଛିଡ଼ି |୬୪|

ଶୋଷକ ନାମେ କାଳସର୍ପ ଯେ କୁଳୀକର ପୁତ୍ରେ

ଗଗନେ ଉଡ଼ିଲା ସେ ଅର୍ଜୁନ ଶରାଘାତେ |୬୫|

ଆବର ସର୍ପମାନେ ପଡ଼ିଲେ ସର୍ବେ ଛିଡ଼ି

ଶର ପବନଘାୟେ ଶୋଷକ ଗଲା ଉଡ଼ି |୬୬|

ଶୋଷକ କାଳସର୍ପ ଯମୁନା ଧାରେ ଧାରେ ଗଲା

ହସ୍ତିନା ନଗ୍ରେ ଯାଇଂ ବାରୁଣାବନ୍ତେ ରହିଲା |୬୭|୧୧୦୬|

 

ଶୋଷକ ଶରଣ

ମନୁ ପୁଚ୍ଛ କଲେ ଶୁଣିମା ଅଗସ୍ତିୟେ

ୟେଠାରେ ଲାଗିଲା ମୋତେ ବଡ଼ାଇ ସନ୍ଦେହ |୧|

ଶୋଷକ କାଳସର୍ପେ ଗଲାକ ପଳାଇଂ

ବଂଶ ନାଶ ଗଲା ସେ ୟେକା ରହିଲା କାହିଂ ପାଇଂ |୨|

ବଦୟନ୍ତି ଅଗସ୍ତିୟେ ଶୁଣିମା ସୁଗ୍ୟାନୀ ପଣ୍ଡିତେ

ଦିନକେ ଅଇଲେ କର୍ଣ୍ଣ ଗିରି ବାରୁଣାବନ୍ତେ |୩|

ଭ୍ରମଣ କରିଣ ସେ ଯେ ଯାଉଅଛି ତୋଷ ଚିତ୍ତେ |୪|

ଗୁପତେଣ ତହିଂ ଲୁଚିଥିଲା ଶୋଷକ କାଳସର୍ପ

ନୟନେ ଦେଖିଲା ସେ ଯେ କର୍ଣ୍ଣର ତେଜ ଦର୍ପ |୫|

ବିଚାରିଲା ମୁହିଂ ୟେହାର ଶରଣ ପଶିଲେ

ଅର୍ଜୁନର ଭୟରୁଂ ଉତୁରିବି ଭଲେ |୬|

ୟେତେକ ବିଚାର ସେ କରିଣ ଯେ ମନେ

ଲୁଚିବା ଠାବରୁ ବାହାର ହୋଇଲା ବହନେ |୭|

ଅନ୍ତରାଳ ହୋଇଣ କର୍ଣ୍ଣରେ ଶରଣ ପଶିଲା

ଭୋ ରାଧେବ ନନ୍ଦନ ମୋତେ ରକ୍ଷା କରସି ବୋଇଲା |୮|

ଅଗ୍ନି ଦହନ କରୁଅଛନ୍ତି ଖାଣ୍ଡବ ନାମେ ବନ

ଅର୍ଜୁନ ମାରି ପକାଉଅଛି ସର୍ବ ଜୀବମାନ |୯|

ମୋହୋର ବଂଶଯାକ ପଡ଼ିଲେ ବହନିରେ

ମୁହିଂ ଶସ୍ର ପବନ ଘାତେ ଉଡ଼ି ଅଇଲି ୟେତେ ଦୂରେ |୧୦|

ନ ପୁଣ ଜାଣଇଂ ମୋତେ ସେହି ବଶ୍ୟାନର ଅଗ୍ନି

ୟେହିକ୍ଷଣି ନାରାଚ ମୋତେ ବିନ୍ଧିବ ଫାଲଗୁନି |୧୧|

ପାରିଲେ ରାଧବେ ମୋତେ ତୁହି ରକ୍ଷା କର

ଦାନେ ଶୂରବନ୍ତ ଶୁଣି ଶରଣ ପଶିଲି ତୋହୋର |୧୨|

ମୋହୋର ମାତାର ଭଗ୍ନୀ ଅଟନ୍ତି ବସୁମତୀ

ଶତେ ଭାର ସୁବର୍ଣ୍ଣ ଦିଅଇ ସେ ନିତି |୧୩|

ତେଣୁ କରି ତୋତେ ଭରସା କଲି ରେ ବାବୁ

ନାଗଙ୍କର ବଂଶ ଥିଲେ ତୁ ସୁବର୍ଣ୍ଣ ପାଉଥିବୁ |୧୪|

କର୍ଣ୍ଣ ବୋଇଲା ସେ ଅର୍ଜୁନ ଅଟଇ ମୋହୋର ସାନ ଭ୍ରାଥ

ଆସ ଆସ କାଳସର୍ପ ବସ ମୋହୋର ରଥ |୧୫|

ଅର୍ଜୁନର କୋପକୁ ଆମ୍ଭେ କରିବାକ ଶାନ୍ତ

ରହିଥା ରଥରେ ମୋହୋର ନ କର ତୁ ଭୀତି |୧୬|

ଯେବେ ଅର୍ଜୁନ ଆମ୍ଭର ବୋଲ ନ ମାନିବ

ଆମ୍ଭର ନାରାଚ ପେଷନ୍ତେ ତାର ପ୍ରାଣ ନ ରହିବ |୧୭|

ନିଶ୍ଚିନ୍ତ ହୋଇଣ କର୍ଣ୍ଣର ରଥେ ରହିଲା ଶୋଷକ

ଛାଡ଼ିଦିଲା ସେହି କାଳସର୍ପକୁ ପାବକ |୧୮|

ହସ୍ତିନାକଇଂ କର୍ଣ୍ଣ ଯାଇଂ ଦ୍ରିଯୋଧନର ଆଗେ

କହିଲା ମଇତ୍ର ଶୁଣ ହୁତାଶନ ରାଗେ |୧୯|

କପଟ ବାକ୍ୟ କହିଣ ଅର୍ଜୁନକୁ କରାଇଲା ସତ୍ୟ

ଲୁଦୁବୁଦୁ ବ୍ୟାଧି ନାଶ ହୋଇବ ନିମିତ୍ତ |୨୦|

ଇନ୍ଦ୍ରର ଖାଣ୍ଡବ ବନ ଯେ ମାଗିଲା ପାଥକୁ

ପାଥ ସେହି ବନ ଦିଲା ଖାଇବାକୁ ତାକୁ |୨୧|

ରାଗରେ ଖାଣ୍ଡବ ବନକୁ ପୋଡ଼ଇ ଅନଳ

ପୂର୍ବେ ଦେଇ ନଥିବାରୁ ଦେବ ଆଖଣ୍ଡଳ |୨୨|

ଯେତେ ଜୀବଜନ୍ତୁମାନେ ରହିଥିଲେ ସେହି ବନେ

ଅର୍ଜୁନ ସେମାନଙ୍କୁ ଛେଦି ପକାଉଛି ବାଣେ |୨୩|

ଜଣେହେଂ ନ ଛାଡ଼ଇ ସର୍ବେ ପଡ଼ନ୍ତି ଅନଳେ

ଦେବତା ଗର୍ନ୍ଧବ ଯକ୍ଷ ନାଗ ଅଶ୍ରବଳେ |୨୪|

ରଥ ଧନୁ ଶସ୍ର ସବୁ ଆଣି ହୁତାଶନ

ଦେଇଛନ୍ତି ଅର୍ଜୁନକୁ ହେ କୁରୁ ରାଜନ |୨୫|

ମଘବା ସଙ୍ଗେ ସମର ଘୋର ଅର୍ଜୁନର

ପଳାଇ ଆସି ୟେ ସର୍ପ ସମସ୍ତ କହେ ମୋ ଆଗର |୨୬|

ଭୟେଣ ସେ ଶରଣ ଆସି ମାଗିଲାକ ମୋତେ

ମୁଂ ତାହାକଇଂ ରଖିଅଛି ଦେଖ ମୋହୋର ରଥେ |୨୭|

ଶୁଣିଣ ବିରସ ଯେ ରାଜା ଦ୍ରିଯୋଧନ

ବୋଲନ୍ତି ଅଗସ୍ତି ତୁମ୍ଭେ ଶୁଣ ହେ ମନୁରାଜନ |୨୮|

ଯେତେବେଳେ ଫାଲଗୁନି ମାଇଲାକ ଶର

କାଟି ପକାଇଲା ସବୁ ସର୍ପଙ୍କର ଶିର |୨୯|

ପବନର ଶର ତାହାଙ୍କୁ ଆଣଇ ଉଡ଼ାଇ

ଅନଳ ମଧ୍ୟରେ ନେଇ ଦିଅଇ ପକାଇ |୩୦|

ସେହି ଶସ୍ର ପବନର ଘାୟେଣ ୟେ ଶୋଷକ

ଉଡ଼ିଲା ଭଉଂରୀ ଦେଇ ଶୂନ୍ୟପୁର ଯାକ |୩୧|

ଉଡ଼ି ଉଡ଼ି ପଡିଲା ଯାଇଂ ସେ ସମୋଦ୍ର ମଧ୍ୟରେ

ପୁତ୍ରକଇଂ କୁଳିକ ନାଗ ଯାଇଂ ଧଇଲା କୋଳରେ |୩୨|

ପଚାରିଲା ସେ ପୁତ୍ରକୁ ସଚେତ କରାଇ

ଆରେ ଆରେ ପୁତ୍ର, ୟେଥେଂ ଆସି ପଡ଼ିଲୁ କିସ ପାଇଂ |୩୩|

ଶୋଷକ କହିଲା ତାତ ତୋର ବଂଶ ଯାକ

ଅର୍ଜୁନର ବାଣେ ମଲେ ବକ୍ଷିଲା ପାବକ |୩୪|

ମୁହିଂ ଶର ପବନେଣ ଉଡ଼ି ଉଡ଼ି ଆସି

ପଡ଼ିଲି ସମୋଦ୍ର ମଧ୍ୟେ ଆମ୍ଭେ ନୋହୁଂ ଦୋଷୀ |୩୫|

ଚଉଦ ବ୍ରହ୍ମାଣ୍ଡ କ୍ଷେପିଣ ବୁଲଇ ଅର୍ଜୁନର ଶର

କେମନ୍ତେ ରହିବ ପରାଣ କୁହ ହେ ପିଅର |୩୬|

ସର୍ବଗ୍ୟଂ ପୁରୁଷ ଅଗ୍ନି କହିଦେବ ତାକୁ

ୟେହିକ୍ଷଣି ବାଣେ ନେଇଣ ଦେବ ଅନଳକୁ |୩୭|

କୁଳିକ ବୋଲଇ ପୁତ୍ର ନ ହୁଅ କାତର

ପୂର୍ବରୁ ଅନଳ ଯେ ମିତ୍ର ଅଟଇ ମୋହୋର |୩୮|

ଖଗବର ଭୟରୁ ସେ ରଖିଥିଲା ମୋତେ

ତୁ ମୋହୋର ପୁତ୍ର ବୋଲି ସେ ଜାଣଇ ହାଦେ ତୋତେ |୩୯|

କଦାପି ସେ ନ କହିବ ପାଥର ଆଗରେ

ପଶ ତୁ ଶରଣ ଯାଇଂ କର୍ଣ୍ଣର ପୟରେ |୪୦|

ଅର୍ଜୁନ ମୋହୋର ବଂଶ କଲାକ ନିପାତ

କର୍ଣ୍ଣର ପାଶକୁ ପୁତ୍ର ତୁ ଯାଆସି ତୁରିତ |୪୧|

ଭାରଥ ଯୁଦ୍ଧରେ ତୁହି ଶର ରୂପେଣ ଯିବୁ

ନନ୍ଦିଘୋଷ ରଥ ସହ ପାଥକୁ ଗିଳିବୁ |୪୨|

ତେବେହେଂ ନାଗ ବଂଶ ବାବୁରେ କରିବୁ ଉଦ୍ଧାର

କର୍ଣ୍ଣ ସଙ୍ଗେ ଅର୍ଜୁନର ହୋଇବ ସମର |୪୩|

ମହା ବଳବନ୍ତ କର୍ଣ୍ଣ ପେଷିବ ସେ କାଳେ

ତୁହି ବଳବନ୍ତ ହେବୁ ତାହାର ମନ୍ତ୍ରବଳେ |୪୪|

ପିତାର ବାକ୍ୟେ ଶୋଷକ ସମୋଦ୍ରୁଂ ଅଇଲା

ଯମୁନା ନଦୀର କୂଳେ ଯାଇଣ ଉତୁରିଲା |୪୫|

କର୍ଣ୍ଣର ପାଦ ତଳେ ଯାଇଂ ପଶିଲା ଶରଣ

ୟେ କାରଣୁଂ ଛାଡ଼ିଦିଲା ତାକୁ ହୁତାଶନ |୪୬|

ଜୟ ତୁ ଜୟ ତୁ ମାଗୋ ଶ୍ରୀଚଣ୍ଡୀ ସାରୋଳା

ତୁହି ଯାହାକୁ ପ୍ରସନ୍ନ ହେଉ ଗୋ ହିଙ୍ଗୁଳା |୪୭|

ତାହାର ଦୁଖମାନ କ୍ଷଣକେ ହୋଇଯାୟେ ଦୂର

ଶୂଦ୍ରମୁନି ସାରୋଳା ଦାସ ତୋ ଅଟଇ କୋୟର |୪୮|୧୧୫୪|

 

Unknown

ଇନ୍ଦ୍ର ଅର୍ଜୁନ ଯୁଦ୍ଧ ଓ ଇନ୍ଦ୍ରଙ୍କର ପରାଜୟ

ୟେଥୁ ଅନନ୍ତରେ ବଇବସୁତ ମନୁ ଅଗସ୍ତିଙ୍କି କଲେ ପୂଜା

ପିତା ପୁତ୍ରଙ୍କର ସମର କେମନ୍ତେ ହୋଇଲା ମୋତେ କହିବା ବ୍ରହ୍ମାର ତନୁଜା |୧|

ତ୍ରଇଲୋକ୍ୟେ ଶୁଣିତେ ୟେହା ବଡ଼ାଇ ଦୁଲ୍ଲଭ

କହିବାକୁ ହେଉ ମୋତେ ୟେଥିରେ ପ୍ରସ୍ତାବ |୨|

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ମହାଭାରଥ ମଧ୍ୟପର୍ବ କହିବା ଦିବ୍ୟରୀତି |୩|

ଶୁଣନ୍ତେ ଅତି ସୁସ୍ଵାଦ ଅମୃତ ପାନ ଜାଣି

ତୃଷାରେ ରୁଚଇ ଯେହ୍ନେ ଅମିୟ ରସ ପାଣି |୪|

ନିର୍ଘାତ ବାଣ ଯେ ମାଇଲେ ବଜ୍ରପାଣି

ତିନି ଭୁବନେ କଂପିଲା ନିର୍ଘାତ ଶବଦ ଶୁଣି |୫|

ଅଗ୍ନି ଦେବତାୟେ ବୋଇଲେ ତୁ ନ କର ମନେ ଭ୍ରାନ୍ତି

ବଜ୍ର ପରଶୁ ଘେନି ଛେଦ ହୋ ସୁତ କୋନ୍ତୀ |୬|

ହେମଶର ପେଷ ବାବୁ ନିର୍ଘାତ ଉପରେ

ଅଗ୍ନିଙ୍କ ବାକ୍ୟେ ମାଇଲେ ପାଥ ହେମଶରେ |୭|

ହେମଶର ପଡ଼ନ୍ତେ ଯେ ନିର୍ଘାତ ଶର ନାଶ ଗଲା

ସାଧୁ ସାଧୁ ଅର୍ଜୁନ ବୋଲି ଧୁନିୟେ ଶୁଭିଲା |୮|

ରାଗଣେ ଦେବ ଯେ ମାଇଲେ ବଜ୍ରସୂଚୀ

ବଜ୍ର ପରଶୁ ଘେନିଣ ତାହା ନାଶିଲା ସର୍ବସାଚୀ |୯|

ଇନ୍ଦ୍ର ପ୍ରହର କଲେକ ବଜ୍ର ଶକତି

ଅମୋହ ଶକତି ଘେନି ଅର୍ଜୁନ ନିପାତି |୧୦|

ପର୍ବତା ଶରେକ ଯେ ପେଷିଲେ ଜମ୍ଭୋଭେଦୀ

ବଜ୍ରାବଳୀ ଶହସ୍ର ଘେନି ଅର୍ଜୁନ ତାହା ଛେଦି |୧୧|

ସାଂଗ୍ରାମେଣ ବିମୁଖ ପାଇଣ ବୀରବର ପାଥ

ମନଭେଦୀ ନାରାଚ ଯେ ଧଇଲେକ ହାଥ |୧୨|

ଗୁଣରେ ବସାଇ ତିଆରଇ ତାକୁ ଧନୁର୍ଜୟେ

ୟେ ମୋହୋର ପିଅର ଯେ ଅଟନ୍ତି ଦେବରାୟେ |୧୩|

ରୋମେକେ ନାରାଚ ଯେ ପଡ଼ିବୁ ଇନ୍ଦ୍ର ଦେହେ

ପ୍ରାଣେ ନ ମାରିବୁ ସେ ପଡ଼ିବ ହାଦେ ମୋହେ |୧୪|

ଅର୍ଜୁନର ଆଗ୍ୟାଂରେ ସେ ନାରାଚ ମନଭେଦୀ

ଇନ୍ଦ୍ର ଦେବତାଙ୍କର ଶରୀରେ ଯାଇଣ ସଂପାଦି |୧୫|

ଯେସନେକ ସର୍ପେ ପଶନ୍ତି ବିମ୍ଵରେ

ସେହି ସାଦ୍ରିଶେ ଭେଦିଲେ ନାରାଚ ଯେ ବାସବ ଶରୀରେ |୧୬|

ରୋଧିରେ ଜର ଜର ବାସବର କାୟେ

ଘାୟେଣ ଅସାଷ୍ଟମେ ପଡ଼ିଲେ ଇନ୍ଦ୍ର ଦେବରାୟେ |୧୭|

ମଉଷଧି ବୃକ୍ଷର ଗନ୍ଧ ପବନ ଯେ ଲାଗି

ସାଷ୍ଟାମ ପାଇ ଦେବ ବସିଲେକ ବେଗି |୧୮|

ପିତା ପୁତ୍ର ଦୁହିଙ୍କର ଯୁଦ୍ଧ କଥା ଶୁଣି

ପୁଷ୍ୟେକ ବିମାନ ଆରୋହି ଅଇଲେ ଶଚୀ ଗୋସାମଣି |୧୯|

ଦେଖିଲେକ ସୁରନାଥ ବିଭୋଳିତ କାୟେ

କୋଳ କରି ଶଚୀଦେବୀ କରନ୍ତି ବିନୟେ |୨୦|

ସ୍ଵାମୀ ଅର୍ଜୁନକଇଂ କୋପ କିପେଂ କରୁ ସୁରରାୟେ

ଅଗ୍ନି ଦେବତା ଭିଆଇଲେ ୟେସନେକ ଉପାୟେ |୨୧|

ସତ୍ୟ କରାଇ ସେ ମାଗିଲେ ଧନୁର୍ଜୟେ

କିଂପେ ନ ଭକ୍ଷିବେ ଅନଳ ଦେବତାୟେ |୨୨|

ସାଂଗ୍ରାମେ ଅପଚୟେ ହୋଇଲା ଦେବ ତୁକୁ

ଭଲେ ପ୍ରମାଦ ତୁମ୍ଭେ କଲଟି ଅର୍ଜୁନକୁ |୨୩|

ପୁଷ୍ୟେକ ବିମାନେ ବସାଇ ଶଚୀ ମହାସତୀ

ଇନ୍ଦ୍ର ଦେବତାଙ୍କୁ ଘେନି ବିଜୟେ ଅମର ବାରସ୍ଵତୀ |୨୪|

ଜଗତୀ ଉପରେ ଯେ ବିଜୟେ ଫାଲଗୁନି

ସୁଖେଣ ଖାଣ୍ଡବ ବନ ଦହଇ ସେ ଅଗ୍ନି |୨୫|

ସହସ୍ରେ ନବ ଶତ ଯୋଜନ ଖାଣ୍ଡବ ନାମେ ବନ

ତିନି ଦିବସ ତିନି ରାତ୍ର ଅଗ୍ନି କରନ୍ତି ଦହନ |୨୬|

ଖାଣ୍ଡବ ବନ ଯାକ ଯେ ଦହନ ହୋଇଲା

ଶୋଷକ କାଳସର୍ପ ପଳାଇ ଉବୁରିଲା |୨୭|

ତାରାକ୍ଷୀ ପକ୍ଷୀ ବୋଲିଣ ଚଢ଼େଇ ଗୋଟିୟେ

ଗର୍ଭବାସ ହୋଇଣ ସେ ଅର୍ଜୁନରେ ଶରଣ ସମ୍ଭାୟେ |୨୮|

ସାରଙ୍ଗ ପକ୍ଷୀ ଯେ ଚାରି ପୁତ୍ରନ୍ତ ଘେନି

ସେହି ରକ୍ଷା ହୋଇଲା ନ ଦହିଲା ବହନି |୨୯|୧୧୮୩ |

 

ମନ୍ଦପାଳ ଋଷିଙ୍କ ଚରିତ ଓ ତାଙ୍କର ଅଗ୍ନିସ୍ତୁତି

କରପତ୍ର ଯୋଡ଼ିଣ ଯେ ପୁଚ୍ଛ ବଇବସୁତ ମନୁ

ପାଦର୍ଘ୍ୟ ଦେଇ ପୂଜା କଲା ଅଗସ୍ତି ବ୍ରହ୍ମତନୁ |୧|

ଶୁଣିଲି ମହାତମା ଖାଣ୍ଡବ ବନ ଦହନ

ପାପାଦି ମହାପାତକ ମୋହୋର ହୋଇଲା ଦହନ |୨|

ସାରଙ୍ଗ ଚାରି ପୁତ୍ରେ ଉବୁରିଲେ କେଉଂଣ ଉପାୟେ

କିମ୍ପେ ନଭକ୍ଷିଲେ ତାଙ୍କୁ ଅନଳ ଦେବତାୟେ |୩|

ୟେଥିରେ ଚରିତ କହ ଶୁଣିମା ଦିବ୍ୟ କଥା

ଅଗସ୍ତି ବୋଇଲେ ଶୁଣ ହୋ ୟେଥିରେ ବ୍ୟବସ୍ତା |୪|

ମନ୍ଦପାଳ ବୋଲି ଋଷି ବଡ ତପୀ ସେହି

ଊର୍ଦ୍ଧ୍ଵରେତା ହୋଇଣ ସେ ଅନେକ ତପ କରଇଂ |୫|

ପୁତ୍ର ବିହୁନେ ସେ ଯେ ଶରୀର ଛାଡ଼ିଲା

ତପବଳେ ମହଋଷି ଯଥାର୍ଥ ଧର୍ମକୁ ପାଇଲା |୬|

ସ୍ଵର୍ଗପୁରକୁ ବୋଲିଣ ସେ ଯେ ଗଲାକ ବେଗ ହୋଇ

ଯମଦୂତଙ୍କ ତାକୁ ଯେ ଭରସା ନ ଖଟଇ |୭|

ଦୂତମାନେ କହିଲେ ଯାଇଂ ଯମର ଆଗର

ମନ୍ଦପାଳ ବୋଲି ଋଷିୟେ ସ୍ଵର୍ଗକୁ ଅଇଲେ ହୋ ନାଶକର |୮|

ତାହାଙ୍କର ତେଜ ବଳେ ଆମ୍ଭେ ପଶି ନୁଆରିଲୁ

ତେଣୁ କହିବାକୁ ତୁମ୍ଭ ଛାମୁକୁ ଅଇଲୁଂ |୯|

ୟେହା ଶୁଣି ନାଶକର ଯେ ଉଠିଣ ଅଇଲେ

ମନ୍ଦପାଳ ଋଷିଙ୍କର ଆଗରେ ହୋଇଲେ |୧୦|

ଚିତ୍ରଗୁପତଙ୍କୁ ଯମ ଚାହିଂ ବୋଲଇ ବଚନ

ୟେ ଋଷିର ପାପ ପୁଣ୍ୟ ବୁଝନି ବହନ |୧୧|

ନାଶକର ବଚନ ଶୁଣି ଚିତ୍ରଗୁପତେ କହିଲେ

ୟେ ମନ୍ଦପାଳ ଋଷି ଅନେକ ତପସ୍ୟା ଯେ କଲେ |୧୨|

ୟେ ଋଷିଙ୍କର ଅଙ୍ଗେ ପାପ କିଛିହିଂ ଯେ ନାହିଂ

ୟେକମନେ ଶୁଣ ତୁମ୍ଭେ ବିକଟ ଦନ୍ତ ସାଇଂ |୧୩|

ୟେ ଋଷିଙ୍କର ଅଙ୍ଗେ କିଛି ପାପ ନ ରହିଲା

ୟେକମାତ୍ର ଅବିଗୁଣ ଗୋଟିୟେ ହୋଇଲା |୧୪|

ମଞ୍ଚପୁରେ ୟେହାଙ୍କର ନାହିଂ ଯେ କୁମର

ୟେଥକୁ ତୁମ୍ଭେ କର ନାଶକର |୧୫|

ୟେହା ଶୁଣି ଜନ୍ତୁ ପତି ହରଷ ହୋଇଲା

ଦୂତଙ୍କ ମୁଖକୁ ଚାହିଂ ବଚନ ବୋଇଲା |୧୬|

ୟେ ମନ୍ଦପାଳ ଋଷିର ଯେ ଅନେକ ପାତକ

ୟେହାକୁ ପକାଅ ନେଇ ପୁତି ଗନ୍ଧ ନରକ |୧୭|

ଯମର ମୁଖରୁ ୟେସନେକ ବାଣୀ ଶୁଣି

ମନ୍ଦପାଳ ଋଷି ତହୁଂ କହୁଛନ୍ତି ପୁଣି |୧୮|

ମୁହିଂ ଯେ ଅନେକ ତପ କଲି ହୋ ବିବୁଧେ

ଉତ୍ତମ ମଙ୍ଗଳ ମୁହିଂ ଯେ ପାଇଲଇଂ ସାଧ୍ୟେ |୧୯|

ଦେବେ ବୋଇଲେ ତୁମ୍ଭେ ଶୁଣ ହୋ ମନ୍ଦପାଳ

ମନୁଷ୍ୟ ଶରୀରେ ଜାତ ହୋଅ ରବିତଳ |୨୦|

ଋଷି ହୋଇଲ ଯେବେ ପଢିଲ ବେଦବାକ୍ୟ

ଯାଗ ଯଗ୍ୟଂ କରି ସନ୍ତତି କିମ୍ପେ ନ ଉପଜାଇଲେ ୟେକ |୨୧|

ସଞ୍ଜୀବନୀ ପୁରେ ନ ପଶଇ ଯମଦଣ୍ଡେ ନୋହଇ ଅଧିକାରୀ

ମଞ୍ଚେ ଜନମ ତୁମେ ଯେ କିଛିହିଂ ନ ବିଚାରି |୨୨|

ୟେବେ ମହାମୁନି ତୁମ୍ଭେ ସନ୍ତତି ଇଚ୍ଛାକର

ୟେ ନ୍ୟାୟୁଂ ଜନମ ଲଭ ତୁମ୍ଭେ ଯାଇଣ ମଧ୍ୟପୁରେ |୨୩|

ଦେବତାଙ୍କ ମୁଖରୁ ୟେସନେକ ବଚନ ଶୁଣି

ବଡ଼ ଚିନ୍ତା ପାଇଲେ ମନ୍ଦପାଳ ମହାମୁନି |୨୪|

ଋଷିଙ୍କ ଚିନ୍ତା ଦେଖିଣ ଦେବଗଣେ

ବୋଲନ୍ତି ଶୁଣ ହୋ ମନ୍ଦପାଳ ମହାମୁନ୍ୟେ |୨୫|

ୟେବେ ତୁମ୍ଭେ ପୁଣ ଯାଅ ମୃତ୍ୟୁପୁରକୁ ବେଗେ

ସନ୍ତତି ଜାତ କର ମନର ସରାଗେ |୨୬|

ମୃଗ ହରିଣ ପଛୀ ମନୁଷ୍ୟ ଜାତ କର

ସନ୍ତତି ରଖି ବସ ବଇକୁଣ୍ଠ ପୁର |୨୭|

ଦେବଙ୍କର ବଚନ ଶୁଣି ଋଷି ମନ୍ଦପାଳେ

ୟେହା ଶୁଣି ମହାଋଷି ବେଗେ ଚଳିଗଲେ |୨୮|

ମଞ୍ଚ ଭୁବନେ ଯାଇଂ ତୁରିତେ ମିଳିଲେ

ବିସ୍ମୟ ହୋଇଣ ତହିଂ ମନେ ବିଚାରିଲେ |୨୯|

ବିଚାରନ୍ତି ପୁତ୍ର ଜାତ ହୋଇବ କେଉଂଣ ବାଗେ

ୟେମନ୍ତ ବିଚାର ମୁନି କରନ୍ତି ବ୍ରହ୍ମଭାଗେ |୩୦|

ମଞ୍ଚପୁର ମଧ୍ୟେ ଆସି ମିଳିଲେ ବହନ

ଆକାଶ ଗଙ୍ଗା କୂଳେ ଆସି ଦେଖିଲେ ଖାଣ୍ଡବ ବନ |୩୧|

ସେ ବନ ମଧ୍ୟରେ ମୁନି ପଶିଲେ ବେଗେ ଯାଇଂ

ଦେଖିଲେ ସାରଙ୍ଗ ପଛୀ ବସିଣ ଅଛଇ |୩୨|

ତାହାର ଦିବ୍ୟ ରୂପ ଦେଖିଣ ମୁନିବର

ମନୁଷ୍ୟ ଶରୀର ଛାଡି ଧଇଲେ ପଛୀର ଶରୀର |୩୩|

ସାରଙ୍ଗ ପଛୀ ସଙ୍ଗତେଣ ମହାମୁନି

କାମରଙ୍ଗେ କ୍ରୀଡା ସେ ଯେ କରନ୍ତି ତପୋଧନି |୩୪|

କେଳି କୂତୁହୋଳ କଲେକ ସାରଙ୍ଗ ପଛୀର ତୁଲେ

ତାର ତହୁଂ ଚାରି ପୁତ୍ର ଜାତ ହୋଇଲେକ ଭଲେ |୩୫|

ମନୁଷ୍ୟ ଶରୀର ରୂପ ଅଙ୍ଗରେ ପକ୍ଷ ହୋଇ

ପିତା ଗୁଣରେ ମନୁଷ୍ୟ ସରୂପ ଦିଶଇ |୩୬|

ମାତା ଗୁଣ ଘେନି ପଛୀ ହୋଇଛି ତାର ଅଙ୍ଗେ

ଶୁଣ ମନୁରାୟେ କଥା ରସ ବାଗେ |୩୭|

ୟେହା ଶୁଣି ମନୁ ପଚାରନ୍ତି ଋଷିଙ୍କ ମୁଖ ଚାହିଂ

ପଛୀ ଚାରି କୁମରେ କିସ କଲେ ମୋତେ କହିବା ବୁଝାଇ |୩୮|

ରାଜାର ବଚନ ଶୁଣି କହନ୍ତି ମୁନିବର

ୟେକମନେ ଶୁଣ ତୁ ହୋ ମନୁ ଦଣ୍ଡଧର |୩୯|

ସେ ଚାରି କୁମରଙ୍କୁ ମୁନି ମାତା ପାଶେ ଥୋଇ

ନିଜ ଭାରିଯା ପାଶେ ଋଷି ମିଳିଲାକ ଯାଇଂ |୪୦|

ଅଗସ୍ତି ବୋଇଲେ ସେ ଯେ ଖାଣ୍ଡବ ବନ ଦହନ ହୁଅନ୍ତେ

ବଇକୁଲ୍ୟ ହୋଇଲେ ଶାରଙ୍ଗ ପଛୀ ଯେ ପୁତ୍ରଙ୍କର ନିମନ୍ତେ |୪୧|

ବିକଳେ ସେ ପୁତ୍ରଙ୍କର ପାଶେ ରହିଅଛି

କେମନ୍ତେ କରି ମୁରୁଛିବି ମୁଂ ୟେହୁ ବାଳବଚ୍ଛି |୪୨|

ୟେଥୁ ଅନନ୍ତରେ ମନ୍ଦପାଳ ଋଷି ଯେ ଭାଳଇ

ପୁତ୍ରଙ୍କ ମୋର ନିଚୟେ ଦହିବ ଅନଳଇଂ |୪୩|

ଆଶ୍ରମେ ଥାଇଂ ତୁସ୍ତି କରଇ ମନ୍ଦପାଳ

ଭୋ ଅଗ୍ନି ତ୍ରାହି କର ମୁକୁହିଂ ଅନଳ ବୃଶାଳ |୪୪|

ଭୋ ହବି ତୁ ସକଳ ଜନ ମୋକ୍ଷ

ଭୋ ବିହନ୍ତା ପୁରୁଷ ତୁ ମୋହୋର ପୁତ୍ରନ୍ତ ରଖ |୪୫|

ସକଳ ପ୍ରାଣୀଙ୍କର ହୃଦ ଭିତରେ ଥାଉସି

ତୁ ୟେକ ଦେବ ବୋଲି ବିବୁଧଗଣେ ଭାଷି |୪୬|

ଗ୍ୟାନରେ ତୁ ଦେବ ଅଷ୍ଟ ପ୍ରକାର ହୁଅସି

ତୋହୋର ଦହି ମନକଲେ ଜଗତ ହୋଅଇ ଧଂସି |୪୭|

ତୋହୋର କ୍ଷମା କଲେ ଯେ ଉତ୍ତମ ଲୋକ ହୋଇ

ସର୍ଜନ ବିସର୍ଜନ ଜଗତ ତୁହି ସେ କରାଇ |୪୮|

ଧାତା ବିଧାତା ତୁହି ସେ ପୁଣ ପ୍ରଜାପତି

ୟେସନେକ ତୁସ୍ତି ଶୁଣି ଅଗ୍ନି ତୋଷମତି |୪୯|

ବୋଲଇ ପାବକ ମନ୍ଦପାଳ ତୁ ହୋ ବର ମାଗ

ବିନୟ ହୋଇ କହଇ ମନ୍ଦପାଳ ହୁତାଶନ ଆଗ |୫୦|

ମୋହୋର ଚାରି ପୁତ୍ରେ ଭାରିଯା ଅଛନ୍ତି ଖାଣ୍ଡବ ବନେ

ତୁହି ତାହାନ୍ତ ନ ଦହିବୁଟି ଶୁଣ ହୁତାଶନେ |୫୧|

ଶୁଣିଣ ତାହା ବଶ୍ୟାନର କଲେ ସନମତ

ଖାଣ୍ଡବ ବନେ ଦହନେ ନ ଭକ୍ଷିବି ତୋହୋର ଭାରିଯା ପୁତ୍ରନ୍ତ |୫୨|

ଭୋ ରାଜନ ୟେମନ୍ତେ ଖାଣ୍ଡବ ବନ ଦହି ଆସୁଅଛି ଅଗ୍ନି

ପଛୀମାନେ ସକଳେ ରୋବନ୍ତି ଊର୍ଦ୍ଧ ଧୁନି |୫୩|

ଚାରିପୁତ୍ରଙ୍କର ଜନନୀ ଜରିତା

ବିଳାପ କରି ସେ ବୁଲଇ ପାଇ ଗରୁ ଚିନ୍ତା |୫୪|

ବାବୁ ଅଗ୍ନି ଯେ ସକଳ ଦହି ଆସୁଅଛି

ବଡ ଶୋକେଣ ସେ ଯେ ସନ୍ତାପି ହେଉଅଛି ପଛୀ |୫୫|

ପୁତ୍ରଙ୍କର ମଲେ ମୁଂ ଯେ ହୋଇବ ଅସାର

ୟେ ପୋୟେ ମୋହୋର କେସନେକେ ୟେଥୁଂ ହୋଇବେ ପାର |୫୬|

ୟେହାନ୍ତ ଘେନିଣ ଯେବେ ମୁଂ ୟେଥୁଂ ଯିବଇଂ ପଳାଇ

ନେଇତେ ପରାକର୍ମ ଶକତି ମୋର ନାହିଂ |୫୭|

ଛାଡ଼ି ପଳାଇବି ଯେବେ ହୃଦେ ଗରୁ ବ୍ୟଥା

ପୁତ୍ରଙ୍କ ଆଗରେ ମାତା କାନ୍ଦିଣ କହଇ କଥା |୫୮|

ବାବୁରେ ତୁମ୍ଭନ୍ତୁ ଛାଡ଼ିଣ ମୁହିଂ ଯିବଇଂ କେସନେକେ

ତୁମ୍ଭନ୍ତ କିସ କରିବି ମୁଂ ହୃଦୟେ ଗରୁ ଶୋକେ |୫୯|

ନଉଚେତ ତୁମ୍ଭନ୍ତ ରେ କୋଳ କରି ମରିବି

ତୁମ୍ଭନ୍ତ ଅଗ୍ନିରେ ଦେଇ କେମନ୍ତେ ମୁହିଂ ଯିବି |୬୦|

ବାବୁରେ ତୁମ୍ଭର ପିତା ବଡ଼ ନିର୍ଦ୍ଦୟା ଚିତ୍ତ

ଛାଡ଼ିଗଲା ୟେବେ ରେ ନ କଲା ଚିନ୍ତା ତ |୬୧|

ଭୋ ରାଜନ ପୁତ୍ରଙ୍କର ଆକୁଳେ ସେ ମାତା ଜରିତା

ଶିରଶିଖ ସ୍ତମ୍ଭ ମୈତ୍ର ଦ୍ରୋଣ ଚାରି ସୁତା |୬୨|

ୟେସନେକ ଚାରି ପୁତ୍ରଙ୍କର ନାମ ଦେଇ

ତୁମ୍ଭ ପିତା ମନ୍ଦପାଳ ଗଲା ୟେଥେଂ ଥୋଇ |୬୩|

ଚାରି ପୁତ୍ରେ ବୋଇଲେ ଶୁଣ ଗୋ ଜନନୀ

ଛାଡ଼ିଯାସି ଆମ୍ଭନ୍ତୁ ତୁ ମାତି ଆସୁଅଛି ଅଗ୍ନି |୬୪|

ତୋହୋର ଥିଲେ ମାତ ଆମ୍ଭର କୁଳ ନୋହୁ ନାଶ

ଜରିତା ବୋଇଲେ ବାବୁରେ ମୂଷା ବିମ୍ଵରେ ପଶ |୬୫|

ଅଗ୍ନି ଭୟ ନୋହୁଂ ଗାତ ମୁହଂରେ ମୁଂ ଧୂଳି ଦେଇ ଯାଇଂ

ପୁତ୍ରମାନେ ବୋଇଲେ ମାତାର ମୁଖ ଚାହିଂ |୬୬|

ମା ଗୋ ମୂଷା ଭକ୍ଷିବ ଯେ ବିମ୍ଵରେ ପଶନ୍ତେ

ମୁକତ ହୋଇବୁ ସିନା ଅଗ୍ନିରେ ଦହନ ହୋଅନ୍ତେ |୬୭|

ବୋଲଇ ଜନନୀ ଶୁଣରେ ଚାରି ବଚ୍ଛ

ମୂଷାକୁ ଶେଣା ପଛୀ ନେଲା ମୁଂ ଦେଖିଲି ପ୍ରତକ୍ଷ |୬୮|

ମୁଂ ୟେହା ପ୍ରତକ୍ଷେ ଦେଖିଲି ତୁମ୍ଭେ ଭୟ ଯେ ନ କର

କିଛିହିଂ ଭୟେ ନାହିଂ ତୁମ୍ଭେ ପଶ ହେ ବିମ୍ଵର |୬୯|

ପୁତ୍ରମାନେ ବୋଇଲେ ତୁମ୍ଭେ ଶୁଣସି ଗୋ ଆଈ

ୟେକ ମୂଷା ମଲେ କି ଆରକେ ମୂଷା ନାହିଂ |୭୦|

ମା ଗୋ କରମର ଯୋଗେ ହୋଅଇ ଫଳାଫଳ

ୟେଥି ଥିବୁଂ ଆମ୍ଭେ ଦଇବର ବଳାବଳ |୭୧|

ୟେବେ ତୋହୋର ଭ୍ରଥା ତହିଂକିଂ ତୁ ବେଗେ ଯାଆସି

ଆମ୍ଭେ ଚାରିହେଂ ଅଗ୍ନିରେ ହୋଇବୁ ନା ଧଂସି |୭୨|

ୟେ ପାବକ ଯେବେ ଆମ୍ଭର ଭକ୍ଷିବଟି ଗାତ୍ର

ପାଇବୁ ସୁରଲୋକେ ବାସ ସହସ୍ର ଜନ୍ମର ତ |୭୩|

ୟେହା ଶୁଣି ଜରିତା ଯେ ଗଲା ଅଗ୍ନିର ଭୟେ ନାହିଂ

ବିକଳେ ଭାଳଇ ବସି ପୁତ୍ର ମୁଖ ଚାହିଂ |୭୪|

ମନ୍ଦପାଳ ତୁସ୍ତିରେ ଅଗ୍ନି ତା ନ ଦହି

ସେ ଡହରେ ମରନ୍ତି ବୋଲି ଅଗ୍ନି ତାଙ୍କୁ ନ ଚାହିଂ |୭୫|

ଶୁଣ ହୋ ରାଜନ ବନପୋଡ଼ି ଯେ ଦିଶଇ

ଶିରଶିଖ ମୁଖ ଚାହିଂ ସାନ ଭାଇ ଯେ ଭାଷଇ |୭୬|

ଆମ୍ଭେ ୟେତେ ଦୁଖରେ ପଡ଼ିଣ ଅଛୁଂ ୟେଥ

ୟେହା ଜାଣି ସେ କିମ୍ପାଇଂ ନ ଅଇଲେ ଆମ୍ଭ ତାତ |୭୭|

ଆମ୍ଭର ୟେଡ଼େ ଦୁଖ ପିତା ଅବା ନ ଜାଣଇଂ

ଶିରଶିଖ ବଡ଼ ଭାଇ ବଚନ ପ୍ରକାଶଇ |୭୮|

ତୁମ୍ଭେ ଯେ ବଡ଼ ଭାଇ ଆମ୍ଭନ୍ତ ଦୁଖୁଂ ପାରି କର

ସ୍ତମ୍ଭ ମିତ୍ର ତହିଂରେ ଯେ ବୋଲନ୍ତି ଉତ୍ତର |୭୯|

ବାବୁ ଜ୍ୟେଷ୍ଠ ଭାଇ ପିତାସମ ଶ୍ରେଷ୍ଠ ଯେ ଅଟଇ

କନେଷ୍ଠ ଭାଇଙ୍କର କଷ୍ଟ ଯେ ଫେଡ଼ଇ |୮୦|

ଅନିର୍ଯାପ କଥାକୁ ସାନ ବଡ଼କି କରଇ

ଦ୍ରୋଣ ପଛୀ ବୋଇଲା ତୁମ୍ଭର ବଚନ ନିର୍ଣ୍ଣୟ ହୋଇ |୮୧|

କର ଯୋଡ଼ିଣ ଦ୍ରୋଣ ଅଗ୍ନିକି ତୁସ୍ତି କରଇ

ହିରଣ୍ୟ ଦେବତାକୁ ଆମ୍ଭର ଶରୀର ଭୋଗ ହୋଇ |୮୨|

ବଡ଼ଭାଇ ଶିରଶିଖ ଅଗ୍ନିକି ତୁସ୍ତି କଲା

ବାଈବାତ ପ୍ରାୟେ ଶିଖା ତୋହୋର ଲାଗିଲା |୮୩|

ଅଧଉର୍ଯ୍ୟ – ଧଉର୍ଯ୍ୟ ହୋଇ ତୋହୋର ପରକାଶ

ସମସ୍ତ ଦହିଜକର ତୁ ନଆସ ଆମ୍ଭ ପାଶ |୮୪|

ଅବିକ୍ଷଣେ ଭକ୍ଷନ୍ତେ ତୋର ଅଧଉର୍ଯ୍ୟ ପରକାଶ

ସୂର୍ଯ୍ୟ ତେଜ ଜାଣି ତୋହୋର ଶରୀର ଆଭାସ |୮୫|

ଅଗ୍ନିକି ପୁଣ ପୁଣ ତୁସ୍ତି କରଇ ଶିରଶିଖ

ଆମ୍ଭେ ଚାରି ଭାଇ ବାଳୁତ ଆମ୍ଭନ୍ତ ତୁହି ରଖ |୮୬|

ପିତା ମାତା ବେନି ନାହିଂ ଯେ ଆମ୍ଭର

ପଛୀ ନାହିଂ ଉଡ଼ିବାକୁ ସତ୍ୟ କହୁଛୁଂ ତୋହୋର ଆଗର |୮୭|

ଆନ ରଖନ୍ତା ନାହିଂ ଶରଣ ତୋହୋର

ତୋହ ବିନୁ ଆନେ ନାହିଂ ଆମ୍ଭର ପ୍ରତିକାର |୮୮|

ତୋ ବିନୁଂ ଆମ୍ଭର ଯେ ନାହିଂ ଜୀବଦାତା

ତୁ ଅଗ୍ନି ଦେବତା ସକଳ ଭୂତ ଜୟ କରନ୍ତା |୮୯|

ତୋହୋର ଚରଣେ ଆମ୍ଭେ ପଶିଲୁ ଶରଣ

ଆମ୍ଭ ଚାରି ଭାଇନ୍ତି ରଖ ବୋଲି ବୋଲନ୍ତି ବୟାଣ |୯୦|

ଭୋ ଅଗ୍ନି ସକଳ ଜନ୍ତୁନ୍ତ ଅଛୁଂ ତୁ ଉଦ୍ଧରି

ଆମ୍ଭନ୍ତ ବେଳକ ସୁଖେ ନିଅ ତୁ ଉଦ୍ଧରି |୯୧|

ତୁ ହବି ସକଳ କରୁ ହୋ ଆପ୍ୟାନ

ପୁଣି ହୃଷ୍ଟ କରି ପାଳୁ ସକଳ ଜନ |୯୨|

ତୋହୋର ମହିମା କେ ଅନ୍ତ କରି ପାରଇଂ

ସକଳ ଦେବତାମାନେ ତୁସ୍ତି କରନ୍ତି ତୋର ତହିଂ |୯୩|

ଚଛୁ ପିଙ୍ଗଳ ତୋର ଲୋହିତ ବର୍ଣ୍ଣ କଳା

ଗୁରୁନାମ ବହନି ତୋହୋର ପିଙ୍ଗଳା |୯୪|

ୟେସନେକେ ଶରୀରେ ନ ଲାଗଇ ଜ୍ଵାଳ

ତେସନେକ କରି ନାଥ ଆମ୍ଭନ୍ତ ପ୍ରତିପାଳ |୯୫|

ତୋଷ ହୋଇଣ ସେ ବୋଲଇ ହୁତାଶନ

ତୁମ୍ଭର ତୁସ୍ତିରେ ମୁଂ ହୋଇଲି ତୋଷମନ |୯୬|

ଭୟେ ନ କର ତୁମ୍ଭେ ପାଞ୍ଚଜଣେ କଲି ପାର

ପିତା ତୁମ୍ଭର ପୂର୍ବେ ମାଗିଛନ୍ତି ବର |୯୭|

ୟେବେ ସେ ତୁମ୍ଭର ତୁସ୍ତି ଅଧିକ ହୋଇଲା

ୟେତେ କହି ଅଗ୍ନି ତହୁଂ ଆଡ଼େ ହୋଇଗଲା |୯୮|

ଶୁଣ ହୋ ରାଜନ ୟେସନେକ ପରକାରେ

ଚାରିଭାଇନ୍ତ ନ ଭକ୍ଷିଲେ ଋଷିଙ୍କ ଭଗତି ଭାବରେ

ମାତାଙ୍କୁ ରଖିଲେ ସେ ପିତାଙ୍କ ତୁସ୍ତିରେ |୯୯|

ମନ୍ଦପାଳ ଋଷି ପୁତ୍ରଙ୍କର ଶୋକେ

ଲପିତା ଭାରିଯାକୁ ବୋଇଲେ ଦୃଢ଼ ବାକ୍ୟେ |୧୦୦|

ଅଗ୍ନିରୁ କେସନେକେ ଉବୁରିଲେ ପୁତ୍ର ଚାରି

ଜରିତା ପୁତ୍ରଙ୍କର ଶୋକେଣ ପ୍ରାଣହାରି |୧୦୧|

ଲପିତା ବୋଇଲେ ଶୁଣ ହୋ ମନ୍ଦପାଳ

ତୁମ୍ଭେ ପୂର୍ବେ ତୁସ୍ତି କରିଛ ଅନଳ |୧୦୨|

ତୁମ୍ଭ ତୁସ୍ତି ବଗତି ବଶ୍ୟାନର

ୟେଣୁ କରି ତୁମ୍ଭ ପୁତ୍ର ହୋଇଗଲେ ପାର |୧୦୩|

ଶୁଣିଣ ମନ୍ଦପାଳ ଭାଳଇ ହୃଦଗତେ

ଭୋ ଧର୍ମଦେବତା ପୁତ୍ରନ୍ତ ଉଦ୍ଧାର କଥା ଲାଗଇ ଯେ ତୋତେ |୧୦୪|

ମୋହୋର ପ୍ରାୟେ ମନ୍ଦ ନାହିଂ ଆନ ପ୍ରାଣୀ

ବାଳୁତ କୁମରନ୍ତ ଛାଡ଼ି ଅଇଲି ମୁଂ ନ ଜାଣି |୧୦୫|

ଭୋ ରାଜନ ଅଗ୍ନି ଯେତେବେଳେ ତହୁଂ ଜିଣିଗଲା

ଜରିତା ମାତା ଯାଇଂ ପୁତ୍ରନ୍ତ ଦେଖିଲା |୧୦୬|

ପୁତ୍ରଙ୍କର ଅଗ୍ନିରେ ଦହିଜ୍ୟ ନୋହିଲା ତନୁ

ତନୟ ଦେଖି ଦୁଖ ଛାଡ଼ିଲା ପଞ୍ଚୁମନୁ |୧୦୭|

ମନ୍ଦପାଳ ଋଷି ଯେ ଦେଖିଲେକ ଯାଇଂ

ପୁତ୍ର ଭାରିଯାନ୍ତ ଦେଖି ମନରେ ତୋଷ ହୋଇ |୧୦୮|

ଜରିତାକୁ ଦେଖି ଯେ ବୋଇଲେ ମନ୍ଦପାଳ

ବେଗେ ଚାରି ପୁତ୍ର ଆଣି ଦିଅ ମୋହୋର କୋଳ |୧୦୯|

ୟେହାନ୍ତ ଅଗ୍ନିରୁ ମୁହିଂ ରଖିଲି ସାରିକ୍ଷେ

ହୃଦେ ସନ୍ତୋଷ ନିର୍ଣ୍ଣୟ ଦେଖିଲି ପ୍ରତକ୍ଷେ |୧୧୦|

ପୁତ୍ର ନ ଥିଲା ପ୍ରାଣୀ ନିନ୍ଦା ପାୟେ ସ୍ଵର୍ଗେ

ଜରିତା ବୋଇଲେ ତୁମ୍ଭେ ପିତା କେଉଣହିଂ ବାଗେ |୧୧୧|

ତୋହୋରେଣ ୟେ ପୁତ୍ରଙ୍କ ଠାରେ କିସ କାର୍ଯ୍ୟ ଅଛି ନାହା

ୟେହାନ୍ତ ଛାଡ଼ି ତୁମ୍ଭ ଆର ଭାରିଯା ପାଶେ ଯା ଯା |୧୧୨|

ଲପିତା ଭାରିଯା ତୋହୋର ଅଟଇ ଅର୍ଦ୍ଧଅଙ୍ଗ

ତାହାରେ ଭଜି ତୁ ଛାଡ଼ିଲୁ ପୁତ୍ରଙ୍କର ସଙ୍ଗ |୧୧୩|

ମନ୍ଦପାଳ ବୋଲନ୍ତି ଯେ ସ୍ତିରୀଙ୍କି ବିଶ୍ଵାସ ନାହିଂ

ହିଂସାଭାବ କଥା ୟେ କହୁ କାହିଂ ପାଇଂ |୧୧୪|

ଅଗ୍ନିରୁ ମୁକତ ମୁଂ କଲି ପୁତ୍ର ଚାରି

ତୁହିତ ଛାଡ଼ି କରି ଗଲୁ ଆରେ ନାରୀ |୧୧୫|

ଅଗ୍ନିତୋଷ କଲି ମୁଂ ପୁତ୍ରନ୍ତ ରୁହାଇ

ସାବତ ହିସାଂଭାବ ତୁ ବହିଲୁ କାହିଂ ପାଇଂ |୧୧୬|

ପୁତ୍ରନ୍ତ କୋଳେ ଧରିଣ ମନ୍ଦପାଳ ଋଷି

ମୁଖରେ ଚୁମ୍ଵନ ଦେଇ ସେ ବଚନ ପ୍ରକାଶି |୧୧୭|

ଆରେ ପୁତ୍ର ଅଟ ତୁମ୍ଭେ ଗୁଣରେ ବିଶେଷ

ତୁମ୍ଭର ଧର୍ମେ ଯେ ଅଗ୍ନି ନ କଲା ତୁମ୍ଭନ୍ତ ନାଶ |୧୧୮|

ୟେସନେକ ବାଣୀ ବୋଲି ସେ ମନ୍ଦପାଳ ମୁନି

ଗଲା ସ୍ଵର୍ଗପୁରେ ପୁତ୍ର ଭାରିଯାନ୍ତି ଘେନି |୧୧୯|୧୩୦୨ |

 

ଅର୍ଜୁନଙ୍କର ବରଲାଭ

ଅଗ୍ନିରେ ଶରଣଗଲା ଯେ ଚକ୍ର ଚଢେଇ

ସେ ପ୍ରାଣ ପାଇଲା ଅଗ୍ନିଙ୍କର ପାଶେ ଥାଇ |୧|

ତାମ୍ରଚୂଡ଼ା ବୋଲି କରି ଚଢେଇ ଗୋଟିୟେ

ଶ୍ରୀରାମ ମୁକୁଟ ଦେଖି ତାକୁ ଛାଡ଼ିଲେ ଧନୁର୍ଜୟେ |୨|

ବିଷ୍ଣୁପ୍ରସାଦ ବୋଲି ୟେକ ବୃକ୍ଷ ଗୋଟିୟେ

ଶରଧାରେ ଆଡ଼ କଲେ ତାହା ପାଣ୍ଡବ ଧନୁର୍ଜୟେ |୩|

ବିଷ୍ଣୁପ୍ରଭାବ ବୋଲିଣ ଅଶ୍ଵଥ ବୃକ୍ଷ ରକ୍ଷାଗଲା

ଅଗ୍ନି ଦେବତାୟେ ବୃକ୍ଷ ଭାବଣେ ଛାଡିଲା |୪|

ପାଳଧୁଆ ବୃକ୍ଷକୁ ରଖିଲେ ବଶ୍ୟାନରେ

ନୀଳକଣ୍ଠ ଚଢେଇ ରକ୍ଷାଗଲା ରୁଦ୍ରଙ୍କ ଚିହ୍ନରେ |୫|

ପୁଷ୍ୟଙ୍କ ମଧ୍ୟରେ ବକୁଳ ରକ୍ଷାଗଲା

ବୋଝ କୁସୁମ ଲତା ଯେ ଆଦିତ୍ୟ ରଖିଲା |୬|

ବିଷ୍ଣୁପ୍ରସାଦ ଅଶ୍ଵଥ ଅଟଇ ପରମେଶ୍ଵର

ବକୁଳ ଭୋଜା ରଖିଲେ ପୁଷ୍ୟମାନ ସାର |୭|

ଶୋଷକ କାଳସର୍ପ ତାରାକ୍ଷୀ ତାମ୍ରଚୂଡ଼

ଚକ୍ରା ଚଢେଇ ପାଳଧୁଆ ଗୋଟି ରହିଲା ଅଗ୍ନିଙ୍କର ଆଡ଼ |୮|

ଅପୂର୍ବ ପଦାର୍ଥ ମାନ ସେ ରକ୍ଷା ହୋଇଲା

ସହସ୍ରେ ନବଶତ ଯୋଜନ ତୋଟା ନାଶଗଲା |୯|

ସମସ୍ତ ଦହନ ସେ କଲେକ ବଶ୍ୟାନରେ

ହୋଇଲେ ନିକଳଙ୍ଗ ଫିଟିଲା ମନ୍ଦାଗ୍ନି ଶରୀରେ |୧୦|

ଇଚ୍ଛାୟେ ଆପାନ ସେ କଲେକ ମଉଷଧି

ହୋଇଲା ନିକଳଙ୍କ ଫିଟିଲା ଲୁଦୁବୁଦୁ ବ୍ୟାଧି |୧୧|

ଭୁଞ୍ଜି ତ୍ରିପୁତି ଓଦର କଲେ ପୁଷ୍ଟ

ହୋଇଲେ ଶାନ୍ତି ମୂର୍ତ୍ତି ଛାଡ଼ିଲେକ କଷ୍ଟ |୧୨|

ତ୍ରିଚ୍ଛକ କରିଣ ଦେବ ବସନେକ ପିନ୍ଧି

ଲମ୍ଵିତ କରି ଜୂଡ଼ା ଗୋଟିୟେକ ବାନ୍ଧି |୧୩|

କନ୍ଧରେ ଯଗ୍ୟଂପର୍ବତ ଗୋଟିୟେ ଉତ୍ତରୀ ଅଛି

ଲୋହିତ ବର୍ଣ୍ଣ ଶରୀରେ ଦ୍ଵାଦଶ ଚିତା ଗଛି |୧୪|

ଗୋପ୍ୟାନ ଦୋହରା କରେ ପାତ୍ରୀ ଗଡ଼ୁ କୁଶ କାଖେ ପିଢା

ଦେବ ମନ୍ତ୍ର ଆଧ୍ୟାନ ଦେବ କରାଣ୍ଡି ବିଡ଼ା |୧୫|

ଆସିଣ ମିଳିଲେ ଦେବ ଅର୍ଜୁନର କତି

ଭଗତ ଶରଣ ରକ୍ଷଣ ବୀରଧୁ ତୋର ଅଟଇ ଯୁଗତି |୧୬|

ତୁଷ୍ଟ ଭୋଜନେ ଯେହ୍ନେ ବ୍ରାହ୍ମଣେ ତ୍ରିପୁତି

ପୀଢା ମାଡ଼ି ବସିଲେ ଯାଇଂ ଅର୍ଜୁନର କତି |୧୭|

ମଉଷଧି ଅକ୍ଷତ ସେ ଯେ ଘେନିଲେ କରପୁଟେ

ଦୁବ୍ରାକ୍ଷତ ଦିଲେ ନେଇ ଅର୍ଜୁନର ଲଲାଟେ |୧୮|

ସୁବର୍ଣ୍ଣର ଫରୁଆରେ ଅଷ୍ଟରତ୍ନ ଖଞ୍ଜି

ଅନେକ ମଉଷଧି ଭିତରେଣ ସଞ୍ଚି |୧୯|

ସମ୍ଭାଳି ବାସବୀ ୟେଥେଂ ତୋର ଅନେକ କାର୍ଯ୍ୟ ଅଛି

ଯେ ସେ କ୍ଷେତ୍ରୀ ତୋତେ ଶସ୍ର ନ ପାରିବେ ଯୋଚି |୨୦|

ଆହୋ ଯାତ୍ରା ସାଂଗ୍ରାମେ ଆବର ଅନକୂଳେ

ୟେ ମଉଷଧି ଅକ୍ଷତ ତୁ ବାବୁ ଘେନିମୁଂ କପୋଳେ |୨୧|

ଜଳେ ଥଳେ ଅନଳେ ନାହିଂ ତୋତେ ଅପ୍ରାଜୟେ

ତ୍ରଇଲୋକ୍ୟେ ଜିଣନ୍ତା ହେବୁ ସାଂଗ୍ରାମେ ହୋଇବୁ ନିର୍ଭୟେ |୨୨|

ସ୍ତମ୍ଭନ ମୋହନ ଯେ ବଶ ଉଚ୍ଚାଟନ

ଗୁଟିକା ଅଞ୍ଜନ ଯେ ଧରଣ ଧାରଣ |୨୩|

ଅର୍ଜୁନକୁ ଦୃଢ କରି ଦିଲେ ମଉଷଧି

ୟେ ଭସ୍ମ ଲେପିଲେ ଶରୀରୁଂ ତୁଟିବ ନାନା ବ୍ୟାଧି |୨୪|

ମଉଷଧି ଦହନରୁ ଦିଲକେ ବିଭୂତି

ୟେହା ଅଙ୍ଗେ ବାବୁ ଲେପନ କରିବୁ ନିତି |୨୫|

ପଶୁପତ୍ର ମୁଦୁଗର ବଜ୍ର ଯେ ଶକତି

ଅଙ୍ଗେ ନ ଭେଦିବ ଚୂର ହୋଇବ ୟେଘାନ୍ତି |୨୬|

ମହାମନ୍ତ୍ର ପଢି କରି ଦିଲେକ ଆଶିଷ

ତ୍ରଇଲୋକ୍ୟ ବ୍ରହ୍ମାଣ୍ଡେ ତୋତେ ହୋଉ ପାଥ ଯଶ |୨୭|

ତିନିଯୁଗର ମୁହିଂ ଯେ ହୋଇଥିଲି ରୋଗୀ

ତୋହୋର ପ୍ରସାଦେ ମୁହିଂ ହୋଇଲି ସୁଖଭୋଗୀ |୨୮|

ୟେସନେ ନିକଳଙ୍କ ହୋଇଲା ମୋର କାୟେ

ବଂଶରେ କଳଙ୍କ ତୋର ନ ରାଗୁ ଧନୁର୍ଜୟେ |୨୯|

ସକଳ ଭବନକୁ ଅଗ୍ନି ସେ ଅଟଇ ମୂଳ

ଅଗ୍ନିହି ସେ ଖଣ୍ଡଇ ଦୁରିତ ସକଳ |୩୦|

ପୁଣ ପୁଣ ଆଶିଷ କରନ୍ତି ପରମ ସାନନ୍ଦେ

ହୋଇଲି ନିକଳଙ୍କ ବାବୁ ତୋହୋର ପରସାଦେ |୩୧|

ଜଳେ ଥଳେ ଅନଳେ ଖଡ଼ଗେ ନ ତୁଟୁଂ ତୋର କାୟେ

ତ୍ରଇଲୋକ୍ୟ ସାଂଗ୍ରାମେ ହୁଅ ତୁ ଅଜୟେ |୩୨|

ଜାତ ହନ୍ତକକୁ ଯେ ଅଜପା ଯୋଗ ଧ୍ୟାନେ

ଶୁଦ୍ଧ ଅଶୁଦ୍ଧ ବୁଝି ତ ରୁଚଇ ମନ୍ତ୍ର ଗ୍ୟାନେ |୩୩|

ନାରାଚ ସନ୍ଧିବୁ ଯେବେ ୟେହି ମନ୍ତ୍ର ପଢି

ୟେକା ବାଣ ପେଷିଲେ ହୁଅନ୍ତି ଲକ୍ଷ ଚାରି |୩୪|

ଅରୁଣ କିରଣ ହାଦେ ଯେଉଂ ବେନି ମଣି

ଅର୍ଜୁନର କଣ୍ଠେ ବଶ୍ୟାନର ଲମ୍ଵାଇଲେ ଆଣି |୩୫|

ୟେ ମଣି ଥିଲେ ବାବୁ ନ ପଡ଼ଇ ରୋଗ ବ୍ୟାଧି

ହରଇ ବିପତ୍ତି ଯେ ପ୍ରସରଇ ବୁଦ୍ଧି |୩୬|

ଗବନ ଅନକୂଳେ ବାଞ୍ଛା ହେଉ ପ୍ରାପତ

ଯାବତ ଚନ୍ଦ୍ରାଅର୍କେ ସିଦ୍ଧ ଯେ ସମସ୍ତ |୩୭|

ଯେତେବେଳେ ବାବୁ ସାଂଗ୍ରାମେ ଯାଉଥିବୁ

ଆମ୍ଭେ ତୋହୋର ରଥ ଦକ୍ଷିଣ କୋଣେ ଥିବୁଂ |୩୮|

ଯେତେ ଧନୁ ଶହସ୍ର ମୁଂ ଦେବତାଙ୍କ ତହୁଂ ଆଣିଲି ମାଗି

ବାଞ୍ଛାସିଦ୍ଧ କରି ଅର୍ଜୁନକୁ ଦିଲେ ବେଗି |୩୯|

ଅନେକ ବିଦ୍ୟା ଦେଇ ଦେବ ହୋଇଲେ ପରସନ

ତହୁଂଣ ଅଗ୍ନି ଦେବତା ହୋଇଲେ ଅନ୍ତର୍ଧାନ |୪୦|

ଖାଣ୍ଡବ ବନ ଦହନେ ହୋଇଲା ସେ ଅଗ୍ନିଙ୍କର ବୁଦ୍ଧି

ରାଗଣେ ହରିଲେ ଆକାଶର ସମ୍ପ୍ରଧି |୪୧|

ସତ୍ୟ ତ୍ରେତୟା ଦ୍ଵାପର ଯେ ମନ୍ଦାଅଗ୍ନି ହୋଇଲେ

ଅର୍ଜୁନ ପ୍ରସାଦେ ଦ୍ଵାପର ଅନଳ ତେଜ ପ୍ରକାଶିଲେ |୪୨|

ତହୁଂଣ ବିଜେ କରି ଗଲେକ ଅର୍ଜୁନ

କପିଳାସେ ଥୋଇଲେ ନେଇ ଦେବଶସ୍ରମାନ |୪୩|

ନନ୍ଦିଘୋଷ ରଥ ଚାରି ଅଶ୍ଵନ୍ତ ସହିତେ

ସମସ୍ତ ସମ୍ଭାଳିଲେ ଗଉରା ଜଗତମାତେ |୪୪|

ଗିରିଜାହ୍କ ପଦ୍ମପାଦେ ପ୍ରଳମ୍ଵିତ ହୋଇଲେ ଧର୍ନୁଜୟେ

ସୁମରିଲେ ଶହସ୍ର ଛାଡ଼ି ଦେବୁଟି ଗୋ ମାୟେ |୪୫|

ଲୟେ ବୋଧମନ୍ତ୍ରେ ଦିଲେକ ପାର୍ବତୀ

ୟେ ମନ୍ତ୍ର ପଢି ସୁମରିବୁ ବାବୁ ମୋତେ ମହାଛତ୍ରୀ |୪୬|

କରେଣ ଧାମଣା କାଠର ଧନୁ ଦୋସରା ପିନାକୀ

ବେନି ତ୍ରୋଣ ଭିଡି ବାହାରିଲେ ସର୍ବସାଚୀ |୪୭|

ତପୋଧନ ରୂପ ସେ ଧରିଣ ଫାଲଗୁନି

ଶିରରେ ବାନ୍ଧିଲା ସେ ଜଟା ଗୋଟି ତିନି |୪୮|

ଭସ୍ମ ବିଲେପନ ଯେ ସ୍ଫଟିକ ମୁଦୁରା କର୍ଣ୍ଣେ

ତାମ୍ର ବସ୍ର ଆରୋପଣ ଶରୀର ଉଦ୍ଦାନେ |୪୯|

ଓଡ଼ିଆଣି ଗୋଟିୟେ ପାଥ ଭିଡ଼ିଣ ଅଛି କଟି

ଭିଡ଼ିଲା ଗଣ୍ଡସ୍ଥଳେ ଦିବ୍ୟ ବସନ କର୍ପଟି |୫୦|

ୟେସନେକ ସରୂପ ରୁଦ୍ରଗଣ ଚିହ୍ନ

ସତ୍ୟ ଆଚାରୀ ପାଥ ଚଳଇ ଘୋର ବନ |୫୧|୧୩୫୩|

 

Unknown

ଚିତ୍ରାଙ୍କୁର ଶରଣ ଓ ବୈରାଜ ରାଜା ମିଳନ

ଅନେକ ସାନନ୍ଦ ବୀର ଯେ ନାହିଂ ଅପୌରୁଷ

ଭ୍ରମଇଂ ଗହନ ବନ ଯେ ଅନେକ ହରଷ |୧|

ୟେତେକ ବିଚାରି ଯେ ପାଥ ଅନେକ ତୀର୍ଥ ଭ୍ରମି

ଅନେକ ଗିରି ଡିଙ୍ଗର ଦୁସହ ପଥ ଗମି |୨|

ୟେସନେକ ଅଟଇ ସେ ପାଥର ବନବାସ

ଶୁଭେଣ ପାର ଗଲା ଯେ ନବ ବରଷ ସାତମାସ |୩|

କାଶୀ କୌଶିକୀ ତୁଙ୍ଗଭଦ୍ରା କାବେରୀ

ନର୍ମଦା ସରସ୍ଵତୀ ଯେ ଆବର ଗୋଦାବରୀ |୪|

ରାମଘାଟ କୃଷ୍ଣାବେଣୀ ମଣିକର୍ଣ୍ଣିକା ତ

ଋଷିକୁଲ୍ୟା ଗଙ୍ଗା ଯେ ଯମୁନା ଆଦି ସାତ |୫|

ସରଜୁ ପୁଲକି ଆବର ଯେ ଗୟାତୀର୍ଥ

ୟେମନ୍ତେ ଅନେକ ତୀର୍ଥ ଗମିଲା କୋନ୍ତୀସୁତ |୬|

ପାଦଶ୍ରମ ପାଇ ବୀର ବିଚାରଇ ମନେ ମନେ

ଥୋକାୟେ ଦିନ ୟେବେ ରହିବା କାନନେ |୭|

ୟେମନ୍ତ ବିଚାର କରି କରଇ ପୟାଣ

ୟେକାମ୍ଵରେ ମିଳିଲା ପାଣ୍ଡବ ଅରଜୁନ |୮|

ମହାସୁସ୍ତ ହୋଇ ତହିଂ ଫଳମୂଳ ଖାଇଂ

ହସ୍ତିନା ପାଶୋରି ବୀର ରହିଲାକ ତହିଂ |୯|

ତିନିମାସ ତହିଂ ବଞ୍ଚିଲା ମହାବୀର

ଅଗସ୍ତି ବୋଇଲେ ଶୁଣ ମନୁ ଦଣ୍ଡଧର |୧୦|

କୁମ୍ଭ ମାସ ଶୁକଳ ପକ୍ଷ ଚଉଠୀ ତିଥି ଗୁରୁବାର

ରେବତୀ ନାମେ ନକ୍ଷତ୍ର ମୀନ ଚନ୍ଦ୍ର ସେ ଦିନର |୧୧|

ବବ କରଣ ଯେ ହେଲା ଶୁଭ ନାମେ ଯୋଗ

କୁମ୍ଭ ସଂକରାନ୍ତିକି ପଚିଶ ଦିନ ଭୋଗ |୧୨|

ସେ ଦିନ ଅର୍ଜୁନ ପିପଳ ବୃକ୍ଷ ମୂଳେ

ଶରଧାରେ ବସିଅଛି ବାସବ ଦୁଲାଳେ |୧୩|

ଆଗରେ ଥୋଇଅଛି ଅକ୍ଷୟ ତ୍ରୋଣଭାର

ଶରମାନ ଯନ୍ତା ଦେଉଅଛି ମହାବୀର |୧୪|

ୟେସନେକ ସମୟେ ଯେ ୟେକଇ ପୁରୁଷେ

କେଶବାସ ଅସମ୍ଭାଳ ପଳାଉଛି ତ୍ରାସେ |୧୫|

ଗହନ କାନନେ ଯାଉଅଛି ଧାପ ଦେଇ

ମିଳିଲା ଯାଇଂ ଅର୍ଜୁନ ବସିଅଛି ଯହିଂ |୧୬|

ଛତ୍ରୀବୃତ୍ତ ପଣ ତାର ଦେଖିଲାକ ଯହୁଂ

ଶରଣ ବୋଲି ବୀର ଯେ ଫୁକାରିଲା ତହୁଂ |୧୭|

ୟେହା ଶୁଣି ପଚାରଇ ବିଲଙ୍କ ଦେଶ ରାୟ

ଭୋ ମୁନି ଅଗସ୍ତି ୟେତ ବଡ଼ାଇ ସନ୍ଦେହ |୧୮|

କାହୁଂ ସେ ଅଦ୍ଭୁତେ ଅବା ଅଇଲା ପୁରୁଷ

କେବଣ ମହାତମା କଲା କିବା ତାକୁ ରୋଷ |୧୯|

ୟେହା ମୋତେ ସଞ୍ଚପି କହିବା ମହାମୁନି

ଶୁଣିସ ହୋ ମନୁ ବଦୟନ୍ତି ଅଗସ୍ତି ତପୋଧନୀ |୨୦|

ଯଶୋବନ୍ତ ବୋଲିଣ ଯେ ୟେକଇ ନଗର

ଜମ୍ଵାଳ ନାମେଣ ଗିରି ଉତ୍ତର ପାଶର |୨୧|

ଚିତ୍ରାଙ୍ଗୀ ନାମେ ନଦୀ ବହେ ଉତ୍ତର ମୂରତି

ଚିତ୍ରାଙ୍କୁର ବୋଲିଣ ତହିଂର ନରପତି |୨୨|

ଅହିବ୍ରତେ ଘର ତହିଂ ବସଇ ପାଟଣା

ଅତିହିଂ ସୁସଞ୍ଚ ସେହୁ ଅମୂଲ୍ୟ ଘଟଣା |୨୩|

ମର୍ଭୁତେକ ହାଥୀ ଅଶ୍ଵ ଶତେକ ମର୍ଭୁତ

ବାଇଶ କ୍ଷେଉଣୀ ବଳ ଅହିବ୍ରତେକ ରଥ |୨୪|

ହିଙ୍ଗୁଳା ଲକ୍ଷ୍ମୀ ନାମେ ତାହାର ମହାଦେଈ

ଲମ୍ଵିତା ଚିତ୍ରାଙ୍ଗଦା ଯେ ବେନି ତା ତନୟୀ |୨୫|

ଚିତ୍ରଧ୍ଵଜ ନାମେ ତାର ୟେକଇଂ କୁମର

ମୃଗୟା ବିନୋଦେ ସେହୁ ହୋଇଲା ବାହାର |୨୬|

ବେନି କୋଟି ଅଶ୍ଵ ତୁଲେ ରାଜାର ନନ୍ଦନ

ସାତ କ୍ଷେଉଣୀ ପାଦାନ୍ତି ଘେନି ଭ୍ରମଇ ଘୋରବନ |୨୭|

ଗହନ ଅଟବୀରେ ପଶିଲାକ ଯାଇଂ

ଦଇବର ଯୋଗେ ରାଜପଥ ବଣା ହୋଇ |୨୮|

ପଞ୍ଚଦଶ ଯୋଜନ ସେ ଅରଣ୍ୟେଣ ଗଲେ

ପରମହଂସ ନାମେକ ଗ୍ରାମରେ ମିଳିଲେ |୨୯|

ପରନନ୍ଦଭୃତ ନାମେ ୟେକଇ ଶୟଳ

ପିପଳା ନାମେଣ ନଦୀ ବହଇ ପରିମଳ |୩୦|

ବାରଲକ୍ଷ ଘର ସେ ରାଜ୍ୟରେ ବସଇ

ସେ ପୁରରେ ବଇରାଷ୍ଟ୍ର ନାମେଣ ନରସାଇଂ |୩୧|

ବିମ୍ଵମାଳୀ ନାମେଣ ଅଛି ତାହାର ଦୋହିତା

ପିତା ଘରେ ଥାଇ ଅବିଭାଇତ ବନିତା |୩୨|

ଦାସୀଗଣମାନ ସଙ୍ଗେ ଘେନିଣ କୁମାରୀ

ପିପଳା ନଦୀରେ ପଶି ସେ ସ୍ନାହାନ କରି |୩୩|

ୟେମନ୍ତ ସମୟେ ସେଠାରେ ତହିଂ ମିଳିଲା ଚିତ୍ରଧ୍ଵଜ

ପଚାରଇ ସୁନ୍ଦରୀ ୟେ କେବଣ ରାଇଜ |୩୪|

କାହାର ଦୋହିତା ତୁ କାହାର ମନୋହାରୀ

ବିଭା ହୋଇ ନ ଥିଲେ ତୁ ମୋତେ ବର ନାରୀ |୩୫|

ମୁହିଂ ଚିତ୍ରଧ୍ଵଜ ଚିତ୍ରାଙ୍କୁର ରାଜାର କୁମର

ଯଶୋବନ୍ତ ନଗ୍ରରେ ଅଟଇ ମୋର ଘର |୩୬|

ଇଚ୍ଛା ହେଲେ ମୋର ଅଶ୍ଵେ ଆସି ବସରେ ତରୁଣୀ

ଶୁଣି ଅପସରିଲା ବଇରାଷ୍ଟ୍ରର ଦୁଲଣୀ |୩୭|

ଲୋହିତ ନାମେ ଯେ ଦାସୀ କହଇ ଉତ୍ତର

ଶୁଣ ଆହେ ଚିତ୍ରଧ୍ଵଜ ଆମ୍ଭର ବିଚାର |୩୮|

ଯାହା ପଚାରିଲେ ତୁମ୍ଭେ ୟେ ଦେଶର ବାରତା

ପରମହଂସ ବୋଲିଣ ଯେହୁ ଜଗତେ ବିଦିତା |୩୯|

ତିନି ମର୍ଭୁତ ଘର ଯେ ବସଇ ପରଜା

ବଇରାଷ୍ଟ୍ର ନାମେ ଅଟଇ ୟେଥିରେ ରାଜା |୪୦|

ତାହାର ଦୋହିତା ନାମ ଅଟଇ ବିମ୍ଵମାଳୀ

ସ୍ନାହାନ କରିତେ ୟେଥକୁ ଆସିଅଛି ବାଳୀ |୪୧|

ତୁ ଯେବେ ୟେହାକୁ ବଳାଇଲୁ ମନ

ରାଜାକୁ ମାଗ କନ୍ୟା ତୁମ୍ଭନ୍ତ କରୁ ସେ ପ୍ରଦାନ |୪୨|

ପିତାଦତ୍ତ କନ୍ୟା ରାଜଦତ୍ତ ମହୀ

ସ୍ନାନ ଠାରୁ କେମନ୍ତେ କରିବ ଜେମାଦେଈ |୪୩|

ଶୁଣିଣ ଚିତ୍ରଧ୍ଵଜ ମୁରୁଛି ନ ପାରିଲା

ଦାସୀଗଣ ମଧ୍ୟେ ସେ ଅଶ୍ଵ ନେଇ କଲା |୪୪|

ବିମ୍ଵମାଳୀ କନ୍ୟାର ଧଇଲା ଯାଇ ଭୁଜ

ବାରାସେ ବସାଇ ଚଳିଲା ନିଜ ରାଜ୍ୟ |୪୫|

ସଂଗତେ ଗୋଡ଼ାଇଲେ ଥାଠ ତାର ଯେତେ

ଯଶୋବନ୍ତ ନଗ୍ରେ ମିଳିଲେ ତୁରିତେ |୪୬|

ଦେଖିଣ ପୁତ୍ରକୁ ପୁଚ୍ଛଇ ନରନାଥ

କାହୁଂ ଆଣିଲୁ ୟେ ଅବିଭାଇ ଦୋହିତ |୪୭|

ଅର୍ଧମ କଲୁତ ବୋଇଲେ ଦଣ୍ଡଧାରୀ

କାହାର ଦୋହିତା ତୁ ଆଣିଲୁ ବଳେ ହରି |୪୮|

କୁମର ବୋଇଲା ତାତ ୟେ ବରିଲାକ ମୋତେ

ତାହା ଶୁଣିଣ ହରଷ ହୋଇଲେ ନୃପତ୍ୟେ |୪୯|

କନ୍ୟାକଇଂ ନେଇଣ ଥୋଇଲା ଅନ୍ତପୁରୀ

ସନ୍ୟ ସେନା ଗଲେ ତହୁଂ ଯେ ଯାହା ନଗରୀ |୫୦|

ୟେଥୁଂ ଅନନ୍ତରେ ଶୁଣ ଦଣ୍ଡଧାରୀ

ବିମ୍ଵମାଳୀ ସଂଗେ ଯେ ଥିଲେ ପରିବାରୀ |୫୧|

କନ୍ୟାକୁ ଯହୁଂ ହରିନେଲା ଚିତ୍ରଧ୍ଵଜ ବୀର

ବିଷାଦ ହୋଇ ଦାସୀ ଯେ ଚଳିଲେ ନିଜ ପୁର |୫୨|

ନିଅବକାଶଠାରେ ଯାଇଂ ମିଳିଲେ ସେ ବେଗେ

କରଯୋଡ଼ି ଜଣାଇଲେ ବଇରାଷ୍ଟ୍ର ଆଗେ |୫୩|

ଭୋ ଦେବ ରାଜେଶ୍ଵର ଶୁଣିମା ଗୁହାରି

ସ୍ନାହାନ ଯାଇଥିଲେ ତୁମ୍ଭର କୁମାରୀ |୫୪|

ଜଳେଶ ପଶି ଆପଣାର ଅଙ୍ଗ ପଖାଳନ୍ତେ

ଚିତ୍ରାଙ୍କୁର ରାଜପୁତ୍ର ମିଳିଲା ତୁରିତେ |୫୫|

ଚିତ୍ରଧ୍ଵଜ ନାମ ଗୋଟି ଅଟଇ ତାହାରି

ବଳେ ଧରିନେଲା ଆସି ତୋହୋର କୁମାରୀ |୫୬|

ଶୁଣିଣ ରାଜନ କୋପେ ହୋଇ ପରଚଣ୍ଡ

ମନ୍ତ୍ରୀକି ବୋଇଲା ବେଗେ ସାଜ ସମଦଣ୍ଡ |୫୭|

ତତକ୍ଷଣେ ସଜ ଯେ ସକଳ ସେନାପତି

ରଥ ଗଜ ଅଶ୍ଵ ଆଦି ସାଜିଣ ଆଣନ୍ତି |୫୮|

ଐରାବତ ଜାଣି ତିନି ଅହିବ୍ରତ ହାଥୀ

ମହା ବଳବନ୍ତ ସେହୁ ସମରେ ନିଭ୍ରାନ୍ତି |୫୯|

ସାତ ମେବଚ୍ଛକ ଅଶ୍ଵ ପଞ୍ଚାଶ କୋଟି ବଳ

ସାଜନ୍ତେ ଯେ ମେଦିନୀ ହୋଇଲା ଟଳମଳ |୬୦|

ୟେକାଦଶ ବୃନ୍ଦ ତହିଂରେ ଯେ ସାଜିଲେକ ଓଟ

ଅମାପତ ବଳ ସମ୍ଭାଳିଛି ବଇରାଷ୍ଟ୍ର |୬୧|

ସେନାପତିମାନେ ଯେ ହୋଇଲେ ଆଗଆଣି

ପାଦଭରେ ଟଳମଳ କମ୍ଫଇ ଧରଣୀ |୬୩|

ଢୋଲ ଦମା ଟମକ ବାଜଇ ଘୋର ଟାଣ

ହାଥୀଙ୍କ ଗର୍ଜନ ଘୋଡ଼ାଙ୍କର ହ୍ରେସାରବ ଜାଣ |୬୪|

ପାଦାନ୍ତିଙ୍କ ମୁଖରାବ ପଇଠେ ଧନୁଶର ଗୁଣଟଙ୍କାର

ଗଜ ଘଣ୍ଟାରବ ଯେ ଶୁଭଇ ଅପାର |୬୫|

ଦେଖିଣ ବଇରାଷ୍ଟ୍ର ରାଜା ଛାଡ଼ିଲା ମନୁ ଚିନ୍ତା

ବଜ୍ରଘୋଟ ସେହ୍ନା ଲାଇଲା ବଳବନ୍ତା |୬୬|

ବ୍ରତୁଳ ମୁକୁତାମାଳି ଗଳେ ଶତେ ସରି

ବିବିଧ ବର୍ଣ୍ଣେ ପଦକ ହୃଦୟରେ ଭରି |୬୭|

ଅନର୍ଗଳ ତୋଢର ବାନ୍ଧିଲାକ ପାଦେ

ଚରଣ ଶୋଭା ପାଇଲା ନେପୁରର ନାଦେ |୬୮|

କଟିରେ କଟିମେଖଳା ବାମେ ଯମଦାଢ଼

ନେତେକ ସେ ଉଡ଼ାଇଲା କରି ଅତି ଗାଢ |୬୯|

ଶିରରେ ଖଂଜିଲା ମୁକୁଟ ମଣିରତ୍ନମୟେ

କର୍ପୂର ସଂଗେଣ ଯେ ତାମ୍ଵୁଳ ଲାଗି ହୋୟେ |୭୦|

ଶ୍ରବଣେ କୁଣ୍ଡଳ ବିଜୁଳି ଝଟକ ଜାଣି

ଲଲାଟେ ଝଟକନ୍ତି ହୀରା ରତ୍ନ ମଣି |୭୧|

କେଶେଣ ପୁଷ୍ୟ ଲାଇଂ ବାନ୍ଧିଲାକ ଗଭା

ଆନୁ ଆନ ବର୍ଣ୍ଣ ଯେ ଦିଶଇ ବଡ଼ ଶୋଭା |୭୨|

କପାଳେ ଚନ୍ଦନ ଗୋରୋଚନାର ଯେ ଚିତା

ନୟନର ତେଜ କି ସେ ବିଜୁଳିର ଲତା |୭୩|

ଦାଢି ଫୁଲାଇଣ ହରଷ ରାଜନ

ସାରଥି ସାଜିଆଣିଲା ତାର ଦିବ୍ୟ ଯାନ |୭୪|

ହରଷ ହୋଇ ରଥେ ଆରୋହି ମହାରାଜ

ବାମ କରେ ଧନୁ ଦକ୍ଷିଣେ ନାରାଜ |୭୫|

ସମ୍ଭର ହୋଇଣ ଚଳଇ ରାଜନ

ଗହଣେ ଥାଠ ତାର ଅଛନ୍ତି ଅପ୍ରମାଣ |୭୬|

ମୀନମାସ କୃଷ୍ଣପକ୍ଷ ସପତମୀ ଦିନ

ବିଷ୍ଟି ନାମେ କରଣ ବଜ୍ର ଯୋଗ ଜାଣ |୭୭|

ଜ୍ୟେଷ୍ଠା ଋକ୍ଷ ବିଛାଚନ୍ଦ୍ର ଅଟଇ ସେ ଦିନ

ଯୋଗିନୀ ମୁଖେ ରାଜା କଲା ପରସ୍ଥାନ |୭୮|

ସନ୍ୟର ଗହଳେ ତହିଂ ପଶିତେ ଠାବ ନାହିଂ

ଆକାଶେ ଅଦୃଶ ହେଲେ ଛାୟାଦେବୀ ସାଇଂ |୭୯|

ଟମକ ନିଶାଣ ଯେ ବାଜଇ ବୀରତୂର

ପାଦ ଲାଗି ବନ କନ୍ଦର ଯେ ହୋୟେ ଚୂର |୮୦|

ଅତିହିଂ ସମ୍ଭରେ ସେ ଚଳଇ ଥାଠ ଗୋଟି

ପହରକ ମାନେ ଜମ୍ଵାଳ ଗିରି ଭେଟି |୮୧|

ମୁଖରାବ ଶବଦେ ଯେ କମ୍ପଇ ବ୍ରହ୍ମାଣ୍ଡ

ଚିତ୍ରାଙ୍ଗୀ ନଦୀର କୂଳେ ମିଳେ ସମଦଣ୍ଡ |୮୨|

ୟେଥୁ ଅନନ୍ତରେ ଶୁଣି ବିଲଙ୍ଗ ଦେଶ ସାଇଂ

ଚିତ୍ରାଙ୍କୁର ଆଗେ ଚାରଗଣ ଜଣାଇଲେ ଯାଇଂ |୮୩|

ସ୍ଵାମୀ ପରହଟ୍ଟ ଦେଶ ରାଜା ବଇରାଷ୍ଟ୍ର

ତୋହୋର ଉପରକୁ ବାହିଲା ତାର ଥାଠ |୮୪|

ଚିତ୍ରାଙ୍ଗୀ ନଦୀ କୂଳେ ଆସିଣ ରହିଲା

ସମ୍ଭାଳ ରାଜ୍ୟ ତୋର ବୋଲିଣ ବୋଇଲା |୮୫|

ନ ପୁଣ ରାଜ୍ୟରେ ତୋର ପଶଇ ଝସାଇଂ

ବିଳମ୍ଵ ନ କରୁ ଶୁଣିମା ହେ ନରସାଇଂ |୮୬|

ୟେତେକ କହି ସେ ଚାର ପଛ ଘୁଞ୍ଚିଗଲା

ଶୁଣି ତାହା ରାଜା ଯେ ନୟନ ତରାଟିଲା |୮୭|

ଅଧରେ ଦନ୍ତଚାପି ବୋଇଲାକ ରାଗେ

ପେଚାର ଗାରିମା କିରେ ବାୟେଂସାର ଆଗେ |୮୮|

ବାହାସ୍ଫୋଟ ମାରି ସେ ଉଠିଲାକ ପୁଣ ରାଗେ

ମଣ୍ଡୁକୀ ରହଇ କିରେ କାଳସର୍ପ ଆଗେ |୮୯|

ୟେତେ ବୋଲି ରାୟେ ଗର୍ଜନ ନାଦ କଲା

ସମଦଣ୍ଡ ସାଜ ବୋଲି ମନ୍ତ୍ରୀକି ବୋଇଲା |୯୦|

ଆପଣେ ଯୁଦ୍ଧକୁ ସଜ ହେଲା ନୃପମଣି

ଶିରେ ସିମନ୍ଥନୀ ପାଗ ଜରିରେ ଖଞ୍ଜଣି |୯୧|

କରଣେ କଙ୍କଣ ବାହୁଟି ଆଦି ସ୍ଵର୍ଣ୍ଣ ଜଗଦଳା

ହୃଦରେ ଆଭରଣ ମୁକୁତାର ମାଳା |୯୨|

ଶ୍ରବଣେ କୁଣ୍ଡଳ ଶୋଭେ ବାମକରେ ଶରାସନ

ଡାହାଣ କରେ ନାରାଜ ଦିଶଇ ଶୋଭାବନ |୯୩|

ଅନର୍ଗଳ ତୋଢର ବାନ୍ଧିଲାକ ବାମ ପାଦେ

ଚରଣରେ ନୂପୁର ଶୁଭଇ ମହାନାଦେ |୯୪|

ଦାଢି ମୋଡ଼ି ରାଜା ବସିଲାକ ରଥେ ଯାଇଂ

ଚିତ୍ରଧ୍ଵଜ ରାଜା ଅଇଲା ବେଗେ ସଜ ହୋଇଂ |୯୫|

କପାଳେ ତିଳକ ଶିରେ ପାଗ ବାନ୍ଧି

ଦିବ୍ୟ ଚାରୁ ପାଟେ କାଛିଣ ସେ ବୀରବେଶ ପିନ୍ଧି |୯୬|

ଚରଣେ ନୂପୁର ବେନି ରୁଣୁଝୁଣୁ ବାଜେ

ହୃଦରେ ପଦକ ହାର ମଣିଗଣ ସାଜେ |୯୭|

ପୀତ ପତନୀୟେ ସେ କରିଣ ଦୋସଡ଼ା

ବିଦ ମୁଦି ବାହୁଟି କଚଟି ଜଗଦଳା |୯୮|

ତାଡ଼ ତୋଡ଼ର ଯେ ଯମଦାଢ ବାମଭାଗେ

କସ୍ତୁରୀ ଲେପନ କରିଅଛଇଂ ସର୍ବାଙ୍ଗେ |୯୯|

ବେନି ଶ୍ରବଣରେ ସୁବର୍ଣ୍ଣ ଲୋଳି ଶୋଭାବନ

କସ୍ତୁରୀ ଉପରେ କରି ଚନ୍ଦନ ଲେପନ |୧୦୦|

ଡାହାଣେ ନାରାଜ ବାମ କରେ ଶରାସନ

ସାରଥି ସାଜିଣ ଆଣିଲା ସେ ଦିବ୍ୟଯାନ |୧୦୧|

ତହିଂ ଉପରେ ଆରୋହିଲା ଯାଇଂ ବୀର

ପ୍ରବେଶ ହୋଇଲା ଯାଇଂ ପିତାର ଛାମୁର |୧୦୨|

ତାହା ଦେଖିଣ ହରଷ ହୋଇଲାକ ରାୟେ

ଦିଶଇଂ କୁମର ଯେ ମକରଧ୍ଵଜ ପରାୟେ |୧୦୩|

ୟେଥୁଂ ଅନନ୍ତରେ କଥା ଶୁଣ ମହୀପତି

ସଜ ହୋଇଲେ ଯେ ଦଶ ସହସ୍ର ରଥୀ |୧୦୪|

ମର୍ଭୁତେକ ଗଜ ପଚିଶକୋଟି ଅଶ୍ଵ

ବାଇଶି କ୍ଷେଉଣୀ ପାଦାନ୍ତି ତାହାର ବିଶେଷ |୧୦୫|

ଢୋଲ ଦମା ଟମକ ନିଶାଣ ଘୋର ବାଜେ

ରଥ ଗଜ ଅଶ୍ଵ ଚତୁରଙ୍ଗ ବଳ ସାଜେ |୧୦୬|

ସନ୍ୟଙ୍କର ସମ୍ଭାର କହିଲେ ନ ସରଇ

ଅନକୂଳ କଲା ରାଜା ଜୟେଶଙ୍ଖ ବାଇ |୧୦୭|

ୟେମନ୍ତ ସମୟେ ବଇରାଷ୍ଟ୍ର ଦଣ୍ଡସାଇଂ

ନଗରେ ପଶିଣ ସେ ଆସଇ ଝସାଇ |୧୦୮|

ହାଟ ପେଣ୍ଠ ଦେଶ ଘୋଷ ପାଟଣା ଉଜାଡ଼ି

ବାଣ ବଣିଜାର ଆଦି ଲୋକନ୍ତି ଘଉଡ଼ି |୧୦୯|

ଘରେ ଘରେ ପଶିଣ ପଦାର୍ଥ କଲେ ଜୂର

ବୃକ୍ଷନ୍ତ କଟାଇ ପୋଡ଼ିଦିଲେ ଘର |୧୧୦|

ୟେଥୁଂ ଅନନ୍ତରେ ଆସି ଚିତ୍ରାଙ୍କୁର ବୀର

ଥାଠ ସନ୍ୟ ଘେନି ସଙ୍ଗେ ପଶିଲା ସମର |୧୧୧|

ମାର ମାର ଧର ଧର ଶୁଭିଲା ଦୁଇ ବଳେ

ୟେକକଇଂ ଆରକେ ସମରରେ ଆବୋରିଲେ |୧୧୨|

ଗଜେ ଗଜେ ରଥେ ରଥେ ଯୋଦ୍ଧା ସଙ୍ଗେ ଯୋଦ୍ଧା

ପାଦନ୍ତିକି ପାଦାନ୍ତି ମାହୁନ୍ତେ ମାହୁନ୍ତ ଶୋଧା |୧୧୩|

ଲାଗିଲାକ ହଣାହଣି ରଣେ ଦୁଇ ବଳ

ଚିତ୍ରଧ୍ଵଜ ବଇରାଷ୍ଟ୍ର ଭେଟ ଓହୋବଳ |୧୧୪|

ବଇରାଷ୍ଟ୍ରକୁ ଦେଖି କୋପ ଚିତ୍ରଧ୍ଵଜ ବୀର

ବଇରାଷ୍ଟ୍ର ବୋଲେ ନାଶ ଗଲୁ ରେ ପାମର |୧୧୫|

ନ ପଚାରି କନ୍ୟା କିମ୍ଫେ ଆଣିଲୁ ମୋହୋର

ହୁଂକାରି କୁମରକୁ ବିନ୍ଧିଲା ସାତ ଶର |୧୧୬|

ଦେଖି ନିବାରିଲା ହିଙ୍ଗୁଳା ଲକ୍ଷ୍ମୀସୁତ

ବାଇଶ ବାଣ ଯେ ବୀର ବିନ୍ଧିଲା ତୁରିତ |୧୧୭|

ଦଶ ବାଣ ପେଷି ତାହା ଛେଦିଲା ମହାରାଜା

ଚାଳିଶ ବାଣ ମାଇଲା ହିଙ୍ଗୁଳା ତନୁଜା |୧୧୮|

ପାଞ୍ଚବାଣେ ତାହା ବଇରାଷ୍ଟ୍ର ଯେ ନିବାରି

ସମର ସମ୍ଭାର ତାର କହିତ କି ପାରି |୧୧୯|

ଚିତ୍ରାଙ୍କୁର ରାଜା ବାମ କରେ ଧନୁ ଧରି

ନାରାଜ ବିନ୍ଧଇ ସେ ଗର୍ଜନ ନାଦ କରି |୧୨୦|

ବଇରାଷ୍ଟ୍ର ସଇନ ଯେ ଧାଇଂଲେ ଗଳଗାଜି

ଚିତ୍ରାଙ୍କୁର ସଇନୀ ଉଠିଲେ ହୋଇ ତେଜି |୧୨୧|

ଚିତ୍ରାଙ୍କୁର ବୀର ଯେ ବିନ୍ଧିଲା ଦଶ ଶର

ଦଶ ସହସ୍ର ସେନା ଛେଦିଲା ଧାତିକାର |୧୨୨|

ଚିତ୍ରଧ୍ଵଜ ନାରାଜେ ପଡ଼ିଲେ ବାଇଶି କ୍ଷେଉଣୀ ବଳ

ତିନି ସହସ୍ର ଘୋଡ଼ା ମର୍ଭୁତେ କରିବର |୧୨୩|

କୋପ ହେଲା ଦେଖି ତାହା ବଇରାଷ୍ଟ୍ର ରାଜା

ଶତେ ନାରାଚ ବିନ୍ଧିଲା ହୋଇଣ ମହାତେଜା |୧୨୪|

ଚିତ୍ରାଙ୍କୁର ସଇନୀ ହୋଇଲେ ନାରଖାର

ବେଳୁଂ ବେଳ ଅପ୍ରମିତ ହୋଇଲା ସମର |୧୨୫|

ବେଳୁଂ ବେଳ ବଇରାଷ୍ଟ୍ର ହୋଇଲାକ ରାଗ

ଧନୁଧରି ଗର୍ଜଇ ସେ ଯେସନେ ପନ୍ନଙ୍ଗ |୧୨୬|

ତିନି ଅହିବ୍ରତ ନାରାଜ କୋପେଣ ପୂରୋଇ

ଚିତ୍ରଧ୍ଵଜ ଉପରକୁ ମାଇଲା ତୁହାଇ |୧୨୭|

ନାରାଜଘାତ ପାଇ ପଡ଼ିଲା ବୀରମଣି

ଅଶ୍ଵ ସାରଥି ରଥ ଲୋଟିଲେ ଧରଣୀ |୧୨୮|

ଘାୟେଣ ଅସାଷ୍ଟମ ଯେ ରାଜାର ନନ୍ଦନ

ଧାତିକାରେ ରାଜା ତାକୁ କଲାକ ବନ୍ଧନ |୧୨୯|

ଚିତ୍ରଧ୍ଵଜକୁ ଧରି ସେ ରଥରେ ବସିଲା

ରଥ ଥମ୍ଭେ ବାନ୍ଧି ତାକୁ ଘୋର ରଣ କଲା |୧୩୦|

ଦେଖି ତାକୁ ଓଗାଳିଲା ଚିତ୍ରାଙ୍କୁର ବୀର

ବେନିରାଜା ସମର ଯେ କରନ୍ତି ଅପାର |୧୩୧|

ଅଶି ବାଣ କୋପଚିତ୍ତେ ଚିତ୍ରାଙ୍କୁର ପେଷି

ଚାଳିଶ ନାରାଜେ ତାହା ବଇରାଷ୍ଟ୍ର ନାଶି |୧୩୨|

କେ ଶତେ କେ ସହସ୍ରେ କେ ମେବଚ୍ଛେ କେ ଲକ୍ଷେ

ବେନିରାଜା ସମରେ ଅଟନ୍ତି ସମକଚ୍ଛେ |୧୩୩|

ଅତିଶୟ ଅସମ୍ଭବ ଅଟଇ ସମର

ଓହୋବଳ ଯୋଦ୍ଧା ବହୁ ହେଲେ ଅପହାର |୧୩୪|

ବଦୟନ୍ତି ଅଗସ୍ତି ମୁନି ଶୁଣ ମନୁରାଜା

ବଡ଼ାଇ ପ୍ରତାପୀ ସେ ବଇରାଷ୍ଟ୍ର ରାଜା |୧୩୫|

ମହା ଧନୁର୍ଦ୍ଧର ଅଟନ୍ତି ସେ ବେନି ଛତ୍ରୀ

ମହାଘୋର ସମରେ ଯେ କେହୁ ନ ଘୁଞ୍ଚନ୍ତି |୧୩୬|

ୟେକର ନାରାଜ ଆରକେ ନିବାରଇ

ୟେମନ୍ତେଣ ନବ ଘଡ଼ି ଯାୟେ ଯୁଦ୍ଧ ହୋଇ |୧୩୭|

ଚିତ୍ରାଙ୍କୁର ରାଜା ଯେ ପେଷିଲା ତିନି ଶର

ଯାଇଂଣ ଭେଦିଲା ବଇରାଷ୍ଟ୍ରର ଶରୀର |୧୩୮|

ନାରାଜଘାତ ସେ ପାଇଣ ମହାବଳୀ

ଅସାଷ୍ଟମ ନୋହିଂ ରହିଲା ସମ୍ଭାଳି |୧୩୯|

ପୁଣ ଧନୁରେ ବସାଇ ଶତେକ ନାରାଜ

ରଥ ଉପରକୁ ସେ ମାଇଲା ମହାରାଜ |୧୪୦|

ସାରଥିକି ଶତେ ଚାରି ଅଶ୍ଵକୁ ଚାରିଶତ

ଧନୁ ଛେଦିବାକୁ ସେ ପେଷିଲା ଅହିବ୍ରତ |୧୪୧|

ହୁଂକାରି ନାରଜ ବିନ୍ଧିଲାକ କୋପ କରି

ଚିତ୍ରାଙ୍କୁର ରଥ ତହୁଂ ହୋଇଲା ବିଦାରି |୧୪୨|

ଧନୁ ସହିତେଣ ପଡ଼ିଲା ହୟ ଯେ ସାରଥି

ଭୂମିରେ ଉଭା ରାଜା ହୋଇଣ ବିରଥି |୧୪୩|

ଖଡ଼ଗ ଫଳାକୁ ଘେନି ଧାଇଂଲାକ ବେଗେ

ତାହାହିଂ ମହାରାଜା ଛେଦିଲାକ ରାଗେ |୧୪୪|

ହତ ଆୟୁଧ ହୋଇ ସେ ପଳାଇଲା ବୀର

ପଛେଣ ଗୋଡ଼ାଇଲା ବଇରାଷ୍ଟ୍ର ନୃପବର |୧୪୫|

କେଶବାସ ଅସମ୍ଭାଳ ଯଶୋବନ୍ତ ନୃପତି

ପଛକୁ ନ ଚାହିଂ ପଳାଇଲା ଝାତି ଝାତି |୧୪୬|

ସାତଭଡ଼ା ୟେକ ଭଡ଼ାୟେ କରିଣ ଗମଇ

ଅନେକ ବନ କନ୍ଦର ଗଲା ପାରହୋଇ |୧୪୭|

ୟେକାମ୍ଵର ବନେ ହୋଇଲାକ ପରବେଶ

ଝାଳ ଖଳଖଳ ବହଇ ଖରତର ନିଶୁଆସ |୧୪୮|

ବଦୟନ୍ତି ଅଗସ୍ତି ଶୁଣ ମନୁ ନରରାୟେ

ଯାଇଂଣ ଭେଟିଲେ ସେ ପାଣ୍ଡବ ଧନୁର୍ଜୟେ |୧୪୯|

ସ୍ଵଭାବେ ଅର୍ଜୁନ ତହିଂ ଧରିଣ ଅଛି ରୁଦ୍ରବେଶ

ଜଟା କରି ଶିରେ ବାନ୍ଧିଣ ଅଛଇ କେଶ |୧୫୦|

କପାଳେ ବିଭୂତି କର୍ଣ୍ଣେ ତମ୍ଵାର କୁଣ୍ଡଳ

ହୃଦରେ ରୁଦ୍ରାକ୍ଷ ସଂଗେ ସଷ୍ଟିକର ମାଳ |୧୫୧|

କଷା କଉପନି କସ୍ତୁରୀ ରେଖ ଧାଡ଼ି

ନାଗୟୂତ୍ର ଡୋରି ଯେ କଟୀର ଅଛି ଭିଡ଼ି |୧୫୨|

ଆରୋହଣ କରିଅଛି ଅକ୍ଷୟେ ତୂଣ ଭାର

ଗାଣ୍ଡୀମ ଧନୁ ଧରି ଅଛଇ ବାମ କର |୧୫୩|

ଦକ୍ଷିଣ ଭୁଜରେ ତାର ଶୋହଇ କୁଠାର

ଦେଖି ତାହା ବିଚାରଇ ଚିତ୍ରାଙ୍କୁର ବୀର |୧୫୪|

କେବଣ ମହାତମା ୟେହି ତପୀ ବେଶ ଘେନି

ଆବର ବିଶେଷ ଶୋହେ ଧନୁଶର ବେନି |୧୫୫|

ୟେ ରୂପକୁ ପଟାନ୍ତର ତିନିପୁରେ ନାହିଂ

ନିର୍ଧୂମ ଅଗ୍ନିରେ ପ୍ରାୟେ ନୟନ ତେଜହିଂ |୧୫୬|

ନିଚୟେ ୟେ ପରଶୁରାମ ରେଣୁକା ନନ୍ଦନ

ସେ ସେ ଶହସ୍ର ବହିଣ ହୋଇଲେ ତପୋଧନ |୧୫୭|

ଯମଦଗ୍ନି ପୁତ୍ର ୟେ ଯେ ନୀଳରାମ ଜ୍ୟେଷ୍ଠ

ନିଚୟେ ଆଜ ମୋହୋର ପାର ଗଲା କଷ୍ଟ |୧୫୮|

ୟେମନ୍ତେ ବିଚାରି ସେ ବୀର ନିକଟକୁ ଗଲା

ଭୋ ସ୍ଵାମୀ ଶରଣ ବୋଲି ଦଣ୍ଡ ପ୍ରଣାମ କଲା |୧୫୯|

କର ଧରି ପାଥ ତାକୁ ବସାଇଲା କତି

ତୁରିତେ ମିଳିଲା ଯାଇଂ ବଇରାଷ୍ଟ୍ର ନୃପତି |୧୬୦|

ଅର୍ଜୁନକୁ ବୋଇଲା ହୋ ୟେ ମୋହୋର ବଇରି

ଛାଡ଼ିଦିଅ ୟେହାକଇଂ ମୁଂ ପକାଇବି ମାରି |୧୬୧|

ପ୍ରାଣେ ମାରି ୟେହାର ତର୍ପଣ କରିବି ରୋଧିର

ତେବେ ସେ ଛତ୍ରୀବୃତ୍ତ ସାଚାଟି ମୋହୋର |୧୬୨|

ଅର୍ଜୁନ ବୋଇଲା ହୋ ରହ ରହ ମହାତମା

ୟେହାର ତୋହୋର ଦ୍ଵନ୍ଦ କିମ୍ପାଇ ବିଚାରୁଂ ଜାଣିମା |୧୬୩|

ୟେ ଅବା କିସ ଦୋଷୀ, କିମ୍ପା ତୋହୋର ୟେହାରେ ରାଗ

ବସ ହୋ ନୃପତି କୋପ କରି ପରିତ୍ୟାଗ |୧୬୪|

ତୁ ଯେ ବୋଇଲୁ ହୋ ଛାଡ଼ ମାରିବି ୟେହାକୁ

ମୋହୋର ଶରଣ ପଶିଲା ୟେ ପ୍ରାଣ ନିମନ୍ତକୁ |୧୬୫|

ଶରଣ ଉଦ୍ଧାରଣ ମୁଂ ଅଟଇ ଯୁଗତେ

କ୍ଷେତ୍ରୀ ପୁତ୍ର ହୋଇ ମୁଂ ଶରଣ ଛାଡ଼ିବି କେମନ୍ତେ |୧୬୬|

ଶୁଣି ମହାକୋପ କଲା ବଇରାଷ୍ଟ୍ର ନୃପବର

ବୋଇଲା ଯୋଗୀଆ ରେ କାଳ ପୂରିଲାଣି ତୋହୋର |୧୬୭|

ୟେତେ ବୋଲି ବୀର ବେଗେ ଧନୁ ଆମଞ୍ଚିଲା

ଅର୍ଜୁନର ଉପରକୁ ନାରାଜ ମାଇଲା |୧୬୮|

କୋଡ଼ିୟେ ବାଣ ଯେ ମାଇଲା ସେ କୋପଭରେ

ଅର୍ଜୁନ ନିବାରିଲା ତାହା କିଞ୍ଚିତ ପ୍ରକାରେ |୧୬୯|

ନାରାଜ ନିହତ ଦେଖି ପୁଣିହିଂ ବିନ୍ଧଇଂ

ଅର୍ଜୁନ ହାକଇ ରହ ରହ ନରବଇଂ |୧୭୦|

କିମ୍ପାଇ ନାରାଜ ବିନ୍ଧୁ ଅନମିତେ

ସାମାନ୍ୟ ଜନ ପ୍ରାୟେ କି ତୁହି ମଣୁଅଛୁ ମୋତେ |୧୭୧|

ୟେ ମଞ୍ଚଭୁବନେ ଛନ୍ତି ଯେତେ ଶସ୍ରଧାରୀ

ମୁଖ ଦେଖି ମୋର ଧନୁ ଧରତି ନୁଆରି |୧୭୨|

ତୁ ଅବା ନ ଜାଣି ଯେବେ କରିବୁ ସମର

କାର୍ଯ୍ୟ ନ ପାଇବୁ ନାଶ ହେବୁ ନୃପବର |୧୭୩|

ଶୁଣିଣ କୋପଭର ବଇରାଷ୍ଟ୍ର ନରସାଇଂ

ରଥ ଗଜ ଅଶ୍ଵ ଘେନି ବେଢିଲା ବେଗ ହୋଇ |୧୭୪|

ତିରିଶ ସହସ୍ର ରାଜାର ଛନ୍ତି ମତ୍ତହାଥୀ

ସତୁରି ମର୍ଭୁତ ଅଶ୍ଵ ବହୁତ୍ତର ରଥୀ |୧୭୫|

ତିନି ବୃନ୍ଦ ସନ୍ୟ ଓଟ ପିଠିରେ ଯେ ବିଜେ

ଆବର ୟେକକୋଟି ପାଦାନ୍ତି ବଳ ତାର ସାଜେ |୧୭୬|

ୟେତେ ସନ୍ୟ ଘେନି ରାଜା ବେଢିଲା ଅର୍ଜୁନକୁ

ରଥେ ବସି ନାରାଜମାନ ବିନ୍ଧିଲା ପାଥକୁ |୧୭୭|

କିଞ୍ଚିତେ ନାଶଇ ବିଚିତ୍ରବୀର୍ଯ୍ୟ ନାତି

ପୁଣ ପୁଣ ନାରାଜ ପେଷଇ ଚଉକତି |୧୭୮|

କେ ଶତେ ସହସ୍ରେ କେ ଲକ୍ଷେ କେ ଅୟୂତେ

କେ ଶାବଳ ଲାଙ୍କିଆ କେ ବିନ୍ଧଇ ତୁରିତେ |୧୭୯|

କେ ଦଶ ବିଂଶ କେହୁ ମାରଇ ବାଣ ଚାରି

କେବଣ ଯୋଧ୍ୟା ବିନ୍ଧଇ ନାରାଜ ସତୁରି |୧୮୦|

କେ ପାଞ୍ଚ ପଚିଶ କେ ବିନ୍ଧଇ ଯେ ବର

କେ ୟେକାଦଶ ମାରି କୋ ଅବା ପନ୍ଦର |୧୮୧|

କେ ଷାଠିୟେ ସତୁରି କେ ଚାଳିଶ ବାଣ ପେଷି

କେ ପଞ୍ଚାଶ ମାରଇ କେ ପେଷଇ ବାଣ ଅଶୀ |୧୮୨|

କେ ବେନି ସହସ୍ର କେ ଚାରିଶତ ମାରି

କେବଣ ସେନାପତି ଯେ ମର୍ଭୁତେ ପ୍ରହାରି |୧୮୩|

ଅସଂକ୍ଷେପ ଶରମାନ ପଡ଼ନ୍ତେଣ ଆସି

କୋପେଣ ବାସବୀ ଯେ କତୁରି ବାଣ ପେଷି |୧୮୪|

ୟେକା ବାଣକେ ତାହା ଛିନାଇ ପକାଇଲା

ୟେ ବିଧି ସମର ବେନି ଘଡ଼ିଯାୟେ ହେଲା |୧୮୫|

ଶସ୍ର ସଂହରିଣ ଅର୍ଜୁନ ମନେ ବିଚାରଇ

ହେଳା ଯୁଦ୍ଧ କରିବାରେ ପିରୋଜନ ନାହିଂ |୧୮୬|

ୟେତେ ବୋଲି ଲୟେ ବୋଧନେ ଜପିଲା

ମନଭେଦୀ ଶର ଦିଅ ବୋଲି ପାର୍ବତୀଙ୍କୁ ସୁମରିଲା |୧୮୭|

କପିଳାସେ ଥାଇଂ ତାହା ଜାଣିଲେ ଗଉରୀ

ଶୂନ୍ୟରେ ନାରାଜ ଛାଡ଼ିଦିଲେ ଶାକମ୍ଭରୀ |୧୮୮|

ଅର୍ଜୁନ କରେ ତାହା ହୋଇଲା ପ୍ରାପତ

ଧନୁରେ ବସାଇ ତାକୁ ତିଆରଇ ବୀର ପାଥ |୧୮୯|

ୟେ କେବଣ ରାଜା ୟେହା ନ ଜାଣଇ ମୁହିଂ

ସନ୍ୟ ସଙ୍ଗେ ମୋହ କରି ପକାଅ ତୁହିଂ ଯାଇଂ |୧୯୦|

ୟେତେ ବୋଲି ନାରାଜକୁ ପେଷିଲା ଅରଜୁନ

ରାଜା ଆଦି ଥାଠ ସନ୍ୟ କର ମୋହମାନ |୧୯୧|

ଶୁଣିଣ ନାରାଜ ତହୁଂ ବେଗେ ଚଳିଗଲା

ବଇରାଷ୍ଟ୍ର ରାଜାକୁ ସେ ମୋହେ ପକାଇଲା |୧୯୨|

ୟେମନ୍ତର ସମୟେ ବଇରାଷ୍ଟ୍ର ମନ୍ତ୍ରୀବର

ନାମଗୋଟି ତାହାର ଅଟଇ ମତି ଧୀର |୧୯୩|

ଅର୍ଜୁନକୁ ଚାହିଂ ହେଲା ଅନେକ ବିନୋଇଂ

କାକୁସ୍ତ ହୋଇ ହୋଇଲା ଦଣ୍ଡ ପ୍ରାୟ ହୋଇ |୧୯୪|

ଅନେକ କାର୍ପୁଣ୍ୟ ହୋଇ ଚରଣରେ ସେବି

ଦେଖି ତାକୁ ଉଠ ଉଠ ବୋଇଲେ ବାସବୀ |୧୯୫|

ଆସ ଆହୋ ମହାତମା କହ ମୋ ଆଗର

କେବଣ କେବଣ ଦେଶର ୟେ ଅଟନ୍ତି ଦଣ୍ଡଧର |୧୯୬|

କିମ୍ପାଇ ବା ୟେହାଙ୍କର ହୋଇଲା ଅପ୍ରୀତି

ତାହା ଶୁଣି ମନ୍ତ୍ରୀ ଭାଷେ ଅର୍ଜୁନର କତି |୧୯୭|

ସ୍ଵାମୀ ବଇରାଷ୍ଟ୍ର ରାଜା ୟେ ପରହଟ୍ଟ ରାଜ୍ୟେ ଘର

ଚିତ୍ରାଙ୍କର ପୁତ୍ର ଅଟଇ ଋତୁଧ୍ଵଜ ବୀର |୧୯୮|

ଋତୁଧ୍ଵଜ ବଳେ ଆଣିଲା ତାହାର ଦୋହିତା

ତେଣୁ ଧାଡ଼ିଦିଲା ବଇରାଷ୍ଟ୍ର ମହାରଥା |୧୯୯|

ଅନେକ ସମର ସେ ହୋଇଲା ଦୁହିଙ୍କରି

ହାରିଣ ଚିତ୍ରାଙ୍କୁର ପଳାଇଲା ଭୟେ କରି |୨୦୦|

ୟେବେ ଆସି ତୁମ୍ଭଠାରୁ ଶରଣ ପଶିଲା

କୋପେ ବଇରାଷ୍ଟ୍ର ତାକୁ ଗୋଡ଼ାଇଣ ଥିଲା |୨୦୧|

ତୋହୋର ସଙ୍ଗେ ଦେବ ହୋଇଲା ଅପ୍ରୀତି

ତେଣୁ କରି ମୋହେଣ ପଡ଼ିଲା ନରପତି |୨୦୨|

ବଇରାଷ୍ଟ୍ର ମନ୍ତ୍ରୀ ମୁହିଂ ଅଟଇ ଯୁଗତି

ଦୋଷ କ୍ଷମାକର ସ୍ଵାମୀ ଘେନିଣ ଭଗତି |୨୦୩|

ଶୁଣିଣ ଅର୍ଜୁନ ତାହା ହୋଇଲେ ପ୍ରସନ୍ନ

ଜୀବନ୍ୟାସ ଶରକୁ ସେ ପେଷିଲେ ବହନ |୨୦୪|

ରଥ ଗଜ ଅଶ୍ଵ ସନ୍ୟ ମୋହେ ପଡ଼ିଥିଲେ

ଜୀବନ୍ୟାସ ଶର ତ୍ରାସେ ଚେତିଣ ଉଠିଲେ |୨୦୫|

ବଇରାଷ୍ଟ୍ର ନୃପତି ମୋହରେ ପଡ଼ିଥିଲା

ଚେତି ଉଠି ଅର୍ଜୁନକୁ ପ୍ରଣପତ୍ୟ ହେଲା |୨୦୬|

ଅର୍ଜୁନ ପଚାରଇ ବଇରାଷ୍ଟ୍ର ମୁଖ ଚାହିଂ

ଅଣାଅ ଦେଖିବା ରାଜା ତୋହୋର ତନୟୀ |୨୦୭|

ନୃପତି ବୋଇଲା ଦେବ ମୋହୋର କୁମାରୀ

ଚିତ୍ରଧ୍ଵଜ ବୀର ତାକୁ ବଳେ ନେଲା ହରି |୨୦୮|

ସେହିଦିନୁ ଅଛି ସେ ଯେ ଚିତ୍ରଧ୍ଵଜ ପୁରେ

ବୀର ଚିତ୍ରଧ୍ଵଜ ମୁହିଂ ରଖିଛି ବନ୍ଦିରେ |୨୦୯|

ପାଥ ଆଗ୍ୟାଂ ଦେଲେ ତୁମ୍ଭେ ତାକୁ ଅଣାଅ ୟେଥିକି

ତକ୍ଷଣେ ଚିତ୍ରାଙ୍କୁର ଚାହିଂଲା ମନ୍ତ୍ରୀକି |୨୧୦|

ରାଜାର ସନମତ ଜାଣିଣ ସେ ମନ୍ତ୍ରୀବର

ବେଗେ ମିଲିଲା ଯାଇଂ ସେ ରାଜାର ନବର |୨୧୧|

ବିମ୍ଵମାଳୀ କନ୍ୟାକୁ ସେ ଘେନିଣ ଅଇଲା

ଅର୍ଜୁନ ଛାମୁରେ ଆଣି ପରବେଶ କଲା |୨୧୨|

ଅର୍ଜୁନ ବୋଇଲେ ଋତୁଧ୍ଵଜକୁ ଅଣାଅ ବହନ

ଶୁଣି ରାଜା ବଇରାଷ୍ଟ୍ର ଚାହେଂ ମନ୍ତ୍ରୀର ବଦନ |୨୧୩|

ରାଜା ସନମତ ଜାଣି ମନ୍ତ୍ରୀ ଚଳିଗଲା

ବନ୍ଧନୁ ଫିଟାଇ ଚିତ୍ରଧ୍ଵଜକୁ ଆଣିଲା |୨୧୪|

ଅର୍ଜୁନ ଛାମୁରେ ଆଣି କଲାକ ପରବେଶ

ଦେଖିଣ ସନ୍ତୋଷ ହେଲେ କୋନ୍ତୀଦେବୀ ଶିଷ |୨୧୫|

ପାଥ ବୋଇଲା ଆହୋ ବଇରାଷ୍ଟ୍ର ଶୁଣ ମୋର ବାଣୀ

ଚିତ୍ରଧ୍ଵଜେ ବିଭାକର ତୋହୋର ଦୁଲଣୀ |୨୧୬|

ଶୁଣିକରି ନୃପତି ଯେ ସନ୍ତୋଷ ହୋଇଲା

ଯେ ତୋହୋର ବିଚାରକୁ ଯୋଗାଇ ବୋଲିଣ ବୋଇଲା |୨୧୭|୧୫୭୦|

 

ଚିତ୍ରାଙ୍ଗଦା ପରିଣୟ

ଶୁଣ ଆହେ ମନୁରାୟେ ଅଗସ୍ତି କହିଲେ

ସେହିଠାରେ ଚିତ୍ରଧ୍ଵଜ ବିମ୍ଵମାଳୀକି ବିଭା କରାଇଲେ |୧|

ଅନେକ ସାନନ୍ଦ ହୋଇଲେ ବେନି ରାଜା

ଅର୍ଜୁନ ଚରଣେ କଲେ ଦିବ୍ୟ ପୂଜା |୨|

ଭୋ ସ୍ଵାମୀ କିୟେ ତୁମ୍ଭେ କହିବା ବିଚାରି

ମାନବ ଦୃଷ୍ଟିରେ ଆମ୍ଭେ ଚିହ୍ନିତ ନୁଆରି |୩|

ହରିହର କିବା ସ୍ଵାମୀ ଅଟୁ ପୁରନ୍ଦର

କିବା ଯମଦଗ୍ନି ସୁତ ବୀର ପ୍ରଶୁଧର |୪|

କିବା ଧର୍ମ ବିଜେ କରିଅଛି ଅଦଭୂତେ

ଆମ୍ଭନ୍ତ ଯେ ସମାଧାନ କରିବା ନିମନ୍ତେ |୫|

ହସିଣ କହଇ ତାକୁ ପାଣ୍ଡବ ସୁନ୍ଦର

ଶୁଣ ହୋ ୟେକମନେ ବେନି ନୃପବର |୬|

ନୁହଇଂ ମୁଂ ହରିହର ଇନ୍ଦ୍ର ମୋର ତାତ

ଅଜାଗୁରୁ ମୋହୋର ରେଣୁକା ଦେବୀ ସୁତ |୭|

ପର୍ଶୁରାମଙ୍କର ଶିଷ୍ୟ ଅଟନ୍ତି ଗୁରୁ ଦ୍ରୋଣ

ଆମ୍ଭ ଗୁରୁ ଦ୍ରୋଣ ତେଣୁ ଅଜାଗୁରୁ ଭୃଗୁରାଣ |୮|

ପଣ୍ଡୁର ନନ୍ଦନ ମୋର ନାମ ଫାଲଗୁନି

ମାତା ମୋ କୋଇନ୍ତା କୋନ୍ତଭୋଜର ନନ୍ଦିନୀ |୯|

ଶୁଣିଣ ପ୍ରଳମ୍ଵ କଲେ ବେନି ନୃପମଣି

ଉଠିଣ ବଇରାଷ୍ଟ୍ର ରାଜା ମାଗଇ ମେଲାଣି |୧୦|

ସ୍ଵାମୀ ଚାଳିଶ ଦିନ ହୋଇଲା ଅଇଲି ରାଜ୍ୟ ଛାଡି

ଆଗ୍ୟାଂ ହୋଇଲେଣି ମୁଂ ଯିବି ଆଗ ବଢି |୧୧|

ଶୁଣ ହୋ ମନୁରାଜା ବଦୟନ୍ତି ଅଗସ୍ତି

ଅର୍ଜୁନକୁ ମେଲାଣି ମାଗି ଚଳିଲା ବଇରାଷ୍ଟ୍ର ନୃପତି |୧୨|

ୟେଥୁ ଅନନ୍ତରେ ରାଜା ଚିତ୍ରାଙ୍କୁର ବୀର

ଉଭା ହୋଇଲାକ ଆସି ଅର୍ଜୁନ ଆଗର |୧୩|

ପାତ୍ରମନ୍ତ୍ରୀ ଘେନି ସଂଗେ ପାଥ ପାଦେ ଖଟି

ପୁତ୍ରବଧୂ ସହିତରେ ଭୂମିରେଣ ଲୋଟି |୧୪|

ଉଠ ଉଠ ବୋଇଲେ ବୀଚିତ୍ରବୀର୍ଯ୍ୟର ନାତି

ଆଗ୍ୟାଂ ପାଇଣ ରାଜା ଉଠିଲାକ ଧାତି |୧୫|

ଶିରେ କରଯୋଡ଼ି କରଇ ଅନେକ ତୁସ୍ତି

ତୋହୋର ପାଇଲି ମୁହିଂ ସକଳ ବିଭୂତି |୧୬|

ସ୍ଵାମୀ କୁମ୍ଭିରୀ କିନ୍ନରୀ ହିଡ଼ିମ୍ଵକ ବକନିସୂଦନ

ପାଣ୍ଡବାସୁର ମାରି ରଖିଲୁ ଦ୍ରିଯୋଧନ |୧୭|

ଅଙ୍ଗାରପନ୍ନଙ୍ଗକୁ ଜିଣିଲୁ ବନସ୍ତରେ

ଲକ୍ଷେ ରାଜା ଗଂଜିଲୁ ଦ୍ରୋପତୀ ସୟଂବରେ |୧୮|

ସ୍ଵାମୀ ଚାରିଗୋଟି ସୋଦର ସମସ୍ତ ରାଜା ଜିଣି

ଲାଖ ବିନ୍ଧି ଆଣିଲ ଦ୍ରୋପତୀ ଦୁଲଣୀ |୧୯|

ଧନୁହୂଳ ଲଗାଇ ଜିଣିଲୁ ଈଶ୍ଵରଙ୍କୁ

ଖାଣ୍ଡବ ଦହନେ ଜିଣିଲୁ ଇନ୍ଦ୍ରଙ୍କୁ |୨୦|

ଅପାର ମହିମା ଦେବ ନୁଆରଇ କହି

ଶରଣ ଉଦ୍ଧାରଣ ଯେ ଭୃତ୍ୟ ଜନସାଇଂ |୨୧|

ବିରଥୀ ଆୟୁଧେ ନ ମାରୁ ସମରେ

କଥାୟେ ମାଗିବି ଦେବ ଦୟାକର ମୋରେ |୨୨|

ୟେମନ୍ତେ ଅନେକ ତୁସ୍ତି କଲା ନୃପମଣି

ଶୁଣି ତାହା ପ୍ରସନ୍ନ ଗାଣ୍ଡୀମ ଧନୁପାଣି |୨୩|

ହସିଣ ଅର୍ଜୁନ ବୋଲନ୍ତି ବଚନ

ମାଗ ହୋ ନୃପତି ଯାହା ଇଚ୍ଛା ତୋର ମନ |୨୪|

ଅର୍ଜୁନ ପ୍ରସନ୍ନ ହେବା ଜାଣି ନୃପବର

କପାଳେ କରଯୋଡ଼ି କହଇ ଉତ୍ତର |୨୫|

ସ୍ଵାମୀ ହୋ ମୋହୋର ଯେବେ ଘେନିଲ ସେବା

ମୋହୋର ରାଜ୍ୟକୁ ୟେବେ ବିଜୟେ କରିବା |୨୬|

ଦୋହିତା ମୋହୋର ୟେକ ଅଛି ଅବିଭାଇ

ତାହାକୁ ପ୍ରଦାନ କରିବି ତୁମ୍ଭଙ୍କୁଇଂ |୨୭|

ଆବର ବିଶେଷେ ଯେ ଆମ୍ଭର ପୁରଜନ

ଦ୍ଵିତୀୟ କୃଷ୍ଣ ତୁମ୍ଭଙ୍କୁ ଦେଖିବେ ନୟନ |୨୮|

ତେବେ ସେ ଦିଶିବ ମୋହୋର ପୁଣ୍ୟମାନ

କହନ୍ତି ଅଗସ୍ତି ଶୁଣ ହୋ ରାଜନ |୨୯|

ଶୁଣି ହରଷ ହୋଇଣ ପଣ୍ଡୁର କୁମର

ଆସନ ଛାଡ଼ିଣ ଉଠିଲେ ଧାତିକାର |୩୦|

ଅର୍ଜୁନଙ୍କୁ ସଂଗେ ଘେନି ଚଳଇ ନୃପତି

ଆସନ କଟକେ ଯାଇଂ ହରଷେ ମିଳନ୍ତି |୩୧|

ୟେଥୁ ଅନନ୍ତରେ ଯେ ରାଜାର ଅଙ୍ଗବଳ

ଭୟେଣ ଲୁଚିଥିଲେ ପର୍ବତ ଜମ୍ଵାଳ |୩୨|

ଯେତେବେଳେ ରଣ ଛାଡ଼ି ପଳାଇଲା ମହୀପତି

ତରେଣ ପଳାଇଲେ ସମସ୍ତ ସେନା ରଥୀ |୩୩|

ପର୍ବତ ବନସ୍ତରେ ଲୁଚି ବସିଥିଲେ

ରାଜାର ଆସନ୍ତେଣ ସମସ୍ତେ ଅଇଲେ |୩୪|

ସମ୍ଭର୍ବ ହୋଇଣ ସର୍ବେ କଟକେ ପଶନ୍ତି

ରଥ ଗଛ ଅଶ୍ଵ ପଟୋଆରେ ଯାନ୍ତି |୩୫|

ଯାଇଣ ନୃପତି ଯେ ପଶିଲା ନବର

ଅର୍ଜୁନକୁ ଦିଲା ସେ ସୁବର୍ଣ୍ଣମୟ ପୁର |୩୬|

ଗଜଦନ୍ତ ପଲଙ୍କରେ ସୁପାତିର ଶେଯ

ୟେଥୁ ଅନନ୍ତରେ ଯାହା ଶୁଣ ମନୁରାଜ |୩୭|

ଜଉତିଷଙ୍କୁ ରାଇଣ ପୁଚ୍ଛିଲା ନୃପମଣି

ବିଚାରି କହ ହୋ ବିଭାଲଗ୍ନ ତିଥି ପୁଣି |୩୮|

ଜଉତିଷ ଜଣାୟେ ଦେବ ଆଜ ଚଉଠୀ ଶନିବାର

ଆସନ୍ତା ମଙ୍ଗଳ ବାରେ ବିଭାଘର କର |୩୯|

ସ୍ଵାମୀ ସପତମୀ ଦିନ ଯୋଗାଇଟି ବିଚାରକୁ

କୁମ୍ଭ କୃଷ୍ଣପକ୍ଷ ଯେ ଯୋଗାଇ ବିଭାକୁ |୪୦|

ବିଛାରେ ଚନ୍ଦ୍ର ଯେ ବିଶାଖା ନାମେ ନକ୍ଷତ୍ରର

ଧ୍ରୁବ ନାମେ ଯୋଗ ବବ ନାମେ କରଣ ଯେ ଆର |୪୧|

ତାର ବଳ ଚନ୍ଦ୍ର ବଳ ବୋଲିଣ ବୋଇଲା

ଖଡ଼ି କାଢି ପୁଣ ଗ୍ରହ କୋଷ୍ଠିୟେ ଥାପିଲା |୪୨|

ସପତ ଶଳାକା ନାଗନାଡ଼ିହିଂ ଭେଦିଲା

ସ୍ଵାମୀ ଦୁଇଦିନ ଛାଡ଼ି ବିଭା କରସି ବୋଇଲା |୪୩|

ଶୁଣିଣ ନୃପତି ତାହା ଉଦବେଗ ମନ

ମନ୍ତ୍ରୀକି ଚାହିଂଣ ରାଜା ବୋଲଇ ବଚନ |୪୪|

ନଗ୍ରପୁର ସମସ୍ତ ଯେ ମଣ୍ଡାଅ ବୋଇଲା

ଶୁଣିଣ ମନ୍ତ୍ରୀବର ସମସ୍ତ ଭିଆଇଲା |୪୫|

ମେଢ଼ ମଣ୍ଡପ ଜଗତୀ ଦେଉଳ ମଣ୍ଡନ୍ତି

ସୁବର୍ଣ୍ଣର କଳସ ବସାନ୍ତି ପନ୍ତି ପନ୍ତି |୪୬|

ବିଚିତ୍ର ଚିରାଳ ଯେ ଉଡ଼ଇ ଫରହର

ଚିତ୍ରପଟ ଲେଖମାନ ସମସ୍ତଙ୍କର ଘର |୪୭|

ସ୍ଫଟିକର ପାବଚ୍ଛ ବାନ୍ଧିଛନ୍ତି ଦ୍ଵାରେ ଦ୍ଵାରେ

ସାଧୁତାର ଜନଗଣ ବାଣିଜ ବାଣିଜାରେ |୪୮|

ଦାଣ୍ଡ ପହଂରାଇ ଯେ କର୍ପୂର ଧୂଳି ସିଞ୍ଚି

ଚନ୍ଦନ ଛେରା ସୁବାସ କୁସୁମ ଯେ ବିଞ୍ଚି |୪୯|

ନଗ୍ର ପରିମଳ ଯେ ଦେଖନ୍ତି ସର୍ବଜନ

ସାଧୁ ସାଧୁ ବୋଲିଣ ଯେ ବୋଲନ୍ତି ବଚନ |୫୦|

ୟେଥୁ ଅନନ୍ତର ଯେ ବେନି ଦିନ ଗତ ହେଲା

ସମସ୍ତ ଯୋଗୋଡ଼ମାନ ବୁଝି ସଜାଡିଲା |୫୧|

ମଙ୍ଗଳ ବେଳ ଜାଣିଣ ଯେ ଅହିଅ ଯୁବତୀ

ଗ୍ରାମଦେବତୀଙ୍କି ଶୁଭେ ମଙ୍ଗୁଳିଣ ଯାନ୍ତି |୫୨|

କେହୁ ଦୁର୍ବାକ୍ଷତ କେହୁ ଧୂପ ଦୀପ ଘେନି

ଦାଣ୍ଡରେ ବିଭା ଶୁଭ ଗୀତ ଗାବନ୍ତି କାମିନୀ |୫୩|

ନଗ୍ର ପରିମଳ ଯେ ବୁଲନ୍ତି ରାଜବାଟ

କାମିନୀ ଗମନ୍ତେ ଶୋଭା ପାଇଲାକ ରାଷ୍ଟ୍ର |୫୪|

ଦେବୀଙ୍କୁ ମଙ୍ଗୁଳିଣ ସେ ନିଜ ପୁର ଆସି

ବରକୁ ମଙ୍ଗୁଳନ୍ତି ଚାରୁ ଶୁଭ୍ରକେଶୀ |୫୫|

ସୁବର୍ଣ୍ଣର ଖୋରାରେ କୁଙ୍କୁମ ଆଣନ୍ତି

ଅର୍ଜୁନର ଅଙ୍ଗରେ ନେଇ ତାହାକୁ ଲେପନ୍ତି |୫୬|

ବିବିଧ ଅଳଙ୍କାର କରନ୍ତି ଆଭରଣ

କନ୍ୟାକଇଂ ୟେ ବିଧିରେ କରନ୍ତି ମଙ୍ଗଳଣ |୫୭|

ରଜନୀ ବୋଳନ୍ତି ତହିଂ ଯୁବତୀୟେ ଆସି

ସାତ ଅହିଅ କାମିନୀ କାଖେ ଘେନିଣ କଳସୀ |୫୮|

ଦାଣ୍ଡରେ ସେ ବୁଲନ୍ତି ମଙ୍ଗଳ ଗୀତ ଗାଇ

ଦ୍ଵାରେ ଦ୍ଵାରେ ବୁଲି ପାଣି ମାଗନ୍ତି ସେ ଯାଇଂ |୫୯|

ଘରେ ଥିବା ଲୋକେ ଜାଣିଲେ ଯେ ପରିକଳି

ବୋଇଲେ ଗୋ ଦାସୀ ଅଇଲେଣି ପାଣି ତୋଳି |୬୦|

ଅହିଅ ଯୁବତୀମାନେ ଶୁଚିବନ୍ତ ହୋଇ

ପବିତ୍ର ଜଳ ଆଣି ସେ ଦିଅନ୍ତି ବଢାଇ |୬୧|

ୟେମନ୍ତେ ଅନେକ ଯୁବତୀୟେ ଜଳ ଦିଲେ

ରାଜାର ମୁଦୁସୁଲୀୟେ ନୀର ଘେନିଗଲେ |୬୨|

ସାତ କୁମ୍ଭେ ଯହୁଂ ଶୁଭେ ପୂରିଲାକ ପାଣି

ବାହୁଡ଼ି ଆସନ୍ତି ତହୁଂ ସକଳ ତରୁଣୀ |୬୩|

ସୁବର୍ଣ୍ଣର ପୀଢାରେ ନେଇ କନ୍ୟାକୁ ବସାଇ

ନବଗ୍ରହ ସୁଗନ୍ଧି ଯେ କେଶରେ ଲଗାଇ |୬୪|

ସେ ଜଳ ଘେନିଣ ଯେ ଅଭିଷେକ କଲେ

ତହିଂରେ ଉପରେ ନେଇ ଅୟେଂଳା ବୋଳିଲେ |୬୫|

ସୁବାସ ଜଳରେ ପୁଣ ସ୍ନାହାନ କରାଇ

କେଶକୁ ପୋଛିଲେ ନବତନ ବସ୍ର ଦେଇ |୬୬|

ଅର୍ଜୁନକୁ ସେହିମତି କରାଇ ସ୍ନାହାନ

ଶ୍ରୀଅଙ୍ଗ ପୋଛିଲେ ଘେନି ଦେବାଙ୍ଗ ବସନ |୬୭|

ଦେବାଙ୍ଗ ପତନୀ ବର କନ୍ୟାଙ୍କୁ ପିନ୍ଧାଇ

ଚାରୁ ଝୀନ ବସ୍ରମାନ ଉପୁରାଣ ଦେଇ |୬୮|

ପଞ୍ଚୁଗରାସୀ କରାନ୍ତି ଆଣି ଚୋରି ଭାତ

ୟେମନ୍ତେ ସମୟେଣ ଆସି ଯେ ହୋଇଲା ପ୍ରଭାତ |୬୯|

ଜଉତିଷକୁ ଚାହିଂ ପୁଚ୍ଛଇ ନରସାଇଂ

ଜାଣି କହିଦେବ ଅନକୂଳ ବେଳ ଯେହି |୭୦|

ଜଉତିଷ କର ଯୋଡ଼ି କରି ଜଣାଇଲା

ବିଭାବେଳ ଆସି କରି ପ୍ରବେଶ ହୋଇଲା |୭୧|

ଶୁଣି ଛାୟା ମଣ୍ଡୋପେ ବେଗେ ମଣ୍ଡାଇ ଦଣ୍ଡଧାରୀ

ଖଂଜଇ ହୀରା ନୀଳା ଗଜଦନ୍ତ ପିତୁଳୀ |୭୨|

ବରବେଶ ହୋଇ ବିଜେ ପାଣ୍ଡବ ସୁନ୍ଦର

ଶୁଭେ ବସାଇଲେ ନେଇ ବେଦୀର ଉପର |୭୩|

ୟେମନ୍ତର ସମୟେ ଆସି ରାଜାର ଦୁହିତା

ହୁଳହୁଳି ଦିଅନ୍ତି ସେ ଅନେକ ବନିତା |୭୪|

ବେଦୀରେ ବସିଅଛି ପାଣ୍ଡୁ ରାଜା ଶିଷ୍ୟ

ତାହାର ଉପରେ ଉହାଡ଼ କଲେ ନବବାସ |୭୫|

ହାଥରେ ଲବଣ ତଣ୍ଡୁଳ କନ୍ୟା ଧରିଥିଲା

ଅର୍ଜୁନ ଉପରକୁ ବିଞ୍ଚିଣ ଫିଙ୍ଗିଦିଲା |୭୬|

ହରଷେ ଯୁବତୀୟେ ଗାଇଲେ ମଙ୍ଗଳ

ୟେଥୁ ଅନନ୍ତରେ କଥା ଶୁଣ ମହୀପାଳ |୭୭|

ସୁଜାଣେଶ୍ଵର ନାମେ ରାଜାର ପୁରୋହିତ

ବେଦୀରେ ବସିଲେ ଯାଇଂ ସେ ବିଭାର ନିମନ୍ତ |୭୮|

ବାକ୍ୟ କରାବନ୍ତି ଅର୍ଜୁନ ଆଗର

ପୁଣ ଆରୋପିଲେ କୁଶର ବିଷ୍ଟର |୭୯|

ଅତୁଠରୁ ରାୟେ ଅଣାଇଥିଲା ପାଣି

ବର ପାଦ ଧୋଇଲା ତାର ପୁତ୍ରମଣି |୮୦|

ମନ୍ତ୍ରୀଣ ଶାଢୀ ଖଦୀ ଦିଲେକ ନିର୍ଭାଇ

କନ୍ୟାକଇଂ ଆଣହୋ ୟେ ବସନ ପିନ୍ଧାଇ |୮୧|

ସେ ବସ୍ରକୁ ପିନ୍ଧିଣ ଯେ ରାଜାର ଦୁଲଣୀ

ବେଦୀରେ ବସିଲା ଯାଇଂ ସ୍ତିରୀ ସୁଲକ୍ଷଣୀ |୮୨|

ବରୁଣ ପୂଜାଦି ବାକ୍ୟ କଲେ ପୁରୋହିତ

କୁଶରେ ବାନ୍ଧିଲେ ବର କନ୍ୟାଙ୍କର ହାଥ |୮୩|

ଯୁବତୀଗଣ ମିଳିଣ କରନ୍ତି ମଙ୍ଗଳ

ଶଙ୍ଖେ କୁଶ ପାଣି ଘେନି ବୋଲେ ମହୀପାଳ |୮୪|

ସ୍ଵାମୀ ଆଜୁଂ ସୋମ ବଂଶେ ପଶିଲି ଶରଣ

ଯଉତୁକ ଦେବାକୁ ମୁଂ ନୁହଇ ଭାଜନ |୮୫|

ଅର୍ଜୁନ ମୁଖକୁ ଚାହିଂ ବୋଲଇ ବଚନ

ବନ୍ଧୁତାପଣକୁ ମୁହିଂ ନୁହଇ ଭାଜନ |୮୬|

ଚିତ୍ରପଦା ନାମେ ତାର ଆରେକ ଦୁଲଣୀ

ଯଉତୁକ ଦିଲି ବୋଲି ଶଙ୍ଖେ ଦିଲା ପାଣି |୮୭|

ଶୁଣ ଆହୋ ମନୁରାୟେ ଅଗସ୍ତି କହିଲେ

ସେହି ବେଦୀରେ ଯେ ଚିତ୍ରପଦାକୁ ବିଭା କରାଇଲେ |୮୮|

ଲାଜାହୋମ ସାରିଣ ଯେ କଲେ ଅଗ୍ନି ଶାନ୍ତି

ମୁଣୋହି ସାରିଣ କର୍ପୁର ତାମ୍ଵୁଳ ଭୁଞ୍ଜନ୍ତି |୮୯|

ବରକନ୍ୟା ଚଳିଲେ ଯେ ମଧୁଶଯ୍ୟା ପୁର

ପାତ୍ରମନ୍ତ୍ରୀ ଚଳିଗଲେ ଯେ ଯାହା ଠାବର |୯୦|

ଧାଈ ମୁଦୁସୁଲୀ ଗଲେ ଯେ ଯାହାର ପୁରୀ

ଅନ୍ତପୁରକୁ ବିଜେ କଲେ ଦଣ୍ଡଧାରୀ |୯୧|

ରୟେଣୀ ପ୍ରଭାତେ ନିତ୍ୟକର୍ମ ସାରି

ଆସ୍ତାନ ମଣ୍ଡୋପେଣ ବିଜୟେ ଦଣ୍ଡଧାରୀ |୯୨|

ଦିବସେ ଆସ୍ତାନରେ ବସଇ ଅର୍ଜୁନ

ରୟଣୀରେ ଘରଣୀ ସଂଗେ ବଞ୍ଚେ ଦିନ |୯୩|

ସୁଖେଣ ତହିଂ ରହିଲେ ବୀର ଫାଲଗିନୁ

ୟେମନ୍ତେଣ ବହି ଗଲା ତହିଂ ମାସ ବେନି |୯୪|

ଲମ୍ଵିତା ବୋଲିଣ ସେହୁ ଯେବଣ ଯୁବତୀ

ଅର୍ଜୁନର ବୀର୍ଯ୍ୟେ ସେ ହୋଇଲା ଗର୍ଭବତୀ |୯୫|

ମନେ ବିଚାରିଲା ମୁଂ ଯିବଇଂ ବନବାସ

ୟେତେ ବିଚାରି କହିଲେ ରାଜାଙ୍କର ପାଶ |୯୬|

କୋମଳ କରିଣ ପାଥ କହଇ ବଚନ

ସାବଧାନ ହୋଇ ତୁମ୍ଭେ ଶୁଣ ହୋ ରାଜନ |୯୭|

ସମ୍ଭାଳି ଥାଅ ଦୁହିତା ଦୁହିଙ୍କି ତୁମ୍ଭର

ମୁହିଂ ଯାଉଅଛି ୟେବେ ଅରଣ୍ୟ ଭିତର |୯୮|

ତାହା ଶୁଣନ୍ତେ ବିରସ ହୋଇଲା ନୃପତି

କି କାରଣେ ବନେ ଯିବ ବୋଇଲାକ ଧାତି |୯୯|

ସୋମବଂଶ ଉଦ୍ଧାରଣ ପଞ୍ଚୁ କଟକେ ଆଧିପତି

ହରି ବଳରାମକଇଂ ଯାହାଙ୍କର ପ୍ରୀତି |୧୦୦|

ସେବା କରି ତହିଂ ନୋହିଲି ଭାର୍ଜନ

ଦୋଷ କ୍ଷମା କରି ମୋ ଅପରାଧ ନ ଘେନ |୧୦୧|

ସ୍ଵାମୀ ଦଶ ଦୋଷ କ୍ଷମା କରିବୁନା ମୋର

ମୁହିଂ ଯେ ଶରଣ ସ୍ଵାମୀ ତୋହୋର ପୟର |୧୦୨|

କିବା ଅପରାଧ କଲେ ମୋହୋର କୁମାରୀ

ବନକୁ ଗମନ କରୁଅଛୁଂ ତେଣୁ କରି |୧୦୩|

ତୁ ତାହାଙ୍କ ଦୋଷ ନାଥ କରିବୁନା କ୍ଷମା

ତୁ କ୍ଷତ୍ରୀବର ସେ ଅଲିଅଳ ଜେମା |୧୦୪|

ରାଜାର ବାକ୍ୟ ଶୁଣି ବୋଲଇ ଅର୍ଜୁନ

ଶୁଣ ଆହେ ମହାରାଜ ମୋହୋର ବଚନ |୧୦୫|

ତୁମ୍ଭ ବେନି ଦୁହିତାଙ୍କ ନାହିଂ କିଛି ଦୋଷ

ମୋର ବନବାସ କଥା ବଡ଼ାଇ ଭବିଷ୍ୟ |୧୦୬|

ଯେଉଂଣ ଦିନେ ଲାଖ ବିନ୍ଧି ଆଣିଲୁ ଦ୍ରୋପତୀ

ପାଞ୍ଚେ ବିଭା ହେଲୁ ୟେକା ରାଜାର ଦୁହିତୀ |୧୦୭|

ଭୀମସେନ ଶୟନ ଭୋଜନେ ଅତ୍ରିପୁତି

ନିରନ୍ତରେ ରମିତେ ବିଚାରନ୍ତି ମତି |୧୦୮|

ଭୟେ କରି ଦ୍ରୋପତୀ ଅଗ୍ନିରେ ପଶନ୍ତେ

ସତ୍ୟ ଉଚ୍ଚାରିଲୁ ତହୁଂ ଆମ୍ଭେ ପଞ୍ଚୁ ଭ୍ରାଥେ |୧୦୯|

ପାଞ୍ଚେହେଂ ପାଞ୍ଚରାତ୍ର ବିଜୟ କରିବା

ୟେକର ଶୃଙ୍ଗାର ଯେବେ ଆରେକ ଦେଖିବା |୧୧୦|

କି ଅବା ୟେକ ଦିନକରେ ଯେ ଯିବ ବେନି ବେଳ

ଦ୍ଵାଦଶ ବରଷ ସେହୁ ବୁଲିବ ଗିରିମାଳ |୧୧୧|

ବନରେ ବଞ୍ଚିବ ଯେ କରିବ ତୀର୍ଥମାନ

ବାରହ ବରଷରେ ଫେରି ଆସିବ ସଦନ |୧୧୨|

ସତ୍ୟ ଶୁଣି ଦ୍ରୋପତୀ ହରଷ ହୋଇଲା

ୟେ ବିଧି ପ୍ରମାଣେ କେତେହେଂ ଦିନ ଗଲା |୧୧୩|

ଦିନକେ ବ୍ରାହ୍ମଣେ ୟେକ ମିଳି ଅଦଭୂତେ

ବୋଇଲା ବେଗେ ଯୁଝେଷ୍ଠିଙ୍କି ଭେଟ କରାଅ ମୋତେ |୧୧୪|

ତାହାର ବଚନେ ସତ୍ୟ ଲଘଂନ ମୁହିଂ କଲି

ଯୁଝେଷ୍ଠିଦେବଙ୍କର ୟେକାନ୍ତ ଦେଖିଲି |୧୧୫|

ସେ ଦୋଷ ଗମନ ମୁହିଂ କଲଇଂ ବନକୁ

ନ କର ଶୋଚନା ମୁଂ ଯିବଇଂ ସତ୍ୟ ନିମନ୍ତକୁ |୧୧୬|

ଶୁଣିଣ ସନ୍ତୋଷ ଯେ ହେଲେ ନୃପମଣି

ଲମ୍ଵିତା ଚିତ୍ରପଦାଙ୍କୁ ବୋଧି ବାହାର ବୀରମଣି |୧୧୭|

କେଶବ ସୁମରି ପାଥ ଚରଣକୁ ବଢାଇଲା

ବହନ ଅରଣ୍ୟେ ପଶି ପଥ ବାହିଗଲା |୧୧୮|

ସିଦ୍ଧ ନାମେ ବନେ ଯାଇଂ ମିଳିଲାକ ପାର୍ଥିବ

ଦେଖଇ ବିପିନ ଅତି ଅସମ୍ଭବ |୧୧୯|

ପନ୍ତି ପନ୍ତି ହୋଇଣ ଅଛନ୍ତି ବୃକ୍ଷମାଳ

ଜମ୍ଵୁ ଜମ୍ଵିର ଆଦି ଜେଉଟ ଜମ୍ଵାଳ |୧୨୦|

ଜୟନ୍ତୀ ଜଜାଙ୍ଗୀ ଜାଠିମଧୁ ନାମେ ଗଛ

ପେଣ୍ଡି ଖଜୁରି ମରୀଚ ମାହାଳ ଦାରାକ୍ଷ |୧୨୧|

କଦମ୍ଵ କରମଙ୍ଗା କରଞ୍ଜ କୁରୁବେଲି

କୋଚିଳା କଇଥ କେନ୍ଦୁଗଛ ପଲି ପଲି |୧୨୨|

କଦଳୀ କଞ୍ଚଣ କରନ୍ଦା ଯେ କଣୀଅର

କୁମ୍ଭାଟୁଆ କେତକୀ କୃଷ୍ଣପନ୍ନ ସାର |୧୨୩|

କରୁଣା କୁକୁରଛାଲିଆ କିଆ ଧାଡ଼ି ଧାଡ଼ି

କଣ୍ଟି କଣ୍ଟାହୋଳ କୁସୁମ ବୃକ୍ଷ ବଢି |୧୨୪|

ଶାଳ ବୃକ୍ଷ ସାହାଡା ଶାଳପର୍ଣ୍ଣି ସଜନା

ଶିମୂଳୀ ସଡ଼ିପାଦି ଯେ ଦିଶଇ ବିତପନା |୧୨୫|

ବଇଂଚ ବରକୋଳି ବାହାଡ଼ା ବଉଳ

ବାସଙ୍ଗ ବେଗୁନିଆ ବରାହଦାଢ ଫୁଲ |୧୨୬|

ବରବେଲ ବେହେଣ୍ଟା ବଧୂଲି ବାସ କରି

ବାଇଡ଼ଙ୍କ ବରିପୋଲୁଅ ବଢୁଆଂ ଆଦି କରି |୧୨୭|

କ୍ଷୀର କ୍ଷୀରକୋଳି ଖଇର ଖଜୁରି

ଡୋହଳ ଡାଳିମ୍ଵ ଡଂକାରି ଡାଳସିଙ୍ଗା ଡିମ୍ଵିରୀ |୧୨୮|

ଗମ୍ଭାରି ଗରଗଡ଼ ଗଇଶ ଆଦି ଗୁଆ

ଗୋଠଫଳ ଗଗୁଳ ଯେ ଲଟାଗୁଳୁଚି ଗୁଗୁଚିଆ |୧୨୯|

ଅଶନ ଅରଖ ଓଶସ୍ଥ ଦୁଦୁରା ଅଣଖୁଆ

ଅୟେଂଳା ଉଆଉ ଅଗବଥୁ ପାଳଧୂଆ |୧୩୦|

ଘଣ୍ଟଫଳ ଘିଅକୁଆଂରୀ ଘରପୋଡ଼ିଆ ଭାଣ୍ଡିର

ଭୂଇଂନିମ୍ଵ ଭାଲିଆ ନାରଙ୍ଗ ଆବର |୧୩୧|

ନଡ଼ିଆ ନିମ୍ଵ ଆଉ ନଅର କୋଳି

ଲେମ୍ଵାଉ ନାଗେଶ୍ଵର ପୁଷ୍ପ ଯେ ନିଆଳୀ |୧୩୨|

ପାଣ୍ଡଫାଶି ବୃକ୍ଷ ଆବର ପାଂମ୍ପୁଣିଆଂ

ରାଇବୃକ୍ଷ ରାଇଟ ଆବର ଶୁଣିଆଂ |୧୩୩|

ମହୁଲ ମଞ୍ଜାରୀ ମନୁଷା ମହାକାଳ

ମେଣ୍ଠି ମଥୁରା ମହାନିମ୍ଵ ତମାଳ |୧୩୪|

ମାରୀଚା ମନ୍ଦାର ମଲ୍ଲୀ ମାଧବୀ ମରୁଆଭଳି ଛୁରିଅନା

ଜାଇ ଯୂଇ କୁସୁମ ପାଟେଳୀ ଧାତୁକୀ ଧନିଆଂ |୧୩୫|

ଧନ୍ଵନ୍ତରୀ ପିଆଶାଳ ପିପଳୀ ପାନମହୁରୀ ତେନ୍ତୁଳି

ତରାଟ ଟଗର ହେଙ୍ଗୁ ତାଳ ଚିତା ଚିରାଇତା ତମୁରି |୧୩୬|

ଟୋଲଙ୍କ ହରିତା ହଳଦା ଟଭା ସପୁରୀ ସହିତେ

ନାନା ଜାତି ଗୁଳ୍ମ ଲତା ଯେ ଅପ୍ରମିତେ |୧୩୭|

ମହାଘୋର ଲତା ଅଟଇ ସେ ବନ

ଅଛନ୍ତି ବିବିଧ ବର୍ଣ୍ଣେ ତହିଂ ଜୀବମାନ |୧୩୮|

କୃଷ୍ଣାଜିନ କୁରଙ୍ଗୀ ଯେ ଖରିଆ ଖୁରାଣ୍ଟି

ଗଣ୍ଡା ଗୟଳ ଗଜ ଘୋଡ଼ଙ୍ଗ ଘୋଡ଼ା ଗୋଟି ଗୋଟି |୧୩୯|

ନେଉଳ ନେପାଳୀ ମୂଷା ଓଧ ବଣଭୁଆ

ଝୀଙ୍କ ଝିଙ୍କାରୀ ଝାଙ୍କର ଆବର ଠେକୁଆ |୧୪୦|

ବ୍ୟାଘ୍ର ଭାଲୁକ ବରେହା କେନ୍ଦୁଆ ବଳିଆ

ମୃଗ ମଇଂଷୀ ଯେ ମୂଷା ବାଉଟିଆ |୧୪୧|

ଶଶା ଶାଳେହା ଗୋଧି ମୃଗଲାଭ ସହିତେ

ହରିଣପଲ ବନର ଜୀବମାନ ଯେତେ |୧୪୨|

ପଛୀଜନ୍ତୁମାନେ ତହିଂ ଅଛନ୍ତି ଅପାର

କାକ କୁକୁଟ ପିକ କପୋତ ତାମ୍ରଚୂଡ଼ |୧୪୩|

କଜଳପାତିଆ ଆଉ କେଶରପାଣ୍ଡିଆ

କୋଚିଲାଖାଇ ପଛୀ ଆବର କୁମ୍ଭାଟୁଆ |୧୪୪|

ହଂସ ହଂସରାଳୀ ଯେ ହରଡ଼ ଚଢେଇ ତିନି

ହଳଦୀବସନ୍ତ ହୁଂହୁଇଂଆ ଗୋବରାକୁ ଘେନି |୧୪୫|

ଗେଣ୍ଡାଳିଆ ଚକୁଆ ଗୋଡ଼ିଖାଇ ୟେହି

ଗୁଣ୍ଡୁରୀ ଖାକରଖାଇ ଗଙ୍ଗାଇଡ଼ୁବାଇ |୧୪୬|

ଶାରୀ ଶୁଆ ଶାଗୁଣା ଶାମଳହିଂ ଅଛି

ଶାହାଟ ସୁବର୍ଣ୍ଣଚୂଡ଼ ଶେଣା ନାମେ ପଛୀ |୧୪୭|

ଚିଲ ଚିମୁଣିଆ ପେଚା ଯେ ଚକୋଇ

ଚାମରୀ ଘରଚଟିଆ ଯେ ଚାତକହିଂ |୧୪୮|

ବାଇଆ ବାୟେଂସା ବାଦୁଡ଼ି ବଢିଣା

ବକ ବିହଙ୍ଗମ କାନେତି ଖଞ୍ଜନା |୧୪୯|

ଜଳପିମ୍ପି ଟିପି ଡାଳକୁଆ ଡାହୁକ

ଟେଣ୍ଟୁଆ ତିତିରି ତାମ୍ରଚୂଡ଼ ଅନେକ |୧୫୦|

ତାରାକ୍ଷୀ ଦୟାଳ କାଠକଟା ଶ୍ଵେତକୁଆ

ରାଜବଣି ରାଜହଂସ ରାଜବଲଭ ରାଜ କାଉଚିଆ |୧୫୧|

ଭରଥିଆ ଭଦଭଦଳିଆ ଆବର ଭାଥିଭ୍ରମର

ମଧୁମାଛି ମଧୁକର ମୁନିଆ ଚେମୁଣିଆ ଆର |୧୫୨|

ପାତିଶୁଆ ପେଚା ପାଟବଣି ପାଣିକୁଆ ସହିତେ

କୋଳାହଳ ନାଦ ଶୁଭଇ ଅପ୍ରମିତେ |୧୫୩|

ସରଯୂ ନାମେ ନଦୀ ବହଇ ବିତପନ

ତହିଂ ଯାଇଂ ମିଳିଲା ପାଣ୍ଡବ ଅରଜୁନ |୧୫୪|

ପୁଇଚାନ୍ଦିଆର ମୂଳେ ଧନୁ ତ୍ରୋଣ ଥୋଇ

ନଦୀରେ ପଶି ଯେ ବୀର ସ୍ନାହାନ କରଇ |୧୫୫|

ପିତୃ ତର୍ପଣ ସାରି କୂଳରେ ମିଳିଲା

ଫଳମୂଳ ଭୁଞ୍ଜି ଦେହ ସୁସ୍ତ କରାଇଲା |୧୫୬|

ଧନୁଶର ଘେନି ନିତ୍ୟେ ବନସ୍ତେ ଭ୍ରମଇ

ରାମ ନାମ ସୁମରି ସେ ବନସ୍ତେ ବଞ୍ଚଇ |୧୫୭|

ବଦୟନ୍ତି ଅଗସ୍ତି ଆହେ ଶୁଣ ନୃପବର

ଦଶମାସ ରହି ତହିଂ ପାଣ୍ଡୁର କୁମର |୧୫୮|

ପୁଣ ସେ କାନନ ଉପେକ୍ଷିଣ ତହୁଂ ଗଲା

ଯାଉଂ ଯାଉଂ ପଥେ ୟେକ ପର୍ବତ ଦେଖିଲା |୧୫୯|

ମଣିଭଦ୍ରା ନାମ ଜାଣ ଅଟଇ ତାହାର

ତହିଂ ଯାଇଂ ରହିଲା ପାଣ୍ଡବ ଧନୁର୍ଧର |୧୬୦|

ଶ୍ରୀହରିଙ୍କି ଯୁଦ୍ଧରେ ଜିଣିମ ସେହିଠାରେ

ଶତଧନୁ ଶରଣ ପଶିବ ବାସବୀରେ |୧୬୧|

ଗୋସିଙ୍ଘକୁ ବଧ ସେ କରିବ ବୀରମଣି

ଜପାସୁର ଦଇତକୁ ପକାଇବ ହାଣି |୧୬୨|

ୟେମନ୍ତ ଶୁଣିଣ ବିଲଙ୍କ ଦେଶ ରାଜା

ଅଗସ୍ତିଙ୍କ ଚରଣେ କଲା ଦିବ୍ୟ ପୂଜା |୧୬୩|

ଭୋ ମୁନି ସାବଧାନ ହୋଇଣ ଶୁଣିମା

ଲମ୍ଵିତା କନ୍ୟା ଯେ ଥିଲା ଚିତ୍ରାଙ୍କୁର ଜେମା |୧୬୪|

ଅର୍ଜୁନ ବୀର୍ଯ୍ୟେ ସେ ହୋଇଲା ଆଶାବତୀ

ପୁତ୍ର ଦୁହିତା ତାର ହେଲେ ଉତପତ୍ତି |୧୬୫|

ୟେ କଥା ସଞ୍ଚପି କହିବାକୁ ମୁନିବର

ବଦୟନ୍ତି ଅଗସ୍ତି ଶୁଣ ଆହେ ରାଜେଶ୍ଵର |୧୬୬|

ଅର୍ଜୁନ ଯେତେବେଳେ ଗଲା ଘୋର ବନ

ଚିତ୍ରାଙ୍କୁର ରାଜା ଯେ ବିପରୀତ ମନ |୧୬୭|

ବେନି ଗୋଟି ଦୁହିତାନ୍ତ ନିଜ ପୁରେ ନେଲା

ପାଶେ ଖଟିବାକୁ ଶତେକ ଦାସୀ ଦିଲା |୧୬୮|

ଅନ୍ତପୁରେ ନିଶ୍ଚିନ୍ତେ ରହିଲେ କୁମାରୀ

ଦିନକୁ ଦିନ ନାରୀ ହୋଇଲା ଗର୍ଭ ଭାରି |୧୬୯|

କୁମ୍ଭମାସେ ନାରୀ ଯେ ହୋଇଲା ଗର୍ଭ ବାସ

ବିଛା ପ୍ରବେଶେଣ ହୋଇଲା ଦଶମାସ |୧୭୦|

ମାର୍ଗଶିର ଶୁକଳ ପୂର୍ଣ୍ଣମୀ ଗୁରୁବାର

ରୋହିଣୀ ନାମେ ନକ୍ଷତ୍ର ଅଟଇ ସେଦିନର |୧୭୧|

ବୃକ୍ଷ ଚନ୍ଦ୍ର ସାଧ୍ୟ ଯୋଗ କରଣ ଯେ ବବ

ସେଦିନ ଲମ୍ଵିତା ବାଳୀ ହୋଇଲା ପ୍ରସବ |୧୭୨|

ପାଶେ ଖଟିଛନ୍ତି ଶତେକ ବିଳାସୁଣୀ

ପୁତ୍ରେକ ଜାତ କଲା ଦୁତୀ ଚକ୍ରପାଣି |୧୭୩|

ମକରଧ୍ଵଜ ପ୍ରାୟେ ଦିଶଇ ବାଳୁତ

ନାଭି ଛେଦି ସ୍ନାନ କରାଇଲେକ ତୁରିତ |୧୭୪|

ଅନ୍ତୁଡ଼ି ଲଗାଇ ଯେ ସେକନ୍ତି ସ୍ତିରୀଗଣ

ଧାଈମାନେ ଖିର ଦିଅନ୍ତି ଯେ ତାହାର ମୁଖେଣ |୧୭୫|

ୟେମନ୍ତେଣ ତାହାକୁ ସମସ୍ତେ ଖଟିଲେ

ଶାସ୍ତ୍ର ବିଧିମତେ ଯେ ଗେଣ୍ଡୁଆ ଖୁଆଇଲେ |୧୭୬|

କହନ୍ତି ଅଗସ୍ତି ଆହେ ଶୁଣ ମହୀଧର

ପଞ୍ଚୁଆତି ଷଷ୍ଠୀ ଆଉ ସପତମ ବାର |୧୭୭|

ୟେକବିଂଶ ଦିନେ ଚିତ୍ରାଙ୍କୁର ବିଜେକଲା

ଦୋଳିରେ ଦୋହିତାର ପୁତ୍ରକୁ ଦେଖିଲା |୧୭୮|

ସରୂପରେ ଅର୍ଜୁନର ମୂରତି ବାଳୁତ

ପରମ ସାନନ୍ଦ କଲା ଦେଖି ରାଜା ଚିତ୍ତ |୧୭୯|

କୁମାରୀ ମୁଖ ଚାହିଂ ପଚାରଇ ରାୟେ

କେବଣ ନାମ ପୁତ୍ରକୁ ଦେବାଟି ଗୋ ମାୟେ |୧୮୦|

ଲମ୍ଵିତା ବୋଇଲାକ ଶୁଣିମା ଭୋ ତାତ

ଅର୍ଜୁନ ନାମ ଅଟଇ ଶ୍ଵେତବାହନ ତ |୧୮୧|

ତାହାର କୁମର ୟେ ଅଟଇ ବିଦ୍ୟମାନ

ୟେହାର ନାମ ଗୋଟି ହୋଉ ବବ୍ରୁ ଯେ ବାହନ |୧୮୨|

ସ୍ଵଭାବେ ବୃଷ ରାଶିର ଜନମ ହୋଇଲା

ବବ୍ରୁବାହନ ନାମ ଗୋଟି ୟେହାକୁ ଶୋହିଲା |୧୮୩|୧୭୫୩|

 

Unknown

ଶତଧନୁ ଶରଣ

ଅଗସ୍ତି ପୁଚ୍ଛା କଲେ ବଇବସୁତ ମନୁ

ବନବାସହିଂ ତ କଲେକ ଫାଲଗୁନ୍ୟୁଂ |୧|

ସଦାନନ୍ଦକୁଂ ଜିଣିଲା ସେ କିରାତ ରୂପ ଧରି

ଅନେକ ଶସ୍ରବିଦ୍ୟା ଦିଲେ ତ୍ରିପୁରାରି |୨|

ପାର୍ବତୀ ଦିଲେ ଯେ ଅକ୍ଷୟେ ତ୍ରୋଣ ବେନି

ଅଣତପେ ପାଇଲା ପାଣ୍ଡବ ଫାଲଗୁନି |୩|

ଖାଣ୍ଡବ ବନ ଦହିଲେ ସେ ଅଗ୍ନିଙ୍କ ନିମନ୍ତେ

ଅନେକ ଶସ୍ର ଦିଲେ ତ୍ରିପୁତି ହୋଇ ଅଗ୍ନି ଦଇବତେ |୪|

ଆବର କେବଣ କୀରତି କଲେ ସର୍ବସାଚୀ

ୟେହା ବିଚାରି ମୋତେ ସଞ୍ଚପି କହିବା ମୁନି ପ୍ରାଚୀ |୫|

ବଦୟନ୍ତି ଅଗସ୍ତି ପଣ୍ଡିତ ମହାତମା

ଯୁଗ ଅନ୍ତକାଳକଇଂ ପ୍ରତକ୍ଷେ ଅଟୁ ବ୍ରହ୍ମା |୬|

ଆବର କୁତୂହୋଳ ଶୁଣ ମହାରାୟେ

ଶ୍ରୀକୃଷ୍ଣରେ ବିବାଦି ଯେ ହୋଇଲେ ଧର୍ନୁଜୟେ |୭|

ବଇବସୁତ ମନୁ ବୋଇଲେ ଯେ ବଡ଼ାଇ ଦୁଲଭ କଥା

କହିବାକ ସଞ୍ଚପି ମୋତେ ହରି ଅର୍ଜୁନ ଯୁଦ୍ଧର ବାରତା |୮|

ଶୁଣ ହୋ ମହାରାଜା ପୁଚ୍ଛାକଲେ ଯାହା

ଶୁଣ ସାବଧାନେ କହଇ ମୁହିଂ ତୋତେ ତାହା |୯|

ଦ୍ରିଯୋଧନ ରାଜା ପଞ୍ଚତିରିଶ ଅଙ୍କ ଶ୍ରାହୀ

ଯମ ସମ୍ଭର୍ବ ନାମେଣ ସଂବଚ୍ଛର ଅଟଇ |୧୦|

କକଡ଼ା ମାସ କୃଷ୍ଣପକ୍ଷ ଭୌମବାର ଚଉଠୀ

ଉତ୍ତର ଭୋଦୁଅ ନାମେ ନକ୍ଷତ୍ର କରଣ ନାମେ ବିଷ୍ଟି |୧୧|

ଶୋଭନ ନାମେଣ ଅଟଇ ପୁଣ ଯୋଗ

ସିଂହ ସଙ୍କରାନ୍ତିକି ଯେ ସାତଦିନ ଭୋଗ |୧୨|

ସେଦିନ ଦ୍ଵାରକା ସଭାୟେ ଜଗନ୍ନାଥେ ବିଜୟେ

ବଳରାମ ଉଗ୍ରସେନ ବସୁଦେବ ରାୟେ |୧୩|

ସାତବଂଶ ଯୋଦ୍ଧାୟେ ଅଛନ୍ତି ଆସ୍ତାନେ

ତଳେ ପଟୋଆରେ ଅଛନ୍ତି ପାତ୍ର ଅମନାତ୍ୟଗଣେ |୧୪|

ବିମ୍ଵାଧର ନାମେ ୟେକଇ ଗୁପତ ଡଗର

ସେ ଯାଇଂ ଜଣାଇଲା ସାତୁକୀ ଆଗର |୧୫|

ସ୍ଵାମୀ ଶକ୍ରାଜିତ ରାଜାଙ୍କୁ ଯେ ମାଇଲା ଗୁପତେ

ମୁହିଂ ଠାବ କରି ତାହା ଅଇଲଇଂ ୟେଥେ |୧୬|

ବାମଦେବ ଯାଦବର ସୁତ ଶତଧନୁ

ସେହୁ ନାଶ କଲା ଅନାଧୃଷ୍ଟଙ୍କର ଗ୍ୟାନୁ |୧୭|

ସାତୁକୀ ବୋଇଲା ହୋ ପାଶୋରଗଲା କଥା

ଅନେକ ଗୋଳ ହୋଇବଟି ନ କର ବାରତା |୧୮|

ସାତୁକୀ ବଚନେ ମୁନେହିଂ ହୋଇଲାକ ତୃଷ୍ଟି

ଅଦଭୂତେ ଦ୍ଵାରକାରେ ୟେକଥା ହୋଇଲାକ ଫୁଟି |୧୯|

ଅନାଧୃଷ୍ଟି ବୋଇଲା ହୋ ଶୁଣ ଜନିତାର ବଳା

ଆହୋ ଶତଧନୁ ତୁ ଦ୍ଵାରୀକାଉଂ ବହନ ହୋଇ ପଳା |୨୦|

ସେହିଦିନ ରାତ୍ରେ ଯେ ପଳାଇଲା ଶତଧନୁ

ଜାଣିଲେ ମାଧବ ତାହା ଦେବକୀର ତନୁ |୨୧|

ଶତଧନୁ ପଳାଇଗଲା ଯେ ନିଶାରାତ୍ରେ

ଗୋବିନ୍ଦେ ଗୋଡ଼ାଇଲେ ରୟଣୀ ପ୍ରଭାତେ |୨୨|

ପଳାଇ ଶତଧନୁ ଅନେକ ଦୂର ଗଲା

ମହାଘୋର ଅରଣ୍ୟେ ସେ ପଳାଇ ପଶିଲା |୨୩|

ସୁରସେନ ନାମେଣ ଯେ ୟେକଇ କିରାତ

ତାହାର ତହିଂ ଶତଧନୁ ହୋଇଲା ଶରଣାଗତ |୨୪|

ଆହୋ କିରାତ ଶରଣ ମାଗଇଂ ମୁହିଂ ତୋତେ

ଗୁପତ କରି ଲୁଚାଇ ପାରିବୁକି ମୋତେ |୨୫|

କିରାତ ବୋଇଲା ତୁହୋ କାହାର ବଇରି

ଶତଧନୁ ବୋଇଲା ମୁହିଂ ହାଦେ ପଳାଉଅଛି ଜଗନ୍ନାଥଙ୍କୁ
ଭୟେ କରି |୨୬|

ସୁରସେନ ବୋଇଲା ସେ ତ୍ରଇଲୋକ୍ୟ ଚିନ୍ତାମଣି

ଚାହିଂଲେ ସକଳ ବ୍ରହ୍ମାଣ୍ଡେ ବାରତା ପାରଇ ଜାଣି |୨୭|

ତୁ ୟେଥୁଂ ବହନ ହୋଇ ପଳା ହୋ ଶତଧନୁ

ପଚାରିଲେ ନ କହିବି ୟେ ମୋହୋର ଗ୍ୟାନୁ |୨୮|

ପଲାଇ ଶତଧନୁ ମହାଘୋର ନିଶି

ଗୋକ୍ଷୀର ସାଗର ବନରେ ଯାଇଂ ପଶି |୨୯|

ଗୋବିନ୍ଦ ଭେଟିଲେ ଯାଇଂ ସୁରସେନ କିରାତକୁ

ଆରେ ଶତଧନୁ କେଣେ ଗଲା ଦେଖିଲୁ କିରେ ତାକୁ |୩୦|

କିରାତ ବୋଇଲା କେ ଜାଣଇଂ ତୁମ୍ଭର କୁହା

ଲୋଡ଼ସି ହୋ ମହାତମା ବନେ ପଶି ତାହା |୩୧|

ଶୁଣିଣ ଜଗନ୍ନାଥ କୋପେଣ ପରଜଳି

ବିଜେକର୍ଣ୍ଣକଟାରୀକି ମାଇଲେ ବନମାଳୀ |୩୨|

ସୁରସେନ କିରାତକୁ ପକାଇଲେ ହାଣି

ଧାମନ୍ତି ଅରଣ୍ୟେ ଯେ ଦେବ ଚକ୍ରପାଣି |୩୩|

ପଳାଇ ଶତଧନୁ ଶରଣଭଦ୍ରା ନଦୀ କୂଳେ

ଯମନିକ ନୃପତିକି ଶରଣ ମାଗଇ ରାତ୍ର କାଳେ |୩୪|

ଯମନିକ ବୋଇଲା ତୁ କାହାର ବଇରି

ଆହୋ ଅଦୋଷେଣ କେଶବ ମୋତେ ଗୋଡ଼ାଇଅଛି ମାରି |୩୫|

ଯମନିକ ବୋଇଲା ତୁ ନ କରସି ଅପେକ୍ଷା

ସଞ୍ଚୟେ ନାଶଗଲୁ ନାହିଂ ଆନେ ରକ୍ଷା |୩୬|

ବହନ ହୋଇ ପଳାଅ ନ ରହନି ୟେଥ

ନାରାୟଣ କୋପକୁ କେ ହୋଇବ ସାମରଥ |୩୭|

ପଳାଇ ଶତଧନୁ ନିରାଶ ବଚନ ଶୁଣି

ଗମଇଂ ବନସ୍ତେ ସେ ଦିବସ ରୟଣୀ |୩୮|

ଯମନିକ ନୃପତିକି ଦେଖିଲେ ଜଗନ୍ନାଥେ

ଆହୋ ଶତଧନୁ କେଣିକି ଗଲା ପୁଚ୍ଛନ୍ତି ବାରତେ |୩୯|

ଯମନିକ ବୋଇଲା ଦେବ ନ ଚିହ୍ନଇ ମୁହିଂ

ବୀରକେ ପଳାଇଛି ମହାଶ୍ରମ ପାଇ |୪୦|

ଗୋବିନ୍ଦେ ବୋଇଲେ ତୁ ମୋଢା ଅଟୁ ହୀନ ଜାତି

ମୋହୋର ଶତ୍ରୁକୁ ନ ଧରିଲୁ ରାଗେଣ ବୋଲନ୍ତି |୪୧|

ବିଜେକର୍ଣ୍ଣକଟାରୀ ଘେନିଣ ଚକ୍ରପାଣି

ଯମନିକ ନୃପତିକି ପକାଇଲେ ହାଣି |୪୨|

ତହୁଂଣ କୋପ କରି ଯେ ଭ୍ରମନ୍ତି ଦେବ ସ୍ଵାମୀ

ରାଗେଣ ଶତଧନୁ ଲୋଡ଼ନ୍ତି ଅନ୍ତର୍ଯ୍ୟାମୀ |୪୩|

ଶତଧନୁ ନିମନ୍ତେ ସ୍ଵାମୀ ବନେ ହେରି

କପଟ କୂଟ ହୋଇଣ କିରାତ ରୂପ ଧରି |୪୪|

ମଥାରେ ମୟୂର ଝାଲି ପରିହରଣ କଣ୍ଠେ ଗୁଞ୍ଜମାଳି

ଲୋହିତ ବର୍ଣ୍ଣ ନେତ ଶରୀରେ ରକତଚନ୍ଦନ ହୃଦେ ମାଳି |୪୫|

ଶ୍ରୀଭୁଜେ ଶୋଭାବନ ଧାମଣା କାଠର ଧନୁ

ଶ୍ରମେଣ ଖେଦନ୍ତି ସ୍ଵାମୀ ଲୋଡ଼ନ୍ତି ଶତଧନୁ |୪୬|

ପଳାଇଂ ଶତଧନୁ ପବନୁଂ ବେଗ ଉଡ଼ା

ବେନିଶତ ଯୋଜନ ମଧ୍ୟେ ଅଛି ଛାଡ଼ଛଡ଼ା |୪୭|

ନିଦାଘ ନୃପତି ଅଟଇ କୃତକେଶୀ

ପାଞ୍ଚଲକ୍ଷ ଯୋଧା ଘେନିଣ ବନକ୍ରୀଡ଼ାୟେ ଆସି |୪୮|

ପଳାଇ ଶତଧନୁ ତାହାକଇଂ ଯାଇଂ ଭେଟି

ଆହୋ ଶରଣ ଋକ୍ଷା କରି ପାରିବୁକି ରାଜଶ୍ରେଷ୍ଠୀ |୪୯|

ବୋଲଇ ଶତଧନୁ ଶୁଣ ହୋ କୃତକେଶୀ

ମୁହିଂ ତୋରେ ଶରଣ ପାରିବୁ ଟିକି ରଖି |୫୦|

ବୋଲଇ କୃତକେଶୀ ମୁଂ ଶରଣପଞ୍ଜର ବୀରଧୂ

ଶୁଣିଲା ନାହିଂ କିରେ ମୁହିଂ ଦୁଖୀ ଲୋକଙ୍କର ବନ୍ଧୁ |୫୧|

ସୁଖେଣ ରହିଥାଅସି ମୁଂ ଶରଣ ରଖିଲି ତୋତେ

ସୁର ନର ପୁରନ୍ଦର ଜିଣି କେ ଆସୁ ମୋତେ |୫୨|

ବହୁତ ପ୍ରତଗ୍ୟାଂ କଲାକ କୃତକେଶୀ

ରହିଲା ଶତଧନୁ ଶରୀର ନିବେଶି |୫୩|

ଭୂୟେକ ଭିଆଇଲା ଶକଟ ଆକାର

ବେନି ଲକ୍ଷ ଯୋଦ୍ଧା ରହିଲେ ଓସାର ଓଧିର |୫୪|

ଝୁରାଡ଼ିଅଠାରେ ରହିଲେ ଯୋଦ୍ଧା ତିନି ଅହିବ୍ରତ

ବେନି ଚକ୍ରରେ ରହିଲେ ଯେ ବେନି ମର୍ଭୁତ |୫୫|

ଅଖ ମଧ୍ୟରେ ରହିଲେ ଚାରିଲକ୍ଷ ଯୋଧି

ଦଶସସ୍ର ଯୋଧି ଯେ କିଳଣୀ ନିରୋଧି |୫୬|

ଲକ୍ଷେକ ଯୋଦ୍ଧା ଯେ ବାଛିଣ ମହାବଳୀ

ସେ ବୀରମାନେ ରହିଲେ ଦ୍ଵାଦଶ ଯେ ଫଳି |୫୭|

ୟେ ବିଧି କରିଣ ଭୂଅ ଭିଆଣ ତହିଂ କଲା

ମଧ୍ୟେଣ ପଦ୍ମଭୂଅ ଗୋଟିୟେ ସଞ୍ଚିଲା |୫୮|

ପଦ୍ମ ପାଖୁଡ଼ାକେ ସହସ୍ରେ ସହସ୍ରେ ରଥେ

ମଧ୍ୟ କେଶରେ ରହିଲେ ସହସ୍ରେ ସେନାପତି |୫୯|

ତହିଂରେ ଭିତରେ ନାଡ଼େକ ଭେଦକଲେ

ସେ ନାଡ଼ ଭିତରେ ନେଇ ଶତଧନୁକୁ ଲୁଚାଇଲା |୬୦|

ପୁଣ ଭୂଅ ବାହାରେ ଭିଆଇଲାକ ଗଡ଼

ଗଡ଼ ପାଚେରୀ ହୋଇ ରହିଲେ ସନ୍ୟ ତିନି ଯେ ସାଗର |୬୧|

ଦ୍ଵାରକୁ କବାଟ କଲା ଲକ୍ଷେ ମାଲ ବୀର |୬୨|

ୟେସନେକ ଯତନେ ରଖିଲା ଶତଧନୁ

ଆପଣେ ଗଡ଼ ରକ୍ଷା କଲା ସୌଦାସର ତନୁ |୬୩|

ଶତଧନୁକୁ ଆବୋରି ରହିଲା କୃତକେଶୀ

ୟେମନ୍ତେ ସମୟେ ଜଗନ୍ନାଥେ ବିଜେ କଲେ ଆସି |୬୪|

କିରାତ ରୂପ ଦେବ ଶରୀର ବିକାଶି

ନୀଳ ଉତ୍ପଳ ରୂପ ବିରାଜନ୍ତି ହୃଷୀକେଶି |୬୫|

ରକତ ଚନ୍ଦନ ଲେପନ ନିଜ କାୟେ

ଦିଶନ୍ତି ନାରାୟଣ ଯେ ବନଚର ଲୋକ ପ୍ରାୟେ |୬୬|

ଚିହ୍ନି ନ ପାରିଲା ସେ ଅସୁର ରାଜା କୃତକେଶୀ

କିରାତ କେ ତୁରେ ବୋଲି ବୀରେ ଓଗାଳିଲେ ଆସି |୬୭|

ସଧୀରେ ପୁଚ୍ଛା କରୁଛନ୍ତି ଦେବକୀର ତନୁ

ଆହୋ ବୀରମାନେ ଦେଖିଛ କି କେଣେ ଗଲା ଶତଧନୁ |୬୮|

ତାହା ଶୁଣି ଉପହାସ ବଚନ ବୋଲନ୍ତି ଦୁଷ୍ଟ ବୀରେ

କାହିଂ ଅଛି ତୋର ଶତଧନୁ କେ ସେ ଜାଣଇଂ ରେ |୬୯|

କରନ୍ତି ଉପହାସ ସେ କ୍ଷେତ୍ରୀୟ ଅନର୍ଗଳା

କିଳିକିଳା ନାଦରେ ମଦିରା ରସେ ଭୋଳା |୭୦|

ରାଗଣେ ଗୋବିନ୍ଦ ବୋଇଲେ ରେ ତୁମ୍ଭେ ଯଦ୍ୟପି ନ କହିବ

ଆମ୍ଭର ଦୋଷ ନାହିଂଟି ସମସ୍ତେ ନାଶ ଯିବ |୭୧|

ଶୁଣିଣ କୋପାନଳ ରାକ୍ଷସ ମହାବଳୀ

କରେଣ ଶହସ୍ର ଧରି କୋପେଣ ପରଜଳି |୭୨|

ଧନୁ ଶହସ୍ରନ୍ତ ଧରିଣ ସେ ଧାମନ୍ତି କଉଣୋପେ

ସହସ୍ରେକ ଯୋଦ୍ଧା ସ୍ଵାମୀଙ୍କି ବେଢିଲେ ଅତି କୋପେ |୭୩|

ବିନ୍ଧନ୍ତି ନାରାଜ ଯେ ନାରାୟଣଙ୍କ ଉପରେ

ଶହସ୍ର ନ ଭେଦନ୍ତି ଯେ ନାରାୟଣଙ୍କ ଶ୍ରୀଅଙ୍ଗରେ |୭୪|

ଅଭେଦ ବଜ୍ରକପଚ ଯେହ୍ନେ ନ ଭେଦଇ ଶକତି

ଜଗନ୍ନାଥଂକ ଶରୀରେ ପଡ଼ି ଶହସ୍ରେ ଚୂର ଯାନ୍ତି |୭୫|

ରାଗଣେ ବିନ୍ଧନ୍ତି ହରି ତୀକ୍ଷ ଯେ ନାରାଜେ

ଯୋଜନେକ ଭୂମି ମାଡ଼ିଣ ପଡ଼ିଲେ ଦୁଷ୍ଟ ଯେ ଦନୁଜେ |୭୬|

ଅଶୀ ସହସ୍ର ଯୋଦ୍ଧା ଦେବ ପକାଇଲେ ଛେଦି

ପ୍ରତଗ୍ୟାଂ ଆରମ୍ଭେଣ ପଶିଲେ ଭୂଅ ଭେଦି |୭୭|

କୋପେଣ ନାରାଜ ଯେ ବିନ୍ଧିଲେ କଉଣୋପେ

ପଡ଼ିଣ ନ ଘୁଞ୍ଚନ୍ତି କାଦମ୍ଵରୀ ପାନ ଦର୍ପେ |୭୮|

ୟେକ ପଡିଲେ ଯେ ଆରକେ ଧାମନ୍ତି

ଅନେକ ଶହସ୍ର ସ୍ଵାମୀଙ୍କ ଉପରେ ପ୍ରହରନ୍ତି |୭୯|

ପର୍ବତେ ପଡ଼ି ଯେହ୍ନେ ଚୂର ହୁଅନ୍ତି ମୁଦୁଗରେ

ଗଦା ପଡ଼ି ଚୂର ହୁଅନ୍ତି ନାରାୟଣଙ୍କ ଉପରେ |୮୦|

ବହୁତ ସମ୍ଭବ ଯେ ହୋଇଲା ରଣରଙ୍ଗ

ରୋଧିରେ କର୍ଦନ ହୋଇଲା ସ୍ଵାମୀଙ୍କର ଶିରୀଅଙ୍ଗ |୮୧|

ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ ଫିରିକି ନାରାଜ ଶରେ

ବିନ୍ଧିଲେ ବାସୁଦେବ ଅସୁରଙ୍କ ଉପରେ |୮୨|

କାମାକ୍ଷୀ ନାରାଜ ଯେ ବିନ୍ଧିଲେ ଚକ୍ରଧର

ବହୁତ ସଇନୀ ପଡ଼ିଲେ ନିଶାଚର |୮୩|

ମହାବାତ ଘାତେ ଯେହ୍ନେ ପଡ଼ନ୍ତି ପଂକୁ ଫଳ

ନାଚନ୍ତି କୋବନ୍ଧ ଯୋ ଲାଟନ୍ତି ଭୂମିତଳ |୮୪|

ସମର ସମ୍ଭର୍ବ କହିତ କି ପାରି

କରେ ଗଦା ଧରି ଦେବ ଅନେକ ସନ୍ୟ ମାରି |୮୫|

କୋପାନଳେ ଚାହାନ୍ତେ ହୋଅନ୍ତି ଦହିଜ

ତେଣେ ଭସ୍ମ ହୋଇଲେ ଅନେକ ଦହିଜ |୮୬|

ସମର ସମ୍ଭରେ ବହୁତ ସନ୍ୟ ପଡ଼ି

ଆକାଶେ ଉଛୁଳୁଅଛି ଅସୁରଙ୍କର ଘୋର ରଡ଼ି |୮୭|

ପ୍ରଥମ ଭୂଅ ଦ୍ଵାର ଭେଦିଲେ ଦେବ ଅଚ୍ୟୁତ

ଦୁଜ ଦ୍ଵାରେ ଯାଇଂ ବିଜେ କଲେ ଜଗଭୂତ |୮୮|

ଦାନବନ୍ତ ମାରି ଦେବ ଛଡ଼ଫଳା ଜିଣି

ଅଖ ଚକ ସନିଧେ ଯାଇଂ ବିଜୟେ ଚକ୍ରପାଣି |୮୯|

ଗହଳ ଧନ୍ଦୋଳ ସମର କହିତେ କି ପାରି

ପ୍ରଳୟ କାଳେ ଗର୍ଜଇ ଯେହ୍ନେ ସାହେର ଲହରୀ |୯୦|

ଧନୁଶର ସଂହରିଣ ଦେବ ବନମାଳୀ

କୋପେଣ ନାରାୟଣ ଯେ ଗଦା ପରିତାଳି |୯୧|

ୟେକା ପ୍ରହରାଜେ ଯେ ଦଶ ବିଂଶ ତିରିଶ

ତିଳ ମଞ୍ଜିହୁଂ ଗହଳ ଜାଣି ପଡ଼ିଲେ ରାକ୍ଷସ |୯୨|

ଭାଞ୍ଜିଣ ସଇନୀ ଯାଇଂ କହିଲେ କୃତକେଶୀ ଆଗେ

ବହୁତ ସଇନୀ ତୋହୋର ପଡ଼ିଲେ ରଣରଙ୍ଗେ |୯୩|

ସ୍ଵାମୀ ୟେକା ଜଣଂକର ମହିଂମା ନ ଯାଇ କହିଣ

କିରାତ ନୁହଇ ସେ ଅଟଇ ବଡ଼ଜଣ |୯୪|

ଯେତେକ ଶହସ୍ର ଦେବ ପ୍ରହାର କଲୁଂ ତାର କାୟେ

ଶହସ୍ର ନ ଭେଦନ୍ତି ସେ ସାଂଗ୍ରାମେ ନିର୍ଭୟେ |୯୫|

ତୀକ୍ଷ ପ୍ରଶୁ ଗଦା ଯେ ଅମୋହ ଶକତି

ଶରୀରେ ପଡ଼ି ଚୂର ହୋଇଯାନ୍ତି ତାର ରଣେ ନାହିଂ ଭୀତି |୯୬|

ତୁ ହୋ ପରମ ପଣ୍ଡିତ ବିଚାର କର ୟେହା

ସାଂଗ୍ରାମେ ମହାଶୂର ସେ ଅଟଇ ସହସ୍ରବାହା |୯୭|

ଚାରଗଣ ମୁଖରୁ ରାଜା ୟେସନେକ ବଚନ ଶୁଣି

ଆପଣେ ବିଜେ କଲା ଅସୁର କୁଳମଣି |୯୮|

ସଉଦାସର ନନ୍ଦନ ଯେ ଅଟଇ କୃତକେଶୀ

ଅକ୍ଷୟ ବର ପାଇଲା ସେ ନିରଞ୍ଜନ ତୋଷି |୯୯|

ୟେକ ଗୋଟି କାୟା ତାର ସହସ୍ରେକ ଭୁଜ

ପାଞ୍ଚଶତ ଭୁଜେ ଧନୁ ପାଞ୍ଚଶତ ଭୁଜେ ନାରାଜ |୧୦୦|

ମହାମେରୁ ପର୍ବତ ଜାଣି ଦିଶଇ ତାର କାୟେ

କୁନ୍ଦ କ୍ରପୂର ଶରୀର ଧବଳ ସଷ୍ଟିକର ପ୍ରାୟେ |୧୦୧|

ବଇତୁର୍ଯ୍ୟ ପର୍ବତ କି ଆସୁଅଛି ଉଠି

ତୁଲେଣ ମୁକୁଟବନ୍ଧା ଯୋଦ୍ଧା ଅଛନ୍ତି ପାଞ୍ଚକୋଟି |୧୦୨|

ଗିରିମଣ୍ଡଳ ରଥେ ବିଜୟେ କଉଣୋପେ

ନାରାୟଣଂକୁ ଓଗାଳିଲା ସେ ନିଜ ଭୁଜ ଦର୍ପେ |୧୦୩|

ଅସୁର ପ୍ରତାପ ଦେଖିଣ ଜଗନ୍ନାଥେ

ସୁଦ୍ରିଶେଣ ଚକ୍ରକଇଂ ସୁମରିଲେ ତୁରିତେ |୧୦୪|

ସହସ୍ରଧାରା ଶକତି ପ୍ରବେଶ ହୋଇଲା ଶ୍ରୀହାଥେ

ଦେଖିଣ ପଳାଇଲେ ଦୁଷ୍ଟ ଯେ ଦଇତେ |୧୦୫|

ତ୍ରୈଲୋକ୍ୟେ ବିରାଜନ୍ତି ଦେବ ଶ୍ରୀ ପୁରୁଷୋତ୍ତମ

ଅସୁରବଳ ଦେଖି ଉଠିଲେ ସାଂଗ୍ରାମ |୧୦୬|

ଫଣୀବଳ ଦେଖି ଯେହ୍ନେ ଧାମଇଂ ଖଗୟା

ଅନେକ ସାନନ୍ଦ ଦେବ ଉଲସିତ କାୟା |୧୦୭|

କ୍ଷୁଧାର୍ତ୍ତ ପ୍ରାଣୀ ଯେହ୍ନେ ଆହାରେ ତ୍ରିପୁତି

ଅମୃତ ଆପ୍ୟାନେ ଯେସନେ ଶରୀର ହୋୟେ ଶାନ୍ତି |୧୦୮|

ଅସୁରବଳ ଦେଖି ତେସନେ ବାସୁଦେବ

ବିନ୍ଧିଲେ ନାରାଜ ଦେବ ଦ୍ରହଷିତ ଭାବ |୧୦୯|

ସିନ୍ଧୁ ମନ୍ଥନ ଯେହ୍ନେ କରନ୍ତି ୟେକା ବଳୀ

ନିଦାଘବଳ ତେସନେକେ ମନ୍ଥିଲେ ବନମାଳୀ |୧୧୦|

ବେଢିଲେ କଉଣୋପେ ଶତେ ପୁର କରି

ବିନ୍ଧନ୍ତି ଅବିଚ୍ଛନ୍ନେ ନାରାଜ କରେ ଧରି |୧୧୧|

କକଡ଼ା ମାସେ ଯେହ୍ନେ ବରଷନ୍ତି ମହାମେଘ

ନିରନ୍ତରେ ନାରାଜ ବିନ୍ଧନ୍ତି ଦଇତ ନିଦାଘ |୧୧୨|

ଝଲକଇ ନାରାଜ ଯେ ସହସ୍ରକର ଜ୍ୟୋତି

ଆକାଶେଣ ଅଦୃଶ୍ୟ ହୋଇଲେ ଛାୟାପତି |୧୧୩|

ସାଂଗ୍ରାମେ ସ୍ଵାମୀଙ୍କର ବିକାଶୁଅଛି ତେଜ

ଶରୀରେ ପଡ଼ି ସମସ୍ତ ନାରାଜମାନ ହୋଉଛନ୍ତି ଦହିଜ |୧୧୪|

ଲକ୍ଷେକ ନାରାଜ ଯେ ବିନ୍ଧିଲେ ଚକ୍ରପାଣି

ଲକ୍ଷେକ ଦଇତ ଦେବ ପକାଇଲେ ହାଣି |୧୧୫|

ପୁଣିହିଂ ବିନ୍ଧିଲେ ଦେବ କୋଟିୟେକ ଶର

କୋଟିୟେ ଯୋଦ୍ଧା ଯେ ପଡ଼ିଲେ ଅସୁର |୧୧୬|

ମର୍ଭୁତେକ ନାରାଜ ଯେ ବିନ୍ଧିଲେ ଚକ୍ରପାଣି

ମର୍ଭୁତେକ ଯୋଦ୍ଧା ଦେବ ପକାଇଲେ ହାଣି |୧୧୭|

ପଡିଲେ ରାକ୍ଷସବଳ ବେନି ଯୋଜନ ମାଡ଼ି

ପଳାଇଲେ ଦାନବେ ଯେ ଶକଟ ଭୂଅ ଛାଡ଼ି |୧୧୮|

ବେନି ଯୋଜନ ପରିଯନ୍ତେ ରାକ୍ଷସବଳ ଛେଦି

ଶକଟ ଭୂଅ ଭେଦି ପଦ୍ମ ଭୂଅ ଭେଦି |୧୧୯|

ପଞ୍ଚଶତ ଭୁଜେ ଧନୁ ସେ ଯେ ଧରି କୃତକେଶୀ

ଜଗନ୍ନାଥ ସ୍ଵାମୀଙ୍କର ଉପରେ ଶହସ୍ରନ୍ତ ବରଷି |୧୨୦|

ରୋମକେ ନାରାଜେ ମାଇଲେ କଉଣୋପେ

ସମସ୍ତ ଦହିଜ ହୋଇଲା ନାରାୟଣଙ୍କ ଦର୍ପେ |୧୨୧|

ପୁଣିହିଂ ନାରାଜ ପେଷିଲା କୃତକେଶୀ

ଆଦିତ୍ୟ ଅସ୍ତକାଳେ ଯେହ୍ନେ ଜଳଧାରା ବରଷି |୧୨୨|

ଆବର ତୁଲେ ତାର ପଞ୍ଚବିଂଶ ରଥୀ

ଯାବତେ ନାରାଜ ସମସ୍ତେ ବରଷିଲେ ୟେଥି |୧୨୩|

ରଣେ ଅଶାନ୍ତି ଯେବଣ ପୁରୁଷ

ରାକ୍ଷସବଳ ଦେଖି ଦେବ ଅନେକ ହରଷ |୧୨୪|

ମାରନ୍ତେ ନ ସରଇ ସେ ଦୁଷ୍ଟ ଦାନବବଳ

ଭାରାନାଶନ ପୁରୁଷ ସେହି ସେ ନାଶଇ ସକଳ |୧୨୫|

ୟେସନେକ ଯୁଦ୍ଧ ହୁଅନ୍ତେ ଆଦିତ୍ୟ ଅସ୍ତଗଲା

କୁହୁକ ନାରାଜ ଯେ କୃତକେଶୀ ମାଇଲା |୧୨୬|

ଶହସ୍ରହୁଂ ଅନ୍ଧାର ଯେ ରାତ୍ରହିଂ ଅନ୍ଧାର

କୁହୁକ ନାରାଜ ଘାତେ ହୋଇଲା ଅନ୍ଧାର ମହାଘୋର |୧୨୭|

ଅନ୍ଧକାର ଘୋର ଦେଖି ଯେ ଅସୁରେ ଘୋଟିଲେ

ସୁଦ୍ରିଶେଣ ଚକ୍ର ହରି ହାଥରେ ଧଇଲେ |୧୨୮|

ୟେସନେକ ଉଦୟ ହୋଅଇ କମଳବନ୍ଧୁ

ରାକ୍ଷସବଳ ଦିଶଇ ତେସନେକ ଘୋର ସିନ୍ଧୁ |୧୨୯|

କଉମୋଦୀ ଗଦା ଯେ ବୁଲାଇ ବନମାଳୀ

କୃତକେଶୀ ରଥରେ ପ୍ରହାର କଲେ ତୋଳି |୧୩୦|

ବିଶାଶୟେ ହାଥ ଯେବଣ ରଥର ଆୟତନ

ଗଦାର ଘାତେ ଧୃମଖେତ ହୋଇଲା ରଥ ଭଗ୍ନ |୧୩୧|

ଅସୁର ପାଦଗତେ ଧାମଇଂ ଅତି ବେଗେ

ଗଦାବର ପିଟିଲା ନେଇ ଶ୍ରୀ ଜଗନ୍ନାଥଂକର ଅଙ୍ଗେ |୧୩୨|

ଗଦା ପଡ଼ିଲା ଜଗନ୍ନାଥଙ୍କ ହୃଦୟରେ

ପାଞ୍ଚଶତ ଭାର ଗଦା ବାଜି ଚୂର ହୋଇଲା ଶରୀରେ |୧୩୩|

ଦେଖିଣ ଥମ୍ଭୀଭୂତ ଅସୁର କୃତକେଶୀ

କିଛିହିଂ ନ ସ୍ଫୁରଇ ଆତ୍ମାକୁ ନିରାଶି |୧୩୪|

କୋପେଣ କଉମୋଦୀ ଗଦା ନେଇ ପିଟି

ବଜ୍ରଘାତ ଜାଣିଣ ବ୍ରହ୍ମାଣ୍ଡ କମ୍ପିଉଠି |୧୩୫|

ଘାୟେ ଘୁମାଇଲା ସେ ଅସୁର କୃତକେଶୀ ମହାବଳୀ

ପୁଣିହିଂ ଗଦା ପ୍ରହର କଲେ ବନମାଳୀ |୧୩୬|

ଦୁତୀୟ ପ୍ରହାରେ ଅସୁର ଶିର ଭାଞ୍ଜି

ପଡ଼ିଲା ଦୁରାନ୍ତେକ ମେଦିନୀରେ ଗଳଗାଜି |୧୩୭|

ତ୍ରୈଲୋକ୍ୟ କମ୍ପିଲା ସେ ଅସୁର ରଡ଼ିଘାତେ

ଆପଣେ ବଧ କଲେ ସ୍ଵାମୀ ଯେ ଶ୍ରୀହାଥେ |୧୩୮|

କୃତକେଶୀ ପଡ଼ନ୍ତେ ଶବଦେକ ଶୁଭିଲା

ପଦ୍ମନାଳ ଭିତରୁ ବାହାର ହୋଇ ଶତଧନୁ ପଳାଇଲା |୧୩୯|

ରାତ୍ରେଣ ପଳାଇଲା ସେ ନ ଦେଖିଲେ କେହି

ଅସୁର ଯୁଦ୍ଧରେ ଠାବ କରି ନୁଆରିଲେ ସେହି |୧୪୦|

ଭୂଅ ଭେଦି ଅସୁରନ୍ତ ମାଇଲେ ବିକୋତି

ପଡ଼ିଲେ ରଥ ଗଜ ଅଶ୍ଵ ଅସଂଖ୍ୟ ସଇନି ପାଦାନ୍ତି |୧୪୧|

ଗୋଡ଼ାଇଂ ମାରନ୍ତି ଦେବ ଅସୁରବଳ ଖେଦି

ପଳାନ୍ତି ଦାନବେ ଗୋଡ଼ାନ୍ତି ଜଗତ ଅନାଦି |୧୪୨|

ମହାଘୋର ଅନ୍ଧାରେ ଖେଦି ମାରନ୍ତି ଦଇତେ

ନିଶୋଧନ କରି ମାଇଲେ ହରି ପଞ୍ଚ ଯୋଜନ ପରିଯନ୍ତେ |୧୪୩|

ୟେକାଛତ୍ରୀ ଜଣେ ନ ଛାଡ଼ନ୍ତି ପୁଣି

ରୋଧିରେ କର୍ଦନ ହୋଇଲେନି ଦେବ ଚକ୍ର ପାଣି |୧୪୪|

କେଶବାସ ଅସମ୍ଭାଳ ଗଳଇ ତ୍ରିପଣ୍ଡ

ନିଜ ରୂପ ଛାଡ଼ି ହୋଇଲେ କିରାତ ରୂପ ପ୍ରଚଣ୍ଡ |୧୪୫|

ଅସୁର ଧଂସିଣ ଯେ ଦେବକୀର ତନୁ

କର୍ଣ୍ଣାଟ ବନେ ଦେଖିଲେ ପଳାଉଛି ଶତଧନୁ |୧୪୬|

ପଳାଇ ଯାଉଅଛି ସେ ପବନୁଂ ବେଗ ହୋଇ

ଦେଖିଲେ ଜଗନ୍ନାଥେ ଶତେକ ଯୋଜନେ ଥାଇଂ |୧୪୭|

ମଣିଭଦ୍ରା ବୋଲିଣ ୟେକ ନଦୀ ଗୋଟିୟେ

ସେ ନଦୀର ତୀରେ କିରାତ ରୂପ ଧରିଅଛି ଧନୁର୍ଜ୍ଜୟେ |୧୪୮|

ଅତି ଶ୍ରମ ପାଇଣ ପଳାଇ ଶତଧନୁ

ଶରଣ ପଶିଲା ଯାଇଂ ପାଣ୍ଡବ ଅରଜୁନୁ |୧୪୯|

ଭୋ କିରାତ ମୁହିଂ ତୋହୋର ଶରଣ

ଦଶଲକ୍ଷ ମୁଖେ ଭରି ଦନ୍ତରେ ତିରଣ |୧୫୦|

ଶରଣମଚ୍ଛଳ ସେ ପାଣ୍ଡବ କିରୀଟୀ

ମାନ ଉଦ୍ଧାରଣ ସେ କଇଚ୍ଛ ଜଗଜ୍ଜେଠୀ |୧୫୧|

ରହ ରହ ମହାତ୍ମା ତୁ ହୋ ନୁହସି ବିକଳ

ଥାଅ ତୁ ନିଶ୍ଚିନ୍ତ ମନେ କିଛିହିଂ ନ ଭାଳ |୧୫୨|

ଅର୍ଜୁନର ଶରଣ ପଶିଲା ଶତଧନୁ

ଧାତିକାରେ ମିଳିଲେ ଯାଇଂ ଦେବକୀର ତନୁ |୧୫୩|

ଅର୍ଜୁନ ଅଛଇ ଯେ କିରାତ ରୂପ ଧରି

କନ୍ଧ ମହ୍ଲାର ରୂପେ ମିଳିଲେ ଦଇତାରି |୧୫୪|

ବିଶେଷ ବନ ଗହନ ଘୋର ଅନ୍ଧକାର

ମହା ବରଷେଣ ଯେହ୍ମେ ମେଘେ ଦିଶନ୍ତି ଭୟାଙ୍କାର |୧୫୫|

ଆଦିତ୍ୟ ଦେବତା ଯେ ପଚ୍ଛିମ ମେରୁ ଅସ୍ତ

ମଣିଭଦ୍ରା ନାମେ ଯେ ୟେକଇ ପର୍ବତ |୧୫୬|

ସେ ପର୍ବତ ଉପରେ ବିଜୟ ଫାଲଗୁନି

ଉଭା ହୋଇଅଛି ସାଥେ ଶତଧନୁକଇଂ ଘେନି |୧୫୭|

ଶ୍ରୀହରି ବୋଇଲେ ତୁ ଶୁଣସି କିରାତ

ମୋହୋର ବଇରି ୟେ ଅଟଇ ନିରୁତାନ୍ତ |୧୫୮|

ଯୁଗତେ ଅଟଇ ୟେ ମୋ ପିତୃର ବଇରି

ତୁ କିରାତ ମାତ୍ରକ କି ପାରୁ ତାହାକୁ ରକ୍ଷା କରି |୧୫୯|

ମହା ଶ୍ରମେଣ ମୁଂ ହୋଇଅଛି ବଡ଼ ରୋଗୀ

ଜୀବନେ କାର୍ଯ୍ୟ ଥିଲେ ତୁ ୟେହାକୁ ଛାଡ଼ ବେଗି |୧୬୦|

ଅର୍ଜୁନ ବୋଇଲା ରେ ଅଗ୍ୟାନ ଦୁଷ୍ଟ ବାଇ

ସଞ୍ଚୟେ ନାଶ ଯିବୁଟି ମରିବୁ କିସ ପାଇଂ |୧୬୧|

ରାଗ ସଂହର ହୋ ପ୍ରସର ହେଉ ନିଶି

ରୟଣୀ ପ୍ରଭାତେ ହୋ ୟେହା ବିଚାରି କରସି |୧୬୨|

ୟେହୁ ତୋତେ କିସ ଦୋଷୀ ତୁ କିମ୍ପେ ୟେହାକୁ ରାଗି

କାହିଂରେ ନିମନ୍ତେ ୟେହାକୁ ଥାନୁ ପରିତ୍ୟାଗି |୧୬୩|

ନାଶ କରିବି ୟେହାକୁ ଛାଡ଼ ବୋଲନ୍ତି ଦେବ ହରି

ୟେହାର ଯୋଗୁଂ ଅନେକ ହୋଇଲା କ୍ଷୟକାରୀ |୧୬୪|

ଅପାର ଧନ୍ଦି ହୋଇଲେନି ଶତଧନୁର ନିମନ୍ତେ

କୋପଣେ ଅର୍ଜୁନକୁ ପ୍ରହାର କଲେ ଶସ୍ରେ |୧୬୫|

ଅର୍ଜୁନର ଗ୍ୟାନ ନାହିଂ ସେ ଶହସ୍ର ବିନ୍ଧିବେ ବୋଲି

ଧାତିକାର ନାରାଜ ଯେ ଅଇଲା ତହୁଂ ପେଲି |୧୬୬|

ଦିହୁଡ଼ି ତ୍ରାସ ଜାଣି କ୍ଷେପିଲା ଅତି ବେଗେ

ଧାତିକାରେ ପଡ଼ିଲା ଯାଇଂ ପାଥର ବାମ ଅଙ୍ଗେ |୧୬୭|

ରାଗେଣ କେଶବ ଯେ ବିନ୍ଧିଲେ ଅଦ୍ୟାପି

ନାରାଜ ସମ୍ଭାଳି ସେ ରହିଲା ନିକମ୍ପି |୧୬୮|

ଅର୍ଜୁନ ଶରୀରେ ପଡ଼ି ନାରାଜ ହୋଇଲା ବିଘାତ

ବଜ୍ର ଜାଣି ପଡ଼ିଲାକ ପାଥର ହୃଦଗତ |୧୬୯|

ଘାୟେଣ କୋପତେ ହୋଇଲା ସର୍ବସାଚୀ

ଆରେ ଶବରା ଆଜ ନାଶକର ଦିଲା ତୋର ପାଞ୍ଜି ପୋଛି |୧୭୦|

ପୁଣିହିଂ ନାରାଜ ଯେ ପେଷିଲେ ଦଇତାରି

ମେଣ୍ଟିଲା ଫାଲଗୁନି ଗଲାକ ଅପସରି |୧୭୧|

ପୁଣି ନାରାଜେକ ପେଷିଲେ ଅନନ୍ତ

ବଞ୍ଚାଇଲା ଧନୁର୍ଜୟେ ଶର ପଡିଲା ଭୂମିଗତ |୧୭୨|

ବେଳୁଂବେଳ କୋପ ଯେ ବଢିଲା ଫାଲଗୁନି

ବିନ୍ଧିଲା ନାରାଜ ଯେ ତୀକ୍ଷ ମୁନା ଶର ଘେନି |୧୭୩|

ଅର୍ଜୁନ ନାରାଜ ଅଇଲା ଅତି ଖର

ଗର୍ଜିଣ ପଡିଲା ସେ ଜଗନ୍ନାଥଙ୍କ ଉପର |୧୭୪|

ହୃଦରେ ପଡ଼ି ନାରାଜ ଧାତିକାରେ ଫୁଟି

ସାଷ୍ଟାମ ଶରୀର ଶ୍ରୋଣିତ ହୋୟେ ବୃଷ୍ଟି |୧୭୫|

ଘାୟେଣ ଘୁମାଇଲା ଦେବ ଯେ ଅଚ୍ୟୁତ

ବୈଷ୍ଣବ ରୂପେ ଯେ ଦେବ ହୋଇଲେ ସଚେତ |୧୭୬|

ଶାରଙ୍ଗ ଧନୁ ଯେ ସୁମରିଲେ ଗଦାଧାରୀ

ଶ୍ରୀକରେ ପରାପତ ହୋଇଲା ଦେବ ହରି |୧୭୭|

କୋପେଣ ନାରାଜ ପୂରୋଇଲା ଦେବରାଜେ

ଅର୍ଜୁନ ଉପରକୁ ବିନ୍ଧିଲେ ଅତି ତେଜେ |୧୭୮|

ମହାଅନଳ ତେଜ ବିକାଶିଲା ବ୍ରହ୍ମଶର

ପେଷନ୍ତେ ଉଦ୍ଦାନମୟେ ହୋଇଲା ବନସ୍ତର |୧୭୯|

ଯେସନେକ ନିର୍ଘାତ ଖସଇ ଆକାଂଶୁ

ବନ ଭୁବନ କମ୍ପୁଅଛି ମହା ଶହସ୍ର ଆସୁ ଆସୁ |୧୮୦|

ଦେଖିଣ ବିଚାରଇ ବୀର ଫାଲଗୁନି

ସୁରବୋଧନ ଶର ଯେ ମାଇଲା ବୀର ଘେନି |୧୮୧|

କେଶବର ନାରାଜ ଯେ ନିବାରି ପାର୍ଥିବ

ପୁଣ ନିର୍ଘାତ ବାଣେକ ମାଇଲେ ମାଧବ |୧୮୨|

ନାରାଜ ଆସନ୍ତେ ଦେଖିଲେ ସର୍ବସାଚୀ

କୋପେଣ ନାରାଜ ଯେ ବିନ୍ଧିଲା ବଜ୍ରସୂଚୀ |୧୮୩|

ଶରେ ଶରେ ସମ୍ଭାଷଣ ହୁଅନ୍ତି ହରି ଅର୍ଜୁନ ବେନି

ମହାଘୋର ଅନ୍ଧାରେ କେହି କାହାକୁ ନୁଆରନ୍ତି ଚିହ୍ନି |୧୮୪|

ବେନି ଶସ୍ର ବାଜି ହୋଇଲା ପଡ଼ିତାଳ

ରୟଣୀ ଭେଦି ଅରୁଣ ଉଦୟେ ହୋଇଲା ବନମଣ୍ଡଳ |୧୮୫|

ଶହସ୍ରକୁ ଶହସ୍ର ପ୍ରହର କରନ୍ତେ

ପ୍ରଳୟ ମେଘ ଜାଣି ଦିଶିଲେ ଦୁରାପାତେ |୧୮୬|

ପାତାଳ ସର୍ଗେ ଯେ କମ୍ପିଲେ ନାଗଲୋକେ

ଆକାଶେ କମ୍ପିଲେ ସକଳ ବୃନ୍ଦାଅର୍କେ |୧୮୭|

ବଢିଲା ସାଂଗ୍ରାମ ଯେ କୃଷ୍ଣ ଫାଲଗୁନି

ସର୍ଗ ମଞ୍ଚ ପାତାଳ କମ୍ପିଲା ଭୁବନ ତିନି |୧୮୮|

ଶବଦେ ସାଗରେ ହୋଇଲେ କମ୍ପମାନ

ଶୂନ୍ୟ ପୁରୁଷମାନେ ଛାଡ଼ିଲେ ନିଜ ସ୍ତାନ |୧୮୯|

ପର୍ବତାଶରେ ଦେବ ମାଇଲେ କୋପଭରେ

ଶେଣା ପଛୀ ପ୍ରାୟେ ହୋଇ ଗର୍ଜନ୍ତି ପଥରେ |୧୯୦|

ଅର୍ଜୁନ ନିବାରିଲେ ତାହା ବଜ୍ରଶରେ

ଦେଖିଣ ତ୍ରାସ କଲେ ଦେବ ଦାମୋଦରେ |୧୯୧|

ଅଗ୍ନିଶର ଯେ ପେଷନ୍ତି ଦେବ ଘେନି

ସପତ ଲକ୍ଷ ଯୋଜନେ କମ୍ପିଲେ ପଦ୍ମଯୋନି |୧୯୨|

ଦିଗପାଳମାନେ ଛାଡ଼ିଲେ ନିଜ ବାସ

ହରି ଅର୍ଜୁନ ସାଂଗ୍ରାମେ ଦେଖନ୍ତି ରହିଣ ଆକାଶ |୧୯୩|

ଗୋବିନ୍ଦେ ବିନ୍ଧିଲେ ନାରାୟଣା ଶହସ୍ର ଘେନି

ସପତ ବ୍ରହ୍ମାଣ୍ଡ କମ୍ପିଲା ବିଷ୍ଣୁ ତେଜ ଲାଗି ପୁଣି |୧୯୪|

ଅର୍ଜୁନ ସୁମରିଲା ଯେ ଅଗ୍ନିଙ୍କର ମନ୍ତ୍ରେ

ନାରାୟଣ ଶହସ୍ର ପ୍ରାପତ ହୋଇଲା ଆସି ଅର୍ଜୁନର ହାଥେ |୧୯୫|

ଦେଖିଣ ଆଶ୍ରିଜ ହୋଇଲେ ଦେବ ନାରାୟଣ

ରାଗେଣ ଘେନିଲେ ଦେବ ପଶୁପତ୍ର ବାଣ |୧୯୬|

କୋପେଣ ପେଷିଲେ ଦେବ ଯେ ଅନନ୍ତ

ନାରାଜ ଦେଖି ତ୍ରାସିଲେ ତିନି ଯେ ଜଗତ |୧୯୭|

ବଶ୍ୟାନର ମନ୍ତ୍ର ସୁମରିଲେ ବୀର ପାଥ

ଅର୍ଜୁନକୁ ପ୍ରାପତ ହୋଇଲା ରୁଦ୍ର ଶହସ୍ରନ୍ତ |୧୯୮|

କୋପେଣ ପ୍ରଜ୍ଜଳିତ ହୋଇଲେ ସେ ଦେବ ଗୋବିନ୍ଦି

ଧାତିକାରେ ଶ୍ରୀହାଥେ ଘେନିଲେ ନାରାଜ ମନଭେଦୀ |୧୯୯|

ଆଗ୍ୟାଂ ଦିଅନ୍ତି ଦେବ ମନଭେଦୀ ନାରାଜକୁ

ତୁ ହୋ ଯାଇଂ ଶିର ଚ୍ଛେଦନ କର ୟେହି ଶବରାକୁ |୨୦୦|

ଶ୍ରୀଜଗନ୍ନାଥଙ୍କର ଆଗ୍ୟାଂରେ ମନଭେଦୀ ଶର

ଅବିକ୍ଷଣେ ନାରାଜ ଘୋଟିଲା ବନସ୍ତର |୨୦୧|

ସୁମରନ୍ତି ଫାଲଗୁନି ଅଗ୍ନି ଦଇବତ

ମନଭେଦୀ ନାରାଜ ଅର୍ଜୁନକୁ ହୋଇଲା ପରାପତ |୨୦୨|

ନାରାୟଣେ ଦେଖିଣ ଯେ ବିରସଭାବ ମତି

କୋପେଣ ମାଇଲେ ଦେବ ଅମୋହ ଶକତି |୨୦୩|

ବଜ୍ର ଶକତି ଘେନି ମାଇଲେ ଫାଲଗୁନି

ଅମୋହ ଶକତି ଯେ ପକାଇଲା ଛିନି |୨୦୪|

ବ୍ରହ୍ମ ଶକତି ଘେନି ପେଷିଲେ ଅନନ୍ତ

ସୁମରନ୍ତେ ପ୍ରାପତ ହୋୟେ ସେ ଅର୍ଜୁନର ହାଥ |୨୦୫|

ପୁଣି ଗୋବିନ୍ଦ ପେଷିଲେ ଯେ ତ୍ରିଶୂଳ ଶକତି

ସୁମରନ୍ତେ ଅର୍ଜୁନକୁ ହୋଇଲା ପରାପତି |୨୦୬|

ଅର୍ଜୁନ ଡାକ ଦିଲା ପର୍ବତେଣ ଥାଇଂ

ଆରେ କିରାତ ୟେ ଜନ୍ମେ ୟେତେ ବିଦ୍ୟା ପାଇଲୁ ତୁ କାହିଂ |୨୦୭|

ରାଗେଣ ବଦନ୍ତି ଦେବ ଚକ୍ରଧାରୀ

ଆରେ କେବଣ ପାତକେ ତୁ ବନେ ଅଛୁଂ ଅବତରି |୨୦୮|

ଅର୍ଜୁନ ବୋଇଲା ତୁ ମାଇଲୁଂ ଯେତେ ଶହସ୍ର ଘେନି

ସାଧୁ ସାଧୁ ଶବରାରେ ତୋହୋର ପିଅର ଜନନୀ |୨୦୯|

ମୁହିଂ ଛତ୍ରୀ ବୋଲି ତୋହୋର ଶସ୍ର ଦିଲି ମେଣ୍ଟି

ଚିହ୍ନି ନୁଆରଇଂ ନ ଜାଣଇଂ ତୋହୋର ନାମ ଗୋଟି |୨୧୦|

ଅନେକ ଶହସ୍ର ମୋତେ ବିନ୍ଧିଲୁ ରେ ନିନା

ୟେ ମୋହୋର ନାରାଜ ଗୋଟି ତୁ ସମ୍ଭାଳି କିନା |୨୧୧|

ମୋହନାଶର ପାଥ କଲା ସୁମରଣ

ବଶ୍ୟାନର ମନ୍ତ୍ରେଣ ପ୍ରାପତ ହୋଇଲା ତତକ୍ଷଣ |୨୧୨|

ମନବେଦୀ ଶରକୁ ତିଆରଇ ସର୍ବସାଚୀ

ଯେବେ ଅଗ୍ନି ଦେବତା ମୋତେ ଶୁଦ୍ଧମନେ ଦେଇଅଛି |୨୧୩|

ବହୁତ କଟାଳ ମୋତେ କଲାନି ୟେ କିରାତ

ୟେହାକୁ ସାଂଗ୍ରାମେ ଯାଇଂ କର ତୁ ନିବର୍ତ୍ତ |୨୧୪|

ରୋମେ ରୋମେକେ ଭେଦିବୁ ଶତେ ଶର ହୋଇଂ

ପ୍ରାଣେ ନ ମାରିବୁଟି ସେ ପଡ଼ିଥିବ ମୋହ ଯାଇଂ |୨୧୫|

ସାମାନ୍ୟ ଜଣ ସେଟି ନୋହଇ କିରାତ

ରାତ୍ର ପାହିଲେ ଚିହ୍ନିବା କାହାର କୋଳେ ଜାତ |୨୧୬|

ବିଚାରି ପଛେ ଛେଦିବା ତାହାର ଶିର

ମୋହେଣ ପଡ଼ିବ ଯେ ପ୍ରାଣେଣ ନ ମାର |୨୧୭|

ୟେସନେକ ଆଗ୍ୟାଂ ଯହୁଂ ଦିଲେକ ଧନୁର୍ଜୟେ

ଖେପିଲା ନାରାଜ ଯେ ବିଜୁଳି ତେଜ ପ୍ରାୟେ |୨୧୮|

ତ୍ରିପୁତି ମନରେ ଯାହା ଦେଇଛି ବହନି

ଆଗ୍ୟାଂ ଅମେଣ୍ଟିଣ ଯାହା ବୋଲଇ ଫାଲଗୁନି |୨୧୯|

ଯଦ୍ୟପି ସାଂଗ୍ରାମେ ହୋଇବ ହରି ହର ବ୍ରହ୍ମା

ଆପଣେ ଜଗନ୍ନାଥେ ସ୍ରିଜିଛନ୍ତି ଅର୍ଜୁନର ମହିଂମା |୨୨୦|

ଚଳଇ ନାରାଜ ଯେ ବନ ଗହନ ଖେଦି

ଜଗନ୍ନାଥଙ୍କର ଶରୀରେ ଭେଦିଲା ମନଭେଦୀ |୨୨୧|

ଜଗନ୍ନାଥଙ୍କ କରେ ନାହିଂ ଦେବଶର

ଦେଖିଣ ଥମ୍ଭୀଭୂତ ହୋଇଲେ ଦେବ ଚକ୍ରଧର |୨୨୨|

ନାରାଜେ ଯନ୍ତ୍ରିତ ହୋଇଲା ଶ୍ରୀହରିର କାୟେ

ଶରୀରେ ଲମ୍ଵିଲେ ନାରାଜ ଝୀଙ୍କ ପଛୀ ପ୍ରାୟେ |୨୨୩|

ଯେସନେକ ସର୍ପେ ଯେ ପଶନ୍ତି ବିମ୍ଵରେ

ଶୋଣିତ ବୃଷ୍ଟି ଦେବ ହୋଇଲେ ଶରୀରେ |୨୨୪|

ଯେଉଂ ଦେବ ଜଗଭୂତ ପୁରୁଷ ଉତ୍ତମ

ମୋହନାଶରେ ଘାୟେ ହୋଇଲେ ପ୍ରଭୁ ଅସାଷ୍ଟମ |୨୨୫|

ଭୂମିରେ ଲୋଟିଲେ ଦେବ ଜାଣିଣ ଶରଶେଯ୍ୟା

ଅଚେତ ଆତ୍ମା ହୋଇ ପଡ଼ିଲେ ଦେବରାଜା |୨୨୬|

ପର୍ବତ ଉପରୁ ଓହ୍ଲାଇ ଧାମଂଇ ଧନୁର୍ଜୟେ

କେଶବଙ୍କୁ ଆକ୍ରଷିଲା ରାହୁ ତେଜ ପ୍ରାୟେ |୨୨୭|

ନଇଂଣ ବଦନକୁ ଚାହଇଂ ସୁତ କୋନ୍ତୀ

ନିକଳଙ୍କ ବଦନକୁ ପ୍ରାୟେ ଦିଶଇ ବଦନ ଜ୍ୟୋତି |୨୨୮|

ଦେଖିଣ ବିଚାରି ତହିଂ କରଇ ବାସବୀ

କେବଣ ମହାତ୍ମା ତୁ ହୋ ହୋଇଲୁ ପରାଭବି |୨୨୯|

କୋପେଣ ଉଞ୍ଚାଇଂ ଅଛି ବିଜେକର୍ଣ୍ଣକଟାରୀ

ଶ୍ରୀମୁଖ ଦେଖିଣ ଯେ ଅର୍ଜୁନ ପଚାରି |୨୩୦|

କେଉଂଣ ପୁଣ୍ୟବନ୍ତୀ କଲାକ ତୋତେ ଜାତ

ତୋତେ ମାରିବାକୁ ମୋର ନ ବଳଇଂ ସତ |୨୩୧|

କେମନ୍ତେ ମାରିବି ତୋତେ ବିନା ଅପରାଧେ

ନୋହୁନା ବଇରି ମୋହୋର ଅକାରଣେ କଲୁ ଯୁଦ୍ଧେ |୨୩୨|

ଶତଧନୁକୁ ପଚାରଇ ତୁ କାହାର କତି

ୟେହାର ତୋହୋର କିଂପେ ୟେଡ଼େକ ଅପ୍ରୀତି |୨୩୩|

ଶତଧନୁ ବୋଇଲା ତୁ ଶୁଣ ହୋ କିରାତେଶ୍ଵର ରାୟେ

ଶୁଣିମା ସାବଧାନେ ମୋହୋର କଥାୟେ |୨୩୪|

ଦ୍ଵାରକା ଭୁବନେ ଆମ୍ଭେ କଲୁଂ ରତ୍ନ ଚୋରୀ

ସୁମନ୍ତକ ମଣି ନେଲୁଂ ସକ୍ରାଜିତକୁ ମାରି |୨୩୫|

କୃପବ୍ରହ୍ମା ଅନାଦୃଷ୍ଟ ମୁହିଂ ସେ ଶତଧନୁ

ଶକ୍ରାଜିତ ନାଶ ଗୟେ ତିନିଙ୍କର ଗ୍ୟାନୁଂ |୨୩୬|

ଗୋବିନ୍ଦେ ନାଶ କଲେ ତହିଂ ଯେ ଅନାଦୃଷ୍ଟକୁ

ଅକ୍ରୂର ମନ୍ତ୍ରୀ ସମ୍ଭାଳଣା କଲା ମୁକୁ |୨୩୭|

ସମୟେକେ ଉଦିତ ହୋଇଲି ଯହୁଂ ମୁହିଂ

ଚୋର ବାରତା ଡଗରେ କହିଲେ ଯଦୁକୁଳ ସାଇଂ |୨୩୮|

କେହି ରକ୍ଷା କରି ଦେବ ନୁଆରିଲେ ମୋତେ

ତେଣୁ କରି ପଳାଇଲି ଜୀବନ ଆରତେ |୨୩୯|

ମହାକୋପେ ଶ୍ରୀହରି ଗୋଡ଼ାଇଲେ ମୋତେ ମାରି

ମୁହିଂ ପାପିଷ୍ଠ ଯେ ହୋଇଲି ଜଗନ୍ନାଥଙ୍କର ବଇରି |୨୪୦|

ଅପାର ଲୋକଙ୍କ ତହିଂ ମୁହିଂ ପଶିଲି ଶରଣ

ମୋହୋର ରାଗେ ସମସ୍ତ ନାଶିଲେ ନାରାୟଣ |୨୪୧|

ମୁହିଂ ଶରଣ ପଶିଲି କୃତକେଶୀର ତହିଂ

ମୋହୋର ରାଗେ ସମ୍ପଦ ତାହାର ହରିଲେ ଯଦୁସାଇଂ |୨୪୨|

କେହି ଶରଣ ରଖନ୍ତା ନୋହିଲା ଦେବ ମୋତେ

ସୁଫଳ ଜୀବନ ମୋର ଭେଟିଲଇଂ ଦେବ ତୋତେ |୨୪୩|

ୟେ ପୁରୁଷ ଅଟନ୍ତି ପ୍ରତେକ୍ଷ ଜଗନ୍ନାଥ

ସାଧୁ ପୁରୁଷ ତୁହିରେ ଜନ୍ମେଣ କିରାତ |୨୪୪|

ମୁହିଂ କିସ କହିବି ହାଦେ ତୋହୋର ମହିଂମା

କଇଚ୍ଛା ଜଗଜ୍ଜେଠୀ ତୁ ଶରଣ ପଞ୍ଜର ମହାତମା |୨୪୫|

ଶତଧନୁର ବଚନ ଶୁଣିଣ ଫାଲଗୁନି

ଧନି ଶହସ୍ର ପକାଇଂ କେଶବଙ୍କୁ କୋଳେ ଘେନି |୨୪୬|

ମନଭେଦୀ ନାରାଜ କାଢିଲେ ନିଜ ମନ୍ତ୍ରେ

ଚେତନା ବସିଲା ତକ୍ଷଣେ ଜଗନ୍ନାଥେ |୨୪୭|

ଜୀବନ୍ୟାସ ପବନ ପାଇଣ ଯୋଗେଶ୍ଵର

ସାଷ୍ଟାମ ହୋଇ ବିସଲେ ଦେବ ଦାମୋଦର |୨୪୮|

ବେନି ଭୁଜେ ଦାମୋଦରର ଧରିଛନ୍ତି ହାଥ

ଅନେକ ବିନୋୟୀ ହୋଇ ବୋଇଲେ ବୀର ପାଥ |୨୪୯|

ସାଷ୍ଟାମ ହୋଇଣ ବସିଲେ ଦେବରାୟେ

ଶତ ସହସ୍ର ପ୍ରଣପତ୍ୟ ହୋଇଲେ ଧନୁର୍ଜୟେ |୨୫୦|

ଭୋ ସ୍ଵାମୀ ପରମ ସାନନ୍ଦ ପରମ ଯୋଗେଶ୍ଵର

ମୁହିଂ ତୋରେ ଶରଣ ଦେବ ଦୋଷ କ୍ଷମାକର |୨୫୧|

ମୁହିଂ ଯେ ଅଗ୍ୟାନ ଦେବ ମୋହୋର ଗ୍ୟାନ ନାହିଂ

ମହା ନିଶାକାଳେ ଚିହ୍ନି ନୁଆରିଲି ମୁହିଂ |୨୫୨|

ତୁ ଦେବ ସୟଳ ସଂସାର ହିତକାରୀ

ଦାସ ଦୋଷ ଅପ୍ରାଧ କ୍ଷମା କରିବା ଦେବ ହରି |୨୫୩|

ବିଶେଷେ ମାନବ ମୁଂ ମୋହୋର କିସ ବୁଦ୍ଧି

ଭଗତବତ୍ସଳ ଦେବ କରୁଣାବାରିଧି |୨୫୪|

ଧୂଳି ପକାଇଲେ କି ସମୋଦ୍ର ହୋୟେ ପୋତି

ଟେଳା ମାଇଲେ କି ପର୍ବତ କାହିଂ ରାସାଂଗତି |୨୫୫|

ଜଗତ ପ୍ରଭୁ ତୁମେ ଅଟ ପିଣ୍ଡଦାନୀ

ପ୍ରସନ୍ନେ ସଦାନନ୍ଦ ଅଭୟେ ବ୍ରହ୍ମଗ୍ୟାନୀ |୨୫୬|

ପରମ ନିରାକୁଳ ପୁରୁଷ ତୁହି ସେ ଜୀବଦାତା

ସୟଳଧାରଣ ନାଥ ତୁହି ସେ ପିତାମାତା |୨୫୭|

ମାତାପିତା ବନ୍ଧନ ତୁ ଫେରିଲୁ କୁତୂହୋଳେ

ଭାଗ୍ୟବନ୍ତ ପୁରୁଷ ତୁ ସାଧନ ସର୍ବକାଳେ |୨୫୮|

ଅପାର ପର ପୁରୁଷ ତୁହି ସେ ବୁଦ୍ଧି ଦ୍ୟନ୍ତା

ଅଗତି ସଂସାରକୁ ତୁହି ସେ ଗତି ଦାତା |୨୫୯|

ବୁଡ଼ନ୍ତେ ସଚରାଚର ତୁହି ସେ ଉଦ୍ଧରୁ

ମୁକତି ଗତି ନାଥ ତୁହି ସେ କଳ୍ପତରୁ |୨୬୦|

ମୁହିଂ ତୋର ଦାସର ଯେ ଦାସ ଜନ୍ମେ ଜନ୍ମେ

ଶୂଦ୍ରମୁନି ସାରୋଳା ଦାସ ଭଗତି ଶ୍ରୀ ପୁରୁଷୋତ୍ତମେ |୨୬୧|

ଅନେକ ବିନୋୟୀ ହୋଇଣ କିରୀଟୀ

ଶ୍ରୀ ଜଗନ୍ନାଥଙ୍କର ଚରଣ ତଳେ ଲୋଟି |୨୬୨|

ଅର୍ଜୁନ ଅନେକ ହୋଇଲେ ବିନୟେ

ଚେତନା ପାଇଣ ତହିଂ ଉଠି ବସିଲେ ଦେବରାୟେ |୨୬୩|

କେବଣ ମହାତ୍ମା ତୁ କିରାତ ରୂପ ଧରି

ଜଗତ ଉତ୍ତମ ପୁରୁଷ ମୁଂ ତୋତେ ନୋହିଲି ସରି |୨୬୪|

ୟେ ମଞ୍ଚପୁରେ ତୋର ଅସଂଖ୍ୟ ମହିଂମା

ମୋତେ ଜିଣି କରି ରୁହାଇଲୁ ସୀମା |୨୬୫|

ଅର୍ଜୁନ ପୁଚ୍ଛା କଲା ଦ୍ରହଷିତ ଭାବେ

ସ୍ଵାମୀ ମୋତେ ଚିହ୍ନି ନୁଆରିଲ କି ଶ୍ରୀ ବାସୁଦେବେ |୨୬୬|

ମୁହିଂ ତୋହୋର ଦାସର ଦାସ ଭୃତ୍ୟର ଯେ ଭୃତ୍ୟ

ପାଣ୍ଡବ ଅର୍ଜୁନ ମୁହିଂ ତୋହୋର ସଞ୍ଚିତ |୨୬୭ |

ବଦନ୍ତି କେଶବ ତୁହି ସେ ଅଟୁ ଫାଲଗୁନି

ମୁହିଂ ସାଂଗ୍ରାମ କୋପେ ତୋତେ ନିଆରିଲି ଚିହ୍ନି |୨୬୮|

ଧନୁ ଶହସ୍ର ପକାଇ ଉଠିଲେ ଦେବ ହରି

ଶ୍ରୀଭୁଜେ ଅର୍ଜୁନକୁ କୋଳାଗ୍ରତ କରି |୨୬୯|

ବାବୁ ପାଥ ସାଧୁରେ ମହିଂମା ତୋର ଧନି

ଆନରେ ପ୍ରାଭବି ମୁଂ ନୋହିଲି ଫାଲଗୁନି |୨୭୦|

ବାବୁ ଈଶ୍ଵର ଦେବତାନ୍ତ ତୁ ଜିଣିଲୁ କିରାତ ରୂପେ

ଇନ୍ଦ୍ର ଦେବତାନ୍ତ ଜିଣିଲୁ ଅଗ୍ନିଙ୍କର ପ୍ରସ୍ତାପେ |୨୭୧|

ମୁହିଂ ୟେକା ତୋର ତହୁଂ ଥିଲଇଂ ଉବୁରି                                          ୪୮୧

ଲାଘବ ଶରେ ଜିଣିଲୁ ପାଥ ମୋତେ ଧରି |୨୭୨|

ବାବୁ ୟେବେ ସେ ଜାଣିଲି ତୋହୋର ଛତ୍ରୀବୃତ୍ତ

ତ୍ରଇଲୋକ୍ୟ ଜିଣିମାକୁ ତୁହି ସେ ସାମରଥ |୨୭୩|

ତୋହୋର ତୁଲେଣ ଥିଲେ ଉପୁଜିବ ବହୁତ ଯଶ

ତୁହି ସେ ଭାରାଭାର କରିବୁ ଉଶ୍ଵାସ |୨୭୪|

ଆନର ବେଳେ କି ମୋତେ ହୋୟେ ଧଂସି

ୟେ ମୋହୋର ପୁଣ୍ୟ ବୋଲି ବୋଲନ୍ତି ହୃଷୀକେଶି |୨୭୫|

ଆନର ହାଥେ ଯେବେ ଝିଂଘାସି ହୋଅନ୍ତି

ୟେ ମଧ୍ୟସ୍ଵର୍ଗରେ ମୁଂ କିମ୍ପାଇ ରହିଥାନ୍ତି |୨୭୬|

ତୁ ମୋତେ ଜିଣିଲୁ ମୋହୋର କିସ ହାନି

ପ୍ରାଣର ପଞ୍ଚଭୂତ ଆତ୍ମା ଅଟୁ ତୁ ଫାଲଗୁନି |୨୭୭|

ୟେହା କହି ନାରାୟଣ ହରଷ ହୋଇଲେ

ହୃଦପଦ୍ମ ମଧ୍ୟେ ବର ଦେବାକୁ ବିଚାରିଲେ |୨୭୮|

ନାରାୟଣ ବୋଇଲେ ହୋ ଶୁଣ ଧନୁର୍ଜୟେ

ବର ମାଗ ତୁହି ମୋତେ ବାସବର ତନୟେ |୨୭୯|

କରପତ୍ର ଯୋଡ଼ି ବୋଲଇଂ ବାସବର ତନୁ

ସ୍ଵାମୀ ଦୋଷ ଉପେଖିଣ ରଖ ଶତଧନୁଂ |୨୮୦|

ୟେ ମୋହୋର ଶରଣ ପଶିଲା ଜୀବନର ନିମନ୍ତେ

ଶରଣ ରକ୍ଷଣ କର ଆହେ ଜଗନ୍ନାଥେ |୨୮୧|

ଛାଡ଼ିଲେ କୋପ ଦେବ ଅର୍ଜୁନର ବଚନେ

ଅର୍ଜୁନକୁ କୋଳେ ଯେ ଧଇଲେ ଦେବ ଜନାର୍ଦ୍ଦନେ |୨୮୨|

ତୁ ବାବୁ ବନସ୍ତରେ ନ ଥାଅ ରେ ୟେକା

ଆସ ମୋହୋର ସଙ୍ଗେ ଯିବା ହୋ ଦ୍ଵାରିକା |୨୮୩|

ଅର୍ଜୁନ ବୋଇଲା ଦେବ ଶୁଣିମା ଶ୍ରୀବତ୍ସି

ଆବର ବନବାସ ମୋର ୟେକ ବରଷେକ ଅଛି |୨୮୪|

ନିୟମ ଲଘଂନ ମୁଂ କରିବି କେମନ୍ତେ

ତୁମ୍ଭର ପ୍ରସାଦେ ଯେ ବନେ ବିପଦ ନାହିଂ ମୋତେ |୨୮୫|

ଭୋ ସ୍ଵାମୀ କିଞ୍ଚିତ ମାତ୍ରେଣ ମୋତେ ଦୟା କରିଥିବା

ତୁମ୍ଭର ପଦ୍ମପାଦେ ମୋହୋର ଜନ୍ମେ ଜନ୍ମେ ସେବା |୨୮୬|

ଶ୍ରୀ ଜଗନ୍ନାଥେ ବୋଇଲେ ମୋହୋର ଶପଥ

ବନବାସ ସାରି ଦ୍ଵାରିକାକୁ ଯିବୁଟି ମୋର ପ୍ରାଣର ସଂଘାତ |୨୮୭|

ଅର୍ଜୁନ ବୋଇଲେ ସ୍ଵାମୀ ୟେ ମୋହୋର ସତ୍ୟ

ବନବାସ ସାରି ଦ୍ଵାରିକା ଯିବଇଂ ମୁଂ ନିୟତ |୨୮୮|

ଅବଶ୍ୟ ଦ୍ଵାରିକାକୁ ଯିବି ମୁଂ ଶ୍ରୀ ଜଗନ୍ନାଥେ

ଶତଧନୁ ଥାଉ ଦେବ ମୋହୋର ସଂଗତେ |୨୮୯|

ଅର୍ଜୁନକୁ ତିଆରିଣ ଦେବ ଯେ ଅଚ୍ୟୁତ

ଧ୍ୟାୟେଣ ସୁମରିଲେ ନାରାୟଣ ବଇନେତ୍ର |୨୯୦|

ରମ୍ୟକ ଦୀପୁଂ ଆସି ପ୍ରବେଶ ଖଗେଶ୍ଵର

ବିଜୟେ ଶ୍ରୀ ଜଗନ୍ନାଥ ଗରୁଡ଼ ପିଠିର |୨୯୧|

ଶ୍ରୀ ହରି ବୋଇଲେ ତୋର ପୂରୁ ମନୋବାଞ୍ଛା

ଆରୋଗ୍ୟ ବନବାସ ସାର ପୂରୁ ତୋ ମନୀଷା |୨୯୨|

ୟେତେକ ତିଆରି ଚଳିଗଲେ ଜଗବନ୍ଧୁ

ଦ୍ଵାରିକା ବିଜେ କଲେ ସେ ପରମ ସାନନ୍ଦୁଂ |୨୯୩|

ବଳରାମେ ବିଜେ କରିଛନ୍ତି ରୈବତ ପର୍ବତେ

ବସୁଦେବ ନନ୍ଦ ଉପନନ୍ଦ ଉଗ୍ରସେନ ସହିତେ |୨୯୪|

ଗୋବିନ୍ଦେ ବିଜେ କଲେ ବଳରାମଙ୍କ ସନ୍ନିଧାନେ

ପ୍ରଣପତ୍ୟ ହୋଇ ଶୁତିଲେ ପାଦ ତଳେ ଜନାର୍ଦ୍ଦନେ |୨୯୫|

ବଳରାମେ ବୋଇଲେ ତୁ ଅଗ୍ୟାନ ବନମାଳୀ

ପଳାଇଲା ଲୋକକୁ ବହୁତ ନ କଟାଳି |୨୯୬|

ସଞ୍ଚୟେ ପ୍ରମାଦ ଯେବେ ସେ କଲା ଶକ୍ରାଜିତକୁ

କେତେ କାଳ ଧର୍ମ ଦେବତା ସହିବ ତାହାକୁ |୨୯୭|

ଆମ୍ଭର ଶତ୍ରୁନ୍ତ ଦେବ କେ କରି ପାରେ ରକ୍ଷା

ଯାହାର ନିମନ୍ତେ ଆମ୍ଭେ କରିବାକ ରକ୍ଷା |୨୯୮|

ଗୋବିନ୍ଦେ ବୋଇଲେ ସେ ଅନେକ ଦୂର ପଳାଇଲା

ତାହାର ପ୍ରମାଦେ ଅନେକ ଲୋକ ମଲା |୨୯୯|

ତ୍ରେତୟା ଯୁଗର ଦେବ ରାଜା କୃତକେଶୀ

ସଉଦାସ ରାକ୍ଷସର ଅଟଇ ସେ ଶିଷି |୩୦୦|

ତାହାର ତହିଂ ସେ ଶତଧନୁ ଶରଣ ପଶିଲା

ସାତକ୍ଷୌଣୀ ତୁଲେ କୃତକେଶୀ ନାଶଗଲା |୩୦୧|

ପୁଣହିଂ ଅନେକ ଧୂର ପଳାଇଲା ଶତଧନୁ

ଶରଣ ପଶିଲା ଯାଇଂ କୋଇନ୍ତାର ତନୁ |୩୦୨|

ତାହାର ମୋହୋର ହୋଇଲା ଅପାର ସମର

ସେ କିରାତ ରୂପ ମୁଂ ସଭାବେ ବନଚର |୩୦୩|

କେହି କାହାକଇଂ ଯେ ନୁଆରିଲୁ ଚିହ୍ନି

ତାହାର ମୋହୋର ହୋଇଲା ସମର ଅନ୍ୟୋଅନ୍ୟି |୩୦୪|

ଦୁଇ ବନଚରେ କଲୁଂ ଅନେକ ସମର

ସାଂଗ୍ରାମେ ଜିଣିଲା ମୋତେ ପାଣ୍ଡବ ଧନୁର୍ଦ୍ଧର |୩୦୫|

ଅନେକ ପରାଭବ ଦିଲା ଧନୁର୍ଜୟେ

ବୋଲିଣ ହରଷ ହୋଇଲେ ପ୍ରଭୁ ଦେବରାୟେ |୩୦୬|

ବଳରାମେ ବୋଇଲେ ଅନେକ ସାନନ୍ଦ ୟେବେ ହୋଇଲୁ ଆମ୍ଭେ ଶୁଣି

ତୋତେ ଜିଣିମାକୁ ସାମରଥ ପାଣ୍ଡବ ଫାଲଗୁନି |୩୦୭|

ଗୋବିନ୍ଦେ ବୋଇଲେ ସେ କିରାତ ରୂପ ଧରି

ବନେ ଜିଣିଲା ସେ ଯେ ଦେବ ତ୍ରିପୁରାରି |୩୦୮|

ଅକ୍ଷୟ ତ୍ରୋଣ ପାଶୁପତ୍ର ନାରାଜ ବେନି ଶର

ପିନାକୀ ଧନୁ ସହିତେ ତାକୁ ଦିଲେ ଉମା ହର |୩୦୯|

ଅମରେ ଜିଣିଲା ସେ ଦେବ ଆଖଣ୍ଡଳେ

ଅଗ୍ନି ଦେବତାଙ୍କୁ ଦିଲା ଖାଣ୍ଡବ ବନ ବାହୁବଳେ |୩୧୦|

ତ୍ରିପୁତି ହୋଇଲେ ବଶ୍ୟାନର ଦେବତାୟେ

ଅନେକ ଶହସ୍ରମାନ ପ୍ରତିଗ୍ରହେ ଦିୟେ |୩୧୧|

ବଳରାମେ ସାନନ୍ଦ ହୋଇଲେ ଜଗନ୍ନାଥଂକ ବଚନ ଶୁଣି

ଅନେକ ପ୍ରଶଂସା ଅର୍ଜୁନକୁ କରନ୍ତି ହଳପାଣି |୩୧୨|୨୦୬୫ |

 

Unknown

ରୈବତକ ଯଜ୍ଞ ଓ ଗୋସିଂହ ଦୈତ୍ୟ ବଧ

ପର୍ବତ ଉପରେ ରାମକୃଷ୍ଣ ଛନ୍ତି ବସି

ଅତି ପରିମଳ ପର୍ବତ ଦେଖି ବହୁତ ପ୍ରଶଂସି |୧|

ଛଡ଼ ଯୋଜନ ଆୟତନ ଅଟଇ ୟେହୁ ଗିରି

ଦ୍ଵାଦଶ ଯୋଜନ ପୋତା ଉର୍ଚ୍ଛଗ ଯୋଜନ ଚାରି |୨|

ବାସୁଦେବ ବୋଇଲେ ଶୁଣିମା ହଳହସ୍ତ

ୟେହି ମହାଯୁଗେ ଯଗ୍ୟଂ କଲେଟି ରଇବ୍ରତ ନୃପତ୍ୟ |୩|

ସେ ମହାଯଗ୍ୟଂରୁ ଜାତ ହୋଇଲେ ରେବତୀ

ବ୍ରହ୍ମାକଇଂ ଅନକୂଳ ମାଗିଲେ ରଇବ୍ରତ ନୃପତି |୪|

ଧାତାର ହୋଇଅଛି ଉପାକର୍ମ ବେଳ

ରୈବ୍ରତ ପର୍ବତେ ରାଜା ଉଭା ହୋଇଅଛି ଆସ୍ତାନର ତଳ |୫|

କକଡ଼ା ମାସ କୃଷ୍ଣପକ୍ଷ ତିଥି ଯେ ନବମୀ

ଅଶ୍ଵିନୀ ନକ୍ଷତ୍ର ବେଳେ ଉପାକର୍ମ କରନ୍ତି ଦେବସ୍ଵାମୀ |୬|

ଉପାକର୍ମ ଦେବ ସାରି କଲେ ମନ୍ତ୍ରରେ ପବିତ୍ର

କରପତ୍ର ଯୋଡ଼ି ବୋଲଇ ରାଜା ରଇବ୍ରତ |୭|

ସ୍ଵାମୀ ମୁହିଂ ଯଗ୍ୟଂ କଲି ଦେବତାନ୍ତ ବରି

ଦୋହିତା ଗୋଟିୟେ ଜାତ ହୋଇଲା ମୋହୋରି |୮|

ସେ କନ୍ୟା ଗୋଟି ହାଦେ ପ୍ରଦାନ କରିବି କାହାକୁ

ତହିଂକି ଶୁଭ ଅନକୂଳ ଧାତା ଦେବାକ ହାଦେ ମୁକୁ |୯|

ଶୁଣ ହୋ ରଇବ୍ରତ ତୁ ଯାହାକୁ କନ୍ୟା ଦେବୁ

ସେମାନନ୍ତ ଲୋଡ଼ିଲେ ୟେବେ ତୁ କାହୁଂ ଯେ ପାଇବୁ |୧୦|

ସତ୍ୟ ତ୍ରେତୟା ବେନି ଯୁଗ ଗଲାନି ଯେ ବହି

ମଧୁବନ କଟକେ ବଳରାମେ ଛନ୍ତି ରହି |୧୧|

ତାହାନ୍ତ ପ୍ରଦାନ କର ଯା ତୋହୋର କୁମାରୀ

ପନ୍ନଗା ନାରାୟଣ ସେ ପ୍ରତେକ୍ଷ ତହିଂ ଅବତରି |୧୨|

ବ୍ରହ୍ମାଙ୍କର ବଚନେ ଅଇଲା ରଇବ୍ରତ

ତୋଷେ ତୁମ୍ଭନ୍ତ ପ୍ରଦାନ କଲେ ତାହାର ଦୋହିତ |୧୩|

ସ୍ଵାମୀ ଯେତେବେଳେ ତୁମ୍ଭେ ପ୍ରଦାନ ହୋଇଲ ରେବତୀ

ବତିଶଲକ୍ଷ ବରଷ ତୁମ୍ଭ ତହୁଂ ବଡ଼ ବାଳୁତ ଭାବ ମତି |୧୪|

ବଳରାମେ ବୋଇଲେ ଯେ ଉଗ୍ରସେନର ଅଗ୍ରତେ

ଯଗ୍ୟଂ ଯେ କରନ୍ତି ତହିଂର ବିଦାନ କେବଣ କହ ମୋତେ |୧୫|

ଉଗ୍ରସେନ ବୋଇଲା ଦେବ ଋଷିମାନନ୍ତ ବରି

ଯାଗଯଗ୍ୟଂ ସ୍ତାନମାନ ସଂସ୍କାର ଯେ କରି |୧୬|

ଚାରିଉଣା ଲକ୍ଷେ ରାଜା କରିବ ବରଣ

ଅନ୍ନ ବସ୍ର ଦାନ କରୁଥିବ ଅନୁକ୍ଷଣ |୧୭|

ବଳରାମେ ବୋଇଲେ ଯେ ଶୁଣ ହୋ ଅଚ୍ୟୁତ

ଯଗ୍ୟଂ କରିବା ଟିକି ତୁମ୍ଭେ କୁହନି ଚକ୍ରହସ୍ତ |୧୮|

ଗୋବିନ୍ଦେ ବୋଇଲେ ଦେବ ମହାଯଗ୍ୟଂ କଲେ

ଅନେକ ପୁଣ୍ୟ ଉପୁଜଇଟି ଅନ୍ନଛତ୍ର ଦିଲେ |୧୯|

ୟେକ ଜନ୍ମେ ଯଗ୍ୟଂ କଲେ ଶତେ ଜନ୍ମର ପାପମାନ ତୁଟଇ

ଅନେକ ଫଳଶ୍ରୁତି ହୋଅଇ ଅପାଦ କ୍ଷୟ ଯାଇ |୨୦|

ଯଗ୍ୟଂର ମହିଂମା ଦେବ ଅତି ଅସମ୍ଭବ

ଶୁଣିଣ ସାନନ୍ଦ ଯେ ହୋଇଲେ ବଳଦେବ |୨୧|

ବ୍ୟାସନ୍ତ ସୁମରଣା କଲେକ ଜଗନ୍ନାଥେ

ବିଜୟେ କଲେ ବ୍ରହ୍ମବେତ୍ତା ରୈବ୍ରତ ପର୍ବତେ |୨୨|

ବଶିଷ୍ଠେ ବିଜେ କଲେ ଦୁର୍ଭାସା ସହିତେ

ସୁଦେବ ମାରକଣ୍ଡ ମିଳିଲେ ପିତାପୁତ୍ରେ |୨୩|

ବିଭାଣ୍ଡେକ ଭାରଦ୍ଵାଦଶ ସନାତନ ଜୟେମୁନି

କଶ୍ୟପ ଋଷ୍ୟଶୃଂଗ ବିଶ୍ଵାମିତ୍ର ତପୋଧନୀ |୨୪|

ଚ୍ୟବନ ସୁରଥ ଉଦ୍ଦାଳେକ ପ୍ରୋହିତେ

ବାଲମ୍ଵିକ ଗଉତମ ବିଶ୍ରବା ପୌଲସ୍ତ୍ୟେ |୨୫|

ସୁମନ୍ତେକ ସହିତେଣ ସକଳ ମହଋଷି

ବାସୁଦେବ ସୁମରନ୍ତେ ସମସ୍ତେ ପ୍ରବେଶ ଯେ ଆସି |୨୬|

ଚଉଷଠୀ ଶିଷ୍ୟନ୍ତ ଘେନି ଅଇଲେ ଅଙ୍ଗିରା

ୟେତେ ଋଷି ପ୍ରବେଶ ବହୁତ ବାଳଖିଳା |୨୭|

ସମସ୍ତ ଋଷିମାନେ ପ୍ରବେଶ ରଇବ୍ରତ ପର୍ବତେ

ପୂର୍ବରେ ଯଗ୍ୟଂଶାଳ ଅଛଇ ନିର୍ମିତେ |୨୮|

ତହିଂ ଯଗ୍ୟଂ ଆରମ୍ଭ କରନ୍ତି ଋଷିମାନେ

ରାଜାନ୍ତ ନିମନ୍ତ୍ରଣ କରନ୍ତି ଯଗ୍ୟଂ ଅରଚନେ |୨୯|

ଉତ୍ତର ଦକ୍ଷିଣ ପୂର୍ବ ପଛିମ ଦିଗ ଚାରି

ଦୁତ ମାନନ୍ତ ବରଗିଲେ ଦେବ ନିମନ୍ତ୍ରଣ କରି |୩୦|

ଶାମ୍ଵ କୁମରକଇଂ ଆଗ୍ୟାଂ ଦିଲେକ ଶ୍ରୀପତି

ତୁ ବାବୁ ଯାଅରେ ପଛିମ ରାଜାନ୍ତ ନିମନ୍ତ୍ରି |୩୧|

ଗଦକୁମରକଇଂ ବୋଇଲେ ତୁ ଦକ୍ଷିଣ ଦିଗକୁ ଯିବୁ

ରାଜାମାନନ୍ତ ନିମନ୍ତ୍ରଣ କରିଣ ଆଣିମୁଂ |୩୨|

ପଦ୍ମନ କୁମରକୁ ବୋଇଲେ ତୁ ପୂର୍ବ ଦିଗକୁ ଯାଅସି

ରାଜାମାନନ୍ତ ନିମନ୍ତ୍ରଣ କରିଣ ଆଣସି |୩୩|

ସାତୁକୀକି ବୋଇଲେ ତୁ ଉତ୍ତର ଦିଗକଇଂ ଗବନ କର

ରାଜାମାନନ୍ତ ନିମନ୍ତ୍ରି ଘେନି ଆସିବୁ ଧାତିକାର |୩୪|

ରାମକୃଷ୍ଣଙ୍କ ବଚନେ ଚଳିଲେ ଚାରିବୀରେ

ପଶିଲେ ଦିଗମାନଙ୍କରେ ନିମନ୍ତ୍ରିଲେ ନୃପବରେ |୩୫|

ରାମକୃଷ୍ଣଙ୍କ ଯାଗ୍ୟଂ ବୋଲିଣ ଜଣାଇ

ସମସ୍ତ ରାଜାମାନେ ଆସୁଛନ୍ତି ଦଣ୍ଡ ବାହି |୩୬|

ଅନେକ ସନ୍ୟ ସେନା ଘେନିଣ ବହୁତ ନୃପତି

ରଇବ୍ରତ ପର୍ବତେ ଆସି ସମସ୍ତେ ମିଳନ୍ତି |୩୭|

ବସିତେ ଆସନ ଯେ ଦିଅନ୍ତି ଉଗ୍ରସେନ

ଅକ୍ଷତ ତାମ୍ଵୋଳ ଦିଅନ୍ତି ଗନ୍ଧ ଯେ ଚନ୍ଦନ |୩୮|

ପୂଜା ଗଉରୋବ ପାଇ ବସନ୍ତି ରାଜାମାନେ

କେ କହି ପାରିବ ସେ ଯାଗର ବିଧାନେ |୩୯|

ସମସ୍ତ ନୃପତି ଆସନ୍ତି ମହାଯଗ୍ୟଂ ଶୁଣି

ଦେଖିଣ ସାନନ୍ଦ ଯେ ହୋଇଲେ ଚକ୍ରପାଣି |୪୦|

ସହସ୍ରେକ ମର୍ଭୁତ ଯେ ବିଦୁଜନ ସୂପକାର

ରାନ୍ଧଣା ସଞ୍ଚା କରନ୍ତି ଅମୃତ ଯୋଗାଡ଼ର |୪୧|

ଯାଗେ ଯାଗନିକ ଯେ ଦୁର୍ଭାସା ସୁମନ୍ତେକ

ଋଷ୍ୟଶୃଂଗ ମାରକଣ୍ଡ ଆବର ଉଦ୍ଦାଳେକ |୪୨|

ୟେତେ ଋଷି ମେଳେ ମହାଯଗ୍ୟଂ କରି

ବଶ୍ୟାନର ଅଗ୍ନିକି ବରଣ ସିଉକାରୀ |୪୩|

ଇନ୍ଦ୍ର ଦେବତା ଦିଲେ ସୁଧର୍ମା ସଭା ପଠିଆଇ

ଦ୍ଵାଦଶ ଯୋଜନ ଆୟତନ ଅଟଇ ସେହି |୪୪|

ସେ ସଭାରେ ବସିଅଛନ୍ତି ସମସ୍ତ ରାଜାଗଣମାନେ

ହରିଲେ ଦୁଷୁକୃତ ସେ ସଭାର ଦରଶନେ |୪୫|

ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ

ରୈବ୍ରତ ପର୍ବତେ ସମସ୍ତେ ବିଜେ କଲେ ଆସି |୪୬|

ଲକ୍ଷେ ଷାଠିୟେ ସହସ୍ର ଅଶୀୟେ ନନ୍ଦନ

ସମସ୍ତ କୁମର ମାନେ ପ୍ରବେଶ ଯଗ୍ୟଂ ଥାନ |୪୭|

ଦ୍ଵାଦଶ ଯୋଜନ ୟେ ଯେ ସୁଧର୍ମା ସ୍ଥଳୀ

ସମସ୍ତ ଯାଦବେ ସଭାୟେଣ ଯାଇଂ ମିଳି |୪୮|

ୟେସନେକ ସମ୍ପଦ ସେହି ରୈବ୍ରତ ପର୍ବତେ

ଦେଖି କରି ପରମ ସାନନ୍ଦ ହୋଇଲେ ଦେବ ଜଗଭୂତେ |୪୯|

ଅନେକ ଉଚ୍ଛବ କଲେ ସେ ରୈବ୍ରତ ଗିରି

ସମସ୍ତ ଦେଶରୁ ଆସି ପ୍ରବେଶ ହୋଇଲେ ଦଣ୍ଡାଧାରୀ |୫୦|

ସାତୁକୀ ପ୍ରବେଶ ହେଲେ ଯାଇଂ ଉତ୍ତର ଦିଗେ

ରାଜାମାନନ୍ତ ନିମନ୍ତ୍ରଣ କରଇ ମଧ୍ୟସ୍ଵର୍ଗେ |୫୧|

ନାରାୟଣଙ୍କ ନିମନ୍ତ୍ରଣ ସେ ମହାଯଗ୍ୟଂ ପୁଣି

ସମସ୍ତ ଦେଶରେ ଯେ ଆସନ୍ତି ନୃପମଣି |୫୨|

ରଥ ଗଜ ଅଶ୍ଵ ଅନେକ ପାଦାନ୍ତି

ସମ୍ଭରେ ମିଳନ୍ତି ଆସି ସମସ୍ତ ନୃପତି |୫୩|

ବ୍ରହ୍ମ କ୍ଷତ୍ରୀ ବଶ୍ୟ ଶୂଦ୍ର ଦଇତ ଦାନବ ପିଶାଚ ରାକ୍ଷସ

ଆନେକ ଦେଶର ରାଜାମାନେ ଆସି ହୋଇଲେ ପ୍ରବେଶ |୫୪|

ଦଶଲକ୍ଷ ବ୍ରାହ୍ମଣ ଯେ ଦିଅନ୍ତି ଆହୂତି

ହବିର୍ଭାଗେ ତୋଷ କରନ୍ତି ଯଗ୍ୟେଂ ଅପାଦ କ୍ଳେଶ ଶାନ୍ତି |୫୫|

ବହୁତ ସମ୍ପଦ ହାଦେ କହିତ କି ପାରି

ୟେ ବିଧି ବିଜେ କରି ଆସନ୍ତି ସକଳ ଦଣ୍ଡଧାରୀ |୫୬|

ସାତୁକୀ ଯେ ରାଜାମାନନ୍ତ ଗଲାକ ନିମନ୍ତ୍ରି

ଅନେକ ଦେଶ ଭ୍ରମି ଅନେକ ନିମନ୍ତ୍ରିଲା ନୃପତି |୫୭|

ଚାଳିଶ ସହସ୍ର ରାଜା ନିମନ୍ତ୍ରଣ କଲା

ଅନେକ ଭ୍ରମିଣ ଜେନାବଳୀ ନଗ୍ରରେ ମିଳିଲା |୫୮|

କୋଇଲା ବତୀ ପାଟଣାରେ ସେ ହୋଇଲା ପ୍ରବେଶ

ସୁବର୍ଣ୍ଣମୟ ଭୁବନ ଦେଖି ମନରେ ହରଷ |୫୯|

କପିଳସିଂହ ରାକ୍ଷସ ତନୟେ ମହୀସିଂହ ରାକ୍ଷସା

ୟେହାର ନନ୍ଦନ ଯେ ହୋଇଲା ମୟେଂଷା |୬୦|

ମୟେଂଷାର ନନ୍ଦନ ଯେ ବୀର ସିଂହ ବୀର

ବଜ୍ର ସିଂହ ବୋଲି ପୁତ୍ରେ ହୋଇଲା ତାହାର |୬୧|

ବଜ୍ରସିଂହର ନନ୍ଦନ ଗୋସିଂହ ବୋଲି ଜାତ

ମନୁଷ୍ୟ ଶରୀରେ ତାର ଗୋମୁଣ୍ଡ ସଂଜାତ |୬୨|

ପ୍ରତାପୀ ଦାନବ ସେ ମୟେଂଷାସୁର ବଂଶ

ଜେନାବଳୀ ନଗ୍ରେ ରାଜ୍ୟ କରଇ ସେ ରାକ୍ଷସ |୬୩|

ତପେଣ ତୋଷିଲା ସେ ଦେବ ଯେ ବିରଞ୍ଚି

ତ୍ରୈଲୋକ୍ୟେ ଅବଧ୍ୟ ହୋଇବ ବୋଲି ବରବାଞ୍ଛି |୬୪|

ଚଉରାଶୀ କ୍ଷଉଣୀବଳ ତାହାକୁ ଖଟଇ

କପିଳସିଂହର ବଂଶ ସେ ପ୍ରତାପୀ ଅଟଇ |୬୫|

କଣୟମୟ ପରିମଳ ଭୁବନ ତାର ଦେଖି

ଅଶ୍ଵେକ ଚଢିଣ ତହିଂ ପ୍ରବେଶ ସାତୁକୀ |୬୬|

ଅସୁର ଭୁବନ ବୋଲି ନ ଜାଣଇଂ ବୀର

ମାଧବି ପ୍ରବେଶ ଯାଇଂ ତାହାର ସିଘଂଦ୍ଵାର |୬୭|

ଲୋହାସୁର ସିଂହନାଦ ବୋଲି ତାର ଦ୍ଵାରପାଳ ବେନି

ଦ୍ଵାର ଜଗିଛନ୍ତି ସହସ୍ରେ ଭାର ଲୋହାର ଗଦା ଘେନି |୬୮|

ମହା ବଳବନ୍ତା ସେ ଦାନବ ବୀର ବେନି

ସାତୁକୀକି ଓଗାଳିଲେ କରେ ଗଦା ଘେନି |୬୯|

କାହିଂର ମାନବ ତୁ ରେ କାହିଂରେ ୟେତେ ଭରସୁ

ୟେଡ଼େକ ସାହସ ତୋର ଅସୁର ପୁରେ ପଶୁ |୭୦|

ସିଂହନାଦ ବୋଇଲା ରେ ଅଇଲୁ ଭଲ କଲୁ

ଯତନେ ଯାହା ଲୋଡୁଂ ଆସି ପ୍ରବେଶ ହୋଇଲୁ |୭୧|

ନର ବାନର ଜନ୍ତୁ ଆମ୍ଭର ଅଟଇଟି ଭକ୍ଷ

ହୋଇବୁ ପାଚଲ ରେ ଆଜ ପାଇବୁ ବଡ ସୁଖ |୭୨|

ଦ୍ରହସିତ ବଚନେ ଅନେକ ହାସ୍ୟବଳୀ

ଗଦାନ୍ତ ଥୋଇ ତଳେ ଘେନିଲେ ତ୍ରିଶୂଳୀ |୭୩|

ଆକ୍ରୋଶି ଲୋହାସୁର ଧଇଲା ତାର ଶିଖା

ଦେଖିଣ ସାତୁକୀ ଯେ ହୋଇଲା ତାଟକା |୭୪|

ଭୟେଣ ସାତୁକୀ ଯେ ନୁଆରଇ କିଛି ବୋଲି

ମୁହିଂ ହୋ ତୁମ୍ଭନ୍ତ ନିମନ୍ତ୍ରଣ କରି ଯେ ଅଇଲି |୭୫|

ରାଜାଙ୍କୁ ଛାମୁରେ ଦ୍ରଶନ କରାଅ ମୋତେ ନେଇଂ

ପଛେଣ ଭକ୍ଷେ ମୋତେ ମୁଂ ଯିବଇଂ ଆର କହିଂ |୭୬|

ମୁହିଂକିଂ ନ ଜାଣଇ ରାକ୍ଷସ ଭୁବନ ବୋଲି

ନିମନ୍ତ୍ରଣେ ନିମନ୍ତେ ମୁଂ ଯତନେ ଅଇଲି |୭୭|

ଦୂତକାର ବୋଲି ଦୟା କଲେ କଉଣୋପେ

ଦ୍ରଶନ କରାଇଲେ ନେଇ ରାଜାର ସମୀପେ |୭୮|

ଜଗତୀ ଉପରେ ବସିଛି ଗୋସିଂହ ଦତ୍ୟପତି

ତଳେ ପଟୋୟାର ଅଛନ୍ତି ଅଶୀ ସହସ୍ର ସେନାପତି |୭୯|

ଆକାଶ ମଣ୍ଡଳେ ମଥା ଲାଗିଅଛି ରାକ୍ଷସର

ଦେଖିଣ ଉଡ଼ିଲେ ଯେ ସାହାସ ସାତୁକୀର |୮୦|

ମୁହିଂ କିମ୍ପେ ୟେଥକଇଂ ଅଇଲି ନ ଜାଣି

ୟେ ସଂକଟୁ ମାତେ ପାରିକର ଦେବ ଚକ୍ରପାଣି |୮୧|

ଲୋହାସୁର ବୋଇଲା ଯେ ଶୁଣିମା ଦେବାନ୍ତକ

ସାବଧାନେ ଦେବ ଶୁଣିମା କଥାୟେକ |୮୨|

ଅସୁର ବୋଇଲା ଆଜ ମୁଣୋହିକି ହୋଇଲା କି ବଳି

ଭଲ ଭୋଜନ ଆଜ ଯେ ହୋଇବ ରସକେଳି |୮୩|

କେ ବୋଲଇ ୟେହାକଇଂ ଭଲକରି ଛଉର

ଚାରିପତ୍ର କରି ୟେହାକୁ ଭିନ୍ନେ ଭିନ୍ନେ ରାନ୍ଧଣା କର |୮୪|

ଗୋସିଂହ ପଚାରଇ କେବଣ ତୋହୋର କାର୍ଯ୍ୟ

କେବଣ କାରଣେ ଅଇଲୁ କହନି ସତ୍ୟ ଆଜ |୮୫|

ସାତୁକୀ ବୋଇଲେ ଦେବ ଶୁଣିମା ସାବଧାନେ

ମଧୁବନ ନୃପତି ସେ ଅଟଇ ଉଗ୍ରସେନେ |୮୬|

ସେ ଦେବ ଯାଗ କରିଅଛି ରୈବ୍ରତ ପର୍ବତେ

ରାଜାଗଣମାନେ ଚଳିଗଲେଣି ସମସ୍ତେ |୮୭|

ଋଷିଗଣ ମିଳି ସମସ୍ତ ଯାଗ କରି

ମୁହିଂ ଅଇଲି ଉତ୍ତର ଦିଗ ରାଜାମାନନ୍ତ ନିମନ୍ତ୍ରଣ କରି |୮୮|

ନିମନ୍ତ୍ରଣ ଯୋଗାଡ଼ ଯେ ଆଗରେ ଥୋଇଲା

ଉଭା ହୋଇଣ ସେ ଯେ ବଚନ ବୋଇଲା |୮୯|

ସକଳ ସନ୍ୟମାନନ୍ତ ଘେନିଣ ତୁମ୍ଭର

ଯାଗଠାକୁ ଯିବ ତୁମ୍ଭେ ନିମନ୍ତ୍ରଣ ବେଭାର |୯୦|

ଗୋସିଂହ ବୋଇଲା ରେ ଛାଡ଼ ଛାଡ଼ ୟେହାକୁ

ୟେ ଯେବେ ଅଇଲା ରେ ନିମନ୍ତ୍ରଣ କରିବାକୁ |୯୧|

ଋଷି ବିପ୍ର ତପୋଧନ ବହୁତ ଅଛନ୍ତି ତହିଂ ମିଳି

ସୁଖେ ଭକ୍ଷିବା ତହିଂ ରେ କରିଣ ପୋଡ଼ା ବଳି |୯୨|

ନରଜନ୍ତୁ ଭୋଜନ ଅନେକ ତହିଂ ଅଛି

ସୁଖେଣ ଭକ୍ଷିବାରେ ତହିଂ ଭଲ ଭଲ ବାଛି |୯୩|

ସାତୁକୀକି ତହିଂ କଲେ ଅନେକ ଗଉରୋବ

ଅନେକ ଅଳଙ୍କାର ଦେଇ କଲେ ପ୍ରିୟଭାବ |୯୪|

ସାତୁକୀ ବୋଇଲା ମୁଂ ଜୀର୍ଣ୍ଣକୂପେ ପଡ଼ିଥିଲି

ଧର୍ମ ଉଦିତ ହୋଇଲା ଉପାୟେ ତରିଲି |୯୫|

ସାତୁକୀକି ଦିଲେ ଯେ ବିବାନ ଗୋଟିୟେ

ସେ ବିବାନ ଦିଶଇ ହେମଝଳି ଆଦିତ୍ୟ ତେଜ ପ୍ରାୟେ |୯୬|

ସେ ବିବାନ ଉପରେ ବସିଲା ମାଧବି

ଦଣ୍ଡ ସାଜ ଦଣ୍ଡ ସାଜ ବୋଲି ଶୁଭିଲା ଘୋର ବୋବି |୯୭|

ଟମକ ନିଶାଣ ଦାଉଣ୍ଡି ବିଜିଘୋଷ

ବୀରତୂର ଶବଦେ କମ୍ପଇ ଆକାଶ |୯୮|

ଓଟ ଗଧ ଗଜ ବାଘ୍ର ଯେ ଶାର୍ଦ୍ଦୋଳ

ଚଳଇ ରାକ୍ଷସ ଘେନି ଅମନାତ୍ୟ ସଇନି ସକଳ |୯୯|

ଗଦା ମୁଦୁଗର କାତି ଛେଲ ଚକ୍ର କୋଠାର ଭୂଷଣ୍ଡି

ସୁବର୍ଣ୍ଣ ପ୍ରବାଳ କରିଣ ସକଳ ରଥ ମଣ୍ଡି |୧୦୦|

ଲକ୍ଷେ ସାଗର ରଥ ସହସ୍ରେକ ପରାୟୁଧ ହୟେ

ବେନିଲକ୍ଷ ଶାର୍ଦ୍ଦୋଳ ପବନୁଂ ବେଗେ ଆୟେ |୧୦୧|

ଅଶୀ ପରାୟୁଧ ଆରୋହିଲେ ବ୍ରାଘ ଯେ ବାହାନ

ଓଟ ପିଠିରେ ଚଢିଲେ ସତୁରିବୃନ୍ଦ ସନ୍ୟ |୧୦୨|

ଗଧ ବାହାନରେ ପଞ୍ଚାଶ ପଦ୍ମ ଚଳି

ବଳେୟା ବାହାନେ ତେର ମେବଚ୍ଛ ମହାବଳୀ |୧୦୩|

ବିରାଡ଼ି ବାହାନେ ଯେ ନବପଦ୍ମ ସେନା

ଶୟମ୍ଵର ବାହାନେ ଯେ ନବଲକ୍ଷ ଜେନା |୧୦୪|

ଘୁଷୁରି ବାହାନେ ଚଳନ୍ତି ବାର ମର୍ଭୁତ ଅସୁର

ଶ୍ରିକାଳ ବାହାନରେ ଚଳନ୍ତି ଅଠର ଲକ୍ଷ ବୀର |୧୦୫|

ଗଦା ମୁଦୁଗର ଯେ କୋନ୍ତ ଖଡ଼ଗ ଯାଠି

ଭୂଷଣ୍ଡି ତ୍ରିଶୂଳ ଶକତି କୋନ୍ତ ଋଷ୍ଟି |୧୦୬|

ଅଜଙ୍ଗ କୋଦଣ୍ଡ ଧନୁ କମାୟେଣ କରେଣ

ଲୁହାର ଲକ୍ଷେ ଲକ୍ଷେ ନାରାଜ ତ୍ରୋଣଙ୍କ ଭିତରେଣ |୧୦୭|

ଧନୁ ମାସ ଶୁକ୍ଳପକ୍ଷ ଚଉଠୀ ତିଥି ଗୁରୁବାର

ଶତଭିଷା ଋକ୍ଷ କୁମ୍ଭେ ଅଛି ଶଶଧର |୧୦୮|

ତୈତଳ ନାମେ କରଣ ଯେ ବିଷ୍ଟିନାମେ ଯୋଗ

ମକର ସଂକରାନ୍ତି ଯେ ଚାରି ଦିନ ଭୋଗ |୧୦୯|

ଗୋସିଂହ ଦଇତର ଅଶ୍ଲେଷା କକଡ଼ା ରାଶି

ଅଶ୍ଲେଷା କକଡ଼ାରେ ଶନିଚର ଅଛନ୍ତି |୧୧୦|

ବୃହସ୍ପତି ଅଷ୍ଟମେ ଚତୁର୍ଥରେ ରାହୁ

ସପତମେ ଆଦିତ୍ୟ ଯେ ପୟାଣ କଲା ସେହୁ |୧୧୧|

ଆଗେଣ ବାଟ ଯେ କଢାଇଲା ମାଧବି

ଧାମନ୍ତି ଅସୁରେ ଯେ ପାଡ଼ନ୍ତି ଘୋର ବୋବି |୧୧୨|

ପ୍ରଳୟ କାଳେ ଯେହ୍ନେ ଆସଇ ସିନ୍ଧୁ ଘୋଟି

ସେହିମତି ଚଳନ୍ତି ଅସରୁ ଥାଠ ଗୋଟି |୧୧୩|

ସାତୁକୀ ବିଚାରଇ ମୁଂ ମନ୍ଦକୃତ୍ୟ କଲି

ୟେ ନିଦାଘ ଭୁବନକୁ ମୁଂ କିମ୍ପାଇ ଅଇଲି |୧୧୪|

ଡରେ ନିମନ୍ତ୍ରିଲି ମୁହିଂ ପ୍ରାଣର ନିମନ୍ତେ

ନ ପୁଣ କୋପ ମୋତେ କରନ୍ତି ହଳହସ୍ତେ |୧୧୫|

ପଛେଣ ଅସୁରବଳ ସାତୁକୀ କଢାଇ ଆଗେ

ଅସୁରବଳ ଛାଡିଯାଇଂ ଲୋଡ଼ଇ ସେ ବେଗେ |୧୧୬|

ଧାମନ୍ତି ଅସୁରବଳ ଅନେକ ଧୂର କ୍ଷେପି

ଯେସନେକ ବନଚରେ ଖେଦନ୍ତି ପାରିଧିକି |୧୧୭|

ଗୋରୁ ମଣିଷ ଶୂକର ମେଷ ଯେ ଛାଗଳ

ଧରିଣ ଅନେକ ଗିଳନ୍ତି ମଦିରା ପାନେ ଭୋଳ |୧୧୮|

ଗୋସିଂହ ପୟାଣ ଦେଖି ପଳାଇଲେ ଅନେକ ଦେଶ

ନଗ୍ରନ୍ତ ଛାଡ଼ି ବନେ ପଶିଲେ ବନବାସ |୧୧୯|

ଅନେକ ଦେଶ ଦତ୍ୟେ ତହିଂ ଭଗନସ୍ତ କରି

ଖାଉଛନ୍ତି ପୋଡ଼ି ବାଳ ପୁଅନ୍ତ ଆଦି କରି |୧୨୦|

ସର୍ବଭକ୍ଷ ଦେଖି ତାଙ୍କୁ ସାତୁକୀ ଆଶ୍ରିଜ

ୟେ ଦୁଷ୍ଟାନ୍ତ ପ୍ରହର ଯେ କରନ୍ତୁ ଦେବରାଜ |୧୨୧|

ୟେ ଦୁରାନ୍ତକ ଭାରା ନିବାରିବା ନିମନ୍ତେ

ଦେବତାମାନେ ଅବା ମୋତେ ପେଷିଲେ ଗୁପତେ |୧୨୨|

ରହିଲେ କଉଣୋପେ ମଧୁବନ ମାଡ଼ି

ରାତ୍ରେ ସାତୁକୀ ଗଲା ନିଦାଘବଳ ଛାଡ଼ି |୧୨୩|

ବେଗେଣ ଗମଇଂ ବୀର ଗଗନ ମଣ୍ଡଳେ

ଅସୁରେ ଲାଗିଛନ୍ତି ମଦିରା ରସ ଭୋଳେ |୧୨୪|

କଡ଼ା ମର୍ଦ୍ଦଳ ସେ ବଜାନ୍ତି ଦାଉଣ୍ଡି ଘୁମୁରା

ମତୁଆଳ ଖେଳେ ଯେ ନାଚନ୍ତି ମହାବୀରା |୧୨୫|

ରାତ୍ର ଯେ ସାତୁକୀ ଗଲା ବେଗ ବେଗ ହୋଇ

ରୈବ୍ରତ ପର୍ବତେ ପ୍ରବେଶ ହେଲା ଯାଇଂ |୧୨୬|

ମହାଯାଗ୍ୟଂ ଠାବେ ବିଜୟେ ଯେ ବାସୁଦେବ

ଆସ୍ତାନ ଉପରେ ବିଜେ କରିଛନ୍ତି ବଳଦେବ |୧୨୭|

ଆସ୍ତାନର ତଳେ ଯେ ପ୍ରବେଶ ସାତୁକୀ

କେଶବ ସାନନ୍ଦ ହୋଇଲେ ଭ୍ରାତାକଇଂ ଦେଖି |୧୨୮|

ସାତୁକୀ ବୋଇଲା ଦେବ ଶୁଣିମା ଶ୍ରୀବତ୍ସି

ମୟେଂଷାସୁର ନାତି ଗୋସିଂହ ଆସୁଅଛି |୧୨୯|

ମାଧବି ବଚନେ ଯେ ଶୁଣି ଦେବ ହଳସାଇଂ

ଆସ୍ତାନୁଂ ଡେଇଂ ପଡିଲେ ହଳ ମୂଷଳ ବୁଲାଇଂ |୧୩୦|

ରେ ରେ କାର ଶବଦ କରିଣ ବଳେବର

ଚାଲନ୍ତି ମହାମତ୍ତ ମଦନ ସୁନ୍ଦର |୧୩୧|

ଗୋବିନ୍ଦେ ବୋଇଲେ ଦେବ ସଂହରଣ କର କୋପ

ପିତା ପ୍ରସନ୍ନ ହୋଇ ବର ଦେଇଛନ୍ତି ଅନିର୍ଯାପ |୧୩୨|

ପୁରୁଷେ ବଧ ଯେ ନୋହଇ ତାର ବଂଶ

ଯୁଗ ଅନ୍ତେ କଳପି ସେ ଅଟଇ ରାକ୍ଷସ |୧୩୩|

ବଳରାମେ ବୋଇଲେ ତୁ କହିଲୁ ୟେମନ୍ତ

ୟେହିକ୍ଷଣି ନାଶ କରିବେ ସେ ରାଜାମାନନ୍ତ |୧୩୪|

ନରଜନ୍ତୁ ସଇନି ୟେହିକ୍ଷଣି ହୋଇବେ ଧଂସି

ବିଚାରନ୍ତେ ଆମ୍ଭେ ତ ହୋଇଲୁ ଅବିଶ୍ଵାସୀ |୧୩୫|

ଆହୋ ଭଲା ଯଗ୍ୟଂ କଲୁଂ ଆମ୍ଭେ ଧର୍ମ କାମ ଅର୍ଥେ

ପାପେ ଦୂଷିତ ହୋଇଲୁଂ ଆମ୍ଭେ ଅନମିତେ |୧୩୬|

କେମନ୍ତେ ଅସୁର ଭୟରୁ ଆମ୍ଭେ କରିବାକ ରକ୍ଷା

ଯେମନ୍ତେ ୟେ ମହାସଭା ନୋହଇ ଉପେକ୍ଷା |୧୩୭|

ସେ ମହା ସଭାରଣେ ଫୁଟି ଯହୁଂ ହୋଇଲା ବାରତା

ଲାଗିଲାକ ତ୍ରାସ ରାଜାନ୍ତ ମହାଭୟେ ଚିନ୍ତା |୧୩୮|

ମହାଗୋଳ ବାଜିଲା ଯେ ସଭାର ଭିତରେ

କମ୍ପିଲେ ରାଜାମାନେ ନ ରହି ସଭାରେ |୧୩୯|

ଉଗ୍ରସେନ ବସୁନନ୍ଦ ନନ୍ଦ ଉପନନ୍ଦ

ବୋଇଲେ ବାବୁ ଗୋସିଂହ ବାହିଲା ୟେଠାକୁ ଘେନି ଅସୁରବୃନ୍ଦ |୧୪୦|

ୟେବେ ୟେଥେଂ ବାବୁ ଆମ୍ଭେ ରକ୍ଷା ହୋଇ ନୁଆରିବା

ପୁତ୍ରବନ୍ଧୁ ଘେନି ଚାଲ ଦ୍ଵାରିକାକୁ ଯିବା |୧୪୧|

ପୁତ୍ରବଧୂ ସ୍ତିରୀ ଜନ ଆବର ଦୋହିତା ଆଦି କରି

ଯାତ୍ରା ନିମନ୍ତ୍ରଣେ ୟେଥେଂ ସମସ୍ତେ ଛନ୍ତି ପୂରି |୧୪୨|

ୟେବେ କି ବୁଧି କରିବା ବିଚାର କର କାମପାଳ

ପଳାଇ ନୁଆରିବଟି ମହା କଟାଳର ବେଳ |୧୪୩|

ପିତାର ବଚନେ ଯେ ବୋଲନ୍ତି ହଳପାଣି

ଚଳିଯାଅ ଦ୍ଵାରିକାକୁ ତୁମ୍ଭେ ବାଳ ବୃଦ୍ଧ ତରୁଣୀ |୧୪୪|

ଗୋବିନ୍ଦେ ବୋଇଲେ ଦେବ ଛାଡ଼ିଲେ ୟେହାନ୍ତ

ସଭାର ମୁରାଟ ଦେବ ଭାଞ୍ଜିଯିବଟି ସମସ୍ତ |୧୪୫|

ଋଷିମାନେ ଶୁଣି ଆଶ୍ରିଜ ହୋଇଲେ

ଯାଗ ଛାଡ଼ି ବଳରାମ ସନ୍ନିଧେ ମିଳିଲେ |୧୪୬|

ଜୟ ତୁ କାମପାଳ ସୟଳ ଜନ ଚିନ୍ତାମଣି

ଗୋସିଂହ ଭୟେ ଆମ୍ଭେ କିସ କରିବୁଟି ପୁଣି |୧୪୭|

ଭୋ ହଳପାଣି ଦୁର୍ଭାର କଉଣୋପେ ଅଟଇ ମନ୍ଦ ମହାପାପୀ

ଋଷି ବିପ୍ର ତପୋଧନ ଧର୍ମ ଯେ ନ ଥାପି |୧୪୮|

ୟେ ମହା ସଭାଟି ଦେବ ହୋଇଲା ନିରଖେ

ଗୋ ବ୍ରାହ୍ମଣ ଆଦି କରି ଅସୁରେ କରିବେ ସବୁ ଭକ୍ଷ |୧୪୯|

ତପୀ ମାଂସ ବୋଇଲେ ଅଧିକେ ହୋନ୍ତି ଖର

କରନ୍ତି ପୋଡ଼ାବଳି ଯେ ମଦିରା ସଙ୍ଗତର |୧୫୦|

ଦେବ ମାନବେ ସେ ଅସୁରେ ନିର୍ଭୟେ

ଶହସ୍ର – ଘାତ ଭେଦ ନୋହଇ ଅସୁରଙ୍କର କାୟେ |୧୫୧|

ପଳାନ୍ତି ସମସ୍ତେ କେହି ନ ରହନ୍ତି ୟେଥ

ୟେ ମହାଯୋଗ ତୋତେ ନୋହିଲା ପରାପତ |୧୫୨|

ନିର୍ଭୟେ ସେ ଆମ୍ଭେ ଯେ ପାରୁ ମନ୍ତ୍ର ପଢି

ମନ୍ତ୍ରହିଂ ଭ୍ରଷ୍ଟ ହୋଇଲାନି ଦାନବନ୍ତ ଭୟେ କରି |୧୫୩|

ବଳରାମେ ବୋଇଲେ ତୁମ୍ଭେ ନ କର କେହି ମନେ ଚିନ୍ତା

ୟେ ଦାନବର ଭୟରୁ ମୁହିଂ ସେ ଉଦ୍ଧାରନ୍ତା |୧୫୪|

ଦାନବ ଭୟରୁ ଯେବେ ନୁଆରିବୁଂ ରକ୍ଷା କରି

କେମନ୍ତେ ନାମ ଆମ୍ଭେ ବହିଂବୁ ଦଇତାରି |୧୫୫|

ବଳରାମ ବୋଇଲେ ଚାଲ ଥୋକାୟେଂ ଦୂର ଯିବା

ୟେ ମହାସଭାକଇଂ ତାହାକୁ ଆସିତେ ନ ଦେବା |୧୫୬|

ଗୋବିନ୍ଦ ବୋଇଲେ ତାହାକଇଂ ନିମନ୍ତ୍ରଣ କଲାକ ସାତୁକୀ

ଆସଇ କିନା ନିଶାଚର କି କରଇ ଦେଖି |୧୫୭|

ରୈବ୍ରତ ପବ୍ରତ ଜିଣି ଚଉବିଂଶ ଯୂଣ ଗଲେ

ଗୋସିଂହ ଆସିବା ବାଟେ କେଶୀ ନାମେ ପର୍ବତେ ରହିଲେ |୧୫୮|

ରୟଣୀ ପ୍ରସର ଯହୁଂ ଉଦିତ ଦିନମଣି

ମନ୍ୟ ସାଜ ବୋଲି ଦାନବ ଥାଠ ଯେ ପଲାଣି |୧୫୯|

ତର୍ଜନ୍ତି ଗର୍ଜନ୍ତି ଧାମନ୍ତି ଅସୁରେ ରୋଷଭରେ

ମେଦ ମେଦା ମାଂସେଣ ତ୍ରିପୁତି ଶରୀରେ |୧୬୦|

ଗୋରୁଚର୍ମ ପରିହରଣ ମଇଂଷି ଚଉଂରୀ

ରକତ ଲେପନ ଅଙ୍ଗେ କର୍ଣ୍ଣେ ମନ୍ଦାର କଢି |୧୬୧|

ବିହଡ଼ ଦାଢ ଘୋର ରୂପ ବିକଟାଳ

ଖାଂକର କେଶେ ଧାମନ୍ତି ଭୟ ଦେଖାଇ ମତୁଆଳ |୧୬୨|

ମଞ୍ଚେଣ ପାଦ ଯେ ଆକାଶେ ଶିର ଲାଗେ

ୟେକକୁ ଆରକେ ଯେ ଧାମନ୍ତି ମହାରାଗେ |୧୬୩|

ଗିରିବର ସାଦୃଶେ ଦିଶଇ ତାହାଂକର ମୁଣ୍ଡ

ତମ୍ଵାଚକ୍ର ପ୍ରାୟେ ନୟନ ବିକଟାଳ ତୁଣ୍ଡ |୧୬୪|

ଡରେଣ ଶୂନ୍ୟ ପୁରୁଷେ ପଳାନ୍ତି ସ୍ଵର୍ଗ ଛାଡ଼ି

ଚଳଇ ଗୋସିଂହ ବଳ ପନ୍ଦର ଯୂଣ ମାଡି |୧୬୫|

ଅସୁରଂକ ପ୍ରତଗ୍ୟାଂ କହିତେ କି ପାରି

ପର୍ବତ ଟଳଇ ଯେ ମୁଖରବ ଶୁଣି କରି |୧୬୬|

କ୍ଷୀରୋଦ୍ର ଯେସନେକ ଆସଇ ମହୀଲୋଟି

ରାମକୃଷ୍ଣେ ଦେଖିଲେ ଯେ ପର୍ବତରେ ଉଠି |୧୬୭|

ଗୋବିନ୍ଦେ ବୋଇଲେ ଦେବ ଦୁର୍ଭାର ବଡ଼ ଥାଠ

ପନ୍ଦର ଯୂଣ ପରିଯନ୍ତେ ନ ଦିଶଇ ବାଟ |୧୬୮|

ଅସୁରବଳ ଦେଖି ସ୍ଵାମୀ ନିଳାମ୍ଵର

ଦକ୍ଷିଣେ ସୁଉନନ୍ଦ ବାମେ ସମର୍ଥକ ହଳ |୧୬୯|

ନିଦାଘ ଆଦିତ୍ୟ ଜାଣି ଶିରେ ଦିଶଇ ସପ୍ତଫେଣି

ଷୋଳହ ନୟନ ବିରାଜଇ ଯେ କାଳଚକ୍ର ଜାଣି |୧୭୦|

ତାଳଧ୍ଵଜ ରଥ ଯେ ତେଜ୍ୟା କରିଣ ଦେବ ସ୍ଵାମୀ

ପର୍ବତରୁ ଓହ୍ଲାଇ ହୋଇଲେ ପାଦଗାମୀ |୧୭୧|

ତ୍ରଇଲୋକ୍ୟେ ବିକାଶିଲା କାମପାଳର ତେଜ

ମହାମତ୍ତ ଭୋଳେ ଯେ ଗର୍ଜନ୍ତି ଦେବରାଜ |୧୭୨|

ହଳ ମୂଷଳ ବୁଲାଇ ଯେ ଧାମନ୍ତି ଦେବ ହଳୀ

ୟେକାୟେ କାମପାଳ ଥାଠ ଯେ ଓଗାଳି |୧୭୩|

ଧ୍ୟାନେଣ ନାରାୟଣ ସୁମରିଲେ ଖଗେଶ୍ଵର

ନିମିଷେକେ ରମ୍ୟକ ଦୀପୁଂ ଅଇଲା ବିନତା କୁମର |୧୭୪|

ନାରାୟଣ ବିଜେ କଲେ ବୈନତେୟ ପିଠି

ଶଙ୍ଖ ଚକ୍ର କୌମୁଦୀ ଶହସ୍ର ମୁଷ୍ଟି |୧୭୫|

ବିଜୟେ ଅଭୟେ ଦେବ ମହା ସାଂଗ୍ରାମେ

ଥାଠ ଯାଇଂ ଓଗାଳିଲେ କୃଷ୍ଣ ବଳରାମେ |୧୭୬|

ଆଗିଆଣି ଥାଠରେ ଆସୁଥିଲେ ମହାବୀରେ

ଲକ୍ଷେ ପୁର କରି ସନ୍ୟ ବେଢିଲେ ନୀଳାମ୍ଵରେ |୧୭୭|

ମହାଯୋଗ ପୁରୁଷ ସଦାନନ୍ଦ ଭୋଳ

ରଣ ଦେଶି ମହା ଆନନ୍ଦ ଦେବ କାମପାଳ |୧୭୮|

ସଉନନ୍ଦ ସମର୍ଥକ ବୁଲାଇଣ ବାମ ଦକ୍ଷିଣେ

ଦୁରାପଦ ସାଂଗ୍ରାମେ କରନ୍ତି ଘୋର ରଣେ |୧୭୯|

ପ୍ରଥମ ଥାଠ ଯେ ବେଢିଲେ ବେଗେ ଆସି

ଆଦିତ୍ୟ ଅସ୍ତେ ଯେହ୍ନେ ଘୋଟଇ ମହାନିଶି |୧୮୦|

ରାତ୍ର ଦିବସେ ବଢିକାଳ ଘୋର ରଣ

ଦର୍ପେଣ ବଳେବର ନିଦାଘ ବଳ କଲେକ ଭଙ୍ଗାଣ |୧୮୧|

ଗର୍ଜିଣ କାମପାଳ ବଜ୍ର ମୂଷଳ ପିଟି

ମହାବଜ୍ର ଘାତେ ପଡିଲେ ଅନେକ ବଳ ଲୋଟି |୧୮୨|

ପୁଣ ପୁଣ ପ୍ରହାର ଯେ କରନ୍ତି ଊର୍ଦ୍ଧବାହୁ

ଯେସନେକ ନିଶାପତି ଦେଖି ଧାମଇଂ ରାହୁ |୧୮୩|

ବ୍ରହ୍ମାଣ୍ଡ ଉଛୁଳଇ ରାମଂକର ଘୋର ରଡ଼ି

ଗିରିବର ମନ୍ଦରକୁ ପଡୁଅଛି ଝଡ଼ି |୧୮୪|

କୋପେଣ ପୁଣ ପୁଣ ପ୍ରହରନ୍ତି ବଳରାମେ

ରଣେ ଅଭୟେ ଦେବ ପଡ଼ନ୍ତି ସାଂଗ୍ରାମେ |୧୮୫|

ପିଟନ୍ତେ ନୀଳାମ୍ଵର ଲୋଟନ୍ତି କଉଣୋପେ

ପୁଣ ପୁଣ ଧାମନ୍ତି ଅସୁରବଳ ମହାକୋପେ |୧୮୬|

କରେଣ ବୁଲାଇ ଯେ ଅନେକ ଆୟୁଧ

ରାମର ଉପରେ ପିଟନ୍ତି କରନ୍ତି ମହାଯୁଦ୍ଧ |୧୮୭|

ଲୋହୋର ପର୍ବତ ଉପରେ ଯେହ୍ନେ ମୁଦୁଗର ପଡ଼ି ହୋଅନ୍ତି ଚୂର

ଲୋହାର ଗଦାପଡି ଚୂର ବଳରାମଙ୍କ ଶରୀର |୧୮୮|

ଅସୁଂରକ ଶହସ୍ରକୁ ଯେବଣ ଦେବର ନାହିଂ ଭୀତି

ଆରେ ଆରେ ଦାନବ ବୋଲି ଉଠିଲେ ହଳପତି |୧୮୯|

ଲକ୍ଷେକ ସେନା ଯେ ମାଇଲେ ନୀଳାମ୍ଵରେ

ପକ୍ଷର ବିଘାତେ ଲକ୍ଷେ ମାଇଲେ ଖଗେଶ୍ଵରେ |୧୯୦|

ଜଗନ୍ନାଥେ ପ୍ରହର କଲେ କୌମୋଦୀ ଗଦା ଧରି

ଲକ୍ଷେକ ସେନା ଦେବ ପକାଇଲେ ମାରି |୧୯୧|

ସାଗରେକ ସନ୍ୟ ଯେ ମାଇଲେ ୟେହିମତେ

ଦଣ୍ଡ ଭଗ୍ନ ହୋଇଲେ ନବ ଯୋଜନ ପରିଯନ୍ତେ |୧୯୨|

ଗୋସିଂହର ମନ୍ତ୍ରୀ ଯେହୁ ଜପାସୁର ବୋଲି

ରାମର ଅଗ୍ରତକୁ ଅଇଲା ସେହୁ ପେଲି |୧୯୩|

ପାଦେଣ ଗମନ ଧନୁ ଶହସ୍ର ନାହିଂ ତାର ହାଥେ

ପ୍ରବେଶ ହୋଇଲା ଯାଇଂ ରାମକୃଷ୍ଣଂକ ଅଗ୍ରତେ |୧୯୪|

ଆହୋ ମହାତମାୟେ ତୁମ୍ଭେ କାହାର ଯେ ତନୁ

ଆମ୍ଭେ ଦାନବ ମତ୍ତଭୋଳ ତୁମ୍ଭନ୍ତ ନ ଚିହ୍ନୁ |୧୯୫|

ଆମ୍ଭନ୍ତ ନିମନ୍ତ୍ରଣ କରି ଆଣିଲ ଯାଗକୁ

ଭୋଜନ ଦେଖାଇ ପ୍ରାଣତେଜ୍ୟା କରୁଛ ଆମ୍ଭଂକୁ |୧୯୬|

ତୁମ୍ଭର ଆମ୍ଭର ତ ବିବାଦ ନାହିଂ ପୂର୍ବେ

ଯାଗ ନିମନ୍ତ୍ରଣେ ଆସିଅଛୁଂ ଆମ୍ଭେ |୧୯୭|

ନିମନ୍ତ୍ରଣ କରି ଯାହା ଆଣି ପ୍ରାଣେ ତାହା ନ ମାରି

ଭୁଞ୍ଜଇ ବସାଇ ଯେ ବିଶ୍ଵାସଘାତକ ନ କରି |୧୯୮|

ପ୍ରୀତି ବଢାଇ ଯେ ମାରନ୍ତି ବିଶୁଆସୀ

ଆଧାର ଦେଇ ପ୍ରାଣୀକିଂ ଯେ ଜନ ବିନାଶି |୧୯୯|

ୟେଡେ ପ୍ରାଣୀକିଂ ଯେ ମାରନ୍ତି ବିଶୁଆସୀ

ନିଚୟେ ଜାଣିମା ସେ ବ୍ରହ୍ମହତ୍ୟା ଦୋଷୀ |୨୦୦|

ଆହୋ ମହାତମା ତୁମ୍ଭେ ଭାଗ୍ୟବନ୍ତ ଯେ ଅଟ ଗ୍ୟାନବନ୍ତ

ଗ୍ୟାନ ଥାଉଂ ଥାଉଂ କିମ୍ପେ କରୁଛ ବିଶ୍ଵାସଘାତ |୨୦୧|

ବଳରାମ ବୋଧ ଗଲେ ଅସୁର ବଚନେ

ଶାନ୍ତି ଭଜିଲେ ଦେବ ରୋହିଣୀ ନନ୍ଦନେ |୨୦୨|

ରହ ରହ ଶ୍ରୀକୃଷ୍ଣ ହୋ ନ ମାର ୟେହାଂକୁ

ଶାନ୍ତି ମୂର୍ତ୍ତି ହୋଇ ସେ ଆସନ୍ତୁ ସଭାକୁ |୨୦୩|

ଆଗେ ରାମକୃଷ୍ଣ ପଛେ ଅସୁର ସଇନ

ରୈବ୍ରତ ପର୍ବତେ ବିଜେ କୃଷ୍ଣ ବଳରାମ |୨୦୪|

ପର୍ବତ ଉତ୍ତର କୋଣେ ଛାଡ଼ିଲେ ଅସୁରଂକୁ

ଅଶିସସ୍ର ସନ୍ୟ ତୁଲେ ଘେନିଣ ଗୋସିଂହ ଆସଇ ସଭାକୁ |୨୦୫|

ଗୋସିଂହକୁ ବସାଇଲେ ନେଇ ଛାୟା ମଣ୍ଡୋପରେ

ସାଧୁ ଜଗବନ୍ଦନ ବୋଲି ପ୍ରଶଂସା କରନ୍ତି ସର୍ବ ନୃପବରେ |୨୦୬|

ଧନ୍ୟ ଜଗୁମୋହନ ଧନ୍ୟ ତୋହୋର ବୁଦ୍ଧି

ୟେଡ଼େ ନିଶାଚର ବଳକୁ କୂଟେ କଲୁ ସାଧି |୨୦୭|

ଉଗ୍ରସେନ ନୃପତି ତାହାକୁ କଲା ପୂଜା

ଗଉରୋବେ ବସିଲା ସେ ଅସୁରେଶ୍ଵର ରାଜା |୨୦୮|

ଯେ ବିଧି ଯୋଗାଡ଼ ସେ ଅସୁରନ୍ତେ ଦେଇ

ଛପନକୋଟି ଯାଦବେ ଅସୁରନ୍ତ ଅନ୍ନ ପରସଇଂ |୨୦୯|

ସୁପକ୍ଵ ଅନ୍ନ ଯେ ଅମିୟ ରସ ଯୋଗାଡ଼

ଭୁଞ୍ଜନ୍ତି ଅସୁରେ ଯେ ଅନେକ ସମ୍ଭର |୨୧୦|

ଗାଢ଼ ଭୋଜନେ ଦାନବେ ଅନେକ ତ୍ରିପୁତି

ସେ ଅମିୟ ରସ ଯୋଗାଡ଼ ପାଇବେ ସେ କାହିଂ ନିତି |୨୧୧|

ଅସୁରଂକ ତୁଲେ ଦେବ ବଢାଇଲେ ଅନେକ ପୀରତି

କାର୍ଯ୍ୟ ଅର୍ଥେ ଭୁଞ୍ଜାବନ୍ତି ଦେବ ଶିରୀପତି |୨୧୨|

ବଳରାମେ ବୋଇଲେ ହରି ହେ ୟେ ପୃଥୀକି ମହାଭାର

ଯାଗ ସାରିଲେ ୟେହାନ୍ତ ମାରିବା ଦାମୋଦର |୨୧୩|

ୟେହାର ଭୟେ ଦେବେ ରହି ନୁଆରନ୍ତି ସ୍ଵର୍ଗପୁରୀ

ଶତେ ବଳେ ଅମର ୟେ ଆଣିଲା ଦୂର କରି |୨୧୪|

ୟେସନେକ ୟେକାନ୍ତେ ଭାଳନ୍ତେ ରାମକୃଷ୍ଣ ଭାଇ ବେନି

ଚିତ୍ରସେନକଇଂ ରାଇ ବୋଇଲେ ଦେବ ସହସ୍ରଯୋନି |୨୧୫|

ଅମର ଅଭିଷେକ ଯୋଗାଡ଼ ଆବର ପାରିଜାତକ ପୁଷ୍ୟମାଳ

ୟେହା ନେଇ ଆଭରଣ କରସି କୃଷ୍ଣ କାମପାଳ |୨୧୬|

ଜଗନ୍ନାଥ ସ୍ଵାମୀଂକି କହିବୁ ୟେକାନ୍ତେ

ଗୋସିଂହ ଦଇତ ନାଶ ଯାଇଟି ଯେମନ୍ତେ |୨୧୭|

କୋଇଲାବତୀ ପାଟଣା ନଗ୍ର ଜେନାବଳୀ

ସେ ଅଭୟ ଭୁବନେ ପଶିଲେ କେହି ତାକୁ ମାରି ତ ନୁଆରି |୨୧୮|

ବିଶ୍ଵାସଘାତକକୁ ହରି ନ କର ତୁମ୍ଭେ ଚିନ୍ତା

ଗୋସିଂହ ବଧ ଗଲେଟି ଆକାଶ ହୋଇବ ସୁସ୍ତା |୨୧୯|

ପିତାର ବଚନ ଶୁଣି ଚଳଇ ସେ ବୀରବର ଚିତ୍ରସେନ

ବିମାନେ ବିଜୟେ କରି ପ୍ରବେଶ ରାମକୃଷ୍ଣ ସନ୍ନିଧାନ |୨୨୦|

ଯେତେକ ଧନରତ୍ନ ଯୋଗାଡ଼ନ୍ତ ଦେଇଥିଲେ ଦେବରାଜା

ଚିତ୍ରସେନ ରାମକୃଷ୍ଣଂକ ଚରଣ ତଳେ ଦେଇ କଲା ପାଦପୂଜା |୨୨୧|

ରାମକୃଷ୍ଣ ଚରଣ ତଳେ ଗନ୍ଧର୍ବ ପରିଣାମି

ଗୋସିଂହ ବଧକୁ ଅବଧାନ କରିବା ଦେବସ୍ଵାମୀ |୨୨୨|

ଅନେକ ବିନୋୟୀ ଯେ କହିଲେ ପୁରୁହୂତ

ତୁମ୍ଭର ପ୍ରସାଦେ ଯେ ଅମର ହୋଇବ ସୁସ୍ତ |୨୨୩|

ଗୋବିନ୍ଦ ବୋଇଲେ ତୂନି ହୋଇଥାଅସି ବାବୁ

ମହା ପ୍ରତାପୀ ଦାନବ ସେ ଆମ୍ଭେ କେମନ୍ତେ ମାରିବୁ |୨୨୪|

ଲକ୍ଷେ ରାଜାଂକର ଅଛି ଯେତେକ ସଇନି

ୟେକା ଗୋସିଂହ ଅଇଲା ତେତେ ବଳ ଘେନି |୨୨୫|

ଚିତ୍ରସେନ ବୋଇଲା ଅନେକ ଯୂଣ ଅଗାଦ ଜଳ ସିନ୍ଧୁ

ଅଗସ୍ତି ଗଣ୍ଡୂଷ କଲା ବାଳକ ବିନୋଦୁଂ |୨୨୬|

ଅଗାଦ ସାଗର ସେ ଅଟଇ ଦ୍ରପିଷ୍ଠ

ୟେହାକୁ ସଂହାରିବାକୁ ତୁମ୍ଭେ ହେବ ଘଟବତ୍ସ |୨୨୭|

ନାରାୟଣ ବୋଇଲେ ତୁମ୍ଭେ ବର ଦେଉଥିବ

ହତ୍ୟା ବିବାଦ କାଳେ ପୁଣ ମୋତେ ଦୋଷ ଦେବଟି ସର୍ବଦେବ |୨୨୮|

ଆହୋ ଚିତ୍ରସେନ ମୁଂ ରାବଣକୁ ମାଇଲି ଯେତେ ଦୁଖେ

ବ୍ରହ୍ମହତ୍ୟା ଦୋଷ ମୋତେ ବାଛିଲେ ଚତୁର୍ମୁଖେ |୨୨୯|

ୟେଡ଼େ ବୋଲି ଦେବ ସମାର୍ଜିଲେ ଚିତ୍ରରଥ

ତୁହି ଥାଉଂ କିନା କରିପାରିବା ଯେମନ୍ତ |୨୩୦|

କୁବେର ଦେବତା ଦିଲେ ରତ୍ନ ଯେ ଯୋଗାଡ଼

ବତିଶ ସହସ୍ର ଅଷ୍ଟ ପାଟବଂଶୀକି ଯେତେକ ଅଳଂକାର |୨୩୧|

ଛପନ କୋଟି ଯାଦବେ ଯେତେକ ଅଛନ୍ତି

ସୁବନ୍ତ ବୀରବେଶ ଅଳଂକାର ଦିଲେ ରତ୍ନପତି |୨୩୨|

ଲକ୍ଷେ ଷାଠିୟେ ସହସ୍ରେ ଅଶିୟେ ନନ୍ଦନ ବାସୁଦେବଙ୍କର

ସମସ୍ତଂକୁ ବୀରବେଶ ଅଳଂକାର ଦିଲେକ କୁବେର |୨୩୩|

ଅବିଷେକ ଯାଗାଡ଼ ଦିଲା ହରି ବଳରାମଂକୁ

ଅବିଷେକ ଯୋଗାଡ଼ ଦିଲେ ନନ୍ଦ ବସୁଦେବ ଉଗ୍ରସେନଂକୁ |୨୩୪|

ରେବତୀ ସହିତେ ଅଷ୍ଟପାଟ ଯେ ବଂଶୀଂକି

ଅଳକାର ପତି ଦିଲେ ଅଳଂକାର ଲେଖି |୨୩୫|

କୁବେରଂକର ପୁତ୍ର ଯେ ନଳକୁବେର

ୟେମାନ ପୂରୋଇଲେ ଖେଚରୀ ବିମାନର |୨୩୬|

କୁବେର ବୋଇଲେ ବାବୁ ୟେ ଅଳଂକାରମାନ ଦେବୁ

ଗୋସିଂହକୁ ବଧ କରି ବୋଲି ରାମକୃଷ୍ଣନ୍ତ ଗୁପତେ କହିବୁ |୨୩୭|

ତେବେ ସେ ରକ୍ଷା ହୋଇବ ଅମର ବାରସ୍ଵତୀ

ଭଣ୍ଡାର ଜୂର କରି ନେଲାନି ପଞ୍ଚବିଂଶ ଘାନ୍ତି |୨୩୮|

ପିତାର ବଚନେ ଚଳଇ ଯେ ନଳକୁବେର

ରୈବ୍ରତ ପର୍ବତେ ପ୍ରବେଶ ରାମକୃଷ୍ଣଂକ ସନ୍ନିଧର |୨୩୯|

ସମସ୍ତ ଅଳଂକାର ଛାମୁରେଣ ଥୋଇ

ନଳକୁବେର ଯେ ଶୁତିଲା ପ୍ରଳମ୍ଵିତ ହୋଇ |୨୪୦|

ସ୍ଵାମୀ କୁବେର ଦେବତା ଦିଲେ ଅମୁଲ୍ୟ ରତ୍ନମଣି

ସବୁଂକଇଂ ୟେହା ଆଭରଣ କରିବା ଚକ୍ରପାଣି |୨୪୧|

ଅଳଂକାର ସବୁଂକଇଂ ଆଭରଣ ଦିଲେ

ୟେକାନ୍ତେ ନଳକୁବେର ଜଗନ୍ନାଥଂକୁ କହିଲେ |୨୪୨|

ସ୍ଵାମୀ ଅନେକ ବିନୋୟୀ ଯେ କହିଲେ ରତ୍ନପତି

ଗୋସିଂହ ବଧ କରିବା ନିମନ୍ତେ ଆହେ ଶିରୀପତି |୨୪୩|

ଶ୍ରୀହରି ବୋଇଲେ ୟେ କଥାମାନ କରସି ଗୁପତ

ଅସୁରବଳ ସନ୍ୟ ଅଛନ୍ତି ଅପ୍ରମିତ |୨୪୪|

ମହା ମହା ଦାନବ ବଳେଣ ଅପ୍ରମିତା

ତାହାନ୍ତ ଦେଖିଲେ ଡରନ୍ତି ତେତିଶ କୋଟି ଦେବତା |୨୪୫|

ସମସ୍ତେ ସାହାପକ୍ଷ ହୋଇଥାଅ ଆମ୍ଭର ତୁଲେ

ଗୋସିଂହ ବଧ କରିବା ସିନା ଯାଗ ସମାପତ ହୋଇଲେ |୨୪୬|

ଅନେକ ରତ୍ନ ଘେନିଣ ଦେବ ଯେ ଅନନ୍ତ

ଗୋସିଂହକୁ କଲେକ ଅନେକ ପୁରୁଷାର୍ଥ |୨୪୭|

ସେନା ସେନାପତି ଯେତେକ ତାହାର ଥିଲେ

ସବୁଂକୁହିଂ ଜଗନ୍ନାଥଙ୍କ ଅଳଂକାର ଦିଲେ |୨୪୮|

ଚନ୍ଦନ ଚତୁସମ ତାମ୍ଵୁଳ ଗନ୍ଧ ପୁଷ୍ୟ

କରନ୍ତି ଆଭରଣ ଯେତେକ ରାକ୍ଷସ |୨୪୯|

ଅସୁରେ ସାନନ୍ଦ ଯେ ଅତି ଅପ୍ରମିତା

ମହା ମହା ଦାନବନ୍ତ କେ କରିବ ଗଣିତା |୨୫୦|

ମହା ଦ୍ରପିଷ୍ଠ ଅସୁରେ ଗୋସିଂହକୁ ସମାର୍ଜନା କରି

ଅନେକ ଦେଶର ତୁମ୍ଭେ ବିଜେକଲେ ଦଣ୍ଡଧାରୀ |୨୫୧|

ଛପନ କୋଟି ଯାଦବେ ତହିଂ ବିଜେ କରିଛନ୍ତି

ଋଷି ବିପ୍ରମାନେ ତହିମ ଅନେକ ଅଛନ୍ତି |୨୫୨|

ଆମ୍ଭେ ବସୁଅଛୁ ଯେ ମହାଯୋଗ ସ୍ତାନେ

ୟେପ ଯାହା ଆସ୍ତାନେ ତୁମ୍ଭେ ଥାଅ ରାଜାମାନେ |୨୫୩|

ୟେତେକ ବଚନେ ରାଜାୟେ ବଦନ୍ତି ସମସ୍ତ

ବିଜେ କରିବା ଦେବ ବାଞ୍ଛା ହୋଉ ପରାପତ |୨୫୪|

ରାଜାନ୍ତ ସମାର୍ଜନା କରି ବାମଦେବ କ୍ଷେତ୍ରପାଳନ୍ତ ରାଇ

ୟେ ଯାଗଶାଳ ରକ୍ଷା କରି ରାତ୍ରକାଳେ ବୁଲୁଥିବୁ ତୁହି |୨୫୫|

ୟେସନେକ ଆଗ୍ୟାଂ ଯହୁଂ ଦିଲେ ନନ୍ଦବାଳ

ରାତ୍ରେଣ ସଭା ନିବର୍ତ୍ତ ତୁ ଯେ କରିବୁ ବାମଦେବ କ୍ଷେତ୍ରପାଳ |୨୫୬|

ଲକ୍ଷେ ରାଜାଂକର ଯେତେକ ସଇନି

ଭୁଞ୍ଜନ୍ତି ହରଷେ ଅନେକ ସୁପକ୍ଵ ଯୋଗାଡ଼ନ୍ତ ଘେନି |୨୫୭|

ଅଶ୍ଵ ଗଜକୁ ଚରଣୀ ପିଉଣୀ ଘାସ ବିରି

ସୁଖେଣ ସମସ୍ତ ରାଜା ଥାଆନ୍ତି ନାନା କ୍ରୀଡ଼ାରଙ୍ଗ କରି |୨୫୮|

ସମସ୍ତଙ୍କୁ ଚରଚା କରି ସେ ଦେବ ଅଚ୍ୟୁତ

ଯଗ୍ୟେଂ ରାମକୃଷ୍ଣ ବିଜୟେ କୁଶହସ୍ତ |୨୫୯|

ଲମ୍ଵିତ ଜୂଡା ସ୍ଵାମୀ ତ୍ରିକଚ୍ଛ ବସନ

ଦ୍ଵାଦଶଚିତା ଦେବ ଶ୍ରୀବତ୍ସ ଲାଞ୍ଛନ |୨୬୦|

ବେଦମନ୍ତ୍ର ଆଧ୍ୟାନେ କରଣେ ମନ୍ତ୍ରପୋଥି

ଋଷିଗଣନ୍ତ ଘେନି ବିଜୟେ କୃଷ୍ଣ ହଳପତି |୨୬୧|

ବିଜୟେ ରାମକୃଷ୍ଣ ମହାଯଗ୍ୟଂ ସ୍ତାନ

ଋଷିଗଣମାନେ ଯେ ବେଦମନ୍ତ୍ରରେ ଆଧ୍ୟାନ |୨୬୨|

ଗୋସିଂହକଇଂ କହଇ ଅସୁରକୁଳ ମନ୍ତିରୀ

ୟେ ହାଦେ କୂଟ କପଟୀ ଦେବ ଦଇତାରି |୨୬୩|

ନ ଜାଣି ଅନମିତେ ଅଇଲେ ୟେ ସଭାକୁ

ଆଉ ବ୍ରତିଯାଇଂ ନୁଆରିବୁଟି ୟେ ଯଗ୍ୟଂ ସରିଲାକୁ |୨୬୪|

ୟେସନେକ କୂଟ ବୁଦ୍ଧି ରାଞ୍ଚିଲେ ସର୍ବଦେବା

ଚିତ୍ରସେନକଇଂ ରାଇଣ ପଠିଆଇ ଦିଲେକ ମଘବା |୨୬୫|

ନଳକୁବେରକଇଂ ପେଶିଲେ କୁବେର

ଶ୍ରା ଜଗନ୍ନାଥକଇଂ ବୋଇଲେ ଗୋସିଂହକୁ ବଧ କର |୨୬୬|

ଆହୋ ରାଜେଶ୍ଵର କରିବା କେଉଣ ଉପାୟେ

ଆମ୍ଭର ଜୀବନ ଥିବଟି ଯାଗ ମସାପତ ଯାୟେ |୨୬୭|

କୂଟକପଟୀ ଯେ ଅଟନ୍ତି ଜଗନ୍ନାଥ

ନିଚୟେ ଆମ୍ଭନ୍ତ ୟେ କଲା ବିଶ୍ଵାସଘାତ |୨୬୮|

ଆହୋ ଗୋସିଂହ ତୁ ୟେବେ ମୋହୋର ବୁଦ୍ଧି କର

ଶହସ୍ର ନାହିଂ ରାମକୃଷ୍ଣଂକ ହାଥର |୨୬୯|

ନିଶହସ୍ର ହୋଇ ବସିଅଛନ୍ତି ଯାଗେ

କୁଶହସ୍ତ ହୋଇ ବସିଅଛନ୍ତି ମନ୍ତ୍ର ଉଦବେଗେ |୨୭୦|

ପାରୁ ଯେବେ ପଶ ଯାଇଂ ଯାଗଶାଳ ଭିତରେ

ରାମକୃଷ୍ଣନ୍ତ ମାରିପକା ନିଶ୍ଵାସକ ମଧ୍ୟରେ |୨୭୧|

ୟେମନ୍ତେ ସମୟେ ଯେବେ ପାରୁ ୟେହାନ୍ତ ଜିଣି

ଶହସ୍ର ଧଇଲେ ୟେହାଂକୁ ସରିନାହିଂଟି କେହି ପୁଣି |୨୭୨|

ଗୋସିଂହ ବୋଇଲା ୟେ ନୋହଇ ୟେମନ୍ତ

ସତେକି ବିଶ୍ଵାସଘାତ କରିବ ଜଗନ୍ନାଥ |୨୭୩|

ମନ୍ତ୍ରୀ ବୋଇଲା ଭୋ ତୁ କିଛିହିଂ ନ ଜାଣି

ତୋତେ ମାରିବାକୁ ପାଞ୍ଚ କରିଛି ଚକ୍ରପାଣି |୨୭୪|

ଗୋସିଂହ କୋପକଲା ଶୁଣି ମନ୍ତ୍ରୀର ବଚନ

ଅଶି ସହସ୍ର ଯୋଦ୍ଧା ଘେନି ସଜ ହୋଇଲା ବହନ |୨୭୫|

ମନ୍ତ୍ରୀ ବୋଇଲା ତୁ ଶୁଣ ଅସୁର କୁଳପତି

ଆଦିତ୍ୟ ଅସ୍ତହୋଇ ପ୍ରବେଶ ହୋଉ ରାତି |୨୭୬|

ତେତେବେଳେ ଯାଇଂ ପଶିବା ଗୁପତେ

ମାରିବା ରାମକୃଷ୍ଣେ ସର୍ବଋଷି ସମେତେ |୨୭୭|

ମନ୍ତ୍ରୀର ବଚନେ ଗୋସିଂହ ହୋୟେ ତୁଷ୍ଟି

ଆଦିତ୍ୟ ଅସ୍ତ ହୋଇଲେ କରିବା ଅରିଷ୍ଟି |୨୭୮|

ୟେସନେକ ବିଚାରନ୍ତେ ପ୍ରବେଶ ହୋଇଲା ନିଶି

ଯାଗଶାଳେ ବିଜୟେ କରିଛନ୍ତି ହୃଷୀକେଶି |୨୭୯|

ଅନ୍ନ ଭୋଜନ ନାହିଂ ତାହାଂକର ଦିବା ରାତି

ପୁଣିହିଂ ଗୋସିଂହକୁ ବୁଝାଇ ତାହାର ମନ୍ତ୍ରୀ |୨୮୦|

ବୋଲଇ ମହାରାଜା କୋପ କର ଶାନ୍ତି ଅନେକ ମାୟାଧର
ଅଟଇ ଶ୍ରୀପତି

ବିଚାରି କାର୍ଯ୍ୟ କରିବାର ମିଳଇ ଯୁଗତି |୨୮୧|

ଯଗ୍ୟଂରେ ବସିଛନ୍ତି ରାମକୃଷ୍ଣ ନିରାଶେ ଉପବାସେ

ଅନ୍ନ ତେଜ୍ୟା କରିଲେନି ପଞ୍ଚଦଶ ଦିବସେ |୨୮୨|

ଦିନା ଦଶେ ଉପବାସେ ହୋଅଇ ବପୁ କ୍ଷୀଣ

ବଳବୀର୍ଯ୍ୟ ନାଶଯାଇ ଅନ୍ନର ବିହୁନ |୨୮୩|

ୟେତେକ ତିଆରି ସେ ଜପାସୁର ମନ୍ତ୍ରୀ

ନବ ଦିବସ ପରିଯନ୍ତେ ବଞ୍ଚିଲେ ଦିବା ରାତି |୨୮୪|

ଶରୀର କ୍ଷୀନ୍ନ ହୋଇଲା ନିରାଶେ ଉପବାସେ

ଅନ୍ନ ତେଜ୍ୟାକଲେ ସ୍ଵାମୀ ପଞ୍ଚଦଶ ଦିବସେ |୨୮୫|

ମକର ମାସ ଶୁକଳ ପକ୍ଷ ପଞ୍ଚମୀ ଦିବସ

ରାତ୍ର ଦିବସେ ଯଗ୍ୟେଂ ବିଜେ ଦୃଷୀକେଶ |୨୮୬|

ଅର୍କବାର ନକ୍ଷତ୍ର ଯେ ପୁଷ୍ୟା ହୋଇଅଛି

ରାମକୃଷ୍ଣ ଉପବାସ କଲେ ଶୁଭ ଇଚ୍ଛି |୨୮୭|

ରାଗେଣ ଦାନବବଳ ଉଠିଲେ ଗୋସିଂହର ତୁଲେ

ଯଗ୍ୟଂଶାଳ ଦ୍ଵାରେ ଯାଇଂ ଅସୁରେ ହାବୋଡ଼ିଲେ |୨୮୮|

ଅସୁରେ ଉଗ୍ରମୂର୍ତ୍ତି ତୋଜ ଯେ ପ୍ରଚଣ୍ଡ

ଆକାଶରେ ଲାଗୁଅଛି ଗୋସିଂହର ମୁଣ୍ଡ |୨୮୯|

ଉଚ୍ଚବାଚ ଦେଖି ଧାଇଂଲେ ବାମଦେବ କ୍ଷେତ୍ରପାଳେ

ଆକ୍ରେଷି ଧଇଲେ ତାଂକୁ ଅସୁର ମହାବଳେ |୨୯୦|

ଲୋହାସୁର ବୋଲି ଗୋସିଂହ ସେନାପତି

ବାମଦେବ କ୍ଷେତ୍ରପାଳକଇଂ ସେ ଧଇଲାକ ଧାତି |୨୯୧|

ଅଶ୍ଵେକ ଆରୋହି ଯେ ବାମଦେବ କ୍ଷେତ୍ରପାଳ ଥିଲା

କୋପେଣ ଗୋସିଂହ ତାହାର ଭୁଜ ଯେ ଧଇଲା |୨୯୨|

କ୍ଷେତ୍ରପାଳ ମାଇଲାକ ରାଗେଣ ତୀକ୍ଷମୂନା ପ୍ରଶୁ

ଗୋସିଂହର ଅଙ୍ଗେ ପଡ଼ିହୋଇଲା ଧୂଳି ପାଶୁଂ |୨୯୩|

ଭୁଜ ଧରି ଅସୁର ବୁଲାଇ କ୍ଷେତ୍ରପାଳକୁ

କୋପେ ଫିଙ୍ଗି ଦିଲା ସେ ଦକ୍ଷିଣ ଦିଗକୁ |୨୯୪|

ଦଶ ସହସ୍ର ଯୋଜନେ ଯାଇଂ ପଡ଼ିଲା ସମୁଦ୍ର ଭିତରେ

ପଡି ବୁଡ଼ିଗଲା ତହିଂ କ୍ଷେତ୍ରପାଳ ବୀରେ |୨୯୫|

ଆକାଶର କ୍ଷେତ୍ରପାଳ ବୋଲି ଚିହ୍ନିଲେ ବରୁଣ

କ୍ଷେତ୍ରପାଳକୁ ସେ ସମ୍ଭାଳିଣ ଧଇଲେ ତତକ୍ଷଣ |୨୯୬|

ଆଦିତ୍ୟର ଅଶ୍ଵେ ଯେ କ୍ଷେତ୍ରପାଳ ବସିଥିଲା

ସେ ଅଶ୍ଵର ଉପରେ ଯାଇଂ ଲୋହାସୁର ଚଢିଲା |୨୯୭|

ଯାଗଶାଳ ଦ୍ଵାରେ ପ୍ରଦ୍ୟୁମ୍ନ ଚିତ୍ରସେନ ନଳକୁବେର

ତିନିକିଂ ଧଇଲେ ଯାଇଂ ତିନି ଯେ ଅସୁର |୨୯୮|

ଲୋହଶିରା ଧଇଲା ଯାଇଂ କୁମର ପ୍ରଦ୍ୟୁମ୍ନକୁ

ସିଂହନାଦ ଧଇଲା ଚିତ୍ରସେନ ଗନ୍ଧର୍ବକୁ |୨୯୯|

ଅମନାତ୍ୟ ଧଇଲା ନଳକୁବେରେ

ତିନିହେଂ ତିନିଂକି ଯେ ଯାକିଲେ କାଖର ଭିତରେ |୩୦୦|

ଧାତିକାରେ ପଶିଲେ ରାତିରେ ଯାଗଶାଳେ

ଶ୍ରା ଜଗନ୍ନାଥଦେବଂକ ପୂର୍ଣ୍ଣାହୁତି ବେଳେ |୩୦୧|

ମଉନବ୍ରତ ବେଳେ ରାମକୃଷ୍ଣ କରେଣ କୁଶପାଣି

ମାରକଣ୍ଡେ ବାକ୍ୟ କରାନ୍ତି ଧର୍ମବାଣୀ |୩୦୨|

ସେମନ୍ତର ସମୟେ ଯେ ଗୋସିଂହ ବାହିଲା

ଅଶି ଯୋଦ୍ଧା ଦାନବନ୍ତ ଘେନି ଭିତରେ ପଶିଲା |୩୦୩|

ଆରେ ଆରେ ବୋଲି ଯେ ପାଦେ ମାଇଲା ମାରକଣ୍ଡଂକୁ

ଧାତିକାରେ ଦରାଣ୍ଡି ଧଇଲା ଯେ ବଳରାମଂକୁ |୩୦୪|

ପ୍ରତଗ୍ୟାଂ କରିଣ ସେ ଅସୁର ବୀର ଡାକେ

ବଳରାମ ସ୍ଵାମୀଂକି ଯାକିଲା ବାମ କାଖେ |୩୦୫|

ଜଗନ୍ନାଥ ସ୍ଵାମୀଂକି ମାଇଲା ସେ ନିର୍ଘାତ ବାଣ

ଅସାଷ୍ଟମ ହୋଇ ପଡ଼ିଲେକ ନାରାୟଣ |୩୦୬|

ଅନୀତି କର୍ମ କଲେକ ଯହୁଂ ଯାତୁଧାନେ

ଅନ୍ତରୀକ୍ଷେ ପଳାଇଲେ ଦେବ ଋଷିଗଣେ |୩୦୭|

ଅନେକ ଋଷିମାନନ୍ତ ତହିଂ ପକାଇଲେ ମାରି

ଯଗ୍ୟଂକୁଣ୍ଡେ ପକାଇ ଖାଉଛନ୍ତି ଦାନବେ ପୋଡ଼ିକରି |୩୦୮|

ବଳରାମ ସ୍ଵାମୀଂକି ଅନ୍ତରୀକ୍ଷେ ବୁଲାଇ

ଜଗନ୍ନାଥ ସ୍ଵାମୀଂକ ଉପରେ କଚାଡ଼ିଲା ନେଇ |୩୦୯|

ଅସୁର ବିଘାତେ ଯେ ସ୍ଵାମୀ ବଳରାମ

ଉପବାସେ ବପୁ କ୍ଷୀଣ ହୋଇଲେ ଅସାଷ୍ଟମ |୩୧୦|

ଆବର ଅସାଷ୍ଟମ ହୋଇ ଯହୁଂ ପଡ଼ିଲେ ରାମକୃଷ୍ଣେ

ମହାଯଗ୍ୟଂ କୁଣ୍ଡେ ନେଇ ପକାଇଲେ ଦ୍ରପିଷ୍ଠେ |୩୧୧|

ୟେହାଂକର ମାଂୟେସ ଖାଇବଇଂ ଯେବେ ପୋଡ଼ି

ତେବେ ସେ କଳପି ହୋଇବ ମୋହୋର ଯେ ଶରୀ |୩୧୨|

ଅଗ୍ନିରେ ପକାଇ ନିଉଡ଼ଇଂ ଘୃତମାନ

ମହା ଅନଳ ଦେବତା ବିଜୟେ ତୋଷମନ |୩୧୩|

ଅଗ୍ନି କୁଣ୍ଡରେ ତେତେବେଳେ ବିଜେ କରିଥିଲେ ବଶ୍ୟାନରେ

ରାମକୃଷ୍ଣଂକୁ ଗୋପ୍ୟାନ କଲେ ଯାଗକୁଣ୍ଡର ଭିତରେ |୩୧୪|

ଅଗ୍ନିରେ ଭୁଜ ଲାଇ ଦରାଣ୍ଡଇ ଗୋସିଂହ

ଲୋଡ଼ି ନ ପାଇଲା ସେ ରାମକୃଷ୍ଣଂକର ଅଙ୍ଗ |୩୧୫|

ମନ୍ତ୍ରୀ ବୋଇଲା ଅନେକ ଘୃତ ତୁ ବରଷୁ

ମାନବ ଶରୀର ସିନା ହୋଇଲା ଧୂଳିପାଂଶୁ |୩୧୬|

ନ ପାଇଣ ଗୋସିଂହ ଯେ ହୋଇଲା ନିରାଶ

ମତ୍ୟଭାମା ବସିଥିଲେ ଯେ ଜଗନ୍ନାଥଂକର ପାଶ |୩୧୭|

ତ୍ରଇଲୋକ୍ୟ ମୋହିନୀ ସେ ଅଟଇ ଯୁବତୀ

କୋଳ କରି ନେଇ ରଥେ ବସାଇଲା ଦତ୍ୟପତି ଧାତି |୩୧୮|

ଅନ୍ଧାରକାଳେ ଗୋଳ କଲେକ ଅସୁରେ

ଅନେକ ସଇନି ସେ ମାଇଲେ ରୋଷଭରେ |୩୧୯|

ଚଉରାଶୀ କ୍ଷଉଣୀ ଯେ ଅମାପତ ସନ୍ୟବଳ

ନର ଜନ୍ତୁ ଅନେକ ଖାଇଲେ ସକଳ |୩୨୦|

ରତ୍ନ ବସ୍ର ଅଳଂକାର ଅନେକ ଜୂର କଲେ

ଯାଗଶାଳମାନନ୍ତ ସବୁ ଭାଞ୍ଜି ପକାଇଲେ |୩୨୧|

ଲୋହାସୁର ଚିତ୍ରସେନକଇଂ କାଖରେ ଯାକିଥିଲା

ମେରୁ ପର୍ବତକୁ ବୋଲିଣ ତାକୁ କୋପେ ଫିଙ୍ଗିଦିଲା |୩୨୨|

ସିଂହନାଦ ଫିଙ୍ଗିଦିଲା ନଳକୁବେରକୁ

ଅମନାତ୍ୟ ଫିଙ୍ଗିଦିଲା ପଦ୍ମନ କୁମରକୁ |୩୨୩|

ତିନିପୁର ଅଟଇ ଯେ ରୈବତ ପର୍ବତ

ତଳପୁରେ କୁମରମାନେ ହୋଇଲେ ଗୁପତ |୩୨୪|

ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ

ଅସୁରଙ୍କ ଭୟେଣ ଥିଲେ ଆଗହୁଂ ତଳ ପୁରେ ପଶି |୩୨୫|

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ସେହି ତଳ ପୁରେ ହୋଇଥିଲେ ଯେ ଗୋପ୍ୟାନ |୩୨୬|

ଋଷିମାନନ୍ତ ମାରିବାକୁ ଯେ ଅସୁରେ ଧାଇଂଥିଲେ

ସମସ୍ତ ଋଷିମାନେ ୟେଣେ ତେଣେ ପଳାଇଲେ |୩୨୭|

ଆବର ବିଶେଷେ ଯେ ଅଟଇ ରାତ୍ରକାଳ

ତେଣୁ କରି ଜନଜନ୍ତୁ ବ୍ରତିଲେ ସକଳ |୩୨୮|

ଦେବଦଳନ ମନ୍ତ୍ରୀ ପୁଚ୍ଛା କଲା ରାଜାଂକୁ

ଚାଲ ଯିବା ୟେବେ ଆମ୍ଭେ ଜେନାବଳୀ ନଗ୍ରକୁ |୩୨୯|

ଜୟେ କଲା ନଗ୍ରେ ଦଣ୍ଡେ ରହିତ ନ ଯୋଗାଇ

ଯଶ ଅପଯଶ ହୋଇ ଆପଣେ ନାଶ ଯାଇ |୩୩୦|

ସତ୍ୟଭାମାକୁ ରଥେ ବସାଇ ଗୋସିଂହ

ଆପଣା ରାଜ୍ୟକୁ ସେ ଚଳଇ ଅତି ବେଗ |୩୩୧|

ଚଳଇ ଦାନବ ଯେ ମହାଘୋର ବନେ

ସୁଖେଣ ବିହଡ଼ନ୍ତି ଅମାପତ ଯାତୁଧାନେ |୩୩୨|

ସୂର୍ଯ୍ୟକେତୁ ବିମାନ ଯେ ନଳକୁବେର ଆଣିଥିଲା

ସେ ବିମାନେ ଅସୁର ଅନେକ ରତ୍ନମାନନ୍ତ ପୂରୋଇଲା |୩୩୩|

ଚଉରାଶୀ କ୍ଷଉଣୀ ବଳ ସଂଗତେ ସେହୁ ଘେନି

ସୋ ମାୟା ବିମାନେ ବସାଇଲା ସକଳ ସଇନି |୩୩୪|

ମନ୍ତ୍ରୀ ବୋଇଲା ଭୋ ଦେବ ତୁମ୍ଭେ ମୋହୋର ବୋଲ କର

ୟେ ସ୍ତିରୀ ରତ୍ନକାନ୍ତିକି ଛାଡ଼ ସେ ଯାଉ ନିଜ ପୁର |୩୩୫|

ପୂର୍ବ କାଳେ ହାଦେ ସ୍ତିରୀ ହରଣର ଦୋଷେ

ନାଶଗଲେ ୟେଥି ଭଲ ଭଲ ପୁରୁଷେ ରାକ୍ଷସେ |୩୩୬|

ଲକ୍ଷେ ସିଘଂ ପରାକ୍ରମ ଅଟଇ ଯେଉଂଣ ବାଳୀ

ରୋମାହରଣ ଦୋଷେ ତାର ମଉଳି ଲୋଟିଲା ମହିଆଳୀ |୩୩୭|

ସୀତା ହରଣେ ନାଶ ଗଲାଟି ରାବଣ

ତାରା ହରଣ ଦୋଷେ ଚନ୍ଦ୍ର ହୋଇଲେଟି ଖଣ୍ଡଣ |୩୩୮|

ଅପକ୍ଷରୀ ହରଣେ ନାଶ ଗଲେଟି ନଳକୁବେର

ସର୍ପ ହୋଇ ରହିଲା ସେ କୁବେର କୁମର |୩୩୯|

ଇନ୍ଦ୍ର ଦେବତା ଯେ ହରିଲା ଗଉତମଂକ ପତ୍ନୀ

ଋଷି ଶାପେ ସେ ଯେ ହୋଇଲା ସସ୍ରଯୋନି |୩୪୦|

ଦୁର୍ଗାଂକୁ ଲୋଭ କରି ନାଶଗଲା ମୟେଂଷା ଅସୁର

ରତି ଆଶରେ ନାଶ ହୋଇଲାଟି ଶମ୍ଵର |୩୪୧|

ପାର୍ବତୀ ଲୋଭେ ତ୍ରିପୁର ନିଧନ ହୋଇଲା

ଶଚୀ ଆଶ କରି ନହୁଷ ନାଶଗଲା |୩୪୨|

ଗଉତମର ପତ୍ନୀ ଚନ୍ଦ୍ର ଯେ ହରିଲେ

କୋପେ ଗଉତମ ଚନ୍ଦ୍ରଂକୁ ଶାପ ଦିଲେ |୩୪୩|

ମୋହୋର ପତ୍ନୀକୁ ଯେ ହରିଲୁ କାମବଶୁଂ

ଷଡ଼ଦଶ ମାସରେ ରାହୁ ତୋତେ ଗ୍ରାସୁ |୩୪୪|

ପର ସ୍ତିରୀ ହରନ୍ତେ ଯେ ୟେହେନେକ ପାପ

ଅଳପକେ ନାଶ ଯାଇଟି ଯେତେ ଥିଲେ ଦର୍ପ |୩୪୫|

ଛାଡ଼ିଣ ମେଲ ଲୋଭ ୟେ ଅଟଇ ଅପର୍ଣ୍ଣା

ସ୍ତିରୀ ଲୋଭେ ନାଶ ଯିବୁ ସମସ୍ତ ସନ୍ୟ ସେହ୍ନା |୩୪୬|

ସ୍ତିରୀ ଲୋଭ ମାତ୍ରକେ କେହି ନ ବ୍ରତିବେ

ଆବର କି ଯାଇଂ ଜେନାବଳୀ ନଗ୍ର ଦେଖିବେ |୩୪୭|

ମନ୍ତ୍ରୀର ବଚନେ ବୋଇଲା ଦେବତାଂକ ଅଇରି

ସୁନ୍ଦର କାମିନୀ ୟେହା ଛାଡ଼ିବ ନୁଆରି |୩୪୮|

ମନ୍ତ୍ରୀ ବୋଇଲା ତୋର କର୍ମେ ଅଛି ଯାହା

ଚାଲ ଶୀଘ୍ରେ ଯିବା ୟେଥୁଂ ରଥ ବେଗେ ବାହା |୩୪୯|

ଚାଲ ଚାଲ ଯହୁଂ ଶୁଭିଲା ଶବଦ

ଆକାଶ ଉଛୁଳଇ ଯେ ବୀରତୂର ନାଦ |୩୫୦|

ଚାଲନ୍ତି ସନ୍ୟବଳ ବନ ଗହନ ମାଡ଼ି

ଅନେକ ନଗ୍ର ଲୋକେ ପଳାଉଛନ୍ତି ଛାଡ଼ି |୩୫୧|

ଅନେକ ଗୋରୁ ମନୁଷ୍ୟ ବନଜନ୍ତୁ ଆଦି କରି

ଅଭକ୍ଷ ଭକ୍ଷ ଅସୁରେ ଖାଉଛନ୍ତି ପୋଡ଼ି |୩୫୨|

ପଞ୍ଚବିଂଶ ଯୋଜନ ମାଡ଼ି ଚଳଇ ସଇନି

ବିବାନେ ବସିଅଛି ଅସୁର ସତ୍ୟଭାମାଂକୁ ଘେନି |୩୫୩|

ମଣିଭଦ୍ରା ନାମେ ଅଛଇ ପର୍ବତ ଗୋଟାୟେ

ସେ ପର୍ବତ ଉପରେ ବସିଛି ପାଣ୍ଡବ ଧନୁର୍ଜୟେ |୩୫୪|

ଶତଧନୁ ବୋଇଲା ଶୁଣିମା ଫାଲଗୁନି

ଦକ୍ଷିଣ ବନସ୍ତେଣ ଶୁଭଇ ଘୋର ଧୁନି |୩୫୫|

କେବଣ ରାଜାର ୟେ ବଡ଼ ଥାଠ ଗୋଟାୟେ

ୟେଥୁଂ ଆଡ଼ ହୋଇ ଯିବା କିହୋ ପାଣ୍ଡବ ଧନୁର୍ଜୟେ |୩୫୬|

ଅର୍ଜୁନ ବୋଇଲା ଯିବେ ନାହିଂକି ପଥଶ୍ରାନ୍ତି

ପର ଛାର ଥାଠକୁ ଯେ ମୋହୋର କିସ ଭ୍ରାନ୍ତି |୩୫୭|

ଯେ ଅବା ଶତ୍ରୁ ହୋଇ ଆସିବ ଅଗ୍ୟାନେ

ଯେତେକ ଥାଠ ଥିବେ ମୁଂ ଗୁନ୍ଥିବି ୟେକ ନାରାଜ ମୁନେ |୩୫୮|

ଶତଧନୁ ଅର୍ଜୁନ କଥା ହୁଅନ୍ତେଣ ତହିଂ

ରାକ୍ଷସବଳ ଥାଠ ଭେଟିଲେକ ଯାଇଂ |୩୫୯|

ଯେବଣ ଥାନେ ଅଛନ୍ତି ପାଣ୍ଡବ ଧନୁର୍ଜୟେ

ରାତ୍ର ଦିଶୁଅଛି ତହିଂ ଯେ ଦିବସ ପରାୟେ |୩୬୦|

ଗୋସିଂହ ରଥେ ଥାଇ ଦେଖିଲେ ଶକ୍ରାବତୀ

ଅର୍ଜୁନ ରଖ ବୋଲି ଉଚ୍ଚେଣ ଡାକ ଦ୍ୟନ୍ତି |୩୬୧|

ଶତଧନୁ ବୋଇଲା ତୁମ୍ଭେ ଶୁଣିମା ଫାଲଗୁନି

ସତ୍ୟଭାମା ଠାକୁରାଣୀଂକର ତ ଶୁଭଇ ମୁଖ ଧୁନି |୩୬୨|

ଶକ୍ରାଜିତ ନନ୍ଦିନୀ ଶ୍ରୀକୃଷ୍ଣ ପାଟବଂଶୀ

କେଉଂଣ ଦାନବ ପୁଣ ହରି ନେଉଅଛି |୩୬୩|

ପୁଣି ପୁଣି ରୋଦନ କରି ଯେ ଡାକ ଦିଅନ୍ତି ସତ୍ୟଭମା

ରକ୍ଷାକର ଅର୍ଜୁନ ହୋ ମୁଂ ଶ୍ରୀକୃଷ୍ଣଂକର ବାମା |୩୬୪|

ଅର୍ଜୁନ ରକ୍ଷାକର ରକ୍ଷାକର ବୋଲି ଉଚ୍ଚେ ଦିଲେ ବାଣୀ

ଗୋସିଂହ ଦତ୍ୟ ମୋତେ ବଳେଣ ଧରି ଆଣି |୩୬୫|

ସତ୍ୟଭାମାଂକ ବଚନ ଯହୁଂ ଅର୍ଜୁନ ଶୁଣିଲା

ମନଭେଦୀ ନାରାଜକୁ ବୀର କରେଣ ଧଇଲା |୩୬୬|

ଆହୋ ନାରାଜ କେ କାହାକୁ ଧରିଛି ବଳାତ୍କାର

ବାରିତ ନୁହଇଂ ରାତ୍ର ଘୋର ଅନ୍ଧକାର |୩୬୭|

ପଥ ନିରୋଧ କର ହୋ ତ୍ରଇଲୋକ୍ୟ ଭୁବନେ

କେହି କାହିଂକି ଯାଇ ନୁଆରିବେଟି ସକଳ ସଇନେ |୩୬୮|

ରାତ୍ର ପାହିଲେଟି ଦେଖି ବିଚାର କରିବା

ଦୁଷ୍ଟ ହୋଇଲେ ତାକୁ ପ୍ରାଣେହେଂ ମାରିବା |୩୬୯|

ବାସବୀର ବଚନେ ଚଳିଲା ନାରାଜ ମନଭେଦୀ

ଆକାଶ ପାତାଳ ପୂର୍ବ ପଚ୍ଛିମ ଉତ୍ତର ଦକ୍ଷିଣ ଛଡ଼ପନ୍ଥ ନିରୋଧି |୩୭୦|

ୟେସନେକ ମହିଂମା ଶର ମନଭେଦୀ

ଯାହା ବିଚାରି ପେଷିବ ତାହା କାର୍ଯ୍ୟ କରଇ ସିଦ୍ଧି |୩୭୧|

କେଉଂଣ କତିକି କେହି ନ ପାଇଲେ ବାଟ

ମଧ୍ୟରେ ରହିଲା ସେ ଯେ ଅସୁରବଳ ଥାଠ |୩୭୨|

ଗୋସିଂହ ବୋଇଲା ରଥ ବାହା ହୋ ଦୁର୍ଦ୍ଦଣ୍ଡ ସାରଥି

ବାହୁ କିନା ରଥ ମୋର ଚାଲିଯିବା ଧାତି |୩୭୩|

ସାରଥି ବୋଇଲା ଦେବ ପଶିଲୁ ଆସି କାହିଂ

ନିରୋଧ ପଡ଼ିଲା ହୋ ଯାଇତେ ବାଟ ନାହିଂ |୩୭୪|

ପୂର୍ବ କତିକି ସେ ଚଳାଇଲା ରଥ

ତେଣେ ବାଟ ନାହିଂ ପଡ଼ିଅଛି ଶରପଥ |୩୭୫|

ଚଉରାଶି କ୍ଷୌହିଣୀ ବଳ ପଡ଼ିଛନ୍ତି ନିରୋଧି

ମେରୁ ପର୍ବତ ଯେହ୍ନେ ପଚ୍ଛିମ ଦିଗ ରୁନ୍ଧି |୩୭୬|

ପୂର୍ବକୁ ବାଟ ଯେ ନ ପାଇଲା ସାରଥି

ବାହୁଡ଼ାଇ ରଥ କଲା ଦକ୍ଷିଣ ମୂରତି |୩୭୭|

ଦକ୍ଷିଣ ଦିଗେ ଯେ ଯାଇତେ ନାହିଂ ବାଟ

ପଛିମ ଦିଗକୁ ଧୂଆଂଇଲା ଅସୁର ବଳ ଥାଠ |୩୭୮|

ଯେସନେକ ପାଚେରୀ ବେଢିଥାଇ ଗଡ଼

ବାଟ ନ ପାଇ ଯେସନେ ଅଟଇ ଲଙ୍କାଗଡ଼ |୩୭୯|

ସାରଥିକି ବୋଇଲା ଅସୁରକୁଳ ନାହା

ଆକାଶ ମଣ୍ଡଳକୁ ତୁ ମୋର ରଥ ବେଗେ ବାହା |୩୮୦|

ଗଗନକୁ ରଥ ବାହିଲା ମହାବୀରା

ଆକାଶ ମଣ୍ଡଳଯାକ ହୋଇଅଛି ଶରପୀଡ଼ା |୩୮୧|

ସାରଥି ବୋଇଲା ଦେବ ଆକାଶକୁ ନାହିଂ ବାଟ

ବିକଳେ ଅନ୍ତରାଳ ଅସୁର ବଳ ଥାଠ |୩୮୨|

ଗୋସିଂହକୁ ମନ୍ତ୍ରୀ ଜପାସୁର ବୋଇଲା

ଆମ୍ଭର ବୋଲ ନ କଲୁ ରାଜା ତୋତେ ପ୍ରାମଦ ପଡ଼ିଲା |୩୮୩|

ପିତାର ବଚନ ମେଣ୍ଟଇ ଯେବଣ ସେ ପୁତ୍ର

ଆୟୁଷ କ୍ଷୟ ପାୟେ ହୋଇ ନିରୁତାନ୍ତ |୩୮୪|

ଶାଶୁର ବଚନ ମେଣ୍ଟଣ କରଇଟି ଯେବଣ କୁଳବଧୂ

ସନ୍ତାନ ହାନି ହୋଅଇ ଜନ ମୁଖେ ଅସାଧୁ |୩୮୫|

ସ୍ଵାମୀର ବଚନ ଯେବେ ମେଣ୍ଟଇ ଘରଣୀ

ଗୃହ ବାସ ପ୍ରାପତ ନୋହୋଇ ସେ ଅଟଇ ଦୋଚାରୁଣୀ |୩୮୬|

ଗୁରୁ ବଚନ ଯେବେ ମେଣ୍ଟଣ କରଇ ଶିଷ୍ୟ

ହତମୂର୍ଖ ହୋଅଇ ବିଦ୍ୟା ନୋହୋଇ ଅବଶ୍ୟ |୩୮୭|

ମନ୍ତ୍ରୀର ବଚନ ଯେବେ ମେଣ୍ଟଇ ନୃପତି

ହତରାଜ୍ୟ ହୋଇ ନାଶ ଯାଇ ସକଳ ବିଭୂତି |୩୮୮|

ବଡଂକର ବଚନ ମେଣ୍ଟିଲେ ପଡ଼ଇ ପରମାଦ

ଶାହାସ୍ର ନିନ୍ଦା କଲେଟି ହୋଅଇ ଆପଦ |୩୮୯|

ଯେ ସେ ମନ୍ତ୍ରୀ ସେ ରାଜ୍ୟକୁ ଅଟଇ ଗୁଣନିଧି

ମନ୍ତ୍ରୀର ବଚନେ ରାଜ୍ୟକୁ ସୁବିଧାନେ ସର୍ବ ସିଦ୍ଧି |୩୯୦|

ବତିଶ ଗୁଣରେଟି ହୁଅଇ ନୃପତି

ତେତିଶ ଗୁଣ ଥିଲେ ହୁଅଇ ଜାଣ ମନ୍ତ୍ରୀ |୩୯୧|

ଆହୋ ସତ୍ୟଯୁଗେ ଜଳତରଙ୍ଗ ବୋଲି ରାୟେ ୟେକ ଥିଲା

ମନ୍ତ୍ରୀ ବୁଦ୍ଧିବଳେ ସେ ତିନି ଜଗତ ଜିଣିଲା |୩୯୨|

ଯୁଗାନ୍ତେକ ବଇରି ସେ ବରୁଣ ପୁରକୁ ଥାଠ ପଲାଣିଲା

ନୋହୋଇ ନୋହୋଇ ବୋଲି ତାହାକୁ ମନ୍ତ୍ରୀ ଯେ ବୋଇଲା |୩୯୩|

ମନ୍ତ୍ରୀର ବଚନ ରାଜା କଲାକ ଅବଗ୍ୟାଂ

ବୋଇଲା ତୁ ୟେଥି ଥାଇଂ ଦେଖ ମୋହୋର ପ୍ରତଗ୍ୟାଂ |୩୯୪|

ୟେହିକ୍ଷଣି ସାଂଗ୍ରାମେ ଜିଣିମି ଜଳନିଧି

ସିନ୍ଧୁ ଜିଣି ଆଣିମଇଂ ମୁହିଂ ଅନେକ ରତ୍ନ ନିଧି |୩୯୫|

ମନ୍ତ୍ରୀର ବଚନେ ଯେ ଅବଗ୍ୟାଂ କରିଲା

ଚଉରାଶି କାଠି ତାର ସଇନି ଘେନି ସମୁଦ୍ରକୁ ବାହିଲା |୩୯୬|

ବରୁଣ ଭୁବନକୁ ବୋଲି ପଶି ଯାଉଅଛି

ଅସୁର ପାଣି ପିଅନ୍ତି ସମୁଦ୍ର ଯାଇ ଘୁଞ୍ଚି |୩୯୭|

ଦେଖି କରି ସମାର୍ଜନା କଲାକ ବରୁଣ ଜଳନିଧି

ଜଳତରଙ୍ଗକୁ ଦିଲା ଅମୂଲ୍ୟ ରତ୍ନ ନିଧି |୩୯୮|

ସେତେକ ଘେନି ଯେବେ ବାହୁଡ଼ି ଆସନ୍ତା

ତ୍ରଇଲୋକ୍ୟ ଭୟେ ଥାନ୍ତା ଆପଣା ପ୍ରତଗ୍ୟାଂ ରହିଥାନ୍ତା |୩୯୯|

ଜଳତରଙ୍ଗ ବୋଇଲା ଯେବେ ତୋତେ ନ ନାଶିବୁଂ

ୟେ ବାରାନିଧି ଯାକ ମୋତେ ସନ୍ଧାନ ତୁ ଦବୁ |୪୦୦|

ଶୁଣ ବାବୁ ଗୋସିଂହ ରାଜପଦ ବଡ଼ାଇ ଦୁଲଭ

ରାଜ୍ୟଧର ହୋଇଲେ ଯେ ଧନକୁ ହୋଅଇ ବଡ଼ ଲୋଭ |୪୦୧|

ଅତି ଲୋଭକୁ ଯେତେବେଳେ ବଳାଇ ସେ ବୁଦ୍ଧି

ଲୋଭେଣ ପାପ ଆପଣେ ନାଶ ଯାଇଟି ସମ୍ପ୍ରଦ୍ଧି |୪୦୨|

ଜଳତରଙ୍ଗ ଯେତେବେଳେ ବରୁଣକୁ କଟାଳ କଲା

ଲକ୍ଷେ ଯୋଜନ ପରିଯନ୍ତେ ରତ୍ନାକର ଘୁଞ୍ଚିଗଲା |୪୦୩|

ଲକ୍ଷେ ଯୋଜନ ରାଜା ଯେତେବେଳେ ଯାଇଂ ପଶି

ଅନେକ ଅଗାଦ ଜଳେ ପଶନ୍ତେ ହୋଇଲା ଝାସି |୪୦୪|

ବରୁଣ ଦେବତା ଯେ ସମାଧାନ କରୁଥିଲା

କଟାଳ ଦେଖି ତାକୁ ତିନି ନିଧି ଯାଚିଲା |୪୦୫|

ତିନି ନିଧିରେ ଜଳତରଙ୍ଗ ବୋଧ ଯେ ନ ଗଲା

ବାରାନିଧି ଯାକ ମୁଂ ଘେନିମି ବୋଇଲା |୪୦୬|

ୟେସନେକ ବୋଲନ୍ତେ ଜଳଭୁବନ ତେଜି ଗଲାକ ଜଳାଧି

ପବନ ଦେବତା ଆଗେ କହିଲାକ କାନ୍ଦି |୪୦୭|

ଜଳ ପବନ ଅନଳ ଆମ୍ଭେ ତିନିହେଂ ୟେକ ମୂର୍ତ୍ତି

ସତ୍ୟେଣ ଆଚରି ଆମ୍ଭେ ପାଳିବାନା ପୃଥୀ |୪୦୮|

ଚନ୍ଦ୍ର ସୂର୍ଯ୍ୟ ମେଘ ଆଦି କରି ଆମ୍ଭେ ଛଡ଼ ଦଇବତ

ସଚରାଚର ପାଳିବାକୁ ଆମ୍ଭେ ସିନା ସତ |୪୦୯|

କୋଟିୟେ ବ୍ରହ୍ମାଣ୍ଡ ଆଶ୍ରେ କରି ଆମ୍ଭନ୍ତହିଂ ଗଛି

ପାଳକ ପୁରୁଷ ଆମ୍ଭେ ଆମ୍ଭେ ତହୁଂ କେ ଆନ ଅଛି |୪୧୦|

ସମୁଦ୍ର ପାଣି ଛାଡ଼ିବ ମେଘ ବରଷିବ

ଅଗ୍ନି ପାକ କରିବ ପବନ ବହୁଥିବ |୪୧୧|

ଆଦିତ୍ୟର ତେଜ ଚନ୍ଦ୍ର ଦେବ ସୁଧା ରସ

ୟେମନ୍ତେ କରି ଯେ ଆମ୍ଭେ ପାଳୁଂ ଚତୁର୍ଦ୍ଦଶ |୪୧୨|

ବରୁଣ ବୋଇଲା ଦେବ ଶୁଣିମା ପବନ

ତୋହୋର ପ୍ରାୟେ ସୋଦର ମୋତେ କଳିଲେ ଯାତୁଧାନ |୪୧୩|

ଅନେକ କ୍ରୋଧ ଯହୁଂ ବରୁଣ କହିଲା

ଅଣଚାଶ ମୂର୍ତ୍ତି ଧରି ପବନ ସମୋଦ୍ରେ ବହିଲା |୪୧୪|

ଦକ୍ଷିଣ ମୂର୍ତ୍ତି ହୋଇ ପଶି ଯାଉଥିଲେ ଅସୁରେ

ଉତ୍ତର ମୂର୍ତ୍ତି ହୋଇ ପବନ ବହିଲେ ରୋଷଭରେ |୪୧୫|

ଜଳପବନ ମେଘ ତିନିହେଂ ୟେକତ୍ଵ ହୋଇଲେ

ଜଳତରଙ୍ଗ ଉପରେ ମାଡ଼ିଣ ପଡିଲେ |୪୧୬|

ଲକ୍ଷେ ଯୋଜନ ଅଗାଦ ଗଭୀରେ ଅସୁରେ ଥିଲେ ପଶି

ଚଉରାଶି କାଠି ସନ୍ୟ ସମସ୍ତ ଗଲେ ଭାଷି |୪୧୭|

ମନ୍ତ୍ରୀର ବଚନ ଯହୁଂ ଜଳତରଙ୍ଗ ନ କଲା

ଶୁଣ ହୋ ଦେବ ଗୋସିଂହ କାଳେ ୟେମନ୍ତ ହୋଇଲା |୪୧୮|

ପରକୁ ପରମାଦ ଚିନ୍ତଇ ଯେଉଂଣ ପ୍ରାଣୀ

ବିହନ୍ତା ପୁରୁଷ ତାକୁ ଦଣ୍ଡ ବିହନ୍ତି ଅବଶ୍ୟ ଆଣି |୪୧୯|

କେଉଂଣ ମହାତ୍ମାୟେ ନିରୋଧିଲା ବାଟ

ଅତି ଦୁଷ୍ଟପଣେ ନାଶ ଗଲା ୟେଡେ ବଡ଼ ଥାଠ |୪୨୦|

ମନ୍ତ୍ରୀ ୟେସନେକ କହନ୍ତେ ପ୍ରସର ହେଲା ରାତି

ରାକ୍ଷସ ବଳ ଦେଖିଲେ ପାଥର ମୂରତି |୪୨୧|

କରପତ୍ର ଯୋଡ଼ି ଅର୍ଜୁନକୁ କହଇ ଶତଧନୁ

ସ୍ଵାମୀ ବଡ ଦୁଲଭ ହୋଇଲା କୋଇନ୍ତାଂକର ତନୁ |୪୨୨|

ଗୋସିଂହ ଦଇତ ୟେ ମୟେଂଷାସୁର ପଣନାତି

ତ୍ରଇଲୋକ୍ୟ ଜିଣନ୍ତା ୟେ ପୁରୁଷେ ବଧ୍ୟ ନୁହନ୍ତି |୪୨୩|

ଜପାସୁର ମନ୍ତ୍ରୀ ଘେନିଣ ଅଇଲା ସତ୍ୟଭାମା

ଅର୍ଜୁନକୁ ବୋଇଲା ୟେହାନ୍ତ ସମ୍ଭାଳ ମହାତମା |୪୨୪|

ଦେଖିଣ ଧାତିକାରେ ଉଠିଲେ ଫାଲଗୁନି

ସତ୍ୟଭାମା ପଦ୍ମପାଦେ ଅର୍ଜୁନ କରଇ ଦଇନି |୪୨୫|

କ୍ରୋଧଭରେ କହନ୍ତି ସେ ଶକ୍ରାଜିତର ଦୁଲାଳୀ

ୟେ ସେ ଗୋସିଂହ ବାବୁ ନାଶକଲା ରାମ ବନମାଳୀ |୪୨୬|

ସମସ୍ତ କଥାମାନ ଯହୁଂ କହିଲେ ଶକ୍ରାବତୀ

ଗର୍ଜିଣ ଅର୍ଜୁନ ଯେ ଉଠିଲା କୋପମୂର୍ତ୍ତି |୪୨୭|

ଜପାସୁର ମନ୍ତ୍ରୀ କେଶ ଧଇଲା ବାମ କରେ

ବିଜେକର୍ଣ୍ଣକଟାରେ ପିଟିଲା ଧାତିକାରେ |୪୨୮|

ଅସୁର ଦୁରାନ୍ତେକ ଛାଡ଼ିଲାକ ଘୋର ରଡ଼ି

ପର୍ବତରୁ ସିଘଂ ଯେହ୍ନେ ପଡିଲାକ ଝଡ଼ି |୪୨୯|

ବେନି ପ୍ରହର ଯେ ଛିଡ଼ିଲା ତାର ମୁଣ୍ଡ

ପଡ଼ିଲା ଦାନବ ଯେ ହୋଇଣ ବେନି ଖଣ୍ଡ |୪୩୦|

ମନ୍ତ୍ରୀବର ପଡନ୍ତେ ଧାଇଂଲେ ବେଗେ କଉଣୋପେ

ଅର୍ଜୁନକୁ ନାରାଜ ଅନେକ ବିନ୍ଧିଲେ ବୀର କୋପେ |୪୩୧|

ସୂର୍ଯ୍ୟକେତୁ ବିମାନ ଯେ ଗୋସିଂହ ଚଢିଥିଲା

ଅର୍ଜୁନ ସୁମରନ୍ତେ ଆସି ଛାମୁରେ ମିଳିଲା |୪୩୨|

ସେ ବିମାନ ଉପରେ ଯେ ଶକ୍ରାବତୀଂକି ବସାଇ

ପର୍ବତ ଉପରକୁ ଅର୍ଜୁନ ଘେନି ଯାଇ |୪୩୩|

ଶତେ ଖର୍ବ ସନ୍ୟ ଯେ ଅସୁରର ବଳ

ଅର୍ଜୁନ ଉପରକୁ ନାରାଜ ବିନ୍ଧନ୍ତି ସକଳ |୪୩୪|

ତହିଂର ଉପରେ ବିଜେ କଲା ବୀର ପାଥ

ଅକ୍ଷୟେ ତୂଣ କଷିଣ ଧନୁ ଧରି ହାଥ |୪୩୫|

ଅର୍ଜୁନ ବୋଇଲେ ତୁ ହୋ ଶୁଣ ଶତଧନୁ

ଗୋସାମଣୀଙ୍କ ପାଖେ ଥାଅ ତୁ ପର୍ବତ ସନିଧାନୁଂ |୪୩୬|

ଯେସନେକ ଜଳବୃଷ୍ଟି କରଇ ଗଗନେ

ପରିଘ ନାରାଜ ବିନ୍ଧୁଛନ୍ତି ଅବିଛନ୍ନେ |୪୩୭|

ଶରଣେ ନିର୍ଜିତା ସେ ସାଂଗ୍ରାମେ ନିଶଂକା

ଯୋଦ୍ଧା ଅଚାର୍ଗଳ ଅଟଇ ରଣରଂକା |୪୩୮|

ଯୁଦ୍ଧେ ଅନିବାରଣ କ୍ଷତ୍ରିୟ ବୀରମଣି

ୟେକା ନାରାଜେ ସମସ୍ତ ଶସ୍ର ଦିଲା ହାଣି |୪୩୯|

କୁହୁକ ନାରାଜେକ ମାଇଲେ ଦଇତେ

ଅର୍ଜୁନ ନିବାରିଲା ନାରାଜ ସୂର୍ଯ୍ୟାବ୍ରତେ |୪୪୦|

କୁହୁଡ଼ିର ତେଜ ଯେ ସମସ୍ତ ଗଲା ଫାଟି

ପୁଣି ଦାନବ ଯେ ବିନ୍ଧିଲା ଅନେକ ଶର ଘୋଟି |୪୪୧|

ବହୁତ ନାରାଜ ପୁଣି ବିନ୍ଧିଲେ କଉଣୋପେ

ସମସ୍ତ ଧଂସ ହେଲା ଅର୍ଜୁନର ପରିତାପେ |୪୪୨|

ଅସଂଖ୍ୟ ସାଂଗ୍ରାମେ କଥା କହିତେ କି ପାରି

ବହୁତ ସାଂଗ୍ରାମ ପାତ ୟେକ ଶରେ କରି |୪୪୩|

ଦେଖୁ ଦେଖୁ ବିମୁଖ ଯେ ହୋଇଲା ବୀର ପାଥ

ପାଶୁପତ୍ର ନାରାଜ ଧଇଲା ବୀର ହାଥ |୪୪୪|

ବୋଇଲା ଯେବେ ତ୍ରିପୁତି ମନେ ଦେଇଛନ୍ତି ଦେବ କାଶୀ

ତୁ ମହାଶସ୍ର ଅସୁର ବଳ ପକା ଧଂସି |୪୪୫|

ୟେବେ ଧଂସି ପକା ତୁ ଦାନବ ବଳ ସଇନି

ପାଶୁପତ୍ର ନାରାଜ ଗୋଟି ପେଷିଲା ଫାଲଗୁନି |୪୪୬|

ପଡ଼ିଲା ମହାଶହସ୍ର ରୁଦ୍ର ତେଜ ଘେନି

ଯାନ୍ତେଣ ଦହନ ସେ ହୋଉଛନ୍ତି ସଇନି |୪୪୭|

ନୀଳ ବଣ ଭୁଜ ବାଣ ତୁମ୍ଭେ ହରି ହର ୟେକ ଆତ୍ମା

ତୁସ୍ତି କରି ଶହସ୍ର ବିନ୍ଧଇ ସେ କ୍ଷତ୍ରୀଂକର ଉତ୍ତମା |୪୪୮|

ନୀଳ ବାଣ ଭୁଜ ବାଣ ପାଶୁପତ୍ର ଶର

ତିନି ନାରାଜ ଘୋଟିଲା ଦିଗ ଯେ ଅମ୍ଵର |୪୪୯|

ଶତେ ଶତେ ତାଳ ଉଚ୍ଛର୍ଗ ଯେ ନାରାଜଂକ ଶିଖା

ଧରାଧର ବହନି ଯେ ମନା ଅନଳ ରେଖା |୪୫୦|

ଯେଉଂଣ ଶହସ୍ର ପାରନ୍ତି ଶତେ ବ୍ରହ୍ମାଣ୍ଡ ଘୋଟି

ତିନି ନାରାଜ ଯେ ଧାରା ତିନି ଗୋଟି |୪୫୧|

ଅସୁରେ ଦହିଜ୍ୟ ହୁଅନ୍ତି ଶହସ୍ରଂକ ତେଜ ଚାହିଂ

ଶର ପଛ ନିରୋଧ ପଳାଇତେ ବାଟ ନାହିଂ |୪୫୨|

ଖେଚରୀ ନାରାଜ ଦେଇଛନ୍ତି ଯେ ପାର୍ବତୀ

ସେ ନାରାଜ ଧନୁରେ ବସାଇଲା ମହାଛତ୍ରୀ |୪୫୩|

ସେ ନାରାଜକୁ ତିଆରଇ ବୀରବର ପାଥ

ପୂର୍ବେ ମୟେଂଷାକୁ ବଧ କଲୁ ଭୋ ଜଗତ ମାତ |୪୫୪|

ୟେବେହେଂ ୟେମାନେ ଅଟନ୍ତି ତୋହୋର ଭକ୍ଷ

ଗୋସିଂହ ବଳ ଭକ୍ଷି ତିନି ପୁର ରଖ |୪୫୫|

ଖେଚରୀ ନାରାଜ ଯେ ବିନ୍ଧିଲା ଫାଲଗୁନି

କିଳି କିଳା ନାଦ କରି ଉଠିଲା ବହନି |୪୫୬|

ଭେଦନ୍ତି ନାରାଜ ଅସୁରଂକ ରୋମାବଳୀ

ସୂଚିମୁନା ପ୍ରାୟେକ ହୋଇ ଯାଉଛନ୍ତି ଗଳି |୪୫୭|

ରକତେ କର୍ଦ୍ଦନ ଯେ ହୋଇଲା ଅସୁରଂକର କାୟେ

ଦିଶଇ ଶରୀର ଯେ ମନ୍ଦାର ପୁଷ୍ୟ ପ୍ରାୟେ |୪୫୮|

ୟେକା ଖେଚରୀ ନାରାଜ ଦିଶଇ କୋଟିୟେ କିରଣ ଜ୍ୟୋତି

ଯେତେକ ଦାନବ ଯେ ଧରଇ ତେତେକ ଘୋର ମୂର୍ତ୍ତି |୪୫୯|

ଆହୋ ତୁଷାର ବୃଷ୍ଟି କରଇ ଯେସନେକ ଶିଶିର

ସେହି ସାଦୃଶ୍ୟେ ବିନ୍ଧଇ ପାଥ ଅସୁରଂକ ଶରୀର |୪୬୦|

ପଡ଼ିଲେ ଦାନବ ବଳ ଘାୟେଣ ନିମଜ୍ଜି

ରଣେ ବିମୁଖ ହୋଇଣ ପଳାଇଲା ଭାଜି |୪୬୧|

ଯେବଣ ଆଗ୍ୟାଂ ସେ ଦିଲେ ସର୍ବସାଚୀ

ସେହି ରୂପେ ନାରାଜମାନେ ଯାଉଛନ୍ତି ଭକ୍ଷି |୪୬୨|

ଗୋସିଂହର ସଇନି ଯେ ଚଉରାଶି କାଠି

ୟେକା ଅର୍ଜୁନ ସବୁନ୍ତିହିଂ କଲା ଶର ବୃଷ୍ଟି |୪୬୩|

ଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁ

ଅସୁରେ ନାରାଜ ବିନ୍ଧନ୍ତି ୟେକା ଫାଲଗୁନୁ |୪୬୪|

ସେ ଅସୁର ବୀରମାନେ ଯେ ଅଛନ୍ତି ଅପ୍ରମିତ

ଅର୍ଜୁନକୁ ନାରାଜ ଯେ ବିନ୍ଧନ୍ତି ବହୁତ |୪୬୫|

ସେ ଶହସ୍ରମାନ ହୋଉଅଛନ୍ତି କେମନ୍ତ

ୟେହା ବିଚାରି ମୋତେ କହିବା ତପୋବନ୍ତ |୪୬୬|

ଅଗସ୍ତି ବୋଇଲେ ତୁ ଶୁଣ ହୋ ଯୋଗେଶ୍ଵର

ଚଉରାଶି କାଠି ସନ୍ୟ ଶର ବିନ୍ଧନ୍ତି ପାଥର ଉପର |୪୬୭|

କେ ଶତେ କେ ସହସ୍ରେ କେ ଲକ୍ଷେ କେ ମର୍ଭୁତ କେ କୋଟି କୋଟି

କକଡ଼ା ମାସ ଜଳ ପ୍ରାୟେ କରନ୍ତି ଶର ବୃଷ୍ଟି |୪୬୮|

ସମସ୍ତ ଦାନବ ବଳ ଯେତେକ ଶସ୍ର ମାରି

ୟେକା ଅର୍ଜୁନ ସମସ୍ତ ଶହସ୍ର ନିବାରି |୪୬୯|

ଯେବଣ ଶହସ୍ର ଅବା ଯାଉଅଛି ବଳି

ଅଗ୍ନି ଯେ ଦେଇଛନ୍ତି ବଜ୍ରଛାଲ ତହିଂ ପଡ଼ିହୋଉଛନ୍ତି ଧୂଳି |୪୭୦|

ଶହସ୍ରଂକୁ ଶହସ୍ର ହୁଅନ୍ତି ପରିତାଳ

ଆକାଶ ଉଛୁଳଇ ଶହସ୍ରଂକଇ ଜାଳ |୪୭୧|

ନୀଳ ବାଣ ଭୁଜ ବାଣ ପାଶୁପତ୍ର ଖେଚରୀ

ଦହନପାନ ନାରାଜ ତାହା କେହୁ ଜାଣିତ ନୁଆରି |୪୭୨|

ନୀଳ ବାଣ ଭୁଜ ବାଣ ପାଶୁପତ୍ର ଖେଚରୀ ଅନଳ

ଅଗ୍ନିଂକର ପଞ୍ଚୁ ଆତ୍ମା ଅଟନ୍ତି କାଳାନଳ |୪୭୩|

ଖାଣ୍ଡବ ବନ ଦହନେ ବଶ୍ୟାନର ଦେବତା ତୋଷ ହୋଇ

ପଞ୍ଚୁ ଆତ୍ମା ପଞ୍ଚୁଶର କରି ଅର୍ଜୁନକଇଂ ଦେଇ |୪୭୪|

ଶ୍ରୀଜଗନ୍ନାଥଂକ ରାଗେଣ ବୀର ଫାଲଗୁନି

କୋପେ ପେଷିଲା ପାଥ ଅଗ୍ନି ଶହସ୍ରନ୍ତ ଘେନି |୪୭୫|

ଅନିବାରଣ ସେ ଶର ବିନ୍ଧନ୍ତେ ନୋହଇ ବିଚାରି

ଦହିଲା ଦାନବ ବଳ ଘୃତ ଯୋଗ ପ୍ରାୟେ କରି |୪୭୬|

ପଞ୍ଚବିଂଶ ଯୋଜନ ମାଡ଼ି ଯେ ନିଦାଘ ବଳ ଥିଲେ

ସାତଘଡ଼ିମାନେ ସମସ୍ତ ଦହିଜ ହୋଇଲେ |୪୭୭|

ସଇନି ହତ ଦେଖିଣ ସେ ଦାନବ ଗୋସିଂହ

ଦେବଦଳନ ରଥ ଚଢି ମିଳିଲା ଅର୍ଜୁନର ଆଗ |୪୭୮|

ସାରଥି ବୋଇଲା ଦେବ ସାବଧାନେ ଶୁଣନ୍ତୁ

ୟେହାର ହାଥେ ହାଦେ ଅଛି ତୋହୋର ମୃତୁ |୪୭୯|

ବ୍ରହ୍ମା ବିଷ୍ଣୁ ମହେଶ୍ଵର ବଜ୍ରଧାରୀ ଆଦି କରି

ୟେକେ ୟେକେ ସମର କଲେ କେହି ନୋହେ ଅର୍ଜୁନ ସରି |୪୮୦|

ଚାରି ଦିଗପାଳ ୟେ ଅଟଇ ୟେକଇ ମୂରତି

ମୋତେ ଦୃଶ୍ୟ ହୋଇଲା ୟେହାର ଜ୍ୟୋତି କାନ୍ତି |୪୮୧|

ଆହୋ ବ୍ରହ୍ମା ଶିର ରୁଦ୍ର ଯେ ବସଇ ହୃଦଗତ

କଟି ମେଖଳା ବାସବ ୟେ ସବୁନ୍ତିହି ଗୋପ୍ୟ

ମୋତେ ଦୃଶ୍ୟ ହୋଇଲାଟି ୟେହାର ୟେସନେକ ସରୂପ |୪୮୩|

ଦେଖ ଦେଖ ଦିଶୁଅଛି ୟେହାର ରୂପକାନ୍ତି

ଦେଖିଲା ବେଳୁଂ ଦେବ ଲାଗିଲାକ ବଡ଼ ଭ୍ରାନ୍ତି |୪୮୪|

ସାଂଗ୍ରାମ ଛାଡ଼ି ଅବା ଯେବେ ଯିବାକ ପଳାଇ

ପଳାଇ ଯିବାକୁ ଦେବ ଶରପଛେ ବାଟ ନାହିଂ |୪୮୫|

ରଣ ଯାଗ କରିବାକୁ ତୁ ହୋ ନୁହସି ନିସତ

ନିଚୟେ ମୃତୁ ଆସି ତୋତେ ହୋଇଲା ପ୍ରାପତ |୪୮୬|

ସାରଥି ବଚନେ ସେ ଗୋସିଂହ ଅସୁର

ଜୀବନକୁ ଆଶ ଛାଡ଼ି ମରଣକୁ ଆଗୁଂସାର |୪୮୭|

ଦେବଦଳନ ରଥ ଛାଡ଼ି ପୁଣି ଚଢିଲା ୟେକ ହୟେ

ଅର୍ଜୁନ ଛାମୁରେଣ ମିଳିଲାକ ଆସି ଅସୁରକୁଳ ରାୟେ |୪୮୮|

କୋଟିୟେ ବଳ ଧନୁ ଧରିଣ ଅସୁର

ଦଶ ଲକ୍ଷ ନାରାଜ ବିନ୍ଧିଲା ସେ ପାଥର ଉପର |୪୮୯|

କୃତାନ୍ତେକ ନାରାଜ ଯେ ବିନ୍ଧଇ ଫାଲଗୁନି

ଗୋସିଂହର ଶହସ୍ରନ୍ତ ସବୁ ପକାଇଲା ହାଣି |୪୯୦|

ହସ୍ତର ବ୍ୟଗ୍ରେ ସେ ଶହସ୍ରମାନନ୍ତ ଦେଖିତ ନୁଆରି

ପବନହୁଂ ବେଗେ ସେ ଶହସ୍ରନ୍ତ ପ୍ରହରି |୪୯୧|

ପର୍ବତା ଶହସ୍ର ଯେ ମାଇଲା ଦନୁଜ

ବଜ୍ର ଶରେ ପାଥ ତାହା କରିଲେ ଦହିଜ |୪୯୨|

ବ୍ରହ୍ମ ଶହସ୍ର ଘେନି ମାଇଲା ରାକ୍ଷସ

ନାରାୟଣ ଶହସ୍ରେ ତାହା ପାଥ କଲାକ ବିନାଶ |୪୯୩|

ବାବଲ ଶରେକ ପାଥ ପେଷିଲା ମନଭେଦୀ

ଗୋସିଂହର ଧନୁ ବୀର ପକାଇଲା ଛେଦି |୪୯୪|

ମହା କୋପେଣ ପ୍ରତଗ୍ୟାଂ କରଇ ନିଦାଘ

ଅର୍ଜୁନ ଉପରେ ନେଇ ପିଟିଲା ପରିଘ |୪୯୫|

ଶୂନ୍ୟଗାମୀ ହୋଇଣ ଅର୍ଜୁନ ତାହା ବଂଚି

ବଜ୍ର ଶକତି ଘେନିଣ ପିଟିଲା ସର୍ବସାଚୀ |୪୯୬|

ଦେଖି ଦତ୍ୟ ବୀର ପାଡ଼ିଲା ନେଇ ଶିଂଗ

ଭାଜିଣ ବଜ୍ରଶକ୍ତି ହୋଇଲା ଶତେଭଙ୍ଗ |୪୯୭|

ଆଦିତ୍ୟ ଅଶ୍ଵ ଯେ କ୍ଷେତ୍ରପାଳ ଚଢିଥିଲା

ତାକୁ ମାରି ଲୋହାସୁର ସେ ଅଶ୍ଵ ନେଇଥିଲା |୪୯୮|

ଲୋହାସୁର ଥିଲା ସେ ଅଶ୍ଵ ଆରୋହି

ଗୋସିଂହ ବୋଇଲା ତାକୁ ଓହ୍ଲାଅ ରେ ତୁହି |୪୯୯|

ରାଜାର ବଚନ ସେ ଯେ ଅଶ୍ଵରୁ ଉତୁରିଲା

ଗୋସିଂହ ଯାଇ ସେ ଅଶ୍ଵ ଉପରେ ବିଜେକଲା |୫୦୦|

କୁନ୍ତ ତୀକ୍ଷ ମୁଦୁଗର ଆଦି ଘେନିଣ ଆଯୁଧ

ପୁଣ ସେ ଅର୍ଜୁନ ତୁଲେ ଆବୋରିଥିଲା ଯୁଦ୍ଧ |୫୦୧|

କ୍ଷେତ୍ରପାଳ ଅଶ୍ଵ ଯେ ଗୋସିଂହ ଚଢିଥିଲା

ତାହାକୁ ପକାଇ ସେ ପାଥ ଛାମୁରେ ମିଳିଲା |୫୦୨|

ପ୍ରଳୟ ଉତ୍ତାରଣ ଯେବଣ ବାରାସ

ଦେଖିଣ ଅର୍ଜୁନ ତାର ଚରଣେ ସମ୍ଭାଷ |୫୦୩|

ସେ ଅଶ୍ଵ ଚଢିଣ ଯେ ବୁଲାଇ ଆୟୁଧ

ଅସୁର ତୁଲେ ସେ କଲେ ଘୋର ଯୁଦ୍ଧ |୫୦୪|

ଆନ ଅଶ୍ଵ ଆରୋହଣ ସେ ଦତ୍ୟକୁଳ ବୀର

ଅର୍ଜୁନ ଛାମୁରେ ଯାଇଂ କଲାକ ସମର |୫୦୫|

ବଜ୍ର ମୂଷଳ ଘେନି ମାଇଲା ଦଇତପତି

ଅର୍ଜୁନ ପ୍ରହାର କଲା ଶୂଳ ଯେ ଶକତି |୫୦୬|

ଦେଖିଣ ଦଇତ ପାତିଲା ନେଇ ଶିଂଗ

କପାଳେ ପଡ଼ି ବଜ୍ର ଶକତି ହୋଇଲାକ ଭଙ୍ଗ |୫୦୭|

ପୁଣ ଅର୍ଜୁନ ଯେ ମାଇଲା ବଜ୍ରଶୂଳ

ଶର ଗବନ ଯେ ଅଟଇ ବିଚିତ୍ର ପ୍ରକାର |୫୦୮|

ପଡି ଚୂର ହୋଇଲା ଶୂଳ ଯେ ଶକତି

ଆକାଶେ ଝଲକି ଲାଗିଲା ଅଗ୍ନି ଜ୍ୟୋତି |୫୦୯|

ରାଗେଣ ଅର୍ଜୁନ ମାଇଲା ବ୍ରହ୍ମଅଗ୍ନି ଶର

ଅଗ୍ନି ଦେଖିଣ ତୁଣ୍ଡ ପାତିଲା ଅସୁର |୫୧୦|

ଗୋସିଂହର ଗର୍ଭେ ପଶିଲା ଅଗ୍ନି ବାଣ

ଅଗ୍ନିକି ଗ୍ରାହିଜ୍ୟ କଲାକ ଅସୁର ତତକ୍ଷଣ |୫୧୧|

ଦେଖିଣ ଆଶ୍ରିଜ ହୋଇଲେ ଦେବ ବ୍ରହ୍ମା

ସାଧୁ ସାଧୁ ଗୋସିଂହର ତୋହୋର ୟେଡ଼େକ ମହିମା |୫୧୨|

ଆକାଶେ ଥାଇଣ ଦେବେ ଯେ କରନ୍ତି ସର୍ବେ ଧୁନି

ଗୋସିଂହ ମାରି ଆକାଶ ରକ୍ଷାକର ଫାଲଗୁନି |୫୧୩|

ବୈଷ୍ଣବୀ ଚକ୍ର ଯେ ମହାମାୟା ଦେଇଥିଲେ

ସେ ଚକ୍ର ଘେନିଣ ଅର୍ଜୁନ ଗୋସିଂହକୁ ମାଇଲେ |୫୧୪|

ଯେବଣ ଚକ୍ର ଘେନି ଦୁର୍ଗା ମାଇଲେ ରକ୍ତବୀର୍ଯ୍ୟ

ତହିଂର ତେଜେ ତ୍ରଇଲୋକ୍ୟ ହେଉଛି ଦହିଜ୍ୟ |୫୧୫|

ସେ ଚକ୍ର ପଡ଼ିଲା ଯାଇଂ ଅସୁର ହୃଦଗତ

ହୋଇଲା ଦହିଜ ଯେ ଅସୁର ନିଜ ଗାତ୍ର |୫୧୬|

ଚଉବିଂଶ ଅଗ୍ନିରୁ ଯେଉଣ ଚକ୍ର ଉଗୁଳି

ଗୋସିଂହର ଅଙ୍ଗେ ପଡ଼ି ହୋଇଲାକ ପାଂଶୁ |୫୧୭|

ଦିବୟେକ ରାତ୍ରକେ ଯେ ଘୋର ସମର ହୋଇଲା

ଚଉରାଶି କାଠି ସନ୍ୟ ତୁଲେ ଗୋସିଂହ ନାଶଗଲା |୫୧୮|

ମାଘ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଗୁରୁବାର

ମୂଳା ନାମେ ନକ୍ଷତ୍ର ଯେ ଅଟଇ ସେ ଦିନର |୫୧୯|

ତୈତଳ ନାମେ କରଣ ହର୍ଷଣ ନାମେ ଯୋଗ

ମକର ସଂକରାନ୍ତିକି ତିରିଶ ଦିନ ଭୋଗ |୫୨୦|

ବେଳ ଅଢାଇ ପ୍ରହର ଶନିଶ୍ଚର ବେଳା

ଗୋସିଂହ ଦତ୍ୟ ନାଶଗଲା ସମର ମହାଖଳା |୫୨୧|

ତ୍ରିଦଶ ଦେବେ ସର୍ଗେ କଲେ ଧନି ଧନି

ବୋଇଲେ ତୋର ସର୍ବେ ଅରିଷ୍ଟ ଖଣ୍ଡଣ ହେଉ ହେ ଫାଲଗୁନି |୫୨୨|

ଭାରା ନିବାରଣ କର ବାବୁ ତୋର ହାଥେ

ଦେବେ ଅମୃତ ବୃଷ୍ଟି କଲେ ଅର୍ଜୁନର ମାଥେ |୫୨୩|

ଶ୍ରୀ ମହାଭାରତ ୟେ ମଧ୍ୟପର୍ବ କଥା

ଅଦ୍ୟାପି ବାକ୍ୟେ ପୁଚ୍ଛନ୍ତି ମନୁ ମହାଗ୍ୟାଂତା |୫୨୪|

ମୁହିଂ ୟେହା ବଖାଣିଲି ମହାମାୟା ପ୍ରସନ୍ନେ

କଳିକାଳ ତିମିରରୁ ମୁକତ ହୁଅ ଜନେ |୫୨୫|

ଗୋସିଂହ ବଧ ଯେହୁ ଶୁଣନ୍ତି ୟେକ ମନେ

ଆପାଦ ଖଣ୍ଡଇ ଶୁଣିଲେ ନିର୍ମଳ ଗ୍ୟାଂନେ |୫୨୬|

କୋଟିୟେ ତୀର୍ଥ କଲାର ଯେତେକ ଫଳଶ୍ରୁତି

ଖଣ୍ଡଇ ମହାପାତକ ହରଇ ଦୁର୍ଗତି |୫୨୭|

ସକଳ ସଂସାର ଜନମାନଙ୍କର ହିତେ

ବୁଧଜନମାନଂକୁ ମୁଂ ଦେଖାଇଲି ଶାହାସ୍ର ସଂଗତେ |୫୨୮|

ଅସଂଖ୍ୟ ମହାଭାରତ ୟେ କେହୁ ଅନ୍ତ କରୁ

ତୁଳନ୍ତେ ୟେ ସର୍ବହୁଂ ହୋଇଲା ମହା ଗରୁ |୫୨୯|

ଅନନ୍ତା ଗାୟତିରୀ ୟେ ଅଭୟେ ହିଙ୍ଗୁଳା

ପରମ ସାଧବୀ ଦେବୀ ଶ୍ରୀଚଣ୍ଡୀ ସାରୋଳା |୫୩୦|

ବହଇ ଗୋପ୍ୟାନେ ବୁଧମାତା ନାମେ ନଦୀ

ପାତାଳ ଗଣ୍ଡୁକୀରୁ ୟେ ମହାତୀର୍ଥ ଭେଦି |୫୩୧|

ସେ ନଦୀ ତୀରଣେ ଯାହାର ଆସନ ୟେକ ଲୟେ

ସଦା ସମ୍ପଦ ଯେ ଦିଅଇ ମହାମାୟେ |୫୩୨|

ସେ ପ୍ରସନ୍ନ ହିଙ୍ଗୁଳା ଅଭୟ ପଦ୍ମପାଦେ

ଅଦୃଷ୍ଟିକି ଲେଖିଲି ମୁଂ ତାହାର ପ୍ରସାଦେ |୫୩୩|

ଅଦ୍ୟାପି ଖେଳଇ ସେ ବାଳୁତ ରୂପ ଧରି

ପ୍ରତକ୍ଷେ ବର ଦେଉ ତୁ କଷ୍ଟରୁ କରୁ ପାରି |୫୩୪|

ୟେ ମାୟା ସଂସାର ସାଗରୁ ଉଦ୍ଧର ମହାଦେବୀ

ଅଭୟ ହାଥେ ବର ଦିଅଇ ମୁଂ ନିରନ୍ତରେ ସେବି |୫୩୫|

ନ ପଢି ପଣ୍ଡିତ ମୁଂ କଲାଇଂ ଅଭ୍ୟାସ

ବଦନ୍ତି ଶୂଦ୍ରମୁନି ଗ୍ରନ୍ଥିକ ଶ୍ରୀସାରୋଳା ଦାସ |୫୩୬|୨୬୦୧|

 

Unknown

ସୁଭଦ୍ରା ହରଣ

ବଦନ୍ତି ଅଗସ୍ତି ଯେ କୁମ୍ଭ ଋଷିଙ୍କର ବଚ୍ଛି

ୟେସନେକ ସାଧୁ କୃତ୍ୟ କଲାକ ସର୍ବସାଚୀ |୧|

ଅନେକ ରତ୍ନ ଯେ ଆଣିଥିଲେ ସେ ଅସୁରେ

ଶତଧନୁ ପୂରୋଇଲେ ସୂର୍ଯ୍ୟକେତୁ ବିମାନରେ |୨|

ସେ ସମସ୍ତ ରତ୍ନମାନ ଘେନିଣ ପାଣ୍ଡବ ଫାଲଗୁନି

ସତ୍ୟଭାମାଂକ ପାଦତଳେ ବିନୟ ଦଇନି |୩|

ସତ୍ୟଭାମାୟେ ବୋଇଲେ ପାଥ ମୁହିଂ କିସ ଦେବଇଂ ଯେ ତୋତେ

ଆମ୍ଭର ଆଇଷ ଘେନି ବ୍ରତିଥାଅ ବୀର ପାଥେ |୪|

ବାବୁ ରୈବ୍ରତ ପର୍ବତକୁ ବହନ ହୋଇ ଚାଲ ଯିବା

ରାମକୃଷ୍ଣଂକ ଚରିତ ବାବୁ ସମସ୍ତ ବୁଝିବା |୫|

ସତ୍ୟଭାମା ବିଜେ କଲେ ସୂର୍ଯ୍ୟକେତୁ ବିମାନେ

ରଥଆଗେ ଚଳନ୍ତି ଶତଧନୁ ଅରଜୁନେ |୬|

ତିନି ଦିନେ ପ୍ରବେଶ ଯାଇଂ ହୋଇଲେ ରୈବ୍ରତ ପର୍ବତେ

ଦେଖିଲେ ସେ ଭୁବନ ଯାକ ହୋଇଅଛି ଭଗନସ୍ତେ |୭|

ଯାଗ କୁଣ୍ଡେ ଗୋପ୍ୟାନ ହୋଇଛନ୍ତି ବେନି ଭ୍ରାଥେ

ଜଗବନ୍ଦନ ନାଥଂକୁ ସମ୍ଭାଳିଲେ ଅଗ୍ନି ଦଇବତେ |୮|

ଅର୍ଜୁନ ପ୍ରବେଶ ହୋଇଲେ ଯାଇଂ ଯଗ୍ୟଂ କୁଣ୍ଡ ସନିଧାନେ

ଅଗ୍ନି ଦେବତାଂକୁ ବିନୋଇ ବୋଇଲେ ପାଲଗୁନ୍ୟେ |୯|

ଜୟ ତୁ ମହା ଅନଳ ଅନାଦି ଦେବତା

ଶୋଷକ ନାଶକ ସ୍ଵାମୀ ତୁହି ସେ ଉଦ୍ଧାରନ୍ତା |୧୦|

ଯଦ୍ୟପି ଅନୁରାଗ ମୋତେ କଲୁ ତୁ ବହନି

ସଦେହେ ଦେଖାଅ ମୋତେ ରାମକୃଷ୍ଣ ବେନି |୧୧|

ଶୁଣି ପରମ ସାନନ୍ଦ ଯେ ହୋଇଲେ ଦେବ ବଶ୍ୟାନର

ଯାଗ୍ୟଂ କୁଣ୍ଡ ଭିତରୁ ଦେବ ହୋଇଲେ ଅବତାର |୧୨|

ଧବଳ କମଳ ରୁଚିର ଶିରେ ସପତ ଫେଣି

ଦିଶନ୍ତି କାମପାଳ ମହା ଅନଳ ତେଜ ଜାଣି |୧୩|

ନୀଳ ଉତ୍ପଳ ଯେ ତନୁ ବିରାଜନ୍ତି ଶଙ୍ଖଚକ୍ର ପାଣି

ଅଗ୍ନିରୁ ବାହାର ଦେବ ଶତଚନ୍ଦ୍ର ଜ୍ୟୋତି ଜାଣି |୧୪|

ଶତଧନୁକୁ ଘେନି ଅର୍ଜୁନ ପାଦେ ପରିଣାମି

ଅନଳ ବିଦାରଣ ନାଥ ମୋତେ ଉଦ୍ଧର ଦେବ ସ୍ଵାମୀ |୧୫|

ଗୋବିନ୍ଦେ ବୋଇଲେ ପାଥ ତୁ ତ ଆମ୍ଭନ୍ତ ଉଦ୍ଧାରିଲୁ

ଗୋସିଂହର ଦର୍ପେ ଆମ୍ଭେ ଧଂସିତ ହୋଇଥିଲୁ |୧୬|

କରପତ୍ର ଯୋଡ଼ିଣ ଶତଧନୁ ବୋଇଲା

ଶକ୍ରାଜିତ ଦୋହିତୀଂକି ଗୋସିଂହ ହରି ନେଉଥିଲା |୧୭|

ମଣିଭଦ୍ରା ନଦୀ ତୀରେ ଆମ୍ଭେ ଥିଲୁ ରହି

ସତ୍ୟଭାମା ଡାକଦିଲେ ଅର୍ଜୁନ ମୋତେ କର ତ୍ରାହି |୧୮|

ମୁହିଂ ବୋଇଲି ଦେବ ଶୁଣିମା ବୀରମଣି

ରଖ ରଖ ବୋଲି ଡାକୁଛନ୍ତି ସତ୍ୟଭାମା ଗୋସାମଣୀ |୧୯|

ୟେହା ଶୁଣି କରି ପାଥ ପେଷିଲା ନାରାଜ ମନଭେଦୀ

ନାରାଜ ଘେନି ୟେ ଯେ ପଞ୍ଚୁ ପଥ ନିରୋଧି |୨୦|

ସ୍ଵାମୀ ! ରଣଯଗ୍ୟଂ କଥା ଦେବ କହିତ କି ପାରି

ଅଢାଇ ପ୍ରହର ଯେ ଥାଠ ସବୁ ହୋଇଲେ ଅପହାରି |୨୧|

ଯେଉଂଣ ସମର କଲା ଗୋସିଂହ ଅସୁର

ତ୍ରଇଲୋକ୍ୟ ମଧ୍ୟରେ ସେ ଅଟଇ ଅଗୋଚର |୨୨|

ଅଷ୍ଟ ଅବଧାନେ ଶୁଣନ୍ତି କୃଷ୍ଣ ହଳଧାରୀ

କହଇ ଶତଧନୁ ସାଂଗ୍ରାମ କଥା ସଞ୍ଚପି କରି |୨୩|

ଅନେକ ବୋଇଲେ ଯେ ଦେବ ରାମ ହରି

ଆରେ ଶତଧନୁ ତୁ ବର ମାଗ ପଞ୍ଚୁମନେ ବିଚାରି |୨୪|

ପ୍ରଳମ୍ଵ ହୋଇ ଶତଧନୁ ବୋଲଇ ବଚନ

ଦୋଷ ଉପେକ୍ଷା କରି ସ୍ଵାମୀ ମୋତେ ଦେବା ଜୀବଦାନ |୨୫|

ଗୋବିନ୍ଦ ବୋଇଲା ଯେ ହୋଇଲେ ତୁ ରକ୍ଷା

ଥାଅ ୟେବେ ଦ୍ଵାରକାୟେ ତୋର ପୂରୁ ମନୋବାଞ୍ଛା |୨୬|

ବଳରାମେ କୋଳ କରି ଧଇଲେ ଅର୍ଜୁନକୁ

ଅନେକ ପୁରୁଷାର୍ଥ କଲେ ହରି ବଳରାମେ ପାଥକୁ |୨୭|

ତୁ ହୋ ପାଥ ଆମ୍ଭର ପ୍ରାଣର ହିତକାରୀ

ପ୍ରତେକ୍ଷ ତୁ ଯେ ଆମ୍ଭନ୍ତ ନିରଞ୍ଜନ ଦେବତା ସରି |୨୮|

ତୁହି ସେ ଅନାଦି ବାବୁ ଧାରଣ ମହାତମା

ତୁହି ସେ ପ୍ରତକ୍ଷେ ହାଦେ ଆମ୍ଭନ୍ତ ପିତାମହ ବ୍ରହ୍ମା |୨୯|

ତୁହି ସେ ଅର୍ଜୁନ ମୋର ଦ୍ଵାରିକାପୁର ବନ୍ଧୁ

ଧନି ଧନି ପାର୍ଥିବ ଯେ ଜୀବନ ତୋର ସାଧୁ |୩୦|

ପରହିତକାରୀ ତୁ ଯେ ପର ଦୁଖେ ଦୁଖୀ

କିସ ଦେଇ ତ୍ରିପୁତି କରିବି ଶକ୍ୟ ମୋର କିସ ଅଛି |୩୧|

ଅନେକ ସାନନ୍ଦ ହୋଇ ତହିଂ କୃଷ୍ଣ ବଳଦେବ

ରୌବ୍ରତ ପର୍ବତେ ଯେ କରନ୍ତି ଉତ୍ସବ |୩୨|

ନଳକୁବେର ଚିତ୍ରସେନ ସମୋଦ୍ର ପଡ଼ିଥିଲେ

ବରୁଣ ଦେବତା ତାହାନ୍ତ ସମ୍ଭାଳି ରଖିଲେ |୩୩|

ସେ ତିନିହେଂ ପ୍ରବେଶ ହୋଇଲେ ଆସି ରୈବ୍ରତ ପର୍ବତେ

ଯାଦବେ ଯେ ପର୍ବତେ ରହିଥିଲେ ଗୁପତେ |୩୪|

ରୈବ୍ରତ ପର୍ବତେ ଯେ ଅଟଇ ତିନିପୁର

ଅସୁର ଭୟେ ଲୁଚିଥିଲେ ତଳପୁର ବିମ୍ଵର |୩୫|

ଶ୍ରୀ ବଳରାମଂକର ଦୃଢ ବଚନ ଶୁଣି

ପର୍ବତ ତଳୁଂ ବାହାର ହୋଇଲେ ପୁତ୍ରବଧୂ ଘେନି |୩୬|

ଅର୍ଜୁନକଇଂ କୋଳ କରି ଦେବ ଶିରୀବତ୍ସି

ମଥାରୁ ଜଟା ଦେବ ଆପଣେ ଫେଡ଼ୁଅଛି |୩୭|

ଉଗ୍ରସେନକୁ ରାଇ ଆଗ୍ୟାଂ ଦିଲେ ଶିରୀବତ୍ସ

ପାର୍ଥର ଉତ୍ସବ ଯାତ୍ରା ସମସ୍ତେ ହେ ବାଞ୍ଛ |୩୮|

ଗୋସିଂହ ବଧ ଶୁଣି ସମସ୍ତ ତପୋଧନି

ରଇବ୍ରତ ପର୍ବତେ ବିଜେ ଶିଷ୍ୟମାନନ୍ତ ଘେନି |୩୯|

ଅର୍ଜୁନକୁ କଲ୍ୟାଣ କରନ୍ତି ସର୍ବମୁନି

ଆମ୍ଭର ଆଶୀଷ ଘେନି ବ୍ରତ ଫାଲଗୁନି |୪୦|

ତିନି ପୁରେ ଜିଣନ୍ତା କ୍ଷେତ୍ରୀ ତୋତେ ନୋହୁ

ବାସୁଦେବନ୍ତ ଘେନି ଉଶ୍ଵାସ କର ମେଦିନୀ ଥିରେ ରହୁ |୪୧|

ଆଶୀର୍ବାଦ କରିଣ ଅକ୍ଷତ ଦିଲେ ଶିରେ

ଅର୍ଜୁନ ଲୋଟଇ ସର୍ବ ଋଷିଙ୍କ ପୟରେ |୪୨|

ଅର୍ଜୁନର ଜଟା ଫିଟାଇ ସୁଗନ୍ଧି ଅୟେଂଳା ଲଗାଇ

ଅର୍ଜୁନକଇଂ ସ୍ନାହାନ କରାନ୍ତି ଆପେ ଯଦୁକୁଳ ସାଇଂ |୪୩|

ସତ୍ୟଭାମା ରତ୍ନ ଘଟେ ପାଣି ଦିଅନ୍ତି ତୋଳି

ଆପଣେ ଶ୍ରୀକରେ ଦେବ ଜଗନ୍ନାଥ କେଶ ଯେ ପଖାଳି |୪୪|

ପଦ୍ମନ ଗଦ ଶାମ୍ଵ ସାତୁକୀ ସହିତେ

ରତ୍ନ ଝରୀରେ ପାଣି ତୋଳି ଦିଅନ୍ତି ସମସ୍ତେ |୪୫|

ସୁବର୍ଣ୍ଣ ସିଂଘାସନେ ବସାଇ ଫାଲଗୁନି

ପୋଛନ୍ତି ସ୍ଵାମୀ ଶ୍ରୀକରେ ନେତବସ୍ର ଘେନି |୪୬|

ସାତୁକୀ ଶତଧନୁ ଯେ ଆଲଟ ଘେନି ଢାଳି

ଶ୍ରୀହସ୍ତେ ଜଗନ୍ନାଥେ ଆପଣେ କେଶ ଯେ କୁରୁଳି |୪୭|

କେଶ ଶୁଖାଇ ଦେବ ପୁଷ୍ୟମାନନ୍ତ ଘେନି ହାଥେ

ଦ୍ଵାଦଶ ବର୍ଣ୍ଣେ ଗଭା ମଥାରେ ବାନ୍ଧିଲେ ଜଗନ୍ନାଥେ |୪୮|

ଅନେକ ଅଳଂକାର ଶରୀରେ କଲେକ ଆଭରଣ

ଶିରେ ମଣି ମୁକୁଟ ସୀମନ୍ଥିନୀ ଭୂଷଣ |୪୯|

ଖଞ୍ଜନ୍ତି ଗଜମୁକୁତା ପୁଞ୍ଜି ପୁଞ୍ଜି ଲଲାଟ ପାଟି

ତହିଂ ଆଭରଣ ଦିଲେ କର୍ଣ୍ଣାଞ୍ଚଳ ବେନି ଗୋଟି |୫୦|

କର୍ଣ୍ଣରେ ଝଲକନ୍ତି ଅମୃତ କୁଣ୍ଡଳ

ହୃଦରେ ପଦକ ଭୂଷଣ କଣ୍ଠେ ରତ୍ନମାଳ |୫୧|

ତାଡ଼ତୋଢର ଯେ କଂକଣ ବାହୁଟି

ବିଦ ମୁଦି ଅଷ୍ଟରତ୍ନେ ଜଡ଼ିତ କଚଟି |୫୨|

ପାଦରେ ନୂପୁର କଟିରେ ରତ୍ନ ମେଖଳା ଶୋଭା

ଯେସନେକ ଶୋଭାବନ ଦିଶଇ ଚନ୍ଦ୍ରପ୍ରଭା |୫୩|

ବୀରବେଶ ଅଳଂକାର ଯେ କରିଣ ବନମାଳୀ

ଚନ୍ଦନ ଚତୁସମ ଘେନି ଦେବ ଆପଣେ ଶାମଳି |୫୪|

ଗନ୍ଧରାଜ ଚନ୍ଦନ ମୃଗନାଭି କସ୍ତୁରି

ଅନେକ ବୀରବେଶ କଲେକ ଦେବ ହରି |୫୫|

ଆପଣେ ସ୍ରାହାନ ସାରିଲେ ଅଚ୍ୟୁତ

ଅନେକ ବେଶ ବେଶନ ହୋଇଲେ ଜଗତଭୂତ |୫୬|

ଦିବ୍ୟ ସିଂଘାସନ ବିଜୟେ ଦେବ ହରି

ଅର୍ଜୁନକୁ ଜାନୁରେ ବସାଇଲେ କୋଳ କରି |୫୭|

ଆଗ୍ୟାଂ ଦିଲେ ଦେବ ଯେ ସତ୍ୟଭାମାଂକୁ ରାଇ

ସକଳ କନ୍ୟାମାନନ୍ତ ତୁମ୍ଭେ କହ ବେଗେ ଯାଇଂ |୫୮|

କରେ ଅର୍ଘ୍ୟ ଘେନିଣ ସମସ୍ତେ ଆସନ୍ତୁ

ଅର୍ଜୁନର ଶିରେ ଆଣି ଅର୍ଘ୍ୟ ବନ୍ଦାପନ୍ତୁ |୫୯|

ସତ୍ୟଭାମା କହିଲେ ସମସ୍ତ କନ୍ୟାଂକର ପାଶ

ଶ୍ରୀକୃଷ୍ଣଙ୍କର ଆଦେଶ ଅର୍ଜୁନକୁ ଅର୍ଘ୍ୟ ଦେବା ହୁଅସି ସୁବେଶ |୬୦|

ଶୁଣିଣ ସାନନ୍ଦ ଯେ ସକଳ ଯୁବତୀ

ସର୍ବ ଅଳଂକାର ଭରି ସୁବେଶ ହୁଅନ୍ତି |୬୧|

ନାନାଦି କୁସୁମେ ସେ ଯେ କବରୀ ଭାର ଶାମଳି

ପଦ୍ମକରେ ଘେନିଲେ ଅର୍ଘ୍ୟସ୍ଥାଳୀ ମାଣିକ୍ୟ ଦୀପାବଳୀ |୬୨|

ଚନ୍ଦ୍ରଶାଳା ପୁରେ ବିଜୟେ ଚକ୍ରପାଣି

ଅର୍ଜୁନକୁ କୋଳରେ ବସାଇ ଅଛନ୍ତି ଅଭେଦ ଆତ୍ମା ଜାଣି |୬୩|

ଦ୍ଵାରେ ଉଭାହୋଇ ରହିଲେ କୃଷ୍ଣର ସକଳ ମନୋହରୀ

ହରି ଅର୍ଜୁନକୁ ବନ୍ଦାଇ ଚିହ୍ନିତ ନୁଆରି |୬୪|

କେହୁ ଶ୍ରୀହରି କେହୁ ବା ଅଟଇ ବାର ପାଥ

କାହାର ଶିରରେ ଅର୍ଘ୍ୟ ଦେବା କହ ଗୋ ସଂଘାତ |୬୫|

ଅର୍ଜୁନ ବୋଲି ନ ପୁଣ ସ୍ଵାମୀଂକି ବନ୍ଦାଇ

କୋପ କରିବେ ନା ଗୋ ଯଦୁକୁଳ ସାଇଁ |୬୬|

କେ ମାଧବ କେ ଅଟଇ ବୀର ଫାଲଗୁନି

ନିରେଖି କନ୍ୟାୟେ ଯେ ନୁଆରନ୍ତି ଚିହ୍ନି |୬୭|

ଜମ୍ଵୁବତୀ ବୋଇଲେ ଗୋ ମୁଂ ଜାଣଇ ସଂଘାତ

ଅର୍ଜୁନର କୋଳେ ଗୋ ବସିଛନ୍ତି ଜଗନ୍ନାଥ |୬୮|

ଋକ୍ମିଣୀ ବୋଇଲେ ସଖୀ ୟେ ନୋହଇ ଯୁଗତ

ଆମ୍ଭର ପୁରକୁ ଅର୍ଜୁନ ଅଟଇ ଅଭ୍ୟାଗତ |୬୯|

ଅଭ୍ୟାଗତ କୋଳରେ କି ବସିବେ ଗୃହବାସୀ

ୟେ ମୋହୋର ବିଚାରକୁ ୟେହୁ କଥା ତ ନୁଆସି |୭୦|

ଆବର ବିଶେଷେ ଅର୍ଜୁନ ଅଟଇ କନିଷ୍ଠ

କନିଷ୍ଠର କୋଳେ କାହୁଂ ବସିବାକ ଜ୍ୟେଷ୍ଠ |୭୧|

କାଳନ୍ଦୀ ବୋଇଲେ ଯେ ୟେ କଥା ନ ଯୋଗାଇ ମନକୁ

ଜଗନ୍ନାଥ କେମନ୍ତେ କୋଳେ ବସାଇବେ ଅର୍ଜୁନକୁ |୭୨|

ଅର୍ଜୁନର ଉତପତ୍ତି ଯେ ମନୁଷ୍ୟର ଯୋନି

ଜଗନ୍ନାଥ କୋଳେ କାହିଂ ବସାଇବେ ଫାଲଗୁନି |୭୩|

କନ୍ୟାଂକର ବିଚାରନ୍ତେ ଦେବ ଜାଣିଲେ ମୁରାରି

ଅନ୍ତର୍ଯ୍ୟାମୀ ନାଥ ଜାଣିଲେ ଦଇତାରି |୭୪|

ୟେକଇ ଶରୀର ଆମ୍ଭେ କୃଷ୍ଣ ଫାଲଗୁନି

ନିରେପି କନ୍ୟାମାନେ ଆମ୍ଭନ୍ତ ନୁଆରିଲେ ଚିହ୍ନି |୭୫|

କନ୍ୟାମାନଂକର ମୁଖ ଚାହିଂଣ ଜଗନ୍ନାଥ

ଅର୍ଜୁନର ମସ୍ତକେ ଦେବ ଦିଲେ ହାଥ |୭୬|

ଆରେ ମୋର ପ୍ରାଣର ସଂଘାତ ସର୍ବସାଚୀ

ବନବାସ ଲଗୁତି ତୋ କେତେ ଦିନ ଅଛି |୭୭|

ଜାଣିଲେ ଯୁବତୀମାନେ ଠାରିଲେ ଗୋବିନ୍ଦ

ଅର୍ଘ୍ୟ ଘେନି ଭିତରେ ପଶିଲେ ପରମ ସାନନ୍ଦ |୭୮|

ପ୍ରଥମେ ଅର୍ଘ୍ୟ ଦିଲେ ଅର୍ଜୁନର ଶିରେ

ଦୁଜେ ବନ୍ଦାଇଲେ ନେଇ ଦେବ ଦାମ୍ଵୋଦରେ |୭୯|

ସାଧୁ ସାଧୁ ଅର୍ଜୁନ ହୋ ତୋହୋର ଜୀବନ

ବିଷ୍ଣୁର କୋଳେ ବସିବାକୁ ହୋଇଲୁ ଭାର୍ଜନ |୮୦|

ମାନବ ଜନ୍ମ ହୋଇ ଜୀବନ ତୋର ଧନି

ସାଧୁ ସାଧୁ ପାତ ତୋର ପିଅର ଜନନୀ |୮୧|

ସାଧୁ ସାଧୁ ଧନୁର୍ଜୟେ ୟେ ତୋହୋର କୁଳ ଧର୍ମ

ସାଧୁ ହୋ ଧନୁର୍ଜୟେ ତୋହୋର ପାର୍ଥିବ ନାମ |୮୨|

ୟେ ସଂସାର ସୟଳ ମଧ୍ୟେ ଯାହାକୁ ସର୍ବେ ପୂଜି

ସେ ଅନାଦି ପୁରୁଷ ଜଗନ୍ନାଥ ଆଜି ତୋତେ ଭଜି |୮୩|

ତ୍ରଇଲୋକେ ଅସଂଖ୍ୟ ବାବୁ ତୋହୋର ମହିଂମା

ପରମାନନ୍ଦ ପୁରୁଷ ତୁ ମାନବ ଉତ୍ତମା |୮୪|

ଅନେକ ପ୍ରଶଂସା ଯେ କରନ୍ତି ନନ୍ଦର କୁମାରୀ

ଅର୍ଜୁନ ରୂପ ଦେଖି ମଦନ ଶରେ ତନୁ ଘାରି |୮୫|

ପଞ୍ଚୁଭୂତ ଆତ୍ମା ଯେ ହୋଉଅଛି କଷ୍ଟି

ଅନଙ୍ଗ ଶରଘାତେ ନୁଆରିଲେ ଉଠି |୮୬|

ଋକ୍ମିଣୀଂକି ରାଇ ଆଗ୍ୟାଂ ଦିଲେ ଦାମ୍ଵୋଦର

ଶୀଘ୍ରେ ଯାଇଂ ଅମୃତ ପାଗ ବେଗେ କର |୮୭|

ନାରାୟଣଂକ ବଚନେ ଚଳନ୍ତି ଯୁବତୀ

ସୁଭଦ୍ରା ଲେଉଟି ଯାଇ ନୁଆରିଲେ ବିରହ ଜର ମତି |୮୮|

କନ୍ୟାମାନେ ସମସ୍ତେ ଗଲେ ବାହାର ହୋଇ

ପୁଣ ପୁଣ ସୁଭଦ୍ରା ଯେ ଲେଉଟି ଲେଉଟି ଚାହିଂ |୮୯|

ମୋହୋଣ କାମିନୀ ଯେ ପଡ଼ିଲାକ ଢଳି

କୋଳ କରି ସତ୍ୟଭାମା ଧଇଲେକ ତୋଳି |୯୦|

କୋଳେ ଧରିଣ ସେ ଯେ ବୋଲନ୍ତି ଶକ୍ରାବତୀ

ଅର୍ଜୁନକୁ ଦେଖି ମା ଗୋ କଲୁକି ମନେ ଭ୍ରାନ୍ତି |୯୧|

ସୁଭଦ୍ରାକୁ ଘେନି ତହୁଂ ଯେ ଚଳନ୍ତି ସତ୍ୟଭାମା

ନିଜ ପୁରେ ପ୍ରବେଶ ଯାଇଂ ନାରାୟଣଂକ ବାମା |୯୨|

ୟେକାନ୍ତ ମନ୍ଦିରେ ବସି କରନ୍ତି ଭାଳେଣି

ଶରୀର ତୋହୋର ବିକୃତ କିମ୍ପା କଲୁ ଗୋ ସଂଘାତୁଣୀ |୯୩|

ସୁଭଦ୍ରା ବୋଇଲେ ମୁଂ ମନ୍ଦକୃତ୍ୟ କଲି

ମୁଂ କିମ୍ପାଇ ଅର୍ଘ୍ୟ ଘେନି ଭିତରେ ପଶିଲି |୯୪|

ମଦନ ଶରେ ବିକତି ହୋଇଲା ମୋର କାୟେ

ଶରୀର ଭେଦିଲା ମୋର ଅନଙ୍ଗ ଶର ଘାୟେ |୯୫|

କେବଣ ଉପାୟେ ମୁଂ କରିବି ସଂଘାତୁଣୀ

ଅର୍ଜୁନକୁ ଯେବେ ମୋତେ ଭେଟାଇ ପାରୁ ଆଣି |୯୬|

ସତ୍ୟଭାମାୟେ ବୋଇଲେ ନୋହଇ କିଛି କାର୍ଯ୍ୟ

ତୋହୋର ୟେମନ୍ତ ହୋଇଲେ ଉପୁଜିବ ବହୁତ ଲାଜ |୯୭|

ସୁଭଦ୍ରା ବୋଇଲେ ମୋତେ ଅର୍ଜୁନ ନାଶଗଲା

କିସ ପ୍ରୟୋଜନେ ୟେ ଦ୍ଵାରିକାକୁ ଅଇଲା |୯୮|

ମୁହିଂ ତୋହୋର ଶରଣ ଗୋ ଗଲଇଂ ଶକ୍ରାବତୀ

ଛାଡ଼ିଲି ଲାଜ ଭୟ ମୁଂ ହୋଇଲି ନିଭ୍ରାନ୍ତି |୯୯|

ତୁ ଯେବେ ସତ୍ୟଭାମା ଗୋ ପ୍ରସନ୍ନ ହୋଉ ମୋତେ

ଅର୍ଜୁନକୁ ଭେଟ ନେଇ କରାଇବୁଂ ଗୁପତେ |୧୦୦|

ୟେମନ୍ତେ ଅର୍ଜୁନକୁ ଯେବେ ନୁଆରିବୁ ଭେଟ କରି

ରାତ୍ରକାଳେ ପଶିବି ମୁଂ ଅର୍ଜୁନ ଶୟନ ପୁରୀ |୧୦୧|

ଯେସନେକ ଲାଜ ଭୟ ତେଜଇ ଟସକର

ମୁହିଂ ଆଚରଣ କଲି ସଖୀ ତେସନେକ ବେଭାର |୧୦୨|

ଚଉର୍ଯ କଲା ଲୋକର ଲାଜଂଇ ଯେ ନାହିଂ

ମାଗି ଯେ ବଞ୍ଚନ୍ତି ତାଂକର ସଂକୋଚ ଅବା କାହିଂ |୧୦୩|

ପର ଅନ୍ନ ଭୋଜନକୁ ସଖୀ ଗୋ ଯେ ନିତ୍ୟେ କରଇ ଆଶ

ସେହି ଜନମାନଂକର ଲଜ୍ଜା ଆର କିସ |୧୦୪|

ପରଦାରା ପ୍ରକୃତ ଯେବଣ ଜନେ ଚିନ୍ତନ୍ତି

ତାହାଂକର ଥାଇ କି ଗୋ ଲଜ୍ଜାକଇଂ ଭୀତି |୧୦୫|

ଯେଉଣ ପ୍ରାଣୀ ସଖୀ ଗୋ ହୁଅନ୍ତି ଭିକ୍ଷାଶୀ

ତାହାଂକର ଲଜ୍ଜା ଆବର କିସ ପରକାଶି |୧୦୬|

ଯେଉଂଣ ପ୍ରାଣୀ ସଖୀ ଯାଆନ୍ତି ବରଯାତ୍ରୀପଣେ

ସେ କିମ୍ପେ ଲାଜ କରିବେ ସଖୀ ଅକାରଣେ |୧୦୭|

ସ୍ଵାମୀରେ ଦୁର୍ଭାଗୀ ହୋଅନ୍ତି ଯେଉଣ ନାରୀ

ତାହାଙ୍କର ଲଜ୍ଜା ସଖୀ ଥାଇ କି ଆଚରି |୧୦୮|

ସଖୀ ଧନଖିନ୍ନ ଅଟନ୍ତି ଯେଉଣ ପୁରୁଷ

ସେ ଜନଂକର ଲଜ୍ଜା ଥାଇ ଆର କିସ |୧୦୯|

ଯେଉଣ ଜନେ ପଶନ୍ତି ଅବରଣେ ମଧ୍ୟ ପାତ୍ରେ

ତାହାଂକର ଲଜ୍ଜା ଆର କେବଣ ନିମନ୍ତେ |୧୧୦|

ଯେଉଣ ପ୍ରାଣୀମାନେ ହୋଅନ୍ତି ହାଦେ ରୋଗୀ

ସେ ଜନହିଂ ସଖୀ ଗୋ ଲଜ୍ଜା ପରିତ୍ୟାଗୀ |୧୧୧|

ମୁହିଂ ଯେ ବିରହିତା ହୋଇଲେ ସଂଘାତ

ତେଜିଲି ଲଜ୍ଜା ଯେ ସଂକୋଚ ସହିତ |୧୧୨|

କାମର ଆରେତ ମୁଂ ଯେ ସଖୀ ସମସ୍ତ କଲି ତେଜ୍ୟା

ବାଳୁତ ଜନଂକର ସଖୀ ଆବର କିସ ଲଜ୍ଜା |୧୧୩|

ମୁହିଂ ତୋତେ ଶରଣ ମାଗଇଂ ମନେ ବାଞ୍ଛା

ଭଗତଜନ ମତ୍ସଳୀ ଗୋ କର ମୋତେ ରକ୍ଷା |୧୧୪|

ଅନେକ ଅଳଂକାର ଦେଇ ସତ୍ୟଭାମା ପାଦେ ବନ୍ଦି

ଚରଣେ ଦୟିନୀ କରି ଉଚ୍ଚସ୍ଵରେ କାନ୍ଦି |୧୧୫|

ମୁହିଂ ବାଳୁତ ନାରୀ ତୋତେ କରିବି କିସ ସେବା

କୋଇନ୍ତାଂକର ନନ୍ଦନ ଅର୍ଜୁନକୁ ମୋତେ ଆଣି ଦେବା |୧୧୬|

ସଖୀ ଗୋ ପର ଉପୁଗାର କରନ୍ତି ଯେଉଣ ଜନ

ଜୀବନ୍ତ ସାର୍ଥକୁ ତାର ମଲେ ବସଇ ବଇକୁଣ୍ଠ ଭୁବନ |୧୧୭|

ସୁଭଦ୍ରା ବଇକୁଲ୍ୟ ଦେଖି ବୋଲନ୍ତି ସତ୍ୟଭାମା

ଅନେକ ମତେ ବୁଝାବନ୍ତି ଦେବୀ ନାରାୟଣଂକ ବାମା |୧୧୮|

ଚଳ ଯା ସୁଭଦ୍ରା ଗୋ ତୋହୋର ନିଜ ପୁର

ଅର୍ଜୁନକୁ ଭେଟାଇବି ତୋହୋର ସଙ୍ଗତର |୧୧୯|

ୟେସନେକ ସନ୍ଦେଶ ଯହୁଂ ସତ୍ୟଭାମା କହି

ଶକ୍ରାବତୀ ପାଦ ତଳେ ସୋହୋଦ୍ରା ଦେବୀ ଶୋଇ |୧୨୦|

ଚରଣ ତଳେ ଲୋଟଇ ଯେ ନିର୍ମାକ୍ଷୀ ଜନ ହୋଇ

ତୁ ମୋତେ ରକ୍ଷାକର ଗୋ ଜଗନ୍ନାଥର ମହାଦେଈ |୧୨୧|

ପୁଣ ପୁଣ ଚରଣ ଧରି ସୋହୋଦ୍ରା ଅନେକ ବିନୟେ

ଜଗନ୍ନାଥେ ବିଜେ କଲେ ୟେମନ୍ତର ସମୟେ |୧୨୨|

ପ୍ରତକ୍ଷେ ଦେଖିଲେ ସତ୍ୟଭାମା ପାଦତଳେ ସୋହୋଦ୍ରା ପରିଣାମି

ଦେଖିଣ ଆଶ୍ରିଜ ହୋଇଲେ ଜଗନ୍ନାଥ ଦେବ ସ୍ଵାମୀ |୧୨୩|

ସୋହୋଦ୍ରା ବାହାର ହୋଇ ଗଲେ ସଂକୋଚ ଚିତ୍ତେ

ମେଢରେ ପ୍ରବେଶ ହୋଇଲେ ବିରହ ହୃଦଗତେ |୧୨୪|

ସତ୍ୟଭାମାଂକ ସନ୍ନିଧେ ପ୍ରବେଶ କେଶବ

କିମ୍ପେ ସୁଭଦ୍ରା ତୁମ୍ଭନ୍ତ ହୁଅଇ ବହୁତ ବିନୟଭାବ |୧୨୫|

ସତ୍ୟଭାମାୟେ ବୋଇଲେ ଦେବ ଯାହାର ଯାହାକୁ ପୀରତି

ଉପୁଜଇ ବହୁତ ଭାବ ଯହୁଂ ଅନେକ ଭଗତି |୧୨୬|

ଯେଉଂ ଦେବ ମାୟାରେ ସେ ସକଳ ପ୍ରବୋଧି

ପରମ ଆତ୍ମା ପୁରୁଷ ଜାଣଂଇ ସକଳ ବୁଦ୍ଧି |୧୨୭|

ଗୋବିନ୍ଦେ ବୋଇଲେ କିମ୍ପେ ଆମ୍ଭନ୍ତ ଗୋପ୍ୟ କଲ କଥା

ସ୍ଵାମୀ ଆଗେ ଯୁବତୀଂକର କହି ନୋହେ ମିଥ୍ୟା |୧୨୮|

ସତ୍ୟଭାମାୟେ ବୋଇଲେ ଦେବ ଶୁଣିମା ଶ୍ରୀବତ୍ସି

ଗୁପତ କଥା ୟେ ଦେବ କହିତ ଲୋଡ଼ଇ ସଂକୋଚି |୧୨୯|

ଜାଣିଣ ମାଧବ ଯେ ବହୁତ କଟାଳି

ସରୂପ କହସି ସଖୀ ବଦନ୍ତି ବନମାଳୀ |୧୩୦|

କରପତ୍ର ଯୋଡ଼ିଣ କହଇ ଶକ୍ରାବତୀ

ଅର୍ଜୁନକୁ ଦେଖି ସୁଭଦ୍ରା ମନେ କଲେ ଭ୍ରାନ୍ତି |୧୩୧|

ଅତି ଅସାଷ୍ଟମ ଦେବ ସେ କାମର ଆରତେ

ତେଣୁ କରି ଦେବ ସୁଭଦ୍ରା ବିନୟ କରଇ ମୋତେ |୧୩୨|

ଗୋବିନ୍ଦ ବୋଇଲେ ତୁମ୍ଭେ କହିଲ ୟେଡ଼େ କାଳେ

ଆମ୍ଭେ ଜାଣୁଂ ତାର ମନ ଅର୍ଘ ଦେଇ ଲେଉଟାଣି ବେଳେ |୧୩୩|

ଆସିବାର ବେଳେ ସେ ଲେଉଟି ଚାହଂଇ ପୁଣି ପୁଣି

ତୁମ୍ଭେ ଯେ ତାହାକଇଂ ଗୋ କୋଳ କରି ଆଣି |୧୩୪|

ସତ୍ୟଭାମା ବୋଇଲେ ଦେବ କରିବା କେମନ୍ତେ

ଗୋବିନ୍ଦ ବୋଇଲେ ତୁମ୍ଭେ ମନେ ନ କର କିଛି ଭୀତ |୧୩୫|

ଅର୍ଜୁନେ ସୁଭଦ୍ରାକୁ କରାଅ ନେଇ ଭେଟ

ତୁମ୍ଭନ୍ତ ଯେ ଭଗତି ହୋଇଲା ଫିଟୁ ତାର କଷ୍ଟ |୧୩୬|

ଅର୍ଜୁନ ଦ୍ଵାଦଶ ବରଷ ବନବାସ ସାରି

ଦ୍ଵାରିକା ରକ୍ଷାକଲା ଗୋସିଂହକୁ ମାରି |୧୩୭|

ସମୟେକେ ଅଇଲା ଯେ ପାଥ ଆମ୍ଭର ପୁରକୁ

କିସ ଦେଇ ଭଗତି ଆମ୍ଭେ ହୋଇବା ତାହାକୁ |୧୩୮|

ସୁଭଦ୍ରାକଇଂ ବର ତ ନୋହିଲା ଦ୍ଵାରିକାୟେ

ସୋମବଂଶ ନିକଳଂକ ବାସବ ତନୟେ |୧୩୯|

ଧାର୍ମିକ ବିବେକ ସେ କଇଚ୍ଛ ଜଗଜ୍ଜେଠୀ

ଅସମୟେ ଆମ୍ଭନ୍ତ ରକ୍ଷା କରଇ କିରୀଟୀ |୧୪୦|

ସୋମବଂଶ ଉପୁଜିବ ଯେଉଂଣ ସନ୍ତାନ

ସେହି ସେ କୁଳକୁ ବଂଶିକ ଯେ ହୋଇବ ଚିରନ୍ତନ |୧୪୧|

ୟେ ଜମ୍ଵୁଦ୍ଵୀପ ମଧ୍ୟେ ସପ୍ତଦ୍ଵୀପା ପୃଥିବୀ

ସୋମବଂଶହିଂ ସେ ଠାକୁର ଆବର ଗଉରୋବୀ |୧୪୨|

ଅର୍ଜୁନକୁ ଆମ୍ଭେ କନ୍ୟା ଗୋଟିୟେ ଯେବେ ଦେବା

ୟେହାଉଂ ଆମ୍ଭେ ଭାଗ୍ୟ ଅବା ଆବର କିସ ଅରଜିବା |୧୪୩|

ସତ୍ୟଭାମା ବୋଇଲେ ୟେ କଥା ଦୃଢ କର

ବୁଝାଇ କହ ତୁମ୍ଭେ ଠାକୁରଂକ ଛାମୁର |୧୪୪|

ଆବର କିମ୍ପା ଆମ୍ଭେ ଚଉର୍ଯପଣ କରିବା

ଉଚ୍ଛବ କରାଇ ଅର୍ଜୁନକୁ ସୁଭଦ୍ରା ବିଭା କରାଇବା |୧୪୫|

ଗୋବିନ୍ଦ ବୋଇଲେ ୟେହା ଭାଙ୍ଗିବେ କାମପାଳେ

ପାଣ୍ଡବଂକ ନାମରେ ସେ ଚଳନ୍ତି ସଦାବେଳେ |୧୪୬|

ସତ୍ୟଭାମା ବୋଇଲେ ରହିବ କି କାର୍ଯ୍ୟ

ଦେଖି ଘାନ୍ତିୟେ ଜଣାଂଇ କିନା ପ୍ରଭୁ ଦେବରାଜ |୧୪୭|

ନାରାୟଣ ବୋଇଲେ ଗୋ ଶୁଣ ଶକ୍ରାବତୀ

ଯଶୋଦାଂକ ପୁରକୁ ତୁମ୍ଭେ ଯାଅ ଆଜ ରାତି |୧୪୮|

ସମସ୍ତ ସମ୍ପାଦ ତୁମ୍ଭେ କହ ଯଶୋଦାଂକୁ

ସେ ଯାଇଂ ବାରେ କହନ୍ତୁ ବଳଦେବ ଠାକୁରଂକୁ |୧୪୯|

ୟେମନ୍ତ ବୋଲି ସ୍ଵାମୀ ଜଗନ୍ନାଥେ ଆଗ୍ୟାଂ ଦିଲେ

ଗୁପତେ ଭେଟାଇବା ବଳରାମେ ନାସ୍ତି କଲେ |୧୫୦|

ତହୁଂ ବିଜେ କରିଗଲେ ଦେବ ଶିରୀପତି

ଋକ୍ମିଣୀ ପୁରେ ଅର୍ଜୁନକୁ ଘେନିଣ ବିଜୟେ କରନ୍ତି |୧୫୧|

ସ୍ରାହାନ ତର୍ପଣ ଯେ ଆହାନିକ ସାରି

ମୁଣୋହିଂରେ ବିଜେ କଲେ ଦେବ ଦଇତାରି |୧୫୨|

ସୁବର୍ଣ୍ଣର ପଇଲମ ଅଷ୍ଟରତ୍ନ ଜଡ଼ି

ଆସନ ସମାର୍ଜନା ଦେବ ଶୁକଳବସ୍ର ପାଡ଼ି |୧୫୩|

ସୁବର୍ଣ୍ଣ ରୁଖାରେ ଯେ ଶତେକ ଦୀପାବଳୀ

ଗୁଆଘୃତ ଦେଇ ନେତର ବଳିତାୟେ ସଂଜାଳି |୧୫୪|

ଶ୍ରୀକୃଷ୍ଣ ଅର୍ଜୁନ ଯେ ଶଉଚ କଲେ ପାଦ

ମୁଣୋହି ଆସ୍ତାନେ ବିଜେ ଅର୍ଜୁନ ଗୋବିନ୍ଦ |୧୫୫|

ନୀର ସିଞ୍ଚନ୍ତି ସେ ଯେ ଆସନ ସମାର୍ଜନେ

ଜମ୍ଵୁବତୀ ସତ୍ୟଭାମା ଆଲଟ ଢାଳନ୍ତି ସନ୍ନିଧାନେ |୧୫୬|

ଜମ୍ବୁବତୀ ଢାଳନ୍ତି ଜଗନ୍ନାଥଂକର କତି

ଅର୍ଜୁନଂକୁ ଚାମର ଢାଳନ୍ତି ଶକ୍ରାବତୀ |୧୫୭|

ଭୀଷ୍ମକଂର ନନ୍ଦିନୀ ଯେ ଶ୍ରୀକୃଷ୍ଣଂକର ଜ୍ୟେଷ୍ଠ ପାଟବଂଶୀ

ଋକ୍ମିଣୀ ସୁବର୍ଣ୍ଣ ପଲମେ ଆଣି ଅନ୍ନ ଯେ ପରାଶି |୧୫୮|

ଘୃତ ଲବଣୀ ପରଶନ୍ତି ଦେବୀ ଯେ କମଳିନୀ

ଭୁବି ପିତୃଦେବତାନ୍ତ ପରଶନ୍ତି ଗୋସାମଣୀ |୧୫୯|

ବଳିଅନ୍ନ ଦେଇ ଚଳୁ ଘେନିଲେ ଶ୍ରୀକର

ବୋଇଲେ ମହାଲକ୍ଷ୍ମୀ ଗୋ ଦେବତାଂକ ନାମ ଧର |୧୬୦|

ସ୍ଵାମୀର ଆଗ୍ୟାଂୟେ ସେ ବରୁଣ କୁମାରୀ

ପ୍ରଥମେ ସଦାନନ୍ଦ ବିଶ୍ଵେଶ୍ଵର ନାମ ଧରି |୧୬୧|

ବିଶ୍ଵେଶ୍ଵର ନାମ ଧରନ୍ତେ ବିସରିଲେ ଚକ୍ରପାଣି

ଶ୍ରୀହସ୍ତରୁ ଚଳୁ ଯେ ଛାଡ଼ିଲେ ତତକ୍ଷଣି |୧୬୨|

ମହାଲକ୍ଷ୍ମୀ ବୋଇଲେ ଦେବ ବୋଇଲେ ଛାଡ଼ିଲ ତ ଗଣ୍ଡୂଷ ଚଳୁ

ଗୋବିନ୍ଦେ ବୋଇଲେ ମହାଲକ୍ଷ୍ମୀ ଗୋ ମୁଣୋହି ହୋଇଲାକ ହେଳୁ |୧୬୩|

ଅର୍ଜୁନ ଅଇଲାକୁ ମନେକଲୁ ଭ୍ରାନ୍ତି

ଠାକୁରଂକୁ ଦ୍ରଶନ ନ କରି ବିଜେ କଲୁ ୟେଥି |୧୬୪|

ଗୋବିନ୍ଦେ ବୋଇଲେ ମୁଣୋହି କର ତୁ ସର୍ବସାଚୀ

ବିଶ୍ଵନାଥ ଦେବଂକୁ ଆସଇ ଦେଖି ମୁଂ ବୋଇଲେ ଶ୍ରୀବତ୍ସି |୧୬୫|

ମହାଲକ୍ଷ୍ମୀ ବୋଇଲେ ତୁମ୍ଭେ ପୁରୁଷଂକ ଉତ୍ତମି

କୋଟିୟେ ବ୍ରହ୍ମାଣ୍ଡ ଠାକୁର ଦେବ ଅଟ ସ୍ଵାମୀ |୧୬୬|

ସ୍ଵାମୀ ତୁମ୍ଭର ଉପରେ ଠାକୁର କରିଅଛ କାହାକୁ

ମୁହିଂତ ଆଶ୍ରିଜ ହୋଇଲି ଶୁଣି ୟେ କଥାକୁ |୧୬୭|

ନାରାୟଣ ବୋଇଲେ ମହାଲକ୍ଷ୍ମୀ ଗୋ ସେ ସ୍ଵାମୀ ଜଗତଭୂତ ଜିତା

କୋଟିୟେ ବିଷ୍ଣୁ କ୍ଷୟେ ଗଲେ ଯାହାଂକୁ ୟେକ ଲିତା |୧୬୮|

ଅଣାକାର ପୁରୁଷ ଅପାପୀ ଅଲୋଭୀ ପରମ ଯାଗୀ

ଅଜପା ଯୋଗ ଲୟେ ନାଥ ସୁଖ ଭୋଗ ପରିତ୍ୟାଗୀ |୧୬୯|

ମହାଲକ୍ଷ୍ମୀ ବୋଇଲେ ତାଂକର ଅଛିଟି କି ଘରଣୀ

ସେ ସେ ହୋଇବେ ଟିକି ଦେବ ମୋହୋର ଠାକୁରାଣୀ |୧୭୦|

ଜଗନ୍ନାଥ ବୋଇଲେ ୟେକଥା ଅଟଇ ନିୟତ

ପାର୍ବତୀଂକ ଦ୍ରଶନେ ତୁମ୍ଭେ ହୋଇବ ମୁକତ |୧୭୧|

ପାର୍ବତୀଂକି ବହୁତ ପୁରସରି କହନ୍ତି ଚକ୍ରପାଣି

ମନେ ହେତୁ କଲେ ଯେ ଦେବୀ କମଳିଣୀ |୧୭୨|

ମହାଲକ୍ଷ୍ମୀ ବୋଇଲେ ମୁହିଂ ସେ ସର୍ବ ଦିଅନ୍ତା

ମୁହିଂ ସେ ସଂସାର ଜନଂକୁ ଯେ ଉଦ୍ଧାରନ୍ତା |୧୭୩|

ମୋହୋର ଦିଲେ ସଂସାର ଜୀବ ପାଆନ୍ତି ପୂଜା

ମୋହୋର ପ୍ରସନ୍ନେ ତ୍ରଇଲୋକ୍ୟେ ହୁଅନ୍ତି ରାଜା |୧୭୪|

ମୁହିଂ ସେ କୋପ କଲଇଂ ଇନ୍ଦ୍ରଦେବତାନ୍ତ

କେହି ତ ରକ୍ଷା କରି ନୁଆରିଲେ ତାହାନ୍ତ |୧୭୫|

ମୁହିଂ ଯାହାକୁ ଅଳ୍ପ କରି ଚାହଂଇ ନୟନେ

ଧନ ଧାନ୍ୟ ସନ୍ତାନ ବର୍ଦ୍ଧୁତ ହୋଅଇ ମୋହୋର ପ୍ରସନ୍ନେ |୧୭୬|

ମୁହିଂ ଅବା ଭ୍ରାନ୍ତି କରି ଯାହାକୁ ନ ଦେଖି

ମନୁଷ୍ୟେ ନ ଗଣନ୍ତି ତାହାନ୍ତ ସେ ହୋଅନ୍ତି ବଡ ଦୁଖୀ |୧୭୭|

ପାର୍ବତୀ ବୋଲିଣ ସେ କିସ ମାତ୍ର ଜନମି

ତାହାନ୍ତ ଦ୍ରଶନ କରାଇ ଲୋଡ଼ୁ ମୋତେ ସ୍ଵାମୀ |୧୭୮|

ଜଗନ୍ନାଥେ ବୋଇଲେ ଦେବୀ ନ କର ତୁମ୍ଭେ କୋପ

ତୋହୋର ଦେଖିଲା ନାହିଂ ସେ ଠାକୁରାଣୀଂକ ସରୂପ |୧୭୯|

ସତୀ ସାବିତ୍ରୀ ଅହଲ୍ୟା ରୋହିଣୀ

ସ୍ଵାହା ସଂଗ୍ୟା ହାରାବତୀ ତାରା ୟେ ଅଷ୍ଟ ବହେଣୀ |୧୮୦|

ୟେ ଅଷ୍ଟକନ୍ୟା ଯେ ଅଟନ୍ତି ମହାସ୍ଵତୀ

ଭ୍ରଥାୟେ ନାଶଗଲେ ଥାଆନ୍ତି ୟେ ବ୍ରତୀ |୧୮୧|

ସ୍ଵାମୀର ମୃତ ପିଣ୍ଡ ଘେନିଣ ବସିଥାନ୍ତି

ଆପଣାର ଆୟୁଷ ବାଣ୍ଟିଣ ସେ ସ୍ଵାମୀଂକି ଜୀଆଂନ୍ତି |୧୮୨|

କୋଟିୟେ କଳ୍ପ ଆଷ୍ୟ ଅଟନ୍ତି ସେ ଦେବୀ

ଦିଗପାଳେ ଯେ ନାଶ ଯାଆନ୍ତି ୟେ ଅଟନ୍ତି ତ୍ରିଜୀବୀ |୧୮୩|

ତୁମ୍ଭେମାନେ ସ୍ଵତୀ ସେ ଯେ ଅଟନ୍ତି ମହାସ୍ଵତୀ

ଅହଲ୍ୟା ତାରା ମନ୍ଦୋଦରୀ ଦ୍ରୋପତୀ ଇନ୍ଦୁମତୀ |୧୮୪|

ସ୍ଵତୀରୁ ମହାସ୍ଵତୀ ସେ ଶତେ ଗୁଣ ଶ୍ରେଷ୍ଠ ଅଟଇ

ତେଣୁ କରି ମହାସ୍ଵତୀଂକି ତୁମ୍ଭର ନମସ୍କାର ଯୋଗାଇ |୧୮୫|

ମହାଲକ୍ଷ୍ମୀ ବୋଇଲେ ସେମାନେ ଅଟନ୍ତି ମହସ୍ୱତୀ

ମୋତେ ତ କାହିଂରେ ନ ଲେଖିଲେ ଦେବ ଶିରୀପତି |୧୮୬|

ଜଗନ୍ନାଥେ ବୋଇଲେ ତୁମ୍ଭେ କହିଲେ କରିବନା କୋପ

ସ୍ଵତୀ ମହାସ୍ଵତୀ ଦୁଇକୁଳ ଅନୁରୂପ |୧୮୭|

ପୁଣି ପୁଣି ଝିଂଘାସ ଯେ କରି ବୋଲନ୍ତି ଚକ୍ରପାଣି

ଲକ୍ଷ୍ମୀ ତୋତେ ବାଲନ୍ତି ସମସ୍ତେ ଯେ ବାଇ ଠାକୁରାଣୀ |୧୮୮|

ବାଇ ହୋଇ କାହିଂ ଠାକୁରାଣୀୟେ ଅଛି

ସଂସାର ଜନେ ତୋତେ ବୋଲନ୍ତି ଗୋ ବାଛି |୧୮୯|

ନ ଖାଇ ନ ଦେଇ ଯେ ରଖଇ ଅଲକ୍ଷଣ ଜନ

କୁଜା କଣା ଛୋଟା ଯେ ଅପାରଗ ଲକ୍ଷଣ |୧୯୦|

ଲେଞ୍ଚ ଲୋକକଂର ତହିଂ ଯେ ତୋହୋର ବିଶ୍ରାମ

ତେଣୁ କରି ବାଇ ଠାକୁରାଣୀ ଅଟଇ ତୋହୋ ନାମ |୧୯୧|

ଲକ୍ଷ୍ମୀ ଗୋ ଚଞ୍ଚଳା ବୋଲିଣ ବୋଲନ୍ତି ସମସ୍ତେ

ବେଶ୍ୟାକୁ ହିଂ ଚଞ୍ଚଳା ବୋଲି ବୋଲନ୍ତି ଯୁଗତେ |୧୯୨|

ଚଞ୍ଚଳା ସ୍ତିରୀମାନେ ଗୋ କାହାରି ନୁହଂନ୍ତି

ଦିନେ ଦିନେକେ ହୋଅନ୍ତି ସେ ଆନର ଯୁବତୀ |୧୯୩|

ତୁ ଯହିଂ ଥାଉ ଗୋ ନୋହୁ ଗୋ ନିଚଳ

ପ୍ରାଣୀଂକି ଦୟା ତୁ ନ କରୁ ଚିର କାଳ |୧୯୪|

ନିଚଳ ହୋଇଂ ତୁ କାହିଂ ଯେ ନ ଥାଉ

ତେଣୁ ସେ ଲକ୍ଷ୍ମୀ ଚଞ୍ଚଳା ନାମ ଗୋଟି ବହୁ |୧୯୫|

ତୁହି ସେ ଲକ୍ଷ୍ମୀ ଗୋ ସବୁରି ଠାକୁରାଣୀ

ସମସ୍ତ ଜନ ମାନେ ତୋତେ ବୋଲନ୍ତି ଯେ କାଣୀ |୧୯୬|

ୟେକ ଘର ସହସ୍ରେ ମାଢକୁ ଭାରଜନ

ଆରେକ ଘର ମୂଲ ଲାଗି ବଞ୍ଚଇ ଯେ ଦିନ |୧୯୭|

ୟେକକୁ ନାଶି ଆରକେ ଜନ ଥାପି

ତେଣୁ କରି ମହାଲକ୍ଷ୍ମୀ ତୁ ଅଟୁ ବଡ ପାପୀ |୧୯୮|

ପାର୍ବତୀ ଗୋସାମଣୀଂକି ତୁମ୍ଭେ ଦରଶନ କଲେ

ମହାପାତକ ଖଣ୍ଡଣ ହୋଇବ ଗୋ ଭଲେ |୧୯୯|

ମହାଲକ୍ଷ୍ମୀ ବୋଇଲେ ଚାଲ ଦେବ ଯିବି ମୁହିଂ

ଖଣ୍ଡଇ କିନା ପାତକ ପାର୍ବତୀଂକ ମୁଖ ଚାହିଂ |୨୦୦|

ସତ୍ୟଭାମାଂକୁ କହିଲେ ମୁଣୋହିଂ କରାଅ ଅର୍ଜୁନଂକୁ

ଆମ୍ଭେ ଯାଉଅଛୁଂ ୟେବେ କପିଳାସ କନ୍ଦରକୁ |୨୦୧|

ଲକ୍ଷ୍ମୀଂକି ସଙ୍ଗେ ଘେନିଣ ଦେବ ଦଇତାରି

ଗରୁଡ଼ ପିଠିରେ ବିଜୟେ ଲକ୍ଷ୍ମୀଂକି କୋଳେ ଧରି |୨୦୨|

ଆକାଶେ ଗମଇ ସେ ଯେ ବିନତାର ସୁତ

ବାହାନ ଚଳଇ ତହୁଂ ପବନହୁଂ ଆଗତ |୨୦୩|

ସଦାନନ୍ଦ ଜାଣିଲେ ଲକ୍ଷ୍ମୀ ନାରାୟଣ ଆସି

ବୃଷଭ ଆରୋହି ବିଜେ କଲେ ଦେବ କାଶୀ |୨୦୪|

କୋଳେ ପାର୍ବତୀଂକି ଘେନି ଗଙ୍ଗାକୂଳେ ବିଜେ

ବୃଷଭରୁ ଉତୁରିଲେ ପ୍ରଭୁ ଦେବରାଜେ |୨୦୫|

ଅନ୍ତର ପ୍ରାୟେ ହୋଇ ରହିଲେ ପାର୍ବତୀ

ବୃଷଭ ରହିଲା ସେ ଯେ ହୋଇଣ ଅନ୍ତର୍ଗତି |୨୦୬|

ଯେତେ ଦୂରୁଂ ସ୍ଵାମୀଂକର ଦିଶିଲା ଆସନ

ଗରୁଡ଼ ପିଠିରୁ ଉତୁରିଲେ ଦେବ ଭଗବାନ |୨୦୭|

ମହାଲକ୍ଷ୍ମୀ ବୋଇଲେ କିମ୍ପେ ଉତୁରିଲ ଦେବ ସ୍ଵାମୀ

ସେ ଯେଗୀଆ ଗୋଟାକୁ ନାଥ ହେଉଛ ପରିଣାମି |୨୦୮|

ଦେଖିଲେ ଅଯାତ୍ରା ଛୁଇଂଲେ ପାପ ଲାଗି

ବ୍ରାହ୍ମଣ ଚାଣ୍ଡାଳ ଯାୟେ ସବୁଂକ ଦ୍ଵାରେ ଭିକ୍ଷା ମାଗି |୨୦୯|

ଗୋବିନ୍ଦ ବୋଇଲେ ମହାଲକ୍ଷ୍ମୀ ୟେ ଠାକୁରଂକୁ ନ କର ଘଞ୍ଚାଳ

ଠାକୁରଂକ ନିନ୍ଦାକଲେ କାହାକୁହିଂ ନାହିଂ ଭଲ |୨୧୦|

କୋପାନଳେ ଚାହିଂଲେ ଭସ୍ମଗଲା କାମଦେବ

କୋପେଣ ଚାହିଂଲେ ଆମ୍ଭ କାୟେ ଦହିଜ ହୋଇବ |୨୧୧|

ପାୟେ ଯାଇଂ ଜଗନ୍ନାଥେ କରନ୍ତି ନିଉଛାଳି

ବାଞ୍ଛା ସିଦ୍ଧ ହେଉ ବୋଲି ବୋଲନ୍ତି ତ୍ରିଶୂଳୀ |୨୧୨|

ମହାଲକ୍ଷ୍ମୀ ବିଚାରନ୍ତି ଯୋଗୀର ଭାରିଜା ଯୋଗିଆଣୀ

ୟେ ଛାର ମୋହୋର ହୋଇବ କି ଠାକୁରାଣୀ |୨୧୩|

ଯୋଗୀ ତପୁସୀ ରାଉଳ ତିନି ନାମ ୟେହାର

ଗଉଡ଼ ବାଉଡ଼ ହାଉଡ଼ ଅଟନ୍ତି ଆମ୍ଭର ବର |୨୧୪|

ୟେ ନ୍ୟାୟରୁ ୟେହାଂକର ତାଂକର ହୋଇଲା ବନ୍ଧୁପଣ

ମୁହିଂ କିମ୍ପାଇ ଯୋଗିଆଣୀକି ପ୍ରଳମ୍ଵ ହୋଇବି ଅକାରଣ |୨୧୫|

ମହାସ୍ଵତୀପଣ ୟେହାଂକର ଜାଣିମା କେମନ୍ତେ

ବଚନ ସାରିକ୍ଷୁ ଯେବେ ଜିଣି ପାରଇ ସେ ମୋତେ |୨୧୬|

ୟେଡ଼େ ବିଚାରି ଲକ୍ଷ୍ମୀ ବିଜେ କଲେ ଯାଇଂ ପାର୍ବତୀଂକ କତି

ସନିଧେ ବସିଲେ ସେ ଅଭାବ ପ୍ରକୃତି |୨୧୭|

ମହାଲକ୍ଷ୍ମୀ ବୋଇଲେ ଗୋ ଦେବୀ ଶୁଣ ୟେକ ଚିତ୍ତେ

ଭିକ୍ଷାଶୀ ଗୋଟିୟେ ଯିବାର ଦେଖିଲେ କି ୟେହି ପଥେ |୨୧୮|

ପାର୍ବତୀ ବୋଇଲେ ଲକ୍ଷ୍ମୀଂକ ବୋଲ ଶୁଣି

କଳହ ନିମନ୍ତେ ହରି ୟେହାକୁ ଅଛଇ ଆଣି |୨୧୯|

ମୋହୋର ସ୍ଵାମୀ ହାଦେ ଭିକ୍ଷା ମାଗଇ ବୋଲି

ୟେ ମାଢୀ ସେ ଜାଣଇ ମୁଂ କି ବିଚାର କଲି |୨୨୦|

ପାର୍ବତୀ ବୋଇଲେ ଲକ୍ଷ୍ମୀ ଭିକ୍ଷାଶୀରେ ଯେବେ କାର୍ଯ୍ୟ

ବଳି ଦ୍ଵାରକୁ ଯାଅ ଯା ଦାନ ତହିଂ ମାଗଇ ବାମନ ନାମେ ୟେକ ଦ୍ଵିଜ |୨୨୧|

ବଳିକି ଦାନ ସେ ମାଗୁଅଛି ଯଥା

ଭିକ୍ଷାଶୀ ଜାଣନ୍ତି ସିନା ଯୋଗୀଂକର ବାରତା |୨୨୨|

ମହାଲକ୍ଷ୍ମୀ ବିଚାରିଲେ ୟେ କଥାରେ ଯଶ ତ ନୋହିଲା

ୟେହାର ସ୍ଵାମୀ ଭିକ୍ଷାଶୀ ମୋହୋର ସ୍ଵାମୀ ବଳିଦ୍ଵାରେ ଦାନ ଯେ ମାଗିଲା |୨୨୩|

ଦାନ ଭିକ୍ଷା ସିନା ଦୁଇ ୟେକଇ ଯୁଗତେ

ଲାଜ ପାଇ କମଳା ବସିଲେ ତୋଷ ଚିତ୍ତେ |୨୨୪|

ପୁଣି ଲକ୍ଷ୍ମୀ ବୋଇଲେ ଗୋ କୁଆଳି ୟେକ ଲଟ

ତାଣ୍ଡବ ନୃତ୍ୟ କରିଗଲା ଦେଖିଲୁ ୟେ ବାଟ |୨୨୫|

ପାର୍ବତୀ ବୋଇଲେ ୟେ ମୋଢୀ ବଡ଼ ମନ୍ଦ ଚଞ୍ଚଳୀ

ନିଚୟ ଆମ୍ଭର ତୁଲେ ୟେ ଲଗାଇବ କଳି |୨୨୬|

ସ୍ଵାମୀ ମୋହୋର ଦେବତାଂକ ମନ ରଞ୍ଜନେ ତାଣ୍ଡବ ନୃତ୍ୟ କଲା

ୟେ ମୋଢୀ ତାହା ଆଣି ମୋତେ ଉଘାଇଲା |୨୨୭|

ପାର୍ବତୀ ବୋଇଲେ ତୁ ଗୋ ୟେବେ ଶୁଣ ବାଇ ଦେଈ

ବୃନ୍ଦାବନକୁ ଯାଅ ଯା ନଟ ପୋୟେକ ଅଛି ତହିଂ |୨୨୮|

ତାଳୁରେ ଚୁଳ ତାର ହାଥରେ ବିରହ ବଂଶୀ

ଗୋପାଳୁଣୀମାନଂକୁ ନଚାୟେ କଦମ୍ଵ ମୂଳେ ବସି |୨୨୯|

ତାହାନ୍ତ ପଚାର ଯାଇ ତୁ ନୃତ୍ୟକାରଂକ କଥା

ନଟେ ସିନା ଜାଣନ୍ତି ସେ ନଟଂକର ବାରତା |୨୩୦|

ମହାଲକ୍ଷ୍ମୀ ବିଚାରିଲେ ମୁଂ ତ ହାରିଲି ଯୁଗତେ

ମୋହୋର ସ୍ଵାମୀ ନୃତ୍ୟ କଲେ ଗୋପାଳୁଣୀଂକ
ମନରଞ୍ଜନ ନିମନ୍ତେ |୨୩୧|

ପୁଣି ହିଂ ଉତ୍ତର ଦିଲେ ସିନ୍ଧୁ ରାଜାର କୁମାରୀ

ଯୋଗୀ ଗୋଟି ଦେଖିଲ କି ଗୋ ମୃଗ ଛାଲକେ ଅଛି ଘୋଡ଼ି |୨୩୨|

ପାର୍ବତୀ ବିଚାରିଲେ ଲକ୍ଷ୍ମୀଂକ ବଚନେ

ଅଳପ ଲୋକଂକର ବଚନ ଅଟଇ ୟେସନେ |୨୩୩|

ମୋହୋର ସ୍ଵାମୀ କୃଷ୍ଣାଜିନ ମୃଗଛାଲ ଘୋଡ଼ି

ତାହା ମୋତେ ଉଘାଇଲା କାଣୀ ଦୃଭାରୀ ୟେହୁ ମୋଢୀ |୨୩୪|

ପାର୍ବତୀ ବୋଇଲେ ତୁ ଗୋ ଶୁଣ ବାଇ ଦେଈ

ମୃଗଂକର ବାରତା ଯେ ବରୋହା ଜାଣଇ |୨୩୫|

ଯାହାର ସ୍ଵାମୀୟେ ବରେହା ରୂପ ଧରି

ତାହାନ୍ତ ପଚାର ଯାଇ କେଣେ ଗଲେ ମୃଗାରି |୨୩୬|

ମହାଲକ୍ଷ୍ମୀ ବୋଇଲେ ଭଲ ତ କହିଲା ସନ୍ଦେଶ

ୟେ କଥାୟେ ମୋତେ କିଛି ନୋହିଲାକ ଯଶ |୨୩୭|

ୟେହାର ସ୍ଵାମୀ ଆଭରଣ ମୃଗର ଛଉରୀ

ମୋହୋର ସ୍ଵାମୀ ପ୍ରତକ୍ଷେ ବରେହା ରୂପ ଧରି |୨୩୮|

ୟେତେକ ବିଚାରି ଦେବୀ ତୂଷ୍ଣୀ ଯେ ହୋଇଲେ

ପୁଣିହିଂ ମହାଲକ୍ଷ୍ମୀ ପ୍ରତିଉତ୍ତର ଯେ ଦିଲେ |୨୩୯|

ଲାଂଗଟ ବ୍ରୂକଟ ବୃଦ୍ଧ ଯୋଗୀ ଯେ ଗୋଟାୟେ

ହାଡ଼ମାଳ ଆଭରଣ ଚଢିଛି ବଇଲ ପିଠିୟେ |୨୪୦|

ତାହାକୁ ଦେଖିଲ କି ୟେ ବାଟେ ଯାଉଂ ଯାଉଂ

ପାର୍ବତୀ ବୋଇଲେ ୟେ ମୋଢୀ ଜାଣିଲାକ କାହୁଂ |୨୪୧|

ମୋହୋର ସ୍ଵାମୀ ଯେ ବଳଦ ଚଢଇ

ତାହା ଉଘାଂଇ ମୋତେ ଝିଂଘାସ କରଇ |୨୪୨|

ତୁ ଯାହା ପଚାରିଲୁ ବୋଲନ୍ତି ପାର୍ବତୀ

ଗୋରୁଂକର ବାରତା ହାଦେ ଗଉଡ଼େ ଜାଣନ୍ତି |୨୪୩|

ଗଉଂଡ଼କୁ ପଚାର ଯାଇଂ ୟେସନେକ ବାରତାୟେ

ବୋଲିବ ୟେ ବାଟ ଗଲା କି ବଇଲ ଗୋଟାୟେ |୨୪୪|

ଲକ୍ଷ୍ମୀ ହୋଇଲେ ତୂଷ୍ଣୀ ପାର୍ବତୀଂକ ବଚନେ

ୟେମନ୍ତେ ଯଶ ମୋତେ ନୋହିଲା କେସନେ |୨୪୫|

ୟେହାର ସ୍ଵାମୀ ଯେ ବଳଦ ଗୋଟାୟେ ଚଢଇ

ମୋହୋର ସ୍ଵାମୀ ପ୍ରତକ୍ଷେ ଗୋପେ ଗୋପାଳ ରୂପ ଧରଇ |୨୪୬|

ସମାସ୍ୟାୟେ ଜିଣି ନୁଆରିଲେ ସିନ୍ଧୁ ରାଜା ତନଈ

ପାର୍ବତୀଂକ ଚରଣ ତଲେ ଶୁତିଲେ ଦଣ୍ଡ ପ୍ରଳମ୍ଵିତ ହୋଇ |୨୪୭|

କୋଳରେ ଧଇଲେ ଲକ୍ଷ୍ମୀଂକି ଦକ୍ଷ ପ୍ରଜାପତିର କୁମାରୀ

ମୁଖେଣ ଚୁମ୍ଵନ ଦେଇ ଆଲିଙ୍ଗନ କଲେ ଭୁଜେ ଭୁଜ ଭିଡ଼ି |୨୪୮|

ଈଶ୍ଵରେ ବୋଇଲେ ହରି କେ ହାରିଲା କେ ଜିଣିଲା

ଶ୍ରୀଜଗନ୍ନାଥେ ବୋଇଲେ ଦୁହିଂକର କଥା ସମସରି ହୋଇଲା |୨୪୯|

ଈଶ୍ଵରେ ବୋଇଲେ ହରି ୟେକ ଜିଣି ଯେବେ ଆରକେ ହାରନ୍ତା

ତୁମ୍ଭର ଆମ୍ଭର ବଡ଼ ଅପ୍ରୀତି ଉପୁଜନ୍ତା |୨୫୦|

ତାହାଂକର ହରଷେ ହରିହର ହରଷ

ବୃଷଭ ଗରୁଡ଼ ଦୁହେଂ ହୋଇଲେ ବଡ଼ ତୋଷ |୨୫୧|

ହରିହର ଲକ୍ଷ୍ମୀ ପାର୍ବତୀ ବୃଷଭ ଗରୁଡ଼ ସନ୍ତୋଷ ହୁଅନ୍ତି

ୟେ ସୟଳ ଜନମାନଂକୁ ମଙ୍ଗଳ କରାବନ୍ତି |୨୫୨|

ଗରୁଡ଼ ବୃଷଭ ପାର୍ବତୀ ଲକ୍ଷ୍ମୀ ହରିହରଂକୁ ଭାବ ହୃଦଗତେ

ଦରିଦ୍ର ବାଧା ନ ଲାଗିବ ୟେ ଆଖ୍ୟାନ ଶୁଣନ୍ତେ |୨୫୩|

ମୋହୋର ବେଳେ କି ୟେହା ପାରଇ ତଥ୍ୟ କରି

କେ ସଞ୍ଚପି କହିବଟି ମାନବ ରୂପେ ଅବତରି |୨୫୪|

ଯାହା ସେ କହିଲେ ମହାତମା ଅଗସ୍ତି

ମୁହିଂ ତାହା ବଞ୍ଚାଇ କହିଲି ଶାହସ୍ର ସଙ୍ଗତି |୨୫୫|

ଜୟ ତୁ ହରିହର ପରମ ବ୍ରହ୍ମ ଅବତାର

ନୀଳ କମଳ ତନୁ ଶୁକ୍ଲାମ୍ଵର ଶରୀର |୨୫୬|

ଖଗ ବଇଲ ବାହାନେ ଚକ୍ର ତ୍ରିଶୂଳ କର

ପିନାକ କୋଦଣ୍ଡ ଡମ୍ଵରୁ ଶଂଖଧର |୨୫୭|

କପିଳାସ ବଇକୁଣ୍ଠ ଶମଶାନ ଜଳ ବାସୀ

ଜୟ ତୁ ହରିହର ଯୋଗ ବ୍ରହ୍ମ ରାଶି |୨୫୮|

ଅଷ୍ଟରତ୍ନ ଭୂଷଣ ଦେବ ଅଷ୍ଟକୁଳ ନାଗ

ଭସ୍ମ ବିଲେପନ ନାଥ ଚନ୍ଦନ ଯେ ଭୋଗ |୨୫୯|

ଯୋଗେ ଯୋଗୀନାଥ କଷା ଝୀନବାସ

ଶାସକେ ନାଶକେ ଯେ ପରମ ହଂସ ପୁରୁଷ |୨୬୦|

ୟେକ କାୟେ ନାଥ ଯେ ଅନନ୍ତ ଅବତାର

ଅଲୋଭୀ ପୁରୁଷ ତୁ ନାଶନ ମହୀଭାର |୨୬୧|

ଜାତ ଅନ୍ତା କରତା ଯେ ହରନ୍ତା ଉଦ୍ଧରନ୍ତା

ଜୟ ତୁ ହରିହର ବିହନ୍ତା ବିଧାତା |୨୬୨|

କାଳକୂଟ ଭକ୍ଷି ଯେ କାଳୀର ଦର୍ପ ମର୍ଦ୍ଦି

କାଞ୍ଚୀ କେଳାଞ୍ଚୀ ନାଥ କଂସ କେଶୀ ବଧି |୨୬୩|

ଶ୍ରା ହରିହର ଦେବତା ଚରଣେ ଶରଣ ମୋର ନିତି

ଶୂଦ୍ରମୁନି ସାରୋଳା ଦାସ ବିନୟ ଭଗତି |୨୬୪|

ଶ୍ରୀ ଚଣ୍ଡୀ ସାରୋଳା ଯେ ଜଂଖେରପୁର ବାସୀ

ଯାହାର ପିତାମହ କୃପାଜଳ ମହଋଷି |୨୬୫|

ସେ ଦେବୀଂକି ଲୟେ ଯେ ହୃଦଗତି ଭାବି

ପର ଦୁଖେ କାତର ସିଦ୍ଧ ଯେ ସାଧବୀ |୨୬୬|

ସେ ଦେବୀର ପ୍ରସନ୍ନେ ମୁଂ ଲେଖନ କଲି ଗ୍ରନ୍ଥ

ଶୁଣନ୍ତେ ଧନ ସନ୍ତାନ ହୋଇବ ବର୍ଧୂତ |୨୬୭|

ଶ୍ରୀ ଚଣ୍ଡେ ସାରୋଳା ଯେ ତଲୟେ ୟେକ ଚିତ୍ତେ

ଶୂଦ୍ରମୁନି ସାରୋଳା ଦାସ ମୁକତି ହୋଇବା ନିମନ୍ତେ |୨୬୮|

ବଦୟନ୍ତି ଅଗସ୍ତି ଯେ ଶୁଣ ହୋ ମନୁରାୟେ

ଶ୍ରୀ ମହାଭାରତ ଶୁଣି ପାପ କର କ୍ଷୟେ |୨୬୯|

ଅନେକ ଭଗତି ତାଂକୁ ହୋଇଲେ କମଳିଣୀ

ବହୁତ କଲ୍ୟାଣ ବାଂଛା କଲେ ପାର୍ବତୀ ଗୋସାମଣୀ |୨୭୦|

ଲକ୍ଷ୍ମୀଂକି ଘେନି ଗରୁଡ଼ ପିଠିରେ ବିଜେ ଦେବ ହରି

ଚଳିଲେ ଜଗମୋହନ ବିଶ୍ଵେଶ୍ଵର ସେବା କରି ସାରି |୨୭୧|

ହର ପାର୍ବତୀ ତହୁଂ ବୃଷଭ ଆରୋହି

କପିଳାସ କଂଦରେ ବିଜୟେ କଲେ ଯାଇଂ |୨୭୨|

ହରି ବିଜେ କଲେ ଦ୍ଵାରିକା ଭୁବନେ

ସନ୍ଧ୍ୟା ସାରି ଭୋଜନ କଲେ ଜନାର୍ଦ୍ଦନେ |୨୭୩|

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକି

କିସ ଆଗ୍ୟାଂ ହୋଇଲା ଜଗନ୍ନାଥଂକର ସୁଭଦ୍ରାଂକ କଷ୍ଟ ଦେଖି |୨୭୪|

ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ଗୋ ଶକ୍ରାବତୀ

ଯୋଶୋଦାଂକ ଅଗ୍ରତେ କହ ୟେସନେକ ରୀତି |୨୭୫|

ଆଗ୍ୟାଂ ପାଇଂ ଚଳିଗଲେ ଜଗନ୍ନାଥଂକ ପାଟବଂଶୀ

ଯଶୋଦାଂକ ପୁରେ ପ୍ରବେଶ ହେଲେ ଯାଇଂ ନିଶି |୨୭୬|

ପ୍ରଣପତ୍ୟ ହୋଇଣ ବୋଲନ୍ତି ବଚନ

ମାୟେ ଗୋ କଥାୟେକ କହିବି ହୋଇବା ସାବଧାନ |୨୭୭|

ସୁଭଦ୍ରାଂକୁ ପ୍ରଦାନ କରିବା କି ବୀର ପାଥ

ୟେ କଥା ନିମନ୍ତେ ମୋତେ ପେଷିଲେ ଜଗନ୍ନାଥ |୨୭୮|

ବୋଇଲେ କହ ଯାଇ ମାତାଂକ ଆଗର

ଯଶୋଦା ବୋଇଲେ ୟେ କଥା ଯୋଗାଇଲା ମନକୁ ଆମ୍ଭର |୨୭୯|

ବଂଶେ ନିକଳଂକ ସେ କ୍ଷତ୍ରୀୟ ବୀରଧୂ

ଦ୍ଵାରିକାକୁ ଉପଗାରୀ ଜଗତେ ଯେ ସାଧୁ |୨୮୦|

ସୁଭଦ୍ରାର ପୁଣ୍ୟ ପୂର୍ବେ ଅଟଇ ଯେବେ ଅତି

ତେବେ ସେ ହୋଇବନା ଅର୍ଜୁନର ଯୁବତୀ |୨୮୧|

ଧାର୍ମିକ ବିବେକ ସେ ଅଟଇ ଯେ ଇତି ପୁଣ୍ୟବନ୍ତ

ପୂର୍ବ ଭାଗ୍ୟ ଥିଲେ ୟେମାନ ହୋଅଇ ପ୍ରାପତ |୨୮୨|

ସତ୍ୟଭାମା ବୋଇଲେ ମା ଗୋ ୟେମନ୍ତ କରିବା

ବଳରାମଂକ ଅଗ୍ରତେ ଯାଇଂ ଜଣାଇବା |୨୮୩|

ସେ କିସ ବୋଲିବେ ମା ଗୋ ଶୁଣିବା ତଦନ୍ତ

ଯେବେ ଯୋଗାଇବ ନୀଳାମ୍ଵରଂକର ଚିତ୍ତ |୨୮୪|

ତେବେ ସେ ୟେକଥା କରିବା ନା ମାୟେ

ସେହି ସେ ଅଟନ୍ତି ଯେ ଦେବାଧି ଦେବରାୟେ |୨୮୫|

ୟେହା ଶୁଣି ବେଗେ ଚଳିଗଲେ ଯଶୋବନ୍ତୀ

ବଳରାମଂକ ପୁରେ ପ୍ରବେଶ ହୋଇଲେ ଝାତି |୨୮୬|

ଦେଖିଣ ଆସନ ତେଜି ଉଠିଲେ ଦେବ ହଳୀ

ମାତାଂକ ପାଦେ ଅର୍ଘ୍ୟ ଦିଅନ୍ତି ମୂଷଳୀ |୨୮୭|

ପ୍ରଳମ୍ଵ ହୋଇ କରି ବୋଇଲେ ବଚନ

କେଉଂଣ କାର୍ଯ୍ୟେ ତୁମ୍ଭେ ମାୟେ ଗୋ କରିଛ ଗବନ |୨୮୮|

ଶୁଣ ବାବୁ ସାବଧାନେ ପୁଚ୍ଛଇ ମୁଂ ତୁକୁ

ସୁଭଦ୍ରାକୁ ପ୍ରଦାନ କି କରିବା ଅର୍ଜୁନକୁ |୨୮୯|

ମାତାଂକ ମୁଖରୁ ଶୁଣି ୟେସନେକ ବଚନ

ଭୂଇଂ ଛୁଇଂ କାମପାଳ ଛୁଇଂଲେ ବେନି କର୍ଣ୍ଣ |୨୯୦|

ଅର୍ଜୁନକୁ ଦେଖିଲେ କି ମାତ ସୁନ୍ଦର ମୂରତି

ମାତାର ନାମ ତାର ଅଟଇ ଦେବୀ କୋନ୍ତି |୨୯୧|

ପିତାର ନାମ ତାର ଅଟଇ ପଣ୍ଡୁ ଯେ ରାଜନ

ବ୍ରହ୍ମହତ୍ୟା କଲା ସେ ନାଶି ତପୋଧନ |୨୯୨|

କୋଇନ୍ତାଂକ ଅନୀତିପଣ କହିତେ କି ପାରି

ପୁତ୍ର ଉପୂଜାଇଲେ ସେ ହୋଇଲେ ଦୋଚାରି |୨୯୩|

ବଂଶରେ କଳଂକ ପୁଣ ଅଛଇ ଯାହାରି

ତାହାକୁ ୟେ କନ୍ୟା ଗୋଟି ଦେଇତେ କି ପାରି |୨୯୪|

ଆମ୍ଭେ ବିଚାର କରିଅଛୁଂ ଦେବାକୁ ଯାହାକୁ

ସୁଭଦ୍ରା ପ୍ରଦାନ କରିବା ଯେ ମାନଗୋବିନ୍ଦକୁ |୨୯୫|

ବଂଶେଣ ନିକଳଂକ ପଞ୍ଚୁ କଟକେଣ ରାଜା

ଲକ୍ଷେ ନୃପତି ଯାହାର କରିଥାନ୍ତି ପାଦ ପୂଜା |୨୯୬|

ଶଂଖନିଧି ପଦ୍ମନିଧି ଅଛଇ ଯାର ବେନି କରେ

ପାଣିଦ୍ରବ୍ୟ ହୁଅଇ କର ଲାଗନ୍ତେ ପାଷାଣରେ |୨୯୭|

ଚଳନ୍ତେ ଅବେଣ୍ଟ ସୁବର୍ଣ୍ଣ ପଦ୍ମ ପୁଷ୍ୟ ଫୁଟଇ

ଅତି ମାନେ ସେ ଯେ ମାନଗୋବିନ୍ଦ ଅଟଇ |୨୯୮|

ପାଣ୍ଡବଂକୁ ସେ ରାଜ୍ୟରୁ ଦିଅଇ ବାହାର କରି

କାଳକେ ପାଣ୍ଡବେ ଯେ ଅଟନ୍ତି ଭିଖାରୀ |୨୯୯|

ଗୋଳକୁଣ୍ଡା ଜାରଜାତକା ପାଣ୍ଡବେ ଅଟନ୍ତି ଅଜାତି

ପାଞ୍ଚେହେଂ ପ୍ରଦାନ ହୋଇଲେ ୟେକଇଂ ଯୁବତୀ |୩୦୦|

ମାୟେ ଗୋ ଯଦ୍ୟପି ମୋହୋର ଆଗେ କହିଲ ୟେବେ ୟେହା

ୟେମନ୍ତ କଥାମାନଟି ଯେପରି ନ ଜାଣେ ଜଗୁନାହା |୩୦୧|

ଭଲଦିନେ ରାଜା ଦ୍ରିଯୋଧନକଇ ବରିଆଣି

ତାହାକଇ ପ୍ରଦାନ କରିବା ତୁମ୍ଭର ଦୁଲଣୀ |୩୦୨|

ଗୋଳକୁଣ୍ଡା ଜାରଜାତକା ବ୍ରହ୍ମହତ୍ୟା ପାପେ ଦୋଷୀ

ତେମନ୍ତ ଲୋକକୁ ଗୋ କନ୍ୟା ଦେବାର ବିହିତ ନୁଆସି |୩୦୩|

ଆମ୍ଭକୁ ଅଥବା କହିଲ ଗୋ ମାତା

ଜଗନ୍ନାଥେ ନ ଜାଣିମେଟି ୟେମନ୍ତ ବାରତା |୩୦୪|

ବଳରାମଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ବାହୁଡ଼ି ନିଜ ପୁରେ ପ୍ରବେଶ ନନ୍ଦ ଠାକୁରାଣୀ |୩୦୫|

ଆପଣାର ନିଜ ପୁରେ ପ୍ରବେଶ ହୋଇଲେ

ସତ୍ୟଭାମାଂକ ଆଗେ ଶ୍ରୀ ବଳରାମଂକ ବାରତା କହିଲେ |୩୦୬|

ତହୁଂଣ ଦେବୀ ଯେ ଚଳିଗଲେ ଖରେ

ଯାଇଂଣ ମିଳିଲେ ଜଗନ୍ନାଥଂକ ଛାମୁରେ |୩୦୭|

ସତ୍ୟଭାମାୟେ ବୋଇଲେ ଶୁଣିମା ଦେବ ମଧୁହାରୀ

ଅର୍ଜୁନର ନାୟେଂ କୋପ କଲେ ହଳଧାରୀ |୩୦୮|

ଅନେକ ଦୋଷମାନେ ବାଛିଲେ ପାଣ୍ଡବଂକୁ

ସୋହୋଦ୍ରାଂକୁ ଦେବା କଲେ ଦ୍ରିଯୋଧନ ରାଜାକୁ |୩୦୯|

ୟେମନ୍ତ ବିଚାର ହୋଇଲା ବଳଦେବଂକର ଆଜ

ଦ୍ରିଯୋଧନକୁ ଦେବା ଶୁଣି କୋପ କଲେ ଦେବରାଜ |୩୧୦|

ଗୋବିନ୍ଦେ ରାଇଣ ଆଗ୍ୟା ଦିଲେ ସତ୍ୟଭାମାଂକୁ

ତୁମ୍ଭେ ସୋହୋଦ୍ରାକୁ ଘେନିଯାଅ ଅର୍ଜୁନ ଶୟନ ଠାବକୁ |୩୧୧|

ଅର୍ଜୁନେ ସୋହୋଦ୍ରାଂକୁ ଭେଟାଅ ତୁମ୍ଭେ ନେଇ

ଜାଣିମା କେମନ୍ତ କରିଣ ବିଭା କରିବେ ହଳସାଇଂ |୩୧୨|

ୟେସନେକ ସମୟେ ତହିଂ ରୟଣୀ ପ୍ରଭାତେ

ଉଦ୍ଧବଂକୁ ରାଇ ଆଗ୍ୟାଂ ଦିଲେକ ହଳହସ୍ତେ |୩୧୩|

ପୁଷ୍ୟେକ ଆରୋହି ତୁ ଚଳ ୟେହିକ୍ଷଣି

ବାରତା କର ଯାଇଂ ଦ୍ରିଯୋଧନ ନୃପମଣି |୩୧୪|

ବହନ କରି ବରି ଆଣିମୁଂ ଦ୍ରିଯୋଧନ ରାଜାକୁ

ସୋହୋଦ୍ରାକୁ ପ୍ରଦାନ ଯେ କରିବା ତାହାକୁ |୩୧୫|

ବଳରାମଂକ ଆଗ୍ୟାଂ ପ୍ରମାଣେ ଚଳିଲା ଉଦ୍ଧବ

ବରଣ ଯୋଗାଡ଼ ସମସ୍ତ ଦିଲେ ବଳଦେବ |୩୧୬|

ଆଗ୍ୟାଂ ପାଇମ ବରଣ ଯୋଗାଡ଼ ଘେନି ଉଦ୍ଧବ ବେଗେ ଚଳିଗଲା

ଦ୍ଵାରିକା ଭୁବନୁଂ ଶୁଭବେଳେ ବାହାର ହୋଇଲା |୩୧୭|

ଯାଇଂ ପ୍ରବେଶ ହୋଇଲା ହସ୍ତିନା ଭୁବନେ

ଫୁଲମାଳ ଦେଇ ବରିଲେ ଦ୍ରିଯୋଧନେ |୩୧୮|

ଆହୋ ମାନଗୋବିନ୍ଦ ଫଣୀଧରେ ପେଷିଲେ ଆମ୍ଭଂକୁ

ସୋହୋଦ୍ରା ପ୍ରଦାନ କରିବେ ତୁମ୍ଭଂକୁ |୩୧୯|

ୟେତେକ ବଚନ ଯେ ଉଦ୍ଧବ କହଇ

ବରଣମାଳା ଦେଇ ବରଣ କରଇ |୩୨୦|

ସମଦଣ୍ଡ ଘେନିଣ ଦେବ ହଳପତି

ରଇବ୍ରତ ପର୍ବତେ ବିଜେ କରିଛନ୍ତି |୩୨୧|

ବସନ୍ତ ଉଚ୍ଛବ ସେ ଯେ ଯାତ୍ରାର ବିଧାନେ

ଯାତ୍ରା ସାରି ତହୁଂ ଯେ ବାହୁଡ଼ନ୍ତି ମଧ୍ୟାହ୍ନେ |୩୨୨|

ଦ୍ଵାରିକା ଭୁବନେ ଦେବ ହୋଇଲେ ପ୍ରବେଶ

ସତ୍ୟଭାମାଂକୁ ରାଇ ବୋଇଲେ ହୃଷୀକେଶ |୩୨୩|

ଆଜ ସୋହୋଦ୍ରାକୁ ବେଶ ବେଶନ କରାଇ

ଅର୍ଜୁନ ଶୟନ ମନ୍ଦିରେ ସମର୍ପି ଆସ ଯାଇଂ |୩୨୪|

ଚଳିଲେ ସତ୍ୟଭାମା ସ୍ଵାମୀଂକ ବଚନେ

ପ୍ରବେଶ ହୋଇଲେ ଯାଇଂ ସୋହୋଦ୍ରା ମେଢ ସ୍ଥାନେ |୩୨୫|

ଯୋଗୀ ଯେସନେକ ଥାଇ ଯୋଗ ଲୟେ କରି

ଅର୍ଜୁନ ନିମନ୍ତେ ଦେବୀ କ୍ଷୁଧା ତୃଷା ଅପହରି |୩୨୬|

କାତରେ ଦୁର୍ଗାଂକୁ ତୁସ୍ତି ସେ କରଇ ବନିତା

ଜୟ ତୁ ଜୟ ମା ଗୋ ବିପତ୍ତି ଖଣ୍ଡନ୍ତା |୩୨୭|

ଜୟ ତୁ କାତ୍ୟାୟନୀ ଗୋ ମୋତେ ଉଦ୍ଧର ଯୋଗେଶ୍ଵରୀ

ତବ ଚରଣେ ଶରଣ ମୁଂ ଅର୍ଜୁନେ ଆଶା କରି |୩୨୮|

ଶତେ ସହସ୍ର ଦଣ୍ଡ ପ୍ରଳମ୍ଵ ମା ଗୋ ତୋତେ

କୋଇନ୍ତାଂକ ସୁତ ଅର୍ଜୁନକଇଂ ଦେବାକ ମୋତେ |୩୨୯|

ୟେସନେକ ତୁସ୍ତି କରନ୍ତେ ଯୁବତୀ

ୟେମନ୍ତ ସମୟେ ପ୍ରବେଶ ହୋଇଲେ ଶକ୍ରାବତୀ |୩୩୦|

ସତ୍ୟଭାମାଂକୁ ଦେଖିଣ ନନ୍ଦର ଦୁଲଣୀ

ମୁକତି ଗତି ଲଭିଲା ଅନ୍ଧେ ଚକ୍ଷୁଦାନ ଜାଣି |୩୩୧|

ସତ୍ୟଭାମା ଚରଣ ତଳେ ପ୍ରଳମ୍ଵ କରି ବାଳୀ

ୟେ କାମରୁ ମୋତେ ଉଦ୍ଧର ଶକ୍ରାଜିତର ଦୁଲାଳୀ |୩୩୨|

ସତ୍ୟଭାମାୟେ ବୋଇଲେ ତୁମ୍ଭେ ଉଠ ଗୋ ତୁରିତେ

ମୁହିଂ ଆସିଅଛଇଂ ଗୋ ତୁମ୍ଭର ନିମନ୍ତେ |୩୩୩|

ବିକଳ ଛାଡ଼ି ବେଶ ବେଶନ ହୋଅସି ଗୋ ମାୟେ

ପରମାନନ୍ଦ ଜଗନ୍ନାଥ ସ୍ଵାମୀ କଲେ ତୋତେ ଦୟେ |୩୩୪|

ଉଠ ଉଠ ମାତା ଗୋ ବହନ ହୋଇ ଯିବା

ଅର୍ଜୁନ ଦ୍ରଶନେ ତୋର ଦୋଷକୃତ ହରିବା |୩୩୫|

ଶୁଣିଣ ସାନନ୍ଦ ଯେ ନନ୍ଦର କୁମାରୀ

ବେଶ ବେଶନ ହୋଇଲେ ଅଳଂକାର ଭରି |୩୩୬|

ରାତ୍ର ସାତ ଘଡ଼ିରେ ଚଳି ସୋହୋଦ୍ରା ସତ୍ୟଭାମା

ଅର୍ଜୁନ ଶୟନ ସ୍ଥାନେ ମିଳି ବାସୁଦେବଂକର ବାମା |୩୩୭|

ଅର୍ଜୁନ ଶୋଇଅଛି ବିଚିତ୍ର ମନ୍ଦିରେ

ସୋହୋଦ୍ରା ସତ୍ୟଭାମା ମିଳିଲେ ଯାଇଂ ଦ୍ଵାରେ |୩୩୮|

ପେଲନ୍ତେ କବାଟ ଯେ ନ ଫିଟଇ କିଳିଣୀ

ଅର୍ଜୁନ ଅର୍ଜୁନ ବୋଲି ଡାକନ୍ତି ଶକ୍ରାଜିତର ଦୁଲଣୀ |୩୩୯|

ପଲଂକେ ବସି ଅର୍ଜୁନ ଶହସ୍ର ମନ୍ତ୍ର ଗୁଣନ୍ତି

ଯେସନେକ ଯୋଗୀମାନେ ପବନ ସାଧନ୍ତି |୩୪୦|

ସୁବର୍ଣ୍ଣ ଦୀପାବଳୀ ଜଳନ୍ତି ଚଉକତି

ନିଦ୍ରା ତେଜି ଅର୍ଜୁନ ଶହସ୍ରକୁ ତଲୟେ ମତି |୩୪୧|

ସତ୍ୟଭାମା ଡାକ ଦିଲେ ଶୁଣ ହୋ ଫାଲଗୁନି

ମୁହିଂ ହାଦେ ଆସିଅଛି ଠାକୁରଂକ ଆଗ୍ୟାଂ ଘେନି |୩୪୨|

କବାଟ ଫେଡ଼ ବାବୁ ମୁଂ ଭିତରକୁ ଯିବି

ସନ୍ଦେଶ ବାରତାୟେ ମୁହିଂ ତୋତେ କହିବି |୩୪୩|

ବହନ କବାଟ ଫେଡ଼ ସର୍ବସାଚୀ ଧନୁର୍ଜୟେ

ସନ୍ଦେଶ ବାରତା ଅଛି କହିବି ତୋତେ ଗୋପତ କଥାୟେ |୩୪୪|

ଅର୍ଜୁନ ବୋଇଲେ ତୁମ୍ଭେ ଜଗନ୍ନାଥଂକ ପାଟବଂଶୀ

ୟେ ଦ୍ଵାରିକା ମଣ୍ଡଣୀ ତୁମ୍ଭେ ଅଟ ଗରୁହଂସୀ |୩୪୫|

ଯାଦବ ଶକ୍ରାଜିତର ତୁମ୍ଭେ ଅଟ ଗୋ କୁମାରୀ

ବଂଶିକ ପଣେ ଜଗନ୍ନାଥ ତୁମ୍ଭନ୍ତ ନୁହନ୍ତି ଯେ ସରି |୩୪୬|

ପଞ୍ଚଭୂତ ଆତ୍ମାୟେ ତୁମ୍ଭନ୍ତ ଦେଖନ୍ତି ବାସୁଦେବ

ଅନୁବ୍ରତେ ହୃଦୟରେ ବଲଭୀ ପ୍ରିୟଭାବ |୩୪୭|

ମା ଗୋ ୟେତେ ରାତ୍ରେ କିମ୍ପେ ମୋହୋର ପୁରେ ପଶିବ ତୁମି

କେମନ୍ତେ ଉପେକ୍ଷି ଅଇଲ ଜଗନ୍ନାଥ ଦେବ ସ୍ଵାମୀ |୩୪୮|

ସେ ଅବା ମାୟାଧର ପ୍ରଭୁ ମାୟା ତୁମ୍ଭଂକୁ କଲା

ଚିତ୍ତ ବିଡ଼ିବା ନିମନ୍ତେ ମୋହୋର ତହିଂକି ପେଷିଲା |୩୪୯|

ନାରାୟଣ ମାୟା ତୁମ୍ଭେ ଗୋ ନୁଆରିଲ ଜାଣି

ଚକ୍ରକୂଟ ବୁଦ୍ଧିରେ ଗୋ ପଡ଼ିଲ ଗୋସାମଣୀ |୩୫୦|

ସତ୍ୟଭାମାୟେ ବୋଇଲେ ତୁହୋ ଶୁଣ ସର୍ବସାଚୀ

ଆପଣେ ପେଷିଲେ ମୋତେ ଦେବ ଶିରୀବଚ୍ଛି |୩୫୧|

ମୋହୋର ଶପଥ ତୋତେ ଠାକୁରଂକ ରାଣ

ସନ୍ନିଧେ କହଇ ତୋତେ ସାବଧାନେ ଶୁଣ |୩୫୨|

ଅର୍ଜୁନ ବୋଇଲେ ମା ଗୋ ନୋହଇଟି ୟେମନ୍ତ

ପ୍ରଭାତେ କହ ମୋତେ ଜଗନ୍ନାଥଂକ ବାରତ |୩୫୩|

ୟେବେ ଚଳିଯାଅ ଗୋ ଅପାର ହୋଇଲା ନିଶା ରାତି

ବତିଶସହସ୍ର କନ୍ୟାଂକ ମଧ୍ୟେ ତୁମ୍ଭେଂ ପ୍ରିୟବତୀ |୩୫୪|

ସତ୍ୟଭାମାୟେ ବୋଇଲେ ହୋ ଶୁଣ ଫାଲଗୁନି

ମୁହିଂ ହାଦେ ଆସିଅଛି ସୋହୋଦ୍ରାକଇ ଘେନି |୩୫୫|

ତୋତେ ଦେଖିଣ ୟେ ଯେ ହୋଇଲା ବିରହିଣୀ

ଜାଣିଲେ ମାଧବ ସେ ଦେବ ଚକ୍ରପାଣି |୩୫୬|

ଯତନେହେଂ ଆଗ୍ୟାଂ ମୋତେ ଦିଲେ ଦେବ ରାଇ

ସୁଭଦ୍ରାଂତୁ ଘେନିଯାଅ ଅର୍ଜୁନେ ଆସ ଦେଇ |୩୫୭|

ମୁହିଂ ଯେବେ ୟେକଥା କହୁଅଛିଟି ମିଥ୍ୟା

ଜଗନ୍ନାଥଂକର ଆଶ ମୁଂ ନ ପାଇବି ସର୍ବଥା |୩୫୮|

ବାବୁ ତୋହୋର ଶପଥ ମୁଂ କରତାରେ ଦ୍ରୋହ କରଇ

ଗୁରୁଜନ ନିନ୍ଦା ଦୋଷ ଶରୀରେ ଅପହରଇଂ |୩୫୯|

ଅର୍ଜୁନ ବୋଇଲେ ମା ଗୋ ତୁମ୍ଭେ ପରମ ମାହେଶ୍ଵରୀ

ମୁହିଂ ଯେ ମାନବ ମା ଗୋ କିମ୍ପାଇ ନ ବିଚାରି |୩୬୦|

ୟେହା ଶୁଣି ସୁଭଦ୍ରା ପ୍ରତିଉତ୍ତର ଦିଲେ ଅର୍ଜୁନଂକୁ

କବାଟ ଫେଡ଼ ବାବୁ ମୁଂ ଦେଖଇ ତୁମ୍ଭଂକୁ |୩୬୧|

ଅର୍ଜୁନ ବୋଇଲେ ମାତା କାହିଂକି ମୁଂ ଗଲି

ରଇବ୍ରତ ପର୍ବତେ ମୋତେ ଦେଖୁ ସିନା କାଲି |୩୬୨|

ସୋହୋଦ୍ରା ବୋଇଲେ ବାବୁ ୟେବେ ତୁ ମୋହୋର ସନ୍ନିଧକୁ ଆସସି

ତୋହୋର ମୋହୋର ୟେକ ହୋଇ ସିନା ସମ୍ଭାସି |୩୬୩|

ଅର୍ଜୁନ ବୋଇଲା ଯାହା କହିଲ ନ ଯୋଗାଇ

ମୋହୋର ବିଚାରକୁ ୟେକଥା ଭଲ ତ ନୁଆସଇ |୩୬୪|

ମା ଗୋ ପର ତିରି ମାତା ପରପୁରୁଷ ମୋର ପିତା

ପର କାର୍ଯ୍ୟେ ଶତ୍ରୁକୁ ମୁଂ ନ କରଇ ନାଶଂଗତା |୩୬୫|

ପର ଧନ ନ ହରଇ ମୋହୋର ପରକୁହିଂ ନାହିଂ ହିଂସା

ପର ଦାରା ସ୍ତିରୀକୁ ମୋର ନ ବଳଇ ମନୀଷା |୩୬୬|

ପର ଦୁଖେ କାତର ମୁଂ ପର ଲୋକେ ବନ୍ଧୁ

ପ୍ରସନ୍ନ ପରମାନନ୍ଦ ମୁଂ ଛତ୍ରୀ କୁଳେ ସାଧୁ |୩୬୭|

ସୋହୋଦ୍ରା ବୋଇଲେ ତୁମ୍ଭେ ଯେ କହିଲ ସଭାବେ

ତୁମ୍ଭେ ଶରଣ ମତ୍ସଳ ମୁଂ ଶରଣ ପଶିଲି ୟେବେ |୩୬୮|

ତୁ ଯେ ବୋଲୁଥାଉ ମୁଂ ପର ଦୁଖେ ଦୁଖୀ

ତୁମ୍ଭଠାରେ ଶରଣ ମୁହିଂ ପଶୁଛି ନିର୍ମାଖୀ |୩୬୯|

ଶତଧନୁ ପଳାଇ ତୁମ୍ଭ ତହିଂ ପଶିଲା ଶରଣ

ତାହାକୁ ରକ୍ଷାକଲ ତୁମ୍ଭେ ଜିଣିଲ ନାରାୟଣ |୩୭୦|

ଅଗ୍ନି ଦେବତାୟେ ଶରଣ ତୁମ୍ଭରେ ପଶି

ପିତା ଇନ୍ଦ୍ରକୁ ଜିଣି ଖାଣ୍ଡବେ ବନ ଧଂସି |୩୭୧|

ଅନଙ୍ଗ ଦେବତା ମୋତେ କରେ ଧରି ଚାପ

ଅଦୋଷେ ନାରାଜ ମୋତେ ବିନ୍ଧୁଅଛି ଅନିର୍ଯ୍ୟାପ |୩୭୨|

ବିକଳେ ଶରଣ ପଶୁଛି କାମଦେବର ଭୟେ

ତୁମ୍ଭରେ ଶରଣ ମୋତେ ରଖ ଧନୁର୍ଜୟେ |୩୭୩|

ଅଗ୍ନି ଦେବତାର ତୁମ୍ଭେ ଖଣ୍ଡଣ କଲ ଲୁଦୁବୁଦୁ ବ୍ୟାଧି

ମୋତେ ଉଦ୍ଧରି ଧର ୟେବେ ଦେଇଣ ମଉଷୋଧି |୩୭୪|

ବାବୁ ସର୍ପ ବିଘାତ ଯେ ହୋଇଲା ମୋର କାୟେ

ବିଷ ଝାଡ଼ି ପକାଅ ମୋତେ ପାଣ୍ଡବ ଧନୁର୍ଜୟେ |୩୭୫|

ଅକାରଣ ଜନକୁ ଯେହୁ କାରଣ କରନ୍ତି

ମହତ ଜନ ପ୍ରାଣୀ ସେ ଜଗତ ଉଦ୍ଧରନ୍ତି |୩୭୬|

ମୁହିଂ ଅନାସ୍ତୁଣୀ ମୋତେ ରଖ ଫାଲଗୁନି

ଶତେ ସହସ୍ର ପ୍ରଳମ୍ଵିତ ଘେନ ମୋହୋର ଦଇନୀ |୩୭୭|

କ୍ଷୁଧାର ବେଳେ ଅନ୍ନ ଦିଲେ ହୋଇ ଯେତେ ପୁଣ୍ୟ

ଦରିଦ୍ର ପ୍ରାଣୀଂକି ଯେ ଯତନେ ଦିଅଇ ଦାନ |୩୭୮|

ତୁମ୍ଭେ ଯେ ଫାଲଗୁନି ମହତ କଳ୍ପତରୁ

ବୁଡ଼ିଲି କାମଜଳେ ମୋତେ କିମ୍ପାଇ ଉଦ୍ଧରି ନ ଧରୁ |୩୭୯|

ନିକଳଂକ ଚନ୍ଦ୍ରମା ଜାଣି ତୋହୋର ମୁଖ ଗୋଟି

ଦେଖଇଂ କିନା ମୋହୋର ଅନ୍ଧପଟଳ ଯାଉ ଫିଟି |୩୮୦|

ବିନୟ ଭାବ ହୋଇଣ ବୋଲଇ ଫାଲଗୁନି

ଆଗୋ ସୋହୋଦ୍ରା ତୋତେ ମୋହୋର ଅନେକ ଦୟିନୀ |୩୮୧|

ପରଦାରା ଦୋଷ ଗୋ ନାଶଇ ସର୍ବ ତପ

ମୋହୋର ଛାର ଦେହ ତୋର ତହିଂ ଲାଗିବ ୟେ ମୋହୋର
ପାପ |୩୮୨|

ମା ଗୋ ଠାକୁର ସେବକର ୟେକ ଯୋଗ କାହିଂ

ବ୍ରାହ୍ଣଣ ଚାଣ୍ଡାଳର ୟେକ ଯୋଗ ହେବ ନାହିଂ |୩୮୩|

ତୁ ମୋହୋର ମାତା ଗୋ ଛାଡ଼ି ମେଲ ମୋର ଆଶା

ଦେଖି ତୋହୋର ସମାନେ ବଳା ଯା ମନୀଷା |୩୮୪|

ସୋହୋଦ୍ରା ବୋଇଲେ ତୁମ୍ଭେ ନିକଳଂକ ସୋମବଂଶୀ

ହରି ବଳରାମହୁଂ ତୁମ୍ଭେ ଶତେ ଗୁଣେ ଗରୁହଂସୀ |୩୮୫|

ସୋହୋଦ୍ରା ଅର୍ଜୁନଂକୁ ଅନେକ ତୁସ୍ତି ଭଣି

ମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲା ଧରଣୀ |୩୮୬|

କୋଳ କରି ଧଇଲେ ଦେବୀ ଶକ୍ରାବତୀ

ଆହୋ ଅର୍ଜୁନ ତୁ ଲଭିଲୁ ସ୍ତିରୀ ହତ୍ୟା ଗତି |୩୮୭|

ନିଚୟେ ସୁଭଦ୍ରା ଯେ ତୋହୋର ନାଶଗଲା

କବାଟ ଫେଇ ଦେଖ ବାବୁ ପ୍ରାଣତ୍ୟାଜ ହୋଇଲା |୩୮୮|

କାଳବେଳେ ଦ୍ଵାରିକାୟେ ପଶିଲୁ ଧନୁର୍ଜୟେ

ପ୍ରତକ୍ଷେ ଲଭିଲୁ ବାବୁ ସ୍ତିରୀ ହତ୍ୟା ଗୋଟାୟେ |୩୮୯|

ନିଚୟେ ସୋହୋଦ୍ରା ଯେ ହୋଇଲା ମୃତଆତ୍ମା

ୟେବେହେଂ ସନ୍ନିଧକୁ ଆସୁ କିନା ମହାତମା |୩୯୦|

ବୋବି ଦେଇ ନ ମରନି ପାଥ ହୋଇଲାକ ତୁନୀ

ଅଢାଇ ପ୍ରହର ଆସି ହୋଇଲା ରୟଣୀ |୩୯୧|

ଡାକଦେଇ ବିମୁଖ ହୋଇଲେ ସତ୍ୟଭାମା

ନିରାଶେ ତହୁଂ ବାହୁଡ଼ିଲେ ବେନି ବାମା |୩୯୨|

ଗରଳ ଘୋଟନ୍ତେ ଯେସନେକ ହୁଅନ୍ତି ପ୍ରାଣୀ

ସେହି ସାଦୃଶ୍ୟେ ସତ୍ୟଭାମା ସୁଭଦ୍ରାକୁ ଧରିଆଣି |୩୯୩|

ମେଢର ଭିତରେ ନେଇ ଶୁଆଇଲେ ଶଶୀମୁଖୀ

ସୋହୋଦ୍ରା ବୋଇଲେ ମୁଂ କେମନ୍ତ କରିବି ଗୋ ସଖୀ |୩୯୪|

ନ ରହଇ ଆତ୍ମା ମୋର କାମ ଆସକତେ

ଛିଡ଼ିବି ଜୀବ ଆତ୍ମା ବୋଲି କଟାର ଘେନଇ ହାଥେ |୩୯୫|

ପୋଡୁ ପୋଡୁ ସଖୀ ଗୋ ସ୍ତିରୀଜନ୍ମ ଗୋଟା

ଯୁବାକାଳେ ହୋଅଇ କାମରେ ଯେତେକ ଚେରେଷ୍ଟା |୩୯୬|

ଆହୋ ଧାତା ପୁରୁଷ ତୁ ମନ୍ଦ କୃତ୍ୟ କଲୁ

ସ୍ତିରୀ ଜନ୍ମ କରି କିମ୍ପାଇ ସ୍ରିଜିଲୁ |୩୯୭|

ଆପଣାର ଶରୀର ଘେନି ପରକୁ ଖଟଇ ଭୃତ୍ୟକାରୀ

ଅତି ପାତକ କଲେ ସ୍ତିରୀ ଜନ୍ମେ ଅବତରି |୩୯୮|

ସତ୍ୟଭାମାୟେ ବୋଇଲେ ଗୋ ରହିଥାଅସି ସଂଘାତ

ଅବଶ୍ୟ ଅର୍ଜୁନ ତୋହୋର ହୋଇବ ପରାପତ |୩୯୯|

ତୁ କିମ୍ପେ ନିନ୍ଦାକରୁ ସ୍ତିରୀ ଜନମକୁ

ସ୍ତିରୀ ସେ ଉତପତ୍ତି କରଇ ସଂସାରକୁ |୪୦୦|

ସ୍ତିରୀ ନ ଥିଲେ ଗୋ ପୁରୁଷ ହେବ କାହିଂ

ପୁରୁଷ ବିଧାତା ସ୍ତିରୀ ଅଟଇ ଗୋ ବିହି |୪୦୧|

ଆଗେଣ ସଂଘାତ ଗୋ ସ୍ତିରୀଂକ ନାମ ଧରି

ପଛେ ପୁରୁଷଂକ ନାମ ଯେ ଉଚ୍ଚାରି |୪୦୨|

ଆଗେ ବୋଲି ଲକ୍ଷ୍ମୀ ପଛେ ନାରାୟଣ

ଆଗେ ଉମା ପଛେ ମହେଶ୍ଵର ପୁଣ |୪୦୩|

ସକଳ ଜନଂକୁ ସଖୀ ସ୍ତିରୀ ସେ ଅଟଇ ମୂଳ

ସ୍ତିରୀରେ ବଶ ହୋଅନ୍ତି ସଂସାର ଜନ ଯେ ସକଳ |୪୦୪|

ପୁରୁଷମାନେ ସ୍ତିରୀଂକି କରନ୍ତି ଦୟିନୀ

ପୁରୁଷେ ପାଷାଣ ଗୋ ଅଟଇ ଫାଲଗୁନି |୪୦୫|

ଯାଚିଲା ଦ୍ରବ୍ୟ ଗୋ ୟେମନ୍ତଟି ସଖୀ

ଆତୁର ହୋଇଲେ କାର୍ଯ୍ୟ ନୋହଇ ଯେ କିଛି |୪୦୬|

ୟେ କଥାମାନ ଯାଇଂ ଜଣାଇମି ଦେବରାଜେ

ଆଜର ମଧ୍ୟେ ସିଦ୍ଧି କରାଇବି ତୋର କାର୍ଯ୍ୟେ |୪୦୭|

ସତେହେଂ ସେ ଯେବେ ଆମ୍ଭର ବିନତି ନ ଘେନିମ

ଆମ୍ଭନ୍ତ ନିରାଶ କରି ପାଥ କାହିଂକି ସେ ଅବା ଯିବ |୪୦୮|

ଯଦ୍ୟପି ନିରାଶଟି କରିବ ଫାଲଗୁନି

ବଳେହେଂ ଦୁଇ ସଖୀ ଆମ୍ଭେ ଆସିବା ତାକୁ ଘେନି |୪୦୯|

ସୋହୋଦ୍ରା ଦ୍ରହସିତ ଯେ ସତ୍ୟଭାମାର ବଚନେ

ଯାଅ ଯା ପ୍ରାଣସଖୀ କହ ଯା ଜଗନ୍ନାଥଂକ ସନ୍ନିଧାନେ |୪୧୦|

ୟେ ମୋହୋର କଥାକୁ ସଖୀ ନ ପୁଣ କରୁ ହେଳା

ଅଗାଦ ସମୁଦ୍ରେ ବୁଡ଼ୁଅଛି ମୋର ଭେଳା |୪୧୧|

ମୁହିଂ କେବେ କେବେ ଯିବିଟି ତୋହୋର ତହିଂକି ସଖୀ

ନ ପୁଣ ମୋତେ ପାଶୋରୁଗୋ ଜଗନ୍ନାଥଂକ ମୁଖ ଦେଖି |୪୧୨|

ଯଦ୍ୟପି ଦ୍ରିଯୋଧନକୁ ବରିବେ ବଳରାମ

ନିଜ ରୂପ ଧରି ଯେବେ ବିଜୟେ କରିବ କାମ |୪୧୩|

ତାହାକଇ ମନେ ମୋର ନ ବଳଇ ଇଚ୍ଛା

ଅର୍ଜୁନ ବତ୍ରିକେ ମୋର ନାହିଂ ଆନେ ବାଞ୍ଛା |୪୧୪|

ୟେସନେକ ଭାଳନ୍ତେଣ ପ୍ରସର ହୋଇଲା ରାତି

ସ୍ଵାମୀଂକ ଶୟନ ସ୍ତାନେ ମିଳିଲେ ଶକ୍ରାବତୀ |୪୧୫|

ଦେଖିଣ ସାନନ୍ଦେ ଯେ ପଚାରନ୍ତି ଜଗନ୍ନାଥେ

କାର୍ଯ୍ୟ ସୁବିଧାନ ହୋଇଲେ ବିଳମ୍ଵ କରନ୍ତି ଦୂତେ |୪୧୬|

ଦୂତର ବିଳମ୍ଵେ ସକଳ କାର୍ଯ୍ୟ ହୋୟେ ସିଦ୍ଧି

ସୁଭଦ୍ରାଂକୁ ଅନୁଗ୍ରହ କଲାଟି କି ମନଭେଦୀ |୪୧୭|

କହନ୍ତି ଯୋଗେଶ୍ଵରୀ ଶକ୍ରାଜିତର ନନ୍ଦିନୀ

ସ୍ଵାମୀ ପୁରୁଷ ନିଲକ୍ଷଣ ସେ ଅଟଇ ଫାଲଗୁନି |୪୧୮|

ସ୍ଵାମୀ ତିନିପ୍ରହର ପର୍ଯ୍ୟନ୍ତେ ଦ୍ଵାରେ ମଣାଇ କହିଲୁ ବସି

କବାଟ କିଳି ସେ ଆମ୍ଭନ୍ତ ବହୁତ ଝିଂଘାସି |୪୧୯|

ପାଷାଣ ଝଡ଼ଇ ଦେବ ଆମ୍ଭର ବଚନ ଶୁଣି

ତଦ୍ୟାପି ଇଚ୍ଛା ନ କଲା ସେ କ୍ଷତ୍ରିୟ ଚୂଡାମଣି |୪୨୦|

ବିନୟ ହୁଅନ୍ତେ ହେଲା ତିନି ପ୍ରହର ରାତି

ନିରାଶ ହୋଇ ତହୁଂ ବାହୁଡ଼ିଲୁ ବେନି ଯୁବତୀ |୪୨୧|

ସୁଭଦ୍ରାଂକୁ ଛାଡ଼ିଲି ଦେବ ସେ ମେଢର ଭିତରେ

ବିଚାରିଣ ଆଗ୍ୟାଂ ମୋତେ ଦେବା ଚକ୍ରଧରେ |୪୨୨|

ଅଶୁଭ ବାର୍ତ୍ତା ଯହୁଂ କହିଲେ ଶକ୍ରାଜିତର କୁମାରୀ

ଶୁଣିଣ ବିରସ ହୋଇଲେ ଦେବ ମଧୁହାରୀ |୪୨୩|

ସ୍ରାହାନ ନିତ୍ୟକର୍ମ ସାରିଣ ଦେବ ହରି

ରଇବ୍ରତ ପର୍ବତକୁ ବିଜୟେ ଥାଠ ସଜ କରି |୪୨୪|

ବଳରାମ ଉଗ୍ରସେନ ସାତ ବଂଶ ଘେନି

କ୍ରୀଡା ସ୍ତାନେ ପ୍ରବେଶ ସମସ୍ତ ମହାମୁନି ପୁରୁଷ କାମିନୀ |୪୨୫|

ଅର୍ଜୁନକଇ ସଙ୍ଗେ ଘେନି ବିଜେ ଦେବ ଜନାର୍ଦ୍ଦନେ

କରନ୍ତି ଜଳକ୍ରୀଡ଼ା ଦେବ ନାଉକା ବିମାନେ |୪୨୬|

ଶତଧନୁ ଜଣାଇଲା ଦେବ ଶୁଣିମା ଜଗନ୍ନାଥେ

ସ୍ଵାମୀ ବଳରାମେ ପଠିଆଇଛନ୍ତି ହସ୍ତିନାକୁ ଦୂତେ |୪୨୭|

ଉଦ୍ଧବ ଯାଇଅଛି ଦ୍ରିଯୋଧନକଇ ଆଣିମାକୁ

ସୋହୋଦ୍ରା କନ୍ୟା ଦେବ ପ୍ରଦାନ କରିବାକୁ |୪୨୮|

ୟେସନେକ ବାରତା ଶୁଣିଣ ଶ୍ରୀବଚ୍ଛି

ଥମ୍ଵୀଭୂତ ହୋଇ ବସିଲେ ଦେବ ନ ପୁଂରଇ କିଛି |୪୨୯|

ଅର୍ଜୁନ ବଦନ ଚାହିଂଲେ ଦେବରାୟେ

ତୁ କିମ୍ପା ବିଚାର ନ କରୁ ଧନୁର୍ଜୟେ |୪୩୦|

ନାରାୟଣ ବଚନେ ପାଥ ମଉନବ୍ରତ

ଯାତ୍ରା ସାରି ବାହୁଡ଼ିଲେ ଦେବ ଜଗତଭୂତନାଥ |୪୩୧|

ଅର୍ଜୁନ ବୋଇଲେ ଦେବ ହସ୍ତିନାକୁ ଯିବି

ଦ୍ରିଯୋଧନ ଠାକୁରଂକ ତୁଲେଣ ବାହୁଡ଼ି ଆସିବି |୪୩୨|

ଅର୍ଜୁନ ବଚନେ ସ୍ଵାମୀ ହସିଲେ ବନମାଳୀ

ସାଧୁ ସାଧୁ ପାଥ ତୁ କ୍ଷତ୍ରିୟ ଶୁଦ୍ଧଶାଳୀ |୪୩୩|

ଯଦ୍ୟପି ଦ୍ରିଯୋଧନ ଆସିବ ଆମ୍ଭର ଦ୍ଵାରିକାକୁ

ତୁହି କିମ୍ପା ଯିବୁ ଆଉ ହସ୍ତିନା ପୁରକୁ |୪୩୪|

ଯୁଝେଷ୍ଠି ଠାକୁର ସହିତେ ଆସିବେ ବରଜାତି

ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି କରି ଦେଖିବୁ ସବୁନ୍ତି |୪୩୫|

ୟେତେ ବୋଲି ବିଜେ ଜଗମୋହନ ଦ୍ଵାରିକା ଭୁବନେ

ସମାର୍ଜନା କରି ରୁହାଇଲେ ଫାଲଗୁନେ |୪୩୬|

ସ୍ରାହାନ ଆହାନିକ ସାରି ମୁଣୋହିରେ ବିଜେ

ଯେ ବିଧି ମାନ ସାରିଲେ ଦେବରାଜେ |୪୩୭|

ଅର୍ଜୁନକୁ ଘେନି ଦେବ ବିଜେ କଲେ ସିଂଘାସନେ

ଛାମୁରେ ଭରହରଷ ଅପଛରୀ ବୃନ୍ଦମାନେ |୪୩୮|

ମେଢରେ ଥାଇଣ ଯେ ନନ୍ଦର ଦୁଲାଳୀ

ଗୁଣ୍ଡୁରୀ ଜଳା ବାଟେ ଚାହଂଇ ଚକ୍ଷୁ ଢାଳି |୪୩୯|

ଅର୍ଜୁନ ବଦନ ଚାହଂଇ ନିରେଖି

ଜଗମୋହନ ରୂପ ସରୂପ ତାହା ଦେଖି |୪୪୦|

ବିଚାରନ୍ତି ଜଗନ୍ନାଥେ ଆପଣା ହୃଦଗତେ

ଯାଚିଲାର ଦ୍ରବ୍ୟ ଯେ ଛାଡ଼ୁ ବୀର ପାଥେ |୪୪୧|

ରଙ୍ଗା ଅବତାରେ ଯାର ପ୍ରକୃତି ସବସ୍ଥା

ସେହି ସେ ଜାଣଇ ହାଦେ ପରଦାରାର ବାରତା |୪୪୨|

ମାନିତୀ ଗଉରୋବୀ ମାନ ସମସ୍ତ ଉପେକ୍ଷି

ଇଚ୍ଛାୟେ ଶୃଙ୍ଗାର କଲା ଯେସନେକ ମନ ଇଚ୍ଛି |୪୪୩|

ବଦନ୍ତି ଅଗସ୍ତି ଶୁଣ ହୋ ଦଣ୍ଡଧାରୀ

ପଛିମେ ଅସ୍ତଗଲେ ଗଗନବିହାରୀ |୪୪୪|

ରାତ୍ରେଣ ସାରିଲେ ଦେବ ଶୀତଳ ଅମୃତ ମୁଣୋହି

ଶୟନ ମନ୍ଦିରେ ଅର୍ଜୁନକୁ ଶୟନ କରାଇ |୪୪୫|

ଦିବ୍ୟ ପଲଂକରେ ଶେଜ ଯେ ନେତର ସୁପାତି

ସହସ୍ରେକ ଦୀପାବଳୀ ଜଳଇ ଚଉକତି |୪୪୬|

ଉପରେ ଚନ୍ଦ୍ରାତପ ମୁକୁତା ମାଳି ମାଳି

ମାଣିକ୍ୟ ପୁଞ୍ଜି ପୁଞ୍ଜି ହୀରାମାନ ଝଳି |୪୪୭|

ଅର୍ଜୁନକୁ ଶୟନ ତହିଂ କରାଇଲେ ଶିରୀବଚ୍ଛି

କବାଟ ନ କିଳିବୁ ହୋ ବୀର ସର୍ବସାଚୀ |୪୪୮|

ଆପଣେ ଶୟନ ମନ୍ଦିରେ ପ୍ରବେଶ

ସତ୍ୟଭାମାକଇ ଡାକି କହିଲେ ହୃଷୀକେଶ |୪୪୯|

ଆମ୍ଭେ ତିଆରି ଗୋ ଅଇଲୁ ବୀର ଫାଲଗୁନି

ତୁମ୍ଭେ ୟେବେ ଚଳିଯାଅ ସୋହୋଦ୍ରାକୁ ଘେନି |୪୫୦|

ଅର୍ଜୁନ ଶୟନ ମନ୍ଦିରେ ସମର୍ପି ଆସ ଯାଇଂ

କାର୍ଯ୍ୟ ସୁବିଧାନ କର ଅମୃତ ଯୋଗ ପାଇ |୪୫୧|

ସ୍ଵାମୀଂକର ଆଗ୍ୟାଂ ପାଇ ଦେବୀ ଶକ୍ରାବତୀ

ସୋହୋଦ୍ରା ବେଶ ବେଶନ ହୋଇ ଉଜାଗରି ରାତି |୪୫୨|

ୟେମନ୍ତ ସମୟେ ଆସି ପ୍ରବେଶ ସତ୍ୟଭାମା

ସୋହୋଦ୍ରା ବୋଇଲେ ସଖୀ ରେ ସାଧୁ ସାଧୁ ତୋ ମହିଂମା |୪୫୩|

ପର ଉପୁଗାର କରନ୍ତି ଯେଉଂଣ ଜନ

ଜୀବନ୍ତେ ସାଧୁ ମଲେ ବଇକୁଣ୍ଠେ ସ୍ଥାନ |୪୫୪|

ଅର୍ଜୁନର ମୋହୋର ଯେବେ ହୋଇବ ୟେକ ମେଳ

ମୁହିଂ ତୋତେ ସେବା କରିବି ଚିରକାଳ |୪୫୫|

ସୁଭଦ୍ରାନ୍ତ ଘେନି ତହୁଂ ଚଳିଲେ ଶକ୍ରାବତୀ

ଅର୍ଜୁନ ଶୟନ ମନ୍ଦିରେ ପ୍ରବେଶ ଦେଢ ପ୍ରହର ଯେ ରାତି |୪୫୬|

ତିନି ପୁରେ ତିନି କବାଟ ଯେ ବଜ୍ର କିଳିଣୀ

ନିଶ୍ଚିନ୍ତେ ଯନ୍ତ୍ର ପାତିଅଛି ବୀର ଫାଲଗୁନି |୪୫୭|

ପଲଂକେ ବସି ଶର ଗୁଣଇ ପାଥ

ୟେମନ୍ତ ସମୟେ ସତ୍ୟଭାମା ସୋହୋଦ୍ରାଂକୁ

ଘେନିଣ ଦ୍ଵାରେ ପ୍ରବେଶ ତୁରିତ |୪୫୮|

କବାଟ ପେଲନ୍ତେ ଯେ ନ ଚଳଇ କିଳିଣୀ

ଅର୍ଜୁନ ଅର୍ଜୁନ ବୋଲି ଡାକ ଦିଅନ୍ତି ଶକ୍ରାଜିତର ଦୁଲଣୀ |୪୫୯|

ବାବୁ ଅର୍ଜୁନ କବାଟ ଫେଡ଼ି ମୋର ସନ୍ନିଧକୁ ଆସ

ଜଗନ୍ନାଥେ ଯାହା ତୋତେ କହିଲେ ସମ୍ଭାଷ |୪୬୦|

ସେ ଜଗମୋହନ ନାଥର ଆଗ୍ୟାଂ ମୁହିଂ ପାଇ

ସୋହୋଦ୍ରାନ୍ତ ଘେନିଣ ମୁଂ ଅଇଲି ତୋର ତହିଂ |୪୬୧|

ୟେ ଯେବେ ତୁମ୍ଭନ୍ତ ବଳାଇଲା ମନବାଞ୍ଛା

ତୁ ହୋ ଫାଲଗୁନି ୟେହାକୁ କରିବୁ ନା ରକ୍ଷା |୪୬୨|

ୟେହା ଶୁଣି ଭିତରେ ଥାଇଣ ବୋଲଇ ସର୍ବସାଚୀ

ତୋହୋର ମୁହିଂ ଅନେକ ପାଇବି ଯେ ବାଚି |୪୬୩|

ହୁଡ଼ି କହିଲୁ ମା ଗୋ ନ ଜାଣିଲୁ କିଛୁ

ମାତା ହୋଇ କିମ୍ପା ଗୋ କଟାଳ କରୁଅଛୁ |୪୬୪|

ହରି ବଳରାମେ ମା ଗୋ ଯାହାର ସୋହୋଦ୍ରା ଭ୍ରାଥ

ତାହାଂକୁ ସଂକୋଚ କିମ୍ପେ ନ କଲା ତୋହୋର ଚିତ୍ତ |୪୬୫|

କି ବୋଲି ବୋଲିବେ ମୋତେ ଗୋବିନ୍ଦ ଦେବ ହଳୀ

ୟେଡ଼େ ବଡ଼ ବଂଶରେ ମା ଗୋ ଲଗାଉଛୁ କାଳି |୪୬୬|

ପାପ ପୁଣ୍ୟକୁ ଗ୍ୟାନ ନାହିଂ କିମ୍ପେ ନ ବିଚାରି

ୟେହେନେକ ପାପ କଥାକୁ କିମ୍ପେ କଟାଳ କର |୪୬୭|

ମୁହିଂ ଶୁଣିଲି ୟେବେ ଦ୍ରିଯୋଧନ ଠାକୁର ହୋଇବେ ବିଭା

ତୁ ମୋର ଗୁରୁପତ୍ନୀ କରିବି ଯେ ସେବା |୪୬୮|

ଠାକୁର ଭାରିଯା ହୋଇବୁ ପଞ୍ଚୁ କଟକେ ଠାକୁରାଣୀ

ସେବକେ କିମ୍ପା ଇଚ୍ଛା କରୁ ଗୋ ମହାତ୍ମାଣୀ |୪୬୯|

ଚଳ ଯା ସୋହୋଦ୍ରା ଗୋ ଫିଟିଲା ତୋର କଷ୍ଟ

ପନ୍ନଗାନାରାୟଣଂକୁ ହୋଇବୁ କାଲି ଭେଟ |୪୭୦|

ସୋହୋଦ୍ରା ବୋଇଲେ ତୁ ଅଟୁ ବଡ଼ଇ ନିଲଜ

ତୋହୋ ଛାର ତୁଲେ ଭାବ କିମ୍ପା ବଢାଇଲେ ଦେବରାଜ |୪୭୧|

ଦ୍ରିଯୋଧନ ତୁମ୍ଭର ନିଚେ ଅଟଇ ବଇରି

ତାହା ଛାରକୁ କିମ୍ପେ ୟେଡ଼େ ପୁରସରି |୪୭୨|

ମୁହିଂ ଭାରିଯା ନିହାଇ ହୋଅଇ ବୀର ପାଥ

କଉରୋବଂକ ନାୟେ କମ୍ପଇ ମୋର ଗାତ୍ର |୪୭୩|

ତୁ ତାହାକୁ ବନ୍ଦନା କରୁ ହୋ କେମନ୍ତେ

ବିଧାତା ଘଟସୂତ୍ର କରିଛି ତୋତେ ମୋତେ |୪୭୪|

ଆହୋ ଧନୁର୍ଜୟେ କବାଟ ଫେଡ଼ ବାବୁ କିନା

ମୁହିଂ ତୁମ୍ଭ ପାଦେ କରିବି ଆର୍ଧନା |୪୭୫|

କ୍ଷତ୍ରୀକୁଳ ବାନା ତୋର ପ୍ରତଗ୍ୟାଂ ଯେ ସତ

ନ କର ନିରାଶ ମୋତେ ତୁ ପ୍ରାଣନାଥ |୪୭୬|

ତାହା ଶୁଣ କୋପଭରେ ବୋଲଇ କିରୀଟୀ

ମହତ କୁଳେ ଜାତ ହୋଇ ତୁ ୟେଡ଼େ ନିର୍ଲଜଟି |୪୭୭|

ଧିକ ହେଉ ତୋହୋର ଯଦୁବଂଶ କଥା

ଧିକ ହୋଉ ତୋହୋର ନନ୍ଦ ଯଶୋଦା ପିତା ମାତା |୪୭୮|

କୁଳର ମଧ୍ୟେ ଯେବେ ସୁଲକ୍ଷଣୀ ନନ୍ଦିନୀ

ସୁସ୍ତିରୀ ହୋଇଲେ ବଂଶକୁ ହୋୟେ ଧନି ଧନି |୪୭୯|

ଗଉଡ଼ କୁଳେ ଯେ ଉତପତି ନନ୍ଦ

ଗୋପାଳ ପ୍ରକୃତି ଯେ ଅଟଇ ବଡ଼ ମନ୍ଦ |୪୮୦|

ଜାଣିଣ ବିଧାତା ଦିଲା ଅଭିଶାପ

କୁଲନ୍ତାର ଯୁବତୀଂକର ୟେସନେକ ସରୂପ |୪୮୧|

ୟେ ଯେତେକ ବଚନ ତୁ ବୋଇଲୁ ଗୋ ମାତ

ଅଜାତକ ଜନର ସିନା ୟେସନେକ ଚରିତ |୪୮୨|

ତୁହି ଯେ ବୋଇଲୁ ରାମକୃଷ୍ଣ ମୋର ଭାଇ

ଅଗସ୍ତିଂକ ପୁତ୍ର ହୋଇଲେ କି ପ୍ରତିଗ୍ରହ ହୋଇ |୪୮୩|

ଗୋପାଳ କୁଳେ ଜନ୍ମ ହୋଇ ପ୍ରକୃତି ତୁମ୍ଭର ହୀନ

ତୋହୋର ଦୂଷିତ ହେବେ ବଳଦେବ ଭଗବାନ |୪୮୪|

କୁଦୋହିତା ଉପୁଜିଲେ ବଂଶକୁ ଅସାଧୁ

ସତ୍ୟଭାମା ବୋଇଲେ ତୁ ଆମ୍ଭନ୍ତ କେତେ ନିନ୍ଦୁ |୪୮୫|

ଆପଣେ ଯାହା ଅର୍ଜି ତାହା କର୍ମ ବୋଲି ପାଥ

ଆମ୍ଭେ ଅବା ଅନ୍ତର ଜାତ ହୋଇଲୁଂ ତୁମ୍ଭେ ତ ମହତ |୪୮୬|

ମହତ ଜନ ଦେଖି ଆମ୍ଭେ ତୁମ୍ଭନ୍ତ ଆଶ୍ରେ କଲୁ

ଈଶ୍ଵରେ ସେବା କରି ତ ନିଷ୍ଫଳ ହୋଇଲୁ |୪୮୭|

ଭିତରେ ଥାଇ ବୋଲଇ ବୀର ଫାଲଗୁନି

ଦନ୍ତେ ତିରଣ ଘେନି ସୋହୋଦ୍ରା ତୋତେ ମୁଂ ଦୟିନୀ |୪୮୮|

ମୁହିଂ ଯେ ତୋହୋର ଭୃତ୍ୟର ଦାସର ଯେ ଦାସ

ତୁ ଦେବ ସ୍ତିରୀ ହୋଇ କିମ୍ପା ମାନବେ କରୁ ଆଶ |୪୮୯|

ରାଗେ ମୁହିଂ ତୋତେ ବୋଇଲି ଭ୍ରଚ୍ଛନା

ତୁ ପରମ ସାଧେବୀ ଗୋ ମୋତେ ଠାକୁରାଣୀ ସିନା |୪୯୦|

ପୁଣ ପୁଣ ଭିତରେ ଥାଇଂ ପାଥ କରଇ ପରିଣାମି

ମା ଗୋ ଜାଣିଲେ କୋପ ମୋତେ କରିବେ ବଳରାମ ସ୍ଵାମୀ |୪୯୧|

ଅନେକ କଷ୍ଠୋରେ ଯହୁଂ ବୋଇଲେ ଦୃଢ ବାଣୀ

ଶୁଣି ରାଗେ ପ୍ରତିଉତ୍ତର ଦିଲେ ନନ୍ଦର ନନ୍ଦିନୀ |୪୯୨|

ଆହୋ ଅର୍ଜୁନ ତୁ ଆମ୍ଭନ୍ତ କଲୁ ଝିଂଘାସ

ପୁରୁଷଂକ ମଧ୍ୟେ ତୁ ଅଟୁ କୁପୁରୁଷ |୪୯୩|

ଧିକ ଧିକ ଜୀବନ ତୋର ହୋଉ ଫାଲଗୁନି

ଧିକ ହୋଉ ତୋହୋର କିନା ପିଅର ଜନନୀ |୪୯୪|

ଯେବଣ ମହାତମା ତୋହୋର ବୀଜଦାତା

କୁପୁରୁଷ ପଣେ ତୋହୋର ସ୍ରିଜିଲା ବିଧାତା |୪୯୫|

କ୍ଷତ୍ରୀପଣ ବୋଲାଉ ୟେ ତୋର ସବୁ ମିଛ

କିମ୍ପେ ଆନ ନାମେ ତୋତେ ଦିଲେକ ବିବଚ୍ଛ |୪୯୬|

ବଳଦର୍ପ ମାନ ତୋର ସମସ୍ତ ଧିକ ଯାଉ

ୟେ ତୋହୋର ମାୟେଂସ ପାଥ ଗ୍ରିଧିନୀ ପଛୀ ଖାଉ |୪୯୭|

ଜପାସୁର ମୁଖେ ତୁ ପଡ଼ିଲୁ ଯେତେବେଳେ

ମୋହୋର କଷ୍ଟ ଯାଇଥାନ୍ତା ତୁ ମରିଥିଲେ ସେ କାଳେ |୪୯୮|

ମୋତେ ଧଂସିବାକୁ ବହିଲୁ ନିଜ କାୟେ

ବାବୁ ଦୁଖୀର ସଂଘାତ ମୋତେ ଉଦ୍ଧର ଧନୁର୍ଜୟେ |୪୯୯|

ଅନେକ ଭ୍ରଚ୍ଛନା ମୁଂ ଯେ ବୋଇଲି ତୋତେ ଆଜ

ରାଗେଣ ସ୍ଵାମୀ ଆସି ତୋତେ କରୁ କିନା ଗ୍ରାହିଜ |୫୦୦|

ଯୁଝେଷ୍ଠିଂକ ଶପଥ ତୋତେ କୋଇନ୍ତାନ୍ତ ଦ୍ରୋହ କରୁ

ଜଗନ୍ନାଥଂକର ଆନ ତୋତେ ଯେବେ କବାଟ ନ ଫେଡୁ |୫୦୧|

ଶୁଣି ହସି ଉଠିଲା ଯେ ପାଣ୍ଡବ ଧନୁର୍ଜୟେ

ସାଧୁଂକୁ ଭେଟିଲା ଆସି ତସ୍କର ଗୋଟାୟେ |୫୦୨|

ଆନ ପାଡ଼ି ତାହାର ଘେନିଲା ଜାତି ବୃତ୍ତି

ସେ କଥା ସୋହୋଦ୍ରା ଗୋ ହୋଇଲା ତୋର କତି |୫୦୩|

ବିରହିତା ସ୍ତିରୀ ଆବର ପୁରୁଷ ଯେ ବାଇ

ରାଗୀ ବ୍ରାହ୍ମଣ ଆବର ଧୁନ୍ଦର ଯୋଗୀ ହୋଇ |୫୦୪|

ଅମୁକତି ତୀର୍ଥ ଅସଦ ବାଟି ମଇତ୍ର

ଅମାର୍ଗ ପଥ ଅଭାବ ଜନ ସଂଘାତ |୫୦୫|

ଅନୀତି ସ୍ତାନ ଓହୋକୁଳ ମଧ୍ୟପାତ୍ର ନିର୍ଭୟ କୁଳବଧୂ

ଅତି କଠୋର ଯେ ହୋଅଇ ଅସାଧୁ |୫୦୬|

ଅନାଚାରୀ ବ୍ରାହ୍ମଣ ଯେ ଅଶ୍ରୁତି ଦଇବତ

ଅସାଧନ ଗୁରୁ ଯେ ଅଗ୍ୟାନୀ ପଣ୍ଡିତ |୫୦୭|

ଅଭାଗ୍ୟ ପଣେ ଥିବ ଅଯୋଗ୍ୟ ଘରଣୀ

ଅହର୍ନିଶି କୋପ କରୁଥାଇ ଦୋଚାରୁଣୀ |୫୦୮|

ଅକୁଳା ଅଭାବି ଯେ ଅଠାବ ଥାନ ବାସୀ

ୟେତେ ଲୋକ ସୋହୋଦ୍ରା ଗୋ ଧର୍ମକୁ ନୁଆସି |୫୦୯|

ତୁ ଯେବେ କଟାଳ ମୋତେ କଲୁ ନନ୍ଦର ଦୁଲାଳୀ

ଆର ବେଳେ ନ କଲୁ ମୋତେ ଦ୍ଵାରିକାକୁ ଆସିବା ଭଳି |୫୧୦|

ଅଳପ କଥାରେ ଉପୁଜଇ ବହୁତ ଲାଜ

ଅପଣ୍ଡିତ ଲୋକେ ସିନା ଚଉର୍ଯ ପଣେ କାର୍ଯ୍ୟ |୫୧୧|

ନୋହୋଇ ନୋହୋଇ ମା ଗୋ ୟେମନ୍ତ ଯେ ଧର୍ମ

କୋଟିୟେ ସିଘଂ ପ୍ରାକ୍ରମ ତୋହୋର ଭାଇ ବଳରାମ |୫୧୨|

ତ୍ରଇଲୋକେ କମ୍ପଇ ଆଗୋ ଯାହାର ସାଂଗ୍ରାମେ

ଦକ୍ଷିଣେ ସଉନନ୍ଦ ମୂଷଳ ବଜ୍ରହଳ ବାମେ |୫୧୩|

ପୃଥିବୀ ହେଳ ଘେନଇ କାଦମ୍ଵରୀ ରସ ଭୋଳେ

କପିଳାସ ଉପାଡ଼ିଲା ବାଳୁତ ରସ ଖେଡ଼େ |୫୧୪|

ତାହାର ଭଗ୍ନିକି ହରିବାକୁ କେବଣ ସାହସ

ଦେଖୁଂ ଦେଖୁଂ ମହା ଅନଳେ କେମନ୍ତେ ଦେବି ଝାସ |୫୧୫|

ଚଳ ଚଳ ଗୋସାମଣୀ ଗୋ ଛାଡ଼ିଣ ମୋର ଆଶ

ମୂରୁଛି ମେଲ ପଞ୍ଚୁ ଆତ୍ମା ଗୋ ମୋହୋର ହୁଅ ତୁ ନିରାଶ |୫୧୬|

ଅନେକ ଦୁଖ ତୁ ଗୋ ପାଇଲୁଣି ମାହେଶ୍ଵରୀ

ଶୁକପଛୀ ପ୍ରାୟେ ମା ଗୋ ଆଶା ହୋଇଲା ତୋହୋରି |୫୧୭|

ଶିମୂଳି କୁସୁମର ସୁରଙ୍ଗ ରସ ଦେଖି

ତହିଂ ଆଶେ ନିରାଶ ଗୋ ହୋଇଲା ଶୁକପଛୀ |୫୧୮|

ବଡ ସୁନ୍ଦର ଦିଶଇ ବୃନ୍ଦାରକ ଫଳ

କାକ ତହିଂକି ଆଶା କରି ହୋଇଲା ନିଷ୍ଫଳ |୫୧୯|

ସୁନ୍ଦର ସୁସଞ୍ଚ ଦେଖି ତୁ ବଳାଇଲୁ ଆଶା

କାଳେ ନ ପୂରିଲା ମା ଗୋ ତୋହୋର ମନୀଷା |୫୨୦|

ନ ଜାଣି ହୁଡ଼ି ଯେ ପଡ଼ିଲୁ ଗୋ ମହାତ୍ମାଣୀ

ମୋହୋର ଦଇନୀ ଘେନି ବାହୁଡ଼ ବଳରାମଂକ ଭୟେଣୀ |୫୨୧|

ସୋହୋଦ୍ରା ବୋଇଲେ ଯେ ଅର୍ଜୁନ ବଚନ ଶୁଣି

ବଧିର ଶୁଣଇ କି କମ୍ଵୁ ଶବଦ ବାଣୀ |୫୨୨|

ସୋହୋଦ୍ରାଂକର ତହୁଂ ୟେସନେକ ବାକ୍ୟ ଶୁଣି

ପୁଣି ପ୍ରତିଉତ୍ତର ଦିଅଇ ଫାଲଗୁନି |୫୨୩|

ତୁ ଯେ ନ ଶୁଣିଲୁ ଯେ ଧର୍ମ ଅର୍ଥ ବୋଲ

ସୁବାଣୀ ବୋଲ ଶୁଣି ହୋଇଲୁ ଯେବେ କାଲ |୫୨୪|

ନ ରହନି ୟେଥୁଂ ବେଗେ ଯାଅ ଯା ବାହୁଡ଼ି

ସମାସ୍ୟା ନ ଦେଇ ପାଥ ଶୁତିଲା ବଦନ ମାଡି |୫୨୫|

ଅନେକ ବିନୋୟୀ ହୋଇ ବୋଇଲେ ବେନି ଯେ କାମେନୀ

ତିସିରା ପହର ଯହୁଂ ହୋଇଲା ରୟେଣୀ |୫୨୬|

ସମସ୍ୟା ନ ପାଇଣ ସେ ହୋଇଲେ ନିରାଶ

ବାହୁଡ଼ିଲେ ସତ୍ୟଭାମା ନିଜ ପୁର ବାସ |୫୨୭|

ଭୋ କର୍ମ ପୁରୁଷ ଅନେକ ବିନୋୟୀ ବୋଲି

କାମ ଅସାଷ୍ଟମେ ସୋହୋଦ୍ରା ନୁଆରଇ ଚାଲି |୫୨୮|

ସତ୍ୟଭାମା ବୋଇଲେ ତୁ ନ ଭାଳ ସଂଘାତ

ଅର୍ଜୁନକୁ ଅବଶ୍ୟ ଯେ ବୋଲିବେ ଜଗନ୍ନାଥ |୫୨୯|

ନିଷ୍ଫଳ ହୋଇବ କି ଗୋ ପ୍ରଶୁରାମର ଧାଡ଼ି

ପୁରୁଷ ଆରତ ଛାଡ଼ି ଯେ ଆମ୍ଭେ ତାଙ୍କୁ ଲୋଡ଼ି |୫୩୦|

ସୋହୋଦ୍ରା ଚଳିଲେ ଯେ ମେଢ ଭିତରକୁ

ସତ୍ୟଭାମା ଚଳିଗଲେ ଜଗନ୍ନାଥଂକ ସନ୍ନିଧକୁ |୫୩୧|

ଜଗନ୍ନାଥଂକ ସନ୍ନିଧେ ଦେବୀ ଯାଇ ବିଜେ

କୁଶଳ ବାରତା ପଚାରନ୍ତି ଦେବରାଜେ |୫୩୨|

ସତ୍ୟଭାମା ବୋଇଲେ ଦେବ କାର୍ଯ୍ୟ ନ ହୋଇଲା କିଛି

ଶୁଣି ତହୁଂ ଥମ୍ଵୀଭୂତ ହୋଇଲେ ଶିରୀବଚ୍ଛି |୫୩୩|

ସତ୍ୟଭାମାଂକୁ ବୋଇଲେ ଦେବ ହୃଷିକେଶୀ

ଆମ୍ଭର ବୁଦ୍ଧି ଘେନି ଉପାୟେ କରସି |୫୩୪|

ରାତ୍ର ପ୍ରଭାତେ ତୁମ୍ଭେ ସୋହୋଦ୍ରାକଇ ଘେନି

ପଦ୍ମନ ଭୁବନକୁ ଚଳିଯାଅ ବେନି ଯେ କାମେନୀ |୫୩୫|

ମାୟାବତୀ ଆଗୋ ତୁମ୍ଭେ କହ ୟେହୁ କଥା

ସେ କାମାକ୍ଷୀ କିଛୁ ଜାଣଇଟି ପୁରୁଷ ମୋହନ ବାରତା |୫୩୬|

ମାୟାବତୀ ଭୁବନକୁ ତୁମ୍ଭେ ଚଳ ୟେହିକ୍ଷଣି

ତେଣେଟି ସୋହୋଦ୍ରାକୁ ଅଛଇ କାରେଣୀ |୫୩୭|

ଅନେକ ବୁଦ୍ଧି ତିଆରିଣ କଲେ ଜଗନ୍ନାଥ ସ୍ଵାମୀ

ସୋହୋଦ୍ରା ମନ୍ଦିରେ ବିଜୟେ ପ୍ରତିଗାମୀ |୫୩୮|

ଯାହା ସେ ତିଆରି କହିଲେ ଜଗନ୍ନାଥ

ସୋହୋଦ୍ରାର ଆଗେ ଦେବୀ କହିଲେ ସମସ୍ତ |୫୩୯|

ଅନେକ ହରଷ ହୋଇଲେ ନନ୍ଦର ଦୁଲଣୀ

ମାୟାବତୀ ପୁରକଇ ଗବନ କଲେ ବେନି |୫୪୦|

ଅନେକ ଅଳଂକାର ଘେନି ଝୀନ ଯେ ବସନ

ମାୟାବତୀ ପୁରେ ସେ ବିଜୟେ କଲେକ ବହନ |୫୪୧|

ପଲଂକ ଉପରେ ବିଜେ କରିଥିଲେ ମାୟାବତୀ ମାହେଶ୍ଵରୀ

ଧାତିକାରେ ଆସନ ତେଜି ଅବତାରି |୫୪୨|

ଶ୍ରୀକରେ ରତ୍ନଝରୀ ଘେନି ରତିବାଳୀ

ଗୁରୁପତ୍ନୀ ଦେବୀଂକର ଚରଣ ପଖାଳି |୫୪୩|

ପାଦାର୍ଘ୍ୟ ଦେଇ କନକ ସିଂଘାସନେ ବସାଇ

ପ୍ରଳମ୍ଵ ହୋଇଣ ଯେ ଶୁତିଲେ ଦଣ୍ଡ ଲାଇ |୫୪୪|

ଆଶିଷ ଶୁଭ ବାଞ୍ଛା କରନ୍ତି ସୋହୋଦ୍ରା ଶକ୍ରାବତୀ

ଅହିଓ ସୁଲକ୍ଷଣୀ ତୁମ୍ଭେ ହୋଅ ଗୋ ପୁତ୍ରବନ୍ତୀ |୫୪୫|

ଯେ ତୁମ୍ଭର ମନୋବାଞ୍ଛା ପ୍ରାପତ ହୋଉ ମାୟେ

ବେନି ଭୁଜ ଭିଡ଼ି ଦେବୀ ଆଲିଂଗନ କୟେ |୫୪୬|

ୟେହା ଦେଖି ମାୟାବତୀ ବୋଇଲେ ବଚନ

କି ନିମନ୍ତେ ବିଜେକଲେ ମୋହୋର ଭୁବନ |୫୪୭|

ସତ୍ୟଭାମା ବୋଇଲେ ଶୁଣସି ଗୋ ମାତ

ତୁମ୍ଭର ପୁରକୁ ଗୋ ପେଷିଲେ ଜଗନ୍ନାଥ |୫୪୮|

ମା ଗୋ ସୋମ ବଂଶରେ ଜାତ ପାର୍ଥିବ ଫାଲଗୁନି

ମା ଗୋ ୟେକ ଶରୀର ଅଟନ୍ତି ହରି ଅର୍ଜୁନ ବେନି |୫୪୯|

ଅର୍ଜୁନ ଦ୍ଵାରିକାକୁ ଯେମନ୍ତ ଉପୁଗାରୀ

ତୁହି ତ ଆପଣେ ଜାଣୁ ତାହା ମାହେଶ୍ଵରୀ |୫୫୦|

ଗୋସିଂହ ଦତ୍ୟ ମାରି ସାତବଂଶ ରଖିଅଛି

ସେ ପାଥ ଆମ୍ଭ ଭୁବନକୁ ଆସିଅଛି |୫୫୧|

ମା ଗୋ ସୋମବଂଶ ଠାକୁର ସେ ମଧ୍ୟେ ଭୁବନକୁ

ଆଉର ବଂଶମାନେ ପରିଚର୍ଯ୍ୟା କରନ୍ତି ତାହାକୁ |୫୫୨|

ଗୋବିନ୍ଦେ ବିଚାରିଲେ ସୋହୋଦ୍ରା ଅର୍ଜୁନକଇ ଦେବାକୁ

ୟେ କଥା ନ ଯୋଗାଇଲା ବଡଠାକୁରଂକ ବିଚାରକୁ |୫୫୩|

ସୋମବଂଶେ ଉତପତ୍ତି ହୋଇଲେ ସନ୍ତତି

ସେହି ସେ ଧାରଣା ଯେ ହୋଇବ ୟେ ପୃଥୀ |୫୫୪|

ୟେଡ଼େ ବିଚାରି ମୋତେ ହକାରିଲେ ଶ୍ରୀହରି

ବୋଇଲେ ପାରୁକି ସୋହୋଦ୍ରା ଅର୍ଜୁନ ୟେକ ଯୋଗ କରି |୫୫୫|

ଅର୍ଜୁନ ସୋହୋଦ୍ରା ବଢୁ ଯେ ପୀରତି

ବଳରାମକଂର କୋପ ପଛେ କରାଇବା ଶାନ୍ତି |୫୫୬|

ଜଗନ୍ନାଥଂକ ଆଗ୍ୟାଂୟେ ସୋହୋଦ୍ରାଂକୁ ଘେନିଗଲୁ

ବେନି ରାତ୍ର ପରିଯନ୍ତେ ବହୁତ ଖଟିଣ ମଣାଇଲୁ |୫୫୭|

କପାଟ ପାଡ଼ିଣ ସେ ନିଚିନ୍ତେ କିଳିଣୀ

ଶୋଇଥାଇ ନ ଶୁଣଇ ସେ ବଧୀର ଜନ ଜାଣି |୫୫୮|

ମା ଗୋ ଯେତେକ ମଣାଇଂ ଆମ୍ଭେ କହିଲୁ ତାକୁ ବିନୟ ବାଣୀ

ପାଷାଣ ଝଡ଼ଇ ଗୋ ଆମ୍ଭର ବାକ୍ୟ ଶୁଣି |୫୫୯|

ନିରାଶ ହୋଇଣ ବାହୁଡ଼ି ଅଇଲୁ ବେନି ରାତି

ତୋହୋର ତହିଂକି ମୋତେ ପେଷିଲେ ଶ୍ରୀପତି |୫୬୦|

ମା ଗୋ ସୋହୋଦ୍ରାକୁ ଯେସନେକ ଭଜଇ ଧନୁର୍ଜୟେ

ପଦମନ୍ତ୍ର ଭିଆଣ ଗୋ କରସି ଉପାୟେ |୫୬୧|

ସତ୍ୟଭାମାଂକ ବଚନେ ଯେ ସୋହୋଦ୍ରା ବେଗେ ଉଠି

ମାୟାବତୀଂକର ହାଥ ଧଇଲେ ବେନି ଗୋଟି |୫୬୨|

ବସ ଗୋ ମାତ ବୋଲି ବୋଲନ୍ତି ମାୟାବତୀ

କରିବି କାର୍ଯ୍ୟ ତୋତେ ଅର୍ଜୁନ ହୋଇବ ପ୍ରାପତି |୫୬୩|

ମା ଗୋ କପାଟ କିଳି ଯେବେ ଶୋଇଥାୟେ ଧନୁର୍ଜୟେ

ତହିଂକି ଅଛି ମୋର ପଦମନ୍ତ୍ର ଯେ ଗୋଟିୟେ |୫୬୪|

ପାଟଣ ନାମେ ଯେ କହିଲ ମନ୍ତ୍ର ଗୋଟି

ୟେ ମନ୍ତ୍ର ପଢି ଛୁଇଂଲେ ସାତ କପାଟ ଯିବ ଫିଟି |୫୬୫|

ଉଲୁକ ବିଦ୍ୟା ମା ଗୋ ସାଧ୍ୟ କରାଇବି ତୋତେ

ୟେହା ପଢି ଅର୍ଜୁନ ତହିଂକି ତୁ ଯିବୁ ନିଶାରାତ୍ରେ |୫୬୬|

ସୁ ସବୁନ୍ତି ଦେଖିବୁ ତୋତେ ନ ଦେଖିବେ କେହି

ୟେ ବିଦ୍ୟା ପ୍ରସନ୍ନେ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇ |୫୬୭|

ଆରେକ ମନ୍ତ୍ର ଦେବି ପାଦୁକା ମଉଷଧି

ସହସ୍ର ଯୋଜନେ ଥିଲେ ଭେଟିବ ୟେକ ପାଦି |୫୬୮|

ୟେ ଅଞ୍ଜନ ବିଦ୍ୟା ତୋତେ ଗୋ ଦେଉଅଛି ମାୟେ

ରାତ୍ରେ ଚାହିଂଲେ ଦିଶିବ ତୋତେ ସହସ୍ର ଯୋଜନ ଯାୟେ |୫୬୯|

ପାତାଳ ଭୁବନେ ସେ ପଶିଥିବ ଯଦ୍ୟପି

ୟେ ଅଞ୍ଜନ ଘେନି ଚାହିଂଲେ ଦିଶିବ ଅଦ୍ୟାପି |୫୭୦|

ପୁରୁଷ ବଶ୍ୟ ଯେଣେ ହୋଇବ ଗୋ ମାତ

ୟୋ ମୋହନ ମଉଷଧି ତୋତେ କରୁଛି ପ୍ରାପତ |୫୭୧|

ଶରୀରେ ପକାଅ ତାର ସାଧନ ମନ୍ତ୍ର ଗୁଣ୍ଡି

ଛାଡ଼ିବ ନିରାପକ୍ଷ ହୋଇବ ୟେଣେ ଭଣ୍ଡି |୫୭୨|

ଯଦ୍ୟପି ତପୋଧନ ହୋଇଥିବ ଗଉରୋବୀ

ଛାଡ଼ିବ ବନ୍ଧନ ସେ ହୋଇବ ପରାଭବୀ |୫୭୩|

ୟେ ବିଦ୍ୟାୟେ ତୋତେ ବଶ୍ୟ ହୋଇବ ଫାଲଗୁନି

ତୋ ତହୁଂ ବେତ୍ରକେ କେହି ନୋହିବେ ପ୍ରିୟଭାବିନୀ |୫୭୪|

ଶୁଣ ଗୋ ସାବଧାନେ ରତିଶାସ୍ର ବିଦ୍ୟା

କାମ ଶାସ୍ରେ ଯେଣେ ହୋଇବ ସଂସିଦ୍ଧା |୫୭୫|

ଚନ୍ଦ୍ର ପବନ ଗୋ ଚଲଇ ଯେତେବେଳେ

କାମ ଘଟଣ ଶାହାସ୍ର ଭଜିବୁ ତେତେବେଳେ |୫୭୬|

ସାଧନ ମନ୍ତ୍ର ବିଦ୍ୟା ଯେ କହିଲା ମାୟାବତୀ

ପୁରୁଷ ମାତ୍ରକେ କେ ଧରିବ ଜୀବତି |୫୭୭|

ଦିବ୍ୟ ମଉଷଧି ରସାୟନ ଧାତୁବାଦ ବିଦ୍ୟା

ଥମ୍ଵନ ମୋହନ ଗୁଟିକ ଅଞ୍ଜନ ମନ୍ତ୍ର ସିଦ୍ଧା |୫୭୮|

ସାଧନ ବୋଧନ ଯେ ବଶ ଉଚ୍ଚାଟଣ

ୟେଣେ ମହାଦେବୀ ତୋତେ ହୋଇବ କାରଣ |୫୭୯|

ସକଳ ବିଦ୍ୟାରେ ସେ ନିର୍ଜିତା ତେସନ ନାରୀ

ୟେଣେ ବଶ୍ୟ ତୋତେ ହୋଇବ ଗାଣ୍ଡିମ ଧାରୀ |୫୮୦|

କହିଲା ମାୟାବତୀ ଯେ ସକଳ କାର୍ଯ୍ୟ ସିଦ୍ଧି

ଅନାଦି ଅପର୍ଣ୍ଣା ସେ ତ୍ରଇଲୋକେ ପ୍ରସିଦ୍ଧି |୫୮୧|

ସଂସାର ସୁନ୍ଦରୀ ସେ ମୋହିଲା କାମଦେବ

ଅନ୍ୟ ପୁରୁଷ କେ ତା ତହୁଂ ଉବୁରିବ |୫୮୨|

ଆପଣେ ସାଧଇ ସେ ନାରୀ ଶିରୋମଣୀ

ନ ସାଧି ଗ୍ୟାନବନ୍ତୀ ସେ ଭବାନୀ ମହାତ୍ମାଣୀ |୫୮୩|

ସେ ସମସ୍ତ ବିଦ୍ୟା ଯେ କହିଲା ସୋହୋଦ୍ରାଂକୁ

ମା ଗୋ ଆହୁରି କଥାୟେ ମୁହିଂ କହିବି ତୁମ୍ଭଂକୁ |୫୮୪|

ମା ଗୋ ତୋହୋର ଅର୍ଜୁନରେ ଯେତେବେଳେ ହୋଇବ ପୀରତି

ଅବଶ୍ୟ ଜାଣନ୍ତାଟି ହୋଅଇ ସେ ୟେଥି |୫୮୫|

ମା ଗୋ ଦୃଭାର ମତ୍ତଭୋଳ ଅଟନ୍ତି ବଳରାମ

ଯାଦବ ବଳ ଘେନିଣ ସେ କରିବେ ସାଂଗ୍ରାମ |୫୮୬|

ମା ଗୋ ଯେବଣ କାଳେ ଦହନ ହୋଇଲେ ଅନଙ୍ଗ

ସକଳ ଶାସ୍ରବିଦ୍ୟା କହିଲେ ମୋ ଆଗ |୫୮୭|

ସକଳ ଶାହାସ୍ର ଥୋଇଲେ ମୋର ହାଥେ

ସେ ଶାହାସ୍ରମାନନ୍ତ ମୁଂ ଥୋଇଲି ଗର୍ଭଗତେ |୫୮୮|

ସେ ଅନାଦି ଶାହାସ୍ରମାନନ୍ତ ଗର୍ଭଉଂ ଉଦୁଗାରି

ସୋହୋଦ୍ରା ପ୍ରସନ୍ନେ ସେ ଦିଲେକ ମାହେଶ୍ଵରୀ |୫୮୯|

ବ୍ରହ୍ମା ବିଷ୍ଣୁ ମହେଶ୍ଵର ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ସୂର୍ଯ୍ୟେ

ବଳରାମ ଆଦି କରି ହାରିବେଟି ଅର୍ଜୁନକ ତେଜେ |୫୯୦|

ତୁ ଯେ ମହତ ଗୋ ଅର୍ଜୁନ ତୋତେ ଭେଟି

ପାଇବଟି କାରଣ ପାଣ୍ଡବ କିରୀଟୀ |୫୯୧|

ମା ଗୋ କାମଦେବର ବିବାନ ଅଛଇ ମୋର ତହିଂ

ୟେ ବିବାନ ବେଗେଂ ତୁ ଗୋ ଯାଅ ଯା ଆରୋହୀ |୫୯୨|

ସାଂଗ୍ରାମ କାଳେ ୟେଥେଂ ବିଜେ କରୁ ଧନୁର୍ଜୟେ

ତ୍ରଇଲୋକ୍ୟ ମଧ୍ୟେ ସାଂଗ୍ରାମେ ହୋଇବଟି ନିର୍ଭୟେ ।୫୯୩।

ୟେବେ ଗୋ ମାତା ୟେଥୁଂ ବିଜେ କରି ଯିବା

ମୋତେ ସର୍ବଦା ଅନୁଗ୍ରହ କରିଥିବା ।୫୯୪।

ମାୟାବତୀର ମାୟାମନ୍ତ୍ର ପାଇଣ ତୋଷ ମନେ

ସୋହୋଦ୍ରା ସତ୍ୟଭାମାୟେ ବିଜୟେ ନିଜ ଭୁବନେ ।୫୯୫।

ଯାତ୍ରା କ୍ରୀଡ଼ାରଙ୍ଗେ ବିଜୟେ ଦେବ ଦଇତାରି

ସମଦଣ୍ଡ ଘେନି ବିଜେ ରଇବ୍ରତ ଗିରି ।୫୯୬।

ନାରାୟଣ ପଦ୍ମପାଦେ ଅର୍ଜୁନ ପରିଣାମି

ହସ୍ତିନାପୁରକୁ ଯିବି ଆଗ୍ୟାଂ ମୋତେ ଦେବା ସ୍ୱାମୀ ।୫୯୭।

ଗୋବିନ୍ଦେ ବୋଇଲେ ହୋ ଯାତ୍ରା ଉଚ୍ଛବର କାଳେ

ଯତନେହେଂ ବନ୍ଧୁ ଜନନ୍ତ ଲୋଡ଼ି ଯାତ୍ରାର ଅନକୂଳେ ।୫୯୮।

ତୁ ମୋହୋର ସୋଦର ଅଟୁ ପ୍ରାଣର ସଖା

ମୋତେ ଛାଡ଼ି କେମନ୍ତେ ଯାଇ ଲୋଡ଼ୁ ତୁହି ୟେକା ।୫୯୯।

ଯେଉଂଣ କଥାକୁ ତୁ ମନେ କରୁଅଛୁ ଭ୍ରାନ୍ତି

ତହିଂକି ଆମେ ସପକ୍ଷ ତୋହୋର କିସ ଭୀତି ।୬୦୦।

ନାରାୟଣ ବଚନେ ଅର୍ଜୁନ ସଲଜିତ

ବେନି ଭୁଜେ ଶ୍ରୀହରି ଯେ କଲେ କୋଳାଗ୍ରତ ।୬୦୧।

ଆଗ୍ୟାଂ ପ୍ରମାଣେ ରହିଲା ବୀରବର ପାଥ

ଯାତ୍ରା ଉତ୍ସବ ବିଧାନେ ବିଜୟେ ଜଗନ୍ନାଥ ।୬୦୨।

ଉତ୍ସବ ବିଧାନ ସାରି ଦେବ ଦଇତାରି

ସମଦଣ୍ଡ ଘେନି ବିଜୟେ ଦ୍ୱାରିକା ନାମେ ପୁରୀ ।୬୦୩।

ସ୍ରାହାନ ଭୋଜନ ସାରିଲେ ପାଥ ହରି

କ୍ରୀଡ଼ାରସ ବିନୋଦେ ବିଜୟେ ଦେବ ହରି ।୬୦୪।

ସମଦଣ୍ଡମାନେ ଗଲେ ଯେ ଯାହା ଭୁବନେ

ରାତ୍ରେ ବିଜେ କଲେ ଯେ ଯାହାର ଶୟନ ସ୍ତାନେ ।୬୦୫।

ଦିବ୍ୟ ଭୁବନେ ବିଜୟେ କଲେ ସର୍ବସାଚୀ

ନିଚିନ୍ତେ ଶୟନ କଲେ ଦୁତୀୟ ଶ୍ରୀବତ୍ସି ।୬୦୬।

ଶକ୍ରାବତୀକି ରାଇ ବୋଇଲେ ନାରାୟଣ

ସୋହୋଦ୍ରାକୁ ଘେନି ଯାଅ ଅର୍ଜୁନ ଶୟନର ସ୍ତାନ ।୬୦୭।

ଯେଉଂଣ ଭୁବନେ ଶୋଇଅଛି ବୀର ପାଥ

ଚଉକତି ଆୟତନ ସୁବର୍ଣ୍ଣର କାନ୍ଥ ।୬୦୮।

ସଷ୍ଟିକର ଥମ୍ବ ଚନ୍ଦନ କାଠ ରୁଅ ଶେଣୀ

ତଥିର ଉପରେ ଅଛି ଅଷ୍ଟରତ୍ନର ଖଞ୍ଜଣୀ ।୬୦୯।

ନେତର ଚନ୍ଦ୍ରାତପ ମୁକୁତା ମାଳି ମାଳି

ମାଣିକ୍ୟ ଖଞ୍ଜିଲା ଅଛି ସହସ୍ରେକ ଦୀପାବଳୀ ।୬୧୦।

ଶ୍ରୀକରେ ଧନୁଧରି ବୀର ସର୍ବସାଚୀ

ପଲଂକ ଉପରେ ବସି ସେ ନାରାଜ ଆମଞ୍ଚି ।୬୧୧।

ସାତପୁର ଭିତରେ ସେ ଶୋଇଅଛି ବୀରମଣି

ସାତ କପାଟ କିଳିଅଛି ବଜ୍ର ଯେ କିଳିଣୀ ।୬୧୨।

ନିଚିନ୍ତେ ଯନ୍ତ୍ର ପାତି ଧାରଣାନ୍ତ ଚାପି

ଛତ୍ରୀବୃତ୍ତ ପଣେ ପାଥ ଶର ଗୁଣଇ ଅଦ୍ୟାପି ।୬୧୩।

ଆଗ୍ୟାଂ ପ୍ରମାଣରେ ଶ୍ରୀକୃଷ୍ଣଂକର ବାମା

ସୋହୋଦ୍ରାଂକୁ ଘେନି ଯେ ଚଳିଲେ ସତ୍ୟଭାମା ।୬୧୪।

ଅର୍ଜୁନ ଶୟନ ସ୍ତାନେଣ ତୁରିତେ ଯାଇଂ ପାଇଂ

ଆହୋ ଅର୍ଜୁନ ବୋଲି ଶକ୍ରାବତୀ ରାଇ ।୬୧୫।

ସନ୍ନିଧକୁ ଉଠିଆସ ତୁ ବୀର ଜମ୍ବୋଭେଦୀ

ୟେକାନ୍ତ କଥାୟେ ଅଛି ଜଗନ୍ନାଥଂକର ସମ୍ବାଦି ।୬୧୬।

ଡାକ ଦେଇଣ ଫୁଟିଲେ ସେ ଶକ୍ରାଜିତର କୁମାରୀ

ସମାସ୍ୟା ନ ଦିଅଇ ସେ ଗାଣ୍ଡିମ ଚାପଧାରୀ ।୬୧୭।

ମାୟାବତୀର ମନ୍ତ୍ର ପଢି ସେ ନନ୍ଦର ଦୁଲଣୀ

ଛୁଅନ୍ତେ ଫିଟିଲା ସାତ କପାଟ ନିବିଡ଼ ଯନ୍ତ୍ର ଯେ କିଳିଣୀ ।୬୧୮।

ଧନ୍ୟ ମହିମା ସେ ଧାତାର କୁମାରୀ

ପ୍ରତକ୍ଷେ ଫଳିଲା ଯାହା କହିଲା ନିରାଧାରୀ ।୬୧୯।

ମନ୍ତ୍ର ପଢି ୟେକ କପାଟ ଛୁଅନ୍ତେ ସାତ କପାଟ ଗଲା ଫିଟି

ଅର୍ଜୁନର ସନ୍ନିଧ୍ୟେ ସେ ଯେ ସୋହୋଦ୍ରା ଯାଇ ଭେଟି ।୬୨୦।

ଦେଖିଣ ଧନୁର୍ଜୟେ ବୁଦ୍ଧି ନ ଫୁରଇ

ସପ୍ତପୁର କପାଟ କେମନ୍ତେ ଫିଟଇ ।୬୨୧।

ହାଥରୁ ଧନୁ ପକାଇ ବୀର କୋପାନଳ

ଶୀଘ୍ରେ ବାମ କରେ ଧଇଲା ସେ ସୋହୋଦ୍ରାର ବାଳ ।୬୨୨।

ବିଜେକର୍ଣ୍ଣକଟାର ଧରିଣ ସେ ଦକ୍ଷିଣ ପାଣି

ବୋଇଲା ନାସା ଶ୍ରବଣ ତୋର ପକାଇବି ହାଣି ।୬୨୩।

ତୁ କିଲୋ ରାକ୍ଷାସୁଣୀ ପିସାଚୁଣୀ ଜାତି

ମୋହୋର ଶୟନ ସ୍ତାନେ ଆସି ପଶିଲୁ ନିଶା ରାତି ।୬୨୪।

ସୁମର ଲୋ ତାଂକେଣୀ ତୋହୋର ଦେବତା ଯେ ଇଷ୍ଟ

ସ୍ତ୍ରୀଲିଙ୍ଗ ନୋହିଲେ ଆଜ ହୋଅନ୍ତୁ ମୁଣ୍ଡ କାଟ ।୬୨୫।

ସୋହୋଦ୍ରା ସୁମରଇ ନନ୍ଦ ମହାଖୁଡ଼

ସୁମରଇ ଯଶୋଦା ଯେ ନିଜ ମାତା ତାହାର ।୬୨୬।

ଅର୍ଜୁନ ବୋଇଲେ ତୁ ପାମେରୀ ଦୁଷ୍ଟ ମନ୍ଦ

ତୁ କିମ୍ପେ ସୁମରିଲୁ ଯଶୋଦା ଦେବୀ ନନ୍ଦ ।୬୨୭।

ସୋହୋଦ୍ରା ବୋଇଲା ସେ ମୋର ପିତା ମାତ

ତେଣୁ କରି ମୁହିଂ ଯେ ସୁମରିଲି ତାହାନ୍ତ ।୬୨୮।

ଅର୍ଜୁନ ବୋଇଲେ ହୋ ତାଂକ ଜୀବନହିଂ ଧିକ

ଗୋପାଳ ଜନ୍ମ ସେ ଯେ ଅଟନ୍ତି ଅବିବେକ ।୬୨୯।

ସୋହୋଦ୍ରା ସୁମରଇ ଯେ ଦେବ ବଳରାମ

ସୁମରଇ ଆତଂକେ ସେ ଦେବ ପୁରୁଷୋତ୍ତମ ।୬୩୦।

ଅର୍ଜୁନ ବୋଇଲେ ତୁ କିମ୍ପେ ସୁମରିଲୁ ଯଦୁସାଇଂ

ସୋହୋଦ୍ରା ବୋଇଲେ ସେ ଅଟନ୍ତି ମୋର ସୋହୋଦ୍ର ଭାଇ ।୬୩୧।

ଅର୍ଜୁନ ବୋଇଲେ ବଂଶକୁ ଦୋହିତାୟେ ଉପୁଜିଲେ

କୁଳେ କଳଂକ ଲଗାଇ ଯେ ମନ୍ଦବାଟି ହେଲେ ।୬୩୨।

ରାମକୃଷ୍ଣଂକର ଜୀବନ ଧିକ ହୋଉ

ତୋହୋରେ କରି ତେତେ ସ୍ୱାମୀ ଧିକ ଯାଉ ।୬୩୩।

ସୋମବଂଶେ ଆମ୍ଭେ ଉପିଜିଲୁ ପଞ୍ଚୁଭ୍ରାତ

କିଞ୍ଚିତ ଅଭିମାନ ଆମ୍ଭେ ନ ସହୁ ଜଗତ ।୬୩୪।

ଧର୍ମ ଅଲଂଘିତେ ଯେ ସତ୍ୟଇଂ ନ ଲଘୁଂ

ପାଷାଣରେଖା ଜାଣି ବାଚା ଆମ୍ଭର ପ୍ରଭୁ ।୬୩୫।

ଯୁଝେଷ୍ଠି ଦ୍ରୋପଦୀଂକର ଯେ ଶୃଙ୍ଗାର ଦେଖିଲି

ସୁଖ ଭୋଗ ତେଜ୍ୟା କରି ଦ୍ୱାଦଶ ବରଷ ବନବାସ କଲି ।୬୩୬।

ପ୍ରଥମ ପ୍ରାଗ ତୀର୍ଥେ କଲି ମୁଂ ସ୍ରାହାନ

ତଥାପି ନ ଛାଡ଼ିଲା ମୋତ ଭ୍ରାନ୍ତି ମନ ।୬୩୭।

ଗୟା ତୀର୍ଥେ ପୁଣି ଗଲି ସେ ସ୍ରୋହାନେ

ପିତୃକାର୍ଯ୍ୟ କରି ବଂଶକୁ କାରେଣୀ କଲି

ଗଦାଧର ଦରଶନେ ।୬୩୮।

ବିଶ୍ୱନାଥଂକୁ ଦ୍ରଶନ କଲି ମଣିକର୍ଣ୍ଣିକା ଘାଟେ

ପରଦାରା ହରଣ ଦୋଷ ଲେଛିବାର ସଂକଳ୍ପ

କଲାଇଂ ନିକଟେ ।୬୩୯।

ନ ହରିବି ପର ସ୍ତିରୀ ନ କରିବି ପର ଧନେ ଇଚ୍ଛା

ପର ହିଂସା ଅପବାଦ ନ ସହିବି ୟେସନେକ ମନୀଷା ।୬୪୦।

ବିଶ୍ୱନାଥଂକୁ ତୋଷି ମୁହିଂ ମାଗିଲି ୟେହାନ୍ତ

ସୁପୁତ୍ରପଣେ ଦେବ ଲେଖିଥିବୁ ନା ଆମ୍ଭନ୍ତ ।୬୪୧।

ଦ୍ୱାଦଶ ବରଷେ ଯେ ମକର ସ୍ରାହାନେ

ପ୍ରାଗବେଣୀ ପଛିମେ ଶ୍ରୀ ମାଧବ ଦ୍ରଶନେ ।୬୪୨।

ତହି ବାଞ୍ଛା କଲି ହୋଇବି ଅଣକ୍ରୋଧିୀ

ପରଦାରା ଦୋଷେ ମୋହୋର ଚିତ୍ତ ନୋହୁ ବନ୍ଦୀ ।୬୪୩।

ନର୍ମଦା କାଶୀ ତୀର୍ଥ କଉଶିକ ଭାରୀରଥୀ

ବଇତ୍ରଣୀ କୃଷ୍ଣବେଣୀ କେଦାର ସରସ୍ୱତୀ ।୬୪୪।

ୟେ ତୀର୍ଥମାନଂକରେ ପଶି ମୁଂ ଯେ କଲଇଂ ମନବାଞ୍ଛା

ପରଦାରା ଶୃଙ୍ଗାରେ ମୋତେ ନ କରାଅ ଇଚ୍ଛା ।୬୪୫।

ପରସ୍ତିରୀ ହରଣୁଂ ଯେ ନାହିଂ ଆନ ପାପ

କଉଶିକେ ସ୍ରାହାନ କରି ମାଧବେ କଲି ତପ ।୬୪୬।

ପାତାଳ ଗଙ୍ଗା ଯେ ଗୋପ୍ୟାନ କୃଷ୍ଣବେଣୀ

ସଂକଳ୍ପ କରି ପରଦାରା ଛାଡ଼ିଲି ରେ ତରୁଣୀ ।୬୪୭।

ରୁଦ୍ରବେଣୀ କନକବେଣୀ ଆବର ସୁବର୍ଣ୍ଣରେଖା କୁଶଭଦ୍ରା

ମାଇଲି ପଞ୍ଚୁ ଇନ୍ଦ୍ରି ଥାପିଲି ସର୍ବମୁଦ୍ରା ।୬୪୮।

ସୋହୋଦ୍ରାୟେ ବୋଇଲେ ମୁଂ ନୋହୋଇ ପରଦାରାୟେଣୀ

ତୋତେ ପ୍ରଦାନ ମୋତେ କରିବେ ଚକ୍ରପାଣି ।୬୪୯।

ମାୟାବତୀର ଅଞ୍ଜନ ଘେନି ଚାହିଂଲା ଅପାଙ୍ଗେ

ମୋହୋନା ଶର ଭେଦିଲା ଅର୍ଜୁନର ଅଙ୍ଗେ ।୬୫୦।

ମାୟାବତୀ ଦେଇଥିଲା ଯେବଣ ମନ୍ତ୍ର ଧୂଳି

ବାମ ପାଦ ତଳିପା ଧୂଳି ଅର୍ଜୁନ ଅଙ୍ଗେ ବୋଳି ।୬୫୧।

ସାଧନ ବିଦ୍ୟାରେ ବଶ ହୋଇଲା ଧନୁର୍ଜୟେ

ମଦନର ଆରତେଣ କମ୍ପଇ ତାର କାୟେ ।୬୫୨।

ଅର୍ଜୁନ ଯେ ଧରିଥିଲା ସୋହୋଦ୍ରାର ବାଳ

ଛାଡ଼ିଣ ଅର୍ଜୁନ ଯେ ସୋହୋଦ୍ରାକୁ କଲା କୋଳ ।୬୫୩।

ଦେଖ ହୋ ମହାରାଜା ମନ୍ତ୍ର ସାଧନାର ବିଦ୍ୟା

ବଢିଲା ପୀରତି ଯେ ଲାଗିଲା ଶରଧା ।୬୫୪।

ସୋହୋଦ୍ରାକୁ କୋଳେ ବସାଇ ବୀର ପାଥେ

ଅନେକ ଚାଟୁ ବଚନ ବୋଲେ ପରମାର୍ଥେ ।୬୫୫।

ମା ଗୋ ବୃଷ୍ଟିବଂଶେ ଜମନି ହୋଇଲୁ ମାନହୀନ

ସ୍ତିରୀ କୁଳେ ଜନମ ହୋଇ ତୁ କିମ୍ପା ୟେଡ଼େକ ଅଗ୍ୟାନ।୬୮୬।

ମା ଗୋ ପ୍ରାଣୀଂକି କିଞ୍ଚିତ ସୁଖ ସିନା ଶୃଙ୍ଗାର ରସ କଳା

ପାପ ଆଚରି ପ୍ରାଣୀ ଅଳପେ ତହିଂ ମଲା ।୬୫୭।

ମା ଗୋ ରହିଲା ପାଣିରେ ଯେ ଭାଜିଗଲା ବନ୍ଧ

ଅଳପ ଆୟୁଷ ହୋଅଇ ତୁଟଇ ଯେ କନ୍ଧ ।୬୫୮।

ପ୍ରାଣୀଂକର ଶତେ ଅଷ୍ଟୋତ୍ତର ବୟସ ଆଯୁଷ

ୟେତେକ ନ ପୂରୁଂ ଯେ ପକାଇ ମହାରସ ।୬୫୯।

ମା ଗୋ କେତେହେଂ ଯତନେ ଯେ ଗଢିଲା କାୟା ଗୋଟି

ଅଚେତ ଅଗ୍ୟାନେ ଯେ ପଡ଼ଇ ମହୀ ଲୋଟି ।୬୬୦।

ତିରିଶି ବରଷ ଯେବେ ହୋଇବ ପୁରୁଷ

ତିରୀଂକି ହୋଇବ ଯେ ଛଡ଼ଦଶ ବରଷ ।୬୬୧।

ୟେସନେକ ଯୋଗ ସେ ଅନକୂଳ ଘଟି

ସ୍ତିରୀ ପୁରୁଷ ଦୁହେଂ ହୋଇବେ ଭେଟାଭେଟି ।୬୬୨।

ପ୍ରଥମେ ଶୃଙ୍ଗାର ଯେବେ କରିବ ଯୁବତୀ

ପୁଣି ବହିଯିବ ତିରିଶି ଦିବସ ତିରିଶି ରାତି ।୬୬୩।

ତିରିଶି ଦିବସେ ହୋଇବ ସ୍ତିରୀ ପାକାସୋତି

ଶୁଦ୍ଧକାୟା ହୋଇବ ପାଞ୍ଚ ଦିବସ ରାତି ।୬୬୪।

ସପତ ଦିବସ ହୋଇବ ଶୁଦ୍ଧ ଅଙ୍ଗ

ସ୍ତିରୀ ପୁରୁଷ ବେନି ହୋଇବେ ସତସଙ୍ଗ ।୬୬୫।

ଧାତା ସ୍ରିଜିଲା ଅଛଇ ଦ୍ୱାଦଶ ମାସକୁ

ଦ୍ୱାଦଶ ବେଳ ଶୃଙ୍ଗାର କଲା ସମ୍ବତ୍ସରକୁ ।୬୬୬।

ମା ଗୋ ୟେତେ ବାଗେ ଥିଲେ ଯେ ଅତୁଟ ହୋଇ କାୟେ

ନିରାକୁଳ ଶରୀର ହୋଇଥିବଟି ନିର୍ଭୟେ ।୬୬୭।

ସାଧିବ ଉଜାଣି ଯେ ଛନ୍ଦିବ ପଞ୍ଚୁ ଇନ୍ଦ୍ରି

ଚମ୍ପଳା ନିରିଝାସି ଶୋଷିବ ଧାତୁ ଛନ୍ଦି ।୬୬୮।

ୟେମନ୍ତ କରି ପାଳି ସେ ହୋଅଇ ନିର୍ମଳ

ଯେସନେକ ସିନ୍ଧୁ ଯେ ନ ଲଂଘଇ କୂଳ ।୬୬୯।

ପର ଦାରାୟେ ଅସତୀ ଗୋ ସ୍ୱଦରାୟେ ଯତି

ୟେତେ ବାଗେ ଥିଲେ ଶ୍ରୀ ଆୟୁଷ ବର୍ଧୁତି ।୬୭୦।

ମା ଗୋ ପରଦାରାୟେ ପିଣ୍ଡ କରି ଧାତା ସ୍ରିଜିଲାକ ମୋତେ

ଗ୍ୟାନ ଥାଉଂ ଥାଉଂ ମୁଂ ତା ଲଘିଂବି କେମନ୍ତେ ।୬୭୧।

ସୋହୋଦ୍ରାୟେ ବୋଇଲେ ତୁମ୍ଭେ କହିଲ ନ ଜାଣି

ଆହୋ ଅର୍ଜୁନ ମୁଂ ନୋହେ ପରଦାରାୟେଣୀ ।୬୭୨।

ତୋହୋର ଗୁଣମାନ ଯେ ବିଚାରିଲେ ଜଗନ୍ନାଥେ

ମୋତେ ପ୍ରଦାନ ସେ କରିବେ ଜାଣ ତୋତେ ।୬୭୩।

କେବଣ ସୁଲଭ ତୋତେ ହୋଇବ ଅକାରଣ

ଘୃତ ଭୋଜନ ପାଇଲେ କି ରୁଷଇ ବ୍ରାହ୍ମଣ ।୬୭୪।

ନିଧି ପାଇଲେ କି ଦରିଦ୍ର ଯାଇ ଘୁଂଚି

ପାଷାଣ ଶରୀର କି ତୋର ଅଟଇ ସର୍ବସାଚୀ ।୬୭୫।

ରକତ ମାୟେଂସ ବହି ଶରୀର ଯୁଗତେ

ୟେଥୁଂ ଉବୁରନ୍ତା କେହି ନାହିଂ କଦାଚିତେ ।୬୭୬।

ଯଦ୍ୟପି ପଞ୍ଚୁଇନ୍ଦ୍ରି ମାରିଥିବ ଯୋଗୀ

ମହାତମା ପୁରୁଷ ହୋଇଲେ ସେହୁ ହୋଇବ

କାମ ଭୋଗୀ ।୬୭୭।

ପୁଣି ମାୟାବତୀର ଅଞ୍ଜନ ଘେନି ଚାହିଂଲା ଅପାଙ୍ଗେ

ମଦନ ଶର ଭେଦିଲା ଯେ ଅର୍ଜୁନର ଅଙ୍ଗେ ।୬୭୮।

ଛାଡ଼ିଲା ନିଷ୍ଠାପର ଭାଜିଲା ତାର ଦମ୍ଭ

ସୋହୋଦ୍ରାଂକୁ ବେନି ଭୁଜେ ଭିଡ଼ି ମୁଖେ ଦିଲା ଚୁମ୍ବ ।୬୭୯।

ମାନିନୀ ସରୂପ ସେ ହୋଇଲା ମାନବତୀ

ସଭାବେ ସଲଜ୍ଜିତେ ସୋହୋଦ୍ରା ବସିଲା

ମଥା ପୋତି ।୬୮୦।

ପ୍ରେମର ନିଷ୍ଠା ଯେ ଅଟଇ ରୁଷଣ

ଛିଦ୍ର ପାଇ ଅର୍ଜୁନକୁ ଭେଦିଲା ମୟାଣ ।୬୮୧।

ସୋହୋଦ୍ରା ରୁଷନ୍ତେ ଅର୍ଜୁନ ମହାସ୍ରାଗୀ

ଆହୋ କାମଦେବ ତୁ ନାଶ କରୁ ପରମ ଯୋଗୀ ।୬୮୨।

ପରମ ନିଷ୍ଠା ଯେବେ ହୋଅଇ ପରମ ଯୋଗୀ

ରୁଷଣ ନିଷ୍ଠା ଯେବେ ଅଟଇ ବଇରାଗୀ ।୬୮୩।

ଭୋଜନ ନିଷ୍ଠା ଯେ କ୍ଷୁଧା ବେଳେ ମିଳଇ

ଶୃଙ୍ଗାର ନିଷ୍ଠା ଯେବେ ଚନ୍ଦ୍ରକଳା ଚାଳଇ ।୬୮୪।

ବଣିଜ ନିଷ୍ଠା ଯେବେ ବିକା ଯାଇ ତୁଲେ

କଉତୁକ ନିଷ୍ଠା ଯେବେ ହାଥ ଚାଳଇ ଭଲେ ।୬୮୫।

ନୃତ୍ୟର ନିଷ୍ଠା ଯେବେ ନାଚଇ ଗୁଣ୍ଡକେରୀ

କଳିର ନିଷ୍ଠା ଯେବେ ହୋଅନ୍ତି ମରାମରି ।୬୮୬।

କ୍ଷତ୍ରୀର ନିଷ୍ଠା ଯେବେ ଆଗଭର ଯୁଝଇ

କହିବାର ନିଷ୍ଠା ଯେବେ ଶୁଣିବାର ଲୋକ ବୁଝଇ ।୬୮୭।

ସୋହୋଦ୍ରା ବୋଇଲେ ତୁ ଛାଡ଼ଛାଡ଼ପାଥ

ଅପ୍ରତିଷ୍ଠା ନାରୀ ମୁଂ ତୁ ଛୁଇମୁଂ କେମନ୍ତେ ।୬୮୮।

ଆମ୍ଭେ ଗଉଡୁଣୀ ତୁହି ଅଟୁ ଭଲ ଜାତି

ନିର୍ଲଜୀ ଦୋଚାରୀ ପୁଣି ଅଟୁ ତ ଅସତୀ ।୬୮୯।

କେମନ୍ତେଣ ଛୁଉଂ ମୋତେ ଛାଡ଼ ଛାଡ଼ ବୀର

ନ ହରିବ ପରା ପରଧନ ପରଦାର ।୬୯୦।

ନିୟମ କରିଛ ତୁମ୍ଭେ ତୀର୍ଥ ତୀର୍ଥ ବୁଲି

ଜଗନ୍ନାଥଂକ ବାରତା କହିବି ମୁଂ ବୋଲି ।୬୯୧।

ଅଇଲି ତୁମ ପାଖକୁ ତୁମ୍ଭେ ବଳେ ଧର

ମୁହିଂ ତ ଅବଳା ତୁମ୍ଭେ ବଲବନ୍ତ ବୀର ।୬୯୨।

ରାମଂକୁ ଭୟେ ତୁମ୍ଭର ଥାୟେ ପରା ଚିତ୍ତେ

ତାର ଭଗିନୀକି ବଳେ ଧରୁଛ କେମନ୍ତେ ।୬୯୩।

ଜାଣିଲି ପାଣ୍ଡବ ତୁମ୍ଭେ ଅଟ ଜାରଜାତ

ତେଣୁ ବଳେ ଧରି ମୋତେ କରୁଛ ୟେମନ୍ତ ।୬୯୪।

ଛାଡ଼ ଛାଡ଼ ଗୁରୁପତ୍ନୀ ଅଟଇ ମୁଂ ତୁମ୍ଭର

ଦ୍ରିଯୋଧନ ଅଟନ୍ତି ତୁମ୍ଭ ଜ୍ୟେଷ୍ଠ ସହୋଦର ।୬୯୫।

ୟେପରି ଅନୀତି ତୁମ୍ଭେ କରୁଛ କେମନ୍ତେ

ତୁମ୍ଭେ ପରା ନ୍ୟାୟ ମାର୍ଗେ ଥାଅ ଅବିରତେ ।୬୯୬।

ତୁହି ସେ ମହାପଣ୍ଡିତ ବିବେକ ଧାର୍ମିକ ମହତ କୁଳଶାଳୀ

ଯତସତ କ୍ରିୟାରେ ତୁ ବଞ୍ଚୁ ଦିନକାଳ ।୬୯୭।

ନନ୍ଦର ନନ୍ଦନୀ ମୁଂ ମୋ ଭାଇ କାମପାଳ

Unknown

ବଳେ କଟାଳ କରୁଛୁ ତୁ ଦ୍ୱାରାବତୀ ପୁର ।୬୯୮।

କି ରେ ଯୁଝେଷ୍ଠିଂକ ଭ୍ରାତା ତୁ ବୋଲାଉ

ପର ସ୍ତିରୀ ଅଙ୍ଗସଙ୍ଗେ କିମ୍ପା ମନ ଦେଉ ।୬୯୯।

ଛାଡ଼ ଛାଡ଼ ଧନୁର୍ଜୟେ ତୁ କଟାଳ କରୁ କେତେ

ନବତନ ଯୁବତୀ ମୁଂ ମୋତେ ତୁ ଧରୁଛୁ କେମନ୍ତେ ।୭୦୦।

ତୋତେ ଲଜ୍ଜା ହେବ ମୋତେ ମରଣରୁ ଗୁରୁ

ଛାଡ଼ ଛାଡ଼ ଧନୁର୍ଜୟେ ମୋତେ ୟେହା କିମ୍ପା

ବିଚାର ନ କରୁ ।୭୦୧।

ୟେହେନ୍ନେକ ଭ୍ରଚ୍ଛନା କୂଟ ବଚନ ବୋଲି

ଛାଡ଼ ଛାଡ଼ ଧନୁର୍ଜୟେ ବୋଲି ଅର୍ଜୁନକୁ ଦିଲା ପେଲି ।୭୦୨।

ମାୟାବତୀ କହିଲା ଯେବଣ ମନ୍ତ୍ର ଗୁଣ୍ଡି

ଅର୍ଜୁନ ଶରୀରେ ଲଗାନ୍ତେ ସେ ମଦନେ ଅଛି ବୁଡ଼ି ।୭୦୩।

ଗାଢେ ଧରି ପାଥ କରଇ ଆଲିଙ୍ଗନ

ନନ୍ଦର ନନ୍ଦିନୀ ଗୋ ରଖ ମୋ ଜୀବନ ।୭୦୪।

ସୋହୋଦ୍ରା ବୋଇଲେ ତୁମ୍ଭେ ଅଟ ପରମ ଯୋଗୀ

ୟେତେ ବଡ଼ ମୁଦ୍ରା ପାଥ ତୋର ହାଦେ

ପାରିବାକ ଭାଞ୍ଜି ।୭୦୫।

ଅର୍ଜୁନ ବୋଇଲେ ତୁ ବାଳୁତ ଯୁବତୀ

ୟେଡ଼େ ବଡ ନାଗରୀ ତୁ ଅଟୁ ମହାଧୃତୀ ।୭୦୬।

ମୋତେ ଗୋଚର ନୋହିଲା ତୋହୋର ଯେ ମାୟା

ୟେବେ ସେ ଜାଣିଲି ସ୍ତିରୀଂକର ୟେଡ଼େକ ନିର୍ଦ୍ଦୟା ।୭୦୭।

ଯହୁଂ ଅର୍ଜୁନ ମଦନେ ହୋଇଲା ଅସାଷ୍ଟମ

ଧଇଲାକ ଆକ୍ରେଷି ପାଥ ହୋଇଲା ମତିଭ୍ରମ ।୭୦୮।

ସୋହୋଦ୍ରାୟେ ଡାକ ଦ୍ୟନ୍ତି ସତ୍ୟଭାମା, ଅର୍ଜୁନ

ମୋତେ କଟାଳ କରୁଅଛି

ମୁହିଂ ବାଳସ୍ତିରୀ ଗୋ ନ ଜାଣଇ କିଛି ।୭୦୯।

କେବଣ ପଦାର୍ଥ ଗୋ ଅଛି ମୋହୋର ତହିଂ

ମୋତେ ମାଗଇ ଗୋ ମୁହିଂ ପାଇବଇଂ ତାହା କାହିଂ ।୭୧୦।

ଆକ୍ରେଷି ଅବସ୍ତା ଗୋ ଦେଉଅଛି ମୋତେ

ଦେଖୁଂ ଦେଖୁଂ ଧର୍ମ ମୁଂ ଯେ ଲଘିଂବି କେମନ୍ତେ ।୭୧୧।

ସତ୍ୟଭାମା ବୋଇଲେ ଅର୍ଜୁନକୁ ନ କର ଝିଂଘାସ

ସ୍ତିରୀ ସେ ଉପେଖନ୍ତି ନା ପୁରୁଷଂକ ଦୋଷ ।୭୧୨।

ମା ଗୋ ମନବାଞ୍ଛା ସିଦ୍ଧ ହୋଇଲା ତୋହୋରି

ମୁଂହି ଯାଉଅଛି ୟେବେ ଜଗନ୍ନାଥଂକ ପୁରୀ ।୭୧୩।

କବାଟ ପାଡ଼ିଣ ଯେ ଚଳଇ ଶକ୍ରାବତୀ

ଅର୍ଜୁନ ତୁଲେ ସୋହୋଦ୍ରାର ବଢିଲା ପୀରତି ।୭୧୪।

ପ୍ରାଣ ଅପ୍ୟାନ ବ୍ୟାନ ଉଦାନ ସମାନ ପଞ୍ଚୁଆତ୍ମା

ୟେହାନ୍ତ ନିଆସି ଯେ ସାଧିଲା ମହାତମା ।୭୧୫।

ଗାଢେ ଧରି ପାଥ କଲାକ ବିବସନ

ବକ୍ଷସ୍ଥଳେ ଭିଡ଼ି ଅଧରେ ଦିଅଇ ଚୁମ୍ବନ ।୭୧୬।

ବିରହିତା ବାମା ସେ କାମେଣ ଅସମ୍ଭାଳି

ସହିଲା ସୁନ୍ଦରୀ ସେ ଅର୍ଜୁନର ଆର୍ଦୋଳି ।୭୧୭।

ମଦନ ମୋହନ ଶୋଷଣ ତାପନ ସ୍ତମ୍ଭନ

ଅପଲ୍ଲବ ପଞ୍ଚୁଶରେ ସୋହୋଦ୍ରା ଭେଦିଲା ଅର୍ଜୁନ ।୭୧୮।

ସୋହୋଦ୍ରା ବୋଇଲେ ତୁ କ୍ଷତ୍ରିୟ ଅଚାର୍ଗଳ

ୟେ ମୋହୋର ଶରଘାତ ତୁମ୍ଭେ ବେଳେକ ସମ୍ଭାଳ ।୭୧୯।

ମୟାଣ ଶରଘାତେ ସୋହୋଦ୍ରା ଅର୍ଜୁନକୁ ଭେଦୀ

ଲହଦନ୍ତ ଘାତେ ଅର୍ଜୁନ ତାହା ଛେଦି ।୭୨୦।

ନିରାପକ୍ଷ ଶୃଙ୍ଗାର ଯେ କରଇ ରତିରଙ୍ଗେ

ଶରୀର ବିାଦରଣ କଲା ସୋହୋଦ୍ରା ସର୍ବାଙ୍ଗେ ।୭୨୧।

ହାସ୍ୟ ଲାସ୍ୟ ପରିହାସ ସୁରତି ରସ ଖେଡ଼େ

ଭାଞ୍ଜିଲା ଖେଦ ତାର ସୁରତି ରସ ଭୋଳେ ।୭୨୨।

ଭୁଜେ ଭୁଜ ଭିଡ଼ି ପଡ଼ି ତାଳ ବେନି ଜାନୁ

ଗଣ୍ଡସ୍ଥଳେ ଦନ୍ତଘାତ କଲା ବାସବର ତନୁ ।୭୨୩।

କାମ ଚଳାଇଲା ନଖେଣ ଚାଟୁ ରସେ

ବିକୋତିଲା ଶରୀର ତାହାର ମଦନର ହରଷେ ।୭୨୪।

ରସ ଖଳିତ ହୋଇଲା ପାଇଲା ଦେବୀ ସୁଖ

ସୋହୋଦ୍ରା ବୋଇଲେ ଅର୍ଜୁନ ମୋର ପଞ୍ଚୁପ୍ରାଣ ରଖ ।୭୨୫।

ବାସ୍ତରୀ କ୍ରୀଡ଼ାରସ ଯେ ଚଉଷଠି ପରିବନ୍ଧେ

ମାନିନୀ ବୋଧଗଲା ପ୍ରଧମ ଶୃଙ୍ଗାର ସଧେ ।୭୨୬।

ନଖ ଦନ୍ତ ଘାତେ ସେ ସୋହୋଦ୍ରା ଶରୀର ହୋଇଲା ବିକୋତି

ବୁଡ଼ିଲା ଶରୀର ସେ ନ ଚେତଇ ଯୁବତୀ ।୭୨୭।

ଶୃଙ୍ଗାରେ ନିର୍ଜିତା ସେ ଅଟଇ ଫାଲଗୁନି

ରତି ଶାହାସ୍ର ଜାଣଇଂ ନନ୍ଦର ନନ୍ଦିନୀ ।୭୨୮।

ସୋହୋଦ୍ରାନ୍ତ କୋଳେ ଘେନି ବୀର ଫାଲଗୁନି

ରତି ରଙ୍ଗ ରସେ ନ ଅଣ୍ଟଇ ରଜନୀ ।୭୨୯।

ଚନ୍ଦ୍ରକଳା ଭେଦିଲା ପାଣ୍ଡବ ସୁନ୍ଦର

ପରସ୍ତିରୀ ଶୃଙ୍ଗାର ନାହିଂ ତାହାର ଶରୀର ।୭୩୦।

ତ୍ରଇଲୋକ ସାଧିବାକୁ ଯେବଣ ବୀର ଯୋଧୀ

ଉଚ୍ଚାର ମନ୍ତ୍ରେ ତାକୁ ସୋହୋଦ୍ରେ ସାଧି ।୭୩୧।

ଶୃଙ୍ଗାରେ ଅବିଶ୍ରାମ ସୋହୋଦ୍ରା ଫାଲଗୁନି

ଅନେକ ରତି ରଙ୍ଗ ରସେ ନ ଅଣ୍ଟଇ ରଜନୀ ।୭୩୨।

ୟେକେ ଯୁବୀ ଯୁବତୀ ଯେ ଦୁଜେ କାମ ଖେଦ

ଯୁବା ଯୁବତୀ ଚଛୁରେ ଯେ ନ ମାଡ଼ଇ ନିଦ ।୭୩୩।

ଅନଙ୍ଗେ ଅସାଷ୍ଟମ ଯେ ଭାଙ୍ଗିଲା ଯୋଗ ମୁଦ୍ରା

ଅର୍ଜୁନ ବୋଇଲେ ତୁ ଗୋ ଯାଅ ଯା ସୋହୋଦ୍ରା ।୭୩୪।

ସୋହୋଦ୍ରା ବୋଇଲେ ପାଥ ଅପାର ଅଛି ରାତି

ମୋତେ ଦେଖି ବିମୁଖ କିମ୍ପା ହୋଇଲୁ ସୁତ କୋନ୍ତୀ ।୭୩୫।

ଅର୍ଜୁନ ବୋଇଲେ ସତୀ ୟେତ ଚଉର୍ଯ୍ୟ ଶୃଙ୍ଗାର

ଗୁପତ ନୋହିବ ୟେ ଅବଶ୍ୟ ହୋଇବ ପ୍ରଚାର ।୭୩୬।

ପାପରେ ଦୂଷିତ ମୋତେ କଲୁସି ରେ ସହି

ବଳରାମେ ଜାଣିଲେ ଯେ ନ ବ୍ରତିବା କେହି ।୭୩୭।

ତୁମ୍ଭର ଭୁବନକୁ ଚଳ ଗୋ ସୋହୋଦ୍ରେ

ୟେମନ୍ତେ ୟେ କଥା ନ ଜାଣନ୍ତି ବଳଭଦ୍ରେ ।୭୩୮।

ବୋଲନ୍ତି ଫାଲଗୁନି ଶେଷ ହୋଇଲାନି ରାତି

ତେଜ ନିଉନ ହୋଇଲାନି ଜଳନ୍ତାର ବତୀ ।୭୩୯।

ଅର୍ଜୁନ ବଚନରେ ବାହାର ସୁନ୍ଦରୀ

ପ୍ରବେଶ ହୋଇଲା ଯାଇଂ ମେଢର ଶୟନ ପୁରୀ ।୭୪୦।

ଶଯ୍ୟା ଛାଡ଼ି ସ୍ରାହାନ ଦେବାର୍ଚ୍ଚନ ଯେ ସାରିଲା ସର୍ବସାଚୀ

ଦ୍ରଶନ କଲା ଯାଇଂଣ ଦେବ ଶିରୀବଚ୍ଛି ।୭୪୧।

ରଇବ୍ରତ ପର୍ବତେ ଚଳନ୍ତି ଯେ ଯାତ୍ରାର ବିଧାନେ

ସାତ ବଂଶ ଘେନିଣ ସେ ବିଜେ ଦେବ ଜନାର୍ଦ୍ଦନେ ।୭୪୨।

ବାଜନ୍ତି ଦୁନ୍ଦୁଭି ଯେ ଢୋଲ ନିଶାଣ ମହୁରୀ

ଯାତ୍ରା ରଙ୍ଗ ବିନୋଦେ ବିଜେ ସେ ଦ୍ୱାରିକାପୁର ନାରୀ ।୭୪୩।

ରଇବ୍ରତ ପର୍ବତେ ମିଳନ୍ତି ଯାତ୍ରା ରଙ୍ଗ କରି

ଅନେକ ଋଷିମାନେ ଅଛନ୍ତି ତହିଂ ଭରି ।୭୪୪।

ବଶିଷ୍ଠ ବିଶ୍ୱାମିତ୍ର ବ୍ୟାସ ବାମଦେବ

ଜଳକ୍ରୀଡ଼ା ବିନୋଦେ ନାବେ ବିଜୟେ ସମସ୍ତ ଯାଦେବ ।୭୪୫।

କର୍ପୂର ବାସିଲା ଯେ ପନିର ଜଳ ପାଣି

ମାରନ୍ତି ପିଚିକା ଯେ ଶିଶିର ବୃଷ୍ଟି ଜାଣି ।୭୪୬।

ଅନେକ ଗହଳ ଯେ ବୋଳାଉଳ ଘାଟ

ଅନେକ ବିକ୍ରୀ ହୋଅଇ ଚେଳ ରଙ୍ଗପାଟ ।୭୪୭।

ଅନେକ ସମ୍ଭର ଦେବ କହିତ କି ପାରି

ବହୁବିଧ ଭରହରଷେ ଖଟନ୍ତି ବିଦ୍ୟାଧାରୀ ।୭୪୮।

ଅର୍ଜୁନକୁ ଘେନିଣ ସେ କୃଷ୍ଣ ବଳଦେବ

କ୍ରୀଡ଼ାଦି ବିନୋଦେ ସେ କଲେ ବିଜେ ନାବେ ।୭୪୯।

ଯାତ୍ରା ସାରି ଦେବ ବିଜୟେ ନିତ୍ୟକର୍ମେ

ରଇବ୍ରତ ପର୍ବତୁଂ ବିଜେ ଶ୍ରୀ ପୁରୁଷୋତ୍ତମେ ।୭୫୦।

ଅନେକ ଦିହୁଡ଼ି ଲାଗିଲା ଜଗହୁଳା

ରାତ୍ରେଣ ଆଲୁଅମୟେ ଦିଶନ୍ତି ଦିଗମାଳା ।୭୫୧।

ବିଜେ ଜଗମୋହନ ପୁର ଯେ ଦ୍ୱାରିକା

ମଙ୍ଗଳ ଧୁନି କରି ହୁଳହୁଳି ଦିଅନ୍ତି ସକଳ ନାୟେକା ।୭୫୨।

ସ୍ରାହାନ ଭୋଜନ ସାରିଣ ଦେବ ହରି

ଅର୍ଜୁନଂକୁ ଘେନିଣ ବିଜୟେ ନିଜ ପୁରୀ ।୭୫୩।

କର୍ପୂର ତାମ୍ବୋଳ ଭୁଞ୍ଜି ଦେବ ଜଗନ୍ନାଥେ

ଶୟନ ମନ୍ଦିରେ ଯାଇଂ ବିଜୟେ କୃଷ୍ଣପାଥେ ।୭୫୪।

ଶ୍ରୀ ଜଗନ୍ନାଥଂକ ଛାମୁରେ କହିଲେ ଶକ୍ରାବତୀ

ସ୍ୱାମୀ ସୋହୋଦ୍ରା ଅର୍ଜୁନର ଯେ ହୋଇଲା ଅନେକ ପୀରତି ।୭୫୫।

ବଡ଼ ସାଧନ ସେ ମାୟାବତୀର ମନ୍ତ୍ର

ୟେକ କବାଟ ଛୁଇଂଲେ ଫିଟଇ ସାତ କବାଟ ଯନ୍ତ୍ର ।୭୫୬।

ଅନେକ ସାନନ୍ଦେ ଯେ ସତ୍ୟଭାମା କହିଲେ

ଶୁଣି ନାରାୟଣ ପରମ ସାନନ୍ଦ ହୋଇଲେ ।୭୫୭।

ଜୟ ଜୟ ରୁକ୍ମଣୀ ବଲ୍ଲଭ ଜଗନ୍ନାଥ

ଜୟ ଜୟ ଜମ୍ବୋବତୀର ଆତ୍ମା ସୁଆର୍ଥ ।୭୫୮।

ଜୟ ଜୟ ସତ୍ୟଭାମା ଦେବୀଂକ ବଲ୍ଲଭ

ଜୟ ତୁ ଜୟ ଦେବ କାଳିନ୍ଦୀ ବଲ୍ଲଭ ପଦ୍ମନାଭ ।୭୫୯।

ଜୟ ତୁ ଜଗମୋହନ ତୁଳୁସା ପ୍ରାଣପତି

ଜୟ ତୁ ସଂସାର ଧାରଣ ଶ୍ରୀପତି ।୭୬୦।

ଜୟ ତୁ ଜୟ ଲକ୍ଷ୍ମଣା ବଲ୍ଲଭ ବାସୁଦେବ

ଜୟ ତୁ ମିତ୍ରବିନ୍ଦାର ହୃଦୟ ବଲ୍ଲଭ ।୭୬୧।

ଜୟ ଜୟ ଜାନକୀ ବଲ୍ଲଭ କୋଦଣ୍ଡ କାଣ୍ଡ ପାଣି

ଜୟ ଜୟ ସତ୍ୟା ସତୀର ବଲ୍ଲଭ ଚକ୍ରପାଣି ।୭୬୨।

ଜୟ ଜୟ ସରଣ ରକ୍ଷଣ ମଧୁରିପୁ

ଜୟ ଜୟ ପରମାନନ୍ଦ ନୀଳଦଳ ବପୂ ।୭୬୩।

ଜୟ ତୁ ଜୟ ସଂସାର ରକ୍ଷଣ ଦତ୍ୟ ଧଂସନା

ଜୟ ତୁ ଜୟ ଜଗନ୍ନାଥ ଜୟ ବଜ୍ର ସେହ୍ନା ।୭୬୪।

ଜୟ ୟ ଭବାନୀ ମୋହନ ଦର୍ପ ଧଂସା

ଲକ୍ଷେ ଯୁବତୀର ପୂରାଅ ମନୀଷା ।୭୬୫।

ଜୟ ଜୟ ଶବରୀ ବଲ୍ଲଭ ନାରାୟଣ

ଜୟ ଜୟ ଲକ୍ଷ୍ମୀର ବଲ୍ଲଭ ପଞ୍ଚୁପ୍ରାଣ ।୭୬୬।

ଜୟ ଜୟ ଅତୁଳାୟିତ ବଲ୍ଲଭ କମ୍ବୁ ଚକ୍ରପାଣି

ଶୂଦ୍ରମୁନି ସାରୋଳା ଦାସ ଜୟ ମଙ୍ଗଳ ବାଣୀ ।୭୬୭।

ୟେ ସେ ମହାଭାରଥ ମଧ୍ୟପର୍ବ କଥା

ସଞ୍ଚିପି କହିବାକୁ କିସ ମୁହିଂ ଗ୍ୟାଂତା ।୭୬୮।

ଅସଂକ୍ଷେପ ଭାରଥ କେ କହିବ ସଂକ୍ଷେପି

ନିରୋପି କହିବାକୁ କାହାର ସତ କଳ୍ପି ।୭୬୯।

ଶ୍ରୀମହାଭାରଥ ୟେ ଅମିୟ ରସବାଣୀ

ସଂସାର ଜନ ହିତେ ବଞ୍ଚାଇଲି ଆଣି ।୭୭୦।

ସୋହୋଦ୍ରା ଅଭିଳାଷ ଶ୍ରୀ ବାସୁଦେବ ପ୍ରସନ୍ନେ

ଅର୍ଜୁନ ପୁରକୁ ସୋହୋଦ୍ରା ଚଳଇ ପ୍ରତିଦିନେ ।୭୭୧।

ରାତ୍ରେ ବିଳସଇ ସେ ସୋହୋଦ୍ରାକୁ ଘେନି ଫାଲଗୁନି

ବଢିଲା ପୀରତି ଯେ ଅର୍ଜୁନ ସୋହୋଦ୍ରା ବେନି ।୭୭୨।

ଦିବସେ ହରି ମେଳେ ସେ ରାତ୍ରେ ଆତଯାତ

ୟେମନ୍ତେ ପୀରତି ତହିଂ ବଢିଲା ଦିନ ସାତ ।୭୭୩।

ବଇଶାଖ ଶୁକଳ ପକ୍ଷ ଦଶମୀର ଦିନ

ପୂର୍ବ ଫାଲଗୁନି ନକ୍ଷତ୍ର ଅଟଇ ସେଦିନ ।୭୭୪।

ସଉରି ବାର କଉଳବ ନାମେ କରଣ ଗଣ୍ଡ ନାମେ ଯୋଗ

ମେଷ ସଂକରାନ୍ତିକି ଯେ ପନ୍ଦର ଦିନ ଭୋଗ ।୭୭୫।

ସେଦିନ ବିଜୟେ ଦେବ ରଇବ୍ରତ ପର୍ବତେ

ଚଳିଲେ କନ୍ୟାମାନେ ରେବତୀ ସହିତେ ।୭୭୬।

ନଦୀର ଭିତରେ ସେ ଯେ ଉଚ୍ଛବ ନବରେ

କ୍ରୀଡ଼ା କରନ୍ତି କନ୍ୟାମାନେ ତହିଂର ଭିତରେ ।୭୭୭।

ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ

ରେବତୀ ସୋହୋଦ୍ରା ଆଦି କ୍ରୀଡ଼ା କରନ୍ତି ଜଳେ ପଶି ।୭୭୮।

ଓଢନ୍ତି କନ୍ୟାମାନେ ଦେବାଙ୍ଗ ଝୀନ ପତନୀ

ପନୀର ଜଳ ପିଚିକା ମାରନ୍ତି କାମେନୀ ।୭୭୯।

ତିଳ ଅୟେଂଳା ଗନ୍ଧ ଚତୁସମ ମଥାୟେଣ ବୋଳି

ୟେକ ଆରେକ କରନ୍ତି ପରିହାସ କ୍ରୀଡ଼ାରସ କେଳି ।୭୮୦।

କେ ଜଳ ଭିତରେ ପଶିଣ ପାଣି ଫିଙ୍ଗି

କେ ବୁଡ଼ି ଆରେକ ଗୋଡ଼ ଧରନ୍ତି ଆସି ବେଗି ।୭୮୧।

କେ ପରିହାସେ ଉଛୁଡ଼ନ୍ତି ଯେ ଗୁପତ ହୋଇ ଜଳେ

ଠାବକେ ବୁଡ଼ନ୍ତି କେ କ୍ରୀଡ଼ା ଅବଲୀଳେ ।୭୮୨।

ବେଢିଣ କ୍ରୀଡ଼ା କରନ୍ତି ଯେ ସକଳ ସ୍ତିରୀ ବୃନ୍ଦ

ସକଳ ଯୁବତୀଂକର ୟେକା ସୋହୋଦ୍ରାୟେ ନଣନ୍ଦ ।୭୮୩।

ପରିହାସେ ବେଢିଲେ ତାହାଂକୁ ସକଳ ଯୁବତୀ

କେ ନେଇ ତାହାରେ ଅୟେଂଳା ଲେପନ୍ତି ।୭୮୪।

କେ ପିଚିକା ମାରି ଫିଙ୍ଗି ଦିଅନ୍ତି ପାଣି

କେ ତାହାର ଶିରେ ବାଲି ନିଉଡ଼ନ୍ତି ଆଣି ।୭୮୫।

କେ ତହିଂ ଅତି ବେଗେ ନିଅନ୍ତି କେଶ ଧରି

ପିନ୍ଧିଲାର ବସ୍ର କେହୁ ନିଅନ୍ତି ଉଛୁଡ଼ି ।୭୮୬।

ବିବସନ ହୋଇଲା ସେ ନନ୍ଦର ନନ୍ଦିନୀ

ଜଳେ ଡେଇଂ ପଡ଼ିଲା ସେ ମାନିନୀ ମାନ ଘେନି ।୭୮୭।

ଗଭୀର ଜଳେ ଡେଇଂ ପଡନ୍ତେଣ ଧାତି

କୋଳ କରି ସୋହୋଦ୍ରାକୁ ଧଇଲେ ରେବତୀ ।୭୮୮।

ଥଳେ ଆଣି କରି ଯେ ରେବତୀ କଲେ ଉଭା

ଦ୍ୱିତୀୟା ଚନ୍ଦ୍ର ଜାଣି ନଖ କ୍ଷତ ଦିଶଇ ଶୋଭା ।୭୮୯।

କ୍ଷିଦ୍ର ନଖ ଦନ୍ତ ଗୋଟି ବିରାଜଇ ହିଆ

ରେବତୀ ଦେଖି ବୋଇଲେ ମା ଗୋ କରିଅଛୁ କାହା ।୭୯୦।

କେବଣ ପୁରୁଷ ତୁଲେ ବଢାଇଲୁ ସେନେହା

ନଖ ଦନ୍ତ ଘାତେ ତୋର ବିଦାରଣ ହିଆ ।୭୯୧।

ୟେଡେ ବଡ଼େ କୁଳେ ଲଗାଇଲୁ କଳଂକ

କେବଣ ପୁରୁଷ ତୋତେ କଲା ୟେସନେକ ।୭୯୨।

ତୁ ଅବା ପୀରତି ବଢାଇଲୁ ସ୍ତିରୀ ମାତ୍ର କର୍ମେ

କେବଣ ପୁରୁଷ ମୋ ଗୋ କଲା ବିଡ଼ମ୍ବନ ୟେଡ଼େ ଉତକର୍ମେ ।୭୯୩।

ଯେବଣ ପୁରକୁ ପଶି ନ ପାରନ୍ତି ରୁଦ୍ର ବ୍ରହ୍ମା

ୟେଥକୁ ପଶିତେ ଭରସା କଲା କେଉଣ ମହାତମା ।୭୯୪।

ସାଧୁ ପୁଣ୍ୟବନ୍ତୀ ଯେ ତାହାକୁ ପ୍ରସବୀ

ରାମ କୃଷ୍ଣର ଭଗ୍ନୀଂକି ସେ କରିଲା ପରାଭବୀ ।୭୯୫।

ସାଧୁ ସାଧୁ ମହିଂମା ଯେ ଗାଢ ଦର୍ପ ପଣ

ସାଧୁ ସାଧୁ ମହିଂମା ସେ ଅଟଇ ବଡ଼ ଜଣ ।୭୯୬।

କେ ତୋତେ ବିଡ଼ମ୍ବନା କଲା ଗୋ ସୋହୋଦ୍ରେ

ବହନ ପଳାଉ ସେ ନ ଜାଣନ୍ତୁ ରାମଚନ୍ଦ୍ରେ ।୭୯୭।

ସୋହୋଦ୍ରା ଶ୍ରବଣ ଲାଗି ଦେବୀ ପୁଚ୍ଛନ୍ତି ବାରତ

ମା ଗୋ ତୋତେ ବିଡ଼ମ୍ବଣ କଲା କି ପାଣ୍ଡବ ବୀର ପାଥ ।୭୯୮।

ଛତ୍ରୀବର ସୁନ୍ଦର ସେ ଅଠଇ ପରମ ଯୋଗୀ

ସେହି ସେ ପାରିବନା ତୋତେ ବଇଭୋଗୀ ।୭୯୯।

ଶୁଣିଣ ସୋହୋଦ୍ରା ରେବତୀଂକ ଚରଣେ ପ୍ରଳମ୍ବିତ

ମୁହିଂ ତୋତେ ଶରଣ ଗଲି ରକ୍ଷା କରସି ଗୋ ମାତ ।୮୦୦।

ମୁହିଂ କାମବତୀ କଷ୍ଠରେ ବଳାଇଲି ଇଚ୍ଛା

ତୁ ପରମ ମାହେଶ୍ୱରୀ ମୋତେ କରିବୁ ନାହିଂ କି ରକ୍ଷା ।୮୦୧।

ମା ଗୋ ସ୍ତିରୀ ସେ ଜାଣନ୍ତି ସିନା ସ୍ତିରୀଂକ ବେଦନା

ତୁହି ମୋତେ ରଖ ଗୋ ହୋଇଣ ବଜ୍ରସେହ୍ନା ।୮୦୨।

ରେବତୀଂକ ପଦ୍ମପାଦେ ପଡ଼ି ପୁଣି ବନ୍ଦି

କେଶ ବାସ ଅସମ୍ଭାଳ ହୋଇଣ ଦେବୀ କାନ୍ଦି ।୮୦୩।

ଦନ୍ତରେ ତିରଣ ଧରି ଦଶନହ ଭରି

ଅନାସ୍ତୁଣୀକି ଅନୁଗ୍ରହ କର ଗୋ ମାହେଶ୍ୱରୀ ।୮୦୪।

ମୁହିଂ ମନ୍ଦବାଟୀ ନୋହୋଇ ଗୋ ମାୟେ

ଅକୁଳେ ଦୂଷିତ ଗୋ ନ କଲି ମୋହୋର କାୟେ ।୮୦୫।

ବଂଶେ ନିକଳଂକ ଯେ ସାର୍ଥୁକ ପରମ ଯୋଗୀ

ମୁହିଂ ଦୋଷକୃତ ହରିଲି ସେ ସାତ୍ତ୍ୱିକ ପୁରୁଷ ଲାଗି ।୮୦୬।

ରେବତୀ ବୋଇଲେ ମୁହିଂ ଅବା କରିବଇଂ ଗୋପ୍ୟ

ହତ୍ୟା ପରଦାରାୟେ ଅଟଇ ମହାପାପ ।୮୦୭।

ୟେ କଥା ଗୋପ୍ୟନ କଲେ ନୋହି କିଛି କାର୍ଯ୍ୟ

ଅବଶ୍ୟ ଉକୁଟ ଗୋ ହୋଇବ ବଡ଼ ଲାଜ ।୮୦୮।

ଯଦ୍ୟପି ହରିଲା ସେ ତୋତେ ଅଟଇ ଅଗ୍ୟାନୀ

ଯାଉ ୟେବେ ଅର୍ଜୁନ ତୋତେ ଦ୍ୱାରିକା ପୁରୁ ଘେନି ।୮୦୯।

ଶ୍ରୀହରି ସାହାପକ୍ଷ ଅଟଇ ଅର୍ଜୁନକୁ

ସମସ୍ତେ ହୋଇଣ ମଣାଇବା ବଳଦେବ ଠାକୁରଂକୁ ।୮୧୦।

ୟେମନ୍ତର ସମୟେ ସତ୍ୟଭାମା ମାୟାବତୀ ଦୁହେଂ

ହୋଇଲେ ପ୍ରବେଶ

ପ୍ରଳମ୍ବିତ ହୋଇଲେ ଯାଇଂ ରେବତୀଂକ ପାଶ ।୮୧୧।

ସୋହୋଦ୍ରା ବିନୟେ କରି କହୁଛନ୍ତି ବାଣୀ

ରେବତୀ ତୁଷ୍ଟ ହୋଇଲେ ତାହାନ୍ତ ଦେଖି ୟେସନେକ

ବଚନ ଶୁଣି ।୮୧୨।

ସତ୍ୟଭାମା ବୋଇଲେ ଶୁଣିମା ଗୋସାମଣୀ

ସୋହୋଦ୍ରା ତୁମ୍ଭର ତ ଗୋପତ ଭାଳେଣି ।୮୧୩।

ଆମ୍ଭକୁ ଦେଖିଣ ତୁମ୍ଭେ ଭଜିଲ ମଉନବ୍ରତ

କେଉଣ କଥା ଗୋଟି ମା ଗୋ କହନ୍ତି ଆମ୍ଭନ୍ତ ।୮୧୪।

ରେବତୀ ବୋଇଲେ ତୁମ୍ଭେ ଆମ୍ଭର ଆତ୍ମନି

ସୋହୋଦ୍ରାଂକୁ ବିଡ଼ମ୍ବିଲା ସେ ପାଣ୍ଡବ ଫାଲଗୁନି ।୮୧୫।

ସତ୍ୟଭାମାୟେ ବୋଇଲେ ସୋହୋଦ୍ରାର କିସ ଦୋଷ

ବିଭା ନ କରି ୟେହାକୁ ତୁ କଲ ନାଶ ।୮୧୬।

ଆପଣ ତ ଜାଣ ସ୍ତିରୀଂକର ଯେବଣ କଥା

ଅନଙ୍ଗ ଶରଘାତ କେ ଅଛଇ ସହନ୍ତା ।୮୧୭।

ଭୋ ଗୋସାମଣୀ ୟେ ଯେବେ କାର୍ଯ୍ୟ କଲାକ ହୁଡ଼ି

ସ୍ତିରୀ କୁଳେ ଜନମି ଗୋ ବିସ୍ତାର ନ କରି ।୮୧୮।

ଯେମନ୍ତେ ଆନ ୟେହା ନ ଜାଣନ୍ତି କେହି

ୟେହାର ଦୋଷନ୍ତ ଉପେକ୍ଷା କରିବା ପ୍ରାଣସହୀ ।୮୧୯।

ୟେହା ବିଚାରନ୍ତେ ପ୍ରବେଶ ହୋଇଲା ନିଶି

ବାହୁଡ଼ି ଶ୍ରୀହରି ଦ୍ୱାରିକାୟେ ପ୍ରବେଶ ଆସି ।୮୨୦।

ଚଳନ୍ତି ସୁନ୍ଦରୀୟେ ଯେ ଯାହା ଭୁବନ

ନିଜ ପୁରେ ବିଜେ କଲେ ଦେବ ଜନାର୍ଦ୍ଦନ ।୮୨୧।

ସନ୍ଧ୍ୟା ଷଟକର୍ମ ସାରିଣ ବାସୁଦେବ

ଅର୍ଜୁନକୁ ଘେନି ମୁଣୋହିରେ ବିଜୟେ ମାଧବ ।୮୨୨।

ମୁଣୋହି ସାରିଣ ବିଜେ ନିଅବକାଶ

ଅର୍ଜୁନକୁ ଶୟନ କରାନ୍ତି ହୃଷିକେଶ ।୮୨୩।

ଦିବ୍ୟ ପଲଂକରେ ହଂସୁଲି ତୁଳି ସୁପାତି

ନିଚିନ୍ତେଣ ଶୁତିଲେ ଯେ ବ୍ୟାସଂକର ନାତି ।୮୨୪।

ବାହୁଡ଼ିଣ ଦେବ ବିଜେକଲେ ନିଜ ସ୍ଥାନେ

କପାଟ ପାତି ନିଚିନ୍ତେ ଶୟନ କଲେ ଫାଲଗୁନେ ।୮୨୫।

କରେ ଅର୍ଘ୍ୟ ଘେନିଣ ଯେ ନନ୍ଦର କୁମାରୀ

ପେଲଇ କପାଟ ସେ ଯନ୍ତ୍ର ଅଛି ପାଡ଼ି ।୮୨୬।

ମାୟାବତୀର ମନ୍ତ୍ର ପଢନ୍ତେଣ ମହାସତୀ

ଯନ୍ତ୍ର କବାଟ କିଳିଣୀ ଫିଟିଲା ତତକ୍ଷଣାନ୍ତି ।୮୨୭।

ତୃତୀୟ ଘଡ଼ି ପ୍ରବେଶ ହୋଇଅଛି ରାତି

ଦେଖିଣ ଧନଞ୍ଜୟ ଅନେକ ତୋଷ ମାତି ।୮୨୮।

ଅର୍ଜୁନ ସୋହୋଦ୍ରା ଅନେକ ମେଳ ଭାବ

ବଢିଲାକ ରତିରଙ୍ଗ ଅନେକ ପ୍ରସ୍ତାବ ।୮୨୯।

ବିଷମ ଅନଳ ଜାଳା ଅଟଇ କାମ ଖେଦ

ଯୁବା ଯୁବତୀର ଭେଟେ ଅଙ୍ଗେ ନୁଆସଇ ନିଦ ।୮୩୦।

ରତି ଶାହାସ୍ରେ ନିର୍ଜିତ ସେ ଅଟଇ ବୀର ଫାଲଗୁନି

ରତି ରସେ ରସାଇଲା ନନ୍ଦର ନନ୍ଦିନୀ ।୮୩୧।

ଚନ୍ଦ୍ରକଳା ଭେଦିଲା ସେ ପାଣ୍ଡବ ସୁନ୍ଦର

ପରସ୍ତିରୀ ପରସଙ୍ଗ ନାହିଂ ଯାହାର ପାଷାଣ ଶରୀର ।୮୩୨।

ତ୍ରଇଲୋକ୍ୟ ସାଧିବାକୁ ସାମର୍ଥ ଯେବଣ ଯୋଧୀ

ଉଚ୍ଚାଟ ମନ୍ତ୍ରେ ତାହାକୁ ଭୁଲାଇ ସୋହୋଦ୍ରା କଲା ସାଧି ।୮୩୩।

ରଜନୀ ପ୍ରସରେ ପ୍ରଭାତ ଯହୁଂ ରାତି

ଉଲୁକ ବିଦ୍ୟା ପଢି ଦେବୀ ଆସଇ ତଡ଼ତି ।୮୩୪।

ବଇଶାଖ ଶୁକଳ ପକ୍ଷ ରାତ୍ରି ତ୍ରୟୋଦଶୀ ଭୋଗ ତିଥି

ଶଉରିବାର ଚିତ୍ରା ନକ୍ଷତ୍ର ଉତ୍ତାରେଣ ସ୍ୱାତୀ ।୮୩୫।

ସେ ରାତ୍ରେ ବଳରାମେ ପଲଂକେ ଅଛନ୍ତି ପହୁଡ଼ି

ରେବତୀ ପୁଚ୍ଛା କରନ୍ତି କରପତ୍ର ଯୋଡ଼ି ।୮୩୬।

ସ୍ୱାମୀ ସଉଭଦ୍ରେ ତୁମ୍ଭର ଯେ ଅଟନ୍ତି ସାନ ଭୟେଣୀ

କାହାକୁ ପ୍ରଦାନ ସେ କରିବା କାମେନୀ ।୮୩୭।

ବଳରାମ ବୋଇେଲ ନିକଳଂକ ସୋମବଂଶୀ

ଦ୍ରିଯୋଧନକୁ ପ୍ରଦାନ କରିବା ଶୁଭ୍ରକେଶୀ ।୮୩୮।

ଅଣାଇବା ନିମନ୍ତେ ପେଷିଅଛି ଦୂତ

କାଲି ସୋହୋଦ୍ରକୁ ପ୍ରଦାନ ହୋଇବ କୁରୁନାଥ ।୮୩୯।

ଭୋ ଦେବୀ ତୁମ୍ଭର ଯେ ତାହାଂକୁ ନାହିଂ ଦେଖିଲା

ପନ୍ନଗାନାରାୟଣ ସେ ପ୍ରତଚ୍ଛେ ଜାତ ହୋଇଲା ।୮୪୦।

ବିଚାରିଣ ସେ କନ୍ୟା ସିନା କରିବା ପ୍ରଦାନ

ଆପଣାର ସମାନେ ସେ ହୋଇବ ବନ୍ଧୁଜନ ।୮୪୧।

ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ଅଗସ୍ତି

ଉଦ୍ଧବ ଅନାଦୃଷ୍ଟ ଗଲେ ଯେ ଦ୍ରିଯୋଧନକୁ ନିମନ୍ତ୍ରି ।୮୪୨।

ସଭାରେ ସମ୍ଭର୍ବ ଆସ୍ତାନେ ବିଜୟେ କୁରୁସାଇଂ

ୟେସନେକ ସମୟେ ଦୂତ ପ୍ରବେଶ ହେଲେ ଯାଇଂ ।୮୪୩।

ଛାମୁରେ ଅର୍ଘ୍ୟ ଦିଲେ ନେଇ ଦ୍ରିଯୋଧନ ରାଜାକୁ

ତୁମ୍ଭନ୍ତ ପ୍ରଦାନ ଯେ କରିବେ ସୋହୋଦ୍ରାଂକୁ ।୮୪୪।

କୁଂକୁମ ଲେପନ କଲେ ତାହାଂକ ଶରୀରେ

ପଞ୍ଚୁବର୍ଣ୍ଣ ମୁକୁଟ ସେ ବାନ୍ଧିଲେ ଶିରରେ ।୮୪୫।

ହରଷ ହୋଇଣ ସେ ମାନଚକ୍ରବତୀ

ଗାନ୍ଧାରୀ ଧୃତିରାଷ୍ଟଂକୁ ଜମାଇଲା ତଡ଼ତି ।୮୪୬।

ପୁରୋହିତେ ବରଣ କଲେ ସୀଉକାର ବରଣେ

ସାଜ ସାଜ ସମଦଣ୍ଡ ଦ୍ୱାରିକାକୁ ଯିବା ୟେହିକ୍ଷଣେ ।୮୪୭।

ଯୁଝେଷ୍ଠି ଭୀମସେନ ନକୁଳ ସହଦେବ

ହକରାଇ ତତକ୍ଷଣ ଆଣିଲେ କଉରୋବ ।୮୪୮।

ଭୀଷ୍ମ ଦ୍ରୋଣ ଶଲ୍ୟ କର୍ଣ୍ଣ ଭୂରିସର୍ବା

ଦ୍ରିଯୋଧନ ଆଗ୍ୟାଂ ଦିଲେ ଚାଲ ଦ୍ୱାରିକାକୁ ଯିବା ।୮୪୯।

ରାମକୃଷ୍ଣଂକର ବହେଣୀ ଯେ ସୋହୋଦ୍ରା ଅଟଇ

ଦ୍ରିଯୋଧନକଇ ବରଣ କଲେ ହଳସାଇଂ ।୮୫୦।

ବଡ଼ାଇ ସମ୍ଭର୍ବେ ଯେ କାଲି ହୋଇବାକ ବିହା

ରଥ ଗଜ ସନ୍ୟ ଘେନି ବିଜେ କୁରୁନାହା ।୮୫୧।

ଅଶିଲକ୍ଷ ରଥ ଯେ ବାଉନ ମର୍ଭୁତ ହାଥୀ

ସତୁରି ସର୍ଭୁତ ଚୋଖାର ତୁରଙ୍ଗମ ସାଜନ୍ତି ।୮୫୨।

ଅଷ୍ଟାଦଶ କ୍ଷଉଣୀ ଯେ ସନ୍ୟବଳ ସାଜି

ଅନେକ ବୀରତୂର ଶବଦ ଘନ ଘନ ବାଜି ।୮୫୩।

ପାଟଛତ୍ର ଉଦଣ୍ଡ ଯେ ଆଲମ୍ବ ଅସଂଖଳୀ

ୟେକଲକ୍ଷୀ ପାଞ୍ଚଲକ୍ଷ ଉଭାରି ଲକ୍ଷ ଚାରି ।୮୫୪।

ବେନି କୋଟି ଶୁଭଶଙ୍ଖ ସୁବର୍ଣ୍ଣ ବନ୍ଧାୟେଣ ଫୁରି

ବିହଡ଼ନ୍ତି ରାଉତେ ଯେ ଚୋଖାର ତୁରଙ୍ଗମ ଚଢି ।୮୫୫।

ପାତ୍ର ଅମନାତ୍ୟେ କୁମାର ବଡ଼ଜେନା

ମୁକୁଟ ବାନ୍ଧି ରଥରେ ଆରୋହନ୍ତି ସର୍ବ ସେହ୍ନା ।୮୫୬।

ଅନେକ ସମ୍ଭର୍ବ ଥାଠ କହିତ କି ପାରି

ଚଳଇ ସମଦଣ୍ଡ ଯେ ମାଡ଼ିଣ ଯୂଣ ଚାରି ।୮୫୭।

ଯୁଝେଷ୍ଠି ବିଦୂର ଯେ ସଞ୍ଜୟେ ଶକୁନି

ପଛ ପଟୋୟାରେ ସେ ଚଲନ୍ତି ଥାଠ ଘେନି ।୮୫୮।

ଦ୍ରିଯୋଧନର ବର ବେଶ କହିତ କି ପାରି

ସହଦେବ ହସଇ ଯେ ନାସିକାରେ କର ଭରି ।୮୫୯।

ସହଦେବ ହସନ୍ତେ ଯେ ପୁଚ୍ଛିଲେ ବିଦୁରେ

ବାବୁ କି ନିମନ୍ତେ ତୁ ହସିଲୁ କେଉଂଣ ପ୍ରସ୍ତାପରେ ।୮୬୦।

କହିବୁ ନା ୟେଥିରେ ସନ୍ଦେଶ ବାରତା

ତୁ ମହା ପଣ୍ଡିତ ବାବୁ ଭୂତ ଭବିଷ୍ୟ ଗ୍ୟାଂତା ।୮୬୧।

ସହଦେବ ବୋଇଲେ ତାତ ହୋଇବ ବଡ଼ାଇ ରସ

କାହାର କନ୍ୟାକୁ କେ ହେଉଛି ବରବେଶ ।୮୬୨।

ବିଦୁରେ ବୋଇଲେ ବଳରାମେ ପେଷିଛନ୍ତି ଦୂତ

ସମସ୍ତଂକ ବିଚାରେ ସୋହୋଦ୍ରାଂକୁ ପ୍ରଦାନିବେ କୁରୁନାଥ ।୮୬୩।

ୟେ କଥାରୁ ଆନ କି ହୋଇବ ଅନ୍ତରୋଇ

ତୋହୋର ବଚନ କେ ଭାଙ୍ଗିତ ପାରଇ ।୮୬୪।

ବିଦୁରେ ସଞ୍ଜୟେ ଯୁଝେଷ୍ଠି ୟେକାନ୍ତେ

କହଇ ସହଦେବ ଯେ ଥାଠ ଚଳିଯାନ୍ତେ ।୮୬୫।

ସ୍ୱାମୀ ବନବାସ ଗଲେ ବୀର ଫାଲଗୁନି

ଗୋସିଂହ ବଧ କରି ଦ୍ୱାରିକାକୁ ଗଲେ

ସତ୍ୟଭାମାକୁ ଯେ ଘେନି ।୮୬୬।

ରଇବ୍ରତ ପର୍ବତେ ଦେବ କରନ୍ତି ଉଚ୍ଛବ

ୟେମନ୍ତ ସମୟେ ଯାଇଂ ମିଳିଲେ ପାର୍ଥିବ ।୮୬୭।

ଅନେକ ସାନନ୍ଦ ଦେଖି ହୋଇଲେ ମଧୁରିପୁ

ବହୁତ ବେଶ ବେଶନ କରାଇଲେ ଅର୍ଜୁନକୁ ।୮୬୮।

ବସନ୍ତ ଉଚ୍ଛବ ଯାତ୍ରା ରଇବ୍ରତ ପରବତେ

ଅର୍ଜୁନ ଠାକୁର ଘେନି ବିଜେ ଜଗନ୍ନାଥେ ।୮୬୯।

ୟେକ ଦିନେ ଶ୍ରୀ ଜଗନ୍ନାଥ ପୁଚ୍ଛାକଲେ ବଳରାମଂକୁ

ସ୍ୱାମୀ ଅର୍ଜୁନକୁ ପ୍ରଦାନ କି କରିବା ସୋହୋଦ୍ରାକୁ ।୮୭୦।

ବଳରାମ ବୋଇଲେ ଯେବେ ଦେବାକ କୁମାରୀ

ଆମ୍ଭର ସମାନେ ବନ୍ଧୁ ହୋଇ କି ସମସରି ।୮୭୧।

ପଞ୍ଚୁକଟକେ ଠାକୁର ସେ ମାନଚକ୍ରବତୀ

ଦ୍ରିଯୋଧନ ରାଜାକୁ ଦେବାରେ ଆମ୍ଭର ବହୁତ ପୀରତି ।୮୭୨।

ବଳରାମଂକ ବଚନ ଦେବ ଭାଞ୍ଜି ନୁଆରିଲେ

ଗର୍ଭେଣ ରାଗ ଭରି ହରି ତୂନି ଯେ ହୋଇଲେ ।୮୭୩।

ବଳରାମେ ରାଇଲେ ଅନାଧୃଷ୍ଟ ଉଦ୍ଧବ

ଦ୍ରିଯୋଧନକୁ ଘେନି ତୁମ୍ଭେ ଗହନ ଆସିବ ।୮୭୪।

ବଳରାମଂକ ଆଗ୍ୟାଂୟେ ଅଇଲେ ଦୂତକାରୀ

ଦ୍ରିଯୋଧନ ରାଜାଂକୁ ୟେ ନେଇଛନ୍ତି ବରି ।୮୭୫।

ଜଗନ୍ନଥ ଦେବଂକର ମନେ ନାହିଂ ତ୍ରିପୁତି

ଅର୍ଜୁନକୁ ସୋହୋଦ୍ରା ସଙ୍ଗେ ତେଣୁ କରାଇଲେ

ଚୋରା ପୀରତି ।୮୭୬।

ସତ୍ୟଭାମା ସଙ୍ଗରେ ସୋହୋଦ୍ରା ଦେବୀ ଯାଇଂ

ଅନେକ ବୁଝାନ୍ତେ ଯେ ଅର୍ଜୁନ କଲା ନାହିଂ ।୮୭୭।

ସୋହୋଦ୍ରାର ବଚନ ଯହୁଂ ଅର୍ଜୁନ ନ କଲା

ସୋହୋଦ୍ରାଂକୁ ମାୟାବତୀ ମୋହନ ମନ୍ତ୍ର ଶିଖାଇଲା ।୮୭୮।

ତେଣୁକରି ସେ ମନ୍ତ୍ରେ ବଶ ହୋଇଲେ ସର୍ବସାଚୀ

ଅର୍ଜୁନ ସୋହୋଦ୍ରା ତେଣେ ୟେକ ଯୋଗ ହୋଇଅଛି ।୮୭୯।

ଯଦ୍ୟପି ଦ୍ରିଯୋଧନ ହୋଇ ଯିବ ବର ବେଶେ

ଗଲେଣ ଅନେକ ତହିଂ ଉପୁଜିବ ଉପହାସେ ।୮୮୦।

ଶୁଣି ବିଷାଦ ହୋଇଲେ ଯୁଝେଷ୍ଠି ଠାକୁର

ତବଦ ହୋଇଲେ ଶୁଣି ସଞ୍ଜୟ ବିଦୁର ।୮୮୧।

ଯୁଝେଷ୍ଠି ବୋଇଲେ ବିଦୁର କହ ଦ୍ରିଯୋଧନ ରାଜାକୁ

ୟେଥୁ ବାହୁଡିଲେ ଲାଜ ନାହିଂ ନା କାହାକୁ ।୮୮୨।

ବିଦୁରେ ବୋଇଲେ ୟେହାର ବୟସ ଅଳ୍ପ ବଡ଼ାଇ ଦର୍ପ

ଶୁଣିଲେ ଦ୍ରିଯୋଧନ ଯେ କରିବ ଆମ୍ଭନ୍ତ କୋପ ।୮୮୩।

ଆମ୍ଭେ ରହିବା ଯାଇଂ ଚାଲ ରଇବ୍ରତ ପର୍ବତେ

ଜାଣିଲେ ବାହୁଡ଼ଇ ସିନା କୁରୁବଇ ନାଥେ ।୮୮୪।

ପ୍ରଥମେ ରଜସ୍ତିରୀ ଯେହ୍ନେ କିଛିହିଂ ନ ଜାଣଇ

ପ୍ରଥମେ ସାଜିଲା ଥାଠ ବୋଧେ କି ଫେରଇ ।୮୮୫।

ରାଗୀ ବ୍ରାହ୍ମଣ ଯେ ମତ୍ତ ଗଳିତ ହାଥୀ

ୟେହାନ୍ତ ବାରିଲେ ଯେ ବଚନ ବିଅର୍ଥୀ ।୮୮୬।

ଯୁଝେଷ୍ଠି ବୋଇଲେ ତୁମ୍ଭେ କହିଲ ୟେମନ୍ତ

ୟେ କଥାରେ ଲାଜ ପୁଣି ହେଉଛ ବହୁତ ।୮୮୭।

ଚଳଇ କୁରୁନାଥ ରତ୍ନବେଣୀ ନଦୀକୂଳେ

ମନୋହର ବନେ ରହିଲେ ସନ୍ଧ୍ୟା ଅବକାଶ ବେଳେ ।୮୮୮।

ସନ୍ଧ୍ୟା ସାରିଣ ରାଜା ବିଜୟେ ନିଅବକାଶେ

ଭୀଷ୍ମ ଦ୍ରୋଣ କର୍ଣ୍ଣ ରହିଛନ୍ତି ଯେ ପାରୁଷେ ।୮୮୯।

ବିଦୁର ଯେ ହକାରି ବୋଇଲେ ଶୁଣ ହୋ ଦ୍ୱାରିକାର ଦୂତ

ସୋହୋଦ୍ରାଂକୁ ଦ୍ରିଯୋଧନକୁ ଦେବାର ଅଟଇ ଟିକି ସତ ।୮୯୦।

ତୁମ୍ଭନ୍ତ ପେଷିଲା ଦିନ କେ କେ ଥିଲେ ବସି

କାହା କାହା ଅନୁମତେ ତୁମ୍ଭେ ହେଲ ପେଷି ।୮୯୧।

ରାଜାର ଆଗରେ ଯେ କହଇ ଉଦ୍ଧବ

ରମକୃଷ୍ଣ ଉଗ୍ରସେନ ନନ୍ଦ ଉପନନ୍ଦ ବସୁଦେବ ।୮୯୨।

ସାତ ବଂଶ ଯାଦବେ ସମସ୍ତେ ଆସ୍ତାନେ ଛନ୍ତି ପୂରି

ଆମ୍ଭଂକୁ ଆଗ୍ୟାଂ ଦିଲେ ସମସ୍ତେ ସନମତ କରି ।୮୯୩।

ବିଦୁରେ ବୋଇଲେ ଗୋସିଂହ ବଧ କରି ଅଛଇ

ବୀର ସର୍ବସାଚୀ ।୮୯୪।

ଶୁଣିଣ ରାଜା ଦ୍ରିଯୋଧନ ବଡ଼ ସାନନ୍ଦେ ବୋଇଲା

ଅର୍ଜୁନ ଅଛଇଂ ଯେବେ ଭଲତ ହୋଇଲା ।୮୯୫।

ବନବାସ ସାରି ପାଥ ଅଇଲା ଦ୍ୱାରିକାକୁ

ସୋହୋଦ୍ର ଥିବା ଦୁଲଭ ଉଚ୍ଛବ ଦେଖିବାକୁ ।୮୯୬।

ବିଦୁରେ ଦ୍ରିଯୋଧନକୁ କହିଲେ ୟେକାନ୍ତେ

ସେ କନ୍ୟା ପରେ ବିଡ଼ମ୍ବଣ ହୋଇଲା ଆମ୍ଭେ

ପାଇଂଲୁ ବାରତେ ।୮୯୭।

ଦ୍ରିଯୋଧନ ବୋଇଲେ ସୁଦ୍ରିଶେଣ ଚକ୍ର ଯେଉଣ ପୁର କରଇ ରକ୍ଷା

ମାନବ ଛାର ହୋଇ ପଶିବାର ତହିଂକି ତାହାର ଅପେକ୍ଷା ।୮୯୮।

ୟେହେନକ ଅନିର୍ଯାପ କଥା କହ ତୁମ୍ଭ ଭଳି

ୟେମନ୍ତ ଜାଣିଲେ ତାକୁ ଜୀଆଇଂବେକି ଦେବ ହଳୀ ।୮୯୯।

ରାଜାର ବଚନେ ସମସ୍ତେ ହୋଇଲେକ ତୂନି

ଶୁଭେଣ ପ୍ରସର ହୋଇଲାକ ଯାମିନୀ ।୯୦୦।

ପ୍ରଭାତ କନକଭଦ୍ରା ନଦୀରେ ନିତ୍ୟକର୍ମ କରି

ସ୍ନାହାନ ତର୍ପଣ ଯେ ଦେବ ପିତୃକାର୍ଯ୍ୟ ସାରି ।୯୦୧।

ଦେବାର୍ଚ୍ଚନ ସହିତେ ସାରି ଦଣ୍ଡପତି

ଚଳଇ ଆଗିଆଣି ଥାଠ ଦକ୍ଷିଣକଇ ମୂରତି ।୯୦୨।

ଅନାଧୃଷ୍ଟ ଉଦ୍ଧବ ଯେ ତୁରିତେ ଆଗହୋଇ ଗଲେ

ଦ୍ୱାରିକା ସଭାରେ ଯାଇଂ ବାରତା କହିଲେ ।୯୦୩।

ସ୍ୱାମୀ ବର ବେଶ କରି ଆଣିଲୁ କୁରୁପତି

ବଡ଼ାଇ ସମ୍ଭର୍ବେ ଆସୁଅଛି ମାନଚକ୍ରବ୍ରତୀ ।୯୦୪।

ଭୀଷ୍ମ ଭୁରିସର୍ବା ଦ୍ରୋଣ ଯୁଝେଷ୍ଠି ସହିତେ

କ୍ଷଣେକ ବିଶ୍ରାମ ନାହିଂ ରାଜା ଚଳଇ ଅନୁବ୍ରତେ ।୯୦୫।

ଶୁଣି କାମପାଳ ମହାତୋଷ ମନ

ଚାହିଂଲେ କାମପାଳ ଅର୍ଜୁନର ବଦନ ।୯୦୬।

ଯୋଗାଇଲାଟି କି ଅର୍ଜୁନ ତୋହୋର ବିଚାରକୁ

ସୋହୋଦ୍ରା ପ୍ରଦାନ କରିବା ଦ୍ରିଯୋଧନ ରାଜାକୁ ।୯୦୭।

ଅର୍ଜୁନ ବୋଇଲେ ଯେହେନେକ ବିଚାର ଦେବ ସ୍ୱାମୀ

ରାଜାଧିରାଜେଶ୍ୱର ସେ ରାଜକୁଳେ ଉତ୍ତମି ।୯୦୮।

ବଳଦେବ ବୋଇଲେ ଅର୍ଜୁନ ବିଚାରକୁ ଯୋଗାଇଲା ହେ ମାଧବ

ଦ୍ୱାରିକାରେ କର ବେଗେ ବିଭାର ସମ୍ଭର୍ବ ।୯୦୯।

ଉଗ୍ରସେନକୁ ରାଇ ଆଗ୍ୟାଂ ଦିଲେ ଦେବରାଜ

ବିଭା ଯୋଗାଡ଼ ଘେନି ରଇବ୍ରତକୁ ହୁଅ ସଜ ।୯୧୦।

ଉଗ୍ରସେନ ବୋଇଲେ ଜଗନ୍ନାଥଂକ ଛାମୁରେ ଉଭାହୋଇ

ବିଭାର ଯୋଗାଡ଼ ଘେନି ମୁଂ ଯିବି କି ଆଗ ହୋଇ ।୯୧୧।

ୟେହେନକ ଆଗ୍ୟାଂ ମୋତେ ଦେବାକ ଜନାର୍ଦ୍ଦନ

ନେବି ସଜ କରି ଯେ ଯଉତୁକ ଦ୍ରବ୍ୟମାନ ।୯୧୨।

ଗୋବିନ୍ଦ ବୋଇଲେ ନିଅ ବିଭା ଯୋଗାଡ଼ମାନ

ଦୋହିତା ଥିଲେ ଅବଶ୍ୟ କରିଟି ପ୍ରଦାନ ।୯୧୩।

ସ୍ୱାମୀଂକର ଅନକୂଳ ଭଞ୍ଜିତ କି ପାରି

ଯାହାକୁ ହେଉ ଅବଶ୍ୟ ପ୍ରଦାନ କରିବା କୁମାରୀ ।୯୧୪।

ସମସ୍ତ ସଜ କରନ୍ତେ ଆଦିତ୍ୟ ଗଲେ ଅସ୍ତ

ଶୟନ ମନ୍ଦିରେ ବିଜୟେ ହଳହସ୍ତ ।୯୧୫।

ବଳଦେବ କହିଲେ ରେବତୀ ସନ୍ନିଧାନ

ତୁମ୍ଭର ବଚନେ ସୋହୋଦ୍ରାକୁ କରୁଛୁଂ ପ୍ରଦାନ ।୯୧୬।

ଦ୍ରିଯୋଧନ ରାଜାକୁ ଯେ ଆଣିଲୁ ଦୂତ ପେଷି

ପନ୍ନଗାନାରାୟଣ ସେ ସରୂପେଣ ଦିଶି ।୯୧୭।

ରେବତୀ ବୋଇଲେ ସ୍ୱାମୀ ହୋଇଲା ଅକାରଣ

କେଡେ ଭଳି ରାଜାକୁ କଲ ବିଡ଼ମ୍ବଣ ।୯୧୮।

ସ୍ୱାମୀ ପରରେ ଦୂଷିତ ହୋଇଲେଣି ତୁମ୍ଭର ସଉଭଦ୍ରେ

ତୁମ୍ଭେ ତଦନ୍ତ ୟେହା ନ ଜାଣ ରାମଚନ୍ଦ୍ରେ ।୯୧୯।

ଉଚ୍ଛବ ନବରେ ମୁଂ ଦେଖିଲି ସୋହୋଦ୍ରାକୁ

କେବଣ ପୁରୁଷ ବିଡ଼ମ୍ବଣ କଲାଣି ତାହାକୁ ।୯୨୦।

ଚନ୍ଦ୍ରଭଗ୍ନ ଦେଖିଣ ଯେ ଅପରତେ କଲି ଫେଡ଼ିଲି ବସନ

ଥନ ଯଉବନ ବିଦାରଣ ନଖ ଦନ୍ତ ଚିହ୍ନ ।୯୨୧।

ଶୁଣିଣ କାମପାଳଂକର ଯେ ନ ଫୁରଇ କିଛି

କୋପେ କାଳାନଳ ଯେ ଦିବ୍ୟରୂପ ବିକାଶୁଛି ।୯୨୨।

ୟେକଥା ସରୂପ ଯେବେ ହୋଇବ ନିରୁତାନ୍ତ

ଆଜ ଜୀବନେ କି ଥୋଇବି ଯାଦବନ୍ତ ।୯୨୩।

ରେବତୀ ବୋଇଲେ ଦେବ ଅଟଇ ସରୂପ

ସ୍ୱାମୀ ଛାମୁରେ ମିଥ୍ୟା କହିଲେ ଯେ ଅଟଇ ମହାପାପ ।୯୨୪।

ତୁମ୍ଭେ ଦେବ ଗୁରୁଂକ ପରେ ଯେ ପରମ ଗୁରୁ

ତୁମ୍ଭ ଛାମୁରେ ଯେ ମିଥ୍ୟା କହଇ ନିରଞ୍ଜନେ ଦ୍ରୋହ କରୁ ।୯୨୫।

ସାତୁକୀକି ରାଇ ଆଗ୍ୟାଂ ଦିଲେ ଦେବ ହଳପତି

ଆରେ ଉଗ୍ରସେନକୁ ହକାରି ଆଣନି ମୋହୋର କତି ।୯୨୬।

ଚଳଇ ସାତୁକୀ ଯେ କାମପାଳଂକର ବଚନେ

ରାତ୍ରେ ପ୍ରବେଶ ହୋଇଲା ଉଗ୍ରସେନ ସ୍ତାନେ ।୯୨୭।

ସମ୍ଭାର କରୁଛି ରାୟେ ବିଭାର ଯୋଗାଡ଼ ଯେତେକ ଲାଗି

ରାତ୍ରେଣ ନିଦ୍ରା ନାହିଂ ସମସ୍ତ ନିଯୋଗୀ ।୯୨୮।

ରୋଷୁଅଶାଳେ ରାନ୍ଧଣା ଯେ ଚହଳ ସୂପକାରେ

ଅମୃତ ରସ ପାକ ଯୋଗାଡ଼ମାନ କରନ୍ତି ସମ୍ଭରେ ।୯୨୯।

ସାତୁକୀ ବୋଇଲା ଦେବ ଶୁଣିମା ଉଗ୍ରସେନ

ବଳରାମଂକ ଆଗ୍ୟାଂୟେ ଆସସି ବହନ ।୯୩୦।

ଆସ୍ତାନୁଂ ଓହ୍ଲାଇ ରାୟେ ଚଳଇ ଧାତିକାରେ

ବଳରାମେ ବିଜେ କରି ଅଛନ୍ତି ଯେ ଚନ୍ଦ୍ରଶାଳା ମନ୍ଦିରରେ ।୯୩୧।

ଉଗ୍ରସେନ ପ୍ରଳମ୍ବିତ ହୋଇଲା ପାଦ ତଳେ

ବଳରାମେ ସମସ୍ୟା ନ ଦିଅନ୍ତି ମତ୍ତଭୋଳେ ।୯୩୨।

କୋପେ ବୋଲନ୍ତି ତୁ ଯେ ନୃପତି ୟେ ଭୁବନେ

ସୋହୋଦ୍ରା ବିଡ଼ମ୍ବଣ ହୋଇଲା ତୋତେ

ନ କହନ୍ତି ଚାରଗଣେ।୯୩୩।

ଉଗ୍ରସେନ ବୋଇଲେ ଦେବ ସରୂପେ ନୋହେ ୟେ କଥା

ୟେ ଭୁବନେ ପଶିତେ ତ୍ରାସ କରଇ ପବନ ଦେବତା ।୯୩୪।

ଯମ ପଶି ନୁଆରଇ ଯେଉଣ ଦ୍ୱାରିକାକୁ

କାହାର ସାହସ ଭରସା ୟେ କର୍ମ କରିବାକୁ ।୯୩୫।

ବଳରାମେ ବୋଇଲେ ଆମ୍ଭନ୍ତ କହିଲେ ରେବତୀ

ଅନାଦି ଅପର୍ଣ୍ଣା ସେ ମିଥ୍ୟା ନ କହନ୍ତି ।୯୩୬।

କୋପେଣ ଆଗ୍ୟାଂ ତାକୁ ଦିଲେ ହଳପାଣି

ନିଶାପତିମାନନ୍ତ ରେ ପକାଅ ବେଗେ ହାଣି ।୯୩୭।

ୟେହା ଶୁଣି ବିଚାର ଯେ କରନ୍ତି ରେବତୀ

ଅଦୋଷୀ ଲୋକନ୍ତ ୟେ କିମ୍ପେ ଦେବ

ୟେଡେ ବଡ ଶାସ୍ତି ।୯୩୮।

ଯେତେକ ଲୋକଂକୁ ସେ ପକାଇବେ ହାଣି

ନିଚୟେ ହତ୍ୟା ଦୋଷେ ମୁଂ ହୋଇବି କାରେଣୀ ।୯୩୯।

ରେବତୀ ବୋଇଲେ ତୁମ୍ଭେ ଆନଂକୁ କୋପ ନ କର

ଅର୍ଜୁନ ହାରିଲା ଦେବ ଭଗ୍ନୀକି ତୁମ୍ଭର ।୯୪୦।

ଜାଣିଣ କେମନ୍ତେ ଦେବ ନ କହିବି ମୁହିଂ

ଅଦୋଷୀ ଲୋକନ୍ତ ନାଶିଲେ ହତ୍ୟା ଲାଗିବ ମୁକୁଇଂ ।୯୪୧।

ଶୁଣିଣ କୋପାନଳ ଯେ ଜଗତ ଅଧିକାରୀ

ସାତୁକୀକି ବୋଇଲେ ଆଣସି କୃଷ୍ଣଂକୁ ହକାରି ।୯୪୨।

ଆଗ୍ୟାଂ ପାଇ ସାତୁକୀ ଯେ ଚଳଇ ବହନେ

ଗୋବିନ୍ଦେ ବିଜେ କରିଅଛନ୍ତି ଜମ୍ବୋବତୀଂକ ଭୁବନେ ।୯୪୩।

ସନ୍ନିଧ୍ୟେ ମାଧବି ଯାଇଂ ହୋଅଇ ପରିଣାମି

ଠାକୁରଂକର ଆଗ୍ୟାଂ ବିଜେ କରିବା ଦେବ ସ୍ୱାମୀ ।୯୪୪।

ଛାମୁରେଣ ଦିହୁଡ଼ି ଯେ ଜଳଇ ୟେକଲକ୍ଷୀ

ବଳରାମଂକ ଛାମୁରେଣ ବିଜୟେ ଶ୍ରୀବତ୍ସି ।୯୪୫।

ପାୟେ ଯାଇଂ ଦେବ ଯେ କରନ୍ତି ନିଉଛାଳି

ସନ୍ନିଧ୍ୟେ ସାଷ୍ଟାଙ୍ଗେ ଶ୍ରୁତିଲେ ବନମାଳୀ ।୯୪୬।

ବଳରାମେ ରାଗେ କଲ୍ୟାଣ ନ କଲେ ବାଞ୍ଛା

ୟେମନ୍ତ କରି ହରି ଦ୍ୱାରିକା କରୁ କିରେ ରକ୍ଷା ।୯୪୭।

ବାବୁ ଆଶ୍ୱାସନା କରି ପୋଷିଲୁ ତୁ ଶ୍ୱାନ

ଅନ୍ତେ ସେ ତୋହୋର ମୁଖେ ଦିଲାକ ଚୁମ୍ବନ ।୯୪୮।

ବାବୁ ଗୋଳକୁଣ୍ଡା ଜାରଜାତକା ସେ ଅଟନ୍ତି ପାଣ୍ଡବେ

ସୋହୋଦ୍ରାକୁ ହରିଲା ପାଥ ନ ଜାଣୁକି ବାସୁଦେବେ ।୯୪୯।

ଶୁଣିଣ ବିଷାଦ ଯେ ହୋଇଲେ ଜଗନ୍ନାଥ ସ୍ୱାମୀ

ଶ୍ରବଣ ଛୁଇଂଣ ଯେ ଛୁଇଂଲେ ଦେବଭୂମି ।୯୫୦।

ସ୍ୱାମୀ କେ ତୁମ୍ଭନ୍ତ କହିଲା ୟେସନେକ ବାରତା

ୟେତେକ ଭରସା କାହିଂ ଅର୍ଜୁନ ସର୍ବସ୍ଥା ।୯୫୧।

ସ୍ୱାମୀ ଅର୍ଜୁନ ଯେ ସେ ଅଟଇ ମହାଯତି

ଯତି ନିନ୍ଦା କଲେ ଆପଣାକୁ ପଡ଼ଇ ଦୁର୍ଗତି ।୯୫୨।

ସ୍ୱାମୀ ସୁଜନ ଲୋକଂକୁ ଯେ ଅନୀତି କରି କହିଲେ

ଧର୍ମ କି ଗନ୍ଥିବ ଗୁରୁ ଗଉରବ ନିନ୍ଦିଲେ ।୯୫୩।

ସ୍ୱାମୀ ତୁମ୍ଭେ କିମ୍ପେ ୟେହା ନ କର ବିଚାର

ୟେଡ଼େ ବଡ଼ ଭରସା କି ଅଛି ପାଣ୍ଡବ ବିବଚ୍ଛର ।୯୫୪।

ବଳରାମେ ବୋଇଲେ ତୁ ଶୁଣ ଗୋ ରେବତୀ

କେଶବର ଆଗେ ତୁମେ କହ ଯେସନେକ ରୀତି ।୯୫୫।

ରେବତୀ ବୋଇଲେ ମୁହିଂ ଦେଖିଲି ପ୍ରତଚ୍ଛେ

ସୋହୋଦ୍ରାକୁ ବିଡ଼ମ୍ବଣ କଲାକ ବିବଚ୍ଛେ ।୯୫୬।

କରପତ୍ର ଯୋଡ଼ିଣ ଯେ କହନ୍ତି ଗୋବିନ୍ଦ

ନାନାଦି କଥା କହି ସ୍ତିରୀହିଂ ସେ କରନ୍ତି ମନ୍ଦ ।୯୫୭।

ନ ଜାଣି ବିଧାତା ସ୍ରିଜିଲା ୟେହାଂକୁ

ଜାଣି କରି ପ୍ରମଦା ନାମ ଦିଲା ସ୍ତିରୀ ଜାତିଂକୁ ।୯୫୮।

ଅନୁବ୍ରତେ ମତ୍ତଭୋଳ ଅଟନ୍ତି ସ୍ତିରୀ ଜାତି

ଅଖାଇଦ ଅଗ୍ୟାନ ସେ ଅନୁବ୍ରତେ ଭୁଲନ୍ତି ।୯୫୯।

ସ୍ତିରୀଂକ ବଚନକୁ ନ ଯିବା ଦେବଭାବ

ଯେତେକ କହନ୍ତି ସେ ସମସ୍ତ ଅପ୍ରସ୍ତାବ ।୯୬୦।

ରେବତୀ ବୋଇଲେ ତୁମ୍ଭେ କହୁଅଛ ଯାହା

ତୁମ୍ଭେ ସେ ଆପଣେ ଭିଆଣ କରିଅଛ ୟେହା ।୯୬୧।

ଚକ୍ରକୂଟ ବୁଦ୍ଧି କି କେ ସାମରଥ ହେବ ବାବୁ

ନିଚୟେ ତୁ ପୁଣି ଅନେକ ୟେଥେ ଦ୍ୱନ୍ଦ ଭିଆଇବୁ ।୯୬୨।

ରେବତୀ ବୋଇଲେ ଶୁଣ ଆହୋ ହଳଧାରୀ

ଦ୍ରିଯୋଧନ ରାଜାଂକୁ ବୋଲ ସେ ଯାଉ ଯେ ବାହୁଡ଼ି ।୯୬୩।

ଶୁଣିଣ କୋପାନଳେ ଯେ ବୋଇଲେ ବଳଭଦ୍ରେ

ଦେଖିବା ଆଜ ଅର୍ଜୁନକୁ କେହ୍ନେ

ରକ୍ଷା କରିବେ ଗୋବିନ୍ଦେ ।୯୬୪।

ୟେମନ୍ତ ଅନୀତି କରାଇଲୁ ଚକ୍ରପାଣି

ଆପଣା କୁଳେ କଳଂକ ଲଗାଇଲୁ ଆଣି ।୯୬୫।

ଉଗ୍ରସେନ ରାଇ ଆଗ୍ୟାଂ ଦିଲେ ହଳଧାରୀ

ରାତ୍ର ପାହିଲେ ଅର୍ଜୁନକୁ ଦେବୁ ଧରି ।୯୬୬।

ତିରଣ ପ୍ରମାଣେ କରି କାଟିବି ତା ମାୟେଂସ

ଆବର ବୁଡ଼ାଇବି ପାଣ୍ଡବଂକର ବଂଶ ।୯୬୭।

ୟେତେ ବୋଲି ଦେବ ହୋଇଲା ବଇରାଗେ

ଉଠିଣ ଗବନ ଯେ କଲେକ ଦେବ ବେଗେ ।୯୬୮।

ନିଜ ଭୁବନରେ ଯେ ବିଜେ ଜଗନ୍ନାଥେ

ସତ୍ୟଭାମାକୁ ବୋଇଲେ ତୁମ୍ଭେ ଯାଅ ଶୀଘ୍ରଗତେ ।୯୬୯।

ବୋଇଲେ ଶ୍ରୀହରି ବଳରାମେ ଜାଣିଲେ

କଥା ହୋଇଲାକ ଫୁଟି

ସୋହୋଦ୍ରାକୁ ଘେନି ଦ୍ୱାରିକାରୁ ଯାଉ ଯେ କିରିଟୀ ।୯୭୦।

ଉଗ୍ରସେନ ରାଇ ଆଗ୍ୟାଂ ଦିଲେ ବଳରାମ

ରାତ୍ର ପାହିଲେ ଅର୍ଜୁନର ତୁଲେ ହୋଇବ ସାଂଗ୍ରାମ ।୯୭୧।

ଶ୍ରୀକୃଷ୍ଣ ଆଗ୍ୟାଂ ଘେନି ତହିଂ ଚଳିଲେ ଶକ୍ରାବତୀ

ଅର୍ଜୁନ ଶୟନ ମନ୍ଦିରେ ଯାଇଂ ମିଳିଲେ ତତକ୍ଷଣାନ୍ତି ।୯୭୨।

ସୋହୋଦ୍ରା ଅର୍ଜୁନ ଯେ କରନ୍ତି ରଙ୍ଗକେଳି

ଦ୍ୱାରେ ଠାରିଲେ ଶକ୍ରାଜିତର ଦୁଲାଳୀ ।୯୭୩।

କବାଟ ଫେଡ଼ ମୋତେ ସଂପାଦ କର ପାଥ

ସନ୍ନିଧ୍ୟେ ପ୍ରବେଶ ଆସି ବାସବର ସୁତ ।୯୭୪।

ସତ୍ୟଭାମାୟେ ବୋଇଲେ ଶୁଣ ଫାଲଗୁନି

ୟେହିକ୍ଷଣି ଦ୍ୱାରିକାରୁ ଯାଅ ସୋହୋଦ୍ରାକୁ ଘେନି ।୯୭୫।

ରେବତୀ ବୋଇଲେ ଯେ ଜାଣିଲେ ବଳରାମ

ରାତ୍ର ପାହିଲେ ୟେଥି ଅନେକ ଦ୍ୱନ୍ଦ ହୋଇବ ସାଂଗ୍ରାମ ।୯୭୬।

ସୋହୋଦ୍ରା ବିକଳ ଯେ ହୋଇଲେ ତାହା ଶୁଣି

ତୁମ୍ଭର ଭୁବନକୁ ସ୍ୱାମୀ ଚାଲ ଯିବା ୟେହିକ୍ଷଣି ।୯୭୭।

କଳି ଦ୍ୱନ୍ଦେ ପିରୋଜନ ନାହିଂ ଦେବ କିଛି

ଆଗ୍ୟାଂ ପାଇ ଉଗ୍ରସେନ ଧାଇଂ ଆସୁଅଛି ।୯୭୮।

କୋଟିୟେ ସିଂଘର ପ୍ରାକର୍ମ ଯେବଣ ବଳରାମ

ତାହାଂକ ତୁଲେ କେହୁ କରିବ ସାଂଗ୍ରାମ ।୯୭୯।

ଶୁଣସି ସଉଭଦ୍ରେ ବୋଲନ୍ତି ଅର୍ଜୁନ

ଆଗହୁଂ ନ ଜାଣୁ କି ବଳରାମଂକ ଦର୍ପମାନ ।୯୮୦।

ନ ଜାଣି ପରଦାରା କରାଇଲୁ ଯେତେବେଳେ

ଆବର କିମ୍ପାଇଂ ଘୁଞ୍ଚାଇ ଲୋଡ଼ୁ କଟାଳର ବେଳେ ।୯୮୧।

ଯଦ୍ୟପି ତୋତେ ୟେଠାରୁ ଘେନିଯିବି ନିଶାରାତି

ଚଉର୍ଯ୍ୟ ପଣେ ନା ମୁଂ ପାଇବି ଅପଛାତି ।୯୮୨।

ୟେମନ୍ତ କଥାମାନ ମୋତେ ନ କହ ସଉଭଦ୍ରେ

ଆସୁ କେତେ ଦଣ୍ଡ ଘେନି ତୁମ୍ଭର ଭାଇ ରାମଚନ୍ଦ୍ରେ ।୯୮୩।

ସେ କାଳେ ଅନେକ ମତେ କଲଇ ମୁହିଂ ନାସ୍ତି

ବଳାତ୍କାରେ ମୋତେ କରାଇଲୁ ୟେତେ ପ୍ରୀତି ।୯୮୪।

ୟେତେବେଳେ ଆଉ କେଣିକି ଯିବି ଘୁଞ୍ଚି

ଅର୍ଜିଲା ସଂହାଥେ ମୋର କର୍ମେ ଯାହା ଅଛି ।୯୮୫।

ୟେସନେକ ନିର୍ମିତ ଘଟସୂତ୍ର ଅଛି ମୋତେ

ମୁହିଂ ନାଶ ଯିବି ଯେବେ ତୋହୋର ନିମନ୍ତେ ।୯୮୬।

ଆପଣାର କଲା କୃତକୁ କର୍ମ ସିନା ବୋଲି

କର୍ମଫଳ ଭୁଞ୍ଜିବିନା ଯାହା ଅରଜିଲି ।୯୮୭।

ସତ୍ୟଭାମାୟେ ବୋଇଲେ ବଳଦେବଂକ କୋପକୁ

ରହମାନ ହୋଇବୁଟି କି ତାହାଂକ ସାଂଗ୍ରାମକୁ ।୯୮୮।

ଅର୍ଜୁନ ବୋଇଲେ ମୁଂ ଜାଣଇଂ ସର୍ବ କଥା

କାହାର ବେଳେ ଅନ୍ୟସ୍ଥା ନୁହଇ କପାଳ ଘଟିତା ।୯୮୯।

ଅର୍ଜୁନ ବୋଲଇ ଚଳ ଗୋ ସତ୍ୟଭାମା କହିବ ଜଗନ୍ନାଥେ

କିଞ୍ଚିତ ଦୟା ମାତ୍ର ସେ କରିଥାନ୍ତୁ ମୋତେ ।୯୯୦।

ନିରାପକ୍ଷ ବଚନ ଶୁଣି ଚଳିଲେ ଶକ୍ରାବତୀ

ନାରାୟଣ ଅଗ୍ରତେ ଯେ କହିଲେ ସକଳ ପ୍ରତି ।୯୯୧।

ନିର୍ଭୟେ ହୋଇ ଦେବ ରହିଛି ଧନୁର୍ଜୟେ

ଅନେକ ଭରସା ଦେବ ଅନେକ ନିର୍ଭୟେ ।୯୯୨।

ବୋଇଲେ ଆସନ୍ତୁ ତୋହୋର ସହସ୍ରେ ବଳରାମ

ସୋହୋଦ୍ରାର ଛଳେ ଅବଶ୍ୟ କରିବି ମୁଂ ଅନେକ ସାଂଗ୍ରାମ ।୯୯୩।

ଅନେକ ପ୍ରତଗ୍ୟାଂ ଦେବ କରଇ ସର୍ବସାଚୀ

ମନ୍ଦର ସମାନେ ଦେବ ନିଷ୍କମ୍ପେ ରହିଅଛି ।୯୯୪।

ବୋଇଲା କହ ଯାଇ ସ୍ୱାମୀଂକ ଅଗ୍ରତେ

କିଞ୍ଚିତ ଦୟା ମାତ୍ର ସେ କରିଥାନ୍ତୁ ମୋତେ ।୯୯୫।

ସତ୍ୟଭାମାଂକ ବଚନେ ଜଗନ୍ନାଥେ ହୋଇଲେକ ତୂନି

ପ୍ରତଗ୍ୟାଂ ବଳବନ୍ତା ସେ ଅଟଇ ଫାଲଗୁନି ।୯୯୬।

ପଦ୍ମନ ଶାମ୍ବ ଗଦ ମୂଳେ କୁମାରନ୍ତ ହକରାଇ

ଲକ୍ଷେ ଛଡ଼ ଅହିବ୍ରତ ପୁତ୍ରନ୍ତ ଯେ ରାଇ ।୯୯୭।

ବୋଲନ୍ତି ଶ୍ରୀକୃଷ୍ଣ ଯେ ସନ୍ନିଧ୍ୟେ ବସାଇ

ଅର୍ଜୁନେଣ ଦ୍ୱନ୍ଦୀ ହେଉଛନ୍ତି ହଳସାଇଂ ।୯୯୮।

ସୋହୋଦ୍ରା ଦେଇ ଲୋଡ଼ୁଅଛନ୍ତି ବଳରାମେ, ଦ୍ରିଯୋଧନକୁ

ସୋହୋଦ୍ରା ୟେଣେ ଯେ ବରିଲା ବୀର ଅର୍ଜୁନକୁ ।୯୯୯।

ଅର୍ଜୁନ ତୁଲେ ଅବଶ୍ୟ କାଲି କରିବେ ହାଦେ ରାମ ଯୁଦ୍ଧ

ଆମ୍ଭେ କେମନ୍ତ କରିବା କହ ବାବୁ ସାଧ୍ୟ ।୧୦୦୦।

ବୋଲନ୍ତି କୁମରେ ଯେ କରପତ୍ର ଯୋଡ଼ି

ଅର୍ଜୁନ ଆମ୍ଭନ୍ତ ଦେବ ବେଳେ ବେଳେ ଉପୁଗାରୀ ।୧।

ଆମ୍ଭେ ତ ଛାଡ଼ି ନୁଆରୁ ଦେବ ବୀର ଧନୁର୍ଜୟେ

ଅର୍ଜୁନ କତିରେ ଆମ୍ଭେ ହୋଇବୁଂ ଦେବରାୟେ ।୨।

ଶୁଣିଣ ପରମ ସାନନ୍ଦଯେ ହୋଇଲେ ଦେବ ଜନାର୍ଦ୍ଦନ

ପୁତ୍ରଂକର ସନମତେ ଜିଣିମ ଅରଜୁନ ।୩।

ୟେସନ ବିଚାର କରନ୍ତେ ତିନି ପ୍ରହର ଯେ ରାତି

ଉଗ୍ରସେନ ତୁଲେ ଘେନି ମର୍ଭୁତେକ ରଥୀ ।୪।

ପଞ୍ଚ ମର୍ଭୁତ ଗଜ ଦଶ ମର୍ଭୁତ ଅଶ୍ୱ ଯୋଧୀ

ଚଉବିଂଶ ବୃନ୍ଦ ତୁଲେ ପାଦାନ୍ତି ବଳ ଖେଦି ।୫।

ରାତ୍ର ପ୍ରହରେ ଥାଉଂ ସେ ଧାଇଂଲେ ଗୁପତେ

ଅର୍ଜୁନ ଶୟନ ମନ୍ଦିରେ ଯାଇଂ ବେଢିଲେ ତୁରିତେ ।୬।

ଗହଳ ଚହଳ ଶୁଣି ବିକଳ ସଉଭଦ୍ରେ

ସ୍ୱାମୀ ସମଦଣ୍ଡ ଘେନି ବିଜେ କଲେଟି ବଳଭଦ୍ରେ ।୭।

ଆଜ ତୁମ୍ଭ ସଙ୍ଗରେ ସେ କରିବେ ମହାଯୁଦ୍ଧ

ଅନାଥର ବାନ୍ଧବ ତୁମ୍ଭେ ଘେନିଯାଅ ମୋତେ ବେଗ ।୮।

କ୍ଷତ୍ରୀବର ନାଥ ସେ କାଦମ୍ବରୀ ପାନେ ଭୋଳା

ସୁକୁମାର ଶରୀର ଗୋଟି ନାଶ ନ କର ବହନ ହୋଇ ପଳା ।୯।

ମୁହିଂ ପ୍ରାଣନାଥ ତୋର ଘେନଇ ଅପାଦ

ଅମୂଲ୍ୟ ସରୀର ଗୋଟିକି ନ ପୁଣ ପଡଇ ପ୍ରମାଦ ।୧୦।

ଅର୍ଜୁନ ବୋଇଲେ କିମ୍ପା କ୍ରୋଧ କରୁ ଗୋ ସୋହୋଦ୍ରେ

ବ୍ରହ୍ମା ଈଶ୍ୱରଂକୁ ଘେନି ଆସନ୍ତୁ ରାମଚନ୍ଦ୍ରେ ।୧୧।

ୟେମନ୍ତ ମାନଂକୁ ଯେବେ ମୁହିଂ କରଇ ଭ୍ରାନ୍ତି

ତୋହୋର ତୁଲେ କିମ୍ପେ ମୁଂ କରନ୍ତି ଚଉର୍ଯ ପୀରତି ।୧୨।

ମାରିବି ସାତ ବଂଶ ଯେ ରୁହାଇବି କଥା

ସୋହୋଦ୍ରଂକ ଦୁଖ ଦେଖି ନ ପୁଣ କରୁ ମନେ ବ୍ୟଥା ।୧୩।

ସୋହୋଦ୍ରା ବୋଇଲେ ତୁ ଜିଣ ଯଦୁବଳ

ତୁମ୍ଭର ଶରୀର ଗୋଟି ହୋଇଥାଉ ଯେ ନିର୍ମଳ ।୧୪।

ମୋତେ ତ ପ୍ରଦାନ ନ କଲେ ମୁଂ ହୋଇଲି ଯେ ଯୁବା

ମୁହିଂ ମୋହୋର ଇଚ୍ଛାୟେ ତୋତେ ବରଣ କଲି ଅବା ।୧୫।

ତାହା ନିରୋଧନ୍ତି ୟେ କେବଣ ଯୁଗତେ

ଧର୍ମ ଦେବତା ୟେହାନ୍ତ ସହିବ କେମନ୍ତେ ।୧୬।

ମୁହିଂତ ନିର୍ମାଖୀ ପୁଣ ଅଟଇ ଅନାସ୍ତୁଣୀ

ତୁହି ସେ ଶରଣ ମୋତେ ରଖ ଫାଲଗୁନି ।୧୭।

ତୁମ୍ଭର ବଳଦର୍ପ ତୁମ୍ଭର ତୁମ୍ଭେ ସେ ଜାଣ ନାହା

ମୁହିଂ ସ୍ତିରୀ ମାତ୍ର ମୋତେ ଧର୍ମହିଂ ସେ ସାହା ।୧୮।

ସ୍ୱାମୀ ଦ୍ୱାରିକାରୁ ବାହାରୁ ତୁ ହୁଅ ମୋତେ ଘେନି

ୟେଥି ଥିଲେ ଅଜୟେଟି ଶୁଣି ଫାଲଗୁନି ।୧୯।

ମାୟାବତୀ ଯେବଣ ପୁଷ୍ୟେକ ରଥ ଦେଇଥିଲା

ଧ୍ୟାୟେ କରି ତାହା ଯେ ସୋହୋଦ୍ରା ସୁମରିଲା ।୨୦।

ମନେ ସୁମରନ୍ତେ ସେ ପବନହୁଂ ବେଗେ ଆସି

ଉଦେଗିରି ପ୍ରଦକ୍ଷିଣ ପ୍ରାୟେ ରଥ ଦିଶି ।୨୧।

ଅନେକ ଶହସ୍ର ତହିଂ ଯେ ଅଛଇ ଅନେକ ଧନୁ

ସେ ରଥ ଜନ୍ମ ହୋଇଲା ଆଦି ସମୋଦ୍ର ମନ୍ଥନୁ ।୨୨।

ତେତିଶ କୋଟି ଦେବତାୟେ ଯେ ଅନ୍ୟୁଅନ୍ୟୋ ହୋଇ

ମଧ୍ୟେ କାମଦେବଂକୁ ସେ ରଥ ଦିଲେ ନେଇ ।୨୩।

ଈଶ୍ୱର କୋପାନଳେ କାମଦେବ ଦହନ ଗଲା

ସେ ରଥ ରତି ଦେବୀ ଯେ ଅତି ଯତ୍ନେ ଥୋଇଥିଲା ।୨୪।

ସୋହୋଦ୍ରାଂକୁ ପ୍ରସନ୍ନ ହୋଇଲେ ସେ ମାହେଶ୍ୱରୀ

ତୋଷେ ସେ ରଥ ଦିଲେ ଅନାଦି ସିଦ୍ଧନାରୀ ।୨୫।

ସେ ରଥେ ବିଜୟେ ଯେ କଲେ ଫାଲଗୁନି

ସେ ରଥେ ଥିଲେ ଯେ ସାଧ୍ୟ ହୁଅଇ ଭୁବନ ତିନି ।୨୬।

ସୋହୋଦ୍ରାକୁ ଘେନି ଅର୍ଜୁନ ବିଜେ ପୁଷ୍ୟେକ ରଥ

ମାୟାବତୀର ବିଦ୍ୟା ସେ ହୋଇଲା ଉପଗତ ।୨୭।

ସୋହୋଦ୍ରାଂକୁ ଅର୍ଜୁନ ବସାଇ ଅଛି ରଥେ

ଦୁତୀୟ ପିନାକ ଧନୁ ଧରିଅଛି ବାମହାଥେ ।୨୮।

ସତ୍ୟଯୁଗେ ତାରକା ଯୁଦ୍ଧେ ଯେହ୍ନେ କୁମାର ବିକାଶି

ସେହିମତି ହୋଇଣ ଯେ ଅର୍ଜୁନର ତେଜ ପରକାଶି ।୨୯।

ହିରଣ୍ୟ ଦେଖି ଯେହ୍ନେ ନୃସିଂଘ ଗଳଗାଜି

ଦେଖିଣ ଯଦୁବୀରେ ପଳାଇଲେ ଭାଞ୍ଜି ।୩୦।

ଅନେକ ରତ୍ନ ବିରାଜିତ ତାହାର ଯେ କାୟେ

ଦିଶଇ ଯେ ଫାଲଗୁନି ପୁରୁରବା ଇନ୍ଦ୍ର ପ୍ରାୟେ ।୩୧।

ହାବୋଡ଼ା ଶର ଯେ ମାଇଲା ଅର୍ଜୁନ ମହାବୀର

ଦ୍ୱାରେ ଥିଲେ ସହସ୍ରେ ରଥୀ ଭାଞ୍ଜି ହୋଇଲେକ ଚୂର ।୩୨।

ସେହ୍ନାନ୍ତ ଭେଦୀ ନାରାଜ ପିଠି କତି ଫୁଟି

ତିନି ଅହିବ୍ରତ ଯୋଦ୍ଧା ପଡ଼ିଲେ ମହୀଲୋଟି ।୩୩।

ବିନ୍ଦୁମତୀ ଘେନି ଯେହ୍ନେ ସତ୍ୟଯୁଗେ ମାନଧାତା

ସେହି ସାଦୃଶେ ଦିଶଇ ଅର୍ଜୁନ ବଳବନ୍ତା ।୩୪।

ଲକ୍ଷ୍ମୀ ନାରାୟଣେ ବିଜେ ସମୋଦ୍ରେ ମନ୍ଥନୁଂ

ସେହି ସରୂପେ ଦିଶଇ ଯେ ବାସବରେ ତନୁ ।୩୫।

ରତିକି ଘେନିଣ ଯେହ୍ନେ ବିଜୟେ ମୟାଣ

ଶ୍ରୀଭୁଜେ ଶୋଭାବନ ଯେ ଅନଙ୍ଗ ଶରବାଣ ।୩୬।

ହେମବନ୍ତରେ ଯେହ୍ନେ ଉମା ମହେଶ୍ୱର

ଶଚୀ ସନ୍ନିଧ୍ୟେ ଯେହ୍ନେ ଦିଶନ୍ତି ପୁରନ୍ଦର ।୩୭।

ଅନଙ୍ଗ ସୁନ୍ଦର ନାଥ ଶ୍ରୀକରେ ବଜ୍ରବାଣ

ସେହି ସାଦୃଶେ ଦିଶେ ପାଣ୍ଡବ ପଞ୍ଚାଣ ।୩୮।

ମନେ ଧରନ୍ତେ ସେ ଯାହାର ଶର ଭେଦୀ

ଖାଣ୍ଡବ ବନ ଦହି ଯେ ଜିଣିଲା ବିବୁଧାଦି ।୩୯।

ଈଶ୍ୱରଂକୁ ଜିଣି ଯେ କିରାତ ରୂପ ଧରି

ଗୋସିଂହ ବଧ କରିଲାକ ସାଂଗ୍ରାମ ଘୋର କରି ।୪୦।

ୟେ ଯଦୁବୀରେ ଯେ ସମସ୍ତେ ଗର୍ବେଶ୍ୱର

ଅର୍ଜୁନର ପ୍ରହାରେ ଯେ ପଡ଼ିଲେ ଅନେକ ବୀର ।୪୧।

ବାହାର ହୋଇ ଆସଇ ପାଥ ଶର ବିନ୍ଧି

ଶତେ ଶତେ ଯୋଦ୍ଧା ପଡୁଅଛନ୍ତି ୟେକା ନାରାଜ ଘାତେ ଭେଦୀ ।୪୨।

ଦ୍ୱାରିକା ଭୁବନରୁ ବାହାର ସର୍ବସାଚୀ

ନାରାୟଣ ସରୂପ ଯେ ପ୍ରତକ୍ଷେ ଦିଶୁଅଛି ।୪୩।

ସୋହୋଦ୍ରାକୁ ଘେନିଣ ଆସଇ ପାଥ ଚଳି

ଦ୍ୱାରିକା ସ୍ତିରୀମାନେ ଯେ ଦିଅନ୍ତି ହୁଳହୁଳି ।୪୪।

ବୋଲନ୍ତି ସାଧୁ ଅର୍ଜୁନ ସୋହୋଦ୍ରା ମୋହିଲା

ୟେବେ ସେ ଦ୍ୱାରିକା ଭୁବନ ଶୋଭାହିଂ ପାଇଲା ।୪୫।

ବଡ଼ ପୁଣ୍ୟବନ୍ତୀ ସେ ଅଟଇ ସଉଭଦ୍ରେ

ଅମର ପୁରେ ଯେସନେ ବିଜୟେ ଶଚୀ ଇନ୍ଦ୍ରେ ।୪୬।

ସମସ୍ତ ଯୁବତୀମାନେ କରନ୍ତି ମଙ୍ଗଳ ଧୁନି

ସାଧୁ ସାଧୁ ସୋହୋଦ୍ରା ଗୋ ତୋହୋର ଜନନୀ ।୪୭।

ସମସ୍ତ ଯୁବତୀମାନେ ଦିଲେ ହୁଳହୁଳି

ସାଧୁ ସାଧୁ ଅର୍ଜୁନ ବୋଲି ମଙ୍ଗଳ ବାକ୍ୟ ତୋଳି ।୪୮।

ଯେବଣ କୁଳେ ଜାତ ହୋଇଲୁ ବଂଶ ତୋର ସାଧୁ

ସେ ସୋମବଂଶେ ସୋହୋଦ୍ରା ଗୋ ହୋଇଲୁ କୁଳବଧୂ ।୪୯।

ସମସ୍ତେ କରନ୍ତି ଯେ ଜୟ ମଙ୍ଗଳ ବାଣୀ

ଶୁଣିଣ ସାନନ୍ଦ ଯେ ଦେବ ଚକ୍ରପାଣି ।୫୦।

ଲକ୍ଷେ ଷାଠିୟେ ସହସ୍ର ଯେ ବାସୁଦେବଂକର ନନ୍ଦନ

ଆରୋହଣ କଲେ ଯେ ଯାହାର ଗଜ ଅଶ୍ୱ ଯାନ ।୫୧।

ସୋହୋଦ୍ରାଂକୁ ଘେନି ତହୁଂ ଚଳଇ ପାଣ୍ଡବ ବିବଚ୍ଛେ

ଜଗନ୍ନାଥଂକର ପୁତ୍ରମାନେ ଅଛନ୍ତି ଅର୍ଜୁନର ପଛେ ।୫୨।

ଶାମ୍ବ ଗଦ ଅଛନ୍ତି ଯେ ଅର୍ଜୁନ ବାମ ପାଖ କତି

ଅଶି ସହସ୍ର କୁମର ଅଛନ୍ତି ପଛ କତି ।୫୩।

ପଦ୍ମନ ମହାବଳୀର ତୁଲେ ଅଶିସହସ୍ର ଭ୍ରାଥେ

ଅର୍ଜୁନର ଦକ୍ଷିଣ ଭାଗେ ଚଢି ରଥେ ରଥେ ।୫୪।

ସାତୁକୀ ଅକ୍ରୁର ତୁଲେ ଦଶପଦ୍ମ ହାଥୀ

ୟେମାନେ ଆବୋରି ଅଛନ୍ତି ଅର୍ଜୁନର ପଛ କତି ।୫୫।

ଶ୍ରୀଜଗନ୍ନାଥଂକ ଭଗତି ଦ୍ୱାରିକାୟେ ଯେତେ ଜନ

ସେମାନେ ସଂପକ୍ଷ ଆସି ହୋଇଲେ ଅର୍ଜୁନ ।୫୬।

ୟେସନେକ ସମୟେ ଯେ ଅନାଧୃଷ୍ଟ ଉଦ୍ଧବ

ଧାତିକାରେ ବାରତା ନେଇ ଦିଲେ ବଳଦେବ ।୫୭।

ସ୍ୱାମୀ ଦ୍ୱାରିକାୟେ ଥିଲା ଯେ ପାଣ୍ଡବ ଫାଲଗୁନି

ରଥେ ବସି ଯାଉଅଛି ଯେ ସୋହୋଦ୍ରାଂକୁ ଘେନି ।୫୮।

ଶୁଣିଣ କାମପାଳ କୋପେ କମ୍ପିତ କାୟେ

ହଳ ମୂଷଳ ଘେନି ଯେ ବାହାର ଦେବରାୟେ ।୫୯।

ଆହୋ ଉଗ୍ରସେନ ଧାଅଂ ଘେନି ତୋହୋର ଥାଠ

ବଳେ ସୋହୋଦ୍ରାକୁ ଘନି ଯାଉଛି ପାଣ୍ଡବ ପାପିଷ୍ଠ ।୬୦।

ବଳରାମଂକ ମୁଖେ ସେ ଉଚ୍ଚବାଚ ରଡ଼ି

ସାତ ବଂଶ ଯୋଦ୍ଧାୟେ ପଡ଼ିଲେ ସର୍ବେ ମାଡ଼ି ।୬୧।

ରଥ ଗଜ ଅଶ୍ୱ ସମସ୍ତ ପାଦାନ୍ତି

ଗର୍ଜନ ନାଦ କରିଣ ଧାମନ୍ତି ସର୍ବ ଛତ୍ରୀ ।୬୨।

ବଳରାମଂକ ସନ୍ନିଧ୍ୟେ ହୋଇଲେ ପ୍ରବେଶ

ସିନ୍ଧୁ ମନ୍ଥନ ପରାୟେ ଶୁଭଇ ମୁଖଘୋଷ ।୬୩।

ବିଜୟେ କାମପାଳ ତାଳଧ୍ୱଜ ରଥେ

ଦକ୍ଷିଣେ ସଉନନ୍ଦ ମୂଷଳ ବଜ୍ର ଲଙ୍ଗଳ ବାମ ହାଥେ ।୬୪।

ମନ୍ଦର ତତ୍ତୁଲ୍ୟ ସପତ ଫେଣା ମଉଳି

ଉଦେଗିରି ପର୍ବତ ପ୍ରାୟେ ପ୍ରତକ୍ଷେ ଦିଶନ୍ତି ଦେବ ହଳି ।୬୫।

ହଳ ମୂଷଳ ବୁଲାଇ କୋପେଣ ପରଚଣ୍ଡ

ରେ ରେ କାର ଶବଦେ କମ୍ପଇ ବ୍ରହ୍ମାଣ୍ଡ ।୬୬।

ବଳରାମକଂର କୋପ ଦେଖିଣ ବନମାଳୀ

ନୀଳାମ୍ବରଂକ ଚରଣେ ଯାଇଂ କରନ୍ତି ନିଉଛାଳି ।୬୭।

ତୁମ୍ଭେ ଦେବ ନୀଳାମ୍ବର ପୁରୁଷ ଉତ୍ତମି

କାହାକୁ ୟେତେ କୋପ କର ଦେବ ସ୍ୱାମୀ ।୬୮।

ବୋଲନ୍ତି ଭୁଜଙ୍ଗଧାରଣ ଶୁଣ ରେ ବାବୁ କୃଷ୍ଣ

ଭଗ୍ନୀକି ହରି ନେଉଅଛି ପାଣ୍ଡବ ପାପିଷ୍ଠ ଅର୍ଜୁନ ।୬୯।

ଆବର ପ୍ରତଗ୍ୟାଂ ଦେଖ ଚଉର୍ଯପଣେ ୟେତେ ଦର୍ପ

ବଳାତ୍କାରେ ହରି ନିଅଇ ଯେ ତାର ୟେଡ଼େକ ପ୍ରତାପ ।୭୦।

ଆଜ ପାଣ୍ଡବାକୁ ମୁଂ ଆଣିମଇଂ ଧରି

ମାୟେଂସ କାଟିବି ତାର ତିଳ ପ୍ରାୟେ କରି ।୭୧।

ମାନେବ ଉତପତ୍ତି ହୋଇ ତାର ୟଡ଼େକ ପ୍ରତଗ୍ୟାଂ

ଗଉରୋବୀପଣେ ସମସ୍ତେ କଲାକ ଅବଗ୍ୟାଂ ।୭୨।

ଗୋବିନ୍ଦେ ବୋଇଲେ ଦେବ କୋପ କର ଶାନ୍ତି

ଅର୍ଜୁନର କିସ ଦୋଷ ଆମ୍ଭର ଭଗ୍ନୀ ମନ୍ଦ ଜାତି ।୭୩।

ୟେଡେ ବଡ଼ ବଂଶେ ଜାତ ହୋଇ ଉପେକ୍ଷା କଲା ଲଜ୍ଜା

ବନ୍ଧୁ କୁଟୁମ୍ବ ସହୋଦ୍ର ସବୁ କଲା ପରିତେଜ୍ୟା ।୭୪।

ଯୁବା କନ୍ୟାକୁ ହେଳାୟେ ଆମ୍ଭେ ନ କଲଇଂ ପ୍ରଦାନ

କାଳେଣ ଉପୁଜିଲା ଆସି ୟେସନେକ ଅପମାନ ।୭୫।

ବଜ୍ରନାଭ ପ୍ରଦାନ ଯେ ନ କଲା ଦୋହିତୀ

ବଳାତ୍କାରେ ତାହାକୁ ହରି ଆଣିଲା ରତିପତି ।୭୬।

ବିଭା ନ କଲା ଯେ ବାଣାସୁର ଉଷା ନାମେ କୁମାରୀ

ଅନିରୁଦ୍ଧ ଯାଇ ତାକୁ ଆଣିଲାକ ହରି ।୭୭।

ଯୁବା କନ୍ୟା ଆହେ ଦେବ ମାତାପିତା ଘରେ ଥିଲେ

ଅବଶ୍ୟ ଲଜ୍ଜା ଉପୁଜଇ ଜଗନ୍ନାଥେ ବୋଇଲେ ।୭୮।

ଆବର କିମ୍ପା କୋପ କର କାମପାଳ

ଲଜ୍ଜା ଅନ୍ୟଥା ନୋହିବ ଦେବ କୋପ ଯେ ସହଂର ।୭୯।

ଯଦ୍ୟପି ସାଂଗ୍ରାମ କରିବା ଦେବରାଜ

ଅର୍ଜୁନକୁ ଜିଣି ନୁଆରିବାଟି ଉପୁଜିବ ବହୁତ ଲାଜ ।୮୦।

ଅବିଚାରେ କୋପ କଲେ ଆପଣେ ହୋୟେ ଧଂସୀ

ଅଗ୍ୟାନେ ଦ୍ୱନ୍ଦ କଲେ ସମ୍ପଦ ହୋୟେ ନିଶି ।୮୧।

ଖାଣ୍ଡବ ବନ ଦହନ କଲା ଅଗ୍ନିର ନିମନ୍ତେ

ତୋଷେ ଅନେକ ଶହସ୍ର ଦିଲେ ବଶ୍ୟାନର ଦଇବତେ ।୮୨।

କିରାତ ରୂପେ ଜିଣିଲା ୟେ ଈଶ୍ୱର ଦେବତାଂକୁ

ତୋଷେ ଅନେକ ଶହସ୍ର ଦିଲେ ସେ ଅର୍ଜୁନକୁ ।୮୩।

ଅକ୍ଷୟେ ତ୍ରୋଣ ବେନି ସେ ଦିଲେକ ପାର୍ବତୀ

ତ୍ରଇଲୋକ୍ୟେ ଜିଣନ୍ତା ସେ ହୋଇଲା ସୁତ କୋନ୍ତୀ ।୮୪।

ଅନେକ ବୁଝାଇ ସେ କହନ୍ତି ଚକ୍ରପାଣି

ଟସ୍କର ଜନ ଯେହ୍ନେ ନ ଶୁଣଇ ଧର୍ମବାଣୀ ।୮୫।

ବଳରାମେ ବୋଇଲେ ତୁମ୍ଭେ ବହନ ହୋଅ ସଜ

ୟେହିକ୍ଷଣି ଧରିଆଣିମା ପାଣ୍ଡବଂକୁ ଦେବରାଜ ।୮୬।

ବଳରାମଂକ ତହୁଂ ୟେସନେକ ନିଷ୍ଠୁର ବଚନ ଶୁଣି

ନନ୍ଦିଘୋଷ ରଥେ ବିଜୟେ କଲେ ଚକ୍ରପାଣି ।୮୭।

ତାଳଧ୍ୱଜ ରଥେ ବିଜେ କଲେ ଦେବ ହଳୀ

ବଳରାମେ ବୋଇଲେ ତୋହୋର କରେ ଚକ୍ର

ନାହିଂତ ବନମାଳୀ ।୮୮।

ଗୋବିନ୍ଦେ ବୋଇଲେ ମୁଂ ନ ଜାଣଇଂ ତଦନ୍ତ

କଉମୋଦକୀ ଗଦା ସୁଦ୍ରିଶେଣ ଚକ୍ର ନାହିଂ ମୋହୋର ହାଥ ।୮୯।

ଶାରଙ୍ଗ ଧନୁ ସହିତେ ନେଇଛି ବୀର ପାଥ

ତେଣୁ କରି ସ୍ୱାମୀ ମୁଂ ହୋଇଛି ଶୂନ୍ୟ ହାଥ ।୯୦।

ତୁନି ହୋଇଲେ ବଳରାମେ ଜଗନ୍ନାଥଂକ ବଚନେ

ତୋହୋର ବିଚାରେ ୟେହି ଅରିଷ୍ଟି କଲାକ ଅର୍ଜୁନେ ।୯୧।

ଅତିହିଂ ଅଭେଦ କଲୁ ଯେ ପାଣ୍ଡବ ହୀନ ଜାତି

ସତ୍ୟବନ୍ତ ଲୋକ ସିନା ସହୋଦ୍ରେ ରକ୍ଷା କରନ୍ତି ।୯୨।

ଗୋଳକୁଣ୍ଡା ଜାରଜାତକା ସେ ଅଟନ୍ତି ଗ୍ୟାନହୀନ

ୟେକା ଭାରିଯା ରମଣେ ପାଞ୍ଚେ ନିଅନ୍ତି ଦିନ ।୯୩।

ଲଘୁ ଜନଂକୁ ହରି କଲୁ ଯେ ବିଶ୍ୱାସ

ଆପଣେ ଧଂସି ହୋଇଲୁ କାର୍ଯ୍ୟ ଯେ ହୋଇଲା ନାଶ ।୯୪।

ସମଦଣ୍ଡ ସାଜିଣ ତହିଂ ଚଳନ୍ତି ଯଦୁବୀରେ

ଅର୍ଜୁନଂକୁ ଭେଟିଲେ ଯାଇଂ ରଇବ୍ରତ ପର୍ବତରେ ।୯୫।

ଅନ୍ଧେକ ବଧ କାଳେ ୟେସନେ ଦିଶନ୍ତି କପାଳୀ

ନିର୍ଧୂମ ଅଗ୍ନି ଜାଣି ଅର୍ଜୁନ ଶରୀର ପରଜଳି ।୯୬।

ସପତ ଶାଖା ମୁକୁଟ ଶୋହଇ ଲଲାଟେ

ଝଲକନ୍ତି ଗଜମୁକୁତା ମାଣିକର କ୍ରୋଟେ ।୯୭।

ଲଲାଟେ କସ୍ତୁରୀ ଚିତା କର୍ଣ୍ଣେ ଅମୃତ କୁଣ୍ଡଳ ବେନି

ଶିରେ ସୀମଛିନୀ ସଞ୍ଚିଲା ଯେ ଅଷ୍ଟରତ୍ନ ଘେନି ।୯୮।

ହୃହରେ ପଦେକ ବାହେଣ ତାଡ଼ ତୋଢର ବାହୁଟି

କନକ ଅଞ୍ଚଳ ଗଣ୍ଡସ୍ଥଳେ ମହାରେଖା ଗୋଟି ।୯୯।

ଭୁଜରେ କଂକଣ ଯେ ପାଦେ ନେପୂର ବେନି

ହେମବନ୍ତ ବିବାଦେ ଯେହ୍ନେ ଦିଶନ୍ତି ସସ୍ରଯୋନି ।୧୦୦।

ତାଳଧ୍ୱଜ ରଥେ ଯାଇଂ ଦେଖିଲେ ସ୍ୱାମୀ ବଳଭଦ୍ରେ

ଅର୍ଜୁନର କୋଳେ ବିଜୟେ ସୁନ୍ଦରୀ ସୋହୋଦ୍ରେ ।୧୦୧।

ବଳରାମେ ବୋଇଲେ ତୁ ଦେଖରେ ଶ୍ରୀବତ୍ସ

ସୋହୋଦ୍ରାକୁ ଘେନି ଅର୍ଜୁନ ଯାଉଅଛି ପ୍ରତକ୍ଷ ।୧୦୨।

ଆମ୍ଭଂକୁ ଭୟେ ଭ୍ରାନ୍ତି ନ ନ କଲା ପଞ୍ଚୁମନେ

ସରୂପ ଦୋଷ ୟେହାର ସଂହରିବା କେସନେ ।୧୦୩।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶରୀରେ ଥିଲେ ବଳବୀର୍ଯ୍ୟ

ଶଉର୍ଯ୍ୟବନ୍ତ ଲୋକ ସିନା କରନ୍ତି ଚଉର୍ଯ କାର୍ଯ୍ୟ ।୧୦୪।

ୟେତେକ ବଚନେ ବଳରାମେ କୋପେଣ ପରଜଳି

ସଉନନ୍ଦ ମୂଷଳ ରାମ ବୁଲାଇଲେ ତୋଳି ।୧୦୫।

ଆରେ ଆରେ ପାଣ୍ଡବା ଯିବୁଂ ଆଜ କାହିଂ

ନିଚୟେ ପାଞ୍ଜି ତୋର ପୋଛିଲା ଜନ୍ତୁସାଇଂ ।୧୦୬।

ୟେ ମୋହୋର ଭଗ୍ନୀକି ତୁ ହରିଲୁ କେବଣ ଦର୍ପେ

ଖଗବର ଛାମୁରେ କି ଦର୍ପ କରନ୍ତି କାଳସର୍ପେ ।୧୦୭।

ଜୀବନକୁ ନିଆଶାରେ ମରଣକୁ କଲୁସି ଅପେକ୍ଷା

ତ୍ରଇଲୋକ୍ୟ ମଧ୍ୟରେ ଆଜ କେ ତୋତେ କରୁ ରକ୍ଷା ।୧୦୮।

ନିଚୟ ପାଞ୍ଜି ତୋହୋର ପୋଛିଲା ନାଶକର

ନଶ୍ୟନ୍ତ କାଳକୁ କଲୁ ବିପରୀତ ବିଚାର ।୧୦୯।

ପ୍ରୀତି ବୁଡ଼ାଇଲୁ ତୁହି ସ୍ତିରୀ ମାତ୍ର ଲୋଭେ

ତୋହୋରେ ନାଶ ଗଲେ ଯୁଝେଷ୍ଠି ରାଜ ଦେବେ ।୧୧୦।

କୁଳନାଶନ ହୋଇ ଉପୁଜିଲୁ ରେ ଫାଲଗୁନି

କେଉଂଣ ଦର୍ପେ ଯାଉଛୁରେ ମୋହୋର ଭଗ୍ନୀକି ଘେନି ।୧୧୧।

ସୁମର ରେ ପାଣ୍ଡବା ତୋହୋର ମାତା ପିତା

ସୁମର ରେ ପାଣ୍ଡବା ତୋହୋର ଇଷ୍ଟକୁଳ ଦେବତା ।୧୧୨।

ବଳରାମଂକ ମୁଖୁଂ ଶୁଣି ୟେସନେକ ବାଣୀ

କୋପେଣ ପ୍ରତଗ୍ୟାଂ କରି ବୋଲଇ ଫାଲଗୁନି ।୧୧୩।

ତୁ ସ୍ୱାମୀ ବଳେବର ରେବତୀ ବଲ୍ଲଭ

ମୋହୋର କିଛି ଦୋଷ ନାହିଂ ତୁମ୍ଭେ ବିଚାର ବଳଦେବ ।୧୧୪।

ତୋହୋର ଭଗ୍ନୀକି ଦେବ ନ କଲୁ ତୁ ରକ୍ଷା

ଆପଣେ ସ୍ୱୟମ୍ବରୀ ହୋଇ ସେ ମୋତେ କଲା ଇଚ୍ଛା ।୧୧୫।

ଶୟନ ମନ୍ଦିରେ ମୋର ପଶିଲା ନିଶାକାଳେ

ସ୍ତିରୀ ଲିଙ୍ଗ ହୋଇ ମୋତେ ହରିଲାକ ବଳେ ।୧୧୬।

ତୁ ଦେବ ତ୍ରଇଲୋକ୍ୟ ନାଥ ଅଟୁ ସଂକ୍ରିଷଣ

ନ ବିଚାରି କୋପ ମୋତେ କରୁଛୁ ଅକାରଣ ।୧୧୭।

ଶରଣବଚ୍ଛଳ ନାଥ ଭଗତ ବାରାନିଧି

ତୋହୋରେ ଅବିଚାରେ ମୋତେ ହୋଉଛି ଅବିଧି ।୧୧୮।

ଅନମିତେ ମୋତେ ଅପଛାତି କରୁଅଛ

ମୁହିଂ ସାଂଗ୍ରାମେ ତୁମ୍ଭନ୍ତ ନୋହଇଂନା ଓଛ ।୧୧୯।

ପ୍ରାଣ ଘେନି ୟେଥୁଂ ତୁମ୍ଭେ ଘୁଞ୍ଚି ଯାଅ ଯା ବେନି ଭାଇ

ୟେଡ଼େ ବଡ଼ ସମ୍ପଦ ନ ବୁଡ଼ାଅ ସୋହୋଦ୍ରାର ପାଇଂ ।୧୨୦।

ମିଛେହେଂ ପ୍ରତଗ୍ୟାଂ ମୋତେ ନ କର ଦେବ ସଂକ୍ରିଷଣ

ଫୁଟୁକି ବିଦ୍ୟା କହିଲେ ନୋହଇଟି ବଡ଼ ପଣ ।୧୨୧।

ତୁମ୍ଭର ଭଗ୍ନୀ ଯେ ମୋତେ କଲାକ ଅନୀତି

ଘୁଞ୍ଚି ଯାଅ ସ୍ୱାମୀ ତୁମ୍ଭର ଆମ୍ଭର ଥାଉ ପ୍ରୀତି ।୧୨୨।

ଅର୍ଜୁନର ପ୍ରତଗ୍ୟାଂ ଶୁଣିଲେ ଯାଦବେ

ଆରେ ଆରେ ଅର୍ଜୁନକୁ ଧର ବୋଲି ବୋଲନ୍ତି ବଳଦେବେ ।୧୨୩।

ଧାମନ୍ତି ପ୍ରତଗ୍ୟାଂ କରି ସମସ୍ତ ଯଦୁବୀରେ

ଧନୁରେ ନାରାଜ ପୂରୋଇ କୋପଭରେ ।୧୨୪।

ବିନ୍ଧନ୍ତି ନାରାଜ ଯେ ଅବିଚ୍ଛନ୍ନେ ସମସ୍ତ ଯାଦବ ବୀରେ

ମୁଖରାବ ଶବଦେ ଯେ କମ୍ପନ୍ତି ସୁରେଶ୍ୱରେ ।୧୨୫।

କକଡ଼ା ବୃଷ୍ଟି ଜାଣି ଶରେ ପଡ଼ନ୍ତି ଉପରେ

ପୃଥିବୀ କମ୍ପଇ ଯେ ଧାମନ୍ତେ ପାଦଭରେ ।୧୨୬।

ଝଲକନ୍ତି ନାରାଜେ ବିଜୁଳି ତ୍ରାସ ଜାଣି

ଶର ଗର୍ଜନ ଯେ ଧନୁ ଟଂକାର ବାଣୀ ।୧୨୭।

ଧର ଧର ମାର ମାର ଶୁଭୁଛି ଘୋର ବୋବି

ମୟେଂଷା ବଧ କାଳେ ଯେସନେ ଡାକନ୍ତି ଭଇରୋବୀ ।୧୨୮।

ଛତ୍ରୀଂକ ବଚନ ଶୁଣି ଅର୍ଜୁନ ମହାରାଗ

ଅର୍ଜୁନକୁ ପଛ କରି ପଦ୍ମନ ହୋଇଲାକ ଆଗ ।୧୨୯।

ଶାମ୍ବ ଗଦ ପଦ୍ମନ ଯେ ଅକ୍ରୁର ସାତୁକୀ

ଅର୍ଜୁନ କତିରେ ହୋଇ ଉଠିଲେ ଥାଠ ଦେଖି ।୧୩୦।

ଗଦା ମୁଦୁଗର ଛେଲ ଚକ୍ର କାତି

କୋନ୍ତ ଖଡ଼ଗ ଘେନିଣ କୋପେ ପହୁଡ଼ନ୍ତି ।୧୩୧।

ଗୋବିନ୍ଦର ପୁତ୍ରମାନେ ଯହୁଂ ଗଳଗାଜି

ଦେଖିଣ ଯାଦବ ବଳେ ଯେ ପଳାଇଲେ ଭାଞ୍ଜି ।୧୩୨।

ଶହସ୍ରନ୍ତ ଥୋଇ କହନ୍ତି ନୀଳାମ୍ବରଂକ ଛାମୁରେ

କାହାର ତୁଲେ ସ୍ୱାମୀ ଆମ୍ଭେ କରିବୁଂ ସମରେ ।୧୩୩।

ଲକ୍ଷେ ଷାଠିୟେ ସହସ୍ର ଭ୍ରାଥନ୍ତ ଘେନିଣ ପଦ୍ମନ

ସମସ୍ତେ ଆବୋରିଛନ୍ତି ସେ ପାଣ୍ଡବ ଅରଜୁନ ।୧୩୪।

କେ ସମର କରିବ ସେ ପଦ୍ମନର ତୁଲେ

ବାଳୁତ ବୟସେ ଶୟମ୍ବରକୁ ନାଶ କଲେ ।୧୩୫।

ଶୁଣି କୋପ କଲେ ଦେବ ବଳଦେବ

ଆବର ତୁହି ସେ ଭିଆଇଲୁ ପଦ୍ମନାଭ ।୧୩୬।

ମୁହିଂ ଯେ ଅଣାଇଲି ରାଜା ଦ୍ରିଯୋଧନକୁ

ତେତେବେଳେ ନାସ୍ତି କିମ୍ବା ନ କଲୁ ତୁ ମୁକୁ ।୧୩୭।

ସମଦଣ୍ଡ ଘେନି ବରବେଶେ ଅଇଲା କୁରୁପତି

ୟେଣେ ଲଜ୍ଜା ମୋତେ ଯେ ହୋଇଲା ଅପ୍ରମିତି ।୧୩୮।

ଗୋବିନ୍ଦ ବୋଇଲେ ଦେବ ଶୁଣିମା ସଂକ୍ରିଷଣ

କେ ଆନ କରିବ ପ୍ରଜାପତିର ଲେଖନ ।୧୩୯।

ଆମ୍ଭେ ଅବା ଇଚ୍ଛା କଲାଇଂ ବଡ ଜଣେ ଦେବାକୁ

ଧାତା ସ୍ରିଜିଅଛି ଯେ ସୋହୋଦ୍ରା ଅର୍ଜୁନକୁ ।୧୪୦।

ଯେ ଯାହାର କନ୍ୟା ନେମନାହିଂ କି ସେହି

ଆମ୍ଭର ଦ୍ୱନ୍ଦ କଲେ କାର୍ଯ୍ୟ କାହିଂ ରହି ।୧୪୧।

ବଦନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ

ବରବେଶେ ସମଦଣ୍ଡ ଘେନି ଅଇଲା ଗାନ୍ଧାରୀର ତନୁ ।୧୪୨।

ଅସଂଖ୍ୟ ସେନା ଘେନି ରାଜା କୁରୁନାଥ

ବିଜେ ମାନଗୋବିନ୍ଦ ରଇବ୍ରତ ପର୍ବତ ।୧୪୩।

ୟେସନେକ ସମୟେ ତହିଂ ମିଳିଲେ ମୁନେହିଂ

କଉରୋବା ରାଜା ଆଗେ ବାରତା ଯାଇ କହିଂ ।୧୪୪।

ଶୁଣଇ ଦେବାଧିଦେବ ରାଜେଶ୍ୱର ନୃପତି ଚୂଡାମଣି

ଦୁରାପଦ କଥାୟେ ଦେବ ହୋଇବ ୟେହିକ୍ଷଣି ।୧୪୫।

ସୋହୋଦ୍ରାଂକୁ ହରିଲା ଯେ ପାଣ୍ଡବ ଅରଜୁନେ

ବଳେ ଦ୍ୱାରିକାରୁ ଘେନି ଯାଉଅଛି ଫାଲଗୁନ୍ୟେ ।୧୪୬।

ସାତ ବଂଶ ଯାଦବ ବଳ ଘେନି କୃଷ୍ଣ ବଳରାମ

ଅର୍ଜୁନର ତୁଲେ ଦୁରାପଦ ହେଉଛି ସାଂଗ୍ରାମ ।୧୪୭।

ଶୁଣିଣ ବିରସ ଯେ କଉରେବ ଆଧିପତି

ଯାବତ କାଳେ ପାଣ୍ଡବେ ମୋତେ କରନ୍ତି ଅନୀତି ।୧୪୮।

ଆହୋ ଭୀଷ୍ମ ଦ୍ରୋଣ ବିଦୁର ତୁମ୍ଭେ ବୁଝିଲ କେମନ୍ତ

ତୁମ୍ଭେ ସେ ୟେକ ଯୋଗ କରି ଲୋଡ଼ ପାଣ୍ଡବନ୍ତ ।୧୪୯।

ଉଗ୍ରସେନ ବସୁଦେବ କୃଷ୍ଣ କାମପାଳ ଅନୁମତେ

ବିଚାରି ସୋହୋଦ୍ରାକୁ ଦେବା କଲେ ମୋତେ ।୧୫୦।

ସମସ୍ତଂକ ସନମତେ ଦୂତ ଦିଲେ ପେଷି

ବଳାତ୍କାରେ ଅର୍ଜୁନ ସୋହୋଦ୍ରାଂକୁ ହରିଲା ଦ୍ୱାରିକାୟେ ପଶି ।୧୫୧।

ଭୀଷ୍ମେ ବୋଇଲେ ଆମ୍ଭେ ସହଦେବ ମୁଖରୁ ଶୁଣିଲୁ

କିମ୍ପା ଆମ୍ଭେ କନକଭଦ୍ରା ନଦୀକୂଳରୁ ତୋତେ ବାହୁଡ଼ାଇ ଲୋଡ଼ିଲୁ ।୧୫୨।

ଆମ୍ଭର ବଚନ ତୁ ହୋ ଯେ ନ କଲୁ କୁରୁଦେବା

ୟେବେ ୟେଥୁଂ କେମନ୍ତେ ଆମ୍ଭେ ଲଜ୍ଜାପାଇ ବାହୁଡ଼ିଣ ଯିବା ।୧୫୩।

ଦ୍ରିଯୋଧନ ବୋଇଲା ହୋ ଅଟଇଟି କି ୟେମନ୍ତ

ସଞ୍ଚୟେ ପ୍ରାଣତ୍ୟାଜ ଆଜ ହୋଇବାକ ପାଥ ।୧୫୪।

ଯଦ୍ୟପି ରୁଦ୍ର ବ୍ରହ୍ମା ଇନ୍ଦ୍ର ଆଦିତ୍ୟ ଦେବ ସଂପକ୍ଷ ହୁଅଇ

ତ୍ରଇଲୋକ୍ୟ ମଧ୍ୟେ ଆଜ କେ ଅର୍ଜୁନକୁ ରଖଇ ।୧୫୫।

ଚଳାଅ ରେ ଥାଠ ମୋର ଅର୍ଜୁନ କତିକି

ଭୀମସେନ କୋପକଲା ଦ୍ରିଯୋଧନ କୋପ ଦେଖି ।୧୫୬।

ବାଆନ ବାଆନ ଭାର ଗଦା ବେନି କରେ ଘେନି

ବୀରବର ପ୍ରତଗ୍ୟାଂ ସେ କରଇ ପାବେନି ।୧୫୭।

ଯୁଝେଷ୍ଠି ବୋଇଲେ ବାବୁ ରହ ରହ ଭୀମ

ଅର୍ଜୁନ ତୁଲେ ସାଂଗ୍ରାମ କରନ୍ତି କୃଷ୍ଣ ବଳରାମ ।୧୫୮।

ଯାବତ କାଳେ ହରି ଆମ୍ଭନ୍ତ କରଇ ରକ୍ଷା

ତାହାର କୋପ କଲେ ଆମ୍ଭର କିସ କକ୍ଷା ।୧୫୯।

ଯୁଝେଷ୍ଠି ବୋଇଲେ ବାବୁ ଶୁଣରେ ସହଦେବ

ଶ୍ରୀହରି ଅର୍ଜୁନ ବେନି ଭାବ କି ଅଭାବ ।୧୬୦।

କରପତ୍ର ଯୋଡ଼ି ସହଦେବ ଯେ ବୋଇଲେ

ଜଗନ୍ନାଥଂକ ବୋଲ ଶୁଣି ଅର୍ଜୁନ ସୋହୋଦ୍ରାକୁ ହରିଲେ ।୧୬୧।

ସ୍ୱାମୀ ଦେବଂକୁ ଦୁଲଭ ଯେବଣ ଦ୍ୱାରିକା

ଅର୍ଜୁନଂକ ଦର୍ପେ କାହିଂ ୟେତେକ ନିଶଂକା ।୧୬୨।

ଯଦ୍ୟପି ବଳରାମ କଲେ ଯୁଦ୍ଧ ଅର୍ଜୁନଂକ ତୁଲେ

ଧନୁ ଚକ୍ର ଗଦା ସହିତେ ହରି ଅର୍ଜୁନଂକୁ ଦିଲେ ।୧୬୩।

ଲକ୍ଷେ ଷାଠିୟେ ସହସ୍ର ଅଶି ସୁତ ଜଗନ୍ନାଥଂକର

ଅର୍ଜୁନଂକୁ ଆବୋରି ଯାଦବଂକ ତୁଲେ କରନ୍ତି ସମର ।୧୬୪।

ସହଦେବ ତହୁଂ ୟେସନେକ ବାଣୀ ଶୁଣି

ଅନେକ ସାନନ୍ଦ ହୋଇଲେ ଧର୍ମ ନୃପମଣି ।୧୬୫।

ଭୀମସେନକୁ ବୋଇଲେ ବାଟ କଢାଅ ରେ ଭାଇ

ଅର୍ଜୁନର ତହିଂକି ଚାଲ ଯିବା ବେଗ ହୋଇ ।୧୬୬।

ଭୀମ ବୋଇଲା ଦ୍ରିଯୋଧନ ଦଣ୍ଡ ଘେନି ପଡ଼ୁଅଛି ମାଡ଼ି

କେଉଂଣ କତିକି ସ୍ୱାମୀ ଯିବା ୟେହାକଇଂ ଛାଡ଼ି।୧୬୭।

ହାଥୀ ୟେକ ଆରୋହୀ ଯେ ରାଜା ମାନଗୋବିନ୍ଦ

ଅତି ବେଗେ ଥାଠ ଚଳାଇଲା କଉରୋବ ନରେନ୍ଦ୍ର ।୧୬୮।

ଧୁଶାସନ ଭୂରିସର୍ବା କର୍ଣ୍ଣ ଶକୁନି କୁରୁପତି

ଅଶି ଲକ୍ଷ ଯୋଦ୍ଧା ଘେନି ମିଳିଲେ ଅର୍ଜୁନର ପଛକତି ।୧୬୯।

ପଦ୍ମନ ପଚାରଇ ସ୍ୱାମୀ ଶୁଣ ଫାଲଗୁନି

ପଛକତି ଦିଶଇ ତୁମ୍ଭର ସେ କେଉଂଣ ରାଜାର ସଇନି ।୧୭୦।

ପଦ୍ମନର ବଚନେ ପଛକୁ ଚାହିଂଲେ ପାର୍ଥିବ

ଦେଖଇ ରଥ ଗଜ ଅଶ୍ୱ ନୃପତି କୁରୁଦେବ ।୧୭୧।

ବହୁତ ସମ୍ଭର ଯେ ଅପ୍ରମିତ ଥାଠ

ବ୍ରହ୍ମାଣ୍ଡ ଉଛୁଳଇ ସଇନି ସମରାଷ୍ଟ ।୧୭୨।

ନବ ଯୋଜନ ମାଡ଼ି ଯେ ରହିଛି ସଇନି

ଆକାଶ ଉଛୁଳଇ ଯେ ମୁଖରାବ ଧୁନି ।୧୭୩।

ଦେଖୁଂ ଦେଖୁଂ ଚମକାଇଲା ନୃପତି କଉରୋବ

ସହସ୍ରେ ପୁର କରି ଅର୍ଜୁନକୁ ବେଢିଲେ ରାଜଦେବ ।୧୭୪।

ଶୁଣ ହୋ ମହାରାଜା ଅର୍ଜୁନର ଚରିତ

କ୍ଷୀରୋଦ୍ର ମନ୍ଥନେ ଯେହ୍ନେ ମନ୍ଦର ପର୍ବତ ।୧୭୫।

କ୍ଷୀରୋଦ୍ର ହୋଇଲା ଯେହ୍ନେ ଦଧିର ନଉତି

ମନ୍ଦର ଖୁଆ କରି ଯେହ୍ନେ ଦେବତାୟେ ମନ୍ଥି ।୧୭୬।

ୟେହେନେକ କଉରୋବ ଯାଦବ ବଳ ହୋଇଲେ ବାରାନିଧି

ଅର୍ଜୁନ ମନ୍ଦର ଯେହ୍ନେ ମନ୍ଥଇ ଯେ ଦଧି ।୧୭୭।

କୁରୁବଳ ଥାଠ ମନ୍ଥନ ଯେ କରଇ ସର୍ବସାଚୀ

ଅସଂଖ୍ୟ ଦେଖି ବିଷାଦ ସେ ହୋଇଲେ ଶ୍ରୀବଚ୍ଛି ।୧୭୮।

ଦ୍ରିଯୋଧନର ଥାଠ ଦେଖି ସେ ବୀର ବିକ୍ରୋଦର

କୋପେଣ ଧାମଇଂ ସେ ପାଣ୍ଡବ ସୁନ୍ଦର ।୧୭୯।

ବାଆନ ବାଆନ ଭାର ଗଦା ବେନି କରେ ଘେନି

ଘୋଟିଲା ବିକ୍ରୋଦର ସେ କଉରୋବ ସଇନି ।୧୮୦।

ଦ୍ରିଯୋଦନର ବରବେଶ ଦେଖି ବଳରାମେ

ହଳ ମୂଷଳ ଘେନି ଆପଣେ ପଶିଲେ ସାଂଗ୍ରାମେ ।୧୮୧।

ମହାଭୀଷ୍ମ ରୂପେ ସେ ଦେବ ହଳଧାରୀ

ପାଦଭରେ ଯେ ହେଳ ଘେନଇ ବସୁନ୍ଧରୀ ।୧୮୨।

ରଡ଼ିର ଶବଦ ଘାତେ ତ୍ରାସିଲେ ଦିଗପାଳେ

ବିଦ୍ୟାଧର ପୁରୁଷେ ନ ରହିଲେ ଗଗନ ମଣ୍ଡଳେ ।୧୮୩।

କୋଟିୟେ ସିଂଘର ଯାହାର ପରାକ୍ରମ

ଛଡ଼ ଲକ୍ଷ ଯୋଜନେ ତ୍ରାସିଲକ ଯମ ।୧୮୪।

ଯହୁଂ ଭୀଷ୍ମରୂପ ପ୍ରକାଶିଲେ ରାମଚନ୍ଦ୍ରେ

ଦେଖିଣ ମୂର୍ଚ୍ଛାଗତ ହୋଇଲେ ସଉଭଦ୍ରେ ।୧୮୫।

ବଳରାମଂକ ଭୀଷ୍ମମୂର୍ତ୍ତି ଦେଖ ହୋ ବୀର ପାଥ

ୟେହିକ୍ଷଣି ରଥ ତୁମ୍ଭର କରିବେ ଭଗନସ୍ତ ।୧୮୬।

କେହି ନ ବ୍ରତିବଟି ବଳରାମଂକର ମୁଖେ

କେସନେକେ ଶରୀର ଧରିବି ମୁଂ ସ୍ୱାମୀ ଦୁଖେ ।୧୮୭।

ଅର୍ଜୁନ ବୋଇଲେ ସଖୀ ମିଛେ ନୋହ ବାଇ

ୟେମନ୍ତ କଥାରେ ଗୋ ଆମ୍ଭନ୍ତ କି ପାଇ ।୧୮୮।

ଦେଖ ଗୋ ସଉଭଦ୍ରେ ମୋହୋର ପରତାପ

ୟେକା ନାରାଜକେ ଭାଙ୍ଗିବି ବଳରାମଂକର ଦର୍ପ ।୧୮୯।

ୟେଥୁ ଅନନ୍ତରେ ବଳରାମଂକର ସନ୍ନିଧ୍ୟେ ପ୍ରବେଶ କୁରୁପତି

ଭୀଷ୍ମ ଦ୍ରୋଣ ଦୁହେଂ ରଥୁଂ ଓହ୍ଲାଇଲେ ତତକ୍ଷଣାନ୍ତି ।୧୯୦।

କର୍ଣ୍ଣ ଶଲ୍ୟ ଭୂରିସର୍ବା ବାହ୍ଲିକ ଶକୁନି

ସମସ୍ତେ ପ୍ରଣପତ୍ୟ ରାମଂକ ପାଦ ବେନି ।୧୯୧।

ବଳରାମେ ବୋଇଲେ ତୁମ୍ଭେ ଶୁଣ ହୋ ଗାଙ୍ଗେବ

ୟେହେନେକ ବିଚାର ଯେ କଲାକ ପାଣ୍ଡବ ।୧୯୨।

ବଳାତ୍କାରେ ଦେଖ ୟେ ହରିଲା ସୋହୋଦ୍ରାକୁ

ଆମ୍ଭେ ବରି ଅଣାଇଲୁଂ ଦ୍ରିଯୋଧନ ରାଜାକୁ ।୧୯୩।

ଭୀଷ୍ମେ ବୋଇଲେ ଦେବ କୋପ ସଂହରିବା

ନ ଜାଣି ଅର୍ଜୁନ ଦୋଷ କଲା ଅବା ।୧୯୪।

କୁରୁ ପାଣ୍ଡବ ଦେବ ନୋହନ୍ତି ଭିନ୍ନ ଭିନ୍ନ

ଯେ ଦ୍ରିଯୋଧନ ପ୍ରତକ୍ଷେ ସେ ଅଟଇ ଅରଜୁନ ।୧୯୫।

ଦ୍ରିଯୋଧନ ବୋଇଲା ଭୀଷ୍ମେ ବୋଇଲେ ଯାହା

ମୋହୋର ତହିଂ ଥାଇ ପାଣ୍ଡବଂକୁ ଅନେକ ସେନେହା ।୧୯୬।

ଆଜ ପାଣ୍ଡବନ୍ତ କେ କରଇ ରକ୍ଷା

ତୁମ୍ଭର ତାହାଂକୁ ହୋ ୟେତେକ ଉପେକ୍ଷା ।୧୯୭।

ତୁମ୍ଭେ ମୋହୋର ସାଂଗ୍ରାମ ଦେଖ ଦେବରାଜ

ଜୀବନ୍ତେ ପାଣ୍ଡବନ୍ତ ନ ଥୋଇବି ମୁହିଂ ଆଜ ।୧୯୮।

ଦ୍ରିଯୋଧନର ବଚନେ ବୋଇଲେ ଜଗନ୍ନାଥ

ପାଣ୍ଡବନ୍ତ ସାଂଗ୍ରାମେ ତୁ କିସ ସାମରଥ।୧୯୯।

ଖାଣ୍ଡବ ବନ ଦହନ କରି ଜିଣିଲା ଅମରାଧି

ଅଗ୍ନିକି ତୋଷ କଲା ଯେ ଦେଇଣ ମଉଷଧି ।୨୦୦।

ପାଣ୍ଡବାସୁର ତୁମ୍ଭନ୍ତ ଯେ କରୁଥିଲା ଭକ୍ଷ

ସେ ପାଣ୍ଡବାସୁର ମାରି ତୁମ୍ଭକଇଂ କଲା ରକ୍ଷ ।୨୦୧।

ପାଞ୍ଚାଳ ଦେଶେ ଯେ ଦ୍ରୋପଦର ପୁରେ

ଦ୍ରୋପତୀକି ସ୍ୱୟମ୍ବର ସେ କଲାକ ସମ୍ଭରେ ।୨୦୨।

ଲକ୍ଷେ ନୃପତି ଯେ ଥିଲେ ସମଦଣ୍ଡେ

ସମସ୍ତ ଦିଗପାଳେ ଥିଲେ ଦେଖିଲେ ବ୍ରହ୍ମାଣ୍ଡେ ।୨୦୩।

ଆହା ମାନଗେବିନ୍ଦ ତୁ ନୋହସି ଦ୍ୱନ୍ଦକାରୀ

ଅର୍ଜୁନକୁ ସାଂଗ୍ରାମେ ନୋହୁ ଆମ୍ଭେ ସରି ।୨୦୪।

ଅପାର ବଚନ ଯେ ବୋଲନ୍ତି ଜଗନ୍ନାଥେ

ଅନେକ ଧଂସି ହୋଇବ ଅର୍ଜୁନର ହାଥେ ।୨୦୫।

ୟେ ଦ୍ୱାପର ଯୁଗେ ହାଦେ ଅର୍ଜୁନ ଅଟଇ ଭାରୋଇ ମଲ୍ଲ

ପୃଥୀର ଭାରାଭର କରିବ ଉଦ୍ଧାର ।୨୦୬।

ତାରକା ସାଂଗ୍ରାମେ ଯେହ୍ନେ ଦିଶନ୍ତି କୁମାରେ

ଅର୍ଜୁନର ମହିଂମା ଯେ ତେହ୍ନେକ ଆକାରେ ।୨୧୦

ଯେବଣ ଶର ଦିଲେ ବଶ୍ୟାନର ଦେବତା

ତାହା ସୁମରଣା କଲା ଯେ ଅର୍ଜୁନ ବଳବନ୍ତା ।୨୧୧।

ଅବିକ୍ଷଣେ ବାଣ ଆସି ହୋଇଲା ପରାପତ

ପିନାକ ଧନୁ ପ୍ରବେଶ ଯେ ମାୟାବତୀ ରଥ ।୨୧୨।

ଅଗ୍ନି ଦେବତା ଦେଇଥିଲେ ରଥ ନନ୍ଦିଘୋଷ

ବାବୁ ମୀନକେତନ ତୁ ରେ ୟେ ରଥରେ ବସ ।୨୧୩।

ଅର୍ଜୁନର ବଚନ ଶୁଣିଣ ପଦ୍ମନ

ସେ ରଥରେ ବସିଲା ଯେ ରୁକ୍ମିଣୀ ନନ୍ଦନ ।୨୧୪।

ସମର ସମ୍ଭର୍ବ ଯେ ଦେଖାଇ ଅନଙ୍ଗ

କଉରୋବ ଥାଠ ସେ ଯେ ଆବୋରିଲା ବେଗ ।୨୧୫।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ସମସ୍ତଂକ କରେ ଦିଶଇ ଶଙ୍ଖ ଚକ୍ର ଚିହ୍ନ ।୨୧୬।

ଶ୍ରୀଭୁଜେ ଧନୁ ଧରି ସେ ନାରାୟଣ ବଳା

କୋପେଣ କୁମାରେ ଯେ ପେଷିଲେ ଶରମାଳା ।୨୧୭।

ପଡ଼ନ୍ତି ନାରାଜେ ଯେସନେକ ଆକାଂଶୁ ବଜ୍ରସୂଚି

ବଳରାମକୁ ସାଂଗ୍ରାମେ ଆବୋରିଲେ ସର୍ବସାଚୀ ।୨୧୮।

ଦେଖି ବଳରାମେ ଚାହିଂଲେ ଭୀଷ୍ମଂକର ମୁଖ

ବଳୀୟାର ଚୋରର ହୋ ପ୍ରତଗ୍ୟାଂ ପୁଣ ଦେଖ ।୨୧୯।

ଭଗ୍ନୀକି ମୋହୋର ଯେ ହରିଲା ବଳାତ୍କାରେ

ଆବର ଯୁଦ୍ଧ କରି ଲୋଡ଼ଇ ଆମ୍ଭର ସଙ୍ଗରେ ।୨୨୦।

କୋପେ ହଳ ମୂଷଳ ଯେ ବୁଲାଇ ଦେବ ହଳୀ

ଅର୍ଜୁନର ସନ୍ନିଧ୍ୟେ ବିଜୟେ ମହାବଳୀ ।୨୨୧।

ବଳରାମେ ପ୍ରତିଉତ୍ତର ଦିଲେ ଅର୍ଜୁନକୁ

ତ୍ରଇଲୋକ୍ୟେ ପାଣ୍ଡବା ରେ ଆଜ କେହୁ ତୋତେ ରଖୁ ।୨୨୨।

ଅର୍ଜୁନ ବୋଇଲେ ରାମ ପୀରତି ବଡ଼ ଜଣ

ସାଂଗ୍ରାମ କଲେ କେ କାହାକୁ ଓଚ୍ଛ ପୁଣ ।୨୨୩।

ପୀରତି ଦାସ ମୁହିଂ ଭଗତମତ୍ସଳ

କଇଚ୍ଛା ଜଗଜେଠୀ ମୁଂ ଦୁଖୀ ଜନଂକ ସୋଦର ।୨୨୪।

ଯଦ୍ୟପି ବଳରାମ ତୁମର ଆମର ପୀରତି

ତୁମର ପଦ୍ମପାଦେ ଶତେ ସହସ୍ର ପ୍ରଣତି ।୨୨୫।

ତୁ ଯେବେ ମୋହୋର ତୁଲେ ହୋଇବୁ ଅଭାବ

ୟେକା ଅରଜୁନ ମୁଂ ତୁ ସହସ୍ରେ ବଳଦେବ ।୨୨୬।

ପ୍ରସନ୍ନେ ପରମ ବନ୍ଧୁ ମୁହିଂ ତ୍ରଇଲୋକ୍ୟ ଭୁବନ ଘୋଟି

ଦୁଷ୍ଟ ନିବାରଣ ମୁଂ କଇଚ୍ଛା ଜଗଜେଠୀ ।୨୨୭।

ଅର୍ଜୁନର ପ୍ରତଗ୍ୟାଂ ଦୁସହ ଦୃଭାର ଦେଖି

ବଜ୍ର ମୂଷଳ ବୁଲାଇଲେ ରାମ ଉପ୍ରୋଧ ଉପେକ୍ଷି ।୨୨୮।

ଲୋହଶର ନାରାଜ ଯେ ଲୋହଶର ଧନୁ

କୋଟିୟେ ବଳ ଧନୁ ଧଇଲେ ଯେ ରୋହିଣୀର ତନୁ ।୨୨୯।

ଶତେକ ନାରାଜ ଯେ ପୂରୋଇ ଅବିଚ୍ଛନ୍ନେ

ପେଷିଲେ କାମପାଳ ଯେ ମହାକୋପ ମନେ ।୨୩୦।

ସମରେ ସମ୍ଭର୍ବେ ଯେ ଦେବ ହଳପାଣି

ଆକ୍ରେଷି ନାରାଜ ଯେ ପେଷିଲେ ପୁଣ ପୁଣି ।୨୩୧।

ୟେକା ଶହସ୍ର ଜ୍ୟୋତି ଆଦିତ୍ୟ ତେଜ ପ୍ରାୟେ

ୟେମନ୍ତେ ଲକ୍ଷେ ନାରାଜ ବିନ୍ଧିଲେ ଦେବରାୟେ ।୨୩୨।

କରେ ଧନୁ ଧରିଲେ ବୀର ଫାଲଗୁନି

ପହୁଡ଼ଇ ବାସବି ଯେ ଶ୍ରୀକରେ ନାରାଜ ଘେନି ।୨୩୩।

ଶହସ୍ରକୁ ଶହସ୍ର ଯେ ଅର୍ଜୁନ ସଂପାଦି

ବଳରାମଂକ ଶହସ୍ରମାନ ପକାଇଲା ଛେଦି ।୨୩୪।

ଯାନ ବାହାନ ଚଢି, ସମସ୍ତ ବୃନ୍ଦାଅର୍କେ

ଆକାଶେ ଥାଇ ସମର ଦେଖନ୍ତି କଉତୁକେ ।୨୩୫।

ନାରଦ ବିଜେ କଲେ ଦଣ୍ଡ ବୀଣା ବାଇ

କଳା କୁତୋହଳ ଦେଖିବା ପେଟ ଯେ ପୂରୋଇ ।୨୩୬।

ଲାଗୁ ଲାଗୁ ସାଂଗ୍ରାମେ ଯେ ହୋଉ ରଣରଙ୍ଗ

ସାଧୁରେ ପାଣ୍ଡବା ଜୀବନ ତୋହୋର ଧନ୍ୟ ଧନ୍ୟ ଅଙ୍ଗ ।୨୩୭।

ଅର୍ଜୁନ ବଳରାମ ଶର ବିନ୍ଧାବିନ୍ଧି

ଓହୋବଳ ଥାଠେ ଅର୍ଜୁନ ମହାଯୋଧି ।୨୩୮।

ଲାଘବ ଶରେ ଯହୁଂ ରାମ ନୁଆରିଲେ ଜିଣି

ଦେବ ଶସ୍ରମାନନ୍ତ ଦେବ ବସାଇଲେ ଆଣି ।୨୩୯।

ତ୍ରଇଲୋକ୍ୟ ଘୋଟଇ ଯେବଣ ନିର୍ଘାତ ବାଣ

କୋପେ ପ୍ରହାର କଲେ ସେ ଦେବ ସଂକ୍ରିଷେଣ ।୨୪୦।

ଜ୍ୱାଳାବଳୀ ବାଣ ଯେ ଧନୁର୍ଜୟେ ବିନ୍ଧି

ରାମର ନିର୍ଘାତ ବାଣ ବେଗେ ପକାଇଲା ଛେଦି ।୨୪୧।

ରାଗେଣ ଅନିର୍ଯ୍ୟାପ ବାଣ ବିନ୍ଧିଲେ ସଂକ୍ରିଷଣ

ଧାତିକରେ ମାଇଲେ ଦେବ ସହସ୍ରେକ ବାଣ ।୨୪୨।

କୋପେଣ ଧନୁର୍ଜୟେ ବିନ୍ଧିଲା ବଜ୍ର ସୂଚି

ରାମର ଶହସ୍ର ବାବୁ ଛେଦିଲେ ସର୍ବସାଚୀ ।୨୪୩।

ସହସ୍ରଧାରା ନାରାଜ ଅମୋହ ଶକତି

ଅର୍ଜୁନ ଉପରକୁ ତାହା ପେଷିଲେ ହଳପତି ।୨୪୪।

ମହା ଅନଳ ଜାଣି ଶକତିର ତେଜ

ଆକାଶ ତେଜି ଅନ୍ତର ହୋଇଲେ ଦେବରାଜ ।୨୪୫।

ଅର୍ଜୁନ ରଖ ବୋଲି ଶୁଭିଲା ଘୋର ବାଣୀ

କାଳାନଳ ଶର ଅର୍ଜୁନ ପେଷିଲାକ ପୁଣି ।୨୪୬।

ଅର୍ଜୁନର ଶର ଯେ ତ୍ରିଭୁବନ ଘୋଟି

ରାମର ଶହସ୍ର ଧାରମାନ ସମସ୍ତ ଛେଦିଲା କିରାଟୀ ।୨୪୭।

ଭୁଜ ବାଣ ବୋଲି କରି ଯେ ଅନାଦି ଦେବ ଶର

ସେ ବାଣ ଶ୍ରୀକରେ ଯେ ଘେନିଲେ ନୀଳାମ୍ବର ।୨୪୮।

ଅପାଲଟକ ଶର ସେ ନ ଜିଣିଲେ ନ ବାହୁଡ଼ଇ

ଯାହାକୁ ପେଷିବ ତାହାକୁ ଅବଶ୍ୟ ନାଶ କରଇ ।୨୪୯।

ଅଷ୍ଟାଙ୍ଗେ ଜିଣି ନୁଆରି ତାହା ନୀଳାମ୍ବର ପେଷଇ

ପ୍ରଳୟ କାଳ ପ୍ରାୟେକ ବାଣ ଆସନ୍ତେଣ ଦିଶଇ ।୨୫୦।

ସେ ଭୁଜବାଣ ଦେଖନ୍ତେ ପଳାଇଲେ ସକଳ ସଇନି

ୟେକା ରଥେ ରହିଲା ପାଥ ସୋହୋଦ୍ରାକୁ ଘେନି ।୨୫୧।

ସମସ୍ତ ଭୁବନ ବ୍ୟାପିଲା ଯେ ଭୁଜବାଣର ତେଜ

ପେଷନ୍ତେ ସକଳ ବ୍ରହ୍ମାଣ୍ଡ କି ହୋଇବ ଦହିଜ ।୨୫୨।

ସେ ଭୁଜବାଣ ତେଜ ଦେଖିଣ ଜଗନ୍ନାଥେ

ନୀଳବାଣ ଦିଲେ ହରି ଅର୍ଜୁନର ହାଥେ ।୨୫୩।

କେହୁଣସି ଶହସ୍ରେ କ୍ଷୟେ ନୋହଇଟି ଭୁଜବାଣ

ୟେ ନୀଳବାଣ ପେଷି ଅର୍ଜୁନ ତୁ ଭୁଜବାଣ କର ସଂଘରଣ ।୨୫୪।

ୟେହା ଶୁଣି ନୀଳବାଣ ପେଷିଲେ ବାସବର ବଳା

ବଳରାମଂକ ଭୁଜବାଣ ସେ ଗର୍ଭେ ସଂହରଣ କଲା ।୨୫୫।

ଆକାଶେ ତ୍ରିଦଶ ଦେବ କଲେ ଜୟେ ଜୟେ

ଆଜହୁଂ ବିଜୟ ନାମ ତୋର ହୋଉ ବୋଇଲେ ସୁରରାୟେ ।୨୫୬।

ପୁଷ୍ୟ ବୃଷ୍ଟି କଲେ ଦେବ ଅର୍ଜୁନର ମାଥ

ତହୁଂ ବିଜୟ ନାମ ପାଇଲା ବୀର ପାଥ ।୨୫୭।

ପଦ୍ମନର ତୁଲେ ଯେ ଦ୍ରିଯୋଧନର ଯୁଦ୍ଧ

ବହୁତ ସାଂଗ୍ରାମେ ସେ ଯେ ହୋଇଲା ରଣ ମଧ୍ୟ ।୨୫୮।

ବହୁତ ସମର ଶାମ୍ବରେ ତୁଲେ କରଇ ଧୁଶାସନ

ଗଦ କୁମର ତୁଲେ ଦୁର୍ଜୟର ସମର ଅନୁକ୍ଷଣ ।୨୫୯।

ଭୀମର ତୁଲେ ଯୁଦ୍ଧ କର୍ଣ୍ଣ ମହାରଥୀ

ସହଦେବର ସଂଗେ ସମର କରଇ ଶକୁନି ମହାମନ୍ତ୍ରୀ ।୨୬୦।

ଦ୍ରୋଣଂକର ତୁଲେ ସମର କରଇ ସାତୁକୀ

ଭୀଷ୍ମଂକର ତୁଲେ ଅକ୍ରୂର ଯୁଦ୍ଧ କରଇ ଡାକି ।୨୬୧।

ସତ୍ୟଭାମାଂକର ନନ୍ଦନ ଚିତ୍ର ବୋଲି ନାମ

ଅଶସ୍ତମାର ତୁଲେ ଯେ ବହୁତ ସାଂଗ୍ରାମ ।୨୬୨।

କାଳିନ୍ଦୀର ନନ୍ଦନ କୁମାର ଜୟନ୍ତେକ

ଭୂରିସର୍ବାଂକର ତୁଲେ ସେ ସମର କରଇ ଅନେକ ।୨୬୩।

ସତ୍ୟାର ନନ୍ଦନ କୁମାର ଶମ୍ଭୁରାଣ

ଶଲ୍ୟଂକର ତୁଲେ ସାଂଗ୍ରାମ ଅପ୍ରମାଣ ।୨୬୪।

ନକୁଳ କୃପ ଯେ ହୋଇଲେକ ଭେଟ

ଅନିର୍ଯ୍ୟାପ ସମର ହୋଇଲା ଓହୋବଳ ଥାଠ ।୨୬୫।

ଗଦାବର ବୁଲାଇଣ ଭୀମସେନ ଗର୍ଜି

କର୍ଣ୍ଣର ରଥ ଧରି ସେ ପକାଇଲା ଭାଞ୍ଜି ।୨୬୬।

ଦ୍ରୋଣଂକର ରଥ ସେ ଧରି କୋପଭରେ

ଧାତିକାରେ ପିଟିଲା ନେଇ ଭୀଷ୍ମଂକ ରଥରେ ।୨୬୭।

ଭାଜିଣ ଚୂର ଯେ ହୋଇଲା ରଥ ବେନି

ରାଗେ ଭୀମସେନ କଚାଡ଼ଇ ଅନେକ ସଇନି ।୨୬୮।

ଯେସନେକ ବଳୟା ଗର୍ଜଇ ଗଜ ଦେଖି

ପ୍ରହାରଇ ମାରୁତି ଯେ ଉପ୍ରୋଧ ଉପେକ୍ଷି ।୨୬୯।

ପଦ୍ମନର ସମର କହିବ କେ ପାରି

ଅନେକ ସନ୍ୟ ସମରେ ମାଇଲା ଶୟମ୍ବର ଅଜରି ।୨୭୦।

ଅନଙ୍ଗ ଶର ବାଣେ ପଡ଼ିଲେ କଉରୋବେ

ରଣରଙ୍ଗ ରସେ ଯେ ବିହଡ଼ନ୍ତି ପାଣ୍ଡବେ ।୨୭୧।

ମହିଷା ନାଶ କାଳେ ଯେହ୍ନେ ବିହଡ଼ନ୍ତି କାତ୍ୟାୟନୀ

ବିହଡ଼ନ୍ତି ପାଣ୍ଡବେ ଯେ ମାରନ୍ତି ସଇନି ।୨୭୨।

ଶ୍ୱେତ ହାଥୀ ୟେକ ଚଢି ଦେବ ଧର୍ମ ଯେ ଯୁଝେଷ୍ଠି

ଶ୍ରୀଜଗନ୍ନାଥଂକର ସନ୍ନିଧ୍ୟେ ଯାଇଂ ତାଂକୁ ଭେଟି ।୨୭୩।

ଯୁଝେଷ୍ଠିଂକି ଦେଖିଣ ସେ ଜଗମୋହନ ଯେ ସ୍ୱାମୀ

ରଥ ତେଜି ଯାଇଣ ଠାକୁରଂକ ସନ୍ନିଧ୍ୟେ ପରିଣାମି ।୨୭୪।

କର ପ୍ରସାରି ଧର୍ମେ କଲ୍ୟାଣ ଯେ ବାଞ୍ଛି

ଆଷ୍ୟ ଆରୋଗ୍ୟ ତୋହାର ଅପାଦ

ଖଣ୍ଡଣ ହୋଉ ହୋ ଶ୍ରୀବଚ୍ଛି ।୨୭୫।

ଯୁଝେଷ୍ଠି ଦେବ ବୋଇଲେ ତୁ ଜଗତମୋହନ

ବାବୁ ୟେଡ଼େକ ଅନୀତି କିମ୍ପେ କଲାକ ଅର୍ଜୁନ ।୨୭୬।

ବିଚାରକୁ ଯୋଗାଇଲେ ଦେଇ ନା କୁମାରୀ

ଅବିଚାରେ ପାଥ କିମ୍ପା ବଳାତ୍କାର କରି ହରି ।୨୭୭।

ବାବୁ ତୋହୋର ଥାଉଂ କିମ୍ପେ ୟେଡ଼େକ ପରମାଦ

ତୁମ୍ଭର ତୁଲେ କିମ୍ପା ଆମ୍ଭର ୟେଡ଼େ ଦ୍ୱନ୍ଦ ।୨୭୮।

ଦେଖୁଂ ଦେଖୁଂ ପଡ଼ିଲେନି ଅନେକ ସଇନି

ଆଜ ୟେଥୁଂ କାହୁ ଯିବେକି ଦେହ ଘେନି ।୨୭୯।

ହରି ଚଉବିଂଶ ଯୋଜନ ୟେ ରଇବ୍ରତ ପର୍ବତ

ରକତ ମାଂୟେସ କର୍ଦ୍ଦମ ହୋଇଲାନି ଅପ୍ରମିତ ।୨୮୦।

ଧୃତିରାଷ୍ଟ ପୋୟେ ନ ପୁଣ ହୋଅନ୍ତି ପ୍ରାଣତ୍ୟାଗ

ଅର୍ଜୁନକୁ ସମାଧାନ କି ରୂପେ କରିବା ଦେବରାଜ ।୨୮୧।

ଗୋବିନ୍ଦ ବୋଇଲେ ଅର୍ଜୁନ ବଳରାମଂକ ଶରଘାୟେ

ରାତ୍ର ଦିଶୁଅଛି କିବା ଦିବସ ପରାୟେ ।୨୮୨।

କେ କାହାର ସୋଦର ଯେ କେ କାହାର ପ୍ରୀତି

ବାଣ ଜାଳାବଳୀ ଯାଇତ ନୋହେ କତି ।୨୮୩।

ସ୍ୱାମୀ ୟେହେନକ ସମର କରୁଛି ତୋହୋର ଭାଇ

ରୋମେକେ ଶତେ ନାରାଜ ବିନ୍ଧଇ ବଳରାମକଇ ।୨୮୪।

ୟେହେନେକ ଦେବ କରୁଛି ସମର

ୟେକ ଛିଦ୍ର ପାଇଲେ ମାରିବେ ନୀଳାମ୍ବର ।୨୮୫।

ଅର୍ଜୁନ କତିକି ଯିବା କେଉଣ ବାଗେ

ବ୍ରହ୍ମା ରୁଦ୍ର ଇନ୍ଦ୍ର କେ ମିଳିବ ତାର ଆଗେ ।୨୮୬।

ଯେବଣ ଶସ୍ରମାନ ସେ ବିନ୍ଧୁଛି ସର୍ବସାଚୀ

ମୋତେ ୟେ ଅଗୋଚର ବୋଲି ବୋଲନ୍ତି ଶ୍ରୀବଚ୍ଛି ।୨୮୭।

ଅର୍ଜୁନ କତିକି କେଉଣ ବାଗେ ଯିବା

ଶସ୍ରଂକର ତେଜେ ପଡ଼ିଲେ ଦେବ ଦହିଜ ହୋଇବା ।୨୮୮।

ଶାମ୍ବ କୁମାର ଯେ କରୁଛନ୍ତି ସମର

ନାରାଜ ବସିଲା ଯାଇଂ ଦ୍ରୋଣଂକ ହୃଦୟର ।୨୮୯।

ପିଠି କତିକି ନାରାଜ ଅଛଇ ନିକିଳି

ଆରେକ ବାଣ ଯେ ଛଇଛାଡ଼େ ଗଲା ଗଳି ।୨୯୦।

ଦ୍ରୋଣ ଅସାଷ୍ଟମେ ଯେ ପଡିଲେ ମୋହ ଯାଇଂ

ଅଶସ୍ତମା ବେଗେ ପିତାଂକୁ ଆବୋରିଲେ ଯାଇଂ ।୨୯୧।

ପିତାଂକୁ କୋଳ କରି ଧଇଲେ ଗୁରୁପୁତ୍ର

ଗଦ କୁମର ଗଦା ନେଇ ପିଟିଲା ଅଦ୍ଭୁତ ।୨୯୨।

ଶତେ ଭାର ଗୁରୁ ଯେ ଗଦା ଭାରା ପାଇ

ଦ୍ରୋଣଂକୁ କୋଳ କରି ଅଶସ୍ତମା ପଡ଼ିଲେ ନିବୁଜାଇ ।୨୯୩।

ରଥ ଚଢି ଦ୍ରୋଣଂକୁ ଆବୋରିଲେ ଶଲ୍ୟେ

ଗଦ କୁମାରଂକୁ ପୁଣି ଆବୋରିଲେ ମହାମଲ୍ଲେ ।୨୯୪।

ଧାମନ୍ତି ଶଲ୍ୟେ ଯେ ବୋଲିଣ ଆରେ ଆରେ

ବଜ୍ର ମୁଦୁଗର ପିଟିଲେ ଦେଇ ଗଦ କୁମର ଉପରେ ।୨୯୫।

ଦେଖିଣ ଗଦ କୁମରେ ତାହା ବାମ ଭୁଜେ ଧରି

ଶଲ୍ୟ ମହାରଥୀ ହାତରୁ ଗଦା ଘେନିଲେ ଉଛିଡ଼ି ।୨୯୬।

ସେହି ଗଦା ଘେନିଣ ଯେ ନେଉଟାଇ ପିଟି

ଦ୍ରୋଣଂକ ସଙ୍ଗରେ ଶଲ୍ୟ ପଡିଲେ ମହୀ ଲୋଟି ।୨୯୭।

ଦ୍ରୋଣ ଗୁରୁ ଅଶସ୍ତମା ଆବର ବୀରବର ଶଲ୍ୟ

ଘୁମାଇଂ ଅଚେତ ପଡ଼ିଲେ ତହିଂ ଭରୋଇ କୁଳ ମଲ୍ଲ ।୨୯୮।

ଭୀମସେନ ଗଦା ପ୍ରହାର କଲାକ କର୍ଣ୍ଣକୁ

ଗଦା ପଡ଼ି ତାହାର ଯେ ଭାଞ୍ଜିଲାକ ବୁକୁ ।୨୯୯।

ରଥ ସହିତେ ସମସ୍ତ ହୋଇଲା ମସୀଗୁଣ୍ଡା

ଧାମଇଂ ମାରୁତି ଯେ ତହିଂ ହୋଇଣ ପରଚଣ୍ଡା ।୩୦୦।

ଧାମଇଂ ବ୍ରିକୋଦର ହାଣିମ କର୍ଣ୍ଣକୁ

ସହଦେବ କୋଳ କରି ଧଇଲା ଭୀମକୁ ।୩୦୧।

ନୋହଇ ନୋହଇ ସ୍ୱାମୀ ୟେ କଉତୁକ ଯୁଦ୍ଧ

ସୋଦର ନାଶ କିମ୍ପା କରିବା ରଣ ମଧ୍ୟ ।୩୦୨।

ସହଦେବ ବଚନେ ଛାଡ଼ିଲା କର୍ଣ୍ଣକୁ

ରାଗେଣ ଗୋଡାଇଲା ପୁଣି ସେ ଯୋଦ୍ଧାମାନଙ୍କୁ ।୩୦୩।

ରଥେ ରଥ କଚାଡ଼ଇ ଭୀମସେନ ତୋଳି

ଅନେକ ରଥ ସଇନି ପିଟି କଲା ଧୂଳି ।୩୦୪।

ଶାମ୍ବ କୁମାର ଗଦ କୁମାର ବଳୀୟାର ପଦ୍ମନ

ୟେ ଚାରି କୁମାରେ ଯାଇଂ ଭେଟିଲେ ରାଜା ଦ୍ରିଯୋଧନ ।୩୦୫।

ଯେବଣ ସ୍ଥାନେ ଅଛି କଉରୋବରାଜ ଦେବ

ପଞ୍ଚାଶ କୋଟି ରଥ ଆବର ଗଜ ପାଞ୍ଚ ଖର୍ବ ।୩୦୬।

ୟେତେକ ଯୋଦ୍ଧା ରାଜାଂକୁ ଅଛନ୍ତି ଆବୋରି

ମୁକୁଟ ବନ୍ଧା ଯୋଦ୍ଧାୟେ ଅଛନ୍ତି ଲକ୍ଷ ଚାରି ।୩୦୭।

ଯେବଣେ ସ୍ଥାନେ ବିଜୟେ ଧୃତିରାଷ୍ଟ ସୁତ

ଅଶ୍ୱ ପାଦାନ୍ତି ବଳ ତହିଂ ପଞ୍ଚାଶ କୋଟି ମର୍ଭୁତ ।୩୦୮।

ଭଣ୍ଡାରକର ଧନ ମୂଳ ୟେକା କ୍ଷତ୍ରୀ ଗୋଟିକର

ୟେ ବିଧିରେ ଲକ୍ଷେ ଛତ୍ର ଧରା ଯୋଦ୍ଧା ଅଛନ୍ତି ଦ୍ରିଯୋଧନ ଛାମୁର ।୩୦୯।

ଆମ୍ଭର ଥାଠ ଦେଖି ଧାଇଂଲେ ଚାରି ବୀରେ

ସାଂଗ୍ରାମେ କଲେ ଯାଇଂ ଅତି ରୋଷଭରେ ।୩୧୦।

ବିଷ୍ଣୁଂକର ନନ୍ଦନ ସେ ସାଂଗ୍ରାମେ ନିର୍ଭୟା

ଯୁବା କୁମରମାନେ ସେ ଅଟନ୍ତି ନିର୍ଦ୍ଦୟା ।୩୧୧।

ପଶିଲେ ରଣରଙ୍ଗେ ଯେ ମନ୍ଥନ କଲେ ଥାଠ

ବେଢିଲେ କଉରୋବବଳ ଯାଇତେ ନାହିଂ ବାଟ ।୩୧୨।

ଗହଳ ଥାଠ ଦେଖି ସେ ବିହଡ଼ନ୍ତି କୁମାରେ

ନାରାଜେ ପଡି ଚୂର ହେଉଛନ୍ତି ତାହାଂକ ଉପରେ ।୩୧୩।

ଗୋଳ ଯୁଦ୍ଧ କଲେ ଥାଠ ଯଏ ପଡ଼ିଲା ହାଲହୋଳି

ଗଜଂକର ହାବୁଡ଼ା ଘାତେ ରଥ ହେଲେ ଧୂଳି ।୩୧୪।

ସମରେ ଗୋଳ ଧନ୍ଦୋଳ ଯେ ହୋଇଲା ମହାରୋଜ

ପଳାବନ୍ତି ସଇନି ଯେ ହୋଇଣ ଅସମ୍ଭାଳ ।୩୧୫।

ଗୋଳ ଦେଖି ଧାଇଂଲେ କୋପେଣ ପାବେନି

ଯମ ବିଜେ କଲେ କି କାଳଦଣ୍ଡ ଘେନି ।୩୧୬।

ମହାବାତେ ଯେସନେକେ ପଡ଼ଇ ବୃକ୍ଷମାଳା

କେଶରୀ ଦର୍ପ ପ୍ରାୟେ ହୋଇଛନ୍ତି ବୀରବଳା ।୩୧୭।

ଧୂଂଆନ୍ତି ଗଜ ଯୂଥ ମଥାରେ ଅଂକୁଶନ୍ତି ଖୁନ୍ଦି

ଥୋରହସ୍ତ ଧରି କଚାଡ଼ଇ ଅଚାର୍ଗଳ ଭୀମ ମହାଯୋଧି ।୩୧୮।

ଗଦ କୁମର ମହିଂମା ନ ଯାଇ ଗୋଚର

ଗଦାବର ବିଘାତେ ସମସ୍ତେ ହେଉଛନ୍ତି ଚୂର ।୩୧୯।

ଶାମ୍ବ ଗଦ ପଦ୍ମନ ୟେ ତିନି କୁମାରନ୍ତ

ୟେହାଂକ ରୂପ ଦେଖି ଯୋଧାମାନେ ହୋଇଲେ ଶଂକିତ ।୩୨୦।

ଅନେକ ରତ୍ନ ଅଳଂକାର ଆଭରଣ କାୟେ

ସବୁ କୁମାରେ ଦିଶନ୍ତି ବିଷ୍ଣୁ ତେଜ ପ୍ରାୟେ ।୩୨୧।

ଆପଣେ ବିଷ୍ଣୁ କଳା ଦେଇଛନ୍ତି ଦେବରାଜ

ସାଂଗ୍ରାମେ ସବୁ କୁମାରେ ଦିଶନ୍ତି ଚତୁର୍ଭୁଜ ।୩୨୨।

ଥାଠ ଭଗ୍ନ ଦେଖିଣ ଆପଣେ କୁରୁପତି

କୋପେଣ ଚଳାଇଲା ରାଜା ମୟେମତ୍ତ ହାଥୀ ।୩୨୩।

ଶାମ୍ବ ଗଦ ପଦ୍ମନ ୟେ କୁମାର ତିନି

ଥାଠ ଭଗ୍ନ କଲେ ସେ ସଙ୍ଗେଣ ପାବେନି ।୩୨୪।

ରଣ ଭଗ୍ନ ହୋଇ ଯହୁଂ ପଳାଇଲେ କଉରୋବେ

ରହି ସମର କରଇ ଦ୍ରିଯୋଧନ ରାଜଦେବେ ।୩୨୫।

ଗଦା ବୁଲାଇଣ ସେ ଯେ ଗଦ କୁମର

ଧାଇଂଣ ପିଟିଲା ଦ୍ରିଯୋଧନର ଗଜ ଉପର ।୩୨୬।

ହାଥୀର କୁମ୍ଭ ସ୍ଥଳ ଯେ ଭାଜିଲା ଗଦାବର ବିଘାତେ

ପଡ଼ିଲା ମୟେମତ୍ତ ଗଜ ଯେ ଗର୍ଜିଣ ଭୂମିଗତେ ।୩୨୭।

ବାହାନ ପଡ଼ନ୍ତେ ରାଜା ହୋଇଲା ପାଦଗତି

ପୁଣି ସତୁରି ଭାର ଗଦା ଘେନିଣ ଆରମ୍ଭ କୁରୁପତି ।୩୨୮।

ପଛେଣ ଧାଇଂଲା ପୁଣି ଗଦ ଯେ କୁମାର

ଗଦା ବୁଲାଇ ଉପରେ କଲାକ ପ୍ରହାର ।୩୨୯।

ପର୍ବତ ପ୍ରାୟେ କରି ବୁଲାଇ ବୀର ପିଟି

ନିଚେଷ୍ଟ ମାନଗୋବିନ୍ଦ ପଡ଼ିଲା ଭୂମିରେଣ ଲୋଟି ।୩୩୦।

ଶ୍ରୀ ଜଗନ୍ନାଥଂକ ନନ୍ଦନ କୋପେଣ କାଳାନଳ

ତକ୍ଷଣେ ଧଇଲା ଯାଇଂ ଦ୍ରିଯୋଧନର ବାଳ ।୩୩୧।

ବାବୁ ଛାଡ଼ ଛାଡ଼ କେଶ ବୋଇଲେ ପଦ୍ମନ

ଗଦ କୁମର ବୋଇଲା ସ୍ୱାମୀ ୟେହାରେ ସମସ୍ତ ଦ୍ୱନ୍ଦମାନ ।୩୩୨।

ଆଗ୍ୟାଂ ଦିଅ ଖଡ଼ଗେ ୟେହାର ପକାଇବି ମୁଣ୍ଡ କାଟି

ୟେକା ୟେହାର ନାଶ ଗଲେ ସରଇ ଅରଷ୍ଚି ।୩୩୩।

ପଦ୍ମନ ବୋଇଲା ୟେହାକୁ ନ କର ବଇରାଗ

ଧରିଦେବା ନେଇ ଅର୍ଜୁନ ଠାକୁରଂକ ଆଗ ।୩୩୪।

ବଳରାମଂକ ଆଗେ କହିଲେ ଅନାଧୃଷ୍ଚ

ସ୍ୱାମୀ ଦ୍ରିଯୋଧନ ରାଜାର ତେଣେ ହେଉଛି ଶିରକାଟ ।୩୩୫।

କୁମାରମାନେ ଯେ ଦ୍ରିଯୋଧନକୁ ନେଲେ କେଶ ଧରି

ତାହାଂକୁ ଲୋଡ଼ନ୍ତି ଯେ ପ୍ରାଣେ ନାଶ କରି ।୩୩୬।

ଶୁଣିଣ ବିରସ ଦେବ ରେବତୀ ରମଣ

ଅର୍ଜୁନ ତୁଲେ ସାଂଗ୍ରାମ କରନ୍ତି ସଂକ୍ରିଷେଣ ।୩୩୭।

ଅଷ୍ଟାଙ୍ଗେ ଜିଣି ଯହୁଂ ନୁଆରିଲେ କାମପାଳ

ରାଗେଣ ଘେନିଲେ ଦେବ ସଉନନ୍ଦ ମୂଷଳ ।୩୩୮।

ମହା ଯୋଗବଳେ ବିକାଶିଲେ ଘୋର ରୂପ

ତ୍ରଇଲୋକ୍ୟ କମ୍ପିଲା ଯେ ବଳରାମଂକ କୋପ ।୩୩୯।

ବଳରାମଂକ ଭୀଷ୍ମ ରୂପ ଦେଖିଣ ଅର୍ଜୁନ ମହାକୋପେ

ନାରାୟଣୀ ଶହସ୍ର ଅର୍ଜୁନ ଯୋଚିଲା ଗରୁତାପେ ।୩୪୦।

ନାରାୟଣୀ ଶସ୍ର ଅର୍ଜୁନ ପୂରୋଇଛି ଧନୁର

ବଇଷ୍ଣବୀ ଚକ୍ରକୁ ପାଥ ଧରିଅଛି ଦକ୍ଷିଣ କର ।୩୪୧।

ବାମ କରେ ଧରିଅଛି କଉମୁଦୀ ଗଦା ତେଜ

ବଳରାମେ ଦେଖିଲେ ଅର୍ଜୁନ ଚତୁର୍ଭୁଜ ।୩୪୨।

ୟେମନ୍ତ ସମୟେ ଦ୍ରିଯୋଧନର କେଶ ଧରି

ଅର୍ଜୁନ ଛାମୁକୁ ଧରି ଆଣି ଦିଲେ ଶଅମ୍ବର ଅଇରି ।୩୪୩।

ଦ୍ରିଯୋଧନ କେଶ ଧରି ଗଦକୁମର ବାମ ପାଣି

ଦକ୍ଷିଣ କରେ ଖଡ଼ଗ ବୁଲାଉଛି କୃତାନ୍ତେକ ଜାଣି ।୩୪୪।

ବୋଲନ୍ତି କୁମାରେ ଆଗ୍ୟାଂ ଦିଅସି କିରୀଟୀ

ପାମର ଦ୍ରିଯୋଧନ ଶିର ପକାଇବୁଂ କାଟି ।୩୪୫।

ଦ୍ରିଯୋଧନର ଶାସ୍ତି ଦେଖିଣ ଧର୍ମରାଜ ଯୁଝେଷ୍ଠି

ସୋଦର ନାଶ ଯାଉଅଛି ବୋଲି ସେ ହୋଇଲେ ମହାକଷ୍ଟି ।୩୪୬।

ହାଥୀ ତେଜ୍ୟା କରି ଦ୍ରିଯୋଧନକୁ କଲେ କୋଳେ

ରହ ରହ ଗଦ ବୋଲି ଆଗେ ଓଗାଳିଲେ ବଳେ ।୩୪୭।

ପ୍ରଦ୍ୟୁମ୍ନର ମୁଖ ଚାହିଂ ସେ ବଦନ୍ତି ଯୁଝେଷ୍ଠି

ମୋହୋର ପ୍ରାଣର ବଲ୍ଲଭ ୟେ ସୋଦର ଭାଇ ଗୋଟି ।୩୪୮।

ଅର୍ଜୁନର ମୁଖ ଚାହିଂ ବୋଲନ୍ତି ରତିପତି

ୟେ ମହାତ୍ମା କିୟେ ସ୍ୱାମୀ କିମ୍ପେ ୟେହାକୁ ଆବୋରନ୍ତି ।୩୪୯।

ଜଗନ୍ନାଥେ ବୋଲନ୍ତି ୟେ ଅଟନ୍ତି ଧର୍ମରାୟେ

ୟେହାଂକର କନିଷ୍ଠ ସେ ଯେ ଅଟନ୍ତି ବୀର ଧନୁର୍ଜୟେ ।୩୫୦।

ପ୍ରଦ୍ୟୁମ୍ନ ଶାମ୍ବ ଗଦକୁମାର ତିନି ଭ୍ରାଥେ

ପ୍ରଣପତ୍ୟ କରନ୍ତି ଧର୍ମରାଜାଂକ ପାଦଗତେ ।୩୫୧।

ଧର୍ମରାୟେ ବୋଲନ୍ତି କୁମାରଂକ ହାଥ ଧରି

ଦ୍ରିଯୋଧନ ରାଜାଂକୁ ଦିଲେ କେଶ ବନ୍ଧକୁ ପାରିକରି ।୩୫୨।

ୟେମନ୍ତର ସମୟେ ସେ ଦେବ ଚକ୍ରଧର

ଆପଣାର ତେଜ ଦିଲେ ଅର୍ଜୁନ ଶରୀର ।୩୫୩।

ବଳରାମେ ଦେଖିଲେ ଯେ ଅର୍ଜୁନର ଜ୍ୟୋତି କାନ୍ତି

ପ୍ରତକ୍ଷେ ଦିଶୁଅଛି ସେ ଜଗନ୍ନାଥଂକର ମୂରତି ।୩୫୪।

ମାୟାଧର ମାୟା ସେ ଯେ କଲେକ ହୃଷୀକେଶି

ନରସିଂଘ ମୂର୍ତ୍ତି ଜାଣି ପ୍ରତକ୍ଷେ ପାର୍ଥ ଦିଶି ।୩୫୫।

ଦେଖିଣ ଆଶ୍ରିଯ ସେ ହୋଇଲେ ବଳଦେବ

କରେ ଶହସ୍ର ଧରି ନୁଆରିଲେ ପ୍ରାଭବ ।୩୫୬।

ଯହୁଂ ସେ ଦେଖିଲେ ଅର୍ଜୁନର ଭୀଷ୍ମ ମୂର୍ତ୍ତି

କୋପ ସଂହରି ଦେବ ହୋଇଲେ ଶାନ୍ତି ମୂର୍ତ୍ତି ।୩୫୭।

ପରମ ସାନନ୍ଦ ସ୍ୱାମୀ ଦେବ କାମପାଳ

ଦ୍ରହସିତ ବଦନେ ସ୍ୱାମୀ ହୋଇଲେ ମତ୍ତଭୋଳ ।୩୫୮।

ତୁହି ସେ ଅର୍ଜୁନ ହୋ ପାଣ୍ଡବ ଧନୁର୍ଜୟେ

ତୁହି ସେ ପାର୍ଥିବ ହୋ ସାଧୁ ତୋର କାୟେ ।୩୫୯।

ତୁ ସେ ଭାରାଭାର ନିବାରନ୍ତା ଫାଲଗୁନି

ମିଛେହେଂ ଦ୍ୱନ୍ଦ ଆରୋପିଲି ତୋତେ ମୁଂ ନ ଚିହ୍ନି ।୩୬୦।

ପ୍ରତକ୍ଷେ ଦେଖିଲି ମୁଂ ତୋହୋର ମହିଂମା

ୟେକା ଶରୀର ତୋହୋର ପ୍ରତକ୍ଷେ ଦେଖିଲି ରୁଦ୍ର ବ୍ରହ୍ମା ।୩୬୧।

ଅନେକ ସାନନ୍ଦେ ବିନୋପନ୍ତି ବଳଭଦ୍ରେ

ବହୁତ ପୁରସରି କହନ୍ତି ସାନନ୍ଦେ ।୩୬୨।

ଅର୍ଜୁନରେ ପ୍ରୀତି ସେ ବଳାଇଲେ ପ୍ରିୟଭାବ

ରଣରେ ଦେଖିଲି ତୋତେ ପ୍ରତକ୍ଷେ ବାସୁଦେବ ।୩୬୩।

ଯେ ସେ ହରି ସେ ପ୍ରତକ୍ଷେ ଅରଜୁନ

ଆନ କେ ତୁମ୍ଭନ୍ତ କରିବାକ ଭିନ୍ନାଭିନ୍ନ ।୩୬୪।

ବଳରାମେ ଯହୁଂ କହିଲେ ପୁରସରି

ଶାନ୍ତି ହୋଇ ଅର୍ଜୁନ ରଥରୁ ଅବତାରି ।୩୬୫।

ବଳରାମଂକ ପାଦେ ଶତେ ସହସ୍ର ଦଣ୍ଡ ପରିଣାମି

ଅଲଂଘିତ ଦୋଷ ମୋର କ୍ଷମା କରିବାକ ଦେବ ସ୍ୱାମୀ ।୩୬୬।

ଅମୃତ ଦୃଷ୍ଟିରେ ସେ ଚାହିଂଲେ ବଳରାମ

ନିଚେଷ୍ଟ ବଳ ଶାନ୍ତି ସେ ହୋଇଲେ ସାଷ୍ଟାମ ।୩୬୭।

ଅନେକ ଅଭିମାନେ କୁରୁବଇ ରାୟେ

ଭଗ୍ନବଳ ଘେନି ସେ ବାହୁଡ଼ିଣ ଆୟେ ।୩୬୮।

ବିନୟ ଭାବ ହୋଇ ସେ ପାଣ୍ଡବ ସୁନ୍ଦର

ଅନେକ ତୁସ୍ତି କରଇ ସେ ସ୍ୱାମୀ ନୀଳାମ୍ବର ।୩୬୯।

ନମୋ ମନସ୍ତେ ରେବତୀ ରମଣ କାମପାଳ

ନମସ୍ତେ ବିକଟାଳ ଭୁଜଙ୍ଗ ମଉଳି ଧବଳ ।୩୭୦।

ନମସ୍ତେ ରୁଚିର ଧବଳ ଶରୀର ନୀଳାମ୍ବର

ନମସ୍ତେ ଅନନ୍ତ ରୂପ ଦେବ ହଳଧର ।୩୭୧।

ନମସ୍ତେ କାମପାଳ ଉଡ଼ଙ୍ଗ ମଉଳି

ନମସ୍ତେ ସପତ ଶାଖା ଷୋହଳ ନୟନ କୁଣ୍ଡଳୀ ।୩୭୨।

ନମସ୍ତେ ସୁଢଳା ଶରୀର ଧବଳା

ନମସ୍ତେ କାଦମ୍ବରୀ ପାନେ ମତ୍ତଭୋଳା ।୩୭୩।

ନମସ୍ତେ ନୀଳଗିରି ରୁଚିର ଦେବତା

ନମସ୍ତେ ଅନୁଗ୍ରହ ନାଥ ଅଭୟେ ବରଦାତା ।୩୭୪।

ନମସ୍ତେ କାମପାଳ ସ୍ୱାମୀ ଶିରେ ସପ୍ତଫେଣୀ

ନମସ୍ତେ ବଜ୍ରାଙ୍ଗ ନମସ୍ତେ ନମସ୍ତେ ହଳପାଣି ।୩୭୫।

ନମସ୍ତେ ରୋହିଣୀ ନନ୍ଦନ ପ୍ରଳମ୍ବା ଦର୍ପଗଞ୍ଜା

ନମସ୍ତେ ବଜ୍ର ଲାଙ୍ଗଳୀ ଦାରୁଣ ଦୁଖ ଭଞ୍ଜା ।୩୭୬।

ନମସ୍ତେ କାମପାଳ ଯୁଗାନ୍ତେକ କାଳ ବଞ୍ଛା

ନମସ୍ତେ ବଳଦେବ ଅଭୟେ ବର ସଞ୍ଚା ।୩୭୭।

ନମସ୍ତେ ଧବଳାଙ୍ଗ ସଉନନ୍ଦ ମୂଷଳା

ନମସ୍ତେ ଯମଦର୍ପ ଭଞ୍ଜନ ମତିଭୋଳା ।୩୭୮।

ନମସ୍ତେ ଅବୋଧ ବୋଧନ ତୁହି ଦେବ ବଳରାମ

ମନସ୍ତେ କଉତୁକ ପୁରୁଷ ତୁହି ସର୍ବ କାମ ।୩୭୯।

ନମସ୍ତେ ନମସ୍ତେ ଦେବ ତୁ ଦେବ ପ୍ରାଣପତି

ନମସ୍ତେ ଯୋଗଧାରଣ ଅନାଦି ସିଦ୍ଧମୂର୍ତ୍ତି ।୩୮୦।

ନମସ୍ତେ ସଦାନନ୍ଦ ଦୁଷୁକୃତ ହରନ୍ତା

ନମସ୍ତେ ଅଖିଳ ଜଗତ ରୂପ ଆଦି ନାଥା ।୩୮୧।

ନମସ୍ତେ ଆଦିସିଦ୍ଧ ଅନାଦି ପରମଯୋଗୀ

ନମସ୍ତେ ନିରାକାର ଯୁଗାନ୍ତେକ ଆଦି ଭୋଗୀ ।୩୮୨।

ସ୍ୱାମୀ ଚାରି ଯୁଗ ଯାହାର ନିମିଷେକ କହି

ଅଣାକାର ପୁରୁଷ ତୋତେ ନ ଚିହ୍ନନ୍ତି କେହି ।୩୮୩।

ଶ୍ରୀବଳରାମ ସ୍ତୋତ୍ର ମମ ହୃଦଗତେ

ସୁର ନର ଯୋଗୀଗଣେ ଭାବନ୍ତି ଅନୁବ୍ରତେ ।୩୮୪।

କୁଞ୍ଚିତ ସୁଦୟା ମୋତେ କୃପାଜଳ ନନ୍ଦିନୀ

ତେଣୁ କରି ହୃଦୟରେ ଭାବଇ ସାରୋଳା ଦାସ ମୁନି ।୩୮୫।

ଶୁଣ ହୋ ସୁଗ୍ୟଂ ଜନେ ୟେ ଟି ଶ୍ରୀମହାଭାରଥ

ମଧ୍ୟପର୍ବ ଯାହା ଲେଖନ ସିଦ୍ଧଶ୍ରୀୟା ଗ୍ରନ୍ଥ ।୩୮୬।

ସିଦ୍ଧ କାନ୍ତାୟେନୀ ଗୋ ସାରୋଳା ଚଣ୍ଡୀ ମୂର୍ତ୍ତି

ସିଦ୍ଧ ସାରଦା ସେ ନର୍ମଦା ସରସ୍ୱତୀ ।୩୮୭।

ପିତାମହର ଶାପେ ସେ ସାରୋଳା ଚଣ୍ଡୀ ମୂର୍ତ୍ତି

ଆତ୍ମା ତୋଷିଲୁ ସେ ଯେ ଶୋଣିତେ ତ୍ରିପୁତି ।୩୮୮।

ସେବକ ନିଷ୍ଫଳ ନୋହି ଯାହାର ଦରଶନେ

ଅନୁବରତେ ବର ଯାଚି ଦିଅଇ ତୋଷ ମନେ ।୩୮୯।

କିଞ୍ଚିତ ଭଗତେ ଅଭୟେ ବରଦାତ୍ରୀ

ପ୍ରସନ୍ନେ ସାଧବୀ ଅଭୟେ କାଳରାତ୍ରୀ ।୩୯୦।

ଶ୍ରୀଚଣ୍ଡୀ ସାରୋଳା ପଦ୍ମପାଦେ ପରିଣାମ

ବୁଧ ଜନ ରଂଜନ ଭାବେ ସାରୋଳା ଦାସ ମୋର ନାମ ।୩୯୧।

ୟେ ଟି ଶ୍ରୀମହାଭାରଥ ଅମିୟ ରସ କଥା

ଇହଲୋକ ଗତି ପରଲୋକ ମୁକତି ଦାତା ।୩୯୨।

ଅମର ସରସ୍ୱତୀ ନନ୍ଦିନୀ ଚରଣେ ଅନୁବ୍ରତେ

ବିନେୟୀ ଭଗତି ମାଗଇ ସାରୋଳା ଦାସ ଭାରଥ ଗୀତେ ।୩୯୩। ୧୩୯୩।

 

Unknown

ସୁଭଦ୍ରା ପରିଣୟ

ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ତୁ ଯେ ପୁଚ୍ଛାକଲୁ ଯୁଧ ରୋହିଣୀର ତନୁ ।୧।

ଅନେକ ସାଂଗ୍ରାମ ହୋଇଲା ସୋହୋଦ୍ରାର ନିମନ୍ତେ

ସମସ୍ତ ଜିଣିଲା ପାଥ ବିଜୟେ ୟେକ ରଥେ ।୨।

ଅଭିମାନେ ପଳାଇଲେ କଉରୋବେ ସଇନି

ବଳରାମେ ବିଜେ କଲେ ଦ୍ୱାରିକାୟେ ଅର୍ଜୁନକୁ ଘେନି ।୩।

ପୁରେ ଉଚ୍ଛବ ସେ ଯେ କଲେ ଜନାର୍ଦ୍ଦନ

ପ୍ରୋହିତେ ଘେନି ବିଚାର କରନ୍ତି ବିଭାର ବିଧାନ ।୪।

ଅର୍ଜୁନକୁ ଘେନି ବିଜୟେ ଧର୍ମ ଯୁଝେଷ୍ଠି ଠାକୁର

ବିଜୟେ ରାଜେଶ୍ୱର ରଇବ୍ରତ ପର୍ବତର ।୫।

ବିଦୁରେ ହକାରି ବୋଲନ୍ତି ଧର୍ମସୁତେ

ଦ୍ରିଯୋଧନକୁ ବାହୁଡ଼ାଇ ଆଣ ତାତ ୟେଥେ ।୬।

ସମଦଣ୍ଡ ଘେନି ରାଜା ବିଜୟେ କରୁ ଆସି

ସୋହଦ୍ରା ଅର୍ଜୁନକୁ ବିଭା କରାଉ ଆପଣେ ବସି ।୭।

ୟେହା ଶୁଣିଣ ବିଦୁରେ ଚଳିଲେ ବେଗ ହୋଇ

ମାନଭଙ୍ଗ ପର୍ବତେ ମାନଗୋବିନ୍ଦ ଅଛି ରହି ।୮।

ପବନହୁଂ ବେଗେ ଯାଇଂ ବିଦୁରେ ମାନଗୋବିନ୍ଦଂକୁ ଭେଟି

ବାବୁ ମୋତେ ରାଇ ପଠିଆଇଲେ ଧର୍ମ ଯେ ଯୁଝେଷ୍ଠି ।୯।

ସମଦଣ୍ଡ ଘେନି ଚଳ ମାନଚକ୍ରବତୀ

ସୋଦର ଛାଡ଼ିବାର ବାବୁ ନୋହୋଇ ଯୁଗତି ।୧୦।

ଅଗ୍ୟାନେ ସମର ଅବା ହୋଇଲା ଅନମିତେ

ବାଟେ ଆସୁ ଆସୁ ଆମ୍ଭେ କହିଲୁ ନାହିଂକି ତୋତେ ।୧୧।

ଶକୁନି,କର୍ଣ୍ଣ,ଧୁଶାସନ ସର୍ବ ଯୋଧୀ

ଆମ୍ଭର ବଚନେ ଉପହାସ କରି ନିନ୍ଦି ।୧୨।

ତାହା ଶୁଣି ବଚନ ବୋଇଲା ମହାରାଜା

କେମନ୍ତେ ଯିବଇଂ ମୁହିଂ ପାଇଲାଇଂ ବଡ଼ ଲଜ୍ଜା ।୧୩।

ବିଦୁର ସଂଜୟ ଭୂରିସର୍ବା ଗାଙ୍ଗେବ

ଦ୍ରୋଣେ କୃପେ ବୋଇଲେ କଥାର ପ୍ରସ୍ତାବ ।୧୪।

ଆନର ହାଥେ ତ ନୋହିଲୁ ଆମ୍ଭେ ଧଂସି

ସୋଦରେ ସୋଦରେ ଆମ୍ଭେ ହୋଇଲୁ ବଇରୋଷି ।୧୫।

ୟେବେ ଆମ୍ଭର ଉଚ୍ଛବ କିମ୍ପାଇଂ ନ ଯିବା

ଚାଲ ୟେବେ ଅର୍ଜୁନକୁ ବିଭା କରାଇବା ।୧୬।

ଅର୍ଜୁନକୁ ସାଂଗ୍ରାମେ ଯେବେ ଜିଣନ୍ତେ ଦେବରାଜ

ତେବେ ସେ ଆମ୍ଭର କୁଳକୁ ହୁଅନ୍ତା ବଡ଼ ଲାଜ ।୧୭।

ଆପଣାର ବଂଶ ଯେବେ ଉଦିତ ହୋଇବ

କୁଳର ନାୟକ ଯେ ଅବଶ୍ୟ ହୋଇବ ।୧୮।

ବାବୁ ଅର୍ଜୁନ ମହିମାଟି ହୋଇଲା ୟେମନ୍ତ

ୟେହା ପରିମାଣି ଉପରକୁ ତୁମେ ଚେତ ।୧୯।

ବିଚାର କର ୟେବେ ତୁମ୍ଭେ ପାଣ୍ଡବେ ନୋହ ଦ୍ୱନ୍ଦୀ

ବଳରାମଂକ ଦର୍ପ ମର୍ଦିଲା ଜିଣିଲା ଜମ୍ଭୋଭେଦୀ ।୨୦।

ଖାଣ୍ଡବ ବନ ଦହନେ ଜିଣିଲା ଅମରାଧି

ଅଗ୍ନି ଦେବତାଂକୁ ତୋଷ କଲା ଦେଇଣ ମଉଷୋଧି ।୨୧।

ହରବ୍ରହ୍ମା ଆଦି କରି ହୋଇଲେ କତିକେ

ତ୍ରିଭୁବନ ଜିଣିଲା ପାଣ୍ଡବ ପାଥ ୟେକେ ।୨୨।

କିରାତ ରୂପେ ଜିଣିଲା ସଦାଶିବ

ଭୟେଣ ଶହସ୍ରମାନ ଦିଲେ ମହାଦେବ ।୨୩।

ଆହୋ ଦ୍ରିଯୋଧନ ମାନ ତେଜ୍ୟା କର ବାବୁ

ୟେବେ ବାହୁଡ଼ି ଗଲେ ପାଇବୁ କାର୍ଯ୍ୟ ସବୁ ।୨୪।

ଥାନମାନ ପୀରତି ଗଉରୋବ ପଣ

ବାହୁଡ଼ି ଯିବା ଚାଲ କିଛି ନ ବିଚାରି କାରଣ ।୨୫।

ଯଦ୍ୟପି ଆମ୍ଭେ ହୋ ରାଗ କରିଣ ନ ଯିବା

ଆମ୍ଭର ନ ଗଲେ କି ରହିବ ତାର ବିଭା ।୨୬।

କଥା ମାତ୍ର ରହିବା ନା ସମସ୍ତ କାଳକୁ

ୟେବେ ଯିବା ଯୋଗାଇ ସେ ଆମ୍ଭର ମନକୁ ।୨୭।

ଗଲେ ଜଗନ୍ନାଥ କରିବେ ଅନେକ ଦୟେ

ବଳରାମ ଯୁଝେଷ୍ଠି ଭୀମ ଧନୁର୍ଜୟେ ।୨୮।

ୟେତେକ ତିଆରି ଶାୟେନ୍ତନୁର ସୁତ

ଉଠ ବୋଲି ମାନଗୋବିନ୍ଦର ଧଇଲେକ ଦୁଇ ହାଥ ।୨୯।

ଯୋଦ୍ଧାମାନେ ସେ ଯେ ସମସ୍ତ ପରିଣାମି

ଦ୍ୱାରିକାୟେ ଉଚ୍ଛବ ଦେଖିବା ଚାଲ ଦେବସ୍ୱାମୀ ।୩୦।

ଭୀଷ୍ମଂକର ବଚନେ ଗାନ୍ଧାରୀର ବଚ୍ଛ

ମାନଗୋବିନ୍ଦ ଚାହିଂଲା ଶକୁନିର ମୁଖ ।୩୧।

ଶକୁନି ବୋଇଲେ ଭୀଷ୍ମେ ବୋଇଲେ ଯେଉଂ ବାଣୀ

ମୋହୋର ବିଚାରକୁ ଭଲ ପ୍ରାୟେ ନ ମଣି ।୩୨।

ୟେଡ଼େ ଅଭିମାନ ଆମ୍ଭେ ଅଇଲୁ ପଳାଇ

ଭଗନସ୍ତ ହୋଇଣ ଚାହିଂବା କାହାର ମୁଖ ଯାଇଂ ।୩୩।

ଯେବଣ ପ୍ରାଣୀ ହୋ ଜୀଅନ୍ତି ମାନହୀନେ

ସେ ଆବର ଶରୀର ଧରିବେ କେସନେ ।୩୪।

ମନ୍ଦ ସେ କଲୁ ଆମ୍ଭେ ଅଇଲୁ ପଳାଇ

ଦ୍ୱାରିକାରେ ୟେବେ କାହା ମୁଖ ଚାହିବା ଆମ୍ଭେ ଯାଇଂ ।୩୫।

ସମସ୍ତ ଦ୍ୱନ୍ଦ ୟେକା କଲେ ବଳରାମ

ଦ୍ରିଯୋଧନକୁ ବରଣ କଲେ ଅକାରଣ ।୩୬।

ଅର୍ଜୁନକୁ ବରି ଯେବେ ଦିଅନ୍ତେ କୁମାରୀ

ଯତନେ ବନ୍ଧୁପଣେ ଆମ୍ଭେ ଆସନ୍ତୁ ବିଜେ କରି ।୩୭।

ଶକୁନି ବୋଇଲା ଥାଠ ଚଳାଅ ହସ୍ତିନାକୁ

ଆବର କିସ ଭାବରେ ଯିବ ତୁମ୍ଭେ ପାଣ୍ଡବଂକ ଠାକୁ ।୩୮।

ମନ୍ତ୍ରୀର ବଚନେ ଯେ ଚଳିଲେ ସଇନି

ନାନା ବାଦ୍ୟେ ଶବଦେ ଶୁଭଇ ଗରୁ ଧୁନି ।୩୯।

ବିଦୁର ସହିତେ ଗଲେ ଯେ ତାହାଂକର ତୁଲେ

ହସ୍ତିନା ଭୁବନେ ଯାଇଂ ଦ୍ରିଯୋଧନ ବିଜେ କଲେ ।୪୦।

ୟେଥୁ ଅନନ୍ତରେ ଶୁଣ ବିଲଂକ ନୃପବର

ଦ୍ୱାରିକା ପୁରେ ପଞ୍ଚୁ ପାଣ୍ଡବେ କରନ୍ତି ବିଚାର ।୪୧

ଯୁଝେଷ୍ଠି ବାଟ ଯେ ଚାହାନ୍ତି ବିଦୁରଂକୁ

ବିଳମ୍ବ ଦେଖି ସେ ପୁଚ୍ଛନ୍ତି ସହଦେବଂକୁ ।୪୨।

ବାବୁ ବିଦୁର ଯେ ଗଲେ ଦ୍ରିଯୋଧନକୁ ଆଣି

ବିଳମ୍ବ ହୋଇଲା ତ କିମ୍ପେ ନଇଲେକ ପୁଣି ।୪୩।

କରସ୍ଥଳକୁ ଚାହିଂ ଯେ କହଇ ସହଦେବ

ସ୍ୱାମୀ ଅନେକ ବୋଇଲେ ଯେ ବିଦୁର ଦ୍ରୋଣ ଗାଙ୍ଗେବ ।୪୪।

କାହାରି ବଚନେ ସେ ନ କଲା ଦ୍ରିଯୋଧନ

ଶକୁନି କହିଲା ଯହୁଂ ସମର ଅଭିମାନ ।୪୫।

ଦଣ୍ଡ ଘେନିଗଲା ସେ ନଇଲା ଧୃତିରାଷ୍ଟି

ରାତ୍ର ଦିବସେକ ପୟାଣ କରି ହସ୍ତିନା ଯାଇଂ ଭେଟି ।୪୬।

ତାହାଂକର ସଂଗତରେ ଗଲେକ ବିଦୁରେ

ଲେଉଟି ନଇଲେ ସେ ରାଜାର ଉପ୍ରୋଧରେ ।୪୭।

ୟେତେ କହି ସହଦେବ ତହୁଂ ହୋଇଲେ ମଉନ

ବହୁତ ବିସରିଲେ ଶୁଣି ଯୁଝେଷ୍ଠି ରାଜନ ।୪୮।

ଯୁଝେଷ୍ଠି କହିଲେ ଯାଇଂ ଜଗନ୍ନଥଂକ ଆଗର

ସମର ଅଭିମାନେ ସେ ନଇଲା କୁରୁବୀର ।୪୯।

ନନ୍ଦ ବସୁଦେବ ଯେ କୃଷ୍ଣ ବଳଦେବ

ରଇବ୍ରତ ପର୍ବତେ ସେ କରନ୍ତି ବିଭାର ଉଚ୍ଛବ ।୫୦।

ସୀଉକାର ବରଣ ଯେ କଲେକ ବେନି ଦିନେ

ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ଉତ୍ତରାଷାଢା ଧନୁ ଲଗ୍ନେ ।୫୧।

ଯେ ନକ୍ଷତ୍ର ଯୋଗେ ନାହିଂ ପାପ ଗ୍ରହ

ଶନିଚର ରାହୁ କେତୁ ନାହିଂ ନା ସନ୍ଦେହ ।୫୨।

ଅର୍ଜୁନର ଅଟଇ ପୂର୍ବା ଫାଲଗୁନି କନ୍ୟାରାଶି

ସୋହୋଦ୍ରା ଦେବୀଂକର ଉତ୍ତର ଭୋଦୁଅ ମୀନ ରାଶି ।୫୩।

ପୂର୍ବା ଫାଲଗୁନି ଉତ୍ତରାଷାଢା ସମ୍ପଦ ତାରବେଳେ

ଘଟ ବେଳେ ଯୋଗ କଲେ ଶୁଭ ଅନକୂଳେ ।୫୪।

ତାରା ଚନ୍ଦ୍ର ନକ୍ଷତ୍ର ଯେ ଯୋଗ ଲଗ୍ନ ବେଳ ଘେନି

ବେଦୀରେ ବସାଇଲେ ସେ ଗାଗ୍ରବ ମହାମୁନି ।୫୫।

ଯୁଝେଷ୍ଠି ଧ୍ୟାୟେ କଲେ ଧଉମ୍ୟ ପ୍ରୋହିତଂକୁ

ଆସନ କମ୍ପିଲା ସେ ଭେଟିଲେ ପାଣ୍ଡବଂକୁ ।୫୬।

ଲକ୍ଷେକ ବ୍ରାହ୍ମଣ ଛନ୍ତି ତାହାଂକର ତୁଲେ

ରଇବ୍ରତ ପର୍ବତେ ଆସି ଧଉମ୍ୟ ପ୍ରୋହିତେ ବିଜେ କଲେ ।୫୭।

ବ୍ୟାସନ୍ତ ସୁମରଣା କଲେକ ଧର୍ମସୁତ

ଷାଠି ସସ୍ର ଶିଷ୍ୟନ୍ତ ଘେନି ସେ ଆସି ହେଲେ ଉପଗତ ।୫୮।

ଜୟ ମୁନି ଶୁକ ମୁନି ମାରକଣ୍ଡ ବିଶ୍ୱାମିତ୍ରେ

ସନକ ବିଭାଣ୍ଡକ ଋଷ୍ୟଶୃଙ୍ଗ ସହିତେ ।୫୯।

ପରାଶର ଗଉତମ ଉତଙ୍ଗ ବାଲମ୍ବିକେ

ପ୍ରବେଶ ହୋଇଲେ ଆସି ସକଳ ଧାର୍ମିକେ ।୬୦।

ୟେତେକ ଋଷିଂକ ତୁଲେ ଯେ ଅନେକ ବାଳଖିଳା

ଦେଖିଣ ପୂଜା କଲେ ଧର୍ମରାୟେ ବଳା ।୬୧।

ଅନେକ ବିନୋୟୀ ଯେ କରନ୍ତି ପାଦ ପୂଜା

ଅନେକ ସମ୍ଭରେ ଯେ ବିଜୟେ ଦେବରାଜା ।୬୨।

ଅଇରାବ୍ରତ ବାହାନେ ସେ ବିଜୟେ ଦେବ ଇନ୍ଦ୍ର

ଅମରାଦିବୃନ୍ଦ ଘେନି ବିଜୟେ ଅସକନ୍ଦ ।୬୩।

ଇନ୍ଦ୍ର ବିଜେକଲେ ଯହୁଂ ରଇବ୍ରତ ପର୍ବତେ

ପାରିଜାତକ ପୁଷ୍ୟ ବୃଷ୍ଟି ବୋଇଲା ସବୁଂକରି ମାଥେ ।୬୪।

ଚଉଷଠୀ କୋଟି ଯେ ଅମର ବିଳାସୁଣୀ

କରନ୍ତି ଭରହରଷ ସଂଗୀତ ଗାୟେଣ ।୬୫।

ଗଗନେ ବିଳାସୁଣୀୟେ ଜୟେ ଜୟେ ଧୁନି ତୋଳି

ସୁଲଭ ନାୟେକା ଯେ ଦିଅନ୍ତି ହୁଳହୁଳି ।୬୬।

କନ୍ୟାକୁ ସୁବେଶ ଯେ କରାଇଲେ ଯୁବତୀ

ନନ୍ଦର କୋଳେ ନେଇ ଯେ ବସାଇଲେ ଦୋହିତୀ ।୬୭।

ଛାୟା ମଣ୍ଡୋପେ ଦେବ ବିଜୟେ ସହସ୍ର ଯୋନି

ଗୋବିନ୍ଦେ ବିଜେ କଲେ ଶ୍ରୀକରେ ଅର୍ଘ ଘେନି ।୬୮।

ଅନେକ ରତ୍ନ ଯୋଗାଡ଼ ଦିଲେକ କୁବେର

ବାସବ ଅର୍ଘ ଦିଲେ ସକଳ ମୁନିବର ।୬୯।

ଅର୍ଜୁନକୁ ସୁରନାଥ ବସାଇଛନ୍ତି କୋଳେ

ଗୋବିନ୍ଦେ ବୋଇଲେ ସ୍ୱାମୀ ଦେଖ କାମପାଳେ ।୭୦।

ଦେଖନ୍ତି ଦ୍ୱାରିକାପୁର ସକଳ କାମିନୀ

ସାଧୁ ସାଧୁ ଭଦ୍ରା ଗୋ ଜୀବନ ତୋର ଧନୀ ।୭୧।

ବାଛିଣ ବର ତୁ ଗୋ ବରିଲୁ ମାହେଶ୍ୱରୀ

ପୁରୁଷ ପଣକୁ ତ ଶକତା ନାହିଂ ତିନି ପୁରୀ ।୭୨।

କ୍ଷତ୍ରିୟ ପଣକୁ ତ ୟେ ତ୍ରଇଲୋକେଣ ଜିତା

ବଳରାମଂକୁ ଜିଣିମାକୁ ହୋଇଲା ଶକତା ।୭୩।

ନନ୍ଦର ନନ୍ଦିନୀ ତୁ ଜୀବନ ସାଧୁ ସାଧୁ

ଅମରାଧିନାଥର ତୁ ହୋଇଲୁ କୁଳବଧୂ ।୭୪।

ନ ଜାଣି ଦ୍ରିଯୋଧନକୁ ବରୁଥିଲେ ବଳଦେବ

ଅନ୍ଧ ରାଜା ପୁତ୍ର ସେହୁ ଅଟନ୍ତି କଉରୋବେ ।୭୫।

ସଂସାର ଜନ ମୁଖୁ ତହୁଂ ସାଧୁ ସାଧୁ ବାଣୀ ଶୁଣି

ବଳଦେବଂକୁ ଚାହିଂ ବୋଲନ୍ତି ଚକ୍ରପାଣି ।୭୬।

ଭୋ ସ୍ୱାମୀ ନ ଜାଣି ଅର୍ଜୁନ ତୁଲେ କରୁଥିଲେ ଦ୍ୱନ୍ଦ

ଅର୍ଜୁନର ମହିମା ଦେଖ ପରମାନନ୍ଦ ।୭୭।

ସଂସାର ଜନେ ମଙ୍ଗଳ ବାଣୀ ଭାଷିଲେ ଯାହାକୁ

ପୁରୁଷ ଉତ୍ତମ ସ୍ୱାମୀ ବୋଲିଟି ତାହାକୁ ।୭୮।

ବଳରାମେ ବୋଇଲେ ତୁ ସକଳ ପରିମାଣୁ

ୟେତେକ କୂଟ ବୁଦ୍ଧି ବାବୁ ଆମ୍ଭେ ତ ନ ଜାଣୁ ।୭୯।

ସମସ୍ତ ଯଦୁବୀରେ ବିଜେ କଲେ ସଭା

ଧଉମ୍ୟ ପ୍ରୋହିତେ ଯେ କରାବନ୍ତି ବିଭା ।୮୦।

ନନ୍ଦ ରାଜା କୋଳେ ସୋହାଦ୍ରା ଜଗତ ମୋହିନୀ

ପୁରନ୍ଦର କୋଳେ ଯେ ବିଜେ ଫାଲଗୁନି ।୮୧।

ସତ୍ୟ ସତ୍ୟ ବାକ୍ୟେ ନନ୍ଦ ମହାଖୁଡ଼

ଶଙ୍ଖେ କୁଶ ଜଳ ତିଳ ଲାଇ ବରଣ ସୀଉକାର ।୮୨।

ବାଜନ୍ତି ବାଦ୍ୟମାନ ଶୁଭଇ ମଙ୍ଗଳ ଶଙ୍ଖ ଧୁନି

ମଙ୍ଗଳ ଗୀତମାନ ଯେ ଗାବନ୍ତି ସୁଲଭ କାମିନୀ ।୮୩।

ଅର୍ଜୁନର ମୁଖକୁ ଚାହିଂ ବୋଲନ୍ତି ସର୍ବ ବାଳୀ

ଆନନ୍ଦେ ମନେ ସେ ବିରହେ ଭେବଳି ।୮୪।

ଶରୀର ଅସମ୍ଭାଳ ନୁଆରନ୍ତି ଥିର କରି

ବୋଲନ୍ତି ପାଥ ବଲ୍ଲଭ ହେଉ ସବୁଂକରି ।୮୫।

ବୋଲନ୍ତି ପୂର୍ବେ ୟେ ପ୍ରୟାଗେ ଦିଲା ଝାସ

ତେଣୁ ୟେ ସ୍ୱାମୀ ଘେନି କରିବ ଅଭିଳାଷ ।୮୬।

ପୂର୍ବେ ତପ ନ କରି ୟେବେ କିମ୍ପା ମରି

ପର ଲଲାଟେ ସିନ୍ଦୂର ଦେଖି ମରଇ ମୁଣ୍ଡ କୋଡ଼ି ।୮୭।

ପୁରୁଷ କୁଳେ ଉତ୍ତମ ଯେ ପାଣ୍ଡବ ସୁନ୍ଦର

ସ୍ତିରୀ କୁଳେ ସୁଭାଗୀ ସୋହୋଦ୍ରା ପାଇଲା ୟେହୁ ବର ।୮୮।

ଯେଉଣ ସ୍ତିରୀ ପୂର୍ବେ କରିଣ ଥାଇ ଗାଢ ତପ

ସଉଭାଗ୍ୟବନ୍ତୀ ହୋଇ ସ୍ୱାମୀ ପାଇବ ଅନୁରୂପ ।୮୯।

ଯଶୋବନ୍ତୀ ଧନି ଧନି ସୋହୋଦ୍ରାଂକର ଆଈ

ଅତି ଭାଗ୍ୟେ ପାଇଲା ସେ ୟେସନେକ ଜୁଆଂଇ ।୯୦।

ନନ୍ଦର ନନ୍ଦିନୀ ସେ ସୁଲଭ କୁମାରୀ

ଦାନର ଧନି ୟେ ଅର୍ଜୁନକୁ ପରିଗ୍ରହ କରି ।୯୧।

ୟେ ପୁର ଧନି ଯେ ସାହାଦ୍ରା ୟେଥି ଜାତ

ପ୍ରାପତର ଧନି ଅର୍ଜୁନର ଧଇଲା ଯେ ହାଥ ।୯୨।

ସହୋଦ୍ର କୁଳ ଧନି ୟେ ରାମକୃଷ୍ଣ ବେନି

ବାନ୍ଧବ କୁଳ ଧନି ୟେ ବନ୍ଧୁ ପାଇଲେ ଫାଲଗୁନି ।୯୩।

ଆଉରମାନ ଧନି ଯେ କୁଟୁମ୍ବମାନଂକର ଶିରୀ

ଅର୍ଜୁନ ଜାମାତା ଯେ ହୋଇଛି ଯାହାରି ।୯୪।

ଧନି ଧନି ଦେଖନ୍ତା ୟେହୁ ବରକନ୍ୟାଂକର ମୁଖ

ପୂର୍ବର ଧନି ଆମ୍ଭର ଫିଟିଲା ସକଳ ଦୁଖ ।୯୫।

ପୁରୁଷ କୁଳେ ଧନି ୟେହାର ୟେସନେକ ସରୂପ

ସୁନ୍ଦର ପଣକୁ ୟେ ପ୍ରତକ୍ଷେ କନ୍ଦର୍ପ ।୯୬।

ପିତା ମାତାଂକର ଅଟଇ ଧନି ଧନି ଯେ ଜୀବନ

ବଂଶିକ ଲକ୍ଷଣେ ୟେହାଂକୁ କରନ୍ତି ପ୍ରଦାନ ।୯୭।

ୟେସନେକ ସାଧୁ ସାଧୁ କରନ୍ତି ପୁରନାରୀ

ଗୁଣ ବିଚାରନ୍ତେ ରାତ୍ର ଦିବା ଯେ ନ ସରି ।୯୮।

ସୋମବଂଶ ଗୋତ୍ର ଯେ ପାଣ୍ଡବ ଫାଲଗୁନି

ପଣ୍ଡୁ ବିଚିତ୍ର ଶାୟନ୍ତନୁ ତିନି ପୁରୁଷ ଘେନି ।୯୯।

ଅସ୍ମତ୍ ପିତୃ ପିତାମହ ପ୍ରପିତା ଯେ ମହ

ନନ୍ଦର ପିତା ଅରୁଣ ଅନନ୍ତ ସୁଦେବ ସଦେହ ।୧୦୦।

ଉଭୟେ ତିନି ପୁରୁଷ ଅସ୍ମତ୍ ପିତୃ ପିତାମହ ପ୍ରପିତାମହ ସହିତେ

ବରକନ୍ୟାଂକର ପିତୃ ଗୋତ୍ର ଉଚ୍ଚାରନ୍ତି ପ୍ରୋହିତେ ।୧୦୧।

ବେନିଂକର ଗୋତ୍ର ତହିଂ ପ୍ରୋହିତେ ଉଚ୍ଚାରନ୍ତି

ବିଭାର ବିଧାନମାନ ଅନକୂଳ କରାବନ୍ତି ।୧୦୨।

ବ୍ରାହ୍ମଣଗଣମାନେ କରନ୍ତି ବେଦ ଧୁନି

ଡାକନ୍ତି ଚଣ୍ଡପୁତ୍ରେ ମଙ୍ଗଳ ପାଠ ଧୁନି ।୧୦୩।

ନାରୀଗଣମାନେ ତହିଂ ଗାବନ୍ତି ବିଭା ଗୀତ

ହୁଳହୁଳି ଶବଦ ଯେ କରନ୍ତି ସମସ୍ତ ।୧୦୪।

ସପତାଙ୍ଗ ପାଞ୍ଜି କହନ୍ତି ଯେ ଗ୍ରହପୁତ୍ରେ

ଦେଶ କାଳେ ବାକ୍ୟେ ବିଭା କରାନ୍ତି ପ୍ରୋହିତେ ।୧୦୫।

ଓହୋକୁଳ ବାକ୍ୟ ସରିଲା ବେଦ ଧୁନି

କୁଶ ଗଣ୍ଠି ପକାଇଲେ କରିଣ ମଙ୍ଗଳ ଧୁନି ।୧୦୬।

ଜୟ ଜୟ ଶବଦ ଶୁଭିଲା ମହାସଭା

ଶଚୀ ଇନ୍ଦ୍ର ପରାୟେ ଦିଶିଲେକ ବର କନ୍ୟା ଶୋଭା ।୧୦୭।

ଡାହାଣବ୍ରତେକ ଶଙ୍ଖେ କୁଶ ତିଳ ଯବ ନାନା ତୀର୍ଥ ପାଣି

ନନ୍ଦର ହାଥେ ଧଉମ୍ୟ ପ୍ରୋହିତେ ଦିଲେ ଆଣି ।୧୦୮।

ଯଉତୁକ ଦିଅନ୍ତି ରାୟେ ୟେସନେକ ବିଧାନ

ଦଶ ଘୋଷ ପାଟ ଖଟ ବିବିଧ ରତନ ।୧୦୯।

ସହସ୍ରେକ ରଥ ଯେ ସୁବର୍ଣ୍ଣେ ନିର୍ବାଣି

ଅଷ୍ଚରତ୍ନେ ମଣ୍ଡଣି ନନ୍ଦରାୟେ ଦିଲେ ଆଣି ।୧୧୦।

ନନ୍ଦ ଯେ ପାଞ୍ଚ ଲକ୍ଷ ଦିଲେ ଧେନୁ ଗାଈ

ପାଞ୍ଚ ଲକ୍ଷ ବତ୍ସା ଯେ ଅଣ୍ଡିର ମାଈ ହୋଇ ।୧୧୧।

ପାଞ୍ଚ ସହସ୍ର ନାଗ ଶତେ ସହସ୍ର ତୁରଙ୍ଗ

ଆପଣେ ସେ ଯଉତୁକ ଦିଲେକ ହଳାଙ୍ଗ ।୧୧୨।

କୋଟିୟେ ବାରାସ ଯେ ଚୋଖାଇ ତୁରଙ୍ଗମ ବାଜୀ

ଅନେକ ଚାମର ଯେ ଅଷ୍ଟରତ୍ନେ ଖଞ୍ଜି ।୧୧୩।

ଲକ୍ଷେକ ରଥ ଯେ ବେନି ଲକ୍ଷ ମୟେମତ୍ତ

ଆପଣେ ଯଉତୁକେ ଦିଲେ ଜଗନ୍ନାଥ ।୧୧୪।

ଉଗ୍ରସେନ ପ୍ରସନ୍ନାଜିତ ବସୁଦେବ ଅକ୍ରୂର

ଜଣେ ଜଣେ ଯଉତୁକ ଦିଲେ ସୁବର୍ଣ୍ଣ ଶତେ ଶତେ ଭାର ।୧୧୫।

ସୁବର୍ଣ୍ଣର ପଲମ ଅଷ୍ଚରତ୍ନେ ଝରି

ସର୍ବ ଅଳଂକାର ଥୋଇଲେ ପେଡ଼ି ପେଡ଼ି ।୧୧୬।

ଯଶୋଦା ଦଇବକୀ ଆବର ଜଗନ୍ନାଥଂକର ଯେତେ ପତ୍ନୀ

ଅନେକ ଯଉତୁକ ଦିଲେ ସକଳ କାମିନୀ ।୧୧୭।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ଅନେକ ଯଉତୁକ ଦିଲେ ଜଗନ୍ନାଥଂକର ପୁତ୍ରମାନ ।୧୧୮।

ଯେତେକ ଯଉତୁକ ତହିଂ ଦିଲେ ରାମହରି

ରଇବ୍ରତ ପର୍ବତ ମାଡ଼ି ପଡଇ ଯୂଣ ଚାରି ।୧୧୯।

ଯଉତୁକ ଦେଇ କରି ନନ୍ଦ ମହାଖୁଡ଼େ

ବେନି କର ଯୋଡ଼ି ଉଭା ହେଲେ ବାସବଂକ ଛାମୁରେ ।୧୨୦।

ସ୍ୱାମୀ ଅମରାଧୀନାଥ ତୁ ଜଗତର ଆଧି

ଦେବାଧିଦେବରାଜ ତୁ ବିଳାସୁ ବାରାଧି ।୧୨୧।

ତ୍ରଇଲୋକ୍ୟ ପାଳନ୍ତା ସ୍ୱାମୀ ଜଗତ ଉତ୍ତମ

ତୁମ୍ଭନ୍ତ ଯଉତୁକ ଦେବାକୁ ମୁହିଂ କିସ କ୍ଷମ ।୧୨୨।

ଦୁହିତା ଗୋଟିୟେ ଦେଇ ମୁଂ ପଶିଲି ଶରଣ

ଦଶ ଦୋଷ ମୋହୋର କ୍ଷମା କର ସୁରରାଣ ।୧୨୩।

ଅନେକ ବିନୋୟୀ ଗୋପ ଆଧିପତି ନନ୍ଦ

ଶତେ ଦଣ୍ଡ ପ୍ରଣପତ୍ୟ ହୋଇଲେ ବାସବର ପଦ୍ମପାଦ ।୧୨୪।

ଆସ୍ତାନେ ଥାଇ ଦେବ ବୋଲନ୍ତି ଆଖଣ୍ଡଳେ

ଅନେକ ପୁରସରି ବୋଲନ୍ତି ନନ୍ଦକୁ ଘେନି କୋଳେ ।୧୨୫।

ଗୋ ଗୋଷ୍ଠ ଧନ ମାନ୍ୟ ସୁବର୍ଣ୍ଣ ଯେତେ ଇଚ୍ଛା

ସମସ୍ତ ପାଇଲୁଂ ଆମ୍ଭେ ଯଉତୁକ ମନେଣ ଯେତେ ବାଞ୍ଛା ।୧୨୬।

କ୍ରୋଧଭର ହୋଇ ନନ୍ଦ ସୋହୋଦ୍ରାକୁ ଦିଅନ୍ତି ବାକ୍ୟେ

ଆଦହୁଂ ପରଗୋତ୍ରୀ ହୋଇଲୁ ବୋଲି କହନ୍ତି ମହାଶୋକେ ।୧୨୭।

ଯଶୋଦା ଦଇବକୀ ଦୁହିଂକ ଶୋକ ବାଣୀ

ଅଶ୍ରୁଜଳ ବୃଷ୍ଟି ତହିଂ କଲେକ ସର୍ବ ରାଣୀ ।୧୨୮।

କନ୍ୟା ସମର୍ପଣ କଲେକ ନନ୍ଦ ନରପତି

ତହୁଂ ସେ ଲାଜା ହୋମ ପୁରୋହିତେ କରାବନ୍ତି ।୧୨୯।

ମହାମନ୍ତ୍ର ବାକ୍ୟେଣ ତହିଂ ଘୃତ ଯେ ପରଶି

ବେଦ ବାକ୍ୟ ପଢି ତହିଂ ବଶ୍ୟାନରେ ତୋଷି ।୧୩୦।

ସେ ଉତିଷ୍ଟ ଘୃତ କରାବନ୍ତି ବର କନ୍ୟା

ୟେଥୁ ଅନନ୍ତରେ ସେ ହୋଇଲେ ବନ୍ଦାପନା ।୧୩୧।

ବିଦୁ ଜନମାନେ ଯେ କରନ୍ତି ବେଦ ଧୁନି

ଆଚୋବନ ସାରି ୟେକ ଆସନେ ବସିଲେ ବେନି ।୧୩୨।

ଅର୍ଘ ବନ୍ଦାପନ୍ତି ଜନନୀ ଘେନି ଅନେକ କାମିନୀ

ହୁଳହୁଳି ଦିଅନ୍ତି ଦୁର୍ବାଂକୁର ତଣ୍ଡୁଳ କରେ ଘେନି ।୧୩୩।

ସଉଭାଗୀ ସୁଲକ୍ଷଣୀ ହୁଅ ଗୋ ସଉଭଦ୍ରେ

ସନ୍ତାନ ଉପୁଜୁ ତୋର ସୋମବଂଶ କରୁ ଉଦେ ।୧୩୪।

ତୋହୋର ଗର୍ଭରୁ କୁମର ହେଉ ଉତପତ୍ତି

ତେଣୁ କରି ସୋମବଂଶ ହେଇବାକ ବିଖ୍ୟାତି ।୧୩୫।

ଋଷିମାନେ ଆଶିଷ ଦେଇ କଲେକ ମନବାଞ୍ଛା

ମା ଗୋ ତୋହୋର ତହୁଂ ସୋମବଂଶ ହେଉ ରକ୍ଷା ।୧୩୬।

ଅନେକ ଧନ ରତ୍ନ ବସ୍ର ଦିଲେକ ବଧାଇ

ଦାରିଦ୍ର ହରଣ ହୋଇଲା ଯେ ଯାହାର ଇଚ୍ଛା ପାଇ ।୧୩୭।

ହେ ସୁଜନ ଜନମାନେ ଯେ ଯାହାର ଇଚ୍ଛା

ଆଷ୍ୟ ଧନ ଧାନ୍ୟ ପୁତ୍ର ମନେ କର ବାଞ୍ଛା ।୧୩୮।

ଅନେକ ଜନ୍ମର ଯେ ଦୁଷୁକୃତ ପରିତ୍ୟାଗୀ

ସଞ୍ଚୟେ ପ୍ରାପତ ହୋୟେ ମନେ ଯେ ଯାହା ମାଗି ।୧୩୯।

ଅର୍ଜୁନକୁ ସୋହୋଦ୍ରା ଦେଇ ନାରାୟଣେ ୟେସନେକ ତୋଷ

ୟେ ଉଚ୍ଛବ ଆନନ୍ଦ ଶୁଣି ସୁଜନେ ଆନନ୍ଦେ ଉଲ୍ଲାସ ।୧୪୦।

ଶ୍ରୀବିଷ୍ଣୁ ପୁରାଣ ୟେ ମହାଭାରଥ କଥା

ଅରଷ୍ଟି ନ ଲାଗଇ ଦୂରାପାତ ଖଣ୍ଡଇ ସର୍ବଥା ।୧୪୧।

ଅଶ୍ୱମେଧ ଯାଗ କଲାର ଯେତେକ ଫଳ ଶ୍ରୁତି

କଳିକାଳ ଧଂସିବାକୁ ୟେଣେ ସେ ସଦଗତି ।୧୪୨।

ମୁକତି ସାଗର ୟେ ମହାଭାରଥ ପୁଣ୍ୟମାନ

ୟେହା ଶୁଣିଲେ ପାଇ କୋଟି କୋଟି ତୀର୍ଥ ପୁଣ୍ୟ ।୧୪୩।

କହିବାକଇଂ ଅମୃତ ୟେ ଶୁଣିମାକଇଂ ସ୍ୱାଦ

ଅତି ପୁଣ୍ୟ ତୀର୍ଥ ୟେ ଅଟଇ ପରମାନନ୍ଦ ।୧୪୪।

ଶୁଣିମା ସାବଧାନେ ହୋ ବିଷ୍ଣୁ ପୁରାଣ ବାରତ

ଯାହା ଶୁଣନ୍ତେ ସଭାରେ ହୁଅଇ ନିର୍ଜିତ ।୧୪୫।

ଦୁତୀ ନାରାୟଣ ସେ ଅଟଇ ଫାଲଗୁନି

ଭାରା ନିବାରଣ ଅର୍ଥେ ମାନବ ଦେହ ଘେନି ।୧୪୬।

ସୋହୋଦ୍ରା ପ୍ରଦାନ ସରିଲା ଯେତେବେଳେ

ଅନେକ ଦାନ ଦିଲେ ତହିଂ ଯୁଝେଷ୍ଠି ମହୀପାଳେ ।୧୪୭।

ଯେତେକ ଧନ ଧାନ୍ୟ ଗୋଧନ ପରିବାରୀ

ପ୍ରତିଗ୍ରହ କରି ଦିଲେ ଅର୍ଜୁନ କାମ ଅର୍ଥ କରି ।୧୪୮।

ଅଗ୍ନିକି ସମାପତ କଲେକ ମାଧବୀ

ଲଭିଲା ପାଥ ଯେ ପରମ ସାଧବୀ ।୧୪୯।

ବିଭା ବିଧି ସାରିଣ ବର କନ୍ୟାଂକୁ କଲେ ଆଶିଷ ବାଞ୍ଛା

ଭୁଞ୍ଜସି ବିପୁଳ ଭୋଗ ଯେ ତୁମର ମନ ଇଚ୍ଛା ।୧୫୦।

ବିଦୁ ଜନମାନେ ସମସ୍ତେ କଲେକ ବେଦ ନାଦ

ନାରୀଗଣମାନେ କଲେ ହୁଳହୁଳି ଶବଦ ।୧୫୧।

ବର କନ୍ୟା ଘେନି ଦେବାଧି ଦେବରାଜେ

ଦ୍ୱାରିକା ଭୁବନକୁ ଯେ ସମ୍ଭରେ କଲେ ବିଜେ ।୧୫୨।

ଅନେକ ହରଷ ଯେ ଦ୍ୱାରିକା ଭୁବନେ

ବହୁତ ବିଦ୍ୟାଧରୀ ଗନ୍ଧର୍ବନ୍ତ ଘେନି ବିଜେ ମଘବାନେ ।୧୫୩।

ଅମର ଆସ୍ତାନେ ଯେ ସୁଧର୍ମା ମାନେ ସଭା

ଆକାଂଶୁ ଚିତ୍ରସେନ ଆଣି ମଞ୍ଚରେ କଲା ଉଭା ।୧୫୪।

ଅନ୍ତେଶ୍ୱର ପୁରେ ବିଜେ କୁମର କୁମାରୀ

ଆପଣେ ନନ୍ଦ ରାୟେ ସବୁ ସମାଧାନ କରି ।୧୫୫।

ଶ୍ରୀହସ୍ତେ ଅର୍ଘ ଯେ ଘେନିଣ ସଂବୋଧି

ସମର୍ପଣ ବିଧାନ କଲେ ଯେସନେକ ବିଧି ।୧୫୬।

ନନ୍ଦରାୟେ ବୋଇଲେ ବାଭିୟେ ଅଭୟେ ସୋମବଂଶୀ ।୧୫୭।

ତୁହି ସେ ପୃଥୀକି ନାୟକ ସର୍ବଥାସି ।୧୫୮।

ନିକଂଳକ ନିର୍ମଳ ନିର୍ଭୟେ ଜଗବନ୍ଧୁ

ଆନନ୍ଦାନନ୍ଦ ତୁମ୍ଭେ ତ୍ରିଭୁବନେ ସାଧୁ ।୧୫୯।

ୟେ ମୋହୋର ବଂଶରେ ଅଛି ଯେତେକ ଦୋଷ

ତାହା ବିଧଂସିବାକୁ ତୁହି ମହତ ପୁରୁଷ ।୧୬୦।

ସମ୍ବୋଧି ସେ ଅର୍ଘ ଦେଇ ବହୁତ ବିନୋପି

ଦଶ ଦୋଷ ଅପ୍ରାଧ କ୍ଷମା କରିବା ଅଦ୍ୟାପି ।୧୬୧।

ବହୁତ ସମାର୍ଜନା କଲେ ନନ୍ଦ ମହାଖୁଡ଼

ପୁଣ ପୁଣ ବିନୋପନ୍ତି ପାଥର ଧରି କର ।୧୬୨।

ସମାର୍ଜନା ସାରି ଗଲେ ନିଜ ଯେ ଭୁବନେ

ବିଜୟେ ଜଗମୋହନ ମୁଣୋହିର ସ୍ଥାନେ ।୧୬୩।

ଅମିୟ ରସ ଯୋଗାଡ଼ ପରଶନ୍ତି ଦେବୀ ଯେ ରୁକ୍ମଣୀ

ଅନେକ ପରିହାସେ ତହିଂ ଲାଗିଲା ରସ ବାଣୀ ।୧୬୪।

ୟେକ ଆସନେ ଭୋଜନ କଲେ ବର କନ୍ୟା ବେନି

ଆଞ୍ଚୋବନ ସାରିଣ ଯେ ବିଜୟେ ଫାଲଗୁନି ।୧୬୫।

ଅମର ଭୁବନ ଘେନି ବିଜୟେ ମଘବା

ଅମୃତ ରସ ଆପ୍ୟାନେ ତୋଷ ସୁରରାଜ ଦେବା ।୧୬୬।

ବିଦ୍ୟାଧରୀମାନନ୍ତ ଘେନି କରନ୍ତି ରସକେଳି

ଅମରାଧିନାଥ ସୁଖେ ଆକାଶେ ଗଲେ ଚଳି ।୧୬୭।

ଚତୁର୍ଥ ଦିବସେ ସାରିଲେ ଉଚ୍ଛବ ମଙ୍ଗଳ

ଚଉଠୀ ଉଚ୍ଛବ ଯେ ଭାଷନ୍ତି କୁତୁହୋଳ ।୧୬୮।

ମୋତି ଚୂରିଣ ଯେ ନିର୍ବାଣ କଲେ ଗୁଣ୍ଡି

ତାହା ଲେପନ କଲେ ବଇଶାଳାର ପିଣ୍ଡି ।୧୬୯।

ଋକ ଯଜୁ ସାମ ଅଥର୍ବ ଚତୃବାଣୀ

ପଢ଼ିଣ ବିପ୍ରେ ଶିରେ ଅର୍ଘ ଦିଲେ ଆଣି ।୧୭୦।

କଳସା ଶିଳୋକ ପଢନ୍ତି ସର୍ବ ଲୋକ

ଅନେକ ବଧାଇ ଦିଅନ୍ତି ଯେ ମନସୁଖ ।୧୭୧।

ବହୁତ ବିଧି ଆନନ୍ଦ କହିତ କି ପାରି

ସାନନ୍ଦେ ହୁଳହୁଳି ଦିଅନ୍ତି ସର୍ବ ନାରୀ ।୧୭୨।

ମଙ୍ଗଳ ସୀଉକାରେ ଶୁଭେ ପାହିଲାକ ରାତି

କର୍ଦ୍ଦମ ଉଚ୍ଛବ ଯେ ଲାଗିଲା ଅପ୍ରମିତି ।୧୭୩।

ଚନ୍ଦନ ଅଗର କ୍ରପୂର ବଟା ଲାଗିଲାକ ହଳଦୀ

ପୁରୁଷଂକୁ ଚନ୍ଦନ ଯୁବତୀଂକି ହଳଦୀ ସମାଦି ।୧୭୪।

ବହୁତ ବିଧିମତେ ଆନନ୍ଦେ ସର୍ବନାରୀ

ପରିହାସ କରିଣ ପିଚିକା ମରାମରି ।୧୭୫।

ସାତବଂଶ ଯାଦବଂକର ଯୁବତୀମାନେ ମିଳି

ସମସ୍ତଂକୁ ଘେନି କରନ୍ତି ରସକେଳି ।୧୭୬।

ବାରିତ ନ ଗଲା ତହିଂ ମାନିତ ଗଉରୋବ

ୟେକ ଆରେକ ତହିଂ ପରିହାସ ଭାବ ।୧୭୭।

ଘେନିଣ କୁତୋହଳେ କର୍ଦ୍ଦମ ସର୍ବାଙ୍ଗେ

ଜୁଡ଼ ବୁଡ଼ ବୋଇଣ ସବୁଂକରି ଅଙ୍ଗେ ।୧୭୮।

ପ୍ରଥମ ପରିହାସ ବୋଇଲା ଚନ୍ଦନ ଅଗର

ଦୁତୀୟ ପରିହାସ ବଢିଲା ହଳଦୀ ଲେପନ ଶରୀର ।୧୭୯।

ତୃତୀୟ ପରିହାସେ ଫିଙ୍ଗାଫିଙ୍ଗି ଧୂଳି

ଚତୁର୍ଥ ପରିହାସେ କର୍ଦ୍ଦମ ବୋଳାବୋଳି ।୧୮୦।

ଆଦିତ୍ୟ ଅସ୍ତ ହୁଅନ୍ତେ ପ୍ରବେଶ ଆସି ନିଶି

କୃଷ୍ଣବେଣୀ ନଦୀକି ସର୍ବେ ସ୍ରାହାନ କଲେ ପଶି ।୧୮୧।

ତିଳ ଅୟେଂକା ସୁଗନ୍ଧ ସୁଶୀତଳ ପାଣି

ପୁରୁଷମାନନ୍ତ ସ୍ରାହାନ କରାନ୍ତି ବିଳାସୁଣୀ ।୧୮୨।

ସ୍ରାହାନ ନିତ୍ୟକର୍ମ ସାରି ଦେବ ମଧୁହାରୀ

ଚଳିଲେ ଯାଦବ ବୀରେ ଯେ ଯାହାର ପୁରୀ ।୧୮୩।

ବର କନ୍ୟା ବନ୍ଦାପନା କଲେ ସର୍ବ ଦେବୀ

ସପତ ମଙ୍ଗଳା ବିଧି ସାରିଲେ ସାଧବୀ ।୧୮୪।

ଋଷଭ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଭୃଗୁବାର

ରୋହିଣୀ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୮୫।

ଉଗ୍ରସେନ ବସୁଦେବ ନନ୍ଦ ବଳଦେବ

ସବୁନ୍ତି ବସାଇଣ ଯେ ବୋଲନ୍ତି ମାଧବ ।୧୮୬।

ପାଣ୍ଡବ କୁଳର ଯେତେକ ଗଉରବ

ସବୁନ୍ତି ଅକ୍ଷତ ଦିଲେ ନନ୍ଦ ବସୁଦେବ ।୧୮୭।

ରଥ ଗଜ ଅଶ୍ୱ ସଇନି ସାଜିଣ ସମଦଣ୍ଡ

ବୀରତୂର ଶବଦେ କମ୍ପିଲା ବ୍ରହ୍ମାଣ୍ଡ ।୧୮୮।

ଯୁଝେଷ୍ଠି ପଚାରିଲେ ଶୁଣିମା ଦେବରାଜ

ହସ୍ତିନା ରାଜ୍ୟକୁ ଆମ୍ଭେ ସମଦଣ୍ଡ କଲୁ ସଜ ।୧୮୯।

ପରମ ସାନନ୍ଦେ ମୋତେ ଆଗ୍ୟାଂ ଦେବା ହଳୀ

ଶୁଣିଣ ମଙ୍ଗଳ ବାଣୀ କରନ୍ତି ବନମାଳୀ ।୧୯୦।

ଭୋ ଦେବ ଧର୍ମନନ୍ଦନ ତୁମ୍ଭେ ବିଜେ କରିଯିବା

ଯାବତ କାଳକୁ ମୋତେ ଅନୁଗ୍ରହ କରିଥିବା ।୧୯୧।

ଯଦୁବଂଶର ସଇନି ସାଜିଣ ଦେବ ହରି

ରାମକୃଷ୍ଣ ଆସନ୍ତି ପାଛୋଟି ବିଜେ କରି ।୧୯୨।

ଅର୍ଜୁନ ବିଜୟେ ମାୟାବତୀ ପୁଷ୍ୟ ରଥେ

ସୋହୋଦ୍ରାକୁ କୋଳେ ଘେନି ବିଜୟେ ବୀର ପାଥେ ।୧୯୩।

ସାତବଂଶ କନ୍ୟାମାନେ କରନ୍ତି ମଙ୍ଗଳ ଧୁନି

ସର୍ବ ଶୁଭ ଅନକୂଳେ ଚଳିଲେ ଫାଲଗୁନି ।୧୯୪।

ରଇବ୍ରତ ପର୍ବତୁଂ ବାହିୁଡ଼ିଲେ ଜଗବନ୍ଧୁ

ସମସ୍ତେ ଧନି ଧନି କରନ୍ତି ସୋହୋଦ୍ରା ସାଧୁ ସାଧୁ ।୧୯୫।

ସାତୁକୀ ଅକ୍ରୁର ଯେ ପଦ୍ମନ ଶତଧନୁ

ୟେମାନେ ତୁଲେ ଯାନ୍ତି ଯେ ଦ୍ୱାରିକା ଭୁବନୁଂ ।୧୯୬।

ଅନେକ ରଥ ଗଜ ଅନେକ ଯୋଗାଡ଼ନ୍ତ ଘେନି

ତୁଲେଣ ଗଣିକା ଗଣେ ସହସ୍ରେ କାମିନୀ ।୧୯୭।

ଅନେକ ରାଜ୍ୟେ ଯେ ଆସନ୍ତି ଦେବେ ପଶି

ସକଳ ନରେନ୍ଦ୍ରମାନ ଅର୍ଘ ଦିଅନ୍ତି ସେ ଆସି ।୧୯୮।

ବହୁତ ଅକ୍ଷତ ଯେ କରନ୍ତି ଦଣ୍ଡପତି

କୁଞ୍ଜଗଳ ଦେଶେ ପ୍ରବେଶ ଚକ୍ରବ୍ରତୀ ।୧୯୯।

ୟେମନ୍ତ ସମୟରେ ଦେଶାଉର ମୁନେହିଂ

ଧୃତିରାଷ୍ଟ ଅଗ୍ରତେ ବାରତା ଯାଇ କହିଂ ।୨୦୦।

ସ୍ୱାମୀ ସୋହୋଦ୍ରାକୁ ବିଭାହୋଇ ଆସଇ ଫାଲଗୁନି

ଅନେକ ସାନନ୍ଦେ ଆସନ୍ତି କନ୍ୟାରତ୍ନ ଘେନି ।୨୦୧।

ବାରତା ପାଇଣ ସେ ଅମ୍ବିକାର ସୁତ

ବିଜେ କୁରୁବୀର ଦ୍ରିଯୋଧନର ଅଗ୍ରତେ ।୨୦୨।

ବାବୁ ଅର୍ଜୁନ ଘେନି ଆସୁଅଛି କନ୍ୟା ଗୋଟି

ସନ୍ୟବଳ ଘେନି ତୁ ଯାଆ ଯା ପାଛୋଟି ।୨୦୩।

ତୁଲେଣ ଅଛନ୍ତି ଜଗନ୍ନାଥଂକର ପୁତ୍ରମାନେ

ଅନୁମତେ ଭଗ୍ନୀକି ଦିଲେ ସଂକ୍ରିଷଣ କାହ୍ନେ ।୨୦୪।

ତୁମ୍ଭେ ଉଚ୍ଛବ ନ କରିବ ନ ଯିବ ପାଛୋଟି

ମନେ ଅନ୍ତର ତୋତେ କରିବେ ଯୁଝେଷ୍ଠି ।୨୦୫।

ଯେ ଅବା ପିଙ୍ଗଳ ଜାତି ହୁଅନ୍ତି ଅବା ରାଗୀ

ପ୍ରସ୍ତାବ ବାକ୍ୟ ଶୁଣି କୋପ ପରିତ୍ୟାଗୀ ।୨୦୬।

ବାବୁ ମୋହୋର ଶପତଟି ନ ଧର ଆନ ମନ

ଉଠ ଉଠ ଆସ୍ତାନୁ ବାବୁ ଯାଅ ତୁ ବହନ ।୨୦୭।

ଭୀଷ୍ମେ ଦ୍ରୋଣେ ବୋଇଲେ ଅନେକ ବିନୋୟୀ

ଆସ୍ତାନୁଂ ବାହାର ସେ ଯେ ହୋଇଲେ କୁରୁସାଇଂ ।୨୦୮।

ଅନେକ ରତ୍ନ ମଣ୍ଡିତ ବିଜେ ଗଜ ପିଠି

ମହା ସମ୍ଭରେ ରାଜା ବିଜେ ଧୃତିରାଷ୍ଟ୍ରି ।୨୦୯।

ଚଳଇ ମାନଗୋବିନ୍ଦ ହସ୍ତିନାରୁ ବାହାର ହୋଇ

ବଇଧବୀ ନଦୀ କୁଳେ ଭେଟିଲେ ଦେବ ଯାଇଂ ।୨୧୦।

ୟେକ ଭେଟ ହୋଇଣ ସେ ବେନି ସଇନି

ଉତାହୁଳ ବାଦ୍ୟ ବଜାନ୍ତେ କମ୍ପିଲା ମେଦିନୀ ।୨୧୧।

ବହୁତ ଆନନ୍ଦେ ବିହଡ଼ନ୍ତି ସର୍ବ ଯୋଧୀ

ଅସଂଖ୍ୟ ସାଗର ୟେ ଦୁତୀୟ ବାରାନିଧି ।୨୧୨।

କୁଞ୍ଜଗଳ ଦେଶ ଜିଣଇ ହସ୍ତିନାୟେ ପ୍ରବେଶ

ଦେଖିଣ ଭୁବନ ଜନେ ଅନେକ ବରଷ ।୨୧୩।

ପୁର ନାରୀଗଣମାନେ ଆସନ୍ତି ବର କନ୍ୟାଦେଖି

ଧାମନ୍ତି ଯୁବତୀମାନେ ଆଶ୍ରମ ଉପେକ୍ଷି ।୨୧୪।

ସମୋଦ୍ର ମନ୍ଥନେ ଯେହ୍ନେ ଲକ୍ଷ୍ମୀ ନାରାୟଣ

ରତିକି ଘେନି ଯେହ୍ନେ ବିଜୟେ ମୟାଣ ।୨୧୫।

ସମସ୍ତେ ସାନନ୍ଦ ହେଉଛନ୍ତି ତାହାନ୍ତ ଦେଖି

ଈଶ୍ୱରେ ବିଜେ କଲେ କି କପିଳାସ ଉପେକ୍ଷି ।୨୧୬।

ସାଧୁ ସାଧୁ ୟେ ପାଥ ସୁନ୍ଦର ଫାଲଗୁନି

ସାଧୁ ସାଧୁ ସୋହୋଦ୍ରା ୟେ ନନ୍ଦ ରାୟେର ନନ୍ଦିନୀ ।୨୧୭।

ମଞ୍ଚର ଧନ୍ୟ ଯେବଣ ପୁଣ୍ୟବନ୍ତୀ ଉପେକ୍ଷି

ଗାନ୍ଧାରୀ ବିଜେ କଲେ ପୁତ୍ରବଧୂନ୍ତ ଦେଖି ।୨୧୮।

ତୁଲେଣ ମହାଦେଈ ବିଜେ ଭାନୁବତୀ

ଅନେକ ପାଟଛତ୍ର ଚାମର ଢାଳନ୍ତି ।୨୧୯।

କୋଇନ୍ତା ଦେବୀ ଯେ ବିଜେ କଲେ ଗାନ୍ଧାରୀଂକ ପାଶ

ଆଗୋ ଉତ୍ସବ ଦେଖି ସଂସାର ଜନେ ହୋଇଛନ୍ତି ହରଷ ।୨୨୦।

ହରି ବଳରାମଂକର ସୋହୋଦ୍ରା ବହେଣୀ

ଦ୍ୱାରାବତୀ ବାରାନିଧି ଭୁବନ ମଣ୍ଡଣି ।୨୨୧।

ମା ଗୋ ବର କନ୍ୟା ଦର୍ଶନେ ପାପ ହୋଉ କ୍ଷୟେ

ଅନ୍ଧପଟଳ ଦଣ୍ଡେ ଫେଡ କିନା ମାୟେ ।୨୨୨।

ଆପଣେ ଥାଇଂ ପ୍ରଦାନ କଲେ ରାମଚନ୍ଦ୍ରେ

ଯେବଣ ସାଧବୀ ଦେଖୁଂ କିନା ସଉଭଦ୍ରେ ।୨୨୩।

ଗାନ୍ଧାରୀ ବୋଇଲେ ତୁମ୍ଭେ କହିଲ ଯେ ଭଲ

ସ୍ୱାମୀ ଅନ୍ଧପଟଳେ ମୋହୋର ଜୀବନ ବିଫଳ ।୨୨୪।

ସବୁଂକରି ମହିମା ମୁଂ ଜାଣିମି କେସନେ

ଧୃତିରାଷ୍ଟ୍ର ଦୃଶ୍ୟ ଯେବେ ହୋଇବ ନୟନେ ।୨୨୫।

ସ୍ୱାମୀ ମୋହୋର ଯେବେ ବସିଛି ଅନ୍ଧ ହୋଇ

ମୋହୋର ସମ୍ପଦ ଦେଖିବାର କାର୍ଯ୍ୟ କି ଅଛଇ ।୨୨୬।

ଯେହ୍ନେକ ଅର୍ଜିଲା ତେହେନେକ ଭୁଞ୍ଜି

ଆବର କିମ୍ପା ମୋତେ କୁଟୁମ୍ବ ଜନେ ଗଞ୍ଜି ।୨୨୭।

କ୍ରୋଧ ଅବସ୍ତା ହୋଇ ବୋଲଇ ଗାନ୍ଧାରୀ

ଅନେକ ବିନୋୟୀ ଦେବୀ କୋଇନ୍ତାୟେ ତିଆରି ।୨୨୮।

ଗାନ୍ଧାରୀ ବୋଇଲେ ଦେବୀ ଶୁଣ ଗୋ କୋଇନ୍ତେ

ସମ୍ପଦ ବିପଦ ଯେ ଅଟଇ ୟେକ ଅର୍ଥେ ।୨୨୯।

ତୁମ୍ଭର ବଚନେ ୟେ ସମ୍ପଦ ଦେଖିଲି

ଅନେକ ବିପଦ ଯେ ହୋଇବ ପୁଣ କାଲି ।୨୩୦।

ମା ଗୋ କର୍ମେ ଜାତ କଲି ଶତେ ପୁତ୍ର ଗୋଟି

ସମସ୍ତେ ଦୁଷ୍ଚ ସେ ଯେ ପୃଥୀକି ଭାରା ସେଟି ।୨୩୧।

ତୁ ସେ ସମ୍ପଦ ଗୋ ଦେଖିବୁ କୋଇନ୍ତା

ପୁଅ ତୋର ରାଜା ଗୋ ତୁ ହୋଇବୁ ରାଜମାତା ।୨୩୨।

ମୋହୋର ପୁତ୍ରେ ଯେ ମଧୁପିଙ୍ଗଳ ଜାତି

ତହିଂକି କ୍ଷୟେ କାଳ ମୋର ଶକୁନି ମହାମନ୍ତ୍ରୀ ।୨୩୩।

ଅଗାଦ ଜଳେ ଯେହ୍ନେ ଭେଳା ଦଦରା ନାବ

କେତେହେଂକ ଭାରା ସେ ଯେ ସହିଣ ପାରିବ ।୨୩୪।

ନର ଚଣ୍ଡାଳେକ ସେ ହୋଇବେ ୟେକ ମେଳା

ଦଣ୍ଡେକ ଅଛି ଗୋ ବୁଡ଼ିବାକୁ ମୋର ଭେଳା ।୨୩୫।

ଆମ୍ଭର ପୁଣ୍ୟମାନ ଗୋ ଜାଣିମା କେସନେ

ଧୃତିରାଷ୍ଟଂକୁ ମରଣ ଯେବେ ହୋଇବ ବହନେ ।୨୩୬।

ତାହାଂକର ନିଧନେ ଯେ ମୁହିଂ ନ ବ୍ରତିବି

ୟେ ପୁତ୍ରମାନଂକର କଷ୍ଟ ମୁଂ ନ ଦେଖିବି ।୨୩୭।

ତୁ ସେ ଆନନ୍ଦ ହୋଇବୁ ପୁତ୍ରଂକ ଉଚ୍ଛବ ଦେଖି

ଧର୍ମଦେବତା ତୋତେ ଦିଲେ ବେନି ଆଖି ।୨୩୮।

ତୋହୋର ଜୀବନ ସାର୍ଥୁକ ଗୋ ଦେବୀ କୋଇନ୍ତା

ଜାଣିଣ ସ୍ରିଜିଲା ତୋତେ ଧର୍ମ ଯେ ଦେବତା ।୨୩୯।

କୋଇନ୍ତାୟେ ବୋଇଲେ ଗାନ୍ଧାରୀ ବଚନ ଶୁଣି

ଆପଣାର ସମ୍ପଦ ଦେଖି ନ ପାରିଲୁ ଗୋସାମଣୀ ।୨୪୦।

ତୋହୋର ପୁତ୍ର ଯେ ରାଜା ମାନଚକ୍ରବତୀ

କୁଞ୍ଜଗଳେ ମଉଡ଼ମଣି ପଞ୍ଚୁ କଟକେ ଆଧିପତି ।୨୪୧।

ମୋହୋର ପୋୟେ ଗୋ ବୁଲନ୍ତି ଘୋରବନ

ଭିକ୍ଷା ଆହାରେ କନ୍ଦମୂଳେ ନିଅନ୍ତି ଦିନ ।୨୪୨।

ପୁତ୍ରର ସମ୍ପଦକୁ ମୋହୋର ପରମ ହିଂସା ବହୁ

ଆପଣାର ସମ୍ପଦକୁ ମା ଗୋ ୟେମନ୍ତ ସେ କହୁ ।୨୪୩।

ୟେମନ୍ତର ସମୟେ କନ୍ୟା ଘେନିଣ ଧନୁର୍ଜୟେ

ପ୍ରଳମ୍ବିତ ବାସବି ଗାନ୍ଧାରୀ କୋଇନ୍ତାଂକ ପାୟେ ।୨୪୪।

ପୁତ୍ରବଧୂନ୍ତ ଦେଖି ସାନନ୍ଦ ଦେବୀ ମନେ

ଗାନ୍ଧାରୀ କୋଳେ ବସାଇଲେ ସୋହୋଦ୍ରା ଅରଜୁନେ ।୨୪୫।

ଦ୍ରୋପତୀ ଭାନୁବତୀ କୋଇନ୍ତାଂକର ତୁଲେ

ଶ୍ରୀକରେ ଅର୍ଘ ଘେନି ଭିତରେ ପଶିଲେ ।୨୪୬।

ଅର୍ଜୁନର ଶିରେ ଅର୍ଘ ଯେ ଦିଅନ୍ତି

ଅନେକ ଶୁଭ ମଙ୍ଗଳ ବାଞ୍ଛା ସେ କରନ୍ତି ।୨୪୭।

ଅନେକ ଉଚ୍ଛବ ସେ ଯେ ଦିଅନ୍ତି ବଧାଇ

ମା ଗୋ ସୁପୁରୁଷକୁ ସୁସ୍ତିରୀ ଥିଲା ଜନ୍ମ ହୋଇ ।୨୪୮।

ଅନେକ ପ୍ରଶଂସା କରନ୍ତି କୋଇନ୍ତା ଗାନ୍ଧାରୀ

ସମସ୍ତ ନାରୀମାନେ ଶୁଭ ଅବଧାରୀ ।୨୪୯।

ନିଜ ନବରେ ପରବେଶ ବର କନ୍ୟା ଘେନି

ବିଳସଇ ସୋହୋଦ୍ରାକୁ ସେ ବୀର ଫାଲଗୁନି ।୨୫୦।

ଶୁଣ ହୋ ଯୋଗେଶ୍ୱର ବଦନ୍ତି ଅଗସ୍ତି

ଅର୍ଜୁନ ସୋହୋଦ୍ରାର ହୋଇଲା ଅନେକ ପୀରତି ।୨୫୧।

ରତି ରଙ୍ଗରସ ଭୋଗ ଯେ ବିଳାସ

ହସ୍ତିନାୟେ ଅର୍ଜୁନ ରହିଲା ପାଞ୍ଚ ମାସ ।୨୫୨।

ଦ୍ରୋପତୀ ବିଜେ କଲେ ଅର୍ଜୁନର କତି

ପ୍ରିୟ ବଚନ ସେ କହନ୍ତି ଉକତି ।୨୫୩।

ମାୟା ବ୍ରାହ୍ମଣ ବଚନେ ପଶିଲ ଅନ୍ତପୁରେ

ଧର୍ମରାଜା ସଙ୍ଗ ୟେକାନ୍ତ ସମୟରେ ।୨୫୪।

ତଦ ନିମନ୍ତେ ଗଲ ଦ୍ୱାଦଶ ବରଷ ବନେ

ଦିନେ ଦିନେ ଖିନ ତନୁ ମୋର ଯେହ୍ନେ ଶୀତ ପବନେ ।୨୫୫।

ନିତ୍ୟେ ନିରେଖଇ ମୁଂ ତବ ଚନ୍ଦ୍ରମୁଖ

ଦିବସ ନ ସରଇ ବେଶ ବିଳାସ ମଣଇଂ ଦୁଖ ।୨୫୬।

ତବ ଗବନ ଦିନୁଂ ମୁଂ ବନଦୁର୍ଗା କଲି ଓଷା

ସେ ସର୍ବ ମାହେଶ୍ୱରୀ ପୂରୋଇଲେ ମୋହୋର ମନୀଷା ।୨୫୭।

କୃଷ୍ଣର ଭଗିନୀ ଆଣିଲ ରାମକୃଷ୍ଣ ଜିଣି

ଅପାଦ ଖଣ୍ଡିଲେ ତବ ଦୁର୍ଗତି ତାରିଣୀ ।୨୫୮।

ଶୁଣି ଧନୁର୍ଜୟେ ଯେ ହରଷ ଭାବ ମନ

କୋଳେ ଧରି ପ୍ରିୟା ମୁଖେ ଦିଲାକ ଚୁମ୍ବନ ।୨୫୯।

ଅନେକ ପୀରତି ହାସ୍ୟ ରସ ବିନୋଦେ

ନାନା ରସ କେଳି ଉପୁଜିଲା ଆନନ୍ଦେ ।୨୬୦।

ୟେମନ୍ତେ ସର୍ବସାଚୀ ରହିଲା ହସ୍ତିନା

ସୋହୋଦ୍ରା ସଙ୍ଗେ ପୀରତି ବଢିଲା ସଂପୂର୍ଣ୍ଣ ।୨୬୧।

ଶୁଣ ହୋ ଯୋଗେଶ୍ୱର ବଦନ୍ତି ଅଗସ୍ତି

ସୋହୋଦ୍ରାର ବିଭାୟେ ପରମ ରହସ୍ୟ ଗତି ।୨୬୨।

ରତିରଙ୍ଗ ରସେ ଭୋଗ ଯେ ବିଳାସ

ହସ୍ତିନାୟେ ଅର୍ଜୁନ ରହିଲା ପାଞ୍ଚ ମାସ ।୨୬୩।

ଶୁଣ ହୋ ବଇବସୁତ ମନୁ ବଦନ୍ତି ଯୋଗେଶ୍ୱର

ସୋହୋଦ୍ରା ବିଭା ଶୁଣି ଖଣ୍ଡିଲା ଦୁର୍ଗତି ତୋହୋର ।୨୬୪।

ଶ୍ରୀଚଣ୍ଡୀ ସାରୋଳା ଚରଣେ ବିନୟେ

ଶୂଦ୍ରମୁନି ସାରୋଳା ଦାସକୁ ରଖ ମହାମାୟେ ।୨୬୫।୧୬୮୫।

 

Unknown

ପୁଷ୍ୟାଭିଷେକ

ବଦୟନ୍ତି ଅଗସ୍ତି ଶୁଣ ବ୍ରହ୍ମବେତ୍ତା

ତଲୟେ ମନେକର ବଇବସୁତ ମନୁ ଶ୍ରୋତା ।୧।

ଶୁଣ ଶୁଦ୍ଧମନେ ମଧ୍ୟପର୍ବ ବାଣୀ

ଶୁଦ୍ରମୁନି ସାରୋଳାକୁ ରଖ ଚକ୍ରପାଣି ।୨।

ଜୟ ତୁ ଜଗନ୍ନାଥ ଦୁଖୀଜନଂକ ସୋଦର

ଭଗତବଚ୍ଛଳ ହରି କରୁଣା ସାଗର ।୩।

ଶ୍ରୀଚଣ୍ଡୀ ସାରୋଳା ଚରଣେ ଲୟେ ନିତି

ଜନ୍ମେ ଜନ୍ମେ ମୁହିଂ ଯେ ଦେବୀରେ ଭଗତି ।୪।

ନ ପଢି ପଣ୍ଡିତ ମୁଂ ମୂର୍ଖରେ ଆଭାସ

ବଦୟନ୍ତି ଶୂଦ୍ରମୁନି ସାରେଳା ଚଣ୍ଡୀ ଦାସ ।୫।

ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜା

ଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟ ପୂଜା ।୬।

ସୋହୋଦ୍ରାକୁ ବିଭା ହୋଇଲେ ଫାଲଗୁନି

ତହୁଂ କେବଣ କୃତ୍ୟ ହୋଇଲା କହିବା ମହାମୁନି ।୭।

ବଦୟନ୍ତି ଅଗସ୍ତି ମୁନି ଆଦି ବ୍ରହ୍ମବେତ୍ତା

ୟେକ ମନେ ଶୁଣ ମନୁ ବଇବସୁତ ଶ୍ରୋତା ।୮।

ଧନୁ ମାସ ଶୁକ୍ଳପକ୍ଷ ପଉର୍ଣ୍ଣମୀର ତିଥି

ସେଦିନ ପୁଷ୍ୟାଭିଷେକ ହୋଇବେ ଶ୍ରୀପତି ।୯।

ପଞ୍ଚ ଦିବସ ଥାଉଂ ଦେବ ଜଗନ୍ନାଥ

ଅକ୍ରୂରକୁ ଆଗ୍ୟାଂ ଦିଲେ ଘେନି ଆସ ପାଥ ।୧୦।

ପୁଷ୍ୟାଭିଷେକ ହୋଇବାର ପାଇଂ

ସୋହୋଦ୍ରା ଅର୍ଜୁନଂକୁ ଘେନି ଆସ ଯାଇଂ ।୧୧।

ଆଗ୍ୟାଂ ପରମାଣେ ଅକ୍ରୂର ଚଳିଗଲା

ହସ୍ତିନାରେ ଯାଇଂ ଅର୍ଜୁନ ଆଗରେ କହିଲା ।୧୨।

ଆପଣେ ଆଗ୍ୟାଂ ଦେଇଅଛନ୍ତି ଜଗନ୍ନାଥ

ସୋହୋଦ୍ରାଂକୁ ଘେନି ତୁଲେ ଦ୍ୱାରିକାକୁ ଚଳସି ହୋ ପାଥ ।୧୩।

ଧନୁର୍ଜୟେ କହିଲେ ଯାଇଂ ଯୁଝେଷ୍ଠିଂକ ଅଗ୍ରତେ

ନାରାୟଣଂକର ଆଗ୍ୟାଂ ମୁଂ ଦ୍ୱାରିକା ଯିବାର ନିମନ୍ତେ ।୧୪।

ପୁଷ୍ୟାଭିଷେକ ପୂର୍ଣ୍ଣମୀ ଦିବସେ ହୋଇବେ ଶ୍ରୀହରି

ତେଣୁ କରି ଦୂତ ସେ ପେଷିଲେ ଶ୍ରୀଘ୍ର କରି ।୧୫।

ଶୁଣିଣ ସାନନ୍ଦ ସେ ଯେ ହୋଇଲେ ଯୁଝେଷ୍ଠି

ବଧୂନ୍ତ ଘେନି ଦ୍ୱାରିକା ଚଳ ହୋ କିରୀଟୀ ।୧୬।

ଯୁଝେଷ୍ଠି ଦେବଂକର ଆଗ୍ୟାଂ ପରମାଣେ

ସୋହୋଦ୍ରା ଘେନି ପାଥ ବିଜୟେ ପୁଷ୍ୟେକ ବିମାନେ ।୧୭।

ଆଗେ ବାଟ କଢାଇ ସେ ଅକ୍ରୂର ସାରଥି ମହାମନ୍ତ୍ରୀ

ଦ୍ୱାରିକାରେ ବିଜେ କଲେ ବିଚିତ୍ରବୀର୍ଯ୍ୟ ନାତି ।୧୮।

ଆସ୍ତାନେ ବିଜେ କରିଛନ୍ତି ରାମ କୃଷ୍ଣେ

ଅର୍ଜୁନ ପ୍ରଣପତ୍ୟ ହୋଇଲେ ଦେବ ପାଦ ପୃଷ୍ଠେ ।୧୯।

ଅନେକ କଇଲାଣ କଲେ ହରି ବଳରାମେ

ତ୍ରଇଲୋକ୍ୟେ ଶୁଭ ଯଶ ତୋତେ ହୋଉ ଯେ ସାଂଗ୍ରାମେ ।୨୦।

ପୁଷ୍ୟାଭିଷେକ ଯାତ୍ରାର ବିଧାନେ

ଦ୍ୱାରିକାରେ ଉଚ୍ଛବ ଯେ କରନ୍ତି ରାଜା ଉଗ୍ରସେନ ।୨୧।

ଶ୍ରୀରାମ ଅଭିଷେକ ଯେସନେକ ବିଧି

ଦ୍ୱାରିକା ପୁରେ ଦେବ ରଙ୍ଗଯାତ୍ରା ପ୍ରସିଦ୍ଧି ।୨୨।

କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ବିଜେ କରିଅଛି ସେ ଦ୍ୱାରିକା ଭୁବନର ।୨୩।

ଶ୍ରୀଜଗନ୍ନାଥଂକର ରାମ ଅବତାର ଅଭିଷେକ

ଶୂନ୍ୟେ ବାହାନ ଆରୋହୀ ଦେଖନ୍ତି ବୃନ୍ଦାଅର୍କ ।୨୪।

ଆକାଶୁଂ ପୁଷ୍ୟ ବୃଷ୍ଟି କରଇ ମଘବା

ଜୟ ଜୟ ଧୁନି ଭାଷନ୍ତି ସର୍ବ ଦେବୀ ଦେବା ।୨୫।

ତ୍ରଇଲୋକର ନାଥ ଯେ ଜଗତ ଅଧିକାରୀ

ସନମୁଖେ ଅଭିଷେକ ହୁଅନ୍ତି ମୁରାରି ।୨୬।

ଅର୍ଜୁନକୁ ଘେନି ବିଜୟେ ଶ୍ରୀବତ୍ସି

ଜଗନ୍ନାଥଂକ ଜାନୁରେ ପାଥ ବସିଅଛି ।୨୭।

ଦେଖିଣ ପରମ ସନ୍ତୋଷ ଦେବ ବଳରାମ

ସାଧୁ ସାଧୁ ଧନୁର୍ଜୟ ତୋର ମାନବ ଜନ୍ମ ।୨୮।

ଅଂଶାବତାର ସେ ପ୍ରତକ୍ଷେ ଜଗନ୍ନାଥ

ତାହାଂକର କୋଳେ ବାବୁ ବସିବାକୁ ହୋଇଲୁ ସାମରଥ ।୨୯।

କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ରାମକୃଷ୍ଣଂକର ଶିରେ ନିଉଡ଼ନ୍ତି ନୀର ।୩୦।

ଅଭିଷେକ କାଳେ ଦେବେ କରନ୍ତି ସାଧୁ ସାଧୁ ଧୁନି

ପୁଷ୍ୟାଭିଷେକ ଦେବ ତ୍ରଇଲୋକ୍ୟ ଉତ୍ତମି ।୩୧।

ସାତୁକୀ କନକ ଦଣ୍ଡ ଘେନି ଅଛଇ ଦକ୍ଷିଣ ଭାଗେ

କନକ ଛତ୍ର ନେତ ଉଲାଖ ଅକ୍ରୂର ଧରଇ ଆଗେ ।୩୨।

ବିଜୟେ ଜଗମୋହନ ଚଢି ଶ୍ୱେତ ପାଟ ହାଥୀ

ଜଗନ୍ନାଥଂକର କୋଳେ ବିଜେ ଅର୍ଜୁନ ମହାରଥୀ ।୩୩।

ଭ୍ରମନ୍ତି ଦ୍ୱାରିକା ଭୁବନ ଯେ ଚଉବିଂଶ ଯୋଜନ

ଜୟ ଜୟ ଭାଷନ୍ତି ଯଏ ସକଳ ମୁନିଜନ ।୩୪।

ଭ୍ରମଣ ସାରି ବିଜୟେ ଦେବ ଚନ୍ଦ୍ରଶାଳା ପୁରୀ

ଖଟନ୍ତି ବିଳାଶୁଣୀୟେ ସୁଲଭ କୁମାରୀ ।୩୫।

ଆହାନିକ ସାରି ଦେବ ମୁଣୋହିର ବିଜେ

ବହୁତ ବିନୋପନ୍ତି ଅର୍ଜୁନକୁ ଦେବରାଜେ ।୩୬।

ମୁଣୋହିରୁ ଉଠି ଦେବ କରନ୍ତି ଆଞ୍ଚୋବନ

ଜୟ ଜୟ ଭାଷନ୍ତି ସକଳ ପୁରଜନ ।୩୭।

କର୍ପୂର ତାମ୍ବୁଳ ଦେବ କରନ୍ତି ଭୋଜନ

ରାତ୍ର ପ୍ରହରେକ ତହିଂ ଶେଜ୍ୟା ହୋଇଲା ଦିବ୍ୟସ୍ଥାନ ।୩୮।

ସୋହୋଦ୍ରାକୁ ଘେନି ବୀର ଧନୁର୍ଜୟେ

ରମଣ ମନ୍ଦିରେ ପ୍ରବେଶ ବାସବ ତନୟେ ।୩୯।

ଯେସନେକ ବେଭାରେ ହୋଇ ସଂସାରେ ପତି ପତିନୀ

ବିବିଧ ରଙ୍ଗ କ୍ରୀଡ଼ା କରନ୍ତି ଯେ ବେନି

ନାନା ବିନୋଦେ ସେ ପୁହାଇଲେ ରଜନୀ ।୪୦।

ଯଶୋଦା ଦଇବକିୀ ଦୁହେଂ ଛନ୍ତି ବସି

ଦ୍ୱାରିକାୟେ ବିଜେ କଲେ ନାରାଜ ମହଋଷି ।୪୧।

ନାରଦଂକୁ ଦେଖିଣ ଉଠିଲେ ଦେବୀ ବେନି

ପାଦ ଅର୍ଘ ଦେଇ ଚରଣେ କରନ୍ତି ଦଇନି ।୪୨।

ଅନେକ ପୂଜା ବିଧି କଲେ ବେନି ମାୟେ

ପୁଣ ପୁଣ ପ୍ରଣପତ୍ୟ ହୁଅନ୍ତି ନାରଦଂକ ପାୟେ ।୪୩।

ମୁନି ବୋଇଲେ ଗୋ ତୁମ୍ଭେ ଅଟ ମାହେଶ୍ୱରୀ

ପୂର୍ବ ତପ ଛଳେ ପୁତ୍ର ପାଇଲ ନରହରି ।୪୪।

ୟେହୁ ଜନ୍ମେଣ ତୁମ୍ଭେ ଯେ ନ କଲ କିଛି ଓଷା

ଉପୁରିକି ସଞ୍ଚିତ କିମ୍ପା ନ କଲ ମନୀଷା ।୪୫।

ଯଶୋଦାୟେ ବୋଇଲା ଭଲ କହିଲ ତପୋଧନୀ

ମହତ୍ୱ ଦ୍ରଶନେ ପ୍ରାଣୀ ହୁଅନ୍ତି ମହାଗ୍ୟାନୀ ।୪୬।

ଆମ୍ଭନ୍ତ କାରଣ ଯେ କରିବା ତପୋବନ୍ତ

ପୁଣ ଜନମ ହୋଇବୁ ହୋଇ ନାରାୟଣଂକ ମାତ ।୪୭।

ନାରଦ ବୋଇଲେ ଆମ୍ଭର ବ୍ରତେକ ସେ ଅଛି

ତାହା କଲେ ପ୍ରାପତ ହୋଇ ମନେ ଯାହା ବାଞ୍ଛି ।୪୮।

ଦେବକୀ ବୋଇଲେ ସେ କେବଣ ସନ୍ଦେହ

ନାରଦ ବୋଇଲେ ଆମ୍ଭନ୍ତ ମହାତମା ଧର୍ମ କଥା କହ ।୪୯।

ନାରଦ ବୋଇଲେ ତୁମ୍ଭେ ଶୁଣ ଗୋ ଦଇବକୀ

ପ୍ରସ୍ତାବି କହିବା ତୁମ୍ଭନ୍ତ ଧର୍ମ ଅର୍ଥ ବାକି ।୫୦।

ସକଳ ପୁରେ ପ୍ରବେଶ ଆମ୍ଭେ ସକଳ ଧର୍ମ ଜାଣୁ

ପଚାରିଲେ ଆମ୍ଭେ ଯେ ସମସ୍ତ କଥାହିଂ ବଖାଣୁ ।୫୧।

ମା ଗୋ କାମାକ୍ଷୀ ବୋଲି କରି ୟେକ ବ୍ରତ ଗୋଟିୟେ

ତାହା ଘେନିଲେ ଧର୍ମ ପ୍ରାପତ ହୋୟେ ମାୟେ ।୫୨।

ଦଇବକୀ ବୋଇଲେ ମୁନି ହେ ତୁମ୍ଭେ ପଣ୍ଡିତ ଭିଗ୍ୟଂବନ୍ତ

ତୁମ୍ଭର କହିଲେ ସିନା ଜାଣିମୁଂ ତଦନ୍ତ ।୫୩।

ଓଷାକଇଂ ଉପହାର ହୋଇବାକ କିସ

ୟେହା ସଞ୍ଚପି କହ ହେ ବ୍ରହ୍ମାଂକର ଶିଷ ।୫୪।

ଦେବକୀ ଯଶୋବନ୍ତୀ ଶୁଣନ୍ତି କହନ୍ତି ମୁନି ଦେବ

ଓଷାକଇଂ ମକର ମାସ ସମ୍ପଦ ତାର ହୋଇବ ।୫୫।

ମକର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ପବିତ୍ର

ବୃହସ୍ପତି ବାର ହୋଇବ ଶ୍ରବଣା ନକ୍ଷତ୍ର ।୫୬।

ତିଥି ବାର ନକ୍ଷତ୍ର ଯେ ୟେକ ଯୋଗ ହୋଇ ପଡ଼ି

ସେ ଓଷା ନାମ ହୋଇବ କୃଷ୍ଣ ଯେ ଗଉରୀ ।୫୭।

ଆଈ ଗୋ ଅପୋ ଡ଼ା ଭୂମି ଖଣ୍ଡି ଯେ ହୋଇବ ଯାଗଶାଳ

ଆହୂତି ଆରୋପଣ ହୋଇବ ଦିନ ଷୋଳ ।୫୮।

ସାମବେଦୀ ହୋଇବେ ପଞ୍ଚିଶ ସହସ୍ର ବ୍ରାହ୍ମଣ

ଯଜୁର୍ବେଦୀ ହୋଇବେ ପଞ୍ଚିଶ ସହସ୍ର ଜାଣ ।୫୯।

ଋକବେଦୀ ହୋଇବେ ପଞ୍ଚିଶ ସହସ୍ର ବରଣ

ଅଥର୍ବବେଦୀ ହୋଇବେ ପଞ୍ଚିଶ ସହସ୍ର ଜାଣ ।୬୦।

ୟେମନ୍ତେ ଲକ୍ଷେ ବ୍ରାହ୍ମଣ ହୋଇବେ ଚାରିବେଦୀ

ଅଜପା ମନ୍ତ୍ରେଣ ଲକ୍ଷେକ ଜପ ଯେ ପ୍ରସିଦ୍ଧି ।୬୧।

ସୁବର୍ଣ୍ଣର ହୋଇବ ଗୋ ଲକ୍ଷେକ ଦୀପାବଳୀ

ସୁବର୍ଣ୍ଣର ଲକ୍ଷେ ରୁଖା ହୋଇବ ଶତେକ ଅଙ୍ଗୁଳି ।୬୨।

ଲକ୍ଷେକ ଭାର ସୁବର୍ଣ୍ଣ ନିତ୍ୟେ ଦେଉଥିବ ଦାନ

ଷୋଳ ଦିନ ପରିଯନ୍ତେ ହେଉଥିବ ଅନ୍ନଦାନ ଅବିଚ୍ଛନ୍ନ ।୬୩।

ଯେତେକ ଜନ ଗୋ ଭୁଞ୍ଜିବେ ଛତ୍ରଶାଳେ

ସବୁକଇଂ ନବତନ ବସ୍ର ଦେବ ଭୁଞ୍ଜିବାର ବେଳେ ।୬୪।

ଅଷ୍ଟ ରତ୍ନେ ଖଞ୍ଜିଲାର ଲକ୍ଷେକ ଯେ ହାଥୀ

ଲକ୍ଷେ ଭାର ସୁବର୍ଣ୍ଣ ଦାନ ଦେବ ଦଇବକୀ ଯଶୋବନ୍ତୀ ।୬୫।

ଚୋଖାର ତୁରଙ୍ଗମ ଲକ୍ଷେକ ଯେ ହୟେ

ୟେତେକ ଦାନ ଦେବ ମଣ୍ଡନ୍ତି ରତ୍ନମୟେ ।୬୬।

ଆପଣା ବଂଶିକ ଗୋ ଲକ୍ଷେକ ସୁଲଭ କୁମାରୀ

ଆହୂତି ଦାନ ବେଳେ ଦେବ ଗୋ ଲକ୍ଷେକ ରତ୍ନ ଭରି ।୬୭।

ଲକ୍ଷେକ ରଥ ଅଷ୍ଟରତ୍ନେ ମଣ୍ଡିତ

ତାହା ଦାନ ଦେବ ୟେସନେକ ସଂଜାତ ।୬୮।

ୟେମନ୍ତେ ଦାନ ଦେବ ଲକ୍ଷେକ ସମସ୍ତ ଯୋଗାଡ଼ି

ଲକ୍ଷେକ ଦ୍ୱିଜବରକୁ ଦେବ ଲକ୍ଷେକ କୃଷ୍ଣାଞ୍ଜନ ଛଉରୀ ।୬୯।

କାମ୍ୟ ଶ୍ରାଦ୍ଧ କରିବ ଗୋ ଗଣ୍ଡା ଜୀବନ୍ତ ମାରି

ପିତୃ ତୋଷ ନିମନ୍ତେ ଗୋ କହିଲେ ନାରଦ ତପଚାରୀ ।୭୦।

ଲକ୍ଷେକ କୁମ୍ଭ ଗୋ ହୋଇବ ଗୁଆଘୃତ

ଲକ୍ଷେକ କୁଂଚା ଯେ ହୋଇବ ମଧୁଶାନ୍ତି ମତ ।୭୧।

ସୁବର୍ଣ୍ଣର ପୀଢା ଯେ ହୋଇବ ଲକ୍ଷେକ

ସୁବର୍ଣ୍ଣ ଥାଳୀ ଝରୀ ଯୋଗାଡ଼ିବ ଅନେକ ।୭୨।

ସୁବର୍ଣ୍ଣର ହୋଇବ ଲକ୍ଷେକ ଦେବତୀ

ପିଙ୍ଗଳ ବର୍ଣ ସବୁ କାମାକ୍ଷୀ ମୂରତି ।୭୩।

କୃଷ୍ଣ ବର୍ଣ୍ଣ ଧେନୁ ଗାଈ କୃଷ୍ଣ ବଛା ଲକ୍ଷେକ ସିଂଘ ପିଙ୍ଗଳ

ନିତ୍ୟେ ଦୋହନ ହୋଉଥିବ ମହୀଭାଗ ଶିବଆଳ ।୭୪।

ଲକ୍ଷେକ ପଳ ଲକ୍ଷେ କୁଂଚା ପଞ୍ଚାମୃତ ଦେବ

ଲକ୍ଷେକ ବ୍ରାହ୍ମଣ ତହିଂ ଯାଗରେ ବରିବ ।୭୫।

ମହା ଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ

ଲକ୍ଷେକ ଦେବୀ ଯେ ଲକ୍ଷେକ ଛାଗଳ ପରାଭବି ।୭୬।

ଷୋଳ ଦିନ ପରିଯନ୍ତେ ବସିବ ଦିବା ରାତ୍ରେ

ଆହାର ନିଦ୍ରା ଉପେକ୍ଷିବ ମଇଥୁନ ସହିତେ ।୭୭।

କ୍ରିୟାବନ୍ତ ହୋଇଣ ହୋଇବ ଶୁଚିବନ୍ତ

କ୍ରିୟା ଶୁଚି କଲେ ପ୍ରାପତ ହୋୟେ ବ୍ରତ ।୭୮।

ମିଥ୍ୟା ଅପବାଦୀ ଷୋଳ ଦିନ ପରିଯନ୍ତେ ନୋହିବ

ତଇକ ତାମ୍ବୋଳ ଯେ ନିଷେଧିଣ ଥିବ ।୭୯।

ମା ଗୋ ଛଡ଼ ସହସ୍ର ବ୍ରାହ୍ମଣ ବରଣ ହୋଇବ ପ୍ରଥମେ

ପୁରାଣ ଧୁନି ବାକ୍ୟ ହୋଉଥିବ ଅନୁକ୍ଷଣେ ।୮୦।

ପୁଷ୍ୟେକ ଅଛି ତାର ନାମ ଯେ ସୁଗନ୍ଧି

ଷୋଳ ଦିନକୁ ଥିବ ଲକ୍ଷେ ଲକ୍ଷେ ସମ୍ପଦି ।୮୧।

ୟେ ଭାବେ ଯେବେ ପ୍ରତିଷ୍ଠା କରିବ କାମାକ୍ଷୀ

ଜନ୍ମେ ଜନ୍ମେ ପୁତ୍ର ଗୋ ହୋଇବେ ଶ୍ରୀବଚ୍ଛି ।୮୨।

ଆପଣେ ବିଜୟ ଗୋ କରିବେ କାମାକ୍ଷୀ

ନାରାୟଣଂକୁ ପୁତ୍ର ରୂପେ ମାଗିବ ମନରେ ଶ୍ରିୟା ବାଞ୍ଛି ।୮୩।

ମା ଗୋ ପର ପୂରେ ପ୍ରବେଶ ପର ମନ ଆମ୍ଭେ ଜାଣୁଂ

ପଚାରିଲେ ଅବଶ୍ୟ ଆମ୍ଭେ ସତ୍ୟ ଯେ ବଖାଣୁଂ ।୮୪।

ଶୁଣି ପରମ ସାନନ୍ଦ ଯେ ଦେବକୀ ଯଶୋବନ୍ତୀ

ବ୍ରହ୍ମାର ନନ୍ଦନ ନାରଦଂକୁ କରନ୍ତି ଯେ ତୁସ୍ତି ।୮୫।

ଜୟ ତୁ ବ୍ରହ୍ମାଂକର ନନ୍ଦନ ବ୍ରହ୍ମବେତ୍ତା

ସାଧନ ପୁରୁଷ ତୁମ୍ଭେ ଭୂତ ଭବିଷ୍ୟ ଗ୍ୟାଂତା ।୮୬।

ଅଶକ୍ୟ ଶକ୍ୟ ତୁ କରାଉ ମହାମନ୍ତ୍ରେ

ଅବୋଧ ବୋଧ ହୋଅଇ ତୋହୋର କହନ୍ତେ ।୮୭।

ଅମାର୍ଗ ମାର୍ଗ ଯୋ ହୋଅଇ ଯାହାକୁ

ଅଜପା ଜପିଲୁଂ ତୁ ଅଣାକାର ପୁରୁଷକୁ ।୮୮।

କେଶବାସ ମୁକୁଳା କରିଣ ଉଲଗ୍ନ ଯେ ଶାୟୀ

ଭ୍ରୂକୁଟୀ ନୃତ୍ୟକୁ ବକ୍ର ନୟନରେ ଚାହିଂ ।୮୯।

ଭଣ୍ଡ ଗୀତ ଗାଇଣ ତୁ ଖତାଇଣ ନାଚି

ଜିଭ୍ୟା ହଲାଇଣ ତୁ ଉପର ହାଥ କରି ଯାଚି ।୯୦।

ଡକା ହକା କରିଣ ପୁଣ କ୍ଷଣକେ ପାରୁ ବୋବି

ଭଣ୍ଡ ତାଣ୍ଡବ କରି ତୁ ଅଣାକାର ପୁରୁଷ ସେବି ।୯୧।

ଆରେ ଦିଶୁ କିନା ବୋଲି ଭ୍ରଚ୍ଛନାୟେ ଦିଅନ୍ତି ଗାଳି

ଗାଲ ତୁଡ଼ି ପାଡ଼ି ଆପଣେ ଦେଉ କରତାଳି ।୯୨।

ଅମାର୍ଗେଣ ତୋତେ ଜାତ କଲେ ଦେବବ୍ରହ୍ମା

ପରମ ତପେ ତୋତେ ଚିହ୍ନିଲା ମହାତମା ।୯୩।

ଭଣ୍ଡ ପଣ ଦେଖିଣ ସେ କୁତୂହୋଳ ପୁରୁଷ

କୁତୂହୋଳେ ମହାତମା ହୋଇଲାକ ବଶ ।୯୪।

ଅତିଅନ୍ତ ତପୀ ତୁ ଅଣାକାର ସାଧି

ମହାଭଣ୍ଡ ପଣେ ତୁ କାର୍ଯ୍ୟେ କଲୁ ସିଦ୍ଧି ।୯୫।

ହସି ଅଣାକାରେ ତୋତେ ଦୃଶ୍ୟ ଯେ ହୋଇଲା

ତେଣୁ କରି ଧବଳହାର ଚିହ୍ନ ତୋର ଶରୀରେ ଲାଗିଲା ।୯୬।

ପରପଞ୍ଚ ରୂପେ ତୁ ପରମାନନ୍ଦ ଦେଖିଲୁ

ତେଣୁ କରି ପର ପୁରେ ପ୍ରବେଶ ହୋଇଲୁ ।୯୭।

କଳ୍ପ କଳ୍ପ ସେବା କରି ଯାହାକୁ ନ ଦେଖି

ଗାଳି କରି ତୁ ନିରାକାରଂକୁ ଦେଖି ।୯୮।

ଅଣାକାର ପ୍ରଭୁ ତୋତେ ପ୍ରସନ୍ନ ହୋଇଲା

କଳହ କରି ମୋତେ ତୋଷିଲୁ ବୋଇଲା ।୯୯।

ଭଣ୍ଡ କରି ମୋତେ ଲେଛିଣ କଲୁ ହିଆ

ତେଣୁ କରି ତୋତେ ନାମ ଦିଲେ କଳହପ୍ରିୟା ।୧୦୦।

କଳି କରି ମନ୍ଦ ବୋଲି ବୋଇଲୁ ମୋତେ ହୁଡ଼ି

ଅନୁବ୍ରତେ କାଖେ ଥାଇ ଯେ କଳି ଧୁକୁଡ଼ି ।୧୦୧।

କଳିବତା କଳିଛତା କଳିହୁଡ଼ା କଳି ତୋର ଘର

ନାମ ତୋର ୟେବେ ଯେ ଅଟଇ କଳିକତର ।୧୦୨।

ଯଦ୍ୟପି ଅମୃତ ଯୋଗାଡ଼ ତୋତେ ହୋଇବ ପ୍ରାପତି

କଳି ନ ପାଇଲେ ତୁହି ଯେ ନୋହିବୁ ତ୍ରିପୁତି ।୧୦୩।

ଭଣ୍ଡ ପଣେ ତୋଷ କଲୁ ସବୁଂକରି ଚିତ୍ତ

କଉତୁକ ଉପୁଜାଇଲୁ ତୁ ତାଣ୍ଡବ ନୃତ୍ୟ ଗୀତ ।୧୦୪।

ଅମାର୍ଗେ ତପେ ନାଥ ସୁଦୟା କଲା ତୋତେ

କଳି ଦ୍ୱନ୍ଦେ ବ୍ରତିଅଛୁ ତୁନିଯୁଗେ ପରିଯନ୍ତେ ।୧୦୫।

ମହାତ୍ମାର ରାଗ ବଚନେ ମହା ବ୍ରହ୍ମାମୂର୍ତ୍ତି

ତୋହୋର ମହିମାକୁ କ୍ଷମ ହୋଇବି କି ମୂଢମତି ।୧୦୬।

ତୁ ମହାଧାର୍ମିକ ଯେ ଅଭୟ ଅଶଂକା

କଳହ ଦୂର କରି କଳିକାଳ ମୋତେ ବଞ୍ଚା ।୧୦୭।

କନ୍ଦର୍ପ ପ୍ରାସକୁ ତୁ ପ୍ରକୃତି ମନ୍ଦ ଦୁଷ୍ଟ

ୟେହୁ ଜନ୍ମେ ମୋତେ କଳିକାଳ ଦଣ୍ଡ ନ ଭେଟ ।୧୦୮।

ମୁହିଂ ତୋହୋର ଦାସର ଦାସ ହେ ନାରଦ ମହଋଷି

କଳି କଳଂକେ ସେ ଧର୍ମ ହୋଅଇ ଭାସି ।୧୦୯।

ଯୁଗତେ କଳି ଯୁଗ ଯେ ଆବର ପାପ ମୋହ

କଳି ବଞ୍ଚାଇ ମୋତେ ଧର୍ମ କଥା କହ ।୧୧୦।

ଶରଣ ଉଦ୍ଧାରଣ ତୁ ପରମାନନ୍ଦ ବ୍ରହ୍ମ

ଉଦ୍ଧାର କର ମୋତେ ନ ଲାଗୁ କୃତାନ୍ତେକ ।୧୧୧।

ସ୍ୱାମୀ ଆଜହୁଂ ବଢିଲୁ ତୁ ଯେ କଳହ ପ୍ରକୃତି

ପ୍ରସନ୍ନ କରାଅ ମୋତେ କଳକୀ ମୂରତି ।୧୧୨।

ତୋତେ ଭଗତି ଭାବ ନାଥ କଲଇଂ ମୁଂ ଇଚ୍ଛା

ଭବ ସମୁଦ୍ରେ ନାଥ ପୂରାଅ ମନବାଞ୍ଛା ।୧୧୩।

ଶ୍ରୀ ନାରଦଂକ ବଚନ ମୋର ହୃଦଗତେ ପଶୁ

ନାରଦଂକର କଳ୍ପ ଆୟିଷ ମୋତେ ଆସୁ ।୧୧୪।

ପାର୍ବତୀଂକ ବଲ୍ଲଭ ଚରଣ ରେଣୁ ଶିରେ ଘେନି

ବଦନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୧୧୫।

ହୃଦରେ ଚିନ୍ତିଲି ଯାହା ଗୋମାମଣୀ ବୋଇଲେ

ସଂସାର ପାତକ ଧଂସିବ ଶ୍ରୀ ବିଷ୍ଣୁ ପୁରାଣ ଶୁଣିଲେ ।୧୧୬।

ସୋହୋଦ୍ରା ହରଣେ ଯାହା କହିଲେ ଅଗସ୍ତି

ଗୀତ ରସେ କହିଲି ମଧ୍ୟପର୍ବ ରୀତି ।୧୧୭।

ନ ପଢି ପଣ୍ଡିତ ମୁଂ ହୋଇଲି ବ୍ୟାସମୁଖୀ

ନ ପଢିଲି ଅକ୍ଷର ମୁଂ ଶାହାସ୍ର ନ ଦେଖି ।୧୧୮।

ବେଦ ମନ୍ତ୍ର ପ୍ରାପତ ମୋତେ ହୋଇଲା ଶୂଦ୍ର ଜନ୍ମେ

ବୋଲାଇଲି ଶୂଦ୍ରମୁନି ବାକ୍ୟ ଦେବୀର ପ୍ରସନ୍ନେ ।୧୧୯।

ଅସଂଖ୍ୟ ସାଗର ୟେ ଅଗୋଚର ମହାଭାରଥ ବାଣୀ

ସୋହୋଦ୍ରା ହରଣ ମୁଂ କରିଲି ସମାପତ ଆଣି ।୧୨୦।

ସିଦ୍ଧ କାନ୍ତାନୀ ଗୋ ଜଙ୍ଖେର ପୁରବାସୀ

ସୁଗନ୍ଧକ ହରଣ କହିବି ମୋତେ ଆଗ୍ୟାଂ ଯେ ଦେଅସି ।୧୨୧।୧୭୭୯।

 

Unknown

ସୁଗନ୍ଧିକା ହରଣ

ୟେଥୁ ଅନ୍ତେ ନାରଦଂକୁ ତୁସ୍ତି କରି ଦଇବକୀ ଯଶୋବନ୍ତୀ

ଓଷାର ଚରିତ ଯାହା କହିଲା ବ୍ରହ୍ମପତି ।୧।

ସମସ୍ତ ସମ୍ପାଦ କରି କହିଲ ପରିପୂର୍ଣ୍ଣେ

ସୁଗନ୍ଧିକା ପୁଷ୍ୟ ପାଇବୁଂ କେଉଣ ସ୍ଥାନେ ।୨।

ନାରଦେ ବୋଇଲେ ସେ ଦୁରାପଦ ଠାବେ ଅଛି

ଆଣିମାକୁ ଯେବେ ଗୋ ଲୋକ ପାର ସଞ୍ଚି ।୩।

ଯେବଣ ଭୁବନେ ଅଛି କୁସୁମ ସୁଗନ୍ଧି

ହରି ବଳରାମଂକ ବେଳେ ନୋହୋଇ ସେ ସାଧି ।୪।

ସୁଗନ୍ଧିକ ପୁଷ୍ୟ ଯେ ଅଛଇ ଅପ୍ରମିତ

ଲଂକା ଧଂସନ ବାନ୍ଦର ଆଶ୍ରେ କରି ତାହା ଥାଇ ଅନୁବ୍ରତ ।୫।

ୟେହା ଶୁଣି ଦଇବକୀ ଯଶୋବନ୍ତୀ ବିଷାଦ ଦୋଇଲେ ମନେ

କାହାକୁ ବୋଲିବୁ କେ ପୁଷ୍ୟ ଦେବ ଆନେ ।୬।

ୟେମନ୍ତ ବିଷାଦେ ଯେ ବିସରନ୍ତି ମନେ

କରପତ୍ର ଯୋଡ଼ି ଉଭା ହୋଇଲା ଫାଲଗୁନ୍ୟେ ।୭।

ଭୋ ମୁନି ପରମ ପୁରୁଷ ମୋତେ ଆଗ୍ୟାଂ ଦେବା

ମୁହିଂ ଯାଇ ପୁଷ୍ୟ ଆଣି ପାରଇଟିକି ଅବା ।୮।

ଆଈମାନେ ଗୋ ସମ୍ଭାର ସଜ ତୁମ୍ଭେ କର

ସୁଗନ୍ଧିକା ଯେତେ ଲାଗଇ ସେ ହୋଇଲା ମୋହୋର ଭାଗର ।୯।

ଯଦ୍ୟପି ପକ୍ଷ ନାଗ ତାହା ଅଛି ଆବୋରି

କାଳକୁ ନିକଳଂକ କରିବି ସେ ପକ୍ଷ ରାକ୍ଷସଂକୁ ମାରି ।୧୦।

ଶୁଣି ସାନନ୍ଦ ହୋଇଲେ ଯଶୋବନ୍ତୀ ଦଇବକୀ

ନାରଦନ୍ତ ଘେନି ଗଲେ ରାମକୃଷ୍ଣର କତିକି ।୧୧।

ମାତାୟେ ବୋଇଲେ ବାବୁ ଶୁଣ ରେ ରାମହରି

ନାରଦେ କହିଲେ ବ୍ରତ କୃଷ୍ଣ ଯେ ଗଉରୀ ।୧୨।

ୟେ ଓଷା ଯେବେ ଆମ୍ଭେ ସମ୍ପାଦନା କରିବୁ

ଜନ୍ମେ ଜନ୍ମେ ତୁମ୍ଭର ଆମ୍ଭେ ମାତା ଯେ ହୋଇଥିବୁ ।୧୩।

ନାରଦଂକ ମୁଖ ଚାହିଂ କହନ୍ତି ନାରାୟଣ

କଳହପ୍ରିୟ ମହାତମା କାହା କରିଛ ଭିଆଣ ।୧୪।

ନାରଦେ ବୋଇଲେ ହୋ ତୁମ୍ଭେ ଶୁଣ ପଦ୍ମଲାଭ

ଦେବ ସ୍ତିରୀୟେ ଓଷା ମଧ୍ୟପୁରକୁ ଦୁଲଭ ।୧୫।

ବାବୁ ନାରଦଂକୁ ନ ଭାଙ୍ଗ ବୋଇଲେ ବଳଦେବ

ମଞ୍ଚପୁରେ ହେଉ ସେ କୃଷ୍ଣଗଉରୀ ଉଚ୍ଛବ ।୧୬।

ବାବୁ ଆମ୍ଭେ ଯେ ହୋଇଲୁ ମଞ୍ଚପୁରେ ଉତପତ୍ତି

ସମସ୍ତ ଜନଂକୁ ୟେ ଓଷା ହେଉ ପରାପତି ।୧୭।

ନାରଦେ ବୋଇଲେ ଅର୍ଜୁନକୁ ଆଗ୍ୟାଂ ଦେବା ହୃଷୀକେଶି

ସୁଗନ୍ଧିକ ପୁଷ୍ୟ ଆଣୁ ନିଳେନ୍ଦୀ ସରୋବରେ ପଶି ।୧୮।

ଅର୍ଜୁନ ବଦନ ଚାହିଂ ବୋଲନ୍ତି ଶ୍ରୀବଚ୍ଛି

ଆଣି ପାରିବୁ କି ହୋ ସୁଗନ୍ଧିକା ବିବଚ୍ଛି ।୧୯।

ଅର୍ଜୁନ ବୋଇଲେ ଦେବ ତହିଂକି ନ କରିବ ଚିନ୍ତା

ଯେତେକ ସୁଗନ୍ଧିକା ଲାଗଇ ମୁହିଂ ସେ ଦିଅନ୍ତା ।୨୦।

ନାରଦଂକ ବଦନ ଚାହିଂଲେ ପରମ ଯୋଗୀ

ବ୍ରତର ଭିଆଣ ତୁମ୍ଭେ କର ବେଗି ବେଗି ।୨୧।

ଦ୍ୱାରିକା ଭୁବନ ଈଶାନ କରଛାଡ଼େ

ନୀଳ ସୁନ୍ଦର ବଟ ଉତ୍ତର କୂଳ ଆଡ଼େ ।୨୨।

ଆହୁଟ ଯବ ପ୍ରମାଣେ ଅଛି ଅପୋଡ଼ା ଭୂମି ଖଣ୍ଡି

ବିଜୟେ ମାହେଶ୍ୱରୀ ତହିଂ ବିଲଂକା ନାମେ ଚଣ୍ଡୀ ।୨୩।

ତାହାନ୍ତ ଆଗ୍ୟାଂ ମାଗିଣ ନନ୍ଦର ଯେ ବାଳ

ସେ ସ୍ଥାନ ଆବୋରି ଶୁଭ ଦିଲେ ଯାଗଶାଳ ।୨୪।

ଯେତେକ ବିଶ୍ୱକର୍ମା ଘଟଣ ବିନ୍ଧାଣୀ

ଅନେକ ରତ୍ନମାନ ଦିଲେ ତାଂକୁ ଆଣି ।୨୫।

ଆପଣେ ଥାଇଣ ନାରଦ ମହଋଷି

ସମସ୍ତ ଯୋଗାଡ଼ମାନ ଭିଆବନ୍ତି ବସି ।୨୬।

ଶ୍ରୀକୃଷ୍ଣ ବଳରାମ ପୁଚ୍ଛା କଲେ ପାଥକୁ

ତୋହୋର ସମସ୍ତ ପ୍ରାପତ ହୋଇବ ଆମ୍ଭଂକୁ ।୨୭।

ଶୁଭ ଅନକୂଳ ଦିଲେ ସେ ଚକ୍ରପାଣି

ଚଳଇ ବାସବି ଯେ ସୁଗନ୍ଧିକା ପୁଷ୍ୟ ଆଣି ।୨୮।

ମକର ମାସ କୃଷ୍ଣପକ୍ଷ ଦୁତୀୟାର ଦିନ

ଭଉମବାର ମଘା ନକ୍ଷତ୍ର ବିଦ୍ୟମାନ ।୨୯।

ବାୟବ ନାମେ କରଣ ଶୁଭ ନାମେ ଯୋଗ

ମକର ସଂକରାନ୍ତିକି ସତର ଦିନ ଭୋଗ ।୩୦।

ବେଳ ମଧ୍ୟମାନେ ମେଷ ଲଗ୍ନ ବେଳା

ଦକ୍ଷିଣ ଭାଗେ ଯୋଗିନୀ ସପ୍ତମେ ଚନ୍ଦ୍ରକଳା ।୩୧।

ତିଥି ବାର ନକ୍ଷତ୍ର ଯୋଗ କରଣ ଅନକୂଳ ଘେନି

ପଛିମ ପ୍ରଦେଶେ ଚଳଇ ଫାଲଗୁନି ।୩୨।

ନାରଦ ବୋଇଲେ ଶୁଣ ଜନାର୍ଦ୍ଦନ

ଅର୍ଜୁନ ଯାଉଅଛି ଯକ୍ଷ ରାଜାର ମଧୁବନ ।୩୩।

ନିଳେନ୍ଦୀ ସରୋବର ଯକ୍ଷ ରାଜା ପ୍ରତିପାଳି

ତୋହୋର ଭୟରେ ଯମୁନାରୁ ଯାଇ ପଶିଅଛି କାଳୀ ।୩୪।

ସେ ସୁଗନ୍ଧି ପୁଷ୍ୟେ ଆବୋରି ଅଛନ୍ତି ସର୍ପେ

ଅର୍ଜୁନ ମର୍ଦ୍ଦିପାରିବଟି କି କାଳି ନାଗର ଦର୍ପେ ।୩୫।

ଶୁଣିଣ ନାରାୟଣ ସୁମରିଲେ ଖଗେଶ୍ୱର ବଇନେତ୍ର

ତୁରିତରେ ମିଳିଲା ଆସି ବିନତାର ସୁତ ।୩୬।

ଅର୍ଜୁନ ବଦନ ଚାହିଂ ବୋଲନ୍ତି ଜଗନ୍ନାଥ

ବଇନେତ୍ର ପିଠିରେ ବିଜେ କର ହୋ ବୀର ପାଥ ।୩୭।

ଜଗନ୍ନାଥଂକର ବଚନ ଶିରେ ଘେନି

ଖଗେଶ୍ୱର ପାଦେ ପାଥ କରଇ ଦଇନି ।୩୮।

ସ୍ୱାମୀ ନାରାୟଣ ବିଜେ କରନ୍ତି ତୋର ପିଠି

ମୁହିଂ କ୍ଷମ ହୋଇବି କି ମାନବ ଜନ୍ମ ହେଟି ।୩୯।

ଗରୁଡ଼ ବୋଇଲ ପାଥ ତୁମ୍ଭେ ନ ବୋଲ ୟେମନ୍ତ

କେ ତୁମ୍ଭନ୍ତ ଭିନ୍ନାଭିନ୍ନ କରିବ କୃଷ୍ଣ ପାଥ ।୪୦।

ନର ନାରାୟଣ ତୁମ୍ଭେ ଅନେକ ମୂରତି

ମେଖଳା ଅନ୍ତରଟି ତୁମ୍ଭେ ୟେକଇ ଶକତି ।୪୧।

ଅର୍ଜୁନ ବୋଇଲେ ତୁମ୍ଭେ ରାମ୍ୟେକ ଦୀପେ ଥିବ

ମୋତେ ଅଗୋଚର ପଡ଼ିଲେ ମୁଂ ସୁମରିଲେ ଆସିବ ।୪୨।

ଗରୁଡ଼ ବୋଇଲେ ମୋତେ ସୁମରିଲେ ଦେବ ହରି

ବହନ ଯିବା ମୋର ପିଠିରେ ବିଜେ କରି ।୪୩।

ଅନେକ କଷ୍ଠୋରେ ଯହୁଂ ବୋଇଲେକ ପକ୍ଷୀରାଜେ

ବଇନେତ୍ର ପିଠିରେ ଯାଇଂ ଅର୍ଜୁନ କଲେ ବିଜେ ।୪୪।

ଶ୍ରୀଭୁଜେ ଶୋଭାବନ ଲକ୍ଷେ ବଳ ଗାଣ୍ଡିମ ଧନୁ

ପ୍ରତକ୍ଷେ ନାରାୟଣ କି ବିଜେ କଲେ ଗଗଂନୁ ।୪୫।

ସୁର ମଧୁବନ ସେ ଗନ୍ଧମାଦନ ନାମେ ପୁର

ମନ୍ଦର ପରବତକୁ ୟେଗାର ସହସ୍ର ଯୁଣ ଦୂର ।୪୬।

ପବନହୁଂ ଚଞ୍ଚଳ ସେ ଅଟଇ ଖଗେଶ୍ୱର

ୟେକ ରାତ୍ରକେ ପ୍ରବେଶ ସେ ଶକ୍ର ରାଜାର ବନସ୍ତର ।୪୭।

ବେଳାକ ମଳୟ ଅନନ୍ତ ବଜ୍ର ଗିରି

ମଧ୍ୟରେ ସରୋବର ଚାରିଆଡ଼େ ପର୍ବତ ଚାରି ।୪୮।

ଜନବୋଧନ ବୋଲି ଅଛି ୟେକଇ କଳ୍ପବଟ

ସେ ବଟ ଅଟଇ ସିନ୍ଧୁ ଦକ୍ଷିଣ ଭାଗ ତଟ ।୪୯।

ମଧ୍ୟେ ସରୋବର ଅଛି ଅଶିୟେ ଯୋଜନ

ପଞ୍ଚଦଶ ଯୋଜନ ସେ ଗଭୀରଟି ଘେନ ।୫୦।

ତହିଂର ଭିତରେ ଅଛଇ ପୁଷ୍ୟ ଯେ ସୁଗନ୍ଧି

ନିରନ୍ତରେ କମଳ ସେ ଘଞ୍ଚାଳ ଘୋଟିଛି ଜଳଧି

ସେ ପୁଷ୍ୟଂକର ତେଜ ଯେ ବାଳ ଅର୍କ ଜାଣି

ତେଜେ ଉଜ୍ୱଳ ଦିଶଇ ଉଦେ କି ଦିନମଣି ।୫୨।

ଯମୁନାର ଜଳ ପ୍ରାୟେ ସେ ଜଳ ଝଲକଇ

କଜ୍ଜଳ କଳା ପ୍ରାୟେ କ ପୁଣ ସେ ଦିଶଇ ।୫୩।

ଆକାଶକଇ ତେଜ ଲାଗଇ ଜଳବିମ୍ୱୁ

ପର୍ବତେ ଥାଇଂଣ ଅର୍ଜୁନ ଦେଖଇ ସବୁ ।୫୪।

ମନ୍ଦାର ପୁଷ୍ୟ ଯେହ୍ନେ ପ୍ରଭାତେଣ ଝଳି

ମହାପ୍ରଳୟ ଜ୍ୱାଳା ତହିଂ ଲୁଚିଅଛି କାଳୀ ।୫୫।

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣସି ବଇନେତ୍ର

ୟେହି ବଟ ତଳେ ହୋଇଥାଅସି ଗୁପତ ।୫୬।

ମୁହିଂ ହାଦେ ଦେଖଇ ସେ କାଳିୟର ଦର୍ପ

ମୋତେ ଦେଖିଣ ଆସନ୍ତି ସେ କେତେ ସର୍ପ ।୫୭।

ବାମକରେ ଧନୁଶର ଦକ୍ଷିଣ କରେ ଯଷ୍ଟି

ବଟର ତଳେ ଉଭା ହୋଇଲେ କିରୀଟୀ ।୫୮।

ହରିନାଥ ରାଜା ଯେ ବନର ଆଧିପତି

ସେ ମଧୁବନ ରଖଇ ହରିବଳ ଚକ୍ରବ୍ରତୀ ।୫୯।

ସେ ଅପୂର୍ବ ପୁରୁଷକୁ ଦେଖି କପିବୀରେ

ଅର୍ଜୁନକଇଂ ଆସି ସେ ବେଢ଼ିଲେ ସମରେ ।୬୦।

କିଟି କିଟି ଶବଦେ ବିକରାଳ ଘୋର ମୁଖ

ଅଭୟେ କାଳୀମୁଖ ଦୁର୍ମୁଖ ଦଧିମୁଖ ।୬୧।

ଅଧର ବିକାଶି ଆସି ବେଢ଼ିଲେ ସର୍ବ ସଇନି

ଯଷ୍ଟିୟେକ କରେ ଘେନି କୋପେ ପିଟଇ ଫାଲଗୁନି ।୬୨।

ଧାତିକାରେ ଡେଇଂଣ ସେ ଉଠିଲେ ବୃକ୍ଷ ଶିଖେ

ଗୋଡ଼ାଇ ବାସବି ଯେ ପିଟଇ ଗରୁତାପେ ।୬୩।

ଡାଙ୍ଗେ ପିଟନ୍ତେଣ ନାହିଂ ତାଂକୁ ମୃତୁ

ବୃକ୍ଷ ଉପାଡ଼ିଣ ସେ ଧାଇଂଲେ କୋପ ହେତୁ ।୬୪।

ଶିଳାନ୍ତ ଘେନିଣ ସେ ଧାଇଂଲେ ବାନରେ

ଅର୍ଜୁନ ଉପରକୁ ସେ ମାରନ୍ତି ନିରନ୍ତରେ ।୬୫।

ବିମୁଖ ପାଇଣ ସେ ବୀର ଫଲଗୁନି

ଗୁଣ ନାଦ କରେ ପାଥ କରେ ଧନୁ ଘେନି ।୬୬।

ପୂରୋଇଲା ନାରାଜ ସେ ଆକ୍ରେଷି ଉଛୁଡ଼ି

ବିନ୍ଧିଲା ନାରାଜ ସେ ଦ୍ରୋଣେ ଗୁରୁ ସୁମରି ।୬୭।

ମନେ ମନେ ପାଥ ଧନୁର୍ବେଦ ସୁମରି

ନାରାଜ ପୂରୋଇଂ ସେ ବିନ୍ଧିଲା ଦୃଢ଼ କରି ।୬୮।

ଅବିଚ୍ଛନ୍ନେ ବାଣ ତହିଂ ବିନ୍ଧଇ ଧନୁର୍ଜୟେ

ବସିଲା ନାରାଜ ଯେ ବାନରଂକର କାୟେ ।୬୯।

ପଂକୁ ଫଳ ପ୍ରାୟେ ହୋଇ ଛଇଛାଡ଼େ ବାଣ ଫୁଟି

ଚାରି ଚାରି ନାରାଜ ଜଣକେ ହୋଇଲାକ ବୃଷ୍ଟି ।୭୦।

ଅନେକ ଶରଘାତ ହୋଇଣ ପଳାନ୍ତି ବାନରେ

ହନୁମନ୍ତକଇଂ ଭେଟିଲେ ଖିନିଖିନା ପର୍ବତରେ ।୭୧।

ବିକଳେ ଆକୁଳ ହୋଇ ପଳାବନ୍ତି ସଇନି

ସ୍ୱାମୀ ବୀରେକ ବିନ୍ଧଇ ନାରାଜ କରେଣ ଧନୁ ଘେନି ।୭୨।

ସଇନିର ଅବସ୍ତା ଦେଖିଣ ହନୁମନ୍ତ

କୋପେଣ ଧାଇଂଲା ସେ କରେ ଘେନିଣ ପରବତ ।୭୩।

ବାନର ବଳ ଭଞ୍ଜାଇ ଉଭା ବୀରମଣି

ଦିଶଇ ସୁନ୍ଦର କି ସେ ଜାଣି ଚକ୍ରପାଣି ।୭୪।

ହନୁମନ୍ତ ବିଜୟେ କଲା ୟେମନ୍ତର ସମୟେ

ଦେଖିଣ ନିର୍ଭୟେ ଯେ ହୋଇଲେ ଧନୁର୍ଜୟେ ।୭୫।

ରେ ରେ କାର ଶବଦ ତହିଂ କରଇ ଅରଜୁନ

ବାନ୍ଦରକଇ ବାଣ ବିନ୍ଧଇ ଅବିଚ୍ଛନ୍ନ ।୭୬।

ହନୁମନ୍ତ କୋପେ ପର୍ବତ ମାଇଲା ବୁଲାଇ

ଆରେ ଆରେ ମାନବ ତୋର ୟେଡେ ଦର୍ପ କିସ ପାଇଂ ।୭୭।

ପର୍ବତେକ ଉପାଡ଼ିଣ ହନୁମନ୍ତ ପିଟି

ବଜ୍ର ଶହସ୍ର ପେଷି ତାହା ଛେଦିଲା କିରାଟୀ ।୭୮।

ଦେଖିଣ ହନୁମନ୍ତର ନ ଫୁରଇ କିଛି

ୟେଡ଼େକ ଦର୍ପ ବୀରେ କେଉଂଣ ଭୁବନୁ ଆସିଛନ୍ତି ।୭୯।

ପୁଣ ପର୍ବତେକ ଧରି ମାରଇ ରାମ ଦୂତ

ବାବଲ ଶରେ ଛେଦିଲା ବୀର ପାଥ ।୮୦।

କୋପେଣ ହନୁମନ୍ତ ବଜ୍ର ମୁଥେକ ଉଞ୍ଚାଇ

ଅର୍ଜୁନ ଉପରକୁ ସେ ଆସୁଅଛି ଧାଇଂ ।୮୧।

ହନୁମନ୍ତର ମୂରତି ଦେଖିଣ ବାସବି

ବଜ୍ର ମୁନା ପଞ୍ଚୁଶର ପାବେନି ପରାଭବୀ ।୮୨।

ଯେସନେକ ସର୍ପେ ଯାଇଂ ପଶନ୍ତି ବିମ୍ୱରେ

ନାରାଜ ଭେଦିଲା ଯାଇଂ ତେହ୍ନେ ହନୁମନ୍ତ ଶରୀରେ ।୮୩।

ଶରୀର ଦିଶଇ ତାର ଡାଳିମ୍ୱ ପୁଷ୍ୟ ପ୍ରାୟେ

ରୋମେ ରୋମେ ଭେଦିଲା ଯେ ହନୁମନ୍ତର କାୟେ ।୮୪।

ଗାଢ ଶର ଘାୟେଣ ରୁଧିର ପଡ଼ଇ ଗଳି

ଶାନ୍ତି ମୂର୍ତ୍ତି ହୋଇଣ ପଚାରଇ ମହାବଳୀ ।୮୫।

ରହ ରହ ଉଚ୍ଚେଣ ହନୁମନ୍ତ ଡାକି

ବାବଲ ଶର ଯେ ହୃଦରୁ କାଢି ଦେଖି ।୮୬।

ନାରାଜ ଗୋଟି ଦେଖି ବିଚାରଇ କପି ଇନ୍ଦ୍ର

ୟେ ଶର ଘେନି ତ୍ରେତୟା ଯୁଗେ ଅସୁରନ୍ତ ଛେଦିଲେ ରାମଚନ୍ଦ୍ର ।୮୭।

ନୋହୋଇ ସାମାନ୍ୟ ୟେ ଅଟଇ ମାହଯୋଧୀ

ଅମର ଭୁବନ ତେଜି ବିଜୟେ କି ଜମ୍ଭୋଭେଦୀ ।୮୮।

କପିଳାସ ତେଜି କି ୟେ ବିଜୟେ ମହାଦେବ

କି ୟେ ଦେବକୀର ନନ୍ଦନ ଅଟନ୍ତି ବାସୁଦେବ ।୮୯।

ହନୁମନ୍ତ ବୋଲଇ ହୋ ମହାତମା ରହ ରହ

ନାରାଜ ସଂହରିଣ ବାରତା ମୋତେ କହ ।୯୦।

କିସ ନାମ ତୋହୋର କାହାର କୋଳେ ଜାତ

ମୋତେ ଅସମ୍ଭବ ହୋଇଲା ମାୟା ତୋହୋର ତ ।୯୧।

ମୁହିଂ ଯୋଗେଶ୍ୱର ଯେ ଖିନିଖିନା ଆଧିପତି

ଶ୍ରୀରାମଚନ୍ଦ୍ରଂକ ଦୂତ ମୁହିଂ ଅସୁର କୁଳ ମନ୍ଥି ।୯୨।

ପର୍ବତ ଘେନିଣ ମୁଂ ଯେ ବାନ୍ଧିଲି ବାରାଧି

ମହା ରଣରଙ୍ଗେ କଉଣୋପ ବଳ ଛେଦି ।୯୩।

ଅର୍ଜୁନ ବୋଇଲା ଛାର ପାମର ହେଟି କଥା

ସମୁଦ୍ରେ ବନ୍ଧ ବାନ୍ଧିବା କିଞ୍ଚିତ ବେବସ୍ତା ।୯୪।

ହନମନ୍ତ ବୋଇଲା ପାଣିରେ ଉପୁଚିଆଇଂଲୁ ଗିରି

ଶତେ ଚଉବିଂଶ ଯୋଜନା ସମୁଦ୍ର ବାନ୍ଧିଲୁ ଦିନାଚାରି ।୯୫।

ଅର୍ଜୁନ ବୋଇଲା ତୋର ୟେହେନେକ ବଳ

ମୁହିଂ ନିମିଷକେ ବାନ୍ଧି ପାରଇ ସିନ୍ଧୁ ଜଳ ।୯୬।

ହନୁମନ୍ତ କହିଲା ଯାହା ବୋଇଲୁ ଯେ ତୁଣ୍ଡେ

ନିମିଷକେ ବନ୍ଧ କେ ବାନ୍ଧି ପାରିବ ସପତ ବ୍ରହ୍ମଣ୍ଡେ ।୯୭।

ଅର୍ଜୁନ ବୋଇଲା ପର୍ବତ ଲୋଚାୟେ ମୁଣ୍ଡେ ବହି ଯେ ଆଣିଲ

ଭାଲୁକ ମର୍କଟ ଅନେକ ସଇନି ଲାଗିଲ ।୯୮।

ମୋହୋର ଶକତାପଣ ପ୍ରତକ୍ଷେ ଦେଖିବୁ କି ମର୍କଟ

ଲଂକା ଜମ୍ୱୁଦ୍ୱୀପେ କରିବି କ୍ଷଣେକ ୟେକ ବାଟ ।୯୯।

ହନୁମନ୍ତେ ବୋଇଲା ତ ଆସନି ମୋ ଭାଇ

ମିଛହେଂ ଦମ୍ଭ କହୁ କି ସଞ୍ଚୟେ ଅଟୁ ବାଇ ।୧୦୦।

ବୋଲଇ ଫାଲଗୁନି ଭାଙ୍ଗଇ ତୋର ଗାଲ

ବାନ୍ଧିବି ଶରେ ସାହେର ଦେଖ ହୋ କପିମଲ୍ଲ ।୧୦୧।

ଆସ ଆସ ବୋଲିଣ ହନୁମନ୍ତ କଢାଇଲା ବାଟ

ଦିବସକେ ହୋଇଲେ ଯାଇ ମହୋଦଧି ତଟ ।୧୦୨।

ଆରେ ଆରେ ପାମର ମିଛେହେଂ ବୋଲାଉ ଯୋଧୀ

ଚାରି ଦିବସ ମଧ୍ୟରେ ବାନ୍ଧିଲୁ ବାରାନିଧି ।୧୦୩।

ଶୁଣ ହୋ ମର୍କଟ ତୁହି, ବୋଲଇ ଫାଲଗୁନି

ମୁଂ ୟେହା ବନ୍ଧନ କରି ପାରଇ ଦଣ୍ଡ ତିନି ।୧୦୪।

ହନୁମନ୍ତ ବୋଇଲେ ଶହେ ଚଉବିଂଶ ଯୋଜନା ଦୀର୍ଘ

ବତିଶ ଯୂଣ ପ୍ରତି, ଦ୍ୱାଦଶ ଯୂଣ ଉତ୍ସର୍ଗ ।୧୦୫।

ବୋଲଇ ଧନୁର୍ଜୟେ ତୁମ୍ଭେ କହିଲ ନ ଜାଣି

ସମୁଦ୍ରଯାକେ ନାରାଜ ପୂରୋଇବି ୟେହିକ୍ଷଣି ।୧୦୬।

ହନୁମନ୍ତ ବୋଇଲା ଯାହା ତୁମ୍ଭେ ବୋଇଲ ବଚନ

କର୍ତ୍ତବ୍ୟେ ଯେବେ କରି ତାହା ଦେଖିବା ନୟନ ।୧୦୭।

ହନୁମନ୍ତ ବଚନେ କୋପିତ ଧନୁର୍ଜୟେ

ମନଭେଦୀ ନାରାଜକୁ ମନରେ କଲା ଧ୍ୟାୟେ ।୧୦୮।

ଯାହା ସେ ଦେଇଛନ୍ତି ବଶ୍ୟାନର ବହନି

ସେ ମନଭେଦୀ ନାରାଜ ଆସି ଭେଟିଲା ଫାଲଗୁନି ।୧୦୯।

ଅର୍ଜୁନ ବୋଇଲେ ତୁମ୍ଭେ ଯେ ମନଭେଦୀ ମହାଶର

ମୋତେ କଟାଳ ତ ୟେ ଯେ କରୁଛି ବାନ୍ଦର ।୧୧୦।

ୟେ ସାଗରେ ମହାବନ୍ଧ ତୁ ହୋଅ ୟେହିକ୍ଷଣି

ଲଂକାୟେ ହାବୋଡ଼ିବୁ ଶହେ ଚଉବିଂଶ ଯୋଜନ ଜିଣି ।୧୧୧।

ବାର ଯୋଜନ ଓସାର ହୋଇବୁ ଆୟତନ

ୟେତେକ ତିଆରିଣ ସେ ଛାଡ଼ିଲା ମନଭେଦୀ ବାଣ ।୧୧୨।

ଆଗ୍ୟାଂ ପରମାଣେ ମନଭେଦୀ ଶର ଗଲା

ସମୋଦ୍ର ଭିତରେଣ ସେ ବନ୍ଧେକ ହୋଇଲା ।୧୧୩।

ତାହା ଦେଖି ଆଶ୍ରିଯ ହୋଇଲା ଅଞ୍ଜନାର ବଳା

ସଞ୍ଚୟେ ମହାତମା ୟେ ନାରାୟଣଂକର କଳା ।୧୧୪।

ହନୁମନ୍ତ ବୋଇଲା ତୁ ବାନ୍ଧିଲୁ ନା ଶରେ ଶରେ

ଶୋଲ ଭେଳା ଜାଣି ଉପୁଚି ଅଇଲା ଜଳରେ ।୧୧୫।

ତୁ ମହାଛତ୍ରୀ ଜୀବନ ତୋର ଧନି

କାହାର ବେଳେ ବନ୍ଧ ବାନ୍ଧି ହୋୟେ ଶର ଘେନି ।୧୧୬।

ପର୍ବତର ବନ୍ଧ ସହିଲା ଯେତେକ ଭାର

ତାହା କେମନ୍ତେ ସହିବ ୟେ ଶରବନ୍ଧ ଛାର ।୧୧୭।

ରାମ ରାବଣ ବେନି ଜନଂକର ଥାଠ

ସେ ବନ୍ଧରେ ସମର ହୋଇଲେ ନ ଦିଶଇ ବାଟ ।୧୧୮।

ଅର୍ଜୁନ ବୋଇଲା ସେ ବନ୍ଧ ଯେ ହୋଇଲେ

ସହିବ ନାହିଂକି ଭାରା ମେରୁ ଉଠି ବସିଲେ ।୧୧୯।

ହନୁମନ୍ତ ବୋଇଲା ହୋ ସନ୍ୟ ବଳ ଛାଡ଼ି

ୟେକା ମୋହୋର ଉଠିଲେ ବନ୍ଧ ଯିବ ବୁଡ଼ି ।୧୨୦।

ଅର୍ଜୁନ ବୋଇଲେ ତୋହୋର ପରା ଲକ୍ଷେ

ଭୀଷ୍ମରୂପ ଧଇଲେ ସହିବ ନାହିଂକି ପ୍ରତକ୍ଷେ ।୧୨୧।

ରାମ ରାବଣ ଯେ ଉଠିବେ ସନ୍ୟ ବଳ ଘେନି

ସମର ହୋଉଥିବ ଯେ ଦିବସ ରୟଣୀ ।୧୨୨।

ଲକ୍ଷେ ରାବଣ ଯୁଦ୍ଧ କରନ୍ତୁ ୟେ ବନ୍ଧର ଉପର

ନିଚୟେ ନ ଲସିବ କହିଲୁ ନିକର ।୧୨୩।

ଦେଖିବୁ କି ବାନ୍ଦରରେ ପୁଣିହିଂ ବାନ୍ଧିବି

ଆହୁରି ୟେଡ଼େ ଦୀର୍ଘ ପ୍ରତି ବନ୍ଧକେ ବାନ୍ଧିବି ।୧୨୪।

ସ୍ୱର୍ଗ ମଞ୍ଚ ପାତାଳ ସୁତାଳ ରସାତଳ

ନିତାଳ ଭୂତାଳ ଅତିତାଳ ମହାତଳ ।୧୨୫।

ଦେବଲୋକ ନାଗଲୋକ ନରଲୋକ ଚଉଦ କୋଟି ଭୁବନର

କୋଟିୟେ ବ୍ରହ୍ମାଣ୍ଡ ଉଠଇ କିନା ବନ୍ଧର ଉପର ।୧୨୬।

ପ୍ରତକ୍ଷେ ଦେଖ ହୋ ସେତୁବନ୍ଧର କଥା

ଛତ୍ରୀବର ପ୍ରତଗ୍ୟାଂ ରହିବ ନାହିଂ କି ସର୍ବଥା ।୧୨୭।

ହନୁମନ୍ତ ବୋଇଲା ତୁମ୍ଭେ କହୁଅଛ ବହୁତ ଯେ ଗର୍ବ

ୟେକା ମୋହୋର ଭାରା କି ତୋ ଶରବନ୍ଧ ସହିବ ।୧୨୮।

ୟେତେକ ବୋଲିଣ ସେ ଅଞ୍ଚନାର ଶିଷି

ସେ ଶର ବନ୍ଧ ଉପରେ ହନୁମାନ ଉଠିଲା ଆକ୍ରେଷି ।୧୨୯।

ହନୁମନ୍ତ ଉଠନ୍ତେ ସେ ଶରବନ୍ଧ ନ ଟଳଇ

ରାଗେଣ ହନୁମନ୍ତ ଭୀଷ୍ମ ମୂର୍ତ୍ତି ପ୍ରକାଶଇ ।୧୩୦।

ଛଡ଼ଦଶ ସହସ୍ର ଯେ ଦଧିମୁଖା ସଇନି

ଲାଙ୍ଗୋଡ଼େ ବସାଇଲା ଯେ ବୀର ପାବେନି ।୧୩୧।

ଗଳାରେ ବନମାଳା ଲକ୍ଷେକ ପର୍ବତ

ମହାଭୀଷ୍ମ ରୂପ ତହିଂ ଧଇଲା ହନୁମନ୍ତ ।୧୩୨।

ଗରୁଡ଼ ଥାଇ ତାହା ଦେଖିଲା ଅନ୍ତରୀକ୍ଷେ

ଭଇରୋବ ମୂରତି ହନୁ ଧଇଲା ପ୍ରତକ୍ଷେ ।୧୩୩।

ବିଚାରଇ ଗରୁଡ଼ ଅର୍ଜୁନ ସଞ୍ଚୟେ ନାଶଗଲା

ହନୁମନ୍ତର ସଂଗେ କିମ୍ପ ବିବାଦୀ ହୋଇଲା ।୧୩୪।

ଅର୍ଜୁନ ଗରୁଡ଼ ଦୁହେଂ ଭୟେ ତାଟକା ହୁଅନ୍ତି

ଜୀବ ନ ଥିଲା ପ୍ରାଣୀ ଯେମନ୍ତ ଦିଶନ୍ତି ।୧୩୫।

ଅର୍ଜୁନ ବିଚାରଇ ବନ୍ଧ ବୁଡ଼ିଲେ ନିଚେ ନାଶ ଗଲି

ନ ଜାଣି କିମ୍ପେ ମୁଂ ୟେହା ସଙ୍ଗେ ଦ୍ୱନ୍ଦୀ ହେଲି ।୧୩୬।

ଧ୍ୟାନେଣ ଗରୁଡ଼ ସୁମରଇ ନାରାୟଣ

ଦ୍ୱାରିକାରେ ଥାଇଂ ଜାଣିଲେ ହରି ନିଚେ କଟାଳିଲା ହନୁମାନ ।୧୩୭।

ନ ଜାଣି ହନୁ ସଙ୍ଗେ ପାଥ ବିବାଦୀ ହୋଇଅଛଇ

ନ ଗଲେ ଅର୍ଜୁନ ମୋର ଆଉ କି ଜୀଅଂଇ ।୧୩୮।

ବଳରାମଂକୁ କହି ଗଲେ ଯେ ଚଳିଣ

ମିଳିଲେ ଯାଇଂ ହରି ସମୋଦ୍ର କୂଳେଣ ।୧୩୯।

ହନୁମନ୍ତ ଅର୍ଜୁନର ଅନ୍ୟୋଅନ୍ୟି ଦେଖି

ନାରାୟଣ ପାଖେ ଯାଇଂ ମିଳିଲା ଯେ ପନ୍ଥୀ ।୧୪୦।

ପାଦତଳେ ପଡ଼ି ଉଠିଲା ଝଟତି

ଗରୁଡ଼ପିଠିରେ ବିଜେ କରି ଉଚ୍ଚବାଚ ଦେଖନ୍ତି ।୧୪୧।

ବିଚାରନ୍ତି ନାରାୟଣ ୟେତ ତ୍ରେତାଯୁଗର ହନୁମନ୍ତ

ୟେହାର ପ୍ରତଗ୍ୟାଂକୁ କାହିଂ ଅର୍ଜୁନ ସାମରଥ ।୧୪୨।

କଳ୍ପ କଳ୍ପ ଅସଂକ୍ଷେପ ଆୟୁଷ ଅଟଇ ଯାହାର

ରାବଣର ଜାଣଇଂ ଯେ ଯେତେକ ଅବତାର ।୧୪୩।

ଅର୍ଜୁନ ମୋହୋର ଅଟଇ ଯେ ଦୁତୀ ଆତ୍ମା

ମୋହୋର ଆଶ୍ରିତେ ସିନା ତାହାର ଗାରିମା ।୧୪୪।

ରାମ ଅବତାରେ ମୋତେ ସାଖା ହନୁମନ୍ତ

ଦ୍ୱାପର ଯୁଗକୁ ସଖା ଅଟଇ ବୀର ପାଥ ।୧୪୫।

ଅର୍ଜୁନ ଆଜ ଯେବେ ହାରିବ ଯୁଗତେ

ପ୍ରାଣେ ଆଜ ୟେହାକୁ କି ଜୀଆଇବ ହନୁମନ୍ତେ ।୧୪୬।

ୟେ ମୋହୋର କାର୍ଯ୍ୟେ ଅର୍ଜୁନ ତ ବଡ଼ ଦୁଖୀ

ୟେହାର ପ୍ରତଗ୍ୟାଂକୁ ମୁଂ କେସନେକ ରଖି ।୧୪୭।

ୟେତେକ ବିଚାର କରିଣ ଯେ ଦେବ ଶିରୀବଚ୍ଛେ

ସମୋଦ୍ର ଜଳରେ ପ୍ରଭୁ ପଶି ହୋଇଲେ ମହା ମାଛେ ।୧୪୮।

ଯେବଣ ଭୀଷ୍ମ ରୂପ ଧରିଛି ପାବେନି

ଭାଞ୍ଜିବ ଶରବନ୍ଧ ଲାଜ ପାଇବ ଫାଲଗୁନି ।୧୪୯।

ମହାମୀନ ରୂପେକ ଦେବ ସମୋଦ୍ରେ ଅବତରି

ଭିତରେ ରହିଲେ ଦେବ ଶରବନ୍ଧ ସରି ।୧୫୦।

ପିଠିରେ ବସାଇ ଦେବ ଆବୋରିଲେ ଶର ବନ୍ଧ

ବିଶ୍ୱରୂପ ପ୍ରକାଶିଲେ ଦେବ ଯେ ଗୋବିନ୍ଦ ।୧୫୧।

ଶର ବନ୍ଧ ବସିଲା ଯେ ନାରାୟଣଂକର ପିଠି

ହନୁମନ୍ତ ଧାପ ଦିଅଇ ବନ୍ଧ ଉପରେଣ ଉଠି ।୧୫୨।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ମହାଭୀଷ୍ମ ରୂପେ ତିନିପୁର ଘୋଟିଲା ବୀର ହନୁ ।୧୫୩।

ୟେସନେକ ବନ୍ଧ ଉପରେ ଯାଇଂ ଉଠିଲା ମହାବଳୀ

ହନୁର ପାଦ ସ୍ୱାମୀ ନୁଆରିଲେ ସମ୍ଭାଳି ।୧୫୪।

ୟେକ ପାଦ ଦେଇ ଆର ପାଦେକ ପକାଇଲ ତୋଳି

ମୁଖରୁ ରୁଧିର ପ୍ରଭୁଂକର ପଡ଼ଇ ଯେ ଗଳି ।୧୫୫।

ତ୍ରଇଲୋକେ ହାନ୍ଦୋଳଇ ହନୁମନ୍ତ ଭୀଷ୍ମମୂର୍ତ୍ତି

ସପତ ଦ୍ୱୀପ ହାନ୍ଦୋଳ ଯେ ହୋଅଇ କିମ୍ପଇ ବସୁମତୀ ।୧୫୬।

ଆକାଶେ ତ୍ରାସିଲେ ଯେ ସକଳେ ବୃନ୍ଦାଅର୍କେ

ତ୍ରାସେଣ କମ୍ପିଲେ ଯେ ସକଳ ଦେବଲୋକେ ।୧୫୭।

ଅସମ୍ଭାଳ ହୋଇଣ ଦେବ ଯେ ଶ୍ରୀବଚ୍ଛି ତହିଂ

ମୁଖ ନାସିକା ବାଟରେ ଯେ ଶ୍ରୋଣିତ ବହଇ ।୧୫୮।

ସମୋଦ୍ରଯାକ ସବୁ ହୋଇଲା ଶ୍ରୋଣିତ

ତାହା ଦେଖି ହନୁମନ୍ତକୁ ଲାଗିଲା ଆଚମ୍ୱିତ ।୧୫୯।

ଶ୍ରୋଣିତ ଦେଖି ପଚାରଇ ହନୁମାନ

ୟେ କିସ ଦିଶଇ ଜଳର ଉଦଯାନ ।୧୬୦।

ଶୁଣ ବୋଲି ଅର୍ଜୁନ ବୋଇଲା କପିବୀରା

ତୋହୋର ଚାଲନ୍ତେ ଶହସ୍ରରୁ କଳଂକ ଛାଡିଲା ।୧୬୧।

ତେଣୁ କରି ସମୋଦ୍ର ହୋଇଲା ରଙ୍ଗମୟେ

ହନୁମନ୍ତ ବୋଇଲା ସାଧୁ ସାଧୁ ହେ ଧନୁର୍ଜୟେ ।୧୬୨।

ବଇବସୁତ ମନୁ ପଚାରନ୍ତି ଯେ ବାରତ

ଭୋ ଅଗସ୍ତି ୟେତେବେଳେ ଅର୍ଜୁନକୁ କେମନ୍ତେ ଚିହ୍ନିଲା
ହନୁମନ୍ତ ।୧୬୩।

ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି

ଯହୁଂ ଭୀଷ୍ମ ରୂପ ଧରିଲା ମାରୁତି ।୧୬୪।

ୟେକା କାୟେ ବିକାଶିଲା ସପତ ବ୍ରହ୍ମାଣ୍ଡ

ଭୀଷ୍ମ ରୂପ ପ୍ରକାଶିଲା ମେଦିନୀ ନବଖଣ୍ଡ ।୧୬୫।

ୟେକା କାୟା ଘୋଟିଲା ସପତ କ୍ଷିତିଖଣ୍ଡ

ଦିବ୍ୟ ଚକ୍ଷୁକୁ ଦୃଶ ହେଲା ସପତ ବ୍ରହ୍ମାଣ୍ଡ ।୧୬୬।

ବିଶ୍ୱରୂପ ପ୍ରକାଶନ୍ତେ ଦିଶିଲା ବ୍ରହ୍ମାଣ୍ଡ ଖଣ୍ଡ ତିନି

ଦେଖିଲା ମାରୁତି ଯେ ପ୍ରତକ୍ଷେ ପାଣ୍ଡବ ଫାଲଗୁନି ।୧୬୭।

ବନ୍ଧରୁ ଓହ୍ଲାଇଣ ଅଞ୍ଜନାର ବାଳେ

ଅର୍ଜୁନକୁ ହନୁମନ୍ତ ବସାଇଲା କୋଳେ ।୧୬୮।

ପ୍ରତକ୍ଷେ ନାରାୟଣ ତୁ ଭିନ୍ନ ନୋହୁ ପାଥ

ମୋହୋର ଗ୍ୟାନ ନାହିଂ ତୁ ମାନବ କୁଳେ ଜାତ ।୧୬୯।

ୟେବେ ସେ ଜାଣିଲି ତୁ ବିଷ୍ଣୁନାଥ ସ୍ୱୟେଂ

ମୋତେ ଅନୁଗ୍ରହ କରସି ଧନୁର୍ଜୟେ ।୧୭୦।

ହନୁମନ୍ତ ଅର୍ଜୁନେ ହୋଇଲା ଅନେକ ପୀରତି

ଅର୍ଜୁନକୁ ଘେନି ଚଳିଲା ତହୁଂ ଖିନିଖିନା ଆଧିପତି ।୧୭୧।

ଜାମ୍ୱେବ ଆଦି ଅଙ୍ଗଦ ସହିତେ

ଅନେକ ସାନନ୍ଦେ ପୂଜା କଲେ ବୀର ପାଥେ ।୧୭୨।

ଅର୍ଜୁନ ବିନୋୟୀ ବୋଲଇ ଶୁଣ ହୋ ମାରୁତି

ମୋହୋର ଜ୍ୟେଷ୍ଠ ଭ୍ରାଥା ଭୀମସେନ ପବନ ତହୁଂ ଉତପତ୍ତି ।୧୭୩।

ତିନିହେଂ ଜନମିଲୁ ଆମ୍ଭେ କୋଇନ୍ତାଂକ ଗର୍ଭୁଂ

ତୁମ୍ଭର ଆରମ୍ଭ ଦେବ ୟେକଇ ସୋଦର ସବୁ ।୧୭୪।

ହନୁମନ୍ତ ବୋଇଲା ଶୁଣିମା ପାକ ଶାସନି

ଅଞ୍ଜନା ମାହେଶ୍ୱରୀ ଗଉତମଂକ ନନ୍ଦନୀ ।୧୭୫।

ପବନ ଦେବତାଂକର ସଞ୍ଚୟେ ଅଟଇ ମହାତେଜ

ସେହି ସେ ସହି ପାରଇ ନା ପବନ ଦେବତାର ବୀର୍ଯ୍ୟ ।୧୭୬।

ବାବୁ ସତ୍ୟ ଯୁଗରେ ସେ ଅଟଇ ଅଞ୍ଜନା

ୟେ ଦ୍ୱାପର ଯୁଗରେ ସେ କୋଇନ୍ତା ଦେବୀ ସିନା ।୧୭୭।

ତଥ୍ୟ ବାକ୍ୟ କହିଣ ସେ କହଇ ପାବେନି

ତୁମ୍ଭର ଆମ୍ଭର ୟେକ ଅଟଇ ଜନନୀ ।୧୭୮।

ସୁଗ୍ରୀବ ପଚାରିଲେ ଶୁଣ ହନୁମାନ

ପୂର୍ବେ ୟେତେ ଦୂରକୁ କେ ଆସିତେ ଭାର୍ଜନ ।୧୭୯।

ଅଞ୍ଜନାର ନନ୍ଦନ ବଚନ ପ୍ରତିବାଦୀ

ହରିନାଥ ରାଜା ସୁଗ୍ରୀବ ବଚନ ସମ୍ପାଦି ।୧୮୦।

ସତ୍ୟ ଯୁଗେ ହାଦେ କଞ୍ଚନ ନାମେ ବ୍ରହ୍ମା

ମରୁଳ ବାହନେ ସେ ଚଳଇ ମହାତମା ।୧୮୧।

ମୀନ ମାସ ଶୁକଳ ପକ୍ଷ ପଞ୍ଚମୀ ବାର ଶଉରି

କୃତ୍ତିକା ନାମେ ନକ୍ଷତ୍ର ବେଳ ନବ ଘଡ଼ି ।୧୮୨।

ବବ ନାମେ କରଣ ପୀରତି ନାମେ ଯୋଗ

ମରୁଳ ବାହନେ ଧାତା ବିଜେ କଲେ ସ୍ୱର୍ଗ ।୧୮୩।

ବାମେ ଧାତାର ବେଦ ଗୁରୁ ବଦନ

ଡାହାଣେ ଧାତାର ବଦନ ପୁଣ୍ୟମାନ । ୧୮୪।

ଆଗେ ବ୍ରହ୍ମା ବଦନ ବିରଞ୍ଚି ବଦନ ପଛେ

ଚତୁର୍ବେଦ ଉଂକାର ଧାତା କରଇ ଚତୁର୍ମୁଖେ ।୧୮୫।

ବାମେ ଗୁରୁ ବଦନେ ଋକବେଦ ସାଧି

ଡାହାଣେ ଧାତା ବଦନ ସାମବେଦ ପ୍ରବୋଧି ।୧୮୬।

ଆଗେ ବ୍ରହ୍ମା ବଦନେ ଯଜୁର୍ବେଦ ସାଧି

ଅଥର୍ବବେଦ ପଛେ କରଇ ପ୍ରସିଦ୍ଧି ।୧୮୭।

ୟେ ଚାରି ବେଦରେ ଧାତା ଯୋଗବେଦ ଲାଇ

ସାଧନା ଭାବନା ଧାତା ପଢଇ ମିଶାଇ ।୧୮୮।

ଯୋଗବେଦ ଧାତା ସାଧିଲା ଯେତେବେଳେ

କପିଳାସ ଆସନ କମ୍ପଇ ସୁଢଳେ ।୧୮୯।

କେ ରେ ଯୋଗ ମୋର ସାଧଇ ଅନମିତେ

ବୃଷଭ ବାହେନ ଯେ ବିଜୟେ ପଞ୍ଚୁ ବକ୍ତ୍ରେ ।୧୯୦।

ଅତିଅନ୍ତ ରୋଷେଣ ବିଜୟେ ଧୂର୍ଜଟି

ବାରସ୍ୱତୀ ଭୁବନେ ଯାଇଂ ବ୍ରହ୍ମାକଇଂ ଭେଟି ।୧୯୧।

ଈଶ୍ୱର ମହାରାଗେ ବ୍ରହ୍ମାଂନ୍ତ ସମ୍ଭାଷି

ଅନୀତି କଲୁ ଧାତା ମୋହୋର ଯୋଗବେଦ ଅଭ୍ୟାସି ।୧୯୨।

ବ୍ରହ୍ମା ବୋଇଲେ ମୁଂ ସର୍ବବେଦ ସାହି

ଦେବତାଂକ ଉପରେ ମୁହିଂ ସେ ପାଣିଗ୍ରାହୀ ।୧୯୩।

ବେଦ ସର୍ଜନେ ମୁଂ ଉତପତ୍ତି ହୋଇଛି

ଗୁଣ ଅବିଗୁଣ ମୁହିଂ ଦେବତାଂକର ସର୍ବ ବାଛି ।୧୯୪।

ଈଶ୍ୱର ବୋଇଲେ ତୋହୋର ଚାରି ଯେ ବଦନ

ଚାରି ବଦନୁଂ ତୋର ଚାରିବେଦ ଆଧ୍ୟାନ ।୧୯୫।

ମୁହିଂ ହାଦେ ପଞ୍ଚ ବଦନ ଅଟଇ ପ୍ରତକ୍ଷେ

ପଞ୍ଚୁବେଦ ମୁଂ ଆଧ୍ୟାନ କରଇ ପଞ୍ଚୁମୁଖେ ।୧୯୬।

କରତା ପୁରୁଷ ହୋଇ ତୁ କିମ୍ପାଇ ନ ବିଚାରୁ

ଜନିତା ମନ୍ତ୍ରେ ନେଇ ଯୋଗବେଦ କିମ୍ପେ ଭରୁ ।୧୯୭।

ସଇନ୍ଦୁ ବାମ ଘୋର ଈଶାନ ତତପୁରୁଖ

ଆଉର ଜ୍ୟୋତିର ଧନୁ ଶିଶୁମୁନ ଗାନ୍ଧର୍ବହିଂ ଲେଖ ।୧୯୮।

ଚତୁର୍ମୁଖରେ ତୁ ଚତୁର୍ବେଦ ପଢିବୁ

ମୁହିଂ ପଞ୍ଚ ମୁଖେ ପଞ୍ଚୁବେଦ ଉଂକାରିବି ସବୁ ।୧୯୯।

ସଞ୍ଚିଲା କୃତ୍ୟ ଯେବେ ହୋଇଲା ଅନୀତି

ସଂସାରଯାକ ତ ହୋଇବ ଅଗତି ।୨୦୦।

ବ୍ରହ୍ମା ବୋଇଲେ ଗର୍ବ ତୁ ବହିଲୁ ମହାଦେବ

ମୁହିଂ ହୋଇ ନ ପାରଇ କି ପଞ୍ଚ ବଦନ ବକ୍ତବ୍ୟ ।୨୦୧।

ୟେତେ ବୋଲି ଧାତା ଉଂକାରି ବ୍ରହ୍ମାଣ୍ଡେ

ବ୍ରହ୍ମା ମୁଣ୍ଡ ଉପରେ ବାହାର ଆରେକ ମୁଣ୍ଡେ ।୨୦୨।

ମୁଣ୍ଡ ଉପରେ ବାହାର ହୋଇଲା ଯେବଣ ବଦନ

ପଞ୍ଚ ବକତ୍ର ବିଧାତା ହୋଇଲା ବିଦ୍ୟମାନ ।୨୦୩।

ସେ ଅଧିକ ବଦନେ ପଢଇ ଯୋଗବେଦ

ରାଗେଣ ଚଳିଲେ ସେ ସ୍ୱାମୀ ସଦାନନ୍ଦ ।୨୦୪।

ଈଶ୍ୱରଂକ ଶରୀର କମ୍ପଇ ଯୋଗବେଦ ଶୁଣି

ରାଗ ସଂହରି ନୁଆରିଲେ ଦେବ ଶୂଳପାଣି ।୨୦୫।

ଈଶ୍ୱର ବୋଇଲେ, ଧାତା ଯୁଗତ କି; ତୋହୋର ପଞ୍ଚୁ ବଦନ

ନଟକାର ଲୋକଂକର ସିନା ବେଭାର ୟେସନ ।୨୦୬।

ମୁଣ୍ଡେ ହରନ୍ତି ମୁଣ୍ଡେ କରନ୍ତି ସେ ଜାତ

ବିଚାରନ୍ତେ ସେ ପୁଣ ହୋଇବାକ ସତ ।୨୦୭।

ଧାତା ବୋଇଲେ ଶୁଣ ହୋ ମହାଦେବ

ଆଜହୁଂ ହୋଇବୁ ଆମ୍ଭେ ପଞ୍ଚୁବକ୍ତବ୍ୟ ।୨୦୮।

ତୋହୋର ପଞ୍ଚୁବଦନ ସହିତେ କଲି ମୁହିଂ ସାଧି

ମୁହିଂ ସେ ବେଦବର ନାଥ ଯେ ପରସିଦ୍ଧି ।୨୦୯।

ଈଶ୍ୱର ବଚନ ଧାତା କରଇ ଅବଗ୍ୟାଂ

ବେଳୁଂବେଳ ତ ବଢିଲା ବହୁତ ପ୍ରତଗ୍ୟାଂ ।୨୧୦।

ମତ୍ତଭୋଳ ପୁରୁଷ ହୋଇଣ ମହାରାଗୀ

ପିତାମହକଇଂ କୋପେଣ ଉପୁରୋଧ ପରିତ୍ୟାଗି ।୨୧୧।

ଅଙ୍ଗୁଳି ମୁଣ୍ଡେ ପ୍ରହାର କଲେ ଦେବ ଭୁଜ ଦଣ୍ଡ

ଧାତିକାରେ ଛିଡ଼ିଲା ପିତାମହର ଉର୍ଦ୍ଧ୍ୱ ମୁଣ୍ଡ ।୨୧୨।

ରାଗେ ଈଶ୍ୱର ପ୍ରହାର କଲେ ବାମକର ଘାତେ

ଛିଡ଼ିଲା ବ୍ରହ୍ମାର ମୁଣ୍ଡ ଲାଗିଲା ଈଶ୍ୱର ବାମ ହାଥେ ।୨୧୩।

ଉଛୁଡ଼ି ପକାଇଲେ ଦେବ ସେ ମୁଣ୍ଡ ଗୋଟି

ଅନେକ ବାଗେ ତାହାଂକ ହାଥରୁ ନ ଗଲା ସେ ଫିଟି ।୨୧୪।

ଶୂଳେଣ ବିଦାରି ସ୍ୱମୀ କରନ୍ତି ଖଣ୍ଡ ଖଣ୍ଡ

ତଦ୍ୟପି ନ ଛାଡ଼ିଲା ସେ ବ୍ରହ୍ମାଂକର ମୁଣ୍ଡ ।୨୧୫।

ବ୍ରହ୍ମାର ରୁଧିରମାନ ଛିଡ଼ି ପଡିଲାକ ଧାତି

ସେ ରୁଧିରରୁ ପୁରୁଷେକ ହୋଇଲା ଉତପତ୍ତି ।୨୧୬।

ମଞ୍ଚ ଭୁବନେ ପାଦ ଆକାଶେ ତାର ମଥା

ପ୍ରଶସ୍ତ ନାମ ତାକୁ ଦିଲେକ ବିଧାତା ।୨୧୭।

ଶୂନ୍ୟ ତିନି ଭୁବନ ଆଦି କରି ଘୋଟିଲା ବ୍ରହ୍ମାଣ୍ଡ

ସ୍ୱର୍ଗ ମଞ୍ଚ ସହିତେ ବିସ୍ତାର କଲା ତୁଣ୍ଡ ।୨୧୮।

ପିତାକୁ ପୁଚ୍ଛା କଲା ତୁ ଯେ ମୋତେ କଲୁ ଉତପତ୍ତି

ଆହାର ଦିଲେ ସିନା ମୁଂ ହୋଇବି ତ୍ରିପୁତି ।୨୧୯।

ପିତା ଦେଖାଇଲେ ତର୍ଜନୀ ଅଙ୍ଗୁଳି

ଆରେ ରେ ପ୍ରଶସ୍ତ ତୁହି ଭକ୍ଷ ୟେ କପାଳୀ ।୨୨୦।

ପିତାମହ ବଚନ ଶୁଣିଣ ପ୍ରଶସ୍ତ

ଈଶ୍ୱର ଦେବତାନ୍ତ ଘୋଟିଲା ପ୍ରତକ୍ଷ ।୨୨୧।

ଦେଖିଣ କୋପାନଳ ଯେ ଦେବ ତ୍ରିପୁରାରି

ପ୍ରଶସ୍ତି ସେନାପତିକି ଶୂଳେଣ ପ୍ରହାରି ।୨୨୨।

ସଦାଶିବ ଶୂଳକୁ ସେ ଯେ ନ କଲା କିଛି ଭ୍ରାନ୍ତି

ଈଶ୍ୱର ହାଥରୁ ଉଛୁଡ଼ି ଘେନିଲା ଶୂଳ ଯେ ଶକତି ।୨୨୩।

ସେହି ଶୂଳ ବୁଲାଇଣ ଯେ ପିଟିଲା ଈଶ୍ୱର ଦେବତାଂକୁ

ଭୟେଣ ରୁଦ୍ର ଦେବତା ଘୁଞ୍ଚିଲେ ତାହାକୁ ।୨୨୪।

ଈଶ୍ୱର ପଳାବନ୍ତେ ଗୋଡ଼ାଇ ବ୍ରହ୍ମା ଦତ୍ୟା

କେହି ମୁଖ ନ ଚାହିଂଲେ ହର ତୁ କଲୁ ବ୍ରହ୍ମହତ୍ୟା ।୨୨୫।

ତ୍ରଇଲୋକ ଭୁବନରୁ ଈଶ୍ୱର ପଳାଇଲେ

ବ୍ରହ୍ମହତ୍ୟା ଦୋଷରୁ କେହି ମୁଖ ନ ଚାହିଂଲେ ।୨୨୬।

ପଳାବନ୍ତି ବିଶ୍ୱନାଥେ ନ ଚାହିଂ ଲେଉଟି

କଟାଳି ବ୍ରହ୍ମ ରାକ୍ଷସ ଗୋଡ଼ାଇ ଅଛି ଘୋଟି ।୨୨୭।

ନିରାଶି ଈଶ୍ୱରେ ହୋଇଲେ ପାଦଗତି

ଆକାଶ ଭୁବନୁଂ ଡେଇଂ ପଡ଼ିଲେକ ଝଟତି ।୨୨୮।

ମେରୁ ଶିଖେ ଥାଇଂ ସେ ଡେଇଂଲେ ସମୋଦ୍ରକୁ

ସମୋଦ୍ର ଭିତରେ ଥାଇଂ ଡେଇଂ ପଡିଲେ ଅଗାଦ ଜଳକୁ ।୨୨୯।

ସପତ ଦ୍ୱୀପ ସ୍ୱାମୀ ଡେଇଂଲେ ୟେକପାଦେ

ପଡ଼ିଲେ ନୀଳକଣ୍ଠ ସମୋଦ୍ର ଅଗାଦେ ।୨୩୦।

ଈଶ୍ୱରକଇଂ ଗୋଡ଼ାଇ ଖେଦିଲା ବ୍ରହ୍ମବତ୍ସ

ସେହି ୟେକାପାଦକେ ଡେଇଂଲା ପ୍ରତକ୍ଷ ।୨୩୧।

ଈଶ୍ୱର ଯେ ପଳାଇଲେ ମହାଜଳେ ବୁଡ଼ି

ଭୋ ବିଷ୍ଣୁନାଥ ରକ୍ଷାକର ବୋଲି ଦିଲେ ଘୋର ରଡ଼ି ।୨୩୨।

ମହାରଡ଼ି ଶବଦ ଯହୁଂ କଲେ ମହାଦେବ

ଆସନ କମ୍ପିଲା ଯେ ସ୍ୱାମୀ ପଦ୍ମଲାଭ ।୨୩୩।

ଯୋଗ ଲୟ ତେଜିଣ ଯେ ଚାହିଂଲେ ଅନାଦି

ଦେଖିଲେ ଈଶ୍ୱରକଇ ବ୍ରହ୍ମ ରାକ୍ଷସ ଆଣଇ ଖେଦି ।୨୩୪।

ଶ୍ରୀଭୁଜ ବଢାଇଣ ଦିଲେ ଦେବ ହରି

ବିଷ୍ଣୁନାଥ ଭୁଜ ବଢାଇ ଦିଲେ ଯୋଜନ ସହସ୍ର ଚାରି ।୨୩୫।

ଈଶ୍ୱର ଦେବତାନ୍ତ ଆଣି ବସାଇଲେ କତି

ନାରାୟଣଂକ କରେ ଚକ୍ର ଦେଖି ବ୍ରହ୍ମ ରାକ୍ଷସ କଲା ଭୀତି ।୨୩୬।

ସହସ୍ରେ ଯୋଜନା ଥାଉଂ ରହିଲା ଥମ୍ୱୀଭୂତେ

ବିଷ୍ଣୁଂକ କତିକି ଆସି ନୁଆରଇ ପ୍ରଶସ୍ତେ ।୨୩୭।

ନାରାୟଣ ସନ୍ନିଧେ ବସିଛନ୍ତି ବିଶ୍ୱନାଥେ

କତିକି ଆସି ଯେ ନୁଆରିଲେ ଦଇତେ ।୨୩୮।

ନାରାୟଣେ ପୁଚ୍ଛା କଲେ ଚାହିଂଣ ପଞ୍ଚୁମାଥେ

ଭୋ ଈଶ୍ୱର ବଇକୁଲ୍ୟ ହୁଅ କିସ ଅର୍ଥେ ।୨୩୯।

ଛିଦ୍ର ମୁଣ୍ଡ ଗୋଟାୟେ ତ ଲାଗିଅଛି ତୋହୋର ବାମ ହାଥେ

ୟେହାର ତଦନ୍ତ ମୋତେ କହିବା ତୁରିତେ ।୨୪୦।

ଈଶ୍ୱର ବୋଇଲେ ମୁଂ ବ୍ରହ୍ମାରେ ହୋଇଲି ବିବାଦୀ

ଅନେକ କଟୁ ବାକ୍ୟ ମୋତେ ବ୍ରହ୍ମାୟେ ସମ୍ପାଦି ।୨୪୧।

ଅଦଭୁତ ମୁଣ୍ଡେକ ଜାତ କଲେ କାହୁଂ

ରାଗ ସହି ନୁଆରିଲେ କଟୁ ବଚନ ମୋତେ କହୁଂ ।୨୪୨।

କୋପେଣ ପ୍ରହାର ମୁଂ କଲଇ ଭୁଜଦଣ୍ଡ

ଛିଡ଼ି ପଡ଼ିଲା ସେ ବ୍ରହ୍ମାର ଜାତ କଲା ମୁଣ୍ଡ ।୨୪୩।

ସେ ବ୍ରହ୍ମାର ମୁଣ୍ଡ ଛିଡ଼ି ଲାଗିଲା ମୋହୋର କରେ

ବ୍ରହ୍ମା ରୁଧିରୁ ଜାତ ହୋଇଲା ୟେକ ବ୍ରହ୍ମ ଅସୁରେ ।୨୪୪।

ସେ ବ୍ରହ୍ମ ରାକ୍ଷସ ଯେ ଲୋଡ଼ଇ ମୋତେ ଭକ୍ଷି

ତେଣୁ କରି ବେଦ ମୁହିଂ ତ୍ରାସେ ପଳାଇ ଆସିଅଛି ।୨୪୫।

ଆକାଶେ ମୋତେ କେହି ନୋହିଲେ ରଖନ୍ତା

ସମସ୍ତେ ବୋଇଲେ ମୋତେ କଲୁ ହୋ ବ୍ରହ୍ମହତ୍ୟା ।୨୪୬।

ମୁହିଂ ତୋହୋର ଶରଣ ଦେବ ଦାମୋଦର

ୟେହି ଦୁରାପଦ ସଂକଟରୁ ମୋତେ କରିବାକ ପାର ।୨୪୭।

ହାଥେ ଥିବା ମୁଣ୍ଡ ଗୋଟି ତୁଣ୍ଡ ଯେ ବିସ୍ତାରି

ଦେ ଦେ ବୋଲି ମୋତେ ମାଗେ ଆଣ୍ଟ କରି ।୨୪୮।

ନାରାୟଣ ମାଗିଲେ ଏ କିସ ମାଗଇ ଶୂଳପତି

ପ୍ରେତ ପିଶାଚ ରାକ୍ଷସେ ଦେବ ରୁଧିରେ ତ୍ରିପୁତି ।୨୪୯।

ଶୁଣିଣ ଶ୍ରୀ ନାରାୟଣ ଚକ୍ର ଧଇଲେକ କରେ

ତିନି ଗାର ଚିରି ଦିଲେ ଦେବ ଦକ୍ଷିଣ ଭୁଜରେ ।୨୫୦।

ମେରୁ ଫୁଟି ଯେହ୍ନେ ଗଙ୍ଗା ଯମୁନା ସରସ୍ୱତୀ

ଦକ୍ଷିଣ ଭୁଜରୁ ରୁଧିର ବହିଲା ତିନି ମୂର୍ତ୍ତି ।୨୫୧।

ସେ ବ୍ରହ୍ମାର ମୁଣ୍ଡ ତୁଣ୍ଡରେ ରୁଧିର ବରଷି

ସହସ୍ରେ ବରଷେ ପୂରିଲା ତୁଣ୍ଡେ ଲିତାୟେକ ନ ଦିଶି ।୨୫୨।

ୟେତେ ଶୋଣିତେ ତାର ମୁଣ୍ଡ ନ ପୂରିଲା

ଦେ ଦେ ବୋଲି ବୋଲୁଅଛି ପୁଣି ଶାନ୍ତି ନ ଭଜିଲା ।୨୫୩।

ସେ ବ୍ରହ୍ମ ରାକ୍ଷସ ଯେ ତେଣେ ରହିଅଛି ଦୂରେ

ସାଂଗ୍ରାମ ଦେ ଦେ ବୋଲି ଡାକଇ କୋପଭରେ ।୨୫୪।

ବ୍ରହ୍ମା ଯେ ଈଶ୍ୱରଂକୁ ମୋତେ ଆହାର ଦେଇଅଛି

ମୁହିଂ ଆଶାକଲି ତୁମ୍ଭେ ତାହାକୁ କିମ୍ପେ ରଖି ।୨୫୫।

ଆହୋ ମହାତମା ତୁ ଯେବେ ରୁଧିର ମାଂସେ ହେବୁ ତ୍ରିପୁତି

ୟେହିକ୍ଷଣି ଦେବି ତୋତେ ତୁ ହୋଇବୁ ଶାନ୍ତିମୂର୍ତ୍ତି ।୨୫୬।

ବ୍ରହ୍ମାର ମୁଣ୍ଡରେ ବିଷ୍ଣୁର ରକତ ପୂରୋଇ

ଈଶ୍ୱର ବିଭୂତି ତାର ତହିଂ ଭିତରେ ଲଗାଇ ।୨୫୭।

ରୁଧିର ବିଭୂତି ପିତାର ମୁଣ୍ଡରେ ଲାଇ ମେଦି

ଚାରି ଚରଣ କରି ପୁରୁଷେକ ସମ୍ପାଦି ।୨୫୮।

ବିଷ୍ଣୁର ଜୀବ ଯେ ସଦାଶିବଂକର ଜୀବ

ବ୍ରହ୍ମାର ଜୀବ ଲାଇଂ ଯେ ତୋଳିଲେ ଆଦିଦେବ ।୨୫୯।

ବ୍ରହ୍ମାର ମୁଣ୍ଡରେ ଯେବଣ ଜୀବ ଥିଲା

ସେ ପ୍ରତିମା ଭିତରେ ସେ ଯାଇଂଣ ସମ୍ଭାଇଲା ।୨୬୦।

ତିନି ଜୀବ ନ୍ୟାସିଲେ ଦେବ ବନମାଳୀ

ଅମୃତ ଦୃଷ୍ଟିରେ ଚାହିଂଲେ ତାହାକୁ ନାରାୟଣ ତୋଳି ।୨୬୧।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଂକର ଜୀବ ଘେନି

ଉପୁଜିଲା ପୁରୁଷେ କ୍ଷତ୍ରିୟ ମହାଗ୍ୟାନୀ ।୨୬୨।

ବ୍ରହ୍ମାର ମୁଣ୍ଡୁ ଜାତ ସେ ହୋଇଲା ପ୍ରଶସ୍ତ

ନାରାୟଣ ଜାତ କଲେ ଯେବଣ ତାହାର ନାମ ଶସ୍ତ ।୨୬୩

ନାରାୟଣେ ଆଗ୍ୟାଂ ଦିଲେ ସେ ଶସ୍ତକୁ ହକାରି

ସେ ବ୍ରହ୍ମ ରାକ୍ଷସକୁ ପକାଅ ବେଗେ ମାରି ।୨୬୪।

ବିଷ୍ଣୁର ଆଗ୍ୟାଂୟେ ଚଳିଲା ଶସ୍ତ ବୀର

ଆକ୍ରେଷିଣ ଘୋଟିଲା ସେ ପ୍ରଶସ୍ତ ମହାବୀର ।୨୬୫।

ସେ ଶସ୍ତ ପ୍ରଶସ୍ତ ଯେ ହୋଇଲା ସମର

ଆକାଶେ ବ୍ୟାପିଲା ଯେ ଦୁହିଂକରି ଶ୍ୱରୀର ।୨୬୬।

ମୁଖରାବ ଶବଦେ ସେ ମୁଥ ମରାମରି

ସମୋଦ୍ର ହାନ୍ଦୋଳଇ ଦୁହିଂକର ପାଦ ପଡ଼ି ।୨୬୭।

କରେ ଶିରେ ତାଡ଼ନ୍ତି ଦୋହେଂ ଭୀଷ୍ମରୂପୀ

ତ୍ରିଦଶ ଦେବତାୟେ ତାଟାକା ହୋଇଲେ ତାହା ଦେଖି ।୨୬୮।

ୟେମନ୍ତେ ସହସ୍ର ବରଷ ସାଂଗ୍ରାମ ହୋଇଲା

ନାଶକର ଜାତକର ସମସ୍ତ ନିରୋଧିଲା ।୨୬୯।

ନିତ୍ୟକର୍ମ ବିଧି ପତନ ଯେ ହୋଇଲେ ବୃନ୍ଦାଅର୍କେ

ଦିବା ରାତ୍ରି ବୋଲି ନ ଜାଣିଲେ ଦେବଲୋକେ ।୨୭୦।

ରାତ୍ର ଦିବା ଯୁଦ୍ଧ ହୋଇଲା ୟେମନ୍ତେ

ବଢିଲା ମହାରୋଳ ସହସ୍ର ବରଷ ପରିଯନ୍ତେ ।୨୭୧।

ସଂସାର ପ୍ରଳୟାନ୍ତ ଦେଖିଣ ଜନାର୍ଦ୍ଦନ

ଆପଣେ ସମାଧାନ କରନ୍ତି ଦେବ ନାରାୟଣ ।୨୭୨।

ସମସ୍ତେ ତ୍ରାସିଲେ ଯେ ନୁଆରିଲେ ତାହା ଦେଖି

କେଶବ ବିଜେ କଲେ ଦଇତଂକର ତହିଂକି ।୨୭୩।

ୟେ ଯୁଗେ ସାଂଗ୍ରାମ ୟେତେକେହେଂ ରହୁ

ତ୍ରେତୟା ଯୁଗକୁ ପୁଣ ଥୋକାୟେକ ରହିଥାଉ ।୨୭୪।

ଦୁହିଂକର ମଧ୍ୟେ ନାରାୟଣ କଲେ ବିଜେ

ରହ ରହ ବୋଲି କରି ଦେବ ଧଇଲେ ଦୁହିଂକରି ଭୁଜେ ।୨୭୫।

ବ୍ରହ୍ମାର ତହୁଂ ଯେ ପ୍ରଶସ୍ତ ଅବତାର

ନାରାୟଣ ଆଗ୍ୟାଂ ଦିଲେ ତାକୁ ତାକୁ ସଂହର କରତାର ।୨୭୬।

ପ୍ରଶସ୍ତ ବ୍ରହ୍ମଦଇତ୍ୟକୁ କରତାର ଧରିନେଲା

ଦିନକର ନାଥ ତାହା ନେଇ ଗର୍ଭେ ସଂହାରିଲା ।୨୭୭।

ନାରାୟଣ ତହୁଂ ଉତପତ୍ତି ହୋଇଥିଲା ଶସ୍ତ

ନାରାୟଣ ଆଗ୍ୟାଂ ଦିଲେ ୟେହାକୁ ସମ୍ଭାଳ ହୋ ପୁରୁହୁତ ।୨୭୮।

ଶସ୍ତକୁ ନେଲେ ଯେ ସେ ସୁରରାଜ ଦେବ

ବାସବ ଦେବତା ସଂହାରିଲା ଗର୍ଭେ ଦିଲା ଠାବ ।୨୭୯।

ହନୁମାନ ବୋଇଲା ତୁ ଶୁଣ ହୋ ଫାଲଗୁନି

ସତ୍ୟଯୁଗେ ହାଦେ ଶସ୍ତ ପ୍ରଶସ୍ତୟେ ବେନି ।୨୮୦।

ତ୍ରେତୟା ଯୁଗରେ ଗଉତମଂକର ଘରଣୀ

ଅହଲ୍ୟାକଇ ଚୋରି ଶୃଙ୍ଗାର କଲେ ଆଦିତ୍ୟ ବଜ୍ରପାଣି ।୨୮୧।

ଦୁହିଂକରି ଗର୍ଭେ ଯେ ଶସ୍ତ ପ୍ରଶସ୍ତ ବେନି ଥିଲେ

ଅହଲ୍ୟାଂକ ଗର୍ଭେ ସେ ଦୁହେଂ ଉପୁଜିଲେ ।୨୮୨।

ଇନ୍ଦ୍ର ଆଦିତ୍ୟ ବୀର୍ଯେ ଉପୁଜିଲେ ବେନି ବଳା

ଗଉତମ ତାହାଂକ ନାମ ଦିଲେ ଶାମଶୀଳା ଯବଶୀଳା ।୨୮୩।

ଚୋରି ଶୃଙ୍ଗାର ତ ନ ଜାଣନ୍ତି ମୁନି

ଆହାନିକ ସ୍ରାହାନେ ଗଲେ ବେନି ପୁତ୍ରନ୍ତ ଘେନି ।୨୮୪।

ଗଉତମଂକ ବୀର୍ଯେ ଜାତ ଯେ ଅଞ୍ଜନୀ

ତାହାକଇ ତୁଲେ ନେଲେ ଗଉତମ ମହାମୁନି ।୨୮୫।

ସ୍ରାହାନ ସାରି ମହାତମା ଆହାନିକ ସୁମରି

ବାହୁଡ଼ନ୍ତି ମହାତମା ଯେ ବେଳ ସାତଘଡ଼ି ।୨୮୬।

ଦଇବେ ବଇଶାଖ ମାସ ବଡ ତପତ ବାଲି

ଗୋଡ଼ ପୋଡ଼ିଲାକୁ ପୁତ୍ରେ ନୁଆରିଲେ ଚାଲି ।୨୮୭।

ଶାମଶୀଳା ଯବଶୀଳା ଦୁଇପୁତ୍ର ଗୋଟି

ସେ ପୁତ୍ରନ୍ତ ସ୍ରାଗେ କାଖେ ବସାଇଲେ ତପନିଷ୍ଠି ।୨୮୮।

ଖଣ୍ଡେ ଦୂର ଆସିଣ ଯେ ଅଞ୍ଜନା ବୋଇଲା

ଚାଲି ନୁଆରିଲା ପିତା ମୋ ଗୋଡ଼ତ ପୋଡ଼ିଲା ।୨୮୯।

ଗଉତମ ବୋଇଲେ ଅକାଳ କାଣ୍ଡ ପଡୁଛି କି ତୁକୁ

ତୋତେ କାଖ କରି ଚଲାଇବି କି ଅଣ୍ଡିର ପୁଅଂକୁ ।୨୯୦।

ଶୁଣିଣ ରାଗ କରି ବୋଇଲା ଅଞ୍ଜନୀ

ୟେମନ୍ତ ସେ କହିଲୁ ତୋର ପରା ମହାମୁନି ।୨୯୧।

ମୁହିଂ ସଦାବୀର୍ଯେ ନିତାନ୍ତ ଜାତ ତୋର ତାତ

ମୋତେ ଚଲାଇ କାଖେ ଘେନୁଂ ଚଉର୍ଯ୍ୟପୁତ୍ରନ୍ତ ।୨୯୨।

ଅଞ୍ଜନୀର ବଚନେ ସେ ଗଉତମ ମହଋଷି

ସନ୍ଦେଶ ପୁଚ୍ଛନ୍ତି ମହାତମା ବୃକ୍ଷ ତଳେ ବସି ।୨୯୩।

ଆମ୍ଭେ ଅହଲ୍ୟାର ଯହୁଂ ଦେଖିଲୁ ସୁନ୍ଦର ପଣ

ଅହଲ୍ୟାର ତହୁଂ କାଢି ଆଣୁଂ ପ୍ରାଣ ।୨୯୪।

ମୃତୁ ପିଣ୍ଡ ଗୋଟିକ ରଖି ବସିଥାଉ ଆଈ

ତପରୁ ଆସି ଆମ୍ଭେ ଅହଲ୍ୟାକୁ ଜୀଆଇ ।୨୯୫।

ଯେତେବେଳେ ପ୍ରାଣ ଥାଇ ଅହଲ୍ୟା ଶରୀରେ

ଦଣ୍ଡେହେଂ ନ ଛାଡୁ ଆମ୍ଭେ ଥାଉ ଆଶ୍ରମରେ ।୨୯୬।

ଆଈ ୟେହିମତି ବୋଇ ଅନେକ କାଳ ଗଲା

ୟେମନ୍ତେ ସେ ପରଦାରା କଲା ।୨୯୭।

ଅଞ୍ଜନୀ ବୋଇଲେ ତୁମ୍ଭେ ଶୁଣସି ଦେବ ତାତ

ମୃତୁ ପିଣ୍ଡ ଗୋଟି ମୁଂ ରଖିଥାଇଂ ନିତ୍ୟ ।୨୯୮।

ଇନ୍ଦ୍ର ଆଦିତ୍ୟ ସେ ଆସିଣ ଅଦଭୁତେ

ଇନ୍ଦ୍ର ପ୍ରାଣ ହୋଇ ପଶଇ ଅହଲ୍ୟାର ଗର୍ଭଗତେ ।୨୯୯।

ଉଠନ୍ତି ଅହଲ୍ୟା ଯେ ପ୍ରାଣ ପାଇଣ ଶରୀର

ଇଚ୍ଛାୟେ ଶୃଙ୍ଗାର ଯେ କରନ୍ତି କରତାର ।୩୦୦।

ଭୋ ପିତା ଆଦିତ୍ୟ ଦେବତାର ଯେତେବେଳେ ସରଇ କେଳି

ଅହଲ୍ୟା ଗର୍ଭେ ଯାଇ ପଶଇ ଅଂଶୁମାଳୀ ।୩୦୧।

ଇନ୍ଦ୍ର ଦେବତା ପୁଣି କରଇ ଶୃଙ୍ଗାର

ୟେହିମତି ପରଦାରା ହୋଇଲା ଅନେକ ବାର ।୩୦୨।

ସେ ଇନ୍ଦ୍ର ଦେବତା ଆଦିତ୍ୟର ବୀର୍ଯ୍ୟେ

ତହୁଂ ଉପୁଜିଲେ ଯେ ୟେ ବେନି ଆତ୍ମଜେ ।୩୦୩।

ବୋଲନ୍ତି ହନୁମାନ ଶୁଣ ହୋ ଫାଲଗୁନି

ବାଳୁତ ଅଗ୍ୟାନ ଭାବେ କହିଲା ଅଞ୍ଜନୀ ।୩୦୪।

ଶୁଣିଣ ସେ କୋପ କଲେ ଗଉତମ ମହାମୁନି

କ୍ଷୀରୋଦ କୂଳକୁ ବାହୁଡ଼ିଲେ ବେନି ପୁତ୍ର ଘେନି ।୩୦୫।

ଆଈ ଦେଖିବାର କଥା କହିଲୁ ବୁଝିବା ପ୍ରତକ୍ଷେ

ଦେଖି ୟେ କଥା ଆମ୍ଭେ କରିବୁଂ ପରୀକ୍ଷେ ।୩୦୬।

ପୁତ୍ରନ୍ତ ଘେନି ବାହୁଡ଼ିଲେ କ୍ଷୀରୋଦ କୂଳକୁ

ସେ ପୁତ୍ରନ୍ତ ଫିଙ୍ଗି ଦିଲେ ଅଗାଦ ସମୋଦ୍ରକୁ ।୩୦୭।

ବୋଇଲେ ତୁମ୍ଭେ ଯେବେ ମୋହୋର ବୀର୍ଯେ ଜାତ

ୟେହି ସରୂପ ଘେନି ତୁମ୍ଭେ ଆସିବ ତୁରିତ ।୩୦୮।

ଅନ୍ୟ ବୀର୍ଯେ ଯେବେ ଜାତ କରିଥିବ ଜାୟା

ମର୍କଟ ଶରୀର ହେଉ ୟେ ତୁମ୍ଭର କାୟା ।୩୦୯।

ସମୋଦ୍ରୁ ବାହାର ହୋଇ ନୁଆସ ଲେଉଟି

ନିରାଶି ବଡବାନଳକୁ ଫିଙ୍ଗି ଦିଲେ ତପନିଷ୍ଠି ।୩୧୦।

କପି ମୁଖ ହୋଇଲେ ଯେ ସେ ବେନି କୁମରେ

ପଡ଼ି ହେଠବୁଡ ହୋଇଲେ ଅଗାଦ ସାହେରେ ।୩୧୧।

ଋଷି ଡାକ ଦିଅନ୍ତି ଆରେ ଶାମଶୀଳା ଯବଶୀଳା

ମୋହୋର ବୀର୍ଯେ ଜନ୍ମ ଯେବେ ଆସ ବେନି ବଳା ।୩୧୨।

ମୋହୋର ମନଭ୍ରାନ୍ତି ଫିଟୁରେ ଯେବେ ହାଦେ

ମୋହୋର ବୀର୍ଯେ ଜନ୍ମ ଯେବେ ମାନବ ଶରୀରେ ହୁଅ ଉଦେ ।୩୧୩।

ଅପାର ଡାକ ଦିଲେ ଗଉତମ ତପୋଧନୀ

କ୍ଷୀରୋଦ୍ରୁଂ ବାହାର ନୋହିଲେ ସେ ନନ୍ଦନ ବେନି ।୩୧୪।

ଚତୁର୍ଦ୍ଦଶ ଘଡ଼ି ଆସି ହୋଇଲା ଦିନକର

ଅଞ୍ଜନୀର ବଚନ ସତ ଜାଣିଲେ ମୁନିବର ।୩୧୫।

ମୋହୋର ପୁତ୍ର ହୋଇଲେ ଆସନ୍ତି ନିନା ଭଲେ

ସଞ୍ଚୟେ ଆନ ବୀର୍ଯେ ଜାତ ସେ ସମୋଦ୍ରେ ନାଶ ଗଲେ ।୩୧୬।

ଅଞ୍ଜନୀ କନ୍ୟାକୁ ଯେ ଘେନିଲେ ମୁନି କାଖେ

ଆଶ୍ରମେ ପ୍ରବେଶ ହୋଇଲେ ମୁନି ମନଦୁଖେ ।୩୧୭।

ପାଣିଝରି ୟେକ ଘେନି ଅହଲ୍ୟା ଅଇଲା

ପୋୟେତ ନଇଲେ ମୋର ଗଉତମଂକୁ ବୋଇଲା ।୩୧୮।

ଗଉତମଂ ବୋଇଲେ ପୋଡୁ ପୋଡୁ ସ୍ତିରୀ ଜାତି

ବିଧାତା କିମ୍ପେ ତୁମ୍ଭନ୍ତ କଲା ଉତପତ୍ତି ।୩୧୯।

ୟେତେ ବାଗେ ରକ୍ଷା କରିଥାଇ ଅନୁବ୍ରତେ

ତଥାପି ରକ୍ଷା କରି ନୁଆରିଲେ ତୋତେ କଦାଚିତେ ।୩୨୦।

ପର ଦାରାୟେ ଜାତ କଲୁ ଯେ ପୁତ୍ର ବେନି

ସନ୍ଦେଶ ଫେଡ଼ି ଆଜ କହିଲା ଅଞ୍ଜନୀ ।୩୨୧।

ପରଦାର ଚଉର୍ଯ୍ୟ ପୁତ୍ର ଗୋଳକୁଣ୍ତା ଜାରାଜାତକା

ସେ ପୁତ୍ର ମୁଖ ଚାହିଂଲେ ବିଶୁଳିପାତିଆ ମହାପାତକା ।୩୨୨।

ବିମୁଖ ହୋଇଣ ଗୋ ରାଗେ ପରିତ୍ୟାଗୀ

ଅଗାଦ ସମୁଦ୍ର ଭିତରକୁ ଦୁହିଂକୁ ଦିଲୁ ଫିଙ୍ଗି ।୩୨୩।

କ୍ଷୀରୋଦ୍ରେ ପଡ଼ି ନାଶଗଲେ ପୁତ୍ର ବେନି

ଅହଲ୍ୟା ବୋଇଲା ମୋତେ ତୁ କିମ୍ପା ୟେହା କଲୁଲୋ ଅଞ୍ଜନୀ ।୩୨୪।

ତୋହୋର ମାତା ହୋଇଣ ମୁଂ ହୋଇଲି ଦୋଚାରୀ

ଆଲୋ ତୁ ମୋହୋର ଦୁହିତା ହୋଇ ନୁଆରିଲୁ ସଂହରି ।୩୨୫।

ଅଭେଦ ଆତ୍ମା ମୋତେ ଭେଦ କରାଇଲୁ

ପୁତ୍ରେ ନାଶଗଲେ ମୋତେ ଅଘରବାସୀ କଲୁ ।୩୨୬।

ତୋହୋର ଅବଶ୍ୟ ଲୋ ହୋଇବ ସନ୍ତତି

ସେହୁ କପିମୁଖ ହୋଉ ତୋତେ ନୋହିବ ପ୍ରାପତି ।୩୨୭।

ଗଉତମେ ବୋଇଲେ ଗୋ ତୁମ୍ଭେ ନ କରିବା ରୋଷ

ଇନ୍ଦ୍ର ଆଦିତ୍ୟଂକର ଚରିତ୍ର ୟେ ତୋହୋର କିସ ଦୋଷ ।୩୨୮।

ତୋହୋର ଗ୍ୟାନେ କି ଆନକୁ କଲୁ ପରଦାର

ଦିଗପାଳେ ହୋଇ ସେ ନ କଲେ ବିଚାର ।୩୨୯।

ସତୀକି ଦୂଷିଲେ ପର ଗୃହ ବାସ ନାଶ କଲେ

ଯାବତ କାଳକୁ ୟେ କଥା ରୁହାଇଲେ ।୩୩୦।

ଆନ ପାପ କଲେ ସେ ଆନକୁ ନିରୋଧି

ପରଦାର କଲେ ସେ ୟେ କେବଣ ବିଧି ।୩୩୧।

ଅହିଲ୍ୟାଂକୁ ଚାହିଂ ମୁନି ଦିଲେ ଅଭିଶାପ

ପାଷାଣ ହୋଇଣ ଗଙ୍ଗାକୂଳେ ପାଅ ତାପ ।୩୩୨।

ଆଦିତ୍ୟକୁ ବୋଇଲେ ତୁ ଗଗନ ନାଥ ହୋଇ ପରଦାରାୟେ ପଶୁ

ୟେ ମୋହୋର ଶାପ୍ୟେ ତୋତେ ରାହୁ ଯେ ଗରାସୁ ।୩୩୩।

ଇନ୍ଦ୍ରକୁ ବୋଇଲେ ତୁ ହରିଲୁ ମୋହୋରୀ ପତ୍ନୀ

ଶରୀର ଯାକ ହୋଉ ତୋହୋର ସସ୍ରଯୋନି ।୩୩୪।

ହନୁମାନ ବୋଇଲା ତୁ ଶୁଣ ଫାଲଗୁନି

ଋଷିଶାପ୍ୟେ ନାଶ ଗଲେ ଆଦିତ୍ୟ ମଘବା ବେନି ।୩୩୫।

ହନୁର ଆଗେ ପୁଚ୍ଛା କଲେ ଧନୁର୍ଜୟେ

ସମୋଦ୍ରେ ପଡ଼ି କେମନ୍ତେ କଲେ ସେ ବେନି ପୋୟେ ।୩୩୬।

ବୋଲଇ ମାରୁତି ତୁ ହୋ ଶୁଣ ଫାଲଗୁନି

ବଡ଼ବାନଳେ ପଡ଼ି ହେଠବୁଡ଼ ହୋଇଲେ ଭାଇ ବେନି ।୩୩୭।

ଆଦିତ୍ୟ ଦେବତା ଯେ ଥିଲେ ମଧ୍ୟସ୍ଥାନେ

କୋଳ କରି ଧଇଲେ ସେ ବେନି ନନ୍ଦନେ ।୩୩୮।

ଗଉତମଂକ ଶାପ୍ୟ ଫଳିଲା ପ୍ରତକ୍ଷ

ଶାମଶୀଳା ଯବଶୀଳା ଦୁହେଂ ହୋଇଲେ କପିମୁଖ ।୩୩୯।

ଶାପ୍ୟ ଦୋଷେ ବିକୃତ ଭାବେ ବିଭୋଳି

ବାହୁଡ଼ି ସମୋଦ୍ରକୁ ପଳାଇଲେ ପୁଣ ପେଲି ।୩୪୦।

ବିଚାରି କାର୍ଯ୍ୟ ଗୋ କର ସ୍ତିରୀଜନେ

ସ୍ତିରୀ ଜନ୍ମ ନାଶ ଯାଇଟି ଯୁବା ଉତକର୍ମେ ।୩୪୧।

ପରଦାରା ଭରସା ଗୋ ନ କର ତୁମ୍ଭେ ଆଶା

ଚୋରି ଶୃଙ୍ଗାରକୁ ଗୋ ନ ବଳାଅ ମନୀଷା ।୩୪୨।

କ୍ଷଣକର ସୁଖ ଗୋ ଜନ୍ମକର ହୋଇ ଦୋଷୀ

କିଞ୍ଚିତ ଦୋଷକୁ ପାତକ ବହୁତ ବିକାଶି ।୩୪୩।

ଆଦି ଅପର୍ଣ୍ଣା ଯେ ସ୍ତିରୀଂକର ବଡ଼ ତପ

ସମସ୍ତ ନାଶଯାଇ ପରାଦାରା ବଡ ପାପ ।୩୪୪।

ବୃହସ୍ପତିଂକର ଭାରିଯା ତାରା ମହାସତୀ

ପରଦାରା ଦୋଷେ ସେ ହୋଇଲେ ଅଜାତି ।୩୪୫।

ଆକାଶର ଅପକ୍ଷରୀ ପରଦାରା ଦୋଷେ

ହୀନ ସ୍ତିରୀ ହୋଇଲେ ସୋ ମଧ୍ୟସର୍ଗ ବାସେ ।୩୪୬।

ଗଉତମ ଋଷିଂକର ପତ୍ନୀ ଯେ ଅହଲ୍ୟା

ପରଦାରା ଦୋଷ କରି ପଥର ହୋଇଲା ।୩୪୭।

ସଇତନିକ କନ୍ୟା ପରଦାରା ଦୋଷ କରି

ବିଶ୍ୱାମିତ୍ରଂକର ଶାପ୍ୟେ ହୋଇଲା ମୁଖ ରେତକାରୀ ।୩୪୮।

ମଧୁ ଋଷିଂକର ଭାରିଯା ଉର୍ମିଳା

ପରଦାରା ଦୋଷେ ପଡ଼ି କାମକ୍ଷେତ୍ରେ ହୋଇଲା ।୩୪୯।

ଅହଲ୍ୟା ପରଦାରାୟେ ଜନମିଲେ ଶାମଶୀଳା ଯବଶୀଳା

କାଳେ ସେ ପୁତ୍ର ଗୋ ସମ୍ଭାଳନ ନୋହିଲା ।୩୫୦।

ଜନ୍ମକର ସୁକୃତ ହରଇ ପରଦାରା

ମଧ୍ୟ ବୟସେ ସେ ପାପି ଖଣ୍ଡି ପାପ ଅରଜିଲା ।୩୫୧।

ପରଦାରା ଦୋଷେ ଶାସ୍ତି ଦିଅଇ ଯମ ଦେବା

ପରଦାରା ସଙ୍ଗମ ନ କର କେହି ଇଚ୍ଛା

ବିଷ୍ଣୁ ପୁରାଣ ଶୁଣିଲେ ଆପଣେ ହୋଇ ରକ୍ଷା ।୩୫୩।

ପରମ ମାହେଶ୍ୱରୀ ଗୋ ଜଙ୍ଖେର ପୁର ବାସୀ

ପରଦାରା ପାତକ ପକାଅ ମୋ ଗୋ ଧଂସି ।୩୫୪।

ଯଗ୍ୟେଂ କୁସୁମ ମା ଗୋ ପକାଇଲି ବାଞ୍ଚି

ତୋହୋର ପ୍ରସାଦେ ମା ଗୋ ନ କଲି ମୁଂ କିଛି ।୩୫୫।

ପ୍ରସନ୍ନ ହୋଇ ମା ଗୋ ଖଣ୍ଡ ମୋର ୟେ ଜନ୍ମର ପାପ

ଧର୍ମ ବାଞ୍ଚିତେ ମୋତେ ପ୍ରାପତ କର ତପ ।୩୫୬।

ପରମ ମାହେଶ୍ୱରୀ ମା ଗୋ ଶ୍ରୀଚଣ୍ଡୀ ସାରୋଳା

ଶୂଦ୍ରମୁନି ସାରୋଳା ଦାସକୁ ଦେବା ଗୋ ମୁକତି ଅନର୍ଗଳା ।୩୫୭।

ଅର୍ଜୁନ ବୋଇଲେ ଦେବ ଶୁଣିମା ମାରୁତି

ଶାମଶୀଳା ଯବଶୀଳା ଯେ ଲାଗିଲେ କେବଣ କତି ।୩୫୮।

ବଦୟନ୍ତି ହନୁମାନେ ଅଞ୍ଜନାର ବାଳେ

ଶାମଶୀଳା ଯବଶୀଳା ଲାଗିଲେ ଉତ୍ତର କୂଳେ ।୩୫୯।

ଶଙ୍ଖ ରାଜାର କୂଳେ ସୁଜାଣେଶ୍ୱର ଯତି

ତାହାର ନନ୍ଦନ ନାମ ଅଟଇ ଶରଜାତି।୩୬୦।

ଶର ଜାତିର ତନୟେ ସୁମାଳୀ ଚକ୍ରବ୍ରତୀ

ଜମ୍ୱୁଧର ବୋଲି ଅଟଇ ତାହାର ସନ୍ତତି ।୩୬୧।

ଜମ୍ୱୁଧରର ନନ୍ଦନ ଦିଗାମ୍ୱର ନାମେ ବୀର

ତାହାର ନନ୍ଦନ ଅଟଇ ସୁରେଶ୍ୱର ।୩୬୨।

ସୁରେଶ୍ୱରର ନନ୍ଦନ ଅଟଇ ମାଲ୍ୟବନ୍ତ

ମାନବନ୍ତ ବୋଲି ଯେ ୟେହାର ନିଜ ପୁତ୍ର ।୩୬୩।

ମାନବନ୍ତର ନନ୍ଦନ ଅଟଇ ଭୂମନୁ

କରୁଣାକର ବୋଲି ତାହାର ନିଜ ତନୁ ।୩୬୪।

କରୁଣାକର ନନ୍ଦନ ଜନକେଶ୍ୱର ରାଜା

ମାଳୀୟଞ୍ଚ ବୋଲି ୟେହାର ଆତ୍ମଜା ।୩୬୫।

ୟେହାର ନନ୍ଦନ ନାମ କଉସ୍ତୁଭ ଚକ୍ରବ୍ରତୀ

ବିଡ଼ାଳାକ୍ଷ ବୋଲି କରି ୟେହାର ସନ୍ତତି ।୩୬୬।

ବିଡ଼ାଳାକ୍ଷର ନନ୍ଦନ ଶଶଧର ରାୟେ

ଅଞ୍ଜନ ବୋଲି କରି ୟେହାର ତନୟେ ।୩୬୭।

ଅଞ୍ଜନର ନନ୍ଦନ ଖଡ଼ଦ ନୃପତି

ୟେ ଖଡ଼ଦସେନ ରାଜାର ନୋହିଲା ସନ୍ତତି ।୩୬୮।

ସମୁଦ୍ରକଇ ରାଜା ସେବା କରଇ ନିତି

ସେ ରାଜା ଅଟଇ ମହା ଧାର୍ମିକ ଚକ୍ରବ୍ରତୀ ।୩୬୯।

କିସ୍କିନ୍ଦାକୁ ଲବଣ ସମୁଦ୍ର ନବ ଯୋଜନା ପରିଯନ୍ତେ

ସମୋଦ୍ରରେ ସେ ରାୟେ ତପ କରଇ ନିତ୍ୟେ ।୩୭୦।

ଅନୁଦିନେ ସମୋଦ୍ରରେ ନିତ୍ୟକର୍ମ ସ୍ରାହାନାଦି ସାରି

ପୁତ୍ର ଦାନ ଦେବ ବୋଲି ସମୋଦ୍ରକୁ କରଇ ଗୁହାରି ।୩୭୧।

ଋଷଭ ମାସ ଶୁକଳପକ୍ଷ ଦୁତୀୟାର ତିଥି

ଅର୍କବାର ମୃଗଶିରା ନକ୍ଷତ୍ର ପାହାନ୍ତି ।୩୭୨।

ସେ ଦିନ ଖଡ଼ଦସେନ ରାଜା ସମୋଦ୍ରକୁ କରଇ ସେବା

ଭୋ ରତ୍ନାକର ମୋତେ ପୁତ୍ର ଦାନ ଦେବା ।୩୭୩।

ବାଞ୍ଚା କରି ରାଜା କରଇ ଦଇନି

ୟେମନ୍ତର ସମୟେ କୂଳରେ ଲାଗିଲେ ଭାଇ ବେନି ।୩୭୪।

କପି ମୁଖ ସୁନ୍ଦର ଆପଣାର କାୟେ

ବଳବନ୍ତ ନନ୍ଦନ ଅନଙ୍ଗ ରୂପ ପ୍ରାୟେ ।୩୭୫।

ବିରଞ୍ଚି ନାରାୟଣ ଆଗ୍ୟାଂ ଦିଲେ ସର୍ଗୁଂ ବାଣୀ

ୟେ ଦୁଇ ପୁତ୍ର ପ୍ରତିପାଳ ହୋ ଖଡ଼ଦ ନୃପମଣି ।୩୭୬।

ଆହୋ ଅର୍ଜୁନ ସେଇ ଦୁଇ ପୁତ୍ରକୁ ଆଣି ଖଡ଼ଦ ନୃପମଣି

ବେନି ପୁତ୍ର ନାମ ଦିଲା ବାଳୀ ସୁଗ୍ରୀବ ପୁଣି ।୩୭୭।

ଶସ୍ତ ସେନାପତି ସତ୍ୟ ଯୁଗେ ଇନ୍ଦ୍ର ତହିଂ ଥିଲା

ତ୍ରେତୟା ଯୁଗରେ ସେ ଇନ୍ଦ୍ର ବୀର୍ଯ୍ୟେ ବାଳୀ ନାମ ପାଇଲା ।୩୭୮।

ପ୍ରଶସ୍ତ ଥିଲା ଯେ ଆଦିତ୍ୟର ତହିଂ

ତ୍ରେତୟା ଯୁଗେ ଜାତ ହୋଇଲା ସୁଗ୍ରୀବ ନାମ ବହି ।୩୭୯।

ଆଦି ପ୍ରଳୟ କାଳେ ତୁମ୍ଭେ କେତୁ ମଙ୍ଗଳ

ସତ୍ୟ ଯୁଗରେ ଜାତ ତୁମ୍ଭେ ଶସ୍ତ ପ୍ରଶସ୍ତ ମହାବଳ ।୩୮୦।

ତ୍ରେତୟା ଯୁଗେ ତୁମ୍ଭେ ବାଳୀ ସୁଗ୍ରୀବ ରୂପେ ଉତପନ୍ନ

ଦ୍ୱାପର ଯୁଗେ ତୁମ୍ଭେ ହୋ କର୍ଣ୍ଣ ଅରଜୁନ ।୩୮୧।

ବାଳୀ ସୁଗ୍ରୀବଂକର ମୁଂ ଅଟଇ ଭଣଞ୍ଜା

ଅଞ୍ଜନା ମାତା ମୋହୋର ଗଉତମ ତନୁଜା ।୩୮୨।

ଅନେକ କାଳର କଥା କହିଲା ପାବେନି

ଶୁଣି ପରମ ସାନନ୍ଦ ହେଲେ ପାଣ୍ଡବ ଫାଲଗୁନି ।୩୮୩।

ଅନେକ ଦାରାକ୍ଷ ଫଳ ଦିଲେ ହନୁମତ

ଭୁଞ୍ଜିଣ ତ୍ରିପୁତି ସେ ପଣ୍ଡୁ ରାଜାର ସୁତ ।୩୮୪।

କରପତ୍ର ଯୋଡ଼ିଣ ସେ ବୋଲଇ ଧନୁର୍ଜୟେ

ପରମ ଯେଗୀ ପୁରୁଷ ମୋତେ କରିବା ସଦୟେ ।୩୮୫।

ଉଠି ଅର୍ଜୁନକୁ କୋଳ କରିଣ ହନୁମନ୍ତେ

ତ୍ରିପୁତି ହୋଇଲି ଅର୍ଜୁନ ତୁ ବର ମାଗ ମୋତେ ।୩୮୬।

ଅର୍ଜୁନ ବୋଇଲେ ସ୍ୱାମୀ ମତେ ଯେବେ ହୋଇଲା ଅନୁଗ୍ରହ

ନନ୍ଦିଘୋଷ ରଥରେ ମୋର କପିକେତନ ହୋଇ ରହ ।୩୮୭।

ସାଂଗ୍ରାମକୁ ଯିବା ବେଳେ ଚାହିଂବି ତୋର ମୁଖ

ସମସ୍ତ ସିଦ୍ଧ ମୋତେ ହୋଇବା ପ୍ରତକ୍ଷ ।୩୮୮।

ପଣ୍ଡିତ ଲୋକେ ତାତ ଯାତ୍ରା ଅନକୂଳ ବିଧି

ହନୁମନ୍ତ ପ୍ରସନ୍ନେ ପ୍ରାପତ ହୋଉ ସର୍ବସିଦ୍ଧି ।୩୮୯।

ଯେବଣ ସାଂଗ୍ରାମ ଭୂମିରେ ଥାଇ ହନୁମନ୍ତ

ପଶିତ ନୁଆରଇ ତହିଂ ପାତେକ ଦୁରାପାତ ।୩୯୦।

ଯେ ଅବା ପଣ୍ଡିତ ଯୋଗ ଗ୍ୟାନବନ୍ତ

ହନୁମନ୍ତ ପ୍ରତିମା ଗୋଟିୟେ ଦ୍ୱାରେ ଥାପିବ ଅନୁବ୍ରତ ।୩୯୧।

ଅସୁର ନିପାତକ ଅଟଇ ପରମ ଯୋଗୀ

ସେ ଥିଲା ଭୂମିକି ନୋହଇ ଅସୁର ଭୋଗୀ ।୩୯୨।

ଭୋଜନ କାଳେ ସୁମରଇ ହନୁମନ୍ତ

ସେ ଅନ୍ନକୁ ଆକ୍ରେଷି ନ ପାରଇ ଦୁରାପାତ ।୩୯୩।

କରପତ୍ର ଯୋଡ଼ି ବୋଲଇ ଫାଲଗୁନି

ଆପଣେ ଦୂଷିତ ହୋଇଲି ସ୍ୱାମୀ ତୋତେ ନ ଚିହ୍ନି ।୩୯୪।

ଶ୍ରୀରାମ ପ୍ରସନ୍ନେ ବର ଦିଲେଟି ଯାହାକୁ

ପୂର୍ବେ ପୁଣ୍ୟେ ମହାତମା ଭେଟିଲି ମୁହିଂ ତାଂକୁ ।୩୯୫।

ଅନୁଗ୍ରହ ନାଥ ମୋତେ ଦୟା କରିଥିବା

ନନ୍ଦିଘୋଷ ରଥେ ମୋର ବିଜୟେ କରିବା ।୩୯୬।

ଶୁଣିଣ ପ୍ରସନ୍ନ ହୋଇଲେ ଶ୍ରୀରାମଂକ ଦୂତ

କପିକେତନ ଚିହ୍ନ ହୋଇଥିବି ତୋର ନନ୍ଦିଘୋଷ ରଥ ।୩୯୭।

ବେନି କର ଯୋଡ଼ି ପାଥ ପଦ୍ମପାଦେ ପଡ଼ି

ଅନେକ ତୁସ୍ତି ସେ ଯେ କରଇ ପୁରସରି ।୩୯୮।

ଜୟ ଜୟ ହନୁମାନ ମହାରୁଦ୍ର ମୂର୍ତ୍ତି

ଜୟ ଜୟ ଭଗତମତ୍ସଳ ଦାଶରଥି ।୩୯୯ ।

ଜୟ ତୁ ଶରଣ ଜନ ରକ୍ଷଣ ନାଥ ସାଧୁ

ଜୟ କୃପାନିଧି କୃପା ଜଳ ସିନ୍ଧୁ ।୪୦୦।

ଜୟ ଜୟ ଲଂକା ବିଧଂସକ ଦର୍ପଶଇଳ

ଜୟ ଜୟ ତ୍ରେତା ଯୁଗର ମହାମଲ୍ଲ ।୪୦୧।

ଜୟ ଜୟ ପରମ ମଙ୍ଗଳ ଯୋଗେଶ୍ୱର

ତୋହୋରେ ଲଂକାଗଡ଼ ଜୟେ କଲେ ରଘୁବୀର ।୪୦୨।

ଜୟ ଜୟ ଶ୍ରୀରାମ ଭଗତ ଦୂର ଶ୍ରେଷ୍ଠ

ତୋହୋର ଖଣ୍ଡନ ହେଲା ସୀତୟାଂକ କଷ୍ଟ ।୪୦୩।

ଜୟ ଜୟ ପରମାନନ୍ଦ ଗଉତମ ନାତି

ଜୟ ଜୟ ଯମ ଅର୍ଗଳ ଭଞ୍ଜନ ମାରୁତି ।୪୦୪।

ଜୟ ଜୟ କାଳାନ୍ତକ ଦନୁଜ ଦର୍ପ ନଷ୍ଟା

ଜୟ ଜୟ ଶ୍ରୀରାମ ଭଗତ ଜନ ଶ୍ରେଷ୍ଠା ।୪୦୫।

ଜୟ ଜୟ ନାଥ ସେବକ ଜନମତ୍ସଳ

ଜୟ ଜୟ କରୁଣାସାଗର ଗତିଭୋଳ ।୪୦୬।

ଜୟ ଜୟ ବାଳୀ ସୁଗ୍ରୀବର ଭଣଞ୍ଜା

ଜୟ ଜୟ କାଳ କର୍ମ ଭଞ୍ଜା ।୪୦୭।

ଜୟ ଜୟ ମାନବ ତୁ ମାନଗୋବିନ୍ଦ

ଜୟ ଜୟ ଭୁବନ ଉତ୍ସବ ତୁ ପରମାନନ୍ଦ ।୪୦୮।

ଜୟ ଜୟ ମହା ଯତି ମହା ପଣ୍ଡିତ ମହା ଯୋଧୀ

ଜୟ ଜୟ ଗିରିବରେ ବନ୍ଧନ ବାରାନିଧି ।୪୦୯।

ଶ୍ରୀହନୁମନ୍ତ ଚରଣେ ଶରଣ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ହୋଇବା ।୪୧୦।

ଶ୍ରୀମଧ୍ୟପର୍ବେ ସୁଗନ୍ଧିକା ହରଣ କଥା

ଶୁଣନ୍ତେ ଧନ ପୁତ୍ର ପ୍ରାପତ ହୋୟେ ଯଥା ।୪୧୧।

ଶ୍ରୀହନୁମନ୍ତ ପ୍ରସନ୍ନେ ଆରୋଗ୍ୟଶୀଳ ବଞ୍ଚି

ବନୁମନ୍ତ ପ୍ରସନ୍ନେ ମୁକତି ଗତି ଇଚ୍ଛା ।୪୧୨।

ହନୁମନ୍ତ ବୋଇଲେ ପାଥ ତୁ ସୁମରିବୁ ଯେତେବେଳେ

କପିକେତନ ହୋଇ ରଥେ ଥିବି ସର୍ବକାଳେ ।୪୧୩।

ପ୍ରସନ୍ନେ ନାରାୟଣ ସାରଥି ହୋଇବେ ଦେବରାଜେ

ସାଂଗ୍ରାମେ ରଥ ଧ୍ୱଜେ କରିବି ମୁଂ ବିଜେ ।୪୧୪।

ହନୁମନ୍ତ ଅର୍ଜୁନ ଚଳିଯାନ୍ତେ ପଥେ

ପ୍ରବେଶ ହୋଇଲେ ଯାଇଂ ଅଭିନବ ପର୍ବତେ ।୪୧୫।

ଦେଖିଲେ ନିଳେନ୍ଦୀ ସରୋବର ସ୍ଥଳୀ

ବେନି ଯୂଣ ଆୟତନ କୋଶେକ ଉଗୁଳି ।୪୧୬।

ଅନେକ କମଳ ତହିଂ ବିଘଂସିତ ସୁଗନ୍ଧି

ଅନେକ ଉଡ଼ଙ୍ଗ ଘେନି ଉଡ଼ଙ୍ଗେଶ୍ୱର ବନ୍ଦୀ ।୪୧୭।

ସେ ବିଷ ଲହରୀ ଘାୟେ ହାନ୍ଦୋଳ ହୋୟେ ପାଣି

କଜ୍ୱଳ କଳଂକ ପ୍ରାୟେ ପୂରି ଅଛନ୍ତି ନାଗେଣୀ ।୪୧୮।

ହନୁମନ୍ତ ବୋଇଲା ବାବୁ ଶୁଣ ବୀର ପାଥେ

ୟେ ବିଷ ଲହରୀରେ ତୁ ଝାସିବୁ କେମନ୍ତେ ।୪୧୯।

ନାରାୟଣଂକ ରଙ୍ଗା ଅବତାର ସରୂପେ

କରନ୍ତି ବାଳକ୍ରୀଡ଼ା ମଥୁରା ପୁର ଗୋପେ ।୪୨୦।

କଂସର ଆଗରେ ଯାଇ କହିଲେ ନାରଦ

ଶ୍ରୀକୃଷ୍ଣଂକ ହାଥରେ ନିଚୟେ ତୋର ବଧ ।୪୨୧।

କହ୍ନାଇ ନାମେଣ ଯେ ନନ୍ଦର ପୁତ୍ର ଗୋଟି

ଶ୍ରୀକୃଷ୍ଣ ଅବତାରେ ଅନାଦି ନାଥ ହେଟି ।୪୨୨।

ନାରଦଂକ ବଚନେ ଦୃମିଲାର ବଳା

ଭାଳଇ ଅନୁବ୍ରତେ କୃଷ୍ଣର ଭୟ ଯେ ଲାଗିଲା ।୪୨୩।

ବାଳ କାଳେ ପ୍ରଥମେ ପୋତନୀକି ଦିଲା ପେଷି

କ୍ଷୀରପାନେ କେଶବ ତାକୁ ପକାଇଲେ ନାଶି ।୪୨୪।

ଦୁଜେଣ ବିଧିଲେ ବୃକ୍ଷ ଯେ ଯାମଳା

ତିଜେଣ ଭାଞ୍ଜିଲେ ଶକଟା ମହାବଳା ।୪୨୫।

ଷଣ୍ଢାସୁର ମାଇଲେ ବୃକ୍ଷ ଯେ ଯାମଳା

ଶୁଣିଣ କଂସ କେଶୀ ମନେ ବଡ଼ ତ୍ରାସି ।୪୨୬।

ଉପାୟେ ରଞ୍ଚିଲା କଂସ ପ୍ରଳମ୍ୱାସୁର ବଚନେ

ପଦ୍ମ ମଗାଇଲା ନନ୍ଦକୁ କଟୁ ବଚନେ ।୪୨୭।

ରାଜାର ବଚନେ ସେ ଦେବ ବନମାଳୀ

କାହ୍ନୁ ସଂକ୍ରିଷେଣ ଗଲେ ପଦ୍ମ ପୁଷ୍ୟ ତୋଳି ।୪୨୮।

କାଳିନ୍ଦୀ ଜଳରେ ଯାଇଂ ପ୍ରବେଶ ଚକ୍ରପାଣି

ନାଗବଳ ଘେନି ଥିଲା ତହିଂ କାଳି ଯେ ନାଗେଣୀ ।୪୨୯।

ପଦ୍ମ ତୋଳନ୍ତେଣ ସେ କଟାଳିଲା କାଳ

ପାଦେ ଦର୍ପ ତାର ମର୍ଦ୍ଦିଲେ ବନମାଳୀ ।୪୩୦।

ଗରୁଡ଼ ବିଜେ କଲା ଦେଖି କାଳି ପଳାଇଲା ଡରେ

କେଶବରେ ଶରଣ ପଶିଲା ନିର୍ଭରେ ।୪୩୧।

ପ୍ରସନ୍ନେ ବର ତାକୁ ଦିଲେ ଭଗବାନ

ତୋଷେଣ ସ୍ୱାମୀ ତାର ଶିରେ ବସାଇଲେ ପଦ୍ମପାଦ ଚିହ୍ନ ।୪୩୨।

ପ୍ରଳମ୍ୱିତ ହୋଇ କାଳି ଖଗେଶ୍ୱରେ ଦେଖି

ଶରଣପଞ୍ଜର ନାଥ ଦୋଷ ମୋର ଉପେକ୍ଷି ।୪୩୩।

ଗରୁଡ଼ ବୋଲଇ ଯେବେ ନାରାୟଣ ଅନୁଗ୍ରହ କଲେ ତୁକୁ

ପଳା ଯା କାଳି ତୁ ମୋର ଅଦୃଶ୍ୟ ସ୍ଥନକୁ ।୪୩୪।

ଖଗେଶ୍ୱର ଭୟେଣ ପଳାଇ ଉଡ଼ଙ୍ଗ

ନିଳେନ୍ଦୀ ସରୋବରେ ଆସି ପଶିଲା କାଳିନାଗ ।୪୩୫।

ଅନେକ ନାଗବୃନ୍ଦ ଘେନି ପଶିଲା ସରୋବରେ

ଗରୁଡ଼ ପଶି ନୁଆରଇ ୟେ ଭୁବନ ଭିତରେ ।୪୩୬।

ଅର୍ଜୁନ ବୋଇଲେ ତହୁଂ ଶୁଣିମା ମାରୁତି

କି ନିମନ୍ତେ ଗରୁଡ଼ ଯେ ନ ପଶଇ ୟେଥି ।୪୩୭।

ହନୁମନ୍ତ ବୋଲେ ତହୁଂ ଶୁଣ ଧନୁର୍ଜୟ

ବହୁତ କାଳର କଥା ଦୃଷ୍ଟାନ୍ତ ଉପାୟ ।୪୩୮।

ବାବୁ ଅନୁସର ନାମେ ୟେକଇ ସତ୍ୟ ଯୁଗେ

ଗରୁଡ଼ ନାଗନ୍ତ ମାଇଲା ମାତାର ବଇରାଗେ ।୪୩୯।

ଗରୁଡ଼ ୟେ ପର୍ବତେ ଆସି ଦିନେକ ବିଶ୍ରମି

କଚ୍ଛପ ଗୋଟିୟେ ଦେଖିଲେ ପକ୍ଷୀରାଜ ସ୍ୱାମୀ ।୪୪୦।

ଆକ୍ରେଷି ଧଇଲେ ତାହା ଭକ୍ଷିବା ନିମନ୍ତେ

ଥଣ୍ଟେଣ ଧରି ତାହା ଆଣଇ ବଇନେତ୍ରେ ।୪୪୧।

କଚ୍ଛପକୁ ଭକ୍ଷ କରି କଶ୍ୟପର ବଳା

ଭୂମିର ମଧ୍ୟରେ ସେ ପକାଇଲା ଖୋଳା ।୪୪୨।

ସନ୍ଧ୍ୟା କରୁଛନ୍ତି ବସି କଶ୍ୟପ ମହଋଷି

ତାହାଂକ ଉପରେ ଖୋଳା ପଡ଼ିଲାକ ଆସି ।୪୪୩।

ଦେଖିଲେ କଶ୍ୟପ ଯେ କଚ୍ଛପର ପିଠି

ରାଗେଣ ଶାପ୍ୟ ଦିଲେ କଶ୍ୟପ ତପୋନିଷ୍ଠି ।୪୪୪।

ଆମ୍ଭର ବାହାନ ୟେ ଅଟଇ କଚ୍ଛପ

ୟେହାକୁ ଭକ୍ଷିଲେ ପିତାର ମାଂସ ଭକ୍ଷିଲା ସରି ପାପ ।୪୪୫।

କେ ଅବା ପକାଇଲା ଆଣି ଆମ୍ଭର ଉପରେ

ଆରବେଳେ ନ ପଶିବୁଂ ନିଳେନ୍ଦୀ ସରୋବରେ ।୪୪୬।

ଆମ୍ଭର ବୋଲ ମେଣ୍ଟି ଯେବେ ସରୋବରେ ପଶୁ

ଦହନ ହୋଇ ଶରୀର ହୋଉ ଧୂଳି ପାଉଂଶୁ ।୪୪୭।

ରାଗେଣ ଶାପ ଦିଲେ କଶ୍ୟପ ମହଋଷି

ତେଣୁ କରି ଗରୁଡ଼ ନୁଆରଇ ୟେଥି ପଶି ।୪୪୮।

ଶୁଣ ବାବୁ ଧନୁର୍ଜୟେ ପାର୍ଥିବ ସର୍ବସାଚୀ

ତେଣୁ କରି ନିଚିନ୍ତେ କାଳିୟ ନାଗ ୟେଥେଂ ରହିଅଛି ।୪୪୯।

ନାରାୟଣ ଅଙ୍ଗେ ଘାଉଡ଼ କଲା ଯେଉଣ ଉଡ଼ଙ୍ଗ

ଜାଣିଣ ଅର୍ଜୁନ ୟେଥି ତୁ ହୁଅସି ସଂସର୍ଗ ।୪୫୦।

ହନୁମନ୍ତ ବଚନ ଶୁଣିଣ ଫାଲଗୁନି

ସରୋବରେ ପଶିଲା ବୀର କରେ ଗଦା ଘେନି ।୪୫୧।

ଅସିତ ମାରାଗ ଜିଣି ଦିଶେ ଦେହ ବର୍ଣ୍ଣ

ବେନି ପାଦେ ବିରାଜଇ ତାର ପଦ୍ମ ଚିହ୍ନ ।୪୫୨।

କମଳ ପତ୍ର ଉପରେ ଅର୍ଜୁନ ଯାଇଂ ଉଠି

କିଳିକିଳା ନାଦେ ନାଗେ ଉଠିଲେ ଦେଖଇ କିରୀଟୀ ।୪୫୩।

ତିନି ସାତ ପାଞ୍ଚ ଫେଣା ଶିରରେ ବିରାଜି

ଜୀମୂତ ପଟଳ ଯେହ୍ନେ ମିଥୁନେ ଗରଜି ।୪୫୪।

ବିଶେଷେ ଜଳ ଯେ ଅଗାଦ ଗଭୀର

କାଳି ନାଗୁଣୀର ସହସ୍ରେ ବୃନ୍ଦ ସନ୍ୟ ଗହନ ସରୋବର ।୪୫୫।

ଦୁତୀକୃଷ୍ଣ ଅବତାର ସେ ବୀର ଧନୁର୍ଜୟେ

କାଳି ନାଗବଳ ଦେଖି ସେ କିଛି ନ କରଇ ଭୟେ ।୪୫୬।

ତୋଳଇ କମଳ ସେ ପଦ୍ମପତ୍ରେ ଧୀରେ ଧୀରେ ଉଠି

ପିଟଇ ନାଗନ୍ତ ସେ କରେଣଧରି ଯଷ୍ଟି ।୪୫୭।

ପିଟିଣ ନାଗବଳ ସେ କରଇ ମସିଗୁଣ୍ଡା

ନାଗୁଣୀ ବଳ ଦେଖିଣ ସେ ଦିଗୁଣ ପରଚଣ୍ଡା ।୪୫୮।

ହୃଦରେ ଶୋଭାବନ ବିରାଜଇ ରତ୍ନମାଳା

ଜଗୁଜନ ମୋହନ ସେ ବାସବର ବଳା ।୪୫୯।

ୟେକ ପ୍ରହରକେ ଅନେକ ନାଗ ଲୋଟି

କଜ୍ୱଳ ବର୍ଣ୍ଣ ପାଣି ହୋଇଲା ରକତ ବୃଷ୍ଟି ।୪୬୦।

ମହା ଭୀଷ୍ମରୂପ ଧରି ଧାଇଂଲେ ଅନେକ ନାଗ

ଅର୍ଜୁନର ବିଘାତେ ନାଶଗଲେ ସକଳ ଉଡ଼ଙ୍ଗ ।୪୬୧।

ବାମକରେ କମଳ ତୋଳଇ ଡାହାଣ କରେ ଯଷ୍ଟି ଘେନି

ଖର୍ବେକ ନାଗୁଣୀ ବଳ ମାଇଲା ଫାଲଗୁନି ।୪୬୨।

ପଳାଇ ନାଗୁଣୀବଳ କହିଲେ କାଳୀକି

ତୋହୋର ଥାଆନ୍ତେ ଆମ୍ଭେ ହୋଇଲୁ ନିରିମାଖି ।୪୬୩।

ପୁରୁଷେକ ପ୍ରବେଶ ହୋଇଲା ଅଦଭୁତେ

ସୁଗନ୍ଧିକା ପୁଷ୍ୟ ତୋଳଇ ଆମ୍ଭର ଦେଖନ୍ତେ ।୪୬୪।

କମଳ ପତ୍ରେଣ ସେ ବେନି ପାଦ ଦେଇ

କେତେକ ଉଶ୍ୱାସ ସେ ଜଳରେ ନ ବୁଡ଼ଇ ।୪୬୫।

ଆକ୍ରେଷି ଘୋଟିଲୁ ଆମ୍ଭେ ଯେ ଯାହାର ଦର୍ପେ

ତୋଟା ଭାଙ୍ଗନ୍ତେଣ ଆମ୍ଭେ ଧାଇଂଲୁ ସର୍ବ ସର୍ପେ ।୪୬୬।

ଅକାଟ ଅତୁଟ ଅଫୁଟ ଅଟଇ ତାହାର କାୟେ

ନୋହଇ ମାନବ ସେ କେବଣ ଦେବତାୟେ ।୪୬୭।

ତୋହୋର ନାମ କହନ୍ତେ ତ୍ରାସନ୍ତି ଦିଗପାଳେ

ୟେଡ଼େ ବଡ଼ମଧୁବନ ତୋଟା ଗୋଟା ଧ୍ୱଂସ ଗଲା ୟେତେ କାଳେ ।୪୬୮।

ପୁଷ୍ୟବନ ବିନାଶ ବାରତା ଯହୁଂ ଶୁଣି

ଆପଣେ ବିଜେ କଲା କାଳୀ ନାଗ ପୁଣି ।୪୬୯।

ମନ୍ଦର ତୁଲ୍ୟ ଜାଣି ତାର ଶିରରେ ସପତ ଫେଣା

ଗର୍ଜନ ଘୋରନାଦ ନ ଯାଇ କଳନା ।୪୭୦।

ଜଳଭୁବନେ ଥାଇ କାଳୀ ଆକାଶକଇ ଘୋଟି

ହନୁମନ୍ତ ବୋଇଲା ବାବୁ ସମ୍ଭାଳ କିରୀଟୀ ।୪୭୧।

କାଳୀର ଭୀଷ୍ମରୂପ ଦେଖିଣ ଫାଲଗୁନି

କୋପେଣ ବିନ୍ଧିଲା ପାଥ ଦିବ୍ୟ ସହସ୍ରନ୍ତ ଘେନି ।୪୭୨।

ତୁଣ୍ଡ ବିସ୍ତାର ସେ ଯେ କରିଅଛି କାଳୀ

ଭୟେଣ କଳଂକ ଯେହ୍ନେ ଦିଶଇ ଅଶୁଂମାଳୀ ।୪୭୩।

ଅର୍ଜୁନ ବିନ୍ଧିଲା ଯେ ସପ୍ତ ଲକ୍ଷ କାଣ୍ଡ

ସମସ୍ତ ପଶିଲା ଯାଇ କାଳିୟ ନାଗର ତୁଣ୍ଡ ।୪୭୪।

ଶର ସନ୍ଧାନ ସେ ଯେ କରଇ ଧନୁର୍ଜୟେ

ନାଗୁଣୀର ଗର୍ଭେ ପଂଡ଼ି ସମସ୍ତ ଯାଇ କ୍ଷୟେ ।୪୭୫।

ପର୍ବତା ଶରେକ ଯେ ବିନ୍ଧିଲା ବୀରମଣି

ହେଳେ ଭକ୍ଷଣ ତାହା କରଇ ନାଗୁଣୀ ।୪୭୬।

ଅଗ୍ନିଶର ପୁଣି ଯେ ବିନ୍ଧିଲା ଫାଲଗୁନ

ନାଗୁଣୀ ଗର୍ଭଗତେ ପଡ଼ି ହୋଇଲା ନାଶପାନ ।୪୭୭।

ଖାଣ୍ଡବ ବନ ଦହନ କାଳେ ଅଗ୍ନିଦେବତା ଦିଲେ ଯେବଣ ମଉଷଧି

ତାହା ଆଧାନା କଲା ସାଂଗ୍ରାମେ ପାଥ ଜମ୍ଭଭେଦୀ ।୪୭୮।

ମନଭେଦୀ ଶରେ ସେହି ଅଉଷଧ ଆଚ୍ଛାଦି

କୋପେଣ ଅରଜୁନ ତାହା ଅନୁସରି ବିନ୍ଧି ।୪୭୯।

ଅଉଷଧିର ଶର ଯେ ପଡ଼ିଲା ଯାଇଁ ଘୋଟି

ସର୍ପ ମୃଧୁନି କି, ତହିଂରେ ଯାଉଅଛି ଫାଟି ।୪୮୦।

ମଉଷଧି ଗନ୍ଧ ଲାଗି ଭାଜିଲା ସର୍ବ ସର୍ପଂକର ଦର୍ପ

ଜଳ ଭୁବନ ତେଜି ପଳାଇଲେ ସର୍ବ ସର୍ପ ।୪୮୧।

ପଡ଼ିଲା ଶର ସେ କାଳୀର ଭାଲପଟ ଉପର

ମର୍ଦ୍ଦିଲାକ ଫେରୁ ସେ ଯେ ଉଡ଼ଙ୍ଗ ଶିଖର ।୪୮୨।

ଫେରୁ ମର୍ଦ୍ଦନ ଯହୁଂ ହୋଇଲାକ କାଳୀ

ସରୋବରେ ତେଜ୍ୟା କରି କନ୍ଦରେ ପଶଇ ଗଳି ।୪୮୩।

ସର୍ପବଳ ଧ୍ୱଂସଇ ସେ ବାସବର ଶିଷି

ଗୋଡ଼ାଇ ଗରୁଡ଼ା ଶର ଅର୍ଜୁନ ତହିଂ ପେଷି ।୪୮୪।

ଗରୁଡ଼ ତେଜ ଯହୁଂ ଘୋଟିଲା ମହୀସ୍ଥଳୀ

ଅବିଚ୍ଛନ୍ନେ ଗର୍ଜିଣ ନାଗନ୍ତ ଧରି ଗିଳି ।୪୮୫।

ବହୁତ ନାଗବଳ ବିନ୍ଧଇ ବୀର ଧନୁର୍ଜୟେ

ଉଡ଼ଙ୍ଗ ବଳ ଧ୍ୱଂସିଲା ବାସବ ତନୟେ ।୪୮୬।

ମଉଷଧି ଶରେ ଅସାଷ୍ଟମ ହୋଇଲାକ କାଳୀ

ବଇଷ୍ଣବ ଚକ୍ର ପାଥ ମାଇଲାକ ତୋଳି ।୪୮୭।

ଚକ୍ର ବିଘାତେ କାଳୀ ବେନିଖଣ୍ଡ ହୋଇ ଛିଡ଼ି

ସଂସାର ନାଶେନୀ ତହୁଂ ସେ ପଡ଼ିଲା ଭୂମି ମାଡ଼ି ।୪୮୮।

ନାଗବଳ ନାଶଗଲା ତହିଂ ଯେତେବେଳେ

ଅର୍ଜୁନକୁ ହନୁମନ୍ତ ଧଇଲାକ କୋଳେ ।୪୮୯।

ସାଧୁ ସାଧୁ ଅର୍ଜୁନ ହୋ ମହିମା ତୋର ଧନି

ସାଧୁ ମହିମା ତୋତେ ଜାତ କଲା ଯେବଣ ଜନନୀ ।୪୯୦।

ସାଧୁ ସାଧୁ ଅର୍ଜୁନ ତୋହୋର ପିତା ମାତା

ସାଧୁ ସାଧୁ ଅର୍ଜୁନ ତୋର ଇଷ୍ଟଗୁରୁ ଦେବତା ।୪୯୧।

ସାଧୁ ସାଧୁ ଅର୍ଜୁନ ତୁ ଭାରୋଇମଲ୍ଲ ପାଥ

ସାଧୁ କ୍ଷେଣେ ପ୍ରସନ୍ନ ତୋତେ ହୋଇଲେ ଜଗନ୍ନାଥ ।୪୯୨।

ସାଧୁ ସାଧୁ ସୋମବଂଶ କୁଳେ ତୁ ଜନମି

ସାଧୁ ତୋହୋର ପ୍ରତଗ୍ୟାଂ ମହିମା ଉତ୍ତମି ।୪୯୩।

ବହୁତ ସାଧୁ ସାଧୁ କଲାକ ପାବେନି

କୃଷ୍ଣ ଅବତାର ତୁହି ପ୍ରତକ୍ଷେ ଫାଲଗୁନି ।୪୯୪।

ହନୁମନ୍ତ ସମାର୍ଜନା ସେ ବାସବର ବାଳେ

ବିଜୟେ ଧନୁର୍ଜୟେ ନିର୍ମଳ ନିଳେନ୍ଦୀର ଦଳେ ।୪୯୫।

ସୁଗନ୍ଧିକା ପୁଷ୍ୟ ପାଥ ତୋଳଇ ବହୁତ

ସେ ସରୋବରେ ଅଛି କପାଳେଶ୍ୱର ଦକ୍ଷ ଦଇତ ।୪୯୬।

ଯୋଜନେକ ବିସ୍ତାର ସେ ଦଇତର ପାଟି

ଦନ୍ତମାନ ତାର ଯେ ଲଙ୍ଗଳର କଣ୍ଟି ।୪୯୭।

ଜଳର ଭିତରେ ସେ ସର୍ବଦା ଥାଇ ରହି

ଜଳରେ ଯେହୁ ପଶଇ ତାହାକୁ ଭକ୍ଷଇ ।୪୯୮।

ତୋଟା ବିଧ୍ୱଂସନ୍ତେ ଖେଚର ରୂପ ହୋଇ

ଅର୍ଜୁନ ବେନି ଚରଣ ଧଇଲା ନିଠିଆଇ ।୪୯୯।

କୋପେଣ ଆକ୍ରେଷି ସେ ଦଇତ ମହାବଳୀ

ଅର୍ଜୁନ ବେନି ଚରଣ ଦିଲା ହାଦେ ଗିଳି ।୫୦୦।

କଟିଭାଗ ପରିଯନ୍ତେ ଗିଳିଲାକ ଦକ୍ଷ

ଅର୍ଜୁନ ହାକ ଦିଅଇ ସ୍ୱାମୀ ହନୁମାନ ମୋତେ ରଖ ।୫୦୧।

କାଳୀନାଗର ଦର୍ପ ଧ୍ୱଂସିଲି ବାହୁବଳେ

କଟି ଧରି କେହୁ ମୋତେ ବୁଡ଼ାଉଅଛି ଜଳେ ।୫୦୨।

ନଖ ମୁଖ ନାସିକା ଚରଣ ନ ଦିଶଇ କିଛି

ଶୂନ୍ୟ ଦେବତା ପ୍ରାୟେ ମୋତେ ଚରଣଆଡୁ ଗିଳୁଅଛି ।୫୦୩।

ଅର୍ଜୁନ ମୁଖରୁ ନିଷ୍ଠୁର ବଚନ ଶୁଣି

ଧାତିକାରେ ମାରୁତି ପଡ଼ିଲା ଡେଇଂ ପାଣି ।୫୦୪।

ଅର୍ଜୁନକୁ ଆକ୍ରେଷି ଧଇଲା ବାମ କରେ

ଭୟେଣ ଛାଡ଼ି ଦିଲା ସେ ଦକ୍ଷ ଅସୁରେ ।୫୦୫।

ହନୁମାନ ବୋଇଲେ ବାବୁ ଶୁଣରେ କିରୀଟୀ

ମୋହୋର କତିକି ବାବୁ ଚାହାନି ଲେଉଟି ।୫୦୬।

ହନୁମାନ ବଚନେ ଚାହିଂଲା ବାସବର ବଚ୍ଛା

ଦେଖିଣ ଦୁରାନ୍ତେକ ପଡ଼ିଗଲା ମୂର୍ଚ୍ଛା ।୫୦୭।

ଅର୍ଜୁନ ବୋଇଲା ସ୍ୱାମୀ ଶୁଣିମା ପାବେନି

କେବଣ ଚରିତ ୟେହା ମୁଂ ନୁଆରିଲି ଚିହ୍ନି ।୫୦୮।

ବଡ଼ାଇ ଅସଂଖ୍ୟ ଅଗୋଚର ଅସମ୍ଭବ କଥା ମାୟା

କିସ ଘେନି ଗଳିଲା ସେ ମୋତେ ନ ଦିଶଇ କାୟା ।୫୦୯।

ହନୁମନ୍ତ ବୋଇଲା ଶୁଣ ହୋ ମହାରଥା

ତ୍ରେତୟା ଯୁଗର ଯେ ବହୁତ କାଳର ୟେ କଥା ।୫୧୦।

ଶ୍ରୀରାମ ଲକ୍ଷ୍ମଣ ଯେ ଭରତ ଶତ୍ରୁଘନ

ଦଶରଥ ରାଜାଂକର ଉପୁଜିଲେ ଯେ ଚାରି ନନ୍ଦନ ।୫୧୧।

ପିତା ସତ୍ୟ ନିମନ୍ତେ ରାମ ଗଲେ ବନବାସ

ଲକ୍ଷ୍ମଣ ଜାନକୀ ଗୋଡ଼ାଇ ଗଲେ ତାଂକ ପାଶ ।୫୧୨।

ଶ୍ରୀରାମଂକ ଘରଣୀକି ହରିନେଲା ଲଂକାଧି ମନ୍ଦ ବୁଦ୍ଧି

ହରିବଳ ଘେନି ରାମ ବାନ୍ଧିଲେ ବାରାନିଧି ।୫୧୩।

ରାମ ରାବଣର ହୋଇଲା ବହୁତ ସାଂଗ୍ରାମ

ଅନେକ ଅସୁରବଳ ବଧ କଲେକ ଶ୍ରୀରାମ ।୫୧୪।

କୁମ୍ଭକର୍ଣ୍ଣ ବୋଲିଣ ଯେ ବିଶ୍ରବାର ତନୁଜ

ରାବଣ ଦନୁଜର ସେ ଅଟଇ ଅନୁଜ ।୫୧୫।

ଦନୁଜ ବଳ ପଡନ୍ତେ କୁମ୍ଭକର୍ଣ୍ଣ ମହାବୀର

ସାଂଗ୍ରାମେ ପ୍ରବେଶ ଆସି ହୋଇଲା ଅସୁର ।୫୧୬।

ବଡ଼ାଇ ଦୁରାନ୍ତେକ କପିନ୍ତ ଧରି ଗିଳି

ନାସିକା କର୍ଣ୍ଣବାଟେ ବାହାର ହୋନ୍ତି ଉଗୁଳି ।୫୧୭।

ଦୁଧିମୁଖ ଗନ୍ଧମାର୍ଦନ ପନସ ନଳ ନୀଳ

ସଉରି ସମ୍ପାତି ଆଦି ଆବର ସୁଗ୍ରୀବର ।୫୧୮।

ଅନେକ ଗିରିବର ନେଇ ଉପରେ କଲେକ ପ୍ରହାର

ଶରୀରେ ପଡ଼ି ତାହାର ହୋଇଲା ଶତେ ଚୂର ।୫୧୯।

କେବେହେଂ ବଧ ଯହୁଂ ନୋହିଲା ଦେବଂକ ଅଇରି

ଆଗେ ଉଭା ହୋଇଲେ ଶ୍ରୀରାମ କୋଦଣ୍ଡ କାଣ୍ଡ ଧରି ।୫୨୦।

ବେନିଭୁଜେ ଦରାଣ୍ଡି ଗିଳଇ ବାନରନ୍ତ

କତୁରୀ ନାରାଜ ପେଷି ରାମ ତାର ଛେଦିଲେ ବେନି ହାଥ ।୫୨୧।

ଭୁଜ ଛିଡ଼ନ୍ତେଣ ଅସୁର ଯେ ଦିଗୁଣ ପରଚଣ୍ଡା

ଡାଳ ଛିଡ଼ନ୍ତେ ଯେସନେକେ ବୃକ୍ଷ ଦିଶଇ ମୁଣ୍ଡା ।୫୨୨।

ପର୍ବତ ପ୍ରାୟେ କୋପେଣ ତୁଣ୍ଡ ଯେ ବିସ୍ତାରି

ଆକ୍ରେଷିଣ ଗିଳଇ ସମସ୍ତ ଋକ୍ଷ ହରି ।୫୨୩।

ଶ୍ରୀରାମ ନାରାଜ ଯେ ପେଷିଲେ ପରଚଣ୍ଡ

ସହସ୍ର ବିଘାତେ ଯେ ଛିଡ଼ିଲା ତାର ମୁଣ୍ଡ ।୫୨୪।

ସେତୁବନ୍ଧ ଉପରେ ଯାଇଂ ପଡ଼ିଲା ତାର କାୟେ

ଉଚ୍ଛର୍ଗ ଦିଶିଲା ସେ ଦୁତୀ ବନ୍ଧ ପ୍ରାୟେ ।୫୨୫।

ଛିଡ଼ିଲା ମୁଣ୍ଡ ପୁଣ ଗିଳଇ ହରିବଳ

ପୁଣିହିଂ ଶ୍ରୀରାମ ତାର ମୁଣ୍ଡ କଲେ ବେନି ଫାଳ ।୫୨୬।

ତଳ ପାଟି ଖଣ୍ଡ ଯେ ସମୋଦ୍ରେ ପଡ଼ିଲା ଯାଇଂ

ଉପର କପାଳୀ ଖଣ୍ଡ ପଡୁଅଛି ଡେଇଂ ।୫୨୭।

ଯେବଣ ଠାବରେ ଯେ ପଡ଼ଇ କପାଳୀ

ସହସ୍ରେକ କପି ତହିଂ ହୋଇଯାନ୍ତି ଧୂଳି ।୫୨୮।

ଦୁସହ ପ୍ରତଗ୍ୟାଂ ଦେଖିଣ ତହିଂ ରଘୁନନ୍ଦନ

ଶ୍ରୀରାମ ଚାହିଂଲେ ଯେ ବିଭୀଷଣର ବଦନ ।୫୨୯।

ମନ୍ତ୍ରୀବର ବୋଇଲା ଦେବ ଶୁଣିମା ରଘୁପତି

ବ୍ରହ୍ମାକଇ ତପେଣ ଦେବ ଦତ୍ୟ କଲା ସ୍ତୁତି ।୫୩୦।

ତିନି ଅହିବ୍ରତ ବରଷ ପରିଯନ୍ତେ

ମହା ତପେ ମନାଇଲା ୟେ ବିରଞ୍ଚି ଦଇବତେ ।୫୩୧।

କଷ୍ଠୋର ତପ ଦେଖି ବିଜୟ କଲେକ ବିରଞ୍ଚି

ବର ମାଗ କୁମ୍ଭକର୍ଣ୍ଣ ଯେ ତୋର ମନେ ବାଞ୍ଚି ।୫୩୨।

କରପତ୍ର ଯୋଡ଼ିଣ ବୋଲଇ କୁମ୍ଭକର୍ଣ୍ଣ

ବୋଲଇ ଭୁଞ୍ଜିବି ନିଦ୍ରା ଯିବି ନ ଜାଣିବି ଆନ ।୫୩୩।

ଯେ ଅବା ମାରି ମୋତେ ଲୋଡ଼ିବ ସମରେ

ଶତ୍ରୁ ପିଠି ଦେଖିଲେ ଛାଡ଼ିବି ଶରୀରେ ।୫୩୪।

ବିଭୀଷଣ ବୋଇଲେ ଦେବ ପୂର୍ବର ବର ହେଟି

ଧନୁ ଧରି ସମରେଣ ଦେବ କରିବାକ ପିଠି ।୫୩୫।

କାର୍ଯେଣ ପିଠି କଲେ ନାହିଂ ଦେବ ଦୋଷ

ଯେଉଣିସି ବାଗେ ଦେବ ଶତ୍ରୁ କରିବାକ ନାଶ ।୫୩୬।

ଅନେକ ନାରାଜ ରାମ ଶ୍ରୀକରେ ବିନ୍ଧିଲେ

କେବେହେଂ ରାକ୍ଷସକୁ ପିଠି ସେ ନ କଲେ ।୫୩୭।

ବିଭୀଷଣ ଉପାୟେକ କଲାକ ବିଚାରି

ଲକ୍ଷଣ ଠାକୁରଂକୁ ଆଣିଲା ପୁରସରି ।୫୩୮।

ଶ୍ରୀରାମ ଲକ୍ଷଣକୁ ଶର ମାଗିଲେ ଲେଉଟି

ସମରେଣ ଦତ୍ୟ ବୀର ଦେଖିଲାକ ଶ୍ରୀରାମଂକ ପିଠି ।୫୩୯।

ଗର୍ଜନ ନାଦ କରି ଆକାଶେ ଅଇଲାକ ଉଡ଼ି

ୟେ ମଧୁ ବନରେ ଆସି କପାଳ ତାର ପଡ଼ି ।୫୪୦।

ଅଞ୍ଜନାର ନନ୍ଦନ କହଇ ପ୍ରତିପାଳି

ବାବୁ ଅର୍ଜୁନ ୟେ କୁମ୍ଭକର୍ଣ୍ଣର କପାଳୀ ।୫୪୧।

ପଞ୍ଚୁକୋଶ ଅଟଇ ୟେଥିର ଆୟତନ

ପଞ୍ଚତାଳ ଗଭୀର ୟେ ଅଟଇ ବିଦ୍ୟମାନ ।୫୪୨।

କପାଳେଶ୍ୱର ବୋଲି ଯେ ଅଟଇ ସରୋବର

ସୁଗନ୍ଧିକା ପୁଷ୍ୟ ଫୁଟଇ ୟେଥିର ଭିତର ।୫୪୩।

ବାବୁ କାଳେ ନିରୋଧିଲା କୁମ୍ଭକର୍ଣ୍ଣର ଆତମା

ଶତ୍ରୁ ପିଠି ଦେଖିଲେ ସେ କ୍ଷୟ ଯାଇ ମହାତମା ।୫୪୪।

ତ୍ରେତୟାୟେ ଦେଖିଲା ସେ ଶ୍ରୀରାମଂକ ପିଠି

ୟେବେ ତୋହର ପିଠି ଦେଖିଲା କିରୀଟୀ ।୫୪୫।

ମୋତେ ଦେଖିଲେ ଅସୁରେ ଯାଆନ୍ତିନି କ୍ଷୟେ

ତେଣୁ ସେ ବିରୋଧ ତୋତେ କଲାକ ଧନୁର୍ଜୟେ ।୫୪୬।

ହନମନ୍ତର ବଚନେ ସାନନ୍ଦ ଫାଲଗୁନି

ମାରୁତି ଚରଣେ ପାଥ କରଇ ଦଇନି ।୫୪୭।

ସୁଗନ୍ଧିକା ପୁଷ୍ୟ ଘେନିଣ ସର୍ବସାଚୀ

ବେନି ଲକ୍ଷ କୁସୁମ ଯେ ଅମଳାଣ କରି ବାଛି ।୫୪୮।

ବଇନେତ୍ର ସୁମରଣା କଲେକ ଅର୍ଜୁନ

ପକ୍ଷୀରାଜ ସ୍ୱାମୀ ଆସି ମିଳିଲେ ବହନ ।୫୪୯।

ଦେଖଇ ନାଗବଳ ଉପୁଚିଆଉଛି ଜଳେ

ମନେ ବିଚାରି କଲେ ସେ କଶ୍ୟପ ଋଷି ବାଳେ ।୫୫୦।

ନାରାୟଣ ଶରଣୁଂ ସମୟେ ୟେହାନ୍ତ କଲେ ରକ୍ଷା

ଚକ୍ର ଚିହ୍ନ ଦେଖି ମୁଂ କଲଇଂ ଉପେକ୍ଷା ।୫୫୧।

ମୋହୋର ଅଦୃଶ୍ୟେ ଥିଲେ ୟେଥି ଲୁଚି

ତୋହୋର ମୁଖେ ୟେବେ ପଡ଼ିଲେ ସର୍ବସାଚୀ ।୫୫୨।

ସୁଗନ୍ଧିକା ପୁଷ୍ୟମାନ ପୂରୋଇ ଗରୁଡ଼ ପିଠି

ଆପଣେ ବିଜେ ତହିଂ କଲେକ କିରୀଟୀ ।୫୫୩।

ହନମନ୍ତ ଚରଣେ ଅର୍ଜୁନ ପରିଣାମି

ଅନୁଗ୍ରହ ନାଥ ମୋତେ ଆଗ୍ୟାଂ ଦେବା ସ୍ୱାମୀ ।୫୫୪।

ହନୁମନ୍ତ ସୁମରଣା କରଇ ଶ୍ରୀ ଦଧିବାବନ

ଶୁଭ ଯୋଗେ ଗବନ ତୁ କର ହୋ ଅରଜୁନ ।୫୫୫।

ଆଗ୍ୟାଂ ପରମାଣେ ସେ ଚଳଇ ଧନୁର୍ଜୟେ

ଆକାଶେ ଗବନ କରଇ ବଇନେତ୍ରେ ବାସବ ତନୟେ ।୫୫୬।

କୁଶସ୍ଥଳୀ ଦ୍ୱାରିକା ଯେ କ୍ଷୀରୋଦ୍ରସାହୀ

ଜଗତୀରେ ବିଜେ କରିଅଛନ୍ତି ଦେବ ଅର୍ଜୁନକଇ ବାଟ ଚାହିଂ ।୫୫୭।

ଦେବଋଷି ବ୍ରହ୍ମଋଷି ରାଜଋଷିମାନେ

ବିଜୟେ ସମ୍ଭରେ ଦ୍ୱାରିକା ଭୁବନେ ।୫୫୮।

ୟେମନ୍ତର ସମୟେ ଯେ ବାସବର ବଳା

ସୁଗନ୍ଧିକା ପୁଷ୍ୟ ଘେନି ଅର୍ଜୁନ ବିଜେ କଲା ।୫୫୯।

ଖଗେଶ୍ୱର ପିଠିରୁ ଉତୁରିଲା ଫାଲଗୁନି

ରାମକୃଷ୍ଣ ଚରଣରେ ପାଥ କରଇ ଦଇନି ।୫୬୦।

ବିଳମ୍ୱ ଦେଖିକରି ବାରତ ପଚାରନ୍ତି ଅଚ୍ୟୁତ

କହଇ ଯେ ଫାଲଗୁନି ସକଳ ବୃତ୍ତାନ୍ତ ।୫୬୧।

ଶୁଣିଣ ହରଷ ସେ ଦେବ ମଧୁରିପୁ

ତୁ ସେ ଭାଞ୍ଜିଲୁ ବାବୁ କାଳିୟ ନାଗର ବପୁ ।୫୬୨।

ଦେଖିଲେ ସେ ସୁଗନ୍ଧ ସୁସଞ୍ଚ ପୁଷ୍ୟମାନ

ବାଳଅର୍କ ପ୍ରାୟେ ସେ ଦିଶନ୍ତି ତେଜୋଦ୍ୟାନ ।୫୬୩।

ଅମଳାନ ପୁଷ୍ୟ ସେ ଅଟଇ ଯୁଗତେ

ସୁଗନ୍ଧ ଆମୋଦଇ ପଞ୍ଚୁକୋଶ ପରିଯନ୍ତେ ।୫୬୪।

ପୁଷ୍ୟନ୍ତ ଘେନି ଦେବ ବିଜୟେ ରାମକୃଷ୍ଣ

ଋଷିମାନେ କଲ୍ୟାଣ କରନ୍ତି ଅରଜୁନ ।୪୬୫।

ଧନ୍ୟ ଧନ୍ୟ ଅରଜୁନ ହୋ ତୋହୋର ମହିମା

ୟେ ସକଳ ସଂସାରେ ତୁ ରୁହାଇଲୁ ସୀମା ।୫୬୬।

କାଳୀନାଗର ଦର୍ପ ଧଂସିଲୁ ବାହୁବଳେ

ତୋହୋର ମହିମା ଯେ ଆମ୍ଭେ ଦେଖିଲୁ ବେନି ଡୋଳେ ।୫୬୭।

ଅନେକ ପ୍ରଶଂସା ଶୁଭଇ ଅର୍ଜୁନକୁ ଦ୍ୱାରିକା

ସର୍ବ ଭୂବି ଜିଣିମାକୁ ନାରାୟଣ ତୋର ସଖା ।୫୬୮।

ଅନେକ ସମ୍ଭର୍ବେ ସେ ପ୍ରତିଷ୍ଠା କଲେ ଓଷା

ଦେବକୀ ଯଶୋଦାଂକର ତହିଂ ଯେ ପୂରିଲା ମନୀଷା ।୫୬୯।

ଅନେକ ଦାନ ଦିଲେ ଉତ୍ସବ ବଧାଇ

ଅଷ୍ଟରତ୍ନେ ଖଞ୍ଜିତ କଲେ ଲକ୍ଷେକ ଧେନୁ ଗାଈ ।୫୭୦।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ସୋହୋଦ୍ରାଂକୁ ଘେନି ବିଜେ ବାସବର ତନୁ ।୫୭୧।

ବହୁତ ଅକ୍ଷତ ଦିଲେ ଦେବ ଜଗନ୍ନାଥେ

ଅର୍ଜୁନେ ଘେନି ଦେବ ବିଜୟେ ନନ୍ଦିଘୋଷ ରଥେ ।୫୭୨।

ଦାରୁକ ସାରଥି ଯେ ରଥ ବାହୁଅଛି

ହସ୍ତିନା ଭୁବନେ ଯାଇ ବିଜୟେ ଶ୍ରୀକୃଷ୍ଣ ସର୍ବସାଚୀ ।୫୭୩।

ରଥକୁ ଓହ୍ଲାଇଣ ଶ୍ରୀକୃଷ୍ଣ ଧନୁର୍ଜୟେ

ପ୍ରଳମ୍ୱ କଲେ ଯାଇ ଯୁଝେଷ୍ଠିଂକ ପଦ୍ମ ପାୟେ ।୫୭୪।

ସମ୍ଭରେବ ଆସ୍ଥାନେ ବିଜୟେ ରାଜା ମାନଗୋବିନ୍ଦ

ତହିଂ ଯାଇଂ ଅର୍ଜୁମ ବିଜୟେ ପରମ ସାନନ୍ଦ ।୫୭୫।

ବିଦୁରେ ପୁଚ୍ଛା କଲେ ତୁମ୍ଭେ ଶୁଣିମା ଜଗନ୍ନାଥେ

ସ୍ୱାମୀ ସୁଗନ୍ଧିକା ପୁଷ୍ୟ ଆଣିଗଲେ ବୀର ପାଥେ ।୫୭୬।

କେବଣ କୃତ୍ୟ ତହିଂ କଲେକ ଧନୁର୍ଜୟେ

ୟେଥିର ବାରତ ମୋତେ କହିବା ସଂଦେହେ ।୫୭୭।

ସଭାୟେଣ ବାରତା କହନ୍ତି ଦେବ ହରି

ହନୁମନ୍ତକଇ ପାଥ ଭେଟିଲା ଖିନିଖିନା ନାମେ ପୁରୀ ।୫୭୮।

ସରୋବରେ ପଶି ତୋଳନ୍ତେ ସେ ସୁଗନ୍ଧି

ହନୁମନ୍ତର ତୁଲେ ହୋଇଲାକ ବିବାଦୀ ।୫୭୯।

ପ୍ରତଗ୍ୟାଂ କଲା ସେ ପବନର ସୁତ

ବୋଇଲା ବାରାନିଧି ଆମ୍ଭେ ବାନ୍ଧିଲୁ ବନ୍ଧ ସେତ ।୫୮୦।

ଅନେକ ଦୁର୍ଗମ ଗିରି ମୁଂ ଆଣିଲି ଉପାଡ଼ି

ସପତ ଦିବସ ମଧ୍ୟେ ସେତୁବନ୍ଧ ପାଡ଼ି ।୫୮୧।

ପ୍ରତଗ୍ୟାଂ ସାର୍ଥୁକ ବୋଇଲା ଅର୍ଜୁନ

ନିମିଷକେ ବନ୍ଧ ବାନ୍ଧିବି ଲଂକା ଯେ ଭୁବନ ।୫୮୨।

ହନୁମନ୍ତ ବୋଇଲା ବାନ୍ଧୁ କିନା ଦେଖି

ନୋହିଲେ ନାଶଗଲୁ କେ ଆଜ ତୋତେ ରଖି ।୫୮୩।

ବିନ୍ଧିଲା ବାସବି ସମୋଦ୍ରକୁ ବାଣେ କାଢ଼ି

ୟେକା ନିମିଷକେ ସମୋଦ୍ରକୁ ବନ୍ଧ ପାଡ଼ି ।୫୮୪।

ଶରେ ସାଗରେ ବନ୍ଧ ବାନ୍ଧିଲା ତଡ଼ତି

ଶତେ ପଞ୍ଚବିଂଶ ଯୋଜନା ଲମ୍ୱ ବତିଶ ଯୋଜନ ପ୍ରତି ।୫୮୫।

ଦ୍ୱାଦଶ ଯୋଜନ ବନ୍ଧ ହୋଇଲା ଉଚ୍ଛର୍ଗ

ବାରାନିଧି ଗର୍ଭରେ ଦିଶିଲା ଦୁତୀସର୍ଗ ।୫୮୬।

ହନୁ ପ୍ରଶଂସଇ ସାଧୁ ସାଧୁ ହୋ କିରୀଟୀ

ତୋର ବନ୍ଧ ଉପରେ ମୁଂ ଧୂମ ଦେବି ଉଠି ।୫୮୭।

ୟେତେ ବୋଲି ହନୁମାନ ମହାଭୀଷ୍ମ ରୂପେ

ଶରବନ୍ଧ ଉପରେ ଉଠିଲା ଗରୁତାପେ ।୫୮୮।

ଭୀଷ୍ମରୂପ ପ୍ରକାଶିଲା ଅଞ୍ଜନାର ବଳା

ଯେସନକେ ଚାପିଲେ ଜଳେ ନ ବୁଡ଼ଇ ସୋଲ ଭେଳା ।୫୮୯।

ଅନେକ ପ୍ରଶଂସା ତହୁଂ କଲା ହନୁମନ୍ତ

ତୋଷେ ନାମ ଦିଲେ ଅର୍ଜୁନକୁ ସେତୁବାହ ପାଥ ।୫୯୦।

ନିଳେନ୍ଦୀ ସରୋବରେ ପଶିଥିଲା କାଳୀ

ସୁଗନ୍ଧିକା ପୁଷ୍ୟ ତୋଳି କାଳିୟ ଦର୍ପ ଦଳି ।୫୯୧।

ଅନନ୍ତ ମୂରତି କାଳିୟ ନାଗ ବଳ ଦର୍ପ ଧଂସି

ଲଂକା ଦତ୍ୟ ବିଦାରିଲା ସେ କପାଳୀ ସରୋବରେ ପଶି ।୫୯୨।

ବହୁତ ପ୍ରତଗ୍ୟାଂ କରି ହରି କହିଲେ ସଭାୟେ

ଶୁଣନ୍ତି କଉରୋବେ ସେ ବିଧିର ଜନ ପ୍ରାୟେ ।୫୯୩।

କହନ୍ତେ ସାନନ୍ଦ ଭୀଷ୍ମ ଦ୍ରୋଣ ବିଦୁରେ

କଉରୋବେ ଉପହାସ୍ୟ କରନ୍ତି ବଚନରେ ।୫୯୪।

ୟେସନେକ ସମୟେ ସେ ଗାନ୍ଧାରୀର ତନୁ

ଉଠିଣ ମାନଗୋବିନ୍ଦ ଚଳଇ ଆସ୍ତାନୁ ।୫୯୫।

ବିଜୟେ କଉରୋବେ ନିଜ ନିଜ ଭୁବନେ

ଯୁଝେଷ୍ଠିଂକି କହି ଦ୍ୱାରିକାକୁ ବିଜେ କଲେ ଶ୍ରୀଜଗମୋହନେ ।୫୯୬।

ଯେହ୍ନେ ସେ ଗ୍ରନ୍ଥ ସୁହିଧାନ ଆଦି

ଗିରିଜା ପ୍ରସନ୍ନେଣ ତାହା ଶାହାସ୍ରେ ସମ୍ପାଦି ।୫୯୭।

ଅନୁଗ୍ରହେ ଭବାନୀ ପ୍ରତକ୍ଷେ ସାଧବୀ

ସ୍ୱୟେଂ ଆଗ୍ୟାଂ ମୋତେ ଦିଲେକ ମହାଦେବୀ ।୫୯୮।

ମାନବେ ଦୃଶ୍ୟ କାହିଂ ଅଦୃଷ୍ଟି ଅଶ୍ରୁତି

ପ୍ରାପତେ ପାଇଲି ମୁଂ ଅଭୟେ ସରସ୍ୱତୀ ଭେଟି ।୫୯୯।

କଳିକାଳ ଧ୍ୱସିଂନୀଦେବୀ ସର୍ବ ମଙ୍ଗଳେ

ତଥ୍ୟ ପାଇଲି ମୁଂ ସେ ଦେବୀର ବୁଦ୍ଧିବଳେ ।୬୦୦।

ମନ ବଚନ କର୍ତ୍ତବ୍ୟେ ଅଜପା ଯୋଗ ଲୟେ

ବାକ୍ୟ ଦେବୀ ଭଣ୍ଡାର ବିଧଂସିଲି ସାରୋଳା ଆଗ୍ୟାଂୟେ ।୬୦୧।

ସଦା ଅନୁଗ୍ରହ ମୋତେ ଯେ କରଇ ସିଦ୍ଧ କାନ୍ତାୟେନୀ

ଜନ ସଂସାର ବୋଧିଲି ସେ ଦେବୀର ଲୟେ ଘେନି ।୬୦୨।

ଅପରାପର ସଂସାର ଯହୁଂ ନୁଆରିଲି ମେଣ୍ଟି

ଦୃଶ୍ୟ ଫଳ ଶ୍ରୁତି ମୋତେ ଶ୍ରୀରାମ ନାମ ଗୋଟି ।୬୦୩।

ହର ଉଦ୍ୟାନ ବନେ ମୋହୋର ତପସ୍ଥାନ

କାଶୀ ନଦୀ ତୀରେ ମୋହୋର ଦୃଢ଼ ଯେ ଆସନ ।୬୦୪।

ଜନ୍ମେଣ ମୂର୍ଖ ମୁଂ ନ ପଢ଼ିଲି ଶାହାସ୍ର ବିଦ୍ୟା

ବିନା ତପେଣ ବାଚା ମୁଂ ପାଇଲି ସଂସିଦ୍ଧା ।୬୦୫।

ଶ୍ରୀ କୃପାଜଳ ନନ୍ଦିନୀ ନାମ ତା ସରସ୍ୱତୀ

କଳିକାଳେ ବିକାଶିଲା ସାରଳା ଚଣ୍ଡୀମୂର୍ତ୍ତି ।୬୦୬।

ଇହଲୋକେ ବରଦାୟିନୀ ଗୋ ସୟଳ ଜନ ଚିନ୍ତା

ଦୁଖୀଜନ ଦେଖଇ ସେ ତ୍ରଇଲୋକ୍ୟ ଜନ ମାତା ।୬୦୭।

ଖଣ୍ଡିଲି ଦୁଷୁକୃତ ସେ ଦେବୀର ପରଶନେ

ସିଦ୍ଧ ସାରୋଳା ଚରଣେ ମୁଂ ଖଟଇ ଜନ୍ମେ ଜନ୍ମେ ।୬୦୮।

ଶରଣ ରକ୍ଷଣ ଦେବୀ ପ୍ରସନ୍ନେ ହିଙ୍ଗୁଳା

ପ୍ରସନ୍ନେ ଅଭୟ ବର ଦେଉ ଶ୍ରୀଚଣ୍ଡୀ ସାରାଳା ।୬୦୯।

ଜୟ ଜୟ ସୁବିଧାନେ ଗୋ ସର୍ବମଙ୍ଗଳେ

ଅପାଦ ଦୁଷୁକୃତ ଗୋ ଖଣ୍ଡିବା ସର୍ବକାଳେ ।୬୧୦।

ଶଇଳ ରାଜାର ନନ୍ଦିନୀ ଭଗତି ପଞ୍ଚୁଭାବେ

କହିଲି ଶ୍ରୀମହାଭାରଥ ମଧ୍ୟପର୍ବ କଥାର ପ୍ରସ୍ତାବେ ।୬୧୧।

ଶ୍ରୀଚଣ୍ଡୀ ସାରୋଳାଂକୁ ଧ୍ୟାୟେ ପଞ୍ଚୁମନେ

କାଳଭୟେ ମେଣ୍ଟଣ କଲି ଶ୍ରୀ ହିଙ୍ଗୁଳା ପରଶନେ ।୬୧୨।

ଶ୍ରୀ ଜନାର୍ଦ୍ଦନ ଦେବଙ୍କର ଚରଣେ ପରିଣାମି

ବଦନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୬୧୩।

ଶ୍ରୀ ବାକ୍ୟଦେବୀଂକ ଚରଣେ ଅନୁରାଗେ

ମୁଂ ତାହା ସ୍ରିଜିଲି ଶ୍ଳୋକ ଶାହାସ୍ର ବାଗେ ।୬୧୪।

ବେଦ ପୁରାଣ ବାକ୍ୟେ ଯେବଣ ଫଳଶ୍ରୁତି

ଦିବ୍ୟ ଅମୃତମୟେ ୟେହୁ ମଧ୍ୟପର୍ବ ରୀତି ।୬୧୫।

ପଢ଼ନ୍ତେ ଶୁଣନ୍ତେ ସାର୍ଥୁକ ପରମ ଯୋଗ

ଅନେକ ଜନ୍ମର ଖଣ୍ଡଇ ପାପ ରୋଗ ।୬୧୬।

ଜୟ ତୁ ନାରାୟଣ ବିଜୟେ ଶବରୀ

ବନକ୍ରୀଡ଼ା ରଙ୍ଗେ ଅନେକ ବେଣ୍ଟ ମାରି ।୬୧୭।

ଅଜମିତ କିରାତର ଝିଅ ଯେ ମାଳତୀ

ତାହା ବିଭା ହେଲୁ ଦେବ ସମ୍ଭରେ ମେଳ ମତି ।୬୧୮।

ସ୍ୱାମୀ ମଉଳ ଶୋଭାବନ ଖାଂକର କବରୀ

ରୁଞ୍ଜ ଗୁଞ୍ଜମାଳ ଯାହାର ଲଲାଟେ କସ୍ତୁରୀ ।୬୧୯।

ମାଳତୀ ବଲ୍ଲଭ ଶବରୀ ନାରାୟଣ

ଶୂଦ୍ରମୁନି ସାରଳା ଦାସ ତୁମ୍ଭ ଚରଣେ ଶରଣ ।୬୨୦।

ଜୟ ତୁ ନାରାୟଣୀ ଗୋ ଅନାଦି ଶକତି

ପରମ ବଇଷ୍ଣବୀ ତୁ ଜଗତର ଧାତ୍ରୀ ।୬୨୧।

ତୋହୋର ବୁଦ୍ଧିବଳେ ମା ଗୋ ରକତବୀର୍ଯ୍ୟ ଧଂସି

ଦେବାସୁର ନର ରଖିଲୁ ଆଶ୍ୱାସି ।୬୨୨।

ଧନୁ ଧରିଣ ଚଣ୍ଡୀ ଯୁଦ୍ଧ କାଳେ ମାୟେ

ଦଇତର ତୁଲେ ଯୁଦ୍ଧ କଲୁ ଚଉଦ ଦିନ ଯାୟେ ।୬୨୩।

ଯହୁଂ ରକତବୀର୍ଯ୍ୟକୁ କୁତୁହୋଳେ ଦେବୀ କଲୁ ଧଂସ

ତାହାର ରକତ ତଳେ ପଡ଼ି ଉପୁଜିଲେ ଅଶେଷ ରାକ୍ଷସ ।୬୨୪।

ମାରିତେ ଚିନ୍ତାକଲୁ ନୋହିଲା ଶେଷ ଯହୁଂ

ଚଉଦ ମର୍ଭୁତ ଦେବୀ ଜାତ କଲୁ ତହୁଂ ।୬୨୫।

ତେଣୁ କରି ରକତବୀର୍ଯ୍ୟ ବାହିନୀ ଯେ ବୋଲନ୍ତି ଦେବୀ ତୋତେ

ଦାନବକୁଳ ଧଂସିନୀ ଗୋ ସୁଦୟା କଲୁ ମୋତେ ।୬୨୬।

ତୋହୋର ଚରଣକୁ ମା ଗୋ ଆଶ୍ରେ କଲି ମୁହିଂ

ଭାରଥ ରଞ୍ଚିବାକୁ ମନରେ ବିଚାରଇ ।୬୨୭।

ତୁ ଦେବୀ ସୁଦୟା କଲେ ପାଇବି କାରଣ

ମନୁଷ୍ୟ ଯୋନିରେ ମା ଗୋ ମୁଂ ହୋଇଛି ଜନମ ।୬୨୮।

ମୂର୍ଖ ଅପଣ୍ଡିତ ମୁଂ ଯେ ନ ଜାଣଇ କିଛି

ତୋହର ଚରଣକୁ ମୁଂ ଯେ ଆଶ୍ରେ କରିଅଛି ।୬୨୯।

ସାରୋଳାର ରୂପେ ମୋତେ କହିଲୁ ଯେବଣ ଗ୍ରନ୍ଥ

ତେଣୁ ଜଗତେ ମୋତେ ବୋଲନ୍ତି ପଣ୍ଡିତ ।୬୩୦।

ମୋହୋର ଜନ୍ମେ ମୁଂତ ବିଦ୍ୟା ପଢ଼ିନାହିଂ

ସୁଜନ ଜନ ସଙ୍ଗତେ ମୁହିଂ ଯେ ନ ଥାଇ ।୬୩୧।

ପଣ୍ଡିତ ଜନଂକର ନ ବସିଲି ସଙ୍ଗେ

ପଶା ଜୁଆ ଶକଟାଦି ଆବର ନାନା ରଙ୍ଗେ ।୬୩୨।

ତୁ ଯହୁଂ ସଦୟେ କଲୁସି ମା ଗୋ ମୋତେ

ତେଣୁ କରି ସୁଜନ ମୋତେ ବୋଲନ୍ତି ଜଗତେ ।୬୩୩।

ୟେବେ କରୁଣା କଲେ ମା ଗୋ କହିବି ଭାରଥ

ଅଗୋଚର ଦିଶିଲା ମାତା ମୋତେ ମଧ୍ୟପର୍ବ ଅର୍ଥ ।୬୩୪।

ୟେଣୁ ଗୋ ନାରାୟଣୀ ଆଶ୍ରେ କଲି ତୋତେ

ଅଇଲା ମାୟା ବୋଲି ଗୋ ଡରାଉଅଛୁଂ ମୋତେ ।୬୩୫।

ମୋତେ ଅନୁଗ୍ରହ କର ମା ଗୋ ମୟେଂଷା ବଧିନୀ

ଦୃଗତି ହରଲ ମା ଗୋ ରକତ ମାୟେଂସ ଭକ୍ଷିଣୀ ।୬୩୬।

ତୋହୋର ସୁଦୟାରୁ ନାହିଂ ଚିତ୍ତେ ଭୟେ

ଶୂଦ୍ରମୁନି ସାରୋଳାର ନାରାୟେଣୀ ପାଦେ ଲୟେ ।୬୩୭।୪୬୩୧।

 

Unknown

କୁଣ୍ଡଳୀ ଦୈତ୍ୟ ବଧ

ବଇବସୁତ ମନୁ ଯେ ବିଲଂକ ଦେଶର ରାଜା

ଅଗସ୍ତି ମୁଂନିକ ଚରଣେ ଦିବ୍ୟ ପୂଜା ।୧।

ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ୟ ଦେଇ

ମୁନିଂକ ଚରଣେ କରଇ ବିନୋୟୀ ।୨।

ଭୋ ମୁନି ମୋତେ ଯେ ଆଗ୍ୟାଂ ଦିଲ ଶ୍ରୀମହାଭାରଥ

ସୁଗନ୍ଧିକା ହରଣର କହିଲ ମୋତେ ଅର୍ଥ ।୩।

ହନୁମନ୍ତ ଅର୍ଜୁନର ମୁଂ ଶୁଣିଲି ବେବସ୍ଥା

ଦେବକୀ ଯଶୋବନ୍ତୀ ଓଷାର ଯେଉଣ କଥା ।୪।

ସକଳ ବୃତ୍ତାନ୍ତ ଶୁଣିଣ ହୋଇଲି କୃତାର୍ଥ

ଆଦି ଅନ୍ତ କରି ମୋତେ କହିବା କୁମ୍ଭଋଷି ସୁତ ।୫।

ରାଜାର ଭଗତି ବିନୋୟୀ ଭାବ ଦେଖି

ପୁସ୍ତକ ଫେଡ଼ିଣ କହନ୍ତି କୁମ୍ଭଋଷି ବଚ୍ଛି ।୬।

ସାବଧାନ ହୋଇ ତୁମ୍ଭେ ଶୁଣ ନୃପବର

ୟେକ ମନ ୟେକ ଚିତ୍ତ ହୋଇ ଯେ ତୋହୋର ।୭।

ଭାରଥ ୟେକ ଚିତ୍ତେ ଶୁଣ ତୋଷ ହୋଇ

ଚଞ୍ଚଳ ଚିତ୍ତେ ରାଜା କଛିହିଂ ନୋହୋଇ ।୮।

ୟେବେ ଯାହା କହିବା ତୁ ସାବଧାନେ ଶୁଣ

ଚଇତ୍ର କୃଷ୍ଣପକ୍ଷ ପଞ୍ଚମୀର ଦିନ ।୯।

ବିଶାଖା ନକ୍ଷତ୍ର ବିଛାରେ ଷାଠିୟେ ଦଣ୍ଡ ଭୋଗ

କଉଳବ ନାମେ କରଣ ପରିଘ ନାମେ ଯୋଗ

ସେଦିନ ଦ୍ରିଯୋଧନ ଶତେ ଭାଇନ୍ତ ଘେନି

ଦଶ ସହସ୍ର ରଥୀ ଶଲ୍ୟ କର୍ଣ୍ଣ ବେନି ।୧୧।

ଶକୁନି ମହାମନ୍ତ୍ରୀ ବାହ୍ଲିକ ସୋମଦତ୍ତ

ଭୀଷ୍ମ ଦ୍ରୋଣ ଭୂରିସର୍ବା ତୁଲେଣ ଜଦ୍ୟରଥ ।୧୨।

ୟେତେକ ଘେନିଣ ରାଜା ଯାଉଅଛି ଚଳି

ସମଦଣ୍ଡ ପଲାଣି ଯେ ଅଛି ମହାବଳୀ ।୧୩।

ଯାନ୍ତେଣ ପାଦଘାତେ କମ୍ପୁଅଛି ପୃଥିବୀର ଶିର

ସ୍ୱାଭାବେ ଯାହାର ନାମ କୁରୁ ଯେ ସାଗର ।୧୪।

ଅଭୟେ ବୋଲାବନ୍ତି ଭୟେ ତାଂକର ନାହିଂ

ଛୟାଣୋୟୀ ସହସ୍ର ରାଜା ଯାହାର ଚରଣେ ଖଟଇ ।୧୫।

ଇନ୍ଦପ୍ରଶସ୍ତ ଜିଣି ବାରୁଣାବନ୍ତେ ଚଳି

ଆରେଡ଼େକ ବୋଲି ପର୍ବତ, ତହିଂରେ ବେଗେ ମିଳି ।୧୬।

ସେ ଦିନ ବିପରୀତ ଦଇବର କୃତ

ବିପରୀତ ପଡ଼ିଲା ଅତିହିଂ ଆଚମ୍ୱିତ ।୧୭।

କୁଣ୍ଡଳୀସିଘଂ ବୋଲି କରି ଦଇତ ମହାବୀର

କୋଳାବତୀ ପାଟଣାରେ ଅଟଇ ତାର ଘର ।୧୮।

ରଥ ଗଜ ଅଶ୍ୱ ପାଦାନ୍ତି ତାର ସଙ୍ଗତେ ନାହିଂ କିଛି

ୟେକା ହୋଇ ସେ ଅସୁର ଅରଣ୍ୟେ ବୁଲୁଅଛି ।୧୯।

ପର୍ବତ ଶିଖେ ଥାଇ ଦାନବ ଦୃଷ୍ଟି କରି

ମନ୍ଦର ଗିରି ପ୍ରାୟେ ଦିଶଇ ଶରୀର ତାହାରି ।୨୦।

କଉରୋବନ୍ତ ଯିବାକୁ ଅଛଇ ଦୃଷ୍ଟି ଦେଇ

ହସି ବିଚାରଇ ୟେ କେବଣ ଦେଶର ନରବଇ ।୨୧।

ବହୁତ ସଇନ ଘେନି ୟେତ ଯାଉଅଛି ଚଳି

ଅତି ଗର୍ବ ବହି ୟେ ଡାକନ୍ତି କୋଳହଳୀ ।୨୨।

ୟେହାର ତୁଲେଣ ଦେଖି ମିଳିବାକ ଥରେ

ଆରମ୍ଭ ଦେଖି କିନା କେତେକ ସମ୍ଭରେ।୨୩।

ବାଦ୍ୟନାଦ ଶବଦେଣ କମ୍ପଇ ବ୍ରହ୍ମାଣ୍ଡ

ଥାଠ ଆଗିଆଣି କରି ପଛେ ମାନଗୋବିନ୍ଦ ।୨୪।

ବାଦ୍ୟନାଦ ଶୁଣିଣ ବୀର କଲା ୟେକ ରଡ଼ି

ଆଷାଢ଼ ମାସରେ କିବା ମେଘ ଘଡ଼ଘଡ଼ି ।୨୫।

କଉରୋବେ ବିଚାରିଲେ ୟେ କେବଣ ଅର୍ଥ

ରଡ଼ିୟେ ଶୁଭିଲା କାହୁଂ କମ୍ପିଲା ପର୍ବତ ।୨୬।

ୟେମନ୍ତ ବିଚାର କଉରୋବେ କରୁଛନ୍ତି ତହିଂ

ଦାନବ ବୀରମଣି ମିଳିଲା ଆଗେ ଯାଇଂ ।୨୭।

ଚଉଦ କୋଶ ଅଟଇ ଶରୀର ଯାହାର

ହସି କଉରୋବନ୍ତ ଚାହିଂଲା ବୀରବର ।୨୮।

ପଚାରଇ ତୁମ୍ଭେ କେଉଣ ଦେଶୁଂ ଆୟେ

କେ ତୋହୋର ତାତ ମାତ ନାମ ତୋର କିସ ହୋୟେ ।୨୯।

ମୋହୋର ମନେ ମନେ ବିଚାରୁଥାଇ ମୁହିଂ

ବୀରତୂର ଶବଦ ତ ଶୁଣିଲା ମୋର ନାହିଂ ।୩୦।

ୟେବେ ବୀରତୂର ଯେ ଶୁଣିଲି ତୋହୋର

ଛତ୍ରୀକଇଂ ମଧ୍ୟେ ତୁ ଅଟୁ ବଳୀୟାର ।୩୧।

ଭୟେ ନାହିଂ ତୋହୋର ତୁ ନିର୍ଭୟେ ଅଟୁ ପୁଣ

ତୋହୋର ତୁଲେ ଆଜ କରିବା ଆମ୍ଭେ ରଣ ।୩୨।

ସାମରଥ ପଣ ତୋର ବୀରତୂର ବାଜା

ଜାଣିଲି ସାଂଗ୍ରାମେ ତୁମ୍ଭେ ଅଟ ବଡ଼ ରାଜା ।୩୩।

ଆଜର ସାଗ୍ରାଂମେ ଯେବେ ବ୍ରତି ଯିବୁ ତୁହି

ଜାଣିମା ପୃଥୀରେ ତୋତେ ଆଉ ମୃତ୍ୟୁ ନାହିଂ ।୩୪।

ୟେତେକ କହିଣ ତହିଂ ଦାନବ ଚୂଡ଼ାମଣି

କୁରୁସାଗର ସଇନକୁ ସେ ଉଠିଲା ଶିର ଝୁଣି ।୩୫।

ଧୁଶାସନ କୋପ କଲା ପ୍ରତଗ୍ୟାଂ ତାର ଦେଖି

ଆଗେ କଲା ରଥ ନେଇ କରେଣ ଧରି ଗଦାବର

ପଚାରଇ କାହିଂର ରେ ଅଟୁ ତୁ ପାମର ଅସୁର ।୩୭।

ମୃତ୍ୟୁ କଢାଇ କିରେ ଆଣିଛନ୍ତି ୟେଥି ତୋତେ

ତେଣୁ କରି ଅସୁରରେ ପଚାରୁଅଛୁ ମୋତେ ।୩୮।

ନ ଜାଣୁ କିରେ ହସ୍ତିନାର ନୃପ ଚୂଡ଼ାମଣି

ବିଜୟେ କରିଅଛନ୍ତି ବନେ ଦଣ୍ଡ ସଇନ ପଲାଣି ।୩୯।

ଆରେ ଅଭୟ ସୋମବଂଶୀ କଇଚ୍ଛା ଜଗଜେଠୀ

ପୃଥୀରେ ଯାର ନାମ ମାନଗୋବିନ୍ଦଟି ।୪୦।

ଛୟାଣୋଇଂ ସହସ୍ର ରାଜା ଯାହାର ଚରଣେ ବନ୍ଦେ

ତୁ ଛାର ତାହା ମୋତେ ପଚାରୁ ଅଛୁରେ ଜାତି ଅନ୍ଧେ ।୪୧।

ରେ ରେ କରିଣ ଯେ ପଚାରୁଛୁ ତୁହି

ଯମର ଘରେ କି ପ୍ରାଣ ଅଛୁ ବନ୍ଧା ଦେଇ ।୪୨।

ତୁ ଛାର ଅସୁର କୁଳେ ହୋଇଅଛୁ ଜାତ

ପଚାରୁଅଛୁ ଯେ ରାଜା ପାଣି ହେମହସ୍ତ ।୪୩।

ୟେମନ୍ତ କହନ୍ତେ ଦାନବ ତାହା ଶୁଣି

ପୋଛ ମାଡ଼ନ୍ତେ ଯେହ୍ନେ ଟେକଇ ସର୍ପ ଫେଣି ।୪୪।

ହସି ଅସୁର ପଚାରିଲା ତୁ ରେ ଅଟୁ ମନ୍ଦ ବାଇ

ଆମ୍ଭକୁ ପଚାରୁଅଛୁ ରେ କାହିଂର ଅଟୁ ତୁହି ।୪୫।

ବାଳୁତଂକର ପ୍ରାୟେ କିରେ ଅଟୁ ଆପଣ

ୟେହିକ୍ଷଣି ଜାଣିମୁଂ ସିନା ଆମ୍ଭର ବଡ଼ପଣ ।୪୬।

ୟେତେ ବୋଲି କୋପେ ସେ ଯେ କମ୍ପଇ ଥରହର

ବାତ ଘାତେ ରମ୍ଭାପତ୍ର ଯେହ୍ନେ ଉଡ଼ଇ ଫରହର ।୪୭।

କରେ କୋଦାଳ ଘେନିଣ ସେ ଅନ୍ତରୀଚ୍ଛେ ବୁଲାଇ

ଧୁଶାସନ ରଥରେ ଯେ ପ୍ରହାର କଲା ନେଇ ।୪୮।

ଭାଜିଣ ରହୁବର ତହିଂ ମସିମୁଣ୍ଡା ହେଲା

ପ୍ରଳୟ ଅଗ୍ନି କି ସେଠାରେ ଜଳିଲା ।୪୯।

ସାରଥି ରହୁବର ହୋଇଲା ଗୁଣ୍ଡାମୟେ

ରଥୁ ଡେଇଂ ଉଭା ହେଲା ଧୃତିରାଷ୍ଟ ତନୟେ ।୫୦।

ଚଉଷଠି ଭାର ଗଦା ବୁଲାଇ ଅନ୍ତରୀଚ୍ଛେ

ଦାନବର ଉପରେ ସେ ପିଟିଲା ପ୍ରତଚ୍ଛେ ।୫୧।

ମୁଣ୍ଡ ପାତିଣ ତାହା ସହିଲା ରାକ୍ଷସ

ଚଉଷଠି ଭାର ଗଦା ହୋଇଲା ଭଗନସ୍ତ ।୫୨।

ପୁଣିହିଂ ମୁଦୁଗର ଧରିଲା ବୀରବର

ଦାନବ ଉପରେ ନେଇ କଲାକ ପ୍ରହାର ।୫୩।

ବାମ ହାଥ ପାତି ତାହା ଦାନବ ଘେନିଗଲା

ନିପ୍ରୋଧ ଶକତି ଧୁଶା ପୁଣିହିଂ ମାଇଲା ।୫୪।

ଦାନବ ଉପରେ ତାହା ପିଟିଲାକ ନେଇ

ଝଡ଼ି ପଡିଲା ଶକତି ଶତେ ଖଣ୍ଡ ହୋଇ ।୫୫।

ଦେଖିଣ ଦୁଶାସନ ପାଇଲା ଲାଜଗତି

ଭାଇନ୍ତ ଡାକିଲା ଯେ ମାନଚକ୍ରବ୍ରତୀ ।୫୬।

କିପାଇଂ ରହିଛ ରେ ବେଢିକରି ମାର

ବିନା ଅର୍ଥେ ଶତ୍ରୁ ମିଳିଲା ଅସୁର ।୫୭।

ରାଜାର ଆଗ୍ୟାଂ ପାଇ ଧାଇଂଲେ ଭାଇ ଶତେ

ଦୁର୍ବିନ୍ଦ, ଦୁରାକ୍ଷ, ଦୁରିତ ସହିତେ ।୫୮।

ଦୁର୍ଜୟେ ଦୁର୍ଣ୍ଣୟ ଦୁରାଳ ଦୁଷ୍କର୍ଣ୍ଣେ

ଦୁର୍ମିନ୍ଦ ଦୃହଣ ଦୁରାବିନ୍ଦ ଦୃହନେ ।୫୯।

ୟେମନ୍ତେ ଅଠାଣୋଇଂ ଧାଇଂଲେ ତୁରିତେ

ନାନା ଶହସ୍ରମାନ ସେହୁ ଧରିଛନ୍ତି ହାଥେ ।୬୦।

ରେ ରେ ଦାନବ ବୋଲି ବେଢିଲେ ଚଉକତି

ଗଦା ଛେଲ ସେହୁ ମାଇଲେ ଶକତି ।୬୧।

ଲକ୍ଷେ ଲକ୍ଷେ ଭାର ଗଦା ମାଇଲେ ତଡ଼ତି

ମୃଦୁଗର ଅସିପତ୍ର ସୂର୍ଯ୍ୟ କରିଣ ପ୍ରାୟେ ଜ୍ୟୋତି ।୬୨।

ହୁଂ ହୁଂ କାର ଶବଦେ ମାରନ୍ତି ଶସ୍ରମାନ

ପର୍ବତ ପ୍ରାୟେ ଉଭା ଅସୁର ରୀଜନ ।୬୩।

ଶହସ୍ର ପଡ଼ନ୍ତେଣ ହସଇ ଟହ ଟହ

ବାଜନ୍ତେଣ ଶହସ୍ର ପୁଲକଇ ତାର ଦେହ ।୬୪।

ଯେତେକ ଯୋଧାୟେ ଗଦାମାନ ଧରିଥିଲେ

ଦାନବ ମୂରତି ଦେଖିଣ ଭୟେ କଲେ ।୬୫।

ପୁଣି ପୁଣି ଆରବେଳେ ପ୍ରହାର କରନ୍ତି

ହରଷ ଦାନବ ଦେଖିଣ ଗଦାର ଆକୃତି ।୬୬।

ହସିଣ ଦାନବ ଯେ ପଚାରଇ ତାହାନ୍ତ ଚାହିଂ

ମରିବାକୁ ଅନକୂଳ ହୋଇଲା ରେ ଭାଇ ।୬୭।

ୟେହି ଶହସ୍ରମାନ କିରେ କରେ ଧରିଥାଅ

ସାଂଗ୍ରାମ ଭୂମିରେ ତୁମ୍ଭେ ରେ ପ୍ରତଗ୍ୟାଂ କରି କହ ।୬୮।

ଆମ୍ଭର ଅଭାଗ୍ୟ ରେ ଭେଟିଲୁ ତୁମ୍ଭଂକୁ

ଦଇବ ମୃତୁ ଦିଲା ପିମ୍ପୁଡ଼ିଗଦାକୁ ।୬୯।

ତୁମ୍ଭେ ଯେ ବୋଲାଉଥାଅ ଅଭୟେ ସୋମବଂଶୀ

ପାଶେ ଲାଗିଲା ଆସି କାଳଦଣ୍ତ ଫାଶି ।୭୦।

କହୁଂ କହୁଂ କୋପେଣ ଅସୁରକୁଳ ରାୟେ

ବାମ ହାଥ ବୁଲାଇଣ ମାଇଲା ବିଧାୟେ ।୭୧।

ଧୁଶାସନ ଆଦି କରି ଅଠାଣୋଇଂ ଭାଇ ଯେତେ

ଲକ୍ଷେକ ଗଦା ଯୋଦ୍ଧା ବେଢିଥିଲେ ଅପ୍ରମିତେ ।୭୨।

ୟେକା ବିଧାକରେ ତହିଂ ପଡ଼ିଲେ ୟେତେ ବୀର

ଦେଖିଣ କଉରୋବେ ହୋଇଲେ କାତର ।୭୩।

ୟେକଠାରୁ ଦାନବ ଚରଣ ନ ଚାଳଇ

ମନ୍ଦରଗିରି ପ୍ରାୟେ ରହିଛି ଉଭା ହୋଇ ।୭୪।

ଭୀଷ୍ମ ଦ୍ରୋଣ ଭୂରିସର୍ବା ସହ ସୋମଦତ୍ତ

ଅଶସ୍ତମା କର୍ଣ୍ଣ ଶକୁନି ଆବର ଜଦ୍ୟରଥ ।୭୫।

ୟେମାନନ୍ତ ଚାହିଂଣ ଯେ ମାନଚକ୍ରବ୍ରତୀ

ବୋଇଲା ଭାଇମାନେ ମଲେ ମୋର ୟେଥି ।୭୬।

ସଇନ ସେନାମାନ ଘେନି ତୁମ୍ଭେ ଅଛ ଉଭା ହୋଇ

ଜାଣି କରି ତୁମ୍ଭର ମୋହୋଠାରେ ଦୁଖ ହୋଇ ।୭୭।

ନୋହିଲେ ତୁମ୍ଭେ କିମ୍ପେ ମଉନ ହୋଇଲ

ଯୁଦ୍ଧ ନ କରି କିମ୍ପେ ତୂନି ହୋଇ ରହିଲ ।୭୮।

ଦେଖୁଅଛ ଶତ୍ରୁ ଯେ କରୁଅଛି ନାଶ

ତୁମ୍ଭେମାନେ ମଉନ ହୋଇ ନ ଦେଉଛ ଉଦ୍ଦେଶ୍ୟ ।୭୯।

ୟେତେ ବୋଲିଣ ରାଜା ତହିଂ କପାଳେ କର ଦିଲା

ଆହା ମୋର ଭାଇ ଧୁଶାସନ ବୋଲିଣ ବୋଇଲା ।୮୦।

ଭୀଷ୍ମ ଦ୍ରୋଣେ ବୋଇଲେ ଶୁଣ ହୋ ନୃପତି

ସନ୍ତାପ କରୁଅଛ ହୃଦରେ ମାନ ଘେତି ।୮୧।

ୟେକ ଯୋଧାକୁ କି ବହୁତ ଲୋକ ମାରି

ଅର୍ଧମ ଆଚାର ସିନା ହୋଇବ ଦଣ୍ଡଧାରୀ ।୮୨।

ବାହା ଯୁଦ୍ଧ ଆମ୍ଭର ଆମ୍ଭେ ସେ କ୍ଷତ୍ରୀବର

ଅଧର୍ମ ତୋତେ ଜାତ ହୋଇବ ନୃପବର ।୮୩।

ୟେହା ବିଚାରି ଆମ୍ଭେ ନ କରିଅଛୁ ରଣ

ୟେହିକ୍ଷଣି ଯୁଦ୍ଧ ଆମ୍ଭର ଦେଖ ତୁ ଆପଣ ।୮୪।

ମାନଗୋବିନ୍ଦ ବୋଇଲା ମୋହୋର ଧର୍ମ ଅଧର୍ମ ୟେ ଦୁଇ

ମୋହୋର ଉପରେ ହେଲେ ତୁମ୍ଭର କିସ ଯାଇ ।୮୫।

ୟେହା ଶୁଣି ଗଙ୍ଗାସୁତ ଟଂକାର କଲେ ଗୁଣ

ତ୍ରୋଣରୁ ବାହାର କଲେ ଦଶ ସହସ୍ର ବାଣ ।୮୬।

ମାନଗୋବିନ୍ଦ ବୋଇଲା ସବୁ ଯୋଧାନ୍ତ ଚାହିଂ

ସଭିୟେଂ ବିନ୍ଧ ବେଢି କିଛିହିଂ ଦୋଷ ନାହିଂ ।୮୭।

ରାଜାର ଆଗ୍ୟାଂୟେ ଧାଇଂଲେ ସର୍ବ ଯୋଧୀ

ଅସୁରକୁ ବେଢିଣ ସେ ବେଗେ ଶର ବିନ୍ଧି ।୮୮।

ଭୀଷ୍ମଂକର ଦଶ ସହସ୍ର ନାରାଜ ଜାଣିଣ ବଜ୍ରଘାତ

ଦ୍ରୋଣେ ବିନ୍ଧିଲେ ପର୍ବତା ଶହସ୍ର ଅହିବ୍ରତ ।୮୯।

ଅଶସ୍ତମା ବିନ୍ଧିଲେ କୋଟିୟେ ନାରାଜ ବଜ୍ର ସୂଚିଟି

ଶଲ୍ୟେ ଦଶ ସହସ୍ର ନାରାଜ ବଜ୍ର ଘୋଟି ।୯୦।

କର୍ଣ୍ଣ ଅଶି ସହସ୍ର ବିନ୍ଧିଲେ ନାରାଜ ତିମ୍ୱୁର

ବାହ୍ଲିକେ ନାରାଜ ବିନ୍ଧିଲେ ସହସ୍ର ପନ୍ଦର ।୯୧।

ସୋମଦତ୍ତ ନାରାଜ ବିନ୍ଧିଲେ ପର୍ବତା ଲକ୍ଷେ ଶର

ଜଦ୍ୟରଥ ନାରାଜ କଲେ ଶର କୋଟି ପନ୍ଦର ।୯୨।

ଶ୍ରାବଣ ମାସରେ ଯେହ୍ନେ ଦ୍ରୋଣ ମେଘର ବୃଷ୍ଟି

ସେହିମତି ନାରାଜ ବିନ୍ଧିଲେ କୋଟି କୋଟି ।୯୩।

ଲକ୍ଷେ ଲକ୍ଷେ ଗଦା ଯେ ଲକ୍ଷେ ଲକ୍ଷେ ତିମ୍ୱୁର

ଲକ୍ଷେ ଲକ୍ଷେ ଶକତି ଲକ୍ଷ ଲକ୍ଷ ମୁଦୁଗର ।୯୪।

ଲକ୍ଷ ଲକ୍ଷ ଭାଲ ୟେକାବେଳେକେ ମାରି

ଦାନବର ଅଙ୍ଗେ ପଡ଼ି ହୋଉଛନ୍ତି ଚୂରି ।୯୫।

ଲକ୍ଷେ ପୁର କରି ସର୍ବେ ମାରୁ ଯେ ଅଛନ୍ତି

ଅଙ୍ଗ ପାତି ରହିଅଛି ଦାନବ କୁଳପତି ।୯୬।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସୋମଦତ୍ତ

ବାହ୍ଲିକ ଶଲ୍ୟ କୃପବ୍ରହ୍ମା ଜଦ୍ୟରଥ ।୯୭।

ପୁଣ ପୁଣ ନାରାଜ ବିନ୍ଧନ୍ତି ଅଗୋଚର

ଦାନବର ଅଙ୍ଗେ ପଡ଼ି ହୋଉଛନ୍ତି ଚୂର ।୯୮।

କ୍ରୋଧଭରେ ଆପଣେ ଗଙ୍ଗା ଦେବୀର ସୁତ

ଲକ୍ଷେ ପର୍ବତା ବାଣ ସେ ବିନ୍ଧିଲେ ତୁରିତ ।୯୯।

ଦାନବ ମୁଣ୍ଡ ପାତି ସହିଲାକ ତାହିଂ

ସାଂଗ୍ରାମ ମଣ୍ଡଳେ ଦାନବ ଅନ୍ତ ନୋହି ।୧୦୦।

ପୁଣିହିଂ ଗଙ୍ଗାସୁତ ବିନ୍ଧିଲେ ଅନଳ ଦଶ ସସ୍ର ବାଣ

ଦାନବ ଉପରକୁ ବିନ୍ଧିଲେ ତତକ୍ଷଣ ।୧୦୧।

ତୁଣ୍ଡ ପାତି ଦାନବ ଗିଳି ଦିଲା ତାହିଂ

ଚକିତ ହୋଇଲେ ଦେଖି ଗଙ୍ଗାର ତନୟୀ ।୧୦୨।

କୁଣ୍ଡଳୀ ଚକ୍ର ଶର ବିନ୍ଧିଲେକ ଶତେ

ଭାଙ୍ଗି ପକାଇଲା ଦତ୍ୟ ଧରିଣ ବାମ ହାଥେ ।୧୦୩।

ଶରଯନ୍ତା ନାରାଜ ବିନ୍ଧିଲେ କୋପ କରି

ବାମ ହାଥେ ଧରି ତାହା ଦଇତ ଦିଲା ଗିଳି ।୧୦୪।

ବାବଲ ଶର ଲକ୍ଷେ ବିନ୍ଧିଲେ ଗଙ୍ଗାସୁତ

ମୁଣ୍ଡ ପାତିଣ ତାହା ସହିଲା ଦଇତ ।୧୦୫।

ଲକ୍ଷେକ ରୁଦ୍ରବାଣ ବିନ୍ଧିଲେ ଅଶସ୍ତମା

ଶତ୍ରୁଜୟେ ବାଣ ଯେ ବିନ୍ଧିଲେ କୃପବ୍ରହ୍ମା ।୧୦୬।

ଅନିଳ ଶରକୁ ବିନ୍ଧିଲେ ଯେ ବୀର କର୍ଣ୍ଣ

ଶଲ୍ୟେ ବିନ୍ଧିଲେ ଯେ ଦୂରାନ୍ତେକ ବାଣ ।୧୦୭।

ବ୍ରହ୍ମ ଅନଳ ନାରାଜ ବିନ୍ଧିଲେ ଶକୁନି

ଜଦ୍ୟରଥ ବିନ୍ଧିଲା ଅନଳ ଶର ଘେନି ।୧୦୮।

ଆଉ ଯେତେ ଯୋଧା ଅଛନ୍ତି ସାଂଗ୍ରାମ ମଣ୍ଡଳରେ

କୋଟି ଲକ୍ଷ ବାଣ ବିନ୍ଧିଲେ ଯେ ଯାହାରେ ।୧୦୯।

ଅଚଳ ପର୍ବତ ପ୍ରାୟେ ଦାନବର ଗତି

ଶହସ୍ରମାନ ଦେହୁଂ ଉପୁଡ଼ି ପଡ଼ୁଛନ୍ତି ।୧୧୦।

ପଠାରେ ବୁଣନ୍ତେ ଯେସନେ ହୋଇ ରାଇ

ଶହସ୍ର ପଡ଼ନ୍ତେ ତେହ୍ନେ ଦାନବର ଦେହୀ ।୧୧୧।

ସହିଣ ଦାନବ ଚାହିଂ ବୋଇଲା ବଚନ

ଶତ୍ରୁ କି ଜିଣିମ ତୁମ୍ଭେରେ ବିନ୍ଧି ୟେହୁ ବାଣ ।୧୧୨।

ଅପୂର୍ବ ଶହସ୍ର ଥିଲେ ପରୀକ୍ଷ ତୁମ୍ଭେ କର

ମରଣ ନିକଟ ଆସି ରେ ହୋଇଲା ତୁମ୍ଭର ।୧୧୩।

ୟେତେ କହି ଅସୁର କୋଦାଳ ବୁଲାଇଲା

ରଥୀ ମାନଂକ ଉପରକୁ କୋପେଣ ଧାଇଂଲା ।୧୧୪।

ଭୀଷ୍ମ ଭୂରିସର୍ବାଂକର ରଥେ ପିଟିଲାକ ନେଇ

ପଡ଼ିଲେ ମହାରଥୀ ଭୂମିରେ ଅଚେତନ ହୋଇ ।୧୧୫।

ଶଇଲ ସୋମଦତ୍ତ କୃପ କର୍ଣ୍ଣ ବୀର

ଅଶସ୍ତମା ଶକୁନି ଜଦ୍ୟରଥ ମହାବୀର ।୧୧୬।

ୟେ ଯୋଧା ଯେତେମାନ ସବୁନ୍ତିହିଂ ପିଟିଲା

ରଥୀ ଯୋଧା କରି ଗୋଟିୟେ ନ ରଖିଲା ।୧୧୭।

ରଥୀ ମହାରଥୀ ହାଥୀ ପାଦାନ୍ତି ଥିଲେ ଯେତେ

ବଳୀ ମହାବଳୀ ତହିଂ ରହିଥିଲେ ଯେତେ ଯେତେ ।୧୧୮।

ମଲ୍ଲ ମହାମଲ୍ଲ ଆଦି ଯୋଧା ଭରଶଲ

ସମସ୍ତଂକୁହିଂ ମାଇଲା ଅସୁର ମହାମଲ୍ଲ ।୧୧୯।

ଯେସନେକ ଆକାଶୁଂ ଝଡ଼ି ପଡ଼ନ୍ତି ଗ୍ରହଗଣ

ତେସେନେକ ଶୋଭା ଯେ ଦିଶନ୍ତି ପଡ଼ିବାର ସଇନ ।୧୨୦।

ହାର ପଦକ କୁଣ୍ଡଳ ମୁକୁଟ ରତ୍ନହାର

ପଡ଼ିଲାର ଶୋଭା ଦିଶନ୍ତି ଯେସେନେକ ଦିନକର ।୧୨୧।

ସବୁରିହିଂ ମୃତୁ ସେ ଯେ ଦେଖଇ ନୃପତି

ହା ହା କାର କଲା ତହିଂ ମାନଚକ୍ରବ୍ରତୀ ।୧୨୨।

ବିନା ଅର୍ଥେ ଶତ୍ରୁ ଆସି ମିଳିଲାକ ପଥେ

ସବୁଂକରି ମୃତୁ କଢାଇ ଆଣିଥିଲା ୟେଥେ ।୧୨୩।

ଯେଉଣ ଭୀଷ୍ମ ଦ୍ରୋଣ ଜିଣନ୍ତି ସୁରାସୁରେ

ପଡ଼ିଲେ ନିଚିନ୍ତେ ଆସି ଦାନବ ହାଥରେ ।୧୨୪।

ଆଉ କି ୟେକା ହୋଇ ବ୍ରତିବଇଂ ମୁହିଂ

ହସ୍ତିନାକୁ ଯିବି ମୁହିଂ କାହାର ମୁଖ ଚାହିଂ ।୧୨୫।

ଛାଡ଼ିବଇଂ ଜୀବନ ନିଚେଂ କରିବଇଂ ରଣ

ଦାନବର ହାଥେ ପଛେ ଯାଉ ମୋର ପ୍ରାଣ ।୧୨୬।

ୟେତେକ ବିଚାରିଣ ନୃପତି କୁରୁରାୟେ

ରେ ରେ ଦାନବ ବୋଲି ଡାକିଲା ବିକ୍ରମସିଘଂ ପ୍ରାୟେ ।୧୨୭।

ଦାନବର ଛାମୁରେ ସେ ମିଳିଲା ଧାତିକାରେ

ବସନ୍ତ ସାରଥିକି ବୋଇଲା ଦଣ୍ଡଧରେ ।୧୨୮।

ବିଚାରି ରଥ ବାହୁଥିବୁଟି ଆପଣ

ୟେତେ ବୋଲି ଧନୁ ଧରି ଟଂକାରିଲା ଗୁଣ ।୧୨୯।

ବାବଲ ଶତେକ ବାଣ ବିନ୍ଧିଲା ଧାତିକାର

ମୁଣ୍ଡ ପାତିଣ ଦଇତ ସହିଲା ସେ ଶର ।୧୩୦।

ବଜ୍ରା ଲକ୍ଷେକ ବାଣ ବିନ୍ଧିଲା ନୃପରାଣ

ହୃଦୟ ପାତି ତାହା ସହିଲା ଦାନବ ରାଜନ ।୧୩୧।

ଅଗ୍ନି ପଞ୍ଚାଶ ବାଣ ବିନ୍ଧିଲା ନୃପତି

ଗିଳିଣ ଦିଲା ତାହା ଦାନବ ମହାରଥୀ ।୧୩୨।

ଶରଯନ୍ତା ଶର ଯେ ବିନ୍ଧିଲା କୁରୁବୀର

ବାମ ଚରଣେ ତାହା ଭାଞ୍ଜିଲା ଅସୁର ।୧୩୩।

ପୁଣିହିଂ ବିନ୍ଧିଲା ସେ ଶକତି ଲକ୍ଷେ ବାଣ

ବାମ ଭୁଜ ପାତି ତାହା ଅସୁର କଲାକ ରଣଭଣ ।୧୩୪।

କୋପେଣ ଗର୍ଜି ରାଜା ବିନ୍ଧିଲା ଶତେ ଶର

ହସି ଜିଭ୍ୟା ପାତିଲା ତହିଂ କୁଣ୍ଡଳୀସିଘଂ ବୀର ।୧୩୫।

ପୁଣିହିଂ କ୍ରୋଧଭରେ ସେ ମାନଚକ୍ରବ୍ରତୀ

କ୍ରୋଧେଣ କାଢିଲା ସେ କାଳାନଳ ଶକତି ।୧୩୬।

ହୁଂକାରି ଝମକିଲା ସେ ତିନିବେଳ ଯାୟେ

ଦାନବର ହୃଦୟକୁ ମାଇଲା କୁରୁରାୟେ ।୧୩୭।

ହସିଣ ଦାନବ ଦକ୍ଷିଣ ପାଦ ପାତି

ଭାଞ୍ଜି ପକାଇଲା ସେ କାଳାନଳ ଶକତି ।୧୩୮।

ଯଶୋଦିଆ ନାରାଜ ଯେ ଘେନିଣ ନୃପବର

ଆହୁରି ଗୁଣେ ବସାଇଲେ ଯେ କଲାଟି ତିଆର ।୧୩୯।

ଗୁଣରେ ବସାଇ ସେ ଆକର୍ଣ୍ଣ ଯାୟେ ଟାଣି

ଅଗ୍ନିର ତେଜକୁ ନାରାଜ ଯେ ପାରଇ ଜିଣି ।୧୪୦।

ମନ୍ତ୍ର ସୁମରିଲା ସେ ଯେ ତିନିବେଳ ଯାୟେ

ବିନ୍ଧିଲା ନାରାଜ ସୂର୍ଯ୍ୟ ତେଜ ହୀନ ହୋୟେ ।୧୪୧।

ନାରାଜ ଚଳିବାରେ ଯେ କମ୍ପିଲାକ ପୃଥୀ

ଦାନବ ଉପରେ ବାଣ ପଡ଼ିଲା ତଡ଼ତି ।୧୪୨।

ଅସୁରର କପାଳେ ପଡ଼ିଲା ଯାଇଂ ଶର

ହୋଇଲାକ ଗୁଣ୍ଡାମୟେ ଧୂଳିର ଆକାର ।୧୪୩।

ଦେଖିଣ ବିଚାରଇ ତହୁଂ ରାୟେ ଦ୍ରିଯୋଧନ

ନିଚୟେ ହୋଇଲା ଆସି ମୋତେ ଅକାଳ ମରଣ ।୧୪୪।

ୟେଡ଼େବଡ଼ ଶହସ୍ର ଯେବେ ଚମେ ନ ଫୁଟଇ

ମୃତୁ ୟେହାକୁ ଦଇବ ଥୋଇଣ ଅଛି କାହିଂ ।୧୪୫।

ବିଚାରୁଂ ବିଚାରୁଂ ଯେ ବିନ୍ଧିଅଛି ଶର

ଦାନବର ଚିନ୍ତା ନାହିଂ କିଛିହିଂ ମନର ।୧୪୬।

ଡାକିଲାକ ଅସୁର ତୁ ରେ ନିଚୟେ ଗଲୁ ନାଶ

ବୀର ତୂର ବଜାଇ ଯେ କରୁଥିଲୁ ଯଶ ।୧୪୭।

ନାମ ତୋ ୟେଡ଼େ ବଡ଼ ଅଭୟେ ସୋମବଂଶୀ

ସଇନ ସେନା ନାଶିଣ ଆପଣେ ହୋଇବୁ ବିନାଶି ।୧୪୭।

ଆମ୍ଭର ଆଗ୍ୟାଂ ଯେବେ ପାଳିବୁ ଆପଣ

ଆଷ୍ୟ ଥିବା ଯାୟେ ଶରୀରେ ଥିବ ପ୍ରାଣ ।୧୪୯।

ଆରେ ମୁଖରେ ଆଙ୍ଗୁଳି ଯେ ଦନ୍ତରେ ତିରଣ

ବେକରେ କୋଠାର ରେ ବାନ୍ଧ ତୁ ଆପଣ ।୧୫୦।

କେଶବାସ ଅସମ୍ଭାଳେ ପାୟେ ପଡ଼ି ଶୁଅ

ବୋଲ ମୁଂ ଅରକ୍ଷିତ ମୋତେ ରକ୍ଷା କରି ଯାଅ ।୧୫୧।

ୟେମନ୍ତେ ବୋଇଲେ ମୁଂ ଛାଡ଼ିବି ନିଚୟେ

ରହିଣ ଥିବ ପ୍ରାଣ ଆଷ୍ୟ ଥିବା ଯାୟେ ।୧୫୨।

ଶାର୍ଦ୍ଦୂଳ ଚର୍ମ ଛାଉଣି ଯେ ରଥୁ ଫିଟାଇବୁ

ଆଗରୁ ପାଲଟି ସିଘଂ ପଛକୁ ବସାଇବୁ ।୧୫୩।

ମାନଗୋବିନ୍ଦ ନାମ ଛାଡ଼ିବୁ ତୋହୋର

ତେବେ ସେ ତୋତେ ଛାଡ଼ିଦେବି ତୁ ଯିବୁ ନିଜ ପୁର ।୧୫୪।

ଦାନବର ମୁଖରୁ ୟେସନେକ ବାକ୍ୟ ଶୁଣି

କ୍ରୋଧେଣ କମ୍ପିଲା ସେ ନୃପତି ଚୂଡ଼ାମଣି ।୧୫୫।

ଟହ ଟହ ହସିଣ ବୋଇଲା ଆରେ ବାଇ

ୟେତେକ ଛାଡ଼ିବି କିରେ ମୁଂ ତୋହୋର ଛାର ପାଇଂ ।୧୫୬।

ୟେତେକ ବିଚାରି ବିଚାରି ରାଜା ବୋଇଲେ ସାରଥି

ପ୍ରାଣ ରକ୍ଷା କରିବୁଟି ତୋହୋର ବୁଦ୍ଧି ଚିନ୍ତି ।୧୫୭।

ମୋହୋର ଜୀବନକୁ ନାହିଂଟି ଆଉ ଆଶ

ଶତେ ଭାଇ ଆଦି ମୋ ବଂଶ ଗଲେ ନାଶ ।୧୫୮।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିସର୍ବାହିଂ ପଚିଲା

ଜଦ୍ୟରଥ ପଡ଼ିଲା ମୋ ଭୟେଣୀ ରାଣ୍ଡ ହେଲା ।୧୫୯।

ୟେବେ ଯେବେ ମୋହୋର ହୋଇଲା ଦେହ ନାଶ

ଅଶତ୍ରୁ ଶତ୍ରୁ ଆସି ହୋଇଲା ରାକ୍ଷସ ।୧୬୦।

କାହୁଂ ମିଳିଲା ସେ ଆସି କେଉଂଣ ଦେଶର

ସଇନ ସେନା ସବୁଟି ମୋର କଲା ନାରାଖାର ।୧୬୧।

ମରୁ ଅବା ରାକ୍ଷାସ ମରଇଂ ଅବା ମୁହିଂ

କହୁଂ କହୁଂ ରଥରୁ ଯେ ଡେଇଂଲା ନରବଇ ।୧୬୨।

ରେ ରେ କାର କରି ଗଦା ଘେନିଲା ବେନି କରେ

ରତ୍ନାବଳୀ ଗଦା ମାଇଲା ଦାନବ ଉପରେ ।୧୬୩।

ପଡ଼ନ୍ତେଣ ଗଦା ଯେ ଦାନବ ମସ୍ତକର

ଅଗ୍ନି ଝଲକିଲା ମୋହେ ପଡ଼ିଲା ଅସୁର ।୧୬୪।

ଦେଖିଣ କୁରୁପତି ତାର ହୃଦେ ମାଡ଼ି ବସିଲାକ ଝାତି

ମାଇଲାକ ମୁଥେ ସେ ଯେ ବଜ୍ରର ଆକୃତି ।୧୬୫।

ଦାନବର ଦେହେ ଯେ ପାଇଲା ମୁଥଘାତ

ନୟନ ଫେଡ଼ି କରି ଯେ ଚାହିଂଲା ଦଇତ ।୧୬୬।

ଝାଡ଼ିଲାକ ଦେହ ଯେ ଝଡ଼ି ପଡିଲା ନୃପତି

ମତ୍ତହାଥୀ ଝାଡ଼ିଲେ ଯେହ୍ନେ ମାହୁନ୍ତେ ଝଡ଼ନ୍ତି ।୧୬୭।

କୋଦାଳ ଆୟୁଧେକ ପିଟନ୍ତେ ଦଇତ ନେଇ

ଡାହାଣ ହାଥେ ରାଜା ନେଲାକ ଛଡ଼ାଇ ।୧୬୮।

କୋଦାଳ ଆୟୁଧ ରାଜା ଛଡ଼ାଇ ପକାଇଲା ତଳେ

ମାଲ ବିନ୍ଧାଣ ଘେନିଲା ଦଇତ ରାଜା ମେଳେ ।୧୬୯।

ଆତଙ୍ଗେ ଚିନ୍ତିଲା ସେ ଯେ ରେବତୀର ପତି

ଚଉଦ କୋଶ ଦାନବର ଯହୁଂ ଦେଖିଲା ଆକୃତି ।୧୭୦।

ତେଡ଼େକ ଶରୀର ଯେ ହୋଇଲା ନୃପବର

ବଳହିଂ ଅଟଇ ଯେ ସହସ୍ର ସିଘଂର ।୧୭୧।

ଅଶି ସହସ୍ର ବଳ ଯେ ଅଟଇ ମତ୍ତାହାଥୀ

ୟେତେକ ବଳ ବହଇ ସେ ଦାନବ କୁଳପତି ।୧୭୨।

ଦୁହେଂ ହୁହିଂକି ସେ ଯେ ହୋଇଲେ ଧରାଧରି

ଦେଖିବାକୁ ନାହିଂ ସେ ଯେ ହୋଇଲେ ଧରାଧରି

ଦେଖିବାକୁ ନାହିଂକି ସେ ଯେ ସ୍ୱର୍ଗ ମଞ୍ଚପୁରୀ ।୧୭୩।

ସୋମବଂଶ ରାଜା ଯେ ମୋହେଣ ପଡ଼ଇ

ରଥେ ଥାଇଂ ସାରଥି ଅଛି ଯେ ଅନାଇଂ ।୧୭୪।

ନୃପତିକି ଚାହିଂଣ ବିକଳ ତାର ମନ

ମନେ ଚିନ୍ତା କରଇ ରକ୍ଷାକର ହେ ଦେବ ଧର୍ମ ।୧୭୫।

କେଉଣ ଅନକୂଳେ ଯେ ନୃପତି ଅଇଲେ

ସୋମବଂଶ ଘେନି ଯେ ଆପଣେ ନାଶ ଗଲେ ।୧୭୬।

ଆଉ କିମ୍ପେ ମୁହିଂ ରଖିଥିବି ପ୍ରାଣ

ୟେହାର ହାଥେ ଯେବେ ମରିବେ ରାଜନ ।୧୭୭।

ହା ହା ଧର୍ମ ବୋଲି ଯେ ଚିନ୍ତଇ ସାରଥି

ଦାନବର ମୁଖୁଂ ରକ୍ଷା କର ହେ ନୃପତି ।୧୭୮।

ୟେତେକ ବିଚାର କରି ସାରଥି ମଉନ

ନୟନରୁ ଅଶ୍ରୁଜଳ ଯେ ବହଇ ଘନ ଘନ ।୧୭୯।

ଅସୁରର ଯୁଦ୍ଧେ ମୋହେ ପଡ଼ିଥିବା ରାଜନ

ଚେତିଣ ଯୁଦ୍ଧକୁ ରାଜା ବାହରିଲା ପୁଣ ।୧୮୦।

ହାଥକୁ ବାଥ ଛନ୍ଦି ପାଦକୁ ପାଦ ଦେଇ

ମୁଣ୍ଡକୁ ମୁଣ୍ଡ ସେ ଯେ ମାରନ୍ତି ରୋଷ ବହି ।୧୮୧।

ହୋଅନ୍ତି ଗଡ଼ାଗଡ଼ି ଲାଗିଣ ନ ଛାଡ଼ନ୍ତି

ମାରନ୍ତି ମୁଥେ ସେ ଯେ ହୋଅନ୍ତି ଯନ୍ତଯନ୍ତି ।୧୮୨।

କରନ୍ତି ଗରଜନ ସେ ଯେ ଆଷାଢ ମେଘ ଜାଣି

ବେନି ଅହିଂକର ଯେସନେ ଲାଗଇ ଆରେଣୀ ।୧୮୩।

ସ୍ୱର୍ଗରେ ସୁରଗଣେ ଯେ ଅଛନ୍ତି ଉଭା ହୋଇ

ଦାନବ ମରିବ କି ବିଚାରନ୍ତି ଚାହିଂ ।୧୮୪।

ବୃହସ୍ପତିଂକି ଚାହିଂ ଯେ ପଚାରନ୍ତି ସୁରପତି

ଦାନବର ମୃତୁ ଅଛି ୟେହାର ତହିଂକି ବୋଲନ୍ତି ।୧୮୫।

କୁରୁ ସାଗର ସଇନ୍ୟ ସମସ୍ତେ ହେଲେ ହତ

ଦ୍ରିଯୋଧନ ହାଥେ କି ମରିବ ଦଇତ ।୧୮୬।

ୟେହାର ଉପର ବଂଶେ ଅସୁର ଥିଲେ ଯେତେ

ମୟେଂଷା ଆଦି କରି ଧୂମ୍ରଲୋଚନ ପରିଯନ୍ତେ ।୧୮୭।

ଶୁମ୍ଭ ନିଶୁମ୍ଭ ରକ୍ତବୀର୍ଯ୍ୟ ଯେତେ ଥିଲେ

ବିରୂପାକ୍ଷ କାନ୍ତିମାଳା ଚଣ୍ଡ ମୁଣ୍ଡ ମଲେ ।୧୮୮।

ପୃଥୀକି ଭାରା ହୋଇଥିଲେଟି ୟେ ସର୍ବେ

ୟେ ପୁଣ ନାଶ ଗଲେ ହୋଇଣ ମତ୍ତଗର୍ବେ ।୧୮୯।

ୟେମାନ ଦୁଷ୍ଟ ପଣେ ଦେବଂକୁ କଲେ ନାଶ

ୟେହୁ ୟେବେ ଜିଣିଲା ଯେ ଭୁବନ ତ୍ରିଦଶ ।୧୯୦।

ୟେବେ ଯେ ୟେହାର ମୃତୁ କହିବାକୁ ହୋଉ

ଦୁର୍ଗାର କୋପରେ ତ ନାଶ ଗଲେ ସେହୁ ।୧୯୧।

ବୃହସ୍ପତି ବୋଇଲେ ଶୁଣ ହୋ ସୁରାରାୟେ

ୟେହାର ଯୁଧ୍ୟରେ ତ ହାରିବ କୁରୁରାୟେ ।୧୯୨।

ୟେହି ବଂଶେ ନାଶ ନିଚେଂ ଯିବ ୟେ ଅସୁର

ପଣ୍ଡୁର ତନୟେ ଯେ ନକୁଳ ମହାବୀର ।୧୯୩ ।

ତାହାର ହାଥେ ନିଚୟେ ମରିବ ଅସୁର

ୟେ କଥା ପ୍ରମାଣ ଜାଣ କହିଲୁଂ ନିକର ।୧୯୪।

ଇନ୍ଦ୍ର ବୋଇଲା ଶୁଣିମାକ ଦେବଗୁରୁ

ୟେ ଦଇତ ନାଶ ଯାଉ ସେ ସ୍ୱର୍ଗ ରକ୍ଷା କରୁ ।୧୯୫।

କେତେକ ଦିନ ଅନ୍ତରେ ମରିବ କହ ମୋତେ

ବୃହସ୍ପତି ବୋଇଲା ମରିବ ୟେ ଚଉଦିନ ଅନ୍ତେ ।୧୯୬।

ୟେମନ୍ତେ ବିଚାରିଣ ଚାହାନ୍ତି ସୁରଗଣେ

ଅସୁର ସଙ୍ଗତେ ଯେ ଯୁଝନ୍ତି କୁରୁରାଣେ ।୧୯୭।

ଦୁହିଂକରି ଯୁଦ୍ଧ ଯେ ଅତିଅନ୍ତ ଭାରି

କହିବାକୁ ଅଗୋଚର ଦେବେ ଛନ୍ତି ଦୃଷ୍ଟି କରି ।୧୯୮।

ଧରନ୍ତି ପଡ଼ନ୍ତି ଗଡ଼ନ୍ତି ଜଡ଼ନ୍ତି

ମହାଘୋର ଯୁଧ୍ୟ ଦୁହେଂ ତହିଂ କରୁଛନ୍ତି ।୧୯୯।

ରେ ରେ କାର ରଡ଼ି ପଡ଼ିବାର ଠାରେ

ହୁଂକାରି ମୋଡ଼ନ୍ତି ମାରନ୍ତି ମୁଥରେ ।୨୦୦।

ଉଠନ୍ତି ଲୋଟନ୍ତି ଘୁଞ୍ଚନ୍ତି ଛନ୍ଦନ୍ତି

ହେଠନ୍ତି ହଠନ୍ତି ହୁଂ ହୁଂ ଶବଦେ ହାକନ୍ତି ।୨୦୧।

ଲେଛନ୍ତି ଲାଛନ୍ତି ଜାରନ୍ତି ଜୁରନ୍ତି

ନଟନ୍ତି ଲକ୍ଷ୍ୟନ୍ତି ଘୋଟନ୍ତି କୁରୁଳନ୍ତି ।୨୦୨।

କୁରନ୍ତି କାରନ୍ତି କିକିନ୍ତି କୁକୁନ୍ତି

ଚଉଷଠି ବିନ୍ଧାଣ ଘେନିଣ ଜୁଝନ୍ତି ।୨୦୩।

ଦୁହିଂକରି ଯୁଧ୍ୟ କରିବାର କାଳେ

ସପତ ଘଡ଼ି ବେଳ ହୋଇଥିଲା ଆକାଶରେ ।୨୦୪।

ତିନି କୋଶ ପରିଯନ୍ତେ ବନ ହୋଇଲା ପଦାମୟେ

ଧୂଳି ଧପଟ ହୋଇଲା ତିନି କୋଶ ଯାୟେ ।୨୦୫।

କୁରୁପତିଂକି ମାଡ଼ିଣ ବସିଲା ଅସୁର

ମସ୍ତକରେ ମୁଥେକ ଯେ ମାଇଲା ଧାତିକର ।୨୦୬।

ହୁଂକାରି ଉଞ୍ଚାଇଣ ମାଇଲା ଯହୁଂ ମୁଥେ

ୟେକଠାରେ ପଡ଼ିଲା କି ବ୍ରଜ ଅହିବ୍ରତେ ।୨୦୭।

ଢଳିଲା କୁରୁପତି ମୃତ ଶବ ପ୍ରାୟେ

ମଲା ବୋଲି ଛାଡ଼ି ଉଭା ହୋଇଲା ଅସୁର କୁଳ ରାୟେ ।୨୦୮।

ଶରୀରକୁ ଚାହିଂଲା ବିବିଧ ରତ୍ନମାନ

କାଢିଣ ଅସୁର ତାହା ହୋଇଲା ଆଭରଣ ।୨୦୯।

ମଣିମୟ ମୁକୁଟ ବାନ୍ଧିଲାକ ଶିରେ

ରତ୍ନାବଳୀ ବେନି ଗଦା ଘେନିଲାକ କରେ ।୨୧୦।

ବୋଇଲା ୟେମାନ ୟେଥେଂ ପଡ଼ିଥାନ୍ତୁ ସର୍ବେ

ୟେତେ କହି ନେଉଟିଲା ଦାନବ କୂଳ ଦେବେ ।୨୧୧।

ରକତ ଲାଗି ଦିଶଇ ସିନ୍ଦୂର ଗିରି ପ୍ରାୟେ

ମନ୍ଦାର ଫୁଲ ବର୍ଣ୍ଣ ଅସୁରର କାୟେ ।୨୧୨।

ଯମୁନା କୂଳେ କୂଳେ ଚାଲଇ ଧୀରେ ଧୀରେ

ଗେଲେ ଗେଲେ ଚାଳଇ ସଧୀରେ ସଧୀରେ ।୨୧୩।

ସାରଥି ଯେ ଦେଖୁଥିଲା ରଥ ପରେ ଥାଇଂ

ରୋଦନ କଲା ସାରଥି ରାଜାର ମୁଖ ଚାହିଂ ।୨୧୪।

ହା ହା ଦଇବ ବୋଲି କପାଳେ ମାରଇ କର

ଭୋ ଦଇବ ପୁରୁଷ ଆଣି କଲୁ ୟେତେ ଦୂର ।୨୧୫।

ବିନା ଦୋଷେ ନାଶ ଗଲେ କୁରୁ ସାଗର ସଇନ

ପୃଥୀର ମଣ୍ଡଣ ଯେ ନୃପତି ଦ୍ରିଯୋଧନ ।୨୧୬।

ଯାହାର ବିଜେ କଲେ କମ୍ପଇ ଦିବି ପୃଥୀ

ଅସୁର ହାଥେ ଥିଲା ୟେହାନ୍ତ ମୃତୁ ଗତି ।୨୧୭।

ୟେତେ କହିଂ ରୋବଇ ବହୁତ ସାରଥି

ବିଚାରଇ କେମନ୍ତେ ମୁଂ ଯିବି ତୁଚ୍ଛା ରଥ ଘେତି ।୨୧୮।

ରଥୀକି ମରାଇ ସାରଥି ଯେବେ ଥାଇ

ଧର୍ମ ଶାହାସ୍ରେ ବୋଲି ସେ ନର୍କ ଗତି ପାଇ ।୨୧୯।

ଶୂନ୍ୟ ରଥ ଘେନି ମୁଂ ଯିବି ହସ୍ତିନାକୁ

କି ବୋଲି କହିବିଟି ମୁଂ ରାଜାର ଲୋକଂକୁ ।୨୨୦।

କି ବୋଲି ବୋଲିବେ ମୋତେ ପଞ୍ଚୁକଟକ ଜନ

କି ବୋଲି ବୋଲିବେ ମୋତେ ପଣ୍ଡୁର ନନ୍ଦନ ।୨୨୧।

ଦଇବ କୃତ୍ୟେ ହୋଇଲା ୟେସନ ବିପତ୍ତି

ପଡ଼ିଲେ ଭୂରିସର୍ବା ଆବର ଗଙ୍ଗାର ସନ୍ତତି ।୨୨୨।

ଦ୍ରୋଣ ଅଶସ୍ତମା ଶଲ୍ୟ ରାୟେ କର୍ଣ୍ଣ

ସୋମଦତ୍ତ ବାହ୍ଲିକ ସୁରଥ ରାଜାର ନନ୍ଦନ ।୨୨୩।

ଧୃତିରାଷ୍ଟ ଶତେ ପୁତ୍ର ସହିତେ ଗଲେ ନାଶ

ଗାନ୍ଧାର ରାଜାର ସୁତ ସଇନି ସମସ୍ତ ।୨୨୪।

ମୋହୋର ଦେଖୁଂ ଦେଖୁଂ ପଡ଼ିଲେ ୟେ ରଣେ

ଅଠର କ୍ଷଉଣୀ ଥାଠ ପଡିଲେ ନ ରହିଲେ ଜଣେ ।୨୨୫।

ୟେତେ ବୋଲି ରଥୁଂ ଓହ୍ଲାଇ ସାରଥି

ନୃପତିଂକି ଯାଇଂ ତୋଳିଲା ହସ୍ତଗତି ।୨୨୬।

ତୋଳି ନୁଆରିଲା ସହସ୍ରେ ସିଘଂର ବଳ

ଭୂମିରେ ପୋତା ଅବା ଅଛଇ ଅଚଳ ।୨୨୭।

ଜଣ ଜଣ କରି ତୋଳିଲା ୟେହି ମତେ

ରାଜାର ପ୍ରିୟଜନ କୁଟୁମ୍ୱ ଭ୍ରାଥ ଯେତେ ।୨୨୮।

କାହାକଇଂ ଯହୁଂ ସେ ତୋଳି ନୁଆରିଲା

ଲେଉଟ ସାରଥି ଆସି ରଥରେ ବସିଲା ।୨୨୯।

ବାହିଲାକ ଯାନ ରାଜ୍ୟକୁ ଯିବ ବୋଲି

ଯାନ୍ତେଣ ମିଳିଲା ଯେ ଇନ୍ଦ୍ରପ୍ରଶସ୍ତ ପୁରୀ ।୨୩୦।

ମଧ୍ୟରେ ବନସ୍ତ ବାରୁଣା ଅଛି ଲାଗି

ଅନିଳେକ ନାମ ବନ ପର୍ବତ ସଉଭାଗୀ ।୨୩୧।

ଆରଡ଼େକ ନାମେ ତହିଂ ଅଛଇ ଡିଙ୍ଗର

ସେ ବାଟେ ସାରଥି ଘେନି ଚଳଇ ରହୁବର ।୨୩୨।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ସେ ବାଟେ ଆସୁଛନ୍ତି ମାଦ୍ରୀର ସନ୍ତତି ।୨୩୩।

ଖଣ୍ଡେ ଦୂରୁଂ ଥାଇଣ ଚିହ୍ନିଲାକ ରଥ

ଶର୍ଦ୍ଦୂଳ ଚର୍ମ ଛାୟେଣୀ ଉପରେ ଧ୍ୱଜ ଛତ୍ର ।୨୩୪।

ବିରାଳ ପଛୀର କେରା ବ୍ରହ୍ମଜାତି ହୀରା

ନାହିଂ ପଟାନ୍ତର ବିଜୁଳୀ ଝଟକ ତାରା ।୨୩୫।

ଲକ୍ଷେକ ପତନୀ ଦର୍ପଣ ଶୋଭା ପାଇ

କୋଟିୟେ ଚାମର ତହିଂ ବିଚିତ୍ର ଉଡ଼ଇ ।୨୩୬।

ଚନ୍ଦ୍ର ସୂର୍ଯ୍ୟଂକର ଚାନ୍ଦୁଆ ଉପରେ

ମାଣିକ୍ୟ ଆଉଜାଣି ବିଚିତ୍ରି ମନୋହରେ ।୨୩୭।

ପୋୟେଂଳାର ଦଣ୍ଡା ମର୍କତର ଗୁରୁଜ

ପୁଷ୍ପରାଗ ଦ୍ୱାରା ଗଢ଼ା ନୀଳ ରତ୍ନ ସଜ ।୨୩୮।

ବିଚିତ୍ର ରଥ ଦେଖି ମାଦ୍ରୀ ଦେବୀର ବଳା

କୁନ୍ଦ ଦନ୍ତ ଚାହିଂ ସାରଥିକି ଚିହ୍ନିଲା ।୨୩୯।

ମଳୟ ସାରଥିର ଚେତନା ଦେହେ ନାହିଂ

ଚିନ୍ତାଭରେ ରଥ ସେ ଯାଉଅଛି ବାହୀ ।୨୪୦।

ଦୁଇ ନୟନରୁ ବିକଳେ ଅଶ୍ରୁଜଳ ବହେ

ମୃତୁ କାଳେ ପ୍ରାଣୀକି ଯେସନେ କାଳ ବିକାଳ ଦହେ ।୨୪୧।

ସେହିମତି ସାରଥି ହୋଇଛି ଅଚେତ

ଦିଗ ନ ବାରିଣ ଯେ ବାହୁଅଛି ରଥ ।୨୪୨।

ନକୁଳ ଚିହ୍ନି କରି ଡାକିଲା ଆପଣ

ମଳୟ ସାରଥିର ନାମ ଉଚ୍ଛାରିଣ ।୨୪୩।

କିହୋ ସାରଥି ତୁ ଯାଇଥିଲୁ କାହିଂ

ଆମ୍ଭେ ଡାକୁଅଛୁ ତୁ ନ ଶୁଣି କିପାଇଂ ।୨୪୪।

ଶବଦ ପାଇ ସାରଥି ଚାହିଂଲା ତତକ୍ଷଣେ

ଚିହ୍ନିଲା ନକୁଳ ସେ ମାଦ୍ରୀର ନନ୍ଦନେ ।୨୪୫।

ଚିହ୍ନିଣ ସାରଥି ଡେଇଂଲା ଧାତିକାର

ନକୁଳ ପାଦେ ପଡ଼ି କାନ୍ଦିଲା ଉଚ୍ଛସ୍ୱର ।୨୪୬।

ନକୁଳ ବୋଇଲେ ରେ କାର୍ଯ୍ୟ କିସ କହ

ଅକାରଣେ କିମ୍ପେ ତୁ କରୁଅଛୁ କୋହ ।୨୪୭।

ସାରଥି ବୋଇଲା ଦେବ ଅବଧାନ କର

ସମଦଣ୍ଡ ଘେନି ବିଜେ କଲା ନୃପବର ।୨୪୮।

କେବଣ ଦେଶର ସେ ନ କହିଲା ଦଇତ

ସାଂଗ୍ରାମେ କୁରୁ ସାଗର ସଇନ ସେ କଲା ହତ ।୨୪୯।

ପାଦାନ୍ତି ତୁରଙ୍ଗ ହାଥୀ ନାହିଂ ତାର ରହୁବର

କୋଦାଳ ଆୟୁଧ ଗୋଟାୟେ ଅଛଇ ହାଥର ।୨୫୦।

ଅର୍ଦ୍ଧ ଆକାଶରେ ତାର ଲାଗିଅଛି ଦେହୀ

ପଦ୍ମ ବନକୁ ଯେହ୍ନେ ମତ୍ତହାଥୀ ଗଞ୍ଜଇ ।୨୫୧।

ସାରଥି ବୋଇଲା ତେସନେକେ ସବୁନ୍ତି କଲା ହତ

ସକଳ ମାରି ଗଲା ଆରଡ଼େକ ପର୍ବତ ।୨୫୨।

ୟେକା ହୋଇ ରଥ ଘେନି ଆସୁଛନ୍ତି ମୁହିଂ

ସରିଲା ସମ୍ପଦ ଦେବ ସୃଷ୍ଟିରେ କାର୍ଯ୍ୟ ନାହିଂ ।୨୫୩।

ନକୁଳ ବୋଇଲା ରେ ସେ କେଇଣ ମାର୍ଗେ ଗଲା

ଅଭୟେ ସୋମବଂଶକୁ ଦଇତ ନାଶ କଲା ।୨୫୪।

କଢ଼ାଅ ପଥ ସାରଥି ୟେଥେ ଥାଉ ଯାନ

ଆସ ବୋଲି ଗମିଲେ ସେ ମାଦ୍ରୀର ନନ୍ଦନ ।୨୫୫।

ଯାଉଂ ଯାଉଂ ସାରଥି ବଚନ କହିଲା

ଦକ୍ଷିଣକୁ ମୁଖ କରି ନଇଋତ ମାର୍ଗେ ଗଲା ।୨୫୬।

ରେ ରେ ଦାନବ ବୋଲି ଡାକ ଦିଅଇ ମହାବୀର

ମାର୍ଗ ଅମାର୍ଗ ନାହିଂ ଧାମନ୍ତି ନିରନ୍ତର ।୨୫୭।

ବେନି ଘଡ଼ି ପରିଯନ୍ତେ ପାଦେ ଗମନ କଲେ

ଆରଡ଼େକ ପର୍ବତ ଉପରେ ଉଠିଲେ ।୨୫୮।

ଦେଖିଲେ ସେ ଯମପ୍ରଶସ୍ତ ପଛିମ ଦିଗ କତି

ସେ ମାର୍ଗେ ଯାଉଅଛି ଅସୁର କୁଳ ପତି ।୨୫୯।

ସାରଥି ବୋଇଲା ଦେବ ୟେହିଟି ଅସୁର

ମଣିମୟ ମୁକୁଟ ସେ ବାନ୍ଧିଅଛି ଶିର ।୨୬୦।

ସାରଥିର ବଚନେ ସେ ନକୁଳ ଡାକ ଦେଇ

ରହ ରହ ଦାନବ ରେ ଯାଉଅଛୁ କାହିଂ ।୨୬୧।

ରେ ରେ କାର ଧୁନି ଶୁଣି ରହିଲା ଅସୁର ମହାବୀର

ନକୁଳ ମିଳିଲା ଯାଇଂ ଦାନବ ଛାମୁର ।୨୬୨।

କରେ ଧରିଅଛି ବିକ୍ରମ ଆୟୁଧ

ସାଂଗ୍ରାମ କରିବାକୁ ଅଛି ତାର ସଧ ।୨୬୩।

ନକୁଳେ ମିଳିଲେ ଛାମୁରେ ଝାତିକାରେ

ହରଣ ପଚାରଇ ସେ ଦାନବ ବୀରବରେ ।୨୬୪।

କେଉଣ ଦେଶର ତୁ କହ ମୋହୋର ଛାମୁରେ

ମରଣକୁ ଭୟ ରେ ନାହିଂକି ତୋହୋରେ ।୨୬୫।

ରେ ରେ କାର କରିଣ ଆମ୍ଭକୁ ଡାକ ଦେଉ

କାଳ ବିକାଳନ୍ତ ତୁ ଭୟେ କି ନପାଉ ।୨୬୬।

ନକୁଳ ବୋଇଲେ ରେ ପାମର ମନ୍ଦ ବାଇ

ଯମକୁ ଯମଦୂତ ବାରତା କହୁ ତୁହି ।୨୬୭।

ପଛ ଆଡ଼କୁ ତୁ ଚାହାନି ରେ ଦାନବ

କାଳଫାଶି ଲଗାଇଛି ସଞ୍ଜୀବନୀ ପୁର ଦେବ ।୨୬୮।

ଘରକୁ ଯାଇ ଆଜ ଦେଖିବୁ କିରେ କୁଟୁମ୍ୱ

ୟେହି ପର୍ବତରେ ଆଜ ପଡ଼ିବ ତୋର ଶବ ।୨୬୯।

ଶୁଣି ଦାନବ କୋପ କରି ମାଇଲା କୋଦାଳ

ବାମ ହାଥେ ଛଡ଼ାଇଣ ନେଲେକ ନକୁଳ ।୨୭୦।

ତାହାର ଆୟୁଧ ଧରି ପିଟିଲେ ତାର ଶିରେ

ଉପୁଡ଼ିଣ ଆୟୁଧ ଧରି ପଡ଼ିଲା ଭୂମିରେ ।୨୭୧।

ଦେଖିଣ ବୀରବର ପିଟିଲେ ଆଉ ବେଳେ

ନାହିଂ ନୋହିଲା ବୋଲି ଦାନବ ଡେଇଂଲା ଝାତିକାରେ ।୨୭୨।

ବୃକ୍ଷେକ ଉପାଡ଼ିଲା କୋଶେକ ଉଚ୍ଚରେ

ନକୁଳ ଉପରେ ନେଇ ପିଟିଲା ଝାତିକାରେ ।୨୭୩।

ଦେଖିଣ ନକୁଳ ଯେ ମାଇଲେକ କୋନ୍ତ

କେଡ଼େ ବଡ଼ ବୃକ୍ଷ ଗୋଟା ହୋଇଲା ଭଗନସ୍ତ ।୨୭୪।

ବୃକ୍ଷକୁ ଛେଦିଣ ମାଇଲେ ଆଉ ବେଳେ

ଦାନବର ହୃଦେ ପଡ଼ିଲା ଅବହେଳେ ।୨୭୫।

ଯେବଣ କୋନ୍ତ ବାଜନ୍ତେ ମେରୁ ଚୂର ହୋଇ

ୟେଡ଼େ ଶହସ୍ର ଗୋଟା ଯେ ଉପୁଡ଼ି ପଡ଼ଇ ।୨୭୬।

ନକୁଳ ବିଚାରନ୍ତି ୟେତ ବଢ଼ାଇ ବିପରୀତ

ଉପୁଡ଼ି ପଡ଼ଲା ତ ନବନିଶି କୋନ୍ତ ।୨୭୭।

ୟେତେକ ବିଚାରିଣ ସେ ମାଦ୍ରୀ ଦେବୀର ବଳା

ଦାନବର ହୃଦେ ସେ ମୁଥେକ ପ୍ରାହାରିଲା ।୨୭୮।

ବଜ୍ରଘାତ ପ୍ରାୟେକ ଯେ ଶୁଭିଲା ଶବଦ

ହସିଣ ଦାନବ ସେ କଲାକ ଘୋର ନାଦ।୨୭୯।

ବୋଇଲା ମାନବା ରେ ତୁ ଅଟୁ ୟେଡ଼େ ବାଇ

ମେରୁରେ କ୍ଷୁଦ୍ର ଟେଳା ବାଜିଲେ କିସ ହୋଇ ।୨୮୦।

ବିକ୍ରମ ସିଘଂକୁ ରେ ଓଗାଳୁ ଶ୍ରିକାଳ

ଯମର ଭବନକୁ ତୁ ରେ କରୁଅଛୁ ଅନକୂଳ ।୨୮୧।

ନିରେଖ ଲୋକନ୍ତ ମାରିବା କେମନ୍ତେ

ହତ୍ୟା ହୋଇବନା ପାପ ଲାଗିବଟି ମୋତେ ।୨୮୨।

ଧର୍ମ ଶାହାସ୍ର ପୁରାଣେ ବୋଲିଅଛି ଯାହା

ଶୁଣିଣ ମାନବା ରେ କହିବା ତୋତେ ତାହା ।୨୮୩।

ଆପଣାର ସମାନ ହୋଇବାକ ଯେହୁ

ତାହାର ତୁଲେ ଯୁଦ୍ଧ କରିବଟିକି ସେହୁ ।୨୮୪।

ଅସମାନ ଲୋକ ସଙ୍ଗେ କରିବ ଯେହୁ ଦ୍ୱନ୍ଦ

ଆଖି ଥାଉଂ ଥାଉଂଟି ବୋଲି ତାକୁ ଅନ୍ଧ ।୨୮୫।

ବଚନ ତାହାକୁ ମାଡ଼ ହୁଅଇଟି ଯେତେ

ଅବଧାନ ହୋଇ ଶୁଣ ତୁ ହୋ ୟେକ ଚିତ୍ତେ ।୨୮୬।

ଆମ୍ଭନ୍ତ ସମାନ ତୁ ନୋହୁ ବୋଲି କରି

ସେ ନ୍ୟାୟରୁ ବୋଇଲି ଯାଅ ଜୀବନ ଘେନି ଅପସରି ।୨୮୭।

ଆମ୍ଭନ୍ତ ସମାନ ତୁ ନୋହୁ ତୋହୋ ଛାର

ତୁ ଯୁଦ୍ଧ କରିବୁ କି ଆମ୍ଭର ଛାମୁର ।୨୮୮।

ୟେତେ ବୋଲି ଦଇତ ପୁଣିହିଂ ଚାହିଂଲା

ପ୍ରାଣ ଘେନି ମନ୍ଦିରକୁ ଯାଅ ଯାରେ ବୋଇଲା ।୨୮୯।

ଯହୁଂ ସେ ଅସୁର ବୋଇଲା ୟେହୁ ବାଣୀ

କୋପେ କମ୍ପିଲା ବୀର ମତ୍ତଗଜ ଜାଣି ।୨୯୦।

କୋପେଣ ମହାମତ୍ତ ପାଷାଣେକ ଧଇଲା

ଦାନବର ମସ୍ତକ ଉପରେ ନେଇଣ କଚାଡ଼ିଲା ।୨୯୧।

ମସ୍ତକେ ବାଜି ପାଷାଣ ହୋଇଲାକ ଚୂର

କୋପେଣ ନକୁଳ ଯାଇଂ ଧଇଲା ଅସୁର ।୨୯୨।

ଗ୍ରୀବା ଧରି ତାର ନାସିକା କାମୋଡିଲା

ତୁଣ୍ଡେ ନ ପଶି ନାଶିକା ଉଚ୍ଛର୍ଗ ହୋଇଲା ।୨୯୩।

ଦୁଇ ଭୁଜେ ଧରି ଦିଲାକ ପକାଇ

ନ ଛାଡ଼ିଲେ ନକୁଳ ମହା କୋପ ବହି ।୨୯୪।

ତିନି ଯୁଣ ଅଧେକ ଦାନବର କାୟେ

ତାହାକୁ କ୍ଷୁଦ୍ର କୀଟ ମାଦ୍ରୀର ଦୁଲାଳେ ।୨୯୬।

ଦୁଇ ଭୁଜେ ଭିଡ଼ିଲା ସେ ଦାନବର ଗଳା

କଟି ଭାଗ ଭିଡ଼ିଲା ସେ ଦାନବ ଅନର୍ଗଳା ।୨୯୭।

ଧନ୍ୟ ସେ ପଣ୍ଡୁସୁତ ନ ପଡ଼ିଲେ ତଳେ

ଦାନବକୁ ମାଡ଼ିଣ ବସିଲେ ଗଳାରେ ।୨୯୮।

ହୁଂକାର ମୁଣ୍ଡେ ମୁଣ୍ଡ ମାଇଲାକ ଧାତି

ବଜ୍ରଘାତ ପଡିଲା ପ୍ରାୟେ ଶବଦ ଶୁଭନ୍ତି ।୨୯୯।

ଦାନବହିଂ କଟି ଧରି ରହିଅଛି ରାଗେ

କ୍ରୋଧଭରେ ନକୁଳ କମ୍ପିଲା ସଭାବେ ।୩୦୦।

ଗଳା ଧରି ନକୁଳ ଅସୁରକୁ ମୋଡ଼ିଲା ତିନି ବେଳ ପରିଯନ୍ତେ

କିଛିହିଂ ନୋହିଲା ଦାନବ ରହିଛି ସେହି ମତେ ।୩୦୧।

କେଡ଼େ ବଡ଼ଦାନବ ନ ପାରୁଅଛି ଚଳି

ପୁଣି ଅସୁର ମାଡ଼ି ବସିଲା ନକୁଳ ମହାବଳୀ ।୩୦୨।

ରେ ରେ ଦାନବ ବୋଲି ଡାକନ୍ତି ନକୁଳ

ମାଇଲୁ ମୋହୋର ରେ ଅଠର କ୍ଷଉଣୀ ବଳ ।୩୦୩।

ଭାଇ ବନ୍ଧୁ କୁଟୁମ୍ୱ ମୋର ଗୁରୁଜନ ଯେତେ

ତୋହୋର ବଇରି ନୋହୁ ଆମ୍ଭେ ତୁ ମାଇଲୁ କିସ ଅର୍ଥେ ।୩୦୪।

ତୋହୋର ଆମ୍ଭର ତ ବଇରିତା ନାହିଂ

ୟେଡ଼େ ବଡ଼ ବଳ ଧଂସିଲୁ କିମ୍ପାଇ ।୩୦୫।

ଆଜ ୟେବେ ଦଇବ ପୋଛିଲା ଆଷ୍ୟ ତୋର

ଲେଉଟି ଦେଖିବୁ କି ଆପଣା ମନ୍ଦିର ।୩୦୬।

ୟେତେ କହି ବୀର ବିଧାୟେ ମାଇଲାକ ତୋଳି

ୟେକାବେଳେ ବଜ୍ର କି ଅହିବ୍ରତେ ଢଳି ।୩୦୭।

ତଥାପି ଦାନବର କିଛିହିଂ ନୋହିଲା ଶିର

କେବଳ ଅଚେତ ହୋଇଛି ଅସୁର ।୩୦୮।

ସଭାବେ ଦାନବ ଅତିହିଂ ଅଚାର୍ଗଳା

ବିବିଧ ମାଡ଼ ମାଇଲା ମାଦ୍ରୀ ଦେବୀର ବଳା ।୩୦୯।

ମନେ ବିଚାରଇ ୟେହି ନ ମରଇ ନିକି

ସାରଥିର ବଚନେ ମୁହିଂ ଅଇଲି ୟେଥିକି ।୩୧୦।

ଦାନବକୁ ଛାଡ଼ି ଉଠିଲା ମହାବୀର

ମୁଣ୍ଡେ ପକାଇଲା ନେଇ ଅଚଳ ପଥର ।୩୧୧।

କୁଣ୍ଡଳୀ ସିଂହ ବୀର ଯେ ପଡ଼ିଛି ଅଚେତ

ପଥର ବାଜନ୍ତେଣ ସେ ଚାହିଂଲା ସଚେତ ।୩୧୨।

ଉଠି ଉଭା ହୋଇଲା ସେ ଦଇତ କୁଳବୀର

ଦେଖି ବିଚାରଇ ତହିଂ ମାଦ୍ରୀର କୁମର ।୩୧୩।

ମୃତ ପ୍ରାୟେ ୟେହାକୁ ଜାଣିଥିଲି ମୁହିଂ

ପୁଣିତ ଦାନବ ଉଠିଲା ପ୍ରାଣ ପାଇ ।୩୧୪।

ୟେତେ ବିଚାରିଣ ମାଦ୍ରୀ ଦେବୀ ସୁତ

ଛାଡ଼ିଣ ଦାନବକଇଂ ମାଇଲା ପାଦ ଘାତ ।୩୧୫।

ବାଜନ୍ତେଣ ଦାନବ ଟହ ଟହ ହସି

ମୃତୁ ଦେବତା ତୁଲେ ଧାରଣା ଦେଉ ଆସି ।୩୧୬।

ନକୁଳ ବୋଇଲେ ରେ କହିଲୁ ତୁ ସତ

ଆଜ ତୋତେ ମୃତୁ ଦେବଇଂ ନିୟତ ।୩୧୭।

ୟେତେ ବୋଲି ବେନି ପାଦ ଧରି ଝାତିକାରେ

ବୁଲାଇ କଚାଡ଼ିଲା ପର୍ବତ ଉପରେ ।୩୧୮।

ଭାଜିଲା ପର୍ବତ ହୋଇଲା ଚୂନାମୟେ

ଟହ ଟହ ହସିଲା ଦାନବ କୁଳ ରାୟେ ।୩୧୯।

ଚାରି ଯୁଣ ଲୋହ ଗିରି ପର୍ବତେକ ଥିଲା

କ୍ରୋଧରେ ନକୁଳ ସେ ପର୍ବତେ କଚାଡ଼ିଲା ।୩୨୦।

ଟଳିଲା ପର୍ବତ ଅସୁର କାୟେ ଲାଗି

ଚଉଦ ଖଣ୍ଡ ହୋଇଣ ପର୍ବତ ପଡ଼ିଲାକ ଭାଜି ।୩୨୧।

ନକୁଳ ଅସୁରର ଦେଖି ଘୋର ରଣ

ସାରଥି ବିଚାର କରଇ ମନେ ମନ ।୩୨୨।

ବୋଇଲା ଶୁଭାଶୁଭ ତ ନ ଦିଶଇ ମୋତେ

ଦାନବର ମୃତୁ ତ ନୋହିବ କଦାଶ୍ଚିତେ ।୩୨୩।

ନିଚୟେ ହସ୍ତିନା ଗଲାକ ଆଜ ନାଶ

ବିପରୀତ କର୍ମ ଚିନ୍ତିଲା ଦିଗବାସ ।୩୨୪।

ୟେତେକ ବିଚାରି ସେ ଚଳିଲା ଆପଣ

ବାଟେ ଯେଉଂଠାରେ ସେ ରଖିଥିଲା ଯାନ ।୩୨୫।

ରେ ରଥେ ଯାଇଂଣ ଚଢିଲା ସାରଥି

ବାରୁଣାବନ୍ତରେ ଯାଇଂ ମିଳିଲା ତଡ଼ତି ।୩୨୬।

ବିଜେ କରଛନ୍ତି ସେ ପାଣ୍ଡବ ଚାରି ଭାଇ

ରଥୁଂ ଡେଇଂ ଯାଇ ଭୂମିରେ ଉଭା ହୋଇ ।୩୨୭।

ବିଜେ କରିଛନ୍ତି ଯୁଝେଷ୍ଠି ନୃପବର

ଡାକିଲା ସାରଥି ଅତି ଉଚ୍ଚ ସ୍ୱର ।୩୨୮।

ଭୋ ଦେବ ବୁଡ଼ିଲା ଆସି ହସ୍ତିନା ସଂପତ୍ତି

କାହୁଂ ଆସି ଶତ୍ରୁୟେ ହୋଇଲା ଉତପତ୍ତି ।୩୨୯।

ଶୁଣିଣ ଯୁଝେଷ୍ଠି ତାକୁ ପଚାରନ୍ତି ଚାହିଂ

କିମ୍ପେ ହୋ ସାରଥି ବିକଳ ହେଉ ତୁହି ।୩୩୦।

ଅଶୋକ ଦେଶେ କିମ୍ପେ ଶୋକ ଜାତ କରୁ

ହାନି ଲାଭ କଥା ତୁ ତ ବିଚାରି ନ କରୁ ।୩୩୧।

ମଳୟ ବସନ୍ତ ରଥ ଆସିଅଛୁ ଘେନି

ସନ୍ତାପ ବାକ୍ୟ ତ କରୁଅଛୁ ଶୋକ ଧୁନି ।୩୩୨।

ସାରଥି ବୋଇଲା ଦେବ କର ଅବଧାନ

ଚତୁରଙ୍ଗ ସଇନ ଘେନି ନୃପତି ଦ୍ରିଯୋଧନ ।୩୩୩।

ଦିଗ ବିଜେ କରି ଯାନ୍ତେଣ ନୃପତି

କାହୁଂ ମିଳିଲା ଆସି ଦାନବ ଚକ୍ରବତୀ ।୩୩୪।

ବାଟ ଓଗାଳିଣ ସେ ଥିଲା ଉଭା ହୋଇ

ଚଉଦ କୋଶ ଦେବ ଅଟଇ ତାର ଦେହୀ ।୩୩୫।

ବୀର ତୂର ଶୁଣି ସେ ନୁଆରିଲା ସହି

ପଚାରିଲା ମାନବା ରେ କାହିଂର ଅଟୁ ତୁହି ।୩୩୬।

ଶୁଣି ଧୁଶାସନ ଧୁଆଂଇଲା ରଥ

ବୋଇଲା ତୋହୋର ଛାର ଅଟ ରେ ଦଇତ ।୩୩୭।

ୟେ ହସ୍ତିନା ନଗର ଠାକୁର ମାନଚକ୍ରବ୍ରତୀ

ରେ ରେ କାର କରୁ ରେ ତୋହୋର ଛାର ନାସ୍ତି ।୩୩୮।

ଦୁହିଂକର ଉଚ୍ଚବାଚ ହୁଅନ୍ତେଣ ୟେହିମତି

ଗଦା ଘେନି ଅସୁରକୁ ପିଟିଲା ମହା ଛତ୍ରୀ ।୩୩୯।

ବାମ ହାଥେ ଧରି ସେ ଛଡ଼ାଇ ଘେନିଗଲା

ଦେବରାଜା ମାନଗୋବିନ୍ଦ ଭାଇନ୍ତ ଆଗ୍ୟାଂ ଦିଲା ।୩୪୦।

ବେଢି କରି ଦଇତକୁ ମାର ରେ ବୋଇଲା

ଭଲା ଶତ୍ରୁ ଆସି ବନସ୍ତେ ମିଳିଲା ।୩୪୧।

ଶୁଣିଣ ଅନେଶତ ବେଢିଲେକ ଭାଇ

ୟେକା ବିଧାକେ ଦଇତ ମାରିଲା ସବୁକଇଂ ।୩୪୨।

ଦେଖିଣ ନୃପବର ହୋଇଲା ଚକିତ

ବେଢି ମାର ବୋଲି ସଇନନ୍ତ ଆଗ୍ୟାଂ ଦିଲା ନରନାଥ ।୩୪୩।

ଆଗ୍ୟାଂ ପାଇଣ ସେ ସକଳ ସେନା ରଥୀ

ଲକ୍ଷେ ପୁର କରିଣ ବେଢିଲେ ଦଇତପତି ।୩୪୪।

ଯାହାର ଯେତେ ଶସ୍ର ବିନ୍ଧିଲେ ବେଢି କରି

ଦଇତ ଉପରେ ବାଜି ପଡ଼ିଲା ଉପୁଡ଼ି ।୩୪୫।

ଗଦା ଛେଲ ଭାଲ ଶକତି ତିମ୍ୱୁର

ପର୍ବତା ବଜ୍ରବାଣ କୋନ୍ତ ଅସିବର ।୩୪୬।

ପଥରେ ସୋରିଷ ବୁଣିଲେ ଯେହ୍ନେ ହୋଇ

ଦଇତର ଶରୀରେ ଶସ୍ର ତେମନ୍ତେ ନ ଭେଦଇ ।୩୪୭।

ଦେବ ପର୍ବତ ପ୍ରାୟେ ଉଭା ହୋଇଥିଲା ଦଇତ ବୀର

ଦେଖିବାକୁ ୟେ କଥା ହୋଇଲା ଅଗୋଚର ।୩୪୮।

ଦେବ ଘୋର ଯୁଦ୍ଧ କରିଣ ସକଳ କଲା ହତ

ଚତୁରଙ୍ଗ ସଇନ ବଳ ସବୁ ହୋଇଲେ ନିପାତ ।୩୪୯।

ଦେବ ପଛ ରଥେ ଥିଲେ ମାନଚକ୍ରବ୍ରତୀ

ଦଇତକୁ ନାରାଜ ବିନ୍ଧିଲେ ଅପ୍ରମିତି ।୩୫୦।

ମେରୁରେ କ୍ଷିଦ୍ର ଟେଳା ଯେସନ ନ ଭେଦଇ

ସେହିମତି ଶହସ୍ର ଦଇତ ଦେହରେ ନ କାଟଇ ।୩୫୧।

ଯହୁଂ ଶହସ୍ରମାନ ତାର ଦେହରେ ନ ଭୋଦିଲା

ଗଦା ଘେନି ନୃପତି ଉପରେ କଚାଡ଼ିଲା ।୩୫୨।

ଶତେ ଖଣ୍ଡ ହୋଇଣ ଭାଞ୍ଜିଲା ଗଦାବର

ବିବିଧ ଶହସ୍ରମାନ ମାଇଲା ନୃପବର ।୩୫୩।

ବିଧା ଖୁନ୍ଦା ଯେତେ ମାଲ ବିନ୍ଧାଣର

ଦେବ ସେ ମୁଥ ବାଜନ୍ତେଣ ହସଇ ଅସୁର ।୩୫୪।

ପୁଣିହିଂ କଚାଡ଼ିଲା ଆଣି ଗିରିବରମାନ

ତଥାପି ନ ମଲା ସେ ଅସୁର ରାଜନ ।୩୫୫।

ନୃପତିକି ଅସୁର ମୁଥ ଘାତେ କରି ହତ

ମୁଥ ଘାତେ ରାଜା ହୋଇଲା ଅଚେତ ।୩୫୬।

ଦେବ ଭୀଷ୍ମ ଭୂରିସର୍ବା ବାହ୍ଲିକ ଯେ ଶଲ୍ୟ

ଦ୍ରୋଣ ଅଶସ୍ତମା ଯେ କୃପ ମହାମଲ୍ଲ ।୩୫୭।

ଜଦ୍ୟରଥ କର୍ଣ୍ଣ ୟେ ବିକର୍ଣ୍ଣ ଆଦି କରି

ଶକୁନି କାଳକେତୁ ମଧ୍ୟାଙ୍ଗ ଦଣ୍ଡଧାରୀ ।୩୫୮।

ସଭିୟେଂ ଅଚେତ ଯେ ହୋଇଲେକ ନାଶ

ସବୁନ୍ତିହିଂ ମାରି ଗଦା ଘେନି ଗଲାକ ରାକ୍ଷସ ।୩୫୯।

ମଣିମୟ ମୁକୁଟ ରାଜାର ଶିରୁଂ ଫେଇ

ଆପଣାର ଶିରେ ଦାନବ ବାନ୍ଧିଲାକ ନେଇ ।୩୬୦।

ବୋଇଲା ରେ ତୁମ୍ଭେ ସର୍ବେ ଥାଅ ୟେହିମତେ

କାଲି ମୁଂ ଭକ୍ଷଣ ରେ କରିବଇଂ ଗତେ ।୩୬୧।

ଅପାର ଦିନୁଂ ମୋହୋର ମହୁ ମାଂସେ ଇଚ୍ଛା

କାଲି ପୂରୋଇବି ରେ ମୋହୋର ମନୋବାଞ୍ଚ୍ଥା ।୩୬୨।

ୟେମନ୍ତ ବୋଲି କରି ଅସୁର ଗଲା, ଦେବ !

ରଥ ଘେନି ଆସି ମିଳିଲି ଗିରି ସର୍ବ ।୩୬୩।

ସର୍ବ ଗିରି ଉପରେ ମୁଂ ଦେଖିଲି ନକୁଳ

ବାରତ ସେ ପୁଚ୍ଛିଲେ ମୁଂ କହିଲି ସକଳ ।୩୬୪।

ଶୁଣିଣ କୋପମନ କରିଣ ଧାଇଂଲେ

ମୋତେ ସଙ୍ଗତେ ଘେନିଣ ପର୍ବତ ବଳି ଗଲେ ।୩୬୫।

ଆରଡ଼େକ ପର୍ବତେ ଯାଉଅଛି ଅସୁର

ରେ ରେ କାର କରି ଡାକନ୍ତେଣ ରହିଲା ମହା ବୀର ।୩୬୬।

ଦେବ ସେ ଦାନବର ତୁଲେ ବହୁତ କଲେ ରଣ

କେତେ କହିବି ଦେବ ସାଂଗ୍ରାମ ଅପ୍ରମାଣ ।୩୬୭।

ନବନିଶି କୋନ୍ତ ଗଦା ଛେଲ ଭାର

ଶକତି ତିମ୍ୱୁର ଦେବ ଅସିପତ୍ର ଫଳ ।୩୬୮।

ଦେବ ଶହସ୍ର ଭେଦ ଯହୁଂ ନୋହିଲା ଅସୁରର କାୟେ

ମାଲ ବିନ୍ଧାଣ ଯୁଦ୍ଧ ଆରମ୍ଭିଲା ମାଦ୍ରୀର ତନୟେ ।୩୬୯।

ଦେବ ଚଉଷଠୀ ମାଲ ବିନ୍ଧାଣି ମାଲ ଯୁଦ୍ଧ ଯେତେ

କେବେହେଂ ନାଶ ସେ ଯେ ନୋହିଲା ଦୁରାନ୍ତେ ।୩୭୦।

ଦେବ ପାଷାଣ ପର୍ବତ ଯେ ଲୋହଗିରି ଉପରେ

କଚାଡ଼ନ୍ତେ ଚୂର୍ଣ୍ଣ ସେ ଯେ ହୋଇଲେ ଅଚଳେ ।୩୭୧।

ଯୁଦ୍ଧ କରନ୍ତେଣ ଯେ ନକୁଳ ଅନେକ ଚିନ୍ତା ପାଇ

ତେଣୁ କରି ଦେବ ଅଇଲଇଂ ଛାମୁକୁହିଂ ।୩୭୨।

ଶୁଣିଣ ନୃପବର ଭାଇନ୍ତ ଅନାଇଲେ

ଆସ୍ତାନ ତେଜ୍ୟା କରିଣ ଆପଣେ ଉଠିଲେ ।୩୭୩।

ଚାରିଭାଇ ସାରଥି ଧାମନ୍ତି ଆଗସରି

ମୁହୁର୍ତ୍ତେକ ମିଳିଲେ ଆରଡ଼େକ ଗିରି ।୩୭୪।

ନକୁଳ ଦଇତକୁ ଧରି କଚାଡ଼ଇ

ତିନି ଯୁଣ ଅଧେ ଯେ ଅଟଇ ଦଇତର ଦେହୀ ।୩୭୫।

ନକୁଳର ବଳ ଯେ ଅତିହିଂ ଅକଳଣା

ଯୁଦ୍ଧକୁ ମହାବଳୀ ଅଟଇ ରାଜରଣା ।୩୭୬।

ୟେଣେହେଂ ବିଚାର କରିବାର ବେଳେ

ନକୁଳ ଦଇତକୁ ଭୂମିରେ କଚାଡ଼ିଲେ ।୩୭୭।

ତାଳେ ପରିଯନ୍ତେ ଯେ ନସିଲାକ ମହୀ

ନକୁଳ ହାଥୁଂ ଦଇତ ଗଲା ଫିଟିକାଇ ।୩୭୮।

ବ୍ରିକୋଦର ବୋଇଲା ଦେବ ଆଗ୍ୟାଂ ଦିଅ ମୋତେ

ଦାନବର ଉପରେ କରଇ ଗଦାଘାତେ ।୩୭୯।

ଯୁଝେଷ୍ଠି ବୋଇଲେ ବାବୁ ନୋହଇ ୟେମନ୍ତ

ଅଧର୍ମ ଯୁଦ୍ଧ କରିବା କିସ ଅର୍ଥ ।୩୮୦।

ୟେମନ୍ତେ ଯୁଝେଷ୍ଠି ଯେ ବ୍ରିକୋଦର କହି

ନକୁଳକୁ ଦାନବ ଯେ ଧଇଲାକ ଯାଇଂ ।୩୮୧।

ବାଳକ ପୁତ୍ର ଯେହ୍ନେ ମାତାଂକର ତୁଲେ

ସେହିମତି ନକୁଳ ଯେ ଦାନବର କୋଳେ ।୩୮୨।

ଶରୀର ଫୁଲାଇ ସେ ମାଦ୍ରୀର ତନୟେ

ଧରନ୍ତେ ଦାନବକୁ ସେ ହୋଇଲା ଅଥୟେ ।୩୮୩।

କଟିଭାଗ ଧରିଣ ପକାଇଲା କଚାଡ଼ି

ବୁକୁରେ ବସିଣ ସେ କଲାକ ଘୋର ରଡ଼ି ।୩୮୪।

ବିବିଧ ମାଡ଼ ମାରିଣ ଦାନ୍ତ କାମୋଡ଼ିଲା

ମସ୍ତକ ଉପରେ ନେଇ ମସ୍ତକ କଚାଡ଼ିଲା ।୩୮୫।

ତେବେହେଂ ସେ ଦାନବର ନୋହିଲାକ କିଛି

ତଳେ ପଡ଼ି ଦାନବ ଅନାଇ ହସୁଛି ।୩୮୬।

ବାମ କରେ ଧରିଣ ସେ ଦିଲା ଫୋପଡ଼ାଇ

ତଳରେ ପଡ଼ିଲେ ଯେ ମାଦ୍ରୀର ତନୟି ।୩୮୭।

ପୁଣିହିଂ ଧାରାଧରି ଲାଗିଲେ ବେନି ବୀରେ

ଖାଲ ଠିକର ଭୁମି ଯେ ସମତୁଲ ହେଲେ ।୩୮୮।

ଗଡ଼ନ୍ତି ପଡ଼ନ୍ତି ଧରନ୍ତି କାମୋଡ଼ନ୍ତି

ମଟନ୍ତି ମାଟନ୍ତି ଝଟନ୍ତି ଧାକଟନ୍ତି ।୩୮୯।

ଆଦିତ୍ୟ ଦେବତା ଅସ୍ତ ପରିଯନ୍ତେ

ଲାଗିଲେ ମାଲ ବିନ୍ଧାଣ ଦୁହେଂ କୋପ ଚିତ୍ତେ ।୩୯୦।

କେହି କାହାକୁ ଯେ ନୁଆରିଲେ ଜିଣି

ଯୁଝେଷ୍ଠି ପଚାରନ୍ତି ଶୁଣ ହୋ ମନ୍ତ୍ରୀ ଚୂଡାମଣି ।୩୯୧।

ୟେଡ଼େ ଘୋର ଯୁଦ୍ଧ ତ ଦେଖିଲାର ନାହିଂ

ଦଇତକୁ ମରଣ ଅଛଇ ଯହିଂ ତହିଂ ।୩୯୨।

ଶୁଣିଣ ମନ୍ତ୍ରୀବର ଯୋଡ଼ିଲା ବେନି କର

ସାବଧାନେ ଶୁଣିମା ହୋ ନୃପତି ଈଶ୍ୱର ।୩୯୩।

ଭୋ ଦେବ କପିଳ ସିଂହ ବୋଲି ମହାବଳ ବୀର

ମହିଷାସୁର ବୋଲି ତାହାର ଦୁଲାଳ ।୩୯୪।

ତାହାର ନନ୍ଦନ ଦେବ ଅଟଇ ଶମ୍ଭୁରାଣ

ତାହାର ନନ୍ଦନ ଯେ ବୀରଙ୍ଗା ନାମେଣ ।୩୯୫।

ତାହାର ନନ୍ଦନ ହୋଇଲା କାଳାଙ୍ଗ ଅସୁର

ତାହାର ନନ୍ଦନ ବିଳଙ୍ଗାସୁର ବୀର ।୩୯୬।

ଗୋସିଂହ ବୋଲି ପୁତ୍ର ହୋଇଲା ତାହାରି

ସତ୍ୟଭାମା ହରଣେ ଅର୍ଜୁନ ହାଥେ ମରି ।୩୯୭।

ବୀରଙ୍ଗା ସିଂହଠାରୁ କପିଳ ସିଂହ ପରିଯନ୍ତେ

ଦୁର୍ଗାଂକ ସମରେ ଯେ ନାଶିଲେ ସମସ୍ତେ ।୩୯୮।

ଗୋସିଂହ ପଡିଲା ଯେ ଅର୍ଜୁନର ହାଥେ

ସତ୍ୟଭାମାକୁ ନେଉଥିଲା ଦାନବ କୁଳ ରଥେ ।୩୯୯।

ତାହାର ପୁତ୍ର ଯେ ଜୟସିଂହ ବୀର

ସେହି ନାଶ ଯିବ ରାଜୁସି ଯାଗର ।୪୦୦।

ଜୟସିଂହର ପୁତ୍ର ୟେ କୁଣ୍ଡଳୀ ସିଂହ ବୀର

କାଳୀକାନ୍ତ ମନାଇ ଅଛି ୟେ ଅସୁର ।୪୦୧।

ଦେବ ! ସପତ ବରଷ ସେ ତପ ଆରମ୍ଭିଲା

ୟେକ ପାଦେ ଉଭା ହୋଇ ଉର୍ଦ୍ଧ୍ୱକୁ ଅନାଇଲା ।୪୦୨।

ତଦନ୍ତେ ବୀର ଘୋର ଅନଳ ସେ ଜାଳି

ସେ ଅଗ୍ନି ଭିତରେଣ ପଶିଲା ଅସୁର ମହାବଳୀ ।୪୦୩।

ବରଷକେ ପ୍ରସନ୍ନ ହୋଇଲେ ମାହେଶ୍ୱରୀ

ଆସ ଆସ ଦଇତ ବୋଲି ଡାକିଲେ ଉଚ୍ଚ କରି ।୪୦୪।

ଦଇତ ବୋଇଲା ତୁ କେଉଣହିଂ ଜନ

ଦେବୀ ବୋଇଲେ ମୁଂ କାଳୀକା ଆପଣ ।୪୦୫।

ଶୁଣିଣ ଦାନବ ଅଗ୍ନିରେ ଥାଇଂ କହି

ନିଜ ସ୍ୱରୂପ ତୋହୋର ଦେଖାଅ ମହାମାୟୀ ।୪୦୬।

ଦେବୀ ବୋଇଲେ ରେ ତୁ ଶୁଣସି ଅସୁର

ମୋ ନିଜ ରୂପ ଦେଖିଲେ କି ବ୍ରତଇ ସଂସାର ।୪୦୭।

ମୋହୋର ନିଜ ରୂପ ଦେଖି ଦେବ ତ୍ରିଲୋଚନ

ସହି ନୁଆରିଣ ସେ ହୋଇଲେ ମୋହମାନ ।୪୦୮।

ଦାନବ ବୋଇଲା ମାତାର ରୂପ ଦେଖି

ପୁତ୍ର ନାଶ ଯାଇକି ଗୋ ଶରଦ ଚନ୍ଦ୍ରମୁଖି ।୪୦୯।

କାଳୀକା ବୋଇଲେ ତୁ ଅଗ୍ନିରୁ ବାହାର ହୁଅ

ତେବେ ସେ ଦେଖାଇବି ମୋହୋର ନିଜ ଦେହ ।୪୧୦।

ଦେବୀର ବଚନେ ଦଇତ ହୋଇଲା ବାହାର

ପୋଡ଼ିଲା ତମ୍ୱା ପ୍ରାୟେ ଦିଶଇ ଶରୀର ତାହାର ।୪୧୧।

କରପତ୍ର ଯୋଡ଼ି ବୋଇଲା ଗୋ ଆଈ

ଦେଖାଅ ନିଜ ରୂପ ଦେଖଇ କିନା ମୁହିଂ ।୪୧୨।

ଶୁଣିଣ ମହାମାୟା ନିଜ ରୂପ ଧରି

ଚତୁର୍ଦ୍ଦଶ ବ୍ରହ୍ମାଣ୍ଡଯାକ ପୂରିଲେ ସୁନ୍ଦରୀ ।୪୧୩।

ସପତ ପାତାଳେ ଲାଗିଲା ଚରଣ

ଶିର ଲାଗିଲା ଯାଇ ଆକାଶ ଉପରେଣ ।୪୧୪।

ଦଶଦିଗ ଯାକ ପୂରିଲା କଳେବର

ମେରୁ ମଣ୍ଡଳ ଜାଣି ଦିଶଇ ତା ଶରୀର ।୪୧୫।

ଅଷ୍ଟ ଗିରିଯାକ ଯେ ରୋମରାଜ ପନ୍ତି

ରଟ ମଟ ଦନ୍ତ ବିକଟ ହାସ ଚିନ୍ତି ।୪୧୬।

ଗହ ଗହ ଶବଦ ଶୁଭଇ ଘୋର ଧୁନି

ପୃଥିବୀ ତଡ଼ପା କମ୍ପିଲା ମେଦିନୀ ।୪୧୭।

ବିଦୁ ଝଟ ଝଟ କି ହିସାବାର ଗତି

ରାସାନ୍ତଳ ହୋଇ ପଡ଼ିବ କି ପୃଥୀ ।୪୧୮।

ଚଉଷଠୀ ଯୋଗ୍ନୀ ଲାଗିଛନ୍ତି ଦେହୀ

କିଳିକିଳା ଧୁନି ପୃଥୀ ଦେବୀ ନ ସହଇ ।୪୧୯।

ପଞ୍ଚାଶ ମର୍ଭୁତ ଚଣ୍ଡୀ ରାବ କରି

ଘୋର ଧୁନି ଶବଦେ କମ୍ପଇ ବସୁନ୍ଧରୀ ।୪୨୦।

ମେରୁ ଟଳ ଟଳ ଯେ କମ୍ପଇ ମନ୍ଦର

ସପତ ସମୁଦ୍ରଯାକ ହୋଇଲାକି ଥିର ।୪୨୧।

ପ୍ରକଟ ବିକଟ ଘୋର ରାବ ଧୁନି

ଦେଖିଣ କମ୍ପମାନ ଦାନବ କୁଳମଣି ।୪୨୨।

ୟେତିକି ହୋଉ ବୋଲି ଅସୁର କୁଳପତି

ତାଣ୍ଡବ ନୃତ୍ୟ କରିଣ କରାଇଲା ଶାନ୍ତି ।୪୨୩।

ଶାନ୍ତି ରୂପ ହୋଇ ବୋଲନ୍ତି ମହାମାୟେ

କିମ୍ପା ରେ ଦାନବ ତୁ କରୁ ଚିତ୍ତେ ଭୟେ ।୪୨୪।

ୟେବେ ରେ ବର ମାଗ ଯେ ତୋହୋର ଇଚ୍ଛା

ଦାନବ ବୋଇଲା ମା ଗୋ ପୂରାଅ ମନବାଞ୍ଚ୍ଥା ।୪୨୫।

ତିନି ଯୁଣ ଅର୍ଦ୍ଧେକ ହୋଇବ ମୋର କାୟେ

ଉର୍ଦ୍ଧ୍ୱକୁ ଜିଣିମି ମୁଂ ବ୍ରହ୍ମଲୋକ ଯାୟେ ।୪୨୬।

ବ୍ରହ୍ମା ଇନ୍ଦ୍ର ରୁଦ୍ର କୋବେର ବରୁଣ

ଚନ୍ଦ୍ର ସୂର୍ଯ୍ୟ ଆଦି ସୁର ଅସୁରଗଣ ।୪୨୭।

ଯମ ନଈରୁତ ଆଦି ଦଶ ଦିଗପାଳ

ନାଗ ଦକ୍ଷ ଆଦି ଯେତେ ଅଛନ୍ତି ଭୂଅପାଳ ।୪୨୮।

କାହାରିହିଂ ହାଥେ ନ ଥାଉ ମୃତୁ ମୋତେ

ବ୍ରହ୍ମାଣ୍ଡ ଜିଣିମାକୁ ବର ମାଗିଲି ମାୟେ ତୋତେ ।୪୨୯।

ଚଉଦ କଳପ ମୁଂ ହୋଇବି ଅମର

ଭୋ ଜନନୀ ତୋତେ ମୁହିଂ ମାଗୁଛି ୟେହି ବର ।୪୩୦।

କାଳୀକା ବୋଇଲେ ଶୁଣ ରେ ଦାନବ

ଜନ୍ମ ହୋଇଲେ ନାଶ ଯାନ୍ତି ଦେବାଦେବ ।୪୩୧।

ବଇକୁଣ୍ଠ ଆଧିପତି ଅଟନ୍ତି ନାରାୟଣ

ଦଶ ଅବତାର ସେ ଯେ ହୁଅନ୍ତି ଆପଣ ।୪୩୨।

ଆମ୍ଭେମାନେ ପୁଣି ପୃଥୀରେ ଦେହ ଧରି

ଦଇତ ଦାନବ ମାରୁ ପୃଥୀ ଭାରା ହରି ।୪୩୩।

ତୋହୋର ଇଚ୍ଛାୟେ ରେ ମାଗ ତୁହି ବର

ଯେଉଂ ରୂପେ ମୃତୁ ହୋଇବ ତୋହୋର ।୪୩୪।

ଶୁଣିଣ ଦଇତ ରାୟେ ବୋଇଲା ଗୋ ମାୟେ

ମୋହୋର ମୃତୁକୁ ମୁଂ ନ ଛିଡ଼ିବି ନ ବୁଡ଼ିବି ଜଳେ

ପବନେ ନ ଉଡ଼ିବି ନ ପୋଡ଼ିବି ଅନଳେ ।୪୩୬।

ଦଶ ସହସ୍ର ସିଘଂର ହୋଇବ ମୋର ବଳ

ମୋହୋର ମନ କଲେ ଉପାଡ଼ି ପାରଇ ମେରୁ ଯେ ଅଚଳ ।୪୩୭।

ମୋତେ ଉତ୍ତାନ କରି ଯେ ମାଡି ବସି ପାରି

ଗ୍ରୀବା ଆଣି ଯେବେ ରଖିବି କଟି ସରି ।୪୩୮।

ବାମ ଚରଣ ମୋର ରଖିବ ତହିଂ ଆଣି

ତୁଣ୍ଡେ ପୂରୋଇବ ଅଙ୍ଗୁଷ୍ଠି ମୋର କାଣି ।୪୩୯।

ସେ ଅଙ୍ଗୁଷ୍ଠି ଯେବେ ଯେବେ ପଶିବ ତୁଣ୍ଡରେ

ଛାଡ଼ିବି ମୋହର ପ୍ରାଣ ଯେ କହିଲି ତୁମ୍ଭରେ ।୪୪୦।

ଅସ୍ତୁ ହୋଉ ବୋଲି ଗଲେକ ଦେବୀ କାଳୀ

ସହଦେବ ମନ୍ତ୍ରୀ ଯେ କହିଲେ ୟେତେ ଭାଳି ।୪୪୧।

ମୃତୁଭେଦ ଯହୁଂ ସେ ଜାଣିଲେ ତାହାର

ସାଧୁ ମନ୍ତ୍ରୀ ବୋଲି ବୋଇଲେ ନୃପବର ।୪୪୨।

ୟେଣେ ଚାରିଭାଇ ଯେ କରନ୍ତି ବିଚାର

ଦାନବର ତୁଲେ ଯୁଦ୍ଧ କରନ୍ତି ମହାବୀର ।୪୪୩।

ରେ ରେ କାର ଧୁନି ଘୋର ରାବ କରେ

ସିଘଂ ଶାର୍ଦ୍ଦୂଳ କି ସାଂଗ୍ରାମ ମହା ଘୋରେ ।୪୪୪।

ଦୁହିଂକରି ଯୁଦ୍ଧ ବେନି ଷଣ୍ଢ ଜାଣି

ଘୋର ଯୁଦ୍ଧ କରନ୍ତେ କମ୍ପଇ ଧରଣୀ ।୪୪୫।

ନକୁଳକୁ ଦାନବ ବୋଇଲାକ ହସି

ଲାଗିଲା ମାନବରେ ଦୁସହ କାଳଫାଶି ।୪୪୬।

ନକୁଳ ବୋଇଲେ ରେ କହିଲୁ ତୁ ସତ

ଆଜ ମୃତୁ ତୋତେ ରେ ଦେଇ ତ ଦଇବତ ।୪୪୭।

ୟେତେ ବୋଲି ନକୁଳ ମାଇଲାକ ମୁଥେ

ହସି ଉଠିଲା ଯେ ଦାନବ ମୁଥ ଘାତେ ।୪୪୮।

ବୋଇଲା ୟେହି ଯୁଦ୍ଧ କରି କି କି ଜିଣିବୁ

ୟେହି ଦେହ ଘେନି କି ଯମ ମନ୍ଦିରକୁ ଯିବୁ ।୪୪୯।

ଶୁଣିଣ କୋପଭର ହୋଇଲେ ନକୁଳ

ଦଇତ ପାଦ ଧରି କଚାଡ଼ିଲେ ଶିଳ ।୪୫୦।

ଦାନବ ଦେହେ ବାଜି ଭାଜିଲା ପାଷାଣ

ତେର ଦିନ ଯୁଦ୍ଧ ହୋଇଲା ହୋ ନୃପରାଣ ।୪୫୧।

ଯୁଝେଷ୍ଠି ବୋଇଲେ ତୁ ହୋ ଶୁଣ ନୃପବର

ଦଇତର ମୃତୁ କହ ନକୁଳ ଛାମୁର ।୪୫୨।

ମନ୍ତ୍ରୀ କହିଲା ସେ ଯେ କରୁଛନ୍ତି ରଣ

ତଡ଼ପା ହୋଇଲା ପୃଥୀ ଦଇତ ଗରଜନ ।୪୫୩।

ମୋହୋର କହନ୍ତେ ସେ ଯେ ନୁଆରିବେ ଜାଣି

ବ୍ରିକୋଦର ଠାକୁର ସେ କହନ୍ତୁ ପରିମାଣି ।୪୫୪।

ୟେହାଂକରି ଶବଦ ତାଂକ କର୍ଣ୍ଣରେ ଶୁଭିବ

ଚିତୋଇଣ ନକୁଳ ଯେ ଦତ୍ୟକୁ ମାରିବ ।୪୫୫।

ବ୍ରିକୋଦରକୁ ଆଗ୍ୟାଂ ଦିଲେ ଧର୍ମ ପୋଅ

ମନ୍ତ୍ରୀ କହିଲା ବଚନ ନକୁଳ ଆଗେ କୁହ ।୪୫୬।

ଶୁଣିଣ ବ୍ରିକୋଦର ହସିଲା ଟହ ଟହ

ହସନ୍ତେ ଦୃଷ୍ଟି କଲେ ମାଦ୍ରୀଂକର ପୁଅ ।୪୫୭।

ଗଦା ତଳେ ଥୋଇ ଭୀମ ଠାରିଲେ ବୀରମଣି

ଗ୍ରୀବା ବାମ ପାଦ ଯେଉଂ ରୂପେ ଆଣି ।୪୫୮।

କନିଷ୍ଠ ଆଙ୍ଗୁଳି ମୁଖେ ଦିଲେ ନେଇ

ୟେହି ରୂପେ ମାର ବୋଲି ଦିଲା କହି ।୪୫୯।

ଠାରିଲେ ବ୍ରିକୋଦର ଯେ ଜାଣିଲା ନକୁଳ

ତୋଳିଣ କଚାଡ଼ି ପକାଇଲା ତଳ ।୪୬୦।

ଦଶ ସହସ୍ର ମତ୍ତସିଘଂର ବଳ ଯେହୁ

ଚଳି ନୁଆରିଲା ଭୂମିରେ ପଡ଼ିଲା ସେହୁ ।୪୬୧।

ଚକ୍ରାକାର ହୋଇ ବୁଲିଲା ତାର ଦେହୀ

ଚଉଦ କୋଶ ଯାୟେ ପର୍ବତ ଚୂନା ହୋଇ ।୪୬୨।

ନକୁଳ ମାଡ଼ି ବସିଅଛଇ କଟିରେ

ଦତ୍ୟର ଚୂଟି ଧରିଅଛି ବାମ କରେ ।୪୬୩।

ମେରୁ ଶୃଙ୍ଗ ଜାଣି ଅଟଇ ଦଇତର ଶିର

ଓଟାରନ୍ତେ ଧରି ହେଲା ଥମ୍ୱର ଆକାର ।୪୬୪।

ଅଚଳ ହୋଇଲା ଦଇତ ନ ଚଳିଲା ଯହୁଂ

ନକୁଳ କମ୍ପମାନ ହୋଇଲାକ ତହୁଂ ।୪୬୫।

ମନେ ବିଚାରଇ ଅସୁର ନ ମରଇ

ବିନା ଅର୍ଥେ ଯୁଦ୍ଧକୁ ଅଇଳଇଂ କିମ୍ପେ ମୁହିଂ ।୪୬୬।

ମୋହୋର ଚାଳନ୍ତେ ସେ ଚଳଇ ଅଚଳ

ଅଚଳହୁଂ ଅଧିକ ହୋଇଲା ଅସୁର ମହାବଳ ।୪୬୭।

ୟେତେକ ବିଚାରି ହୃଦପଦ୍ମେ ଚିନ୍ତା କଲା

ରଖ ଜଗନ୍ନାଥ ବୋଲି ହୃଦରେ ସୁମରିଲା ।୪୬୮।

ଆମ୍ଭେ ଅରକ୍ଷିତ ଦେବ କୋଇନ୍ତା ରାଣ୍ଡ ପୁତ୍ର

ଆଶ୍ରେ କରିଅଛୁଂ ଆହେ ଶଙ୍ଖ ଚକ୍ର ହାଥ ।୪୬୯।

ଅନମିତେ ଆସ ମିଳଇଲା ବଇରି

ମାଇଲା ସୋମବଂଶ ସରିଲା ସର୍ବ ଶିରୀ ।୪୭୦।

ୟେବେ ସେ ଦଇତ ତୁଲେ କଲି ମୁହିଂ ରଣ

ରୟଣୀ ଦିବସ ହୋଇ ତେର ଦିନ ।୪୭୧।

ଜିଣି ନୁଆରିଲି ଅସୁରକୁଳ ରାୟେ

ତେଣୁ ତୋତେ ଚିନ୍ତା କଲି ଯେ ଦେବରାୟେ ।୪୭୨।

ୟେ ଲଜ୍ଜାରୁ ମୋତେ ଉଦ୍ଧର ନାରାୟଣ

ଦଇତର ଯେମନ୍ତେ ହୋଅଇ ମରଣ ।୪୭୩।

କ୍ଷେତ୍ରୀଂକର ମୁଖେ ଯେହ୍ନେ ମୁଂ ନ ପାଇବି ଲାଜ

ଉଦ୍ଧରି ଧରି ମୋତେ ଦେବାଧି ଦେବରାଜ ।୪୭୪।

ୟେହେନେକ ଚିନ୍ତା କରନ୍ତେ ବୀରମଣି

ଦ୍ୱାରିକାୟେ ଥାଇ ତାହା ଜାଣିଲେ ଚକ୍ରପାଣି ।୪୭୫।

ନକୁଳର ଆତଂକ ଜାଣିଲେ ଚକ୍ରଧର

ନୃସିଘଂ ମୂରତି ଦେବ ପେଷିଲେ ଧାତିକାର ।୪୭୬।

ନକୁଳର ଅଙ୍ଗେ ସେ ପଶିଲେକ ଯାଇଂ

କୋଟିୟେ ସିଘଂର ଯେ ପଟାନ୍ତର ନାହିଂ ।୪୭୭।

ଦାନବର କେଶ ସେ ବାମ କରେ ଧରି

ଡାହାଣ ଭୁଜେ ଧରି ଦୁଇପାଦ ଆଣିଲା ଓଟାରି ।୪୭୮।

କନେଷ୍ଠ ଅଙ୍ଗୁଳି ମୁଖରେ ଦେବା ବେଳେ

ପାଟି ପାଡ଼ିଲା ସେ ଯେ ଦାନବ ଅଚାର୍ଗଳେ ।୪୭୯।

ଦେଖିଣ କୋପ କଲା ଦୁତୀ ନରସିଘଂ

ମୁଣ୍ଡ କଚାଡ଼ିଲା ଦାନବ ନାସାଭାଗ ।୪୮୦।

ବଜ୍ର ବାଜନ୍ତେଣ ଯେହ୍ନେ ଫାଟଇ ପର୍ବତ

ବଜ୍ର ବାଜନ୍ତେଣ ଫିଟିଲାକ ପାଟି ଶୋଣିତ ହୋଇଲାକ ଜାତ ।୪୮୧।

ତୁଣ୍ଡର ଭିତରେ ଅଙ୍ଗୁଷ୍ଠି ଦିଲା ନେଇ

ତତକ୍ଷଣେ ପ୍ରାଣ ଛାଡ଼ିଲା ଦାନବଇ ।୪୮୨।

ଶରୀର ପଡିଲା ତାର ପ୍ରାଣ ଶୂନ୍ୟେ ଗଲା

ନକୁଳ ଜାଣିଲା ୟେ ଦାନବ ବୀର ମଲା ।୪୮୩।

ମୃତୁ ପିଣ୍ଡ ଛାଡ଼ି ଉଭା ହୋଇଲାକ ବୀର

କୁସୁମ ବୃଷ୍ଟି ଶିରେ କଲେ ସର୍ବ ସୁର ।୪୮୪।

ଅନ୍ତରୀକ୍ଷେ ଡାକିଲେ ସାଧୁ ସାଧୁ ତୁହି

ଚଉଦ ଭୁବନ ରଖିଲୁ ୟେ ଦଇତକୁ ଦହି ।୪୮୫।

ୟେତେ ବୋଲିଣ ଯେ ଯାହା ପୁରେ ଗଲେ

ପାଣ୍ଡବେ ଜୟେ ଜୟେ ଶ୍ରୀହରି ସୁମରିଲେ ।୪୮୬।

ବଦନ୍ତି ଅଗସ୍ତି ଶୁଣ ନୃପବର

କୁଣ୍ଡଳୀ ଦଇତ ମାଇଲେ ମାଦ୍ରୀର କୁମର ।୪୮୭।

ଯୁଝେଷ୍ଠିଂକ ଚରଣରେ କଲେ ପ୍ରଳମ୍ୱିତ

ଆବର ଓଳଗିଲେ ବ୍ରିକୋଦର ପାଥ ।୪୮୮।

ସହଦେବ ନକୁଳର ଚରଣେ ପଡ଼ନ୍ତି

ଶୂଦ୍ରମୁନି ସାରୋଳା ଦାସ ଚିନ୍ତଇ ଶ୍ରୀପତି ।୪୮୯-୫୧୨୦।

***

Unknown

କୌରବ ପାଣ୍ଡବଙ୍କର ହସ୍ତିନା ପ୍ରବେଶ

ବଦନ୍ତି ଅଗସ୍ତି ଶୁଣ ନୃପବର

ଯେତେବେଳେ ସାଂଗ୍ରାମେ ପଡ଼ିଲା ଅସୁର ।୧।

ଯେ ଯାହାର ପୁରକୁ ଗଲେ ସୁରଗଣେ

ସାରଥି ସଙ୍ଗତେ ଛନ୍ତି ପାଣ୍ଡବେ ପାଞ୍ଚ ଜଣେ ।୨।

ବ୍ରିକୋଦର ବୋଇଲେ ଦେବ ଯିବା ନିଜ ପୁରୀ

ଶୁଣିଣ ଆଗ୍ୟାଂ ଦିଅନ୍ତି ଯୁଝେଷ୍ଠି ଦଣ୍ତଧାରୀ ।୩।

କେମନ୍ତେ ଯିବା ବାବୁ କଉରୋବେ ହେଲେ ହତ

ଭୀଷ୍ମ ଦ୍ରୋଣ ଭୂରିସର୍ବା ବାହ୍ଲିକ ଜଦ୍ୟରଥ ।୪।

ସୋଦର ଶତେ ଭାଇ ସହିତେ ଶକୁନି

ସମଦଣ୍ଡ ବଳ ଘେନିଣ ଅଠାର କ୍ଷଉଣୀ ।୫।

ୟେବେ କି କରିବା ବାବୁ କହସି ଉପାୟେ

କରପତ୍ର ଯୋଡ଼ିଣ କହେ ପବନ ତନୟେ ।୬।

ଭୋ ଦେବ ତାହାଂକର ନ ଧରିବା ନାମ

ୟେ କଥା କରିଅଛନ୍ତି ଶ୍ରୀ ପୁରୁଷୋତ୍ତମ ।୭।

ନିର୍ଦ୍ଦୟା କଉରୋବେ ଦୟା ତାହାଂକର ନାହିଂ

ଦଇବ ଯୋଗେ ୟେବେ ଛନ୍ତି ମୃତୁ ପାଇ ।୮।

ଆମ୍ଭର ତହିଂକି ଦେବ କେଉଣ ଉପାୟେ

ଚାଲ ୟେବେ ବାରୁଣାକୁ ଯିବା ଦେବରାୟେ ।୯।

ଯୁଝେଷ୍ଠି ବୋଇଲେ ରେ ୟେହା ସେ କହୁ ମୋତେ

ସୋଦର ମରିବେ ମୁଂ ରହିବି ନିଚିନ୍ତେ ।୧୦।

ନାଶ ଗଲେ ଯେବେ ହୋ ନୃପତି କଉରୋବେ

ଅନ୍ଧ ରାଜା ଗୋଟି ଯେ ଅନାସ୍ତ ହୋଇବେ ।୧୧।

ଆହା ଭାଇ ବୋଲିଣ ଯେ ନୃପତି ଚୂଡାମଣି

ଅର୍ଜୁନକୁ ଚାହିଂଣ କାନ୍ଦନ୍ତି ପୁଣ ପୁଣି ।୧୨।

ବାବୁ ଧନଞ୍ଜୟ ରେ ସୋଦରେ ରକ୍ଷା କର

ଅଭୟେ ସୋମବଂଶେ ବୋଲାଉ ଅଛୁ ବୀର ।୧୩।

ଯେ ଯହିଂ ଯହିଂ ପଡ଼ିଲେ ବୋଲିଣ ବୋଲିବେ

ଅଭୟେ ସୋମବଂଶୀ ବୋଲନ୍ତି କଉରୋବେ ।୧୪।

ୟେବେ ସେ ଦଇତ ମାରିଗଲା ସଇନ ସହିତେ

ଭୀଷ୍ମଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଜଦ୍ୟରଥେ ।୧୫।

ବାହ୍ଲିକ ଭୂରିସର୍ବା ନୃପତି ଦ୍ରିଯୋଧନ

ଲକ୍ଷେକ ନୃପତିଂକ ଉପରେ ୟେ ରାଜନ ।୧୬।

ନୁଆରିଲା ଲୋକନ୍ତି ଜିଣୁ ସିନା ଥିଲେ

ୟେକା ଦଇତର ହାଥେ ସମସ୍ତେ ନାଶ ଗଲେ ।୧୭।

ୟେ କୁଳ ଲଜ୍ଜାରୁ ଉଦ୍ଧର ଧନୁର୍ଜୟେ

ୟେତେ କହି ଢଳି ପଡିଲେ ଧର୍ମର ତନୟେ ।୧୮।

ହା ହା ରେ ଭାଇମାନେ ବୋଲିଣ କାନ୍ଦନ୍ତି

ଦଇତର ହାଥେ ମୃତୁ ଥିଲାକ ସବୁନ୍ତି ।୧୯।

ତୁମ୍ଭେ ଯେବେ ମଲ ମରିବୁ ବାବୁ ମୁହିଂ

ଆଉ ବାରୁଣାବନ୍ତକୁ ମୁଂ ଯିବି କିସ ପାଇଂ ।୨୦।

ଅନ୍ଧ ଅନ୍ଧୁଣୀଂକର କେ ଦେଖିବ ବିକଳ

ଛାଡ଼ିବି ଜୀବନ ବୋଲି ବୋଇଲେ ନୃପବର ।୨୧।

ଅର୍ଜୁନ ବୋଇଲେ ଦେବ କରିବା ବିଜୟେ

ଯେଉଁ ଠାୟେ ପଡ଼ିଛନ୍ତି ସୋମବଂଶ ରାୟେ ।୨୨।

କଢାଅ ସାରଥି ବୋଲି ଆଗ୍ୟାଂ ତାହକୁ ଦିଅନ୍ତି

କଢାଅ ତୁ ବାଟ ହୋ ବୋଲିଣ ବୋଲନ୍ତି ।୨୩।

ସାରଥି ଶିରେ ଯୋଡ଼ି କହଇ ବେନି ପାଣି

ମଣିମୟ ମୁକୁଟ ଅଛଇଂ ଦାନବ ଆଣି ।୨୪।

ରତ୍ନାବଳୀ ଗଦା ଆଣିଥିଲା ସେହି

ହାଲୁକା ଚନ୍ଦ୍ରମାଳା ଆଣିଅଛି ଗୋସାଇଂ ।୨୫।

ସାରଥି ମୁଖରୁ ଯେ ଶୁଣିଣ ୟେମନ୍ତ

ଦେଖିଲେ ଯେଉଂଠାରେ ପଡ଼ିଛି ଦଇତ ।୨୬।

ମଣିମୟ ମୁକୁଟ ପଡ଼ିଛି ସନ୍ନିଧରେ

ଦେଖିଣ ବ୍ରିକୋଦର ବାନ୍ଧିଲା ମଥାରେ ।୨୭।

ହାଲୁକା ଚନ୍ଦ୍ରମାଳା ଗଳାରୁ ତା କାଢି

ପଦେକ ଶୋଭାବନ ନବରତ୍ନେ ଜଡ଼ି ।୨୮।

ବ୍ରିକୋଦର ଗଳାରେ ପକାଇଲା ତାହି

ରତ୍ନାବଳୀ ଗଦା ଦେଖିଲେ ସନ୍ନିଧେ ତାର ନାହିଂ ।୨୯।

ଯୁଦ୍ଧ ଭୂମି ଯେତେକ ତହିଂ ଖୋଜିଣ ଦେଖିଲେ

ଲୋହଗିରି ମଧ୍ୟରେ ଯାଇଣ ଠାବ କଲେ ।୩୦।

ଘନ ମେଘରେ ଯେହ୍ନେ ବିଜୁଳିର ଧାର

ଲୋହଗିରି ମଧ୍ୟେ ତେସନେକେ ଗଦାବର ।୩୧।

ସାରଥିକି ବୋଇଲେ ଘେନ ୟେ ଗଦା ତୁହି

ଆଗ୍ୟାଂରେ ସାରଥି ଧଇଲାକ ଯାଇଂ ।୩୨।

ତିଳେହେଂ ଭୂମିରୁ ନୁଆରିଲା ତୋଳି

ଯେଉଣ ଗଦାବର ବହନ୍ତି ମହାବଳୀ ।୩୩।

ସହସ୍ରେ ସିଘଂର ବଳ ବହଇ ଦ୍ରିଯୋଧନ

ତାହାର ଗଦା ତୋଳି କି ସାରଥି ଭାର୍ଜନ ।୩୪।

ବ୍ରିକୋଦର ବୋଇଲା ଥାଉ ୟେ ଗଦାବର

ବ୍ରତିଲେ ଘେନି ଯାଆନ୍ତୁ ନୃପତି ଦଣ୍ଡଧର ।୩୫।

ହସିଣ ବୋଇଲେ ଯେ ଧର୍ମରାଜାର ସୁତ

କିମ୍ପେ ତୁ ବ୍ରିକୋଦର କହିଲୁ ୟେମନ୍ତ ।୩୬।

ଘେନ ଗଦାବର ତୁ ମନେ ନ ଧର ବିମନ

ଆଗ୍ୟାଂ ପାଇ ଗଦା ଘେନିଲା ଭୀମସେନ ।୩୭।

ମାର୍ଗ କଢାଇଣ ଯ ଚଳିଲା ସାରଥି

ପାଣ୍ଡବ ପାଞ୍ଚଭାଇ ପଛେଣ ଚଳନ୍ତି ।୩୮।

ଯେଉଂଠାରେ ପଡ଼ି ଅଛନ୍ତି କଉରୋବ ସଇନ

ଚନ୍ଦ୍ରଧ୍ୱଜ ପ୍ରାୟେ ଦିଶଇ ଶୋଭାବନ ।୩୯।

ତିନି ଯୋଜନା ମାଡ଼ିଣ ପଡିଛନ୍ତି ବଳ

ଦେଖିଣ ଧର୍ମସୁତ ହୋଇଲେ ବିକଳ ।୪୦।

ସଇନ ଖୋଜି ଖୋଜି ଯାଇଂ ମିଳିଲେକ ଧାତି

ଯେଉଂଠାରେ ପଡ଼ିଅଛି ମାନଚକ୍ରବ୍ରତୀ ।୪୧।

ଆପଣେ ଯୁଝେଷ୍ଠି ଦେବ ଧଇଲେ କୋଳ କରି

ହା ହା ଭାଇ ବୋଲି କାନ୍ଦନ୍ତି ଉଚ୍ଚ କରି ।୪୨।

ବାବୁ ମାନଗୋବିନ୍ଦ ତୁ କଇଚ୍ଛା ଜଗଜେଠୀ

ଶରଣ ପଞ୍ଜର ରେ ଯାହାର ନାମ ଗୋଟି ।୪୩।

ଦିଗ ବିଜୟେ କରନ୍ତେ ଯାହାର ସଇନ ଘେନି

କୁରୁ ସାଗର ଥାଠ ବୋଲି ବୋଲନ୍ତି ନୃପମଣି ।୪୪।

ଦଇତର ହାଥେ ସେ କି ମୃତୁ ଥିଲା ତୋତେ

ଚତୁରଙ୍ଗ ବଳ ଘେନି ପଡ଼ିଲୁ ନିଚିନ୍ତେ ।୪୫।

ଭାଇ ବନ୍ଧୁ କୁଟୁମ୍ୱ ସହିତେ ସମସ୍ତେ ଗଲେ ନାଶ

ଭୀଷ୍ମ ଭୂରିସର୍ବାୟେ ପଡ଼ିଲେ ବେଢି ପାଶ ।୪୬।

ଅନେକ ରୋଦନ ତହିଂ କଲେକ ନୃପବର

କେବଳ ଶୁଣୁଛନ୍ତି ଗଙ୍ଗାର କୁମର ।୪୭।

ଇଚ୍ଛା ମୃତୁ ଇଚ୍ଛା ଜୀଇଂମା ଯେଣୁ ଅଟନ୍ତି ସେହି

ତେଣୁ ସେ ଅଚେତ ହୋଇଲେ ରଣେ ଶୋଇ ।୪୮।

ଆଉ ଯେତେ ଯୋଦ୍ଧା ସବୁରି ନାହିଂ ପ୍ରାଣ

ଦଇବତ ଆଘାତେ ସର୍ବେ ହୋଇଲେ ଅଚେତନ ।୪୯।

ତେର ଦିବସ ହେଲା ସର୍ବେ ପଡ଼ିଛନ୍ତି ମହୀ

କାହାରି ଶରୀରେ ଚେତନା ଯହୁଂ ନାହିଂ ।୫୦।

ଅର୍ଜୁନ ବିଚାର ଯେ କରନ୍ତି ମନେ ମନ

କେମନ୍ତେ ବ୍ରତିବେ ୟେ କଉରୋବ ସଇନ ।୫୧।

ୟେମନ୍ତ ବିଚାର ଯେ କରନ୍ତି ଫାଲଗୁନି

ପୂର୍ବେ ଯେ ଖାଣ୍ଡବ ବନ ଦହିଲା ବହନି ।୫୨।

ମୃତୁ ସଞ୍ଜୀବନୀ ବୃକ୍ଷମାନ ଥିଲେ

ଅଗ୍ନିର ଦହନେ ଯେ ସମସ୍ତେ ନାଶ ଗଲେ ।୫୩।

ଅର୍ଜୁନକୁ ମାଗି ତୋଟା କଲେ ହତ

ଲୁଦୁବୁଦୁ ବ୍ୟାଧିରୁ ଉବୁରିଲେ ସ୍ୱାହା କାନ୍ତ ।୫୪।

ବନ ଦହନ ଅନ୍ତେ ବିଭୂତି କରେ ଘେନି

ଅର୍ଜୁନ କରେ ତାହା ଦିଲେକ ବହନି ।୫୫।

ସନ୍ତୋଷେ ବୋଇଲେ ବାବୁ ଆମ୍ଭନ୍ତ ଦୟା କଲୁ

ତିନି ଯୁଗ ବ୍ୟାଧିରୁ ଆମ୍ଭେ ତୋହରେ ତରିଲୁ ।୫୬।

ତୁ ୟେବେ ୟେହୁ ବିଭୂତି ଯତନେ ଥୋଇଥିବୁ

ମୃତୁ ଜୀବଂକର ଉପରେ ପକାଇବୁ ।୫୭।

ଗିରି ଗୁହା କନ୍ଦରେ ମରିଥିବେ ଯେତେ

ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ ।୫୮।

ୟେ ମନ୍ତ୍ର ପଢିଣ ଯେବେ ବିଭୂତି ପକାଇବୁ

ସମସ୍ତେହେଂ ବ୍ରତିବେ ପ୍ରତକ୍ଷେ ଦେଖିବୁ ।୫୯।

ୟେମନ୍ତ ବୋଲିଣ ଦେବ ଦିଲେକ ବିଭୂତି

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେକ ବହତି ।୬୦।

ଘେନିଣ ଧନଞ୍ଜୟେ ଯେ ହୋଇଲେ ବାହାର

ଇନ୍ଦ୍ର ତୁସ୍ତି କଲେ ଯେ ଅର୍ଜୁନ ଛାମୁର ।୬୧।

ଇନ୍ଦ୍ର କହିଲେ ଯେ ଶୁଣ ହୋ ଅର୍ଜୁନ

ଅଗ୍ନିକି ଦିଲୁ ସେ ଖାଣ୍ଡବ ନାମେ ବନ ।୬୨।

ତିନି ଯୁଗେ ସେ ବୃକ୍ଷ ମାଗିଣ ନ ପାଇଲା

ତୋତେ ମାଗିଣ ୟେବେ ସେ ତୋଟାଯାକ ଭକ୍ଷିଲା ।୬୩।

ଅମର ମଉଷଧିମାନ ଥିଲା ତହିଂ

ସହସ୍ରେ ଉନବିଂଶ ଯୋଜନା ତୋଟା ହୋଇ ।୬୪।

ଜୀବଜନ୍ତୁ ଆଦି କରି ଥିଲେ ତୋଟାରେ ଯେତେ

ସବୁନ୍ତି ଖାଇଲା ସେ କରିଣ ଲୋଭ ଚିତ୍ତେ ।୬୫।

ତୋହୋର ଘେନି ୟେବେ ଦେବେ ହେଲେ ହତ

ସଂସାରେ ହତ୍ୟାର କରେଣୀ ହେଲୁ ବୀର ପାଥ ।୬୬।

ୟେମନ୍ତ କରି ପୁତ୍ରରେ ଅରଜିଲି ତୋତେ

ଲକ୍ଷେ ବରଷ ଆରମ୍ଭ କଲି ଯହିଂ ଯେତେ ।୬୭।

ତୁ ତାହାନ୍ତ ତିନି ଦିବସେ ହତ କଲୁ

ସାଂଗ୍ରାମ କରିଣ ମୋତେ ୟେତେ କଷ୍ଟ ଦିଲୁ ।୬୮।

ୟେବେ ଯେବେ ତୋଟା ଦେଇ ପାରୁ କରି

ତେବେ ସେ ସବୁ ଧର୍ମ ରହିବ ତୋହୋରି ।୬୯।

ପିତାଂକର ବଚନମାନ ଶୁଣିଣ ଅରଜୁନ

ଅଗ୍ନିଂକର କଥା ଯା ଚିତୋଇଲେ ମନ ।୭୦।

ମନେ ବିଚାରିଲା ଯେ ଅଗ୍ନି କହିଛନ୍ତି ମୋତେ

ମଲାର ବ୍ରତିବେ ୟେ ଭସ୍ମ ପକାବନ୍ତେ ।୭୧।

ପରୀକ୍ଷ ବୁଝିବା ୟେବେ ୟେହିଠାରେ ଜାଣି

ବୋଇଲା ବିଚାର ନ କର ସୁରମଣି ।୭୨।

କାଲି ଦେଖିବ ତୁମ୍ଭେ ଘେନିଣ ସୁରଗଣ

ଶୁଣିଣ ଆଖଣ୍ଡଳ ଯେ ହୋଇଲେ ମଉନ ।୭୩।

ପିତାନ୍ତ ପ୍ରବୋଧିଣ ବାହାର ହେଲେ ପାଥ

ତୋଟାପୁରେ ପ୍ରବେଶ ହୋଇଲେ ତୁରିତ ।୭୪।

ତ୍ରୋଣରୁ କାଢିଲେ ସେ ଯେ ଜୀବନ୍ୟାସ ଶର

ଭସ୍ମ ବୋଲିଲେ ନେଇ ନାରାଜ ମୁନର ।୭୫।

ମନ୍ତ୍ର ସୁମରିଣ ସେ ବସାଇଲେ ଗୁଣ

ନାରାଜକୁ ତିଆରିଣ କହନ୍ତି ପାଣ୍ଡବ ଅରଜୁନ ।୭୬।

ଭୋ ଅସ୍ର ଚଳି ତୁ ତୋଟା ପୁରେ ଯିବୁ

ଯହିଂ ଯେତେ ବୃକ୍ଷ ତହିଂ ସବୁନ୍ତି ଲାଗିବୁ ।୭୭।

ଗତୁଂ ଅଧିକ ସେ ଯେ ହୋଇବେ ଗୁଣ ଶତେ

ସକଳ ଦେବତାୟେ ଦେଖିବେ ଦୃଷ୍ଟି ପଥେ ।୭୮।

ୟେତେ ବୋଲି ବୀର ଛାଡ଼ିଲେକ ଶର

ଚଳିଲା ନାରାଜ ଯେ ଘୋଟିଲା ଶୀଘ୍ରର ।୭୯।

ସର୍ବାଠାରେ ଲାଗିଲା କିଛିହିଂ ନ ଛାଡ଼ିଲା

ଗତୁଂ ଶତେଗୁଣ ତୋଟା ଉପୁଜିଲା ।୮୦।

ଜୀବଜନ୍ତୁ ଆଦି କରି ଯହୁଂ ଯେତେ ଥିଲେ

ବିଭୂତି ପଡ଼ନ୍ତେଣ ସଭିୟେଂ ଉପୁଜିଲେ ।୮୧।

ଉପୁଜାଇ ନାରାଜ ତ୍ରୋଣରେ ପ୍ରବେଶ

ପରୀକ୍ଷ ଦେଖିଣ ପାଥ ହୋଇଲେ ହରଷ ।୮୨।

ସ୍ୱର୍ଗକୁ ନ ଯାଇଂ ତହୁଂ ଗଲେ ବନ ଘୋର

ବନରେ ପ୍ରବେଶ ଯେ ପଣ୍ଡୁର କୁମର ।୮୩।

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ମନେ ସେ କଥା ଚିତୋଇଲେ ପାଣ୍ଡବ କୁଳ ଛତ୍ରୀ ।୮୪।

ସେହି ଜୀବନ୍ୟାସ ଶର ତ୍ରୋଣରୁ କାଢିଣ

ସୋଦରଂକ ଅର୍ଥେ ତାହା ଘେନିଲେ ଅର୍ଜୁନ ।୮୫।

ଧନୁରେ ଗୁଣ ଦେଇଣ ନାରାଜ ବସାଇଲେ

ନାରାଜ କର୍ଣ୍ଣରେ ଯେ ସେ ମନ୍ତ୍ର କହିଲେ ।୮୬।

ବୋଇଲେ ରଥୀ ହାଥୀ ଅଶ୍ୱ ଯେ ପାଦାନ୍ତି

ଛତାହାର ବାଦ୍ୟକାର ଯେତେକ ପଡ଼ିଛନ୍ତି ।୮୭।

ସମସ୍ତେହେଂ ବର୍ତିବେ ତୋ ଲାଗି କରି ମୁନ

ୟେତେ କହି ନାରାଜ ଯେ ଛାଡ଼ିଲା ଅର୍ଜୁନ ।୮୮।

ମୁହୁର୍ତ୍ତ ମାତ୍ରରେ ଲାଗିଲା ସବୁକଂରି ଠାରେ

ନେଉଟିଣ ଶହସ୍ର ଯାଇ ପଶିଲା ତ୍ରୋଣରେ ।୮୯।

ନିଦ୍ରାରୁ ଉଠନ୍ତି ଯେହ୍ନେ ଶୋଇଲାର ପ୍ରାଣୀ

ଉଠିଲେ କଉରୋବେ ତେସନେକ ଜାଣି ।୯୦।

ପ୍ରତଗ୍ୟାଂ କରିଣ ସେ ଡାକନ୍ତି ମାର ମାର

ଉଚ୍ଚେ ଡାକ ଦିଅନ୍ତି କେଣେ ଗଲୁରେ ଅସୁର ।୯୧।

ହସିଣ କହନ୍ତି ଯେ ଗଙ୍ଗା ଦେବୀଂକର ସୁତ

ତୁମ୍ଭର ଭେଟ କାହିଂ ହୋ ହୋଇବ ଦଇତ ।୯୨।

ସର୍ବେ ୟେକ ରୁଣ୍ଡ ହୋଇଲେକ ମେଳି

ନୃପତିର ଛାମୁରେ ଭୀଷ୍ମ ଦ୍ରୋଣ ମିଳି ।୯୩।

ୟେମନ୍ତର ସମୟେ ପାଣ୍ଡବ ପାଞ୍ଚ ଭାଇ

ଭୀଷ୍ମ ଭୂରିସର୍ବାନ୍ତ ପ୍ରଣପତ୍ୟ ହୋଇ ।୯୪।

ଦ୍ରୋଣ ଅଶସ୍ତମା ବାହ୍ଲିକ ଯେ କର୍ଣ୍ଣ

ଶଲ୍ୟ ସୋମଦତ୍ତ ନୃପତି ଦ୍ରିଯୋଧନ ।୯୫।

ୟେମାନନ୍ତ ପ୍ରଳମ୍ୱ କରନ୍ତି ନୃପତି

ଦ୍ରିଯୋଧନକୁ ଛାଡ଼ି ଆଉ ଶ୍ରେଷ୍ଠ ଲୋକ ଯେ ସବୁନ୍ତି ।୯୬।

ଚାରି ଭାଇ ଦ୍ରିଯୋଧନକୁ ପ୍ରମଣିଲେ

ଶିରେ କର ଦେଇଣ ହସି ଉଭା ହେଲେ ।୯୭।

ପଚାରନ୍ତି ନୃପତି ତୁମ୍ଭେ ଥିଲ କାହିଂ

ୟେଥକୁ ଅଇଲ ତୁମ୍ଭେ କେବଣ ଅର୍ଥଇଂ ।୯୮।

ବ୍ରିକୋଦର ବୋଇଲେ ସାରଥିକି ପୁଚ୍ଛ

କହିଣ ତୁନୀ ହୋଇଲେ ପବନର ବଚ୍ଛ ।୯୯।

ଶୁଣିଣ ସାରଥିକି ଚାହିଂଲେକ ରାୟେ

କହ ସାରଥି ଆହୋ ମାରୁତି ଯାହା କହେ ।୧୦୦।

ଶୁଣିଣ ସାରଥି ଯେ ଯୋଡ଼ିଲା ବେନି କର

ଅବଧାନ କରିବାକ ନୃପତି ଈଶ୍ୱର ।୧୦୧।

ଯେବଣ ଅସୁରକୁ ଭେଟିଲେ ନୃପତି

ଘୋର ଯୁଦ୍ଧେ ତୁମ୍ଭନ୍ତ ସେ ମାଇଲା ସବୁନ୍ତି ।୧୦୨।

ସ୍ୱାମୀ ଜାଣୁ ତ ଆଦ୍ୟ ଯୁଦ୍ଧେ ହୋଇଲାକ ଯାହା

ପ୍ରାନ୍ତେଣ ସାଂଗ୍ରାମେ ପଡ଼ିଲା ତ ନୃପକୁଳ ନାହା ।୧୦୩।

ଗୋଟିୟେ ନ ବ୍ରତିଲେ ପଡ଼ିଲେ ସମସ୍ତ

ଜୟେ କରି ବାହୁଡ଼ି ଗଲାକ ଦଇତ ।୧୦୪।

ମଣିମୟ ମୁକୁଟ ଆବର ଗଦା ରତ୍ନାବଳୀ

ୟେହାନ୍ତ ଘେନିଣ ଅସୁର ଗଲା ଚଳି ।୧୦୫।

ଦେବ ! ଦେଖିଣ ତରସ୍ତ ହୋଇଲଇଂ ମୁହିଂ

ବୋଇଲି ହସ୍ତିନାରେ କହିବଇଂ ଯାଇଂ ।୧୦୬।

ରଥ ଚାଳିଣ ମୁହିଂ କରନ୍ତେ ଗମନ

ପଥରେ ଭୋଟିଲି ମୁହିଂ ମାଦ୍ରୀର ନନ୍ଦନ ।୧୦୭।

ଚିନ୍ତାଭରେ ଦେବ ନୁଆରିଲି ଜାଣି

ମୋତେ ଚିହ୍ନି ପଚାରିଲେ କ୍ଷତ୍ରିୟ ଚୂଡ଼ାମଣି ।୧୦୮।

ଡାକି ପଚାରିଲେ କିହୋ ମଳୟ ସାରଥି

କେଣିକି ଯାଇଥିଲ ଶୂନ୍ୟ ରଥ ଘେତି ।୧୦୯।

ତେତେବେଳେ ଚିହ୍ନିଲି ୟେ ଅଟନ୍ତି ନକୁଳ

ରଥୁଂ ଡେଇଂ ଯାଇଂଣ ପଡ଼ିଲି ପାଦ ତଳ ।୧୧୦।

ସାଂଗ୍ରାମ ବାରତା ମୁହିଂ କହିଲି ସମସ୍ତ

ଶୁଣିଣ କୋପ କଲେ ମାଦ୍ରୀ ଦେବୀର ସୁତ ।୧୧୧।

ମୋତେ ବୋଇଲେ ରେ କଢାଅ ପଥ ତୁହି

କେବଣ ବାଟରେ ଦାନବ ଯାଉଣ ଅଛଇଂ ।୧୧୨।

ରଥ ଛାଡ଼ି ଦେବ କଢାଇଲି ପଥ

ଦଇତକୁ ଭେଟିଲୁ ଆରଡ଼େକ ପରବତ ।୧୧୩।

ଯୁଣକ ଠାରୁ ଦିଶିଲା ଦଇତର ଦେହୀ

ରହ ରହ ବୋଲି ଯେ ନକୁଳ ଡାକ ଦେଇ ।୧୧୪।

ପାଲଟି ରହିଲା ଯେ ଅସୁର କୁଳ ସାଈଂ

ନକୁଳ ଭେଟ ହେଲେ ଅସୁରକୁ ଯାଇଂ ।୧୧୫।

ଯେତେ ଯେତେ ଦେବ ଯୁଦ୍ଧ ହୋଇଲା ଅପ୍ରମିତ

ବଚନେ କହିତେ ମୁଂ ନୋହଇ ସାମରଥ ।୧୧୬।

ଦେବ ତେର ଦିନ ପରିଯନ୍ତେ ହୋଇଲା ଘେର ରଣ

କେହି କାହାକୁହିଂ ନୋହିଲେ ହାର ଜିଣ ।୧୧୭।

ଦେବ ଲେଉଟି ପୁଣି ବାରୁଣାରେ କହିଲଇ ଯାଇଂ

ଦେବ ଶୁଣିଣ ଧାଇଂଲେ ଠାକୁର ଚାରି ଭାଇ ।୧୧୮।

ମୁହୁର୍ତ୍ତକେ ପ୍ରବେଶ ହୋଇଲେ ରଣଭୂଇଂ

ଦାନବର ଯୁଦ୍ଧ ଦେଖିଲେ ଚାରି ଭାଇ ।୧୧୯।

ମହାଘୋର ଯୁଦ୍ଧ ଯେ ଦେଖିଣ ତାହାର

ନ ମରଇ ଦାନବ ଯେ ଅଟଇ ଅମର ।୧୨୦।

ୟେତେକ ବିଚାରି ମନ୍ତ୍ରୀକି ପଚାରିଲେ

ୟେ ଦଇତର ମୃତୁ କି ଅଛଇ ବୋଇଲେ ।୧୨୧।

ମନ୍ତ୍ରୀବର ତାର କହିଲେ ବେବସ୍ତା

ଯେଉଂ ରୂପେ ଦାନବର ହୋଇବ ମୃତୁ ଯଥା ।୧୨୨।

ମୃତୁ ଭେଦ ଜାଣି ତାର ନକୁଳ ଯେ ମହାବୀର

ମାଇଲେ ବଜ୍ରମୁଥେ ଦାନବର କମ୍ପିଲା ଶରୀର ।୧୨୩।

ଉତ୍ତାନଶାୟୀ କରି ମାଡ଼ି ବସିଲେ କଟିରେ

ଗ୍ରୀବା ବାମ ପାଦ ଓଟାରି ଆଣିଲେ ।୧୨୪।

ବାମ ପାଦ କାଣି ଆଙ୍ଗୁଳି ମୁଖେ ଦିଲେ

ସର୍ଗେ ଦେବତାୟେ ଯେ ସାଧୁ ସାଧୁ କଲେ ।୧୨୫।

ତୁଣ୍ଡେ ପଶନ୍ତେଣ ବାହାର ତାର ପ୍ରାଣ

ମେରୁ ମନ୍ଦରରୁ ଅଟଇ ହାଦେ ଟାଣ ।୧୨୬।

ଦଇତ ମରଣକୁ ଦେବତାୟେ ଚାହିଂ

ପୁଷ୍ୟ ବୃଷ୍ଟି କଲେ ଶଚୀ ଦେବୀ ସାଈଂ ।୧୨୭।

ଦେବ ଦଇତକୁ ମାରି ମଣି ମୁକୁଟ ଆଦି କରି

ରତ୍ନାବଳୀ ଗଦା ଆଣିଲେ ଦଣ୍ତଧାରୀ ।୧୨୮।

ତୁମ୍ଭର ମରଣ ଦେବ ଶୁଣିଲେକ ଯହୁଂ

ଠାକୁରେ ଅନେକ ରୋଦନ କଲେକ ତହୁଂ ।୧୨୯।

କ୍ରୋଧଭର ହୋଇ ଠାକୁର ୟେଠାକୁ ଅଇଲେ

ସକଳ ସଇନ ପଡ଼ିଅଛନ୍ତି ନୟନେ ଦେଖିଲେ ।୧୩୦।

ଭାଇ ଭାଇ ବୋଲିଣ ପଡ଼ିଲେକ ଢଳି

ସହଦେବ ବୀର ତାଂକୁ ଧଇଲେକ ତୋଳି ।୧୩୧।

ଅର୍ଜୁନକୁ ଚାହିଂ ବହୁତ ରୋଦନ ଯେ କଲେ

ଦେଖ ହୋ ଧନୁର୍ଜୟେ ମୋର ସୋଦରେ ନାଶ ଗଲେ ।୧୩୨।

ୟେହାଂକର ନିଧନ ଶୁଣିଲେ ଧୃତିରାଷ୍ଟ

କେ ସହି ପାରିବଟି ତାହାଂକ ଅରିଷ୍ଟ ।୧୩୩।

ତାହାଂକର ବିକଳରେ ମୁହିଂ ନ ବ୍ରତିବି

ୟେହାନ୍ତ ଛାଡ଼ି ଅବା କେମନ୍ତେ ଘରେ ଯିବି ।୧୩୪।

ସୋଦର ଭାଇ ଇଷ୍ଟ ବନ୍ଧୁମାନେ ମଲେ

ୟେହାଂକର ନିଧନେ ମୁଂ ବଞ୍ଚଇ କି ଭଲେ ।୧୩୫।

ୟେତେ କହି ରାୟେ ପଡ଼ିଲେ ମୂର୍ଚ୍ଛା ଯାଇ

ଅର୍ଜୁନ ଅନେକ ଯେ କହିଲେ ବିନୋୟୀ ।୧୩୬।

ଦଣ୍ତେ ରହି କରି ଧଉର୍ଯ୍ୟ ହୋଇଥିବା

ଆମ୍ଭର ୟେକ ବୁଦ୍ଧି ଅଛଇ କରିବା ।୧୩୭।

ୟେତେ ବୋଲି ବୀର ଅମର ମଉଷୋଧି

ଖାଣ୍ଡବ ବନ ଦହନ କାଳେ ଅଗ୍ନି ଦେଇଥିଲେ ବୁଦ୍ଧି ।୧୩୮।

ସେ ଭସ୍ମ ଅର୍ଜୁନ ମନଭେଦୀ ନାରାଜ ମୁନେ ଲଗାଇଲେ

ମନ୍ତ୍ର ପଢି କରି ଯେ ନାରାଜ ଛାଡ଼ି ଦିଲେ ।୧୩୯।

ଯେତେ ହାଥୀ ରଥୀ ନୃପତି ପାଦାନ୍ତି

ସନ୍ୟ ସେନାପତି ଯେ ସବୁନ୍ତି ଲାଗନ୍ତି ।୧୪୦।

ତେଣୁ କରି ଦେବ ପାଇଲ ତୁମ୍ଭେ ପ୍ରାଣ

ୟେ କଥା ତଥ୍ୟ ଦେବ ସାବଧାନେ ଶୁଣ ।୧୪୧।

ଶୁଣି ହରଷ ହୋଇଲେ ଭୀଷ୍ମ ଭୂରିସର୍ବା

ଦ୍ରୋଣ ଅଶସ୍ତମା ବାହ୍ଲିକ କୃପବ୍ରହ୍ମା ।୧୪୨।

ଭୀଷ୍ମ ଦ୍ରୋଣ ବୋଇଲେ ସାଧୁ ସାଧୁ ରେ ଧନୁର୍ଜୟେ

ମରଣରୁ ଉତୁରିଲୁ ଆମ୍ଭେ ଯେ ତୋହୋର ଉପାୟେ ।୧୪୩।

ସାଧୁ ସାଧୁ ପାଣ୍ଡବ ଯେ ଶୁଭିଲାକ ଧୁନି

ସମସ୍ତେ ବୋଲନ୍ତି ହୋ ପାଣ୍ଡବ ତୁମ୍ଭେ ଧନି ।୧୪୪।

ୟେଥୁ ଅନନ୍ତରେ ସେ ଧର୍ମର ନନ୍ଦନ

ନୃପତିଂକି ଚାହିଂ ସେ ବୋଲନ୍ତି ବଚନ ।୧୪୫।

ଜୟ ତ ହୋଇଲା ଆମ୍ଭନ୍ତ ଅଜୟ ତ ନାହିଂ

ୟେବେ ହସ୍ତିନାକୁ ବିଜେ କର କୁରୁସାଈଂ ।୧୪୬।

ଶୁଣିଣ ସାନନ୍ଦ ଯେ ସମସ୍ତେ ହୋଇଲେ

ଯେ ଯାହାର ଯାନ ବାହାନମାନ ଆରୋହିଲେ ।୧୪୭।

ବାଜଇ ଟମକ ନିଶାଣ ଯେ ଶଙ୍ଖ ଧୁନି

ମୁଖରାବ ଶବଦେ କମ୍ପଇ ମେଦିନୀ ।୧୪୮।

ଶ୍ୱେତ ହାଥୀ ଉପରେ ବିଜୟ ଧର୍ମସୁତ

ଆବର ସଙ୍ଗତରେ ଘେନି ଚାରି ଭ୍ରାଥ ।୧୪୯।

ଦ୍ରିଯୋଧନ ଯେ ରହୁବର ଆରୋହିଲା

ସମଦଣ୍ଡ ସାଜିଣ ନୃପତି ବିଜେ କଲା ।୧୫୦।

ହସ୍ତିନା ନଗରେ ହୋଇଲେକ ଯାଇଂ

ସଞ୍ଜୟେ ଧୃତିରାଷ୍ଟର ଆଗରେ କହଇ ।୧୫୧।

ଶୁଣ ହୋ ସାବଧାନେ ନୃପତି ଶେଖର

ଦିଗ ବିଜେ କରିଗଲେ ତୁମ୍ଭର କୁମର ।୧୫୨।

ସଙ୍ଗତେ ଶତେ ଭାଇ ଭୀଷ୍ମ ଦ୍ରୋଣ ଆଦି

ଅନେକ ସମ୍ଭରେ ଯେ ନୃପତି ଦଣ୍ଡ ସାଜି ।୧୫୩।

କେତେହେଂକେ ଦୂର ନୃପତି ଗବନ କରି ଗଲେ

ବାଟରେ ଦନୁଜ ଗୋଟାୟେ ଯେ ଦେଖିଲେ ।୧୫୪।

ମହାପ୍ରତାରପୀ ସେ ଅସୁର କୁଳ ପତି

ଗୋଳଯୁଦ୍ଧ କରିଣ ସେ ମାଇଲା ସବୁନ୍ତି ।୧୫୫।

ସାରଥି କହନ୍ତେଣ ନକୁଳ ବୀର ଗଲା

ଦଇତ ସଙ୍ଗତେ ସେ ଅନେକ ଯୁଦ୍ଧ କଲା ।୧୫୬।

ପୁଣହିଂ ସାରଥି ଯାଇଂ କହିଲା ଧର୍ମସୁତ

ଭୀମ ଅରଜୁନ ସହଦେବ ଘେନି ହୋଇଲେ ଆଗତ ।୧୫୭।

ସହଦେବଂକୁ ପଚାରି ମୃତୁ ତାର ଜାଣି

କୁଣ୍ଡଳୀ ଅସୁରକୁ ନକୁଳ ବୀର ଜିଣି ।୧୫୮।

ତହୁଂ ଆସି ଦ୍ରିଯୋଧନକୁ ଦେଖିଲେ

ଯୁଝେଷ୍ଠି ଆକୁଳେ ଅନେକ ରୋଦନ କଲେ ।୧୫୯।

ଅର୍ଜୁନ ଜୀବନ୍ୟାସ ଶରେକ ପେଷନ୍ତେ

ସମସ୍ତେ ବ୍ରତିଲେ ପୂର୍ବରୁ ବଳ ଥିଲେ ଯେତେ ।୧୬୦।

ୟେବେ ଆସି ହସ୍ତିନାୟେ ହୋଇଲେ ପ୍ରବେଶ

ଯୁଝେଷ୍ଠି ବାଟରୁ ଗଲେ ତାହାଂକର ବାସ ।୧୬୧।

ଶୁଣିଣ ଧୃତିରାଷ୍ଟ ବହୁତ ବିସ୍ମୟେ

ସବୁ ଠାବରୁ ରଖନ୍ତି ପଣ୍ଡର ପଞ୍ଚୁ ପୋୟେ ।୧୬୨।

ୟେଥୁ ଅନନ୍ତରେ ଦ୍ରିଯୋଧନ ବୀର

ପ୍ରବେଶ ହୋଇଲେ ଆସି ଆପଣା ମନ୍ଦିର ।୧୬୩।

ଯେ ବିଧି ନିତ୍ୟକର୍ମ ସାରିଣ ନୃପତି

ଆସ୍ତାନ ନବରେ ବିଜୟେ କଲେ ଧାତି ।୧୬୪।

ଭୀଷ୍ମ ଭୂରିସର୍ବା ବାହ୍ଲିକ ଯେ କର୍ଣ୍ଣ

ଦ୍ରୋଣ ଅଶସ୍ତମାୟେ ବସିଲେ ଆସ୍ତାନ ।୧୬୫।

ସମ୍ଭର୍ବ ଆସ୍ତାନ କରିଣ କୁରୁସାଇଂ

ସଞ୍ଜୟେ ଧୃତିରାଷ୍ଟ ମିଳିଲେ ତହିଂ ଯାଇଂ ।୧୬୬।

ଦେଖିଣ ଯୋଦ୍ଧାମାନେ ଓଳଗିଲେ ଧାତି

ଶତେକ ପୁତ୍ର ଆସି ଦ୍ରଶନ କରନ୍ତି ।୧୬୭।

ଭୀଷ୍ମେ କହିଲେକ ସକଳ ବୃତ୍ତାନ୍ତ

ଶୁଣିଣ ସାନନ୍ଦ ଯେ ହୋଇଲେ କୁରୁନାଥ ।୧୬୮।

ୟେଥୁ ଅନନ୍ତରେ ଯେ ମଉଳିଲା ସଭା

ଦ୍ରିଯୋଧନ ଭିତର ପୁରକୁ ବିଜୟେ କରିଯିବା ।୧୬୯।

ଯେ ଯାହା ନବରେ ହୋଇଲେ ପରବେଶ

ଶ୍ରୀଜଗନ୍ନାଥଂକ ଶ୍ରୀ ଚରଣେ ଶରଣ କବି ସାରୋଳା ଦାସ ।୧୭୦।

ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀ

ଜଗନ୍ନାଥ ସୁମର ନରେ ସଂସାରୁ ଯିବ ତରି ।୧୭୧।

ଜଗନ୍ନାଥ ବନ୍ଧୁ ଯେ ଜଗନ୍ନାଥ ପିତା

ଜଗନ୍ନାଥ ମୋହୋର ଇଷ୍ଟ ଯେ ଦେବତା ।୧୭୨।

ଜଗନ୍ନାଥ ସୁମର ନରେ ନ ଦଣ୍ଡିବ ଯମ

ଜଗନ୍ନାଥ ସୁମର ନରେ ନରକ ଖଣ୍ଡି ପାଇବ ଉତ୍ତମ ।୧୭୩।

ଶ୍ରୀଜଗନ୍ନାଥ ସୁମର ନରେ ଜୀବ ଥିବା ଯାୟେ

ଶ୍ରୀଜଗନ୍ନାଥ ସ୍ୱାମୀ ଚରଣେ ସାରୋଳା ଦାସ ବିନୟେ ।୧୭୪।୪୮୦୭ (୫୨୯୪)।

 

Unknown

ନୀଳେନ୍ଦ୍ରୀ ହରଣ

ବନ୍ଦଇ ଶ୍ରୀ ଗଣପତି ଗଉରୀ ନନ୍ଦନ

କପାଳରେ ଶୋଭା ଯାର ଶ୍ରୀଖଣ୍ଡୀ ଚନ୍ଦନ ।୧।

ଥୋର ହସ୍ତ ଗଜମୁଖ ୟେକ ଦନ୍ତ ଶୋଭାବନ

ଅନନ୍ତ ବାସୁକୀ ତୋର ଶିରରେ ଭୂଷଣ ।୨।

ଅଯୋନି ସମ୍ଭୂତ ତୋତେ ଦୁର୍ଗା କଲେ ଜାତ

ପାର୍ବତୀ ଜନନୀ ତୋର ସଦାଶିବ ତାତ ।୩।

ଦକ୍ଷିଣ ଦ୍ୱାରକୁ ତୁ ରଖିଲୁ ଶିଶୁ କାଳେ

ସୁମରନ୍ତେ ବିଘ୍ନ ତୁ ନିବାରୁ ଅବହେଳେ ।୪।

ଅଗ୍ରେ ପୂଜା ଘେନୁ ସର୍ବ ଦେବତାଂକ ମେଳେ

କୂଟେଣ ଅମୃତ ଲଡୁ ଭକ୍ଷିଲୁ କୁତୁହୋଳେ ।୫।

ପାଶ ଯେ ଅଂକୁଶ ତୋର ସୂର୍ଯ୍ୟର କିରଣ

ଗଜମଣି ମୁକୁଟ ତୋ ଲଲାଟ ଭୂଷଣ ।୬।

ପୟରେ ନୂପୁର ତୋର ଘାଘୁଡ଼ି ରୁଣୁଝୁଣ

ନୃତ୍ୟ ରସ ଗୀତରେ ମୋହିଲୁ ସୁରଗଣ ।୭।

ଜନ୍ମେ ଜନ୍ମେ ସେବା ମୋର ୟେ ତୋହୋର ଚରଣେ

ମଧ୍ୟପର୍ବ ଆଛ୍ୟାନ ଯେ କହିବା ପୁରାଣେ ।୮।

ୟେ ତୋହୋର ଚରଣେ ଲୁଳୁ ମୋର ମାଥ

ପ୍ରସନ୍ନ ହୋଅ ହୋ ମୋତେ ଦେବ ଗଣନାଥ ।୯।

ଅଗସ୍ତିକି ପୁଚ୍ଛାକଲେ ବଇବସୁତ ମନୁ

ଶ୍ରୀମହାଭାରଥ କହିବା କୁମ୍ଭ ଋଷି ତନୁ ।୧୦।

କୁଣ୍ତଳୀ ଅସୁର ବଧ ଅନ୍ତରେଣ କଥା

ଶୁଣିଲେ ଖଣ୍ଡିବି ମୋର ହୃଦରେ ଯେତେ ବ୍ୟଥା ।୧୧।

ବଦନ୍ତି ଅଗସ୍ତି ବଇବସୁତ ମନୁ ଶୁଣ

ଶ୍ରୀମହାଭାରଥ ୟେ ନୀଳେନ୍ଦୀ ହରଣ ।୧୨।

କାହ୍ନୁ ସଂକ୍ରଷେଣ ବସୁଦେବ କୋଳେ ଜାତ

ଶ୍ରୀଜଗନ୍ନାଥଂକ କଥା ଜଗତେ ବିଖ୍ୟାତ ।୧୩।

ବତିଶ ସହସ୍ର କନ୍ୟା ଅଷ୍ଟଉତ୍ତର ଶତେ ପୁତ୍ର

ୟେତେକ ଯୁବତୀ କନ୍ୟା, ହରିଲେ ଅଚ୍ୟୁତ ।୧୪।

କାହାର ତହୁଂ ଜାତ କେତେ ହୋଇଲେ କୁମର

ୟେହା ମୋତେ ସଞ୍ଚପି କହିବା ମୁନିବର ।୧୫।

ୟେତେ ବୋଲି ରାୟେ ଯେ ପୁଚ୍ଛିଲେ ବଚନ

ଅଗସ୍ତି ବୋଇଲେ ପାପ କର ତୁ ଦହନ ।୧୬।

ଗୋପପୁରେ ଅବତାର ଷୋଳହ ସହସ୍ର ନାରୀ

ଷୋଳ ସହସ୍ର କନ୍ୟା ଆଣିଲେ ନାରକାସୁର ମାରି ।୧୭।

ୟେହାନ୍ତ ଯେ କୁଳବଂଧୂ କଲେକ ଶ୍ରୀହରି

ଆବର ଯେତେକ ତହିଂ ଷୋଳ ସସ୍ର ନାରୀ ।୧୮।

ତାହାଂକର ତହୁଂ ଜାତ ଯେତେକ କୁମର

କନ୍ୟାକେ ଦଶ ଦଶ ପୁତ୍ର ହୋଇଲେ ଅବତାର ।୧୯।

ଅଷ୍ଟ ପାଟବଂଶୀକର ଦଶ ଦଶ ବଳା

ଲକ୍ଷେ ଷାଠିୟେ ସହସ୍ର ଅଶିୟେକ ବଳା ।୨୦।

ୟେକକୁ ୟେକ ସୁନ୍ଦର ଅଟନ୍ତି ତେଜା କଳା

ସଂପୂର୍ଣ୍ଣ ଚନ୍ଦ୍ର ଜାଣି ମୁଖ ଜ୍ୟାୋତି ଭଲା ।୨୧।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ତାହାଂକର ମଧ୍ୟେ ଜ୍ୟେଷ୍ଠ କୁମାର ପ୍ରଦ୍ୟୁମ୍ନ ।୨୨।

ଅଗସ୍ତି ବୋଇଲେ ହୋ ଶୁଣ ନୃପବର

ୟେତେକ ସନ୍ତତି ଜାତ କଲେ ଚକ୍ରଧର ।୨୩।

ଜ୍ୟେଷ୍ଠ ଭାଇଂକର କେତେ ହୋଇଲା କୁମର

ୟେହା ମୋତେ ସଞ୍ଚପି କହିବା ମୁନିବର ।୨୪।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ନୃପବର

ବଳରାମଂକର ହେଲା ବେନି ଯେ କୁମର ।୨୫।

ଆନନ୍ଦ ସାନନ୍ଦ ବୋଲି ପୁତ୍ରଂକର ନାମ

ସୁର ନର ମୋହନ ଯେ ମକରଧ୍ୱଜ ସମ ।୨୬।

ଯଦୁ ଭୋଜ ବଂଶରେ ଅଟନ୍ତି ଉତ୍ତମ

ତେଜେ ବିଚକ୍ଷଣ ସେ ବଳରାମଂକର ସମ ।୨୭।

ସର୍ବ ଗୁଣେ ବିଚକ୍ଷଣ ଅଟନ୍ତି ସେ ବେନି ଭାଇ

ଇନ୍ଦ୍ର ଚନ୍ଦ୍ର ଜାତ କି ମାନବ ଦେହ ବହି ।୨୮।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ମହୀପତେ

ତାହାଂକର ମହିଂମା ତ ନୋହିଲା ବିଖ୍ୟାତେ ।୨୯।

ୟେହା ମୋତେ ସଞ୍ଚପି କହିବା ମହାମୁନି

ବିଭା ହୋଇ ଆଣିଲେ ସେ କାହାର ନନ୍ଦନୀ ।୩୦।

ମୁନି ବୋଇଲେ ହୋ ଶୁଣ କଥା ମହା ରଙ୍ଗେ

ମହା ଦ୍ୱନ୍ଦ ବୋଇଲା କଳି ହୋଇଲା ଈଶ୍ୱରଂକ ସଙ୍ଗେ ।୩୧।

ନୃପତି ବୋଇଲା କଳି ହୋଇଲା କେମନ୍ତେ

ୟେହା ମୋତେ ସଞ୍ଚପି କହିବା ତପୋବନ୍ତେ ।୩୨।

କେହୁ କନ୍ୟା ବରିଲା ସେ ବରୁଣ ଭୁବନେ

ହରିହର ଯୁଦ୍ଧ ମୁନି କହିବା ପ୍ରସନ୍ନେ ।୩୩।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ମହୀପତ୍ୟେ

ସପତ ସାଗରେ ରାଜା ବରୁଣ ନୃପତ୍ୟେ ।୩୪।

ସନ୍ଥଶୀଳ ଅଟଇ ସେ ଜଳଧିର ଆଧିପତି

ଜଳଚର ଲୋକେ ସୁଖେ ପାଶେ ଖଟିଥାନ୍ତି ।୩୫।

ସପତ ସାଗର ମଧ୍ୟରେ ୟେକାଙ୍କ ଚକ୍ରବତୀ

ତାହାର ଉପୁଜିଲେକ ଅନେକ ସନ୍ତତି ।୩୬।

ନୀରବତୀ ବୋଲିଣ ତାହାର ପାଟରାଣୀ

କି ୟେ ରୂପେ ଦିଶନ୍ତି ସେ ପ୍ରତକ୍ଷେ କମଳିନୀ ।୩୭।

ସେ ନାରୀର ଗର୍ଭରୁ ଦୁହିତାୟେ ହୋଇଲା

ତାହାର ଜାତେକ ଶୁଣ ଅଗସ୍ତି ବୋଇଲା ।୩୮।

ଅଶ୍ୱିନୀ ନକ୍ଷତ୍ରେ ଜାତ ପୂର୍ଣ୍ଣମୀ ପାଇଲା

ଚନ୍ଦ୍ରବାର ମେଷ ଚନ୍ଦ୍ର ଶୂଳ ଯୋଗ ଯୋଗାଇଲା ।୩୯।

ବାୟବ ନାମେ କରଣ ଭୋଗ ତେର ଲିତା

ନୀରବତୀ ଗର୍ଭୁଂ ଜାତ ହୋଇଲା ଦୋହିତା ।୪୦।

ବରୁଣ ଅଗ୍ରତେ ଯାଇଂ କହିଲାକ ଦାସୀ

କନ୍ୟାୟେ ଉପୁଜିଲା ଅତୀୟ ରୂପରାଶି ।୪୧।

ଶୁଣିଣ ହରଷେ ରାଜା ମନ୍ତ୍ରୀକି ସମ୍ଭାଷି

ଦୋହିତା ରୂପ ଗୁଣ କହନ୍ତି ବିଶେଷି ।୪୨।

ଜଳଧର ମନ୍ତ୍ରୀ ବୋଇଲା ଶୁଣ ନୃପମଣି

ଅଶ୍ୱିନୀ ନକ୍ଷତ୍ରେ ଜାତ ହୋଇଲା ଦୁଲଣୀ ।୪୩।

ଦିବସକୁ ଭୋଗ ଯେ ପାଇଛି ତେର ଦଣ୍ତ

ଷୋଳ ବରଷକୁ ଦେବ ବିରୋଧିଲା ଗଣ୍ଡ ।୪୪।

ତାହା ଶୁଣି ନୃପତି ଯେ ପାଇଲା ବିଖଣ୍ଡ

ଦଇବ କଷଣ ମୋତେ ବିଷମ ପରଚଣ୍ଡ ।୪୫।

ଷୋଳ ବରଷ ୟେ କନ୍ୟା ହେବା ଯାୟେ

ୟେହାର ବଦନ ନ ଚାହିଂବିଂ ୟେ ଦେଶରେ ନ ଥାୟେ ।୪୬।

ଶୁଣିଣ ନୃପତି ଯେ ଦାସୀମାନନ୍ତ ହକାରିଲା

ୟେ କନ୍ୟା ଜାତ ହୋଇଲା ପିତାଂକୁ ଗଣ୍ଡ ଯେ ଲାଗିଲା ।୪୭।

କପିଳାସ ନିକଟେ ବନସ୍ତେ ରଖି ଆସ

ୟେତେ ବୋଲି କରି ରାୟେ ଦିଲେକ ଆଦେଶ ।୪୮।

ଆଗ୍ୟାଂ ପାଇଣ ଦାସୀ ରାଣୀଂକି କହିଲେ

ଦୋହିତାକୁ ଗଣ୍ଡ ଲାଗିଲାକ ବୋଇଲେ ।୪୯।

ପଣ୍ଡିତେ ବୋଇଲେ ଜମ୍ୱୁ ଦ୍ୱୀପେ ରଖ

ଛଡ଼ଦଶ ବରଷ ଯାୟେ ନ ଚାହିଂବ ୟେହା ମୁଖ ।୫୦।

ଶୁଣିଣ ନୀରବତୀ ବିକଳ ହୋଇଲା

କେମନ୍ତେ ମୂର୍ଚ୍ଛିବି ମୁଂ ବୋଲିଣ ବୋଇଲା ।୫୧।

ସୁନ୍ଦର ସୁକୁମାର ଅଲିଅଳ ଜେମା

ଯେତେ ଦୋଷ କଲେ ଦୋଷ କରିବାକ କ୍ଷମା ।୫୨।

ତେତେକାଳେ ଯାୟେ ମୁହିଂ ଘେନି ଯିବି

ଦୋହିତାକୁ ଛାଡ଼ିଲେ ମୁଂ ନିଚୟେ ମରିବି ।୫୩।

ୟେତେ ବୋଲି ରାଣୀ ହୋଇଲାକ ସଜ୍ଜା

କୋଳରେ ଘେନିଗଲା ଆପଣା ଆତ୍ମଜା ।୫୪।

ଜମ୍ୱୋଦୀପ ବନସ୍ତେ ଯେ କପିଳାସ ଗିରି

ତହିଂ ଯାଇଂ ପ୍ରବେଶ ହୋଇଲା ସୁନ୍ଦରୀ ।୫୫।

କର୍ମକୁ ଆଦରି ଯେ ରହିଲା ତରୁଣୀ

ବିକଳେ ରୋବଇ ଯେ ଶୁଭଇ ସୁସ୍ୱର ବାଣୀ ।୫୬।

ୟେସନେକ ସମୟେ ଯେ ଦେବ ତ୍ରିଲୋଚନ

ପାର୍ବତୀଂକି କୋଳେ ଘେନି କରନ୍ତି ଗବନ ।୫୭।

ବୃଷଭ ପିଠିରେ ବସି କରନ୍ତି ଭ୍ରମଣି

ପାର୍ବତୀ ଦେଖିଲେ ବନେ କାନ୍ଦଇ ୟେକ ସୁଲକ୍ଷଣୀ ।୫୮।

ଉମା ଦେବୀ ବୋଇଲେ କ୍ଷଣେ ରହ ଶୂଳପାଣି

ବନେ ଶୋକ କରୁଅଛି କାହାର ଘରଣୀ ।୫୯।

ବିଶ୍ୱନାଥ ବୋଇଲେ ସେ ଅଟଇ କିସ ଜାତି

ତାହାକୁ ପୁଚ୍ଛିବାକୁ ଆମ୍ଭର କେବଣ ଯୁଗତି ।୬୦।

ସଦାଶିବଂକ ମୁଖ ଚାହିଂ ଗଉରା ବୋଲନ୍ତି

ୟେଥିରେ ନିୟତ ଦୋଷ ଶୁଣ ପଶୁପତି ।୬୧।

ୟେକ ସ୍ତିରୀ ରୋବିଲେ ଯେ ଶୁଣି ନ ରୁହନ୍ତି

କାଠ ବେଙ୍ଗ ହୋଇଣ ସେ ଶତେ ଜନ୍ମ ଥାନ୍ତି ।୬୨।

ୟେ ବଚନ ଶୁଣିଣ ରହିଲେ ବିଶ୍ୱବାସ

ଉମା ଦେବୀ ମିଳିଲେ ବରୁଣ ରାଣୀ ପାଶ ।୬୩।

ବୋଲନ୍ତି ଜଗତ ମାତ ଶୁଣସି ଗୋ ଆଈ

ଅରଣ୍ୟ ଭିତରେ ପଶି କାନ୍ଦୁ କାହିଂ ପାଇଂ ।୬୪।

କାହାର ନନ୍ଦନୀ ତୁ ଗୋ କେ ତୋହୋର ସାଈଂ

ନିର୍ମାକ୍ଷୀ ହୋଇ ତୁ କାନ୍ଦୁ ସାଖା ତୋର ନାହିଂ ।୬୫।

ମୁଖେ ବସନ ଦେଇ ରୁହାଇଲେ ଉମା

ଶୋକ ଶାନ୍ତି କରାଇଲେ ବରୁଣର ବାମା ।୬୬।

ଧଇର୍ଯ୍ୟ ହୋଇ ସତୀ ବୋଇଲେକ ବାଣୀ

ବରୁଣ ରାଜାର ମୁଂ ଯେ ଅଟଇ ପାଟରାଣୀ ।୬୭।

ଯହିଂର ନିମନ୍ତେ ମୁଂ କାନ୍ଦଇ ଗୋସାମଣୀ

ୟେ ମୋର ଗର୍ଭେ ଜାତ ହୋଇଲା ଦୁଲଣୀ ।୬୮।

ଅଶ୍ୱିନୀ ନକ୍ଷତ୍ର ଗଣ୍ଡ ଭେଦିଲା ୟେହାକୁ

ପିତା ମାତାଂକୁ ପାଇଲା ଗଣ୍ଡ ଷୋଳ ବରଷକୁ ।୬୯।

ତେଣୁ କରି ନୃପତି ଲୋଡ଼ିଲେ ୟେହାକଇଂ ମାରି

ମୁହିଂ କେହ୍ନେ ମୁରୁଛିବି ଅଟଇ ଗର୍ଭଧାରୀ ।୭୦।

ୟେହାର ଦୁଖରୁ ମୋ ନୟନୁଂ ବହେ ବାରି

ୟେ ଦୁହିତା ଘେନି ମୁଂ ହୋଇଲି ବନଚାରୀ ।୭୧।

ୟେହା ଶୁଣି ପାର୍ବତୀ ଯେ ବୋଲନ୍ତି ବଚନ

ୟେହାକୁ ଘେନି ଚଳ ଆପଣା ଭୁବନ ।୭୨।

ଗଣ୍ଡ ନ ଲାଗିବ ଦୋଷ ଯିବ ଆଜିଠାରୁ ପୁଣି

ଅତିଅନ୍ତ ଯତନେ ପାଳ ୟେ କନ୍ୟାକୁ ଗୋ ତରୁଣୀ ।୭୩।

ତ୍ରଇଲୋକ୍ୟ ମୋହିବ ନୟନ ରୂପ ଶୋଭା ଦିଶି

ନୀଳେନ୍ଦୀ ନାମ ୟେହାର ଶୁଣ ରେ ଶୁଭ୍ରକେଶୀ ।୭୪।

ଆମ୍ଭନ୍ତ ଭେଟିଲୁ ତୁହି ଗଣ୍ଡ ଦୋଷ ଗଲା

ଗଣକ ଗଣିବାର ଅନ୍ୟଥା ନୋହିଲା ।୭୫।

ଦୋଷ ଭୋଗ ଗଲା ଯାଅ ତୁ ନିଜ ପୁର

ୟେକନ୍ୟା ଗୋଟି ହାଦେ ହୋଇଲା ଆମ୍ଭର ।୭୬।

ଈଶ୍ୱରେ ବୋଇଲେ ଶୁଣ ରେ ତରୁଣୀ

ୟେ କନ୍ୟାର ଗଣ୍ଡ ଦୋଷ ଗଲାକ ହାଦେ ଜିଣି ।୭୭।

କାର୍ତ୍ତିକେଶ୍ୱରକୁ ବିଭା କରିବୁ ତୁ ନେଇ

ବରିଲେ ଈଶ୍ୱରେ ଯେ ମଣି ଗୋଟିୟେକ ଦେଇ ।୭୮।

ବର ଦେଇ ସଦାଶିବ ଅନ୍ତର୍ଦ୍ଧାନେ ଗଲେ

ବରୁଣ ରାଜାର ରାଣୀ ଦୋହିତା ଘେନି ନିଜ ପୁରେ ମିଳିଲେ ।୭୯।

ସଦାଶିବ ପାର୍ବତୀର ପ୍ରସାଦରୁ କରି

ରଖିଲା ନୀରବତୀ ଦୋହିତା ଗୋପ୍ୟ କରି ।୮୦।

କେତେହେଂକ ଦିନେ ସେ ଦୋହିତା ହେଲା ନବ ଯୁବା

ସାଦ୍ରିଶେ ବର ନାହିଂ ନୋହିଛି ସେ ବିଭା ।୮୧।

ପ୍ରତକ୍ଷେ ରତି କି ସେ ହୋଇଛି ଅବତାର

ହୃଦୟ ବିସ୍ତାର ଜାଣି ମଝା ଡମ୍ୱରୁ ଆକାର ।୮୨।

ନୟନ ନୀଳ ଉତ୍ପଳ କିସ ଦେବା ପଟାନ୍ତର

ବିଜୁଳି ଝଟକଇ ଯେହ୍ନେ ନୀଳ ମେଘର ଭିତର ।୮୩।

କେବଣ ବିଧାତା ୟେହା କଲାକ ସମ୍ଭାର

କି ଅବା ଅଟଇ କାମଦେବର ଭଣ୍ଡାର ।୮୪।

ୟେସନେକ ପ୍ରଶଂସା କରନ୍ତି ନର ନାରୀ

ନାହିଂ ତ ଉପମା ତିନି ଭୁବନେ ସମସରି ।୮୫।

ଜଳ କ୍ରୀଡ଼ା ବିନୋଦେ ଯେ ନୃପତି କୁମାରୀ

କନ୍ୟାଂକର ସଙ୍ଗତେ ସେ ଆସଇ କ୍ରୀଡ଼ା କରି ।୮୬।

ଦୋହିତାକୁ ନ ଚିହ୍ନିଣ ବରୁଣ ରାଜନ

କନ୍ୟା ରୂପ ଦେଖିଣ ସେ ହୋଇଲା ମୋହମାନ ।୮୭।

ଜଳନ୍ଧର ମନ୍ତ୍ରୀକି ପୁଚ୍ଛଇ ଜଳସାଈଂ

ୟେ କନ୍ୟା ଆମ୍ଭର ପୁରେ ଦେଖିଲା ତ ନାହିଂ ।୮୮।

ମନ୍ତ୍ରୀ ବୋଇଲା ଭୋ ଦେବ ଯାହା ପୁଚ୍ଛା କଲ

ଗଣ୍ଡ ଦୋଷ ବୋଲି କରି ଯାହାକୁ ଲେଛିଲ ।୮୯।

ସେ କନ୍ୟା ଅଟଇ ଦେବ ନୀଳେନ୍ଦୀ ନାମେ ବାଳୀ

ସଦାଶିବଂକ ବରେ ହୋଇଲା ଦୋଷୁଂ ପାରି ।୯୦।

ନୃପତି ବୋଇଲେ ୟେ ଯେବେ ମୋହୋର ଦୁଲଣୀ

କାହାକୁ ପ୍ରଦାନ କରିବି କହନି ମନ୍ତ୍ରୀ ଚୂଡାମଣି ।୯୧।

ଯୁବା କନ୍ୟା ଘରେ ଥୋଇ ତ ନ ଯୋଗାଇ

ୟେହାର ସମାନେ ବର ପାଇବଇଂ କାହିଂ ।୯୨।

ୟେମନ୍ତ ବିଚାରନ୍ତେ କେତେହେଂ ଦିନ ଗଲା

ଦିନକୁ ଦିନ କନ୍ୟା ଯୁବାହିଂ ହୋଇଲା ।୯୩।

ୟେଥୁ ଅନ୍ତେ ଦ୍ୱାରିକା ପୁରେ ବିଜୟେ ନାରଦ ମହଋଷି

ବୀଣାଯନ୍ତ୍ର ବଜାଇ ଗବନ କରି ଆସି ।୯୪।

ଆନନ୍ଦାନନ୍ଦ ବୋଲି ବଳରାମଂକର ସୁତ

ଋଷିଂକି ଦେଖିଣ ସେ ହୋଇଲେ ପ୍ରଳମ୍ୱିତ ।୯୫।

ଆସନ ଦେଇଣ ସେ ଯେ ପାଦ ପଖାଳିଲେ

ଆଜ ସେ ସୁଫଳ ଦିନ ମୋର ହୋଇଲା ବୋଇଲେ ।୯୬।

ବ୍ରହ୍ମାଙ୍କର ନନ୍ଦନ ସେ ସାକ୍ଷତ ମୁନିବ୍ରହ୍ମ

କେଉଣ କାର୍ଯ୍ୟେ ମୁନି ହୋ ୟେଥକୁ ଆଗମନ ।୯୭।

ଋଷି ବୋଇଲେ ତୁ ଶୁଣସି ରେ ବୀର

ବରୁଣ ଘରେ କନ୍ୟାୟେ ହୋଇଛି ଅବତାର ।୯୮।

ସାକ୍ଷାତେ ଚଞ୍ଚଳା କି ସେ ହେମବନ୍ତର ନନ୍ଦିନୀ

ରୂପ ଦେଖି ମୋହି ଯେ ହୋଇବେ ସୁର ମୁନି ।୯୯।

ସାଦ୍ରିଶେ ବର ନ ପାଇ ସେ ନୋହିଅଛି ବିଭା

ଆମ୍ଭର ବୋଲ କର ୟେହିକ୍ଷଣି ତହିଂକି ଚାଲ ଯିବା ।୧୦୦।

କୁମର ବୋଇଲା ସେ ଦୁର୍ଗମ ଜଳଭୂମି

କେମନ୍ତେ ତହିଂକି ଯିବାକ ଆମ୍ଭେ ରଥ ଘେନି ।୧୦୧।

ମୁନି ବୋଇଲେ ଆମ୍ଭର ମନ୍ତ୍ର ବଳୁଂ କରି

କେହି ନ ଦେଖିବେ ଯେ ଯିବା ତାହାର ପୁରୀ ।୧୦୨।

ୟେତେ ବୋଲି ଯେ ମୁନି ମନ୍ତ୍ର କହଇ ତାର କର୍ଣ୍ଣେ

ତତକ୍ଷଣେ ବାହାର ହୋଇଲା ବେନି ଜନେ ।୧୦୩।

ମନ ପବନ ଯୋଗେ କରନ୍ତି ଗବନ

ଅତି ବେଗେ ମିଳିଲେ ସେ ବରୁଣ ଭୁବନ ।୧୦୪।

କେହି ନ ଚିହ୍ନିଲେ ମେଢରେ ଯାଇଂ ହୋଇ

ଦେଖିଲେ ନୀଳେନ୍ଦୀ କନ୍ୟା ୟେକା ଅଛି ଉଭା ହୋଇ ।୧୦୫।

ମୁନିକି ଦେଖିଣ ସେ ଉଠିଲା ଆସନୁଂ

ବିଜୁଳୀ ଝଟକିଲା ପ୍ରାୟେ ବିରାଜଇ ତାର ତନୁ ।୧୦୬।

ପ୍ରଳମ୍ୱିତ କରିଣ ସେ ଉଠିଲା ବହନ

ବିନୟ ହୋଇଣ ସେ କହଇ ବଚନ ।୧୦୭।

ଆଜ ଜୀବନ ମୋହୋର ଧନ୍ୟହିଂ ହୋଇଲା

ବ୍ରହ୍ମାର ନନ୍ଦନ ମୋର ପୁରେ ବିଜେ କଲା ।୧୦୮।

ୟେ ଜଣଂକ ତୁମ୍ଭ ସଙ୍ଗେ କିୟେ ଛନ୍ତି ଆସି

ଅପୂର୍ବ ଦିଶଇ ତ ୟେହାଂକର ରୂପରାଶି ।୧୦୯।

କାହାର ନନ୍ଦନ ଆସିଛନ୍ତି କିସ ପାଇଂ

ସରୂପ ବଚନ କହିବା ମୁନି ହେ ଯେଣେ ପ୍ରତେ ଆସଇ ।୧୧୦।

ୟେହାଂକୁ ଦେଖିଣ ମୋର ପୁଲକଇ ହିଆ

ଅତିଅନ୍ତ ଶୋଭା ଦିଶଇ ମୁନି କରିଛ କି ମାୟା ।୧୧୧।

ମୁନି ବୋଇଲେ ନୀଳେନ୍ଦୀ ! ୟେ ବଳରାମଂକର ସୁତ

ଦ୍ୱାରିକାରେ ଘର ରେବତୀ ୟେହାଂକର ମାତ ।୧୧୨।

ଶ୍ରୀକୃଷ୍ଣଂକର ପୁତୁରା ୟେ ଯାଦବଂକ ଶ୍ରେଷ୍ଠ

ରୂପେଣ କନ୍ଦର୍ପ ୟେ କୁଳେଣ ଗରିଷ୍ଠ ।୧୧୩।

ବଡ଼ିମାୟେ ମେରୁ ସହନ୍ତେ ମେଦିନୀ

ତେଜେଣ ଦିନକର ୟେ ପୀତ ନୀଳମଣି ।୧୧୪।

ରୂପ ଗୁଣେ ସୁନ୍ଦର ବୟସେଣ ଯୁବା

ସାଦ୍ରିଶେ କନ୍ୟା ନାହିଂ ୟେ ନୋହିଛି ଯେ ବିଭା ।୧୧୫।

ତୋହୋର ରୂପଗୁଣ ଶୁଣିଣ ଅଇଲା

ପୂର୍ବର ପୁଣ୍ୟ ଫଳେ ୟେ ତୋତେ ଦେଖିଲା ।୧୧୬।

ତୁହି ତ ଅବିଭାଇ ତୋ ସରୂପେ ବର ନାହିଂ

ଇଚ୍ଛା ହେଲେ ୟେ ବର ବରରେ ଶଶୀମୁହୀଂ ।୧୧୭।

ତୋହୋର ଅନରୂପେ ଅଟଇ ୟେ ବର

ତେଣୁ କରି ଘେନିଣ ଯେ ଅଇଲି ତୋହୋର ପୁର ।୧୧୮।

ତୁହି ତ ଦେବ କନ୍ୟା ରୂପେଣ ଗରୁହଂସୀ

ୟେ ଦେବ କୁଳେଣ ଯେ ରୂପେଣ ପ୍ରଶଂସୀ ।୧୧୯।

ଆମ୍ଭେ ମଧ୍ୟପାତ୍ର ନ କର ତୁ ହେଳ

ମାଳା ଦେଇ ବରଣ କର ୟେତ ଶୁଭ ଅନକୂଳ ।୧୨୦।

ଶୁଣିଣ ନୀଳେନ୍ଦୀ ହରଷ ମନେ ମନୁ

ପଞ୍ଚୁଶର ଯେ ପୀଡ଼ା କଲାକ ତାର ତନୁ ।୧୨୧।

ଅଳପ ହସଇ ଯେ ଋଷିଂକର କଥା ଶୁଣି

ହୃଦୟ ପଦ୍ମ ମଧ୍ୟେ ବିଚାର କରଇ ତରୁଣୀ ।୧୨୨।

ୟେ ଯେ ବ୍ରହ୍ମାଂକ ସୁତ ଜଗତ କାରେଣୀ

ଅନରୂପେ ବର ମୋତେ ଘଟାଇଛନ୍ତି ଆଣି ।୧୨୩।

ୟେହାହୁଂ ଅଧିକେ ମୋତେ ନ ମିଳିବ ବର

ଜଗତେ ଆଧିପତି ୟେହାଂକ ପିଅର ।୧୨୪।

ବ୍ରହ୍ମାଦି ଦେବତାୟେ ଖଟନ୍ତି ଯାହାଂକୁ

ମୋହୋର କର୍ମବଳେ ପାଇଲି ତାହାଂକୁ ।୧୨୫।

ମାତା ପିତାୟେ ଯେ କରିବେ ସୀଉକାର

ଯେଣୁ ମୋ ନିଜ ଭଗ୍ନୀର ଶ୍ରୀକୃଷ୍ଣ ନିଜ ବର ।୧୨୬।

ୟେତେ ବିଚାରିଣ ଯେ ଗଳାରୁ କାଢିଲା ମୁକୁତା ମାଳି

ଆନନ୍ଦାନନ୍ଦ କଣ୍ଠେ ଲମ୍ୱାଇଲା ବାଳୀ ।୧୨୭।

ଦେଖିଣ ଯେ ବେଦ ଅଧ୍ୟାନ କଲେ

ଗନ୍ଧର୍ବ ବିଧିରେ କରି ବିଭା କରାଇଲେ ।୧୨୮।

ଆଶିଷ ଦେଇ ମହାମୁନି ଗଲେ ଅନ୍ତର୍ଦ୍ଧାନ

ବର କନ୍ୟା ରହିଲେ ବରୁଣ ଭୁବନେ ।୧୨୯।

ଅମୃତ ପାନ କରି ବେନି ଜନେ ତୋଷ

ରଜନୀ ବଞ୍ଚିଲେ ଯେ ବିବିଧ ରତିରସ ।୧୩୦।

ଅରୁଣ ଉଦୟେ ଯେ ଆନନ୍ଦାନନ୍ଦ ବୀର

ମନ ପବନ ଯୋଗେ ଗବନ ଦ୍ୱାରାବତୀ ପୁର ।୧୩୧।

ରୟଣୀରେ ବିଜୟେ ବରୁଣ ଭୁବନେ

ଦିବସେ ପ୍ରବେଶ ହୋୟେ ଆପଣାର ସ୍ଥାନେ ।୧୩୨।

ଦିନୁ ଦିନ ପୀରତି ହୋଇଲା ଅତିଅନ୍ତ

ଆନନ୍ଦାନନ୍ଦ ଯେ ନୀଳେନ୍ଦୀର ନିଜ କାନ୍ତ ।୧୩୩।

ୟେଥୁ ଅନନ୍ତରେ ଶୁଣ ହୋ ରାଜନ

ବରୁଣ ଭୁବନର କଥା ସମାଧାନ ।୧୩୪।

ଦିନେକ ନୀରବତୀ ଯେ ବରୁଣକୁ କହିଲା

ଭୋ ସ୍ୱାମୀ ତୁମ୍ଭର ବୀର୍ଯ୍ୟେ ଯେ ଦୁହିତା ଉପୁଜିଲା ।୧୩୫।

ଗଣ୍ଡ ଦୋଷ ଲାଗିଲା ତାକୁ ନିବେଶିଲ ବନ

ମୁହିଂ ଘେନି ଗଲି ଦେବ ତାକୁ କପିଳାସ ଭୁବନ ।୧୩୬।

ବନସ୍ତେ ପଶି ମୁଂ ଯେ କରନ୍ତେ ରୋଦନ

ହର ପାର୍ବତୀ ଆସି ମିଳିଲେ ସନ୍ନିଧାନ ।୧୩୭।

ପଚାରିଲେ କହିଲି ମୁଂ ସକଳ ବୃତ୍ତାନ୍ତ

ପ୍ରସନ୍ନ ହୋଇଣ ସେ ବର ଦିଲେ ଉମାକାନ୍ତ ।୧୩୮।

ଗଣ୍ଡ ଦୋଷ ନାଶଗଲା ଶଂକର କହିଲେ

ୟେ କନ୍ୟାର ନାମ ନୀଳେନ୍ଦୀ ବୋଲି ଦିଲେ ।୧୩୯।

ଆବର ରତ୍ନମଣି ଲମ୍ୱାଇଲେ ଆଣି

ଆମ୍ଭର କାର୍ତ୍ତିକକୁ ବିଭାଦେବୁ ୟେ ତୋହୋର ଦୁଲଣୀ ।୧୪୦।

ସେହି ଦିନୁ ଦୋହିତାକୁ ପାଳଇ ଯତ୍ନ କରି

ୟେବେ ନବ ଯୁବା ହୋଇଲା ଆମ୍ଭର କୁମାରୀ ।୧୪୧।

ତୁମ୍ଭେ ପିତା ହୋଇ ସ୍ୱାମୀ ନ ଜାଣିଲ ୟେହା

ୟେବେ କାର୍ତ୍ତିକକୁ ଆଣି କର ତୁମ୍ଭେ ବିହା ।୧୪୨।

ଶୁଣିଣ ବରୁଣ ରାଜା ଆନନ୍ଦ ହୋଇଲା

ପୁର ମଣ୍ଡାଅ ବୋଲି ମନ୍ତ୍ରୀକି କହିଲା ।୧୪୩।

ନୀଳେନ୍ଦୀ କନ୍ୟା କାଲି କରିବା ପ୍ରଦାନ

ବେଗେ ନିର୍ଭାକର ହୋ ତୁମ୍ଭେ ବିଭାର ବିଧାନ ।୧୪୪।

ବିଶ୍ୱକର୍ମାକୁ ଡକାଇ ନିଧିପତି ରାୟେ

ବେଦି ଛାମୁଣ୍ଡିଆ ସକଳ ନିର୍ଭା କୟେ ।୧୪୫।

ଜଳଧର ମନ୍ତ୍ରୀକୁ ରାଇ ନିଧିପତି

ବୋଲେ କପିଳାସ କନ୍ଦରକୁ ଚଳ ତୁ ଝଟିତି ।୧୪୬।

ସଦାଶିବ କୁମର କାର୍ତ୍ତିକ ସେନାପତି

ବରଣ କରି ବେଗେ ତୁମ୍ଭେ ଘେନି ଆସ ତଡ଼ତି ।୧୪୭।

ନୀଳେନ୍ଦୀ କନ୍ୟାକୁ ଯେ ବିହା କରିଦେବା

ବିଶ୍ୱନାଥଂକ ଚରଣେ ଥାଉ ମୋର ସେବା ।୧୪୮।

ୟେତେ ବୋଲି ବସନ କୁଣ୍ଡଳ ରତ୍ନହାର

ମଣିମୟ ମୁକୁଟ ଯେ ବରଣ ସମ୍ଭାର ।୧୪୯।

ଘେନିଣ ଜଳଧର ମନ୍ତ୍ରୀ କରଇ ଗବନ

ଯୋଗେଣ ମିଳିଲା ସେ କପିଳାସ ଭୁବନ ।୧୫୦।

ନନ୍ଦୀକେଶରଂକୁ କହି ମନ୍ତ୍ରୀ ଭିତରକୁ ଗଲା

ବିଶ୍ୱନାଥଂକ ଚରଣେ ଦରଶନ କଲା ।୧୫୧।

ବରୁଣ ସମସ୍ୟା ଯେତେ କହିଲେ ସକଳ

କାର୍ତ୍ତିକକୁ ବରିଲା ସେ ଦେଇଣ ରତ୍ନମାଳ ।୧୫୨।

ମକର ମାସ ଶୁକଳ ପକ୍ଷ ଚଉଠୀ ବୁଧବାର

କନ୍ୟା ନକ୍ଷତ୍ରକୁ ଯେ ଅଟଇ ସମ୍ପଦ ତାର ।୧୫୩।

ସେ ଦିନ ବିଭାଲଗ୍ନ ବିଚାରିଛି ରାୟେ

ନୀଳେନ୍ଦୀ କନ୍ୟା କାର୍ତ୍ତିକକୁ ବିଭା କରିବାୟେ ।୧୫୪।

ଶୁଣିଣ ହରଷ ହୋଇଲେ ଦେବ ହର

ନନ୍ଦୀ ମହାକାଳକୁ ବୋଇଲେ କର ବିଭାର ସମ୍ଭାର ।୧୫୫।

ଚଉଦ କୋଟି ଯେ ଶିବଗଣମାନ

ବୃଷଭ ପିଠିରେ ଯେ ବସିଲେ ଈଶାନ ।୧୫୬।

କାର୍ତ୍ତିକେଶ୍ୱରକୁ ବରବେଶ କରି

ବରୁଣର ମନ୍ତ୍ରୀ ଯେ ଅଛଇ ବରଣ କରି ।୧୫୭।

ବାଜଇ ବୀର ତୂର ଶଙ୍ଖ ମହୁରୀ ଭେରୀ

କାହାଳୀ ବିଜିଘୋଷ ବୋଜଇ ଚିରି ଚିରି ।୧୫୮।

ମହିଷ ଶିଂଗ ବାଦ୍ୟନାଦେ ଗଗନ ଉଚ୍ଛୁଳି

ଯୁବତୀମାନେ ତହିଂ ଦିଅନ୍ତି ହୁଳହୁଳୀ ।୧୫୯।

ମଙ୍ଗଳ ଅଷ୍ଟକ ପଢନ୍ତି ଚଣ୍ଡୀପୁତ୍ରମାନେ

ବିଣାୟେକ ଟିଣାୟେକ ବସିଲେ ବିମାନେ ।୧୬୦।

ବିଭାର ସମ୍ଭାର କହିତ କି ପାରି

ଶିବଗଣମାନେ ସଙ୍ଗେ ଅଛନ୍ତି ଉଭାରି ।୧୬୧।

ୟେମନ୍ତ ସମୟେ ଯେ ନାରଦ ମହାମୁନ୍ୟେ

ଯୋଗ ବଳେ ପ୍ରବେଶ କପିଳାସ ଭୁବନେ ।୧୬୨।

ଦେଖିଣ ସଦାଶିବ ଗଉରୋବ କଲେ

ଆସନେ ବସାଇ ସବୁ କୁଶଳ ପୁଚ୍ଛିଲେ ।୧୬୩।

ମୁନି ବୋଇଲେକ ଶୁଣିମା ଦେବ ହର

ଆଜ ତ ବଡ଼ ଉଚ୍ଛବ କପିଳାସ କନ୍ଦର ।୧୬୪।

ଶଂକର ବୋଇଲେ କାଲି କାର୍ତ୍ତିକର ବିଭା

ଚାଲ ମହାମୁନି ବରୁଣ ଭୁବନକୁ ଯିବା ।୧୬୫।

ଜଳଧର ମନ୍ତ୍ରୀ ଆସିଛନ୍ତି ୟେଥି ବରି

କାର୍ତ୍ତିକେଶ୍ୱରକୁ ଯେ ନୀଳେନ୍ଦୀ କନ୍ୟା ବିଭା କରି ।୧୬୬।

ବାଳକାଳୁଂ ଆମ୍ଭେ ବରିଥିଲୁଂ ତାହା

ବରୁଣ ଜାଣି ୟେବେ କରୁଅଛି ବିହା ।୧୬୭।

ମହାଦେବ ବୋଲନ୍ତି ମୁନି ତୁମ୍ଭେ ଚାଲ

ତୁମ୍ଭେ ଗଲେ ଆମ୍ଭର ଯେ ହୋଇବଟି ଭଲ ।୧୬୮।

ନାରଦେ ବୋଇଲେ ହୋ ଶୁଣ ଯୋଗେଶ୍ୱର

ସେ କନ୍ୟା ବରିଲାନି ବଳରାମଂକ କୁମର ।୧୬୯।

ଭ୍ରମନ୍ତେଣ ଦେଖିଲୁ ଆମ୍ଭେ ସମୁଦ୍ର ତଟରେ

ଆନନ୍ଦାନନ୍ଦ ଆସଇ ପ୍ରଭାତ ସମୟରେ ।୧୭୦।

କେଶବାସ ବିଭଳିତ କୁଂକୁମ ବର୍ଣ୍ଣ କାୟେ

ନଖ ଦନ୍ତ ଘାତ ଯେ ବିରାଜେ ତାର ଦେହେ ।୧୭୧।

ଆମ୍ଭଂନ୍ତ ଦେଖିଣ ଯେ ହୋଇଲା ତରସ୍ତ

କି ଜାଣି ଦିଶଇ ସେ ଅତିଅନ୍ତ ଅନାସ୍ତ ।୧୭୨।

ଆମ୍ଭର ପଚାରନ୍ତେ ସେ ସମସ୍ତ କହିଲା

ବରୁଣ ନନ୍ଦନୀ ନୀଳେନ୍ଦୀ, ମୋତେ ଯେ ବରିଲା ।୧୭୩।

ପିତା ନ ଜାଣଇ ତା ନ ଜାଣଇ ମୋ ମାତା

ରାମ କୃଷ୍ଣ କେହି ନ ଜାଣନ୍ତି ୟେଥିର ବାରତା ।୧୭୪।

ତୁମ୍ଭେ ଯେ ଜାଣିଲ ଗୁପତ ୟେବେ କର

ବିନୋୟୀ ହୋଇ ଚରଣ ଧଇଲା ମୋହୋର ।୧୭୫।

ସେହି ଦିନୁ ଜାଣିଲୁ ଆମ୍ଭେ ସେ କନ୍ୟା ଦୂଷିଲା

ବରୁଣ ନ ଜାଣଇ, ବରଣ ତୁମ୍ଭନ୍ତ କଲା ।୧୭୬।

ଦେବ ! ତୁମ୍ଭର କନ୍ୟା ସେ ଅଟଇ ଯୁଗତେ

ପିତା ମାତା ବରଣ କରିଛନ୍ତି ସତ୍ୟେ ।୧୭୭।

ପିତା ମାତା ଜାଣି ବରଣ ସେ କରି

ସେ କନ୍ୟାକୁ ଆନ ପୁତ୍ର କେହୁ ବରି ।୧୭୮।

ଶୁଣିଣ ପ୍ରଜ୍ୱଳିତ ହୋଇଲେ ଦିଗବାସ

ବୋଇଲେ ଯଦୁବଂଶ ଆଜ କରିବଇଂ ନାଶ ।୧୭୯।

ବାଳକାଳରୁଂ ମୁଂ ଯେ ବରିଲି ନନ୍ଦନୀ

ପିତା ମାତା ବରିଲେ ଯେ ସେ କାଳର କଥା ଜାଣି ।୧୮୦।

ସେ କନ୍ୟାରେ ପୁଣି ଯେ ୟେମନ୍ତ ହୋଇଲା

ରକ୍ମିଣୀକି ବଳେ ଯଦୁପତି ହରିନେଲା ।୧୮୧।

ଆବର ଯେତେକ ଠାରେ ଅନୀତି ତାର ଅଛି

ସେହୁ ପାରଗଲା ୟେବେ ୟେହା ଆରମ୍ଭୁଛି ।୧୮୨।

ଗୋକୁଳେ ବଢିଲା ସେ ହରିଲା ଗୋପନାରୀ

ସବୁହିଂ ଅନ୍ୟାୟେ ଅଟଇ ତାହାର ।୧୮୩।

ଆଜ ଯେ ଜାଣିବା ନିଚେଂ ତାହାର ବଳପ୍ରାଣ

ତ୍ରିଶୂଳର ଘାୟେ ଘେନିବି ତାର ପ୍ରାଣ ।୧୮୪।

କହୁ କହୁ କ୍ରୋଧ ଯେ ବଢିଲା ପଶୁପତି

କରେ ଘେନିଲେ ସେ ପରିଘ ଶୂଳ ଶକତି ।୧୮୫।

କୋପେଣ ବଦନ ଯେ କମ୍ପଇ ଥରହର

ଅର୍ଦ୍ଧ ଆକାଶରେ ଯାଇଂ ଲାଗିଲାକ ଶିର ।୧୮୬।

କୋପେଣ ନୟନ ଯେ ତମ୍ୱା ଚକ୍ର ପ୍ରାୟେ

ମେରୁ ହଲୁଅଛି ଯେ ନିଶ୍ୱାସର ବାୟେ ।୧୮୭।

ଫୁଫୁକାରେ ଗର୍ଜନ୍ତି ଯେ କାଳ ସର୍ପ ଜାଣି

କି ଅବା ରାସାଂଗତ ହୋଇବ ଧରଣୀ ।୧୮୮।

ଉଠନ୍ତି ବସନ୍ତି କମ୍ପନ୍ତି ଝଲକନ୍ତି

ଫୁଲନ୍ତି ନସନ୍ତି ଗର୍ଜନ୍ତ ଫୁଫୁରନ୍ତି ।୧୮୯।

ଯହୁଂ ଅତି କ୍ରୋଧ ହୋଇଲେ ଦେବ ହର

ଜଳନ୍ଧର ମନ୍ତ୍ରୀ ତହୁଂ କହଇ ଉତ୍ତର ।୧୯୦।

ଶୁଣ ଦେବ ଶଂକର ବିଶ୍ୱନାଥ

ଅକାରଣେ କ୍ରୋଧ ହୋ ନ କର ପଞ୍ଚୁମାଥ ।୧୯୧।

ଯେବଣ ଭୁବନକୁ ପବନ ଭୟେ ପାଇ

ଚନ୍ଦ୍ର ସୂର୍ଯ୍ୟଂକର ଯହିଂ କିରଣ ନ ଲାଗଇ ।୧୯୨।

ସେ ଭୁବନ କେ ଭରସି ପଶିବ ମାନବ ଦେହ ଧରି

ଯମ ଭୟେ କରଇ ସେ ଜଳନ୍ଧର ପୁରୀ ।୧୯୩।

ୟେ ଯେ କଳହପ୍ରିୟ କହିଲେ ନ ଜାଣି

ଆପଣେ ଭଲ କରି ବୁଝିବା ତଥ୍ୟ ପରିମାଣି ।୧୯୪।

ମୋହୋର ବୋଲ କରି କୋପ ଶାନ୍ତି କର

ବରଣ ତୁମ୍ଭନ୍ତ କରିଛି ସେ ଯେ ରତ୍ନାକର ।୧୯୫।

ପିତା ମାତା ଜାଣିଣ ଅଛନ୍ତି ତୋତେ ବରି

କାହାର ବଳେ ୟେହା ହୋଇବ ଆନ କରି ।୧୯୬।

ତୁମ୍ଭେ ତ ସର୍ବଗ୍ୟଂ ମୋର ଦୋଷ ନ ଘେନିମା

ବେଗେ ବିଜେକର ଯିବା ବରୁଣର ସୀମା ।୧୯୭।

ଆଦି ଅନ୍ତ କଥା ଯେ ବୁଝିବା ପରିମାଣି

ଯାହାର ଦୋଷ ତାକୁ ଦଣ୍ଡିବ ତୁମ୍ଭେ ଜାଣି ।୧୯୮।

ମନ୍ତ୍ରୀର ବଚନେ ହର ଥୋକାୟେ ଶାନ୍ତି ହେଲେ

ଶିବଗଣମାନନ୍ତ ସେ ରାଇଣ ବୋଇଲେ ।୧୯୯।

ଯେ ଯାହାର ଶହସ୍ର ଯେ କରେ ଘେନିଥିବ

ବଳତ୍କାର ହୋଇଲେ ସେ ଯୁଦ୍ଧ ଆରମ୍ଭିବ ।୨୦୦।

ୟେତେ କହିଣ ଦେବ ହୋଇଲେ ପୁଣ ସଜ

ଦମା ଦାଉଣ୍ଡି ବାଜଇ ପଖାଉଜ ।୨୦୧।

ଶୂଳ ଶକତି ଗଦା ମୁଦୁଗରମାନ ଝଲକନ୍ତି

ଆଲମ୍ୱ ପାଟଛତ୍ର ବିମଳ ପନ୍ତି ପନ୍ତି ।୨୦୨।

ଅସିପତ୍ର ବୁଲାଇ ବୋଲନ୍ତି ମାର ମାର

ଆକର୍ଣ୍ଣ ପରିଯନ୍ତେ ପୂରୋଇ ଓଟାରନ୍ତି ଶର ।୨୦୩।

ପର୍ବତୁଂ ଓହ୍ଲାଇ ଶିବ ଚଳାଇଲେ ଥାଠ

ମୁଖ ରାବ ଶବଦେ କମ୍ପଇ ଗଗନ ବାଟ ।୨୦୪।

ଦଣ୍ଡେକ ନ ବିଷୋଇଣ ଯେ ପଥ ବାହିଗଲେ

ବରୁଣ ଭୁବନେ ଅସ୍ତ ସମୟେ ମିଳିଲେ ।୨୦୫।

ଜାଣିଣ ନିଧିପତି ପାଛୋଟି ଆସି ନେଲା

ଆସନେ ବସାଇଣ ପୂଜାବିଧି କଲା ।୨୦୬।

ଅନେକ ଅକ୍ଷେତ ଧନ ରତ୍ନମାନ ଦେଇ

ପୂଜଇ ହର ପାଦେ ରାଜା ବହୁତ ବିନୋୟୀ ।୨୦୭।

ସନ୍ତୋଷ ହୋଇ ହର ବୋଲନ୍ତି ବଚନ

ତୋହୋର ଦୋହିତା ଗୋଟି ଦେବୁଂ ଆମ୍ଭର ନନ୍ଦନ ।୨୦୮।

ୟେ କଥା ତୁମ୍ଭର ରାୟେ ଅଟଇ ଟିକି ସତ

ସରୂପ କରି କହ ନ କର ଗୁପତ ।୨୦୯।

ବରୁଣ ବୋଇଲା ଆଉ କିସ ପଚାର ଗୋସାଇଂ

ଦୋହିତା ଗୋଟି ଦେଇ ଶରଣ ପଶୁଅଛି ମୁହିଂ ।୨୧୦।

ଶକଂର ବୋଇଲେ ଆମ୍ଭେ ଅଇଲୁ ତୁମ୍ଭର ବୋଲେ

ଦୋହିତା ବିଭା ଦେବୁ ରୟଣୀ ପାହିଲେ ।୨୧୧।

କର ହୋ ବିଭାର ମଙ୍ଗଳ ଯେ ବିଧି

ଥୋକାୟେ କନ୍ୟାକୁ ନିର୍ବନ୍ଧି ଥିବେ ଜଗି ।୨୧୨।

ବରୁଣ ବୋଇଲେ ଦେବ ୟେଡ଼େ ଭୟ କାହିଂ ପାଇଂ

ଶଂକର ବୋଇଲେ କଥା ସନ୍ଧି ଅଛି ହୋଇ ।୨୧୩।

ତୋହୋର ଯେତେ ସନ୍ୟ ଆମ୍ଭର ଥୋକେ ଥାନ୍ତୁ

ରାତ୍ର ପାହିବା ଯାୟେ କନ୍ୟାନ୍ତ ରଖିଥାନ୍ତୁ ।୨୧୪।

ବରୁଣ ବୋଇଲା ଦେବ ଯେ ତୋହୋର ଆଗ୍ୟାଂ

କାହାର ବୋଲେ ୟେହା କରିବ ଅବଗ୍ୟାଂ ।୨୧୫।

ଜଳନ୍ଧର ମନ୍ତ୍ରୀକି ଚାହିଂଣ ବୋଇଲା ରତ୍ନାକର

ଶିବଗଣନ୍ତ ଘେନିଣ ହୋ କନ୍ୟାକୁ ରକ୍ଷା କର ।୨୧୬।

ଶକଂର ଆଗ୍ୟାଂ ଦିଲେ ଗଣପତିକି ରାଇ

ତିନି କୋଟି ସନ୍ୟ ଘେନି ଥିବୁ ସଜ ହୋଇ ।୨୧୭।

ତୁମ୍ଭର ସଂଗତେ ନନ୍ଦୀ କଟକେ ବୁଲିବ

ଆନ ଲୋକ ଦେଖିଲେ ପ୍ରାଣରେ ମାରିବ ।୨୧୮।

କାର୍ତ୍ତିକର ତୁଲେ ଥିବେ ସନ୍ୟ ପାଞ୍ଚକୋଟି

ଅନ୍ୟନ୍ତର ଲୋକ ଦେଖିଲେ ପକାଉଥିବ କାଟି ।୨୧୯।

ତିନିକୋଟି ସନ୍ୟ ଘେନି ଭ୍ରୂକୁଟି ବିରାଜିବ

ଜଳଧର ସଂଗେ କନ୍ୟାକୁ ଜଗିବ ।୨୨୦।

ଚାରିକୋଟି ଘେନିଣ ମୁଂ ଦ୍ୱାରେ ଥିବି ଜଗି

ଡଗରମାନେ ବାରତା କହୁଥିବେ ବେଗି ।୨୧୧।

ଶୁଣିଣ ଶିବଗଣ ଯେ ଯାହାର ବାଣ୍ଟେ ଗଲେ

କରେ ଶହସ୍ର ଘେନି ନିର୍ବନ୍ଧି ଜଗିଲେ ।୨୨୨।

ବରୁଣ ପୁର ଲୋକେ ପାଇଲେ ମହା ଭୟେ

ପୃଥୀ କମ୍ପୁଅଛି ଶିବଗଣ ପାଦ ଘାୟ ।୧୨୩।

ବରୁଣ ପୁରେ ମଂଗଳ ଉଚ୍ଛବ ଯେ କରି

ବାଜଇ ନାନବାଦ୍ୟ ଶଙ୍ଖ ମହୁରୀ ଭେରୀ ।୧୨୪।

ୟେମନ୍ତର ସମୟେ ଶିବଗଣମାନେ

ପ୍ରବେଶ ହୋଇଲେ ଯାଇଂ ମେଢର ସନ୍ନିଧାନେ ।୧୨୫।

ଶତେ ପୁର କରିଣ କନ୍ୟାକୁ କଲେ ରକ୍ଷା

ଅମୃତ ଭୋଜନ କଲେ ଯେ ଯାହାର ଇଚ୍ଛା ।୧୨୬।

ୟେଥୁ ଅନନ୍ତରେ ତୁ ହୋ ଶୁଣ ନୃପବର

ଅପମାନେ ଅଇଲେ ସେ ବ୍ରହ୍ମାଂକ କୁମର ।୧୨୭।

ଯହୁଂ ନାରଦଂକ କଥା ନ ରହିଲା

ଜଳନ୍ଧର ମନ୍ତ୍ରୀ ବୋଲ ଶିବ ଯହୁଂ କଲା ।୧୨୮।

ନାରଦ ଦେଖୁଂ ଦେଖୁଂ କପିଳାସୁଂ ଗଲେ

ଅତି କୋପେ ମୁନି ଦ୍ୱାରିକାୟେ ବିଜେ କଲେ ।୧୨୯।

ଅନନ୍ଦାନନ୍ଦଂକୁ ମୁନି କହିଲେ ମଣାଇଂ

ବରୁଣ ବରିଲା କାର୍ତ୍ତିକକୁ କନ୍ୟା ବିହା ଦେବା ପାଇଂ ।୨୩୦।

ମୋହୋର ଆଗରେ ଯେ ବରିଅଛି ତୋତେ

ତୁ ୟେବେ ଘେନି ଆସ ଯାଇଣ ଗୁପତେ ।୨୩୧।

ଶଂକର ଶିବଗଣ ଘେନି ଯାଉଂଣ ଅଛଇ

ତୁହି ତ ମହାବୀର ଘୁଞ୍ଚିବୁ କାହିଂ ପାଇଂ ।୨୩୨।

ତୋହୋର କନ୍ୟା ତୋହୋ ଦେଖନ୍ତି ଆନ ନେମ

ସାଂଗ୍ରାମ କରନ୍ତେ ସେ ନୋହନ୍ତି ତୋତେ କ୍ଷମ ।୨୩୩।

ଆପଣା ଦେହରେ ବଳ ବୀର୍ଯ୍ୟ ଥିଲେ

କେମନ୍ତେ ସହିବୁ ତୁ କନ୍ୟା ଆନ ନେଲେ ।୨୩୪।

ଋଷିଂକର କହନ୍ତେ ଯେ କୋପିଲା କୁମର

ଆପଣାର ନିଜ ଗଦା ଘେନିଲାକ କର ।୨୩୫।

ବିବାନ ଆରୋହିଣ ଗଗନ ମାର୍ଗେ ଗଲା

ବରୁଣ ଭୁବନର ସନ୍ନିଧେ ମିଳିଲା ।୨୩୬।

ନାରଦ ମହଋଷି ତାହାର ସନ୍ନିଧରେ ଥିଲେ

ବିବାନୁଂ ଉତୁରିଣ ଋଷିଂକି ପୁଚ୍ଛା କଲେ ।୨୩୭।

କେମନ୍ତ ପ୍ରକାରେ ମୁଂ ଆଣିମଇଂ ହରି

ଭୋ ମହାମୁନି ମୋତେ କହିବା ବିସ୍ତାରି ।୨୩୮।

ରଥ ଘେନି ଗଲେ ଜଣା ତ ପଡିବ

ବରୁଣ ଭୁବନୁଂ କନ୍ୟା କେମନ୍ତେ ଆସିବ ।୨୩୯।

ୟେ ବଡ ସଂକଟ ତ ଲାଗିଲାକ ମୋତେ

କେମନ୍ତେ କନ୍ୟା ଆଣି ବସାଇବି ରଥେ ।୨୪୦।

ଆନନ୍ଦାନନ୍ଦ ଆତଙ୍ଗ ଜାଣିଲେ ମୁନିବର

ପ୍ରସନ୍ନ ହୋଇଣ ତାହାନ୍ତ କହନ୍ତି ଉତ୍ତର ।୨୪୧।

ପାଦୁକା ମନ୍ତ୍ର ଆମ୍ଭେ ଦେଉଅଛୁଂ ତୋତେ

ସେ ମନ୍ତ୍ର ସୁମରିବୁ କନ୍ୟା ଘେନି କୋଳାଗ୍ରତେ ।୨୪୨।

ନୟନ ବୁଜିଣ ପୁଣି ବର କନ୍ୟା ଆସୁଥିବ

ରଥେ ପ୍ରବେଶ ହେବା ଯାୟେ ତୋତେ କେହି ନ ଦେଖିବ ।୨୪୩।

ୟେତେକ କହି ମୁନି ଅନ୍ତର୍ଦ୍ଧାନେ ଗଲେ

ମୁନିଂକ ମହାମନ୍ତ୍ର ଆନନ୍ଦାନନ୍ଦ ଦୀକ୍ଷା କଲେ ।୨୪୪।

ପାଦୁକା ମନ୍ତ୍ର ସୁମରି କୁମର ବିଜେ କଲା

ନୟନ ଦୁହିଂକ ସେ ମୁଦିଣ ଯେ ଦିଲା ।୨୪୫।

ରଥ ରୁହାଇଣ ଯାଇଅଛନ୍ତି ପଥରେ

କୁମର ପ୍ରବେଶ ହୋଇଲା ଯାଇଂ ମେଢର ଭିତରେ ।୨୪୬।

ଦେଖିଣ ନୀଳେନ୍ଦୀ ଯେ ଆସନୁଂ ଉଠିଲା

ପଣତ ପାଡ଼ିଣ ସେ ଚରଣେ ଲୋଟିଲା ।୨୪୭।

ପାଦ ପଖାଳିଣ ବସାଇଲା ଆସନେ

ଶରୀର ଲେପିଲା ସେ ସୁଗନ୍ଧ ଚତୃସମେ ।୨୪୮।

ବେବାଙ୍ଗ ବସନ ଯେ ସୁଗନ୍ଧ ପୁଷ୍ୟ ଦେଇ

ମଣିମୟ ମୁକୁଟ ଶିରରେ ବାନ୍ଧଇ ।୨୪୯।

କଚଟି ବାହୁଟି ଯେ ହୃଦକଇ ବନମାଳା

ପୟରେ ନେପୂର ଯେ କକଂଣ ଜଗଦଳା ।୨୫୦।

ଅନେକ ସୁବେଶ ଯେ କରିଣ ତରୁଣୀ

ଅମୃତ ଯୋଗାଡ଼ମାନ ପରଶଇ ଆଣି ।୨୫୧।

ଭୋଜନ ସାରିଣ ସେ କରାଇ ଆଂଚୋବନ

କର୍ପୂର ବିଡ଼ିୟା ଆଣି ଦିଲାକ ବହନ ।୨୫୨।

ସୁଗନ୍ଧ ପୁଷ୍ୟମାଳ ଗଳାରେ ଲମ୍ୱାଇ

ପଲଂକେ ବସାଇଣ ଚରଣ ଚାପଇ ।୨୫୩।

ବିନୟ ହୋଇଣ ଯେ କହଇ ତରୁଣୀ

କୋପ ନ କରି ସ୍ୱାମୀ ଶୁଣିମା ମୋର ବାଣୀ ।୨୫୪।

ମୋହୋର ନିମନ୍ତେ ପିତା ବରିଲାକ ବର

କାର୍ତ୍ତିକ ନାମ ତାଂକର ଶଂକର କୁମର ।୨୫୫।

କାଲି ପ୍ରଭାତେ ପ୍ରଦାନ କରିବାକ ମୋତେ

ତୁମ୍ଭେ ତ ଜାଣ ତୁମ୍ଭନ୍ତ ବରିଛି ଯୁଗତେ ।୨୫୬।

ପିତା ନ ଜାଣଇ ଯେ ଆନ ବର ବରି

ବର ଘେନି ଅଇଲେ ଈଶ୍ୱରେ ଆମ୍ଭ ପୁରୀ ।୨୫୭।

ରାତ୍ର ନ ପାହୁଣୁ ଆମ୍ଭେ ଦ୍ୱାରିକାକୁ ଯିବା

ମୋହୋର ଥିଲେ ସିନା କରନ୍ତେ ଅବା ବିଭା ।୨୫୮।

ମୋ ପ୍ରାଣନାଥ ୟେବେ ମୋହୋର ବୋଲ କର

କେହି ନ ଜାଣନ୍ତୁ ଯିବା ଦ୍ୱାରାବତୀ ପୁର ।୨୫୯।

ଆନନ୍ଦାନନ୍ଦ ବୋଇଲେ ଶୁଣ ହୋ ତରୁଣୀ

ତୁ ଯାହା କହିଲୁ ପ୍ରିୟା ଅଛଇନି ମୁଂ ଜାଣି ।୨୬୦।

ନାରଦେ କହିଲେ ମୋତେ ଗୁପତରେ ରାଇ

ବୋଇଲେ ସେ ନୀଳେନ୍ଦୀକି ଘେନି ଆସ ଯାଇ ।୨୬୧।

କାର୍ତ୍ତିକେଶ୍ୱରକୁ ୟେବେ ବର ବରିଲେ ବରୁଣ

ଈଶ୍ୱରେ ଗଲେ ଆଜ ଜଳଧି ଭୁବନ ।୨୬୨।

କାଲି ପ୍ରହରକ ଠାରେ କରିବେ ବିଭା ଅଧିବାସ

ତୁମ୍ଭେ ଯାଇ ୟେବେ ତହୁଂ କନ୍ୟା ଘେନ ଆସ ।୨୬୩।

ଋଷିଂକର ବଚନେ ମୁହିଂ ଅଇଲଇ ବେଗ ହୋଇ

ରଥେକ ଆଣିଥିଲି ବାଟରେ ଅଛଇ ରଖାଇ ।୨୬୪।

ତୋର ମନେ ଯେବେ ୟେସନକ ବିଚାର

ମୋହୋର ସଙ୍ଗତରେ ତୁ ହୋଅସି ବାହାର ।୨୬୫।

ୟେମନ୍ତର ସମୟେ ଶିବଗଣମାନେ

ପ୍ରବେଶ ହୋଇଲେ ଆସି ମେଢ ସନ୍ନିଧାନେ ।୨୬୬।

ମାର ମାର ଧନି ଯେ ଶୁଭଇ ଚହଳ

ବେଳକୁ ବେଳ ଆସି ହୋଇଲେ, ଗହଳ ।୨୬୭।

ମୁଖ ରାବ ଧୁନି ଶୁଣି ନୀଳେନ୍ଦୀ ବୋଇଲା

ବହୁତ ସନ୍ୟ ଘେନି ତ ଶଂକର ଅଇଲା ।୨୬୮।

ଭୋ ପ୍ରାଣନାଥ ତୁମ୍ଭେ ନ କରସି ହେଳା

ଅଗାଦ ସମୁଦ୍ରେ ଦେବ ବୁଡ଼ିଲାକ ଭେଳା ।୨୬୯।

ଚଉଦିଗ ଘୋଟି ଅଇଲେ ଶିବଂକ ସଇନି

କେବଣ ପ୍ରକାରେ ମୋତେ ଯିବ ୟେଥୁଂ ଘେନି ।୨୭୦।

ଭୋ ଧର୍ମ ଦେବତା ତୁମ୍ଭେ ପ୍ରତିକାର କର

ୟେ ଘୋର ସଂକଟୁ ବାରେ ଆମନ୍ତ ରକ୍ଷା କର ।୨୭୧।

ମୋହୋର ପାଇଂ ନାଥ ନ ପାଅ ପରାଭବ

ଜାଣନ୍ତା ହୋଇଲେ ଆଜ ଜୀବନ ନ ରହିବ ।୨୭୨।

ତୁମ୍ଭେ ବ୍ରତି ଥିଲେ ନାଥ ଅନେକ କନ୍ୟା ଅଛି

ତୁମ୍ଭର ବିହୁନେ ମୋତେ ନ ଯୋଗାଇ କିଛି ।୨୭୩।

ୟେତେ ବୋଲି ନୀଳେନ୍ଦୀ ଯେ ପଡ଼ିଲାକ ଢଳି

ଧାତିକାରେ ଆନନ୍ଦାନନ୍ଦ ଧଇଲାକ ତୋଳି ।୨୭୪।

ମୁଖେ ଜଳ ସିଞ୍ଚି ସେ ବିଞ୍ଚଣୀରେ ବିଞ୍ଚି

ଚତୃସମ ଲେପିଣ ସେ ସୁଗନ୍ଧ ପୁଷ୍ୟ ସିଞ୍ଚି ।୨୭୫।

ୟେଡ଼େ ଅସାଷ୍ଟମ ପ୍ରିୟେ ହୋଇଲୁ କିସ ପାଇଂ

ହା ହା ପ୍ରାଣସଖୀ ଆନନ୍ଦାନନ୍ଦ ତୋଳଇ ।୨୭୬।

ସଚେତ କରିଣ ତାକୁ କୋଳରେ ବସାଇଲା

ମୁଖେ ଚୁମ୍ୱନ ଦେଇ ବଚନ ବୋଇଲା ।୨୭୭।

ତୁହି ତ ବାଳୁତ ନ ଜାଣୁ ନା କିଛି

ଶଂକର ଅଇଲେ କି ମୋହୋର ଭୟେ ଅଛି ।୨୭୮।

ୟେବେ ୟେ ଗଦାବର ଥିବ ମୋହୋର କରେ

କୋଟିୟେ ଈଶ୍ୱର ହେଳେ ଜିଣିବି ସମରେ ।୨୭୯।

ୟେବେ ମୁଂ ଭୟେ କରନ୍ତି ସମରକୁ

କିପାଂଇ ଆସନ୍ତି ୟେ ତୋହୋର ଭୁବନକୁ ।୨୮୦।

ନୀଳେନ୍ଦୀ ବୋଇଲା ନାଥ ନ ଘେନିମା ମୋର ଦୋଷ

ତୁମ୍ଭର ଭୁବନକୁ ବହନ ଯିବା ଆସ ।୨୮୧।

ୟେତେ ବୋଲିଣ ବାଳୀ ହୋଇଲାକ ଉଭା

ଚରଣ ଧରି କହେ ସ୍ୱାମୀ ବହନ ହୋଇ ଯିବା ।୨୮୨।

ବୋଲଇ ଆନନ୍ଦାନନ୍ଦ ସଖୀ ବୁଜ ଗୋ ନୟନ

ଋଷିଂକ ମନ୍ତ୍ର ବଳେ କରିବା ଗବନ ।୨୮୩।

ଶୁଣିଣ ନୀଳେନ୍ଦୀ ତକ୍ଷଣେ ନୟନ ବୁଜିଲା

କନ୍ୟାକୁ କୋଳେ ଘେନି ଋଷିଂକ ମନ୍ତ୍ର ସୁମରିଲା ।୨୮୪।

ତକ୍ଷଣେ ଆକାଶ ମାର୍ଗେ ଗବନ କରି ଗଲା

ମୁନିଂକ ପ୍ରସନ୍ନେ ତାଂକୁ କେହି ନ ଦେଖିଲା ।୨୮୫।

ଯେବଣ ବିବାନ ପଥରେ ରଖିଥିଲେ

ସେ ବିବାନକୁ ଯାଇ ଲେଉଟି ଭେଟିଲେ ।୨୮୬।

ମନୋହର ବିବାନ ବ୍ରହ୍ମା ମନରୁ କଲେ ଜାତ

ଗାଗ୍ରେବ ଋଷିଂକି ତାହା ଦିଲେକ ବିଧାତ ।୨୮୭।

ସେ ବିବାନ ଆନନ୍ଦାନନ୍ଦଂକୁ ମୁନି ଦିଲା

ଯହୁଂ ସେ ମୁନିଂକି ଅନେକ ଭଗତି ହୋଇଲା ।୨୮୮।

ସେ ବିବାନେ ବସି କଲେକ ଗବନ

ସେଠାକୁ ଦ୍ୱାରିକା ଭୁବନ ସତାଈଶ ଯୋଜନ ।୨୮୯।

ୟେଥୁ ଅନନ୍ତରେ ଆହେ ଶୁଣ ଦିବ୍ୟ ରସ

ମଙ୍ଗଳ ବିଧି ଘେନି ଅଇଲେ ବରୁଣ ରାଣୀହଂସ ।୨୯୦।

କନ୍ୟାକୁ ମଙ୍ଗଳ ସେହୁ କରିବା ନିମନ୍ତେ

ମେଢକୁ ଆସଇ ନୀରବତୀ ଦାସୀର ସମେତେ ।୨୯୧।

ହୁଳହୁଳି ଦେଇ ମଙ୍ଗଳ ଗୀତ ଗାଇ

ନାଚନ୍ତି ନଟବାରୀ ତାଳ ଯନ୍ତ୍ର ବାଇ ।୨୯୨।

ଶତେକ ଶଙ୍ଖ ତହିଂ ଫୁରଇ ଘନ ଘନ

ମଙ୍ଗଳ ପଢନ୍ତି ଯେ ସୁଗ୍ୟଂ ବିଦୁ ଜନ ।୨୯୩।

ମେଢର ଉପରକୁ ଯେ ଉଠିଲେ ସର୍ବ ବାଳୀ

ଆଗ ହୋଇ ନୀରବତୀ ଘେନିଣ ଅର୍ଘ୍ୟ ଥାଳୀ ।୨୯୪।

ଭିତରେ ଦେଖିଲେ ସେ ମେଢ ହୋଇଅଛି ତୁଚ୍ଛା

ଦୋହିତାକୁ ନ ଦେଖି ରାଣୀ ହୋଇଗଲେ ମୂର୍ଚ୍ଛା ।୨୯୫।

ଆଗୋ ନନ୍ଦିନୀ, ବୋଲି ଲୁଟଇ ଧରଣୀ

କେଣେ ଗଲୁ ମୋହୋର ତୁ କୁଳର ମଣ୍ତଣୀ ।୨୯୬ ।

ଅତ୍ୟନ୍ତ ଯତନ କରି ମା ଗୋ ତୋତେ ପ୍ରତିପାଳି ଥିଲି

ପରେ ପ୍ରଦାନ କରିବା କାଳକୁ ତୋତେ ହରାଇଲି ।୨୯୭।

ମୋତେ ନ କହିଣ ତୁହି କେଣେ ଗଲୁ ଛାଡ଼ି

ମୁହିଂ ଯେ ମରୁଅଛି ଶୋକ ଜଳେ ବୁଡ଼ି ।୨୯୮।

ମୋହୋର ବିକଳ ତୁ ନ ଶୁଣୁ କିସ ପାଇଂ

ଜାଣିଲି ତୋହୋର ହୃଦେ ଦୟା ତିଳେ ନାହିଂ ।୨୯୯।

ହା, ହା ଦୁହିତା ବୋଲି ରୋବଇ ବିକଳେ

କେବଣ ପୁରୁଷ ଅବା ତୋତେ ନେଲା ବଳେ ।୩୦୦।

କି ଅବା ମୋହୋର ମନ ଜାଣିବାର ପାଇଂ

କେଣେ ଲୁଚିଅଛୁ ୟେବେ ଦିଅ ଦେଖା ତୁହି ।୩୦୧।

ୟେତେ ବୋଲିଣ ରାଣୀ ଲୋଡ଼ଇ ଚଉକତି

ସଙ୍ଗେ ଗୋଡ଼ାଇଣଛନ୍ତି ଅନେକ ଯୁବତୀ ।୩୦୨।

ରୋଦନ କରନ୍ତେ ରାଣୀ ଉଛୁଳଇ ମହୀ

କେ ବୋଲଇ କେଣେ ଗଲା କେ ବୋଲଇ ନାହିଂ ।୩୦୩।

ବାବୁ ଦଇବ ପୁରୁଷ ରେ ୟେହା ଯେ ବିହିଲୁ

ବାଳୁତ କାଳୁଂ ପାଳିଲି କାହିଂରେ ନ କଲୁ ।୩୦୪।

ୟେତେ ବୋଲିଣ ରାଣୀ କରନ୍ତେ ରୋଦନ

ଡଗରେ କହନ୍ତି ଯାଇଂ ଶଂକର ସନ୍ନିଧାନ ।୩୦୫।

ଶୁଣ ଦେବ ଶଂକର ପଞ୍ଚୁବଦନ ତ୍ରିପୁରାରି

ମେଢର ଭିତରୁ କନ୍ୟା କେହୁ ନେଲା ହରି ।୩୦୬।

ବରୁଣ ରାଣୀ ମଙ୍ଗଳ ବିଧି ଘେନି କରି

କନ୍ୟାକୁ ନ ଦେଖି ସେ ରୋବଇ ସୁନ୍ଦରୀ ।୩୦୭।

ବରୁଣର ମନ୍ତ୍ରୀ ଯେ ଭ୍ରୂକୁଟି ସହିତେ

କେହି ନ ଜାଣନ୍ତି କନ୍ୟା କେ ନେଲା ଗୁପତେ ।୩୦୮।

ବରୁଣର ରାଣୀମାନେ କରନ୍ତି ରୋଦନ

ତେଣୁ କରି ଦେବ ତୁମ୍ଭନ୍ତ ଜଣାଇଲୁ ବହନ ।୩୦୯।

ଶୁଣି କୋପାନଳ ଦେବ ପଶୁପତି

ବୃଷଭ ଉପରେ ବିଜୟେ ତଡ଼ତି ।୩୧୦।

କାର୍ତ୍ତିକ ଗଣପତି କାଳ ମହାକାଳ

ଶଂକର ସନ୍ନିଧେ ହୋଇଲେ ଆସି ମେଳ ।୩୧୧।

ହର ବୋଇଲେ ତୁମ୍ଭେ ଥିଲ ବିଦ୍ୟମାନେ

ତୁମ୍ଭେ ଥାଉଂ ଥାଉଂ କନ୍ୟା ଘେନିଗଲା ଆନେ ।୩୧୨।

ନାରଦେ ବୋଇଲେ ସେ ବଳରାମଂକ ସୁତ

ସେ କନ୍ୟା ପୁରକୁ ହୋଇଥିଲା ଆଗତ ।୩୧୩।

ଆମ୍ଭର ଆସିବାର ଜାଣିଲାକ ଯହୁଂ

କନ୍ୟା ଘେନି କରି ଦ୍ୱାରିକା ଗଲା ତହୁଂ ।୩୧୪।

ସନ୍ୟ ସଜ କର ଯିବା ବେଗ ହୋଇ

ମରଣରୁ ସଂକୋଚ କହଣା ନ ଯାଇଂ ।୩୧୫।

ଦ୍ୱାରିକାପୁର ମୁଂ ଆଜ କରିବି ଭସ୍ମରାଶି

ପୃଥୀରେ ନ ରଖିବି ରାମ କୃଷ୍ଣ ଯଦୁବଂଶୀ ।୩୧୬।

ମହା କୋପଭରେ ଦେବ ତ୍ରିଲୋଚନ

ବୃଷଭ ଧୁଆଇଂ ସେ ବେଗେ କରନ୍ତି ଗବନ ।୩୧୭।

ମୟୂର ବାହନେ ଯେ କାର୍ତ୍ତିକ ବୀର ବିଜେ

ଇନ୍ଦୁର ବାହନେ ଯେ ଗଣନାଥ ସାଜେ ।୩୧୮।

ଯେ ଯାହା ବାହାନ ଯେ ଆରୋହି ଝଲକନ୍ତି

ଶଂକରଗଣମାନେ ଦିଶନ୍ତି ପନ୍ତି ପନ୍ତି ।୩୧୯।

ବରୁଣ ସନ୍ୟ ଘେନି ସଜ ହୋଇଣ ଆସଇ

ଶଂକର ସନ୍ନିଧେ ମିଳିଲେକ ଯାଇ ।୩୨୦।

ବରୁଣକୁ ଦେଖି ବୋଲନ୍ତି ତ୍ରିଲୋଚନ

କନ୍ୟା ଘେନିଗଲା କେ ପଶି ତୋହୋର ଭୁବନ ।୩୨୧।

ଆପଣାର ଦୁହିତାକୁ ରଖି ନୁଆରିଲୁ

ମୋତେ ଅଣାଇ ବଡ଼ ବିଡ଼ମ୍ୱଣ କଲୁ ।୩୨୨।

ତାହାର ସଙ୍ଗତେ ଘେନିମି ତୋହୋର ପ୍ରାଣ

ଶୁଣିଣ ଚରଣେ ଯେ ଲୁଟଇ ବରୁଣ ।୩୨୩।

ଭୋ ଦେବ ବିଶ୍ୱନାଥ ନାହିଂ ମୋହର ଦୋଷ

ଅକାରଣେ ମୋତେ କିମ୍ପେ କରିବୁ ବିନାଶ ।୩୨୪।

ମନ ବଚନେ କର୍ତ୍ତବ୍ୟେ ଥିବ ଯେବେ ଆନ

ନିରଞ୍ଜନ ପାଦେ ମୁହିଂ ହାରେ ତ୍ରିଲୋଚନ ।୩୨୫।

ଦୁହିତା ଦେଇ କରି ପଶିବି ଶରଣ

ତୁମ୍ଭେ ତ ଜାଣ ଆଗହୁଂ କରିଛି ବରଣ ।୩୨୬।

ସର୍ବଗ୍ୟଂ ପୁରୁଷ ତୁ ନ ଜାଣୁ ଅବା କାହା

ଦୋଷ ଦେଖି ମୋତେ ଦଣ୍ଡିବା ପାର୍ବତୀ ପ୍ରାଣନାହା ।୩୨୭।

ୟେତେ ବୋଲି ବରୁଣ ପଡ଼ଇ ପାଦ ତଳେ

କାର୍ପୁଣ୍ୟ ହୋଇଣ ବରୁଣ ରୋବଇ ବିକଳେ ।୩୨୮।

କେଶବାସ ଅସମ୍ଭାଳେ ଦଶନହ ମୁଖେ ଭରି

ଶରଣ ରଖ ବୋଲି ଡାକଇ ଫୁକାରି ।୩୨୯।

ଦେଖିଣ ଶଂକର ଯେ ହୋଇଲେକ ତୋଷ

ଆଶ୍ୱାସୀ କହନ୍ତି ମୋର କତିକି ବେଗେ ଆସ ।୩୩୦।

ଭୟେଣ ଜଳପତି ନୁଆରଇ ଯାଇ

କାଖେଣ ହାଥ ଯାକି ଅଛି ବିନୋୟୀ ।୩୩୧।

ହର ବୋଇଲେ ତୁ ହୋ ଶୁଣ ଜଳପତି

ରାମ ପୁତ୍ର ଆନନ୍ଦାନନ୍ଦ କଲାକ ୟେହି ରୀତି ।୩୩୨।

କପିଳାସ କନ୍ଦରୁଂ ଆସିବାର ବେଳେ

ନାରଦ କହିଲେ କନ୍ୟା ଆନ ନେମ ବଳେ ।୩୩୩।

ମୁହିଂ ବୋଇଲି ସେ କାହାର ଅଟଇ କୁମର

ମରଣକୁ ଭୟେ ଅବା ନାହିଂକି ତାହାର ।୩୩୪।

ମୁନି ବୋଇଲେ ସେ ବଳରାମଂକର ସୁତ

ତାହାରେ ସେ କରି ହୋଅଇ ୟେମନ୍ତ ।୩୩୫।

ତାହା ଶୁଣି ଆମ୍ଭେ ଯେ ଦ୍ୱାରିକାକୁ ଯାଉଥିଲୁଂ

ତୋହୋର ମନ୍ତ୍ରୀ କହିବାରେ ୟେଥକୁ ଅଇଲୁ ।୩୩୬।

ଆଗ କରି ଯେବେ ଯଦୁବଂଶ ଥାନ୍ତି ମାରି

ତାହାର ବଳେ ସେ କି କନ୍ୟା ନିଅନ୍ତା ହରି ।୩୩୭।

ୟେବେ ୟେହିକ୍ଷଣି କରିବି ସବୁ ନାଶ

ମୋହୋର ସଙ୍ଗତେ ତୁ ହୋ ସନ୍ୟ ଘେନି ଆସ ।୩୩୮।

ଶୁଣିଣ ସନମତ କଲା ବରୁଣ ରାଜନ

ସମସ୍ତ ସନ୍ୟ ସଜକର ମନ୍ତ୍ରୀ ହୋ ବହନ ।୩୩୯।

ୟେତେ ବୋଲି ମଗର ବାହାନେ ଚଳଇ ବରୁଣ

ସମଦଣ୍ଡ ଘେନି ସେ ଅଇଲା ଆପଣ ।୩୪୦।

ମୁଖରାବ ଶବଦେ କମ୍ପଇ ମେଦନୀ

ଧାମନ୍ତି ଶିବଗଣେ କରେଣ ଶସ୍ର ଘେନି ।୩୪୧।

ଆଗରେ କାର୍ତ୍ତିକ ପଛରେ ଗଣପତି

ମଧ୍ୟରେ ସଦାଶିବ ବରୁଣ ଅଛି କତି ।୩୪୨।

ଧାମନ୍ତି ଉଡ଼ନ୍ତି ରଡ଼ନ୍ତି ଡିଆନ୍ତି ଯେ କୋହେ

ମୁହୁର୍ତ୍ତକେ ତିନି ଯୋଜନାର ଯାୟେ ।୩୪୩।

ରାତ୍ର ହୋଇଅଛି ଯେ ଅଢାଇ ପ୍ରହର

ଲୋଡ଼ନ୍ତି ବନଗିରି କନ୍ଦର ମହାଘୋର ।୩୪୪।

ଜୀବ ଜନ୍ତୁ ମାରିଣ କରନ୍ତି ରଣ ଭଣ

ଯେ ମୁଖେ ପଡ଼ଇ ସେ ଯେ ଘେନନ୍ତି ତାର ପ୍ରାଣ ।୩୪୫।

ଗଛ ବୃକ୍ଷ ଲତା ଆଦି ପର୍ବତ କନ୍ଦର

ଚରଣେ ବାଜନ୍ତେ ସର୍ବେ ହେଉଛନ୍ତି ଚୂର ।୩୪୬।

କେତେହେଂକେ ଦୂରେ ସେ ଯେ ଦେଖିଲେ ରହୁବର

କନ୍ୟା ଘେନି ଚଳଇ ବଳରାମଂକ କୁମର ।୩୪୭।

ରେ ରେ କାର କରିଣ ଡାକଇ କାର୍ତ୍ତିକେଶ୍ୱର

କେଣେ ଯାଉଅଛୁଂ ରହରେ କନ୍ୟା ଚୋର ।୩୪୮।

ୟେତେ ବୋଲି କରି ରଡ଼ି ଛାଡଇ ଘନ ଘନ

ମୟୂର ଧୂଆଇଂ ସେ ଧାମଇଂ ବିତପନ ।୩୪୯।

ନ ରହଇ କୁମର ପଳାୟେ ଅତି ବେଗେ

ଗୋଡ଼ାଇ କାର୍ତ୍ତିକେଶ୍ୱର ଅଛଇ ତାର ଲାଗେ ।୩୫୦।

କେତେହେଂକ ଦୂରେ ଓଗାଳିଲା ଯାଇଂ

ଚନ୍ଦ୍ରକୁ ଦେଖି ରାହୁ ଯେସନେକ ହୋଅଇ ।୩୫୧।

କେଣିକି ଯିବୁ ଆଜ ରେ ମୋର ମୁଖେ ପଡ଼ି

ଗର୍ଜଇ ମହାବୀର ଛାଡ଼ଇ ଘୋର ରଡ଼ି ।୩୫୨।

ବୋଲଇ ଛଡ଼ାନନ ଶୁଣ ରେ ନିଲ୍ଲଜ

ବଳେହେଂ କନ୍ୟା ହରି କେବଣହିଂ କାର୍ଯ୍ୟ ।୩୫୩।

ବଳ ବୀର୍ଯ୍ୟେ ଯେବେ ଅଟୁ ତୁହି ରେ ଗାଢ

ଚୋରାଇ କିଂକେ ଘେନି ପଳାଉ ରେ ମୂଢ ।୩୫୪।

ରହିଣ ଯୁଦ୍ଧ କର ଜାଣିମା ବଡ଼ ପଣ

କିଞ୍ଚିତ ଶରେ ଆଜ ମୁଂ ଘେନିମି ତୋର ପ୍ରାଣ ।୩୫୫।

ଆନନ୍ଦାନନ୍ଦ ବୋଲଇ ଶୁଣ ହୋ ବୀରମଣି

ୟେ କନ୍ୟା କେମନ୍ତେ ତୋହୋର ହେବ ପୁଣି ।୩୫୬।

କନ୍ୟା ନିଜ ଇଚ୍ଛାୟେ ଯେ ବରିଅଛି ମୋତେ

ୟେବେ ତୁମ୍ଭେ ଗୋଳ କର କେବଣହିଂ ମତେ ।୩୫୭।

ମୋହୋର କନ୍ୟାକୁ ମୁଂ ଯେ ନେଉଅଛି ଘର

ତୁମ୍ଭେ କିଂକେ ଆସି ୟେଥେ କରୁଛ ସମର ।୩୫୮।

ସାଂଗ୍ରାମ କରିବାକୁ ମୁଂ ନୋହଇ ଯେ ଓଛ

ନ ଜାଣ କି ତୁମ୍ଭେ, ମୁହିଂ ବଳରାମଂକର ବଚ୍ଛ ।୩୫୯।

ଗଦାବର ଘେନି ମୁହିଂ ମାରିବି ଯାହାକୁ

ନିଚୟେ ଯମ ବାନ୍ଧି ନେମଟି ତାହାକୁ ।୩୬୦।

କହୁଂ କହୁଂ କୋପିଲେ ବଳରାମଂକର ତନୁ

କରେଣ ସଜ କରି ଧଇଲେକ ଧନୁ ।୩୬୧।

ଗୁଣ ଟଂକାର କରି ବୀର କରଇ ମହାନାଦ

ଦେଖିଣ ଛଡ଼ମୁଖ କ୍ରୋଧେଣ ଗଦ ଗଦ ।୩୬୨।

ହୁଂକାର ଧୁନି କରି ମାଇଲେକ ଶକତି

ଦେଖି ଆଡ଼େ ହୋଇଲେ ଯଦୁକୁଳ ପତି ।୩୬୩।

ତେଡ଼େ ଶହସ୍ର ଗୋଟା ଭୂମି ବିନ୍ଧା ହେଲା

ଦେଖି ଛଡ଼ମୁଖ ଧନୁ ଆଧାନା କଲା ।୩୬୪।

ତୀକ୍ଷ ନାରାଜେକ ବିନ୍ଧିଲା ଧାତିକାରେ

ଯାଇଂଣ ପଡ଼ିଲା ସେ ଆନନ୍ଦାନନ୍ଦ ହୃଦରେ ।୩୬୫।

ବ୍ୟଥା ପାଇଲାକ ବଳରାମଂକର ତନୁ

ଥରହର ହୋଇଣ କମ୍ପଇ ତାର ବେନି ଜାନୁ ।୩୬୬।

ପୁଣିହିଂ ଶତେ ଶର ବିନ୍ଧଇ ଛଡ଼ାନନ

ଆସନ୍ତେ ଶରମାନ କରନ୍ତି ଗର୍ଜନ ଗର୍ଜନ ।୩୬୭।

ଦେଖି ଆନନ୍ଦାନନ୍ଦ କୁବେର ଶର ପେଷି

କାର୍ତ୍ତିକର ଶରମାନ ପକାଇଲା ନାଶି ।୩୬୮।

କୋପେଣ ଅଗ୍ନିବାଣ ବିନ୍ଧିଲା ରୁଦ୍ରସୁତ

ଜଳଧାରା ଶହସ୍ର ପେଷେ ବଳରାମ ସୁତ ।୩୬୯।

ପର୍ବତାଶର ବିନ୍ଧଇ ଉମା ଦେବୀଂକର ତନୁ

ଗର୍ଜିଣ ପର୍ବତମାନ ପଡ଼ଇ ଗଗନୁଂ ।୩୭୦।

ଦେଖିଣ ତା ଯଦୁବୀର ବଜ୍ରବାଣ ପେଷି

ପର୍ବତା ଶରମାନନ୍ତ ସବୁ ପକାଇଲା ନାଶି ।୩୭୧।

ବେଳୁ ବେଳ ଯୁଦ୍ଧ ହୋଇଲା ଅନ୍ୟାଅନ୍ୟି

ମିଳିଲେ ରୁଦ୍ରଗଣ କରେଣ ଶସ୍ର ଘେନି ।୩୭୨।

ୟେକ ମୁଖ ହୋଇଣ ସେ କରନ୍ତି ସମର

ଛେଲ ଚକ୍ର ନାରାଜ ପେଷନ୍ତି ନିରନ୍ତର ।୩୭୩।

ମୂଷଣ ଶକତି ଆଉ କୋଠାର ମାରନ୍ତି

ଚଉଦ କୋଟି ଶିବଗଣ ବେଢିଣ ଅଛନ୍ତି ।୩୭୪।

ବରୁଣ ସନ୍ୟ ଘେନି ସେହି ଅଛି ଆସି

ବରଷଣ ପ୍ରାୟେକ ସେ ନାରାଜ ବରଷି ।୩୭୫।

ଶହସ୍ରଂକର ତେଜେ ଆଲୋମୟେ ରଜନୀ

ଅବିଚ୍ଛନ୍ନେ ନାରାଜ ବିନ୍ଧନ୍ତି ମନରେ କୋପ ଘେନି ।୩୭୬।

ଶରରେ ଅଦୃଶ୍ୟ ହୋଇଲା ରଥ ଗୋଟି

ୟେକା ଯୋଦ୍ଧାକୁ ସେ ଯେ ସମସ୍ତେ ଛନ୍ତି ଘୋଟି ।୩୭୭।

ମାର ମାର ଧୁନି ଯେ ଶୁଭଇ ଚହଳ

କେ କହି ପାରିବ ଯେ ଅପୂର୍ବ ରଣ ଗୋଳ ।୩୭୮।

କୋଟି କୋଟି କରି ବିନ୍ଧୁଛନ୍ତି ଶର

ମର୍ଭୁତ ମର୍ଭୁତ କରି ମାରନ୍ତି ମୁଦୁଗର ।୩୭୯।

ଲକ୍ଷ ଲକ୍ଷ କରି ସେ ମାରନ୍ତି ଶକତି

ଶହସ୍ରଂକ ଆତଯାତେ କମ୍ପଇ ବସୁମତି ।୩୮୦।

ନିଶ୍ୱାସେକେ ବେଳୁଂ ବେଳ ସାଂଗ୍ରାମ ହୁଅଇ ଆନୁ ଆନ

ରୟଣୀ ପାହି ଉଦେ ଆଦିତ୍ୟ ଗଗନ ।୩୮୧।

ପାହିଲା ରୟଣୀ ସେ ଦିଶିଲା ସକଳ

ବିନ୍ଧନ୍ତି ପିଟନ୍ତି ସେ ଯେ ଅତିହିଂ ରଣ ଗୋଳ ।୩୮୨।

ପ୍ରତିଅସ୍ତ୍ର କରି ତାହା ନିବାରଇ ବୀର

କାହାରି ଶହସ୍ର ନ ବାଜଇ ତାହାର ଶରୀର ।୩୮୩।

ବେଳୁଂ ବେଳ ସମର ଯେ ହୋଇଲା ମହା ଘୋର

କନ୍ୟାର ମୁଖ ଚାହିଂ ବୋଲଇ କୁମର ।୩୮୪।

ବିବାନେ ବସି ତୁହି ଶୂନ୍ୟେ ଥିବୁ ରହି

ୟେ ଯୁଦ୍ଧ କଲେ ୟେହାନ୍ତ ଜିଣି ତ ନୋହଇ ।୩୮୫।

ଗଦା ଯୁଦ୍ଧ କରି ଯେବେ ୟେହାଂକୁଟି ମାରି

ତେବେ ସେ ଆମ୍ଭେ ଯେ ଯାଇ ନିଜ ପୁରୀ ।୩୮୬।

ଗଗନ ମାର୍ଗେ ତୁହି ନିଚିନ୍ତେଣ ଥିବୁ

ମୋହୋର ସୁମରନ୍ତେ ତଳକୁ ଆସିବୁ ।୩୮୭।

ସାରଥିକି ବୋଇଲା ରଥ ଶୂନ୍ୟ ମାର୍ଗେ ନେବୁ

ଅଦୃଶ୍ୟ କରିଣ ରଥ ତୁହି ରଖିଥିବୁ ।୩୮୮।

ୟେତେକ କହିଣ ସେ ଧନୁଶର ଥୋଇଲା

ବେନି ଗଦା ବୁଲାଇଣ ବୀର ସମରେ ପଶିଲା ।୩୮୯।

ବଳରାମ ସୁମରି ରଥୁଂ ଡେଇଂ ପଡି

କି ଅବା ମେରୁ ଶୃଙ୍ଖ ପଡ଼ିଲାକ ଝଡ଼ି ।୩୯୦।

ମହା ମେରୁ କୋପଭରେ ସେ ଯେ ଆନନ୍ଦାନନ୍ଦ ବୀର

ଶିବଗଣ ତୁଲେ ସେ ଯେ କରଇ ସମର ।୩୯୧।

ଡିଅଂଇ ପିଟଇ ଉଠଇ ରଣେ ରଣ

ହାବୋଡ଼ା ଘାୟେ ଘେନଇ ଅନେକଂକ ପ୍ରାଣ ।୩୯୨।

ଉଡ଼ଇ ବୁଡ଼ଇ ରହଇ ସେ ଠଣା ଦେଇ

ୟେକକୁ ପିଟଇ ପୁଣ ଆରେକକୁ ଧାଇଂ ।୩୯୩।

ୟେକ ପ୍ରହାରକେ ଦଶ ବିଂଶ ତିରିଶ

ଶିବଗଣମାନେ ଯେ ହୋଉଛନ୍ତି ନାଶ ।୩୯୪।

କମ୍ପନ୍ତି ମହା ଭୟେ ଶହସ୍ର ନୁଆରନ୍ତି ଘେତି

ପଳାନ୍ତି ସଇନି ଯେ ସାଂଗ୍ରାମକୁ କରି ଭୀତି ।୩୯୫।

ଦେଖିଣ କାର୍ତ୍ତିକ ସେନାପତି ମୟୂର ଧୁଆଇଂ

ଆନନ୍ଦାନନ୍ଦ ଆଗେ ଓଗାଳିଲା ଯାଇଂ ।୩୯୬।

ବରଷାଧାରା ପ୍ରାୟେ ଶର ବୃଷ୍ଟି କଲା

ଦେଖିଣ ଯଦୁପତି ଗଦା ବୁଲାଇଲା ।୩୯୭।

ଗଦା ବୁଲାବନ୍ତେ ଶହସ୍ରମାନେ ହେଲେ ଚୂନା

ମାରନ୍ତେ ରୁଦ୍ରଗଣେ ନ ଯାଇଂ କଳଣା ।୩୯୮।

ଗଦା ବୁଲାଇ ସେ ଯେ ପିଟିଲାକ ନେଇ

କାର୍ତ୍ତିକ ଉପରେ ବାଜି ପଡିଲା ମୋହ ଯାଇ ।୩୯୯।

ଦେଖିଣ ଶିବଗଣେ ଭୟେ ପଳାଇଲେ

ଯହୁଂ ସେ ଅଗୋଚର ସାଂଗ୍ରାମ ଦେଖିଲେ ।୪୦୦।

ବରୁଣ ସନ୍ୟେ ବେଢିଲେକ ଯାଇଂ

ଦେଖିଣ ଆନନ୍ଦାନନ୍ଦ ଗଦା ପ୍ରହାରଇ ।୪୦୧।

ୟେକା ପ୍ରହାରକେ ଅନେକ ନାଶଇ ସଇନି

ପ୍ରଳୟ କାଳେ ଯେହ୍ନେ ଦହଇ ବହନି ।୪୦୨।

ଦେଖିଣ ବରୁଣ ଯେ ଆଗରେ ଓଗାଳି

ବୁଲାଇ ଗଦାବର ପିଟିଲା ମହାବଳୀ ।୪୦୩।

ସମ୍ଭାଳ ସମ୍ଭାଳ ବୋଲି ଗଦା ନେଇ ପିଟି

ବାଜନ୍ତେଣ ଗଦା ବରୁଣ ଭୂମିରେଣ ଲୋଟି ।୪୦୪।

ବରୁଣଂକୁ ମାରିଣ ଗୋଡ଼ାଇ ସନ୍ୟଂକୁ

କି ଅବା କାଳ ଦେବତା ଅଇଲା ମର୍ତ୍ତ୍ୟକୁ ।୪୦୫।

ସନ୍ୟେ ପଳାବନ୍ତି ସେ ଗୋଡ଼ାଇଛି ରାଗେ

କରେ ଶହସ୍ର ଘେନି କେହି ନ ମିଳିଲେ ଆଗେ ।୪୦୬।

ୟେମନ୍ତର ସମୟେ ସେ କାର୍ତ୍ତିକ ସେନାପତି

ମୋହ ତେଜି ଉଠି ରାଗେ ଘେନିଲା ଶକତି ।୪୦୭।

ମୟୂର ଉଡ଼ାଇ ସେ ଯେ ଗଗନ ମାର୍ଗେ ଗଲା

ଆନନ୍ଦାନନ୍ଦ ପଛ କତିରେ ମିଳିଲା ।୪୦୮।

ବୁଲାଇ ଶକତି ସେ ଯେ ମାଇଲାକ କୋହେ

ବାଜନ୍ତେ ଆନନ୍ଦାନନ୍ଦ ପଡିଲାକ ମୋହେ ।୪୦୯।

ପୁଣି ପରିଘେକ ଘେନି ପିଟିଲାକ ବେଗେ

ଝଲକିଲା ଅଗ୍ନି ବାଜିଣ ତାର ଅଙ୍ଗେ ।୪୧୦।

ଗଦା ପକାଇଣ ସେ ବୀର ପଡ଼ିଲା ମହୀ ଲୋଟି

ବେନି ଗଦା କାର୍ତ୍ତିକ ଯେ ଘେନିଲା ସାଉଂଟି ।୪୧୧।

ମୟୂର ଆରୋହୀ ସେ ଯେ ଶଂକର ପାଶେ ଗଲା

ଭୋ ଦେବ ଆନନ୍ଦାନନ୍ଦ ସମରେ ପଡ଼ିଲା ।୪୧୨।

ଶୁଣିଣ ହରଷ ହୋଇଲେ ଦେବ ତ୍ରିଲୋଚନ

କନ୍ୟା କାହିଂ ଗଲା ବାବୁ ଖୋଜ ରେ ବହନ ।୪୧୩।

ଶୁଣିଣ କୁମର ଯେ କନ୍ୟା ଲୋଡ଼ି ଗଲେ

ବରୁଣ ମୋହେଣ ପଡ଼ିଅଛଇ ଦେଖିଲେ ।୪୧୪।

ସଦାଶିବ ଆଗେ କହିଲେ ବାରତ

ବରୁଣଂକୁ ମାଇଲା ଦେବ ବଳରାମଂକର ସୁତ ।୪୧୫।

ଶଂକର ଆଗ୍ୟାଂ ଦିଲେ ଜଳଧର ମନ୍ତ୍ରୀକି ରାଇ

ବରୁଣକୁ ୟେବେ ହୋ ଘେନିଣ ଯାଅ ତୁହି ।୪୧୬।

ଶୁଣିଣ ଜଳଧର ମନ୍ତ୍ରୀ ବରୁଣକୁ ନେଲା

ଅମୃତ ଦେଇଣ ତାକୁ ସଚେତ କରାଇଲା ।୪୧୭।

ଚେତା ପାଇ ଉଠିଲା ଯେ ବରୁଣ ନୃପତି

ସଙ୍ଗେ ନେଇ ଭେଟାଇଲେ ଦେବ ପଶୁପତି ।୪୧୮।

ଦେଖିଣ ଆନନ୍ଦ ହେଲେ ଦେବ ବିଶ୍ୱବାସ

ବରଣକୁ ବସାଇଲେ ଆପଣାର ପାଶ ।୪୧୯।

ଯେତେବେଳେ ଆନନ୍ଦାନନ୍ଦ ପଡ଼ିଲାକ ରଣେ

ବିବାନକୁ ଘେନି କନ୍ୟା ଉଠିଲା ଗଗନେ ।୪୨୦।

ରୋବଇ ସୁନ୍ଦରୀ ପୁଣି ପଡ଼ଇ କ୍ଷଣେ କ୍ଷଣେ ମୋହ

ଚେତି ଉଠଇ ପୁଣି ବାଳୀ କରଇ ଗରୁ କୋହ ।୪୨୧।

ହା ହା ପ୍ରାଣନାଥ ଗଲୁ ମୋତେ କେଣେ ଛାଡ଼ି

ମୁହିଂ ମରୁଅଛି ୟେବେ ଶୋକଜଳେ ବୁଡ଼ି ।୪୨୨।

ଅନ୍ଧର ଲଉଡ଼ି ମୋର ଦରିଦ୍ରର ଧନ

ତୋତେ ନ ଦେଖି ମୁହିଂ କେମନ୍ତେ ମୁଞ୍ଚିବି ଦିନ ।୪୨୩।

କାହାକଇଂ କୋଳ କରି ବଞ୍ଚିବଇଂ ନିଶି

କାହାକୁ ମୁଂ ପ୍ରିୟ କଥା କହିବଇଂ ହସି ।୪୨୪।

କାହାର ଶରୀରେ ମୁହିଂ ଲେପିବି ଚନ୍ଦନ

କାହାକୁ ଉଂଛି ବାଛି ପିନ୍ଧାଇବି ବସନ ।୪୨୫।

କାହା କେଶ ସାଂଜୋଇ ବାନ୍ଧିବଇଂ ଗଭା

କାହାର ଛାମୁରେ ଦର୍ପଣ ଘେନି ହୋଇବଇଂ ଉଭା ।୪୨୬।

କାହାର ହୃଦରେ ନାଥ ଲମ୍ୱାଇବି ମଣି

କାହାକୁ ବିଞ୍ଚିବଇଂ ମୁଂଯେ ଘେନିଣ ବିଞ୍ଚଣୀ ।୪୨୭।

କାହାର ସଂଗତେ ମୁଂ ଖେଳିବଇଂ ପଶା

କିମ୍ପାଇଂ ଦଇବ ଭଆଙ୍ଗି ଦିଲୁ ମୋର ୟେଡ଼େ ଆଶା ।୪୨୮।

ମୁହିଂ ଯେ ବାଳକନ୍ୟା ସେହି ବାଳପୋଇ

ବାଳକାଳ ଲୀଳା ଭାଙ୍ଗି ଯେ ଦଇବ ବୋଲାଉ ତୁହି ।୪୨୯।

ଜଗତେ ବୋଲନ୍ତି ଦଇବ ସବୁଂକରି ପିତା

ମୋତେ ଜାତ କରି ବିହିଲୁ ୟେହି ଯେ ଅବସ୍ତା ।୪୩୦।

ହା ହା ପ୍ରାଣନାଥ ତୋତେ ଆଉ ପାଇବଇଂ କାହିଂ

ସୁକୁମାର ସୁନ୍ଦର ଅଟୁ ତୁ ମୋହୋର ପ୍ରାଣସାଇଂ ।୪୩୧।

ଦ୍ୱାରିକା ପୁରେ ଅଛନ୍ତି ତୁମ୍ଭର ପିତା ମାତା

କି ବୋଲି ବୋଲିବେ ସେ ପାଇଣ ବାରତା ।୪୩୨।

ତାହାଂକ କୋପ କଲେ କି ରହିବ ସଂସାର

ତେତେବେଳେ କିସ କରିବୁ ହୋ ହର ।୪୩୩।

ତୁହି ତ ଈଶ୍ୱର ହୋ ଜଗତ ଆଧିପତି

ବାଳକ ବଧିବାର ୟେ କେବଣ ତୋର ଗତି ।୪୩୪।

ଭୋ ବ୍ରହ୍ମା ନନ୍ଦନ ରକ୍ଷା କର ମୋତେ

ପଡ଼ିଲା ଦୁର୍ଗତି ମୁଂ ଯେ ତରିବି କେମନ୍ତେ ।୪୩୫।

ତୁମ୍ଭର ବଚନ ମୋତେ ଅଟଇ ନିରାଧାର

ଭୋ ବ୍ରହ୍ମଋଷି ମୋତେ କରିବା ପ୍ରତିକାର ।୪୩୬।

ୟେ ବିଧି ଅନେକ ମତେ କଲା ଯହୁଂ ତୁସ୍ତି

ନାରଦ ମହଋଷି ଆସି ମିଳିଲେ ତାର କତି ।୪୩୭।

ଋଷି ଦେଖି ବାଳୀ ରୋବିଲା ଉଞ୍ଚସ୍ୱରେ

ପଡ଼ିଣ ଲୋଟଇ ସେ ଋଷିଂକ ପୟରେ ।୪୩୮।

ନାରଦେ ବୋଇଲେ ତୁ ନ ରୋବରେ ସତୀ

ବଳରାମେ ଅଇଲେ ଜୀଇବ ନା ତୋର ପତି ।୪୩୯।

ଆମ୍ଭେ ଯାଉଅଛୁଂ ଯେ ଦ୍ୱାରିକା ଭୁବନେ

ବଳରାମଂକୁ କହି ଆଣିବୁଂ ବହନେ ।୪୪୦।

ଶଂକରଗଣମାନେ ଯେ ଖୋଜୁଛନ୍ତି ତୋତେ

ଗଗନେ ଲୁଚିଥିବୁ ତୁହିଟି ଗୁପତେ ।୪୪୧।

ଉଲୁକ ମନ୍ତ୍ର ଗୋଟି ଯେ ଦିଲେ ତାକୁ କହି

ୟେହା ପଢି ରହିଥାଅ ନ ଦେଖିବେ କେହି ।୪୪୨।

ସାରଥିକି ବୋଇଲେ ରଥ ଶୂନ୍ୟେ ରଖିଥିବୁ

ମାୟା ବିବାନ ୟେ ମାୟାରେ ଲୁଚାଇବୁ ।୪୪୩।

ୟେତେ କହି ମୁନି ମନଦଣ୍ତେ ଗଲେ ଚଳି

ତକ୍ଷଣେ ଯାଇଂ ଦ୍ୱାରିକା ଭୁବନରେ ମିଳି ।୪୪୪।

ଦେଖିଲେ ଯେ ରାମକୃଷ୍ଣ ଉଗ୍ରସେନ କତି

ସାତବଂଶ ଯାଦବେ ଯେ ସମସ୍ତେ ଅଛନ୍ତି ।୪୪୫।

ରାଉତ ମାହୁନ୍ତ ଆଉ ରଥୀ ପୟେଦାର

କରେ ଶସ୍ର ଘେନି ପଟୋୟାରୀ ଛନ୍ତି ସମସ୍ତ ବୀର ।୪୪୬।

Unknown

ୟେମନ୍ତର ସମୟେ ନାରଦେ ଯାଇଂ ମିଳି

ଦେଖିଣ ଆସନ ତେଜିଲେ ଶ୍ରୀକୃଷ୍ଣ ଯେ ହଳୀ ।୪୪୭।

ଆସନ ଦେଇ ମୁନିଂକି ବସାଇଲେ କତି

କୁଶଳ ବାରତା ତହୁଂ ପୁଚ୍ଛନ୍ତି ଦେବ ଶିରୀପତି ।୪୪୮।

ଆଜ ମୋହୋର ଜୀବନ ହୋଇଲାକ ଧନ୍ୟ

ଲୋଚନେ ଦେଖିଲୁଂ ଆମ୍ଭେ ବ୍ରହ୍ମାଂକ ନନ୍ଦନ ।୪୪୯।

କହ ଆହୋ ମହାମୁନି କିସ ଅର୍ଥେ ଗବନ

ନାରଦେ ବୋଇଲେ ଶୁଣ ଆମ୍ଭର ବଚନ ।୪୫୦।

ତୁମ୍ଭର କୁମର ଯେ ଅନନ୍ଦାନନ୍ଦ ବୀର

ଭ୍ରମନ୍ତେ ସେ ମିଳିଲାକ ବରୁଣର ପୁର ।୪୫୧।

ତାହାର ଦୋହିତା ୟେକ ଯେ ନୀଳେନ୍ଦୀ କନ୍ୟା ଥିଲା

ମାତା ପିତା ନ ଜାଣନ୍ତେ ୟେହାନ୍ତ ବରିଲା ।୪୫୨।

କନ୍ୟା ଘେନି କରି ଆସନ୍ତେ ତୁମ୍ଭର ଯେ ପୁର

ଈଶ୍ୱର ମିଳିଣ ଆସି କଲେକ ସମର ।୪୫୩।

ମହା ଘୋର ୟୁଦ୍ଧ ତହୁଂ ହୋଇଲା ଅପାର

ବାଳକାଳେ କନ୍ୟା ମାତା କାର୍ତ୍ତିକଂକୁ ବରିଲା ବର ।୪୫୪।

ୟେମନ୍ତେ କୋପ କରିଅଛନ୍ତି ଯେ ହର

ଚଉଦ କୋଟି ଶିବଗଣ ଘେନି କରନ୍ତି ସମର ।୪୫୫।

ମହା ଘୋର ସନ୍ୟଂକୁ ୟେକଇ କୁମର

ବେନି ଗଦା ହାଥେ ଧରି କଲାକ ସମର ।୪୫୬।

ତୁମ୍ଭର ପୁତ୍ର ସାତକୋଟି ବଳ ଈଶ୍ୱରଂକର ମାରି

ଚଉଦ କୋଟି ଶିବଗଣ ସଂଗେ ବରୁଣ ମିଳି କରି ।୪୫୭।

ୟେ ତ ବାଳୁତ ନନ୍ଦନ ନ ଜାଣଇଂ ଯୁଦ୍ଧ ଯେ ରୀତି

କାର୍ତ୍ତିକେଶ୍ୱର ପଛରୁ ମାଇଲା ଶକତି ।୪୫୮।

ବାଜନ୍ତେଣ ଆନନ୍ଦାନନ୍ଦ ପଡ଼ିଲାକ ମହୀ ଲୋଟି

ବେନି ଗଦା କାର୍ତ୍ତିକ ଯେ ଘେନିଲା ସାଉଂଟି ।୪୫୯।

କୁମରକୁ ମାରି କନ୍ୟା ସେହୁ ଲୋଡୁଛନ୍ତି

ବିବାନେ କନ୍ୟା ଅଛି ହୋଇ ଗଗନ ଗତି ।୪୬୦।

ଭ୍ରମିଣ ଆସନ୍ତେ କନ୍ୟା ଘେନିଲାକ ମୋତେ

ବୋଇଲା କହିବଟି ରାମ କୃଷ୍ଣଂକ ଅଗ୍ରତେ ।୪୬୧।

ତେଣୁ କରି ଆମ୍ଭେ ଅଇଲୁ ଯେ ତୋତେ କହି

ତୁ ଯେ ତାହାର ପିତା ଖୁଡୁତା କେମନ୍ତେ ଧରିବୁଟି ଦେହୀ ।୪୬୨।

ସେହି ତ ବାଳୁତ, କୁମାରୀ ବରିଲାକ ତାକୁ

ଈଶ୍ୱରଂକର ଗୋଳ କିମ୍ପାଇ ୟେଥକୁ ।୪୬୩।

ୟେକା ବାଳ କୁମରକୁ ଚଉଦ କୋଟି ସଇନି

ଆପଣେ ସଦାଶିବ ପିଟିଲେ ଶୂଳ ଘେନି ।୪୬୪।

ୟେଡ଼େ ଅନୀତି ଶଂକର କରଇ କାହିଂକି

ତୁମ୍ଭଂନ୍ତ ତାହାଂକର ଭୟେ ଭୀତି ନାହିଂକି ।୪୬୫।

ଶୁଣିଣ କାମପାଳ ପଡ଼ିଲେକ ଢଳି

କୋଳ କରି ତାଂକୁ ଧଇଲେ ବନମାଳୀ ।୪୬୬।

ଆହା ପୁତ୍ର ବୋଲି ସେହୁ କରନ୍ତି ରୋଦନ

ନୟନୁଂ ଅଶ୍ରୁଜଳ ପଡ଼ଇ ଘନ ଘନ ।୪୬୭।

ଶ୍ରୀକୃଷ୍ଣ ବୋଇଲେ ଦେବ କ୍ରୋଧ କିଂକେ କର

ହାରିବା ଜାଣିବା ୟେ ଛତ୍ରୀଂକ ବେଭାର ।୪୬୮।

ନାରଦେ ବୋଇଲେ ହରି ୟେ କଥା କିମ୍ପେ କହୁ

ବାଳୁତ ବଧ ଶୁଣି କାହାର ଦେହ ସହୁ ।୪୬୯।

ସରିସା ଲୋକଂକ ସଙ୍ଗେ ଯେବେ ସମର କରି

ତେବେ ହାରିବା ଜିଣିମା ସିନା ସେଠାରେ ବିଚାରି ।୪୭୦।

ୟେ ତ ବାଳୁତ କୁମର ଖେଳିବାକାଳ ସିନା

ୟେହାନ୍ତ ଯେ ବେଢିଲେ ଚଉଦ କୋଟି ସେନା ।୪୭୧।

ଆପଣେ ଈଶ୍ୱର ଶୂଳ ଘେନି ପିଟି

ବାଜନ୍ତେଣ ସୁତ ଭୂମିରେଣ ଲୋଟି ।୪୭୨।

ବିକଳେ ତହୁଂ ଯେ ପଳାଇ ମନ କଲା

କାର୍ତ୍ତିକ ଗୋଡ଼ାଇ ପରିଘ ମାଇଲା ।୪୭୩।

ବାଳୁତ କାଳେ ଯେହୁ ତାରକାସୁର ମାରି

କାଲିର ବାଳୁତ ପୁତ୍ର ତାହାକୁ କିସ ସରି ।୪୭୪।

ଯହୁଂ ବିକଳାଇ କହିଲେ ମୁନିବର

କ୍ରୋଧେ ବଳଦେବଂକର କମ୍ପଇ ଶରୀର ।୪୭୫।

ସଇନି ସଜ କର ବୋଲିଣ ଆଗ୍ୟାଂ ଦେଇ

ମାରିବି ପଶୁପତିକି ରଖନ୍ତା କେହି ନାହିଂ ।୪୭୬।

ମୋହୋର ପୁତ୍ରକୁ ଅକାରଣେ ମାରି

ମୁହିଂ ଆଜ ଯାଇ ତାକୁ ଆସଇ ସଂହାରି ।୪୭୭।

ୟେତେ ବୋଲି ଦେବ ଉଠିଲେ ଆସନୁ

କୋଟିୟେ ସିଘଂର ବଳ ବିରାଜଇ ତନୁ ।୪୭୮।

ତାଳଧ୍ୱଜ ରଥେ ଆରୋହିଣ ଧାତି

ନନ୍ଦିଘୋଷ ରଥେ ବିଜେ କଲେ ଶିରୀପତି ।୪୭୯।

ପଦ୍ମନ ଆରୋହିଲା କନ୍ଦର୍ପ ବିବାନ

ଶାମ୍ୱ ବିଜେ କଲା ଯାଇ ହେମମୟ ଯାନ ।୪୮୦।

ଗଦ ଆରୋହିଲା ହୀରକର ରଥ ଗୋଟି

ଅନିରୁଦ୍ଧ ବସିଲା ଯେ ବଇରି ବିଭାଣ୍ଡେକ ପିଠି ।୪୮୧।

ଶ୍ରୀକୃଷ୍ଣଂକର ଯେ ଷାଠିୟେ ସହସ୍ରେ ଅଶିୟେକ ସୁତ

କେ ହାଥୀ ପିଠିରେ ତ କେ ଆରୋହିଲେ ରଥ ।୪୮୨।

କରେଣ ଶହସ୍ର ଘେନି ସର୍ବେ ମିଳିଲେକ ଆସି

ଦେଖିଣ ନାରଦ ତାଂକୁ ଅନେକ ପ୍ରଶଂସି ।୪୮୩।

ସାତ ବଂଶ ଯାଦବ ଯେ ଦ୍ୱାଦଶ କ୍ଷଉଣୀ

ଉଗ୍ରସେନ ସଙ୍ଗତେ ସର୍ବ ଥାଠ ଯେ ପଲାଣି ।୪୮୪।

ବାଜଇ ନିଶାଣ ଟମକ ଯେତେ ବଡ଼ି

ଶଙ୍ଖ ମହୁରୀ, କାହାଳୀ ଭେରୀ ଯେ ଗିଡ଼ି ଗିଡ଼ି ।୪୮୫।

ଘୁମୁ ଘୁମୁ ଘୁମୁରା ଦବ ଦବ ବାଜେ

ଆଷାଢ ମାସରେ କି ଦ୍ରୋଣ ମେଘ ସାଜେ ।୪୮୬।

ଆଲମ୍ୱ ପାଟଛତ୍ର ଉଲାଖ ବିମଳ

ରଙ୍ଗ ବସନ୍ତ ଶୁକଳ ଉଡ଼ଇ ଚିରାଳ ।୪୮୭।

ହାଥୀଂକ ଗରଜନ ହୟଂକ ହ୍ରେଷାରବ

ସଇନ ଶଙ୍ଖ ଧୁନି ଆକାଶ ପୂରିବ ।୪୮୮।

ପାଦଭରେ ପୃଥିବୀ କମ୍ପଇ ଦଲ ଦଲ

ହାଥୀ ଧୁଆଇଂ ଯେ ବୋଲନ୍ତି ଚାଲ ଚାଲ ।୪୮୯।

କମାଣେକ ଧରି କେହୁ ଧାମନ୍ତି ଆଗୁସାର

କେହୁ ଧୁଆଇଂଣ ଅଛନ୍ତି ରହୁବର ।୪୯୦।

ୟେକୁ ଆରେକ ଯାଉଛନ୍ତି ଜିଣି

ଆକର୍ଣ୍ଣ ପରିଯନ୍ତେ ଶର ପୂରୋଉଛନ୍ତି ଟାଣି ।୪୯୧।

ଆଗରେ ନାରଦ କଢାଉଛନ୍ତି ବାଟ

ପାଞ୍ଚ ଯୋଜନା ମାଡ଼ି ଚଳୁଅଛଇ ଯେ ଥାଟ ।୪୯୨।

ତେଣେ ସେ ଶିବଗଣ କନ୍ୟାକୁ ଲୋଡ଼ନ୍ତି

ବନ ଗିରି କନ୍ଦର ଉହାଡ଼େ ଖୋଜନ୍ତି ।୪୯୩।

ବରୁଣର ପୁର ଆବର ଗୋପ୍ୟ ସ୍ଥାନ

ଖୋଜିଣ ନ ପାଇଲେ କନ୍ୟାର ଚିହ୍ନ ବର୍ଣ୍ଣ ।୪୯୪।

କେ ବୋଲଇ ଅବା ଦ୍ୱାରିକାକୁ ଗଲା

କେ ବୋଲଇ ଅବା ସମୋଦ୍ରେ ବୁଡ଼ି ମଲା ।୪୯୫।

କେ ବୋଲଇ ତୁମ୍ଭେ ନ ଜାଣ ହୋ କିଛି

ମୋହୋର ବିଚାରକୁ ୟେମନ୍ତ ଆସୁଅଛି ।୪୯୬।

ଯେହୁଂ ତାହାକଇଂ ଆଣୁଥିଲା ବଳେ

ସେହୁ ତ ପଡ଼ି ମଲା ସମର ଘୋର କାଳେ ।୪୯୭।

ତାହାର ନିଧନେ ସେ କନ୍ୟା ବେଗେ ଗଲା

ଦ୍ୱାରିକା ପୁରେ ଯାଇଂ ବାରତା କହିଲା ।୪୯୮।

ଶୁଣିଣ ରାମକୃଷ୍ଣ ଆଶିବେ ୟେହିକ୍ଷଣି

ଶବଦ ଶୁଭୁଅଛି ନ ପାରୁଛ ଜାଣି ।୪୯୯।

ୟେତେ ବୋଲି ଯାଇଂ ପର୍ବତ ଶିଖରେ ଉଠି

ଦେଖିଲେ ଯାଦବ ବଳ ଆସୁଛନ୍ତି ଘୋଟି ।୫୦୦।

ମୁଖରାବ ଶବଦ ଯେ ଶୁଭଇ ଚହଳ

ପୃଥିବୀ ନ ଦିଶଇ ସନ୍ୟଂକର ଗହଳ ।୫୦୧।

ଦେଖିଣ ସଦାଶିବ ଆଗରେ କହନ୍ତି

ଶୁଣ ଦେବ ଶଂକର ପାର୍ବତୀ ଦେବୀ ପତି ।୫୦୨।

କନ୍ୟା ଲୋଡ଼ି କରି ନ ପାଇଲୁ କାହିଂ

ବରୁଣ ଭୁବନେ ଆମ୍ଭେ ଖୋଜିଲୁଂ ଗୋସାଈଂ ।୫୦୩।

ବନ ଭୂମି କନ୍ଦର ଯେ ଅନେକ ଲୋଡ଼ିଲୁ

ମୁଖରାବ ଧୁନି ଶୁଭୁଛି ଶୁଣିଲୁ ।୫୦୪।

ପର୍ବତେ ଉଠି ଚାହିଂଲୁ ଦିଶୁଅଛି ଥାଠ

ଆସନ୍ତି ଅତି ବେଗେ ସଉରାଷ୍ଟ ବାଟ ।୫୦୫।

ପୁତ୍ରର ନିଧନ ଶୁଣି ରାମକୃଷ୍ଣ ବେନି

ସେ ଅବା ଆସୁଅଛନ୍ତି ଥାଠ ଯେ ପଲାଣି ।୫୦୬।

ବିଚାରିଣ କାର୍ଯ୍ୟ ୟେବେ କରିବା ଗୋସାଈଂ

ଅପ୍ରମିତ ସନ୍ୟ ୟେଥି ଆସୁଛନ୍ତି ଧାଇଂ ।୫୦୭।

ଶୁଣିଣ ସଦାଶିବ ବୃଷଭ ଧୁଆଇଂ

କେତନ ପର୍ବତେ ଦେବ ଉଠିଲେକ ଯାଇଂ ।୫୦୮।

ଦେଖିଲେ ଅନେକ ସଇନ ଆସୁଛନ୍ତି ମାଡ଼ି

ପର୍ବତେ ଚୂର ହୋଅନ୍ତି ଚରଣ ହାବୋଡ଼ି ।୫୦୯।

ତାଳଧ୍ୱଜ ରଥ ଆସୁଅଛଇଂ ଆଗ ହୋଇ

ଆସନ୍ତି କାମପାଳ ମୂଷଳ ବୁଲାଇ ।୫୧୦।

ରେ ରେ କାର କରିଣ ସେ ଡାକନ୍ତି ଘନ ଘନ

ରଥ ଧୁଆଂଇଣ ସେ ଆସନ୍ତି ଅବିଚ୍ଛନ୍ନ ।୫୧୧।

ଶଂକର ବୋଲନ୍ତି ଶୁଣ କାର୍ତ୍ତିକ ଗଣପତି

ରାମକୃଷ୍ଣ ଅଇଲେ ଯେ ଯଦୁବଳ ଘେନି ତଡ଼ତି ।୫୧୨।

ଆମ୍ଭର ସଙ୍ଗତେ ସେ କରିବେ ସମର

ହାରିବା ଜିଣିବା ତ କ୍ଷେତ୍ରୀଂକ ବେଭାର ।୫୧୩।

ତିନିକୋଟି ସଇନ ଘେନି ଗଣପତି ଯାନ୍ତୁ

ପୂର୍ବ ଦିଗେ ରତ୍ନଗିରି ଓହାଡ଼େଣ ଥାନ୍ତୁ ।୫୧୪।

କାର୍ତ୍ତିକର ସଂଗରେ ଯାଆନ୍ତୁ ପାଞ୍ଚକୋଟି

ପଚ୍ଛିମ ଧଉଳି ଗିରି ଓହାଡ଼େ ଥିବଟି ।୫୧୫।

ଯେତେବେଳେ ତାଂକ ତୁଲେ କରିବି ସମର

ସେ ଧସାଇଂ ଆସିବେ ମୋହୋର ଆଗର ।୫୧୬।

ଆଗିଆଣି ଦଣ୍ଡେ ନ କରିବ ଯୁଦ୍ଧ

ପଛେ ଗୋଡ଼ାଇ ବାବୁ ଯେମନ୍ତେ ପାର ବିନ୍ଧ ।୫୧୭।

ୟେତେ ବୋଲି ସଇନ ତିନି ଭାଗ କଲେ

ପୂର୍ବେ ଗଣପତି ପଚ୍ଛିମେ କାର୍ତ୍ତିକେଶ୍ୱର ଗଲେ ।୫୧୮।

ଗିରିବର ଓହାଡ଼େ ରହିଲେକ ଯାଇଂ

ତୁଣ୍ଡ ନ ଶୁଭଇ ଯେ ବାଜଣା ନ ବଜାଇ ।୫୧୯।

ୟେଥୁ ଅନନ୍ତରେ ଯେ ଯଦୁବୀରମାନେ

ପ୍ରବେଶ ହୋଇଲେ ଯାଇଂ ଶଂକର ସନ୍ନିଧାନେ ।୫୨୦।

ବେନି ବଳ ଆସି ଯହୁଂ ହୋଇଲେକ ଭେଟ

ଧସାଇଂ ପଶିଲେ ଯାଇଂ ଯଦୁବଳ ଥାଠ ।୫୨୧।

ଶିବଗଣମାନେ ଯେ ରହି ଯୁଦ୍ଧ କଲେ

କେହୁ ମାଲବନ୍ଧେ ସେ ଯେ ଧରାଧରି ହୋଇଲେ ।୫୨୨।

କେ ପିଟଇ କେ ଉଠଇ କେ ବିନ୍ଧଇ ତୀକ୍ଷଶର

ଆଉ ଯାଉ ହୋଉଛନ୍ତି ନାନାବର୍ଣ୍ଣେ ଶର ।୫୨୩।

କେ ଧାମଇଂ ମାରଇଂ କେ କଚାଡ଼ଇଂ ତୋଳି

କେ କାହାକୁ ସମରେ ଯେ ଯାଉଛନ୍ତି ବଳି ।୫୨୪।

କେ ପରିଘ ମାରଇ କେ ମୁଦୁଗରେ ପିଟି

ଗଦା ବାଜି କାହାର ଭାଜିଲାକ ପିଠି ।୫୨୫।

ଶର ବାଜି କାହାର ଜାନୁ ହେଲା କଣା

କେବଣ ବାପୁଡ଼ା ସେ ଯେ ଚକ୍ରେ ଦରହଣା ।୫୨୬।

କାହାର ହାଥ ଭାଜିଲା କାହାର ଭାଜିଲାକ ଗୋଡ଼

କେହୁ ପଳାଉ ଅଛି ହୋଇଣ ତଡ଼ ବଡ଼ ।୫୨୭।

କେ ଧାଇଂ ଆଗସରି ବିନ୍ଧୁଛନ୍ତି ଶର

କାହାର ଶରୀର ଯେ ରକତେ ଜର ଜର ।୫୨୮।

କେ ଗଦା ପିଟି କେ ପରିଘେ ପ୍ରାଣ ନେଲା

କେବଣ ବାପୁଡ଼ାକୁ ଯେ ଅଶ୍ୱ କାମୋଡ଼ିଲା ।୫୨୯।

କେ କାହାକୁ ମାରଇ କେ କାହାକୁ ଧରଇ

କାହାକୁ ଫୋପାଡ଼ଇ କାହାକୁ କେ ଗୋଡ଼ାଇ ।୫୩୦।

କେ ପଡ଼ି ଉଠଇ କେ ବୋଲଇ ସମ୍ଭାଳ

କେ କାହାର ଧରଇ କଟି କେ କାହାର ଧରଇ ବାଳ ।୫୩୧।

କେ ବୋଲଇ କାହିଂ କେ ବୋଲଇ ବାଜିଲା

କାହାର ଉପରେ କାହାର ଶହସ୍ର ବାଜିଣ ଭାଜିଲା ।୫୩୨।

କେ ବୋଲଇ ଧରେ କେ ବୋଲଇ ମାର

କେ କାହାକୁ ବିନ୍ଧଇ କେ କାହାକୁ ମାରଇ ମୁଦୁଗର ।୫୩୩।

କେ ଛାଡଇ ରଡ଼ି କେ ଯାଉଅଛି ଗଡ଼ି

କେ କାହାର ଉପରେ ପିଟୁଅଛି ବାଡ଼ି ।୫୩୪।

ୟେ ବିଧିରେ ଅନେକ ସମର ହୋଇଲା

ପର ଆପଣା କେହୁ ଯେ ବାରଣ ନ ଗଲା ।୫୩୫।

ଦୋହେଂ ସମଛତ୍ରୀ ସେ ଯେ ରିଝାଇଂ ଯୁଝନ୍ତି

କେହୁ କାହାକୁ ସମରେ ଓଛ ଯେ ନୋହନ୍ତି ।୫୩୬।

କାହାର କେତେ ସଇନ ଯେ ପଡ଼ିଲା ନ ଜାଣି

ବେନି କୋଶ ମାଡ଼ିଣ ଯେ ପଡ଼ିଲେ ଧରଣୀ ।୫୩୭।

କେ କାହାକଇଂ ଯେ ନ ଘୁଞ୍ଚନ୍ତି ଘାୟେ

ରିଝନ୍ତି ଯୁଝନ୍ତି ସେ ଯେ ଶିବଂକର ପୋୟେ ।୫୩୮।

ଦେଖିଣ ପଦ୍ମନ ଶାମ୍ୱ ଗଦ ବୀର

ରୁଦ୍ରଗଣ ଉପରେ ପ୍ରହାର କଲେ ଶର ।୫୩୯।

ରୋହିଣୀ ନନ୍ଦନ ଯେ ବିନ୍ଧୁଛନ୍ତି ବାଣ

ଶ୍ରୀକୃଷ୍ଣଂକ ନନ୍ଦନ ବାଣେ ନ ଦିଶିଲେ ଶିବଗଣ ।୫୪୦।

ସମର ଛାଡ଼ିଣ ସେ ଯେ ପଳାଇଲେ ଭାଜି

ପିଠି ଉପରକୁ କୁମରେ ବିନ୍ଧନ୍ତି ଗଳଗାଜି ।୫୪୧।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ଗଦା ଛେଲ ଚକ୍ର ବିନ୍ଧନ୍ତି ଶସ୍ରମାନ ।୫୪୨।

ଭାଜିଲେ ରୁଦ୍ରଗଣେ ପଛକୁ ନ ଚାହିଂ

ରହ ରହ ବୋଲନ୍ତେ ରହନ୍ତା କେ ନାହିଂ ।୫୪୩।

ଦେଖିଣ ସଦାଶିବ ଓଗାଳିଲେ ଯାଇଂ

ରହିଲେ ଯଦୁବୀରେ କରେ ଶସ୍ର ଲାଇ ।୫୪୪।

ରୋହିଣୀ ନନ୍ଦନକୁ ସଦାଶିବ ଭେଟି

ରେ ରେ କରିଣ ଯେ ଡାକିଲେ ଧୃଜଟି ।୫୪୫।

ଧନୁରେ ବସାଇଲେ ପଞ୍ଚୁମୁନା ଶର

ବଳରାମ ଉପରକୁ ବିନ୍ଧିଲେ ଧାତିକାର ।୫୪୬।

ଦେଖି କାମପାଳ ତାହା ତିନିବାଣେ ନାଶି

ଶଂକରଂକ ଉପରକୁ କୋଟିୟେ ବାଣ ପେଷି ।୫୪୭।

ଦେଖି ସଦାଶିବ ନିବାରିଲେ ଶର

ତହୁଂ ଅହିବ୍ରତେ ଶର ପେଷିଲେ ଶଂକର ।୫୪୮।

ମର୍ଭୁତେ ମେବଚ୍ଛେ ପେଷନ୍ତି ନିଶ୍ୱାସକେ

ଗଗନ ପୂରୁଅଛି ବେନି ଜନଂକର ଡାକେ ।୫୪୯।

ଗର୍ଜନ୍ତି ତର୍ଜନ୍ତି ବିନ୍ଧନ୍ତି ଯେ ଅତି ବେଗି

ୟେକ ପ୍ରହାରକେ ଯେ ଆରେକ ନ ଭାଙ୍ଗି ।୫୫୦।

ବେଳୁଂ ବେଳ ସମର ହୁଅଇ ଅନିର୍ଯ୍ୟାପ

ମରଣକୁ ନ ତରି କରିଛନ୍ତି ଧାପ ।୫୫୧।

ଗଣପତି କାର୍ତ୍ତିକ ଯେ ପର୍ବତ ଉହାଡ଼େ ଥିଲେ

ପଛକତିରୁ ସେ ଯେ ମାଡ଼ିଣ ପଡିଲେ ।୫୫୨।

ଯେ ଯାହା ଶହସ୍ର ଘେନି କରନ୍ତି ସମର

ବିନ୍ଧନ୍ତି ନାରାଜମାନ ଅତି କୋପଭର ।୫୫୩।

ଛେଲ ଚକ୍ର ଭୁଷଣ୍ଡୀ ପରିଘ ତୀକ୍ଷବାଣ

ୟେକ ନାରାଜ ବିନ୍ଧନ୍ତେ ଆରେକ ଗରୁ ଟାଣ ।୫୫୪।

ମୟୂର ଧୁଆଇଂଣ କାର୍ତ୍ତିକ ସେନାପତି

ବିନ୍ଧଇ ନାରାଜ ସେ ଯେ ଅତି କୋପ ମୂର୍ତ୍ତି ।୫୫୫।

ନାରାଜକେ ଲକ୍ଷ କୋଟି ସଇନି ନିବାରି

ୟେ ବିଧିରେ ସମର ଯେ ବେନି ଘଡ଼ି କରି ।୫୫୬।

ଯଦୁବୀରମାନେ ତୁହାଇ ଯୁଦ୍ଧ କଲେ

କୋଟିୟେ ରୁଦ୍ରଗଣ ସେହୁ ସଂହାରିଲେ ।୫୫୭।

ଦୁଇ ଥାଠରୁ ପଡ଼ିଲେ ଅନେକ ସଇନି

ଭାଜିଲେ ଯଦୁବୀରେ ନ ପାରିଲେ ଶହସ୍ର ଘେନି ।୫୫୮।

ଡଗରେ କହିଲେ ଶ୍ରୀକୃଷ୍ଣଂକ ସନ୍ନିଧାନେ

ପଛକତିକୁ ମାରନ୍ତି ରୁଦ୍ର ସୁତମାନେ ।୫୫୯।

ପର୍ବତ ଉହାଡ଼େ ରହିଥିଲେ ଲୁଚି

ପ୍ରଥମ ସମରେ ସେ ରହିଥିଲେ ଘୁଞ୍ଚି ।୫୬୦।

ଯହୁଂ ଆଗବଳି ସେ ଅଇଲେ ସଇନି

ପଛ କତିରେ ସେ ଯେ ମାରନ୍ତି ଶସ୍ର ଘେନି ।୫୬୧।

ଦେଖ ଦେଖ ପଳାଉଚନ୍ତି ଯଦୁବୀରେ

ସେ ଥାଠେ ସେନାପତି ହୋଇଛି କାର୍ତ୍ତିକେଶ୍ୱରେ ।୫୬୨।

ଗଣପତି ଅତି ବେଗେ ମାରନ୍ତି ସଇନି

ରିଝାଇଂ ଯୁଝନ୍ତି ଶଂକର ସୁତ ବେନି ।୫୬୩।

ଶୁଣିଣ ଦେବ ହରି ଯେ ଛାଡ଼ିଲେ ସମର

ନନ୍ଦିଘୋଷ ରଥ କଲେ କାର୍ତ୍ତିକ ଆଗର ।୫୬୪।

ଦୂରୁଂ ଦେଖି କାର୍ତ୍ତିକ ବିନ୍ଧିଲା ଶତେ କାଣ୍ଡ

ଥର ହର ହୋଇ ଯେ କମ୍ପିଲା ବ୍ରହ୍ମାଣ୍ଡ ।୫୬୫।

ସପତ ସାଗର ହୋଇଲାକ ଥିର

ବେଗ ବେଗ ହୋଇଣ ସେ ପଳାନ୍ତି ଦିନକର ।୫୬୬।

ପବନ ଦେବତା ଯେ ଥମ୍ଭିଭୂତ ହୋଇ

ଜଗତ ସଂସାର ଯାକ ଆଜ ହୋଇବାକ ଦହି ।୫୬୭।

ଦେଖିଣ ଯଦୁ ସଇନ ପଳାଇଲେ ଭୟେ

ଜଗତ ନାଶ ଯିବକି ନାରାଜ ତେଜ ଘାୟେ ।୫୬୮।

ବହୁତ ପ୍ରଶଂସା କରନ୍ତି ନାରାୟଣ

ଧନ୍ୟ ରେ ଜଟିଳ କାହିଂ ତୁ ପାଇଲୁ ୟେ ବାଣ ।୫୬୯।

ଦେଖୁଂ ଦେଖୁଂ ଅସ୍ର ଯେ ଘୋଟିଲା ଗଗନ

ନାରୟଣା ଶସ୍ର ଯେ ଘେନିଲେ ଭଗବାନ ।୫୭୦।

ମନ୍ତ୍ରିଣ ବିନ୍ଧିଲେ ଘୋର ନାଦ କରି

ତେତେ ମହାଶସ୍ରକୁ ପଳାଇଲେ ନିବାରି ।୫୭୧।

ଦେଖିଣ ଗଣପତି ମାଇଲେ ଶକତି

ବାଇବା ଶରେ ତାହା ନାରାୟଣେ ନିପାତି ।୫୭୨।

ବେନି ଭାଇ ୟେକମୁଖ ହୋଇ ଶର ବିନ୍ଧି

ଶଦା ଶକତି ମୂଷଳ ପରିଘ ଆୟୁଧମାନ ସିନ୍ଧି ।୫୭୩।

ଘନ ଘନ ଛେଦନ୍ତି ନନ୍ଦର ନନ୍ଦନ

ଚାହିଂତେ ଭାର୍ଜନ ନାହିଂ ଆନ ଜନ ।୫୭୪।

ଶ୍ରୀକୃଷ୍ଣ ବିନ୍ଧିଲେ ମେଘା ପର୍ବତେକ ଶର

ପବନ ବାଣେ ତାହା ନାଶ କଲେ କୁମର ।୫୭୫।

ପୁଣି ନାରାୟଣ ଯେ ବଜ୍ରବାଣ ମାରି

ଚଳିଲା ନାରାଜ ଘୋର ନାଦ କରି ।୫୭୬।

ଗଣପତି ଥୋର ହସ୍ତେ ଧଇଲେ ତାହା ଜାଣି

ସମ୍ଭାଳି ନୁଆରିଲେ ଶର ଉପରେ ପଡ଼ଇ ପୁଣି ।୫୭୭।

ବଜ୍ରସମ ଜାଣି ପଡ଼ିଲାକ ଶର

ମୋହେ ଅଚେତନ ସେ ଯେ ପାର୍ବତୀ କୁମର ।୫୭୮।

ଦେଖିଣ କାର୍ତ୍ତିକ ଯେ ମନେ ଗରୁ ଖଂଗ

ତକ୍ଷଣେ ସୁମରିଲା ଶହସ୍ର ପନ୍ନଗ ।୫୭୯।

ମନ୍ତ୍ର ସୁମରିଣ ବିନ୍ଧିଲା କୋପଭରେ

ଗରୁଡ଼ା ଶର ପେଷିଲେ ନାରାୟଣେ ଖରେ ।୫୮୦।

ଦେଖିଣ ପନ୍ନଗମାନେ ପଳାଇଲେ ଭୟେ

କେହି ନ ରହିଲେ ତହିଂ ଗରୁଡ଼ା ଶର ଘାୟେ ।୫୮୧।

ମହାଘୋର ଧୁନି କରି ଆସଇ ସେ ଶର

ଦେଖିଣ କାର୍ତ୍ତିକ ମୟୂର ଉଡ଼ାଇଲା ଗଗନର ।୫୮୨।

ଗଗନେ ଲୁଚି ବୀର ସମ୍ଭାଳି ନୁଆରିଲା

ଶହସ୍ର ପବନ ଘାତେ ତିନି ଯୋଜନ ଘୁଞ୍ଚିଲା ।୫୮୩।

ପୁଣି ନିମିଷେକେ ମିଳିଲେ ଆସି ଆଗେ

ଶକତିୟେ ମାଇଲା ହୋଇଣ ବଇରାଗେ ।୫୮୪।

ଚଳିଲା ଶକତି ମନୁଂ ବେଗ କରି

ନାରାୟଣ ଉପରେ ବାଜିଣ ଉପୁଡ଼ି ।୫୮୫।

ବ୍ୟଥା ପାଇଲେକ ତହୁଂ ଦେବ ଦାମୋଦର

କଉମୋଦକୀ ଗଦା ଦେବ ଧଇଲେ ଧାତିକାର ।୫୮୬।

ଦେଖିଣ କାର୍ତ୍ତିକ ସେନାପତି ପଳାଇଣ ଗଲା

ଆକାଶେ ରହିଣ ବୀର ଶର ବୃଷ୍ଟି କଲା ।୫୮୭।

ମହାଘୋର କରି ସେ କରଇ ଶର ବୃଷ୍ଟି

ନନ୍ଦିଘୋଷ ରଥ ଆକାଶକି ଗଲା ଉଠି ।୫୮୮।

ତହୁଂ ପଳାଇଣ ସେ ଅଇଲା ମଞ୍ଚକୁ

ଶର ବୃଷ୍ଟି କଲା ସେ ସଇନି ଉପରକୁ ।୫୮୯।

ତିନିଶତ ଯାଦେବ ୟେକା ବାଣେକେ ମାରି

ନନ୍ଦିଘୋଷ ରଥ ମଞ୍ଚରେ ଅବତରି ।୫୯୦।

ଦେଖିଲେ ନାରାୟଣ ସଇନ ସଙ୍ଗତରେ ଯୁଦ୍ଧ୍ୟ

କରଇ ସେନାପତି ପାଦାନ୍ତିକ ବଧ୍ୟ ।୫୯୧।

କୋପେ କାଳାନଳ ଯେ ଦେବ ଦଇତାରି

କଉମୋଦକୀ ଗଦା ଘେନି କାର୍ତ୍ତିକକୁ ମାରି ।୫୯୨।

ଦେଖିଣ ପଳାଇ ଗଲେକ ଛଡ଼ମୁଖ

ଅତି ଆରତେ ଲୁଚିଲେ ନନ୍ଦିଘୋଷ ପଛ ପାଖ ।୫୯୩।

କଉମୋଦକୀ ଗଦା ନ ବାଜିଲା ଦେହେ

ପୁଣି ମୟୂର ବାହନେ ନାରାୟଣଂକ ଆଗେ ହୋୟେ ।୫୯୪।

ଶତେକ ନାରାଜ ପୂରୋଇ ସେନାପତି

ନାରାୟଣଂକ ଉପରକୁ ମାଇଲାକ ଝାତି ।୫୯୫।

ଦେଖିଣ ଦାମୋଦର ଦୂରହୁଂ ନିବାରିଲେ

ଆପଣା ସୂଚିମୁନା ତିନିବାଣହିଂ ମାଇଲେ ।୫୯୬।

ଦେଖିଣ ନିବାରିଲେ ଶବଦ କୁମର

ବେନି ଜନଂକର ହୋଇଲା ଅସଂଖ୍ୟ ସମର ।୫୯୭।

ପୁଣିହିଂ ମିଳନ୍ତି ଆସି ନନ୍ଦିଘୋଷ ରଥର ଆଗେ

ମାରନ୍ତି ଘୁଞ୍ଚନ୍ତି ଉଞ୍ଚାନ୍ତି ଅତି ବେଗେ ।୫୯୮।

ଆକାଶେ ଥାଇଣ ଦେଖନ୍ତି ଦେବଗଣ

ବୋଲନ୍ତି ଧନ୍ୟ ରେ ପାର୍ବତୀ ନନ୍ଦନ ।୫୯୯।

ବାଳକାଳେ ତାରକା ଅସୁରକୁ ମାରି

ୟେବେ ନାରାୟଣ ଛାମୁରେ ଶହସ୍ରକୁ ଧରି ।୬୦୦।

ନାରଦ ମହାମୁନି ବୀଣା ଯନ୍ତ୍ର ବାଇ

ନାଚନ୍ତି ଅତି ବେଗେ ତ୍ରିଦଣ୍ଡ ବୁଲାଇ ।୬୦୧।

ବୀଣାଯନ୍ତ୍ର ବଜାଇ ବୋଲନ୍ତି କଳି ଲାଗୁ ଲାଗୁ ବେଗି

କେହି କାହାକଇ ନ ଯିବଟି ଭାଙ୍ଗି ।୬୦୨।

ଷାଠିୟେ ସହସ୍ର କଳି ଧୋକଡ଼ି କାଖରେ

ଲାଗୁ ଲାଗୁ ବୋଲି ଝାଡ଼ନ୍ତି ଅତି ଖରେ ।୬୦୩।

ବେନି ଖଣ୍ଡ କାଠି ବେନି କରେ ଧରି

ଲାଗୁ ଲାଗୁ ବୋଲି ବଜାନ୍ତି ଶୀଘ୍ର କରି ।୬୦୪।

ନାଚନ୍ତି ମହାସୁଖେ ଦେଖନ୍ତି ଲୋଚନେ

ଆକାଶେ ଦେଖନ୍ତି ଯେ ସୁରଗଣମାନେ ।୬୦୫।

ଶ୍ରୀହରି କାର୍ତ୍ତିକଂକର ହୋଉଛି ସମର

ୟେତ ଜଗତ ଈଶ୍ୱର ସେ ତ ଶଂକର କୁମର ।୬୦୬।

ଦୋହେଂ ମହବଳୀ ସମରେ ନୋହନ୍ତି ଯେ ଓଚ୍ଛ

ଦୁହେଂ ଦୁହିଂକି ବିନ୍ଧନ୍ତି ସମର ସମକଚ୍ଛ ।୬୦୭।

କେ ପର୍ବତା ମାରି କେ ବଜ୍ରରେ ନିବାରି

ମେଘାଶରକୁ କେ ପବନେ ନିଅନ୍ତି ହରି ।୬୦୮।

ସୂର୍ଯ୍ୟାବ୍ରତକେ ଶରକୁ କେ ଅମୃତା ଶର ପେଷି

ପ୍ରତିଶର କରି ଦୁହେଂ ପକାଉଛନ୍ତି ନାଶି ।୬୦୯।

ଦେଖି ବିରଚାନ୍ତି ଦେବ ଦାମ୍ୱୋଦର

ବଡ ଯୋଧୀ ଅଟନ୍ତି ସେ ପାର୍ବତୀ କୁମର ।୬୧୦।

ମୋହୋର ପରା ଛତ୍ରୀ ନୁଆରିଲି ଜିଣି

ପହଡ଼େ ହେଲା ସମର କରଇ ପୁଣ ପୁଣି ।୬୧୧।

ଦେବତାଂକର ବରେ ୟେ ଅଟଇ ଅଜୟେ

କେବେହେଂ କ୍ଷୟେ ଯେ ନୋହିବ ୟେହାର କାୟେ ।୬୧୨।

ୟେତେ ବିଚାରି ଦେବ ମୋହନା ଶର ଧରି

ଗୁଣରେ ବସାଇଲେ ସେ ଅତି ଯତ୍ନ କରି ।୬୧୩।

ମନ୍ତ୍ର ସୁମରିଣ ସେ ବୋଇଲେ ଶର ତୁହି ଯିବୁ

ଶିବର ପୁତ୍ର କାର୍ତ୍ତିକକୁ ମୋହ କରାଇବୁ ।୬୧୪।

ପ୍ରାଣେ ନ ମାରିବୁ ତୁ ରଖିବୁ ଜୀବନ

ଯହିଂ ଲୁଚିବ ତହିଂ ମିଳିବୁ ବହନ ।୬୧୫।

ୟେତେ ତିଆରି ଶରକୁ ପେଷିଲେ ନାରାୟଣ

ଯାଇଂଣ ପଡ଼ିଲା ସେ କାର୍ତ୍ତିକ ଶରୀରେଣ ।୬୧୬।

ରୋମକେ ଯେ ନାରାଜ ଲେଖାୟେଣ ବସି

କାର୍ତ୍ତିକର ଶରୀର ଶରରେ ନ ଦିଶି ।୬୧୭।

ଅଚେଷ୍ଟ ହୋଇଣ ଯେ ପଡ଼ିଲା କୁମର

ମୟୂର ଘେନିଗଲା ତାକୁ କପିଳାସ କନ୍ଦର ।୬୧୮।

ଦେଖିଲେ ନାରାୟଣ ଶିବଗଣମାନ

ବିନ୍ଧନ୍ତି ନାରାଜ ଯେ କୋପେଣ ଭଗବାନ ।୬୧୯।

ଶିବଗଣମାନେ ଯେ ସମର କରୁଥିଲେ

ନାରାୟଣଂକୁ ଦେଖି ସେ ଭୟେ ପଳାଇଲେ ।୬୨୦।

ଗୋଡ଼ାଇଣ ମାରନ୍ତି ଦେବ ଦଇତାରି

ୟେକା ନାରାଜକେ ମର୍ଭୁତେ ମାରି ।୬୨୧।

ପଛକୁ ନ ଚାହିଂଣ ପଳାବନ୍ତି ଶିବଗଣ

କରେ ଶହସ୍ର ଧରି ଗୋଡ଼ାବନ୍ତି ନାରାୟଣ ।୬୨୨।

ଗଣପତି ସହିତେ ପଳାଉଛନ୍ତି ଡରେ

କେହି ନ ରହନ୍ତି ନାରାୟଣଂକ ଛାମୁରେ ।୬୨୩।

ଅନେକ ଶିବଗଣ ଯେ ମଡ଼ାମଡ଼ିରେ ମଲେ

ଥୋକାୟେ ପଳାଇଣ ଶିବଂକୁ କହିଲେ ।୬୨୪।

ଭୋ ଦେବ ଶଂକର ନାରାୟଣଂକୁ ଚାହାଂ

କାର୍ତ୍ତିକଂକୁ ମାଇଲେ ଦେବ ରୁକ୍ମିଣୀର ନାହା ।୬୨୫।

ଆବର ସଇନମାନ ପକାଇଲା ହାଣି

କି ଅବା କାଳ ଦେବତା ଅଟଇ ଚକ୍ରପାଣି ।୬୨୬।

ଶୁଣିଣ ସଦାଶିବ ବଳରାମଂକୁ ଛାଡ଼ି

ତ୍ରୋଣରୁ ପଶୁପତ୍ର ନାରାଜ ହର କାଢି ।୬୨୭।

ଗୁଣରେ ବସାଇ ବିନ୍ଧିଲେ ଅତି ବେଗି

ପୁତ୍ର ନିଧନ ଶୁଣି ହୋଉଛନ୍ତି ବଇରାଗୀ ।୬୨୮।

ଦେଖିଣ ସକଳ ସଇନି ପଳାଇଲେ

ଭୟେ ନୀଳାମ୍ୱର ଅନ୍ତର ହୋଇଲେ ।୬୨୯।

ଦେଖିଣ ନାରାୟଣ ସୁଦ୍ରିଶେନ ପେଷି

ପଶୁପତ୍ରକୁ ପକାଇଲେ ନାଶି ।୬୩୦।

କୋପେ ସଦାଶିବ ତ୍ରିଅମ୍ୱକେ ଶର ମାରି

ବଜ୍ରାଶରେ ତାହା ନାରାୟଣେ ନିବାରି ।୬୩୧।

ଅମୋହ ଶକତି ମାଇଲେକ ଶିବ

ପରିଘେ ନିବାରିଲେ ଦେବ ବାସୁଦେବ ।୬୩୨।

କାଳଚନ୍ଦ୍ର ଶର ମାଇଲେ ଉମାଦେବୀ ସାଈଂ

ଆଦର ମାଇଲେ ସେ ତ୍ରିଶୂଳ ବୁଲାଇ ।୬୩୩।

ଶୁଳ ଶକତି ସେ ଯେ ବଜ୍ରବାଣ ମାରି

ପରିଘ ମୁଦୁଗର ୟେକାବେଳେ ପ୍ରହାରି ।୬୩୪।

ନାରାୟଣ ବିନ୍ଧନ୍ତି ଯେ ସାବଧାନ ହୋଇ

ବଲରାମ ସମର ଦେଖିଲେ ଉମାସଈଂ।୬୩୫।

ନାରାୟଣା ଶସ୍ର ଯେ ବିନ୍ଧିଲେ ନାରାୟଣ

ଈଶ୍ୱରକଂ ଶସ୍ର ସବୁ କଲେ ନିବାରିଣ ।୬୩୬।

ବୃଷଭ ଉପରେ ଯେ ବିଜୟେ ଦେବ ତ୍ରିଲୋଚନ

ନନ୍ଦିଘୋଷ ରଥେ ବିଜୟେ ଦେବ କାନ୍‌ହ ।୬୩୭।

ହରିହର ସମର କହିତ କି ପାରି

ରୟଣୀ ଦିବସ କିଛୁ ବାରି ତ ନୁଆରି ।୬୩୮।

ଶିବଗଣମାନେ ବହୁତ ସମର କଲେ

ଗଣପତି ସଂଗତେ ପଦ୍ମନ ଯୁଝିଲେ ।୬୩୯।

ଗଦକୁମର ସଂଗେ ନଦୀ ଯୁଦ୍ଧ କଲା

ମହାକାଳକୁ ଯେ ଅନିରୁଦ୍ଧ ଆବୋରିଲା ।୬୪୦।

ଶ୍ରୀକୃଷ୍ଣଂକର କୁମରେ ଶିବ ପୁତ୍ରଂକର ସଂଗେ

ସମର କରନ୍ତି ସେ ଅତିହିଂ ରଣରଙ୍ଗେ ।୬୪୧।

ବେନି ଜନେ ଯୁଦ୍ଧେ ହୋଇଲେ ଅନ୍ୟୋଅନ୍ୟି

କୋପେଣ ସଦାଶିବ ରକ୍ଷ ନାରାଜେକ ଘେନି ।୬୪୨।

ଶ୍ରୀହରିଂକ ଉପରକୁ ମାଇଲେକ ହର

ଜାନୁ ଫୁଟି ତେଣିକି ବାହାର ହେଲା ଶର ।୬୪୩।

ଥରହର ହୋଇଣ ଯେ କମ୍ପିଲା ବ୍ରହ୍ମାଣ୍ଡ

କି ଅବା ଭାଞ୍ଜିଣ ପଡ଼ିଲା ମେରୁ ଶୃଙ୍ଖ ଖଣ୍ଡ ।୬୪୪।

ଦେଖିଣ ଦେବତାୟେ ସାଧୁ ସାଧୁ କଲେ

ୟେ ଶର ଆନ କେହି ନ ସହନ୍ତି ବୋଇଲେ ।୬୪୫।

ତ୍ରିପୁରାସୁରକୁ ୟେ ଶର ହର ନାଶି

ଶ୍ରୀକୃଷ୍ଣ ଉପରକୁ ମାଇଲେ ଦେବ କାଶୀ ।୬୪୬।

ଆନର ବଳେ ୟେହା ନୋହଇ ନା ସହି

ବାବୁ ୟେ ଶ୍ରୀହରି ବଜ୍ରହୁଂ ଆଣ୍ଟ ଅଟଇ ୟାର ଦେହୀ ।୬୪୭।

ୟେତେ ବୋଲି କୁହା କୁହି ହୁଅନ୍ତି ଦେବଗଣ

ହରି ହର କରୁଛନ୍ତି ଅତିହିଂ ମହାରଣ ।୬୪୮।

ଯେତେବେଳେ ଶର ଫୁଟିଲା ଜାନୁର

କୋପେ ଦଇତାରି କଉମୋଦକୀ ଗଦା ଧଇଲେ ହାଥର ।୬୪୯।

ଶଂକର ଉପରକୁ ମାଇଲେ ଦେବ କୋହେ

ବୃଷଭ ଉପରେ ହର ପଡ଼ିଲେକ ମୋହେ ।୬୫୦।

ଅଚେତ ହୋଇଣ ପଡ଼ିଲେ ସଦାଶିବ

ରୁଧିର ଉଦୁଗାରି ପଡ଼ିଲେ ମହାଦେବ ।୬୫୧।

ଶ୍ରୀକୃଷ୍ଣ ସଇନି ଯେ କଲେ ଜୟେଧୁନି

ସମର ଛାଡ଼ି ପଳାଇଲେ ରୁଦ୍ରଂକ ସଇନି ।୬୫୨।

ୟେଥୁ ଅନ୍ତେ କ୍ଷଣକେ ଚେତି ଉଠି ଶୂଳ ଯେ ବୁଲାଇ

ସନ୍ୟସ୍ତ ଡାକ ଦିଲେ ପଳାଅ କାହିଂ ପାଇଂ ।୬୫୩।

ବେନି କରେ ଧରି ପିଟନ୍ତି ନିଠାଇ

ତିନିବେଳ ଯାୟେ ନାରାୟଣଂକ ଉପରେ ପିଟିଲେ ତୁହାଇ ।୬୫୪।

ତ୍ରିଶୂଳର ଘାୟେ ନାରାୟଣ ଅଚେତ

ଦେଖିଣ କାମପାଲ ଧାଇଂଲେ ତୁରିତ ।୬୫୫।

କୃଷ୍ଣର ଅଚେତ ଦେଖି ରୋହିଣୀ ନନ୍ଦନ

ସଉନନ୍ଦ ମୂଷଳ ଯେ ଘେନିଲେ ବହନ ।୬୫୬।

ସହି ନୁଆରିଣ ଦେବ କାମପାଳ

ଶଂକରଂକ ଉପରକୁ ମାଇଲେ ମୂଷଳ ।୬୫୭।

ଦେଖିଣ ବୃଷଭ ଯେ ପାତିଲାକ ମୁଣ୍ଡ

ବାଜିଲା ମୂଷଳ ଯେ କମ୍ପିଲା ବ୍ରହ୍ମାଣ୍ଡ ।୬୫୮।

ଥରହର ହୋଇ କମ୍ପିଲା ତାର କାୟେ

ଗର୍ଜଇ ବୃଷଭ ଯେ ମୂଷଳର ଘାୟେ ।୬୫୯।

ପୁଣି କାମପାଳ ବୁଲାଇ ଲଂଗଳ

ବୋଇଲେ ସଦାଶିବ ପ୍ରାକ୍ରମ ଥିଲେ ସମ୍ଭାଳ ।୬୬୦।

କହୁଂ କହୁଂ ଦେବ ପିଟିଲେକ ନେଇ

ଆଡ଼ିଲେ ଶଂକର ତା ତ୍ରିଶୂଳ ବୁଲାଇ ।୬୬୧।

ବାଜନ୍ତେଣ ହରର ତ୍ରିଶୂଳ ଭାଜିଗଲା

ସମ୍ଭାଳି ନୁଆରିଲେ ହୃଦରେ ପଡିଲା ।୬୬୨।

ବ୍ୟଥା ପାଇ ଶଂକର ମହା ବିସ୍ମକାୟେ

ଉର୍ଦ୍ଧକୁ ବଢ଼ିଗଲେ ଧ୍ରୁବଲୋକ ଯାୟେ ।୬୬୩।

ସେହି ସାଦ୍ରିଶେଣ ହୋଇଲେକ ମୋଟ

ଧ୍ରୁବ ଚକ୍ରେ ଯାଇଂ ଲାଗିଲା ମୁକୁଟ ।୬୬୪।

ଚନ୍ଦ୍ର ସୂର୍ଯ୍ୟ ନୟନ ନିଶ୍ୱାସ ପବନ

କୋପେଣ ସଦାଶିବ ଗର୍ଜନ୍ତି ଘନ ଘନ ।୬୬୫।

ଦେଖିଣ କାମପାଳ ମହା ବିସ୍ମରୂପୀ

ରାମହିଂ ବଢିଗଲେ ଈଶ୍ୱର ବୃଦ୍ଧି ଦେଖି ।୬୬୬।

ନରସିଂଘ ମୂର୍ତ୍ତି ଧରିଅଛନ୍ତି ଦେବ ହଳୀ

ଦେଖିଣ ସଦାଶିବ ପଞ୍ଚୁଭୂତେ ଭାଳି ।୬୬୭।

ୟେହି ସେ ଭାରାଭର କରିବ ଉଶ୍ୱାସ

ଅବନୀରେ ଜାତ ୟେହୁ ଦେବ ପୀତବାସ ।୬୬୮।

ଆଜ ସେ ଦେଖିଲି ହୋ ୟେହାଂକ ବଡ଼ପଣ

ୟେ ସେ ନାରାୟଣ ଦେବ ସଂସାର ଉଦ୍ଧାରଣ ।୬୬୯।

ୟେହା ସଙ୍ଗେ ଦ୍ୱନ୍ଦ କଲଇଂ ନ ଜାଣି

ନ ପୁଣ ଆଜ ୟେ ମୋତେ ସାଂଗ୍ରାମେ ଯାୟେ ଜିଣି ।୬୭୦।

ୟେସନେକ ସମୟେ ଦେବ ନୀଳାମ୍ୱର

ତାଳଧ୍ୱଜ ରଥୁଂ ଡେଇଂ ପଡ଼ିଲେ ଧାତିକାର ।୬୭୧।

ବୃଷଭ ଉପରେ ଦେବ ଉଠିଲେକ ଯାଇଂ

ବଜ୍ରସମ ମୁଷ୍ଟିୟେକ ଦେବ ପ୍ରହାରିଲେ ନେଇ ।୬୭୨।

ହୃଦଗତେ ବାଜି ନିର୍ଘାତ ଶବଦ କଲା

କି ଅବା ବଜ୍ର ଉପରେ ବଜ୍ରହିଂ ପଡ଼ିଲା ।୬୭୩।

ଦେଖିଣ ସଦାଶିବ ଧଇଲେକ ତୋଟି

ବଳରାମେ ଧଇଲେ ଈଶ୍ୱରଂକର କଟି ।୬୭୪।

ହୁଂକାରି ଟେକିଲେ ଯେ ରୋହିଣୀ ନନ୍ଦନ

ବୃଷଭ ଉପରେ ଟଳି ପଡ଼ିଲେ ବେନି ଜନ ।୬୭୫।

ଦଲ ଦଲ ହୋଇଣ ଯେ କମ୍ପିଲାକ ମହୀ

ବାସୁକୀ ମୁଖରୁ ଯେ ରୋଧିର ନିକିଳଇ ।୬୭୬।

ପୃଥୀ ଦେବୀ ରୋଦନ କରଇ ବିକଳେ

ବଳରାମେ ଛନ୍ତି ଉପରେ ଈଶ୍ୱରେ ଛନ୍ତି ତଳେ ।୬୭୭।

ଧାତିକାରେ ଲେଉଟାଇଲେ ପାର୍ବତୀଂକ ପତି

କେ ତଳେ କେ ଉପରେ ବାରଣ ନ ଯାନ୍ତି ।୬୭୮।

ଧରାଧରି ପରାପରି ଗଡ଼ାଗଡ଼ି ଯାନ୍ତି

କୋଡ଼ାକୋଡ଼ି ମଡ଼ାମଡ଼ି ତଡ଼ାତଡ଼ି ହୋନ୍ତି ।୬୭୯।

ଫେଡ଼ାଫେଡ଼ି ଜଡ଼ାଜଡ଼ି ପଡ଼ାପଡ଼ି ହୋଇ

ଜଟାଜଟି ପିଟାପିଟି ଛଡ଼ାଛଡ଼ି ଯାଇ ।୬୮୦।

ଛନ୍ଦାଛନ୍ଦି ଖନ୍ଧା ଖୁନ୍ଧି ବନ୍ଧାବନ୍ଧି ହୋନ୍ତି

ରୁନ୍ଧାରୁନ୍ଧି ସନ୍ଧାସନ୍ଧି ଫନ୍ଦାଫନ୍ଦି ଥାନ୍ତି ।୬୮୧।

ୟେ ବିଧି ଚଉଷଠି ବିନ୍ଧାଣ ମାଲବିଦ୍ୟା

ଦୁହେଂ ସମକଚ୍ଛି ଛତ୍ରୀ ଅଟନ୍ତି ମହାଯୋଧା ।୬୮୨।

ପଡ଼ନ୍ତି ଗଡ଼ନ୍ତି ଉଠନ୍ତି ଧରନ୍ତି ଅତି ବେଗେ

ହୁଂକାର ମାରନ୍ତି ଯେ ବଜ୍ରମୁଥ ଅଙ୍ଗେ ।୬୮୩।

ହିଆକୁ ହିଆ ଦେଇ ମୁଣ୍ଡକୁ ମୁଣ୍ଡ ମାରି

ନଖ ଦନ୍ତ ଘାତେ ହୃଦୟ ବିଦାରି ।୬୮୪।

ବେନି ଜନଂକର ଯେ କରନ୍ତେ ସମର

ଗିରିବରମାନେ ଯେ ହୋଉଛନ୍ତି ଚୂର ।୬୮୫।

ଶଂକରଗଣମାନେ ଯେ ଯୁଦ୍ଧ କରୁଥିଲେ

ଗଣପତିଂକି ହାରି ପଦ୍ମନ ଘୁଞ୍ଚିଲେ ।୬୮୬।

ଗଦ କୁମର ଯେ ଜିଣିଲା ନନ୍ଦୀକି

ଅନିରୁଦ୍ଧ ମହାକାଳ ସମର ଟକାଟକି ।୬୮୭।

କୃଷ୍ଣର ସୁତମାନେ ସମର କରୁଥିଲେ

ମହାଯୁଦ୍ଧ ଦେଖିଣ ସମର ଛାଡ଼ିଲେ ।୬୮୮।

ଶିବଗଣମାନେ ଯେ ସମର ନ କରି

ଦେଖନ୍ତି ମାଲ ଯୁଦ୍ଧ ହୋଇଣ ଉଭାରି ।୬୮୯।

ସ୍ୱର୍ଗେ ଦେବତାୟେ ଯେ ଦେଖୁଛନ୍ତି ରହି

ବେନି ଜନେ ସମର କରନ୍ତି ନିଠାଇ ।୬୯୦।

ଦୁହେଂ ଶୁକ୍ଳବର୍ଣ୍ଣ ୟେକଇ ତନୁ ଜାଣି

ହର ହଳୀ ସମର ଯେ କେ କହିବ ପରିମାଣି ।୬୯୧।

ତଳେ ଶଂକର ଉପରେ ବଳରାମ

କୋଟିୟେ ସିଘଂର ଯାହାର ପରାକ୍ରମେ ।୬୯୨।

ମହା କୋପାନଳ ଦେବ ତ୍ରିଲୋଚନ

ରାମଂକୁ ନେଉଟାଇ ପାଡ଼ିଲେ ବହନ ।୬୯୩।

ମସ୍ତକ ଉପରେ ନେଇ ବଜ୍ର ମୁଥେ ମାରି

ନିର୍ଘାତ ପଡିଲେ ଯେସନେ ଶବଦ କରି ।୬୯୪।

ଉଠିଲାକ ଅଗ୍ନି ପ୍ରଜ୍ୱଳିତ ହୋଇ

ମୋହେ ଅଚେତନ ହେଲେ ରେବତୀର ସାଈଂ ।୬୯୫।

ଦେଖି ସଦାଶିବ ସମର ଛାଡ଼ି ଆସି

ବୃଷଭ ପିଠିରେ ବସିଲେକ କାଶୀ ।୬୯୬।

ଶିବ ଡାକ ଦିଲେ ଆସ ଗଣପୁତ୍ରମାନେ

ଅମୃତ ଦୃଷ୍ଟିରେ ତାଂକୁ ଚାହିଂଲେ ନୟନେ ।୬୯୭।

ଯେତେ ଶିବଗଣମାନେ ମୋହେ ପଡ଼ିଥିଲେ

ଶିବ ଡାକନ୍ତେ ସମସ୍ତେ ଚେତିଣ ଉଠିଲେ ।୬୯୮।

ମୃଦଙ୍ଗ ତାଳ କଂସାଳ ବାଜଇ ଅପାର

ନବଲକ୍ଷ ଡମ୍ୱୁର ବାଜଇ ମହାଘୋର ।୬୯୯।

ଯଦୁବୀରମାନେ ତହୁଂ ଭୟେ ପଳାଇଲେ

ଯହୁଂ ବଳରାମ କୃଷ୍ଣ ମୋହରେ ପଡ଼ିଲେ ।୭୦୦।

ଶଂକର ବୋଇଲେ ୟେବେ ଯଶ ତ ହୋଇଲା

ରାମକୃଷ୍ଣ ଯଦୁବଂଶ ସମସ୍ତ ନାଶ ଗଲା ।୭୦୧।

ଜୟ କରି ସଦାଶିବ ବିଜୟେ କପିଳାସ

ଡିବି ଡିବି ଡମ୍ୱରୁ ବାଜଇ ଅତି ରସ ।୭୦୨।

ଶଂକରଗଣମାନେ ଅଛନ୍ତି ସଙ୍ଗତରେ

ପ୍ରବେଶ ହୋଇଲେ ଆସି କପିଳାସ କନ୍ଦରେ ।୭୦୩।

ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଘେନିଣ ହେମବନ୍ତ ଦୋହିତେ

ସଖୀଗଣମାନେ ଅଛନ୍ତି ସଙ୍ଗତେ ।୭୦୪।

ସଦାଶିବ ମାଥେ ଅର୍ଘ୍ୟ ବନ୍ଦାଇଲେ

ପାର୍ବତୀଂକି ଘେନି ସଦାଶିବ ଅନ୍ତପୁରେ ବିଜେ କଲେ ।୭୦୫।

ୟେଥୁ ଅନନ୍ତରେ ବୀରବର ଯେ ପଦ୍ମନ

ଦେଖିଲେ ଯେ ମୋହେ ପଡ଼ିଅଛନ୍ତି ଜନାର୍ଦ୍ଦନ ।୭୦୬।

ବଳରାମଂକର ଶରୀରେ ଗ୍ୟାନ ନାହିଂ

ଦେଖିଣ କୁମରମାନେ ପଡ଼ିଲେକ ମହୀ ।୭୦୭।

ହା ହା ରାମ କୃଷ୍ଣ ବୋଲି କରନ୍ତି ରୋଦନ

ଆମ୍ଭନ୍ତ କେମନ୍ତ ହୋ ମୁର୍ଚ୍ଛିଲ ଭଗବାନ ।୭୦୭।

ତୋହୋର ବିହୁନେ ବ୍ରତିବେ କି ଯଦୁବଂଶ

ଦ୍ୱାରିକା ପୁର ଜନେ ସମସ୍ତେ ଯିବେ ନାଶ ।୭୦୯।

ରକ୍ମିଣୀ ସତ୍ୟଭାମା ଆବର ଜାମ୍ୱୋବତୀ

ଅଷ୍ଟ ପାଟବଂଶୀୟେ ଯେତେକ ଯୁବତୀ ।୭୧୦।

ୟେହାନ୍ତ କେମନ୍ତ ହୋ ଛାଡ଼ିଲୁ ଜନାର୍ଦ୍ଦନ

ଈଶ୍ୱର ଶରଘାତେ ୟେଡ଼େକ ଅଚେତନ ।୭୧୧।

ଉଠ ଉଠ ହରି ଦ୍ୱାରିକା ପୁର ବେଗେ ଯିବା

ନନ୍ଦିଘୋଷ ରଥ ତ ନ ପାଇଲା ଶୋଭା ।୭୧୨।

ପାଣ୍ଡବେ ସୋଦର ତ ଅଟନ୍ତି ତୋହୋର

ତାହାନ୍ତ କେମନ୍ତେ ତୁ ମୂର୍ଚ୍ଛିଲୁ ଦାମ୍ୱୋଦର ।୭୧୩।

ଅଶ୍ୱମେଧ ଯାଗକାଳେ ଗୋସିଂହ ତୋତେ ମାରି

ଯାଗ କୁଣ୍ଡରେ ମାରିଣ ପକାଇଲା ରାମ ହରି ।୭୧୪।

ସେ କାଳେ ଅର୍ଜୁନ ଯେ ଉଦ୍ଧାରିଲା ତୋତେ

ୟେବେ ତୁ ହତ ହେଲୁ ଈଶ୍ୱରଂକ ହାଥେ ।୭୧୫।

ହା ହା କୃଷ୍ଣ ବୋଲି ଲୋଟନ୍ତି ଧରଣୀ

ଗଗନ ପୂରୁଅଛି ମୁଖରାବ ଧୁନି ।୭୧୬।

ଉଗ୍ରସେନ ବୋଇଲେ ଶୁଣ କୁମରମାନେ

ରୋଦନ କରୁଅଛ କିମ୍ପାଇଂ ଅକାରଣେ ।୭୧୭।

ରାମକୃଷ୍ଣ କେବେହେଂ ନୁହନ୍ତି ନା ବିନାଶ

ପାଣ୍ଡବ ଅର୍ଜୁନକୁ ବେଗେହେଂ ଘେନି ଆସ ।୭୧୮।

ତାହାଂକର ଅଇଲେ ହୋଇବ ସବୁ ଭଲ

ସେ ଯେ ଅଟନ୍ତି ସିନା କ୍ଷତ୍ରିୟ ମାହମଲ ।୭୧୯।

ବେଗେ କୁମରେ ହୋ ଚିନ୍ତା ପାଣ୍ଡବେ ଅରଜୁନେ

ଚିନ୍ତିଲେ ଅବଶ୍ୟ ସେ ଆସିବେ ବହନେ ।୭୨୦।

ଶୁଣି କୁମରମାନେ ଅର୍ଜୁନକୁ କଲେ ଧ୍ୟାୟେ

ରକ୍ଷାକର ବାରେ ହୋ ପାଣ୍ଡବ ଧନୁର୍ଜୟେ ।୭୨୧।

ଦୁତୀକୃଷ୍ଣ ବୋଲି ତୋତେ ବୋଲନ୍ତି ଜଗତେ

ଶ୍ରୀକୃଷ୍ଣଂକୁ ବିପତ୍ତି ପଡ଼ିଲା ରଖ ହୋ ବୀର ପାଥେ ।୭୨୨।

କୃଷ୍ଣର ଧର୍ମ ଅଙ୍ଗ ତୁହି ଯେବେ ସତ

ୟେହିକ୍ଷଣି ଆସି ଯେ ହୋଇବୁ ଆଗତ ।୭୨୩।

ୟେ ବିଧିରେ କୁମରେ ଅନେକ ଯହୁଂ ତୁସ୍ତି କଲେ

ବାରୁଣାବନ୍ତେ ଥାଇ ତାହା ଅର୍ଜୁନେ ଜାଣିଲେ ।୭୨୪।

ଆସନ ଟଳିଲା ଯହୁଂ ମନରେ ବିଚାରି

ସହଦେବ ମନ୍ତ୍ରୀକି ଯେ ଚାହିଂଣ ପଚାରି ।୭୨୫।

କହ ମନ୍ତ୍ରୀବର ମୋର ଆସନ କିମ୍ପେ ଟଳି

କି ଅବା ସୁମରଣା କଲେ ବନମାଳୀ ।୭୨୬।

.ସହଦେବ ବୋଇଲା ଦେବ ବହନ ହୋଇ ଯାଅ

ଶଂକରଂକ ଶରେ ରାମକୃଷ୍ଣ ହୋଇଅଛନ୍ତି ଯେ ମୋହ ।୭୨୭।

ଯୁଝେଷ୍ଠି ପଚାରନ୍ତି ଶୁଣ ହୋ ମନ୍ତ୍ରୀବର

କି ନିମନ୍ତେ ହରିହରେ ହୋଇଲା ସମର ।୭୨୮।

ସହଦେବ ବୋଇଲା ହୋ ଶୁଣିମା ନୃପତି

ବରୁଣ ରାଜାର ଥିଲା ୟେକଇ ଦୋହିତୀ ।୭୨୯।

ବାଳକାଳୁଂ ମାତା ତାର କାର୍ତ୍ତିକେ ବରିଲା

ୟେତେ କାଳେ କନ୍ୟାଗୋଟି ନବ ଯୁବା ହେଲା ।୭୩୦।

ପୁନରପି ବରୁଣ ୟେବେ ସେ କନ୍ୟାକୁ ଜାଣିଣ

ଜଳଧର ମନ୍ତ୍ରୀକି ପେଷି ବରିଲାକ ପୁଣ ।୭୩୧।

ବିଭା କରିବାକୁ ଘେନି ଅଇଲେ ଶଂକର

ନାରଦଂକ ବୋଲେ ଚଳିଗଲା ବଳରାମଂକ କୁମର ।୭୩୨।

ୟେଣେ ବିଭାର ମଙ୍ଗଳ ବରୁଣ କରିଥିଲା

ଆନନ୍ଦାନନ୍ଦ ତାହା ବଳେଣ ହରିଲା ।୭୩୩।

ଜାଣିଣ ସଦାଶିବ ଓଗାଳି ଯୁଦ୍ଧ କଲେ

କାର୍ତ୍ତିକର ହାଥରେ ଆନନ୍ଦାନନ୍ଦ ନାଶ ଗଲେ ।୭୩୪।

ନାରଦେ କହିଲେ ଯେ ରାମକୃଷ୍ଣ ବେନି

ସଂଗତେ ଘେନିଲେ ଯଦୁଭୋଜ ବଂଶ ସଇନି ।୭୩୫।

ସମସ୍ତ ସୁତମାନନ୍ତ ଘେନି ସମର ଯେ କରି

ଶଂକର ଶରାଘାତେ ରାମକୃଷ୍ଣ ହାରି ।୭୩୬।

ମୋହ ଯାଇଅଛନ୍ତି ଶ୍ରୀରାମକୃଷ୍ଣ ବେନି

ପଦ୍ମନ ସୁମରଣା କରଇ ଫାଲଗୁନି ।୭୩୭।

ଅର୍ଜୁନ ଗଲେଣ ଅମୃତ ବରଷିବ

ତେବେ ସେ ରାମକୃଷ୍ଣଂକର ଚେତନା ପଶିବ ।୭୩୮।

ଶୁଣିଣ ଧର୍ମସୁତ ଅର୍ଜୁନକୁ ଚାହିଂ

ବହନ ହୋଇ ଯାଅ ବାବୁ ବ୍ରତିବେ ବେନି ଭାଇ ।୭୩୯।

ତାହାଂକର ମଳିଣ ନୋହଇ ଆମ୍ଭର ଭଲ

ତାହାଂକର ଆରୋଗ୍ୟେ ଆମ୍ଭନ୍ତ ଭଲେ ଭଲ ।୭୪୦।

ଅର୍ଜୁନ ବୋଇଲେ ମୋ ଯିବାର ବିଳମ୍ୱ ହେବ

ଅମୃତ ବରଷିଲେ ରାମକୃଷ୍ଣଂକର ଚେତନା ବସିବ ।୭୪୧।

ୟେତେ ବୋଲି ପାଥ ଧନୁରେ ଗୁଣ ଦେଇ

ମନଭେଦୀ ନାରାଜ ବସାଇଲେ ତହିଂ ।୭୪୨।

ସେ ନାରାଜକୁ ତିଆରିଣ କହଇ ଅର୍ଜୁନ

ବାସବ ଛାମୁକୁ ତୁ ଯିବୁ ହୋ ବହନ ।୭୪୩।

ରାମକୃଷ୍ଣଂକର ମୋହ ବୋଲି କହ

ଅମୃତ ବରଷିଲେ ତାହାଂକ ଭଲ ହେବ ଦେହ ।୭୪୪।

ୟେତେ ବୋଲି ଶର ପେଷିଲେ ବହନ

ସେ ଯାଇଂ ପଡ଼ିଲା ଅମର ସ୍ୱର୍ଗଥାନ ।୭୪୫।

ବାସବ ପଚାରିଲେ ବୃହସ୍ପତିଂକି ଚାହିଂ

ଅର୍ଜୁନର ଶର ୟେତ ଅଇଲା କିସ ପାଇଂ ।୭୪୬।

ବୃହସ୍ପତି ବୋଇଲେ ଶୁ ହୋ ବଜ୍ରଧର

ଅମୃତ ବରଷିବ ତୁମ୍ଭେ ରାମକୃଷ୍ଣଂକ ଉପର ।୭୪୭।

ସଦାଶିବ ଶରେ ସେ ମୋହ ହୋଇଛନ୍ତି

ଅମୃତ ପାନ କଲେ ସେ ବ୍ରତିବେ ରାମ ଶିରୀପତି ।୭୪୮।

ଶୁଣିଣ ସୁରପତି ଅମୃତ ଘେନି ଗଲା

ରାମକୃଷ୍ଣଂକ ଉପରେ ନେଇଣ ବରଷିଲା ।୭୪୯।

ତକ୍ଷଣେ ଉଠିଣ ସେ ଯେ ବସିଲେ ବେନି ଭାଇ

ରାମ ବୋଲନ୍ତି ହୋ ଶଂକର କେଣେ ଛନ୍ତି ରହି ।୭୫୦।

ପଦ୍ମନ ବୋଇଲେ ସେ କପିଳାସେ ଗଲେ

ଶୁଣିଣ ରୋହିଣୀ ସୁତ ବେଗେ ଗୋଡ଼ାଇଲେ ।୭୫୧।

ଅତୀୟ କୋପଭରେ ସେ ଦେବ କାମପାଳ

କରେଣ ବୁଲାବନ୍ତି ସଉନନ୍ଦ ମୂଷଳ ।୭୫୨।

ରେ ରେ କାର କରିଣ ଗର୍ଜନ୍ତି ଘନ ଘନ

ଧାମନ୍ତି ଅତି ବେଗେ ପର୍ବତେ ହୋନ୍ତି ଚୂର୍ଣ୍ଣ ।୭୫୩।

ମହା କୋପଭର ସେ ହୋଇଣ ଦେବ ହଳୀ

ନିଶ୍ୱାସକେ ଯାଇଣ କପିଳାସେ ମିଳି ।୭୫୪।

ତାହାଂକ ପଛେ ଧାଇଂଲେ ଦେବ ଦାମୋଦର

ଯଦୁ ବଂଶ ସଇନ ସବୁ ଅଛନ୍ତି ସଙ୍ଗର ।୭୫୫।

ହଳ ମୂଷଳ ପ୍ରହାରିଲେ କପିଳାସ ପର୍ବତରେ

ଆଠ ଯୋଜନ ପର୍ବତ କମ୍ପିଲା ପାତାଳରେ ।୭୫୬।

ବେନି କରେ ଧରିଣ ପର୍ବତପେଲନ୍ତି

ମନପବନ ୟେକତ୍ୱ କରି ନିଶ୍ୱାସ ନିରୋଧନ୍ତି ।୭୫୭।

ମଡ଼ ମଡ଼ ହୋଇ ଶୁଭିଲା ଶବଦ

ଶୁଣିଣ ଜୀବଜନ୍ତୁ ହୋଇଲେ ତବତ ।୭୫୮।

ହିଆ ଭରା ଦେଇଣ ଉପାଡ଼ିଲେ ହେଳେ

ବାମ କରେ ଟେକି ଧଇଲେ ବାହୁବଳେ ।୭୫୯।

ଡାହାଣ କରେ ମୂଷଳ ବୁଲାନ୍ତି ଘନ ଘନ

ଆଜ ସମୋଦ୍ରେ ପକାଇବି କପିଳାସ ଭୁବନ ।୭୬୦।

ମୂଷଳର ଘାୟେ କରିବି ଭସ୍ମରାଶି

ଚଉଦ କୋଟି ଶିବଗଣ ସହିତରେ କାଶୀ ।୭୬୧।

ୟେତେକ ବୋଲଲି ଦେବ ରେବତୀର ପତି

କୁରାଲ ଚକ୍ର ପ୍ରାୟେ କରି ପର୍ବତ ବୁଲାବନ୍ତି ।୭୬୨।

ଆକୁଳେ ରୋଦନ ସେ କରନ୍ତି ଶିବଗଣ

ଭୟେ ଶଂକର ଡେଇଂ ପଡ଼ିଲେ ପୃଥୀରେଣ ।୭୬୩।

ଯେତେବେଳେ କପିଳାସ ତୋଳିଲେ ହଳସାଇଂ

ପୃଥୀଦେବୀ ରୋଦନ କରଇ ଭୟେ ପାଇ ।୭୬୪।

ଜଗତ ସଂସାର ଉଲୁକାପାତ ହୋଇ

ରସାଂଗତେ ଅବା ପଡ଼ିଲାକ ମହୀ ।୭୬୫।

ପବନ ନ ବହଇ ସିନ୍ଧୁ ଥିର ହୋୟେ

ଭୟେ ପାଇ ବାସୁକି ଶିର ନ ଲମ୍ୱାୟେ ।୭୬୬।

ତେତିଶ କୋଟି ଦେବେ ହୋଇଲେ ବିକଳ

ମହାଭୟେ ଯମ ହୋଅଇ ଆକୁଳ ।୭୬୭।

ସୂର୍ଯ୍ୟର କରି ଦିଶଇ ନିଉନ

ଭୟେଣ ଗଗନ ଦିଶଇ ଛନ ଛନ ।୭୬୮।

ଜଗତ ଜୀବଜନ୍ତୁ ଆକୁଳ ଧୁନି ଶୁଣି

ବ୍ରହ୍ମାୟେ ବିଜେ କଲେ ଦେବଗଣ ଘେନି ।୭୬୯।

ରାମର ସନ୍ନିଧେ ମିଳିଲେ ସୁରଗଣ

ବିନୟ ହୋଇମ କରନ୍ତି ତିଆରଣ ।୭୭୦।

ଭୋ ଦେବ କାମପାଳ କ୍ରୋଧ କର ଶାନ୍ତି

ତୋହୋର କୋପକୁ କି ଭାର୍ଜନ ପଶୁପତି ।୭୭୧।

ତୁ ଦେବ ନୀଳମ୍ୱର କରୁଣା ସାଗର

ଦୁଷ୍ଟ ନିବାରି ଦେବ ସନ୍ଥ ପ୍ରତିପାଳନ କର ।୭୭୨।

ଜୟ ସୋହୋଡ଼ ଲୋଚନ କରୁଣା ବାରିଧି

ତପନ ତାପନ ଯୋଗଲୟେ ବିଧି ।୭୭୩।

ଅନନ୍ତ ପୁରୁଷୋତ୍ତମ ଯାହାର ମହିଂମା

ଚତୁର୍ମୁଖେ ଯାହା କହିତେ ନ ପାରଇ ବେଦବ୍ରହ୍ମା ।୭୭୪।

ନିରଞ୍ଜନ ପୁରୁଷ ତୁ ନିରାକାର ସ୍ୱାମୀ

ଶୂଦ୍ରମୁନି ସାରୋଳା ଦାସ ତୋତେ ଚରଣେ ପରିଣାମି ।୭୭୫।

ଅନେକ ତୁସ୍ତି ଯହୁଂ କଲେ ଦେବଗଣ

ବ୍ରହ୍ମା ବୋଇଲେ ହୋ ରାମଚନ୍ଦ୍ର ତୁମ୍ଭେ ଶୁଣ ।୭୭୬।

କ୍ରୋଧ ଶାନ୍ତି କର ସ୍ୱାମୀ କପିଳାସ ରଖିବା

ଶଂକର ତୁମ୍ଭର କିମ୍ପା ବିବାଦ କଲ ଅବା ।୭୭୭।

କେବଣ କାର୍ଯ୍ୟ ତୁମ୍ଭର ୟେଡ଼େକ କର ରୋଷ

ଗିରିବର ଥୋଇ ଶାନ୍ତି ହୋଇ ଆସ ।୭୭୮।

ତୁମ୍ଭେ ବେନି ଜନେ କରନ୍ତେ ସମର

ନିଚୟେ ନାଶଯିବ ୟେ ଜଗତ ସଂସାର ।୭୭୯।

ବିହନ୍ତା ପୁରୁଷ ତୁମ୍ଭେ ସଂସାରେ ସିନା ମୂଳ

ତୁମ୍ଭର କୋପ କଲେ ନାଶଯିବ ୟେ ସୟଳ ।୭୮୦।

ସଚରାଚର ପୃଥିକ ତୁମ୍ଭେ ସେ କାରେଣି

ତୁମ୍ଭର କୋପ କଲେ କି ରହିବ ୟେ ଧରଣୀ ।୭୮୧।

ବହୁତ ପ୍ରାକାରେ ବ୍ରହ୍ମା କହିଲେ ମଣାଇ

କ୍ରୋଧ ଶାନ୍ତି କଲେ ରେବତୀର ସାଈଂ ।୭୮୨।

ଥିର କରିଣ ଦେବ ରଖିଲେ ଗିରିବର

ଯହୁଂ ଅନେକ ମତେ କହିଲେ ଚତୁଶିର ।୭୮୩।

ତେତିଶ କୋଟିଯେ ଦେବଗଣ ଘେନି

ମନୋହର ପର୍ବତେ ବସିଲେ ପଦ୍ମଯୋନି ।୭୮୪।

ବାସବ ବରୁଣ ଯେ କୁବେର ନଈରୁତ

ଚନ୍ଦ୍ର ସୂର୍ଯ୍ୟ ଯମ ଅଗ୍ନି ଯେ ମରୁତ ।୭୮୫।

ଗନ୍ଧର୍ବ କିନ୍ନର ଦକ୍ଷଗଣମାନେ

ବେଢ଼ି ରହିଅଛନ୍ତି ବ୍ରହ୍ମାର ସନ୍ନିଧାନେ ।୭୮୬।

ରାମକୃଷ୍ଣ ଶଂକର ବସିଲେକ ଯାଇଂ

ବ୍ରହ୍ମା ବୋଇଲେ ତୁମ୍ଭେ କଳି କର କାହିଂ ପାଇଂ ।୭୮୭।

ଶଂକର ବୋଇଲେ ହୋ ଶୁଣିମା ବେଦବର

କନ୍ୟା ୟେକ ଥିଲା ବରୁଣର ପୁର ।୭୮୮।

ସାନକାଳୁ ମାତା ତାର କାର୍ତ୍ତିକକୁ ବରିଥିଲା

ସେ କନ୍ୟାକୁ ୟେହାଂକ ପୁତ୍ର ବଳ ହରିନେଲା ।୭୮୯।

ବିଭା କରିବାକୁ ଆମ୍ଭେ ଗଲୁ ବରୁଣ ଭୁବନ

ୟେ ସେ କନ୍ୟାକୁ ଘେନି ପଳାଇଲା ଗଗନ ।୭୯୦।

ତେଣୁକରି ୟେହାଂକର ତୁଲେଣ ସମର

ଯହୁଂ ଅନୀତି କଲା ୟେହାଂକ କୁମର ।୭୯୧।

ବଳରାମେ ବୋଇଲେ ହୋ ଚତୁର୍ମୁଖେ ଶୁଣ

ସେ କନ୍ୟା ଆନନ୍ଦାନନ୍ଦକୁ ବଳେ କଲାକ ବରଣ ।୭୯୨।

କନ୍ୟାକୁ ସେ ଘେନିଣ ଆସନ୍ତେ ନିଜ ପୁର

ମୋହୋର ପୁତ୍ରକୁ କିମ୍ପେ ମାଇଲେ ଶଂକର ।୭୯୩।

ବ୍ରହ୍ମା ବୋଇଲେ ହୋ ବେନି ଜନେ ଶୁଣ

କାର୍ତ୍ତିକକୁ ଆଗେ ବରିଲେ ବରୁଣ ।୭୯୪।

କନ୍ୟାର ଇଚ୍ଛାୟେ ସେ ବରିଲାକ ବର

ୟେଥିର ରେ ତ ଦୋଷ ନାହିଂ ବରୁଣ ରାଜାର ।୭୯୫।

ଆମ୍ଭର ବଚନ ହୋ ବେନି ଜନେ ଶୁଣ

ବେନି କୁମାରଂକୁ ଘେନି ଯିବାକ ବରୁଣ ।୭୯୬।

ଆପଣାର ଦୁହିତାକୁ ସୁବେଶ କରାଇ

କନ୍ୟାର କରେ ରତ୍ନମାଳା ଗୋଟିୟେକ ଦେଇ ।୭୯୭।

ବେନି ବରରୁ ସେ ବରିବ ଯାହାକୁ

ସେ ଆନ ନୋହଇ ବିଭା କରିବା ତାହାକୁ ।୭୯୮।

ଶଂକର ବୋଇଲେ ଯେ ୟେ କଥା ପ୍ରାମାଣ

ଯାହାକୁ ବରିବ ସେ କନ୍ୟା ନେମ ପୁଣ ।୭୯୯।

ବଳରାମେ ବୋଇଲେ ଶୁଣିମା ବେଦବର

କାର୍ତ୍ତିକ ମାରିଅଛି ମୋହୋର କୁମର ।୮୦୦।

ବ୍ରହ୍ମା ବୋଇଲେ ସେ କେଉଂଠାରେ ଅଛି

କମଣ୍ଡକୁଂ ପାଣି ନେଇ ତାହାର ଉପରେଣ ସିଞ୍ଚି ।୮୦୧।

ୟେତେ ବୋଲି ବ୍ରହ୍ମା ଦିଲେ କମଣ୍ଡକୁଂ ନୀର

ମନ୍ତ୍ରିକରି ଦିଲେ ବଳରାମଂକର କର ।୮୦୨।

ଘେନିଣ ନୀଳାମ୍ୱର ଗଲେକ ସୀଘ୍ର ହୋଇ

ଆନନ୍ଦାନନ୍ଦ ମୁଖେ ସିଞ୍ଚିଲେ ନୀର ନେଇ ।୮୦୩।

ତକ୍ଷଣେ ଚେତନା ପାଇଣ ଉଠିଲା କୁମର

ପ୍ରଳମ୍ୱିତ କରଇ ବଳରାମଂକ ପୟର ।୮୦୪।

ପୁତ୍ର କର ଧରିଣ ସେ ବ୍ରହ୍ମା ପାଶେ ମିଳି

ଓଳଗଇ କୁମର କରିଣ ନିଉଛାଳି ।୮୦୫।

ବେନି କୁମରଂକୁ ଯେ ସୁବେଶ କରାଇ

ବ୍ରହ୍ମାୟେ ବୋଇଲେ ଯେ ବରୁଣଂକୁ ଚାହିଂ ।୮୦୬।

ତୋହୋର ଦୁହିତାକୁ ଆଣ ହୋ ବହନ

ବର ଗୋଟିୟେ ବରୁ ଯାହାକୁ ତାର ମନ ।୮୦୭।

ଶୁଣିଣ ବରୁଣ ଯେ କନ୍ୟାକୁ ଲୋଡ଼ି ଯାଇ

ଗଗନୁଂ ଆସଇ ନୀଳେନ୍ଦୀ ବରୁଣକୁ ଚାହିଂ ।୮୦୮।

ଦୋହିତାକୁ ଦେଖି ବରୁଣ ଆନନ୍ଦ ହୋଇଲା

ଆସ ଗୋ ମୋହୋର ମାୟେ ବରହିଂ ମିଳିଲା ।୮୦୯।

ବ୍ରହ୍ମାର ସହିତେ ଅଛନ୍ତି ଦେବଗଣ

ମାଳା ଗୋଟିୟେ ଦେଇ ବର କର ଗୋ ବରଣ ।୮୧୦।

ଆନନ୍ଦାନନ୍ଦ କାର୍ତ୍ତିକେଶ୍ୱର ଦୁଇ ବର ଅଛି

ବେନି ବରୁଂ ବର ଗୋଟିୟେ ବର ଗୋ ମୃଗାଚ୍ଛୀ ।୮୧୧।

ୟେତେ ବୋଲି ବରୁଣ ଦୁହିତାକୁ ଘେନି

ଦେଖିଲେ ବସିଣ ଅଛନ୍ତି ପଦ୍ମଯୋନି ।୮୧୨।

ବ୍ରହ୍ମା ବୋଇଲେ ତୁ ଶୁଣସି ରେ ବାଳୀ

ବେନି ବର ୟେ ଯେ ଅଟନ୍ତି ଶୁଦ୍ଧଶାଳୀ ।୮୧୩।

ଯେ ତୋହୋର ଇଚ୍ଛା ବଳଇ ଗୋ ମାୟେ

ମାଳା ଗେଟିୟେ ଦେଇ ବର ସିନା ତାୟେଂ ।୮୧୪।

ଶୁଣିଣ କୁମାରୀ ଯେ କାର୍ତ୍ତିକର ପାଶେ ମିଳି

ଛଡ଼ମୁଖ ଦେଖିଣ ଯେ ବିଚାରଇ ବାଳୀ ।୮୧୫।

ମୋହୋର ସାଦ୍ରିଶେ ବର ୟେହୁ ତ ନ ଘଟି

ୟେହାର ସାଦ୍ରିଶେ କନ୍ୟା ଅଛଇ କି ନବ ସୃଷ୍ଟି ।୮୧୬।

ୟେକ ମୁଖକୁ ସ୍ତିରୀୟେ ବୋଧିତ ନୁଆରି

ଛଡ଼ମୁଖ ୟେହାର ମୁଂ ବରିବି କିପରି ।୮୧୭।

ୟେତେ ବିଚାରିଣ ସେ ତହୁଂ ଗଲା ଚଳି

ଆନନ୍ଦାନନ୍ଦ କଣ୍ଠେ ଲମ୍ୱାଇଲା ମାଳି ।୮୧୮।

ବ୍ରହ୍ମାୟେ ବୋଇଲେ ତହୁଂ ବଳରାମେ ଚାହିଂ

ବରୁଣ ପୁରେ କନ୍ୟା ବିଭା କର ନେଇ ।୮୧୯।

ସମସ୍ତିକିଂ ବେଧି ବ୍ରହ୍ମା ଶାନ୍ତି ବରାଇଲେ

କପିଳାସ କନ୍ଦର ନିଜ ଠାବରେ ରାଖାଇଲେ ।୮୨୦।

ୟେତେ ବୋଲିଣ ବ୍ରହ୍ମା ଗଲେ ନିଜ ଥାନ

ଶଂକର ବିଜେ କଲେ କପିଳାସ ଭୁବନ ।୮୨୧।

ବରୁଣ ବୋଇଲେ ଶୁଣିମା ଦେବ ହଳୀ

ମୋହୋର ପୁରକୁ ବିଜେ କରିବା ଘେନିଣ ବନମାଳୀ ।୮୨୨।

ଶ୍ରୀକୃଷ୍ଣ ବୋଇଲେ ଶୁଣ ହୋ ଜଳପତି

ଆପଣେ ଚଳ ତୁ ହୋ ଆଗେ ଘେନିଣ ଦୁହିତୀ ।୮୨୩।

ପଛେ ବର ଘେନି ତୋର ଯାଉଅଛୁଂ ଆମ୍ଭେ

ବିଭାର ସମ୍ଭାର ଯାଇ କରୁଥାଅ ତୁମ୍ଭେ ।୮୨୪।

ଶୁଣିଣ ବରୁଣ ଯେ ଦୁହିତାକୁ ଘେନିଗଲା

ଆପଣା ନବରେ ଯାଇ ପ୍ରବେଶ ହୋଇଲା ।୮୨୫।

ମଣନ୍ତି କଟକ ଯେ ଅତୀୟ ବିତପନ

ସମସ୍ତ ନିର୍ଭାକଲା ବିଭାର ଦ୍ରବ୍ୟମାନ ।୮୨୬।

ବଳରାମେ ବୋଇଲେ ଶୁଣ ବନମାଳୀ

ବରୁଣ ଭୁବନକୁ ବହନେ ଯିବା ଚଳି ।୮୨୭।

ବଳରାମଂକ ବଚନେ କହନ୍ତି ଜନାର୍ଦ୍ଦନ

ଈଶ୍ୱର ଶରଘାତେ ଆମ୍ଭେ ହୋଲାଇଂ ଅଚେତନ ।୮୨୮।

ପଦ୍ମନ ସୁମରନ୍ତେ ଅର୍ଜୁନ ଜାଣିଲା

ମନଭେଦୀ ଶରପେଷି ଅମୃତ ଆଣିଲା ।୮୨୯।

ସେ ଅମୃତ ବରଷିଲା ଆମ୍ଭର ଉପରେ

ତେଣୁ ସେ ଚେତନା ବସିଲା ଆମ୍ଭର ଶରୀରେ ।୮୩୦।

ତାହାକୁ ନ କହି କେମନ୍ତେ କରାଇବା ବିଭା

ପାଣ୍ଡବେ ନ ଥିଲେ ସ୍ୱାମୀ କେବେ ନ ଦିଶିବ ଶୋଭା ।୮୩୧।

ଉଗ୍ରସେନକୁ ପେଷ ସେ ଦ୍ୱାରିକାକୁ ଯାଉ

ବିଭାର ସାମଗ୍ରୀମାନ ସମସ୍ତ ଭିଆଉ ।୮୩୨।

ଗରୁଡ଼ିକୁ ସୁମରଣା କଲେ ଭଗବାନ

ତକ୍ଷଣେ ମିଳିଲା ସେ ବିନତା ନନ୍ଦନ ।୮୩୩।

ନାରାୟଣେ ବୋଇଲେ ତୁ ବାରୁଣାକୁ ଯିବୁ

ଯୁଝେଷ୍ଠିକ ଛାମୁରେ ବରଣ ନେଇ ଦେବୁ ।୮୩୪।

ଆନନ୍ଦାନନ୍ଦ ବିଭା କହି କରିବୁ ବରଣ

ପିଠିରେ ବସାଇ ତୁ ଆଣିବୁ ୟେହିକ୍ଷଣ ।୮୩୫।

ଶୁଣିଣ ଖଗେଶ୍ୱର ଯେ ଚଳିଲା ବହନ

ନିମିଷେକେ ମିଳିଲା ଯାଇଂ ବାରୁଣା ଭୁବନ ।୮୩୬।

ବରଣ ଦେଇଣ ସେ ଯେ କହଇ ଉତ୍ତର

ୟେହିକ୍ଷଣି ଦେବ ମୋ ପିଠିରେ ବିଜେ କର ।୮୩୭।

ଆନନ୍ଦାନନ୍ଦ ଆଜ ହୋଇବାକ ବିଭା

ବିଳମ୍ୱ ନ କର ହୋ ବହନ ହୋଇ ଯିବା ।୮୩୮।

ଶୁଣିଣ ଧର୍ମରାୟେ ଚାରି ଭାଇଂକି ଘେନିଣ

ଗରୁଡ଼ ପିଠିରେ ବସିଲେ ପାଣ୍ଡବ ପାଞ୍ଚଜଣ ।୮୩୯।

ଗଗନ ମାର୍ଗେ ଚଳଇ ବିନତାର ସୁତ

ରାମକୃଷ୍ଣ ଭେଟିଲା ଯାଇଂ ମନୋହର ପର୍ବତ ।୮୪୦।

ଗରୁଡ଼ ପିଠିରୁ ଉତୁରିଣ ପାଞ୍ଚ ଭାଇ

ବଳରାମଂକ ଚରଣେ ଓଳଗିଲେ ଯାଈଇଂ ।୮୪୧।

କଲ୍ୟାଣ କରନ୍ତି ଯେ ଦେବ କାମପାଳ

ଶ୍ରୀକୃଷ୍ଣ ଓଳଗନ୍ତି ଯେ ଯୁଝେଷ୍ଠିଂକ ପାଦତଳ ।୮୪୨।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ଶ୍ରୀକୃଷ୍ଣଂକ ଚରଣ ତଳେ ହୋଅନ୍ତି ବିନୋୟୀ ଭାବ ।୮୪୩।

ଶ୍ରୀକୃଷ୍ଣର ସୁତମାନେ ଯେ ଯାହାରେ କରନ୍ତି ମାନ୍ୟ

ବରୁଣ ଭୁବନକୁ ବିଜୟେ ସର୍ବ ଜନ ।୮୪୪।

ସମ୍ଭର୍ବ ହୋଇଣ ତହୁଂ ସର୍ବ ସନ୍ୟ ଚଳି

ବରୁଣ ଭୁବନେ ଯାଇଂ ତତକ୍ଷଣେ ମିଳି ।୮୪୫।

ବାଜଇ ବିଜିଘୋଷ ଟମକ କାହାଳୀ

ଶଙ୍ଖ ମହୁରୀ ଢୋଲ ଦମାଲୁ କଂସାକ ତାଳୀ ।୮୪୬।

ଆଲମ୍ୱ ପାଟଛତ୍ର ଚିରାଳ ବିତପନ

ଉଗ୍ରସେନ ଅଇଲା ହୋ ଘେନି ବିଭାର ଦ୍ରବ୍ୟମାନ ।୮୪୭।

ବରୁଣ ଆସି ବାଟରୁ ପାଛୋଟି ଘେନି ଯାଇଂ

ବରକୁ ବରିଲା ପଞ୍ଚୁରତ୍ନ ମାଳା ଦେଇ ।୮୪୮।

ବରୁଣ ପୁରେ ଯାଇଂ ହୋଇଲେ ପରବେଶ

ଦେଖିଲେ ଚନ୍ଦ୍ରକାନ୍ତି ପରାୟେ ଦିଶଇ ତାର ଦେଶ ।୮୪୯।

ନଗ୍ରର ନାରୀଗଣ ଯେ ଅତୀୟ ସୁନ୍ଦର

ବହୁତ ପ୍ରଶଂସା ସେ କରନ୍ତି ଚକ୍ରଧର ।୮୫୦।

ଆସନ ପାଇଣ ସେ ଯେ ବସିଲେ ବରଯାତ୍ରୀ

ଗାଗ୍ରେବ ମୁନି ଆସି ମିଳିଲେ ତଡ଼ତି ।୮୫୧।

ବିଭାର ସମ୍ଭାର କହିତେ କି ପାରି

ବେଦିରେ ବସିଲା ବରୁଣ ଘେନିଣ କୁମାରୀ ।୮୫୨।

ବଳରାମଂକ କୋଳରେ ସେ ଆନନ୍ଦାନନ୍ଦ ବୀର

ବାକ୍ୟ କରାବନ୍ତି ସେ ଗାଗ୍ରେବ ମୁନିବର ।୮୫୩।

ବରୁଣ ପୂଜା ସାରି ସଂକଳ୍ପ ବାକ୍ୟ କଲେ

ବଇଶାଲା ପୋତିଣ ଲବଣ ଚାମରି ସାରିଲେ ।୮୫୪।

ବରୁଣ ପୁତ୍ର ଜଳାଞ୍ଚନ ଯେ ଅଟଇ

ସୁବର୍ଣ୍ଣ ଝରୀରେ ଆନନ୍ଦାନନ୍ଦ ପାଦ ଯେ ଧୁଆଇ ।୮୫୫।

ପ୍ରଥମ ବରଣ ସାରି ମୁନି ସତ୍ୟ ବାକ୍ୟ କଲେ

ବର କନ୍ୟାଂକର ହାଥେ ମଙ୍ଗଳ ସୂତ୍ର ବନ୍ଧାଇଲେ ।୮୫୬।

ଦ୍ୱିତୀୟ ବରଣ ସାରି ବରୁଣ ରାଜନ

ମହା ବାକ୍ୟ ଉଚ୍ଚାରନ୍ତି ଦ୍ୱିଜଗଣମାନ ।୮୫୭।

ବର କନ୍ୟା ହାଥ ଯୋଡ଼ାଣର କାଳେ

ଯୁବତୀଗଣମାନେ ମିଳି ହୁଳା ହୁଳି ଦିଲେ ।୮୫୮।

କନ୍ୟା ଦାନ ନିମନ୍ତେ ଲକ୍ଷେ ମଣି ଦାନ ଦିଲା ଆଣି

ବରୁଣ ଟେକିଦିଲା ଶଙ୍ଖେ ତୋଳି ପାଣି ।୮୫୯।

କୋଟିୟେକ ଧେନୁ ବତ୍ସାଂକ ସହିତେ

ପାଣି ଦ୍ରବ୍ୟ ଭରି ଦିଲା ସହସ୍ରେକ ରଥେ ।୮୬୦।

ଦିବ୍ୟ ବେଶ ବେଶନ କରି ଶତେକ ପରିବାରୀ

ବସନ କୁଣ୍ଡଳ ରତ୍ନ ଅଳଂକାର ଭରି ।୮୬୧।

ଅଶ୍ୱ ପୟେଦାର ଯେ ହାଥୀ ଆଦି କରି

ଯଉତୁକ ଦିଲେ ବରୁଣ ଦଣ୍ଡଧାରୀ ।୮୬୨।

ଯେତେକ ବରଯାତ୍ରୀ ବର ସଙ୍ଗେ ଥିଲେ

ଯେ ଯାହାର ଅନରୂପେ ସନମାନ ପାଇଲେ ।୮୬୩।

ଲକ୍ଷେକ ସୁବର୍ଣ୍ଣ ଯେ ଯୁଝେଷ୍ଠିଂକି ଦେଇ

କର ପତ୍ର ଯୋଡ଼ି ବରୁଣ କହଇ ବିନୋୟୀ ।୮୬୪।

ୟେ ବିଧି ଯତେକ ଗରିଷ୍ଠ ଲୋକମାନ

ବିନୋୟୀ ବରୁଣ ଯେ କରଇ ସମାଧାନ ।୮୬୫।

ୟେଥୁ ଅନନ୍ତରେ ଦେବ ବିଭା ଯେ ବଢାଇ

ବରୁଣର ରାଣୀମାନେ ଯଉତୁକ ଦେଇ ।୮୬୬।

ବର କନ୍ୟା ଘେନି ଯେ ଭିତରକୁ ଗଲେ

ବରଷେ ଅମୃତ ପାନ ବେନି ଜନେ କଲେ ।୮୬୭।

ରାମକୃଷ୍ଣ ଯୁଝେଷ୍ଠି ଯେ ଭୀମ ଅରଜୁନ

ନକୁଳ ସହଦେବ ଆବର ରାଜା ଉଗ୍ରସେନ ।୮୬୮।

କୃଷ୍ଣର ସୁତମାନେ ଆବର ଯେତେ ସଇନ

ବରୁଣର ପୁରେ କଲେ ଅମୃତ ଭୋଜନ ।୮୬୯।

ଆଚୋବନ ସାରିଣ ଯେ ଆସ୍ତାନେ ବସିଲେ

କର୍ପୂର ତାମ୍ୱୋଳମାନ ସମସ୍ତେ ଭୁଞ୍ଜିଲେ ।୮୭୦।

ଭୋଜନ ସାରିଣ ରାମକୃଷ୍ଣ ଖଟେ ପହୁଡ଼ିଲେ

ବର କନ୍ୟା ମଉଶଯ୍ୟା କଉତୁକେ ସାରିଲେ ।୮୭୧।

ରଜନୀ ବଞ୍ଚିଲେ ସେ ଯେ ବିବିଧ କଉତୁକେ

ରାତ୍ର ପାହିଲା ବରୁଣଂକୁ ବିଦାୟ ମାଗିଲେ ହୋଇ ୟେକେ ।୮୭୨।

ବର କନ୍ୟା ବରୁଣ ବିଦାୟ ଯେ କରେ

ବର କନ୍ୟା ବସିଲେ ସୁବର୍ଣ୍ଣ ରଥରେ ।୮୭୩।

ବରୁଣ ରାଣୀମାନେ ବରକନ୍ୟା ଯେ ବନ୍ଦାଇ

ରାଛ ଖେଳାଇ ପଥ ବହିଯାଇ ।୮୭୪।

ହୁଳହୁଳି ପଡ଼ଇ ଅତିହିଂ ଗହଳ

ବରୁଣ ପୁରରେ ଶୁଭଇ ଚହଳ ।୮୭୫।

ତାଳଧ୍ୱଜ ରଥରେ ବିଜୟେ ଦେବ ହଳୀ

ନନ୍ଦିଘୋଷ ରଥେ ବିଜୟେ ଦେବ ବନମାଳୀ ।୮୭୬।

ଯେ ଯାହା ଯାନ ବାହାନ ଆରୋହିଣ ଚଳି

ବାଦ୍ୟନାଦ ଶବଦେ ଯେ କୁରୁମ ଉଛୁଳି ।୮୭୭।

ବର କନ୍ୟା ଘେନି ହେଲେ ଦ୍ୱାରିକା ପ୍ରବେଶ

ନାଚନ୍ତି ଯେ ବିଦ୍ୟାଧରୀ ହୋଇଣ ହରଷ ।୮୭୮।

ରେବତୀ ରକ୍ମିଣୀ ଆଉ ସତ୍ୟଭାମା ମିଳି

କରେଣ ଘେନିଛନ୍ତି ପଞ୍ଚୁରତ୍ନ ଥାଳୀ ।୮୭୯।

ବର କନ୍ୟା ବନ୍ଦାନ୍ତି ଯେ ମାୟେ ଖୁଡ଼ୀମାନେ

ବହୁତ ଉଚ୍ଛବ ହୋୟେ ଦ୍ୱାରିକା ଭୁବନେ ।୮୮୦।

ଶୁଭଲଗ୍ନ ବେଳେ ଯେ ନବରେ ପରବେଶ

ବାଜଇ ବିବିଧ ବାଜା ବୀର ତୋର ଘୋଷ ।୮୮୧।

ଦେଖିଣ ଦ୍ୱାରିକା ଜନେ ବହୁତ ହରଷ

ଜୟ ଜୟ କରି ଆଣି କନ୍ୟାକୁ ହୋଇଣ ସନ୍ତୋଷ ।୮୮୨।

ଆସ୍ତାନେ ବିଜେ କଲେ ରାମ ବନମାଳୀ

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଲ ସହଦେବେ ମିଳି ।୮୮୩।

ଆସନେ ବସାଇ ଯେ ପୁଚ୍ଛନ୍ତି ଗୋବିନ୍ଦ

ଦ୍ୱାରିକା ପୁର ଜନେ ସମସ୍ତେ ଆନନ୍ଦ ।୮୮୪।

ନିତ୍ୟକର୍ମ ସାରିଣ ଯେ ରୋହିଣୀ ନନ୍ଦନ

ପାଣ୍ଡବନ୍ତ ଘେନି କଲେ ଅମୃତ ଭୋଜନ ।୮୮୫।

ଆଞ୍ଚୋବନ ସାରି କର୍ପୂର ତାମ୍ୱୋଳମାନ ଦେଇ

ସୁବର୍ଣ୍ଣ ସିଂଘାସନେ ବସାଇ ପଞ୍ଚୁଭାଇ ।୮୮୬।

ବଳରାମେ ବୋଇଲେ ଶୁଣ ହୋ ଯୁଝେଷ୍ଠି

ବହୁତ ଆପଦରୁ ଆମ୍ଭନ୍ତ ରଖିଲା କିରୀଟୀ ।୮୮୭।

ଯୁଝେଷ୍ଠି ବୋଇଲେ ତୁମ୍ଭେ ସେ ନିରାକାର

ତୁମ୍ଭ ତହୁଂ ବଡ଼ କେହୁ ଅଛଇ ସଂସାର ।୮୮୮।

ସେ ଅନାଦି ନାଥ ସଂସାର କରତା

ତୁମ୍ଭେ ସେ ଆଧିପତି ଜଗତର ପିତା ।୮୮୯।

ତୁମ୍ଭେ ଆଧିପତି ପରଂବ୍ରହ୍ମ ଗ୍ୟାନୀ

ତୁମ୍ଭେ ସେ ଭାରାଭର ଉଶ୍ୱାସିବ ଦେବ ସ୍ୱାମୀ ।୮୯୦।

ତୁମ୍ଭେ ଦେବ ନୀଳାମ୍ୱର ଜଗତ ଧାରଣ

ତୁମ୍ଭେ ଦେବ ନୀଳାମ୍ୱର ପରମ କାରଣ ।୮୯୧।

ଶ୍ରୀନୀଳାମ୍ୱର ଶ୍ରୀଜଗନ୍ନାଥଂକ ଚରଣେ ମୋର ସେବା

ଶୂଦ୍ରମୁନି ସାରୋଳାଦାସକୁ ଗତି ମୁକତି ଦେବା ।୮୯୨।୬୧୮୬।

 

Unknown

କୋଦାଳସେନ ବଧ

ବଦୟନ୍ତି ଅଗସ୍ତି ବଇବସୁତ ମନୁ ଶ୍ରୋତା

ୟେ ସେ ମାହଭାରଥ ମଧ୍ୟପରେବ କଥା ।୧।

ବହୁତ ବିନୋୟୀ ହୋଇ ଧର୍ମର ନନ୍ଦନ

ରହିଲେ କିଛୁ ଦିନ ଦ୍ୱାରିକା ଭୁବନ ।୨।

ବାରୁଣାବନ୍ତକଇଂ ଆସିବାର ବେଳେ

ଅସୁରେକ ମାଇଲେଟି ମାଦ୍ରୀର ଦୁଲାଳେ ।୩।

ଶୁଣିଣ ବଇବସୁତ ମନୁ ପ୍ରଳମ୍ୱ କରି ଉଠି

ପୁଣି ଅଗସ୍ତିଂକ ଚରଣରେ ସେହୁ ଲୋଟି ।୪।

ଭୋ ମହାମୁନି ମୋତେ ଅନୁଗ୍ରହ କର

ଶ୍ରୀ ମହାଭାରଥ ଶୁଣିତେ ଶରଧା ମୋହୋର ।୫।

ତୁମ୍ଭେ ସେ ମାହମୁନି ପରମ ବ୍ରହ୍ମଗ୍ୟାନୀ

କହିବା ଅସୁର ବଧ ପ୍ରସନ୍ନ ହୋଇ ମୁନି ।୬।

ବଦନ୍ତି ଅଗସ୍ତି ବଇବସୁତ ମନୁ ଶ୍ରୋତା

ସାବଧାନେ ଶୁଣ ମଧ୍ୟପର୍ବର ବାରତା ।୭।

କୁଣ୍ଡଳୀଶ୍ୱର ମଲା ଉତ୍ତାରେ ତାର ସୁତ

କର୍ଣ୍ଣକେଶରୀ ମନ୍ତ୍ରୀକି ପୁଚ୍ଛଇ ବାରତ ।୮।

ସତାଇଶ ଦିବସ ହେଲା ନୃପତି ନଇଲେ

ଥାଠ ସଇନ ନାହିଂ ଯେ ୟେକା ହୋଇ ଗଲେ ।୯।

ମନ୍ତ୍ରୀ ବୋଇଲା ହୋ ପେଷିବାକ ଚାର

ତେବେ ସେ ପାଇବାନା ନୃପତି ବିଚାର ।୧୦।

ୟେତେ କହି ଶତେକ ଅଣାଇଲେ ଦୂତ

ନୃପତି କେଣେ ଅଛନ୍ତି ଜାଣି ଆସ ତଦନ୍ତ ।୧୧।

ଆଗ୍ୟାଂ ପ୍ରମାଣେ ଦୂତେ ଲୋଡ଼ନ୍ତି ବନ ଗହନ

ଆରଡ଼େକ ପରବତେ ଉଠିଲେ ବହନ ।୧୨।

ଅସୁର ମାଂୟେସ ଖାଆନ୍ତି କରନ୍ତି ମୁଖରୋଳି ।୧୩।

ଡଗରେ ବିଚାରନ୍ତି ୟେ କାହାର ଶବ

କେବଣ ବାପୁଡ଼ା ୟେଥି ଯେ ନାଶ ହୋଇଥିବ ।୧୪।

ୟେତେ ବିଚାରି ସେ ମିଳିଲେ ତାର କତି

ଦେଖିଲେ ପଡ଼ିଅଛି କୁଣ୍ଡଳୀ ନୃପତି ।୧୫।

ଅନେକ ଗିରିବର ହୋଇଅଛି ଚୂନା

ସମରେ କେ ମାଇଲା ଅସୁର ବୀର ବାନା ।୧୬।

ୟେତେ ବିଚାରି ଲୋଡ଼ନ୍ତି ଡଗରେ

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେ ।୧୭।

ଗୁପତ ପ୍ରଘଟେ ପାଇଲେ ବାରତା

ଦ୍ରିଯୋଧନ ନୃପତି ଧୃତିରାଷ୍ଟ ତାର ପିତା ।୧୮।

ତାହାର ସାନ ଭାଇ ଯୁଝେଷ୍ଠିଂକ କନିଷ୍ଠ

ନାମ ନକୁଳ ସେ ମାଇଲା ଅସୁର ଗରିଷ୍ଠ ।୧୯।

ଶୁଣିଣ ଚାରଗଣେ ଯେ ବାହୁଡ଼ିଲେ ଧାତି

କର ଯୋଡ଼ି ବୋଲନ୍ତି ଶୁଣ କୋଦାଳେଶ୍ୱର ନୃପତି ।୨୦।

ହସ୍ତିନା ନଗ୍ରେ ଯେ ରାଜା ଦ୍ରିଯୋଧନ

ସେ ତୋହୋର ପିତାକୁ କଲାକ ନିଧନ ।୨୧।

ମୃଗୟା ବିନୋଦେ ଯାଇଂଣ ଥିଲାକ ନୃପତି

ଭ୍ରମନ୍ତେ ଦେଖିଲା ସେ କୁଣ୍ଡଳୀ ବୀରଛତ୍ରୀ ।୨୨।

ବେନି ଜନଂକର ଯେ ହୋଇଲା ସମର

ଦ୍ରିଯୋଧନ ଆଦି ସର୍ବେ ପଡ଼ିଲେ ଧୃତିରାଷ୍ଟ କୁମର ।୨୩।

ରଣ ଜୟ କରି ଯେ ଆସନ୍ତେ ରାଜନ

ନକୁଳ ବୋଲି କରି ଯୁଝେଷ୍ଠିଂକର ସାନ ।୨୪।

ସେ ଆସି ଓଗାଳି ଯେ ଅନେକ ଅନେକ ସମର କଲା

ଚଉଦ ଦିନ ଯୁଝି ନୃପତି ଆମ୍ଭର ମଲା ।୨୫।

ଶୁଣିଣ କୋଦାଳେଶ୍ୱର ଯେ ବୋଲଇ ମନ୍ତ୍ରୀକି

ଆମ୍ଭର ଥାଟ ସଜ କର ହୋ ଦେଖିଯିବା ତହିଂକି ।୨୬।

ପିତାର ବଇରିକି ମାରି ଯେବେ ପାରି

ତେବେ ସେ ସାର୍ଥୁକ ମନ୍ତ୍ରୀ ଜୀବନ ମୋହୋରି ।୨୭।

ୟେତେ କହି ଅସୁର ଯେ ହୋଇଲାକ ସଜ

ଲୋହାର ରଥକେ ଯେ ବସିଲା ଦନୁଜ ।୨୮।

ମନ୍ତ୍ରୀକି ବୋଇଲା ମୋହୋର ସାଜ ହୋ ସଇନି

ଖାଇବା ମହୁ ମାଂସ ମଦିରା ରସ ଘେନି ।୨୯।

ଆଗ୍ୟାଂ ପ୍ରମାଣେ ସାଜିଲା ଚତୁରଙ୍ଗ ସଇନି

ଧାଇଂଲେ ଅସୁରମାନେ ଯେ ଯାହା ଶସ୍ର ଘେନି ।୩୦।

ମହା ପ୍ରତାପୀ ସେ ଯେ କୋଦାଳେଶ୍ୱର ବୀର

କୋଦାଳ ଗୋଟିୟେ ସେ ଘେନିଅଛି ହାଥର ।୩୧।

ହସ୍ତିନା ନଗରକୁ ବୋଲିଣ ଦଣ୍ଡ ସାଜି

ଗର୍ଜନ୍ତି କାମରୂପୀ ଆକାଶ ପଡ଼ଇ କି ଭାଜି ।୩୨।

ଅସୁର ପାଦଭାରା ନ ସହେ ମେଦିନୀ

ନବ ଯେ କ୍ଷଉଣୀ ଥାଠ ଅଛଇ ପଲାଣି ।୩୩।

ଧାମନ୍ତି ଅସୁରେ ଯେ ଗର୍ଜନ୍ତି ଘନ ଘନ

ଅବିଚ୍ଛନ୍ନେ ଚଳଇ ଅସୁରର ସଇନ ।୩୪।

ବନ ଗିରି କନ୍ଦର ଅନେକ ଜିଣି ଗଲେ

ଅନେକ ଦେଶର ପରଜା ଭାଞ୍ଜିଲେ ।୩୫।

ନୃପତିମାନେ ଶୁଣି ପଳାଇଲେ ଡରେ

କେହି ରହନ୍ତା ନୋହିଲେ ଅସୁର ଆଗରେ ।୩୬।

ଅଜାଗେ ଅସୁର ପଡ଼ଇ ଯେବଣ ରାଜ୍ୟେ

ଗୋରୁ ବ୍ରାହ୍ମଣ ପରଜା ସବୁ କରନ୍ତି ଯେ ଭୋଜ୍ୟେ ।୩୭।

ରଜନୀ ଦିବସରେ ଚଳିଗଲେ ଥାଠ

ପ୍ରବେଶଷ ହୋଇଲେ ଯାଇଂ ହସ୍ତିନା କଟକ ନିକଟ ।୩୮।

ଚାର ଜଣାଇଲା ଶୁଣିମା କୁରୁରାୟେ

କୋଦାଳେଶ୍ୱର ବୋଲି ସେ କୁଣ୍ଡଳୀ ଦତ୍ୟ ତନୟେ ।୩୯।

କୁଣ୍ଡଳେଶ୍ୱରକୁ ଯେ ନକୁଳ ବଧ କଲେ

ପିତାର ନିଧନ ଶୁଣି ପୁତ୍ର ତାହାର ଅଇଲେ ।୪୦।

ଅନେକ ଅସୁର ଯେ ସଙ୍ଗତେ ତାହାର

ହସ୍ତିନା ନବରକୁ ସେ ବାହଇଅସୁର ।୪୧।

ଅନେକ ରାଜ୍ୟ ଭାଞ୍ଜି ପରଜା ଜନ ଖାଇ

ପନ୍ଦର ଯୋଜନେ ଛାଡ଼ି ଅଇଲି ଗୋସାଇଂ ।୪୨।

ବଡ ପ୍ରତାପୀ ଅଟଇ ଅସୁର ଗରିଷ୍ଠ

ସ୍ୱର୍ଗର ରହି ଯେ ନ ପାରନ୍ତି ସୁରଶ୍ରେଷ୍ଠ ।୪୩।

ସମ୍ଭାଳ ରାଜ୍ୟ ତୋହୋର ଅମାପ ଅସୁର ପଡ଼ି

ଯମର ଉପରକୁ ସେ ଦିଅଇ ଯମ ଧାଡ଼ି।୪୪।

ଶୁଣିଣ ତିରସ୍ତ ଯେ ହୋଇଲେ କୁରୁ ରାୟେ

କମ୍ପନ୍ତି ଯୋଦ୍ଧାମାନେ ଅସୁରଂକର ଭୟେ ।୪୫।

ଭୀଷ୍ମେ ବୋଇଲେ ଶୁଣ ହୋ ସର୍ବେ କୁରୁବୀର

ବହନ ସଜ ହୁଅ ମାରିବଇଂ ଅସୁର ।୪୬।

ଆମ୍ଭେ ଦଣ୍ଡ ଚଢି ଥୋକାୟେ ଦୂର ଯିବା

ବାଟରେ ଅସୁରକୁଂ ଓଗାଳି ଯୁଝିବା ।୪୭।

ଆମ୍ଭର ରାଜ୍ୟେ ସେ ନ ପଶିବେ ଯେମନ୍ତେ

ପଥରୁ ଗୋଳ କରି ମାରିବା ଦଇତେ ।୪୮।

ସମରେ ଅବା ଯେବେ ନୁଆରିବା ଜିଣି

ବନସ୍ତକୁ କଢାଇ ଯେ ଘେନିଯିବା ପୁଣି ।୪୯।

ଆନ ଦେଶେ ନେଇଣ ଲଗାଇବା ଯୁଦ୍ଧ

ବନସ୍ତେଣ ବୁଲାଇ ଯେ ଅସୁରଂକୁ କରିବାକ ବଧ୍ୟ ।୫୦।

ଭୀଷ୍ମକଂର ବଚନ ସମସ୍ତଂକୁ ଯୋଗାଇଲା

ଦ୍ରୋଣେ କୃପେ ବୋଇଲେ ୟେ କଥା ଉଚିତ ହୋଇଲା ।୫୧।

ସଞ୍ଜୟେ ବିଦୁରଂକୁ ଅଣାଇ କୁରୁରାୟେ

ନଗ୍ର ରଖିବ ହୋ ବାବୁ ତୁମ୍ଭର ଉପାୟେ ।୫୨।

ଯୋଦ୍ଧାମାନନ୍ତ ଘେନି ଯାଉଅଛୁଂ ଆଗକୁ

ରାଜ୍ୟ ପ୍ରଜା ଜନମାନ ଲାଗଇ ତୁମ୍ଭଂକୁ ।୫୩।

ଆମ୍ଭଂକୁ ବଳିଯାଇ ଅସୁର ଯେବେ ଆସି

ଜନ ପ୍ରଜା ଘେନିଣ ତୁମ୍ଭେ ବନସ୍ତେ ଥିବ ପଶି ।୫୪।

ୟେତେ କହି ନୃପତି ହୋଇଲେ ବାହାର

ସଙ୍ଗତେ ଶତେ ଭାଇ ଅଛନ୍ତି ତାହାର ।୫୫।

ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପ ଅଶସ୍ତମା

ଜଦ୍ୟରଥ ଶକୁନି ଆବର ବାହ୍ଲିକ ମହାତମା ।୫୬।

ରଥ ଆରୋହିଣ ଯେ ଚଳନ୍ତି ଯୋଦ୍ଧାମାନେ

ପ୍ରବେଶ ହୋଇଲେ ଯାଇଂ ସେ ଆରଡ଼େକ ବନେ ।୫୭।

ବିଚାରନ୍ତି ଆମ୍ଭେ ୟେହି ଠାବରେଣ ଥିବା

ଅସୁର ଅଇଲେ ଯେ ସମର କରିବା ।୫୮।

ୟେସନେକ ବିଚାରନ୍ତେ ଅଶୁର ସଇନ ଦିଶି

ମହାପ୍ରଳୟେ କାଳ କି ଘୋଟିଲାକ ଆସି ।୫୯।

ବହୁତ ଦୂରରୁ ଯେ ଦିଶିଲେ ଅସୁରେ

ଭୟେ ଶହସ୍ର ଧରି ନୁଆରନ୍ତି କୁରୁବୀରେ ।୬୦।

ସନ୍ୟଂକ ତରସ୍ତ ଦେଖିଣ ଯୋଦ୍ଧାମାନେ

ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଗେ ହୋଇଲେ ବିଦ୍ୟମାନେ ।୬୧।

ରେ ରେ କାର କରିଣ କମାୟେଣ ପୂରୋଇ

ଅସୁର ଉପରକୁ ଯେ ଉଠିଲେ ତୁହାଇ ।୬୨।

ବଜ୍ରସମ ବାଣ ଯେ ମାଇଲେ ୟେକୁ ୟେକ

ପଡିଲେ ଅସୁର ସଇନ ଅନେକୁ ଅନେକ ।୬୩।

ରହିଲେ ଅସୁରବଳ ସହିଲେକ ଯୁଦ୍ଧ

ମାରନ୍ତି ଅସୁରେ ଘେନିଣ ଯେ ଯାହା ଆୟୁଧ ।୬୪।

ଶୂଳ ମୁଦୁଗର କୋନ୍ତ ଯେ ପରିଘ ଶକତି

ମହା ଘୋର ଯୁଦ୍ଧକୁ ସେ ନ କରନ୍ତି ଭୀତି ।୬୫।

ଦେଖିଣ କର୍ଣ୍ଣ ବୀର ରଥ ଆଗ କରି

ବଜ୍ରସମ ଶକତିୟେ ମାଇଲାକ ଧରି ଆଗସରି ।୬୬।

ତିନିଶତ ଅସୁରେ ପଡ଼ିଲେ ୟେକା ଘାୟେ

ଦେଖିଣ ଅସୁର ସେନାପତି ଧାୟେଂ ।୬୭।

ବଜ୍ରଅଙ୍ଗ ବିଷକର୍ଣ୍ଣ ବେଧା ମହାବୀର

କର୍ଣ୍ଣର ତୁଲେ ଆସି କଲେକ ସମର ।୬୮।

ୟେକା କର୍ଣ୍ଣକୁ ବେଢିଲେକ ଆସି ତିନି ସେନା

ଅସୁର ସଇନମାନ ନ ଯାନ୍ତି କଳଣା ।୬୯।

ମାରନ୍ତି ବିବିଧ ଶସ୍ର ନ ଘୁଞ୍ଚନ୍ତି ପାୟେ

ୟେକର ପଡ଼ନ୍ତେଣ ଆରେକ ଆଗ ହୋୟେ ।୭୦।

କର୍ଣ୍ଣହିଂ ତହିଂକି ଯେ ଅଟଇ ମାହଯୋଧୀ

ନିମିଷକେ କୋଟି କୋଟି କରିଣ ଶର ବିନ୍ଧି ।୭୧।

ଅସୁରଂକ ଶରୀର କାଣ୍ଡେ ଅଛି ଛାଇ

ବଜ୍ର ଅଙ୍ଗ ବୀର ଯେ ପରିଘ ଘେନି ଧାଇଂ ।୭୨।

କର୍ଣ୍ଣର ଉପରକୁ ସେ ଯେ ମାଇଲା ଅସୁର

ବେଢରେ ପଡିଅଛି ରାଧେବ କୁମର ।୭୩।

ଦ୍ରିଯୋଧନ କହଇ ଭୀଷ୍ମ ଦ୍ରୋଣେ ଚାହିଂ

ସମସ୍ତେ ଉଠି ସମର କର ୟେକା ଘାନ୍ତିୟେ ରହି ।୭୪।

ଗୋଳ ଯୁଦ୍ଧ କରିଣ ମାରିବା ଅସୁର

ଧର୍ମ ଅଧର୍ମ ବେଲି ବିଚାର ନ କର ।୭୫।

ଧୁଶାକୁ ବୋଇଲେ କି ଅନାଉ ରେ ଭାଇ

କର୍ଣ୍ଣକୁ ଅସୁରେ ଯେ ଯୁଝନ୍ତି ପରିଘାଇ ।୭୬।

ମାର ହୋ ଅସୁରନ୍ତ ଗଦା ଘେନି ପିଟ

ମରନ୍ତୁ କିନା ୟେ ଅସୁର ଦ୍ରପିଷ୍ଠ ।୭୭।

ଶୁଣିଣ କୁମାରମାନେ ଗଦା ଘେନି ଉଠି

ଅସୁରନ୍ତ ପିଟନ୍ତି କରିଣ କୋପଦୃଷ୍ଟି ।୭୮।

ରେ ରେ କାର କରିଣ ଯେ ଧୁଶାସନ ବୀର

ଅସୁବରଂକ ଉପରେ ଗଦା କଲାକ ପ୍ରହାର ।୭୯।

ବାଜନ୍ତେ ଅସୁର ଯେ ପଡ଼ିଲା ଧରଣୀ

ବେଧା ମହାବୀର ଧାଇଂଲାକ ପୁଣି ।୮୦।

ଗର୍ଜିଣ ମାଇଲା ସେ ଶକତିୟେ ଘେନି

ଧୁଶାସନ ଉପରେ ପଡ଼ି ସେ ହୋଇଲା ହାନି ।୮୧।

ଗର୍ଜିଣ ଉଠିଲା ଯେ ଧୁଶାସନ ବୀର

ଅସୁର ଉପରେ ଗଦା କଲାକ ପ୍ରହାର ।୮୨।

ବାଜିଲାକ ଗଦାବର ଭାଞ୍ଜିଲା ତାର ମୁଣ୍ଡ

ଗର୍ଜିଲା ଅସୁର ଯେ କମ୍ପିଲା ବ୍ରହ୍ମାଣ୍ଡ ।୮୩।

ଘୋର ନାଦ କରି ଦତ୍ୟ ଯହୁଂ ଗଲା ମରି

ସନ୍ୟର ଉପରକୁ ଧୁଶା ଧାଇଂଲା କୋପ କରି ।୮୪।

ଚଉଷଠି ଭାର ଯେବଣହିଂ ଗଦା

ବାଜନ୍ତେ ଅସୁର ସଇନ ହେଉଛନ୍ତି ପଦା ।୮୫।

କର୍ଣ୍ଣର ତୁଲେ ଯେ ବଜ୍ରଅଙ୍ଗ ଯୁଝୁଥିଲା

ସେହୁ ପୁଣି କର୍ଣ୍ଣର ଶରାଘାତେ ନାଶ ଗଲା ।୮୬।

ପଳାଇଲେ ସଇନି ଯେ ସେନାଂକ ନିଧନେ

ଆପଣେ ଦେଖିଲା ତାହା କୋଦାଳେଶ୍ୱର ରାଜନେ ।୮୭।

ରଥ ଧୁଆଇଂ ସେ କର୍ଣ୍ଣକୁ ଓଗାଳି

କୋଦାଳ ଘେନିଣ ସେ ପିଟିଲା ମହାବଳୀ ।୮୮।

କର୍ଣ୍ଣର ରଥ ଭାଞ୍ଜି ହୋଇଲାକ ଚୂନା

ପୁଣି କୋଦାଳ ଘେନି ଉଠଇ ଅସୁର ଜେନା ।୮୯।

ସେ କୋଦାଳ ଘେନି ସେ ମାଇଲା କର୍ଣ୍ଣକୁ

ବାଜିଲା କର୍ଣ୍ଣ ଅଙ୍ଗେ ଭାଞ୍ଜିଲା ତାର ବୁକୁ ।୯୦।

ଧୁଶାସନ ଆଗେ ଓଗାଳିଲା ଯାଇଂ

ବେନି ଗଦା ଘେନି ମାଇଲା ନିଠାଇ ।୯୧।

ବାବୁ ସେ ଅସୁରର କିଛିହିଂ ନୋହିଲା

କରେ କୋଦାଳ ଘେନି ଦତ୍ୟ ଧୁଶାକୁ ଗୋଡ଼ାଇଲା ।୯୨।

ଦେଖି ଦ୍ରୋଣ ଗୁରୁ ଓଗାଳିଲେ ଦୂରୁଂ

କି ଅବା ମେରୁ ଆଗେ ଅଛଇ ଆରେକ ଯେ ମେରୁ ।୯୩।

ସମ୍ଭାଳ ରେ ଅସୁର ବେଲି ମାଇଲେ ଲକ୍ଷେ ଶର

ୟେ ବିଧି ବିନ୍ଧନ୍ତି ଯେ ଗଂଗାଂକ କୁମର ।୯୪।

ଶତେକ ଭାଇ ପିଟନ୍ତି ଗଦା ଘେନି

ବାଜନ୍ତେ ଶହସ୍ରମାନେ ଝଲକନ୍ତି ବହନି ।୯୫।

ମୁଣ୍ଡ ପାଡ଼ିଣ ସେ ଯେ ଅଛଇ ଅସୁର

ଗଦାମାନେ ଭାଜି ଯେ ହେଉଛନ୍ତି ଚୂର ।୯୬।

ଶରମାନେ ତାହାର ଶରୀରେ ପଡ଼ନ୍ତି

ପାଷାଣେ ଯାଇଂ ବାଜିଲେ ଯେସନେ ଉପୁଡ଼ନ୍ତି ।୯୭।

ସାଷ୍ଟମ ହୋଇଣ ସେ ରାଧେବୀର ସୁତ

ସମର କରଇ ସେ ଯେ ଚଢିଣ ଆନ ରଥ ।୯୮।

କୋଟିୟେ ପର୍ବତା ଶର ବିନ୍ଧିଲାକ କର୍ଣ୍ଣ

ଅସୁର ଦେହେ ବାଜି ହୋଇଲାକ ଚୂର୍ଣ୍ଣ ।୯୯।

ମର୍ଭୁତେକ ଚକ୍ର ପେଷିଲା ରାଧେବ

ମୁଣ୍ଡ ପାତିଣ ତାହା ସହିଲା ଦାନେବ ।୧୦୦।

ଅଗ୍ନିଶର ବିନ୍ଧିଲା ଯେ ବୀରବର କର୍ଣ୍ଣ

ୟେହିକ୍ଷଣି ଜଗତ କି ହୋଇବ ଦହନ ।୧୦୧।

ପ୍ରଳୟ କାଳ ଜାଣି ଅଗ୍ନିଂକର ତେଜ

ପାଟି ବିସ୍ତାରିଣ ତାହା ଗିଳିଲା ଦନୁଜ ।୧୦୨।

ବଜ୍ର ଶକତି କର୍ଣ୍ଣ ଅସୁରକୁ ମାରି

ତେହେହେଂ ଦାନବ ଯେ ନୋହିଲା ସଂହରି ।୧୦୩।

ଗଙ୍ଗାର ନନ୍ଦନ ବିନ୍ଧିଲେ ଶର ଯେତେ

ସମସ୍ତ ଭାଞ୍ଜି ଚୂର୍ଣ୍ଣ ହେଲା ଅସୁରର ଗାତ୍ରେ ।୧୦୪।

ଦ୍ରୋଣଂକର ଶର ସବୁ ବିଅର୍ଥ ହୋଇଲା

ମୁଣ୍ଡ ପାତିଣ ତାହା ଅସୁର ସଂହରିଲା ।୧୦୫।

ଧୁଶାସନ ଗଦା ଯେ ନ କାଟଇ ଦେହେ

ଭୂରିସର୍ବା ଜଦ୍ୟରଥ ଶକୁନିରେ କିସ ହୋୟେ ।୧୦୬।

ଧୃତିରାଷ୍ଟ ତନୟେ ଯେ ସମରେ ବିମୁଖ

ସଇନି ଉପରକୁ ଶର ମାରନ୍ତି ଲକ୍ଷ ଲକ୍ଷ ।୧୦୭।

ପାଞ୍ଚ କ୍ଷଉଣୀ ବଳ ଅସୁରର ପଡ଼ିଲା

ଚାରି କ୍ଷଉଣୀ ବଳ ଘେନିଣ ଅସୁର ଗୋଡ଼ାଇଲା ।୧୦୮।

କୋଦାଳ ବୁଲାଇ ସେ ମାଇଲା ଅତି ବେଗେ

କେହି ନ ରହନ୍ତି ସେ ଅସୁରର ଆଗେ ।୧୦୯।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଯେ ପଛଘୁଞ୍ଚା ଦେଇ

କୋଦାଳ ଘେନି ଅସୁର ଅଛଇ ଗୋଡ଼ାଇ ।୧୧୦।

ପଳାବନ୍ତି କୁରୁସାଗର ନ ରହନ୍ତି କ୍ଷଣେ

ଭୀଷ୍ମଂକୁ ଚାହିଂଣ କହୁଛନ୍ତି ଦ୍ରୋଣେ ।୧୧୧।

ଛତ୍ରୀ ହୋଇ କରି ଯେବେ ପଳାଇଣ ଯିବା

କେତେ ଦୂରେ ଯାଇଂଣ କାହିଂ ବା ରହିବା ।୧୧୨।

ହାରିବା ଜିଣିବା ଯୁଦ୍ଧର ୟେସନେକ ରୀତି

କେତେକାଳେ ବ୍ରତିବା ହୋ ଅସୁରଂକୁ କରି ଭୀତି ।୧୧୩।

ରହିଣ ଯୁଝିବା ସମସ୍ତେହେଂ ଆସ

ଅସୁରଂକୁ ଅବା କରି ପାରିବା ନାଶ ।୧୧୪।

ଭୀଷ୍ମେ ବୋଇଲେ ହୋ ରହ ରହ କର୍ଣ୍ଣ ବୀର

ଅସୁର ତୁଲେ ଦ୍ରୋଣ କରିବେ ସମର ।୧୧୫।

ଭୀଷ୍ମଂକର ବଚନେ କର୍ଣ୍ଣହିଂ ରହିଲା

କରେ ଧନୁ ଧରିଣ ସେ ଶର ବୃଷ୍ଟି କଲା ।୧୧୬।

ଦ୍ରୋଣ ଭୀଷ୍ମ ଦୁହେଂ ଯେ ବିନ୍ଧନ୍ତି ଅବିଚ୍ଛନ୍ନ

ଆକାଶେ ଅଦୃଶ୍ୟ ହୋଇଲେ କଶ୍ୟପ ନନ୍ଦନ ।୧୧୭।

ଦ୍ରିଯୋଧନ ପଚାରଇ ମନ୍ତ୍ରୀ ଶକୁନିକି

ଦିବସ ଷୋଳ ଘଡ଼ି ହୋଇଅଛିଟି କି ।୧୧୮।

ଆଦିତ୍ୟ ଅସ୍ତ ଗଲା ରଜନୀ ପ୍ରାୟେ ଦିଶି

ମୁଂ ୟେମନ୍ତ ମଣଇଂ ଅବା ପ୍ରବେଶ ହୋଇଲାକ ନିଶି ।୧୧୯।

ଶକୁନି ବୋଇଲା ଆହୋ ରହି କରି ଦେଖ

ଅସୁର ସଙ୍ଗେ ଯୁଧ୍ୟ ଭୀଷ୍ମ ଦ୍ରୋଣ କର୍ଣ୍ଣ ହାକ ।୧୨୦।

ବରଷଣ ପ୍ରାୟେ ଯେ ବିନ୍ଧୁଛନ୍ତି ଶର

ତେଣୁ କରି ଅଦୃଶ୍ୟ ହୋଇଲେ ଦିନକର ।୧୨୧।

ମନ୍ତ୍ରୀର ବଚନେ ରହିଲା କୁରୁସାଇଂ

ଅସୁର ଯୁଧ୍ୟ ଦେଖି ନୟନ ବୁଜଇ ଭୟେ ପାଇଂ ।୧୨୨।

କର୍ଣ୍ଣ ଯେ ମାଇଲା ବଜ୍ରାବଳୀ ମୁଦୁଗର

ସେ ଶହସ୍ର ବାଜିଲା ଯାଇଂ ଅସୁର ଉପର ।୧୨୩।

ତେଡ଼େ ଶଶହସ୍ର ଗୋଟା ଉପୁଡ଼ି ପଡିଲା

ଲେଉଟି ତରକି ଦକ୍ଷିଣ ଭାଗେ ଗଲା ।୧୨୪।

ଶତେକ ଅସୁର ବାଜି କରି ମରି

ସାଧୁରେ କର୍ଣ୍ଣ ବୋଲି ଅସୁରେ ପ୍ରଶଂସା କରି ।୧୨୫।

କେଦଳା ବୁଲାଇ ଅସୁର ମାଇଲା ନିଠିଆଇ

ଭାଞ୍ଜିଲା କର୍ଣ୍ଣ ରଥ ଭୂମିରେ ଅଛି ରହି ।୧୨୬।

ଗଦାୟେ ଘେନିଲା ନାମ ତାର ଧୃମଖେତ

ଅସୁର ଉପରକୁ ମାଇଲା ଯେ ରାଧେବର ସୁତ ।୧୨୭।

ଗଦାବର ପଡ଼ନ୍ତେ ଅସୁର ହାଥ ପାତି

ଉଛୁଡ଼ି ଘେନିଲା ତାହା କୁଣ୍ଡଳୀର ସନ୍ତିତି ।୧୨୮।

ବାହୁଡ଼ି ଗଦା ଘେନି ମାଇଲା କର୍ଣ୍ଣକୁ

ପଡ଼ିଲା ଉପରେ କିଛି ନୋହିଲା ତାର ବୁକୁ ।୧୨୯।

ଧନ୍ୟ ସେ କର୍ଣ୍ଣ ବୀର କିଛିହିଂ ନୋହିଲା

ପୁଣିହିଂ ପରିଘ ଘେନି ବୁଲାଇ ମାଇଲା ।୧୩୦।

ଅସୁର ଉପରେ ଯାଇ ପଡ଼ିଲା ଅସ୍ରବର

ଟହ ଟହ ହୋଇଣ ଯେ ହସିଲା ଅସୁର ।୧୩୧।

ବୋଇଲା ପାମର ରେ ଅଟ ଆମ୍ଭର ଭକ୍ଷ

ଆମ୍ଭନ୍ତ ମାରିବ ବୋଲି ଆସିଛ ପ୍ରତକ୍ଷ ।୧୩୨।

ଜାଣିଲି ଅଗ୍ୟାନ ରେ ସମସ୍ତେହେଂ ଅଟ

ଘରକୁ ଯିବ କି ଆଉ ପଡ଼ିଲ ମୋର ଭେଟ ।୧୩୩।

କର୍ଣ୍ଣ ବୋଇଲା ଶୁଣସି ରେ ତୁ ଅସୁର

ବାପ ମଲା ତୋର ଆମ୍ଭରି ହାଥର ।୧୩୪।

ତୋହୋର ବେଳେ କି ଆମ୍ଭେ ସଙ୍ଗତେ କଳି କରୁ

ବିଧାତା କଢାଇ ଆଣିଅଛି ଆମ୍ଭରି ହାଥେ ମରୁ ।୧୩୫।

ଯାହାର ବାପ ସମରେ ହାରିଗଲା

ତାହାର ପୁତ୍ର ୟେବେ ଧାରଣା ପଡ଼ିଲା ।୧୩୬।

ୟେ କଥା ଶଣିମାକୁ ଅଟଇ ଆଚମ୍ୱିତ

ବାପ ନିଧନ ହେଲେ ବ୍ରତଇ କି ତାର ସୁତ ।୧୩୭।

ଅସୁର ବୋଇଲା ହୋ ଜାଣିଅଛି ମୁହିଂ

ବାପକୁ ମାରିଛ ୟେବେ ପଳାଅ କାହିଂ ପାଇଂ ।୧୩୮।

ପାଞ୍ଚ ଯୋଜନ ଯାୟେ କେହି ନ ରହି ଅଇଲ

କାହାର ବୋଲ କରି ସମର ଆରମ୍ଭିଲ ।୧୩୯।

ୟେତେ ବୋଲି ଅସୁର ଯେ ବିଧାୟେ ପ୍ରହାରିଲା

ଜାଣିଣ ବୀର କର୍ଣ୍ଣ ଆଡ଼େ ହୋଇଗଲା ।୧୪୦।

ଦ୍ରୋଣ ମହାରଥୀ ଯେମିଳିଲେ ତାର ଆଗ

ପାଞ୍ଚଶତ ନାରାଜ ବିନ୍ଧିଲେ ବେଗୁଂ ବେଗ ।୧୪୧।

ଅସୁର ଦେହେ ବାଜି ଭାଞ୍ଜିଲାକ ଶର

ପୁଣି କୋଟିୟେ ବାଣ କରନ୍ତି ପ୍ରହାର ।୧୪୨।

ନିଶ୍ୱାସକେ ନାରାଜ ବିନ୍ଧନ୍ତି ଲକ୍ଷେ ଘାନ୍ତି

ଅସୁର ମହାବଳୀ ଅଛଇ ମଥା ପାତି ।୧୪୩।

ସୂର୍ଯ୍ୟାବ୍ରତେକ ଶର ପେଷିଲେକ ଗୁରୁ

ଜଗତ ଛନ୍ନ ଛନ୍ନ ଭାଜି ପଡ଼ିଲାକ ମେରୁ ।୧୪୪।

ଅସୁର ଶରୀରେ ଯେ ବାଜିଲାକ ଯାଇ

କିଛିହିଂ ନୋହିଲା ଅସୁର ଅଛି ଉଭା ହୋଇ ।୧୪୫।

ପୁଣି ପବନା ବାଣ ଯେ ମାଇଲେ ଗୁରୁ ଦ୍ରୋଣ

ଯାଇଣ ପଡ଼ିଲା ତାହା ଅସୁର କଣ୍ଠେଣ ।୧୪୬।

ପଞ୍ଚ ପହଣ୍ଡ ସେ ଯେ ପଛକୁ ଘୁଞ୍ଚିଗଲା

ଅସୁର ଦେହେ ବାଣ ବାଜି ଉପୁଡ଼ି ପଡ଼ିଲା ।୧୪୭।

ପୁଣ ଦ୍ରୋଣେ ପେଷିଲେ ଯେ ଅଧାଚନ୍ଦ୍ର ଶର

ଅସୁର ଦେହେ ପଡ଼ି ହୋଇଲାକ ଚୂର ।୧୪୮।

ନଇରତ ପରିଘ ଯମର କାଳ ଫାଶି

ଅଗ୍ନିର ମୁଦୁଗର ଉପୁଡ଼ି ପଡ଼ଇ ଯେ ଆସି ।୧୪୯।

ଦ୍ରୋଣଂକର ପାରୁଶେ ଭୀଷ୍ମ ମହାରଥୀ

ବିନ୍ଧନ୍ତି ନାରାଜମାନେ ଅତି କୋପ ମୂର୍ତ୍ତି ।୧୫୦।

ଆର ପାଖରେ ଯେ କର୍ଣ୍ଣ ରଥ ଆରୋହି

ଦତ୍ୟକୁ ବିନ୍ଧୁଛନ୍ତି ଯେ କୋପଭର ହୋଇ ।୧୫୧।

ଦ୍ରିଯୋଧନ ଶତେ ଭାଇ ଗଦାମାନ ଘେନି

ଅବିଚ୍ଛନ୍ନେ ମାରନ୍ତି ଅସୁର ସଇନି ।୧୫୨।

ପଡ଼ନ୍ତି ଅସୁରେ ଯେ ଲୋଟନ୍ତି ଧରଣୀ

ଗଗନ ପୂରୁଅଛି ମୁଖରାବ ଧୁନି ।୧୫୩।

କେ ବୋଲଇ ଧର ଧର କେ ବୋଲଇ ମାର

କେ ବୋଲଇ ଆଜ ଯେ ମରିବ ଅସୁର ।୧୫୪।

ୟେକର ପଡ଼ନ୍ତେଣ ଯେ ଆରେକ ଗଳଗାଜି

ଅସୁର ସଇନମାନେ ପଳାଇଲେ ଭାଞ୍ଜି ।୧୫୫।

ଗୋଡ଼ାନ୍ତି କଉରୋବେ ମାରନ୍ତି ହାଥ ସୁଖେ

ଜଦ୍ୟରଥ ଭୂରିସର୍ବା ଶକୁନି ସୋମଦତ୍ତେ ।୧୫୬।

ୟେକମୁଖ ହୋଇ ବିନ୍ଧୁଛନ୍ତି ଶର

ଧୃତିରାଷ୍ଠ କମରେ ମାରନ୍ତି ଗଦାବର ।୧୫୭।

ଅନିର୍ଯ୍ୟାପ ସମର ହୋଇଲାକ ଯହୁଂ

ଅନେକ ଅସୁର ସଇନି ପଡ଼ିଲେକ ତହୁଂ ।୧୫୮।

ଦେଖିଣ କୋଦାଳେଶ୍ୱର ବିଚାରଇ ମନେ

ମୋହୋର ସଇନ ନାଶ କଲେକ ୟେମାନେ ।୧୫୯।

ୟେତେ ବୋଲି ବୀର ଯେ ଉଠିଲା ମୁଣ୍ଡିଆଇ

ଜଣକର ରଥ ଧଇଲାକ ବେଗେ ଯାଇଂ ।୧୬୦।

ବୁଲାଇ ଫିଙ୍ଗନ୍ତେ ଯେ ବହୁତ ଦୂର ଗଲା

ରଣେ ସାରଥି ଅଶ୍ୱ ମଲେ ରଥୀ ମୋହ ଗଲା ।୧୬୧।

ଭୀଷ୍ମଂକର ରଥରେ ଯେ ମାଇଲା ବାହାଦଣ୍ଡ

ଭାଜିଲାକ ରଥ ହୋଇଲା ଯେ ଖଣ୍ଡ ଖଣ୍ଡ।୧୬୨।

ଭୀଷ୍ମେ ପଳାଇଲେ ବହୁତ ଭୟ ପାଇ

କର୍ଣ୍ଣକୁ କୋଦାଳ ଘେନି ପିଟିଲା ନିଠିଆଇ ।୧୬୩।

ରଥୀ ରଥ ସାରଥି ସମସ୍ତେହେଂ ମଲେ

ଧୁଶାସନକୁ ଦେଖିଣ ଅସୁରେ ଗୋଡ଼ାଇଲେ ।୧୬୪।

କୋଦାଳ ବୁଲାଇ ଯେ ପିଟନ୍ତେ ଅସୁର

ଧୁଶାସନ ଆଡ଼ିଲା ଯେ ପାତିଣ ଗଦାବର ।୧୬୫।

ଅସୁର କାଦାଳ ପଡ଼ି ଗଲା ଭାଞ୍ଜି

ଉଠଇ ଅସୁର ଯେ ପିଟଇ ଗଳଗାଜି ।୧୬୬।

ୟେକ ପ୍ରହରକେ ଦଶ ବିଂଶ ମାରି

ଦ୍ରିଯୋଧନ ଭ୍ରାଥମାନେ ହୋଇଲେ ସଂହାରି ।୧୬୭।

ଦେଖିଣ ଦ୍ରିଯୋଧନ ଓଗାଳିଲା ବଳେ

ଦ୍ରିଯୋଧନ ରଥରେ ଅସୁର ଅଛି ତଳେ ।୧୬୮।

ମହା ପ୍ରତାପୀ ସେ ଯେ ଅଟଇ ଦନୁଜ

କରଇ ସମର ସେ ଯେ ସାକ୍ଷ ଚନ୍ଦ୍ର ସୂର୍ଯ୍ୟ ।୧୬୯।

ଆପଣା ସଇନକୁ ଚାହିଂଣ କୁରୁପତି

ପଳାଅ ଯେ ଯାହାରେ ଲୁଚ ହୋ ତଡ଼ତି ।୧୭୦।

ଶୁଣିଣ ସଇନମାନେ ଯାନ ବାହାନ ଛାଡ଼ି

ବନସ୍ତେ ଲୁଚିଲେ ଯେ ଅନେକ କଷ୍ଟ ପଡ଼ି।୧୭୧।

ଦ୍ରିଯୋଧନ ଅସୁର ଯେ କରନ୍ତେଣ ରମ

ଅବିଚ୍ଛନ୍ନେ ନାରାଜ ଯେ ବିନ୍ଧଇ କୁରୁରାମ ।୧୭୨।

ଲକ୍ଷ ଲକ୍ଷ କରି ବିନ୍ଧୁଅଛି ଶର

କୋଟି କୋଟି କରି ଯେ ମାରଇ ମୁଦୁଗର ।୧୭୩।

ଅବିଚ୍ଛନ୍ନେ ନାରାଜ ବିନ୍ଧଇ ଛଟକେ

ଦ୍ରିଯୋଧନ ଯୁଦ୍ଧକୁ ସାକ୍ଷ ଦେବଲୋକେ ।୧୭୪।

ୟେମନ୍ତ ସମର ଯେ ହୋଇଲା ବେନି କୁଳ

ଗଗନେ ଅଦୃଶ୍ୟ ହୋଇଲେ କଶ୍ୟପର ବାଳ ।୧୭୫।

କୁମ୍ଭ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି

ଚନ୍ଦ୍ର ବାର ବିଶାଖା ତୁଳ ପାଞ୍ଚଦଣ୍ଡ ଘେତି ।୧୭୬।

ସେ ଦିନ ସମର ଯେ ହୋଇଲା ଅନେକ

ଦ୍ରିଯୋଧନର ତୁଲେ ଯେ ଅସୁର ନାୟକ ।୧୭୭।

ମହାଘୋର ନିଶା ନ ଦିସଇ କିଛି

ଦ୍ରିଯୋଧନ ଅସୁର ସମର ବାଜିଅଛି ।୧୭୮।

କୋପେଣ କୋଦାଳେଶ୍ୱର ମାଇଲା ବଜ୍ର ମୁଷ୍ଟି

ରଥ ସାରଥି ପଡ଼ିଲେ ଗୁଣ୍ଡା ଉଠି ।୧୭୯।

ପାଦଗତି ହୋଇଣ ସେ ମାନଗୋବିନ୍ଦ ବୀର

ଅସୁର ତୁଲେଣ ଯେ କରଇ ସମର ।୧୮୦।

ଗଦା ଘେନି ମାରଇ ଯେ ମାନଗୋବିନ୍ଦ ରାୟେ

ପଡ଼ିଲା ଗଦାବର ଯେ ଅସୁରର କାୟେ ।୧୮୧।

ମେରୁ ଚୂର ହୋଇ ଥାଇ ଯେବେଣ ଗଦା ବାଜି

ଅସୁର ଦେହେ ବାଜି ସେ ଗଦା ଗଲା ଭାଞ୍ଜି ।୧୮୨।

ପୁଣ ଆରେକ ଗଦା ବୁଲାଇ ମାନଚକ୍ରବ୍ରତୀ

ଅସୁର ଉପରେ ନେଇ ପିଟିଲାକ ଧାତି ।୧୮୩।

ଗର୍ଜି ଉଠିଲା ଯେ ଅସୁର କୁଳ ବୀର

କୋଦାଳ ଘେନି ମାଇଲା ମାନଗୋବିନ୍ଦ ଉପର ।୧୮୪।

ଘାୟେଣ ଘୁମାଇଲା ମାନଚକ୍ରବ୍ରତୀ

ଧାତିକାରେ ଉଠି ବୀର ଧଇଲା ସାଉଂଟି ।୧୮୫।

ରଥରେ ରାଜାକୁ ପକାଇ ଯେ ବିଚାରଇ ଅସୁର

ହସ୍ତିନା ରାଜ୍ୟର ୟେହୁ ଅଟଇ ନୃପବର ।୧୮୬।

ୟେହାର ମାୟେଂସରେ ଅନେକ ସ୍ୱାଦୁ ଅଛି

ୟେହାର ସଙ୍ଗେ ଯୁଦ୍ଧ କରି ପିତା ମୋ ମରିଅଛି ।୧୮୭।

ୟେତେକ ବିଚାରିଣ ସେ ଅସୁର କୁଳସାଇଂ

ରନ୍ଧନ କରି ୟେହାକୁ ଖାଇବଇଂ ମୁହିଂ ।୧୮୮।

ରଜନୀ ପାହିଲେ ୟେହାର ରାଜ୍ୟକୁ ମୁଂ ଯିବି

ଆଜ ୟେହି ଠାବରେ ମୁଂ ରଜନୀ ବଞ୍ଚିବି ।୧୮୯।

ୟେମନ୍ତ ଅସୁର ଯେ ରହିଲାକ ତହିଂ

ମନରେ ବିଚାରନ୍ତେ ରଜନୀ ଗଲା ପାହି ।୧୯୦।

ଅରୁଣ ଉଦୟ ଯେ ପୂର୍ବ ଦିଗେ ଦିଶି

ହସ୍ତିନାକୁ ବାହାର ରଥରେଣ ବସି ।୧୯୧।

ଅସୁର କୋଦାଳେ ଯେ କର୍ଣ୍ଣ ମୋହ ଯାଇଥିଲା

କର୍ଣ୍ଣର ଅମୃତ କୁଣ୍ଡଳୁଂ ସୂର୍ଯ୍ୟ କିରଣେ ଅମୃତ ସ୍ରବିଲା ।୧୯୨।

ମୁଖେଣ ପଶନ୍ତେ ସେ ପାଇଲାକ ଗ୍ୟାନ

କରେ ଶହସ୍ର ଘେନି ବୀର ଉଠିଲା ବହନ ।୧୯୩।

ଦେଖିଲା ଆପଣାର ପାଶେ କେହି ଯେ ନାହାନ୍ତି

ମନେ ବିଚାରନ୍ତି ୟେ କେଣିକି ଗୋଡ଼ାଇ ଅଛନ୍ତି ।୧୯୪।

କାହାରି ତହିଂ ସେ ନ ପାଇ ସନ୍ଦେଶ

କି ଅବା ସମରେ ଯେ ମାଇଲା ରାକ୍ଷସ ।୧୯୫।

ୟେସନେକ ବିଚାରି ସେ ହସ୍ତିନାକୁ ଯାଇ

ଦେଖିଲା ଅସୁର ରଥ ଅଛଇ ଆରୋହୀ ।୧୯୬।

ଅସୁର ସଇନ ତାର ସମସ୍ତ ଲାଗିଥିଲା

ଦେଖିଣ କର୍ଣ୍ଣ ବୀର ମହା କୋପ କଲା ।୧୯୭।

ଖୃପରୁ କାଢିଲା ଖଗୟା ନାରାଜ

ମନ୍ତ୍ରି ଛାଡ଼ିଲା ଯେ ରାଧାର ଆତ୍ମଜ ।୧୯୮।

ହାଥରୁ ଫିଟନ୍ତେ ହେଇଲା ନବ କ୍ଷଉଣୀ ଶର

ନବ କ୍ଷଉଣୀ ମୁଣ୍ଡ କାଟିଲା ରାଧେବ କୁମର ।୧୯୯।

ପବନ ଘାତେ ଯେହ୍ନେ କଦଳୀ ବନ ଲୋଟି

ୟେସନେକ ପ୍ରାୟେ ଦଇତେ ପଡ଼ିଲେ ମହୀ ଲୋଟି ।୨୦୦।

ଦେଖିଣ ଦଇତ ମହାରାଗୀ ହେଲା

ହସ୍ତିନା ରାଜ୍ୟ ନ ରଖିବି ବୋଇଲା ।୨୦୧।

କର୍ଣ୍ଣକୁ ବୋଇଲା ତୁ ଅଟୁ ରେ ନିର୍ଲଜ

ମରଣରୁ ବ୍ରତି ଅଇଲୁ କରିବୁ ସମର ଆଜ ।୨୦୨।

କର୍ଣ୍ଣକୁ ପଛକରି ଅସୁର ଯେ ଗଲା

ୟେକା ହୋଇ ଅସୁର ହସ୍ତିନାକୁ ବାହିଲା ।୨୦୩।

ଦ୍ରିଯୋଧନକୁ ଅଛି ରଥରେ ପକାଇ

ଆସଇ ଅସୁର ମହା କୋପଭର ହୋଇ ।୨୦୪।

ପଛରେ କର୍ଣ୍ଣ ଡାକଇ ଆରେ ରେ ପାମର

କର୍ଣ୍ଣ ଡାକ ନ ଶୁଣଇ କୋଦାଳ ଅସୁର ।୨୦୫।

ଦେଖିଣ କର୍ଣ୍ଣ ଆଗେ ଓଗାଳିଲା ଯାଇ

ବୋଇଲା ରେ ଅସୁର କେଣିକି ଯାଉ ତୁହି ।୨୦୬।

ସଇନ ସମସ୍ତ ପଡ଼ିବାର ଚିନ୍ତା ହୋଇଛି ଅସୁର

ତୁହି ସେ ନାଶ କଲୁ ରେ ସଇନକୁ ମୋହୋର ।୨୦୭।

ଦଇତ କହୁଂ କହୁଂ କର୍ଣ୍ଣ ବିନ୍ଧିଲା ସହସ୍ରେ ନାରାଜ

ଗର୍ଜିଣ ଆସନ୍ତି ସହସ୍ରେ ସୂର୍ଯ୍ୟଂକର ଯେହ୍ନେ ତେଜ ।୨୦୮।

ବାଜନ୍ତେ ଅସୁରର ଦେହରେ ନ ଭେଦିଲା

ପୁଣିହିଂ କୋଟିୟେ ବାଣ କର୍ଣ୍ଣ ବୃଷ୍ଟି କଲା ।୨୦୯।

ଅପ୍ରମିତ ବାଣ ସେ ପେଷଇ ମନ ସରି

ହାଥର ଛଟକମାନ କହିତ କି ପାରି ।୨୧୦।

ଆଖି ନ ପିଛାଡୁ ସତେକ ବେଳ ପେଷି

ପ୍ରଳୟ ମେଘ କି ଜାଣି ନାରାଜ ବରଷି ।୨୧୧।

କେବଣ ଶର ପଛ କେବଣ ଶର ଆଗ

କେବଣ ବାଣ ବାଜନ୍ତେ କମ୍ପଇ ଦଶ ଦିଗ ।୨୧୨।

କେ ପବନୁଂ ବେଗ କେ ମନରୁ ବେଗ ଯାଇଂ

ବାଣରେ ଅସୁର ଦେହ ହୋଇଅଛି ଛାଇ ।୨୧୩।

ଦ୍ରିଯୋଧନ ନିଧନେ କର୍ଣ୍ଣ ବଇରାଗୀ

ଅବିଚ୍ଛନ୍ନେ ନାରାଜ ପେଷଇ ବେଗୁ ବେଗି ।୨୧୪।

ଅସଂଖ୍ୟ ନାରାଜ ଯେ ପେଷଇ ନିମିଷକେ

ସ୍ୱର୍ଗେ ଥାଇଂଣ ତାହା ଦେଖନ୍ତି ବୃନ୍ଦାଅର୍କେ ।୨୧୫।

ଅପୂର୍ବ ସାଂଗ୍ରାମ ସେ କହିତ କି ପାରି

ଅସୁର ଦେହ ଶରେ ହୋଇଲା ବିଦାରି ।୨୧୬।

ଅତିହିଂ ବିମୁଖ ସେ ଅସୁର କୁଳ ଷଣ୍ଢ

ରଡ଼ିୟେକ ଛାଡ଼ିଲା ଯେ କମ୍ପିଲା ବ୍ରହ୍ମାଣ୍ଡ ।୨୧୭।

କୋଦାଳ ଘେନି ଦତ୍ୟ ମୁଣ୍ଡିଆଇ ପଶି

କର୍ଣ୍ଣର ଉପରେ ଯେ ପିଟିଲା ନିରାଶି ।୨୧୮।

ଆଡ଼େ ହୋଇଲାକ ସେ ଯେ ରାଧେବ ବଳା

କୋପେଣ ଗର୍ଜଇ ସେ ଅସୁର ଅଚାର୍ଗଳା ।୨୧୯।

ତମ୍ୱା ପାତ୍ର ପ୍ରାୟେ କରି ବୁଲାଇ ବେନି ଡୋଲା

କୁଦାଳ ଘେନି କରି ସେ କର୍ଣ୍ଣକୁ ଗୋଡ଼ାଇଲା ।୨୨୦।

ନ ରହଇ କର୍ଣ୍ଣ ଯେ ଯାଉଛି ପଳାଇ

ପଛରେ ଅସୁର ଯେ ଅଛଇ ଗୋଡ଼ାଇ ।୨୨୧।

କେତେହେଂକ ଦୂରେ ଦେଖିଲାକ କର୍ଣ୍ଣ

ଦ୍ୱାରିକାରୁ ଆସୁଛନ୍ତି ଯୁଝେଷ୍ଠି ଭୀମ ଅରଜୁନ ।୨୨୨।

ନକୁଳ ସହଦେବ ଯେ ସଙ୍ଗତେ ଅଛନ୍ତି

ଯୁଝେଷ୍ଠି ଦେଖିଲେ କର୍ଣ୍ଣପଳାନ୍ତି ଦିଗାନ୍ତି ।୨୨୩।

ଅସୁର ଯେ ଗୋଡ଼ାଇ ଅଛଇ ପଛ କତି

ପଛକୁ ନ ଚାହିଂ କର୍ଣ୍ଣ ମନେ ବଡ଼ ଭ୍ରାନ୍ତି ।୨୨୪।

କୋଦାଳ ଗୋଟାୟେ ସେ ଅଛଇ ହାଥେ ଘେତି

ଧାମଇଂ କୋହାନଳେ ଅସୁର ନୃପତି ।୨୨୫।

ଯୁଝେଷ୍ଠି ବୋଇଲେ ସେ ଭୀମସେନକୁ ଚାହିଂ

କର୍ଣ୍ଣ ତ ପଳାଇ ଅସୁର ଅଛଇ ଗୋଡ଼ାଇ ।୨୨୬।

ଭୀମସେନ ବୋଇଲା ଦେବ ସହଦେବକୁ ପଚାର

କର୍ଣ୍ଣକୁ ଗୋଡ଼ାଇ ଅଛି କେବଣ ଅସୁର ।୨୨୭।

କାହାର ହାଥରେ ତାର ହୋଇବ ମରଣ

ସେହି ସିନା ଅସୁର ସଙ୍ଗରେ କରିବାକ ରଣ ।୨୨୮।

ଆନର ଯୁଧ୍ୟ କଲେ ହୋଇବାକ ହାନି

କେବଣ ଶରେ ଅଛଇ ଅସୁର ମୃତୁ ଘେନି ।୨୨୯।

ଭୀମସେନ ବଚନେ ସ୍ୱାମୀ ସହଦେବଂକୁ ଚାହିଂ

କହ ତୁ ମନ୍ତ୍ରୀବର ୟେ ଅସୁର କେମନ୍ତେ ମରଇ ।୨୩୦।

ସହଦେବ ବୋଇଲେ ଦେବ ୟେ କୁଣ୍ଡଳୀର ସୁତ

ନକୁଳ ଠାକୁର ଦେବ ଯାହାକୁ କଲେ ପ୍ରାଣେ ହତ ।୨୩୧।

ପିତାର ନିଧନ ଜାଣି ସେ ହସ୍ତିନାକୁ ଅଇଲା

ନବ କ୍ଷଉଣୀ ବଳ ତାର ସଙ୍ଗତରେ ଥିଲା ।୨୩୨।

ଜାଣିହିଂ ଦ୍ରିଯୋଧନ ଅସୁର ସଙ୍ଗେ ଯୁଦ୍ଧ

ନବ କ୍ଷଉଣୀ ବଳ ହୋଇଲେ ତାର ବଧ୍ୟ ।୨୩୩।

ସଇନ ନାଶ ଦେଖି ସେ ଆପଣେ ଯୁଦ୍ଧ କଲା

କୋଦାଳ ବୁଲାଇ ସେ କର୍ଣ୍ଣକୁ ମାଇଲା ।୨୩୪।

ଦ୍ରୋଣଂକର ରଥ ଧରି ରଥକୁ ଦିଲା ଫୋପଡ଼ାଇ

ତିନି ଯୋଜନ ମଧ୍ୟେ ଦ୍ରୋଣ ଅଛନ୍ତି ମୋହ ଯାଇ ।୨୩୫।

ବାହାଦଣ୍ଡ ଘେନିଣ ଭୀଷ୍ମଂକର ରଥ ଭାଙ୍ଗି

ଭୟ ପାଇଣ ଆଡ଼େ ହୋଇଲେ ଗାଙ୍ଗି ।୨୩୬।

ଧୁଶାସନ ସଙ୍ଗତେ ଯେ ଶତେ ଭାଇ ଥିଲେ

ଅସୁର ହାଥରେ ସେ ସମସ୍ତ ନାଶ ଗଲେ ।୨୩୭।

ଦେଖିଣ ଦ୍ରିଯୋଧନ ଭଆଇଂକ ନିଧନ

ଆପଣେ ଯୁଧ୍ୟ କଲେ ଦ୍ରିଯୋଧନ ରାଣ ।୨୩୮।

ଅନେକ ଯୁଦ୍ଧ କଲେ ଅସୁର ସଙ୍ଗର

ରାତ୍ର ହୋଇଅଛି ଅଢାଇ ପ୍ରହର ।୨୩୯।

କୋପେଣ ଦ୍ରିଯୋଧନକୁ କୋଦାଳ ଘେନି ପିଟି

ବାଜନ୍ତେଣ ମାନଗୋବିନ୍ଦ ଭୂମିରେଣ ଲୋଟି ।୨୪୦।

ଦେଖିଣ ଅସୁର ଯେ ରଥରେ ପକାଇ

ଆପଣା ରାଜ୍ୟେ ତାହା ଖାଇବ ବୋଲି ନେଇ ।୨୪୧।

ରଜନୀ ପ୍ରଭାତେ ହସ୍ତିନାକୁ ଦିଲା ଧାଡ଼ି

ଅସୁର କୋଦାଳ ବାଜି ଯେ କର୍ଣ୍ଣ ଥିଲା ପଡ଼ି ।୨୪୨।

ସୂର୍ଯ୍ୟ କିରଣ ଲାଗିଲାକ ଯହୁଂ

ଅମୃତ କୁଣ୍ଡଳୁଂ ଅମୃତ ଝରିଲାକ ତହୁଂ ।୨୪୩।

ତୁଣ୍ଡରେ ପଶନ୍ତେ କର୍ଣ୍ଣ ପାଇଲା ଚେତନ

କରେ ଶହସ୍ର ଘେନି ସେ ଗୋଡ଼ାଇ ବହନ ।୨୪୪।

ଅସୁରକୁ ଓଗାଳି ସେ ଅନେକ ଯୁଦ୍ଧ କଲା

କେବେହେଂ ସେ ଅସୁରକୁ ଜିଣି ନୁଆରିଲା ।୨୪୫।

ଅସୁର ମାରନ୍ତେ ସେ ପଳାଇଲେ ଭୟେ

ୟେହାଂକର ହାଥରେ ଯେ ଅସୁର ନୋହେ କ୍ଷୟେ ।୨୪୬।

ଯୁଝେଷ୍ଠି ବୋଇଲେ ବାବୁ ସହଦେବ ଶୁଣ

କାହାର ହାଥରେ ଅଛଇ ଅସୁର ମରଣ ।୨୪୭।

କାହାର ବର ପାଇ ସେ ୟେତେକ ଦର୍ପପଣ

ମରିବ କି ନ ମରିବ ୟେ ଅସୁର ରାଜନ ।୨୪୮।

ସହଦେବ ବୋଇଲେ ସ୍ୱାମୀ ଶୁଣିମା ଧର୍ମରାୟେ

ବଡାଇ ପ୍ରତାପୀ ସେ କୋଦାଳେଶ୍ୱର ରାୟେ ।୨୪୯।

କାଳିକାକୁ ସେବା କରି ସେ କୋଦାଳେଶ୍ୱର ବୀର

ଆପଣା ଇଷ୍ଟଦେବତା କରି ରଖିଲା ନିଜ ପୁର ।୨୫୦।

ଭୋଗରାଗ ଦେଇ ଯେ ସେବା କରୁଥିଲା

ଯହୁଂ କାଳିକା ତାକୁ ପ୍ରସନ୍ନ ହୋଇଲା ।୨୫୧।

ଦିନେକ କୋଦାଳେଶ୍ୱର ନିଶି ଭ୍ରମି ଆସି

ମଣ୍ଡୋପରେ ପ୍ରବେଶ ବହୁତ ନାହିଂ ନିଶି ।୨୫୨।

କାଳିକା ଭ୍ରମି ଯାଇଥିଲେ କେତେ ଦୂର

ସେହି ପ୍ରବେଶ ହୋଇଲେ ଆସି ମଣ୍ଡୋପ ଉପର ।୨୫୩।

ଅସୁର ବିଚାରଇ ୟେ କେବଣ ସେ ମୂର୍ତ୍ତି

କାହାର ଘରକୁ ଯିବ ୟେ କାହାର ଯୁବତୀ ।୨୫୪।

ସଭାବେ ବାଳୁତ ବୟସ ନ ଜାଣଇ କିଛି

ଦେଉଳ ଦୁଆରେ ତ ଆବୋରି ରହିଅଛି ।୨୫୫।

କାଳିକା ବୋଇଲେ ତୁ ଉଠ ରେ ପାମର

କି ନିମନ୍ତେ ବସିଅଛୁ ମୋହୋର ଦୁଆର ।୨୫୬।

ଶୁଣିଣ କୁମର ରାଗେ ଖଡ଼ଗ ବୁଲାଇ

କାଳିକା ଉପରକୁ ପଡ଼ିଲାକ ଧାଇଂ ।୨୫୭।

ବୋଇଲା ସେ ପାମେରୀ ଲୋ କାହିଂର ତୁ ଛାର

ମିଛହେଂ ବୋଲୁଛୁ ତୁ ଲୋ ମୋହୋର ଦୁଆର ।୨୫୮।

ୟେତେ ବୋଲି ଧଇଲା ସେ କାଳିକାର ବାଳ

ଝୁଣଇ ଅତି କୋପେ ହୋଇଣ ଅନ୍ତରାଳ ।୨୫୯।

ଭୟେଣ କାଳିକା ଯେ ବୋଲନ୍ତି ବଚନ

ୟେ ଭଲ ନୋହଇ ଛାଡ଼ ବାଳୁତ ନନ୍ଦନ ।୨୬୦।

ମୋହୋର ପ୍ରସାଦେ ତୁମ୍ଭେ ଜଗତେ ଅଜୟେ

ମୋତେ ୟେମନ୍ତ କରୁ ତୁ ରେ ଅସୁର ତନୟେ ।୨୬୧।

ମୋତେ ଯେ ପ୍ରାଭବ କଲୁ ରେ ଦୁଷ୍ଟମତି

ତୁହି ନାଶ ଯିବୁ ମୂଢା ହୋଇଣ ୟେହି ଗତି ।୨୬୨।

ଶୁଣିଣ ଅସୁର ବହୁତ ଭୟେ କଲା

କେଶ ଛାଡ଼ନ୍ତେଣ ଦେବୀ ଅନ୍ତର୍ଦ୍ଧାନେ ଗଲା ।୨୬୩।

ୟେସନ ଚରିତ ଯେ ଜାଣନ୍ତେ ତାର ପିତା

ବହୁତ ବିନୋୟୀ ହୋଇ ପୂଜଇ କାଳିକା ଦେବତା ।୨୬୪।

ଅନେକ ଧୁର ଦୀପ ସେ ବଳି ଭୋଜା ଦେଇ

ଜାଣିଣ କାଳିକା ସେ ପ୍ରସନ୍ନ ଆସି ହୋଇ ।୨୬୫।

କୁଣ୍ଡଳୀ ବୋଇଲା ଶୁଣ ଗୋ ଆଦିମାତା

ପୁତ୍ରକୁ ତୋର କିମ୍ପେ ୟେଡ଼େକ ଅହନ୍ତା ।୨୬୬।

ତୋହୋର ପ୍ରସନ୍ନେ ସେ ଯେ ହୋଇଅଛି ଜାତ

ସେ ତୋହୋର ପୁତ୍ର ତୁ ତାହାର ଯେ ମାତ ।୨୬୭।

ପୁତ୍ର ହୋଇଣ ସେ ଯେବେ ଅପରାଧ କଲା

ମାତା ହୋଇ ତାହା କିମ୍ପେ ନ ସହିଲ ଭଲା ।୨୬୮।

ଶାପ ଯେବେ ଦିଲ ୟେବେ କରସି କାରଣ

ୟେତେ ବୋଲି କୁଣ୍ଡଳୀ ପଡ଼ିଲା କାଳିକା ପାଦେଣ ।୨୬୯।

ବହୁତ ବିନୋୟୀ ହୋଇ ଯହୁଂ ହୋଇଲା ବିକଳ

ପୁଣ ପୁଣ ପଡ଼ଇ ସେ ଦେବୀର ପାଦତଳ ।୨୭୦।

କାଳିକା ବୋଇଲେ ତୁ ଶୁଣ ରେ ଅସୁର

ବଜ୍ର ଅଙ୍ଗ ହୋଇଲା ତୋହୋର କୁମର ।୨୭୧।

ତୋହୋର ପରାୟେ ସେ ହୋଇବ ଅଜୟେ

ଶହସ୍ର ବିଘାତ ଯେ ନୋହିବ ତାର କାୟେ ।୨୭୨।

ଦେବେଣ ଅଜୟ ସେ ମାନୁଷ୍ୟେ ନ ମରି

ଦେବ ମାନୁଷ୍ୟେ ଯେହୁ ଥିବ ସେ ଅବତରି ।୨୭୩।

ସେ ପୁଣି ସାଂଗ୍ରାମେ ଯେ ନୁଆରିବ ଜିଣି

ଦେବ ମାନବ ହୋଇଣ ସେ ଆଗତ ଭବିଷ ବଖାଣି ।୨୭୪।

ମୋତେ ଅନମିତେ ମୂଢା କେଶ ଧରି ଝୁଣିଲା

ସେହିରୂପେ ନାଶ ଯିବ ଆନ ନୋହିବଟି ଭଲା ।୨୭୫।

ତାହାର କେଶ ଯେହୁ ଧରି ବୁଲାଇବ

ତେବେ ସେ ଦଇତ ପ୍ରାଣ ବିସର୍ଜିବ ।୨୭୬।

ତେଣୁ କରି ଅସୁର ଅଟଇ ବଳୀୟାର

ଯୁଝେଷ୍ଠି ବୋଇଲେ ୟେ ମରିବ ତୋହୋର ହାଥର ।୨୭୭।

ବାବୁ ସୋଦର ନିଧନ କଲା ଅସୁର ଗରିଷ୍ଠ

ବେଗ କରି ସହଦେବ ମାର ୟେ ପାପିଷ୍ଠ ।୨୭୮।

ଶୁଣିଣ ମାଦ୍ରୀସୁତ ଯୁଦ୍ଧକୁ ଅଇଲେ ବେଗ

କର୍ଣ୍ଣହିଂ ମିଳିଲା ଯାଇଂ ଯୁଝେଷ୍ଠିଂକ ଆଗ ।୨୭୯।

ଅସୁର ଗୋଡ଼ାଇଣ ଅଛି ପଛକତି

ସହଦେବ ଦେଖି ତାକୁ ଓଗାଳିଲେ ଝାତି ।୨୮୦।

ଅସୁର ବୋଇଲା ତୁମ୍ଭେ ଆ ହୋଅ ଭାଇ

ମୋହୋର ଶତ୍ରୁକୁ ମୁଂ ଅଛଇ ଗୋଡ଼ାଇ ।୨୮୧।

ମରଣକୁ ଭୟେ କି ନାହିଂ ହୋ ତୁମ୍ଭର

ମୋତେ ଯୁଝିବୁ କିରେ ତୁ ଛାର ପାମର ।୨୮୨।

ସହଦେବ ବୋଇଲେ ଶୁଣ ରେ ଦନୁଜ

ପଳାଇଲା ଲୋକକୁ ଗୋଡ଼ାଉ ୟେ କେବଣ ତୋର କାର୍ଯ୍ୟ ।୨୮୩।

ପଳାଇଲା ଶତ୍ରୁକୁ ଗୋଡ଼ାଇ ଯେବେ ମାରି

ବିଧାତା ତାହାକୁ ନର୍କରେ କୃମି ଜାତ କରି ।୨୮୪।

ଶୁଣିଣ ଅସୁର ଯେ କୋଦାଳ ଘେନି ପିଟି

ଭାଙ୍ଗି ପାକାଇଲା ସେ ସହଦେବ ରଥ ଗୋଟି ।୨୮୫।

ମାଦ୍ରୀସୁତ ପାଦଗତି ହୋଇଣ ବିନ୍ଧଇ

ଅସୁର ଦେହେ ବାଜିଣ ଶହସ୍ର ଭାଞ୍ଜଇ ।୨୮୬।

କାଳିକା ଶାପ ପଡ଼ିଲାକ ତାକୁ

ବପୁ ଖିନ୍ନ ହୋଇଲା ସେ ସହଦେବ ଦେଖୁ ଦେଖୁ ।୨୮୭।

କୋଦାଳ ଘେନିଣ ମାଇଲା ଦନୁଜ

ସହଦେବ ବିନ୍ଧେ ବାଣ କୋଟି ସୂର୍ଯ୍ୟ ତେଜ ।୨୮୮।

ଅସୁର ଆୟୁଧ ଯେ ହୋଇଲା ଭଗନସ୍ତ

କୋଦାଳ ଭାଞ୍ଜନ୍ତେ ସେ ଅସୁର ଶୂନ୍ୟ ହାଥ ।୨୮୯।

ପର୍ବତେକ ଉପାଡ଼ି ବୁଲାଇ ଫିଙ୍ଗି ଦିଲା

ବଜ୍ରବାଣେ ତାହା ସହଦେବ ନିବାରିଲା ।୨୯୦।

କୋପେଣ ଅସୁର ଯେ ଆସଇ ବେଗ ହୋଇ

ଧନୁ ଶହସ୍ର ହାଥୁଂ ସେ ନେଲାକ ଛଡ଼ାଇ ।୨୯୧।

ଶୂନ୍ୟ ହାଥ ହୋଇଣ ସେ ମାଦ୍ରୀର କୁମର

ମାଲ ଯୁଦ୍ଧ ଆରମ୍ଭଇ ଅସୁର ସଙ୍ଗର ।୨୯୨।

ରେ ରେ କାର କରିଣ ଅସୁର ମହାବୀର

ବଜ୍ରମୁଥେ ମାଇଲା ସହଦେବ ଅଙ୍ଗର ।୨୩୯।

ମୁଥ ପନ୍ତେଣ ଧଇଲେ ତାର ହାଥ

ଛାଟି ପକାଇଲେ ମାଦ୍ରୀଦେବୀର ସୁତ ।୨୯୪।

ସମ୍ଭାଳି ନୁଆରି ଅସୁର ମୁହଂମାଡ଼ି ପଡ଼ି

ଉପରେ ସହଦେବ ବସିଲାକ ମାଡ଼ି ।୨୯୫।

ଦଇବେ ବିଧାତା ଯାହାକୁ ବାମ ହୋୟେ

ବୃଦ୍ଧି ବଳ ବୀର୍ଯ୍ୟ ବପୁ ସମସ୍ତ ନାଶ ଯାୟେ ।୨୯୬।

ଯେତେବେଳେ ଯାହାକୁ ସୁଦଶା ପରାପତ

ଦୂରର ପଦାର୍ଥ ମିଳଇ ତାର ହାଥ ।୨୯୭।

ବସିବା ଠାବରେ ସମସ୍ତ ସିଦ୍ଧ ହୋଇ

ବିଧାତା ବଶକୁ ସଂସାରେ ଆନ ନୋହି କହି ।୨୯୮।

ଯେତେବେଳେ ଯାୟେ ସୁଦଶା ତାର ଥିଲା

ଭୀଷ୍ମ ଦ୍ରୋଣ ଘୁଞ୍ଚିଲେ ଦ୍ରିଯୋଧନ ଆଦି ମଲା ।୨୯୯।

କର୍ଣ୍ଣ ପଳାଇଲା ସେ ପଳାଇଲା ତାର ଆଗ

ବିଧାତା ନିର୍ଭାଇଛି ତାକୁ ୟେସନେକ ଯୋଗ ।୩୦୦।

ସହଦେବ ହାଥେ ମରଣ ନେଇ କଲା

କାଳିକାର ଶାପ ଯେ ପ୍ରତକ୍ଷେ ଫଳିଲା ।୩୦୧।

ସହଦେବ ବିନ୍ଧନ୍ତେ ଭାଜିଲା କୋଦାଳ

ଯହୁଂ ସେ ଅସୁରକୁ ଘୋଟିଲା ଆସି କାଳ ।୩୦୨।

ମୂଥ ମାରନ୍ତେ ସହଦେବ ଧଇଲା ତାର ହାଥ

ଛାଟନ୍ତେଣ ତଳେ ଯା ପଡ଼ିଲା ଦଇତ ।୩୦୩।

ଉପରେ ମାଡ଼ି ବସିଲା ମାଦ୍ରୀଦେବୀ ସୁତ

ଅସୁର କେଶ ସହଦେବ ଧଇଲେ ବାମ ହାଥ ।୩୦୪।

ନିଠାଇ ଝୁଣନ୍ତେ ଅସୁର ପ୍ରାଣ ଗଲା

କାଳିକା ଶାପରେ ଅସୁର ନାଶ ଗଲା ।୩୦୫।

ତିନି ଯୋଜନା ସେ ଯେ ପଡ଼ିଲାକ ମାଡ଼ି

ମଲା ଅସୁର ସେ ଯେ ତାର ପ୍ରାଣ ଗଲା ଛାଡି ।୩୦୬।

ଦେଖିଣ ଦେବତାୟେ ଆନନ୍ଦ ହୋଇଲେ

ସହଦେବର ଶିରେ କୁସୁମ ବରଷିଲେ ।୩୦୭।

ଅସୁରକୁ ମାରିଣ ସେ ମନ୍ତ୍ରୀ ବୀରବର

ଯୁଝେଷ୍ଠିଂକ ପାଦ ତଳେ କରଇ ନମସ୍କାର ।୩୦୮।

ଭୀମ ଅର୍ଜୁନ ନକୁଳନ୍ତ ମାନ୍ୟ କଲା

କର୍ଣ୍ଣଂକୁ ବହୁତ ସେ ଯେ ବିନୋୟୀ ଶୁତିଲା ।୩୦୯।

କୋଳ କରି ଧରନ୍ତି ସେ ରାଧେବୀର ସୁତ

କଲ୍ୟାଣ କରନ୍ତି ସେ ଯେ ଶିରେ ଦେଇ ହାଥ ।୩୧୦।

ମୁଖେ ଚୁମ୍ୱନ ଦେଇ ଆଉଂଷନ୍ତି ଦେହ

ଦ୍ରିଯୋଧନ ମଲା ବୋଲି କର୍ଣ୍ଣ କରନ୍ତି କୋହ ।୩୧୧।

ବାବୁ ସହଦେବ ରେ ମହିମା ତୋର ଧନି

ସର୍ବଗ୍ୟଂ ପୁରୁଷ ତୁ ଅଟୁ ଅନ୍ତର୍ଯ୍ୟାମୀ ।୩୧୨।

ବାବୁ ଭୀଷ୍ମେ ପଳାଇଲେ ଦ୍ରୋଣେ ହେଲେ ହତ

ଆବର ପଡ଼ିଲେ ମାନଗୋବିନ୍ଦ ଶତେ ଭ୍ରାଥ ।୩୧୩।

ବାବୁ ରେ ତିନିବେଳ ମୋର ରଥ ଭାଞ୍ଜି ପକଇଲା

କୋଦାଳ ବାଜି ମୋର ଗ୍ୟାନ ହତ ହେଲା ।୩୧୪।

ବାବୁ ଭୟେଣ ପଳାଇ ମୁଂ ଅଇଲଇଂ ୟେକା

ଥାଠ ସଇନ କେଣେ ଗଲେ ନ ପାଇଲି ଦେଖା ।୩୧୫।

ଅଶସ୍ତମା ବାହ୍ଲିକ କୃପ ଜଦ୍ୟରଥ

ଶକୁନି ପଳାଇଗଲା ଛାଡ଼ି କରି ରଥ ।୩୧୬।

ବାବୁ ୟେଡ଼େ ବ ଦ୍ରପିଷ୍ଠ ଅସୁର ତୋହୋର ହାଥେ ମଲା

ଦ୍ରିଯୋଧନକୁ ନ ଦେଖି କର୍ଣ୍ଣ ଅନେକ ଚିନ୍ତା କଲା ।୩୧୭।

ଧର୍ମର ନନ୍ଦନ ଯେ ଯୁଝେଷ୍ଠି ଦେବରାୟେ

ଦ୍ରିଯୋଧନକଇଂ ନ ଦେଖି ଅନେକ ଶୋକ କୟେ ।୩୧୮।

ଆହା ରେ ଭାଇ ମୋର ମାନଚକ୍ରବ୍ରତୀ

ପଞ୍ଚୁ କଟକରେ ତୁ ଯେ ଅଟୁ ଆଧିପତି ।୩୧୯।

ତୋହୋର ହତ ଦେଖି ନ ସହଇ ଦେହ

ଅର୍ଜୁନକୁ ଚାହିଂ ଦେବ ପଡ଼ିଲେକ ମୋହ ।୩୨୦।

ଭୂମିରେ ପଡ଼ିଲେ ଦେବ ମୃତୁ ପିଣ୍ଡ ଜାଣି

କୋଳ ଧରି ଅର୍ଜୁନ ଧଇଲେକ ଆଣି ।୩୨୧।

ଶୀତଳ ଜଳ ଆଣି ନକୁଳ ମୁଖେ ସିଞ୍ଚି

ଆଲଟ ଘେନିଣ ଯେ ସହଦେବ ବିଞ୍ଚି ।୩୨୨।

ଚରଣ ଚାପଇ ସେ ଯେ ପବନ କୁମର

ଚେତନା କରାଇଲେ ଯେ କୋଇନ୍ତା କୁମର ।୩୨୩।

ଯୁଝେଷ୍ଠି ବୋଇଲେ ଶୁଣ ରେ ମୋର ଭାଇ

ଦ୍ରିଯୋଧନ ଅଭାବେ ମୁହିଂ ବ୍ରତିବଇଂ କାହିଂ ।୩୨୪।

ଅନ୍ଧର ସୁତ ହତ ମୁଂ କି ବୁଦ୍ଧି କରିବି

ଧୃତିରାଷ୍ଟଂକର କଷ୍ଟ ଦେଖିଲେ ମରିବି ।୩୨୫।

ଚାଣ୍ଡାଳ ଅସୁର ୟେବେ ନ ମଲା କି ଅବା

ସୋଦର ନିଧନେ ବାବୁ କେମନ୍ତେ ବ୍ରତିବା ।୩୨୬।

ଅର୍ଜୁନ ବୋଇଲେ ଦେବ କ୍ରୋଧ କର ଥିର

ଅମର ମଉଷଧି ସ୍ୱାମୀ ଅଛଇ ମୋହୋର ।୩୨୭।

ଯେବେ ଆଗ୍ୟାଂ ହୋଇବ ଦେବ ବ୍ରତିବେ କୁରୁରାୟେ

ଖାଣ୍ଡବ ବନ ଦହନେ ଅଗ୍ନିଂକ ଉପାୟେ ।୩୨୮।

ଅମର ମଉଷଧି ଅଛଇଂ ଭସ୍ମସାର

ବଶ୍ୟାନର ଦେବତା ଦେଇଛନ୍ତି ମୋର କର ।୩୨୯।

ସେ ଭସ୍ମ ପଡିଲେ ଯେ ମୃତୁ ଲୋକେ ବ୍ରତି

ମନ୍ତ୍ରେକ କହିଅଛନ୍ତି ଦେବ ଯେ ବହତି ।୩୩୦।

ଯୁଝେଷ୍ଠି ବୋଇଲେ ଶୁଣ ହୋ ଅର୍ଜୁନ

ସମସ୍ତେ ବ୍ରତିବେ କି ଗାନ୍ଧାରୀ ନନ୍ଦନ ।୩୩୧।

ମନ ଶୁଦ୍ଧ କରି ବଶ୍ୟାନର ଦେଇଛନ୍ତି ବିଭୂତି

ଜୀବନ୍ୟାସ ଶର ତାହା ବସାଇଲେ ଧାତି ।୩୩୨।

ମନ୍ତ୍ର ସୁମରିଣ ଯେ ବିନ୍ଧିଲେକ ଶର

ବୋଇଲେ ପଡ଼ିଛନ୍ତି ଯେତେ ମୋହୋର ସୋଦର ।୩୩୩।

ସମସ୍ତେ ବ୍ରତିବେଟି ନ ରହିବେ ଜଣେ

ପ୍ରସନ୍ନ ହୋଇ ଯେବେ ବର ଦେଇଛନ୍ତି ଆପଣେ ।୩୩୪।

ୟେତେ କହି ପାଥ ମନ୍ତ୍ର ସୁମରିଣ ପେଷି

ସବୁରି ଅଙ୍ଗେ ଶର ପଡ଼ିଲାକ ଆସି ।୩୩୫।

ନିଦ୍ରାରୁ ଉଠିଲା ପ୍ରାୟେ ହୋଇଣ କଉରୋବେ

କରେ ଶହସ୍ର ଘେନିଣ ଧାମନ୍ତି ଅତି ବେଗେ ।୩୩୬।

ଅସୁରକୁ ନ ଦେଖିଣ ସେ ବହୁତ ଖୋଜିଲେ

ଲୁଚିଲାର ଲୋକନ୍ତ ଯାଇଣ ଦେଖିଲେ ।୩୩୭।

ଦ୍ରୋଣେ ବ୍ରତିଲେ ଯେ ମଉଷଧି ଉପାୟେ

ଗାଙ୍ଗେବ ଲୁଚିଥିଲେ ଯେ ଅସୁରର ଭୟେ ।୩୩୮।

ସମସ୍ତେ ରୁଣ୍ଡ ହୋଇଲେ ୟେକ ମେଳ

ଲୁଚିଲାର ସଇନ ଯେ ମିଳିଲେ ସକଳ ।୩୩୯।

ଦ୍ରିଯୋଧନ କର୍ଣ୍ଣକୁ ନ ଦେଖିଣ ଭାଳି

ହସ୍ତିନା ନଗରେ ଯାଇଂ ମନ ଦୁଖେ ମିଳି ।୩୪୦।

ଦେଖିଲେ ନଗ୍ରରେ ଯେ ଗୋଟିୟେ ଜନ ନାହିଂ

ବନସ୍ତରେ ଲୁଚିଛନ୍ତି ମହା ଭୟ ପାଇ ।୩୪୧।

ଅର୍ଜୁନ ମଉଷଧି ପାଇଣ କୁରୁପତି

ଚେତିଣ ବସିଲା ସେ ମନରେ ବଡ ଭୀତି ।୩୪୨।

ଦେଖିଲା ଯୁଝେଷ୍ଠି କର୍ଣ୍ଣ ଭୀମ ଅରଜୁନ

ୟେହାନ୍ତ ଦେଖି ପୁଚ୍ଛଇ ସେ ହସ୍ତିନା ରାଜନ ।୩୪୩।

ଅସୁର ସମର ଯେ କଲା ମୋର ତୁଲେ

ଧୁଶାସନ ମୂଳେଶତେ ଭାଇ ମଲେ ।୩୪୪।

ଭୀଷ୍ମେ ଘୁଞ୍ଚିଗଲେ ଦ୍ରୋଣେ ପଡ଼ିଲେକ କାହିଂ

ସଇନି ଲୁଚିଲେ ଯାଇଂ ବନସ୍ତେ ପଳାଇ ।୩୪୫।

ତୁମ୍ଭେ ଯେ ମିତ୍ର ମୋହ ଯାଇଂ ପଡ଼ିଥିଲ

କେବଣ ପ୍ରକାରେ ତୁମ୍ଭେ ହୋଇଲକ ଭଲ ।୩୪୬।

ଅସୁରକୁ ମାଇଲ କେବଣହିଂ ମତେ

ସମରେ ହାରିଲୁ ଆମ୍ଭେ ନ ଜାଣୁ ତଦନ୍ତେ ।୩୪୭।

କର୍ଣ୍ଣ ବୋଇଲେ ତୁମ୍ଭେ ଶୁଣସି ନୃପତି

 ପ୍ରତାପୀ ସେ ଅସୁର କୁଳଛତ୍ରୀ ।୩୪୮।

ତୁମ୍ଭନ୍ତ ମାରିଣ ସେ ରଥରେ ପକାଇ

ହସ୍ତିନା ନବରକୁ ଆସଇ ବୀର ଧାଇଂ ।୩୪୯।

ରଜନୀ ପ୍ରଭାତରେ ଦେଖିଲାକ ମୁହିଂ

ଅସୁର ସଙ୍ଗତରେ ଯୁଦ୍ଧ କଲୁ ଆମ୍ଭେ ଯାଇଂ ।୩୫୦।

ବହୁତ ସମର କରି ଜିଣି ନୁଆରିଲୁ

ଭୟେ କରି ତହୁଂ ଯେ ୟେଣିକି ଅଇଲୁ ।୩୫୧।

ୟେହାନ୍ତ ଦେଖିଲୁ ଦ୍ୱାରିକାରୁ ଆସୁଥିଲେ

ଅସୁର ସଙ୍ଗତେ ସହଦେବ ଯୁଦ୍ଧ କଲେ ।୩୫୨।

ମରଣ ଜାଣଇ ତାର ସହଦେବ ମନ୍ତ୍ରୀ

ଅସୁରର ସଙ୍ଗେ ସେହୁ ଯୁଦ୍ଧ ଯେ କରନ୍ତି ।୩୫୩।

କେଶ ଝୁଣନ୍ତେଣ ଅସୁର ପ୍ରାଣ ଦିଲା

ପୂର୍ବେ ଶାପ ତାକୁ କାଳିକା ଦେଇଥିଲା ।୩୫୪।

ଅସୁର ନିଧନେ ଯେ ଯୁଝେଷ୍ଠି କହିଲେ

ଅର୍ଜୁନ ଶର ପେଷନ୍ତେ ସକଳେ ବ୍ରତିଲେ ।୩୫୫।

ତୁମ୍ଭନ୍ତ ରଥରେ ପକାଇ ଅସୁର ନିଅନ୍ତା

ସ୍ୱାଦ ମାୟେଂସ ବୋଲି ସେ ଅବଶ୍ୟ ଭକ୍ଷନ୍ତା ।୩୫୬।

ୟେଥୁ ଅନନ୍ତରେ ସେ ପାଣ୍ଡବ ଚାରି ଭାଇ

କର୍ଣ୍ଣ ଦ୍ରିଯୋଧନକୁ ଚାହିଂ ସେ ପ୍ରଳମ୍ୱିତ ହୋଇ ।୩୫୭।

କଲ୍ୟାଣ କରିଣ ସେ ଧୃତିରାଷ୍ଟ ସୁତ

ସହଦେବକୁ ସେ ଯେ କଲେକ କୋଳାଗ୍ରତ ।୩୫୮।

ଅର୍ଜୁନକୁ ଆଶ୍ୱାସି ଶିରେ ଚୁମ୍ୱ ଦିଲେ

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳକୁ ଗଉରୋବ କଲେ ।୩୫୯।

ଆନନ୍ଦେ ବେନି କୁଳ ହୋଇଣ ୟେକସଙ୍ଗ

ଉଚ୍ଛବ କରି ରଥରେ ବାନ୍ଧିଲେ ପାତାଙ୍ଗ ।୩୬୦।

ହସ୍ତିନା ନବରେ ସେ ହୋଇଲେ ପରବେଶ

ଭୀଷ୍ମ ଦ୍ରୋଣ ଶକୁନି ଜଦ୍ୟରଥ ମିଳିଲେ ଆସି ପାଶ ।୩୬୧।

ବହୁତ ପ୍ରଶଂସା ଯେ କରନ୍ତି ଭୀଷ୍ମ ଦ୍ରୋଣ

କର୍ଣ୍ଣ ତହୁଂ ଶୁଣିଲେ ଅସୁର ମରଣ ।୩୬୨।

ନୃପତି ବୋଇଲେ ହୋ ରାଜ୍ୟେ ଘୋଷଣ ଦେଆଅ

ଅସୁରକୁ ମାଇଲେ ସେ ମାଦ୍ରୀଦେବୀର ପୁଅ ।୩୬୩।

ଯେହୁ ଯେଣେ ଅଛ ହୋ ସମସ୍ତେହେଂ ଆସ

ତୁମ୍ଭର ଶତ୍ରୁକୁ ସହଦେବ କଲେ ନାଶ ।୩୬୪।

ଘୋଷଣ ଶୁଣିଣ ଯେ ସମସ୍ତ ଜନ ମିଳି

ଆସ୍ତାନେ ବସି ଦ୍ରିଯୋଧନ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଘେନି ଭାଳି ।୩୬୫।

ଅସୁର ଭୟରୁ ଯେ ରଖିଲେ ପାଣ୍ଡବ

ରାଜ୍ୟରେ ହୋଇବ ଆମ୍ଭର ପାଣ୍ଡବ ଉଚ୍ଛବ ।୩୬୬।

କୋଟିୟେ ସୁବର୍ଣ୍ଣ ଦେବ ସହଦେବଂକର ଶିରେ

ଆପଣେ ଦ୍ରିଯୋଧନ ଯେ ଅଭିଷେକ କରେ ।୩୬୭।

ଶିରେ ମୁକୁଟ କର୍ଣ୍ଣେ କର୍ଣ୍ଣାଞ୍ଚଳ କଣ୍ଠକଇଂ ହାର

କରେଣ କଂକଣ ଯେ ପୟରେ ନୂପୁର ।୩୬୮।

ଚତୃସମ ଲେପିଣ ସୁଗନ୍ଧ ପୁଷ୍ୟ ଦେଇ

ଅନେକ ସମ୍ଭରେ ରାଜା ରାଜ୍ୟରେ ବୁଲାଇ ।୩୬୯।

ଅନେକ ପୁରଷାର୍ଥ ଯେ କଲେକ ନୃପତି

କୋଟିୟେକ ଅଶ୍ୱ ଯେ କୋଟିୟେକ ହାଥୀ ।୩୭୦।

ସହସ୍ରେକ ରଥରେ ଯେ ପାଣିଦ୍ରବ୍ୟନ୍ତ ପୂରୋଇ

ଯୁଝେଷ୍ଠି ଦେବଂକ ଛାମୁରେ ବହୁତ ବିନୋୟୀ ହୋଇ ।୩୭୧।

ମର୍ଦନ ମାଜଣା କରାଇଣ କୁରୁପତି

ଅମୃତ ମୁଣୋହିଂ ସାରିଣ ସେ ଯେ ବ୍ରତିଲେକ ରାତି ।୩୭୨।

ରାଜ୍ୟରେ ଉଚ୍ଛବ ଯେ ପ୍ରଜାୟେ ହରଷ

ହସ୍ତିନାୟେ ପାଣ୍ଡବେ ରହିଲେ ଦିନା ଦଶ ।୩୭୩।

ଧୃତିରାଷ୍ଟଂକ ଚରଣେ ବହୁତ ବିନୋୟୀ ସେ ହୋଇ

ବାରୁଣାନଗ୍ରକୁ ବିଜୟେ ପାଣ୍ଡବ ପାଞ୍ଚ ଭାଇ ।୩୭୪।

ବାଜଇ ବୀରତୂର ଶଙ୍ଖ ମହୁରୀ ଭେରୀ

ଆଲମ୍ୱ ପାଟଛତ୍ର ଚିରାଳ ଅଛନ୍ତି ଉଭାରି ।୩୭୫।

ବାଟକୁ ଗୋଡ଼ାଇ ଆସନ୍ତି ସେ ଶତେଭାଇ

ଅନେକ ଉଚ୍ଛବ ଯେ କହଣା ନା ଯାଇ ।୩୭୬।

ବାରୁଣାବନ୍ତରେ ଯାଇଂ ପାଣ୍ଡବେ ହୋଇଲେ ପ୍ରବେଶ

ରଜନୀ ବଞ୍ଚିଲେ ତହିଂ କଉତୁକ ରସ ।୩୭୭।

ପ୍ରଭାତେ ହସ୍ତିନାକୁ ଆସନ୍ତି ପାଞ୍ଚଭାଇ

ଧୃତିରାଷ୍ଟଂକ ଚରଣେ ବହୁତ ବିନୋୟୀ ହୋଇ ।୩୭୮।

ଆସ୍ତାନେ ବସନ୍ତି ଅନେକ ହରଷେ

ଦ୍ରିଯୋଧନ ସଙ୍ଗତେ ଆବର ବହୁତ ବିଶ୍ୱାସେ ।୩୭୯।

ୟେମନ୍ତେ କେତେହେଂକ ଦିନର ଅନ୍ତରେ

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ବୀରେ ।୩୮୦।

ଶ୍ରୀକୃଷ୍ଣଂକର ଚରଣେ କରନ୍ତି ବିନୟେ

ଅନୁବ୍ରତେ ରାମ କୃଷ୍ଣ ଚରଣେ କରିଥାନ୍ତି ଧ୍ୟାୟେ ।୩୮୧।

ଶ୍ରୀକୃଷ୍ଣ ଚରଣେ ମନ ଚିତ୍ତ ନିବେଶି

ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସି ।୩୮୨।୬୩୯୪।

 

Unknown

ଚନ୍ଦ୍ରାବତୀ ହରଣ

ବଇବସୁତ ମନୁ ବୋଇଲେ ଶୁଣିମା ଅଗସ୍ତି ହେ

ଅତିଅନ୍ତ ଗୁପତ ଅଛି ଫେଡ଼ିବା ସନ୍ଦେହେ ।୧।

ପୃଥୀର ମଧ୍ୟେ ଯେତେକ ରାଜ୍ୟ ସାର

ସବୁ ନୃପତିଂକ ମୋକ୍ଷପାନ ମାନଗୋବିନ୍ଦ ନବର ।୨।

ହସ୍ତିନା ନବର କିମ୍ପା ସିଂଘଦ୍ୱାର ବାଂକ

ୟେଥିର ବପଣେ ପଇ ତିନିପୁରେ ଚମକ ।୩।

ୟେଥିର ଚରିତ ମୁଂ ତୁମ୍ଭନ୍ତ କରଇ ପୁଚ୍ଛା

ଶୁଣନ୍ତେ ପାପ କ୍ଷୟେ ପୂରିବ ମନବାଞ୍ଚ୍ଥା ।୪।

ବଦନ୍ତି ଅଗସ୍ତି ଶୁଣ ହୋ ମନୁ ପୁରୁଷ

ମହା ଗୁପତ କଥା ୟେ କରିବା ପ୍ରକାଶ ।୫।

ଆହୋ ପଞ୍ଚସ୍ଥଳୀ ରାଜା ଯେ ମାନଚକ୍ରବ୍ରତୀ

ୟେହାର ଭାରିଯା ନାମ ଅଟଇ ଭାନୁବତୀ ।୬।

ତାହାର ଗର୍ଭରୁ ଦୋହିତା ଗୋଟିୟେ ଉତପନ

ଅତିଅନ୍ତ ସୁନ୍ଦରୀ ସେ ଅଟଇ ବିତପନ ।୭।

ଚନ୍ଦ୍ର କିରଣ ଜାଣି ଯେ ଦିଶଇ ତାର ଜ୍ୟୋତି

ତେଣୁ କରି ନାମ ତାର ଅଟଇ ଚନ୍ଦ୍ରାବତୀ ।୮।

ତ୍ରଇଲୋକ୍ୟ ମଧ୍ୟେ ବର ତାକୁ ନୋହିଲେକ ସମ

ତାହାକୁ ବରପଣେ ପଟାନ୍ତର ହୋଇବଟି କାମ ।୯।

ଶକୁନି ମନ୍ତ୍ରୀକି ୟେକାନ୍ତେ ପୁଚ୍ଛଇ କୁରୁପତି

ବର ନ ମିଳିଲା ମୋର ଦୋହିତା ଚନ୍ଦ୍ରାବତୀ ।୧୦।

ଶକୁନି ବୋଇଲା ହୋ ରାଜା ଖୋଜ ୟେ ଭୁବନେ

ସମସ୍ତ ଦେଶେ ଉଦ୍ଦେଶି ପଣ୍ଡିତ ରାଜାମାନେ ।୧୧।

ୟେମନ୍ତେ ଦ୍ୱାଦଶ ବରଷ ତହିଂ ଗଲା

ତ୍ରୟୋଦଶ ବରଷ କନ୍ୟା ଗୋଟିକି ହୋଇଲା ।୧୨।

ଭାଳଇ ଦ୍ରିଯୋଧନ ମୁଂ କରିବଇଂ କେମନ୍ତ

ଅବଶ୍ୟ ପରେ ପ୍ରଦାନ କରିବି ମୋହୋର ଦୋହିତ ।୧୩।

ଶକୁନି ବୋଇଲା ରାଜା ମୋହୋର ବୋଲକର

ୟେ ତ୍ରଇଲୋକ୍ୟ ମଧ୍ୟରେ ତୁ ଅଟୁ କ୍ଷତ୍ରୀବର ।୧୪।

ଭରସି ରାଜାମାନେ କନ୍ୟା ନ ମାଗନ୍ତି ତୋତେ

ଭୟେ ଭୀତି ତାହାଂକର ରହଇ ହୃଦଗତେ ।୧୫।

ଆହୋ ନୃପବର ଆମ୍ଭେ କରିବା ସୟମ୍ୱର

ସମସ୍ତ ଦେଶରୁ ବରି ଆଣିବା ଦଣ୍ଡଧର ।୧୬।

କନ୍ୟାର ହାଥେ ଦେବା ନୀଳା ରତ୍ନମାଳୀ

ଇଚ୍ଛାୟେ ବରିବ ସେ ତୋହୋର ଦୁଲାଳୀ ।୧୭।

ନିର୍ମଳ ବଚନ ଗୋଟି ମନକୁ ରୁଚିଲା ନୃପମଣି

ସୟମ୍ୱର ବିଧାନମାନ କରି ହୋ ବେଗେ ପୁଣି ।୧୮।

ରାଜାର ବଚନେ ଚାରି ଭଣ୍ଡାର ଫିଟି

ଭୀଷ୍ମ ଦ୍ରୋଣ କର୍ଣ୍ଣ ରାଇ ବୋଲଇ ଧୃତିରାଷ୍ଟି ।୧୯।

ବାହ୍ଲିକ ଭୂରିସର୍ବା ସୋମଦତ୍ତ କୃପବ୍ରହ୍ମା

ସଂଜୟେ ଧୃତିରାଷ୍ଟ ବିଦୁର ଅଶସ୍ତମା ।୨୦।

ସମସ୍ତେ ବସିଲେ ଯେୟେକଇ ଆସ୍ତାନେ

ଆଗ୍ୟାଂରେ ଚରଚା ଯେ ସୟମ୍ୱର ବିଧାନେ ।୨୧।

ଛାୟା ମଣ୍ଡୋପ ହୋଇବ ବେନି ଯୋଜନ ସ୍ଥଳୀ

ଯମୁନା ନଦୀ ତୀରେ ବେଗେ ସମସ୍ତେହେଂ ମିଳି ।୨୨।

ଆସ୍ତାନ ହୋଇବ ଯେ ବାରୁଣାବନ୍ତ ଯାୟେ

ସୟମ୍ୱରେ ଆସିବେ ସମସ୍ତ ରାଜାୟେ ।୨୩।

ଲାଗିଲେ ବିଶ୍ୱାକର୍ମା ଯେ ଘଟଣ ବିନ୍ଧାଣି

ସୟମ୍ୱର ସ୍ଥାନେ ମିଳିବେ ନୃପମଣି ।୨୪।

ସୁବର୍ଣ୍ଣ ଯୋଗାନ୍ତ ସମସ୍ତ ରାଜାଂକୁ

ଶତେ ଶତେ ଭାର ଚନ୍ଦନ ଲେପନ ହୋଇବାକୁ ।୨୫।

ୟେସନେକ ଆଗ୍ୟାଂ ଯେ ଦିଲାକ ଧୃତିରାଷ୍ଟି

ପରିଛା ମୂଳେ ରାୟେ ଧନ ଦିଲା ବାଣ୍ଟି ।୨୬।

ଅଶ୍ୱ ଗଜ ଶାଳ ସେ ଯେ ନିର୍ମାଣ କରନ୍ତି

ରାଜାମାନନ୍ତ ଚନ୍ଦ୍ରଶାଳା ଭୁବନେ ସୁବର୍ଣ୍ଣ ଜଗତୀ ।୨୭।

ଅଷ୍ଟରତ୍ନେ କଳସ ନେତର ପାତାଙ୍ଗ

ଫରହର ଉନ୍ତି ଯେ ଗଗନ ଶିଖା ମାର୍ଗ ।୨୮।

ଅନେକ ସମ୍ପଦ ଯେ ହସ୍ତିନା ରାଜ୍ୟପୁରୀ

ସେନାପତିମାନନ୍ତ ରାଇ ନୃପତି ଆଗ୍ୟାଂ ଅବଧାରି ।୨୯।

ବୋଇଲା ମାନଗୋବିନ୍ଧ ତୁମ୍ଭେମାନେ ଶୁଣ

ଚାରିଦିଗ ରାଜାମାନନ୍ତ ହୋ ବରଣ କରି ଆଣ ।୩୦।

ସଞ୍ଜୟଂକୁ ବୋଇଲେ ତୁମ୍ଭେ ଯିବ ପଛିମ ଦିଗକୁ

ପଂଚାଶ ସହସ୍ର ରାଜା ବରଣ କରିବାକୁ ।୩୧।

ଉତ୍ତର ଦିଗକୁ ଯେ ବିଦୁରେ ଅବଧାରି

ଚାଳିଶ ସହସ୍ର ରାଜା ଆଣିବ ବେଗ କରି ।୩୨।

ବିକର୍ଣ୍ଣ ସେନାପତି ଦକ୍ଷିଣ ଦିଗକୁ

 ସହସ୍ର ରାଜା ନିମନ୍ତ୍ରି ଆଣିମାକୁ ।୩୩।

ପୂର୍ବଦିଗକୁ ଆଗ୍ୟାଂ ହୋଇଲା ଜଦ୍ୟରଥଂକୁ

ଚାରିସହସ୍ର ରାଜା ନିମନ୍ତ୍ରି ଆଣିମାକୁ ।୩୪।

ଚାରିଦିଗକୁ ବରିଗଲେ ଦୂତ ଚାରି

ରାଜାମାନନ୍ତ ଆଣ ହୋ ନିମନ୍ତ୍ରଣ କରି ।୩୫।

ଅକ୍ଷତ ପାଦାର୍ଘ୍ୟ ଯୋଗା ଯେ ଗୋଟିୟେ ଗୋଟିୟେ

ମଙ୍ଗଳ ବିଧାନେ ବରିବ ସର୍ବରାୟେ ।୩୬।

ରଥ ଗଜ ଅଶ୍ୱମାନ ପାଦାନ୍ତି ସଇନ ଯେତେ

ସମ୍ଭର କରିଣ ଯାହାର ଥିବ ଯେତେ ।୩୭।

ଯେ ଅବା ହୋଇବେ ଦୃଷ୍ଟ ସନ୍ତୋଷେ କରିବ ବରଣ

ସମସ୍ତ ରାଜାମାନନ୍ତ ନିମନ୍ତ୍ରିଣ ବେଗେ ଆଣ ।୩୮।

ଜଦ୍ୟରଥ ତୁଲେ ଯେ ଦଶ ସହସ୍ର ରଥୀ

ସଞ୍ଜୟର ତୁଲେ ସହସ୍ରେକ ରଥୀ ହାଥୀ ।୩୯।

ଦଶ ସହସ୍ର ଯୋଦ୍ଧା ବିକର୍ଣ୍ଣର ତୁଲେ

ନବ ଅହିବ୍ରତ ଯୋଦ୍ଧା ସାମନ୍ତର ମୂଳେ ।୪୦।

ଯାତ୍ରା ମଙ୍ଗଳ ଯେ ଉଚ୍ଛବ ବିଧାନେ

ତୁଳ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀର ଦିନେ ।୪୧।

ବୃହସ୍ପତି ବାର ସେଦିନ ହସ୍ତା ନକ୍ଷତ୍ରେ

ପ୍ରୀତି ନାମେ ଯୋଗ ଘେନି ଚଳିଲେକ ଦୂତେ ।୪୨।

ଟମକ ନିଶାଣ ଯେ ଦାଉଣ୍ଡି ଢୋଲ ବାଜେ

ରାଜାଂକ ନିମନ୍ତ୍ରଣ ଅର୍ଥେ ସେନାପତିୟେ କଲେ ବିଜେ ।୪୩।

ହସ୍ତିନା ରାଜ୍ୟ ଆନନ୍ଦ କହିତ କି ପାରି

ଦେବତା ସମାନେ ସେ ଦିଶନ୍ତି ନରନାରୀ ।୪୪।

ରାଜାଂକ ନିମନ୍ତ୍ରଣ ଅର୍ଥେ ସେନାପତିୟେ ବିଜେ କରି

ରାଜାର ମନ ଆନନ୍ଦ କହିତେ କି ପାରି ।୪୫।

ଛତ୍ରଶାଳାମାନ ଯେ ତୋଳନ୍ତି ଗଙ୍ଗାକୂଳେ

ମଙ୍ଗଳ ବିଧିମାନ କଲେ ଯେ ଯାହାର ମୂଳେ ।୪୬।

କାଷ୍ଠ ପାଷାଣ ସୁବର୍ଣ୍ଣ ଘଟଣ ଦଶଲକ୍ଷ ବିନ୍ଧାଣି

ଭୀଷ୍ମେ ଅଧିକାରୀ ଭଣ୍ଡାରୁ ଧନ ଦିଅନ୍ତି ଆଣି ।୪୭।

ବିନ୍ଧାଣି ଶାଳେ ଅଧିପତି ଶଲ୍ୟ ମହାରଥୀ

ରୋଷାଇ ଶାଳେ ପାଞ୍ଚଲକ୍ଷ ସୂପକାର ଘେନି ଦ୍ରୋଣ ସେନାପତି ।୪୮।

ଛତ୍ରଶାଳେ ଆଧିପତି ଯେ ଭୂରିସର୍ବାୟେ

ୟେହାଂକ ପାରୁଶେ ଖଟିଥାନ୍ତି ପାରିଦଣ୍ଡ ଯେତେ ରାୟେ ।୪୯।

ତୁଳ ମାସ ଶୁକ୍ଳ ପକ୍ଷ ଦୁତୀୟାର ଦିନ

ନାରଦେ ବିଜେ କଲେ ହସ୍ତିନା ଭୁବନ ।୫୦।

ଦଣ୍ଡ କମଣ୍ଡଳ କଷା କଉପୁନୀ

କଳି ଧୋକଡ଼ି କାଖେ ଘେନି ମହାମୁନି ।୫୧।

ସମ୍ଭର୍ବ ଆସ୍ତାନେ ବିଜେ କଲେ ଆସି ମହଋଷି

ଦେଖିଣ ଦ୍ରିଯୋଧନ ପୂଜା ବିଧି ସମ୍ଭାଷି ।୫୨।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୁରିସର୍ବା ମହାରଥୀ

ନାରଦଂକ ପାଦ୍ମପାଦେ ପ୍ରଳମ୍ୱ କରନ୍ତି ।୫୩।

କନକ ରତ୍ନ ଝରୀ କରେ ଧରି ରାଜା ଦ୍ରିଯୋଧନ

ବ୍ରହ୍ମଋଷି ପାଦେ କରଇ ପୂଜାର ବିଧାନ ।୫୪।

ଚରଣ ପଖାଳିଣ ଯେ ପାଦ୍ୟ ଅର୍ଘ ଦେଇ

ଶତେ ପଳ ଚନ୍ଦନ ଚତୁସମ ସର୍ବାଙ୍ଗେ ଲେପଇ ।୫୫।

ସୁବର୍ଣ୍ଣର ପଲଂକରେ ନେତର ସୁପାତି

ତହିଂର ଉପରେ ଯେ ବିଜୟେ ବ୍ରହ୍ମଯତି ।୫୬।

ଦ୍ରିଯୋଧନ ବୋଲଇ ତୁମ୍ଭେ ଶୁଣିମା ତପଚାରୀ

ଅନେକ ସୁଲଭ ହେଲା ମୋର ହସ୍ତିନା ନାମେ ପୁରୀ ।୫୭।

ଯିସ ଅବା ପାତେକ ମୋର ଉପର ବଂଶେ ଥିଲା

ୟେ ତୋ ପାଦରଜ ଲାଗି ସମସ୍ତ ଦୂରଗଲା ।୫୮।

ନାରଦେ ବୋଇଲେ କୁଶଳେ ଅଛୁ ନା ମହାରାଜା

ସୁବିଧାନେ ଖଟନ୍ତି ନା ତୋତେ ସମସ୍ତ ଜନ ପ୍ରଜା ।୫୯।

ତାହାନ୍ତ ରକ୍ଷା ପାଳନ କରୁଅଛୁ ନା ନୃପତି

ଯାଗ ଯଗ୍ୟଂ ହୋଉଛି ନା ସମସ୍ତ ଆକୃତି ।୬୦।

ଋଷିମାନେ ନିଖର୍ବେ ଅଛନ୍ତି ନା ବ୍ରତି

ମେଘେ ଅନାବୃଷ୍ଟି ନ କରନ୍ତି ନା ପୃଥୀ ।୬୧।

ଅପରାଧିରେ ସାବଧାନ ହୋଉଛୁ ନା ମହାରାୟେ

ଯାଗ ଯାଗ୍ୟଂ ହୋଉଥିଲେ ଖଣ୍ଡଇ ଅପଚୟେ ।୬୨।

ପରରାଷ୍ଟ୍ର ଉତପାତ ନାହିଂ ନା ବଇରି

ୟେ ମହୀ ମଣ୍ଡଳେ ତୋତେ କେହି ନାହିଂ ସମସରି ।୬୩।

ମାନଗୋବିନ୍ଦ କହଇ ନାରଦଂକ ଅଗ୍ରତର

ସକଳ କୁଶଳ ମୁନି ପ୍ରସାଦେ ତୁମ୍ଭର ।୬୪।

ନାରଦେ ବୋଇଲେ ବାବୁ ୟେ ତୋହୋର କିସ ଯେ ଉଚ୍ଛବ

ଗତାଗତ ଦେଖିଲା ନାହିଂ ୟେସନ ସମ୍ଭର୍ବ ।୬୫।

କେବଣ ଶତ୍ରକୁ ରଣେ ଜିଣିଲୁ ନୃପତି

ତେଣୁ କରି ରାଜ୍ୟେ ତୋର ଉଚ୍ଛବ ସର୍ବ ରୀତି ।୬୬।

ମୁନିଂକର ଅଗ୍ରତେ କହଇ ମହାରାୟେ

କରପତ୍ର ଯୋଡ଼ିଣ ବହୁତ ବିନୟେ ।୬୭।

ମୋହୋର ଦୋହିତା ଗୋଟିୟେ ଯେ ହୋଇଲା ଉତପତି

ତାହାର ନାମ ମୁନି ଅଟଇ ଚନ୍ଦ୍ରାବତୀ ।୬୮।

କନ୍ୟା ଅନରୂପେ ମୁଂ ନ ପାଇଲି ବର

ତେଣୁ କରି ମୁନି ଯେ କରୁଛି ମୁଂ ସୟମ୍ୱର ।୬୯।

ଲକ୍ଷେ ନୃପତିଂକି ମୁନି ଆଣିମି ନିମନ୍ତି

ତେଣୁ କରି ରାଜ୍ୟେ ମୋର ଉଚ୍ଛବ ମହାଯତି ।୭୦।

ନାରଦେ ବୋଇଲେ ରାଜା ମନ୍ଦକୃତ୍ୟ କଲୁ

ଆମ୍ଭନ୍ତ ନ କହି କିମ୍ପେ ୟେଡ଼େ ସୟମ୍ୱର ଭିଆଇଲୁ ।୭୧।

ତୋହୋର ପୁରକୁ ଆନ ପାରଇ ଭରସି

କେ ତୋହୋର କନ୍ୟା ଗୋଟି ମାଗିବଟି ଆସି ।୭୨।

ୟେହିକ୍ଷଣି ଆମ୍ଭେ ଯେ ଦ୍ୱାରିକା ପୁରେ ଥିଲୁ

ଶ୍ରୀକୃଷ୍ଣର ପୁତ୍ରମାନ ସବୁନ୍ତି ଦେଖିଲୁ ।୭୩।

ସମସ୍ତେହେଂ ଦିଶନ୍ତି ସେ ମକର କେତନ ଜାଣି

ତହୁଂ ଗୋଟିୟେ ପୁତ୍ର ଆଣି କିମ୍ପା ପ୍ରଦାନ ନ କଲୁ ନୃପମଣି ।୭୪।

ତ୍ରଇଲୋକ୍ୟର ଠାକୁର ଯେ ଅଟନ୍ତି ଶିରୀବଚ୍ଛି

ଗତକାଳେ ହାଦେ ତୁମ୍ଭର ବନ୍ଧୁପଣ ଅଛି ।୭୫।

ଶୁଣି ଉପହାସ କଲେ ମାନଗୋବିନ୍ଦ ରାହୁ

ଭୂତ ଭବିଷ୍ୟ ବର୍ତ୍ତମାନ ଗ୍ୟାଂତା ମୁନି ଅନୀତି କଥା କହୁ ।୭୬।

ମୋହୋର କନିଷ୍ଠ ଭାଇ ଫାଲଗୁନି

ତାହାକୁ ଦେଇଛନ୍ତି ଯେ ରାମକୃଷ୍ଣ ଭଗ୍ନୀ ।୭୭।

ମୋହୋର ଭାଇର ଚରଣ ସେ ପଖାଳିଲେ କନ୍ୟାର ବରଣେ

ମୁଂ ୟେବେ ତାର ଚରଣ ପଖାଳିବି କେବଣ କାରଣେ ।୭୮।

ମୁହିଂ ସେ ସୋମବଂଶୀ ନିକଳଂକ ମହାକ୍ଷେତ୍ରୀ

ବଂଶେଣ କଳଂକ କୃଷ୍ଣ କାମପାଳ ଅଟନ୍ତି ତି ।୭୯।

ୟେ ସଚରାଚର ପୃଥୀକୁ ମୁହିଂ ଯେ ଧାରଣ

ଗୋପାଳ କୁଳେ ଦୋହିତା ଦିଲେ ହୋଇବ ଲାଜ ପୁଣ ।୮୦।

ଶୁଣିଣ ଲଜ୍ଜାଭର ହୋଇଲେ ମହାମୁନି

ଆସ୍ତାନୁଂ ଉଠିଲେ ମୁନି ବୀଣାଦଣ୍ଡ ଘେନି ।୮୧।

ବିନୟ ହୋଇଣ ତହୁଂ କହିଲେ କୁରୁରାଜା

ବସ ବସ ମହାମୁନି କାହିଂକି ତୋର ଲଜ୍ଜା ।୮୨।

ସୟମ୍ୱର ମୋର ହୋଇବ ଅଷ୍ଟାଦଶ ବରଷ ପରିଯନ୍ତେ

ପୁଣି ମହାତମା କାହିଂକି ମୁଂ ଲୋଡ଼ିଯିବି ତୋତେ ।୮୩।

ବଶିଷ୍ଠ ଦୁର୍ବାସା ବ୍ୟାସ ବାଲମୀକ ଅଗସ୍ତି

ୟେମାନ ମୁଂ ଆଣିବି ନିମନ୍ତି ।୮୪।

ତୋହୋର ନ ଥିଲେ ମୋର ସୟମ୍ୱର କାହିଂ

ସଂସାର ଜନ ମୋକ୍ଷ ହୋଇବେ ଯାହାର ମୁଖ ଚାହିଂ ।୮୫।

ରାଜାନ୍ତ ନିମନ୍ତ୍ରିଣ ଗଲେ ଯେ ମୋର ଦୂତେ

ସମସ୍ତେ ପ୍ରବେଶ ହୋଇବେ ଚାତୁର୍ମାସ୍ୟ ଅନ୍ତେ ।୮୬।

ବିଛା ଧନୁ ଯିବ ମକର ଶୁକଳେଣ

ଚାତୁର୍ମାସ୍ୟା ସାରିଣ ଆସିବେ ସମସ୍ତ ରାଜାଗଣ ।୮୭।

ତୁମ୍ଭେ ଥାଇ ମହାମୁନି ହେ ସୟମ୍ୱର କରିବା

ଯେ ଯହିଂକି ଭାର୍ଜନ ତହିଂକି ଆଗ୍ୟାଂ ଦେଉଥିବା ।୮୮।

ରାଜାର ଆଗ୍ୟାଂରେ ତହିଂ କହିଲେ ତପୋଧନୀ

ୟେବେ ରାଜା ହୋ ଆମ୍ଭେ ଯିବୁଂ ପୁର ସଞ୍ଜୀବନୀ ।୮୯।

ସୟମ୍ୱର ସମ୍ଭର୍ବ କାଳେ ଆମ୍ଭେ ଯେ ଅବଶ୍ୟ ଆସିବୁଂ

ତେତେଦିନ ଯାୟେ ଆମ୍ଭେ ରହି ନୁଆରିବୁ ।୯୦।

ୟେତେ ବୋଲି ତହୁଂ ବିଜେ କରିଗଲେ ବ୍ରହ୍ମଋଷି

ଆକାଶ ପଥେ ମହାତମା ବିଜେ କରି ଆସି ।୯୧।

ୟେଥୁ ଅନନ୍ତରେ ଦୂତମାନଂକର କଥା

ରାଜାମାନଂକର ଯେ ଆସିବା ବେବସ୍ତା ।୯୨।

ଉତ୍ତର ଦକ୍ଷିଣ ପୂର୍ବ ପଛିମ ଦିଗ ଚାରି

ଦେଶେ ଦେଶେ ପଶି ରାଜାନ୍ତ ନିମନ୍ତ୍ରଣ କରି ।୯୩।

ପୂର୍ବଦିଗ ରାଜାମାନେ ଅକ୍ଷତ ଘେନି ଆସନ୍ତି

ଶୁଭ ଯୋଗେ ହସ୍ତିନାୟେ ପ୍ରବେଶ ହୋଅନ୍ତି ।୯୪।

ରଥ ଗଜ ଅଶ୍ୱ ସଇନି ଅନେକ ପାଦାନ୍ତି

ସମ୍ଭର୍ବ ହୋଇଣ ସମସ୍ତ ନୃପତି ଆସନ୍ତି ।୯୫।

ପଛିମ ଦିଗକଇ ଗଲେ ଯେ ସଞ୍ଜୟେ

ନିମନ୍ତ୍ରଣ କଲେ ଯେ ପଞ୍ଚାଶ ସହସ୍ର ରାୟେ ।୯୬।

ଚନ୍ଦ୍ରାବତୀ ସୟମ୍ୱର ବୋଲିଣ ଜଣାଇଂ

ରାଜ୍ୟେ ରାଜ୍ୟେ ପଶି ଅକ୍ଷତ ଗୁଆ ଦେଇ ।୯୭।

ବିଶେଷେ ସୟମ୍ୱର ସୋମବଂଶର ଆଗ୍ୟାଂ

ମହୀ ମଣ୍ଡଳେ ନୃପତି ହୋଇ କେ କରିବ ଅବଗ୍ୟାଂ ।୯୮।

ୟେକୁ ଆରେକ ଯେ ନୃପତି ବଡ଼ାଇ ସମ୍ଭର୍ବେ

ରଥ ଗଜ ଅଶ୍ୱ ଘେନି ଆସନ୍ତି ସେହୁ ସର୍ବେ ।୯୯।

ଉତ୍ତର ଦିଗକଇଂ ଗଲେ ଯେ ବିଦୁର

ରାଜାମାନନ୍ତ ନିମନ୍ତ୍ରଣ ଯେବଣ ବେଭାର ।୧୦୦।

 ପ୍ରତାପୀ ଅଟନ୍ତି ସେ ଚାଳିଶ ସହସ୍ର ରାଜା

 ସମ୍ଭର୍ବେ ଜଣେ ଜଣେ କରନ୍ତି ପୂଜା ।୧୦୧।

ସମସ୍ତ ସଇନି ଯେ ସମଦଣ୍ଡ ଥାଠ

ଆସନ୍ତେ ରାଜାଂକ ସଇନି ଚଉଦିଗେ ନ ପାବନ୍ତି ବାଟ ।୧୦୨।

ତୁଳ ମାସ କୃଷ୍ଣ ପକ୍ଷ ପଞ୍ଚମୀର ଦିନ

ପାଣ୍ଡବେ ଥିଲେ ଯେ ଯାଇଂ ଜଇନ୍ତା ଭୁବନ ।୧୦୩।

ଧୃତିରାଷ୍ଟଂକୁ ଦେଖିବାକୁ ଆସନ୍ତି ପାଞ୍ଚଭାଇ

ହସ୍ତିନା ରାଜ୍ୟେ ଯଏ ପ୍ରବେଶ ହୋଇଲେକ ଯାଇଂ ।୧୦୪।

ଧୃତିରାଷ୍ଟଂକ ଚରଣେ ନମସ୍କାର କରନ୍ତି

ଆସ୍ତାନରେ ବସ ବୋଲି ରାୟେ ଆଗ୍ୟାଂ ଯେ ଦିଅନ୍ତି ।୧୦୫।

ସମ୍ଭର୍ବେ ଆସ୍ତାନେ ବସିଛନ୍ତି ଧୃତିରାଷ୍ଟି

ତହିଂ ଯାଇଂ ପ୍ରବେଶ ହୋଇଲେ ଯୁଝେଷ୍ଠି ।୧୦୬।

ଭୀଷ୍ମ ଦ୍ରୋଣଂକ ଚରଣେ ହୁଅନ୍ତି ପରିଣାମି

ପ୍ରୀତି ଭାବେ ଆସ୍ତାନେ ବିଜେ କଲେ ଦେବସ୍ୱାମୀ ।୧୦୭।

ଦେଖିଣ ଦ୍ରିଯୋଧନଂକୁ ବଚନ ପ୍ରକାଶି

ଯୁଝେଷ୍ଠି କହନ୍ତି ଯେ ଆସ୍ତାନେଣ ବସି ।୧୦୮।

ପୃଥୀ ରାଜାମାନଂକେ ତୁ ଅଟୁ ମଉମଣି

ସୟମ୍ୱର ଉଚ୍ଛବ ଆମ୍ଭେ ନୁଆରିଲୁ ଜାଣି ।୧୦୯।

ମାନଗୋବିନ୍ଦ ବୋଇଲା ତୁମ୍ଭେ ବଂଶରେ ଅଟ ଶ୍ରେଷ୍ଠ

ଜାଣି କରି ତୁମ୍ଭେ ହୋଇଲ ତ ତୁଷ୍ଟ ।୧୧୦।

ଦୋହିତା ହୋଇ ପିତା ଘରେ ହୋଇଲେ ରଜୋବତୀ

ୟେକାବନ ପୁରୁଷେ ଯେ ନର୍କରେ ପନ୍ତି ।୧୧୧।

ଚନ୍ଦ୍ରାବତୀ ନାମେଣ ଯେ ମୋହୋର ଅଟଇ ନନ୍ଦନୀ

ତାହାକୁ ବର ନ କରି କିମ୍ପେ ହୋଇଲ ତୁମ୍ଭେ ତୂନୀ ।୧୧୨।

ଯହୁଂ ତାହାର ତୁଲେ ମୁହିଂ ନ ପାଇଲି ବର

ରାଜାମାନନ୍ତ ଲୋଡ଼ି ଯେ କରଇ ସୟମ୍ୱର ।୧୧୩।

ତୁମ୍ଭେ ଜ୍ୟେଷ୍ଠ ଭ୍ରାଥ ହୋଇ ମଉନ ହୋଇଲ

ମୋହୋର ଦୋହିତା ବୋଲି ତୁମ୍ଭେ କଥାୟେ ନ କହିଲ ।୧୧୪।

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ସହଦେବ

ଚନ୍ଦ୍ରୀବତୀର କେ ଟି ହୋଇବ ବଲ୍ଲଭ ।୧୧୫।

ଦକ୍ଷିଣ କରକୁ ଚାହିଂ ବିଚାରଇ ସହଦେବ

ବିନୟ ହୋଇଣ କହଇ ସଦିଭାବ ।୧୧୬।

ମନେ ମନେ ଶୁଣି ଭାଳଇ ମଦନା ଦେବୀର ବାଳ

ୟେଡ଼େ ସମ୍ଭର ଗୋଟି ହୋଇବ ନିଷ୍ଫଳ ।୧୧୭।

ଯୁଝେଷ୍ଠି ଦେବେ ବୋଇଲେ ସହଦେବକୁ ଚାହିଂ

ମନେ ମନେ ପୁଣି ବାବୁ କିସ ବିଚାର କରୁ ତୁହି ।୧୧୮।

ସହଦେବ ବୋଇଲା ଦେବ ବିସରିଲି ୟେଥିକି

ମାନବ କୁଳେ ବର ନାହିଂ ଚନ୍ଦ୍ରୀବତୀକୁ ।୧୧୯।

ସହଦେବ ବୋଇଲା ଦେବ ଲଲାଟ ଘଟଣ

ଦକ୍ଷିଣ ଦିଗରେ ବର ୟେହାକୁ ଅଛି ୟେକ ଜଣ ।୧୨୦।

ମଉଦଧି ଉତ୍ତର କୁଳେ ଦ୍ୱାରାବତୀ ନାମ

ବାସୁଦେବର ନନ୍ଦନ ଯେ ନାମ ଅଟଇ ତାର ଶାମ ।୧୨୧।

ଶୁଣି ଧର୍ମ ନନ୍ଦନଂକ କମ୍ପିଲା ଲଲାଟ ପାଟି

ପ୍ରତିବାକ୍ୟ ଦିଅନ୍ତି ଯେ ଧର୍ମରାୟେ ଯୁଝେଷ୍ଠି ।୧୨୨।

ମାନଗୋବିନ୍ଦକୁ ବୋଇଲେ ତୁ ଯେ ଆମ୍ଭନ୍ତ ନ କହିଲୁ

ତୋହୋର ଇଚ୍ଛାୟେ ସୟମ୍ୱର ଭିଆଇଲୁ ।୧୨୩।

ଆମ୍ଭନ୍ତ ସାହାପକ୍ଷ ଅଟନ୍ତି ରାମକୃଷ୍ଣେ

ତାହାନ୍ତ ଉପେକ୍ଷା ତୁ କଲୁ ଗ୍ୟାନ ଭ୍ରଷ୍ଟେ ।୧୨୪।

ବଳରାମଂକର ଯେ ଅଛନ୍ତି ବେନି ସୁତ

ଆନନ୍ଦ ସାନନ୍ଦ ନାମ ତାହାଂକର ନିୟତ ।୧୨୫।

ତାହାଂକଠାରୁ ଆଣନ୍ତାଇଂ ୟେକଇ ପୁତ୍ର ଗୋଟି

ଚନ୍ଦ୍ରାବତୀକି ପ୍ରଦାନ କରନ୍ତୁ ମନତୁଷ୍ଟି ।୧୨୬।

ଯଦି ବରଣ କରି ଆଣିଲୁ ସକଳ ଦେଶର ରାଜ

ଧଂସି ସେ ହୋଇବୁ ନୋହିବ କିଛି କାର୍ଯ୍ୟ ।୧୨୭।

ମାନଗୋବିନ୍ଦ ବୋଇଲା ହୋ ବ ଯଦ୍ୟପି ବଳଦେବ

ସକଳ କଥା ଯିବ କଳଂକ ନ ଯିବ ।୧୨୮।

ମନୁଷ୍ୟରେ ଗଣନା କୃଷ୍ଣଂକୁ କଲୁ ସେବା

ବଂଶରେ କଳଂକ ଥିଲେ କନ୍ୟା କେମନ୍ତ ଦେବା ।୧୨୯।

ଉପରେ ବଂଶରେ ତାର ଯଦୁ ନାମେଣ ଋଷି

ନିକଳଂକ ନୁହନ୍ତି ନା ଅଷ୍ଟାଦଶ ବଂଶୀ ।୧୩୦।

ୟେବେ ଆସି ବଢିଲେ ୟେ ଗୋପାଳଂକ ମେଳେ

ଗ୍ୟାନ ବୁଡ଼ାଇଲେ କାଦମ୍ୱରୀ ମତ୍ତଭୋଳେ ।୧୩୧।

ଆବର ବିଶେଷେ ଯେ ହୋଇଲୁ ଆମ୍ଭେ ଶ୍ରେଷ୍ଠ

ପୁଣିହିଂ କେମନ୍ତେ ହୋଇବୁ କନିଷ୍ଠ ।୧୩୨।

ୟେହି ଅର୍ଜୁନର ପାଦ ଧୋଇ ଦେଇଅଛି ଭଗ୍ନୀ

ନନ୍ଦ ମହାଖୁ ପ୍ରଦାନ କଲେକ ନନ୍ଦନୀ ।୧୩୩।

ମୋହୋର ଦୋହିତା ୟେବେ କେମନ୍ତେ ମୁହିଂ ଦେବି

ସ୍ୱହସ୍ତେ ଗଉଡଂକର ପାଦ ପଖାଳିବି ।୧୩୪।

ତୁମ୍ଭେ ଯେ କହିଲା ଅବଶ୍ୟ ଉପୁଜିବ ଦ୍ୱନ୍ଦ

ଆସ୍ତାନେ ବିଜେ କରିଥିବେ ଲକ୍ଷେକ ନରେନ୍ଦ୍ର ।୧୩୫।

ଭୀଷ୍ମ ଦ୍ରୋଣେ କର୍ଣ୍ଣ ଅଶସ୍ତମା ଥିବେ

ଯାଦବ ହୋଇ କେ ଆସି ଛାମୁରେ ମିଳିବେ ।୧୩୬।

ଆବର ବିଶେଷ ଥିବ ବୀର ଫାଲଗୁନି

ଯଥାର୍ଥ ସାଂଗ୍ରାମେ କଲେ ଜିଣିମ କେ ପୁଣି ।୧୩୭।

ଯୁଝେଷ୍ଠି ବୋଇଲେ ବାବୁ ଯାହା କହିଲୁ ବିଚାରି

ୟେମାନେ ସମସ୍ତେ ଅଟନ୍ତି ତୋହୋର କୁହୁଡ଼ି।୧୩୮।

ୟେଥକଇଂ କୃଷ୍ଣେ ଯେ ଅଟନ୍ତି ଭାନୁ ଉଦେ

କୁହୁଡ଼ି ଦ୍ରୋଛନା କେତେବେଳେ ଥାଇଂ ହାଦେ ।୧୩୯।

ଶଙ୍ଖ ଚକ୍ର ଧରି ଯହିଂ ଥିବେ ବାସୁଦେବେ

ବ୍ରହ୍ମଲୋକ ସୁରଲୋକ ସମସ୍ତେ ତହିଂ ଥିବେ ।୧୪୦।

ତେତିଶ କୋଟି ଦେବେ ଥିବେଟି ପାଖକେ

କେ ଅବା ରହିବ ବାବୁ ବାସୁଦେବର ଡାକେ ।୧୪୧।

ୟେତେ କହି ଆସ୍ତାନୁଂ ଉଠିଲେ ପଞ୍ଚୁବୀରେ

ଚଳିଲେ ପାଣ୍ଡବେ ଯେ ମିଳିଲେ ଜଇନ୍ତା ନବରେ ।୧୪୨।

ୟେଥୁ ଅନନ୍ତରେ ଶୁଣ ହୋ ନୃପତି

ବଦୟନ୍ତି ଧାର୍ମିକ ଯେ ବିବେକ ଅଗସ୍ତି ।୧୪୩।

ୟେହା ଶୁଣି କରି ବଇବସୁତ ମନୁ ଯେ ବୋଇଲେ

ରାଜାନ୍ତ ନିମନ୍ତ୍ରି ଯେ ଚାରିଦିଗେ ଦୂତମାନେ ଗଲେ ।୧୪୪।

ପୃଥୀ ରାଜାମାନେ ଅଇଲେଟି କି ଦଣ୍ଡ ସଇନ ଘେନି

ୟେ କଥା ସଞ୍ଚପି କହିବା ମୋତେ ଅଗସ୍ତି ମହାମୁନି ।୧୪୫।

ବଦୟନ୍ତି ମୁନିବର ଶୁଣ ମନୁ ପୁଚ୍ଛା କଲୁ ଯାହା

ପ୍ରସ୍ତାବେ ବାକ୍ୟେ ତୋତେ କହିବଇଂ ମୁହିଂ ତାହା ।୧୪୬।

ପୂର୍ବ ଦିଗ ବରଣେ ଯେ ଗଲେ ଜଦ୍ୟରଥ

ଉଦେଗିରି ଦେଶେ ଯାଇଂ ମିଳିଲେ ତୁରିତ ।୧୪୭।

ଉଦୟ କେଶରୀ ବୋଲି ତହିଂର ନୃପତି

ଯୋଦ୍ଧାନ୍ତ ଘେନି ବରଣ କରିବାରେ ଅଇଲା ତତକ୍ଷଣାନ୍ତି ।୧୪୮।

ମାନଭଙ୍ଗ ଦେଶର ରାଜା ମାନ ଅରଜୁନ

ସେ ରାଜା ବିଜେ କଲା ଆସି ହସ୍ତିନା ଭୁବନ ।୧୪୯।

ସଙ୍ଗରେ ଅଛଇ ତାର ଶତ ଖର୍ବ ସଇନ

ପାର୍ବତ୍ୟ ଦେଶର ରାଜା ଅଟଇ ଚକ୍ରସେନ ।୧୫୦।

ମାଧବ ଦେଶର ରାଜା ଚନ୍ଦ୍ରଚୂଡ ନୃପତି

ହସ୍ତିନା ନବରେ ମିଳିଲା ତତି ସଇନି ଘେତି ।୧୫୧।

କାର୍ପଣ ଦେଶର ରାଜା ଅଟଇ କୃତକେଶୀ

ସୟମ୍ୱର ବିଧାନେ ସେ ପ୍ରବେଶ ହେଲା ଆସି ।୧୫୨।

ଉପଜଳ ଦେଶର ମନ୍ଦିର ବୋଲି ରାଜା

ହସ୍ତିନା ପୁରେ ଆସି ଯେ ପାଇଲାକ ପୂଜା ।୧୫୩।

ଦକ୍ଷିଣୁଂ ଅଇଲା ଯେ ମଳୟ ନୃପତି

ବିଶେଷେ ଅଇଲା ଯେ ବଇଡୁର୍ଯ୍ୟ ଚକ୍ରବ୍ରତୀ ।୧୫୪।

ଅତିମୁଖେ ବୋଲିଣ କାମପୁର ରାଜା

ହସ୍ତିନା ପୁରେ ପ୍ରବେଶ ମାନଗୋବିନ୍ଦ କଲା ପୂଜା ।୧୫୫।

ନୀଳେନ୍ଦୀ ଦେଶର ରାଜା ନୀଳସେନ ନୃପତି

ହସ୍ତିନା ଦେଶେ ପ୍ରବେଶ ହୋଇଲା ତତକ୍ଷଣାନ୍ତି ।୧୫୬।

ମହୀନ୍ଦ୍ର ଦେଶର ରାଜା ବିପ୍ରକୃଷ୍ଣଂକର

ହସ୍ତିନା ଭୁବନେ ମିଳିଲା ସୟମ୍ୱର ଥାନର ।୧୫୭।

ବଇଡୁର୍ଯ୍ୟ ଦେଶର ଯେ ବୀରଭୋଜ ନୃପତି

ମଦନ ମହାଦେବ ତୁଲେ ଆସି ମିଳିଲା ତତି ।୧୫୮।

ବଇତରଣୀ ଦେଶର ଅନ୍ଧ ଗୋପାଳ ରାଜା

ହସ୍ତିନା ନବରେ ମାନଗୋବିନ୍ଦ କଲେ ପୂଜା ।୧୫୯।

ମଗଧ ଦେଶର ଯେ ନୃପତି ତ୍ରିଗର୍ତ୍ତ

ସୟମ୍ୱର ବିଧାନେ ବିଜେ କରି ଆସଇ ନରନାଥ ।୧୬୦।

କନ୍ଦର ଦେଶର ରାଜା କାଳେବର ନୃପତି

ନିମନ୍ତ୍ରଣ ପାଇଣ ସେ ଅଇଲା ତତକ୍ଷଣାନ୍ତି ।୧୬୧।

ମନ୍ଦର ଦେଶର ରାଜା କାଳ ଯେ ନଉମି

ହସ୍ତିନାରେ ପ୍ରବେଶ ଦ୍ରିଯୋଧନକୁ ପରିଣାମି ।୧୬୨।

ମତ୍ସ ଦେଶର ରାଜା ଅଚଇ ବିରାଟ

ସାତ କ୍ଷଉଣୀ ତାର ଅଙ୍ଗବଳ ଥାଠ ।୧୬୩।

କଳିଙ୍ଗ ଦେଶର ରାଜା କଳିଙ୍ଗ ସେନ ନୃପତି

ନବଲକ୍ଷ ଗୁଞ୍ଜର ତାର ପାଞ୍ଚଲକ୍ଷ ପାଦାନ୍ତି ।୧୬୪।

ସମଦଣ୍ଡ ଘେନି ରାଜା ଥାଠ ଯେ ଚଳାଇ

ହସ୍ତିନା ନବରେ ପ୍ରବେଶ ହୋଇଲାକ ଯାଇଂ ।୧୬୫।

ଋଷ୍ୟଶୃଙ୍ଗ ଦେଶର ରାଜା ଋତୁପନ୍ନ

ସେ ଯାଇଂ ମିଳିଲା ଯେ ହସ୍ତିନା ଭୁବନ ।୧୬୬।

ବସନ୍ତ ଦେଶର ରାଜା ସୁବାହୁ ନୃପତି

ସଇନିବଳ ଘେନି ସେ ମିଳିଲା ତତକ୍ଷଣାନ୍ତି ।୧୬୭।

ପଦ୍ମଦଳ ଦେଶର ରାଜା ପଦ୍ମନାଭ ନୃପତି

ସଙ୍ଗରେ ସଇନି ଘେନି ପ୍ରବେଶ ତତି ।୧୬୮।

କାଳିନ୍ଦୀ ଦେଶର ରାଜା ନୀଳସେନ ରାୟେ

ତାହାର ସଇନି ଘେନି ହସ୍ତିନାକୁ ଯାୟେ ।୧୬୯।

ଖାଞ୍ଜଣ ଦେଶର ରାଜା ଯେ ଅନନ୍ତସେନ

ହସ୍ତିନାରେ ପ୍ରବେଶ ହୋଇଲା ବହନ ।୧୭୦।

ମନ୍ଦର ଦେଶର ରାଜା ଯେ କେଶର ନୃପତି

ହସ୍ତିନାରେ ପ୍ରବେଶ ମହାର୍ଣ୍ଣବ ଚକ୍ରବ୍ରତୀ ।୧୭୧।

ଗଣପତି ବୋଲି ନିର୍ଝର ଦେଶ ରାୟେ

 ସମ୍ଭର୍ବେ ଆସଇ ଥାଠ ଯେ ଗୋଟିୟେ ।୧୭୨।

କରଞ୍ଜ ଦେଶର ନୃପତି ନାମ ଚନ୍ଦ୍ରଧ୍ୱଜ

ତେର ମର୍ଭୁତ ସଇନି ତାହାର ସଙ୍ଗେ ସଜ ।୧୭୩।

କାମେରୀ ଦେଶର ରାଜା ନୃପତି କାମେଶ୍ୱର

ସେ ଆସି ପ୍ରବେଶ ହେଲା ହସ୍ତିନା ନବର ।୧୭୪।

ତିଳ ମଣ୍ଡଳର ଯେ ନୃପତି ଧ୍ୱଜ ରାଜା

ହସ୍ତିନା ନୃପତିଂକି କଲା ପାଦ ପୂଜା ।୧୭୫।

ପ୍ରାଗଜ୍ୟୋତିଷ ପୁରେ ଯେ ନୃପତି ନୀଳ ନାମ

ସେ ଯାଇଂ ଦ୍ରିଯୋଧନକୁ କଲା ଦରଶନ ।୧୭୬।

ଭଇରବ ଦେଶ ନୃପତି ନାମ ଚକ୍ରଧ୍ୱଜ

ହସ୍ତିନା ନବରେ ଯେ ମିଳିଲା ମହାରାଜ ।୧୭୭।

କରମଣ୍ଡଳର ଯେ ରାଜା ମହୀଧର

ହସ୍ତିନାରେ ଯାଇଂ ମିଲିଲା ନୃପବର ।୧୭୮।

ମାଳବ ଦେଶର ଯେ ନୃପତି କୃତବର୍ମା

ତାହାର ହାଥୀର ନାମ ଅଟଇ ଅଶସ୍ତମା ।୧୭୯।

ଅନେଶ୍ୱତ ମର୍ଭୁତ ତୁଲେ ତାର ସଇନ

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ଭୁବନ ।୧୮୦।

ଯମନିକ ଦେଶର ରାଜା କେତୁମାଳୀ

ସମଦଣ୍ଡ ଘେନିଣ ସେ ହସ୍ତିନା ଆୟେ ଚଳି ।୧୮୧।

ମରହଟ୍ଟ ଦେଶର ରାଜା ଦରଦସେନ

ସେହି ବିଜେ କଲା ଆସି ହସ୍ତିନା ଭୁବନ ।୧୮୨।

ବଇରାଜ ଦେଶର ରାଜା ଅଟଇ ଯମାଗୋଷ୍ଠ

ହସ୍ତିନା ନଗ୍ରେ ବିଜେ ଅସମ୍ଭବ ଥାଠ ।୧୮୩।

ମାଧବ ଦେଶର ନୃପତି କଣୟବିନ୍ଦୁ ରାଜା

ହସ୍ତିନା ଦେଶର ଆସି ପାଇଲା ଦିବ୍ୟ ପୂଜା ।୧୮୪।

ମଳୟ ଦେଶର ନୃପତି ମଳୟସେନ ରାଜା

ହସ୍ତିନା ନଗ୍ରେ ଯାଇଂ ଦ୍ରିଯୋଧନକୁ କଲା ପାଦ ପୂଜା ।୧୮୫।

ଅବିଶ୍ରାମ ନଗ୍ରର ଯେ ପଦ୍ମନାଭ ନୃପତି

ସେ ମିଳିଲାକ ହସ୍ତିନା ବାରସ୍ୱତୀ ।୧୮୬।

ଉତ୍ତର ଦିଗରେ ଯେତେକ ରାଜାମାନେ

ଥାଠ ସଇନି ଘେନି ମିଳିଲେ ହସ୍ତିନା ଭୁବନେ ।୧୮୭।

ପଚ୍ଛିମ ଦେଶର ଯେତେକ ନୃପତି

ସମସ୍ତଂକର ସଇନି ଘେନି ପ୍ରବେଶ ହୁଅନ୍ତି ।୧୮୮।

ଉତ୍ତର ଦକ୍ଷିଣ ପୂର୍ବ ଯେ ପଚ୍ଛିମ

ଆସନ୍ତି ରାଜାମାନେ ସବୁରି ସଙ୍ଗେ ସଇନ ।୧୮୯।

ହସ୍ତିନା ରାଜ୍ୟେ ଆସି ହୋଇଲେ ପରବେଶ

ଦେଖିଣ ମାନଗୋବିନ୍ଦ ହୋଇଲେ ହରଷ ।୧୯୦।

ବ୍ରହ୍ମଛତ୍ରୀ ବଶ୍ୟ ଶୂଦ୍ର ଚାରିଜାତି

ୟେମନ୍ତେ ସମସ୍ତ ନୃପତି ମିଳନ୍ତି ।୧୯୧।

ଦାନବ କୋନ୍ଧ ପିଶାଚ ଆବର ମହ୍ଲାର ଶବର

ସମସ୍ତେ ମିଳିଲେ ଆସି ହସ୍ତିନା ନବର ।୧୯୨।

ୟେମନ୍ତେ ଚାରି ଊଣା ଲକ୍ଷେକ ନୃପତି

ରଥ ଗଜ ଅଶ୍ୱ ଅସଂଖ୍ୟ ପାଦାନ୍ତି ।୧୯୩।

ସମ୍ଭରେ ମିଳିଲେ ସକଳ ଦେଶ ରାଜା

ଯେ ଯାହା ଅନରୂପେ ନୃପତି ସବୁନ୍ତି କଲା ପୂଜା ।୧୯୪।

ସୟମ୍ୱର ଆସ୍ତାନେ ମିଳିଲେ ସମସ୍ତ ନୃପତି

ବହଇ ଯମୁନା ନଦୀ ଉତ୍ତରାୟେଣ ମୂରତି ।୧୯୫।

ତହିଂ ପ୍ରାତ ସ୍ରାହାନ କରନ୍ତି ରାଜାଗଣମାନେ

ନାନା ସୁଗନ୍ଧ ଦ୍ରବ୍ୟ ଲଗାଇ ଅତି ବିତପନେ ।୧୯୬।

ଅମୃତ ପାକ ସଞ୍ଚା କରନ୍ତି ସୂପକାରେ

ମୁଣୋହି କରନ୍ତି ରାଜାୟେ ଯେ ଯାହା ଠାବରେ ।୧୯୭।

ଅନେକ ଅମୃତ ପଦାର୍ଥ ଯେ ସୁପଂକୁ ଦ୍ରବ୍ୟ ଅନ୍ନ

ଅନେକ ତ୍ରିପୁତି ହୋଇ ତହିଂ ଭୁଞ୍ଜନ୍ତି ରାଜାମାନ ।୧୯୮।

ଅପୂର୍ବ ଦିବ୍ୟ ଭୋଜନ କରନ୍ତି ରାଜାମାନେ

ଯେ ଯେତେବେଳେ ଇଚ୍ଛା ଭୁଞ୍ଜନ୍ତି ଅବିଚ୍ଛନ୍ନେ ।୧୯୯।

ଆଞ୍ଚୋବନ ସାରନ୍ତି ଯେ ସୁବର୍ଣ୍ଣର ଘଟେ

ଦେବାଙ୍ଗ ବସ୍ର ପରିହଣ କରନ୍ତି ସନ୍ତୋଷ୍ଟେ ।୨୦୦।

ଯେ ଯେତେ ମାନ୍ୟକୁ ଭାର୍ଜନ ଦ୍ରିଯୋଧନ ସମାର୍ଜି

ନାନା ରତ୍ନ ଆଭରଣ ଶ୍ରୀଅଙ୍ଗେ ସମରାଜି ।୨୦୧।

ସୁସଞ୍ଚ ପତନୀ ଯେ ଦେବାଙ୍ଗ ବସନ

ରାଜାକେ ଯେତେ ଯେତେ ସବୁ ନବତନ ।୨୦୨।

ଭୋକୀ ଶୋଷୀ ଯେତେବେଳେ ଯେ ଯାହା ମାଗି

ଜାଣିଣ ପ୍ରାପତ ତାହା କରନ୍ତି ନିଯୋଗୀ ।୨୦୩।

ଅବିଚ୍ଛନ୍ନେ ଭଣ୍ଡାର ହୋୟେ ଦାନ

ଯେ ଯାହା ମାଗନ୍ତି ତାହା ଦିଅନ୍ତି ଅବିଚ୍ଛନ୍ନେ ।୨୦୪।

ଶିବଆଳେ ଦୋହନ ଦ୍ୱାଦଶ ଗୋଷ୍ଠ ଗାଈ

ବିଷ୍ଣୁ ଆଳେ ଅନେକ ବଈଷ୍ଣବ ଗୀତ ଗାଇ ।୨୦୫।

ଦେବୀମାନନ୍ତ ଯେ ଅନେକ କଲେ ପୂଜା

ମେଷ ଛାଗଳ ମାରିଣ ଯେ ଦିଅନ୍ତି ବଳି ଭୋଜା ।୨୦୬।

ୟେସନେକ ଉତ୍ସବ ଯେ ହସ୍ତିନା ରାଜ୍ୟ ପୁରୀ

ଦେବା ଦେବୀ ପରାୟେ ଦିଶନ୍ତି ନର ନାରୀ ।୨୦୭।

ଷାଠିୟେ ସହସ୍ର ଶିଷ୍ୟ ଘେନିଣ ମୁନି ବ୍ୟାସ

ପ୍ରବେଶ ଅଗସ୍ତି ବାଲମ୍ୱୀକ କଶ୍ୟପ ଲୋମଶ ।୨୦୮।

ବଶିଷ୍ଠ ବାମଦେବ ବିଶ୍ୱାମିତ୍ର ମାରକଣ୍ତ

ସୁଦେବ ସତ୍ୟବ୍ରତ ଯେ ବିଭାଦଣ୍ଡ ସୁଭାଣ୍ଡ ।୨୦୯।

ଅଇଲେ ଋଷିଶୃଙ୍ଗ ଦୁର୍ଭାସା ମହାଯତି

ଅତ୍ରି ପାରେଶ୍ୱର ମୁନିମାନେ ଯେ ମିଳନ୍ତି ।୨୧୦।

ଋଷିମାନନ୍ତ ଦେଖି ଦ୍ରିୟୋଧନ ହରଷ

ପୂଜା ବିଧି କଲା ସେହୁ ହୋଇଣ ମନ ତୋଷ ।୨୧୧।

ମହା ସମ୍ଭର୍ବ ସୟମ୍ୱର ପାଇଣ ବାରତ

ପ୍ରବେଶ ହୋଇଲେ ଆସି ସକଳ ତପୋବନ୍ତ ।୨୧୨।

ଲମ୍ୱିତ ଜଟା ଯେ ତ୍ରିକଚ୍ଛ ବସନ

ଋଷିମାନନ୍ତ ସନମାନ ଯେ କରଇ ଦ୍ରିଯୋଧନ ।୨୧୩।

ଚରଣ ପଖାଳି ଯେ କଲେ ପାଦଅର୍ଘ୍ୟ ପୂଜା

ଗନ୍ଧ ଚନ୍ଦନ ପୁଷ୍ୟ ଦେଇ ଆର୍ଧନା କଲା ରାଜା ।୨୧୪।

ବହୁତ ବିନୋୟୀ ହୋଇ କହେ କୁରୁସାଈଂ

ଦେଖିଣ ସାନନ୍ଦ ଯେ ନୃପତିମାନେ ତହିଂ ।୨୧୫।

ଜୀବନ ସାଧୁ ସାଧୁ ଯେବଣ ପୁରୁଷା

ଆକାଶେ ବସିବାକୁ ଯାହାର ମନୀଷା ।୨୧୬।

ପୂର୍ବ ଜନ୍ମର ଭାଗ୍ୟ ଜାଣିମା କେମନ୍ତେ

ଭାଗ୍ୟବନ୍ତ ଶୂରବନ୍ତ ଯାହାକୁ ବୋଲନ୍ତି ଜଗତେ ।୨୧୭।

ସୁତୀର୍ଥେ ସ୍ରାହାନ ସୁଦେବ ଦରଶନ

ସୁସଙ୍ଗ ସଙ୍ଗେ ଯାର ସଙ୍ଗ ଅନୁକ୍ଷଣ ।୨୧୮।

ସୁସ୍ତିରୀ ସଙ୍ଗେ ଯେବଣ ସୁପୁରୁଷ ବିଳସି

ତାହାନ୍ତ ଜାଣିମା ସେ ନିଚୟେ କପିଳାସ ବାସୀ ।୨୧୯।

ଲକ୍ଷେ ରାଜାଂକର ଯେତେକ ଥାଠ ସଇନି

ମନ ଜାଣି ଅନ୍ନ ଦିଅନ୍ତି ନୃପମଣି ।୨୨୦।

ଅଶ୍ୱଗଜଂକୁ ଚରଣି ପିଉଣି ଘାସ ବିରି

ଡାକିଣ ଦିଅଇ ରାଜା ମହା ସମ୍ଭର୍ବ କରି ।୨୨୧।

ନିତ୍ୟେହେଂ ନଡ଼ପ କୁରୁରାଜା ଦିଅଇ ତହିଂ ଲାଗି

ଭିଆଣ ପ୍ରାମଣେ ରାଜା ଦିଅଇ ନିଯୋଗୀ ।୨୨୨।

ମୁନିମାନନ୍ତ ଆସନ କୃଷ୍ଣାଜିନ ଛଉଂରୀ

ଗଣ୍ଡା ମାରି ଆଣି ଭୋଜନ ଦିଅଇ ଦଣ୍ଡଧାରୀ ।୨୨୩।

ମୁନିମାନେ ଯେଣେ ଯେ ହୋଅନ୍ତି ତ୍ରିପୁତି

ମନ ଜାଣି ମାନଗୋବିନ୍ଦ ବିନୟେ ଭଗତି ।୨୨୪।

ସମସ୍ତେ ପ୍ରଶଂସା କରନ୍ତି ସୟମ୍ୱର ଚାହିଂ

ଗତ ଆଗତେ ୟେମନ୍ତେ ଦେଖିଲା ତ ନାହିଂ ।୨୨୫।

ୟେମନ୍ତର ସମୟେ ରାଜା ମାନଚକ୍ରବ୍ରତୀ

ପାଦଅର୍ଘ୍ୟ ଗୋଟିୟେ କରେ ଘେନିଣ କୁରୁପତି ।୧୨୬।

ବରଣମାଳା ଗୋଟିୟେ ଆବର ମୁକୁଟ ଗୋଟିୟେ

ଦୁର୍ବା ଅକ୍ଷତ କରେ ଘେନିଣ କୁରୁରାୟେ ।୧୨୭।

ସୁବର୍ଣ୍ଣ ଦୀପେ ଗୁଆ ଘୃତ ନେତର ବଳିତା

ରାଜାମାନନ୍ତ ବନ୍ଦାପନା ଯୋଗାଡ଼ ଅପ୍ରମିତା ।୨୨୮।

ତାଡ଼ଗୁମ୍ଫା ସରଳ ବାହୁଟି ଜଗଦଳା

ଶିରକୁ ସୀମନ୍ଥିନୀ ହୃଦକୁ ରତ୍ନମାଳା ।୨୨୯।

ରତ୍ନ ମଣି ମୁକୁଟ ଯେ ବିରାଜଇ ଶିରେ

ଲଲାଟେ ସୀମନ୍ଥିନୀ ମାଣିକ୍ୟ ନାୟେକରେ ।୨୩୦।

ବିଦ ମୁଦି କଂକଣ ବିରାଜେ ବିବିଧ ବାହୁଟି

ହୃଦରେ ପଦକମାନ ବିରାଜନ୍ତି ପ୍ରକଟ ।୨୩୧।

ପୟରେ ନୂପୁର ବାଜନ୍ତି ପଞ୍ଚମ ସ୍ୱର ଜାଣି

ନାଚନ୍ତି ବନିତାୟେ ଯେ ସୁଭ ବିଳାସୁଣୀ ।୨୩୨।

ମର୍ଦ୍ଦଳ ତାଳ କଂସାଳ ବାୟେଂଶୀ ଶବଦେ

ଚଞ୍ଚପୁଟ ଚାଂଚପୁଟ ଘଟିତ ଘଟ ଛନ୍ଦେ ।୨୩୩।

ଜଗତ ମୋହିନୀଂକର ପଞ୍ଚମ ସ୍ୱର ନାଟେ

ଦିନ ନ ଅଣ୍ଟଇ ଯେ କଉତୁକ ରସକ୍ରୋଟେ ।୨୩୪।

ୟେମନ୍ତେଣ ମଧ୍ୟସଭାରେ କୁରୁସାଈଂ

ସମସ୍ତ ରାଜାମାନନ୍ତ ବୋଲଇ ଶବଦାଇ ।୨୩୫।

ମୋହୋର ଯେ ଅଛଇ ୟେକଇ ଦୋହିତୀ

ଅମଳାନ ଚନ୍ଦ୍ର ଜାଣି ଦିଶଇ ତାର ଜ୍ୟୋତି ।୨୩୬।

ଶରଧାୟେ ତାର ନାମ ଦିଲଇଂ ଚନ୍ଦ୍ରାବତୀ

ତ୍ରିଭୁବନ ମଧ୍ୟେ ତାକୁ ନ ପାଇଲି ପତି ।୨୩୭।

ମାଗନ୍ତା ନୋହିଲ ମୁଂ କାହାକଇଂ ନ ଦେଖଇଂ ଯାଚି

ସେ ନିମନ୍ତେ ତୁମ୍ଭନ୍ତ ମୁଂ ଆଣିଲାଇଂ ଅର୍ଚ୍ଚି ।୨୩୮।

ୟେକ କନ୍ୟାକୁ ତୁମ୍ଭେ ଲକ୍ଷେକ ନୃପତି

ସେ ଚନ୍ଦ୍ରାବତୀ ଯେ ଅଟଇ ମୋହୋର ଦୁହିତୀ ।୨୩୯।

ସମସ୍ତ ନୃପତିୟେ ଶୁଣିମା ମୋର କଥାୟେ

ୟେକମନେ ଶୁଣ ତୁମ୍ଭେ ସମସ୍ତ ମହାରାୟେ ।୨୪୦।

ଯାହାକୁ ଇଚ୍ଛା ମନେ ବସିବ ସୁନ୍ଦରୀ

ମାଳା ଦେଇଣ ସେ ଯେ ଯାହାର ହାଥ ଧରି ।୨୪୧।

ତାହାର ସେ କନ୍ୟା ଗୋଟି ହୋଇବ ଯୁଗତେ

ଆନ କେ ନ ଲଘିଂ ସତ୍ୟ କହ ମୋତେ ।୨୪୨।

ବଳାତ୍କାରେ କରି କେହି ନ କରିବ ଗୋଳ

ୟେହା ବିଚାରି ମୋତେ କହ ସକଳ ମହୀପାଳ ।୨୪୩।

ରାଜାମାନେ ବୋଇଲେ ହୋ ତ୍ରିବାର ଆମ୍ଭର ସତ୍ୟ ସତ୍ୟ

ଯାହାକୁ ବରିବ ତୁମ୍ଭର ତୋହିତ ସେହି ତାହାର ହୋଇବ
ପ୍ରାଣନାଥ ।୨୪୪।

ଯେବଣ ରାଜା ହାଦେ ୟେହାକୁ ବଳି କରି ଲଘିଂ

ସମସ୍ତେ ହୋଇ ତାକୁ କରିବୁ ପ୍ରାଣତ୍ୟାଗୀ ।୨୪୫।

ୟେହୁ କଥା ଆମ୍ଭର ଦୃଢ ବଚନ ସତ୍ୟ ବାଣୀ

ୟେ ସଭାକଇ ଆଣ ହୋ ତୁମ୍ଭର ଦୁଲଣୀ ।୨୪୬।

ରାଜାମାନନ୍ତ ନୃପତି ନିବର୍ତ୍ତ କରାଇ

ସୁରେଖା ନାମେ ୟେକ ମୁଦୁସୁଲୀକି ହକରାଇ ।୨୪୭।

ଯାଅ ଗୋ ମୁଦୁସୁଲୀ ଭିତର ପୁରକଇ

ବେଶ ବେଶନ କରାଇ ଚନ୍ଦ୍ରାବତୀକି ଆଣ ସଭାକଇ ।୨୪୮।

ରାଜାର ବଚନ ଯେ ଚଳିଲା ମୁଦୁସୁଲୀ

କନ୍ୟାକୁ ସୁବେଶ ଯେ କରାଇଲେ ପୋଇଲୀ ।୨୪୯।

ବିଶେଷେ ସୁନ୍ଦରୀ ସେ ଯେ ଆବର ଗୁଣବନ୍ତୀ

ରତ୍ନହୁଂ ଅଧିକ ଦିଶଇ ତାହାର ଜ୍ୟୋତି କାନ୍ତି ।୨୫୦।

ଅନେକ ପାଟଛତ୍ର ଯେ ଉହାଡ଼ି ଆଲମ୍ୱ

ବାଜଇ ଶଙ୍ଖ ଧୁନି ବହୁତ ସମ୍ଭର୍ବ ।୨୫୧।

ସହସ୍ରେ ଚାମର ଯେ ମଣ୍ଡଣି ଚଉପାଖେ

ଶ୍ୟାମଳ ମେଘେ ଯେହ୍ନେ ଝଟକନ୍ତି ବଳାକେ ।୨୫୨।

ତ୍ରଇଲୋକ୍ୟ ମୋହିଲା ସେ ଶରଦ ଚନ୍ଦ୍ରମୁହୀଂ

ରାଜାମାନେ ବଶ ହୋଇଲେ ରୂପକୁ ତାର ଚାହିଂ ।୨୫୩।

ବିଚାରନ୍ତି ରାଜାୟେ ଧନ୍ୟ ଧନ୍ୟ ୟେହୁ ବାଳୀ

କାମଦେବହିଂ ସେ ୟେହାର ମନର ହିଆଳି ।୨୫୪।

ପ୍ରତକ୍ଷେ ରତି ୟେ କି କାମଦେବର ନାରୀ

ଅମର ସାଧବୀ ୟେ ମଞ୍ଚରେ ଅବତରି ।୨୫୫।

ରମ୍ଭା ମେନକା ଉର୍ବଶୀ କାମସେଣା ମୋହିନୀ

ୟେହା କିମ୍ପା ଉପେକ୍ଷା କଲାକ ସହସ୍ର ଯୋନି ।୨୫୬।

ପୂର୍ବ ପୁଣ୍ୟ କରିଥିଲା ଯେ ୟେ ଆମ୍ଭର ବେନି ଆଖି

ନିର୍ମଳ ହୋଇଲା ୟେବେ ୟେହାର ରୂପ ଦେଖି ।୨୫୭।

ଗତ ଜନ୍ମ ପୁଣ୍ୟ ବକୁ ୟେମନ୍ତ ହୋଇଲା

ନ ପାଇ ପାଇଲା କିଂବା ନ ଦେଖି ଦେଖିଲା ।୨୫୮।

ମୋହେଣ ବଶ ହୋଇ ଯେ ସମସ୍ତେ ନିମଜ୍ଜି

ୟେମନ୍ତେ ରାଜାୟେ ମନେ ବିଚାରନ୍ତି ହେଜି ।୨୫୯।

ପୁଣ ପୁଣ ପରଶଂସି ବୋଲନ୍ତି ସର୍ବ ରାଜା

ଧନ୍ୟ ଧନ୍ୟ ନୃପତି ହୋ ତୋହୋର ତନୁଜା ।୨୬୦।

ପୁଣ ପୁଣ ଉପନେସିଣ ବୋଲନ୍ତି ସର୍ବ ରାଜା

ମୃତୁ ମଣ୍ଡଳ ଲୋକନ୍ତ ୟେ ନ ଯୋଗାଇ ଭାରିଯା ।୨୬୧।

ଦ୍ରିଯୋଧନ ବଚନେ ଅଇଲୁଂ ସର୍ବ ରାଜା

ୟେତେ ବଡ଼ ସଭାରେ ହେଉଅଛି ଲଜ୍ଜା ।୨୬୨।

ୟେତେକ ବିଚାରି ରାଜାୟେ ହୋଇଲେ ମଉନ ବ୍ରତ

ଥମ୍ଭୀଭୂତ ହେଲେ ତହିଂ ସର୍ବ ନରନାଥ ।୨୬୩।

ସମସ୍ୟା ଦେଇ ନୁଆରିଲେ କେବଣହିଂ ନୃପ

ମୁଦୁସୁଲୀ ଦେଖାଇଲା ଚନ୍ଦ୍ରାବତୀକି ରାଜାଂକ ସରୂପ ।୨୬୪।

ହୃଦଗତେ ଭାଳି ବାଳୀ ରାଜା ବର୍ଣ୍ଣ ଚିହ୍ନ

କାହାଠରେ ନ ବଳିଲା ଚନ୍ଦ୍ରାବତୀ ମନ ।୨୬୫।

ୟେମନ୍ତରେ ମୁଦୁସୁଲୀ ଘେନି ସୁକୁମାରୀ

ସଭାରେ ସେ ଉଭା କରି ନେଲା ଅନ୍ତପୁରୀ ।୨୬୬।

ୟେହେନେକ କାଳେ ସଭାୟେଣ ହାଦେ

ବ୍ରହ୍ମାର ନନ୍ଦନ ବିଜେ କଲେକ ନାରଦେ ।୨୭୬।

ହାଥରେ ଦଣ୍ଡ କମଣ୍ଡଳୁ ବୀଣାୟେକ ଘେନି

କାନ୍ଧରେ କଳି ଧୋକଡ଼ି ଶତେ ସରି ମୁଣି ।୨୬୮।

କଳିକାଳ ଉପଗତ କରନ୍ତି ସେହୁ ମୁନି

ଲାଗୁ ଲାଗୁ ବୋଲି ନୃତ୍ୟ କରନ୍ତି ତପୋଧନୀ ।୨୬୯।

ଭାରିଯା ନାମ ଡେଙ୍ଗୁରୀ ପୁଅର ନାମ ଗୁଣ୍ଡେୟ

ବୋହୂ କଳିଜଞ୍ଜାଳି ଆପଣେ କଳହ ପ୍ରିୟ ।୨୭୦।

ମାଆ ନାମ ଧୋକଡ଼ି କଳହ ମୁଣିରେ ସମସ୍ତ ରୁଣ୍ଡ କରି

ବିଜୟେ ନାରଦେ ଯାଇଂ ହସ୍ତିନା ନାମେ ପୁରୀ ।୨୭୧।

ନାରଦଂକୁ ଦେଖି କରି ଉଠିଲେ ସର୍ବ ରାଜା

ମୁନିଂକ ପାଦପଦ୍ମେ କଲେ ଦିବ୍ୟ ପୂଜା ।୨୭୨।

ଅନେକ ସାନନ୍ଦ ହୋଇଲେ ସକଳ ନୃପତି

ପାପ କ୍ଷୟେ ଗଲା ଫିଟିଲା ସକଳ ମନ ଭ୍ରାନ୍ତି ।୨୭୩।

ଅଇଲାର ସୁଫଳ ଆମ୍ଭର ୟେତେକଇଂ ହେଟି

ଦୁତୀବ୍ରହ୍ମ ରୂପ ଦେଖିଲୁ ନାରଦ ତପନିଷ୍ଠି ।୨୭୪।

ଅନେକ ପୂଜାବିଧି କଲେ କୁରୁସାଈଂ

କନେକ ପିଢାରେ ବସାଇଲେ ମୁନିଂକି ନେଇ ।୨୭୫।

ଆଜ ଆମ୍ଭେ ଦେଖିଲୁ ବ୍ରହ୍ମଚର୍ଯ୍ୟ ଯୁଗାନ୍ତେକ ଭୋଗୀ

କଳିକାକ ବଞ୍ଚାଣ ଅଭୟେ ପରମ ଯୋଗୀ ।୨୭୬।

କଳିର ଧର୍ମ ସେ କଳି କୁତୂହୋଳେ

କଲ୍ୟାଣ କରନ୍ତି ମୁନି ନୃପତି ମଣ୍ଡଳେ ।୨୭୭।

ଶ୍ରୀବ୍ରହ୍ମଋଷି ଯେ ସେ ନାରଦଂକ ଚରଣେ

ବଦନ୍ତି ସାରୋଳା ଦାସ ପଶନ୍ତି ଶରଣେ ।୨୭୮।

ୟେଥୁ ଅନନ୍ତରେ ଯେ କଳହପ୍ରିୟ ଋଷି

ଆହୋ ମାନଗୋବିନ୍ଦ କଲ୍ୟାଣ ହୁଅସି ।୨୭୯।

ଦ୍ରିଯୋଧନ ବୋଇଲା ମୁନି ହେ ରହ ମୋର ପୁରୀ

ସୟମ୍ୱର ମଣ୍ଡଳେ ପୂରିଅଛନ୍ତି ସକଳ ଦଣ୍ଡଧାରୀ ।୨୮୦।

ୟେମନ୍ତର ସମୟେ ପାଣ୍ଡବେ ପାଞ୍ଚ ଭାଇ

ନାରଦଂକ ଚରଣେ ପ୍ରଳମ୍ୱିତ ହୋଇ ।୨୮୧।

ଯୁଝେଷ୍ଠି ପଚାରିଲେ ହୋ ମୁନି ଦୋହିତାର ନିମନ୍ତେ

ସୟମ୍ୱର କଲା ୟେ ରାଜା କୁରୁନାଥେ ।୨୮୨।

ତୁମ୍ଭର ବିଚାରକୁ କିସ ଯୋଗାଇଲା ମୁନି

ସୟମ୍ୱର କଥା ଦେଖି ମୋ ମନକୁ ସୁଖ ନ ଘେନି ।୨୮୩।

ନାରଦେ ବୋଇଲେ ମନ୍ଦକୃତ୍ୟ କଲ ଯୁଝେଷ୍ଠି

ଦୂଷିତ ପରାୟେ ଲାଗୁଛି ୟେହାପରା କନ୍ୟା ଗୋଟି ।୨୮୪।

ଦ୍ୱାରିକା ପୁରେଣ ଅନେକ ବର ଅଛି

ତହିଂରୁ ଗୋଟିୟେ କିମ୍ପା ରାଜା ନ ଆଣିଲା ବାଛି ।୨୮୫।

ରାମ କୃଷ୍ଣ ଦୁହିଂନ୍ତି କିମ୍ପା ନ କହିଲ

କାହାକୁ ଘେନି ଯେ ୟେ କଥା ଆରମ୍ଭିଲ ।୨୮୬।

ହାଥରେ ଘେନିଅଛି ଅର୍ଘ୍ୟ ଯେ ଗୋଟିୟେ

କୃଷ୍ଣ ନାହାନ୍ତି କାହାକୁ ପୁଣି ଅର୍ଘ୍ୟ ଦେବ ରାୟେ ।୨୮୭।

ରାମକୃଷ୍ଣ ଯେଉଂ ସଭାରେ ନ ଥିଲେ

ଅର୍ଘ୍ୟ ଘେନନ୍ତା ନାହିଂ କେହି ବ୍ରହ୍ମା ରୁଦ୍ର ହେଲେ ।୨୮୮।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ବ୍ରହ୍ମଯତି

ୟେହା ଶୁଣିଲେ ତୁମ୍ଭନ୍ତ କୋପ କରିବଟି କୁରୁପତି ।୨୮୯।

ୟେକାନ୍ତେ ଯୁଧିଷ୍ଠିଂକି ସେ ନାରଦ ତହୁଂ ରାଇ

କନ୍ୟାକୁ ଆବୋରି ତୁମ୍ଭେ ଥାଅ ପାଞ୍ଚ ଭାଇ ।୨୯୦।

ଆଜ କନ୍ୟାକୁ କାହାକଇଂ ନ ଦେବ ଯେ ବରି

ରାତ୍ରକ ଭିତରେ ବର ଘେନି ଆସିବି ଅନୁସରି ।୨୯୧।

ୟେ ରାଜାମାନଂକର ସବୁରି ଦର୍ପ ଧଂସି

ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି ସର୍ବ ଦର୍ପ ନାଶି ।୨୯୨।

ୟେତେ କହିଣ ମୁନି ଚଳିଲେ ଅନ୍ତର୍ଧାନେ

ଆନନ୍ଦ ହୋଇ ମୁନି ବିଚାରନ୍ତି ମନେ ।୨୯୩।

ବଡ଼ ରହସ୍ୟ କଥା ହୋଇବ କୁତୂହୋଳ

କନ୍ୟାର ମନ କେମନ୍ତେ ବୁଝିବା ପ୍ରବଳ ।୨୯୪।

ୟେତେ ବିଚାରି ମୁନି ଚଳିଲେ ତୁରିତେ

ଚନ୍ଦ୍ରାବତୀ ମେଢରେ ପଶିଲେ ବ୍ରହ୍ମସୁତେ ।୨୯୫।

ଦେଖିଲେ ଚନ୍ଦ୍ରାବତୀ ବସିଅଛି ତହିଂ

ପରିବାରୀ ମୁଦୁସୁଲୀ ବେଢିଛନ୍ତି ରହି ।୨୯୬।

ନାରଦଂକୁ ଦେଖିଣ ଉଠିଲା ଚନ୍ଦ୍ରାବତୀ

ନାରଦଂକ ଚରଣ ତଳେ ପ୍ରଳମ୍ୱ ଯୁବତୀ ।୨୯୭।

ବିନୟ ଦେଖି ମୁନି କନ୍ୟାକୁ କଲ୍ୟାଣ କରନ୍ତି

ଅୟି ସୁଲକ୍ଷଣୀ ହୁଅ ଗୋ ଭାଗ୍ୟବନ୍ତୀ ।୨୯୮।

ପତିର ବଲ୍ଲଭା ହୋଇ ବଞ୍ଚ ପ୍ରତିଦିନ

ତୋହୋର ବଲ୍ଲଭ ହୋଉ କୃଷ୍ଣର ନନ୍ଦନ ।୨୯୯।

ୟେ ବଚନ ଶୁଣି ବୋଇଲାକ ଚନ୍ଦ୍ରାବଳୀ

ୟେ କଲ୍ୟାଣ କେମନ୍ତେ କଲ ହେ ତପଶାଳୀ ।୩୦୦।

ମୋହୋର ପିତା ଖୁଡୁତା ୟେବେ ଦୁଷ୍ଟବୁଦ୍ଧି କରି

ରାଜାମାନନ୍ତ ଆଣିଲେ ସୟଂବରେ ବରି ।୩୦୧।

ୟେଣେ ୟେ ବର ଯେ ମୋର ମନକୁ ନ ଖଟି

ରାତ୍ର ଦିବସରେ ମୁଂ ହୋଉଅଛି ବଡ଼ କଷ୍ଟି ।୩୦୨।

ତୁମ୍ଭେ ଯେ ବ୍ରହ୍ମମୁନି କହିଲ ଦିବ୍ୟ ବାଣୀ

ମୋହୋର ମନ ଆନନ୍ଦ ତୁମ୍ଭର ବାଣୀ ଶୁଣି ।୩୦୩।

କୃଷ୍ଣର ନନ୍ଦନ ଅଟଇ ମୋର ପଞ୍ଚୁମନେ ପତି

ତାୟେ ବିନୁ ମୋହୋର ଆନେ ନ ବଳଇ ମତି ।୩୦୪।

ସେ ଯେବେ ଜଗନ୍ନାଥଂକର ଅଟଇ ନନ୍ଦନ

କେମନ୍ତେ ସୁନ୍ଦର ତାହାଂକର ରୂପକୁ ସମ ନୋହେ ଆନ ।୩୦୫।

ୟେ ବଚନ ଶୁଣି ନାରଦ ତପନିଷ୍ଠି

କଳି ଧୋକଡ଼ି ମୁଣିରୁ କାଢିଲେ ଚିତ୍ରପଟ ଗୋଟି ।୩୦୬।

ଚନ୍ଦ୍ରାବଳୀ ଆଗରେ ଥୋଇଲେ ମହାମୁନି

ଦେଖ ରେ ସୁନ୍ଦରୀ ୟେ ବରେ କି ତୋ ମନ ମାନି ।୩୦୭।

ୟେହିଟି ଶ୍ରୀକୃଷ୍ଣର ନନ୍ଦନ ବୀର ଶାମ୍ଭ

ୟେହାର ସରୂପ ଯେ ସାକ୍ଷାତେ ଅଟଇଟି କାମ ।୩୦୮।

ୟେମନ୍ତେ ବର ଯେବେ ମନକୁ ତୋର ବଦି

ୟେହିକ୍ଷଣି ଭିଆଇ ତୋତେ ଆଣିଦେବି ତଦି ।୩୦୯।

ଦେଖିଣ ଚିତ୍ରପଟ ମୋହଗତ ବାଳୀ

ନାରଦଂକ ଚରଣ ଧରିଣ ବିକଳି ।୩୧୦।

ଅଶ୍ରୁଜଳ ସଂହରି ମନେଣ ସାନନ୍ଦ

ମୋତେ ୟେ ବର ଭିଆଇଦିଅ ହେ ନାରଦ ।୩୧୧।

ମୋହୋର ପିତା ନ ଜାଣି ସୟମ୍ୱର କଲା

ଲକ୍ଷେ ନୃପତିଂକି ସେ ଯେ ବରିଣ ଆଣିଲା ।୩୧୨।

ୟେହାନ୍ତ ବରିତେ ମନ ମୋର ଯେ ନ ବଳଇ ମୁନି

ଚିତ୍ରପଟ ଦେଖି ଚିତ୍ତ ଦଗଧ ହୋଇଲାନି ।୩୧୩।

ୟେହୁ ବର ଗୋଟି ଯେବେ ଆଣିଦେବ ମୋତେ

ତୁମ୍ଭର ଚରଣେ ମୁଂ ହୋଇଥିବି ଭକତେ ।୩୧୪।

ଶୁଣି ଅନ୍ତର୍ଧାନେ ଗଲେ ମୁନି ଦ୍ୱାରିକା ଭୁବନେ

ମନଦଣ୍ଡ ପବନଯାନ ଚଢି ଗମିଲେ ମହାମୁନ୍ୟେ ।୩୧୫।

ପ୍ରବେଶ ହୋଇଲେ ଯାଇଂ ଭୁବନ ଦ୍ୱାରିକା

ଦେଖିଲେ ଶାମ୍ୱ କୁମାର ଆସ୍ଥାନେ ଅଛି ୟେକା ।୩୧୬।

ସାତବଂଶ ଯାଦବେ ଅଟନ୍ତି ପଟୁଆରୀ

ୟେକାନ୍ତେ ଶାମ୍ୱ କୁମରକୁ କହିଲେ ହକାରି ।୩୧୭।

ଜମ୍ୱୁବତୀର ନନ୍ଦନ ସେ ଯେ ତ୍ରଇଲୋକ୍ୟ ମୋହନ

ପ୍ରତକ୍ଷେ କାମଦେବ ପ୍ରାୟେ ଦିଶଇ ତାର ବର୍ଣ୍ଣ ।୩୧୮।

କୃଷ୍ଣର ସାଦୃଶେ ସେ ବିକ୍ରମସିଘଂ ପ୍ରାୟେ

ବଳରାମ ସାଦୃଶ୍ୟେ ଦିଶଇ ତେଜମୟେ ।୩୧୯।

ପିତାମହଂକ ସାରିକ୍ଷେ ଅଟଇ ଯାର ବୁଦ୍ଧି

ବଡ଼ିମାପଣକୁ ସେ ପ୍ରତକ୍ଷେ ଜମ୍ଭଭେଦୀ ।୩୨୦।

ପଣ୍ଡିତ ପଣକୁ ସେ ବୃହସ୍ପତି ସମାନେ

ବୀରପଣକୁ ସେ ଯେ ପ୍ରତକ୍ଷେ ଦୁତୀ ଯମେ ।୩୨୧।

ଚଉରାଶି ଲକ୍ଷଣ ନିରୋପନ୍ତି ମହାମୁନି

ନାରଦ ବିଚାରନ୍ତି ୟେହାକୁ ଯିବି ଘେନି ।୩୨୨।

ୟେତେ ବିଚାରିଣ ଲେଉଟିଲେ ବ୍ରହ୍ମସୁତ

ଶାମ୍ୱ କୁମରକୁ ଚାହିଂ କହନ୍ତି ଗୁପତ ।୩୨୩।

ନାରଦେ ବୋଇଲେ ଶୁଣ ବାବୁ ଶାମ୍ୱ

ତୋହୋର ନିମନ୍ତେ ବାବୁ ଆମ୍ଭର ବଡ ଶ୍ରମ ।୩୨୪।

ଆମ୍ଭକୁ ବଧାଇ ରେ ଦେବୁ ରତ୍ନଶ୍ରେଷ୍ଠ

କନ୍ୟା ଗୋଟିୟେ ଠାବ କରି ଅଇଲୁ ରେ ପଦ୍ମନ କନିଷ୍ଠ ।୩୨୫।

ଅଭୟେ ବାରସୃତୀ ଭୁବନ ଦ୍ୱାରିକା

ଅନେକ ସ୍ତିରୀ ଅଛନ୍ତି କେ କରିବ ଲେଖା ।୩୨୬।

ପ୍ରଭାବତୀ ହାରାବତୀ ତ୍ରିଭୁବନ ମୋହିନୀ

କାଳିନ୍ଦୀ ନୀଳେନ୍ଦୀ ମଦନିକା ତ୍ରିଲୋଚନୀ ।୩୨୭।

ୟେହାଂକର ରୂପକୁ ପଟାନ୍ତର ନାହିଂ ତିନି ସ୍ୱର୍ଗେ

କନ୍ୟା ଠାବ କରି ବାବୁ ଆମ୍ଭେ ଅଇଲୁ ୟେବେ ।୩୨୮।

ସୋମବଂଶ ରାଜା ଦ୍ରିଯୋଧନ ନୃପତି

ଅତି ମାନେ ମାନଗୋବିନ୍ଦ ଚକ୍ରବ୍ରତୀ ।୩୨୯।

ତାହାର ଦୋହିତା ଯେ ଚନ୍ଦ୍ରାବତୀ ବାଳୀ

ସେ ତୋତେ ରୂପ ଗୁଣକୁ ମନର ହିଆଳୀ ।୩୩୦।

ତୁ ସେ ପୁରୁଷରତ୍ନ ସେ ସ୍ତିରୀରତ୍ନ ନାୟେକା

ତ୍ରିଭୁବନ ମଧ୍ୟେରେ ଯେ ପଟାନ୍ତର ୟେକା ।୩୩୧।

ଯେତେକ କନ୍ୟା ତୋର ଦ୍ୱାରିକାରେ ଅଛନ୍ତି

ତାହାର ସମତୁଲେ କେହି ନ ପଡ଼ନ୍ତି ।୩୩୨।

ସୁସଞ୍ଚ ସମାନେ ସୁସଞ୍ଚ ମୃଗାଚ୍ଛୀ

କେବଣ ଦଇବତ ତାକୁ ନିର୍ବାଣ କରିଅଛି ।୩୩୩।

କୁଞ୍ଚି କୁଞ୍ଚିତ କେଶ ଯେ ନୀଳର ଖଞ୍ଜଣୀ

ଅତିରେକ ନୁହଇ ସେ ଅଟଇ ସୁଠାଣୀ ।୩୩୪।

ରତ୍ନ ଖଞ୍ଜିଲା ପ୍ରାୟେ ଦିଶଇ ଲଲାଟ ପାଟି

ତଥି ଉପରେ ଲେଖନ ସୁନ୍ଦର ଟୋପାଟି ।୩୩୫।

ନୟନ ଭ୍ରୂଲତା କି କାମଦେବର ଧନୁ

ପୁରୁଷ ମାତ୍ର ଦେଖି ଧରିବ କେ ତନୁ ।୩୩୬।

ତହିଂକି ତୀକ୍ଷ ଶର ଯେ ନୟନର ବାଣ

ତଡ଼ିତ ସୁନା ଜାଣି ଦିଶଇ ରସାଣ ।୩୩୭।

ଅତି ଅସକତେ ସେ ନ ଚାହଂଇ ଦୃଷ୍ଟି

ଲୋହ ପାଷାଣ ହୋଇଲେ ଅବଶ୍ୟ ଯିବ ଫୁଟି ।୩୩୮।

ଅବଲୋକନେ ସୁନ୍ଦରୀର କିଞ୍ଚିତ ଚାହାଂଣୀ

ଅବହେଳେ ସହସ୍ରେ ସଂସାର ପାରିବାକ ଜିଣି ।୩୩୯।

ୟେକା କଥାୟେ ମାତ୍ର କଲା ପ୍ରଜାପତି

ମାରଇ ତାରଇ ଯେ ଅମୂଲ୍ୟ ରତ୍ନ କାନ୍ତି ।୩୪୦।

ନାସା ପଟାନ୍ତର ଯେ ତିଳ ଫୁଲ ପ୍ରଭା

ନୀଳ ଉତ୍ପଳ ଜାଣି ଦିଶଇ ମୁଖ ଶୋଭା ।୩୪୧।

ଅଳପ ଦିନରେ ସେ ଭୂମିରେ ପଡ଼ଇ ଲୋଟି

ଦେଖିଲେ ଜନମାନେ ଅଧର୍ଯ୍ୟ ହୋଇବେଟି ।୩୪୨।

ମଝା ଗଣ୍ଡି କ୍ଷୀଣ ଯେ ଅତିହିଂ ସଂକୀର୍ଣ୍ଣ

ପଟାନ୍ତର ଦେବା କି ମତ୍ତଗଜ ଚାଲି ପୁଣ ।୩୪୩।

ଘନ ଘନ ପବନେ ନ ପୁଣ ପଡ଼ଇ ଭାଞ୍ଜି

ପୁଣ ପୁଣ କାଳକେ ପାରିବ ସିନା ଖଞ୍ଜି ।୩୪୪।

ଚାଳନ୍ତେ ସୁନ୍ଦରୀର ନ ବାଜଇ ପାଦଗତି

ସଂସାର ଜନେ କି ବ୍ରତିବେ ଦେଖି ମୂର୍ତ୍ତି ।୩୪୫।

ଜଳେ ଯେସନେକେ ବିହଡ଼ନ୍ତି ହଂସପନ୍ତି

ତେସନୋକ ଶୋଭାବନ ତାର ଚାଲିବାର ଗତି ।୩୪୬।

ନାରଦେ ବୋଇଲେ ତୁମ୍ଭେ ଶୁଣ ଶାମ୍ୱ କୁମାର

ଚନ୍ଦ୍ରାବତୀ ନାମ ଯେ ଅଟଇ ପୁଣ ତାର ।୩୪୭।

ପିତା ଦ୍ରିଯୋଧନ ମାତା ଭାନୁମତୀ

ମାଇକା ଅଜା ତାର ଭୂମନୁ ଚକ୍ରବ୍ରତୀ ।୩୪୮।

ପିତାମହ ଧୃତିରାଷ୍ଟ ଅଟଇ ସୋମବଂଶୀ

ବାଛିବାକୁ ଦୁଇକୁଳ ଅଟଇ ନିର୍ଦ୍ଦୋଷୀ ।୩୪୯।

ନାରଦଂକ ମୁଖରୁ ୟେ ବଚନ ଶୁଣି

କାମେ ଅଚେତନ ହେଲା ସେ କୁମରମଣି ।୩୫୦।

ନାରଦ ମୁନିଂକ ପାଦେ ବହୁ ପରିମାଣି

ୟେ ମହା ସଂକଟୁ ମୋତେ ଉଦ୍ଧର ହେ ସ୍ୱାମୀ ।୩୫୧।

କେତେ ଦୂର ୟେହିଠାରୁ ଅଟଇ ହସ୍ତିନା

ନାରଦ ବୋଇଲେ ପଞ୍ଚଷଠି ଯୂଣ ସିନା ।୩୫୨।

ୟେବେ ତିନି ପ୍ରହର ଯେ ଦିନକର ଜ୍ୟୋତି

ନିଶି ଅର୍ଦ୍ଧମାନେ ଯାଇଂ ଭେଟିବା ଚନ୍ଦ୍ରାବତୀ ।୩୫୩।

ଶାମ୍ୱ କୁମର ବୋଲଇ କନ୍ୟା କେତେ ବୟସ

ନାରଦେ ବୋଲନ୍ତି କନ୍ୟା ଷୋଳ ଯେ ବରଷ ।୩୫୪।

କୁମର ବୋଲଇ ମୋହଠାରୁ ବଡ଼ ବରଷେକ

ୟେହା ତୁମ୍ଭେ ଭିଆଇଛ ନାରଦ ଅବିବେକ ।୩୫୫।

ପୁରୁଷଠାରୁ ସ୍ତିରୀ ବଡ଼ ହେଲେ ନ ଘଟଇ

ପନ୍ଦର ବରଷ ମୋର ବୟସ ଅଟଇ ।୩୫୬।

ବଳରାମ ଶ୍ରୀକୃଷ୍ଣଂକୁ ପଚାରିବ ତୁମ୍ଭେ

ସେମାନେ ୟେ ପିଣ୍ଡର ଅଧିକାରୀ ଅଟନ୍ତିଟି ୟେବେ ।୩୫୭।

ନାରଦେ ବୋଇଲେ ଆରେ କି ବାଇ କି ବାତୁଳ

ପୁରୁଷର ସ୍ତିରୀ ସିନା ଅଟଇ ସେ ମୂଳ ।୩୫୮।

ପିତା ନ ଜାଣିଲା କାହିଂ ବିଭା ଅଛି

ନାରଦେ ବୋଇଲେ ତୁ ଶୁଣ ଶ୍ରୀକୃଷ୍ଣର ବଚ୍ଛି ।୩୫୯।

ପିତା ନ ଜାଣିଣ ବିଭା ଯେ ପଦ୍ମନ

ପିତା ନ ଜାଣିଣ ବିଭା ଚିତ୍ରସେନ ।୩୬୦।

ପିତା ନ ଜାଣିଣ ବିଭା ଓଷା କନ୍ୟା

ପିତା ନ ଜାଣି ଯେ ବିଭା ସୁଲୋଚନା ।୩୬୧।

କୁମର ବୋଲଇ ନାରଦେ ଶୁଣ ତୁମ୍ଭେ ଦୃଢ

ପୁରୁଷଠାରୁ ସ୍ତିରୀ କେହୁ ଅଛି ବଡ଼ ।୩୬୨।

ନାରଦେ ବୋଲନ୍ତି ଶୁଣ ତୁ ନନ୍ଦନ

ବଳରାମଠାରୁ ରେବତୀ ସହସ୍ର ବରଷେ ବଡ଼ ପୁଣ ।୩୬୩।

ଇନ୍ଦ୍ରଠାରୁ ଶଚୀ ଅଟଇ ଯେ ବଡ଼

ବ୍ରହ୍ମାଠାରୁ ସାବିତ୍ରୀ ଅଟଇ ଯେ ବଡ଼ ।୩୬୪।

ରୁଦ୍ରଠାରୁ ପାର୍ବତୀ ବଡ଼ ସେ ଅଚନ୍ତି

କୃଷ୍ଣଠାରୁ ଲକ୍ଷ୍ମୀ ବଡ଼ ଯେ ଘଟନ୍ତି ।୩୬୫।

ଶୁଣିଣ କୁମର ଚରଣେ ପଡ଼ଇ

ଚାଲ ଯିବା ନାରଦେ ବୋଲିଣ ବୋଲଇ ।୩୬୬।

ଶୁଣି କରି ସାନନ୍ଦ ଜମ୍ୱୋବତୀର ନନ୍ଦନ

ଶ୍ରୀକୃଷ୍ଣର ସମାନେ ଦିଶଇ ତେଜ ବର୍ଣ୍ଣ ।୩୬୭।

ପୁଷ୍ୟେକ ଆରୋହି ଯେ ଚଳଇ ଶାମ୍ୱ କୁମର

ଆଗେ ନାରଦ ମୁନି ଅଛନ୍ତି ସଙ୍ଗତର ।୩୬୮।

ଯମୁନା ନଦୀ ତୀରେ ସଉନିଧି ପର୍ବତ ଶୋଭା

ସେ ପର୍ବତକୁ ଦିଶଇ ହସ୍ତିନା ଆସ୍ତାନର ସଭା ।୩୬୯।

ଦିହୁଡ଼ି ତେଜେ ଯେ ଦିଶଇ ଆଲୋମୟେ

ରାତ୍ର ବିକାଶଇ ଯେ ଦିବସ ପରାୟେ ।୩୭୦।

ଶାମ୍ୱ ପଚାରଇ ମୁନି ହେ ୟେ କେମନ୍ତ ସଭା

କେବଣ ବାଟେ ଯାଇଂ ତହିଂରେ ପଶିବା ।୩୭୧।

ଆଗେ ନାରଦ ମୁନି ଯେ ପଛେ ଶାମ୍ୱ କୁମର

ପ୍ରବେଶ ହୋଇଲେ ଯାଇ ମେଢର ପାଖର ।୩୭୨।

ନାରଦ ବୋଇଲେ ତୁ ୟେଠାରେ ଥାଅ ବସି

କନ୍ୟାର ତୁଲେ ଆମ୍ଭେ ବଚନ ସମ୍ଭାଷି ।୩୭୩।

ୟେତେ ବୋଲି ମୁନି ଯେ ଅନ୍ତରୀକ୍ଷେ ଗଲେ

କନ୍ୟାର ସନ୍ନିଧ୍ୟେ ଯାଇଂ ପ୍ରବେଶ ହୋଇଲେ ।୩୭୪।

ମୁଦୁସୁଲୀ ଯେ କହନ୍ତି ଷୁଣସି ଗୋ ମାୟେ

ତୋହୋର ଆଶେ ଗୋ ଅଇଲେ ସର୍ବରାୟେ ।୩୭୫।

ରାଜାମାନଂକର ଗୋ ଦେଖିଲୁ ଗୁଣମାନ

ସମସ୍ୟା ନ ଦିଲୁ ମା ଗୋ କେବଣ ବିଧାନ ।୩୭୬।

ଚନ୍ଦ୍ରାବତୀ ବୋଇଲେ ଗୋ ଶୁଣ ମୁଦୁସୁଲୀ

ରାଜାମାନଂକର ମୁଂ ଚିହ୍ନ ବର୍ଣ୍ଣହିଂ ଦେଖିଲି ।୩୭୭।

ଯେତେକ ସମ୍ଭର୍ବେ ଅଛନ୍ତି ନୃପବର

ମୁନିଂକର ସନ୍ଦେଶ ତ ନ ଦେଖିଲି ସଭାର ।୩୭୮।

କଉଂଣସି ମତେ ନ ବଳଇ ମୋର ମତି

ୟେ ସୟମ୍ୱର ମଧ୍ୟେ ନାହିଂନା ମୋର ପତି ।୩୭୯।

କେମନ୍ତେ କରିଛନ୍ତି ଅଭୟେ ହିଙ୍ଗୁଳାଇ

ପ୍ରାଣର ବିକଳ ମୋର ସେହି ସେ ଜାଣଇ ।୩୮୦।

ଜୟ ଜୟ ଦେବୀ ଗୋ ପ୍ରସନ୍ନ ସାଧବୀ

ଅଭୟ ଅପର୍ଣ୍ଣା ଯେ ସିଦ୍ଧ ସାରାଳା ଚଣ୍ଡୀ ଦେବୀ ।୩୮୧।

ଦୁର୍ଗତିରୁ ତରିବି ଗୋ ତୋହୋର ପରସାଦେ

ୟେ ମୋହୋର ବଚନ ନ ଚଳୁ କେବଣ ବାଗେ ।୩୮୨।

ଦେଖିଲି କଳିକାଳ ସଂସାର ଅନିତ୍ୟେ

ଘୋଟିଲା ମାୟେ ମୋହ ସଂସାରେ ଯୁଗତେ ।୩୮୩।

କେମନ୍ତେ ପାର ହୋଇବି ଅଗ୍ୟାନ ମୋର ବୁଦ୍ଧି

କିଞ୍ଚିତ ଭଗତେ ମୋତେ ପ୍ରସନ୍ନ ହୋଅ ଗୋ ଅନାଦି ।୩୮୪।

ମୁହିଂ ଅପଣ୍ଡିତ ମୂର୍ଖ ହୃଦେ ନାହିଂ ମୋ ଗୋଚର

ପୂର୍ବ ଜନ୍ମେ ଅଭ୍ୟାସ କେବଳ ଅଛଇ ମୋହୋର ।୩୮୫।

ପରଲୋକ ତାରିଣୀ ଗୋ ଭଗତ ଜନ ବନ୍ଧୁ

ଦୁଖୀଜନ ଉଦ୍ଧାରିଣୀ ମହିଂମା ତୋର ସାଧୁ ।୩୮୬।

ଅବନ୍ଧନେ ବନ୍ଧନ ପଡିଲି ନୋହିଲା ମୋର ଗତି

ମୋତେ ପ୍ରସନ୍ନ ହୋଅ ଗୋ ଅଭୟେ ଭଗବତୀ ।୩୮୭।

ପ୍ରଶୁରାମ ଯାର ଦେଖି ନୁଆରିଲା ବର୍ଣ୍ଣ ଚିହ୍ନ

ବିବର୍ଣ୍ଣ କରି ଦେଖିବାକୁ ନୋହିଲା ଭାଜନ ।୩୮୮।

ଅଭୟେ ଅଜୟେ ଅଟଇ ଯାର ଥାନ

ପୂଜିତେ ମନ୍ତ୍ର ନାହିଂ ନ ଦିଶଇ ବର୍ଣ୍ଣ ଚିହ୍ନ ।୩୮୯।

ପରମ ନିରାକୁଳୀ ଗୋ ଅବିଚ୍ଛନ୍ନେ ଯାର ମାୟା

କ୍ଷଣ କ୍ଷଣକେ ତେଜ ବିଜୁଳୀ ଜାଣି କାୟା ।୩୯୦।

ମୁହିଂ ମୂର୍ଖ ଜନ ଅପଣ୍ଡିତ ଜାତି

କିଞ୍ଚିତେ ଦୟା ମୋତେ କଲେକ କାଳରାତ୍ରି ।୩୯୧।

ଜଙ୍ଖେରପୁର ବାସୀ ଶ୍ରୀ ସିଦ୍ଧ ଯେ ସାରୋଳା

ସେ ଦେବୀନ୍ତ ଭାବିଲି ବୁଦ୍ଧି ମୋ ଅନର୍ଗଳା ।୩୯୨।

ପ୍ରଥମେ ମଙ୍ଗଳା ଜଙ୍ଖେରପୁର ବାସିନୀ

ସୁଜନ ଜନ ବୋଧନୀ ଗୋ ଜଗତ ତାରଣୀ ।୩୯୩।

ଯେବଣ ଦେବୀ ଆଗ୍ୟାଂରେ ସେ ଫିଟଇ ଯମଦଣ୍ଡ ଫାଶି

କଳିକାଳ ତାରେଣୀ ଗୋ ମୁକତି ଗତି ଦେସି ।୩୯୪।

ସେ ସିଦ୍ଧ ସାରୋଳା ଚରଣେ ମୁହିଂ ଦାସ

ବୋଲଇ ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୩୯୫।

ଆହୋ ବୁଧଜନେ ତୁମ୍ଭେ ବିଚାର କର ମନେ

ୟେ କଳିକାଳରୁ ତର ସିଦ୍ଧ ସାରୋଳା ପ୍ରସନ୍ନେ ।୩୯୬।

ଶ୍ରୀକରେ ଅର୍ଘ୍ୟ ଘେନି ବାଳୀ ଚନ୍ଦ୍ରାବତୀ

କରଇ ବନ୍ଦାପନା ଅଭୟେ କାଳରାତ୍ରି ।୩୯୭।

ଶ୍ରୀ ସର୍ବମଙ୍ଗଳା ଚରଣେ ମୋର ସେବା

ଆପାଦ ଖଣ୍ଡଣି ମୋତେ ସ୍ୱାମୀ ଦାନ ଦେବା ।୩୯୮।

ଆପଣେ ଦେବୀ ମା ଗୋ ପରମ ସାନନ୍ଦେ

ତ୍ରଇଲୋକ୍ୟ ତାରିଣୀ ଗୋ ଖଣ୍ଡସି ଅପାଦେ ।୩୯୯।

ପର ଦୁଖ ତାରିଣୀ ମା ଗୋ ତୁ ସର୍ବ ମଙ୍ଗଳେ

ଦ୍ରଶନେ ନିଷ୍ଫଳ ଗୋ ନୋହଇ ସର୍ବକାଳେ ।୪୦୦।

ହୃଦୟେ ସାନନ୍ଦେ ମୋର ବିଘଂସିତ ମନ

ସୁମରନ୍ତେ ଫୁରିଲା ବାମ ଯେ ନୟନ ।୪୦୧।

ଶୁଭ ଶକୁନି ଦେଖିଲା ଚନ୍ଦ୍ରାବତୀ ବାଳୀ

ବାମ ପାଶେ ଛିଂକିଲା ୟେକଇ ମୁଦୁସୁଲୀ ।୪୦୨।

ସୁଲଭ ଦେଖିଣ ସୁନ୍ଦରୀ ଆନନ୍ଦ ପଞ୍ଚୁମନେ

ୟେହି ସମୟେ ବିଜେ କଲେ ନାରଦ ମହାମୁନ୍ୟେ ।୪୦୩।

ପୂଜା ସ୍ଥାନୁ ଉଠି ବାଳୀ ନାରଦଂକ ମୁଖ ଦେଖି

ଶତ ଦଣ୍ଡ ପ୍ରଳମ୍ୱ କଲାକ ଶଶିମୁଖୀ ।୪୦୪।

ନାରଦେ ବୋଇଲେ ତୋ ମନବାଞ୍ଚ୍ଥା ସିଦ୍ଧ ହେଉ

ସୁଲଭ ସ୍ୱାମୀ ହେଉ କାମ କ୍ରୋଧ ପାର ଯାଉ ।୪୦୫।

ନାରଦେ ବୋଇଲେ ଅଇଲୁ ତୋହୋର ନିମନ୍ତେ

ଯହୁଂ ବର ନ ଦେଖିଲୁ ତୋହୋର ଅନୁମତେ ।୪୦୬।

ବିଷ୍ଣୁର ଭୁବନ ଆମ୍ଭେ ଦ୍ୱାରିକାକୁ ଗଲୁ

ପୁରେ ପୁରେ ପଶି ତୋର ବର ଉପନେସିଲୁ ।୪୦୭।

ରାମ ଅବତାରେ ଯେ ଜମ୍ୱେବ ମହାମନ୍ତ୍ରୀ

ତାହାର ଦୋହିତୀ ନାମ ଅଟଇ ଜମ୍ୱୁବତୀ ।୪୦୮।

ସେ ଜମ୍ୱୁବତୀର ନନ୍ଦନ ପ୍ରତକ୍ଷେ ଅଟଇ କାମ

ତ୍ରିଭୁବନ ମୋହନ ନାମ ତାର ଅଟଇ ଶାମ୍ୱ ।୪୦୯।

ସେ କୁମାରକୁ ପ୍ରଦାନ ହୁଅସି ରେ ବାଳୀ

ସେ ତୋତେ ଯୋଗାଇବ ମନର ହିଆଳୀ ।୪୧୦।

ତୋହୋର ରୂପ ଗୁଣ କହିଲି ମଣାଇଂ

ଧନ୍ୟ ସେ ରୂପବନ୍ତ ତିନି ଭୁବନେ ସମ ନାହିଂ ।୪୧୧।

ଶୁଣି କରି ଚନ୍ଦ୍ରାବତୀ ହୋଇଲା ହରଷ

ବୋଇଲା ମୁନି ହେ ତାଂକୁ ବେଗେ ଘେନି ଆସି ।୪୧୨।

ଆସ ରେ ଶାମ୍ୱ ବୋଲି ଡାକିଲେ ତପନିଷ୍ଠି

ଛାମୁରେ ବିଜେ କଲା ଅନଙ୍ଗ ରୂପ ଗୋଟି ।୪୧୩।

ନିକଂଳକ ନିର୍ମଳ ଅଗ୍ନିତେଜ ପ୍ରାୟେ

ୟେକ ବଦନେ ଶତେଚନ୍ଦ୍ର ହୋଇଛି କି ଉଦୟେ ।୪୧୪।

ନିଜ ଥାନେ ବାଳୀ ଦେଖିଲା ପୁରୁଷ

କାମ ମନୋହରେ ବାଳୀ ହୋଇଲା ହରଷ ।୪୧୫।

ମୁହିଂ ୟେ କୁମରକୁ ଆଶ କରିବି କେମନ୍ତେ

ୟେ ଅବା ଉପେକ୍ଷା ଯେ କରି ପାରଇ ମୋତେ ।୪୧୬।

ୟେତେ ବିଚାରି ବାଳୀ ହୋଇଲାକ ତୁନୀ

ଦ୍ରହସିତ ହୋଇ ବୋଇଲେ ନାରଦ ମହାମୁନି ।୪୧୭।

ଗୋବିନ୍ଦର ପୁତ୍ର ୟେ ପ୍ରତକ୍ଷେ ଦ୍ୱାରିକା ମୋକ୍ଷପାନ

ତୁ ୟେବେ ଭାବନା ଭାବ ଭକ୍ତି ଘେନ ।୪୧୮।

ତୋହୋର ମନକୁ ଯେବେ ପାଇଲା ୟେ ବର

ମାଳା ଗୋଟିୟେ ଦେଇ ତୁ ୟେହାକୁ ବରଣ କର ।୪୧୯।

ନାରଦଂକ ବଚନେ ମାନଗୋବିନ୍ଦର ଦୁଲାଳୀ

ଶାମ୍ୱ କୁମର କଣ୍ଠେ ଲମ୍ୱାଇଲା ରତ୍ନମାଳୀ ।୪୨୦।

ଦେଖି କୁମରମଣି ଧଇଲା ତାକୁ କୋଳେ

ମେଢ ଭିତରେ ସେ ଯେ ମହାନିଶା କାଳେ ।୪୨୧।

କୁମର କୁମାରୀ ଭେଟ କରାଇ ମହାମୁନି

ଚଳନ୍ତି ମୁନିବର ଦଣ୍ଡ କମଣ୍ଡଳ ଘେନି ।୪୨୨।

କୁମର ବୋଇଲା ମୋତେ ସଙ୍ଗକେ ଆଣିଲ

ମେଢର ଭିତରେ ଛାଡ଼ି ମୋତେ ଆପଣେ ତ ବିଜେ କଲ ।୪୨୩।

ନାରଦ ବୋଇଲେ ତୁ ଥାଅ ୟେଥି ନିଚିନ୍ତ ଯେ ହୋଇ

ଆମ୍ଭେ ନେଇ ୟିବୁଂ କୃଷ୍ଣକର ଆଗେ କହି ।୪୨୪।

ୟେତେ କହି ନାରଦେ ଯେ ଗଲେ ଅନ୍ତର୍ଧାନେ

ମେଢର ଭିତରେ ସେ ରହିଲେ ବେନି ଜନେ ।୪୨୫।

କୁମର କୁମାରୀ ଯେ ହୋଇଲେ ୟେକ ଯୋଗ

ହୋଇଲା ପୀରତି ଯେ ବଢିଲା ଭାବରଙ୍ଗ ।୪୨୬।

ପାଇଲା ସେ ବାଳୀ ସ୍ୱାମୀ ମନର ହିଆଳୀ

ବାଞ୍ଚା ପୂରିଲା ସେ କୁରୁପତିର ଦୁଲାଳୀ ।୪୨୭।

ଜମ୍ୱୋବତୀର ନନ୍ଦନ ରତିଶାସ୍ରେ ଜିତା

କ୍ରୀଡ଼ା କୁତୂହୋଳେ ମଜ୍ଜିଲା ସେ ବନିତା ।୪୨୮।

ବିବସନ କରି ସେ ବସାଇଲେ କୋଳେ

ମୁଖେ ଚୁମ୍ୱନ ଦେଇ ମଦନ ରସ ଭୋଳେ ।୪୨୯।

ଶାମ୍ୱ ଅଧଉର୍ଯ୍ୟ ଚନ୍ଦ୍ରାବତୀ ମହାଗ୍ୟାଂତା

ବେନି ମୁଖେ ମୁଖ ହୋଇଲା ସଙ୍ଗତା ।୪୩୦।

ଆବର କଥାୟେ ପ୍ରଥମେ ରସ ଖେଦ

ମୟାଣ ଧାଡ଼ିରେ ସେ ହୋଇଲାକ ଭେଦ ।୪୩୧।

କାମେ ଅସାଷ୍ଟମ ହୋଇଲାକ ବାଳୀ

କରଇ ସୁନ୍ଦରୀ ଯେ ଅନେକ କୁତୂହୋଳି ।୪୩୨।

ନିବିଡ଼ ରସରଙ୍ଗେ ପ୍ରସଙ୍ଗ ହୋଇଲା ରାତି

ତିମିର ବିଦାରେଣ ତାମ୍ରଚୂଡ଼ି ରଡ଼ିଦ୍ୟନ୍ତି ।୪୩୩।

ଦେବଆଳେ ଚଉଆଡ଼େ ଶୁଭେ ଶଙ୍ଖ ଧୁନି

ତିମିରି ବିଦାରଣ ନାଥ ଉଦୟେ ତେଜ ଘେନି ।୪୩୪।

ଶାମ୍ୱ କୁମର ବୋଲଇ ସଖୀ ଈଶାନ କୋଣେ ଦେଖ

ଉଦୟେ ଦିନକର ତାମ୍ରଚୂଡ଼େ ଦ୍ୟନ୍ତି ଡାକ ।୪୩୫।

ଚନ୍ଦ୍ରବତୀ ବୋଇଲା ସ୍ୱାମୀ ତୁମେ ମୋର ପ୍ରାଣନାହା

ତୁମର ବିତ୍ରମେ ମୋର ଆନ ନାହିଂ ସାହା ।୪୩୬।

ପିଅର ଜନନୀ ମୋର ପଛେ ପାନ୍ତୁ ଲାଜ

ବିଳମ୍ୱ ନ କର ନାଥ ବେଗେ ଯିବା ଆଜ ।୪୩୭।

କେବଣ ରାଜ୍ୟେ ନାଥ ଅଟଇ ତୁମ୍ଭେ ପୁରୀ

ଚାଲ ଆମ୍ଭେ ଯିବା ବିବାନେ ବିଜେ କରି ।୪୩୮।

ଲକ୍ଷେ ରାଜା ମୂଳେ ଅନେକ ନରେନ୍ଦ୍ର

ରଜନୀ ପାଇଲେ ହୋଇବ ଅନେକ ଦ୍ୱନ୍ଦ ।୪୩୯।

ପିତା ମୋର ନ ସହଇ ପରଦାରା ଚୋରି

ଦୁଷ୍ଟ ଧୁଶାସନ ଦୁର୍ବିନ୍ଦ ଦୁରାଚାରୀ ।୪୪୦।

ଶାମ୍ୱ ବୋଇଲା ମୋତେ କହୁକି ନା ବାଣୀ

ଶରୀର କମ୍ପଇ ମୋର ତୋହୋର କଥା ଶୁଣି ।୪୪୧।

ଚଉର୍ଯ୍ୟ ପଣ କରି ତୋତେ ନ ନିଅଇ କୁମାରୀ

ଟସକର ବୃତ୍ତି ହାଦେ ନାହିଂଟି ଆମ୍ଭରି ।୪୪୨।

ଚଉର୍ଯ୍ୟ ପଣେ ତୋତେ ନିଅନ୍ତେ ଶୁଭ୍ରକେଶୀ

ଦ୍ୱାରିକା ଭୁବନେ କେହି ନୁଆରନ୍ତି ପଶି ।୪୪୩।

ବଳ କରି ହରି କନ୍ୟା ବର ବେଶେ ନେମୁଂ

ତେବେ ସେ ବୋଲଇବୁ ରାମକୃଷ୍ଣଂକର ତନୁ ।୪୪୪।

ୟେତେକ ବିଚାରନ୍ତେ ପାହିଲାକ ରାତି

ଶଙ୍ଖ ଶବଦ ଯେ ଶୁଭଇ ଚଉକତି ।୪୪୫।

ଦିବାକର ଜ୍ୟୋତି ଯେ ବିରାଜେ ମଞ୍ଚ ଭୁବନେ

ନିଦ ଭାଜିଲା ସେନାପତି ସମଦଣ୍ଡ ସଇନେ ।୪୪୬।

ଯମୁନା ନଦୀର ତୀରେ ସ୍ରାହାନ କରନ୍ତି ସର୍ବରାୟେ

ନିତ୍ୟକର୍ମମାନ ସାରି ରାଜାମାନେ ଆସ୍ତାନେ କରନ୍ତି ବିଜୟେ ।୪୪୭।

ପରିବାରୀ ରାଇ ଆଗ୍ୟାଂ ଦିଲେକ ଦଣ୍ଡଧାରୀ

ସଭାକୁ ଘେନି ଆସ ମୋହୋର କୁମାରୀ ।୪୪୮।

ଆଗ୍ୟାଂ ପାଇଣ ସେ ଚଳଇ ମୁଦୁସୁଲୀ

ମେଢର ଭିତରେ ଯାଇ ପ୍ରବେଶ ପୋଇଲି ।୪୪୯।

ଶାମ୍ୱ କୁମର ଅଛି ଦିବ୍ୟ ବେଶ ଧରି

ମେଢର ଭିତରେ ଯାଇଂ ଦେଖିଲେ ଚତୁରୀ ।୪୫୦।

ପରବାରୀମାନେ ଯେ ବିନୟେ ଯୁଗତେ

ସଭାକୁ ବିଜେ କର ଗୋ ମାୟେ ସୟମ୍ୱର ଅର୍ଥେ ।୪୫୧।

ମିଳିଲେ ରାଜାମାନେ ୟେ ତୋହର ଆଶେ

ଲକ୍ଷେ ଭ୍ରମର ଭ୍ରମନ୍ତି ୟେକା ପଦ୍ମ ପୁଷ୍ୟେ ।୪୫୨।

ୟେମନ୍ତେଣ ଦାସୀ କହନ୍ତି ଯେ ପୁଣ ପୁଣି

ରାଜାମାନେ ନିରୋପି ଅଛନ୍ତି ଠାକୁରାଣୀ ।୪୫୩।

ଲକ୍ଷେ ରାଜା ତୋତେ କରିଛନ୍ତି ଆଶ

ତୁ ତାଂକର ପ୍ରିୟବତୀ ହୋଇବୁ ପ୍ରୀତି ବଶ ।୪୫୪।

ତୋହୋର ନ ଗଲେ ସୟମ୍ୱର ଗୋ ହୋଇବ କାହିଂ

ନୃପତି ଆଗ୍ୟାଂ କଲେ ବିଜେ କରିବାକ ତୁହି ।୪୫୫।

ସମସ୍ତ ରାଜାମାନେ ବସିଛନ୍ତି ବରବେଶ ବିଧାନେ

ସଭାରେ ବସିଅଛନ୍ତି ପ୍ରୋଢା ରାଜାମାନେ ।୪୫୬।

ଅନେକ ପାଟଛତ୍ରୀ ଶ୍ୱେତ ଯେ ଚାମର

ଲକ୍ଷେକ ବନିତା ଚାମର ଢାଳନ୍ତି ଆଗର ।୪୫୭।

ରାଜାମାନନ୍ତ ବରିଛନ୍ତି ରାଜା ମାନଗୋବିନ୍ଦ

ଆହୋ ଚଇତନ ୟେମନ୍ତ ସମୟେ ଯାଇ ମିଳିଲେ ନାରଦ ।୪୫୮।

ନାରଦେ ବୋଇଲେ ହୋ ମାନଚକ୍ରବ୍ରତୀ

ୟେତେ ସୟଂବର ତୋର ହୋଇଲା ବିଅର୍ଥୀ ।୪୫୯।

ରକ୍ଷା କରି ନୁଆରିଲୁ ତୋହୋର କୁମାରୀ

ପର ପୁରୁଷ ସଙ୍ଗେ ଯେ ବିପଟ ଭାବ କରି ।୪୬୦।

ସତ୍ୟ ବାକ୍ୟ କଥା ଯହୁଂ କହିଲେ ନାରଦେ

ଶୁଣି ବାକ୍ୟ କଥା ଯହୁଂ କହିଲେ ନାରଦେ

ଶୁଣି କରି ବିରସ ରାଜା ମାନ ଯେ ଗୋବିନ୍ଦେ ।୪୬୧।

ଦୁଲର୍ଭ କଥାୟେ ତ କହିଲ ମହାମୁନି

ୟେଥେ ପଶିତେ କେ ଭାର୍ଜନ ମାନବ ତନୁ ଘେନି ।୪୬୨।

ବଳବନ୍ତ ପଣେ କେ ପଶିବ ମୋହୋର ପୁରେ

କାଳସର୍ପ ତୁଲେ ଖଡ଼ିଆଳି କାହାର ପକ୍ଷରେ ।୪୬୩।

ମୁଦୁସୁଲୀକି ଭାଇ ଆଗ୍ୟାଂ ଦିଲେ କୁରୁପତି

ମେଢର ଭିତରେ ପଶି ଗୋ ଦେଖନା ନିଭ୍ରାନ୍ତି ।୪୬୪।

ସଂୟବରକୁ କିମ୍ପା ନଇଲା ମୋହୋର ଦୁଲାଳୀ

ସମସ୍ତ ନିଯୋଗୀ ଖଟନ୍ତି ମନର ହିଆଳୀ ।୪୬୫।

ରାଜାର ବଚନେ ସେ ଚଳିଲା ବହନ

ବେଗେଣ ମୁଦୁସୁଲୀ ମିଳିଲା ମେଢର ସନ୍ନିଧାନ ।୪୬୬।

ଯେମନ୍ତ ଆଗ୍ୟାଂ ଦେଇ ଅଛନ୍ତି କୁରୁପତି

ଶୀଘ୍ରେ ଚତୁରୀ ମେଢରେ ଧସାଇଂ ପଶନ୍ତି ।୪୬୭।

ସୁମେଧା ନାମେ ମୁଦୁସୁଲୀ ପଶିଲା ଭିତରେ

ଚନ୍ଦ୍ରାବତୀ ନିରୋଧ କରଇ ଆସି ଦ୍ୱାରେ ।୪୬୮।

କୋପଭରେ ଭିତରେ ପଶିଲେ ଧସାଇ ଚତୁରୀ

ଦେଖିଲେ କୁମର କରେ ଅଛନ୍ତି ଶସ୍ର ଧରି ।୪୬୯।

ନିର୍ଧୁମ ଅଗ୍ନି ଜାଣି ବିରାଜଇ ତେଜ

କରେଣ ଧନୁଶର ବିଷମ ନାରାଜ ।୪୭୦।

ବକ୍ରମ ସିଘଂ ଜାଣି ଦିଶଇ ତାର ଜ୍ୟୋତି

ଗ୍ରହରାଜ ରୂପପ୍ରାୟେ ଦିଶଇ ରୂପକାନ୍ତି ।୪୭୧।

ହସ୍ତିନା ପୁରକୁ ସେ ଆକ୍ରେଷିଣ ୟେକା

ନାରୀଗଣମାନେ ଦେଖି ହୋଇଲେ ତାଟକା ।୪୭୨।

କାହୁଂ ଅଇଲୁ ବାବୁ କାହିଂ ତୋର ଦେଶ

କେ ତୋହୋର ପିତା ମାତା କେବଣ ପୁରେ ବାସ ।୪୭୩।

କିମ୍ଭୁତ କାରଣେ ୟେଥେ ପଶିଲୁ ନ ବିଚାରି

ଯମର ମନ୍ଦିରେ କେହ୍ନେ ହୋଇଲୁ ଶସ୍ରଧାରୀ ।୪୭୪।

ଦେଖ ଦେଖ ମାନଗୋବିନ୍ଦ ମହାଛତ୍ରୀ

ଧୁଶାସନ ଦୁର୍ଜୟେ ଶକୁନି ମହାମନ୍ତ୍ରୀ ।୪୭୫।

ସମୋଦ୍ର ଲଂଘିଲେ ପୃଥୀ ରହିବାକ କାହିଂ

ଶାମ୍ୱ କୁମର ଆଗେ ମୁଦୁସୁଲୀ ୟେମନ୍ତ ବୋଲି କହି ।୪୭୬।

କୁମାର ବୋଇଲା ଶୁଣ ଗୋ ମୁଦୁସୁଲୀ

ଚନ୍ଦ୍ରାବତୀ ହସ୍ତିନାକୁ ନାଶକାରୀ ଜାଣି ୟେମନ୍ତ ବୋଲି ।୪୭୭।

ୟେହାର ଯୋଗୁଂ ନାଶ ଯିବେ କଉରୋବେ

ସମସ୍ତ ରାଜାମାନେ ନାଶ ଯିବେ ୟେହାର ଅଭାବେ ।୪୭୮।

ମୁଦୁସୁଲୀ ବୋଇଲେ ବାବୁ ତୁ ବଡଲୋକର ବଳା

ତିରୀଯୋଗେ ନ ମର ତୁ ବହନ ୟେଥୁଂ ପଳା ।୪୭୯।

ସୁକୁମାର ସୁନ୍ଦର ତୁ ରୂପେଣ ବଳବନ୍ତା

ତୋହୋର ବିନୁଂ ଦୁଖ ପାଇବେ ତୋହୋର ମାତା ପିତା ।୪୮୦।

ଶାମ୍ୱ କୁମର ବୋଇଲା ମୁଂ ହସ୍ତିନା ଅଇରି

ତୁ ଯାଇଂ କହ ୟେବେ ଦ୍ରିଯୋଧନ ଦଣ୍ଡଧାରୀ ।୪୮୧।

କୁମରର ଯହୁ ଦେଖିଲେ ଦୁଷ୍ଟ ମତି

ଧୁଶାସନ ଆଗେ ଯାଇଂ ବାରତା କହନ୍ତି ।୪୮୨।

ଶୁଣ ହୋ ଦେବ କୁରୁବଂଶ ଶିରୋମଣି

ମେଢର ବାରତା ଯେ ଅଇଲୁ ଆମ୍ଭେ ଜାଣି ।୪୮୩।

ଅଦଭୁତେ ପୁରୁଷେକ ଅଇଲା ଯେ କାହୁଂ

ସେ ତୋର ଦୋହିତାର ହୋଇଲାକ ପ୍ରହୁ ।୪୮୪।

ଅଦଭୁତ ବାରତା ପାଇଣ ଧୁଶାସନ

କରେ ଗଦା ଧଇଲା ଯେ ଗାନ୍ଧାରୀ ନନ୍ଦନ ।୪୮୫।

ଚଉଷଠି ଚଉଷଠି ଭାର ଗଦା ଧରି

ଧାମଇଂ ଧୁଶାସନ ଜାଣି ମତ୍ତକେଶରୀ ।୪୮୬।

ସହସ୍ରେକ ରଥ ଦୁଇ ସହସ୍ର ହାଥୀ

ଅଗଣିତା ହୟେ ୟେଗାର କ୍ଷଉଣୀ ପାଦାନ୍ତି ।୪୮୭।

ଆହୋ ଚଇତନ ଅନେକ ସମ୍ଭର ହୋଇଣ ରଥ ଚଢି

ଶତେପୁର କରି ମେଢ ଯାଇ ବେଢି ।୪୮୮।

ଧର ଧର ମାର ମାର ଯେ ବିକାଶଇ ବୋବି

ଦୁନ୍ଦୁଭି ଶବଦେ ସେ କମ୍ପଇ ମହୀ ଦେବୀ ।୪୮୯।

ଦ୍ରିଯୋଧନ ଆଗେ ଯାଇ ଚାର କହିଲେ ବାରତ

ମେଢର ଚରିତ ତୁମ୍ଭେ ଶୁଣ ହୋ କୁରୁନାଥ ।୪୯୦।

ଅତୁଲାଇତ ପୁରୁଷ ଦେବ ତୁଲାଇ ତ ନାହିଂ

ଚଉର୍ଯ୍ୟ ପଣେ ପଶିଲା ନ ଦେଖିଲା କେହି ।୪୯୧।

କନ୍ୟାକୁ ବିଡ଼ମ୍ୱଣ କଲା ଆଜ ରାତି

ବୁଝି ନ ପାରିଲୁ ଦେବ ସୟଂମ୍ୱର ରୀତି ।୪୯୨।

ସୟଂବର କରି ଦେବ ପାଇଲୁ ବଡ଼ଲାଜ

ଧଂସି ହୋଇଲୁ ଦେବ ନୋହିଲା କିଛି କାର୍ଯ୍ୟ ।୪୯୩।

ରାଜାମାନେ ଯିବେ ଅପମାନ ପାଇ

ୟେସନେକ ବିଡ଼ମ୍ୱଣ ହୋଇଲା କୁରୁସାଇଂ ।୪୯୪।

ୟେହା ଶୁଣି ପ୍ରଚଣ୍ଡ ସେ ମାନଗେବିନ୍ଦ ରାୟେ

ରୋଷେଣ ଗରଜଇ ସେ କାଳସର୍ପ ପ୍ରାୟେ ।୪୯୫।

ହାଥରେ ଖଡ଼ଗ ଧରି କୋପେଣ ପରଚଣ୍ଡ

ବୋଲଇ ରତିଚୋରର କାଟିବଇ ଆଜ ମୁଣ୍ଡ ।୪୯୬।

ରଥ ଗଜ ଅଶ୍ୱ ଯେ ସଇନି ପାଦାନ୍ତି

ରାଜାର ଆଗ୍ୟାଂ ପ୍ରମାଣେ ଧଇଂଲେ ପନ୍ତି ପନ୍ତି ।୪୯୭।

ଉଚ୍ଚବାଚ ଶୁଣି ବୋଇଲେ ଯୁଝେଷ୍ଠି

ଆହୋ ଗୁପତର କଥା ହୋଇଲା ବଡ଼ ନଷ୍ଟି ।୪୯୮।

ପାପ କଥା ଉଦିତ କରିତ ନ ଯୋଗାଇ

ୟେ ବଂଶେ ଅପଯଶ ଆପଣେ ଲାଜ ପାଇ ।୪୯୯।

ଦୋହିତାର ମନ୍ଦପଣ ନ ଜାଣିବେ ଲୋକେ

ଆମ୍ଭନ୍ତ ମନ୍ଦ ବୋଲିବେଟି ଜାଣ ଥୋକେ ।୫୦୦।

ଦୁରାକର୍ଣ୍ଣକୁ ରାଇ କହିଲେ ଧର୍ମସୁତ

ନଶନ୍ତ କାଳକୁ ବାବୁ ହୋଇଲା ବିପରୀତ ।୫୦୧।

ପ୍ରାଣେ ନ ମାରି ତାକୁ ଧରିଣ ଥୋଇଥିବା

ସୟଂବର ସରିଲେ ଉନ୍ନେଷି ବୁଝିବା ।୫୦୨।

କାହାର ପୁତ୍ର ସେ କେ ତାହାର ପିତା

କେବଣ କୁଳ ଗୋତ୍ର କେ ତାହାର ମାତା ।୫୦୩।

ୟେମନ୍ତ ବିଚାର କରି କରିବା ଯେବେ କାର୍ଯ୍ୟ

ଲୋକିତ କର୍ମକୁ ୟେହା ଶୁଣିତେ ବଡ଼ ଲାଜ ।୫୦୪।

ୟେବେ ପ୍ରାଣେ ନ ମାର ଉପୁଜିବ ବଡ଼ ଗୋଳ

ଲଜ୍ଜା ପାଇବେ ୟେଥେ ସମସ୍ତ ମହୀପାଳ ।୫୦୫।

ଯୁଝେଷ୍ଠି ବଚନେ ଗଲା ଦୁରାକର୍ଣ୍ଣ

ତୁଲେ ପାଞ୍ଚଲକ୍ଷ ଘେନିଣ ଥାଠ ସଇନ ।୫୦୬।

ମେଢର ଦ୍ୱାରେ ଯାଇଂ ହୋଇଲା ପରବେଶ

ଆରେ ଆରେ ସ୍ତିରୀଚୋର ବହନ ହୋଇ ଆସ ।୫୦୭।

ଆହୋ ବିକଳ ହୋଇ ତହିଂ ବୋଲଇ ଚନ୍ଦ୍ରାବତୀ

ୟେଣେ ଥିଲେ କାର୍ଯ୍ୟ ନାହିଂ ଯିବା ଭୁବନ ଦ୍ୱାରାବତୀ ।୫୦୮।

ୟେ ଦୁସହ ସଂକଟୁ ନାଥ ତରିବା କେମନ୍ତେ

ଶତେପୁର କରି ଦୁଷ୍ଟେ ବେଢିଲେ ତୁରିତେ ।୫୦୯।

ଜୟ ଜୟ ମାତା ଗୋ ଅନାଦି ମହାମାୟେ

ମୋର ସ୍ୱାମୀର ଅପାଦ କେଳେଶ ହୋଉ କ୍ଷୟେ ।୫୧୦।

ଜୟ ଜୟ ମାତା ଗୋ ଅପାଦ ଖଣ୍ଡଣି

Unknown

ସୁରପୁର ଜନଂକର ଦୁରିତ ନିବାରିଣୀ ।୫୧୧।

ଶାମ୍ୱ କୁମର ମୁଖ ଦେଖି ବଡ଼ାଇ ବିକଳ

ଢଳହଳ ନୟନରୁ ବହଇ ଅଶ୍ରୁଜଳ ।୫୧୨।

ପୋଇସୂତରୁ ମୁକୁତା ଛିଡିଲେ ୟେହେନେ ପଡ଼ଇ ବସୁନ୍ଧରୀ

ନୟନରୁ ଲୋତକ ତେସନମତେ ପଡ଼ି ।୫୧୩।

ଭୋ ପ୍ରାଣନାଥ ମୁଂ ତୋହୋର ଘେନଇ ଅପାଦ

ଯେସନେକ ସ୍ୱାମୀକି ମୋର ନ ପଡ଼ଇ ପରମାଦ ।୫୧୪।

ନ ରୋଦ ସୁନ୍ଦରୀ ଗୋ ବୋଲନ୍ତି ଶ୍ରୀକୃଷ୍ଣର ବାଳ

କରେ ଧରି ମୁଖୁଂ ଅଞ୍ଚଳେ ପୋଛଇ ଅଶ୍ରୁଜଳ ।୫୧୫।

ଥିର ହୋ ଗୋ ସଖୀ ବୋଲଇ ବୀର ଶାମ୍ୱ

ତୁ ସଖୀ ନ ଜାଣୁ ଗୋ ମୋହୋର ପରାକ୍ରମ ।୫୧୬।

ଯୋଦ୍ଧାଂକର ଡାକନ୍ତେ ଜମ୍ୱୁବତୀର ବଳା

ହାଥରେ କୁମରମଣି ଘେନିଲା ଖଡ଼ଗ ଫଳା ।୫୧୭।

ମେଢରୁ ବାହାର ହୋଇଲା ବିକ୍ରମ ସିଘଂ ମୂର୍ତ୍ତି

ତକ୍ଷଣେ ହାଣି ପକାଇଲା ବେନି ସେନାପତି ।୫୧୮।

ପୁଣ ପୁଣ ପ୍ରହାର କରନ୍ତେଣ ରାଗେ

ବେନି ଯୋଦ୍ଧା ପଡ଼ନ୍ତେ ଦୁରାକର୍ଣ୍ଣ ପଳାୟେ ଯେ ବେଗେ ।୫୧୯।

ଦୂରେ ଥାଇଂ ତାହା ବେଗେ ଦେଖିଲା ଧୁଶାସନ

ପବନହୁଂ ବେଗେ ଯେ ଧାଇଂଲା ବହନ ।୫୨୦।

ହାଥରେ ଗଦାୟେକ ସେ ଘେନିଣ କୁମରମଣି

ମେଢ ଉପରକୁ ଉଠିଲା ବିକ୍ରମ ସିଂଘ ଜାଣି ।୫୨୧।

ଚନ୍ଦ୍ରାବତୀ ବୋଇଲା ତୁ ସ୍ୱାମୀ ୟେକା ବଳବନ୍ତା

ଚାଣ୍ଡାଳ ଧୁଶାସନ ୟେ ମୋହୋର ଖୁଡୁତା ।୫୨୨।

ପୃଥୀ ଚମକଇ ଯାର ବୀରଡାକ ନାଦେ

ମଉଡ଼ମଣି ଯୋଦ୍ଧାମାନେ ଧାମନ୍ତି ଅତି ବେଗେ ।୫୨୩।

ୟେହାନ୍ତ ସାଂଗ୍ରାମେ ନୋହନ୍ତି କେହୁ ସରି

ମୋତେ ଛାଡ଼ି ବେଗେ ଯାଅ ଯା ଅପସରି ।୫୨୪।

ଶାମ୍ୱ କୁମର ବୋଇଲା ତୁ ନ ଜାଣୁ ପ୍ରିୟବତୀ

ସିଘଂର ଛାମୁରେ ଗଜର କିସ ଜ୍ୟୋତି ।୫୨୫।

ମୁହିଂ ସିଘଂ ସଖୀ ୟେମାନେ ସର୍ବେ ଅଟନ୍ତି ଯେ ଗଜ

ସମସ୍ତଂକୁ ୟେହିକ୍ଷଣି କରିବି ପ୍ରାଣତ୍ୟାଜ ।୫୨୬।

ବିଚାରୁଂ ବିଚାରୁଂ ଧୁଶାସନ ଅତି ବେଗେ

ମେଢର ଦୁଆରେ ଯାଇ ମିଳିଲା ଅତି ରାଗେ ।୫୨୭।

କୋପେ ପ୍ରଜ୍ୱଳିତ ଯେ ଯଦୁକୁଳ ଷଣ୍ଢା

ହାଥେ ଧରିଛଇଂ ଦୁର୍ଦ୍ଦଣ୍ଡ ନାମ ଖଣ୍ଡା ।୫୨୮।

ଦେଖି ବିସରିଲା ଗାନ୍ଧାରୀର ବଳା

ବଳୀୟାର ଚୋରର ତେଜ ଅନର୍ଗଳା ।୫୨୯।

ମେଢର ଭିତରେ ପଶି ହରିଲୁ କୁମାରୀ

ଆହୁରି ଆସିଅଛୁ ମୋହୋର ଛାମୁକୁ ଶହସ୍ର ଧରି ।୫୩୦।

ଧୁଶାସନେ ସଙ୍ଗେ ଥିଲେ ଯେ ଚଉବିଂଶ ଯୋଧୀ

ବୋଇଲେ ରତିଚୋରକୁ ଘେନିଯିବା ବାନ୍ଧି ।୫୩୧।

କେହୁ ବୋଲଇ ମୁଣ଼୍ଡ କାଟି ଘେନିବା ୟେହାର ପ୍ରାଣି

କେ ବୋଲେ ନ ମାର ଯୁଝେଷ୍ଠିଂକ ରାଣ ।୫୩୨।

ବଳାତ୍କାରେ ଧାଇଂଲେ ସର୍ବେ ଶହସ୍ର ବୁଲାଇ

ମେଢରୁ ଶାମ୍ୱ କୁମର ଆସଇ ବେଗେ ଧାଇଂ ।୫୩୩।

ହାଥରେ ଖଣ୍ଡା ଧରି ମହାତେଜ ପ୍ରାୟେ

ୟେକା ପ୍ରହାରକେ ମାରଇ ଅନେକ ଯୋଦ୍ଧାୟେ ।୫୩୪।

ବେଢି ଧରିବାକୁ ବୀରେ କରିଛନ୍ତି ବୁଦ୍ଧି

ପଞ୍ଚବିଂଶ ଯୋଦ୍ଧାନ୍ତ କୁମର ପକାଇଲା ଛେଦି ।୫୩୫।

ଧୁଶାସନ ଆଗେ କହନ୍ତି ବେଗେ ଯାଇଂ

ପଳାଇଲେ ସଇନମାନେ ଶହସ୍ରମାନନ୍ତ ପକାଇ ।୫୩୬।

ଶାମ୍ୱ ପଞ୍ଚବିଂଶ ଯୋଦ୍ଧା କଲାକ ନିପାତ

ମେରୁକୁ ତୁଲ୍ୟ ଯେ ତାହାର ଶହସ୍ର ଘାତ ।୫୩୭।

ପ୍ରତକ୍ଷେ ପ୍ରଶୁରାମ ତେଜ ପ୍ରାୟେ ଦିଶି

କାର୍ତ୍ତିକେଶ୍ୱର ପ୍ରାୟେ ପ୍ରତକ୍ଷେଣ ତ୍ରାସି ।୫୩୮।

କ୍ଷତ୍ରିୟ କୁଳକୁ ଦେବ ବଡ଼ାଇ ମହିମା

ଯୋଦ୍ଧାଂକର ମଧ୍ୟେ ସେ ଅତିହିଂ ଉତ୍ତମା ।୫୩୯।

ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ

ବିଜେକଲା ମାନଗୋବିନ୍ଦ ସୟଂବର ଥାନୁଂ ।୫୪୦।

ନିର୍ଝର ଦେଶର ଯେ ରାଜା ଗଣପତି

ସେ କହିଲା ସୟଂବର ଥାନକୁ ଆଣ ତୋ ଦୋହିତୀ ।୫୪୧।

ଦ୍ରିଯୋଧନ ସମସ୍ୟା ଦିଲା ସେ ରାଜାଂକୁ

ୟେହିକ୍ଷଣି ଦୋହିତା ଆଣିମି ସଭାକୁ ।୫୪୨।

ଆଗ୍ୟାଂ ଦିଲା ରାଜା ମୁଦୁସୁଲୀମାନନ୍ତ ରାଇ

ଚନ୍ଦ୍ରାବତୀକି ଆଣ ଲୋ ବେଶ ବେଶନ କରାଇ ।୫୪୩।

କରପତ୍ର ଯୋଡ଼ିଣ କହନ୍ତି ମୁଦୁସୁଲୀ

ଦୁଲଭ ଚରିତ୍ର ଦେବ ଅଗୋଚର ଦେଖିଲି ।୫୪୪।

ତିରିଶ ଯୋଦ୍ଧା ଦେବ ପଡ଼ିଲେଣି ରଣେ

ଥାଠ ମନ୍ଥନ କରୁଛି ଦେବ କେବଣହିଂ ଜଣେ ।୫୪୫।

ଶୁଣି ବିରସ ମନେ ରାଜା ମାନଗୋବିନ୍ଦାଇ

ଧୁଶାସନ ଦୁର୍ଜୟେ ଯେ ମୋର ଗଲେ କାହିଂ ।୫୪୬।

ୟେତେ କହି ରାଜା ମହା କୋପଭରେ

କର୍ମକୁ ସନ୍ତାପ କରି ବସିଲା ସଭାରେ ।୫୪୭।

ୟେଥୁଅନ୍ତରେ ଯେ ମେଢ ଥାନର କଥା

ଶୁଣ ହୋ ମନୁରାୟେ ଯେବଣ ବାରତା ।୫୪୮।

ସାଂଗ୍ରାମେ ଅଭିମାନ ପାଇଣ ଧୁଶାସନ

ଚାରିଶତ ପାରିଦଣ୍ଡ ଘେନିଣ ସଙ୍ଗେ ସଇନ ।୫୪୯।

ପାଞ୍ଚ ଅହିବ୍ରତ ପାଦାନ୍ତି ସଇନି

ମେଢ ବେଢିଲା ଧୁସା ରାଜାମାନନ୍ତ ଘେନି ।୫୫୦।

ଦେଖିଣ ବଇକୁଲ୍ୟ ହୋଇଲା ଚନ୍ଦ୍ରାବତୀ

ନ ଜାଣି ପାମେରୀ ମୁଂ ବଢାଇଲି ପ୍ରୀତି ।୫୫୧।

ସ୍ୱାମୀ ମରାଇଲି ତଦନ୍ତ ନ ଜାଣିଲି

ୟେ କୁଳେ ସେ କୁଳେ ମୁଂ କାହିଂରେ ନୋହିଲି ।୫୫୨।

ଅଗ୍ୟାନ ବାଳ ସ୍ତିରୀ ମୁଂ ନ ଜାଣିଲି କଥା

ୟେକା ଜଣକ କି ବୋଲାଇବ ଶକତା ।୫୫୩।

ମୁହିଂ ଅପାଦ ତୋର ଘେନିଯାଇ ନାହା

ବିବାନେ ବସି ତୋର ପୁରକୁ ବୋଲି ଯାଆ ଯାଆ ।୫୫୪।

ଶାମ୍ୱ କୁମର ବୋଇଲା ତୁ ଶୁଣସି ଗୋ ପ୍ରାଣସଖୀ

ୟେମାନେ ଶ୍ରିକାଳ ଗୋ ମୁହିଂ ସିଂଘ ଲେଖି ।୫୫୫।

ୟେକେ ଅନେକେ ମାରି ପାରିବି ମୁଂ ଯୁଦ୍ଧେ

ଦେଖ ଦେଖ ମୋହୋର ମହିଂମା କଉତୁକ ରଣ ମଧ୍ୟେ ।୫୫୬।

ୟେତେ ବୋଲି ବୀର ବିକ୍ରମ ସିଂଘ ମୂର୍ତ୍ତି

ମେଢ ଭିତରୁ ବାହାର ବୀର ତତକ୍ଷଣାନ୍ତି ।୫୫୭।

ଭାଜିଲେ ଯୋଦ୍ଧାମାନେ ସାଂଗ୍ରାମେ ତାର ଦେଖି

ଶ୍ୟାମଳ ଦେଖି ଯେହ୍ନେ ପଳାବଇ ବକ ପକ୍ଷୀ ।୫୫୮।

ମେଢର ଉପରୁ ବୀର ପଡିଲାକଂ ଡେଇଂ

କରଇ ରଣଭଙ୍ଗ ସେ ଖଡଗ ବୁଲାଇ ।୫୫୯।

ବଜ୍ରମୁଷ୍ଟି କରି ଅସିପତ୍ର ଧରି ଝୁଣି

ଅନେକ ପାଦାନ୍ତି ବଳ ସେ ପକାଇଲା ହାଣିୀ ।୫୬୦।

ରାଜ ପବନ ଘାତେ ଯେହ୍ନେ ପଡଇ ପଂକୁ ପଂଳ

ଭାଜିଲେ ଯୋଦ୍ଧାମାନେ ପଡିଲେ ସକଳ ।୫୬୧।

ସଇନ ପଛ କରି ଧାମଇଂ ଧୁଶାସନ

ଦୁର୍ଜୟେ ଦୁରାନ୍ତ ଦୁର୍ଣ୍ଣୟ ଦୁସହ ଦୁରାକର୍ଣ୍ଣ ।୫୬୨।

ୟେହାଂକର ସଙ୍ଗତରେ ଅନେକ ଯୋଦ୍ଧାଗଣ

ଧନୁରେ ନାରାଜ ପୁରୋଇ ବିନ୍ଧନ୍ତି ପୁଣ ପୁଣ ।୫୬୩।

ସହସ୍ରେକ ଯୋଦ୍ଧା ୟେକମୁଖ ହୋଇ

ଶାମ୍ୱ କୁମରକୁ ନାରାଜ ମାରନ୍ତି ତୁହାଇ ।୫୬୪।

ସମରେ ଅଭୟେ ଯେ ଜମ୍ୱୁବତୀର ବଳା

ବିଚିତ୍ର ଗତି ଜାଣି ତେଜି ଅନର୍ଗଳା ।୫୬୫।

ଯେସନେକେ ମତ୍ତଗଜ ଭାଙ୍ଗଇ କଦଳୀ ବନ

ମାରି ଚୂର କଲା ସେ କଉରୋବ ସଇନ ।୫୬୬।

ୟେକା ପ୍ରହରକେ ଦଶ ବିଂଶ ପଞ୍ଚିଶ

ପଳାବନ୍ତି ସଇନି ଯେ ନ ରହନ୍ତି ପାଶ ।୫୬୭।

ଯେସନେକ ବିଜୁଳି ଗୋପ୍ୟ ନୀଳ ମେଘେ

କଉଣସି ଯୋଦ୍ଧା ରହି ନୁଆରିଲେ ଆଗେ ।୫୬୮।

ସମରେ ସୋହଡ ଯେ କଇଚ୍ଛା ଜଗଜ୍ଜେଠୀ

ମେଲା ମତ୍ତଗଜ ଯେହ୍ନେ ୟେକସରେ ଉଠି ।୫୬୯।

ପୁଣ ପୁଣ ପ୍ରହାର କରଇ ବୀର ୟେକା

ଅଜା ଯୁଦ୍ଧେ ବ୍ୟାଘ୍ର ଯେସନେକେ ନିଶଂକା ।୫୭୦।

ଧୁଶାସନ ଦେଖିଲା ଯେ ପଡିଲେ ସର୍ବ ଥାଠ

ମେଢର ଉପରକୁ ଯେ ନ ପାବନ୍ତି ବାଟ ।୫୭୧।

ବିଷମ ସମର ଶାମ୍ୱ କୁମରର ଦେଖି

ଧୁଶାସନ ପଚାରଇ ଧର୍ମରାଜା ଯୁଝେଷ୍ଠିଂକି ।୫୭୨।

ସ୍ୱାମୀ ତୁମେ ଯେ ବୋଇଲେ ରତିଚୋରାକୁ ଧର

ଗୁପତେ ଥୋଇଥିବ ଗୋଳ ହୋ ନ କର ।୫୭୩।

ଦେଖ ଅନେକ ସଇନି ଦେବ ପକାଇଲା ମାରି

ତୋହୋର ଆଗ୍ୟାଂ ଦେବ ଲଘିଂତ ନୁଆରି ।୫୭୪।

ଯୁଝେଷ୍ଠି ବୋଇଲେ ହୋ ତୁମ୍ଭେ ମରୁଛ ଅକାରଣ

ସାମାନ୍ୟ ନୁହଇ ସେ ଅଟଇ ବଡ ଜଣ ।୫୭୫।

ବାସବର ନନ୍ଦନ ଅବା ଅଟଇ ଜୟସେନ

କି ଅବା ନକୁଳବର ପଶିଲା ଅଗ୍ୟାନ ।୫୭୬।

କି ଅବା କାର୍ତ୍ତିକେଶ୍ୱର ପାର୍ବତୀର ବଳା

ବରୁଣ ନନ୍ଦନ ସେ ତେଜେ ଅନର୍ଗଳା ।୫୭୭।

ୟେ କଥା ତଦନ୍ତ କରିଣ ତୁମ୍ଭେ ଜାଣ

ତଥ୍ୟ କରି ନିଚୟ ୟେ କଥା ପରିମାଣ ।୫୭୮।

ଦେବେଣ ବିବାଦୀ ହୋଇଲେ ନ ବ୍ରତି

ୟେଡେ ବଡ ସୟଂବର ହୋଇଲା ନିଷ୍ଫଳ ଗତି ।୫୭୯।

ଆହୋ ଚଇତନ ଦିନକର ଦେବତା ଅବସାନ ହୋଇଲା

ରାଜାଗଣ ମଧ୍ୟେ ଯେ ଗୋଳ ଉପୁଜିଲା ।୫୮୦।

ବୋଲନ୍ତି ରାଜାୟେ ୟେକାଦିନେ ମାତ୍ର ସଭାକୁ ଆଣିଲୁ କୁମାରୀ

ୟେବେ ଗୋପ୍ୟ କଲୁ କି ନିମନ୍ତେ ଜାଣି ତ ନୁଆରି ।୫୮୧।

ଆସ୍ତାନୁ ଉଠିଲା ଯେ କାମେଶ୍ୱର ମହୀପାଳ

ମାନଗୋବିନ୍ଦ ଆଗେ କହଇ ଅଚାର୍ଗଳ ।୫୮୨।

ୟେ ତୁମ୍ଭର କଥା ଯେ କେବଣ ବିଧାନେ

କନ୍ୟାକୁ ଆନବର ବରିଅଛୁଂ ତେଣେ ।୫୮୩।

ରାଜାମାନନ୍ତ କିମ୍ପେ ଆଣିଲୁ ନିମନ୍ତି

ଶୁଣି ବିରସ ମନ ଯେ ମାନଚକ୍ରବ୍ରତୀ ।୫୮୪।

ଜୋକ ମୁଖେ ଯେସନେକେ ପଡଇ ଲବଣ

ସୂର୍ଯ୍ୟର ତେଜେ ଯେହ୍ନେ କୁମୁଦିନୀ ବଣ ।୫୮୫।

ମାନଗୋବିନ୍ଦ ବୋଇଲା ତୁ ୟେ କଥା କହିଲୁ ନ ଜାଣି

ପୂର୍ବ ଛାତି ପଚ୍ଛିମେ ଯେବେ ଉଦେ ହେବେ ଦିନମଣି ।୫୮୬।

ଲକ୍ଷେ ରାଜା ବରିଲି ମୁଂ ଦୋହିତା ନିମନ୍ତେ

ୟେଡେ ବଡ ଦୂଷଣ କଥା ଉପୁଜିା ମୋତେ ।୫୮୭।

ପୁଣ ପୁଣ ବୋଲଇ ଯେ କାମେଶ୍ୱର ନୃପତି

କନ୍ୟାକୁ ଆଣ ତୋର ବୁଝାବା ସଂଗତି ।୫୮୮।

ମାନଗୋବିନ୍ଦ ବୋଇଲା ୟେହିକ୍ଷଣି ଆଣିମି କୁମାରୀ

ଯେ ତୁମ୍ଭର ଆଗ୍ୟାଂ କହିଲା ଦଣ୍ଡଧାରୀ ।୫୮୯।

କାମେଶ୍ୱର ରାଜା ଯାଇଂ ସଭାରେ ବସିଲେ

ୟେମନ୍ତ ସମୟେ ଯାଇଂ ନାରଦେ ମିଳିଲେ ।୫୯୦।

ନାରଦେ ବୋଇଲେ ତୁମ୍ଭେ ଶୁଣ ଲକ୍ଷେକ ନୃପତି

ଦ୍ୱାରିକାରୁ କୃଷ୍ଣ ବିଜେ କରି ନାହାନ୍ତି ତ ୟେଥି ।୫୯୧।

ଚନ୍ଦ୍ର ନ ଥିଲେ ନିଶି ନିର୍ମଳ ଆକାଶ କାହିଂ

ତୁମ୍ଭେ ଅଛ ୟେଥି ଯେତେ ଚନ୍ଦ୍ରାବତୀକି ସମ ନାହିଂ କେହି ।୫୯୨।

ୟେହା ଶୁଣି ବୋଲଇ ନନ୍ଦଭୋପାଳ ନୃପତି

ୟେତେ ଲକ୍ଷଣବନ୍ତ କାହିଂ ଦେଖିଲ ୟେଥେ ବ୍ରହ୍ମପତି ।୫୯୩।

ତ୍ରିଦଣ୍ଡ ବୁଲାଇ ନୃତ୍ୟ କରନ୍ତି ବ୍ରହ୍ମଚାରୀ

ପରେ ବିକାର ତେଣେ ହୋଇଲାନି କୁମାରୀ ।୫୯୪।

ଅଦଭୁତେ କୁମାରେକ ପଶିଲା ତାର ମେଢେ

କୁମର କୁମାରୀ ସେ ଯେ ପୀରତି ଅତି ଗାଢେ ।୫୯୫।

ଯୁବତୀର ସଙ୍ଗେ ସେ ବହୁତ ପୀରତି

ତୁମ୍ଭମାନନ୍ତ ବିଅର୍ଥେ ଯେ ଆଣିଲା ନିମନ୍ତି ।୫୯୬।

ଭୋ ରାଜାମାନେ ଯେ ଯାହା ଭୁବନକୁ ବିଜେ କରି ଯାଅ

ଯାବତ କାଳକୁ ତୁମ୍ଭେ ଲଜ୍ଜା ଯେ ନ ପାଅ ।୫୯୭।

ନାରଦଂକ ବଦନୁ ୟେମନ୍ତ ବାକ୍ୟ ଶୁଣି

ରାଜାମାନେ ସବିହେଂ ଉଠିଲେ ଶିର ଝୁଣି ।୫୯୮।

ୟେଡେ ବଡ ଦର୍ପ କାହାର ହୋଇଲା ମଧ୍ୟସ୍ୱର୍ଗେ

କନ୍ୟା ଘେନି ୟେଥୁଂ ଯିବ କେବଣହିଂ ବାଗେ ।୫୯୯।

ରାଜାମାନଂକର ଯେ ଉଚ୍ଚବାଚ ଶୁଣି

ଯୁଝେଷ୍ଠି ହକାରିଲେ ମନ୍ତ୍ରୀ ଚୂଡାମଣି ।୬୦୦।

ବାବୁ ମେଢର ବାରତା ମୁଂ ପୁଚ୍ଛଇ ସହଦେବ

କେ ଅବା ତାହାକୁ ବୁଝିବା ସଦିଭାବ ।୬୦୧।

ସହଦେବ କହଇ ଯୁଝେଷ୍ଠିଂକ କର୍ଣ୍ଣ

କୃଷ୍ଣ ପୁତ୍ର ବିତ୍ରକେ କେ ପଶିତେ ଭାର୍ଜନ ।୬୦୨।

ଲକ୍ଷେ ଷାଠିୟେ ସହସ୍ର ଅଶିୟେକ ନନ୍ଦନ

ପୋୟେକ ୟଥକୁ ଅବଶ୍ୟ କରିଅଛଇ ଆଗମନ ।୬୦୩।

ଆବର ୟେଥକୁ ନାରଦ ବଡ ଶ୍ରାଗି

ମାନଗୋବିନ୍ଦ ନ ଜାଣି ହେଉଛନ୍ତି ରାଗି ।୬୦୪।

ଆନର କୃତ୍ୟ ନୋହଇ ୟେ ନାରଦଂକ ଭିୟାଣ

କୃଷ୍ଣ ପୁତ୍ର ବିତ୍ରକେ ଆନ ନୋହଇ ତ ଜାଣ ।୬୦୫।

ଆହୋ ଚଇତନ ସମସ୍ତ ଦେଶର ରାଜାମାନେ ଆସି

ଦ୍ରିଯୋଧନ ଆଗରେ ଯେ ବଚନ ପ୍ରକାଶି ।୬୦୬।

ୟେ ତୁମ୍ଭର ଚରିତ୍ର ହାଦେ କେବଣ ପ୍ରକାର

କନ୍ୟାପରେ ବିକାର ହୋଇଲାନି ତୋହୋର ।୬୦୭।

ମାନଗୋବିନ୍ଦ ବୋଇଲା ମୋର ନ ଭାବଇ ବୁଦ୍ଧି

ଯାହାର ନାମ ଧରନ୍ତେ କମ୍ପଇ ଜମ୍ୱୋଭେଦୀ ।୬୦୮।

ୟେ ଭୁବନେ ପଶିବାକୁ କାହାର ଭରସା

ଯମର ଭୁବନକୁ ବଳାଇଲା ମନୀଷା ।୬୦୯।

ଆଜର ମଧ୍ୟେ ସଭାକୁ ଆଣିମି କୁମାରୀ

ୟେବେ ନିକସ୍ଥାନେ ତୁମ୍ଭେ ରହ ବିଜେ କରି ।୬୧୦।

ଦ୍ରିଯୋଧନ ବଚନେ ଗଲେ ସର୍ବରାୟେ

ଯେ ଯାହାର ଆସ୍ତାନେ କଲେକ ବିଜୟେ ।୬୧୧।

ସ୍ରାହାନ ଭୋଜନ ଯେ ସାରିଣ ନୃପତି

ଆଚୋଂବନ ସାରି ଦିବ୍ୟ ବେଶ ଯେ ହୁଅନ୍ତି ।୬୧୨।

ୟେମନ୍ତେ ଯୁଝେଷ୍ଠି ଦେବ ଚଳିଗଲେ ବେଗେ

ପ୍ରବେଶ ହୋଇଲେ ଯାଇଂ କୁରୁପତିର ଆଗେ ।୬୧୩।

ଯୁଝେଷ୍ଠି ବୋଇଲେ ଦ୍ରିଯୋଧନ ମୁଖ ଚାହିଂ

ଭୀଷ୍ମ ଦ୍ରୋଣ ଭୁରିସର୍ବା ବିଜେ କଲେ ଯାଇଂ ।୬୧୪।

ଯୁଝେଷ୍ଠି ବୋଇଲେ ଶୁଣ ଗଙ୍ଗାଦେବୀ ସୁତ

ସୟମ୍ୱର ଚରିତ ଯେ ହୋଇଲା କେମନ୍ତ ।୬୧୫।

ନାହିଂ ନ ଦେଖିଲା ତ ୟେତେ ବିଡମ୍ୱଣ

ୟେଡେ ବଡ କାର୍ଯ୍ୟ ଗୋଟା ହେଲା ଅକାରଣ ।୬୧୬।

କେମନ୍ତେ କୁମାରୀ ପୁରେ ପଶିଲା ୟେକ ଚୋର

ରଥ ଗଜ ଅଶ୍ୱ ଯୋଦ୍ଧା ନାହିଂ ସଙ୍ଗତର ।୬୧୭।

ସହଦେବ କେସନେକ ନ ଜାଣିଲା ୟେସନେକ ବାଣୀ

ଶକୁନିକି ଗ୍ୟାଂତା ନୋହିଲା ସେ ତ ମନ୍ତ୍ରୀ ଚୂଡାମଣି ।୬୧୮।

ଧଂସି ହୋଇଲାନି ୟେ ମାନଗୋବିନ୍ଦ ରାଜା

ହସ୍ତିନା ପୁରକୁ ୟେତ ହୋଇଲା ବଡ ଲଜ୍ଜା ।୬୧୯।

ଯୋଦ୍ଧାୟେ ନ ଯୁଝନ୍ତି ମନ୍ତ୍ରୀୟେ ନ କହନ୍ତି

ସଭାରେ ଗୋଳ ହୋଇବ ବଡ ଅପଖ୍ୟାତି ।୬୨୦।

ଭୀଷ୍ମେ ବୋଇଲେ ସହଦେବ ତୂନୀ ହୋଇଲୁ କିସ ଅର୍ଥେ

ଭୂତ ଭବିଷ୍ୟ କଥାମାନ ଦିଶଇ ଯେ ତୋତେ ।୬୨୧।

ସହଦେବ ବୋଇଲେ ଦେବ ସାବଧାନେ ଶୁଣିମା

ନଶନ୍ତ କାଳକୁ ବିପରୀତ ବୁଦ୍ଧି ସିନା ।୬୨୨।

ନିକଳଂକ ରାଜ ୟେହୁ ମାନଗୋବିନ୍ଦ ଚକ୍ରବ୍ରତୀ

ଦୋହିତାର ଯୋଗୁଂ ଧଂସି ହୋଇଲାକ ୟେଥି ।୬୨୩।

ସମସ୍ତେ ବୋଇଲେ ୟେହା ବିଚାର କରିବା

ଯଦୁବଂଶରୁ ଗୋଟିୟେ ବର ଆଣି ପ୍ରଦାନ କରିବା ।୬୨୪।

ମାନଗୋବିନ୍ଦ ବିମରଷ ବହିଲା ତାହା ଶୁଣି

ମୋହୋର ସାନ ଭାଇକି ସେ ଦେଇଛି ଭୟେଣୀ ।୬୨୫।

ମୁଂ ତାହାର ପାଦ ପଖାଳିବି କି ଲେଉଟି

ଯାଦବ କୁଳକୁ ନିନ୍ଦା କଲାକ ଧୃତିରାଷ୍ଟି ।୬୨୬।

ୟେହିଠାରୁ ଉପୁଜିଲା ବିପରୀତ କୃତ୍ୟ

ନାରଦେ ପାଇଲେ ଲଜ୍ଜା ତହୁଂ ଅପ୍ରମିତ ।୬୨୭।

ଅନ୍ତରୀକ୍ଷେ ମାର୍ଗେ ଚଳିଲେ ମୁନି ଉତ୍ତମ

ରାମକୃଷ୍ଣ ନ ଜାଣନ୍ତି ଆଣିଲେ ପୁତ୍ର ଶାମ ।୬୨୮।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ଭୀଷ୍ମ ଦ୍ରୋଣ

ଚନ୍ଦ୍ରାବତୀ ବାଳୀକି ହରିଲା ଶାମ୍ୱ କୁମର ଜାଣ ।୬୨୯।

ସେ କନ୍ୟାକୁ ପାଇଣ କୁମର ମନେ ଶାନ୍ତି

ତେଣୁ କରି ବରିଲା କୁମାରୀ ଚନ୍ଦ୍ରାବତୀ ।୬୩୦।

ଦ୍ରିଯୋଧନ ବୋଇଲା ୟେବେ ହୋଇଲା ଅନର୍ଥ

ଆହୋ ସହଦେବ ତୁ ଯାଅସି ତୁରିତ ।୬୩୧।

ଶାମ୍ୱ କୁମରକୁ ବୋଲ ସେ ଚନ୍ଦ୍ରାବତୀକି ଛାଡ଼ିଦେଉ

ସୟମ୍ୱର ସ୍ଥାନକୁ ଆମ୍ଭେ ବେଶ କରି ନେଉ ।୬୩୨।

ରାଜାମାନନ୍ତ ପଛେ ନ ବରୁ କୁମାରୀ

ଶାମ୍ୱ କୁମରକୁ ନେଉ ପଛେ ସୟମ୍ୱର ବରି ।୬୩୩।

ଉଭୟ କୁଳ ରକ୍ଷା ହେଉ ନ ଉପୁଜୁ ଲଜ୍ଜା

ତହୁଂ ନେଲେ ହୋଅଇ ଯେ ତାହାର ଭାରିଯା ।୬୩୪।

ଯୁଝେଷ୍ଠି ବୋଇଲେ ବାବୁ ପିତାଂକ ବୋଲ କର

ଆମ୍ଭ ଆଗ୍ୟାଂ ବୋଲି କହ ଶାମ୍ୱ କୁମର ଆଗର ।୬୩୫।

ଆଗ୍ୟାଂ ପାଇ ସହଦେବ ବେଗେ ଚଳିଗଲା

ମେଢର ଦୁଆରେ ଯାଇଂ ପ୍ରବେଶ ହୋଇଲା ।୬୩୬।

ଧୁଶାସନ ଆଦି ଯେ ଧାଇଂଲେ ବହୁ ଯୋଧୀ

ସହଦେବକୁ ଆସିଣ ପଥ ସେ ନିରୋଧୀ ।୬୩୭।

କାହିଂକି ପଶିବୁ ତୁହି ମେଢର ଭିତରେ

ତୁମ୍ଭ ବୋଲେ କିରେ କଥା ସନ୍ଧି ହୋଇପାରେ ।୬୩୮।

ଛେଦିବଇଂ ମୁହିଂ ଆଜ ରତିଚୋର ଶିର

ସହଦେବକୁ ପଶିଣ ନ ଦିଲେ ଭିତର ।୬୩୯।

ହାଥେ ଗଦା ବୁଲାଇଣ ସେ ଗାନ୍ଧାରୀର ବଳା

ମେଢ ଆବୋରି ରହିଲା ତେଜ ଅନର୍ଗଳା ।୬୪୦।

ଯୋଦ୍ଧାମାନେ ଆଗେ ରହି ବିନ୍ଧୁଛନ୍ତି ଶର

କକଡ଼ା ବୃଷ୍ଟି ଜାଣି ବରଷଇ ନୀର ।୬୪୧।

ଅବିଚ୍ଛନ୍ନେ ନାରାଜ ତୁଷାର ବୃଷ୍ଟି ଜାଣି

ନିର୍ଭୟେ ନିରାକୁଳ ସେ କୁମର ଚୂଡ଼ାମଣି ।୬୪୨।

ୟେସନେକ ଗୋଳ ଯହୁଂ କଲେ ଦ୍ୱାରେ ରହି

ମେଢର ବାହାର ଶାମ୍ୱ ଖଡ଼ଗ ବୁଲାଇ ।୬୪୩।

ଗଜ ଯୂଥ ମଧ୍ୟେ ଯେହ୍ନେ କେଶରୀ ପହିଜ କରଇ

ବିକ୍ରମ ସିଘଂ ଦେଖି କଉରୋବ ବଳ ଭାଜଇ ।୬୪୪।

ଖଣ୍ଡାର ବିଘାତେ ଛିଡ଼ି ପଡନ୍ତି ସଇନି

ଦେଖିଣ ନୃତ୍ୟ କଲେ ନାରଦ ମହାମୁନି ।୬୪୫।

ଦୁସହ ସମର ହେଲା କହଣା ନ ଯାଇ

ମୁଖରାବ ଶବଦରେ ଶୂନ୍ୟ ଚମକଇ ।୬୪୬।

ମେଢର ଦୁଆରେ ବହିଲା ରକତର ନଈ

ଦ୍ରିଯୋଧନ ଅଗ୍ରତେ କହିଲେ ଚାର ଯାଇଂ ।୬୪୭।

ଅନେକ ଯୋଦ୍ଧା ପଡ଼ିଲେ ମେଢ ରଣେ

ମେରୁ ସମ ବଡ଼ିମା ଅଟଇ ୟେକଜଣେ ।୬୪୮।

ପ୍ରତକ୍ଷରେ ପ୍ରଶୁରାମ ପରାୟେ ଦିଶଇ

କାର୍ତ୍ତିକ ଈଶ୍ୱର ଜାଣି ତେଜ ବିକାଶଇ ।୬୪୯।

କ୍ଷତ୍ରିୟ କୁଳକୁ ସେହୁ ବଡ଼ାଇ ମହିଂମା

ବୀରକଂର ମଧ୍ୟରେ ସେ ଅଟଇ ଉତ୍ତମା ।୬୫୦।

କହନ୍ତି ଅଗସ୍ତି ମୁନି ଶୁଣ ହୋ ରାଜନେ

ଦ୍ରିଯୋଧନ ବିଜେକଲା ସୟମ୍ୱର ସ୍ଥାନେ ।୬୫୧।

ନିର୍ଝର ଦେଶର ରାଜା ନାମ ଗଣପତି

ସେ ବୋଇଲା ସୟମ୍ୱରେ ଆଣ ତୋ ଦୋହିତୀ ।୬୫୨।

ଦ୍ରିଯୋଧନ ପ୍ରବୋଧଇ ସେ ରାଜାମାନଂକୁ

ୟେହିକ୍ଷଣି ଦୁହିତା ମୁଂ ଆଣିମି ସଭାକୁ ।୬୫୩।

ନିର୍ଝର ଦେଶର ରାଜା ଗଣପତି ଦୂତ

ସେ ଆସି ରାଜା ଛାମୁରେ କହିଲା ବାରତ ।୬୫୪।

ଶୁଣ ସାବଧାନେ ହୋ ନିର୍ଝର ଆଧିପତି

ସୟମ୍ୱର କନ୍ୟାର ଯେ ୟେସନେକ ରୀତି ।୬୫୫।

ମେଢ ଭିତରେ ପୁରୁଷେ ଅଛି ତାର କତି

ବିଡ଼ମ୍ୱଣ ହୋଇଲାନି ସେହି ଯେ ଯୁବତୀ ।୬୫୬।

ଅନେକ ସଇନି ଛନ୍ତି ମେଢ ଦ୍ୱାରେ ପୂରି

ରତିଚୋରକୁ ଯେ କେହି ନୁଆରନ୍ତି ଧରି ।୬୫୭।

ୟେମନ୍ତ ବାରତା ଯହୁଂ କହିଲା ଡଗର

କୋପେଣ ଧାଇଂଲେ ଯେ ସକଳ ନୃପବଳ ।୬୫୮।

ରାଜାମାନେ ସମସ୍ତେ ଯେ ପାଇଲେ ବାରତା

ରତିଚୋର କଥା ସବୁହୁଂ ବଳବନ୍ତା ।୬୫୯।

ରତିଚୋର ମାର ବୋଲି ଶୁଭିଲାକ ଧୁନି

ରାଜାମାନେ ଉଠିଲେ ଯେ କରେ ଶସ୍ର ଘେନି ।୬୬୦।

ବଳବନ୍ତା ରାଜାମାନେ ଆରୋହିଲେ ରଥ

କେ ଅଶ୍ୱ ଚଢିଲେ କେ ଆରୋହିଲେ ମୟେମତ୍ତ ।୬୬୧।

ସୟମ୍ୱର ଥାଠ ଛାଡି ଧାଇଂ ପଡ଼ିଲେ ସଇନି

ଉଚ୍ଚବାଚ୍ଚ ଥାଠ ଯେ ହୋଇଲେ ଅନ୍ୟାଅନ୍ୟି ।୬୬୨।

ଦରଦ ଯମାଗୋଷ୍ଠ ନୃପତି ମୃଗସେନ

ୟେହାଂକର ତୁଲେ ଅନେକ ସନ୍ୟବଳ ଗହନ ।୬୬୩।

ଗୁଣ ଟାଂକାର ଶବଦେ କମ୍ପିଲା ମେଦିନୀ

ମାର ମାର ଧର ଧର ବୋଲି ଶୁଭିଲାକ ଘୋର ଧୁନି ।୬୬୪।

ପ୍ରଳୟ କାଳେ ଯେହ୍ନେ ସମୋଦ୍ର ବିଶ୍ୱ ମୂରତି

ପାଦ ଭାରା ଘାତେଣ ଯେ କମ୍ପଇ ବସୁମତୀ ।୬୬୫।

ୟେକ କୁମରକୁ ଯେ ଲକ୍ଷେକ ନୃପମଣି

ଦେଖି ବଇକୁଲ୍ୟ ମାନଗୋବିନ୍ଦ ଦୁଲଣୀ ।୬୬୬।

ବେନି ଲୋଚନରୁ ବାଳୀର ବହଇ ଅଶ୍ରୁଜଳ

ସୂତାରୁ ଛିଡ଼ି ମୁକୁତା ଯେହ୍ନେ ପଡଇ ଭୂମିତଳ ।୬୬୭।

ହେ ନାଥ ତୁମ୍ଭର ମୁହିଂ ଯାଇ କିନା ନିଉଛାଣି

ଅଳପ କଥାକୁ ହେଲା ବହୁତ ବୋଲଣା ପୁଣି ।୬୬୮।

କେବଣ ଭୁବନୁଂ ଆସି ପ୍ରବେଶ ହୋଇଲୁ

କହାର ନନ୍ଦନ ତୁ ମୋତେ ନ କହିଲୁ ।୬୬୯।

ଆଶାୟୀ ହୋଇ ଆସି ହୋଇଲୁ କଳହ ପ୍ରିୟ

ମୁହିଂ ତୋହୋର ଅପାଦ ଯେ ଘେନି ଯାଇଂ ନାହ ।୬୭୦।

ବିବାନେ ବସି ଚାଲ ୟେଥୁ ଯିବା ଅପସରି

ଅନ୍ତରୀକ୍ଷେ ଯିବା ୟେଥୁଂ ମେଢ ଛାଡ଼ି କରି ।୬୭୧।

ଶାମ୍ୱ କୁମର ବୋଇଲା ସଖୀ ମୋତେ ନ ବୋଲ ୟେ ବାଣୀ

ଶରୀର କମ୍ପଇ ମୋର ତୋହୋର କଥା ଶୁଣି ।୬୭୨।

ତୁ ଯେ ସଖୀ ବୋଇଲୁ ଗୋ ବେଢିଛନ୍ତି ରାୟେ

ୟେମାନେ ଦିଶନ୍ତି ଦିଶନ୍ତି ମୋତେ ଅଜା ଯୂଥ ପ୍ରାୟେ ।୬୭୩।

ୟେ ସମସ୍ତେ ଗଜ ଯୂଥ ମୁଂ ଅଟଇ ବିକ୍ରମ କେଶରୀ

ୟେ ଇନ୍ଦୁର ପଲ ମୁହିଂ ଯେ ଅଟଇ ମଞ୍ଜାରୀ ।୬୭୪।

ୟେମାନେ ଅଟନ୍ତି ସଖୀ ମଣ୍ଡୁକୀ ପଲ ପ୍ରାୟେ

ମୁହିଂ ସଖୀ ୟେଥକୁ ଯେ କାଳସର୍ପ ଗୋଟାୟେ ।୬୭୫।

ୟେଥକୁ ବିଳାପ ତୁ ନ କର ସଂଘାତୁଣୀ

ମୁଂ ହୀନବୀର୍ଯ୍ୟ ହୋଅଇ କି ତୋହୋର ବାକ୍ୟ ଶୁଣି ।୬୭୬।

ଯଦ୍ୟପି ଗଜଯୂଥ ୟେ ସକଳ ଦଣ୍ଡଧାରୀ

ୟେହାଂକ ଉପରକୁ ମୁଂ ଅଟଇ ବିକ୍ରମ କେଶରୀ ।୬୭୭।

କହୁଂ କହୁଂ କୋପିତ ଯେ ବାସୁଦେବଂକର ସୁତ

ରାଜାଂକର କୋପ ଯହୁଂ ହୋଇଲା ଅପ୍ରମିତ ।୬୭୮।

ହାଥକେ ସାୟେକ ହାଥକେ ଖଡ଼ଗ ଯେ ଫଳା

ମେଢରୁ ବାହାର ହୋଇଲା ଯେ ଶ୍ରୀକୃଷ୍ଣର ବଳା ।୬୭୯।

ଦେଖ ହୋ ରତିଚୋର ବୋଲନ୍ତି ସର୍ବ ରାୟେ

ସାମାନ୍ୟ ଜନର ୟେ ନୋହଇ ତନୟେ ।୬୮୦।

କେବଣ ଦିଗପାଳର ଅଟଇ ୟେ ବଳା

ମୃତୁପୁର ଲୋକଂକର ତ ନୁହଇ ୟେ କଳା ।୬୮୧।

ରାଜାୟେ ବୋଇଲେ ଆମ୍ଭେ ଅନମିତେ ହୋଇଲୁଣି ଦ୍ୱନ୍ଦୀ

ୟେ କନ୍ୟାର ନିମନ୍ତେ ଆମ୍ଭେ ସମସ୍ତେ ହୋଇଲୁଣି ବନ୍ଦୀ ।୬୮୨।

ପଣ୍ଡିତ ରାଜାମାନେ ଗଲେ ଅପସରି

ଦୁଷ୍ଟ ରାଜାମାନେ ତହୁଂ ଧାଇଂଲେ କରେ ଶସ୍ର ଧରି ।୬୮୩।

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ଦେବ ଦାନବ ମାନବେ ତାହାର କାହାକୁ ନାହିଂ ଭୀତି ।୬୮୪।

ଦେବକଳା ଘେନିଣ ଥାଇଂ ଯେତେକଟି ଲୋକ

ସେ ଲୋକେ ସେ ହାଦେ କହନ୍ତି ଦୃଢବାକ୍ୟ ।୬୮୫।

ବିଷ୍ଣୁକଳାରେ ଯେ ଶଂକିଲେ ସର୍ବଜନ

ବିଷ୍ଣୁର ପୁତ୍ର ବୋଲି ଭୟେ ଭାଜିଲେ ରାଜାମାନେ ।୬୮୬।

ଅସୁର କୁଳରେ ଜାତ ଯେତେକ ଦଣ୍ଡଧାରୀ

ସେମାନେ ଅଟନ୍ତି ଯେ ବିଷ୍ଣୁର ବଇରି ।୬୮୭।

ସେମାନେ ରହିଣ ସମର କଲେ ଇଚ୍ଛା

ବିଷ୍ଣୁର ହାଥେ ମରିବାକୁ କରିଣ ଅଛନ୍ତି ବାଞ୍ଚ୍ଥା ।୬୮୮।

ଜନ୍ମେ ଜନ୍ମେ ଅଭାବ ଯେ ତହିଂର ନିମନ୍ତେ

ବିଷ୍ଣୁର ନନ୍ଦନକୁ ଯେ ପାଇଲୁ ଯୁଗତେ ।୬୮୯।

ସବୁକୁହିଂ ଦିଶଇ ଶଙ୍ଖ ଚକ୍ର ଚିହ୍ନ

ସହଦେବ ଭୀଷ୍ମଂକୁ ଯେ କହିଲେ ବଚନ ।୬୯୦।

ଭୋ ସ୍ୱାମୀ ତୁମ୍ଭର ଆଗ୍ୟାଂ ପ୍ରାମାଣେ ୟେଠାରୁ ମୁହିଂ ଗଲି

ଧୁଶାସନ ଡରେ ମେଢ ଭିତରକୁ ମୁଂ ପଶି ନୁଆରିଲି ।୬୯୧।

କ୍ଷଣ ମାତ୍ରକେ ଉପୁଜିଲା ବହୁତ ଯେ ଗୋଳ

ଲକ୍ଷେ ରାଜା ମିଳିଣ ଯେ କଲେକ ଚହଳ ।୬୯୨।

ଭୀଷ୍ମ ଦ୍ରୋଣ ଶୁଣ କରି ତହୁଂ ଗଲେ ଉଠି

ଆସ୍ତାନେ ବିଜୟେ କରିଅଛନ୍ତି ଧୃତିରାଷ୍ଟି ।୬୯୩।

ଭୀଷ୍ମ ଦ୍ରୋଣେ ବୋଇଲେ ବାବୁ ନୁଆରିଲୁ ଜାଣି

ଯାବତ କାଳକୁ କଥା ରହିଲା ଧରଣୀ ।୬୯୪।

ଶୁଣିଣ ଦ୍ରିଯୋଧନ କୋପେଣ ପ୍ରଚଣ୍ଡ

ଆଜି ସେ ରତିଚୋରର କାଟିବଇଂ ମୁଣ୍ଡ ।୬୯୫।

ଯେବେ ପରିଘାଇ ଆସିବ ବଜ୍ରନାହା

ତ୍ରଇଲୋକ୍ୟ ମଧ୍ୟରେ ଆଜ କେ ରଖିବାକ ତାହା ।୬୯୬।

ମାନଗୋବିନ୍ଦର ସଜ ଦେଖି ମହାରାଜାମାନେ

ଭୀଷ୍ମ ଦ୍ରୋଣ ଭୂରିସର୍ବା ଅଶସ୍ତମା ଶଲ୍ୟ କୃପ କର୍ଣ୍ଣେ ।୬୯୭।

ରଥମାନନ୍ତ ଆରୋହି ରହିଲେ ସର୍ବ ରଥୀ

ପାରିଦଣ୍ଡ ରାଜାମାନେ ଚଢିଲେ ମତ୍ତହାଥୀ ।୬୯୮।

ପଞ୍ଚାଶ କୋଟି ଯୋଦ୍ଧା ଯେ ରଥ ଗଜ ତୁଲେ

ଆଗିଆଣି ଥାଠରେ ଧୁଶାସନ ଦୁର୍ଜୟେ ବିଜେ କଲେ ।୬୯୯।

ସମର ଗୁରୁତର ନୋହୋଇ ଗୋଚର

ତେର ସହସ୍ର ପାରିଦଣ୍ଡ ରାଜା ଘେନିଣ ସଙ୍ଗତର ।୭୦୦।

ମେଢ ବେଢିଲେ ଅଷ୍ଟାଦଶ ଅକ୍ଷୋହିଣୀ ସଇନି

ୟେକା କୁମର ଅଛି ଖଡ଼ଗ ଫଳା ଘେନି ।୭୦୧।

ନାରଦେ ବିଜେ କଲେ ସାଂଗ୍ରାମ ମଧ୍ୟସ୍ଥାନେ

ଲାଗୁ ଲାଗୁ ବୋଲି ରଙ୍ଗେ ନାଚନ୍ତି ମହାମୁନ୍ୟେ ।୭୦୨।

ଆରେ ଆରେ ସଇନିମାନେ ଆସ ବେଗ ହୋଇ

କଉତୁକେ ସାଂଗ୍ରାମ କରନ୍ତି ଚନ୍ଦ୍ରାବତୀର ସାଈଂ ।୭୦୩।

ଲାଗୁ ଲାଗୁ ବୋଲି ନାରଦେ କଲେ ବାଟ ଯେ ଗୋଟାୟେ

କଳି ଧୋକଡ଼ିରୁ ଫିଙ୍ଗି ଲେ ଧୂଳି ଯେ ମୁଠାୟେ ।୭୦୪।

ବ୍ରହ୍ମାର ନନ୍ଦନ ଭିଆଇଲେ କଉତୁକ ରସ କଥା

ୟେ ତ୍ରଇଲେକ୍ୟ ମଧ୍ୟେ କେ ଅଛଇ ତାହାଂକୁ କହନ୍ତା ।୭୦୫।

ଆହୋ ଚଇତନ ଦୁସହ ସାଂଗ୍ରମେ ପଶିଲା ବୀର ଶାମ୍ୱ

ପଞ୍ଚାଶ କୋଟି ଯୋଦ୍ଧାକୁ ୟେ କଉତୁକ କର୍ମ ।୭୦୬।

ୟେକା ଅସିପତ୍ର ଗୋଟାୟେକ ଅଛି କରେ ଧରି

ଧାଇଂଣ ସାଂଗ୍ରାମ କରଇ ଯେହ୍ନେ ବିକ୍ରମ କେଶରୀ ।୭୦୭।

କ୍ଷତ୍ରୀଂକର ଶହସ୍ରମାନନ୍ତ ସମସ୍ତ ଚ୍ଛେଦନ୍ତି

ଅଶ୍ୱ ଗଜ ସହିତେଣ ଯେ ବେନି ଖଣ୍ଡ ହ୍ୱନ୍ତି ।୭୦୮।

ବଜ୍ର ଶହସ୍ର ଘେନି କାଟଇ ବଜ୍ରସେହ୍ନା

ୟେକା କୁମରମଣି କାହାକଇଂ ନ କରଇ ଗଣନା ।୭୦୯।

ପାଦଗତି ହୋଇଣ ବୀର ଅନିର୍ଯାପ ସମର କରଇ

ବିଚିତ୍ର ଗତି କ୍ଷତ୍ରୀଂକର ଶହସ୍ରନ୍ତ ବଞ୍ଚାଇ ।୭୧୦।

ସାଂଗ୍ରାମେ କରଇ ସେ ଯେ ଶ୍ରୀକୃଷ୍ଣଂକ ନନ୍ଦନ

ଦୂରେ ଥାଇ ଦେଖଇ ତାହା ପାଣ୍ଡବ ଅରଜୁନ ।୭୧୧।

ବିଚିତ୍ର ଗତି ତାର ଦେଖି ବିଚାରଇ ସୋହୋଦ୍ରାର ପତି

ୟେତ ଅଟଇ ଆମ୍ଭ ଶାମ୍ୱ କୁମର ପାଦଗତି ।୭୧୨।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ଯୁଝେଷ୍ଠିଂକ ଅଗ୍ରତେ କହନ୍ତି ଚାରି ଯେ ପାଣ୍ଡବ ।୭୧୩।

ସ୍ୱାମୀ ଜମ୍ୱୁବତୀର ନନ୍ଦନ ୟେ ଅଟଇ ଶାମ୍ୱ କୁମର

ଯୁଝେଷ୍ଠି ବୋଇଲେ ବାବୁ ଯେମନ୍ତେ ପାର ରକ୍ଷା କର ।୭୧୪।

ଦେଖନ୍ତି କୁମର ଯେ ପଲାଶଇ ବିକ୍ରମ ସିଘଂ ଜାଣି

ବରଷେ ଆନନ୍ଦେ ଯେ ସମର ଗତି ଠାଣି ।୭୧୫।

ୟେକା ଘାନ୍ତିକେ ଦଶବିଂଶ ତିରିଶ ପ୍ରହାର କରଇ

ରଣେ କଉରୋବନ୍ତ କାହାକୁ ତିଳେ ନ ଗଣଇ ।୭୧୬।

ଲକ୍ଷେକ ରଥ ଯେ ଦୁଇ ଲକ୍ଷ ହାଥୀ

ଚାରି ଲକ୍ଷ ଅଶ୍ୱ ପାଞ୍ଚ ଲକ୍ଷ ଯେ ପାଦାନ୍ତି ।୭୧୭।

ରକତେ କର୍ଦ୍ଦନ ଯେ ହୋଇଲା ମହୀତଳେ

ଅଦଭୁତେ ଗର୍ଜଇ ସେ ସମର କୁତୋହଳେ ।୭୧୮।

ମାନଗୋବିନ୍ଦ ବୋଇଲା ମୁଂ ତ ଅନେକ ସଇନି ମରାଇଲି

କେବଣ ରାଜାର ପୁତ୍ର ମୁଂ ତ ଜାଣି ନୁଆରିଲି ।୭୧୯।

ଅଦଭୁତେ କାହୁଂ ଅଇଲା ୟେ ତ ନୋହିଲା ଜାଣନ୍ତା

ୟେହାର ପିଅର ଅଟଇ କେବଣ ଦେବତା ।୭୨୦।

ଦ୍ରିଯୋଧନ ସନ୍ତାପ ଦେଖି ଦୁର୍ଜୟେ ଧୁଶାସନ

ସମଦଣ୍ଡେ ଉଠିଲେ ପାରିଦଣ୍ଡ ସହସ୍ର ରାଜନ ।୭୨୧।

ୟେକା ଯାଦବକେ ଧଂସିଲା ସର୍ବ ଥାଠ

ଲକ୍ଷେ ରାଜାଂକର ମୁଖେ ସେ କରଇ ମୁରାଟ ।୭୨୨।

ପୁଣ ଆଗ୍ୟାଂ ଦିଲା ରାଜା ୟାକୁ ମାର ବେଗ ହୋଇ

ମତ୍ତ ବ୍ୟାଘ୍ର ଜାଣି ଯେ ଧରି ନୁଆରିଲେ କେହି ।୭୨୩।

କୋପେ ଧୁଶାସନ ଗଦାବର ନେଇ ଉଭାରି

ଶାମ୍ୱ କୁମର ଉପରେ ନେଇଣ ପ୍ରହାରି ।୭୨୪।

ଶୂନ୍ୟ ଅଙ୍ଗ ସେହୁ ତାର ଦେହେ ନାହିଂ ସେହ୍ନା

ଗଦାବର ପିଟନ୍ତେଣ ଖଣ୍ଡା ହେଲା ଚୂନା ।୭୨୫।

ଶୂନ୍ୟ ହାଥ ହେଲା ଯହୁଂ ଜମ୍ୱୁବତୀର ବଳା

କରରେ ତାହାର ଆଉ ନାହିଂ ଖଡ଼ଗ ଫଳା ।୭୨୬।

ଆରେ ଆରେ ବୋଲି ଧୁଶାସନ ମହାବଳ

ଆକର୍ଷିଣ ଧଇଲା ଶାମ୍ୱ କୁମରର ବାଳ ।୭୨୭।

ଜୟ ଜୟ ଶବଦ ଶୁଭିଲାକ ବାଣୀ

ଯୁଝେଷ୍ଠି ଦେବ ମନେ ବିରସ ହେଲେ ତାହା ଶୁଣି ।୭୨୮।

ଅର୍ଜୁନ ବୋଇଲେ ଦେବ ପଡ଼ିଲା ପରମାଦ

ଶାମ୍ୱ କିମରକୁ ନ ପୁଣ କରନ୍ତି ଶିରଚ୍ଛେଦ ।୭୨୯।

ଦ୍ରିଯୋଧନର ଛାମୁରେ ଚାରେ କହିଲେ ବାରତା

ସ୍ୱାମୀ ରତିଚୋରକି ବନ୍ଧନ କଲେ ଧୁଶାସନ ମହାରଥା ।୭୩୦।

ଦ୍ରିଯୋଧନ ବୋଇଲା ରେ ତାକୁ ନିଅ ଶମଶାନେ

ଶିର ଚ୍ଛେଦନ କର ଦେଖନ୍ତୁ ରାଜାମାନେ ।୭୩୧।

ରାଜାର ବଚନେ ଦୁର୍ଜୟେ ଧୁଶାସନ

ଶାମ୍ୱ କୁମରକୁ ବାଳ ଧରି ନେଲେକ ବହନ ।୭୩୨।

ଯୁଝେଷ୍ଠି ବୋଇଲେ ଭୀମ ଅର୍ଜୁନକୁ ରାଇ

ଶାମ୍ୱ କୁମରକୁ ବେଗେ ରକ୍ଷା କର ତୁମ୍ଭେ ଯାଇଂ ।୭୩୩।

ଅର୍ଜୁନ ବୋଇଲେ ଦେବ ଧୁଶାସନ ବଡ଼ ମନ୍ଦ

ଭୀମସେନ ଠାକୁରଂଇ ତୁଲେ କରିବ ସେ ବଡ଼ ଦ୍ୱନ୍ଦ ।୭୩୪।

ଯୁଝେଷ୍ଠି ବୋଇଲେ ବାବୁ ଦିଅ ଯା ଛଡ଼ାଇ

ଦ୍ରିଯୋଧନ କୋପକୁ ମୋର ଭୟେ ନାହିଂ ।୭୩୫।

କୁମର ନିମନ୍ତେ ଯେବେ ହୋଇଲା ପରମାଦ

ପାଣ୍ଡବେ କଉରବେ ୟେବେ ହୋଉଅଛି ଦ୍ୱନ୍ଦ ।୭୩୬।

କିଞ୍ଚିତ ଆଗ୍ୟାଂ ପ୍ରମାଣେ ଧାଇଂଲେ ପାର୍ଥ ଯେ ମାରୁତି

ଶଶ୍ମାନ ଭୂମିରେ ଯାଇଂ ମିଳିଲେ ତଡ଼ତି ।୭୩୭।

ଶାମ୍ୱ କୁମରକୁ ନେଇ ଶଶ୍ମାନେ ଅଛନ୍ତି ବସାଇ

ଦୁର୍ଜୟେ ଦୁର୍ବିନ୍ଦ ଅଛନ୍ତି ଖଡ଼ଗେ ଉଞ୍ଚାଇ ।୭୩୮।

ସୁମର ରେ ଟସ୍କର ତୋହୋର ଇଷ୍ଟ ଦେବତା

ସୁମର ରେ ରତିଚୋର ତୋହୋର ପିତା ମାତା ।୭୩୯।

ଖଡ଼ଗ ଧରି କରି ମାରିବାର ସମୟେ

କୋଳ କରି ଧଇଲେ ଯେ ପାଣ୍ଡବ ଧନୁର୍ଜୟେ ।୭୪୦।

ଭୁଜଗତେ ଭିଡ଼ିଣ ଯେ ହୃଦରେ ଲଗାଇ

ୟେମନ୍ତର ସମୟେ ଭୀମସେନ ପ୍ରବେଶ ହେଲା ଯାଇଂ ।୭୪୧।

ଦୁର୍ଜୟେ ବୋଇଲା ତୁ ହୋ ଛାଡ଼ ସର୍ବସାଚୀ

ବଂଶର କଳଂକ ୟେହୁ କିମ୍ପେ ୟାକୁ ରଖି ।୭୪୨।

ସିଘଂ ହୋଇ ଶ୍ରିକାଳ ହୋଇଲେ ୟେହାର ପ୍ରସାଦେ

ଲକ୍ଷେ ରାଜା ଲୋଡ଼ାଇଲୁ ଅନେକ ପ୍ରାମାଦେ ।୭୪୩।

ଅର୍ଜୁନ ବୋଇଲା ହୋ ରହ ରହ ରେ ଦୁର୍ଜୟେ

ପରିମାଣି ବୁଝିବା ୟେ କାହାର ତନୟେ ।୭୪୪।

ଦୁର୍ଜୟକୁ ବୋଇଲା ବୀରବର ମାରୁତି

କିଂକେ ହାଣୁଅଛୁ କଥା ନ ଜାଣିଣ ରୀତି ।୭୪୫।

ଦୁର୍ଜୟେ ବୋଇଲା ରେ ପାଣ୍ଡବେ ଜାର ଜାତ

ତୁମ୍ଭର ପରା କିରେ ବୁଝିଲ ସମସ୍ତ ।୭୪୬।

ମାତା ତୁମ୍ଭର ପରେ ସୁରତି କରାଇଲା

ଅପାର ଅନାଚାରେ ତୁମ୍ଭନ୍ତ ଜାତ କଲା ।୭୪୭।

ଗୋଳକୁଣ୍ଡା ଜାରଜାତକା ରେ ତୁମ୍ଭର ପ୍ରକୃତି

ତୁମ୍ଭର ପରା କିରେ ଆମ୍ଭର ବଂଶ ରୀତି ।୭୪୮।

ୟେଡ଼େ ବଡ଼ ଦୋଷୀ କିଂକେ ନ ମାରିବୁଂ ରଣେ

ଲାଘବ ଚାଟୁ କଥା କହ କେଉଂଣ କାରଣେ ।୭୪୯।

ତୁମ୍ଭର ବୋଲେ କିରେ ରତିଚୋର ରକ୍ଷା ହୋଇ

ମାନଗୋବିନ୍ଦର ଭାଇ ୟେସନେକ କଥା କହି ।୭୫୦।

ଅର୍ଜୁନକୁ ପେଲି ଦିଲା ଯହୁଂ ଧୁଶାସନ

ପୁଣ ଆବୋରିଲା ଯାଇଂ ପବନ ନନ୍ଦନ ।୭୫୧।

ଚାପୋଡ଼େ ମାଇଲା କୋପେ ସେ ଧୁଶାସନକୁ

ଭୂମିରେ ପଡ଼ିଲା ବୀର ଛାଡ଼ିଣ ଶାମ୍ୱକୁ ।୭୫୨।

ଭୀମ ବିଘାତେ ଛାଡ଼ିଲା ଗାନ୍ଧାରୀର ବଳା

ଦୁର୍ଜୟେ ବୋଇଲା ଭୀମ ଶୀଘ୍ର ହୋଇ ପଳା ।୭୫୩।

ଧୁଶାସନ ପଡ଼ିଥିଲା ଅଚେତନ ହୋଇ

ଉଠି ଭୀମେ ପିଟିଲା ସେ ଗଦାକୁ ବୁଲାଇ ।୭୫୪।

ରହ ରହ ବୋଲି ଭୀମ ପାତେ ବାମ ଅଙ୍ଗ

ଭାଜିଣ ସେ ଗଦାବର ହୋଇଲାକ ଭଙ୍ଗ ।୭୫୫।

ଦୁର୍ଜୟେ କହିଲା ମାନଗୋବିନ୍ଦ ଅଗ୍ରତେ

ପାଣ୍ଡବେ ଆବୋରିଲେ ରତିଚୋରକୁ ମାରନ୍ତେ ।୭୫୬।

ଧୁଶାସନ ଭୀମସେନ ହୋଇଲେ ବାରୁଆଳି

ୟେହିକ୍ଷଣି ପିଟାପିଟି ହୋଇବେ ବେନି ବଳୀ ।୭୫୭।

ଶୁଣି ମାନଗୋବିନ୍ଦ ଯେ କୋପଭର ହୋଇ

ରାଗେଣ ଉଠିଲା ସେ ଗଦାବର ବୁଲାଇ ।୭୫୮।

ତୁମ୍ଭେ ଭୀଷ୍ମ ଦ୍ରୋଣେ ହୋ ହୋଇଥାଅ ସାକ୍ଷୀ

ମୋହର ଶତ୍ରୁକୁ ସେ ପାଣ୍ଡବେ କିମ୍ପେ ରଖି ।୭୫୯।

ଯାହାରେ ଦୂଷଣ କଲେ ମୋତେ ଲକ୍ଷେ ରାଜା

ୟେ ପଞ୍ଚୁ ରାଜ୍ୟକୁ ମୋତେ ହୋଇଲା ବଡ଼ ଲଜ୍ଜା ।୭୬୦।

ପଞ୍ଚୁ ଅହିବ୍ରତ ସେ ଯେ ମାଇଲା ସଇନି

ତାହାକୁ ଅହିବ୍ରତ ସେ ଯେ ମାଇଲା ସଇନି

ତାହାକୁ ରଖୁଛନ୍ତି ସେ ପାଣ୍ଡବେ ଅଗ୍ୟାନୀ ।୭୬୧।

ୟେହାଂକର ମୁଣ୍ଡ ମୁଂ କାଟିବି ପ୍ରତକ୍ଷେ

କେ ରକ୍ଷା କରିବଟି ଦେବତା ତ୍ରିଦଶେ ।୭୬୨।

କହୁଂ କହୁଂ ମାନଗୋବିନ୍ଦ ହୋଇଲାକ ଅତି ରାଗୀ

ଖଡ଼ଗ ବୁଲାଇ ଆସ୍ତାନୁଂ ଉଠିଲାକ ବେଗି ।୭୬୩।

ଯୁଝେଷ୍ଠି ବୋଇଲେ ମାନଗୋବିନ୍ଦ ରହ ରହ

ପରିମାଣି ବୁଝାବା ଆଜ ମାତ୍ରକ ସହ ।୭୬୪।

କାହାର ନନ୍ଦନ ସେହୁ କାହାର କୁଳେ ଜାତ

ୟେକା ଜଣେ ମାଇଲେ କି ହେବ ପୁରୁଷାର୍ଥ ।୭୬୫।

ଯାଦବ ଜୀବେ କି ଥୋଇବା ତାର ବଂଶ

ମନ୍ତ୍ରୀ ଅମନାତ୍ୟ ଆଦି ସମସ୍ତେ ଯିବେ ନାଶ ।୭୬୬।

ଭୀଷ୍ମ ଦ୍ରୋଣେ ବୋଇଲେ ହୋ ଶୁଣ ମାନଗୋବିନ୍ଦାଇ

ବାବୁ ଯୁଝେଷ୍ଠି ଯାହା ବୋଇଲେ ଶୁଣ ସାବଧାନ ହୋଇ ।୭୬୭।

ୟେ ଯଦି ବୋଲୁଛନ୍ତି ନ ମାର ୟେହାଂକୁ

ସଭାବେ ବଡ଼ଲୋକର ପୁତ୍ର ପ୍ରାୟେ ତ ଲାଗୁଛି ଆମ୍ଭଂକୁ ।୭୬୮।

ବାବୁ ନ ଜାଣି ମାଇଲେ ଦ୍ୱନ୍ଦ ଅଛିଟି ବହୁତ

ଆମ୍ଭେହେଂ କହୁଅଛୁଂ ନ ନାଶ କୁରୁନାଥ ।୭୬୯।

ଜଗିଆ କରି ରଖ ଯେ ନିଆଳ ପିନ୍ଧାଇ

ବୁଝିବା ହାନି ଲାଭ ୟେଥିରେ କିସ ଯେ ଅଛଇ ।୭୭୦।

ଭୀଷ୍ମ ଦିରୋଣଂକ ବଚନ ଶୁଣି ଗାନ୍ଧାରୀ ନନ୍ଦନ

ବେନି ଗୋଡ଼େ ସାଂକୋଳି ତାର ଲଗାଇଲେ ବହନ ।୭୭୧।

ସହସ୍ରେକ ରଥୀ ଯେ ଜଗିଆ ରଖାଇଲା

ରାତ୍ରେଣ ଜଗିଆ ସହସ୍ରେ ରାଉତ ବରଗିଲା ।୭୭୨।

ଯୁଝେଷ୍ଠି ବୋଇଲେ ଆମ୍ଭର ତହିଂ ଥାଉ ୟେ ନନ୍ଦନ

ଦ୍ରିଯୋଧନ ଅଗ୍ରତେ କହିଲା ଧୁଶାସନ ।୭୭୩।

ସ୍ୱାମୀ ରତିଚୋରକୁ ଆମ୍ଭେ ଯେ ନିଆଳରେ ବାନ୍ଧି

ଯୁଝେଷ୍ଠି ବୋଇଲେ ଆମ୍ଭେ ଗୋଚରେ ଥାଉ ବନ୍ଦୀ ।୭୭୪।

ଶକୁନି ବୋଇଲେ ଥଆଉ ପାଣ୍ଡବଂକ ତହିଂ

ଯେବେ ସେ ପଳାଇବ ତହିଂକି ପାଲଟ ଭୀମ ଅରଜୁନ ଦୁଇ ।୭୭୫।

ମାନଗୋବିନ୍ଦ ବୋଇଲା କେମନ୍ତେ ରକ୍ଷା କରି

ଅବଶ୍ୟ ମୁଣ୍ଡ ମୁହିଂ କାଟିବି ତାହାରି ।୭୭୬।

ତୁମ୍ଭେ ଯେ ପାଣ୍ଡବେ ରେ ହସ୍ତିନା ଦୋରେହା

ଦୋହିତା ହରଣେ ରେ ତୁମ୍ଭେ ରକ୍ଷା କର ୟେହା ।୭୭୭।

ଯେ ମୋହୋର ବଇରି ଜାଣ ସେ ପାଣ୍ଡବଂକ ମିତ୍ର

ଆହୋ ଭୀଷ୍ମ ଦ୍ରୋଣେ ତୁମ୍ଭେ ବୁଝିଲ କେମନ୍ତ ।୭୭୮।

ୟେହା ଶୁଣି ବୋଇଲେ ସେ ଗଙ୍ଗାର ତନୟେ

ବାବୁ ବେଳେକ ଦେଖ କିନା ଯାହା ବୋଇଲେ ଧର୍ମରାୟେ ।୭୭୯।

ଶୁଣି ମାନଗୋବିନ୍ଦ ସନ୍ତୋଷ କଲା ମନ

ଶାନ୍ତି ଚିତ୍ତେ ଘେନିଲା ସେ ଭୀଷ୍ମଂକ ବଚନ ।୭୮୦।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ପାଞ୍ଚ ଭାଇ

ଜଗି ବସିଲେ ରାତ୍ରେ ଯୁଧା ତୃଷା ନିଦ୍ରା ନାହିଂ ।୭୮୧।

ପାଦେ କୁମର ନିଆଳ ପିନ୍ଧିଛି ଦୁଇଗୋଟି

କୋଳେ ଲାଇ ବସିଛନ୍ତି ଧର୍ମରାୟେ ଯୁଝେଷ୍ଠି ।୭୮୨।

ଧୁଶାସନ ଜଗିଅଛି ସହସ୍ରେ ଯୋଦ୍ଧା ଘେନି

ବଳେ ଧରି ମାରିବାକୁ ମନେ ମାନି ।୭୮୩।

ବାସବର ନନ୍ଦନ ଗାଣ୍ଡିବ ଧନୁ ଧରି କରେ

ବାଉନ ବାଉନ ଭାର ଗଦା ଭୀମସେନର ହାଥରେ ।୭୮୪।

ନକୁଳ ହାଥେ ଶୋହେ ନବନିଶି କୋନ୍ତ

ଖଡ଼ଗ କରେ ଧରିଅଛି ସହଦେବ ସାନ ଭ୍ରାଥ ।୭୮୫।

ୟେହାଂକର ପଛେ ଶ୍ରୀଖଣ୍ଡୀ ଯେ ଧୃଷ୍ଟଦ୍ୟୁମନ

ବେନି କ୍ଷଉଣୀ ସଇନି ସଙ୍ଗେ ଅଛି ଦ୍ରୁପଦର ନନ୍ଦନ ।୭୮୬।

ନିର୍ବନ୍ଦେ ଜଗିଛନ୍ତି ଲକ୍ଷେ ପୁର କରି

ବଳେ ରତିଚୋରକୁ ମାରିବା ବିଚାରି ।୭୮୭।

କାଉଂରୀ ଦେଶର ରାଜା କାମପାଳ

ସେ ଆସି ପ୍ରବେଶ ଯେ ହୋଇଲା ତତକାଳେ ।୭୮୮।

କାଳୀପୁର ରାଜା କାମେଶ୍ୱର ନରପତି

ମାଳବର ମାଳବର ରାଜା ଯେ ନିର୍ଝର ଗଣପତି ।୭୮୯।

ୟେହାନ୍ତ ସଙ୍ଗେ ଘେନି ପାଣ୍ଡବ ପାଞ୍ଚ ଭାଇ

ରାତ୍ରପାଳ ଉଜାଗରେ ଜଗିଛନ୍ତି ରହି ।୭୯୦।

ଅନେକ ଯୋଦ୍ଧା ଥିଲେ ଦ୍ରିଯୋଧନର କତି

ଗଦାବର ବୁଲାଇ ଉଠିଲେ କୋପମୂର୍ତ୍ତି ।୭୯୧।

ଧୁଶାସନ ଉଠିଲା ଯେ କୋପଭର ହୋଇ

ଭୀମସେନ ବୋଇଲା ତୁ ଶୁଣ ଆରେ ଭାଇ ।୭୯୨।

ସୋଦରେ ସୋଦରେ କିମ୍ପେ ଆମ୍ଭେ ହୋଇବା ଅନ୍ୟୋଅନ୍ୟି

କୁରୁ ପାଣ୍ଡବରେ କଳି ହେଲେ ହେବ ହାଦେ ହାନି ।୭୯୩।

କାହାରି ବଚନ ଧୁଶାସନ ନ ମାନିଲା

ବେନି ଗଦା କରେ ଘେନି ବହନ ଉଠିଲା ।୭୯୪।

ତାହା ଦେଖି କୋପଭର ହୋଇ ଭୀମସେନ

ହାଥେ ବେନି ଗଦା ଧରି ସେ ଯେ ଧାଇଂଲା ବହନ ।୭୯୫।

କୋନ୍ତ କରେ ଘେନିଣ ତହିଂ ନକୁଳ ମହାବଳୀ

ଶାମ୍ୱ କୁମର ଚରଣୁଂ ଫେଂଡ଼ିଲା ଶାଂକୁଳି ।୭୯୬।

ଧୁଶାସନ ଦୁର୍ଜୟେ ଦେଖିଲେ ଥାଇଂ ଦୂରେ

ପାଣ୍ଡବେ ମାର ବୋଲି ଧୁନି ଶୁଭିଲା ଉଚ୍ଚସ୍ୱରେ ।୭୯୭।

ଦ୍ରଯୋଧନ ଧାଇଂଲା ସଙ୍ଗେ ଘେନି ଶତାଣୋଇ ଭାଇ

ରଥ ଗଜ ଅନେକ ଅଛନ୍ତି ସଜ ହୋଇ ।୭୯୮।

ଶ୍ରୀଭୁଜେ ଗଦା ଘେନି ବୀରବର ପାବେନି

ଧୁଶାସନ ଆଗରେ ମିଳିଲା ବେନି ଗଦା ଘେନି ।୭୯୯।

ଆରେ ଆରେ ବୋଲି ଉଚ୍ଛେ କଉରୋବେ ଉଠି

ଅର୍ଜୁନ ନକୁଳ ସହଦେବନ୍ତ ଯେ ଯୁଦ୍ଧେ ଭେଟି ।୮୦୦।

ସମ୍ପୂର୍ଣ୍ଣରେ ଅର୍ଦ୍ଧ ହୋଇଅଛଇ ରୟେଣୀ

କୁରୁ ପାଣ୍ଡବ ଦୁହେଂ ତହିଂ ହୋଇଲେ ଅନ୍ୟୋନ୍ୟି ।୮୦୧।

ରଥେ ରଥେ ଚଢ଼ି ତହିଂ ଶକୁନି ଯେ କର୍ଣ୍ଣ

ୟେମାନନ୍ତ ଦେଖି ଶୀଘ୍ରେ ଯାଇଂ ଅବୋରିଲେ ଅର୍ଜୁନ ।୮୦୨।

କରେ ଧନୁ ଧରି ତହିଂ ମହାବଳୀ କର୍ଣ୍ଣ

ନାରାଜ ପୂରୋଇଣ ସେ ଯେ ବିନ୍ଧିଲା ବହନ ।୮୦୩।

ଦେଖି କରି ପାଣ୍ଡେବେ ହୋଇଲେ ତହୁଂ ଆଗ

କର୍ଣ୍ଣ ଡାକ ଦିଲା ଯେ ପୂର୍ବର କଥା ଛାଡ଼ ବେଗ ।୮୦୪।

ଡାକିଣ ପାଞ୍ଚ ବାଣ ବିନ୍ଧିଲେ ରାଧେବ

ଅର୍ଜୁନ ଡାକିଲେ ସାକ୍ଷୀ ଥାଅ ହେ ଗାଙ୍ଗେବ ।୮୦୫।

ପଛେ ଆମ୍ଭନ୍ତ ତୁମ୍ଭେ ଅପଛାତି ନ ଦେବା

ୟେ ପଞ୍ଚୁଶର ବାଣ ଆମ୍ଭେ କେତେହେଂ ସହିବା ।୮୦୬।

ଦ୍ରୋଣେ ବୋଇଲେ ତୁ ସହିବୁ ଫାଲଗୁନି

ସେମାନେ ସମସ୍ତେ ମୂର୍ଖ ତୁ ଅଟୁ ମହାଗ୍ୟାନୀ ।୮୦୭।

ଅର୍ଜୁନ ବୋଇଲେ ଗୁରୁ ହେ ସହି ତ ନୁଆରି

କହିଣ ବାଣ ଯେ ବିନ୍ଧିଲା ଖର କରି ।୮୦୮।

କର୍ଣ୍ଣବୀର ଉପରକୁ ଯେ କଲାକ ଆଧାନ

ଲାଗିଲା ଉଭୟ ବଳ ସାଂଗ୍ରାମ ବିଦ୍ୟମାନ ।୮୦୯।

ଦକ୍ଷିଣେ ପାଣ୍ଡବେ ଉତ୍ତରେ କଉରୋବେ

ମହାଗୋଳ ଉପୁଜିଲା ସମର ସମ୍ଭର୍ବେ ।୮୧୦।

ବିଶେଷ ଅନ୍ଧତକାର ମହାନିଶା ଅଟଇ

ଗଜମୂର୍ଖ ଯୋଦ୍ଧା କଉରବେ ପାଣ୍ଡବେ ବଳିଷ୍ଠଇଂ ।୮୧୧।

ବିକ୍ରୋଦର ମୂରତିକି ଦେଖିଲେ ଯେତେବେଳେ

କେହି ଆବୋରନ୍ତା ନୋହିଲା ନିଶାକାଳେ ।୮୧୨।

ପରାପର ପାଣ୍ଡବ ଦୟାଭାବ ନ କରଇ

ଭାବ ଅଭାବ ବୋଲି କିଛିହିଂ ନ ଜାଣଇଂ ।୮୧୩।

ନିର୍ଦ୍ଦୟା ନିରାକୁଳ ନିରାପକ୍ଷ ଯୋଧୀ

ପ୍ରୀତି ଅପ୍ରୀତି ନାହିଂ ପକାଇ ସବୁ ଚ୍ଛେଦି ।୮୧୪।

ସାଂଗ୍ରାମେ ପଶିଲା ଯାଇ ବୀରବର ବ୍ରିକୋଦର

ଦୁଇ କରେ ଦୁଇ ଗଦା ବାଉନ ବାଉନ ଭାର ।୮୧୫।

ସେ ଗଦା ବୁଲାଇ ହାଥରେ ଧରନ୍ତେ ଦିଶଇ ଯେହ୍ନେ ଯମ

କେ ତାହା ଛାମୁରେ ଯେ ହୋଇବ ରହମାନ ।୮୧୬।

ତାମ୍ରଗିରି ଜାଣି ଯେ ଦିଶଇ ତାର କାୟେ

ଦୁଇ ଚକ୍ଷୁ ବିରାଜଇ ତାର କାଳଚକ୍ର ପ୍ରାୟେ ।୮୧୭।

ହାକ ଡାକ ଶବଦେ ଯେ ବ୍ରିକୋଦର ଉଠଇ

ଗଦାବର ବୁଲାଇ ରାଜାମାନଂକ ଉପରେ ପିଟଇ ।୮୧୮।

ବୀରତୂର ଟମକ ଯେ ବାଜଇ ବୀର ଢୋଲ

ସାଂଗ୍ରାମ ଦେଖି ବ୍ରିକୋଦର ଦେହ ଉତସଲ ।୮୧୯।

ଅନେକ ସଇନି ବଳ ମାଇଲା ବାର ରୋଷେ

ହୃଦେ ରାଗ କରିଣ ଅଛଇ ଗତ ଦୋଷେ ।୮୨୦।

ରଥ ଗଜ ଅଶ୍ୱ ଆବର ମହାରଥା

ସାଂଗ୍ରାମ ମଣ୍ଡଳେ କେହି ନୋହିଲେ ରହନ୍ତା ।୮୨୧।

ଗୁଣଘୋଷ ଶୁଣିଲେ ଯେ ଦେହ ରୋମାଞ୍ଚଇ

ତାହା ତହୁଂ ବଡ ସେ ଯେ କାହାକଇଂ ନ ଦେଖଇ ।୮୨୨।

ମନ ବଚନ କର୍ତ୍ତବ୍ୟ ପ୍ରତଗ୍ୟାଂ ଯାର ସାର

ରଣରଙ୍ଗ ଓହୋମୁଖେ କେ ମିଳିବ ତା ଛାମୁର ।୮୨୩।

ଯେସନେକେ କଦଳୀ ବନ ଭାଞ୍ଜଇ ବାତଘାତେ

ନାରଖାର ଦିଶିଲା ଯେ ଅଶ୍ୱ ଗଜ ରଥେ ।୮୨୪।

ୟେଡେ ବଡ଼ ଥାଟ ମାରି କଲା ସର୍ବ ଚୂନା

ରଣଗୋଳ ଧନ୍ଦୋଳ ଯେ କରଇ ବାର ଭୀମା ।୮୨୫।

ବଦନ୍ତି ଅଗସ୍ତି ଶୁଣ ହୋ ମନପ ନୃପତି

ଶୁଣ ସାବଧାନେ ଭୀମସେନର ତେଜ ମୂରତି ।୮୨୬।

ଆରେ ଆରେ ବୋଲି ଯେ ଧାଇଂଲା ବୀର ଭୀମସେନ

ପଶି ରଣରଙ୍ଗେ ଥାଠ କରଇ ମନ୍ଥନ ।୮୨୭।

ବାଉନ ବାଉନ ଭାର ଗଦା କରେ ଅଛି ଘେନି

ଘୋଟିଲା ବ୍ରିକୋଦର କଉରୋବ ସଇନି ।୮୨୮।

ରଡ଼ି ଘାୟେଣ କମ୍ପିଲେ ଦଶ ଦିଗପାଳେ

ନିର୍ଘାତ ଶବଦ ଶୁଭଇ ଗଗନ ମଣ୍ଡଳେ ।୮୨୯।

ରଥେ ରଥୀ ଅଶ୍ୱ ମାହୁନ୍ତ ମତ୍ତଗଜ

ଆଠ ସହସ୍ର ରାଜା ଘେନି ମାନଗୋବିନ୍ଦ ସଜ ।୮୩୦।

ଆହୋ ଚଇତନ ଦ୍ରିଯୋଧନ ସଙ୍ଗତେ ତେଇଶି କ୍ଷଉଣୀ ବଳ

ମାର ମାର ବୋଲି ଯେ ଉଠି କଲେ ଗୋଳ ।୮୩୧।

ଧୁଶାସନ ସଙ୍ଗତରେ ତେର ସହସ୍ର ରଥୀ

ମାନଗୋବିନ୍ଦ ପ୍ରତଗ୍ୟାଂ ଅଟଇ ଅପ୍ରମିତ ।୮୩୨।

ବାଜିଲା ରଣଝଣ କୁରୁ ପାଣ୍ଡବ ଗୋଳ

ଯେ ଯାହାର ବାହାନେ ଚଢି ଧାମନ୍ତି ସକଳ ।୮୩୩।

ମତ୍ତହାଥୀମାନନ୍ତ ଅଂକୁଶରେ ବିନ୍ଧି

ହାଥୀଂକ ଉରେ ବସି ବିବିଧ ଶର ସନ୍ଦି ।୮୩୪।

ହାଥରେ ଲାଂକିୟା ଯା ଶାବେଳୀ କରବାଳ

ବୁଲାନ୍ତେ ଗଗନେ ଯେହ୍ନେ ଝଲକଇ ବିଦ୍ୟୁମାଳ ।୮୩୫।

ଦଡ଼ବଡ଼ ଶବଦେ କମ୍ପଇ କରୀବର

ଦଲ ଦଲ ପୃଥୀ ଯେ କମ୍ପନ୍ତି ଥରହର ।୮୩୬।

ଦେଖିଣ ସାନନ୍ଦ ଯେ ବୀରବର ପାବେନି

କୁରାଳଚକ୍ର ଜାଣି ବୁଲାଇ ଚକ୍ଷୁ ବେନି ।୮୩୭।

ବାଉନ ବାଉନ ଭାର ଗଦା ବୁଲାଇ ଅନ୍ତରାଳ

ଧାମଂଇ ରୋଷଭରେ ପବନ ଦୁଲାଳ ।୮୩୮।

ହିରଣ ବିଦାରଣ କାଳେ ଯେହ୍ନେ ନରସିଂଘେ

ମତ୍ତକେଶରୀ ସମାନେ ଦିଶଇ ରଣରଙ୍ଗେ ।୮୩୯।

ୟେମନ୍ତ ପ୍ରକାରେ ଭ୍ରମଇ ବୀର ଭୀମ

କଉରୋବ ସଇନେ ପଶି କଲାକ ସାଂଗ୍ରାମ ।୮୪୦।

ରଥେ ରଥ ଗଜେ ଗଜ ପ୍ରହର କରଇ ତୋଳି

ଅନେକ ସଇନି ମାରି ଭୀମ କଲାକ ଯେ ଧୂଳି ।୮୪୧।

ଶାମ୍ୱ କୁମର ଲାଗି ଯୁଦ୍ଧ କଲେ କୋପଭରେ

ଶତାଣୋଇ ଭାଇ ଘେନି ଧୁଶାସନ ଧାଇଂଲା ରୋଷଭରେ ।୮୪୨।

ଲକ୍ଷେ ସଇନି ଘେନି ଯେ ଅଳମ୍ୱୁଷ ରାକ୍ଷସ

ସମସ୍ତେ ବ୍ରାଘ୍ର ବାହନ ଖାଂକର ଉର୍ଦ୍ଧ୍ୱକେଶ ।୮୪୩।

ବ୍ରାଘ ଚର୍ମ ପରିହରଣ ଟୋପର କାଛେଟି

ବାମ କରେ ମୂଷଳ ଡାହାଣ କରେ ଝାଠି ।୮୪୪।

ବେନି ଅହିବ୍ରତ ଯୋଦ୍ଧା ଘେନିଣ ଧୁଶାସନ

ଭୀମର ସନ୍ନିଧେ କୋପେ ମିଳିଲା ବହନ ।୮୪୫।

ଧୁଶାସନ ପ୍ରତଗ୍ୟାଂ କରଇ ଧନ୍ୟ ଆଜ ଦିନ

ରତିଚୋର ନିମନ୍ତେ ଆଜ ପାଣ୍ଡବା ରେ ହୋଇବ ନିଧନ ।୮୪୬।

କହୁଂ କହୁଂ ଧୁଶାସନ କୋପେଣ ପରଜଳି

ବଜ୍ର ସମାନେ ଗଦା ବୁଲାବଇଂ ତୋଳି ।୮୪୭।

ରେ ରେ କାର କରିଣ ଧୁଶାସନ ଆସଇ ଗଳଗାଜି

ଗାନ୍ଧାରୀ ନନ୍ଦନ ସେ ଯେ ଉଠିଲା ବଳ ସାଜି ।୮୪୮।

ସମରେ ଧୁଶାସନ ପ୍ରତଗ୍ୟାଂ ଗରୁରୋଷେ

ଭୀମର ରଡ଼ି ଶୁଣି ସଇନି ଭାଞ୍ଜିଲେ ଦଶ ଦିଶେ ।୮୪୯।

କୁରୁବଳନ୍ତ ପ୍ରହାର କଲାକ ପାବେନି

ଅଳମ୍ୱୁଷ ଓଗାଳିଲା ସାତ ସହସ୍ର ରଥୀ ଘେନି ।୮୫୦।

ୟେକା ଯୋଦ୍ଧା ଭୀମ କି ୟେ ଦିଶଇ ମନ୍ଦର ଅଚଳ

ଅତି କୋହେ ଧୁଶାସନ ଆଳମ୍ୱୁଷ କରନ୍ତି ସମର ।୮୫୧।

ଦେଖି କରି ସାନନ୍ଦଯେ ପାଣ୍ଡବ ବ୍ରିକୋଦର

ଧାଇଂ ପିଟିଲା ନେଇ ଅଳମ୍ୱୁଷ ଉପର ।୮୫୨।

ଗଦା ବିଘାତେ ରହୁବର ଚୂର୍ଣ୍ଣ ହୋୟେ

ମହାଘୋର ସମରେ ଭୀମସେନ ଅଭୟେ ।୮୫୩।

କଣୟ ଗିରି ସମାନ ବିକାଶଇ କାୟେ

ଚନ୍ଦ୍ରକିରଣ ଜାଣି ଯେ ବଦନ ଶୋଭା ପାୟେ ।୮୫୪।

ବକ ଦେଖିଣ ଯେହ୍ନେ ଧାମଇଂ ଶାମଳ ପକ୍ଷୀ

ଧାମଇଂ ବ୍ରିକୋଦର ଅଳମ୍ୱୁଷ ଥାଠ ଦେଖି ।୮୫୫।

ଭୀମକଇଂ ଦେଖିଣ ରାକ୍ଷସବଳ ଥାଠ

ଶତେ ପୁର କରିଣ ଯେ ବେଢିଲେ ମୁରାଟ ।୮୫୬।

ୟେହାର ଗଦା ଯେ ଶତେ ଶତେ ଭାର ହାଥେ

ଗିରିବର ସାଦୃଶେ ଦିଶନ୍ତି ଦୁରାନ୍ତେ ।୮୫୭।

ୟେକା ପାଣ୍ଡବକୁ ଯେ ବେଢିଲେ ସର୍ବ ଯୋଧୀ

ସମସ୍ତେ ନାରାଜ ୟେକମୁଖ ହୋଇ ବିନ୍ଧି ।୮୫୮।

କକଡ଼ା ମାସେ ଯେହ୍ନେ କରଇ ଜଳ ବୃଷ୍ଟି

ପୃଥୀ ଉତପାତ ପ୍ରାୟେ ଦିଶିଲାକ ସୃଷ୍ଟି ।୮୫୯।

ସଇନ ପଳାଇବାର ଦେଖିଣ ବୀର ଭୀମ

ବେଳକୁ ବେଳ ପ୍ରତଗ୍ୟାଂ କରଇ ମାରୁତି ଗରୁ ତମ ।୮୬୦।

ଗଦା ମୁଦୁଗର ଛେଲ ଅସିପତ୍ର ପିଟି

ଆରେ ଆରେ ବୋଲିଣ ଅସୁର ବୀର ସଇନ ଉଠି ।୮୬୧।

ୟେକା ଭୀମସେନକୁ ଅହିବ୍ରତେ କୋନ୍ତକାର

ବ୍ରିକୋଦର ଉପରେ ନେଇ କଲେକ ପ୍ରହାର ।୮୬୨।

ଦେଖି କରି ମାରୁତି ଯେ ବାମ ଅଙ୍ଗ ପାତି

ପଡ଼ି ଅଙ୍ଗେ ଚୂର ହୋଇଲା ସବୁରି କୋନ୍ତ ଯେ ଶକତି ।୮୬୩।

ଅସିପତ୍ର ନାରାଜ ଛେଲ ଚକ୍ର ମୁଦୁଗର

ପଡ଼ି ଚୂର ହେଲା ସବୁ ଭୀମସେନର ଉପର ।୮୬୪।

ଗର୍ଜିଣ ଯୋଦ୍ଧାୟେ ମାରନ୍ତି କୋନ୍ତ ଜାଠି

ଉପୁଡ଼ି ପଡଇ ଅସ୍ତ୍ର ଅଙ୍ଗରେ ନ କାଟି ।୮୬୫।

ଲେଉଟି ଧାଇଂ କରି ପାଣ୍ଡବ ସୁନ୍ଦର

ଗଦା ପ୍ରହାର କଲା ନେଇ ସଇନି ଉପର ।୮୬୬।

ୟେକା ପ୍ରହାରକେ କେହି ନୁଆରନ୍ତି ମେଣ୍ଟି

ରଥୀ ଯୋଦ୍ଧା ରାଉତେ ମାହୁନ୍ତ ସମସ୍ତେ ଗୁଣ୍ଡା ଉଠି ।୮୬୭।

ରକତେ ବିଲେପନ ଭୀମସେନର ଅଙ୍ଗ

ହିରଣ୍ୟ ବିଦାରଣ କାଳେ ଯେହ୍ନେ ଦିଶନ୍ତି ନରସିଘଂ ।୮୬୮।

ଦେବତାୟେ ତ୍ରାସିଲେ ଭୀମସେନର କୃତାନ୍ତକ ରୂପ ଦେଖି

ପଳାବନ୍ତି ରାକ୍ଷସେ ଯେ ସମର ଉପେଖି ।୮୬୯।

ରଥ ଗଜ ଅଶ୍ୱ ପାଦାନ୍ତି ପଳାନ୍ତି ଅସମ୍ଭାଳେ

ଭୀମସେନ ଛାମୁରେ ରହି ନୁଆରିଲେ ମହୀପାଳ ।୮୭୦।

ପଳାବନ୍ତି ସଇନି ଯେ ନ ଚାହାନ୍ତି ଲେଉଟି

କାଳଦଣ୍ଡ ଗଦା ଘେନି ଭୀମ ଆସୁଅଛି ପିଟି ।୮୭୧।

ପଳାଇଲେ ରାକ୍ଷସ ଯେ ଛିନ୍ନଛତ୍ର ହୋଇ

ଥାଠ ଭଗ୍ନ ଦେଖିଣ ମାନଗୋବିନ୍ଦ ଉଠଇ ।୮୭୨।

ଜାରାସନ୍ଧ ମୂଳେ ଅଛନ୍ତି ଯେତେ ଯୋଧୀ

ଆରେ ଆରେ ବୋଲିଣ ଆକ୍ରେଷି ଶର ବିନ୍ଧି ।୮୭୩।

ଜାରାସନ୍ଧ ନୃପତିକି ଦେଖି ବୀର ପାଥ

ହାବୁଡ଼ା ଶରେକ ଯେ ମାଇଲା ବଳବନ୍ତ ।୮୭୪।

ହାଥୀ ଚିତାରେ ପଡ଼ି ଛଇଛାଡେ ଗଲା ଗଳି

ଘାୟେଣ ମତ୍ତଗଜ ପଡ଼ିଲାକ ଢଳି ।୮୭୫।

ପାଦଗତି ଧାଇଂଲା ମଘ ଦେଶର ନୃପବର

ଲୁହାର ଧନୁ ୟେକ ଧରିଅଛି ନିଜ କର ।୮୭୬।

ପୁଣି ଅର୍ଜୁନର ହାବୋଡ଼ା ଶରଘାତେ

ପଡ଼ିଲେ ସଇନିମାନେ ଯେ ଅଶ୍ୱ ଗଜ ରଥେ ।୮୭୭।

ନକୁଳ କୋନ୍ତଘାତେ ପଡ଼ିଲେ ସଇନି ଲୋଟି

ସହଦେବ ଶରଘାତେ ଅନେକ ଯୋଦ୍ଧା କାଟି ।୮୭୮।

ସମରେ ପଡ଼ିଲେନି ଅନେକ ସଇନି

ଭୀମସେନ କୋପଭରେ କମ୍ପଇ ମେଦିନୀ ।୮୭୯।

ଆରେ ଆରେ ବୋଲି ଉଠିଲା ପବନ କୁମାର

ୟେମନ୍ତର ସମୟେ ଧୁଶାସନ ପିଟିଲା ଗଦାବର ।୮୮୦।

ଦେଖିଣ ପାବେନି ଯେ ଦିଲା ବାମଅଙ୍ଗ ପାତି

ପଡ଼ିଣ ଗଦାବର ଚୂର୍ଣ୍ଣ ଯେ ହୁଅନ୍ତି ।୮୮୧।

ଲେଉଟି ଭୀମସେନ ପ୍ରହାର କଲା ଗଦା ଘେନି

ଅସମ୍ଭାଳେ ତହୁଂ ପଳାଇଲେ ସଇନି ।୮୮୨।

ପଳାଇଲେ ରାଜାମାନେ ଛିନ୍ନଛତ୍ର ହୋଇ

ମାନଗୋବିନ୍ଦ ବୋଇଲା ରେ ଆଜ ଯୁଦ୍ଧ ନ କର କେହି ।୮୮୩।

ରାଜାମାନଂକର ଯେ ରେ ରେ କାର ଧୁନି

ହାବୋଡ଼ା ହାବୁଡ଼ି ଘାତେ କମ୍ପିଲା ମେଦିନୀ ।୮୮୪।

ରାଜାଂକ ମୁଖ ଦେଖି ଭୀମ ପ୍ରତଗ୍ୟାଂବନ୍ତ ହୋଇ

ବାଉନ ବାଉନ ଭାର ଗଦା ବେନି କରେ ବୁଲାଇ ।୮୮୫।

ନିରାକୁଳ ନିରାପକ୍ଷ ନିର୍ଦ୍ଦୟାବନ୍ତ ଯୋଧୀ

ସମର ଦୟା ନାହିଂ ପଡିଳେଣ ଛେଦି ।୮୮୬।

ସମର ମଧ୍ୟେ ଡାକ ଦିଲା ବୀର ବ୍ରିକୋଦର

ଦୁଇ ଭୁଜେ ଦୁଇ ଗଦା ବାଉନ ଭାର ।୮୮୭।

ସମର ଗୁରୁତର ଯେ ନ ଯାଇ କଳନା

ଇହଲୋକେ ଅଜେୟ ପାଣ୍ଡବ କୁଳ ରଣା ।୮୮୮।

ଚାଳିଶି ସହସ୍ର ରାଜା ମାନଗୋବିନ୍ଦ କତି

ଦଶ ସହସ୍ର ଯୋଦ୍ଧା ପଡିଲେ ଯେ ରଥୀ ।୮୮୯।

ରତିଭାନୁ ବୋଲି ସେ ଦ୍ରିଯୋଧନର ଶଳା

ଦକ୍ଷିଣ ଦିଗର ନୃପତି ଚନ୍ଦ୍ରାବତୀର ମଉଳା ।୮୯୦।

ସାଂଗ୍ରାମ ଗୁରୁତର ନ ଯାଇଂ କଳନା

ଦକ୍ଷିଣ ଦିଗରେ ଅଛି ଅଳମ୍ୱୁଷ ରଣା ।୮୯୧।

ୟେ ଦୁହେଂ ପଡ଼ିଲେ ସମର ରଣରଙ୍ଗେ

ତିନି ସହସ୍ର ରାଜା ପଡ଼ିଲେ ତାହାକଂର ସଙ୍ଗେ ।୮୯୨।

ବିଷାଦ ମାନଗୋବିନ୍ଦ ସଇନି ହତ କଷ୍ଟ ଦେଖି

ତହୁଂ ରାଜାମାନେ ଗଲେ ସମର ଉପେକ୍ଷି ।୮୯୩।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ସମରେ ମୃତୁପିଣ୍ଡ ପଡ଼ିଅଛନ୍ତି ଅପ୍ରମିତି ।୮୯୪।

ସାଂଗ୍ରାମେ ମାଇଲା ସେ ବୀରବର ପାବେନି

ଅନେକ ରଥ ଗଜ ଅନେକ ସଇନି ।୮୯୫।

କାଳିନ୍ଦୀ ଦେଶର ରାଜା କାଳ ଯେ ନଉମି

ତାହା ସଙ୍ଗେ ପଡ଼ିଲେ ନବ ସହସ୍ର ସଇନି ।୮୯୬।

ଚକ୍ରପୁର ଦେଶର ରାଜା ବିରାଳେଶ୍ୱର ରାୟେ

ତାହାଂକୁ ସାଂଗ୍ରାମେ ମାଇଲା ବୀର ଧନୁର୍ଜୟେ ।୮୯୭।

ତାହାର ତୁଲେ ଯେ ପଡ଼ିଲେ ବହୁତ ରଥୀ

ଦୁଇ ସହସ୍ର ରଥୀ ଯେ ଚାରି ସହସ୍ର ପାଦାନ୍ତି ।୮୯୮।

କାଉଂରୀ ଦେଶର ରାଜା କାମପାଳ ରାୟେ

ଦୁଇ ସହସ୍ର ଯୋଦ୍ଧା ପଡ଼ିଲେ ନକୁଳ କୋନ୍ତ ଘାୟେ ।୮୯୯।

ରଜନୀ ପ୍ରଭାତେ ଯେ ଭୀଷ୍ମ ଦ୍ରୋଣ ଭୂରିସର୍ବା

ଶଲ୍ୟ ବାହ୍ଲିକେ ମିଳି ସର୍ବେ ବସି କରୁଛନ୍ତି ସଭା ।୯୦୦।

ଭଗ୍ନବଳ ଘେନି ତହୁଂ ଗଲା ବୀର କର୍ଣ୍ଣ

ଆଦିତ୍ୟ ଦେବତା ଯହୁଂ ହୋଇଲେ ଉଦୟମାନ ।୯୦୧।

ଦ୍ରିଯୋଧନ ବୋଇଲା ଭୀଷ୍ମ ଦ୍ରୋଣଂକ ମୁଖ ଚାହିଂ

ମହାଭାରଥ ଯୁଦ୍ଧ ତ ଆସି ହୋଇଲା ୟେହିଠାଇଂ ।୯୦୨।

ଧନୁ ଶହସ୍ରମାନ ସଞ୍ଚିତ ଯେତେକ ଭାରଥ ଯୁଦ୍ଧକୁ

ଗାନ୍ଧାରୀର ଶତେ ପୁତ୍ର ହୋଇଲେ ୟେକା ଭୀମସେନ କୋପକୁ ।୯୦୩।

ସମର ଦୁର୍ଭାର ଦେଖି ନ ପଶିଲ ତୁମ୍ଭେ ରଣେ

ଆବର ଜୀବନ ଥିବ ମୋର କେଉଂଣ କାରଣେ ।୯୦୪।

ସାଜରେ ସମଦଣ୍ଡ ରଥ ଗଜ ସଇନି

ଦ୍ରୋଣ ଗୁରୁ ସାଜିଲେ ଆପଣେ ନିଜ ରଥି ।୯୦୫।

ରାଜାର ସଜ ଦେଖି ଭାରଦ୍ୱାଦଶଂକର ସୁତ

ଦ୍ରୋଣ ଗୁରୁ ସାଜିଲେ ଆପଣେ ନିଜ ରଥ ।୯୦୬।

ଅଶସ୍ତାମା କୃପ ଯେ ଦ୍ରୋଣଂକର ସାଖା

ୟେ ତିନିହେଂ ୟେକ ହୋଇଲେ କାହାକଇଂ ନ କରନ୍ତି ଶଂକା ।୯୦୭।

ଯକ୍ଷ ଗନ୍ଧର୍ବ କିନ୍ନର କେ ଅବା ତାଂକୁ ସରି

ଇନ୍ଦ୍ର କୋବେର ହୋଇଲେ ଯିବେ ଅପସରି ।୯୦୮।

କୃପ ଅଶସ୍ତମା ଯେ ବେନି ମଉଳା ଭଣଞ୍ଜା

ବେନି ରଥେ ଚଢି ଆସି କରନ୍ତି ପରିଜା ।୯୦୯।

ଭୀଷ୍ମ ଭୂରିସର୍ବା ସୋମଦତ୍ତ ଶଲ୍ୟ

ଭାରଥ ଯୁଦ୍ଧକୁ ୟେ ଚାରିହେଂ ମହାମଲ୍ଲ ।୯୧୦।

କର୍ଣ୍ଣ ଶକୁନି ଆବର ଦୁର୍ଜୟ ଧୁଶାସନ

ସଙ୍ଗେ ପାରିଦଣ୍ଡ ସମସ୍ତ ରାଜାମାନ ।୯୧୧।

ୟେମାନଂକ ସଙ୍ଗେ ଅନେକ ଥାଠ ସଇନି

ପାଣ୍ଡବନ୍ତ ମାର ବୋଲି ଥାଠେ ଶୁଭିଲା ଗୋଳଧୁନି ।୯୧୨।

ମିଳିଲେ ସମର ମଣ୍ଡଳେ ହୋଇଣ ସମ୍ଭର୍ବ

ୟେକ ଆରକେଣ ଧାମନ୍ତି ମତ୍ତଗର୍ବ ।୯୧୩।

ଦେଖିଣ ମନେ ବିଷାଦ କଲେକ ନାରଦ

ମନେ ମନେ ବିଚାରନ୍ତି ନାଶ ଯିବ ଶାମ୍ୱ ତ ।୯୧୪।

ମନ ପବନ ଦଣ୍ଡ ଚଢିଣ ଆକାଶ ମାର୍ଗେ

ଦ୍ୱାରିକା ଭୁବନକୁ ଚଳିଲେ ମୁନି ବେଗେ ।୯୧୫।

ମନୁ ପୁଚ୍ଛାକଲେ ଶୁଣ ହୋ ମୁନି ମହାଗ୍ୟାଂତା

ଶାମ୍ୱ କୁମର ବନ୍ଧନ ପାଇଲେଟି କି ବାରତା ।୯୧୬।

ଶୁଣ ହୋ ମନୁରାୟେ ବଦନ୍ତି ଅଗସ୍ତି

ଦ୍ୱାରିକା ଭୁବନେ ଯାତ୍ରା ଉଚ୍ଛବ ସଂଗତି ।୯୧୭।

ବଇଶାଖ ଶୁକଳ ପଞ୍ଚମୀର ଦିନ

ପଣ୍ଡିତ ବାର ଯେ ରେବତୀ ନକ୍ଷତ୍ର ବିଦ୍ୟମାନ ।୯୧୮।

ଶୁଭ ନାମେ ଯୋଗ ଯେ କରଣ ନାମେ ବବ

ଦ୍ୱାରିକା ଭୁବନରେ ସବୁରି ଉଚ୍ଛବ ।୯୧୯।

ସାତବଂଶ ରାଜା ଘେନିଣ ସେ ରାଜାଧିରାଜ ଦେବ

ଅନେକ ରଥ ଗଜ ସଇନି ସମ୍ଭର୍ବ ।୯୨୦।

ଯଦୁବଂଶ ଭୋଜବଂଶ ଆବର ବୃଷ୍ଣିବଂଶ

ହଇହୟବଂଶ ଆଦି ଯେତେକ ସାତବଂଶ ।୯୨୧।

ଲକ୍ଷେ ଷାଠିୟେ ସହସ୍ର ଅଶିୟେକ ନନ୍ଦନ

ସମସ୍ତେ ହୋଇଛନ୍ତି ବୀର ବେଶ ବିଧଆନ ।୯୨୨।

ଜଣେ ଜଣେ ନିରୋପି ଚାହାନ୍ତି ହୃଷୀକେଶି

ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ ।୯୨୩।

ଶ୍ରୀକୃଷ୍ଣ ବିଚାରନ୍ତି ରାଜାକଇଂ ଚାହିଂ

ସଭା ତ ନ ଶୋହଇ ମୋହୋର କେଉଣ ପୁତ୍ର ନାହିଂ ।୯୨୪।

ସାତୁକୀ ବୋଲନ୍ତି ସ୍ୱାମୀ ଶୁଣିମା ବଳରାମ

ସମସ୍ତେ ଅଛନ୍ତି ସଭାରେ ନାହିଂ ୟେକା ବୀର ଶାମ ।୯୨୫।

ଜଣେ ଜଣେ ଦ୍ୱାରିକା ଭୁବନ ଉପନେସି

ଶାମ୍ୱ କୁମରକୁ ଦେଖିଲ କି ପୁରେ ପୁରେ ପଶି ।୯୨୬।

ବୋଲନ୍ତି ଯାଦବେ ନାହିଂ ଆମର ଶାମ୍ୱକୁ ଦେଖିଲା

ଆଜକୁ ନାହିଂ ଶାମ୍ୱ ସାତ ଦିନ ହେଲା ।୯୨୭।

ଚାରି ଲକ୍ଷ ଘର ବତିଶ ସହସ୍ର ସାହି

ଲୋଡ଼ି ନ ପାଇଲେ ଶାମ୍ୱ କାହାରି ପୁରେ ନାହିଂ ।୯୨୮।

ଆପଣେ ବିଜୟେ କଲେ ଦେବ ଚକ୍ରଧାରୀ

ରୁକ୍ମିଣୀ ସତ୍ୟଭାମା ପୁରେ ଲୋଡ଼ନ୍ତି କାନ୍ଦି କରି ।୯୨୯।

ଅପୂର୍ବ ନାୟେକା ଯେ ଅଷ୍ଟି ବାଟବଂଶୀ

ତାହାଂକ ପୁରେ ପଶି ଲୋଡ଼ନ୍ତି ହୃଷୀକେଶି ।୯୩୦।

ବତିଶ ସହସ୍ର କନ୍ୟା ଅଶିୟେକ ଉଗୁଳି

ତାହାଂକ ପୁରେ ପଶି ଲୋଡ଼ନ୍ତି ବନମାଳୀ ।୯୩୧।

କନ୍ୟାଂକର ପୁରେ ନ ଦେଖିଲେ କୁମର

ଦେବକୀ ବସୁଦେବଂକ ଛାମୁରେ ମିଳିଲେ ଯାଇ ଖର ।୯୩୨।

ଶ୍ରୀକୃଷ୍ଣ ପଚାରନ୍ତି କ୍ରୋଧ ଅବସ୍ଥା ଯେ ହୋଇ

ଶାମ୍ୱ କୁମର କେଣେ ଗଲା ନ ଦେଖିଲା କେହି ।୯୩୩।

ଯହୁଂ ବିରସ ହୋଇ ଲୋଡ଼ନ୍ତି ବନମାଳୀ

ଦ୍ୱାରିକା ପୁରେଣ ଯେ ପଡ଼ିଲା ବୋବାଳି ।୯୩୪।

ଧାମନ୍ତି ଯାଦବେ ଲୋଡ଼ନ୍ତି ଡଉକତି

କିୟେ ହରି ନେଲା ମୋର ଦ୍ୱାରିକା ସମ୍ପତ୍ତି ।୯୩୫।

ଲୋଡ଼ି ନ ପାଇଲେ ହରି ଦ୍ୱାରିକା ଭୁବନେ

କ୍ରୋଧଭରେ ମିଳିଲେ ହରି ବଳରାମଂକର ସନ୍ନିଧାନେ ।୯୩୬।

ସ୍ୱାମୀ ଶାମ୍ୱ କୁମର ନାହିଂ ଦ୍ୱାରିକା ଭୁବନ ଚଉକତି

ପୁରେ ପୁରେ ଘରେ ଘରେ ପଶିଣ ଲୋଡ଼ନ୍ତି ।୯୩୭।

ଶ୍ରୀକୃଷ୍ଣଂକ ବଦନୁଂ ୟେସନେକ ବାକ୍ୟ ଶୁଣି

ମୋହଗତେ ପଡ଼ିଲେ ଯେ ଦେବ ହଳପାଣି ।୯୩୮।

ପଦ୍ମନକଇ କଓଳ କରି ଧଇଲେ ଜଗନ୍ନାଥେ

ବୋଇଲେ ବାବୁ ତୋହୋର ସଖା ସଙ୍ଗେ ଥାଇ ଅନୁବ୍ରତେ ।୯୩୯।

ଦଣ୍ଡେ ଛଡ଼ାଛଡ଼ି ତୁମ୍ଭେ ଯେ ନୋହ ବେନି ଭାଇ

ତୁହି ତ ଅଛୁ ଶାମ୍ୱ କୁମର ମୋର ଗଲା କାହିଂ ।୯୪୦।

କରପତ୍ର ଯୋଡ଼ିଣ ସେ କହଇ ପଦ୍ମନ

ଆଜଯାୟେ ଶାମ୍ୱକୁ ମୁହିଂ ନ ଦେଖିଲି ହେଲା ସାତ ଦିନ ।୯୪୧।

ବଳରାମେ କୃଷ୍ଣଂକୁ କୋଳେ ଧରିଛନ୍ତି

ନନ୍ଦ ବସୁଦେବ ସହିତେ ସମାଜନ୍ତି ।୯୪୨।

କହନ୍ତି ଦଇବତୀ ଯଶୋବନ୍ତୀ ରୁକ୍ମିଣୀ ଜାମ୍ୱୋବତୀ

ପୁତ୍ର ନାହିଂ ବୋଲିଣ ଯେ ମୋହେଣ ପଡ଼ନ୍ତି ।୯୪୩।

ଦ୍ୱାରିକାପୁର ଆକୁଳ କହିତ କି ପାରି

କ୍ରୋଧେ ଅସମ୍ଭାଳ ସକଳ ନର ନାରୀ ।୯୪୪।

ଆରେ ବାବୁ ଶାମ୍ୱ ବୋଲିଣ ଯେ ଉଚ୍ଚେ ଦ୍ୟନ୍ତି ଡାକ

ୟେକା ଶାମ୍ୱ ନାମ ଗୋଟି ସବୁଂକରି ମୁଖ ।୯୪୫।

ଶ୍ରୀକୃଷ୍ଣ ବୋଇଲେ ଯେ ଅଦଭୁତ ବାଣୀ

ନିର୍ଘାତ ବଣେ କେ ମୋତେ ପକାଇଲା ହାଣି ।୯୪୬।

ଉଲୁକାପାତ ଜାଣି ଶାମ୍ୱ କୁମର କେଣେ ଗଲା

ୟେ କଥା ମୋତେ ତ ଗୋଚର ନୋହିଲା ।୯୪୭।

ୟେସନେକ ଫଳଶ୍ରୂତି ହୋଇଲା ମୋତେ କାହିଂ

ସମସ୍ତେ ଅଛନ୍ତି ମୋର ଶାମ୍ୱ କୁମର ତ ନାହିଂ ।୯୪୮।

ଦ୍ୱାରିକାପୁର ଜନେ ଯେ ସମସ୍ତେ ବିଷାଦ

ୟେସନେକ ସମୟେ ଆସି ମିଳିଲେ ନାରଦ ।୯୪୯।

ଦଣ୍ତ କମଣ୍ଡଳକୁ କରେ କଷା କଉପୁନି

ସଭାର ମଧ୍ୟେ ଯାଇଂ ମିଳିଲେ ନାରଦ ମହାମୁନି ।୯୫୦।

ନାରଦଂକୁ ଦେଖି ରାମକୃଷ୍ଣ ବେନି ଭାଇ

ମୃଚ୍ଛାଗତ ହୋଇ ଦୁହେଂ ପଡିଲେକ ମହୀ ।୯୫୧।

ଅନେକ ଅବସ୍ଥା ହୋଇଣ ବେନି ଭଆଇ

ରୋଦନ କରନ୍ତେଣ ବଦନୁ ବଚନ ନୁଆସଇ ।୯୫୨।

ନାରଦେ ବୋଇଲେ ହୋ ରାଜା ଶୁଣ ଉଗ୍ରସେନ

ନିର୍ଭୟେ ଅଟଇ ୟେ ଦ୍ୱାରିକା ଭୁବନ ।୯୫୩।

ଯେବଣହିଂ ପୁରେ ପଶି ନୁଆରଇ ଯମ ଯେ ଦେବତା

ଅରୋଗୀ ଅଦୋଷୀ ସମସ୍ତେ ପୁଣ୍ୟବନ୍ତା ।୯୫୪।

ତୁ ଯେ ନାରାୟଣ ଦାନବଂକ ବଇରି

ମାୟା କୂଟେ ପୁତ୍ରକୁ ଅବା ତୋର କେ ପକାଇଲା ମାରି ।୯୫୫।

ନାରଦଂକ ବଚନେ କହନ୍ତି ବଳରାମ

ଦ୍ୱାରିକା ପୁର ସୁନ୍ଦର ପୁତ୍ର ଗୋଟି ଶାମ୍ୱ ।୯୫୬।

ୟେତେ ବୋଲି ଅସାଷ୍ଟମ ହୋଇଲେ ଦେବ ହଳୀ

ମୃଚ୍ଛାଗତ ଯାଇ ପଡ଼ିଲେ ବନମାଳୀ ।୯୫୭।

ୟେକ ଆରେକ କେହି ନ ଦିଅନ୍ତି ସମ୍ପାଦ

ୟେକା ଶାମ୍ୱ ନାହିଂ ବୋଲି ସମସ୍ତେ ହୋଅନ୍ତି କ୍ରୋଧ ।୯୫୮।

ନାରଦେ ବୋଇଲେ ବାବୁ ଶୁଣ ପଦ୍ମନାଭ

ଦ୍ୱାରିକା ଭୁବନ ତୋର ଦେବଂକୁ ଦୁର୍ଲଭ ।୯୫୯।

ଅନନ୍ତ କୋଟି ବ୍ରହ୍ମଣ୍ଡରେ ଦେବ ତୋହୋର ମହିମା

ନାଶକର ଦଣ୍ଡ ନ ଲାଗଇ ଯେଉଂଣ ସୀମା ।୫୬୦।

କାଳ କାମ ଯମ ଯହିଂ ନୁଆରନ୍ତି ପଶି

ପୁତ୍ର ଗୋଟି ତୋହୋର ଯେ ହୋଇଲା କେଉଣ ଦୋଷୀ ।୫୬୧।

ଅବିଶ୍ରାମେ ସୁଦର୍ଶନ ଚକ୍ର ଯହିଂ ବୁଲଇ ପ୍ରଚଣ୍ଡ

ମାଛି ତିରଣ ପଡିଲେ ଯେ ହୁଅଇ ଶତେ ଖଣ୍ଡ ।୯୬୨।

ଆନର ପଶିବାକୁ ତ ନୁହଇ ଭରସା

ତୁ ଯେ ଜଗତ ଜନଂକର ପୂରାଉ ମନୀଷା ।୯୬୩।

ପୁତ୍ରଂକର ମଧ୍ୟେ ସେ ଯେ ଅଟଇ ଉତ୍ତମ

ପଦ୍ମନର ତହୁଂ ଉତ୍ତମ ଅଟଇ ଶାମ୍ୱ ।୯୬୪।

ସାତ ଦିନ ଗଲା ସେ ନାହିଂ ଯେ ଦ୍ୱାରିକା

ସମସ୍ତେ ଅଛନ୍ତି ସେ କେଣେ ଗଲା ୟେକା ।୯୬୫।

ଆଦ୍ୟହୁଂ ଶାମ୍ୱ ଯେ ଅଟଇ ମନ୍ଦ ପ୍ରକୃତି

ଗୁପତେ ହରି ଲୋଡ଼ିଲା ଅବା କାହାର ଦୋହିତୀ ।୯୬୬।

ୟେଣୁ କରି ନାଶ କଲା ଅବା କେଉଂଣ ଜନ

ୟେସନେକ କୃତ୍ୟ ହରି ଭାବଇ ମୋର ମନ ।୯୬୭।

ଗୋବିନ୍ଦ ବୋଇଲେ ନାରଦ କହିଲ ଯେବଣ ବୃତ୍ତାନ୍ତ

ଆଦ୍ୟହୁଂ ଅନ୍ତର ୟେ କଥା ନୋହଇ କଦାଚିତ ।୯୬୮।

ନିଚୟେ ପୁତ୍ରକୁ ମୋର କେ ମାଇଲା ଗୁପତେ

ଶୁଣିଣ କୋପଭର ହୋଇଲେ ହଳହସ୍ତେ ।୯୬୯।

ନିଚୟେ କୂଟେ ଯେବେ ମାଇଲେ ମୋର ପୋୟେ

ମାରିବି ଆଜ ସାତବଂଶ ଯାଦବ ସମୂହେ ।୯୭୦।

ବଳରାମ କୋପ ଦେଖି ହସିଲେ ତୁପନିଷ୍ଠି

ୟେହିକ୍ଷଣି ଦ୍ୱାରିକାୟେ ଉପୁଜିବ ଅରିଷ୍ଟି ।୯୭୧।

ନାରଦେ ବୋଇଲେ ରହ ରହ ବଳରାମନ

ଆମ୍ଭର ମନକୁ ପ୍ରତେ ଆସଇ ଯହିଂ ଅଛି ଶାମ ।୯୭୨।

ୟେହା ଶୁଣି ବଳଦେବ ବୋଲନ୍ତି ଉତ୍ତର

ଆଗହୁଂ କିମ୍ପେ ନ କହିଲ ଆହେ ମୁନିବର ।୯୭୩।

ନାରଦେ ବୋଲନ୍ତି ଶୁଣ ବେନି ଭଆଇ ତୁମ୍ଭେ ଆମ୍ଭର ବଚନ

ହସ୍ତିନା ପୁରେ ଅଟଇ ଯେ ଦ୍ରିଯୋଧନ ରାଜନ ।୯୭୪।

ଦ୍ରିଯୋଧନ ନନ୍ଦିନୀ ଯେ ନାମ ଚନ୍ଦ୍ରାବତୀ ବାଳୀ

ସେ ତୋହୋର କୁମରକୁ ବରିଲା ମନର ହିଆଳୀ ।୯୭୫।

ଚନ୍ଦ୍ରାବତୀର ନିମନ୍ତେ ରାଜା କୁରୁବୀର

ଲକ୍ଷେ ରାଜା ଅଣାଇ ସେ କଲା ସୟମ୍ୱର ।୯୭୬।

ମୁଦୁସୁଲୀ ନେଇ ରାଜାମାନେ ଦେଖାଇଲା

ଚନ୍ଦ୍ରାବତୀ କାହାକୁ ଯେ ତହିଂ ନ ବରିଲା ।୯୭୭।

ବିରସ ହୋଇଣ ତହୁଂ ଗଲା ବେଗେ ଚଳି

ନିଜ ମନ୍ଦିରରେ ଯାଇ ରହିଲାକ ବାଳୀ ।୯୭୮।

ଅନ୍ଦାରି ବିଜେ କରି ଶାମ୍ୱ କୁମର ଯାଆନ୍ତେ

ମେଢରେ ଥାଇଂ କନ୍ୟା ଦେଖିଲା ତୁରିତେ ।୯୭୯।

ରାଜାମାନନ୍ତେ ଛାଡ଼ି ଶାମ୍ୱ କୁମରକଇଂ ବରିଲା କୁମାରୀ

କଣ୍ଠେ ଲମ୍ୱାଇଲା ନୀଳା ରତ୍ନମାଳୀ ।୯୮୦।

କନ୍ୟାର ତୁଲେ ରତିରଙ୍ଗ କରନ୍ତେ ହରଷେ

କୁମାରୀ ତୁଲେ କୁମାର ବଢିଲା ରତିରସେ ।୯୮୧।

କନ୍ୟାକୁ ଘେନି ରହିଲା ନଇଲା ଦ୍ୱାରିକା

ଜାଣନ୍ତା ହେଲା ଯହୁଂ ସାଂଗ୍ରାମ କଲା ୟେକା ।୯୮୨।

ସଇନି ବଳ ଘେନିଣ ଯେ ଦୁର୍ଜୟେ ବେଢିଲା

ଧୁଶାସନ ତହିଂ ଅନେକ ଯୁଦ୍ଧ କଲା ।୯୮୩।

ୟେକା କୁମରକୁ ଯେ ଦଶ ସହସ୍ର ଯୋଧୀ

କୂଟ କପଟ କରି ପୁଅକୁ ତୋର ବାନ୍ଧି ।୯୮୪।

ଦ୍ରିଯୋଧନ ଛାମୁରେ ଶାମ୍ୱକୁ ତୋର ନେଇ ଦିଲେ

ଶ୍ମଶାନେ ମୁଣ୍ଡ କାଟ ବୋଲି ରାଜା ଆଗ୍ୟାଂ କଲେ ।୯୮୫।

ୟେସନେକ ସମୟେ ଆମ୍ଭେ ହସ୍ତିନାରେ ଥିଲୁ

ୟେହୁ ସନ୍ଦେଶ ପାଣ୍ଡବଂକ ଆଗରେ କହିଲୁ ।୯୮୬।

ଶୁଣିଣ କୋପ କଲେ ଭୀମ ଅରଜୁନ

ଧାତିକାରେ ଆବୋରିଲେ ଯାଇଂ ତୋହୋର ନନ୍ଦନ ।୯୮୭।

ବଡ କଟାଳ କରିଥିଲେ ଶାମ୍ୱକୁ ହାଣିବାକୁ

ଧାଇଂଣ ଅର୍ଜୁନ ଯେ କୋଳ କଲା ତାକୁ ।୯୮୮।

ବନ୍ଧନୁଂ ଫେଡ଼ି ଆଣିଲେ ସେ ତୋହୋର ବାଳ

ଅର୍ଜୁନକୁ ଗଦା ଘେନି ପିଟିଲା ଧୁଶାସନ ଚାଣ୍ଡାଳ ।୯୮୯।

ୟେମନ୍ତେ ଧୁଶାସନକୁ ଗଦା ଘେନି ପିଟିଲାକ ଭୀମସେନ

ପାଣ୍ଡବେ କଉରୋବେ ଯେ ହୋଇଲେ ଅନ୍ୟୋଅନ୍ୟ ।୯୯୦।

ସୟମ୍ୱର ଭଗ୍ନ କରି ପଳାଇଲେ ରାଜାଗଣମାନେ

ଧୁଶାସନକୁ ଗଦା ମାଇଲା ଭୀମ କୋପ ମନେ ।୯୯୧।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ଶାମ୍ୱ କୁମରକୁ ଆବୋରିଲେ ପଞ୍ଚୁ ଯେ ପାଣ୍ଡବ ।୯୯୨।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଦ୍ରିଯୋଧନେ ଛନ୍ତି ବେଢି

ୟେସନେକ ଚରିତ ଆମ୍ଭେ ଅଇଂଲୁ ଦେଖି କରି ।୯୯୩।

ଶୁଣିଣ ବଳରାମେ ବୋଇଲେ ବଡ କୋପୀ

ହଳ ମୂଷଳ ବୁଲାଇ ରାମ ବଡାଇ ପ୍ରତାପୀ ।୯୯୪।

ମହା ପ୍ରତଗ୍ୟାଂ ଯେ କରିଣ କାମପାଳ

ଆଜ ଯେ ବିଧ୍ୱଂସିବି ମିୁଂ ଯେ କଉରୋବବଳ ।୯୯୫।

ସାଧୁ ରେ ପାଣ୍ଡବେ ଜୀବନ ତୁମ୍ଭର ଧନି

ମୋହୋର ପୁତ୍ର ନିମନ୍ତେ ସୋଦରେ ସୋଦରେ ହୋଇଲ ଅନ୍ୟୋଅନ୍ୟି ।୯୯୬।

ଧୃତିରାଷ୍ଟ ପୁତ୍ରନ୍ତ ଯାବତ ମାରିବି

ଭୀଷ୍ମ ଦ୍ରୋଣ ଆଦି କରି କିଛି ନ ଥୋଇବି ।୯୯୭।

ଯୁଝେଷ୍ଠିଂକି ପଞ୍ଚୁ କଟକେ କରାଇବି ରାଜା

ଅଭିଷେକ କରାଇବି ପଣ୍ଡୁର ତନୁଜା ।୯୯୮।

ଶଙ୍ଖ ଚକ୍ର ଗଦା ଯେ ଶାରଙ୍ଗ ଧନୁ କରେ ଧରି

ଆସ୍ତାନୁ ଡେଇଂ ପଡ଼ିଲେ ଦେବ ଚକ୍ରଧାରୀ ।୯୯୯।

ଶ୍ରୀମୁଖେ ଆଗ୍ୟାଂ ଦିଲେ ଦେବ ଯେ ଅଚ୍ୟୁତ

ସଜ କରି ଆଣ ହୋ ନନ୍ଦିଘୋଷ ରଥ ।୧୦୦୦।

ଦାରୁକକୁ ରାଇ ଆଗ୍ୟାଂ ଦିଲେ ହଳପତି

ତାଳଧ୍ୱଜ ରଥ ମୋର ସଜ କର ହୋ ତଡ଼ତି ।୧୦୦୧।

ଯଦୁବଂଶ ରାଜା ଯେ ଅଟଇ ବୀର ଉଗ୍ରସେନ

ରଥ ସାଜି ବାହାର ହୋଇଲା କୁମର ପଦ୍ମନ ।୧୦୦୨।

ସାତବଂଶ ଯଦବନ୍ତ ଘେନଇଣ ଚକ୍ରଧାରୀ

ନନ୍ଦିଘୋଷ ରଥରେ ବିଜୟେ ଦେବ ହରି ।୧୦୦୩।

ବାମେ ସଉନନ୍ଦ ଦକ୍ଷିଣେ ବଜ୍ର ଯେ ଲାଙ୍ଗଳ

ତାଳଧ୍ୱଜ ରଥେ ବିଜୟେ କାମପାଳ ।୧୦୦୪।

ବାଜଇ ଦୁନ୍ଦୁଭି ସମୁଦ୍ର ଘୋଷ ଜାଣି

ସାତବଂଶ ଯୋଦ୍ଧା ଘେନି ହୋଇଲେ ଆଗିଆଣି ।୧୦୦୫।

ୟେକକୁ ଆରେକ ଯେ ପ୍ରତଗ୍ୟାଂ କରନ୍ତି ଆସି

ହସ୍ତିନା ରାଜ୍ୟକୁ ସମଦଣ୍ଡ ଘେନି ପଶି ।୧୦୦୬।

ଛପନ କୋଟି ଯାଦବ ଘେନିଣ ଉଗ୍ରସେନ

ଦ୍ୱାରିକାଉଂ ବାହାର ହୋଇଲେ ସମସ୍ତ ଯଦୁ ସଇନ ।୧୦୦୭।

ଯାତ୍ରା ଅନକୂଳେ ସର୍ବ ଶୁଭ ଯେ ମଙ୍ଗଳ

ଚଳନ୍ତି ସମଦଣ୍ଡେ କୃଷ୍ଣ କାମପାଳ ।୧୦୦୮।

ଆକାଶ କମ୍ପିଲା ବଳରାମଂକ ଦୀର୍ଘ ରଡ଼ି

ମେରୁ ଗିରି କନ୍ଦର କି ପଡିଲାକ ଝଡ଼ି ।୧୦୦୯।

ପ୍ରଳୟ କାଳେ ଯେସନେ ସପତ ସିନ୍ଧୁ ଗର୍ଜଇ

ଆଦିତ୍ୟ ଦେବତା ହୋଇଲେ ହୀନ ତେଜଇଂ ।୧୦୧୦।

ନାରଦେ ଦେଖିଲେ ଯେ ଦ୍ୱାରିକାର ସଇନି

ଦୁତୀ ସମୋଦ୍ର ପ୍ରାୟେକ ଘୋଟିଲେ ମେଦିନୀ ।୧୦୧୧।

ଦେବଂକୁ ଦୁର୍ଲଭ ବଳରାମଂକ ମହିମା

ଦେଖିଣ ତ୍ରାସିବେ ଯେ ଦେବେ ସୁର ବ୍ରହ୍ମା ।୧୦୧୨।

କୋଟିୟେ ସିଘଂର ଯାହାର ପରାକ୍ରମ

ଦେବାଧିଦେବ ରାଜାଂକ ଉପରେ ଉତ୍ତମ ।୧୦୧୩।

ଅତିବଳେ ବଳରାମ ଯାହାର ନାମ ଗୋଟି

ତାହାର କୋପ କଲେ କି ରହିବାକ ନବସୃଷ୍ଟି ।୧୦୧୪।

ସଉନନ୍ଦ ମୂଷଳ ସମର୍ଥକ ହଳ କରେ

ବୃନ୍ଦାଅର୍କେ ତ୍ରାସିଲେ ବଳରାମଂକ କୋପଭରେ ।୧୦୧୫।

ଆକାଶ ଭୁବନକୁ ଯେ ଲାଗିଲା ମହାଭୟେ

ଆସ୍ତାନେ ଥାଇଣ କମ୍ପିଲା ଦେବରାୟେ ।୧୦୧୬।

ଜୟ ତୁ ବଳରାମ ଅନାଦି ସିଦ୍ଧ ଦେବତା

ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ରୋମ ମୂଳେ ବସନ୍ତା ।୧୦୧୭।

ଅନନ୍ତ ମହିମା ଯାର ବଚନେ ନୁଆସଇ କହି

ୟେକବିଂଶ ବ୍ରହ୍ମାଣ୍ଡ ଯାହାର ଶରୀରେ ପ୍ରକାଶଇ ।୧୦୧୮।

ପୃଥୀ ଆପ ତେଜ ବାୟବ୍ୟ ଆକାଶ

ପଞ୍ଚୁ ଧାତୁ ମଧ୍ୟେ ତୁ ଯେ ବିହନ୍ତା ପୁରୁଷ ।୧୦୧୯।

ଶ୍ରୀ ବଳରାମ ଦେବଂକ ଶ୍ରୀଚରଣେ ଶରଣ

ବଦୟନ୍ତି ସାରୋଳ ଦାସ ମୋତେ ଉଦ୍ଧରି ଧର ହେ ପ୍ରଭୁ ନାରାୟଣ ।୧୦୨୦।୭୪୧୪।


-ପ୍ରଥମ ଭାଗ ସମାପ୍ତ-

***